ପାଠ ୩୬
ଯିପ୍ତହଙ୍କ ପ୍ରତିଜ୍ଞା
ଇସ୍ରାଏଲୀୟ ଯିହୋବାଙ୍କୁ ଛାଡ଼ି ପୁଣି ମିଥ୍ୟା ଦେବତାମାନଙ୍କ ପୂଜା କରିବାକୁ ଲାଗିଲେ । ଯେବେ ଅମ୍ମୋନୀୟ ଲୋକମାନେ ଆସି ଇସ୍ରାଏଲୀୟମାନଙ୍କ ସହ ଲଢ଼େଇ କଲେ ତେବେ ସେହି ଦେବତାମାନେ ଇସ୍ରାଏଲୀୟମାନଙ୍କ କୌଣସି ସାହାଯ୍ୟ କଲେ ନାହିଁ । ଅନେକ ବର୍ଷ ଯାଏ ଇସ୍ରାଏଲୀୟମାନେ କଷ୍ଟ ସହିଲେ । ଶେଷରେ ସେମାନେ ଯିହୋବାଙ୍କୁ କହିଲେ, ‘ଆମେମାନେ ପାପ କରିଛୁ । ଦୟାକରି ଆମକୁ ଶତ୍ରୁମାନଙ୍କଠାରୁ ରକ୍ଷା କର ।’ ସେମାନେ ନିଜ ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଦେଲେ ଏବଂ ପୁଣି ଯିହୋବାଙ୍କ ଉପାସନା କରିବାକୁ ଲାଗିଲେ । ଯିହୋବା ଚାହୁଁ ନ ଥିଲେ ଯେ ସେମାନେ କଷ୍ଟଗୁଡ଼ିକ ସହନ୍ତୁ ।
ଯିପ୍ତହ ନାମକ ଜଣେ ସୈନିକଙ୍କୁ ବଛାଗଲା ଯିଏ ଅମ୍ମୋନୀୟମାନଙ୍କ ସହ ଲଢ଼ିବା ପାଇଁ ଇସ୍ରାଏଲୀୟମାନଙ୍କ ନେତୃତ୍ୱ ନିଅନ୍ତେ । ଯିପ୍ତହ ଯିହୋବାଙ୍କୁ କହିଲେ, ‘ମୁଁ ପ୍ରତିଜ୍ଞା କରୁଛି ଯେ ଯଦି ଆପଣ ଆମକୁ ଏହି ଲଢ଼େଇ ଜିତିବା ପାଇଁ ସାହାଯ୍ୟ କରିବେ, ତେବେ ମୋ ଘର ଫେରିବା ପରେ ଯିଏ ପ୍ରଥମେ ମୋତେ ଭେଟିବା ପାଇଁ ଘରୁ ବାହାରିବ, ତାକୁ ମୁଁ ଆପଣଙ୍କୁ ଦେଇ ଦେବି ।’ ଯିହୋବା ଯିପ୍ତହଙ୍କ ପ୍ରାର୍ଥନା ଶୁଣିଲେ ଏବଂ ଲଢ଼େଇ ଜିତିବା ପାଇଁ ତାଙ୍କୁ ସାହାଯ୍ୟ କଲେ ।
ଯିପ୍ତହ ଯେବେ ଘରକୁ ଫେରିଲେ ସବୁଠୁ ପ୍ରଥମେ ତାଙ୍କ ଝିଅ ତାଙ୍କୁ ଭେଟିବା ପାଇଁ ଆସିଲେ । ସେ ତାଙ୍କ ଏକମାତ୍ର ଝିଅ ଥିଲେ । ସେ ଖଞ୍ଜଣୀ ବଜାଉଥିଲେ ଏବଂ ନାଚୁଥିଲେ । ସେସମୟରେ ଯିପ୍ତହ କʼଣ କଲେ ? ତାଙ୍କୁ ନିଜ ପ୍ରତିଜ୍ଞା ମନେ ଥିଲା ଏବଂ ସେ କହିଲେ, ‘ହାୟ ମୋ ଝିଅ ! ତମେ ମୋତେ ଏହା କିପରି ଦୁଃଖ ଦେଲ ! ମୁଁ ଯିହୋବାଙ୍କୁ ଗୋଟିଏ ପ୍ରତିଜ୍ଞା କରିଥିଲି ଏବଂ ତାହା ପୂରା କରିବା ପାଇଁ ତମକୁ ଶୀଲୋ ପଠାଇବାକୁ ପଡ଼ିବ, ଯେଉଁଠି ତମେ ତାଙ୍କ ସେବା କରିବ ।’ ତାଙ୍କ ଝିଅ କହିଲେ, ‘ମୋ ପିତା, ଯଦି ତମେ ଯିହୋବାଙ୍କୁ ପ୍ରତିଜ୍ଞା କରିଛ ତାହେଲେ ତାହା ପୂରା କର । ମୁଁ ନିଶ୍ଚୟ ସେଠାକୁ ଯିବି । କିନ୍ତୁ ମୋର ଗୋଟିଏ ବିନତି ଅଛି, ପ୍ରଥମେ ମୁଁ ଦୁଇ ମାସ ପାଇଁ ନିଜ ସାଙ୍ଗମାନଙ୍କ ସହ ପାହାଡ଼କୁ ଯିବା ପାଇଁ ଚାହେଁ ।’ ଯିପ୍ତହଙ୍କ ଝିଅ ସାରା ଜୀବନ ପବିତ୍ର ତମ୍ବୁରେ ବିଶ୍ୱସ୍ତତାର ସହ ସେବା କଲେ । ପ୍ରତିବର୍ଷ ତାଙ୍କ ସାଙ୍ଗମାନେ ତାଙ୍କୁ ଭେଟିବା ପାଇଁ ଶୀଲୋକୁ ଯାଉଥିଲେ ।
“ଯେ ପୁତ୍ର କି କନ୍ୟାକୁ ମୋʼଠାରୁ ଅଧିକ ସ୍ନେହ କରେ, ସେ ମୋହର ଯୋଗ୍ୟ ନୁହେଁ ।”—ମାଥିଉ ୧୦:୩୭