ପାଠ ୮
ଅବ୍ରହାମ ଓ ସାରା ଈଶ୍ୱରଙ୍କ କଥା ମାନିଲେ
ବାବିଲଠାରୁ କିଛି ଦୂରରେ ଊର ନାମକ ଗୋଟିଏ ସହର ଥିଲା । ସେଠାର ଲୋକମାନେ ଯିହୋବାଙ୍କ ଉପାସନା କରୁ ନ ଥିଲେ । ସେମାନେ ଅନେକ ଦେବତାଙ୍କ ପୂଜା କରୁଥିଲେ । କିନ୍ତୁ ସେଠାରେ ଜଣେ ବ୍ୟକ୍ତି ଥିଲେ ଯିଏ କେବଳ ଯିହୋବାଙ୍କ ଉପାସନା କରୁଥିଲେ । ତାଙ୍କ ନାମ ଅବ୍ରହାମ ଥିଲା ।
ଯିହୋବା ଅବ୍ରହାମଙ୍କୁ କହିଲେ, ‘ତମେ ନିଜ ଦେଶ ଓ ସମ୍ପର୍କୀୟଙ୍କୁ ଛାଡ଼ି ମୁଁ ଯେଉଁ ଦେଶ ତମକୁ ଦେଖାଇବି ସେହି ଦେଶକୁ ଯାଅ ।’ ଈଶ୍ୱର ତାଙ୍କୁ ପ୍ରତିଜ୍ଞା କଲେ, ‘ତମଠାରୁ ଏକ ବଡ଼ ରାଷ୍ଟ୍ର ହେବ ଏବଂ ତମ ଯୋଗୁଁ ମୁଁ ପୃଥିବୀରେ ରହୁଥିବା ଅନେକ ଲୋକଙ୍କ ପାଇଁ ଭଲ ଭଲ କାମ କରିବି ।’
ଅବ୍ରହାମ ଜାଣି ନ ଥିଲେ ଯେ ଯିହୋବା ସେମାନଙ୍କୁ କେଉଁଠିକୁ ପଠାଉଛନ୍ତି, ତଥାପି ସେମାନେ ଯିହୋବାଙ୍କ ଉପରେ ଭରସା ରଖିଲେ । ତେଣୁ ଅବ୍ରହାମ, ତାଙ୍କ ସ୍ତ୍ରୀ ସାରା, ତାଙ୍କ ବାପା ତେରହ ଏବଂ ତାଙ୍କ ପୁତୁରା ଲୋଟ ନିଜ ଜିନିଷ ବାନ୍ଧିଲେ ଏବଂ ସେମାନେ ଈଶ୍ୱରଙ୍କ କଥା ମାନି ଦୂର ଦେଶକୁ ଯିବା ପାଇଁ ବାହାରି ପଡ଼ିଲେ ।
ଲମ୍ବା ଯାତ୍ରା ପରେ, ଅବ୍ରହାମ ଓ ତାଙ୍କ ପରିବାର ସେହି ଦେଶକୁ ପହଞ୍ଚିଗଲେ ଯାହା ବିଷୟରେ ଯିହୋବା କହିଥିଲେ ଯେ ସେ ସେମାନଙ୍କୁ ଦେଖାଇବେ । ସେସମୟରେ ଅବ୍ରହାମ ୭୫ ବର୍ଷ ବୟସର ଥିଲେ । ସେହି ଦେଶର ନାମ ଥିଲା କିଣାନ । ସେଠାରେ ଯିହୋବା ଅବ୍ରହାମଙ୍କ ସହ କଥା ହେଲେ ଏବଂ ତାଙ୍କୁ ପ୍ରତିଜ୍ଞା କଲେ, ‘ଏହି ସାରା ଦେଶ ଯାହା ତମେ ଦେଖୁଛ ମୁଁ ତମ ପିଲାମାନଙ୍କୁ ଦେବି ।’ କିନ୍ତୁ ଅବ୍ରହାମ ଓ ସାରା ବହୁତ ବୁଢ଼ାବୁଢ଼ୀ ହୋଇଯାଇଥିଲେ ଏବଂ ସେମାନଙ୍କ କୌଣସି ସନ୍ତାନ ନ ଥିଲେ । ତାହେଲେ ଯିହୋବା ନିଜ ପ୍ରତିଜ୍ଞା କିପରି ପୂରା କଲେ ?
‘ବିଶ୍ୱାସ ଦ୍ୱାରା ଅବ୍ରହାମ ଆଜ୍ଞାବହ ହୋଇ ସେଠାକୁ ବାହାରିଗଲେ, ଯେଉଁ ଦେଶ ସେ ଅଧିକାର ସ୍ୱରୂପେ ପାଇବାକୁ ଯାଉଥିଲେ, ପୁଣି ସେ କେଉଁଠାକୁ ଯାଉଅଛନ୍ତି, ତାହା ନ ଜାଣି ସୁଦ୍ଧା ବାହାରିଗଲେ ।’—ଏବ୍ରୀ ୧୧:୮