ଅଧ୍ୟୟନ ଲେଖା ୧୫
ଗୀତ ୧୨୪ ହମ୍ ନିଭାଏଙ୍ଗେ ୱଫା
ଯିହୋବାଙ୍କ ସଂଗଠନ ଉପରେ ପୂରା ଭରସା ରଖନ୍ତୁ
“ଯେଉଁମାନେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ବାକ୍ୟ କହିଥିଲେ, ତୁମ୍ଭମାନଙ୍କ ଏପରି ନେତାମାନଙ୍କୁ [‘ଯେଉଁମାନେ ନେତୃତ୍ୱ ନିଅନ୍ତି,’ NWT] ସ୍ମରଣ କର ।”—ଏବ୍ରୀ ୧୩:୭.
କʼଣ ଶିଖିବା ?
ଯିହୋବାଙ୍କ ସଂଗଠନ ଉପରେ ନିଜର ଭରସା ବଢ଼ାଇବା ପାଇଁ ଆମେ କʼଣ କରିପାରିବା ?
୧. ପ୍ରଥମ ଶତାବ୍ଦୀରେ ଯିହୋବାଙ୍କ ଲୋକମାନେ କିପରି ବ୍ୟବସ୍ଥିତ ଭାବରେ କାମ କରୁଥିଲେ ?
ଯିହୋବା ନିଜ ସେବକମାନଙ୍କୁ ଯେତେବେଳେ କୌଣସି କାମ ଦିଅନ୍ତି, ତେବେ ସେ ଚାହାନ୍ତି ଯେ ସେହି କାମ ଭଲଭାବେ ଓ ବ୍ୟବସ୍ଥିତ ଭାବରେ ହେଉ । (୧ କରି. ୧୪:୩୩) ଯେପରି, ସେ ଚାହାନ୍ତି ଯେ ସାରା ଦୁନିଆରେ ଖୁସିଖବର ପ୍ରଚାର କରାଯାଉ । (ମାଥି. ୨୪:୧୪) ଏହି କାମ କରିବାର ଦାୟିତ୍ୱ ଯିହୋବା ଯୀଶୁଙ୍କୁ ଦେଇଛନ୍ତି ଆଉ ଯୀଶୁ ପୂରା ଧ୍ୟାନ ଦିଅନ୍ତି ଯେ ଏହି କାମ ଭଲଭାବେ ଓ ବ୍ୟବସ୍ଥିତ ଭାବରେ ହେଉ । ପ୍ରଥମ ଶତାବ୍ଦୀରେ, ଯିରୂଶାଲମରେ ପ୍ରେରିତ ଓ ପ୍ରାଚୀନମାନଙ୍କ ଗୋଟିଏ ସମୂହ ଥିଲା, ଯାହା ଜରୁରୀ ନିଷ୍ପତ୍ତି ନେଉଥିଲା । ଆଉ ସେହି ନିଷ୍ପତ୍ତି ମଣ୍ଡଳୀଗୁଡ଼ିକୁ ଜଣାଇ ଦିଆଯାଉଥିଲା । (ପ୍ରେରି. ୧୫:୨; ୧୬:୪) ମଣ୍ଡଳୀରେ ଯେଉଁ ପ୍ରାଚୀନମାନେ ଥିଲେ ସେମାନେ ଭାଇଭଉଣୀମାନଙ୍କୁ ଏହି ନିଷ୍ପତ୍ତି ବିଷୟରେ ଜଣାଉଥିଲେ ଓ ସେମାନଙ୍କୁ ପରାମର୍ଶ ଦେଉଥିଲେ । (ପ୍ରେରି. ୧୪:୨୩) ଆଉ ଭାଇଭଉଣୀମାନେ ସେଗୁଡ଼ିକୁ ମାନୁଥିଲେ, ତେଣୁ “ମଣ୍ଡଳୀସମୂହ ବିଶ୍ୱାସରେ ଦୃଢ଼ୀଭୂତ ହୋଇ ଦିନକୁ ଦିନ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଲା ।”—ପ୍ରେରି. ୧୬:୫.
୨. ଯିହୋବା ୧୯୧୯ରୁ କିପରି ନିଜ ଲୋକମାନଙ୍କୁ ନିର୍ଦ୍ଦେଶ ଓ ଆଧ୍ୟାତ୍ମିକ ଭୋଜନ ଦେଉଛନ୍ତି ?
୨ ଆଜି ବି ଯିହୋବା ଏକଥାକୁ ଧ୍ୟାନ ଦିଅନ୍ତି ଯେ ତାଙ୍କ ଲୋକମାନେ ବ୍ୟବସ୍ଥିତ ଭାବରେ କାମ କରନ୍ତୁ । ୧୯୧୯ରେ ଯୀଶୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ଗୋଟିଏ ଛୋଟ ସମୂହକୁ ନିଯୁକ୍ତ କଲେ । ସେସମୟରୁ ହିଁ ଏହି ସମୂହ ପ୍ରଚାର କାମକୁ ବ୍ୟବସ୍ଥିତ ଭାବେ କରିବା ପାଇଁ ନେତୃତ୍ୱ ନେଉଛି ଏବଂ ସଠିକ୍ ସମୟରେ ଈଶ୍ୱରଙ୍କ ବାକ୍ୟରୁ ଆଧ୍ୟାତ୍ମିକ ଭୋଜନ ଦେଉଛି ।a (ଲୂକ ୧୨:୪୨) ଆମେ ନିଶ୍ଚିତ ଭାବେ କହିପାରିବା ଯେ ଏହି ସମୂହର କାମ ଉପରେ ଯିହୋବାଙ୍କ ଆଶିଷ ଅଛି ।—ଯିଶା. ୬୦:୨୨; ୬୫:୧୩, ୧୪.
୩-୪. (କ) ଉଦାହରଣ ଦେଇ ବୁଝାନ୍ତୁ ଯେ ବ୍ୟବସ୍ଥିତ ଭାବରେ କାମ କଲେ କʼଣ ଲାଭ ହୁଏ । (ଖ) ଏହି ଲେଖାରେ ଆମେ କʼଣ ଚର୍ଚ୍ଚା କରିବା ?
୩ ଯଦି ଆମେ ବ୍ୟବସ୍ଥିତ ଭାବରେ କାମ କରୁ, ତେବେ ଯୀଶୁ ଆମକୁ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ଆମେ ଭଲଭାବେ ପୂରା କରିପାରୁ । (ମାଥି. ୨୮:୧୯, ୨୦) ଭାବନ୍ତୁ, ଯଦି ଆମକୁ ପ୍ରଚାର କରିବା ପାଇଁ କୌଣସି ଅଞ୍ଚଳ ଦିଆଯାଇ ନ ଥାʼନ୍ତା, ତାହେଲେ ଆମେ ମନଇଚ୍ଛା ଯେଉଁଠି ବି ପ୍ରଚାର କରନ୍ତୁ । ଆଉ ଏପରି କଲେ ହୁଏତ କିଛି ଅଞ୍ଚଳରେ ବାରମ୍ବାର ପ୍ରଚାର ହୁଅନ୍ତା, କିନ୍ତୁ ଆଉ କିଛି ଅଞ୍ଚଳ ଛାଡ଼ି ହୋଇଯାʼନ୍ତା । ସତରେ, ବ୍ୟବସ୍ଥିତ ଭାବରେ କାମ କରିଲେ କେତେ ଲାଭ ହୁଏ ! କʼଣ ଆପଣ ଆହୁରି କିଛି ଲାଭ ବିଷୟରେ ଭାବିପାରିବେ ?
୪ ଯୀଶୁ ନିଜ ଶିଷ୍ୟମାନଙ୍କୁ ବ୍ୟବସ୍ଥିତ ଭାବରେ କାମ କରିବା ପାଇଁ ଶିଖାଇଥିଲେ । ଆଉ ଆଜି ସଂଗଠନରେ ସେହିପରି ଭାବରେ କାମ କରାଯାଉଛି । ଏହି ଲେଖାରେ ଆମେ ଜାଣିବା ଯେ ଯିହୋବାଙ୍କ ସଂଗଠନ କିପରି ସେହିଭଳି କାମ କରୁଛି, ଯେଉଁଭଳି ଯୀଶୁ କରିଥିଲେ । ଆମେ ଏହା ବି ଚର୍ଚ୍ଚା କରିବା ଯେ ଆମେ କିପରି ଦେଖାଇପାରିବା ଯେ ଆମକୁ ଯିହୋବାଙ୍କ ସଂଗଠନ ଉପରେ ପୂରା ଭରସା ଅଛି ।
ଆମ ସଂଗଠନ ତାହା ହିଁ କରେ ଯାହା ଯୀଶୁ କରିଥିଲେ
୫. ଯୀଶୁଙ୍କ ଭଳି ଆଜି ଯିହୋବାଙ୍କ ସଂଗଠନ ବି କʼଣ କରେ ? (ଯୋହନ ୮:୨୮)
୫ ଯୀଶୁ ଯାହା ବି କଲେ ଓ ଯାହା ବି କହିଲେ, ତାହା ସେ ନିଜ ପିତାଙ୍କଠାରୁ ଶିଖିଥିଲେ । ଠିକ୍ ସେହିପରି ଯିହୋବାଙ୍କ ସଂଗଠନ ଆଜି ଯାହା ବି ଶିଖାଏ ଓ ଯାହା ନିର୍ଦ୍ଦେଶ ଦିଏ, ତାହା ଈଶ୍ୱରଙ୍କ ବାକ୍ୟ ବାଇବଲରୁ ଥାଏ । (ଯୋହନ ୮:୨୮ ପଢ଼ନ୍ତୁ; ୨ ତୀମ. ୩:୧୬, ୧୭) ଆଉ ଆମକୁ ବି ବାରମ୍ବାର ଏହା ହିଁ ପ୍ରୋତ୍ସାହନ ଦିଆଯାଏ ଯେ ଆମେ ଈଶ୍ୱରଙ୍କ ବାକ୍ୟ ପଢ଼ୁ ଓ ସେଥିରେ ଦିଆଯାଇଥିବା କଥାଗୁଡ଼ିକୁ ମାନୁ । ଏପରି କଲେ ଆମକୁ କʼଣ ଲାଭ ହୁଏ ?
୬. ବାଇବଲର ଅଧ୍ୟୟନ କଲେ ଆମକୁ କʼଣ ଲାଭ ହୁଏ ?
୬ ଯେବେ ଆମେ ପ୍ରକାଶନଗୁଡ଼ିକ ସାହାଯ୍ୟରେ ବାଇବଲର ଅଧ୍ୟୟନ କରୁ, ତେବେ ଆମକୁ ବହୁତ ଲାଭ ହୁଏ । ଯେପରି, ପ୍ରକାଶନଗୁଡ଼ିକର ଅଧ୍ୟୟନ କରିବା ଦ୍ୱାରା ଆମେ ବୁଝିପାରୁ ଯେ ଯିହୋବାଙ୍କ ସଂଗଠନରୁ ଆମକୁ ଯାହା ବି ନିର୍ଦ୍ଦେଶ ବା ପରାମର୍ଶ ମିଳେ, ତାହା ବାଇବଲରୁ ଅଟେ । ଆଉ ଏଥିରୁ ସଂଗଠନ ଉପରେ ଆମର ଭରସା ଆହୁରି ବଢ଼ିଯାଏ ।—ରୋମୀ. ୧୨:୨.
୭. ଯୀଶୁ କେଉଁ ବିଷୟରେ ପ୍ରଚାର କରିଥିଲେ ? ଆଉ ଆଜି ଯିହୋବାଙ୍କ ସଂଗଠନରେ ତାଙ୍କ ଲୋକମାନେ କʼଣ କରନ୍ତି ?
୭ ଯୀଶୁ “ଈଶ୍ୱରଙ୍କ ରାଜ୍ୟର ସୁସମାଚାର” ଶୁଣାଇ ଥିଲେ । (ଲୂକ ୪:୪୩, ୪୪) ସେ ନିଜ ଶିଷ୍ୟମାନଙ୍କୁ ଆଜ୍ଞା ଦେଇଥିଲେ ଯେ ସେମାନେ ବି ରାଜ୍ୟର ସୁସମାଚାର ପ୍ରଚାର କରନ୍ତୁ । (ଲୂକ ୯:୧, ୨; ୧୦:୮, ୯) ଆଜି ଈଶ୍ୱରଙ୍କ ସଂଗଠନର ସମସ୍ତ ଲୋକମାନେ ଯେଉଁଠି ବି ରହନ୍ତୁ କିମ୍ବା ଯାହା ବି ଦାୟିତ୍ୱ ତୁଲାନ୍ତୁ ନା କାହିଁକି, ତଥାପି ସେମାନେ ସମସ୍ତେ ରାଜ୍ୟର ସୁସମାଚାର ଶୁଣାନ୍ତି ।
୮. ଆମକୁ କʼଣ କରିବାର ସମ୍ମାନ ମିଳିଛି ?
୮ ଆମ ପାଇଁ ଏହା କେତେ ସମ୍ମାନର କଥା ଯେ ଆମେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଅନ୍ୟମାନଙ୍କୁ କହୁ ! ଏହି ସୁଯୋଗ ସମସ୍ତଙ୍କୁ ମିଳେ ନାହିଁ । ମନେପକାନ୍ତୁ, ଯେବେ ଯୀଶୁ ପୃଥିବୀରେ ଥିଲେ, ସେସମୟରେ ସେ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ତାଙ୍କ ବିଷୟରେ କହିବା ପାଇଁ ଦେଲେ ନାହିଁ । (ଲୂକ ୪:୪୧) ଆଜି ବି ଯଦି କେହି ଈଶ୍ୱରଙ୍କ ଲୋକମାନଙ୍କ ସହିତ ପ୍ରଚାର କରିବା ପାଇଁ ଚାହେଁ, ତାହେଲେ ତାକୁ ବି ସବୁଠୁ ପ୍ରଥମେ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଜୀବନ ବିତାଇବାକୁ ପଡ଼ିବ । ଆମେ କିପରି ଦେଖାଇପାରିବା ଯେ ଆମକୁ ପ୍ରଚାର କରିବା ପାଇଁ ଯେଉଁ ସମ୍ମାନ ମିଳିଛି, ତାʼପାଇଁ ଆମେ ବହୁତ କୃତଜ୍ଞ ? ଆମକୁ ଯେବେ ବି ଓ ଯେଉଁଠାରେ ବି ସୁଯୋଗ ମିଳେ, ଆମେ ଲୋକମାନଙ୍କୁ ଖୁସିଖବର ଶୁଣାଇବା । ଯୀଶୁଙ୍କ ଭଳି ଆମେ ବି ଲୋକମାନଙ୍କ ହୃଦୟରେ ସତ୍ୟର ବୀଜ ବୁଣିବା ପାଇଁ ଆଉ ତାହାକୁ ବୃଦ୍ଧି ସାଧନ କରିବା ପାଇଁ ଚାହୁଁ ।—ମାଥି. ୧୩:୩, ୨୩; ୧ କରି. ୩:୬.
୯. ଲୋକମାନଙ୍କୁ ଈଶ୍ୱରଙ୍କ ନାମ ଜଣାଇବା ପାଇଁ ଯିହୋବାଙ୍କ ସଂଗଠନ କʼଣ କରିଛି ?
୯ ଯୀଶୁ ଲୋକମାନଙ୍କୁ ଈଶ୍ୱରଙ୍କ ନାମ ବିଷୟରେ କହିଲେ । ନିଜ ପିତାଙ୍କୁ ପ୍ରାର୍ଥନା କଲା ବେଳେ ସେ କହିଲେ, “ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି ।” (ଯୋହ. ୧୭:୨୬) ଯୀଶୁଙ୍କ ଭଳି ଯିହୋବାଙ୍କ ସଂଗଠନ ବି ଈଶ୍ୱରଙ୍କ ନାମ ଅନ୍ୟମାନଙ୍କୁ କହିବା ପାଇଁ ପୂରାପୂରି ଚେଷ୍ଟା କରେ । ଯେପରି, ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦ ବାଇବଲରେ ଯିହୋବାଙ୍କ ନାମ ସେହି ସବୁ ଜାଗାରେ ପୁଣିଥରେ ଦିଆଗଲା, ଯେଉଁଠି ତାହା ହେବା ଉଚିତ୍ । ଆଜି ନୂତନ ଜଗତ ଅନୁବାଦ ବାଇବଲ ବା ଏହାର କିଛି ବହିଗୁଡ଼ିକ ୨୭୦ରୁ ବି ଅଧିକ ଭାଷାରେ ଉପଲବ୍ଧ ଅଛି । ଏହି ବାଇବଲର ଅତିରିକ୍ତ ଲେଖା “କ୪” ଓ “କ୫ରେ” କୁହାଯାଇଛି ଯେ ଈଶ୍ୱରଙ୍କ ନାମ କାହିଁକି ପୁଣିଥରେ ସେହି ଜାଗାଗୁଡ଼ିକରେ ଦିଆଗଲା ଯେଉଁଠି ଏହା ହେବା ଉଚିତ୍ । ଇଂରାଜୀ ବାଇବଲର ଅଧ୍ୟୟନ ବାଇବଲରେ ଅତିରିକ୍ତ ଲେଖା “ଗରେ” ଏବିଷୟରେ ଅନେକ ପ୍ରମାଣ ରହିଛି ଯେ ଖ୍ରୀଷ୍ଟିୟାନ ଗ୍ରୀକ୍ ଶାସ୍ତ୍ରରେ ଈଶ୍ୱରଙ୍କ ନାମ ୨୩୭ ଜାଗାରେ ରହିବା ଉଚିତ୍ ।
୧୦. ମ୍ୟାନମାରରେ ରହୁଥିବା ସ୍ତ୍ରୀଙ୍କଠାରୁ ଆପଣ କʼଣ ଶିଖିଲେ ?
୧୦ ଯୀଶୁଙ୍କ ଭଳି ଆଜି ଆମେ ବି ଅଧିକରୁ ଅଧିକ ଲୋକମାନଙ୍କୁ ଈଶ୍ୱରଙ୍କ ନାମ ଜଣାଇବା ପାଇଁ ଚାହୁଁ । ମ୍ୟାନମାରରେ ୬୭ ବୟସର ଜଣେ ସ୍ତ୍ରୀଲୋକ ଯେବେ ଈଶ୍ୱରଙ୍କ ନାମ ଶୁଣିଲେ, ତେବେ ସେ କାନ୍ଦି ପକାଇଲେ । ସେ କହିଲେ, “ମୁଁ ମୋ ଜୀବନରେ ପ୍ରଥମ ଥର ଶୁଣିଲି ଯେ ଈଶ୍ୱରଙ୍କ ନାମ ଯିହୋବା ଅଟେ । . . . ସତରେ, ଆପଣ ମୋତେ ସବୁଠାରୁ ଜରୁରୀ କଥା ଶିଖାଇଲେ ।” ଏହି ଅନୁଭୂତିରୁ ଜଣାପଡ଼େ ଯେ ଯେବେ ଆମେ ଭଲ ମନ ରଖୁଥିବା ଲୋକମାନଙ୍କୁ ଈଶ୍ୱରଙ୍କ ନାମ ଜଣାଉ, ତେବେ ତାଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡ଼େ ।
ସଂଗଠନ ଉପରେ କେବେ ବି ଭରସା କରିବା ଛାଡ଼ନ୍ତୁ ନାହିଁ
୧୧. ପ୍ରାଚୀନମାନେ କିପରି ଦେଖାନ୍ତି ଯେ ସେମାନେ ଯିହୋବାଙ୍କ ସଂଗଠନ ଉପରେ ପୂରା ଭରସା କରନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୧ ପ୍ରାଚୀନମାନେ କିପରି ଦେଖାଇପାରିବେ ଯେ ସେମାନେ ଈଶ୍ୱରଙ୍କ ସଂଗଠନ ଉପରେ ପୂରା ଭରସା କରନ୍ତି ? ଗୋଟିଏ ଉପାୟ ହେଉଛି, ଯେବେ ସଂଗଠନ କୌଣସି ନିର୍ଦ୍ଦେଶ ଦିଏ, ତେବେ ସେମାନେ ଧ୍ୟାନର ସହ ତାକୁ ପଢ଼ନ୍ତି ଓ ସେ ଅନୁସାରେ କାମ କରିବା ପାଇଁ ପୂରା ଚେଷ୍ଟା କରନ୍ତି । ଉଦାହରଣ ପାଇଁ, ପ୍ରାଚୀନମାନଙ୍କୁ ସଭା କିପରି ଚଳାଇବାର ଅଛି, ମଣ୍ଡଳୀ ତରଫରୁ ପ୍ରାର୍ଥନା କିପରି କରିବାର ଅଛି, ତାʼ ସହିତ ସେମାନଙ୍କୁ ଏହା ବି କୁହାଯାଏ ଯେ ସେମାନେ ଖ୍ରୀଷ୍ଟଙ୍କ ମେଷମାନଙ୍କର କିପରି ଯତ୍ନ ନେଇପାରିବେ । ଯେବେ ପ୍ରାଚୀନମାନେ ସଂଗଠନ ତରଫରୁ ମିଳିଥିବା ନିର୍ଦ୍ଦେଶକୁ ମାନନ୍ତି, ତେବେ ଭାଇଭଉଣୀମାନେ ଯିହୋବାଙ୍କ ପ୍ରେମକୁ ଅନୁଭବ କରିପାରନ୍ତି ଓ ନିଜକୁ ସୁରକ୍ଷିତ ମନେକରନ୍ତି ।
ଯିହୋବାଙ୍କ ସଂଗଠନ ଉପରେ ଭରସା କରିବା ପାଇଁ ଓ ସଂଗଠନ ଯାହା ନିର୍ଦ୍ଦେଶ ଦିଏ ତାକୁ ମାନିବା ପାଇଁ, ପ୍ରାଚୀନମାନେ ଆମକୁ ସାହାଯ୍ୟ କରନ୍ତି (ପାରାଗ୍ରାଫ ୧୧)b
୧୨. (କ) ଯେଉଁମାନେ ଆମର ନେତୃତ୍ୱ ନିଅନ୍ତି ଆମକୁ କାହିଁକି ସେମାନଙ୍କୁ ସହଯୋଗ କରିବା ଉଚିତ୍ ? (ଏବ୍ରୀ ୧୩:୭, ୧୭) (ଖ) ଯେଉଁ ଭାଇମାନେ ଆମର ନେତୃତ୍ୱ ନିଅନ୍ତି ଆମକୁ କାହିଁକି ତାଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍ ?
୧୨ ଯେବେ ଆମକୁ ପ୍ରାଚୀନମାନଙ୍କଠାରୁ କୌଣସି ନିର୍ଦ୍ଦେଶ ମିଳେ, ତେବେ ଆମକୁ ଖୁସିର ସହ ତାହା ମାନିବା ଉଚିତ୍ । ଯଦି ଆମେ ଏପରି କରିବା, ତାହେଲେ ସେମାନଙ୍କୁ ନିଜ ଦାୟିତ୍ୱ ତୁଲାଇବା ଆହୁରି ସହଜ ହୋଇଯିବ । ବାଇବଲରେ ବି କୁହାଯାଇଛି ଯେ ଆମକୁ ନେତୃତ୍ୱ ନେଉଥିବା ଭାଇମାନଙ୍କ ଆଜ୍ଞା ମାନିବା ଉଚିତ୍ ଓ ତାଙ୍କ ଅଧୀନରେ ରହିବା ଉଚିତ୍ । (ଏବ୍ରୀ ୧୩:୭, ୧୭ ପଢ଼ନ୍ତୁ ।) କିନ୍ତୁ ବେଳେବେଳେ ଆମ ପାଇଁ ଏପରି କରିବା କଠିନ ଲାଗିପାରେ, କାରଣ ପ୍ରାଚୀନମାନେ ବି ଆମ ଭଳି ଅପରିପୂର୍ଣ୍ଣ ଅଟନ୍ତି ଓ ତାଙ୍କ ଦ୍ୱାରା ବି ଭୁଲ ହୋଇଯାଏ । ଯଦି ଆମେ ତାଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ତାଙ୍କ ଭୁଲଗୁଡ଼ିକ ଉପରେ ଧ୍ୟାନ ଦେବା, ତାହେଲେ ତାଙ୍କ କଥା ମାନିବା ଆମ ପାଇଁ ଭାରି କଷ୍ଟ ହେବ । ଆଉ ଏହା ଏପରି ହେବ ଯେପରି ଆମେ ନିଜ ଶତ୍ରୁମାନଙ୍କୁ ସାହାଯ୍ୟ କରୁଛୁ । ଆମେ ଏପରି କାହିଁକି କହିପାରିବା ? କାରଣ ଯଦି ଆମେ ପ୍ରାଚୀନମାନଙ୍କ ଭୁଲଗୁଡ଼ିକୁ ଧ୍ୟାନ ଦେଉଥିବା, ତାହେଲେ ଆମେ ଯିହୋବାଙ୍କ ସଂଗଠନକୁ ବି ଭୁଲ ଭାବିବା । ଧୀରେ ଧୀରେ ସଂଗଠନ ଉପରୁ ଆମର ଭରସା ଉଠିଯାଇପାରେ । ଆମ ଶତ୍ରୁମାନେ ଏହା ହିଁ ଚାହାନ୍ତି । ତାହେଲେ ଆମେ ନିଜ ଶତ୍ରୁମାନଙ୍କର ଫାନ୍ଦଗୁଡ଼ିକୁ କିପରି ଚିହ୍ନିପାରିବା ଓ ସେଥିରୁ କିପରି ଦୂରେଇ ରହିପାରିବା ?
ନିଜ ଭରସା କମ୍ ହେବାକୁ ଦିଅନ୍ତୁ ନାହିଁ
୧୩. ଆମ ବିରୋଧୀ କିପରି ଆମ ସଂଗଠନକୁ ବଦନାମ କରନ୍ତି ?
୧୩ ବିରୋଧୀମାନେ ଆମ ସଂଗଠନର ଭଲ କଥାଗୁଡ଼ିକୁ ଭୁଲ ବୋଲି କହନ୍ତି । ବାଇବଲରେ କୁହାଯାଇଛି ଯେ ଯିହୋବା ନିଜ ସେବକମାନଙ୍କଠାରୁ ଏହା ଆଶା କରନ୍ତି ଯେ ସେମାନେ ସଫାସୁତୁରା ରହନ୍ତୁ, ନିଜ ଚାଲିଚଳନ ଶୁଦ୍ଧ ରଖନ୍ତୁ ଏବଂ ସେ ଯେପରି ଚାହାନ୍ତି ସେପରି ଉପାସନା କରନ୍ତୁ । ବାଇବଲରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ଖରାପ କାମ କରୁଥାଏ ଓ ଅନୁତାପ କରେ ନାହିଁ, ତାକୁ ମଣ୍ଡଳୀରୁ ବାହାର କରିଦିଆଯାଉ । (୧ କରି. ୫:୧୧-୧୩; ୬:୯, ୧୦) ଆମେ ବାଇବଲର ଏହି କଥାଗୁଡ଼ିକୁ ମାନୁ । ଏହି କାରଣ ଯୋଗୁଁ ଆମ ବିରୋଧୀମାନେ ଆମକୁ ଦୋଷ ଦିଅନ୍ତି ଯେ ଆମେ ଅନ୍ୟମାନଙ୍କ ବିଷୟରେ ଭୁଲ ଭାବୁ ଓ ଲୋକମାନଙ୍କୁ ପ୍ରେମ କରି ନ ଥାଉ ।
୧୪. ପ୍ରକୃତରେ ଆମ ସଂଗଠନ ବିଷୟରେ ମିଛ କଥା କିଏ ପ୍ରସାରିତ କରେ ?
୧୪ ଆମ ଶତ୍ରୁ କିଏ, ତାହା ଚିହ୍ନନ୍ତୁ । ଶୟତାନ ଅନେକ ମିଛ କଥା ପ୍ରସାରିତ କରେ । ଯେପରି ବାଇବଲରେ ବି ତାକୁ କୁହାଯାଇଛି ଯେ ସେ “ମିଥ୍ୟାବାଦୀର ପିତା” ଅଟେ । (ଯୋହ. ୮:୪୪; ଆଦି. ୩:୧-୫) ତେଣୁ ଯେବେ ସେ ନିଜ ଲୋକମାନଙ୍କ ଜରିଆରେ ଆମ ସଂଗଠନ ବିଷୟରେ କିଛି ମିଛ କଥା ପ୍ରସାରିତ କରେ, ତେବେ ଆମେ ଆଶ୍ଚର୍ଯ୍ୟ ହୋଇ ନ ଥାଉ । ସେ ପ୍ରଥମ ଶତାବ୍ଦୀରେ ବି ଏପରି ହିଁ କରିଥିଲା ।
୧୫. ଧର୍ମଗୁରୁମାନେ କିପରି ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କ ବିଷୟରେ ମିଛ କଥାଗୁଡ଼ିକ ପ୍ରସାରିତ କଲେ ?
୧୫ ପ୍ରଥମ ଶତାବ୍ଦୀରେ ଶୟତାନ ନିଜ ଲୋକମାନଙ୍କ ଜରିଆରେ ଈଶ୍ୱରଙ୍କ ପୁତ୍ର ବିଷୟରେ ଗୋଟେ ପରେ ଗୋଟେ ମିଛ କଥା ପ୍ରସାରିତ କଲା । ଯୀଶୁ ପରିପୂର୍ଣ୍ଣ ଥିଲେ ଏବଂ ସେ ଈଶ୍ୱରଙ୍କ ଶକ୍ତିରୁ ହିଁ ବଡ଼ ବଡ଼ ଚମତ୍କାର କଲେ । କିନ୍ତୁ ଧର୍ମଗୁରୁମାନେ ଏହି ମିଛ କଥା ପ୍ରସାରିତ କଲେ ଯେ ଯୀଶୁ “ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ରାଜାଙ୍କ” ସାହାଯ୍ୟରୁ ଲୋକମାନଙ୍କ ଭିତରେ ଥିବା ଦୁଷ୍ଟ ସ୍ୱର୍ଗଦୂତ ବାହାର କରୁଛନ୍ତି । (ମାର୍କ ୩:୨୨, NWT) ଯେବେ ଯୀଶୁଙ୍କ ମକଦ୍ଦମା ଚାଲୁଥିଲା, ତେବେ ଧର୍ମଗୁରୁମାନେ ତାଙ୍କ ଉପରେ ଈଶ୍ୱରଙ୍କର ନିନ୍ଦା କରିବାର ଆରୋପ ଲଗାଇଲେ । ତାʼସହ ସେମାନେ ଯୀଶୁଙ୍କୁ ମାରିଦେବା ପାଇଁ ଭିଡ଼କୁ ଉତ୍ତେଜିତ କଲେ । (ମାଥି. ୨୭:୨୦) ଆଗକୁ ଯାଇ ଯେବେ ଯୀଶୁଙ୍କ ଶିଷ୍ୟମାନେ ଖୁସିର ଖବର ପ୍ରଚାର କଲେ, ତେବେ ବିରୋଧୀମାନେ “ବିଜାତିମାନଙ୍କର ମନକୁ ଉତ୍ତେଜିତ କରି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଦେଲେ,” ଯାହାଦ୍ୱାରା ସେମାନେ ଭାଇମାନଙ୍କ ଉପରେ ଅତ୍ୟାଚାର କରନ୍ତୁ । (ପ୍ରେରି. ୧୪:୨, ୧୯) ଏବିଷୟରେ ୧ ଡିସେମ୍ବର, ୧୯୯୮ର ପ୍ରହରୀଦୁର୍ଗରେ କୁହାଯାଇଥିଲା, ‘ଯିହୁଦୀମାନେ ତ ସନ୍ଦେଶକୁ ଶୁଣିଲେ ନାହିଁ, ତାʼ ସହିତ ସେମାନେ ଅଣଯିହୁଦୀମାନଙ୍କୁ ଖ୍ରୀଷ୍ଟିୟାନମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା ପାଇଁ ଉତ୍ତେଜିତ କଲେ ।’
୧୬. ଯଦି ଆମେ ସଂଗଠନ କିମ୍ବା ଭାଇମାନଙ୍କ ବିଷୟରେ କୌଣସି ମିଛ କଥା ଶୁଣୁ, ତେବେ ଆମକୁ କʼଣ ମନେରଖିବା ଉଚିତ୍ ?
୧୬ ଶୟତାନ ଆଜି ବି ମିଛ କଥାଗୁଡ଼ିକ ପ୍ରସାରିତ କରୁଛି । ବାଇବଲରେ ଲେଖାଅଛି ଯେ ସେ “ସାରା ପୃଥିବୀକୁ ଭ୍ରାନ୍ତ କରେ ।” (ପ୍ରକା.୧୨:୯, NWT) ତେଣୁ ଯଦି ଆପଣ ସଂଗଠନ କିମ୍ବା ନେତୃତ୍ୱ ନେଉଥିବା ଭାଇମାନଙ୍କ ବିଷୟରେ କୌଣସି ମିଛ କଥା ଶୁଣନ୍ତି, ତେବେ ମନେରଖନ୍ତୁ ଯେ ପ୍ରଥମ ଶତାବ୍ଦୀରେ ବି ବିରୋଧୀମାନେ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କ ବିଷୟରେ ମିଛ କଥାଗୁଡ଼ିକ କହିଥିଲେ । ଆଉ ବାଇବଲରେ ପୂର୍ବରୁ ହିଁ କୁହାଯାଇଥିଲା ଯେ ଯିହୋବାଙ୍କ ଲୋକମାନଙ୍କ ଉପରେ ଅତ୍ୟାଚାର କରାଯିବ ଏବଂ ସେମାନଙ୍କ ବିଷୟରେ ଅନେକଗୁଡ଼ିଏ ମିଛ କଥା କୁହାଯିବ । (ମାଥି. ୫:୧୧, ୧୨) ଯଦି ଆମେ ସେହି ମିଛ କାହାଣୀ ଓ କଥାଗୁଡ଼ିକରୁ ଭ୍ରାନ୍ତ ହେବା ପାଇଁ ଚାହୁଁ ନାହୁଁ, ତେବେ ଆମକୁ ମନେ ରଖିବାକୁ ପଡ଼ିବ ଯେ ଆମ ଶତ୍ରୁ କିଏ ଅଟେ ଆଉ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ । କିନ୍ତୁ ଆମେ କʼଣ ପଦକ୍ଷେପ ନେବା ?
୧୭. ଯଦି ଆମେ ମିଛ କଥାଗୁଡ଼ିକରେ ପଡ଼ିବା ପାଇଁ ଚାହୁଁ ନାହୁଁ, ତେବେ ଆମକୁ କʼଣ କରିବାକୁ ପଡ଼ିବ ? (୨ ତୀମଥି ୧:୧୩) (“ଯେବେ ମିଛ କାହାଣୀଗୁଡ଼ିକୁ ଶୁଣୁ, ତେବେ କʼଣ କରିବା ଉଚିତ୍ ?” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)
୧୭ ମିଛ କାହାଣୀଗୁଡ଼ିକୁ ପରିତ୍ୟାଗ କରନ୍ତୁ । ପ୍ରେରିତ ପାଉଲ ସ୍ପଷ୍ଟ ଭାବେ କହିଲେ ଯେ ଯେତେବେଳେ ଆମେ ମିଛ କାହାଣୀଗୁଡ଼ିକ ଶୁଣୁ, ସେସମୟରେ ଆମକୁ କʼଣ କରିବା ଉଚିତ୍ । ସେ ତୀମଥିଙ୍କୁ କହିଲେ ଯେ ସେ କେତେକ ଲୋକଙ୍କୁ ଆଜ୍ଞା ଦିଅନ୍ତୁ ଯେ ସେମାନେ ‘ଭିନ୍ନ ଶିକ୍ଷା ନ ଦିଅନ୍ତୁ’ ଏବଂ ଈଶ୍ୱରଙ୍କ ନିନ୍ଦା କରୁଥିବା “ଅସାର କାହାଣୀସବୁ” ପରିତ୍ୟାଗ କରନ୍ତୁ । (୧ ତୀମ. ୧:୩, ୪; ୪:୭) ଏବିଷୟରେ ଭାବନ୍ତୁ, ଜଣେ ଛୋଟ ପିଲା ତଳେ ପଡ଼ିଥିବା କୌଣସି ଜିନିଷକୁ ବି ଖାଇଦିଏ, କିନ୍ତୁ ଜଣେ ବଡ଼ ଲୋକ କେବେ ବି ଏପରି କରେନି । କାରଣ ତାଙ୍କୁ ଜଣାଅଛି ଯେ ଏପରି କରିବା କ୍ଷତିକାରକ ଅଟେ । ଆମେ ବି ଜାଣୁ ଯେ ମିଛ ଶିକ୍ଷାଗୁଡ଼ିକ ବିପଦପୂର୍ଣ୍ଣ ଅଟେ ଏବଂ ଏହି ଶିକ୍ଷାଗୁଡ଼ିକୁ କିଏ ପ୍ରସାରିତ କରୁଛି । ତେଣୁ ଆମେ ଏଗୁଡ଼ିକୁ ପରିତ୍ୟାଗ କରୁ ଏବଂ “ହିତଜନକ” ଅର୍ଥାତ୍ ସତ୍ୟ ଶିକ୍ଷାଗୁଡ଼ିକୁ ଧ୍ୟାନ ଦେଉ ।—୨ ତୀମଥି ୧:୧୩ ପଢ଼ନ୍ତୁ ।
୧୮. ଆମେ କିପରି ଦେଖାଇପାରିବା ଯେ ଆମକୁ ଯିହୋବାଙ୍କ ସଂଗଠନ ଉପରେ ପୂରା ଭରସା ଅଛି ?
୧୮ ଏହି ଲେଖାରେ ଆମେ କେବଳ ତିନୋଟି କଥା ଉପରେ ଧ୍ୟାନ ଦେଲୁ ଯେ କିପରି ଆମ ସଂଗଠନ ତାହା ହିଁ କରେ ଯାହା ଯୀଶୁ କରିଥିଲେ । କିନ୍ତୁ ଏପରି ଆହୁରି ଅନେକ କଥା ରହିଛି । ତେଣୁ ବାଇବଲ ଅଧ୍ୟୟନ କରିବା ସମୟରେ ସେହି କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । ତାʼ ବ୍ୟତୀତ ଯିହୋବାଙ୍କ ସଂଗଠନ ଉପରେ ଭରସା ବଢ଼ାଇବା ପାଇଁ ଭାଇଭଉଣୀମାନଙ୍କର ସାହାଯ୍ୟ କରନ୍ତୁ, ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ ଏବଂ ତାଙ୍କ ସଂଗଠନକୁ ପୂରା ସହଯୋଗ କରନ୍ତୁ । ଏପରି କରି ଦେଖାନ୍ତୁ ଯେ ଆପଣଙ୍କୁ ଯିହୋବାଙ୍କ ସଂଗଠନ ଉପରେ ପୂରା ଭରସା ଅଛି, ଯାହା ଜରିଆରେ ଯିହୋବା ନିଜ ଇଚ୍ଛା ପୂରା କରୁଛନ୍ତି । (ଗୀତ. ୩୭:୨୮) ଆସନ୍ତୁ ଆମେ ସବୁବେଳେ ଏକଥା ପାଇଁ କୃତଜ୍ଞ ରହିବା ଯେ ଆମେ ଯିହୋବାଙ୍କ ଲୋକମାନଙ୍କ ସହିତ ମିଶି ତାଙ୍କର ସେବା କରୁଛୁ ଏବଂ ଆମେ ସମସ୍ତେ ତାଙ୍କୁ ପ୍ରେମ କରୁ ଓ ତାଙ୍କ ବିଶ୍ୱସ୍ତ ରହୁ ।
ଆପଣ କʼଣ ଉତ୍ତର ଦେବେ ?
ଆମେ କାହିଁକି କହିପାରିବା ଯେ ଆଜି ଯିହୋବାଙ୍କ ସଂଗଠନ ତାହା ହିଁ କରୁଛି ଯାହା ଯୀଶୁ କରିଥିଲେ ?
ଆମେ ଆଜି ଓ ଆଗକୁ ବି କିପରି ଦେଖାଇପାରିବା ଯେ ଆମକୁ ଯିହୋବାଙ୍କ ସଂଗଠନ ଉପରେ ପୂରା ଭରସା ଅଛି ?
ଯେବେ ଆମେ କୌଣସି ମିଛ କାହାଣୀ ଶୁଣୁ, ତେବେ ଆମକୁ କʼଣ କରିବା ଉଚିତ୍ ?
ଗୀତ ୧୦୩ “ଆଦମିୟୋଁ କେ ରୂପ ମେଁ ତୌଫେ”
a ସାରି ଧରତି ପର୍ ୟହୋୱା କି ଶୁଦ୍ଧ ଉପାସନା ବାହାଲ ! (ହିନ୍ଦୀ) ବହିର ପୃଷ୍ଠା ୧୦୨-୧୦୩ରେ ଦିଆଯାଇଥିବା ବକ୍ସ “୧୯୧୯ ହି କ୍ୟୁ?” ପଢ଼ନ୍ତୁ ।
b ଚିତ୍ର ବିଷୟରେ: ପ୍ରାଚୀନ ସର୍ବସାଧାରଣ ଜାଗାରେ ସାକ୍ଷ୍ୟ ଦେବା ବିଷୟରେ ସଂଗଠନରୁ ଯେଉଁ ନିର୍ଦ୍ଦେଶ ମିଳିଛି, ତାʼ ଉପରେ ଚର୍ଚ୍ଚା କରୁଛନ୍ତି । ଜଣେ ସମୂହ ଅଧ୍ୟକ୍ଷ ପ୍ରଚାରକଙ୍କୁ କହୁଛନ୍ତି ଯେ କାର୍ଟ ଲଗାଇ ସାକ୍ଷ୍ୟ ଦେବା ସମୟରେ ସେମାନଙ୍କୁ କାନ୍ଥ ଆଡ଼େ ପିଠି କରି ଛିଡ଼ା ହେବା ଉଚିତ୍ ।