ପାଠ ୩୪
ଗିଦିୟୋନ୍ ମିଦୀୟନୀୟମାନଙ୍କଠାରୁ ଜିତିଲେ
କିଛି ସମୟ ପରେ ଇସ୍ରାଏଲୀୟ ପୁଣି ଯିହୋବାଙ୍କୁ ଛାଡ଼ି ମିଥ୍ୟା ଦେବତାମାନଙ୍କୁ ପୂଜା କରିବାକୁ ଲାଗିଲେ । ସେସମୟରେ ମିଦୀୟନୀୟ ଲୋକମାନେ ଆସି ଇସ୍ରାଏଲୀୟମାନଙ୍କ ପଶୁ ଚୋରି କରିବାକୁ ଲାଗିଲେ ଏବଂ ସେମାନଙ୍କ ଫସଲ ନଷ୍ଟ କରିବାକୁ ଲାଗିଲେ । ଏପରି ସାତ ବର୍ଷ ଯାଏ ଚାଲିଲା । ମିଦୀୟନୀୟମାନଙ୍କଠାରୁ ରକ୍ଷା ପାଇବା ପାଇଁ ଇସ୍ରାଏଲୀୟମାନେ ଗୁମ୍ଫା ଏବଂ ପାହାଡ଼ଗୁଡ଼ିକରେ ଲୁଚି ଯାଉଥିଲେ । ସେମାନେ ଯିହୋବାଙ୍କୁ ବହୁତ ବିନତି କଲେ ଯେ ସେ ସେମାନଙ୍କୁ ରକ୍ଷା କରନ୍ତୁ । ତେଣୁ ଯିହୋବା ତାଙ୍କ ଜଣେ ସ୍ୱର୍ଗଦୂତଙ୍କୁ ଗିଦିୟୋନ୍ ନାମକ ଜଣେ ଯୁବା ବ୍ୟକ୍ତିଙ୍କ ପାଖକୁ ପଠାଇଲେ । ସ୍ୱର୍ଗଦୂତ ଗିଦିୟୋନ୍ଙ୍କୁ କହିଲେ, ‘ଯିହୋବା ତମକୁ ଜଣେ ସାହସୀ ସୈନିକ ହେବା ପାଇଁ ବାଛିଛନ୍ତି ।’ କିନ୍ତୁ ଗିଦିୟୋନ୍ ପଚାରିଲେ, ‘ମୁଁ ଇସ୍ରାଏଲୀୟମାନଙ୍କୁ କିପରି ରକ୍ଷା କରିପାରିବି ? ମୁଁ ତ ସାଧାରଣ ଲୋକ ।’
ଗିଦିୟୋନ୍ଙ୍କୁ କିପରି ଭରସା ହେଲା ଯେ ଯିହୋବା ତାଙ୍କୁ ବାଛିଛନ୍ତି ? ସେ ଜମିରେ ଲୋମ ରଖିଲେ ଏବଂ ଯିହୋବାଙ୍କୁ କହିଲେ, ‘ଯଦି ସକାଳ ଯାଏ ଲୋମ କାକରରେ ଭିଜିବ କିନ୍ତୁ ଆଖପାଖର ଜମି ଶୁଷ୍କ ରହିବ, ତେବେ ମୁଁ ଜାଣିବି ଯେ ଆପଣ ମୋତେ ଇସ୍ରାଏଲକୁ ରକ୍ଷା କରିବା ପାଇଁ ବାଛିଛନ୍ତି ।’ ପରଦିନ ସକାଳେ ସେ ଦେଖିଲେ ଯେ ଲୋମ ପୂରାପୂରି ଭିଜିଯାଇଛି, କିନ୍ତୁ ଆଖପାଖର ଜମି ଶୁଷ୍କ ଅଛି ! ତାʼପରେ ଗିଦିୟୋନ୍ ଈଶ୍ୱରଙ୍କୁ କହିଲେ ଯେ ପରଦିନ ସକାଳେ ଲୋମ ଶୁଷ୍କ ରହିବ ଏବଂ ଆଖପାଖର ଜମିରେ କାକର ପଡ଼ିଥିବ । ଏପରି ହିଁ ହେଲା ! ଏବେ ଗିଦିୟୋନ୍ଙ୍କୁ ଭରସା ହୋଇଗଲା ଯେ ଯିହୋବା ତାଙ୍କୁ ବାଛିଛନ୍ତି । ସେ ନିଜ ସୈନିକମାନଙ୍କୁ ଏକାଠି କଲେ ଯାହାଦ୍ୱାରା ସେ ମିଦୀୟନୀୟମାନଙ୍କ ସହ ଲଢ଼ିପାରିବେ ।
ଯିହୋବା ଗିଦିୟୋନ୍ଙ୍କୁ କହିଲେ, ‘ମୁଁ ଇସ୍ରାଏଲୀୟମାନଙ୍କୁ ଜୟ ହାସଲ କରାଇବି । କିନ୍ତୁ ତମ ସୈନିକମାନେ ସଂଖ୍ୟାରେ ବହୁତ ବେଶୀ ଅଛନ୍ତି, ତେଣୁ ଜିତିବା ପରେ ତମେମାନେ ଭାବିବାକୁ ଲାଗିପାର ଯେ ଏହି ଯୁଦ୍ଧକୁ ତମେ ନିଜ ବଳରେ ଜିତିଛ । ତେଣୁ ଯେଉଁ ଲୋକମାନଙ୍କୁ ଡର ଲାଗୁଛି ସେମାନଙ୍କୁ କୁହ ଯେ ସେମାନେ ନିଜ ନିଜ ଘରକୁ ଫେରିଯାନ୍ତୁ ।’ ସେସମୟରେ ୨୨,୦୦୦ ସୈନିକ ଘରକୁ ଫେରିଗଲେ ଏବଂ ୧୦,୦୦୦ ଜଣ ରହିଲେ । ଯିହୋବା କହିଲେ, ‘ଏବେ ବି ତମ ସୈନିକ ବହୁତ ବେଶୀ ଅଛନ୍ତି । ସେମାନଙ୍କୁ ନଦୀ ପାଖକୁ ନେଇ ଯାଅ ଏବଂ ସେମାନଙ୍କୁ ପାଣି ପିଇବା ପାଇଁ କହ । ଯେଉଁ ସୈନିକ ପାଣି ପିଇବା ସମୟରେ ଶତ୍ରୁ ଆସୁଛି ନା ନାହିଁ ଏହା ଧ୍ୟାନ ଦିଏ ତାକୁ ତମେ ରଖ ।’ କେବଳ ୩୦୦ ଜଣ ସୈନିକ ପାଣି ପିଇବା ସମୟରେ ସତର୍କ ରହିଲେ । ଯିହୋବା ପ୍ରତିଜ୍ଞା କଲେ ଯେ ଏହି କମ୍ ଲୋକ ମିଦୀୟନର ୧,୩୫,୦୦୦ ସୈନିକମାନଙ୍କୁ ପରାସ୍ତ କରି ଦେବେ ।
ସେହି ରାତି ଯିହୋବା ଗିଦିୟୋନ୍ଙ୍କୁ କହିଲେ, ‘ମିଦୀୟନୀୟମାନଙ୍କ ଉପରେ ଆକ୍ରମଣ କରିବାର ଏହା ସଠିକ୍ ସମୟ !’ ଗିଦିୟୋନ୍ ନିଜ ଲୋକମାନଙ୍କୁ ତୂରୀ ଏବଂ ମାଠିଆ ଦେଲେ ଯାହା ଭିତରେ ମସାଲଗୁଡ଼ିକ ଥିଲା । ସେ ସେମାନଙ୍କୁ କହିଲେ, ‘ତମେମାନେ ମୋ ପ୍ରତି ଦୃଷ୍ଟି ରଖିବ ଏବଂ ଯେପରି ମୁଁ କରିବି, ଠିକ୍ ସେପରି କରିବ ।’ ଗିଦିୟୋନ୍ ନିଜ ତୂରୀ ବଜାଇଲେ, ମାଠିଆ ଭାଙ୍ଗିଲେ, ଜଳୁଥିବା ମସାଲ ହଲାଇଲେ ଏବଂ ଜୋର୍ରେ ପାଟି କରି କହିଲେ, ‘ଯିହୋବାଙ୍କ ଖଣ୍ତା ଏବଂ ଗିଦୀୟନ୍ର ଖଣ୍ତା !’ ସେସମୟରେ ତାଙ୍କ ୩୦୦ ଜଣ ଲୋକମାନେ ଏପରି ହିଁ କଲେ । ଏହା ଦେଖି ମିଦୀୟନୀୟମାନେ ବହୁତ ଡରିଗଲେ ଏବଂ ଏଣେ ତେଣେ ପଳାଇବାକୁ ଲାଗିଲେ । ସେମାନଙ୍କ ମଧ୍ୟରେ ଏପରି ଦ୍ୱନ୍ଦ୍ୱ ହୋଇଗଲା ଯେ ସେମାନେ ପରସ୍ପରକୁ ମାରିବାକୁ ଲାଗିଲେ । ପୁଣିଥରେ ଯିହୋବା ଇସ୍ରାଏଲୀୟମାନଙ୍କୁ ଶତ୍ରୁମାନଙ୍କଠାରୁ ଜିତିବା ପାଇଁ ସାହାଯ୍ୟ କଲେ ।
“ମହାଶକ୍ତି ଯେ ଈଶ୍ୱରଙ୍କର, ପୁଣି ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ ।”—୨ କରିନ୍ଥୀୟ ୪:୭