‘ନୂତନ ସ୍ୱଭାବକୁ ପରିଧାନ କର’
ଖ୍ରୀଷ୍ଟିଆନମାନେ ସତ୍ୟ ଜାଣନ୍ତି ବୋଲି କେତେ କୃତଜ୍ଞ ! ଆମେ ଜାଣିଛୁ ଯେ ସଂସାରର ଲୋକମାନଙ୍କ ଜୀବନଶୈଳୀଠାରୁ ଦୂରରେ ରହି ଆମେ କିପରି ଜୀବନ ଅତିବାହିତ କରିପାରିବା । “ଐଶ୍ୱରିକ ଜୀବନରୁ ପୃଥକ” ହେବାରୁ ସେମାନଙ୍କ “ମନ ଅନ୍ଧକାରାବୃତ” ହୋଇଅଛି । (ଏଫି. ୪:୧୮, OCB) ଜାଗତିକ ଚିନ୍ତାଧାରାରୁ ମନର ନବୀକରଣ କରିବା ନିମନ୍ତେ ଆମ୍ଭମାନଙ୍କୁ ଶିକ୍ଷା ଦିଆଯାଇଛି । ଏହିପରି କରିବା ଦ୍ୱାରା ଆମେ ପୁରାତନ ଆଚରଣକୁ ପରିତ୍ୟାଗ କରି ନୂତନ ସ୍ୱଭାବକୁ ପିରଧାନ କରି ପାରିବା ।—ଏଫି. ୪:୨୨-୨୪.
୨ ପୁରାତନ ଆଚରଣ ଅବିରତଭାବେ ଆମର ନୈତିକ ଚାଲିଚଳଣକୁ ହ୍ରାସ କରେ । ଫଳରେ ଆମେ ଭ୍ରଷ୍ଟ ହୋଇ ମୃତ୍ୟୁମୁଖରେ ପଡ଼ୁ । ତେଣୁ ରାଜ୍ୟ ବାର୍ତ୍ତା ଶୁଣୁଥିବା ଲୋକମାନଙ୍କୁ ଆମେ ବିନିତ ଅନୁରୋଧ କରୁ ଯେ ସେମାନେ କୋପ, କ୍ରୋଧ, ଦୁଷ୍ଟତା, ମିଥ୍ୟାପବାଦ, ଏବଂ ଭ୍ରଷ୍ଟ କଥନ ଇତ୍ୟାଦି ପରିତ୍ୟାଗ କରନ୍ତୁ । ପରମେଶ୍ୱରଙ୍କୁ ଖୁସୀ କରିବାକୁ ଚାହୁଁଥିବା ଲୋକମାନେ ମଇଳା ପୋଷାକ କାଢ଼ି ଦେବାଭଳି ପୁରାତନ ଆଚରଣକୁ ସୁନିଶ୍ଚିତଭାବେ ଓ ସମ୍ପୂର୍ଣ୍ଣରୂପେ ପରିତ୍ୟାଗ କରିବା ଆବଶ୍ୟକ ।—କଲ. ୩:୮, ୯, OCB.
୩ ମନରେ ନୂତନୀକୃତ ହୁଅ: ନୂତନ ସ୍ୱଭାବକୁ ପରିଧାନ କରିବାର ଅର୍ଥ ମନରେ ନୂତନୀକୃତ ହେବା । (ଏଫି. ୪:୨୩) କିପରି ଜଣେ ବ୍ୟକ୍ତି ନିଜର ମନର ସ୍ୱଭାବ ଅଥବା ମନୋବୃତ୍ତିକୁ ନୂତନ କରି ସଠିକ୍ ଦିଗରେ ପରିଚାଳିତ ହେବାକୁ ପ୍ରବୃତ ହେବ? ନିୟମିତଭାବେ ଏବଂ ଅଧ୍ୟବସାୟୀ ହୋଇ ପରମେଶ୍ୱରଙ୍କ ବାକ୍ୟ ପଢ଼ି ସେଥିରେ ଧ୍ୟାନ କଲେ ଏହା କରିପାରିବ । ଫଳରେ ଜଣେ ବ୍ୟକ୍ତି ନୂତନ ରୀତିରେ ବିଚାର କରେ ଏବଂ ସମସ୍ତ ବିଷୟକୁ ପରମେଶ୍ୱର ଓ ଖ୍ରୀଷ୍ଟଙ୍କ ଦୃଷ୍ଠିକୋଣରେ ଚିନ୍ତାକରେ । ଯଦି ଜଣେ ବ୍ୟକ୍ତି ଖ୍ରୀଷ୍ଟ-ଶଦୃଶ୍ୟ ଗୁଣ ଯଥା ଅନୁକମ୍ପା, ଦୟା, ନମ୍ରତା, ମୃଦୁତା, ଦୀର୍ଘ-ସହିଷ୍ଣୁତା ଇତ୍ୟାଦି ପରିଧାନ କରେ, ତେବେ ତାʼର ଜୀବନ ପରିବର୍ତ୍ତିତ ହେବ ।—କଲ. ୩:୧୦, ୧୨-୧୪.
୪ ନୂତନ ସ୍ୱଭାବକୁ ପରିଧାନ କରିବା ଦ୍ୱାରା ଆମେ ନିଜକୁ ସଂସାରରୁ ଅଲଗା କରିପାରିବା । ଆମର ଜୀବନଶୈଳୀ ଆମକୁ ଅନ୍ୟମାନଙ୍କଠାରୁ ଭିନ୍ନ କରେ । ଆମେ ସତ୍ୟ କହୁ ଓ ସର୍ବଦା ହିତକର ବାର୍ତ୍ତାଳାପ ଦ୍ୱାରା ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରୁ । ଆମେ ରାଗ, କଟୁଭାବ, କଳହ, ନିନ୍ଦାତ୍ମକ କଥାବାର୍ତ୍ତା ଓ ସମସ୍ତ ପ୍ରକାର କୂକର୍ମକୁ ନିୟନ୍ତ୍ରଣ କରୁ ଏବଂ ତାʼପରିବର୍ତ୍ତେ ଧାର୍ମିକତା ଓ ଐଶ୍ୱରିକ ଗୁଣ ପରିଧାନ କରୁ । ଆମେ ସମ୍ପୂର୍ଣ୍ଣରୂପେ କ୍ଷମା କରିବା ପାଇଁ ତତ୍ପର ହେଉ ଏବଂ ଏହା ଆମେ ଆନ୍ତରିକତା ସହକାରେ କରୁ ।—ଏଫି. ୪:୨୫-୩୨.
୫ ନୂତନ ସ୍ୱଭାବକୁ କେବେହେଲେ କାଢ଼ନ୍ତୁ ନାହିଁ । ନୂତନ ସ୍ୱଭାବ ବିନା ଯିହୋବା ଆମର ଉପାସନା ସ୍ୱୀକାର କରିବେ ନାହିଁ । ଏହି ନୂତନ ସ୍ୱଭାବ ଦ୍ୱାରା ଲୋକମାନଙ୍କୁ ସତ୍ୟ ଆଡ଼କୁ ଆକର୍ଷିତ କରନ୍ତୁ ଏବଂ ଏହା ଦ୍ୱାରା ଆମର ନୂତନ ସ୍ୱଭାବର ସୃଷ୍ଟିକର୍ତ୍ତା, ଯିହୋବାଙ୍କ ମହିମା କରନ୍ତୁ ।—ଏଫି. ୪:୨୪.