ପାଠ ୬୨
ଏକ ବିଶାଳ ଗଛ ପରି ରାଜ୍ୟ
ଦିନେ ରାତିରେ ନବୂଖଦ୍ନିତ୍ସରଙ୍କୁ ଭୟଭୀତ କରୁଥିବା ଗୋଟିଏ ସ୍ୱପ୍ନ ଆସିଲା । ସେ ନିଜ ଜ୍ଞାନୀମାନଙ୍କୁ ଡାକି ପଚାରିଲେ ଯେ ସେହି ସ୍ୱପ୍ନର ଅର୍ଥ କʼଣ ଅଟେ । କିନ୍ତୁ ସେମାନଙ୍କ ମଧ୍ୟରୁ କେହି କହିପାରିଲେ ନାହିଁ । ଶେଷରେ ରାଜା ଦାନିୟେଲଙ୍କ ସହ କଥା ହେଲେ ।
ନବୂଖଦ୍ନିତ୍ସର ଦାନିୟେଲଙ୍କୁ କହିଲେ, ‘ମୁଁ ସ୍ୱପ୍ନରେ ଗୋଟିଏ ବିଶାଳ ଗଛ ଦେଖିଲି । ତାହା ଏତେ ଲମ୍ବା ହୋଇଗଲା ଯେ ଆକାଶକୁ ଛୁଇଁବାକୁ ଲାଗିଲା । ସେହି ଗଛ ପୃଥିବୀର ଯେକୌଣସି କୋଣରୁ ଦେଖାଯାଉଥିଲା । ତାର ପତ୍ର ବହୁତ ସୁନ୍ଦର ଥିଲା ଓ ସେଥିରେ ଅନେକ ଫଳ ଥିଲା । ତାର ଛାଇରେ ପଶୁମାନେ ଆରାମ କରୁଥିଲେ ଏବଂ ତାର ଡାଳଗୁଡ଼ିକରେ ଚଢ଼େଇମାନେ ବସା ବାନ୍ଧିଥିଲେ । ତାʼପରେ ଜଣେ ସ୍ୱର୍ଗଦୂତ ଆସିଲେ । ସେ ଉଚ୍ଚ ସ୍ୱରରେ କହିଲେ, “ଏହି ଗଛକୁ ଓ ଏହାର ଡାଳଗୁଡ଼ିକୁ କାଟି ଦିଅ । କିନ୍ତୁ ତାʼର ମୂଳଗଣ୍ଡିକୁ ଜମିରେ ରହିବାକୁ ଦିଅ । ତାହାକୁ ଲୁହା ଓ ତମ୍ବାର ବେଡ଼ିରେ ବାନ୍ଧି ଦିଅ । ଏହି ଗଛର ମନ ବଦଳି ଯିବ, ମଣିଷ ହୋଇ ନ ରହି ପଶୁର ମନ ହୋଇଯିବ ଏବଂ ସାତ କାଳ ବିତିବ । ସମସ୍ତ ଲୋକ ଜାଣିବେ ଯେ ମଣିଷମାନଙ୍କ ରାଜ୍ୟଗୁଡ଼ିକ ଉପରେ ଈଶ୍ୱରଙ୍କ ଶାସନ ଅଛି ଓ ସେ ଯାହାକୁ ଚାହିଁବେ ତାହାକୁ ଶାସନ ଦିଅନ୍ତି ।”’
ଯିହୋବା ଦାନିୟେଲଙ୍କୁ କହିଲେ ଯେ ସେହି ସ୍ୱପ୍ନର ଅର୍ଥ କʼଣ ଅଟେ । ଯେବେ ଦାନିୟେଲଙ୍କୁ ସେହି ଅର୍ଥ ବୁଝାପଡ଼ିଲା ତେବେ ସେ ଡରିଗଲେ । ସେ କହିଲେ, ‘ହେ ରାଜା, କେତେ ଭଲ ହୁଅନ୍ତା ଏହି ସ୍ୱପ୍ନ ଆପଣଙ୍କ ଶତ୍ରୁମାନଙ୍କ ବିଷୟରେ ଥାʼନ୍ତା ! କିନ୍ତୁ ଏହା ଆପଣଙ୍କ ବିଷୟରେ ଅଛି । ଯେଉଁ ବିଶାଳ ଗଛ କାଟି ଦିଆଗଲା ତାହା ଆପଣ ଅଟନ୍ତି । ଆପଣ ନିଜ ଶାସନ ହରାଇବେ ଏବଂ ବନ୍ୟ ପଶୁ ଭଳି ପଡ଼ିଆରେ ଘାସ ଖାଇବେ । ଯେପରି ସ୍ୱର୍ଗଦୂତ କହିଲେ ମୂଳଗଣ୍ଡି ଜମି ସହିତ ଲାଗି ରହିବ, ତାର ଅର୍ଥ ହେଉଛି ଯେ ଆପଣ ପୁଣିଥରେ ରାଜା ହୋଇଯିବେ ।’
ବର୍ଷେ ପରେ ଯେବେ ନବୂଖଦ୍ନିତ୍ସର ନିଜ ମହଲର ଛାତରେ ବୁଲୁଥିଲେ ତେବେ ସେ ବାବିଲର ପ୍ରଶଂସା କରିବାକୁ ଲାଗିଲେ । ସେ କହିଲେ, ‘ଦେଖ, ମୁଁ କେତେ ବଢ଼ିଆ ସହର ଗଢ଼ିଛି । ମୁଁ କେତେ ମହାନ ଅଟେ !’ ଏପରି କହୁଥିବା ସମୟରେ ସ୍ୱର୍ଗରୁ ଏକ ଶବ୍ଦ ଶୁଣାଗଲା, ‘ନବୂଖଦ୍ନିତ୍ସର ! ଏବେ ତମେ ନିଜ ଶାସନ ହରାଇ ଦେବ ।’
ସେହି ସମୟରେ ନବୂଖଦ୍ନିତ୍ସର ପାଗଳ ହୋଇଗଲେ ଏବଂ ସେ ବନ୍ୟ ପଶୁ ଭଳି ବ୍ୟବହାର କରିବାକୁ ଲାଗିଲେ । ତାଙ୍କୁ ମହଲରୁ ବାହାର କରି ଦିଆଗଲା ଏବଂ ସେ ପଡ଼ିଆରେ ବନ୍ୟ ପଶୁମାନଙ୍କ ଭଳି ରହିବାକୁ ଲାଗିଲେ । ତାଙ୍କ ଚୁଟି ଉତ୍କ୍ରୋଶ ପକ୍ଷୀର ପର ଭଳି ଲମ୍ବା ହୋଇଗଲା ଏବଂ ତାଙ୍କ ନଖ ପକ୍ଷୀର ନଖ ଭଳି ହୋଇଗଲା ।
ସାତ ବର୍ଷ ବିତିଲା ପରେ ନବୂଖଦ୍ନିତ୍ସର ଆଗ ପରି ଠିକ୍ ହୋଇଗଲେ ଏବଂ ଯିହୋବା ତାଙ୍କୁ ବାବିଲର ରାଜା କଲେ । ସେସମୟରେ ନବୂଖଦ୍ନିତ୍ସର କହିଲେ, ‘ମୁଁ ସ୍ୱର୍ଗର ରାଜା ଯିହୋବାଙ୍କ ପ୍ରଶଂସା କରୁଛି । ଏବେ ମୁଁ ଜାଣିଗଲି ଯେ ମଣିଷମାନଙ୍କ ରାଜ୍ୟଗୁଡ଼ିକ ଉପରେ ଯିହୋବାଙ୍କ ଶାସନ ଅଛି । ସେ ଅହଙ୍କାରୀ ଲୋକମାନଙ୍କୁ ଲଜ୍ଜିତ କରନ୍ତି ଏବଂ ଯାହାକୁ ଚାହିଁବେ ତାକୁ ଶାସନ ଭାର ଦେଇପାରିବେ ।’
‘ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ, ପୁଣି ଅହଙ୍କାରୀ ମନ ପତନର ସମ୍ମୁଖରେ ଥାଏ ।’—ହିତୋପଦେଶ ୧୬:୧୮