ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବାଙ୍କ ଅନୁଶାସନକୁ ସହଯୋଗ କରି ପ୍ରେମ ଦେଖାନ୍ତୁ
ଯଦି କେହି ନିଜ ଭୁଲ କାମଗୁଡ଼ିକର ପଶ୍ଚାତାପ କରେ ନାହିଁ, ତେବେ ତାକୁ ମଣ୍ଡଳୀରୁ ବହିଷ୍କାର କରିଦିଆଯାଏ । ଏହି ଅନୁଶାସନରୁ ମଣ୍ଡଳୀ ସୁରକ୍ଷିତ ରହେ ଏବଂ ସେହି ବ୍ୟକ୍ତି ଅନୁଭବ କରିପାରେ ଯେ ସେ କେତେ ବଡ଼ ଭୁଲ କରିଛି । (୧କରି ୫:୬, ୧୧) ଏହା ସତ ଯେ ଯେତେବେଳେ କାହାରିକୁ ବହିଷ୍କାର କରାଯାଏ, ସେତେବେଳେ ତାʼର ପରିବାର ସଦସ୍ୟମାନଙ୍କୁ ଏବଂ ନ୍ୟାୟିକ ସମିତିର ଭାଇମାନଙ୍କୁ ବହୁତ ଦୁଃଖ ଲାଗେ । କିନ୍ତୁ ଯେତେବେଳେ ଆମେ ଏହି ବ୍ୟବସ୍ଥାକୁ ସହଯୋଗ କରୁ, ଆମେ ଯିହୋବା ଓ ସେହି ବ୍ୟକ୍ତି ପାଇଁ ପ୍ରେମ ଦେଖାଇଥାଉ ।
ଯିହୋବାଙ୍କ ପାଇଁ ପ୍ରେମ ଯୋଗୁଁ ଆମେ ପବିତ୍ରତା ବିଷୟରେ ତାହାଙ୍କ ଉଚ୍ଚ ମାନଦଣ୍ଡଗୁଡ଼ିକର ଆଦର କରୁ ଏବଂ ଆମେ ଚାହିଁ ନ ଥାଉ ଯେ ତାହାଙ୍କ ନାମର ବଦନାମ ହେଉ । ତେଣୁ ଆମେ ଏହି ବ୍ୟବସ୍ଥାକୁ ପୂରା ସହଯୋଗ କରିବା ଉଚିତ୍ । (୧ପିତ ୧:୧୪-୧୬) ଏପରି କରି ଆମେ ଏହା ମଧ୍ୟ ଦେଖାଉ ଯେ ବହିଷ୍କାର କରାଯାଇଥିବା ବ୍ୟକ୍ତିକୁ ଆମେ ପ୍ରେମ କରୁ । ଏହା ସତ ଯେ ଯେତେବେଳେ ତାକୁ ବହିଷ୍କାର କରାଯାଏ, ସେତେବେଳେ ସମସ୍ତଙ୍କୁ ବହୁତ ଦୁଃଖ ଲାଗେ । କିନ୍ତୁ ଆଗକୁ ଯାଇ ଏହି ବ୍ୟବସ୍ଥା “ଶାନ୍ତିର ଫଳସ୍ୱରୂପ ଧାର୍ମିକତା ପ୍ରଦାନ କରେ ।” (ଏବ୍ରୀ ୧୨:୫, ୬, ୧୧) ଯଦି ଆମେ ଏପରି କୌଣସି ବ୍ୟକ୍ତି ସହ ମିଳାମିଶା କରୁ, ଯିଏ ମଣ୍ଡଳୀ ସହ ସଙ୍ଗତି କରିବା ଛାଡ଼ି ଦେଇଛି କିମ୍ବା ଯାହାକୁ ବହିଷ୍କାର କରାଯାଇଛି, ତେବେ ଆମେ ଯିହୋବାଙ୍କ ବ୍ୟବସ୍ଥାରେ ବାଧା ଆଣିଥାଉ । ଆମେ ମନେ ରଖିବା ଉଚିତ୍ ଯେ ଯିହୋବା ନିଜ ସେବକମାନଙ୍କୁ ଅନୁଶାସନ ଦେବା ପାଇଁ ‘ବିବେଚନାପୂର୍ବକ ଶାସ୍ତି’ ଦିଅନ୍ତି, ଅର୍ଥାତ୍ ଯେତେ ଉଚିତ୍ ସେତେ ଶାସ୍ତି ଦେଇଥାʼନ୍ତି । (ଯିରି ୩୦:୧୧) ତେଣୁ ଆସନ୍ତୁ ଆମେ ବହିଷ୍କାରର ବ୍ୟବସ୍ଥାକୁ ପୂରା ସହଯୋଗ କରିବା ଏବଂ ନିଜେ ଢିଲା ନ ହୋଇ ଯିହୋବାଙ୍କ ଉପାସନା ସହ ଜଡ଼ିତ କାମଗୁଡ଼ିକୁ କରିବା ଜାରି ରଖିବା । ଏହା ସହିତ, ଆମେ ଆଶା ରଖିବା ଯେ ଦିନ ଆସିବ ସେହି ବ୍ୟକ୍ତି ଜଣକ ଯିହୋବାଙ୍କ ପାଖକୁ ଫେରି ଆସିବ ।—ଯିଶା ୧:୧୬-୧୮; ୫୫:୭.
ସମ୍ପୂର୍ଣ୍ଣ ହୃଦୟର ସହ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଯେତେବେଳେ ପୁଅଝିଅମାନେ ଯିହୋବାଙ୍କଠାରୁ ଦୂରେଇଯାʼନ୍ତି, ପିତାମାତାମାନେ କିପରି ଅନୁଭବ କରନ୍ତି ?
ଖ୍ରୀଷ୍ଟିୟାନ ଭାଇଭଉଣୀମାନେ ବହିଷ୍କୃତ ବ୍ୟକ୍ତିର ପରିବାର ସଦସ୍ୟମାନଙ୍କର କିପରି ସାହସ ବାନ୍ଧିପାରିବେ ?
ବାଇବଲର କେଉଁ ଘଟଣାରୁ ଆମେ ଶିଖୁ ଯେ ଆମେ ନିଜ ପରିବାର ସଦସ୍ୟଙ୍କଠାରୁ ଅଧିକ ଯିହୋବାଙ୍କ ବିଶ୍ୱସ୍ତ ରହିବା ଉଚିତ୍ ?
ଆମେ ନିଜ ପରିବାର ସଦସ୍ୟଙ୍କଠାରୁ ଅଧିକ ଯିହୋବାଙ୍କ ବିଶ୍ୱସ୍ତ କିପରି ରହିପାରିବା ?