ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w99 ୧/୧ ପୃଷ୍ଠା ୬-୧୧
  • ଆପଣଙ୍କ ବିଶ୍ୱାସ ଅବ୍ରହାମଙ୍କ ସଦୃଶ୍ୟ ଅଛି କି?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣଙ୍କ ବିଶ୍ୱାସ ଅବ୍ରହାମଙ୍କ ସଦୃଶ୍ୟ ଅଛି କି?
  • ପ୍ରହରୀଦୁର୍ଗ—୧୯୯୯
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ପରମେଶ୍ୱରଙ୍କ ନିର୍ଦେଶର ଅନୁବର୍ତ୍ତୀ ହୁଅ
  • ଆଜି ଅବ୍ରହାମଙ୍କ ସଦୃଶ୍ୟ ବିଶ୍ୱାସ
  • ପରୀକ୍ଷା ସତ୍ୱେ ବିଶ୍ୱାସୀ
  • ଆଜି ଧୈର୍ଯ୍ୟ ଧରିବା
  • ଅବ୍ରହାମ ଓ ସାରା ଈଶ୍ୱରଙ୍କ କଥା ମାନିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଈଶ୍ୱର ଅବ୍ରହାମଙ୍କ ସଙ୍ଗେ ଗୋଟିଏ ଚୁକ୍ତି କଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ପ୍ରହରୀଦୁର୍ଗ—୧୯୯୯
w99 ୧/୧ ପୃଷ୍ଠା ୬-୧୧

ଆପଣଙ୍କ ବିଶ୍ୱାସ ଅବ୍ରହାମଙ୍କ ସଦୃଶ୍ୟ ଅଛି କି?

“ମନୁଷ୍ୟପୁତ୍ରଙ୍କ ଆଗମନ ସମୟରେ ସେ କʼଣ ଭୂ-ମଣ୍ଡଳରେ ବିଶ୍ୱାସ ଦେଖିବାକୁ ପାଇବେ?”—ଲୂକ ୧୮:୮, OCB.

୧. ଜଣେ ବ୍ୟକ୍ତି ପକ୍ଷେ ବିଶ୍ୱାସରେ ଦୃଢ଼ ରହିବା ଆଜି ଏତେ କଠିନ ହୁଏ କାହିଁକି?

ଜଣେ ବ୍ୟକ୍ତି ପକ୍ଷେ ଶ୍ୱାସରେ ଦୃଢ଼ ରହିବା ଆଜି ଏତେ ସହଜ ନୁହେଁ । ଏହି ଜଗତ ଖ୍ରୀଷ୍ଟିଆନମାନଙ୍କ ଉପରେ ଅତ୍ୟଧିକ ଚାପ ପକାଇ ତାଙ୍କର ଧ୍ୟାନ ଆଧ୍ୟାତ୍ମିକ ବିଷୟଠାରୁ ଅନ୍ୟତ୍ର କରେ । (ଲୂକ ୨୧:୩୪; ୧ ଯୋହୋନ ୨:୧୫, ୧୬) ଅଧିକାଂଶ ଲୋକଙ୍କୁ ବଞ୍ଚି ରହିବା ପାଇଁ ଯୁଦ୍ଧ, ବିପଦ, ରୋଗ କିମ୍ବା କ୍ଷୁଦା ସହିତ ସଙ୍ଘର୍ସ କରିବାକୁ ପଡ଼ୁଛି । (ଲୂକ ୨୧:୧୦, ୧୧) ଅନେକ ଦେଶରେ, ଲୋକମାନେ ଧର୍ମକୁ ଏତେବେଶୀ ଗୁରୁତ୍ୱ ଦିଅନ୍ତି ନାହିଁ ଏବଂ ଯେଉଁମାନେ ସେମାନଙ୍କ ଧର୍ମାନୁସାରେ ଜୀବନଯାବନ କରନ୍ତି, ସେମାନଙ୍କୁ ବୋକା ଏବଂ ଧର୍ମାନ୍ଧ ବୋଲି ଲୋକମାନେ କହନ୍ତି । ଅଧିକାଂଶ ଖ୍ରୀଷ୍ଟିଆନମାନଙ୍କୁ ସେମାନଙ୍କ ବିଶ୍ୱାସ ଯୋଗୁଁ ଲୋକମାନେ ନିର୍ଯ୍ୟାତିତ କରନ୍ତି। (ମାଥିଉ ୨୪:୯) ପ୍ରାୟ ୨,୦୦୦ ବର୍ଷ ପୂର୍ବେ ଯୀଶୁ ଖ୍ରୀଷ୍ଟ ଉଠାଇଥିବା ପ୍ରଶ୍ନ ପ୍ରକୃତରେ ଯଥାଯଥ ହୁଏ: “ମନୁଷ୍ୟପୁତ୍ରଙ୍କ ଆଗମନ ସମୟରେ ସେ କʼଣ ଭୂ-ମଣ୍ଡଳରେ ବିଶ୍ୱାସ ଦେଖିବାକୁ ପାଇବେ?”—ଲୂକ ୧୮:୮, OCB.

୨. (କ) ଦୃଢ଼ ବିଶ୍ୱାସ ଜଣେ ଖ୍ରୀଷ୍ଟିଆନ ଲୋକ ପକ୍ଷେ କାହିଁକି ଅପରିହାର୍ଯ୍ୟ? (ଖ) କାହାର ବିଶ୍ୱାସ ବିବେଚନା କରିବା ଯୋଗୁଁ ଆମେ ଲାଭ ପାଉ?

୨  ଏହା ସତ୍ୟ ଯେ, ଯଦି ଆମେ ବର୍ତ୍ତମାନ ଆମର ଜୀବନକୁ ସଫଳ କରିବାକୁ ଚାହୁଁ ଏବଂ ଭବିଷ୍ୟତରେ ପ୍ରତିଜ୍ଞାତ ଅନନ୍ତଜୀବନ ପାଇବାକୁ ଚାହୁଁ, ତେବେ ଦୃଢ଼ ବିଶ୍ୱାସ ଅପରିହାର୍ଯ୍ୟ । ହବକ୍‌କୂକୁ କୁହାଯାଇଥିବା ଯିହୋବାଙ୍କ ବାକ୍ୟକୁ ଉଦ୍ଧୃତ କରି ପାଉଲ ଲେଖିଥିଲେ: “ଆମ୍ଭର ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ, କିନ୍ତୁ ଯଦି କେହି ପଶ୍ଚାତ୍‌ପଦ ହୁଏ, ତାହାହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ । . . . ବିଶ୍ୱାସ ବିନା [ପରମେଶ୍ୱରଙ୍କ] ସନ୍ତୋଷପାତ୍ର ହେବା ଅସମ୍ଭବ ।” (ଏବ୍ରୀ ୧୦:୩୮–୧୧:୬; ହବକ୍‌କୂକ୍‌ ୨:୪) ପାଉଲ ତୀମଥିଙ୍କୁ କହିଥିଲେ: “ବିଶ୍ୱାସର ସଂଗ୍ରାମରେ ବ୍ରତୀ ହୁଅ ଓ ଶାଶ୍ୱତ ଜୀବନକୁ ଦୃଢ଼[ଭାବେ] ଧାରଣ କରି ରଖ । ଏଥି ସକାଶେ ତୁମେ ଆହୂତ ।” (୧ ତୀମଥି ୬:୧୨, OCB) ତାହାହେଲେ ଅତୁଟ ବିଶ୍ୱାସ ହେବା ନିମିତ୍ତ ଏହା କିପରି ସମ୍ଭବ ହେବ? ଏହି ପ୍ରଶ୍ନର ବିବେଚନା କରିବା ପାଇଁ ଜଣେ ବ୍ୟକ୍ତିକୁ ଅନୁଧ୍ୟାନ କଲେ ଆମ ପକ୍ଷରେ ଲାଭପ୍ରଦ ହେବ । ସେହି ବ୍ୟକ୍ତି ଜଣକ ପ୍ରାୟ ୪,୦୦୦ ବର୍ଷ ପୂର୍ବେ ବାସ କରୁଥିଲେ, କିନ୍ତୁ ତାଙ୍କର ବିଶ୍ୱାସକୁ ଏପର୍ଯ୍ୟନ୍ତ ତିନୋଟି ମୁଖ୍ୟ ଧର୍ମ—ଇସ୍‌ଲାମ, ଯିହୂଦୀ ଓ ଖ୍ରୀଷ୍ଟଧର୍ମ—ସମ୍ମାନ କରେ । ସେହି ବ୍ୟକ୍ତି ଜଣକ ଥିଲେ ଅବ୍ରହାମ । ତାଙ୍କର ବିଶ୍ୱାସ କାହିଁକି ଅସାଧାରଣ ଥିଲା? ଆଜି ଆମେ ତାହାଙ୍କୁ ଅନୁକରଣ କରିପାରିବା କି?

ପରମେଶ୍ୱରଙ୍କ ନିର୍ଦେଶର ଅନୁବର୍ତ୍ତୀ ହୁଅ

୩, ୪. ତେରହ କାହିଁକି ତାଙ୍କ ପରିବାର ସହିତ ଊରଠାରୁ ହାରଣକୁ ସ୍ଥାନାନ୍ତରିତ ହେଲେ?

୩ ବାଇବଲର ପ୍ରଥମ ପୁସ୍ତକରେ ହିଁ ଅବ୍ରହାମଙ୍କ (ଯାହାଙ୍କୁ ପୂର୍ବରୁ ଅବ୍ରାମ କୁହାଯାଉଥିଲା) ନାମ ପ୍ରଥମ ଥର ଉଲ୍ଲେଖ କରାଯାଇଥିଲା । ଆଦିପୁସ୍ତକ ୧୧:୨୬ ପଦରେ ଆମେ ପଢ଼ୁ: ‘ତେରହ ଅବ୍ରାମ ଓ ନାହୋର ଓ ହାରଣଙ୍କୁ ଜାତ କଲା ।’ ତେରହ ଓ ତାଙ୍କର ପରିବାର ପ୍ରଥମେ ଦକ୍ଷିଣ ମେସପତାମିଆରେ ଥିବା କଲ୍‌ଦୀୟମାନଙ୍କ ଊର ନାମକ ଏକ ସମୃଦ୍ଧିଶାଳୀ ନଗରରେ ବାସ କରୁଥିଲେ । କିନ୍ତୁ ସେମାନେ ସେଠାରେ ବସବାସ କଲେ ନାହିଁ । “ତେରହ ଆପଣା ପୁତ୍ର ଅବ୍ରାମଙ୍କୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ, ପୁଣି ଅବ୍ରାମଙ୍କ ଭାର୍ଯ୍ୟା ସାରୀ [ସାରା] ନାମ୍ନୀ ପୁତ୍ରବଧୂକୁ ସଙ୍ଗରେ ନେଲା; ଆଉ ସେସମସ୍ତେ କଲ୍‌ଦୀୟମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶରେ ଯାତ୍ରା କରି ହାରଣ ନଗରରେ ଉତ୍ତରି ବସତି କଲେ ।” (ଆଦିପୁସ୍ତକ ୧୧:୩୧) ଅବ୍ରାମଙ୍କ ଭାଇ ନାହୋର ମଧ୍ୟ ସେମାନଙ୍କ ପରିବାର ସହିତ ହାରଣ ନଗରକୁ ଗଲେ । (ଆଦିପୁସ୍ତକ ୨୪:୧୦, ୧୫; ୨୮:୧, ୨; ୨୯:୪) କିନ୍ତୁ, ତେରହ କାହିଁକି ସମୃଦ୍ଧିଶାଳୀ ଊର ନଗରରୁ ଦୂରସ୍ଥ ହାରଣ ନଗରକୁ ଗଲେ?

୪ ଅବ୍ରହାମଙ୍କ ସମୟର ପ୍ରାୟ ୨,୦୦୦ ବର୍ଷ ପରେ, ବିଶ୍ୱାସୀ ସ୍ତିଫାନ ଯୀହୂଦୀ ମହାସଭା ସମ୍ମୁଖରେ ତେରହଙ୍କ ପରିବାରର ଅସ୍ୱାଭାବିକ ସ୍ଥାନାନ୍ତରଣ ବିଷୟରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ: “ଆମ୍ଭମାନଙ୍କର ପିତା ଅବ୍ରହାମ ହାରଣରେ ବାସ କରିବା ପୂର୍ବେ ଯେତେବେଳେ ସେ ମେସପତାମିଆରେ ଥିଲେ, ସେତେବେଳେ ଗୌରବମୟ ଈଶ୍ୱର ତାଙ୍କୁ ଦର୍ଶନ ଦେଇ କହିଲେ, ତୁମ୍ଭେ ସ୍ୱଦେଶରୁ ଓ ଆପଣା ଆତ୍ମୀୟମାନଙ୍କ ମଧ୍ୟରୁ ବାହାରିଆସ, ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଦେଶ ଦେଖାଇବା, ସେହି ଦେଶକୁ ଯାଅ । ସେଥିରେ କଲ୍‌ଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ ।” (ପ୍ରେରିତ ୭:୨-୪) ଯିହୋବାଙ୍କ ଇଚ୍ଛାନୁସାରେ ଯେତେବେଳେ ଅବ୍ରହାମ ନିଜ ପରିବାର ସହିତ ହାରନ ଦେଶକୁ ସ୍ଥାନାନ୍ତରିତ ହେଲେ, ସେତେବେଳେ ତେରହ ଯିହୋବାଙ୍କ ସେହି ଇଚ୍ଛାକୁ ସ୍ୱୀକାର କରିଥିଲେ ।

୫. ଅବ୍ରହାମଙ୍କ ପିତାଙ୍କ ମୃତ୍ୟୁ ପରେ ସେ କେଉଁଠାକୁ ଯାଇଥିଲେ? ଓ କାହିଁକି?

୫ ତେରହଙ୍କ ପରିବାର ନୂତନ ନଗରରେ ବସତି ସ୍ଥାପନ କଲେ । ବହୁବର୍ଷ ପରେ ଯେତେବେଳେ ଅବ୍ରହାମ ‘ଆମ୍ଭ ଦେଶ’ ବୋଲି କହିଥିଲେ, ସେତେବେଳେ ସେ ଊର ନଗର ନୁହଁ ମାତ୍ର ହାରଣ ନଗର ବିଷୟରେ କହିଥିଲେ । (ଆଦିପୁସ୍ତକ ୨୪:୪) କିନ୍ତୁ ହାରଣ ନଗର ଅବ୍ରହାମଙ୍କ ସ୍ଥାୟୀ ବସତି ହୋଇ ନଥିଲା । ସ୍ତିଫାନଙ୍କ ଅନୁସାରେ, “[ଅବ୍ରହାମଙ୍କ] ପିତାଙ୍କ ମୃତ୍ୟୁ ଉତ୍ତାରେ, ସେଠାରୁ [ସେମାନେ] ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି, ଏହି ଦେଶକୁ ଈଶ୍ୱର ତାଙ୍କୁ ଘେନିଆସିଲେ ।” (ପ୍ରେରିତ ୭:୪) ଯିହୋବାଙ୍କ ନିର୍ଦେଶାନୁସାରେ ଅବ୍ରହାମ ଲୋଟଙ୍କ ସହିତ ମିଶି ୟୁଫ୍ରେଟିସ୍‌ ନଦୀ ପାରହୋଇ କିଣାନ ଦେଶରେ ପ୍ରବେଶ କରିଥିଲେ ।a

୬. ଯିହୋବା ଅବ୍ରହାମଙ୍କୁ କʼଣ ପ୍ରତିଜ୍ଞା କରିଥିଲେ?

୬ ଯିହୋବା କାହିଁକି ଅବ୍ରହାମଙ୍କୁ କିଣାନ ଦେଶକୁ ସ୍ଥାନାନ୍ତରିତ ହେବାକୁ କହିଥିଲେ? ସେହି ବିଶ୍ୱାସୀ ପୁରୁଷଙ୍କ ପାଇଁ ପରମେଶ୍ୱରଙ୍କ ଗୋଟିଏ ଉଦ୍ଦେଶ୍ୟ ଥିଲା । ଯିହୋବା ଅବ୍ରହାମଙ୍କୁ କହିଥିଲେ: ‘ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ବ ଓ ପୈତୃକ ଗୃହ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବୁ, ସେହି ଦେଶକୁ ଯାଅ । ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବୁ, ପୁଣି ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ୍‌ କରିବୁ, ତୁମ୍ଭେ ଆଶୀର୍ବାଦର ଆକର ହେବ । ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବୁ; ପୁଣି ଯେକେହି ତୁମ୍ଭକୁ ଅଭିଶାପ ଦିଅନ୍ତି, ଆମ୍ଭେ ତାହାକୁ ଅଭିଶାପ ଦେବୁ; ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ ।’ (ଆଦିପୁସ୍ତକ ୧୨:୧-୩) ଅବ୍ରହାମ ସେହି ମହାନ ଜାତିର ପିତା ହୋଇଥାନ୍ତେ । ଏହି ଜାତିକୁ ଯିହୋବାଙ୍କ ସୁରକ୍ଷା ମିଳିଥାନ୍ତା ଓ ଏହି ଜାତି କିଣାନ ଦେଶକୁ ଅଧିକାର କରିଥାନ୍ତେ । କେତେ ଅଦ୍ଭୁତ ପ୍ରତିଜ୍ଞା ! କିନ୍ତୁ, ଅବ୍ରହାମଙ୍କୁ ସେହି ଦେଶ ଉତ୍ତରାଧିକାର ସୂତ୍ରେ ପାଇବାକୁ ହେଲେ ତାଙ୍କୁ ତାଙ୍କ ଜୀବନରେ ଆମୂଳଚୂଳ ପରିବର୍ତ୍ତନ କରିବାର ଥିଲା ।

୭. ଯିହୋବାଙ୍କ ପ୍ରତିଜ୍ଞାତ ଦେଶକୁ ଉତ୍ତରାଧିକାର ସୂତ୍ରେ ପାଇବା ନିମିତ୍ତ ଅବ୍ରହାମଙ୍କୁ କେଉଁ ପରିବର୍ତ୍ତନ କରିବା ନିମିତ୍ତ ରାଜି ହେବାକୁ ଥିଲା?

୭ ଯେତେବେଳେ ଅବ୍ରହାମ ଊର ଦେଶ ଛାଡ଼ି ଚାଲିଗଲେ, ସେତେବେଳେ ସେ ସମୃଦ୍ଧିଶାଳୀ ନଗର ଓ ତାଙ୍କର ଦାଦା-ବଡ଼ବାପାଙ୍କ ପରିବାର ଛାଡ଼ିଦେଲେ । ସେହି ସମୟରେ ଏପରି ପରିବାର ସୁରକ୍ଷାର ମୁଖ୍ୟ ଆଧାର ଥିଲା । ଯେତେବେଳେ ସେ ହାରଣ ଦେଶ ଛାଡ଼ିଦେଲେ, ସେତେବେଳେ ସେ ତାଙ୍କ ପିତାଙ୍କ ପରିବାର ଏବଂ ତାଙ୍କ ଭାଇ ନାହୋରଙ୍କ ପରିବାରଠାରୁ ଅଲଗା ହୋଇ ଏକ ଅଜଣା ଦେଶକୁ ଯାତ୍ରା କଲେ । କିଣାନ ଦେଶରେ ଅବ୍ରହାମ ସୁରକ୍ଷା ପାଇଁ କୌଣସି ନଗରରେ ବସବାସ କରି ନଥିଲେ । କାହିଁକି? କାରଣ ଅବ୍ରହାମ ସେହି ଦେଶରେ ପ୍ରବେଶ କରିବାର କିଛି ସମୟ ପରେ ଯିହୋବା ତାଙ୍କୁ କହିଲେ: “ଏହି ଦେଶର ଦୀର୍ଘ ପ୍ରସ୍ଥରେ ଭ୍ରମଣ କର; ଯେଣୁ ଆମ୍ଭେ ତୁମ୍ଭକୁ ତାହା ଦେବା ।” (ଆଦିପୁସ୍ତକ ୧୩:୧୭) ୭୫ ବର୍ଷୀୟ ଅବ୍ରହାମ ଓ ତାହାଙ୍କ ୬୫ ବର୍ଷୀୟା ସ୍ତ୍ରୀ, ସାରା ଏହି ନିର୍ଦେଶ ପାଳନ କରିଥିଲେ । “ବିଶ୍ୱାସ ଦ୍ୱାରା ସେ ବିଦେଶୀସ୍ୱରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସୀ ହୋଇ . . . ତମ୍ବୁରେ ବାସ କଲେ ।” (ଏବ୍ରୀ ୧୧:୯; ଆଦିପୁସ୍ତକ ୧୨:୪)

ଆଜି ଅବ୍ରହାମଙ୍କ ସଦୃଶ୍ୟ ବିଶ୍ୱାସ

୮. ଅବ୍ରହାମ ଓ ଅନ୍ୟ ପ୍ରାଚୀନ ସାକ୍ଷୀମାନଙ୍କ ଉଦାହରଣକୁ ଦୃଷ୍ଟିରେ ରଖି ଆମେ କʼଣ ବିକସିତ କରିବା ଆବଶ୍ୟକ?

୮ ଏବ୍ରୀ ୧୧ ଅଧ୍ୟାୟରେ ଅବ୍ରହାମ ଓ ତାଙ୍କ ପରିବାରର ନାମ “ବୃହତ୍‌ ମେଘ ତୁଲ୍ୟ [ଖ୍ରୀଷ୍ଟୀୟ-ପୂର୍ବ] ସାକ୍ଷୀମାନଙ୍କ” ମଧ୍ୟରେ ଉଲ୍ଲିଖିତ ହୋଇଥିଲା। ପରମେଶ୍ୱରଙ୍କ ସେହି ପ୍ରାଚୀନ ଦାସମାନଙ୍କ ବିଶ୍ୱାସକୁ ଦୃଷ୍ଟିରେ ରଖି ପାଉଲ “ସମସ୍ତ ଭାର ତଥା ଆମକୁ ଦୃଢ଼ ଭାବରେ ଜାବୋଡ଼ି ଧରୁଥିବା ପାପ” ଅର୍ଥାତ୍‌ ବିଶ୍ୱାସର ଅଭାବକୁ “ଏଡ଼ାଇ ଦେବା” ନିମନ୍ତେ ଆମକୁ ଉତ୍ସାହିତ କରୁଛନ୍ତି । (ଏବ୍ରୀ ୧୨:୧, OCB) ହଁ, ବିଶ୍ୱାସର ଅଭାବ ସହଜରେ ‘ଆମକୁ ଦୃଢ଼ ଭାବରେ ଜାବୋଡ଼ି ଧରିପାରେ ।’ କିନ୍ତୁ, ପାଉଲ ଓ ଆମର ଦିନରେ, ପ୍ରକୃତ ଖ୍ରୀଷ୍ଟିଆନମାନେ ଅବ୍ରହାମ ଓ ଅନ୍ୟ ପ୍ରାଚୀନ ବିଶ୍ୱାସୀମାନଙ୍କ ପରି ଦୃଢ଼ ବିଶ୍ୱାସକୁ ବିକସିତ କରିବାରେ ସମର୍ଥ ହୋଇଛନ୍ତି । ପାଉଲ ତାହାଙ୍କ ବିଷୟରେ ଏବଂ ସହ-ଖ୍ରୀଷ୍ଟିଆନମାନଙ୍କ ବିଷୟରେ କହୁଛନ୍ତି: “ଯେଉଁମାନେ ବିନାଶ ନିମନ୍ତେ ପଶ୍ଚାତ୍‌ପଦ ହୁଅନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ନୋହୁଁ, କିନ୍ତୁ ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ଅଟୁ ।”—ଏବ୍ରୀ ୧୦:୩୯.

୯, ୧୦. ଅନେକ ଲୋକଙ୍କର ଅବ୍ରହାମଙ୍କ ସଦୃଶ୍ୟ ବିଶ୍ୱାସ ଅଛି ବୋଲି କʼଣ ପ୍ରମାଣ ଅଛି?

୯ ପ୍ରକୃତରେ, ଅବ୍ରହାମଙ୍କ ସମୟଠାରୁ ଏହି ଜଗତ ପରିବର୍ତ୍ତିତ ହେଉଛି । କିନ୍ତୁ, ଆମେ ଏପର୍ଯ୍ୟନ୍ତ ସେହି ‘ଅବ୍ରହାମଙ୍କ ପରମେଶ୍ୱରଙ୍କୁ’ ଉପାସନା କରୁଅଛୁ, ତାଙ୍କର ପରିବର୍ତ୍ତନ ହୁଏ ନାହିଁ । (ପ୍ରେରିତ ୩:୧୩; ମଲାଖୀ ୩:୬) ଅବ୍ରହାମଙ୍କ ମସୟରେ ଯିହୋବା ଯେପରି ଉପାସନା ପାଇବା ପାଇଁ ଯୋଗ୍ୟ ଥିଲେ, ଆଜି ମଧ୍ୟ ସେହିପରି ଯୋଗ୍ୟ ଅଟନ୍ତି । (ପ୍ରକାଶିତ ବାକ୍ୟ ୪:୧୧) ଅଧିକାଂଶ ଲୋକ ସମ୍ପୂର୍ଣ୍ଣରୂପେ ଯିହୋବାଙ୍କ ପ୍ରତି ନିଜକୁ ସମର୍ପଣ କରୁଛନ୍ତି ଏବଂ ପରମେଶ୍ୱଙ୍କ ଇଚ୍ଛା ସାଧନ କରିବା ପାଇଁ ଅବ୍ରହାମଙ୍କ ସଦୃଶ୍ୟ ନିଜ ଜୀବନରେ ଅବଶ୍ୟକୀୟ ପରିବର୍ତ୍ତନ କରୁଛନ୍ତି । ଗତବର୍ଷ, ୩,୧୬,୦୯୨ ଜଣ ଲୋକ “ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ” ଜଳ-ବାପ୍ତିସ୍ମ ନେଇ ନିଜ ସମର୍ପଣର ସାର୍ବଜନିକ ପ୍ରମାଣ ଦେଇଥିଲେ ।—ମାଥିଉ ୨୮:୧୯.

୧୦ ସେମାନଙ୍କ ମଧ୍ୟରୁ ଅଧିକାଂଶ ନୂତନ ଖ୍ରୀଷ୍ଟିଆନମାନଙ୍କୁ ସେମାନଙ୍କ ସମର୍ପଣକୁ ପରିପୂର୍ଣ୍ଣ କରିବା ପାଇଁ ଅନ୍ୟ ଦୂର ଦେଶକୁ ଯିବାକୁ ପଡ଼ି ନଥିଲା । ଆଧ୍ୟାତ୍ମିକ ଅର୍ଥରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ବହୁତ ଦୂର ଯାତ୍ରା କରିବାକୁ ପଡ଼ିଥିଲା । ଉଦାହରଣ ସ୍ୱରୂପ ମରିଶସରେ ଏଲସୀ ନାମ୍ନୀ ଜଣେ ସ୍ତ୍ରୀ ତନ୍ତ୍ର-କାରିଣୀ ଥିଲା । ପ୍ରତ୍ୟେକେ ତାକୁ ଭୟ କରୁଥିଲେ । ଜଣେ ସ୍ପେଶଲ ପାଇନିୟର ଏଲସୀଙ୍କ ଝିଅ ସହିତ ବାଇବଲ ଅଧ୍ୟୟନ ଆରମ୍ଭ କଲେ, ଏହା ଏଲସୀଙ୍କୁ “ଅନ୍ଧକାର ମଧ୍ୟରୁ ଆଲୋକ ଆଡ଼କୁ” ଫେରି ଆସିବାରେ ରାସ୍ତା ଉନ୍ମୋଚିତ କରିଥିଲା । (ପ୍ରେରିତ ୨୬:୧୮, OCB) ତାଙ୍କ ଝିଅର ଆଗ୍ରହ ଦେଖି ଏଲସୀ ମୋର ବାଇବଲ କାହାଣୀଗୁଡ଼ିକର ପୁସ୍ତକ (ଇଂଗ୍ରାଜୀ) ଅଧ୍ୟୟନ କରିବାକୁ ରାଜି ହୋଇଥିଲେ । ତାʼର ଅଧ୍ୟୟନ ସପ୍ତାହରେ ତିନି ଥର ସଞ୍ଚାଳିତ କରାଯାଉଥିଲା, କାରଣ ଅବିରତଭାରେ ତାʼର ଉତ୍ସାହର ଆବଶ୍ୟକତା ଥିଲା । ତାʼର ତନ୍ତ୍ରବିଦ୍ୟାରେ ତାକୁ ଖୁସୀ ମିଳୁ ନଥିଲା ଏବଂ ତାʼର ଅନେକ ବ୍ୟକ୍ତିଗତ ସମସ୍ୟା ଥିଲା । ଅବଶେଷରେ, ସେ ପ୍ରେତବିଦ୍ୟାଠାରୁ ସତ୍ୟ ଉପାସନା ପର୍ଯ୍ୟନ୍ତ ବହୁଦୂର ଯାତ୍ରା କରିବାରେ ସମର୍ଥ ହୋଇଥିଲା । ଯେତେବେଳେ ଲୋକମାନେ ତାʼ ପାଖକୁ ନିଜର ସମସ୍ୟା ନେଇ ଆସୁଥିଲେ, ସେତେବେଳେ ସେ ସେମାନଙ୍କୁ ବୁଝାଉଥିଲା ଯେ, କେବଳ ଯିହୋବା ହିଁ ସେମାନଙ୍କୁ ମନ୍ଦ-ପ୍ରଭାବରୁ ରକ୍ଷା କରିପାରିବେ । ଏଲସୀ ବର୍ତ୍ତମାନ ଜଣେ ବାପ୍ତିସ୍ମ ପ୍ରାପ୍ତ ସାକ୍ଷୀ । ତାʼର ପରିବାର ଓ କେତେକ ପରିଚିତ ଲୋକ ମିଶି ୧୪ ଜଣ ବ୍ୟକ୍ତି ସତ୍ୟ ଗ୍ରହଣ କରିଥିଲେ ।

୧୧. ଯେଉଁମାନେ ନିଜକୁ ଯିହୋବାଙ୍କ ପ୍ରତି ସମର୍ପଣ କରନ୍ତି, ସେମାନେ ନିଜ ଜୀବନରେ କʼଣ ପରିବର୍ତ୍ତନ କରିବାକୁ ରାଜି ହୁଅନ୍ତି?

୧୧ ଗତବର୍ଷ ଯେଉଁମାନେ ପରମେଶ୍ୱରଙ୍କୁ ସେବା କରିବେ ବୋଲି ସମର୍ପଣ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକକୁ ଏହି ପ୍ରକାର ଅମୂଳଚୁଳ ପରିବର୍ତ୍ତନ କରିବାକୁ ପଡ଼ି ନଥିଲା । କିନ୍ତୁ, ସମସ୍ତ ଲୋକ ଆଧ୍ୟାତ୍ମିକଭାବେ ମୃତ ଅବସ୍ଥାରୁ ଜୀବିତ ଅବସ୍ଥାକୁ ପରିବର୍ତ୍ତିତ ହୋଇଥିଲେ । (ଏଫିସୀୟ ୨:୧) ଯଦିଓ ସେମାନେ ଶାରୀରିକରୂପେ ଏହି ପୃଥିବୀରେ ବାସ କରନ୍ତି, ତଥାପି ସେମାନେ ଏହି ସଂସାରର ଅଂଶ ନୁହନ୍ତି । (ଯୋହନ ୧୭:୧୫, ୧୬) ଅଭିଷିକ୍ତ ଖ୍ରୀଷ୍ଟିଆନମାନେ “ସ୍ୱର୍ଗର ପ୍ରଜା” ଅଟନ୍ତି । ଏମାନଙ୍କ ସଦୃଶ୍ୟ ସେମାନେ “ବିଦେଶୀ ଓ ପ୍ରବାସୀ” ନାଗରିକ ସ୍ୱରୂପ ଅଟନ୍ତି । (ଫିଲିପ୍‌ପୀୟ ୩:୨୦; ୧ ପିତର ୨:୧୧) ପରମେଶ୍ୱରଙ୍କ ପ୍ରେମ ଓ ପ୍ରତିବାସୀଙ୍କ ପ୍ରେମ ଦ୍ୱାରା ପ୍ରରୋଚିତ ହୋଇ ସେମାନେ ପରମେଶ୍ୱରଙ୍କ ସ୍ତର ଅନୁସାରେ ଜୀବନ-ଯାପନ କରନ୍ତି । (ମାଥିଉ ୨୨:୩୭-୩୯) ସେମାନେ ସ୍ୱାର୍ଥପର ଓ ଭୌତିକବାଦୀ ଲକ୍ଷ ପଛରେ ଅନୁଧାବନ କରନ୍ତି ନାହିଁ କିମ୍ବା ଏହି ଜଗତରେ ବ୍ୟକ୍ତିଗତ ସଫଳତା ପାଇବାକୁ ଇଚ୍ଛା କରନ୍ତି ନାହିଁ । ତାʼପରିବର୍ତ୍ତେ ସେମାନେ ପ୍ରତିଜ୍ଞାତ ‘ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ, ଯେଉଁଥିରେ ଧାର୍ମିକତା ବାସକରେ,’ ସେଥିପ୍ରତି ଦୃଷ୍ଟି ରଖିଛନ୍ତି।—୨ ପିତର ୩:୧୩; ୨ କରିନ୍ଥୀୟ ୪:୧୮.

୧୨. ଗତବର୍ଷର ରିପୋର୍ଟ ଅନୁସାରେ କେଉଁ କାର୍ଯ୍ୟକଳାପ ପ୍ରମାଣସ୍ୱରୂପେ ପ୍ରଦର୍ଶିତ କରେ ଯେ ଯୀଶୁ ତାଙ୍କ ଉପସ୍ଥିତି ସମୟରେ ‘ଭୂ-ମଣ୍ଡଳରେ ବିଶ୍ୱାସ ଦେଖିବାକୁ ପାଇଲେ’?

୧୨ ଯେତେବେଳେ ଅବ୍ରହାମ କିଣାନ ଦେଶକୁ ଗଲେ, ସେ ଓ ତାଙ୍କର ପରିବାର ଏକାକୀ ସେଠାରେ ରହୁଥିଲେ, କେବଳ ଯିହୋବାଙ୍କ ସମର୍ଥନ ଓ ସୁରକ୍ଷା ସେମାନଙ୍କ ସହିତ ଥିଲା । କିନ୍ତୁ, ନିଃସନ୍ଦେହରେ, ଏହି ୩,୧୬,୦୯୨ ଜଣ ବିପ୍ତିସ୍ମପ୍ରାପ୍ତ ନୂତନ ଖ୍ରୀଷ୍ଟିଆନମାନେ ଏକାକୀ ନୁହନ୍ତି । ପ୍ରକୃତରେ, ଯେପରି ଯିହୋବା ତାହାଙ୍କ ଆତ୍ମା ଦ୍ୱାରା ଅବ୍ରହାମଙ୍କୁ ସମର୍ଥନ ଓ ସୁରକ୍ଷା କରିଥିଲେ, ସେହିପରି ସେ ତାହାଙ୍କ ଆତ୍ମା ଦ୍ୱାରା ସେମାନଙ୍କୁ ସମର୍ଥନ ଓ ସୁରକ୍ଷା କରନ୍ତି । (ହିତୋପଦେଶ ୧୮:୧୦) ଏହାଛଡ଼ା, ସେ ସେମାନଙ୍କୁ ଗୋଟିଏ ସକ୍ରିୟ, ଆନ୍ତର୍ଜାତିକ ‘ଗୋଷ୍ଠି’ ଦ୍ୱାରା ସମର୍ଥନ କରନ୍ତି, ସେହି ଗୋଷ୍ଠି ଆଜିର କେତେକ ପାର୍ଥିବ ଗୋଷ୍ଠିଠାରୁ ଅଧିକ ଲୋକପ୍ରୀୟ । (ଯିଶାଇୟ ୬୬:୮) ଗତବର୍ଷ, ସେହି ଗୋଷ୍ଠୀର ନାଗରିକମାନଙ୍କ ସର୍ବୋଚ୍ଚ ଶିଖର ସଂଖ୍ୟା ୫୮,୮୮,୬୫୦ ଥିଲା । ସେମାନେ ସେମାନଙ୍କ ପ୍ରତିବାସୀଙ୍କି ପରମେଶ୍ୱରଙ୍କ ପ୍ରତିଜ୍ଞା ବିଷୟରେ କହି ସେମାନଙ୍କ ସକ୍ରିୟ ବିଶ୍ୱାସର ପ୍ରମାଣ ଦେଇଛନ୍ତି । (ମାର୍କ ୧୩:୧୦) ଆଗ୍ରହ ପ୍ରକାଶ କରିଥିବା ଲୋକମାନଙ୍କୁ ଖୋଜିବା କାର୍ଯ୍ୟରେ ସେମାନେ ୧,୧୮,୬୬,୬୬,୭୦୮ ଘଣ୍ଟା ବ୍ୟୟ କରିଥିଲେ । ଫଳସ୍ୱରୂପେ ଯେଉଁମାନେ ବିଶ୍ୱାସ କରିବାକୁ ଇଚ୍ଛା କରିଥିଲେ, ସେମାନଙ୍କ ସହିତ ୪୩,୦୨,୮୫୨ ଟି ବାଇବଲ ଅଧ୍ୟୟନ ସଞ୍ଚାଳିତ କରାଯାଇଥିଲା । ସେମାନଙ୍କ ଉତ୍ସାହର ପ୍ରଦର୍ଶନରୂପେ ଏହି ‘ଗୋଷ୍ଠୀର’ ୬,୯୮,୭୮୧ ଜଣ ଲୋକ ପୂର୍ଣ୍ଣ ସମୟର ସେବା କିମ୍ବା ଗୋଟିଏ ମାସ କିମ୍ବା ତାʼଠାରୁ ଅଧିକ ମାସ ପାଇନିୟର ସେବା କରିଥିଲେ । (ଗତବର୍ଷର ଯିହୋବାଙ୍କ ସାକ୍ଷୀମାନଙ୍କ କାର୍ଯ୍ୟର ବର୍ଣ୍ଣନା ପାଇଁ ଇଂଗ୍ରାଜୀ ପ୍ରହରୀଦୁର୍ଗର ପୃଷ୍ଠା ୧୨-୧୫ ରେ ଦେଖନ୍ତୁ ।) ଏହି ଅଦ୍ଭୂତ ରେକର୍ଡ ଯୀଶୁଙ୍କ ପ୍ରଶ୍ନର ଗୋଟିଏ ସକାରାତ୍ମକ ଉତ୍ତର, “ମନୁଷ୍ୟପୁତ୍ରଙ୍କ ଆଗମନ ସମୟରେ ସେ କʼଣ ଭୂ-ମଣ୍ଡଳରେ ବିଶ୍ୱାସ ଦେଖିବାକୁ ପାଇବେ?”

ପରୀକ୍ଷା ସତ୍ୱେ ବିଶ୍ୱାସୀ

୧୩, ୧୪. କିଣାନରେ ଅବ୍ରହାମ ଓ ତାହାଙ୍କ ପରିବାର ସମ୍ମୁଖୀନ ହୋଇଥିବା କେତେକ ସମସ୍ୟାଗୁଡ଼ିକୁ ବର୍ଣ୍ଣନା କରନ୍ତୁ ।

୧୩ କିଣାନରେ ଅବ୍ରହାମ ଓ ତାଙ୍କର ପରିବାରଙ୍କ ପାଇଁ ପରିସ୍ଥିତି ବେଳେ ବେଳେ ବଡ଼ କଷ୍ଟକର ହେଉଥିଲା । ଥରେ, ଭୟଙ୍କର ଦୁର୍ଭିକ୍ଷ ଯୋଗୁଁ ତାଙ୍କୁ କିଣାନ ଛାଡ଼ି ମିସରକୁ ଯିବାକୁ ପଡ଼ିଥିଲା । ଅଧିକନ୍ତୁ, ମିସରର ଶାସକ ଓ ଗରାରର (ଗାଜା ନିକଟରେ) ଶାସକ ଉଭୟେ ସେମାନଙ୍କ ନିମନ୍ତେ ଅବ୍ରହାମଙ୍କ ପତ୍ନି ସାରାଙ୍କୁ ନେବାକୁ ଚେଷ୍ଟା କରିଥିଲେ । (ଆଦିପୁସ୍ତକ ୧୨:୧୦-୨୦; ୨୦:୧-୧୮) ଅବ୍ରହାମଙ୍କ ପଶୁପାଳକ ଓ ଲୋଟଙ୍କ ପଶୁପାଳକମାନଙ୍କ ମଧ୍ୟରେ ବିବାଦ ଉତ୍ପନ୍ନ ହେଲା, ଫଳସ୍ୱରୂପେ ଦୁଇଟି ପରିବାର ପୃଥକ ହୋଇଗଲେ । ନିସ୍ୱାର୍ଥପରଭାବେ ଅବ୍ରହାମ ଲୋଟଙ୍କୁ ଜମି ପ୍ରଥମେ ମନୋନୀତ କରିବା ପାଇଁ ଅନୁମତି ଦେଲେ । ଲୋଟ ଯର୍ଦ୍ଦନ ଜିଲ୍ଲାରେ ବାସ କରିବା ପାଇଁ ମନୋନୀତ କଲେ । ସେହି ଜାଗା ଶସ୍ୟଶାମଳ ଓ ଅତ୍ୟଧିକ ସୁନ୍ଦର ଥିବାରୁ ଏଦନ ଉଦ୍ୟାନ ସଦୃଶ୍ୟ ଦେଖାଯାଉଥିଲା ।—ଆଦିପୁସ୍ତକ ୧୩:୫-୧୩.

୧୪ ତାʼପରେ, ଦୂରସ୍ଥ ଏଲମର ରାଜା ଓ ତାଙ୍କର ମିତ୍ରଗୋଷ୍ଠୀ ଏବଂ ସୀଦ୍ଦୀମର ନିମ୍ନ ଭାଗରେ ଥିବା ପାଞ୍ଚୋଟି ସହରର ରାଜାମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ଲୋଟ ସମ୍ମିଳିତ ହୋଇଗଲେ । ବିଦେଶୀ ରାଜାମାନେ ସ୍ଥାନୀୟ ରାଜାମାନଙ୍କୁ ପରାସ୍ତ କରି ଲୋଟ ଓ ତାଙ୍କର ଜିନିଷପତ୍ର ସହିତ ସମସ୍ତ ସମ୍ପତ୍ତି ଲୁଟି ନେଇଗଲେ । ଯେତେବେଳେ ଅବ୍ରହାମ ଏହି ସବୁ ଘଟଣା ବିଷୟରେ ଶୁଣିଲେ, ସେ ନିର୍ଭୀକଭାବେ ବିଦେଶୀ ରାଜାମାନଙ୍କ ପଶ୍ଚତ୍‌ଧାବନ କରି ଲୋଟ ଓ ତାଙ୍କର ପରିବାର ଏବଂ ସ୍ଥାନୀୟ ରାଜାମାନଙ୍କ ସମ୍ପତ୍ତିକୁ ପୁନଃପ୍ରାପ୍ତ କରିବାରେ ସମର୍ଥ ହୋଇଥିଲେ । (ଆଦିପୁସ୍ତକ ୧୪:୧-୧୬) କିନ୍ତୁ, କିଣାନରେ ଲୋଟଙ୍କର ଏହାଠାରୁ ମଧ୍ୟ ମନ୍ଦ ଅନୁଭବ ହୋଇଥିଲା । ସଦୋମ ସହର ଅନୈତିକରୂପେ ଅଖ୍ୟାତି ହେବା ସତ୍ତ୍ୱେ ସେ କେତେକ କାରଣରୁ ସେଠାରେ ବସବାସ କରିଥିଲେ ।b (୨ ପିତର ୨:୬-୮) ସହରଟି ଧ୍ୱଂସ ହେବ ବୋଲି ଯେତେବେଳେ ଦୁଇ ଜଣ ସ୍ୱର୍ଗଦୂତ ଚେତାବନୀ ଦେଇଥିଲେ, ସେତେବେଳେ ଲୋଟ ତାଙ୍କର ପତ୍ନୀ ଓ ଝିଅମାନଙ୍କ ସହିତ ସେଠାରୁ ପଳାୟନ କିରିଥିଲେ । କିନ୍ତୁ, ଲୋଟଙ୍କ ପତ୍ନୀ ସ୍ୱର୍ଗଦୂତଙ୍କ ବିଶେଷ ନିର୍ଦେଶକୁ ଉପେକ୍ଷା କରିଥିଲେ, ତାହା ଫଳରେ ସେ ଲୁଣରେ ସମାଧିସ୍ଥ ହୋଇଥିଲେ । ଲୋଟ ତାଙ୍କର ଦୁଇଟି ଝିଅ ସହିତ ସୋୟର ଗୁମ୍ଫାରେ ଅଳ୍ପ ସମୟ ରହିବାକୁ ପଡ଼ିଲା । (ଆଦିପୁସ୍ତକ ୧୯:୧-୩୦) ଏହି ଘଟଣାଗୁଡ଼ିକ ଅବ୍ରହାମଙ୍କୁ ଅତ୍ୟଧିକ ଆଲୋଡ଼ିତ କରିଥିବ, କାରଣ ବିଶେଷତଃ ଲୋଟ ଅବ୍ରହାମଙ୍କ ପରିବାରର ସଦସ୍ୟରୂପେ କିଣାନ ଦେଶକୁ ଆସିଥିଲେ ।

୧୫. ଏକ ଅଜଣା ଦେଶରେ ତମ୍ବୁରେ ବସବାସ କରିବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ସତ୍ତ୍ୱେ କେଉଁ ପ୍ରକାର ନକାରାତ୍ମକ ଚିନ୍ତାଧାରାକୁ ଅବ୍ରହାମ ପ୍ରତ୍ୟକ୍ଷଭାବେ ପରିହାର କରିଥିଲେ?

୧୫ ଅବ୍ରହାମ କʼଣ କେବେ ଭାବିଥିଲେ ଯେ ସେ ଓ ଲୋଟ ତାଙ୍କର ଦାଦା-ବଡ଼ବାପାଙ୍କ ପରିବାର ସହିତ ଊର ଦେଶର ସୁରକ୍ଷାରେ ବାସ କରିବା ଉଚିତ୍‌ ନା ହାରଣରେ ତାଙ୍କ ଭାଇ ନାହୋର ସହିତ ବାସ କରିବା ଉଚିତ୍‌? ତମ୍ବୁରେ ବାସ କରିବା ପରିବର୍ତ୍ତେ ଗୋଟିଏ ସୁରକ୍ଷିତ ସହରରେ ବସବାସ କରି ପାରିଥାନ୍ତେ ବୋଲି ସେ କʼଣ କେବେ ଇଚ୍ଛା କରିଥିଲେ? ଏକ ଅଜଣା ଦେଶରେ ଯାଯାବରରୂପେ ଜୀବନ ବିତାଇବା ବୁଦ୍ଧିମାନର କାର୍ଯ୍ୟ ହେବ କି ନାହିଁ ବୋଲି ସେ କʼଣ ସନ୍ଦେହ କରିଥିଲେ? ଅବ୍ରହାମ ଓ ତାଙ୍କ ପରିବାର ବିଷୟରେ କହୁଥିଲାବେଳେ ପାଉଲ ଲେଖିଥିଲେ: “ଯେଉଁ ଦେଶରୁ ସେମାନେ ବାହାରି ଆସିଥିଲେ, ଯଦି ପ୍ରକୃତରେ ସେହି ଦେଶକୁ ସ୍ମରଣ କରିଥାଆନ୍ତେ, ତାହାହେଲେ ସେମାନଙ୍କର ବାହୁଡ଼ିଯିବାକୁ ସୁଯୋଗ ହୋଇଥାଆନ୍ତା ।” (ଏବ୍ରୀ ୧୧:୧୫) ତଥାପି ସେମାନେ ବାହୁଡ଼ିଯାଇ ନଥିଲେ । କଷ୍ଟକର ପରିସ୍ଥିତି ସତ୍ତ୍ୱେ ଯେଉଁଠାରେ ଯିହୋବା ଚାହୁଁଥିଲେ, ସେମାନେ ସେଠାରେ ବସବାସ କରିଥିଲେ ।

ଆଜି ଧୈର୍ଯ୍ୟ ଧରିବା

୧୬, ୧୭. (କ) ଆଜି ଅଧିକାଂଶ ଖ୍ରୀଷ୍ଟିଆନ କେଉଁ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେଉଛନ୍ତି? (ଖ) ଖ୍ରୀଷ୍ଟିଆନମାନଙ୍କର କେଉଁ ସକାରାତ୍ମକ ମନୋଭାବ ଅଛି? କାହିଁକି?

୧୬ ସେହି ପ୍ରକାର ଧୈର୍ଯ୍ୟ ଖ୍ରୀଷ୍ଟିଆନମାନଙ୍କଠାରେ ଆଜି ମଧ୍ୟ ଦେଖାଯାଏ । ଯଦିଓ ପ୍ରକୃତ ଖ୍ରୀଷ୍ଟିଆନମାନଙ୍କ ପାଇଁ ପରମେଶ୍ୱରଙ୍କ ଉପାସନା କରିବା ଅତ୍ୟଧିକ ଖୁସୀର ବିଷୟ, ତଥାପି ଏହି ଶେଷକାଳରେ ସେମାନଙ୍କ ପାଇଁ ଜୀବନ ଯାପନ ଏତେ ସହଜ ନୁହଁ । ଯଦିଓ ସେମାନେ ଗୋଟିଏ ଆଧ୍ୟାତ୍ମିକ ପାରଦୀଶରେ ବସବାସ କରନ୍ତି, ତଥାପି ସେମାନେ ସେମାନଙ୍କ ପ୍ରତିବାସୀମାନଙ୍କ ସଦୃଶ୍ୟ ଆର୍ଥିକ ଚାପ ଅନୁଭବ କରୁଥିଲେ । (ଯିଶାଇୟ ୧୧:୬-୯) ଗୋଷ୍ଠୀୟ ଯୁଦ୍ଧର କାରଣରୁ ଅଧିକାଂଶ ନିର୍ଦୋଷ ଲୋକମାନେ ଶୀକାର ହେଉଛନ୍ତି ଏବଂ କେତେକ ଲୋକଙ୍କର କିଛି ଦୋଷ ନ ଥିବା ସତ୍ୱେ ସେମାନେ ଅତ୍ୟନ୍ତ ଦାରିଦ୍ୟରେ ଜୀବନ-ଯାପନ କରୁଛନ୍ତି । ଏହାଛଡ଼ା ସେମାନଙ୍କ ସଂଖ୍ୟା କମ ଏବଂ ଲୋକମାନେ ସେମାନଙ୍କୁ ପସନ୍ଦ କରୁ ନାହାନ୍ତି, ଏହି କାରଣରୁ ସେମାନଙ୍କୁ ଅଧିକ କଷ୍ଟ ସହ୍ୟ କରିବାକୁ ପଡ଼େ । ଅନେକ ଦେଶରେ ସେମାନେ ଅତ୍ୟଧିକ ଉଦାସୀନତାର ସମ୍ମୁଖୀନ ହୋଇ ମଧ୍ୟ ସୁସମାଚାର ପ୍ରଚାର କରୁଛନ୍ତି । ଅନ୍ୟ ଦେଶରେ, ଯେଉଁମାନେ ‘ବିଧାନ ଦ୍ୱାରା ଉପଦ୍ରବ-ରଚନା କରନ୍ତି’ ଓ “ନିର୍ଦୋଷ ରକ୍ତକୁ ଦୋଷୀ କରନ୍ତି,” ସେମାନଙ୍କ ପ୍ରବଞ୍ଚନାତ୍ମକ କାର୍ଯ୍ୟ ଦ୍ୱାରା ସେମାନେ ଦୁଃଖ ଭୋଗ କରନ୍ତି । (ଗୀତସଂହିତା ୯୪:୨୦, ୨୧) ଯଦିଓ କେତେକ ଦେଶରେ ଖ୍ରୀଷ୍ଟିଆନମାନଙ୍କ ଉପରେ ଆକ୍ରମଣ ହୁଏ ନାହିଁ, ଏବଂ ସେମାନଙ୍କ ଉଚ୍ଚ ନୈତିକ ସ୍ତର ଯୋଗୁଁ ସେମାନେ ପ୍ରଶଂସା ପାଆନ୍ତି, ତଥାପି ସେଠାରେ ମଧ୍ୟ ସେମାନେ ସେମାନଙ୍କ ସ୍କୁଲସାଥୀ ଓ କାର୍ଯ୍ୟସାଥୀଠାରୁ ଭିନ୍ନ ରହିବା ପାଇଁ ଚେଷ୍ଠା କରନ୍ତି । ଏହି ଖ୍ରୀଷ୍ଟୀୟ ଲୋକମାନେ ଅବ୍ରହାମ ସଦୃଶ୍ୟ । ତାଙ୍କର ଚାରିପାଖରେ ଥିବା ଅଧିକାଂଶ ଲୋକ ସହରରେ ବାସ କରୁଥିଲେ, କିନ୍ତୁ ଅବ୍ରହାମ ତମ୍ବୁରେ ବାସ କରୁଥିଲେ । ହଁ, ଏହି ଜଗତରେ ବାସ କରି ତାହାର ଅଂଶ ‘ନ ହେବା’ ଏତେ ସହଜ ନୁହେଁ ।—ଯୋହନ ୧୭:୧୪.

୧୭ ତାହାହେଲେ ପରମେଶ୍ୱରଙ୍କ ପ୍ରତି ଆମର ସମର୍ପଣ ଯୋଗୁଁ ଆମେ ଦୁଃଖିତ କି? ଆମେ କʼଣ ମନରେ ବିଚାର କରୁ ଯେ, ଆମେ କାହିଁକି ସଂସାରରୁ ପୃଥକ ହେଲୁ ଏବଂ ଅନ୍ୟମାନଙ୍କ ସଦୃଶ୍ୟ ରହିଲୁ ନାହିଁ? ଆମେ ଯିହୋବାଙ୍କ ସେବାରେ କରିଥିବା ତ୍ୟାଗ ଯୋଗୁଁ ଦୁଃଖ ପ୍ରକାଶ କରିବା କି? କେବେହେଲେ ନୁହଁ! ଦୁଃଖ ପ୍ରକାଶ କରିବା ପରିବର୍ତ୍ତେ ଆମେ ବୁଝିପାରୁ ଯେ, ବର୍ତ୍ତମାନ ଆମେ ଯେଉଁ ଆଶୀର୍ବାଦ ଉପଭୋଗ କରୁଅଛୁ ଏବଂ ଭବିଷ୍ୟତରେ ଯେଉଁ ଆଶୀର୍ବାଦ ଉପଭୋଗ କରିବାକୁ ଯାଉଛୁ, ତାହାର ତୁଳନାରେ ଆମେ ଯାହାକିଛି ତ୍ୟାଗ କରିଅଛୁ, ତାହାର ପ୍ରକୃତ ମୂଳ୍ୟ କିଛି ହିଁ ନୁହେଁ। (ଲୂକ ୯:୬୨; ଫିଲିପ୍‌ପୀୟ ୩:୮) ଅଧିକନ୍ତୁ, ସଂସାରର ଲୋକମାନେ କʼଣ ଖୁସିରେ ଅଛନ୍ତି? ବାସ୍ତବରେ, ଅଧିକାଂଶ ଲୋକ ଯେଉଁ ପ୍ରଶ୍ନର ଉତ୍ତର ଅନ୍ୱେଷଣ କରୁଛନ୍ତି, ଆମ ପାଖରେ ପୂର୍ବରୁ ସେହି ଉତ୍ତର ଅଛି। ସେମାନେ ଦୁଃଖ ଭୋଗ କରୁଛନ୍ତି, କାରଣ ସେମାନେ ବାଇବଲରେ ଉଲ୍ଲେଖ ଥିବା ପରମେଶ୍ୱରଙ୍କ ନିର୍ଦେଶ ପାଳନ କରୁ ନାହାନ୍ତି ଯାହା ଆମ୍ଭେମାନେ ପାଳନ କରୁଅଛୁ । (ଗୀତସଂହିତା ୧୧୯:୧୦୫) ଆମର ସହ-ବିଶ୍ୱାସୀଙ୍କ ମଧ୍ୟରେ ଯେଉଁ ଖ୍ରୀଷ୍ଟୀୟ ମିତ୍ରତା ଏବଂ ସୁଖକର ସାହଚର୍ଯ୍ୟ ଅଛି, ତାʼପାଇଁ ଅଧିକାଂଶ ଲୋକ ଲାଳାୟିତ ହେଉଛନ୍ତି।—ଗୀତସଂହିତା ୧୩୩:୧; କଲସୀୟ ୩:୧୪.

୧୮. ଯେତେବେଳେ ଖ୍ରୀଷ୍ଟିଆନମାନେ ଅବ୍ରହାମଙ୍କ ପରି ସାହସ ଦେଖାନ୍ତି, ସେତେବେଳେ ଶେଷ ପରିଣାମ କʼଣ ହୁଏ?

୧୮ ଅବ୍ରହାମ ଲୋଟଙ୍କ ବନ୍ଧୀକାରୀମାନଙ୍କ ପଛରେ ଅନୁଧାବନ କିରିଥିଲେ। ସେହିଭଳି ଆମେ ମଧ୍ୟ ବେଳେବେଳେ ସାହସୀ ହେବା ଆବଶ୍ୟକ। କିନ୍ତୁ, ଯେତେବେଳେ ଆମେ ସେହିଭଳି ସାହସୀ ହେଉ, ସେତେବେଳେ ଯିହୋବା ଆମକୁ ସଫଳ କରାନ୍ତି। ଉଦାହରଣ ସ୍ୱରୂପ, ଉତ୍ତର ଆୟରଲାଣ୍ଡରେ ବିଭିନ୍ନ ଧର୍ମମତର କାରଣ ଯୋଗୁଁ ହିଂସା ଓ ଘୃଣାଭାବ ବ୍ୟାପୀ ଯାଇଥିଲା ଏବଂ ନିରପେକ୍ଷ ହେବା ନିମିତ୍ତ ସାହସର ଆବଶ୍ୟକତା ଥିଲା । ତଥାପି ବିଶ୍ୱାସୀ ଖ୍ରୀଷ୍ଟିଆନମାନେ ଯିହୋଶୂୟଙ୍କୁ କୁହାଯାଇଥିବା ଯିହୋବାଙ୍କ ବାକ୍ୟକୁ ଅନୁସରଣ କରନ୍ତି: ‘ବଳବାନ୍‌ ହୁଅ ଓ ସାହସୀ ହୁଅ; ତ୍ରାସଯୁକ୍ତ ହୁଅ ନାହିଁ, କି ହତାଶ ହୁଅ ନାହିଁ; କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ଯିହୋବା ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ।’ (ଯିହୋଶୂୟ ୧:୯; ଗୀତସଂହିତା ୨୭:୧୪) ବହୁ ବର୍ଷରୁ ସେମାନଙ୍କ ସାହସର କାରଣରୁ ଲୋକମାନେ ସେମାନଙ୍କୁ ଆଦର କରନ୍ତି ଏବଂ ସେମାନେ ଆଜି ସେହି ଦେଶରେ ସମସ୍ତ ସମ୍ପ୍ରଦାୟର ଲୋକମାନଙ୍କୁ ଖୋଲାଖୋଲି ଭାବରେ ପ୍ରଚାର କରିପାରନ୍ତି ।

୧୯. ଖ୍ରୀଷ୍ଟିଆନମାନଙ୍କ ନିମିତ୍ତ ସବୁଠାରୁ ଉତ୍ତମ ଉପାୟ କʼଣ ଏବଂ ଯେତେବେଳେ ସେମାନେ ଯିହୋବାଙ୍କ ନିର୍ଦେଶ ପାଳନ କରିବେ, ସେତେବେଳେ ସେମାନେ ବିଶ୍ୱସ୍ତଭାବେ କେଉଁ ପରିଣାମର ପ୍ରତ୍ୟାଶା କରି ପାରିବେ?

୧୯ ଆମେ ସନ୍ଦେହ କରିବା ଆବଶ୍ୟକ ନୁହେଁ, ଯେ ଆମେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେଉ ନା କାହିଁକି, ଯଦି ଆମେ ଯିହୋବାଙ୍କ ନିର୍ଦେଶ ପାଳନ କରିବା ତେବେ ଶେଷ ପରିଣାମ ଦ୍ୱାରା ତାହାଙ୍କ ଗୌରବ ହେବ ଏବଂ ଏଥିରୁ ଆମକୁ ଅନନ୍ତକାଳୀନ ଲାଭ ମିଳିବ । ପରୀକ୍ଷା ଓ ଆତ୍ମତ୍ୟାଗ ସତ୍ୱେ ଯିହୋବାଙ୍କ ସେବା କରିବା ଛଡ଼ା ଆଉ କୌଣସି ଉତ୍ତମ ଉପାୟ ନାହିଁ । କାରଣ ସେଠାରେ ଆମେ ଖ୍ରୀଷ୍ଟୀୟ ଭାଇମାନଙ୍କ ସାହଚର୍ଯ୍ୟ ପାଉ ଏବଂ ପରମେଶ୍ୱରଙ୍କ ଦ୍ୱାରା ପ୍ରତିଜ୍ଞାତ ଅନନ୍ତ ଭବିଷ୍ୟତଆଡ଼କୁ ଆମେ ବିଶ୍ୱସ୍ତଭାବେ ପ୍ରତ୍ୟାଶା କରୁ।

[ପାଦ ଟିପ୍ପଣୀଗୁଡ଼ିକ]

a ସମ୍ଭବତଃ, ଯେତେବେଳେ ଅବ୍ରହାମଙ୍କ ଭାଇ ଅର୍ଥାତ୍‌ ଲୋଟଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା, ସେତେବେଳେ ଅବ୍ରହାମ ତାହାଙ୍କ ପୁତୁରା ଲୋଟଙ୍କୁ ପୋଷ୍ୟପୁତ୍ର କରିଥିଲେ।—ଆଦିପୁସ୍ତକ ୧୧:୨୭, ୨୮; ୧୨:୫.

b କେତେକ ଲୋକ ପ୍ରସ୍ତାବ ଦେଇଥିଲେ ଯେ ଲୋଟ ଚାରୋଟି ରାଜାଙ୍କ ହାତରେ ଧରାପଡ଼ିଥିଲେ, ସେହି କାରଣରୁ ସେ ଅଧିକ ସୁରକ୍ଷା ପାଇଁ ଗୋଟିଏ ସହରରେ ବସବାସ କରିଥିଲେ ।

ଆପଣ କʼଣ ମନେରଖିଛନ୍ତି?

◻ ଦୃଢ଼ ବିଶ୍ୱାସ କାହିଁକି ଅତ୍ୟାବଶ୍ୟକ?

◻ ଅବ୍ରହାମଙ୍କ ଦୃଢ଼ ବିଶ୍ୱାସ ଥିଲା ବୋଲି ସେ କିପରି ପ୍ରଦର୍ଶିତ କରିଥିଲେ?

◻ ଜଣେ ବ୍ୟକ୍ତିକୁ ସମର୍ପଣ କରିବା ନିମିତ୍ତ ତାଙ୍କ ଜୀବନରେ କେଉଁ ପରିବର୍ତ୍ତନ କରିବା ଆବଶ୍ୟକ?

◻ ଆମେ କୌଣସି ସମସ୍ୟାର ସମ୍ମୁଖୀନ ହେବା ସତ୍ୱେ ପରମେଶ୍ୱରଙ୍କ ସେବା କରିବାରେ ଆନନ୍ଦ ଅନୁଭବ କରୁ କାହିଁକି?

[ପୃଷ୍ଠାରେ କ୍ୟାପସନ୍‌ ୭]

ପ୍ରତିଜ୍ଞାତ ଦେଶକୁ ଉତ୍ତରାଧିକାର ସୂତ୍ରେ ପାଇବା ନିମିତ୍ତ ଅବ୍ରହାମ ତାଙ୍କ ଜୀବନରେ ବୃହତ ପରିବର୍ତ୍ତନ କରିବାକୁ ରାଜି ଥିଲେ

[ପୃଷ୍ଠାରେ କ୍ୟାପସନ୍‌ ୯]

ପ୍ରମାଣ ପ୍ରଦର୍ଶିତ କରେ ଯେ ଯୀଶୁ ତାଙ୍କ ଉପସ୍ଥିତି ସମୟରେ ‘ଭୂ-ମଣ୍ଡଳରେ ବିଶ୍ୱାସ ଦେଖିଛନ୍ତି’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ