ପାଠ ୧୧
ବିଶ୍ୱାସର ପରୀକ୍ଷା
ଅବ୍ରହାମ ନିଜ ପୁଅ ଇସ୍ହାକକୁ ଯିହୋବାଙ୍କୁ ପ୍ରେମ କରିବା ଏବଂ ସବୁ ପ୍ରତିଜ୍ଞା ଉପରେ ଭରସା ରଖିବା ଶିଖାଇଲେ । କିନ୍ତୁ ଯେବେ ଇସ୍ହାକ ପ୍ରାୟ ୨୫ ବର୍ଷର ଥିଲା ତେବେ ଯିହୋବା ଅବ୍ରହାମଙ୍କୁ ଏପରି ଏକ କାମ କରିବା ପାଇଁ କହିଲେ ଯାହା ବହୁତ କଠିନ ଥିଲା । ସେହି କାମ କʼଣ ଥିଲା ?
ଈଶ୍ୱର ଅବ୍ରହାମଙ୍କୁ କହିଲେ, ‘ତମେ ନିଜ ଏକମାତ୍ର ପୁତ୍ରକୁ ମୋରୀୟା ଦେଶକୁ ନେଇ ଯାଅ ଏବଂ ସେହି ପାହାଡ଼ ଉପରେ ତାହାର ବଳିଦାନ ଚଢ଼ାଅ ।’ ଅବ୍ରହାମଙ୍କୁ ବିଲକୁଲ୍ ବି ଜଣା ନ ଥିଲା ଯେ ଯିହୋବା କାହିଁକି ଏପରି କରିବା ପାଇଁ କହିଲେ । ତଥାପି ସେ ଯିହୋବାଙ୍କ କଥା ମାନିଲେ ।
ଆରଦିନ ସକାଳେ ଅବ୍ରହାମ ନିଜ ସହ ଇସ୍ହାକ ଏବଂ ଦୁଇ ଜଣ ସେବକଙ୍କୁ ନେଇ ମୋରୀୟା ଦେଶ ଆଡ଼କୁ ବାହାରି ପଡ଼ିଲେ । ତିନି ଦିନ ପରେ ସେମାନଙ୍କୁ ଦୂରରୁ ହିଁ ସେହି ପାହାଡ଼ ଦେଖାଗଲା । ଅବ୍ରହାମ ନିଜ ସେବକମାନଙ୍କୁ କହିଲେ ଯେ ସେମାନେ ସେଇଠି ରହନ୍ତୁ ଏବଂ ସେ ଇସ୍ହାକକୁ ନେଇ ବଳିଦାନ ଚଢ଼ାଇବା ପାଇଁ ଯିବେ । ଅବ୍ରହାମ ଗୋଟିଏ ଛୁରୀ ନେଲେ ଆଉ ଇସ୍ହାକକୁ କାଠଗୁଡ଼ିକ ଧରିବା ପାଇଁ କହିଲେ । ଇସ୍ହାକ ନିଜ ବାପାଙ୍କୁ ପଚାରିଲେ, ‘ବଳିଦାନ ଚଢ଼ାଇବା ପାଇଁ ପଶୁ କାହିଁ ?’ ଅବ୍ରହାମ କହିଲେ, ‘ପୁଅ, ଯିହୋବା ଏହାର ବ୍ୟବସ୍ଥା କରିବେ ।’
ଯେବେ ସେମାନେ ଚାଲି ଚାଲି ପାହାଡ଼ରେ ପହଞ୍ଚିଲେ ତେବେ ସେମାନେ ସେଠାରେ ଗୋଟିଏ ବେଦି ତିଆରି କଲେ । ତାʼପରେ ଅବ୍ରହାମ ଇସ୍ହାକର ହାତଗୋଡ଼ ବାନ୍ଧି ଦେଲେ ଏବଂ ତାକୁ ବେଦି ଉପରେ ଶୁଆଇ ଦେଲେ ।
ଆଉ ଅବ୍ରହାମ ହାତରେ ଛୁରୀ ଧରି ଇସ୍ହାକକୁ ମାରିବାକୁ ଯାଉଥିଲେ ସେ ସମୟରେ ଯିହୋବାଙ୍କ ସ୍ୱର୍ଗଦୂତ ସ୍ୱର୍ଗରୁ କହିଲେ, ‘ଅବ୍ରହାମ ! ପିଲାକୁ ମାର ନାହିଁ ! ଏବେ ମୁଁ ଜାଣିଗଲି ଯେ ତମକୁ ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କାରଣ ତମେ ନିଜ ପୁଅକୁ ବଳିଦାନ ଚଢ଼ାଇବା ପାଇଁ ପଛଘୁଞ୍ଚା ଦେଲ ନାହିଁ ।’ ତେବେ ଅବ୍ରହାମ ଦେଖିଲେ ଯେ ସେଠାରେ ଗୋଟିଏ ମେଣ୍ଢା ଅଛି ଯାହାର ଶିଙ୍ଗ ବୁଦାରେ ଫସିଛି । ସେ ଶୀଘ୍ର ଇସ୍ହାକର ହାତ ଗୋଡ଼ ଖୋଲି ଦେଲେ ଏବଂ ଏହା ବଦଳରେ ମେଣ୍ଢାର ବଳିଦାନ ଚଢ଼ାଇଲେ ।
ସେଦିନ ଯିହୋବା ଅବ୍ରହାମଙ୍କୁ ନିଜ ସାଙ୍ଗ କହିଲେ । କାହିଁକି ଜାଣିଛ ? କାରଣ ଯିହୋବା ଅବ୍ରହାମଙ୍କୁ ଯାହା ବି କହିଲେ ସେ ତାହା ହିଁ କଲେ । ସେ ତେବେ ବି ଯିହୋବାଙ୍କ କଥା ମାନିଲେ ଯେବେ ତାଙ୍କୁ ବୁଝାପଡ଼ିଲା ନାହିଁ ଯେ ଯିହୋବା ଏପରି କାହିଁକି କହିଲେ ।
ଯିହୋବା ଆଉଥରେ ପ୍ରତିଜ୍ଞା କଲେ, ‘ମୁଁ ତମକୁ ଆଶିଷ ଦେବି ଆଉ ତମର ଅନେକ ସନ୍ତାନ ହେବେ ।’ ଏହାର ଅର୍ଥ ଥିଲା ଯେ ଯିହୋବା ଅବ୍ରହାମଙ୍କ ପରିବାର ଜରିଆରେ ସବୁ ଭଲ ଲୋକଙ୍କୁ ଆଶିଷ ଦିଅନ୍ତେ ।
“ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।”—ଯୋହନ ୩:୧୬