ଅଧ୍ୟୟନ ଲେଖା ୨୬
ଗୀତ ୧୨୩ ଯିହୋବାଙ୍କ ଶାସନର ଆମେ ଅଧୀନ
ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
“ସର୍ବଶକ୍ତିମାନ ! ଆମ୍ଭେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇ ନ ପାରୁ ।”—ଆୟୁ. ୩୭:୨୩.
କʼଣ ଶିଖିବା ?
ବେଳେବେଳେ ଆମେ ଏହାଭାବି ଚିନ୍ତିତ ହୋଇଯାଉ ଯେ ଜଣାନାହିଁ ଆଗକୁ କʼଣ ହେବ । ଏପରି ସମୟରେ ଯଦି ଆମେ ଯିହୋବାଙ୍କ ଉପରେ ଭରସା ରଖିବା ଓ ସେହି କଥାଗୁଡ଼ିକ ଉପରେ ଧ୍ୟାନ ଦେବା ଯାହା ଆମକୁ ଜଣାଅଛି ଏବଂ ନମ୍ର ରହି ଏହା ସ୍ୱୀକାର କରିବା ଯେ କିଛି କଥା ଆମକୁ ଜଣାନାହିଁ, ତେବେ ଆମେ ନିଜ ସମସ୍ୟାଗୁଡ଼ିକର ସାମନା କରିପାରିବା ।
୧. ଯିହୋବା ଆମକୁ କେଉଁ ଦକ୍ଷତାଗୁଡ଼ିକ ଦେଇଛନ୍ତି ଏବଂ କାହିଁକି ?
ଯିହୋବା ଆମକୁ ଅଦ୍ଭୁତ ଦକ୍ଷତା ଦେଇ ସୃଷ୍ଟି କରିଛନ୍ତି । ଯେପରି, ଆମେ ଭାବିପାରୁ, ନୂଆ ନୂଆ କଥା ଶିଖିପାରୁ ଏବଂ ତାହା ଅନୁସାରେ କାମ କରିପାରୁ । କିନ୍ତୁ ଯିହୋବା ଆମକୁ ଏପରି ଦକ୍ଷତା କାହିଁକି ଦେଇଛନ୍ତି ? କାରଣ ସେ ଚାହାନ୍ତି ଯେ ଆମେ ‘ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଉ’ ଓ ଭାବିଚିନ୍ତି କାମ କରିବାର ଦକ୍ଷତା ବ୍ୟବହାର କରି ତାଙ୍କର ସେବା କରୁ ।—ହିତୋ. ୨:୧-୫; ରୋମୀ. ୧୨:୧.
୨. (କ) ଆମର କʼଣ ସୀମା ରହିଛି ? (ଆୟୁବ ୩୭:୨୩, ୨୪) (ଚିତ୍ର ମଧ୍ୟ ଦେଖନ୍ତୁ ।) (ଖ) ଯଦି ଆମେ ଏହା ସ୍ୱୀକାର କରିବା ଯେ ଆମକୁ ସବୁକିଛି ଜଣାନାହିଁ, ତେବେ ସେଥିରୁ କʼଣ ଲାଭ ହେବ ?
୨ ଏହା ସତ ଯେ ଯିହୋବା ଆମକୁ ନୂଆ ନୂଆ କଥା ଶିଖିବାର ଦକ୍ଷତା ଦେଇ ସୃଷ୍ଟି କରିଛନ୍ତି, କିନ୍ତୁ ଆମର କିଛି ସୀମା ରହିଛି । ସେଥିପାଇଁ ଆମକୁ ସବୁକିଛି ଜଣାନାହିଁ । (ଆୟୁବ ୩୭:୨୩, ୨୪ ପଢ଼ନ୍ତୁ ।) ଆୟୁବଙ୍କ ବିଷୟରେ ଭାବନ୍ତୁ । ଯେବେ ଯିହୋବା ଆୟୁବଙ୍କୁ ଅନେକ ପ୍ରଶ୍ନ ପଚାରିଲେ, ତେବେ ଆୟୁବ ବୁଝିପାରିଲେ ଯେ ଏପରି ଅନେକ କଥା ଅଛି ଯାହା ସେ ଜାଣି ନାହାନ୍ତି । ଯିହୋବାଙ୍କ ସହ ଏହି କଥାବାର୍ତ୍ତା ଆୟୁବଙ୍କୁ ନମ୍ର ରହିବା ଓ ନିଜ ଚିନ୍ତାଧାରାକୁ ବଦଳାଇବା ପାଇଁ ସାହାଯ୍ୟ କଲା । (ଆୟୁ. ୪୨:୩-୬) ଆୟୁବଙ୍କ ଭଳି ଯଦି ଆମେ ବି ଏହା ସ୍ୱୀକାର କରୁ ଯେ ଆମକୁ ସବୁକିଛି ଜଣାନାହିଁ, ତେବେ ଆମକୁ ହିଁ ଲାଭ ହେବ । ଯେପରି, ଆମେ ଯିହୋବାଙ୍କ ଉପରେ ଭରସା କରିବା ଶିଖିବା ଏବଂ ଆମକୁ ପୂରା ଭରସା ଥିବ ଯେ ସଠିକ୍ ନିଷ୍ପତ୍ତି ନେବା ପାଇଁ ଆମକୁ ଯାହା ଜାଣିବା ଜରୁରୀ, ଯିହୋବା ଆମକୁ ତାହା ଜଣାଇବେ ।—ହିତୋ. ୨:୬.
ଆୟୁବଙ୍କ ଭଳି ଯଦି ଆମେ ଏହା ସ୍ୱୀକାର କରୁ ଯେ ଆମକୁ କିଛି କଥା ଜଣାନାହିଁ, ତେବେ ଆମକୁ ହିଁ ଲାଭ ହେବ (ପାରାଗ୍ରାଫ ୨)
୩. ଏହି ଲେଖାରେ ଆମେ କେଉଁ କଥାଗୁଡ଼ିକ ଉପରେ ଚର୍ଚ୍ଚା କରିବା ?
୩ ଏହି ଲେଖାରେ ଆମେ ଚର୍ଚ୍ଚା କରିବା ଯେ କେଉଁ କଥାଗୁଡ଼ିକ ଆମକୁ ଜଣାନାହିଁ ଏବଂ ଏହାଯୋଗୁଁ ଆମକୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ । ଆମେ ଏହା ବି ଜାଣିବା ଯେ ଆମ ପାଇଁ କାହିଁକି ଭଲ ଯେ ଆମେ କିଛି କଥାଗୁଡ଼ିକୁ ଜାଣିନାହୁଁ । ଏହି କଥାଗୁଡ଼ିକ ଉପରେ ଚର୍ଚ୍ଚା କରିବା ଦ୍ୱାରା ‘ପରମଜ୍ଞାନୀ’ ଯିହୋବାଙ୍କ ଉପରେ ଆମର ଭରସା ବଢ଼ିବ । ଆମକୁ ଏହି କଥାର ଭରସା ହୋଇଯିବ ଯେ ଆମ ପାଇଁ ଯାହା ଜାଣିବା ଜରୁରୀ, ଯିହୋବା ଆମକୁ ତାହା ନିଶ୍ଚୟ ଜଣାଇବେ ।—ଆୟୁ. ୩୭:୧୬.
ଯୁଗାନ୍ତ କେବେ ଆସିବ, ତାହା ଆମେ ଜାଣିନାହୁଁ
୪. ମାଥିଉ ୨୪:୩୬ ପଦ ଅନୁସାରେ ଆମେ କʼଣ ଜାଣିନାହୁଁ ?
୪ ମାଥିଉ ୨୪:୩୬ ପଢ଼ନ୍ତୁ । ଆମେ ଜାଣିନାହୁଁ ଯେ ଯୁଗାନ୍ତ କେବେ ଆସିବ । ଯୀଶୁ ବି ପୃଥିବୀରେ ଥିବା ସମୟରେ ‘ସେହି ଦିନ ଓ ଦଣ୍ଡ ବିଷୟରେ’ ଜାଣି ନ ଥିଲେ ।a ଆଗକୁ ଯାଇ ସେ ନିଜର ପ୍ରେରିତମାନଙ୍କୁ କହିଲେ ଯେ କିଛି ଘଟଣା କେବେ ଘଟିବ, ତାହାର ନିଷ୍ପତ୍ତି ନେବା ଯିହୋବାଙ୍କ “ଅଧୀନରେ” ଅଛି ଓ ଆମେ ଜାଣିଛୁ ଯେ ଯିହୋବା ସବୁକିଛି ଠିକ୍ ସମୟରେ କରିବେ । (ପ୍ରେରି. ୧:୬, ୭) ଯିହୋବା ଆଗରୁ ହିଁ ଭାବି ରଖିଛନ୍ତି ଯେ ଯୁଗାନ୍ତ କେବେ ଆସିବ । କିନ୍ତୁ ଆମେ ଜାଣିନାହୁଁ ଯେ ଏହା ଠିକ୍ କେବେ ଆସିବ ।
୫. ଯୁଗାନ୍ତ ଠିକ୍ କେବେ ଆସିବ, ଏହା ନ ଜାଣିବା ଯୋଗୁଁ ଆମ ସହ କʼଣ ହୋଇପାରେ ?
୫ ଆମେ ଜାଣିନାହୁଁ ଯେ ଯୁଗାନ୍ତ ଠିକ୍ କେବେ ଆସିବ । ସେଥିପାଇଁ ଯିହୋବାଙ୍କ ଦିନକୁ ଅପେକ୍ଷା କରିବା ଆମ ପାଇଁ କଠିନ ହୋଇପାରେ । ଯଦି ଆମେ ଲମ୍ବା ସମୟରୁ ଯିହୋବାଙ୍କର ସେବା କରୁଛୁ, ତାହେଲେ ହୁଏତ ଆମେ ନିରାଶ ହୋଇଯିବା କିମ୍ବା ଧୈର୍ଯ୍ୟ ଧରିବା ଆମ ପାଇଁ କଠିନ ହୋଇଯିବ । କିମ୍ବା ଯଦି ଆମ ପରିବାର ଲୋକ କିମ୍ବା ଅନ୍ୟ ଲୋକମାନେ ଆମକୁ ଥଟ୍ଟା କରନ୍ତି, ତାହେଲେ ବି ହୁଏତ ଆମେ ନିରାଶ ହୋଇଯିବା । (୨ ପିତ. ୩:୩, ୪) ଏପରି ସମୟରେ ହୁଏତ ଆମେ ଭାବିବା, ‘ଯଦି ମୁଁ ଜାଣିଥାʼନ୍ତି ଯେ ଯୁଗାନ୍ତ ଠିକ୍ କେବେ ଆସିବ, ତାହେଲେ ମୋ ପାଇଁ ଧୈର୍ଯ୍ୟ ଧରିବା ସହଜ ହୋଇଯାʼନ୍ତା ଓ ମୁଁ ସବୁକିଛି ସହିପାରନ୍ତି ।’
୬. ଆମ ପାଇଁ ଏହା କାହିଁକି ଭଲ ଯେ ଯୁଗାନ୍ତ ଠିକ୍ କେଉଁ ତାରିଖରେ ଆସିବ, ତାହା ଆମକୁ ଜଣାନାହିଁ ?
୬ ଯିହୋବା ଆମକୁ ଜଣାଇ ନାହାନ୍ତି ଯେ ଯୁଗାନ୍ତ ଠିକ୍ କେଉଁ ତାରିଖରେ ଆସିବ । ସେଥିପାଇଁ ଆମ ପାଖରେ ଯିହୋବାଙ୍କ ପାଇଁ ନିଜର ପ୍ରେମ ଓ ଭରସା ଦେଖାଇବାର ଭଲ ସୁଯୋଗ ରହିଛି । ଆମେ କୌଣସି ତାରିଖକୁ ଧ୍ୟାନରେ ରଖି ଯିହୋବାଙ୍କର ସେବା କରି ନ ଥାଉ ଏବଂ ଏପରି ଭାବି ନ ଥାଉ ଯେ ଯଦି ସେହି ତାରିଖ ଯାଏ ଯୁଗାନ୍ତ ଆସେନି, ତାହେଲେ ଆମେ ଯିହୋବାଙ୍କ ଉପରେ ବିଶ୍ୱାସ କରିବା ଛାଡ଼ିଦେବା । ‘ଯିହୋବାଙ୍କ ଦିନ’ ଠିକ୍ କେବେ ଆସିବ, ଏବିଷୟରେ ସବୁବେଳେ ଭାବିବା ପରିବର୍ତ୍ତେ ଆମେ ସେହି ଆଶିଷ ବିଷୟରେ ଭାବିବା ଉଚିତ୍ ଯାହା ସେ ଆମକୁ ଭବିଷ୍ୟତରେ ଦେବେ । ଯଦି ଆମେ ଏପରି କରିବା, ତାହେଲେ ଯିହୋବାଙ୍କ ଉପରେ ଆମର ଭରସା ବଢ଼ିବ ଓ ଆମେ ସେହି କାମ କରିବାରେ ଲାଗି ରହିବା ଯେଉଁଥିରୁ ଯିହୋବାଙ୍କର ହୃଦୟ ଖୁସି ହୁଏ ।—୨ ପିତ. ୩:୧୧, ୧୨.
୭. ଆମେ କʼଣ ଜାଣିଛୁ ?
୭ ଆମକୁ ଶେଷକାଳ ବିଷୟରେ ଅନେକ କଥା ଜଣାଅଛି ଏବଂ ଆମେ ସେହି ବିଷୟରେ ଭାବିବା ବି ଉଚିତ୍ । ଯେପରି, ଆମେ ଜାଣିଛୁ ଯେ ୧୯୧୪ ମସିହାରୁ ଏହି ଦୁନିଆର ଶେଷକାଳ ଆରମ୍ଭ ହୋଇସାରିଛି । ଯିହୋବା ବାଇବଲରେ ଏପରି ଅନେକ ଭବିଷ୍ୟତବାଣୀ ଲେଖାଇଛନ୍ତି, ଯେଉଁଥିରୁ ଜଣାପଡ଼େ ଯେ ୧୯୧୪ ମସିହାରୁ ଶେଷକାଳ ଆରମ୍ଭ ହେଲା । ତାʼସହ ସେ ଏହା ବି ଭବିଷ୍ୟତବାଣୀ କରିଥିଲେ ଯେ ଶେଷକାଳରେ ଦୁନିଆର ପରିସ୍ଥିତି କିପରି ଥିବ । ଆଜି ଆମେ ସେହି କଥାଗୁଡ଼ିକୁ ପୂରା ହେବାର ଦେଖୁଛୁ, ସେଥିପାଇଁ ଆମକୁ ପୂରା ଭରସା ଅଛି ଯେ ‘ଯିହୋବାଙ୍କର ମହାଦିନ ନିକଟବର୍ତ୍ତୀ ।’ (ସିଫ. ୧:୧୪) ଆମେ ଏହା ବି ଜାଣିଛୁ ଯେ ଯିହୋବା ଚାହାନ୍ତି ଯେ ଆମେ ଅଧିକରୁ ଅଧିକ ଲୋକମାନଙ୍କୁ ‘ରାଜ୍ୟର ସୁସମାଚାର’ ଶୁଣାଉ । (ମାଥି. ୨୪:୧୪) ଆଜି ଏହି ସୁସମାଚାର ପ୍ରାୟ ୨୪୦ ଦେଶରେ ଏବଂ ୧,୦୦୦ରୁ ବି ଅଧିକ ଭାଷାରେ ଶୁଣାଯାଉଛି । ଉତ୍ସାହର ସହ ପ୍ରଚାର କରିବା ପାଇଁ ଏହା ଜାଣିବା ଜରୁରୀ ନୁହେଁ ଯେ ବିନାଶ ଠିକ୍ କେଉଁ “ଦିନ” ଓ କେଉଁ ‘ଦଣ୍ଡରେ’ ଆସିବ ।
ଯିହୋବା ଠିକ୍ କିପରି ସାହାଯ୍ୟ କରିବେ, ତାହା ଆମେ ଜାଣିନାହୁଁ
୮. ‘ସର୍ବସାଧକ ପରମେଶ୍ୱରଙ୍କ କାମ,’ ଏହାର ଅର୍ଥ କʼଣ ? (ଉପଦେଶକ ୧୧:୫)
୮ ଆମେ “ସର୍ବସାଧକ ପରମେଶ୍ୱରଙ୍କ କର୍ମ” ବା କାମକୁ ପୂରାପୂରି ଜାଣିନାହୁଁ । (ଉପଦେଶକ ୧୧:୫ ପଢ଼ନ୍ତୁ ।) ‘ସର୍ବସାଧକ ପରମେଶ୍ୱରଙ୍କ କାମ,’ ଏହାର ଅର୍ଥ କʼଣ ? ଯିହୋବା ନିଜ ଇଚ୍ଛା ପୂରା କରିବା ପାଇଁ ଯାହା ବି କରନ୍ତି ଓ ଯେଉଁ କାମଗୁଡ଼ିକୁ ହେବା ପାଇଁ ଅନୁମତି ଦିଅନ୍ତି, ସେହି ସବୁକୁ ପରମେଶ୍ୱରଙ୍କ କାମ ବୋଲି କୁହାଯାଇଛି । ଆମେ ଜାଣିପାରିବା ନାହିଁ ଯେ ଅନେକ ଥର ଯିହୋବା କାହିଁକି କୌଣସି କାମକୁ ହେବା ପାଇଁ ଅନୁମତି ଦିଅନ୍ତି ଏବଂ କିଛି ମାମଲାରେ ସେ ଆମକୁ ଠିକ୍ କିପରି ସାହାଯ୍ୟ କରିବେ । (ଗୀତ. ୩୭:୫) ଯେପରି ବଡ଼ ବଡ଼ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଏହା ଜାଣିପାରି ନାହାନ୍ତି ଯେ ମାଆ ପେଟରେ ଶିଶୁଟିଏ କିପରି ବଢ଼େ, ସେହିପରି ଆମେ ମଧ୍ୟ ସର୍ବସାଧକ ପରମେଶ୍ୱରଙ୍କ କାମକୁ ପୂରାପୂରି ଭାବେ ଜାଣିପାରିବା ନାହିଁ ।
୯. ଯିହୋବା ଆମକୁ ଠିକ୍ କିପରି ସାହାଯ୍ୟ କରିବେ, ଏହା ନ ଜାଣିବା ଯୋଗୁଁ କʼଣ ହୋଇପାରେ ?
୯ ଆମେ ଜାଣିନାହୁଁ ଯେ ଯିହୋବା ଆମକୁ ଠିକ୍ କିପରି ସାହାଯ୍ୟ କରିବେ, ଏହି କାରଣ ଯୋଗୁଁ ହୁଏତ ଆମକୁ କୌଣସି ନିଷ୍ପତ୍ତି ନେବା ପାଇଁ ସଂକୋଚ ହେବ । ଯେପରି, ନିଜର ସେବା ବଢ଼ାଇବା ପାଇଁ ଆମେ ହୁଏତ ନିଜ ଜୀବନ ସାଦା ରଖିବା ଓ ଏପରି ଜାଗାରେ ଯାଇ ସେବା କରିବା ପାଇଁ ସଂକୋଚ କରିବା, ଯେଉଁଠି ପ୍ରଚାରକମାନଙ୍କର ଅଧିକ ଆବଶ୍ୟକ ଅଛି । ଆମେ ଜାଣିନାହୁଁ ଯେ ଯିହୋବା ଆମକୁ ଠିକ୍ କିପରି ସାହାଯ୍ୟ କରିବେ, ସେଥିପାଇଁ ଆମକୁ ଏହା ବି ଲାଗିପାରେ ଯେ ସେ ଆମ ଉପରେ ଖୁସି ନାହାନ୍ତି । ଯେପରି, ହୁଏତ ଆମେ ଯିହୋବାଙ୍କର ସେବା କରିବା ପାଇଁ କିଛି ଲକ୍ଷ୍ୟ ରଖିଛୁ, କିନ୍ତୁ ଆମେ ତାହା ହାସଲ କରିପାରୁ ନାହୁଁ କିମ୍ବା ପ୍ରଚାର କାମରେ ବହୁତ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ଆମକୁ ଭଲ ପରିଣାମ ମିଳୁନି କିମ୍ବା ସଂଗଠନର କୌଣସି କାମ ପୂରା କରିବା ପାଇଁ ଆମକୁ କିଛି ସମସ୍ୟାର ସାମନା କରିବାକୁ ପଡ଼ୁଛି । ଏପରି ପରିସ୍ଥିତିରେ ଆମକୁ ଲାଗିପାରେ ଯେ ଯିହୋବା ଆମ ଉପରେ ଖୁସି ନାହାନ୍ତି ।
୧୦. ଯିହୋବା ଆମକୁ ଠିକ୍ କିପରି ସାହାଯ୍ୟ କରିବେ, ଏହା ନ ଜାଣିବା ଯୋଗୁଁ ଆମକୁ କʼଣ ଲାଭ ହୋଇପାରେ ?
୧୦ ଆମେ ଜାଣିନାହୁଁ ଯେ ଯିହୋବା ଆମକୁ ଠିକ୍ କିପରି ସାହାଯ୍ୟ କରିବେ, କିନ୍ତୁ ଏହାଯୋଗୁଁ ଆମକୁ ଲାଭ ବି ହୁଏ । ଯେପରି, ଆମେ ନମ୍ର ରହିବା ଶିଖୁ । ଆମେ ବୁଝିପାରୁ ଯେ ଯିହୋବାଙ୍କର ପଥ ଓ ତାଙ୍କର ଚିନ୍ତାଧାରା ଆମଠାରୁ ଉଚ୍ଚତର ଅଟେ । (ଯିଶା. ୫୫:୮, ୯) ତାʼସହ ଆମେ ଏହା ଭରସା ରଖିପାରୁ ଯେ ଯିହୋବା ଆମକୁ ନିଶ୍ଚୟ ସାହାଯ୍ୟ କରିବେ । ଯେବେ ଆମକୁ ପ୍ରଚାରରେ ଭଲ ପରିଣାମ ମିଳେ କିମ୍ବା ଆମେ ସଂଗଠନର କୌଣସି କାମକୁ ଭଲଭାବେ ପୂରା କରୁ, ତେବେ ଆମେ ତାହାର ଶ୍ରେୟ ଯିହୋବାଙ୍କୁ ଦେଉ । (ଗୀତ. ୧୨୭:୧; ୧ କରି. ୩:୭) ଆଉ ଯଦି ସବୁକିଛି ସେପରି ହୁଏନି, ଯେପରି ଆମେ ଭାବିଥିଲୁ ତେବେ ବି ଆମେ ଭରସା ରଖୁ ଯେ ଯିହୋବା ସବୁକିଛି ଦେଖୁଛନ୍ତି ଓ ସେ ସବୁକିଛି ଠିକ୍ କରିବେ । (ଯିଶା. ୨୬:୩) କିନ୍ତୁ ଆମେ ନିଜ ତରଫରୁ ଯାହା ବି କରିପାରିବା, ତାହା ଆମେ କରିବା ଜାରି ରଖିବା ଓ ଭରସା ରଖିବା ଯେ ବାକି ସବୁକିଛି ଯିହୋବା ସମ୍ଭାଳିବେ । ହୁଏତ, ଯିହୋବା ପ୍ରାଚୀନ ସମୟ ଭଳି ଚମତ୍କାର କରିବେନି, କିନ୍ତୁ ସେ ଆମକୁ ନିଶ୍ଚୟ ସଠିକ୍ ବାଟ ଦେଖାଇବେ ।—ପ୍ରେରି. ୧୬:୬-୧୦.
୧୧. ଆମେ ଯିହୋବାଙ୍କ ବିଷୟରେ କʼଣ ଜାଣିଛୁ ?
୧୧ ଭାବନ୍ତୁ ଯେ ଆମେ ଯିହୋବାଙ୍କ ବିଷୟରେ କʼଣ ଜାଣିଛୁ । ଆମେ ଜାଣିଛୁ ଯେ ଯିହୋବା ପ୍ରେମମୟୀ ଈଶ୍ୱର ଅଟନ୍ତି, ସବୁବେଳେ ସଠିକ୍ ନ୍ୟାୟ କରନ୍ତି ଓ ବୁଦ୍ଧିମାନ ଅଟନ୍ତି । ଆମେ ଏହା ବି ଜାଣିଛୁ ଯେ ତାଙ୍କ ପାଇଁ ଏବଂ ଭାଇଭଉଣୀମାନଙ୍କ ପାଇଁ ଆମେ ଯାହା ବି କରୁ, ତାହାକୁ ସେ ବହୁମୂଲ୍ୟ ମନେ କରନ୍ତି । ତାʼସହିତ ଆମେ ଏହା ବି ଜାଣିଛୁ ଯେ ଆମେ ତାଙ୍କର ବିଶ୍ୱସ୍ତ ରହିଲେ ସେ ଆମକୁ ପୁରସ୍କାର ଦିଅନ୍ତି ।—ଏବ୍ରୀ ୧୧:୬.
ଆଗକୁ କʼଣ ହେବ, ତାହା ଆମେ ଜାଣିନାହୁଁ
୧୨. ଯାକୁବ ୪:୧୩, ୧୪ ପଦ ଅନୁସାରେ ଆମେ କʼଣ ଜାଣିନାହୁଁ ?
୧୨ ଯାକୁବ ୪:୧୩, ୧୪ ପଢ଼ନ୍ତୁ । ଆମ ଜୀବନର ଗୋଟିଏ ସତ୍ୟ ହେଉଛି, ଆମେ ଜାଣିନାହୁଁ ଯେ ଆମ ସହିତ କାଲି କʼଣ ହେବ । ଏହି ଦୁନିଆରେ ଆମ ଉପରେ କେବେ ବି ‘ସମସ୍ୟା ଆସିପାରେ’ ଓ ଆମ ସହ ‘ଦୁର୍ଘଟଣା ଘଟିପାରେ ।’ (ଉପ. ୯:୧୧, NWT) ସେଥିପାଇଁ ଆମେ ଜାଣିନାହୁଁ ଯେ ଆମେ ଯାହା ଭାବିଛୁ ତାହା ପୂରା ହେବ ନା ନାହିଁ ଏବଂ ତାହାକୁ ଦେଖିବା ପାଇଁ ଆମେ ଜୀବିତ ରହିବା ନା ନାହିଁ ।
୧୩. ଆଗକୁ କʼଣ ହେବ, ଏହା ନ ଜାଣିବା ଯୋଗୁଁ ଆମକୁ କେଉଁ ସମସ୍ୟାର ସାମନା କରିବାକୁ ପଡ଼ିପାରେ ?
୧୩ ଆମେ ଜାଣିନାହୁଁ ଯେ ଆମ ସହ କʼଣ ହେବ, ତେଣୁ ଆମକୁ କିଛି ସମସ୍ୟାର ସାମନା କରିବାକୁ ପଡ଼ିପାରେ । ଆମେ ହୁଏତ ଏହା ଭାବି ଚିନ୍ତିତ ହୋଇଯିବା ଯେ ଆମ ସହ କାଲି କʼଣ ହେବ ଏବଂ ଆମେ ନିଜ ଖୁସି ହରାଇ ଦେବା । ତାʼସହିତ ହଠାତ୍ କୌଣସି ଅଘଟଣ ଘଟିବା ଯୋଗୁଁ ହୁଏତ ଆମେ ଦୁଃଖି କିମ୍ବା ଚିନ୍ତିତ ହୋଇଯିବା । ଆଉ ଆମେ ଯେପରି ଭାବିଥିଲୁ ଯଦି ସେପରି ହୁଏନି, ତାହେଲେ ବି ହୁଏତ ଆମେ ନିରାଶ ବା ହତାଶ ହୋଇଯିବା ।—ହିତୋ. ୧୩:୧୨.
୧୪. ଆମ ଖୁସି କେଉଁ କଥା ଉପରେ ନିର୍ଭର କରେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୪ ସମସ୍ୟା ସମୟରେ ଆମେ ଧୈର୍ଯ୍ୟ ଧରି ଦେଖାଉ ଯେ ଆମେ ନିଜର ସ୍ୱାର୍ଥ ପାଇଁ ନୁହେଁ, ବରଂ ଯିହୋବାଙ୍କୁ ପ୍ରେମ କରିବା ଯୋଗୁଁ ତାଙ୍କର ସେବା କରୁ । ବାଇବଲରୁ ଆମେ ଜାଣିଲୁ ଯେ ଆମେ ଏହା ଆଶା କରିବା ଉଚିତ୍ ନୁହେଁ ଯେ ଯିହୋବା ଆମକୁ ପ୍ରତ୍ୟେକ ସମସ୍ୟାରୁ ରକ୍ଷା କରିବେ । ଆମେ ଏହା ବି ଜାଣିଛୁ ଯେ ଯିହୋବା ପୂର୍ବରୁ ଲେଖି ରଖି ନାହାନ୍ତି ଯେ ଆମ ସହ କʼଣ କʼଣ ଘଟିବ । ଯିହୋବା ଜାଣନ୍ତି ଯେ ଆମ ଖୁସି ଏହି କଥା ଉପରେ ନିର୍ଭର କରେ ନାହିଁ ଯେ ଆମେ ଭବିଷ୍ୟତ ବିଷୟରେ ସବୁକିଛି ଜାଣୁ । ଏହା ପରିବର୍ତ୍ତେ ଆମର ଖୁସି ତାଙ୍କର ପଥରେ ଚାଲିବା ଓ ତାଙ୍କର ଆଜ୍ଞା ମାନିବା ଉପରେ ନିର୍ଭର କରେ । (ଯିରି. ୧୦:୨୩) ସେଥିପାଇଁ କୌଣସି ନିଷ୍ପତ୍ତି ନେବା ସମୟରେ ଯିହୋବାଙ୍କ ଉପରେ ଭରସା ରଖନ୍ତୁ ଏବଂ ଯାକୁବଙ୍କ ଭଳି ହୁଅନ୍ତୁ ଯିଏ ଲେଖିଥିଲେ, ‘ଏଣୁ ଯିହୋବାଙ୍କ ଇଚ୍ଛା ହେଲେ ଆମ୍ଭେମାନେ ଜୀବିତ ଥାଇ ଏହା କରିବା ବା ତାହା କରିବା ।’—ଯାକୁ. ୪:୧୫.
ଯିହୋବାଙ୍କ ଆଜ୍ଞା ମାନିଲେ ଏବଂ ସେ ଦେଖାଇଥିବା ପଥରେ ଚାଲିଲେ ଆମେ ସୁରକ୍ଷିତ ରହିବା (ପାରାଗ୍ରାଫ ୧୪-୧୫)b
୧୫. ଆମେ ଭବିଷ୍ୟତ ବିଷୟରେ କʼଣ ଜାଣିଛୁ ?
୧୫ ଏହା ସତ ଯେ ଆମେ ଜାଣିନୁ କାଲି କʼଣ ହେବ, କିନ୍ତୁ ଆମେ ଯିହୋବାଙ୍କର ପ୍ରତିଜ୍ଞା ବିଷୟରେ ନିଶ୍ଚୟ ଜାଣିଛୁ । ସେ ପ୍ରତିଜ୍ଞା କରିଛନ୍ତି ଯେ ସେ କିଛି ଲୋକଙ୍କୁ ସ୍ୱର୍ଗରେ ଓ କିଛି ଲୋକଙ୍କୁ ଏହି ପୃଥିବୀରେ ଅନନ୍ତ ଜୀବନ ଦେବେ । ଆମେ ଏହା ବି ଜାଣିଛୁ ଯେ ସେ ମିଛ କହନ୍ତି ନାହିଁ ଏବଂ ତାଙ୍କୁ କେହି ବି ନିଜର ପ୍ରତିଜ୍ଞା ପୂରା କରିବା ପାଇଁ ରୋକିପାରିବେ ନାହିଁ । (ତୀତ. ୧:୨) କେବଳ ଯିହୋବା ହିଁ ଆମକୁ ପୂର୍ବରୁ କୌଣସି ଘଟଣାର ପରିଣାମ ବିଷୟରେ କହିପାରିବେ, ‘ଯାହା ଏବେ ଯାଏ ସାଧିତ ହୋଇ ନାହିଁ ।’ ପ୍ରାଚୀନ ସମୟ ବିଷୟରେ ସେ ଯାହା ବି କହିଥିଲେ ତାହା ପୂରା ହେଲା ଏବଂ ଆମର ଭବିଷ୍ୟତ ବିଷୟରେ ବି ସେ ଯାହା କହିଛନ୍ତି ତାହା ନିଶ୍ଚୟ ପୂରା ହେବ । (ଯିଶା. ୪୬:୧୦) ଆମକୁ ପୂରା ଭରସା ଅଛି ଯେ ଆମକୁ ପ୍ରେମ କରିବା ପାଇଁ, ଯିହୋବାଙ୍କୁ କୌଣସି ବି ଜିନିଷ ରୋକିପାରିବ ନାହିଁ । (ରୋମୀ. ୮:୩୫-୩୯) ତାʼସହିତ ଯିହୋବା ଆମକୁ ପ୍ରତ୍ୟେକ ସମସ୍ୟାକୁ ସହିବା ପାଇଁ ବୁଦ୍ଧି, ସାନ୍ତ୍ୱନା ଓ ଶକ୍ତି ଦେବେ । ଆମକୁ ପୂରା ଭରସା ଅଛି ଯେ ଯିହୋବା ଆମକୁ ସାହାଯ୍ୟ କରିବେ ଓ ଆଶିଷ ଦେବେ ।—ଯିରି. ୧୭:୭, ୮.
ଆମେ ପୂରାପୂରି ବୁଝିପାରିବା ନାହିଁ ଯେ ଯିହୋବା ଆମକୁ କେତେ ଭଲଭାବରେ ଜାଣନ୍ତି
୧୬. ଯିହୋବା ଆମ ବିଷୟରେ କʼଣ ଜାଣନ୍ତି ଏବଂ ଏହାଜାଣି ଆପଣଙ୍କୁ କିପରି ଲାଗେ ? (ଗୀତସଂହିତା ୧୩୯:୧-୬)
୧୬ ଗୀତସଂହିତା ୧୩୯:୧-୬ ପଢ଼ନ୍ତୁ । ଆମ ସୃଷ୍ଟିକର୍ତ୍ତା ଆମର ଗଠନ ଜାଣିଛନ୍ତି । ସେ ଆମ ବିଷୟରେ ସବୁକିଛି ଜାଣିଛନ୍ତି । ଯେପରି, ସେ ଜାଣିଛନ୍ତି ଯେ ଆମେ କʼଣ ଭାବୁ ଓ କିପରି ଅନୁଭବ କରୁ । ସେ ଜାଣିଛନ୍ତି ଯେ ଆମ ହୃଦୟରେ କʼଣ ଅଛି ଓ ଆମେ କʼଣ କହିବା ପାଇଁ ଚାହୁଁ । ସେ ଏହା ମଧ୍ୟ ଜାଣିଛନ୍ତି ଯେ ଆମେ ଯାହା ବି କରୁ, ତାହା କାହିଁକି କରୁ । ଦାଉଦ କହିଥିଲେ ଯେ ଯିହୋବା ଆମକୁ ଘେରି ଅଛନ୍ତି ଅର୍ଥାତ୍ ଆମ ଉପରେ ଧ୍ୟାନ ଦିଅନ୍ତି ଏବଂ ଆମକୁ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହନ୍ତି । ଭାବନ୍ତୁ, ଏହା କେତେ ବଡ଼ କଥା ଯେ ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସର୍ବଶକ୍ତିମାନ ଯିହୋବା ଆମ ଭଳି ସାଧାରଣ ମଣିଷମାନଙ୍କ ଉପରେ ଧ୍ୟାନ ଦିଅନ୍ତି । ଏବିଷୟରେ ଦାଉଦ କହିଲେ, “ଏହି ପ୍ରକାର ଜ୍ଞାନ ମୋʼ ପ୍ରତି ଅତି ଆଶ୍ଚର୍ଯ୍ୟ; ତାହା ଉଚ୍ଚ, ମୋʼ ବୋଧର ଅଗମ୍ୟ ।”—ଗୀତ. ୧୩୯:୬.
୧୭. ଏହି କଥାକୁ ମାନିବା ଆମ ପାଇଁ କାହିଁକି କଠିନ ହୋଇପାରେ ଯେ ଯିହୋବା ଆମକୁ ଭଲଭାବରେ ଜାଣନ୍ତି ?
୧୭ ଆମର ଯେପରି ଭାବେ ଲାଳନପାଳନ ହୋଇଛି କିମ୍ବା ଆମ ସଂସ୍କୃତି କିମ୍ବା ଆଗରୁ ଆମେ ଯାହା ମାନୁଥିଲୁ, ତାʼଯୋଗୁଁ ହୁଏତ ଆମକୁ ଏହା ମାନିବା କଠିନ ଲାଗିବ ଯେ ଯିହୋବା ପ୍ରେମମୟୀ ପିତା ଅଟନ୍ତି ଏବଂ ଆମର ଚିନ୍ତା କରନ୍ତି । କିମ୍ବା ହୁଏତ ଅତୀତରେ ଆମଦ୍ୱାରା ଯାହା ଭୁଲ ହୋଇଥିଲା, ତାʼଯୋଗୁଁ ଆମେ ଦାଉଦଙ୍କ ଭଳି ଭାବିବା ଯେ ଯିହୋବା ଆମ ସହିତ କୌଣସି ସମ୍ପର୍କ ଗଢ଼ିବା ପାଇଁ ଚାହାନ୍ତି ନାହିଁ ଏବଂ ସେ ଆମଠାରୁ ଦୂରେଇ ଯାଇଛନ୍ତି । (ଗୀତ. ୩୮:୧୮, ୨୧) କିମ୍ବା ହୁଏତ ଜଣେ ବ୍ୟକ୍ତି ଯିହୋବାଙ୍କୁ ଖୁସି କରିବା ପାଇଁ ନିଜର ଜୀବନଶୈଳୀରେ ବଡ଼ ବଡ଼ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ହୁଏତ ସେ ଭାବିବ, ‘ଯଦି ଯିହୋବା ମୋତେ ଏତେ ଭଲଭାବରେ ଜାଣନ୍ତି, ତାହେଲେ ସେ କାହିଁକି ମୋର ଜୀବନଶୈଳୀ ବଦଳାଇବା ପାଇଁ ଚାହାନ୍ତି ? ସେ କାହିଁକି ମୋତେ ସେହି ଜିନିଷଗୁଡ଼ିକୁ ଛାଡ଼ିବା ପାଇଁ କହନ୍ତି, ଯାହାକୁ ମୁଁ ବହୁତ ଭଲ ପାଏ ?’
୧୮. ଏହି କଥାକୁ ବୁଝିବା କାହିଁକି ବହୁତ ଜରୁରୀ ଯେ ଆମେ ନିଜ ବିଷୟରେ ଯେତିକି ଜାଣିନୁ, ସେତିକି ଯିହୋବା ଆମ ବିଷୟରେ ଜାଣନ୍ତି ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୮ ଆମକୁ ଏହା ବୁଝିବା ବହୁତ ଜରୁରୀ ଯେ ଆମେ ନିଜ ବିଷୟରେ ଯେତିକି ଜାଣିଛୁ, ତାʼଠାରୁ ବି ଅଧିକ ଯିହୋବା ଆମ ବିଷୟରେ ଭଲଭାବେ ଜାଣନ୍ତି । ସେ ଆମର ସେହି ଭଲ ଗୁଣଗୁଡ଼ିକୁ ବି ଦେଖିପାରନ୍ତି ଯାହା ଆମେ ନିଜେ ଦେଖିପାରି ନ ଥାଉ । ଏହା ସତ ଯେ ସେ ଆମର ଦୁର୍ବଳତାଗୁଡ଼ିକୁ ଜାଣନ୍ତି, କିନ୍ତୁ ସେ ଏହା ବି ଜାଣନ୍ତି ଯେ ସେହି ଦୁର୍ବଳତାଗୁଡ଼ିକ ଆମ ଭିତରେ କାହିଁକି ଅଛି । ସେ ଜାଣନ୍ତି ଯେ ଆମେ ନିଜକୁ ପରିବର୍ତ୍ତନ କରିପାରିବା ଏବଂ ସେ ପ୍ରେମର ସହିତ ଏପରି କରିବା ପାଇଁ ଆମକୁ ସାହାଯ୍ୟ କରନ୍ତି । (ରୋମୀ. ୭:୧୫) ଯେବେ ଆମେ ଏହି କଥାକୁ ବୁଝୁ ଯେ ଯିହୋବା ଏହା ଦେଖନ୍ତି ନାହିଁ ଯେ ଆମେ କିପରି ମଣିଷ ଅଟୁ, ବରଂ ଏହା ଦେଖନ୍ତି ଯେ ଆମେ କିପରି ମଣିଷ ହୋଇପାରିବା, ତେବେ ଆମକୁ ତାଙ୍କର ବିଶ୍ୱସ୍ତ ରହିବା ଓ ଖୁସିର ସହ ତାଙ୍କର ସେବା କରିବା ପାଇଁ ଇଚ୍ଛା ହୁଏ ।
ଯିହୋବା ଆମକୁ ଯେଉଁ ଭଲ ଭବିଷ୍ୟତ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି, ସେହି ପ୍ରତିଜ୍ଞା ଉପରେ ଆମର ଭରସା ବଢ଼ାଇବା ପାଇଁ ସେ ଆମକୁ ସାହାଯ୍ୟ କରନ୍ତି । ଏହି କାରଣ ଯୋଗୁଁ ଆମେ ନିଜ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟାର ସାମନା କରିପାରୁ (ପାରାଗ୍ରାଫ ୧୮-୧୯)c
୧୯. ଆମେ ଯିହୋବାଙ୍କ ବିଷୟରେ କʼଣ ଜାଣିଛୁ ?
୧୯ ଆମେ ଜାଣୁ ଯେ ଯିହୋବା ପ୍ରେମମୟୀ ପିତା ଅଟନ୍ତି ଏବଂ ଏହି କଥା ଉପରେ ଆମକୁ ପୂରା ଭରସା ଅଛି । (୧ ଯୋହ. ୪:୮) ଆମେ ଜାଣୁ ଯେ ସେ ଆମକୁ ଯେଉଁ ସ୍ତର ଦେଇଛନ୍ତି ତାହା ପ୍ରେମ ଯୋଗୁଁ ଦେଇଛନ୍ତି ଓ ସେ ଚାହାନ୍ତି ଯେ ଆମେ ଭଲ ଜୀବନ ବିତାଉ । ଆମେ ଜାଣୁ ଯେ ଯିହୋବା ଆମକୁ ଅନନ୍ତ ଜୀବନ ଦେବା ପାଇଁ ଚାହାନ୍ତି, ସେଥିପାଇଁ ସେ ନିଜ ପ୍ରିୟ ପୁତ୍ରଙ୍କୁ ମୁକ୍ତିର ମୂଲ୍ୟ ଭାବେ ଦେଲେ । ମୁକ୍ତିର ମୂଲ୍ୟ ଯୋଗୁଁ ଆମକୁ ଭରସା ହୋଇଯାଏ ଯେ ଆମେ ଅପରିପୂର୍ଣ୍ଣ ଥାଇ ମଧ୍ୟ ଯିହୋବାଙ୍କୁ ଖୁସି କରିପାରିବା । (ରୋମୀ. ୭:୨୪, ୨୫) ତାʼସହିତ ଆମେ ଏହା ବି ଜାଣୁ ଯେ “ଈଶ୍ୱର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି ।” (୧ ଯୋହ. ୩:୧୯, ୨୦) ଯିହୋବା ଆମ ବିଷୟରେ ଭଲଭାବେ ଜାଣନ୍ତି ଏବଂ ତାଙ୍କୁ ପୂରା ଭରସା ଅଛି ଯେ ଆମେ ତାଙ୍କର ଇଚ୍ଛା ପୂରା କରିପାରିବା ।
୨୦. କʼଣ ବୁଝିବା ଦ୍ୱାରା ଆମେ ଅତ୍ୟଧିକ ଚିନ୍ତା କରିବା ନାହିଁ ?
୨୦ ଯିହୋବା ଆମକୁ ସେହି ସବୁ କଥା କହନ୍ତି ଯାହା ଆମ ପାଇଁ ଜାଣିବା ଜରୁରୀ । ଯଦି ଆମେ ଏହାକୁ ବୁଝିବା ଓ ନମ୍ର ରହିବା, ତାହେଲେ ଆମେ ଅତ୍ୟଧିକ ଚିନ୍ତା କରିବାନି ଏବଂ ଅଧିକ ମହତ୍ତ୍ୱ ରଖୁଥିବା କଥାଗୁଡ଼ିକ ଉପରେ ଧ୍ୟାନ ଦେଇପାରିବା । ଏପରି ଭାବେ ଆମେ ଦେଖାଇବା ଯେ ଆମକୁ ଯିହୋବାଙ୍କ ଉପରେ ଭରସା ଅଛି, ଯିଏ “ଜ୍ଞାନରେ ସିଦ୍ଧ ।” (ଆୟୁ. ୩୬:୪) ଏହା ସତ ଯେ ଅନେକ କଥାକୁ ଆମେ ପୂରାପୂରି ଜାଣିନାହୁଁ । କିନ୍ତୁ ଆମେ ନୂଆ ଦୁନିଆର ଅପେକ୍ଷା କରୁଛୁ ଯେବେ ଆମେ ନୂଆ ନୂଆ କଥା ଶିଖିବା ଏବଂ ନିଜର ମହାନ ପରମେଶ୍ୱର ଯିହୋବାଙ୍କୁ ମଧ୍ୟ ଆହୁରି ଭଲଭାବରେ ଜାଣିପାରିବା ।—ଉପ. ୩:୧୧.
ଗୀତ ୧୦୬ ପ୍ରେମକୁ ବଢ଼ାଇବା
a ଯୀଶୁ ନିଜ ସେନାବାହିନୀ ସହିତ ମିଶି ଶୟତାନର ଦୁଷ୍ଟ ଦୁନିଆକୁ ବିନାଶ କରିବେ । ତେଣୁ ଏହା କହିବା ଠିକ୍ ହେବ ଯେ ବର୍ତ୍ତମାନ ସେ ଜାଣିଛନ୍ତି ଯେ ହର୍ମିଗିଦ୍ଦୋନ୍ ଠିକ୍ କେବେ ଆସିବ ଏବଂ ସେ କେବେ ‘ଜୟ କରିବାକୁ ବାହାରିବେ ।’—ପ୍ରକା. ୬:୨; ୧୯:୧୧-୧୬.
b ଚିତ୍ର ବିଷୟରେ: ଜଣେ ବାପା ନିଜ ପୁଅ ସହ ମିଶି ଜରୁରୀକାଳୀନ ବ୍ୟାଗ୍ ପ୍ରସ୍ତୁତି କରୁଛନ୍ତି, ଯାହାଦ୍ୱାରା ଆପାତକାଳୀନ ପରିସ୍ଥିତିରେ ତାଙ୍କ ପାଖରେ ଜରୁରୀ ଜିନିଷ ରହୁ ।
c ଚିତ୍ର ବିଷୟରେ: ଜଣେ ଭାଇ ନିଜ ସମସ୍ୟାଗୁଡ଼ିକ ଯୋଗୁଁ ବହୁତ ଚିନ୍ତିତ ଅଛନ୍ତି, କିନ୍ତୁ ସେ ସେହି ସମୟ ବିଷୟରେ ଭାବୁଛନ୍ତି ଯେବେ ନୂଆ ଦୁନିଆରେ ସମସ୍ତେ ଖୁସିରେ ରହିବେ ।