ଅଧ୍ୟୟନ ଲେଖା ୨୧
ଗୀତ ୧୦୭ ୟହୋୱା କେ ପ୍ୟାର କି ମିଶାଲ୍
ଭଲ ଜୀବନସାଥୀ ଖୋଜିବା ପାଇଁ କʼଣ କରିବା ?
“ଗୁଣବତୀ ସ୍ତ୍ରୀ କିଏ ପାଇପାରେ ? ମୁକ୍ତାଠାରୁ ହିଁ ତାହାର ମୂଲ୍ୟ ଅଧିକ ।”—ହିତୋ. ୩୧:୧୦.
କʼଣ ଶିଖିବା ?
ଆମେ ବାଇବଲର ଏପରି ସିଦ୍ଧାନ୍ତଗୁଡ଼ିକ ଉପରେ ଚର୍ଚ୍ଚା କରିବା ଯାହାକୁ ଧ୍ୟାନରେ ରଖି ଅବିବାହିତ ଭାଇଭଉଣୀମାନେ ନିଜ ପାଇଁ ଭଲ ଜୀବନସାଥୀ ଖୋଜିପାରିବେ । ଆମେ ଏହା ବି ଜାଣିବା ଯେ ମଣ୍ଡଳୀର ଭାଇଭଉଣୀମାନେ କିପରି ସେମାନଙ୍କ ସାହାଯ୍ୟ କରିପାରିବେ ।
୧-୨. (କ) ଯଦି ଆପଣ ବାହା ହେବା ଉଦ୍ଦେଶ୍ୟରେ କାହାରିକୁ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ଆପଣଙ୍କୁ ଆଗରୁ କେଉଁ କଥାଗୁଡ଼ିକ ବିଷୟରେ ଭାବିବାକୁ ପଡ଼ିବ ? (ଖ) “ଡେଟିଙ୍ଗ୍” କରିବାର ଅର୍ଥ କʼଣ ? (“ଏହାର ଅର୍ଥ କʼଣ ?” ଦେଖନ୍ତୁ ।)
କʼଣ ଆପଣ ବାହା ହେବା ପାଇଁ ଚାହାନ୍ତି ? ଏପରି ଅନେକ ଖ୍ରୀଷ୍ଟିୟାନ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି । ସେମଧ୍ୟରୁ କିଛି ଯୁବା ଅଛନ୍ତି ଏବଂ କିଛି ଖ୍ରୀଷ୍ଟିୟାନମାନଙ୍କ ବାହା ହେବାର ବୟସ ହୋଇଯାଇଛି । ଏହା ସତ ଯେ ଅବିବାହିତ ରହିଲେ ମଧ୍ୟ ଜୀବନରେ ଖୁସି ମିଳେ, କିନ୍ତୁ ଏହା ବି ସତ ଯେ ବାହା ହେବା ପରେ ଅନ୍ୟ ପ୍ରକାରର ହିଁ ଖୁସି ମିଳେ । ଯଦି ଆପଣ ବାହା ହେବା ଉଦ୍ଦେଶ୍ୟରେ କାହାରିକୁ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ଆପଣଙ୍କୁ କିଛି କଥାଗୁଡ଼ିକ ବିଷୟରେ ଆଗରୁ ଭାବିବାକୁ ପଡ଼ିବ ।a ଯେପରି, ଆପଣ ନିଜର ଆବଶ୍ୟକତାଗୁଡ଼ିକୁ କିପରି ପୂରା କରିବେ ? କʼଣ ଆପଣ ବୈବାହିକ ଜୀବନ ପାଇଁ ପ୍ରସ୍ତୁତ ଅଛନ୍ତି ? ଆଉ ଯିହୋବାଙ୍କ ସହିତ ଆପଣଙ୍କ ସମ୍ପର୍କ କିପରି ଅଛି ? (୧ କରି. ୭:୩୬) ଯଦି ଆପଣ ଏକଥାଗୁଡ଼ିକ ବିଷୟରେ ଭାବିବେ, ତେବେ ଆପଣ ବାହା ହେବା ପରେ ଖୁସି ରହିପାରିବେ ।
୨ ଗୋଟିଏ ଭଲ ଜୀବନସାଥୀ ଖୋଜିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ । (ହିତୋ. ୩୧:୧୦) ଯଦି ଆପଣ କୌଣସି ଭାଇ କିମ୍ବା ଭଉଣୀଙ୍କୁ ପସନ୍ଦ କରିବାକୁ ଲାଗନ୍ତି, ତେବେ ବି ହୁଏତ ଆପଣଙ୍କୁ ଏହା ବୁଝାପଡ଼ିବନି ଯେ ଆପଣ ତାଙ୍କ ସହିତ ଡେଟିଙ୍ଗ୍b କରିବା କିପରି ଆରମ୍ଭ କରିବେ । ଏହି ଲେଖାରେ ଆମେ ଜାଣିବା ଯେ ଯଦି କେହି ବାହା ହେବା ପାଇଁ ଚାହାନ୍ତି, ତେବେ ସେମାନେ ଭଲ ଜୀବନସାଥୀ ଖୋଜିବା ପାଇଁ କʼଣ କରିପାରିବେ । ଆମେ ଏହା ବି ଜାଣିବା ଯେ ଯେବେ ସେ କାହାରିକୁ ପସନ୍ଦ କରନ୍ତି, ତେବେ ସେ ତାଙ୍କ ସହିତ କିପରି ଡେଟିଙ୍ଗ୍ କରିବା ଆରମ୍ଭ କରିପାରିବେ । ତାʼପରେ ଆମେ ଏହା ବି ଜାଣିବା ଯେ ଯେଉଁମାନେ ଜୀବନସାଥୀ ଖୋଜୁଛନ୍ତି, ମଣ୍ଡଳୀର ଭାଇଭଉଣୀମାନେ ସେମାନଙ୍କୁ କିପରି ସାହାଯ୍ୟ କରିପାରିବେ ।
ଗୋଟିଏ ଭଲ ଜୀବନସାଥୀ ଖୋଜନ୍ତୁ
୩. ଗୋଟିଏ ଜୀବନସାଥୀ ଖୋଜିବା ସମୟରେ କେଉଁ କଥାଗୁଡ଼ିକର ଧ୍ୟାନ ରଖିବା ଜରୁରୀ ?
୩ ଯଦି ଆପଣ ବାହା ହେବା ପାଇଁ ଚାହାନ୍ତି, ତେବେ ଡେଟିଙ୍ଗ୍ କରିବା ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ଏହା ଭାବିବାକୁ ପଡ଼ିବ ଯେ ଆପଣ କିପରି ଜୀବନସାଥୀ ଚାହାନ୍ତି ।c ଯଦି ଆପଣ ଏବିଷୟରେ ଆଗରୁ ଭାବିବେ ନାହିଁ, ତେବେ ହୁଏତ ଆପଣ ଏପରି ବ୍ୟକ୍ତି ସହିତ ଡେଟିଙ୍ଗ୍ କରିବାକୁ ଲାଗିବେ ଯିଏ ଆପଣଙ୍କ ପାଇଁ ଗୋଟିଏ ଭଲ ଜୀବନସାଥୀ ହୋଇପାରିବେ ନାହିଁ । କିମ୍ବା ଏହା ବି ହୋଇପାରେ ଯେ ଯିଏ ଆପଣଙ୍କ ପାଇଁ ଗୋଟିଏ ଭଲ ଜୀବନସାଥୀ ହୋଇପାରିବେ, ଆପଣ ତାଙ୍କ ପ୍ରତି ଧ୍ୟାନ ହିଁ ଦେଉ ନାହାନ୍ତି । ଏହା ନିଶ୍ଚିତ ଯେ ଆପଣ ବାପ୍ତିସ୍ମ ନେଇଥିବା ବ୍ୟକ୍ତି ସହିତ ହିଁ ଡେଟିଙ୍ଗ୍ କରିବେ । (୧ କରି. ୭:୩୯) କିନ୍ତୁ ଗୋଟିଏ କଥାର ଧ୍ୟାନ ରଖନ୍ତୁ: ଯଦି କାହାରି ବାପ୍ତିସ୍ମ ହୋଇଛି, ତାʼଅର୍ଥ ଏହା ନୁହେଁ ଯେ ସେ ଆପଣଙ୍କ ପାଇଁ ଗୋଟିଏ ଭଲ ଜୀବନସାଥୀ ହୋଇପାରିବେ । ତେଣୁ ନିଜକୁ ଏହି ପ୍ରଶ୍ନ ପଚାରନ୍ତୁ: ‘ମୁଁ ଜୀବନରେ କʼଣ କରିବାକୁ ଚାହେଁ, ମୋର ଲକ୍ଷ୍ୟ କʼଣ ? ମୁଁ ଯାହା ସହିତ ବାହା ହେବି, ତାଙ୍କଠାରେ କେଉଁ ଗୁଣଗୁଡ଼ିକ ହେବା ଦରକାର ? କʼଣ ମୁଁ ଅତ୍ୟଧିକ ଆଶା ତ କରୁନି ?’
୪. କିଛି ଭାଇଭଉଣୀ କେଉଁ ବିଷୟରେ ପ୍ରାର୍ଥନା କଲେ ?
୪ ଯଦି ଆପଣ ଜୀବନସାଥୀ ଖୋଜୁଛନ୍ତି, ତାହେଲେ ଏହା ନିଶ୍ଚିତ ଯେ ଆପଣ ଏବିଷୟରେ ପ୍ରାର୍ଥନା କରିଥିବେ । (ଫିଲିପ୍. ୪:୬) ଯିହୋବା ଏ କଥାର ଗ୍ୟାରେଣ୍ଟି ଦିଅନ୍ତି ନାହିଁ ଯେ ତାଙ୍କର ସମସ୍ତ ସେବକମାନଙ୍କୁ ଜୀବନସାଥୀ ମିଳିବ । କିନ୍ତୁ ଏହା ନିଶ୍ଚିତ ଯେ ଯିହୋବା ଆପଣଙ୍କ ଆବଶ୍ୟକତାଗୁଡ଼ିକୁ ବୁଝନ୍ତି, ଆପଣଙ୍କ ଭାବନାକୁ ଭଲଭାବେ ଜାଣନ୍ତି ଏବଂ ଆପଣଙ୍କୁ ଗୋଟିଏ ଭଲ ଜୀବନସାଥୀ ଖୋଜିବା ପାଇଁ ସେ ନିଶ୍ଚୟ ସାହାଯ୍ୟ କରିବେ । ତେଣୁ ଯିହୋବାଙ୍କୁ ସବୁବେଳେ ନିଜର ମନ କଥା ଖୋଲିକି କହନ୍ତୁ । ତାଙ୍କୁ କହନ୍ତୁ ଯେ ଆପଣ କʼଣ ଚାହାନ୍ତି । (ଗୀତ. ୬୨:୮) ତାଙ୍କୁ ବୁଦ୍ଧି ମାଗନ୍ତୁ ଏବଂ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ ମାଗନ୍ତୁ । (ଯାକୁ. ୧:୫) ଆମେରିକାରେ ରହୁଥିବା ଜୋନ୍d କହନ୍ତି ଯେ ସେ କେଉଁ ବିଷୟରେ ପ୍ରାର୍ଥନା କରନ୍ତି: “ମୁଁ ଯିହୋବାଙ୍କୁ କହେ ଯେ ମୋତେ କିପରି ଝିଅ ଦରକାର । ମୁଁ ତାଙ୍କୁ ଗୋଟିଏ ଏପରି ଝିଅ ଖୋଜିବା ପାଇଁ ସାହାଯ୍ୟ ମାଗେ, ଯିଏ ମୋ ପାଇଁ ଗୋଟିଏ ଭଲ ଜୀବନସାଥୀ ହୋଇପାରିବେ । ମୁଁ ଯିହୋବାଙ୍କୁ ଏହା ବି କହେ ଯେ ମୁଁ ଆଗକୁ ଯାଇ ଜଣେ ଭଲ ସ୍ୱାମୀ ହୋଇପାରିବି, ତାʼପାଇଁ ମୋତେ ନିଜଠାରେ ଭଲ ଗୁଣ ବଢ଼ାଇବା ପାଇଁ ସାହାଯ୍ୟ କରନ୍ତୁ ।” ଶ୍ରୀଲଙ୍କାରେ ରହୁଥିବା ତାନ୍ୟା କହନ୍ତି, “ମୁଁ ଜୀବନସାଥୀ ଖୋଜୁଛି, କିନ୍ତୁ ମୁଁ ଯିହୋବାଙ୍କୁ ଏହା ବି ପ୍ରାର୍ଥନା କରେ ଯେ ସେ ମୋତେ ବିଶ୍ୱସ୍ତ ରହିବା, ସଠିକ୍ ଦୃଷ୍ଟିକୋଣ ରଖିବା ଏବଂ ଖୁସି ରହିବା ପାଇଁ ସାହାଯ୍ୟ କରନ୍ତୁ ।” ଯଦି ବର୍ତ୍ତମାନ ଆପଣଙ୍କୁ ଏପରି ଜୀବନସାଥୀ ମିଳୁ ନାହାନ୍ତି ଯେପରି ଆପଣ ଚାହାନ୍ତି, ତେବେ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କୁ ସମ୍ଭାଳିବେ ଏବଂ ଆପଣଙ୍କ ଆବଶ୍ୟକତାଗୁଡ଼ିକୁ ପୂରା କରିବେ, ଯେପରି ସେ ପ୍ରତିଜ୍ଞା କରିଛନ୍ତି ।—ଗୀତ. ୫୫:୨୨.
୫. ଯଦି ଆପଣ ଏପରି ଅବିବାହିତ ଭାଇ କିମ୍ବା ଭଉଣୀଙ୍କୁ ଭେଟିବା ପାଇଁ ଚାହାନ୍ତି ଯିଏ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରନ୍ତି, ତେବେ ଆପଣଙ୍କୁ କʼଣ କରିବାକୁ ପଡ଼ିବ ? (୧ କରିନ୍ଥୀୟ ୧୫:୫୮) (ଚିତ୍ର ମଧ୍ୟ ଦେଖନ୍ତୁ ।)
୫ ବାଇବଲରେ କୁହାଯାଇଛି ଯେ ଆମେ “ପ୍ରଭୁଙ୍କ ସେବାରେ” ଲାଗିରହୁ । (୧ କରିନ୍ଥୀୟ ୧୫:୫୮ ପଢ଼ନ୍ତୁ ।) ଯେବେ ଆପଣ ଯିହୋବାଙ୍କ ସେବା କରିବା ପାଇଁ ଅଧିକରୁ ଅଧିକ ସମୟ ଦେବେ, ତେବେ ଆପଣଙ୍କୁ ଅଲଗା ଅଲଗା ଭାଇଭଉଣୀମାନଙ୍କ ସହିତ କାମ କରିବା ପାଇଁ ସୁଯୋଗ ମିଳିବ ଏବଂ ଏଥିରୁ ଆପଣଙ୍କର ଉତ୍ସାହ ବଢ଼ିବ । କେବଳ ଏତିକି ନୁହେଁ, ଆପଣ ଏପରି ଅବିବାହିତ ଭାଇଭଉଣୀମାନଙ୍କୁ ବି ଭେଟିପାରିବେ ଯେଉଁମାନେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରୁଛନ୍ତି । ଏପରି ଭାବେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବାରୁ ଆପଣ ସତରେ ଖୁସି ରହିପାରିବେ ।
ଯଦି ଆପଣ ଯିହୋବାଙ୍କ ସେବାରେ ଅଧିକରୁ ଅଧିକ ସମୟ ଦେବେ ଏବଂ ଅଲଗା ଅଲଗା ଭାଇଭଉଣୀମାନଙ୍କ ସହିତ ସମୟ ବିତାଇବେ, ତେବେ ହୁଏତ ଆପଣ ଏପରି ଭାଇ କିମ୍ବା ଭଉଣୀଙ୍କୁ ଭେଟିପାରିବେ ଯେଉଁମାନେ ବାହା ହେବା ପାଇଁ ଚାହାନ୍ତି (ପାରାଗ୍ରାଫ ୫)
୬. ଜୀବନସାଥୀ ଖୋଜିବା ସମୟରେ ଆପଣଙ୍କୁ କେଉଁ କଥା ଧ୍ୟାନରେ ରଖିବା ଉଚିତ୍ ?
୬ ମନେରଖନ୍ତୁ ଯେ ଆପଣ ସବୁବେଳେ ଏବିଷୟରେ ଭାବନ୍ତୁ ନାହିଁ ଯେ ଆପଣଙ୍କୁ ଯାହା ହେଲେ ବି ଗୋଟିଏ ଜୀବନସାଥୀ ମିଳିଯାଉ । (ଫିଲିପ୍. ୧:୧୦) ପ୍ରକୃତ ଖୁସି ବାହା ହେବାରେ ନିର୍ଭର କରେନି, ବରଂ ଯିହୋବାଙ୍କ ସହିତ ଗୋଟିଏ ଭଲ ସମ୍ପର୍କ ରଖିବାରେ ନିର୍ଭର କରେ । (ମାଥି. ୫:୩) ଯେବେ ଯାଏ ଆପଣଙ୍କ ବାହା ହୋଇ ନ ଯାଏ, ଆପଣ ଯିହୋବାଙ୍କ ସେବା କରିବାରେ ଅଧିକରୁ ଅଧିକ ସମୟ ଦେଇପାରିବେ । (୧ କରି. ୭:୩୨, ୩୩) ଏହି ସମୟର ଆପଣ ପୂରା ପୂରା ଲାଭ ଉଠାନ୍ତୁ । ଆମେରିକାରେ ରହୁଥିବା ଜେସିକାଙ୍କ ପ୍ରତି ଧ୍ୟାନ ଦିଅନ୍ତୁ । ଯେବେ ତାଙ୍କ ବାହା ହେଲା, ତେବେ ସେ ପ୍ରାୟ ୪୦ ବର୍ଷର ଥିଲେ । ସେ କହନ୍ତି, “ମୁଁ ବାହା ହେବା ପାଇଁ ଚାହୁଁଥିଲି, କିନ୍ତୁ ମୁଁ ସବୁବେଳେ ଏବିଷୟରେ ହିଁ ଭାବୁ ନ ଥିଲି । ମୁଁ ନିଜ ଧ୍ୟାନ ପ୍ରଚାର କାମ କରିବାରେ ଲଗାଇ ରଖିଲି ଏବଂ ଏହା ଯୋଗୁଁ ମୁଁ ଖୁସି ରହିପାରିଲି ।”
ତାଙ୍କୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ
୭. କାହାରିକୁ ଏହା କହିବା ପୂର୍ବେ ଯେ ଆପଣ ତାଙ୍କୁ ପସନ୍ଦ କରନ୍ତି, ତାଙ୍କ ବିଷୟରେ ଜାଣିବା କାହିଁକି ଭଲ ହେବ ? (ହିତୋପଦେଶ ୧୩:୧୬)
୭ ଯଦି ଆପଣଙ୍କୁ ଲାଗେ ଯେ ଆପଣ ପାଇଁ ଗୋଟିଏ ଭଲ ଜୀବନସାଥୀ ମିଳି ଯାଇଛନ୍ତି, ତେବେ ଆପଣ କʼଣ କରିବେ ? କʼଣ ଆପଣଙ୍କୁ ତୁରନ୍ତ ଯାଇ ତାଙ୍କୁ କହିବା ଦରକାର ଯେ ଆପଣ ତାଙ୍କୁ ପସନ୍ଦ କରନ୍ତି ? ବାଇବଲରେ ଲେଖାଅଛି ଯେ ଚତୁର ଲୋକ ବୁଦ୍ଧିରେ କର୍ମ କରେ, ଅର୍ଥାତ୍ ସେ କିଛି କଥାଗୁଡ଼ିକ ବିଷୟରେ ଜାଣିବା ପାଇଁ ଚେଷ୍ଟା କରେ । (ହିତୋପଦେଶ ୧୩:୧୬ ପଢ଼ନ୍ତୁ ।) ତେଣୁ ତୁରନ୍ତ ତାଙ୍କୁ ଯାଇ କହିବା ପରିବର୍ତ୍ତେ ଭଲ ହେବ ଯେ ଆପଣ ଏବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ସେ କିପରି ବ୍ୟକ୍ତି ଅଟନ୍ତି । ନେଦରଲ୍ୟାଣ୍ଡସ୍ରେ ରହୁଥିବା ଏଶ୍ୱିନ କହନ୍ତି ଯେ ଜଣେ ବ୍ୟକ୍ତିଙ୍କ ବିଷୟରେ ଆମ ଚିନ୍ତାଧାରା ବଦଳିପାରେ । ସେ କହନ୍ତି, “ହୁଏତ ଆପଣଙ୍କୁ କେହି ପ୍ରଥମ ଦେଖାରେ ହିଁ ପସନ୍ଦ ଆସିଯାʼନ୍ତି, କିନ୍ତୁ କିଛି ସମୟ ପରେ ହୁଏତ ତାଙ୍କ ପ୍ରତି ଆପଣଙ୍କ ଚିନ୍ତାଧାରା ବଦଳି ଯାଇପାରେ । ତେଣୁ ଟିକେ ସମୟ ନେଇ ତାଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ଆପଣ ଶୀଘ୍ର ଡେଟିଙ୍ଗ୍ କରିବା ଆରମ୍ଭ କରିବେନି ।” ଯେବେ ଆପଣ ଯାହାକୁ ପସନ୍ଦ କରନ୍ତି ତାଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିବେ, ତେବେ ହୁଏତ ଆପଣଙ୍କୁ ଏହା ଅନୁଭବ ହେବ ଯେ ସେ ଆପଣଙ୍କ ପାଇଁ ଭଲ ଜୀବନସାଥୀ ହୋଇପାରିବେନି ।
୮. ଯଦି ଆପଣ କାହାରିକୁ ପସନ୍ଦ କରନ୍ତି, ତେବେ ଆପଣ ତାଙ୍କ ବିଷୟରେ କିପରି ଆହୁରି ଜାଣିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୮ ଯଦି ଆପଣ କାହାରିକୁ ପସନ୍ଦ କରନ୍ତି, ତେବେ ତାଙ୍କ ବିଷୟରେ କିପରି ଜାଣିପାରିବେ ? ସଭାରେ କିମ୍ବା ଅନ୍ୟ ସମୟରେ ଯେବେ ଭାଇଭଉଣୀମାନେ ଏକାଠି ହୁଅନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେ ସେ ଅନ୍ୟମାନଙ୍କ ସହିତ କିପରି ବ୍ୟବହାର କରନ୍ତି ଏବଂ ତାଙ୍କ ସ୍ୱଭାବ କିପରି ଅଛି । କʼଣ ତାଙ୍କ କଥା ଓ କାମଗୁଡ଼ିକରୁ ଜଣାପଡ଼େ ଯେ ତାଙ୍କର ଯିହୋବାଙ୍କ ସହିତ ଭଲ ସମ୍ପର୍କ ଅଛି ? ତାଙ୍କ ସାଙ୍ଗମାନେ କିପରି ଅଟନ୍ତି ଓ ସେ କେଉଁ ବିଷୟଗୁଡ଼ିକରେ କଥା ହୁଅନ୍ତି ? (ଲୂକ ୬:୪୫) ତାଙ୍କର ଲକ୍ଷ୍ୟ କʼଣ ? କʼଣ ତାଙ୍କ ଲକ୍ଷ୍ୟ ଆପଣଙ୍କ ଲକ୍ଷ୍ୟ ସହିତ ମେଳ ଖାଏ ? ଆପଣ ଚାହିଁଲେ ତାଙ୍କ ମଣ୍ଡଳୀର ପ୍ରାଚୀନ କିମ୍ବା ଏପରି ଅନୁଭବୀ ଭାଇଭଉଣୀମାନଙ୍କ ସହିତ କଥା ହୋଇପାରିବେ, ଯେଉଁମାନେ ତାଙ୍କୁ ଭଲଭାବେ ଜାଣନ୍ତି । (ହିତୋ. ୨୦:୧୮) ଆପଣ ସେମାନଙ୍କୁ ପଚାରିପାରିବେ ଯେ ମଣ୍ଡଳୀରେ ତାଙ୍କର କିପରି ନାମ ଅଛି ଏବଂ ତାଙ୍କଠାରେ କେଉଁ ଭଲ ଗୁଣଗୁଡ଼ିକ ରହିଛି । (ରୂତ ୨:୧୧) କିନ୍ତୁ ଧ୍ୟାନ ରଖନ୍ତୁ ଯେ ଆପଣ ତାଙ୍କ ବିଷୟରେ ପ୍ରତ୍ୟେକ ଛୋଟ ଛୋଟ କଥା ଜାଣିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଆଉ ସବୁବେଳେ ତାଙ୍କ ଆଖପାଖରେ ରହନ୍ତୁ ନାହିଁ, ଅର୍ଥାତ୍ ଏପରି କିଛି କରନ୍ତୁ ନାହିଁ ଯାହାଯୋଗୁଁ ତାଙ୍କୁ ଖରାପ ଲାଗିବ ।
କାହାରିକୁ ଏହା କହିବା ପୂର୍ବରୁ ଯେ ଆପଣ ତାଙ୍କୁ ପସନ୍ଦ କରନ୍ତି, ତାଙ୍କ ବିଷୟରେ କିଛି କଥା ଜାଣିବା ପାଇଁ ଚେଷ୍ଟା କରନ୍ତୁ (ପାରାଗ୍ରାଫ ୭-୮)
୯. କାହାରିକୁ ଏହା କହିବା ପୂର୍ବେ ଯେ ଆପଣ ତାଙ୍କୁ ପସନ୍ଦ କରନ୍ତି, ଆପଣଙ୍କୁ କେଉଁ କଥାର ଭରସା ହେବା ଉଚିତ୍ ?
୯ ଯଦି ଆପଣ କାହାରିକୁ ପସନ୍ଦ କରନ୍ତି ଆଉ ତାଙ୍କ ସହିତ ଡେଟିଙ୍ଗ୍ କରିବା ପାଇଁ ଚାହୁଁଛନ୍ତି, ତେବେ ଏବିଷୟରେ ତାଙ୍କୁ କେଉଁ ସମୟରେ କହିବା ଭଲ ରହିବ ? ଯଦି ଆପଣ ତାଙ୍କୁ ତୁରନ୍ତ ଯାଇ କହିଦେବେ, ହେଲେ ତାଙ୍କୁ ଲାଗିପାରେ ଯେ ଆପଣ ବହୁତ ଉତ୍ସୁକ ଅଛନ୍ତି । (ହିତୋ. ୨୯:୨୦) କିନ୍ତୁ ଯଦି ଆପଣ ଡେରି କରିବେ, ତେବେ ତାଙ୍କୁ ଲାଗିପାରେ ଯେ ଆପଣ ଏକଥାକୁ ଏଡ଼ାଉଛନ୍ତି । ତାଙ୍କୁ ଏପରି ବିଶେଷକରି ସେହି ସମୟରେ ଲାଗିପାରିବ, ଯେବେ ସେ ଏକଥାକୁ ବୁଝିଯାଇଥିବେ ଯେ ଆପଣ ତାଙ୍କୁ ପସନ୍ଦ କରନ୍ତି । (ଉପ. ୧୧:୪) ମନେରଖନ୍ତୁ, ଯଦି ଆପଣ କାହାରିକୁ ଏହା କହିବା ପାଇଁ ଚାହାନ୍ତି ଯେ ଆପଣ ତାଙ୍କୁ ପସନ୍ଦ କରନ୍ତି, ତେବେ ତାʼଅର୍ଥ ଏହା ନୁହେଁ ଯେ ଆପଣ ତାଙ୍କ ସହିତ ହିଁ ବାହା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଆପଣଙ୍କୁ ଗୋଟିଏ କଥାର ଭରସା ହେବା ଉଚିତ୍ ଯେ ଆପଣ ବାହା ହେବା ପାଇଁ ଚାହାନ୍ତି ଏବଂ ତାʼପାଇଁ ପୂରାପୂରି ପ୍ରସ୍ତୁତ ଅଛନ୍ତି । ତାʼ ସହିତ ଏ କଥାର ବି ଆପଣଙ୍କୁ ଭରସା ହେବା ଉଚିତ୍ ଯେ ଆପଣ ଯାହାକୁ ପସନ୍ଦ କରନ୍ତି, ସେ ଆପଣଙ୍କ ପାଇଁ ଭଲ ଜୀବନସାଥୀ ହୋଇପାରିବେ ।
୧୦. ଯଦି କେହି ଆପଣଙ୍କୁ ପସନ୍ଦ କରନ୍ତି କିନ୍ତୁ ଆପଣ ତାଙ୍କୁ ପସନ୍ଦ କରନ୍ତି ନାହିଁ, ତେବେ ଆପଣଙ୍କୁ କʼଣ କରିବା ଉଚିତ୍ ?
୧୦ ଯଦି ଆପଣଙ୍କୁ ଲାଗେ ଯେ କେହି ଆପଣଙ୍କୁ ପସନ୍ଦ କରିବାକୁ ଲାଗିଛନ୍ତି, ତେବେ ଆପଣ କʼଣ କରିପାରିବେ ? ଯଦି ଆପଣ ତାଙ୍କୁ ପସନ୍ଦ କରନ୍ତି ନାହିଁ, ତେବେ ନିଜ ବ୍ୟବହାରରୁ ଏହା ସ୍ପଷ୍ଟ ଦେଖାନ୍ତୁ ଯେ ଆପଣଙ୍କୁ ତାଙ୍କ ପ୍ରତି ଆଗ୍ରହ ନାହିଁ । ଯଦି ଆପଣ ଏପରି କରିବେ ନାହିଁ, ତେବେ ହୁଏତ ସେ ବ୍ୟକ୍ତି ଏହା ଭାବିବାକୁ ଲାଗିବ ଯେ ଆପଣ ବି ତାଙ୍କୁ ପସନ୍ଦ କରନ୍ତି । ଆଉ ଏପରି କରିବା ଠିକ୍ ନୁହେଁ, କାରଣ ଆମକୁ କାହାରି ଭାବନାକୁ କଷ୍ଟ ପହଞ୍ଚାଇବା ଉଚିତ୍ ନୁହେଁ ।—୧ କରି. ୧୦:୨୪; ଏଫି. ୪:୨୫.
୧୧. ଯଦି ଆପଣଙ୍କୁ କୌଣସି ଭାଇ କିମ୍ବା ଭଉଣୀ ପାଇଁ ଜୀବନସାଥୀ ଖୋଜିବାକୁ କୁହାଯାଏ, ତେବେ ଆପଣଙ୍କୁ କେଉଁ କଥାଗୁଡ଼ିକୁ ମନେ ରଖିବା ଉଚିତ୍ ?
୧୧ କିଛି ଦେଶଗୁଡ଼ିକରେ ବାପାମାଆ କିମ୍ବା ସମ୍ପର୍କୀୟମାନେ ହିଁ ନିଜ ଅବିବାହିତ ପୁଅ କିମ୍ବା ଝିଅ ପାଇଁ ଜୀବନସାଥୀ ଖୋଜନ୍ତି । ଅନ୍ୟ କିଛି ଦେଶରେ ପରିବାର ଲୋକ କିମ୍ବା ସାଙ୍ଗମାନେ ତାଙ୍କ ପାଇଁ ପ୍ରସ୍ତାବ ଆଣନ୍ତି । ତାʼପରେ ପୁଅ ଓ ଝିଅ ପରସ୍ପର ସହିତ ଭେଟ ହୁଅନ୍ତି ଆଉ ପରସ୍ପରକୁ ଜାଣିବା ପାଇଁ ଚେଷ୍ଟା କରନ୍ତି । ତାʼ ସହିତ ସେମାନେ ଏହା ବି ଜାଣିବା ପାଇଁ ଚେଷ୍ଟା କରନ୍ତି ଯେ ସେମାନେ ପରସ୍ପର ପାଇଁ ଠିକ୍ ରହିବେ ନା ନାହିଁ । ଯଦି ଆପଣଙ୍କୁ କେହି ଭାଇ କିମ୍ବା ଭଉଣୀ ପାଇଁ ଜୀବନସାଥୀ ଖୋଜିବାକୁ କୁହାଯାଏ, ତେବେ ଆପଣ କʼଣ କରିବେ ? ସବୁଠୁ ଆଗ ଆପଣଙ୍କୁ ଏହା ଜାଣିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ ଯେ ପୁଅ ଓ ଝିଅର ପସନ୍ଦ ଓ ନାପସନ୍ଦ କʼଣ ଏବଂ ସେମାନେ କିପରି ଜୀବନସାଥୀ ଚାହାନ୍ତି । ତାʼପରେ ଯେବେ ଆପଣଙ୍କୁ କେହି ଏପରି ଭାଇ କିମ୍ବା ଭଉଣୀ ମିଳନ୍ତି, ଯିଏ ତାଙ୍କ ପାଇଁ ସଠିକ୍ ରହିବେ, ତେବେ ତାଙ୍କର ସ୍ୱଭାବ ଓ ଗୁଣଗୁଡ଼ିକ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ । କିନ୍ତୁ ସବୁଠୁ ବେଶି ଯିହୋବାଙ୍କ ସହିତ ତାଙ୍କର ସମ୍ପର୍କ କିପରି ଅଛି ତାହା ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଜୀବନସାଥୀ ଖୋଜିବା ସମୟରେ ତାଙ୍କ ପାଖରେ କେତେ ପଇସା ଅଛି, ସେ କେତେ ପଢ଼ିଛନ୍ତି କିମ୍ବା ସେ କେଉଁ ପରିବାରରୁ ଆସିଛନ୍ତି ତାହା ଦେଖିବା ପରିବର୍ତ୍ତେ ଏହା ଦେଖିବା ବେଶି ଜରୁରୀ ଯେ ତାଙ୍କର ଯିହୋବାଙ୍କ ସହିତ କିପରି ସମ୍ପର୍କ ଅଛି । ଆଉ ମନେରଖନ୍ତୁ, ଯଦିଓ ଆପଣ ଭଲ ପ୍ରସ୍ତାବ ଆଣିଥିବେ କିନ୍ତୁ ପୁଅ ଓ ଝିଅକୁ ହିଁ ନିଷ୍ପତ୍ତି ନେବା ଉଚିତ୍ ଯେ ସେମାନେ ବାହା ହେବେ ନା ନାହିଁ ।—ଗାଲା. ୬:୫.
ଡେଟିଙ୍ଗ୍ କିପରି ଆରମ୍ଭ କରିବା ?
୧୨. ଯଦି ଆପଣ କାହାରି ସହିତ ଡେଟିଙ୍ଗ୍ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ତାଙ୍କୁ ଏବିଷୟରେ କିପରି କହିପାରିବେ ?
୧୨ ଯଦି ଆପଣ କାହାରିକୁ ପସନ୍ଦ କରନ୍ତି ଏବଂ ତାଙ୍କ ସହିତ ଡେଟିଙ୍ଗ୍ କରିବା ପାଇଁ ଚାହାନ୍ତି, ତେବେ ଆପଣ କʼଣ କରିପାରିବେ ?e ଆପଣ ତାଙ୍କୁ ଫୋନ୍ କରି କିମ୍ବା ତାଙ୍କ ସହିତ ଭେଟି ଏହା ସ୍ପଷ୍ଟ ଭାବେ ତାଙ୍କୁ କହିପାରିବେ ଯେ ଆପଣ ତାଙ୍କୁ ପସନ୍ଦ କରନ୍ତି ଏବଂ ତାଙ୍କୁ ଆହୁରି ଜାଣିବା ପାଇଁ ଚାହାନ୍ତି । (୧ କରି. ୧୪:୯) ଯଦି ସେ ଏବିଷୟରେ ଭାବିବା ପାଇଁ ଟିକେ ସମୟ ମାଗନ୍ତି, ତେବେ ତାଙ୍କୁ ସମୟ ଦିଅନ୍ତୁ । (ହିତୋ. ୧୫:୨୮) ଆଉ ଯଦି ସେ ଡେଟିଙ୍ଗ୍ କରିବାରୁ ମନା କରିଦିଅନ୍ତି, ତେବେ ତାଙ୍କର ନିଷ୍ପତ୍ତିର ଆଦର କରନ୍ତୁ ।
୧୩. ଯଦି କେହି ଆପଣଙ୍କୁ କହନ୍ତି ଯେ ସେ ଆପଣଙ୍କୁ ପସନ୍ଦ କରନ୍ତି ଏବଂ ଡେଟିଙ୍ଗ୍ କରିବା ପାଇଁ ଚାହାନ୍ତି, ତେବେ ଆପଣ କʼଣ କରିବେ ? (କଲସୀୟ ୪:୬)
୧୩ ଭାବନ୍ତୁ ଯେ ଯଦି କେହି ଆସି ଆପଣଙ୍କୁ କହନ୍ତି ଯେ ସେ ଆପଣଙ୍କୁ ପସନ୍ଦ କରନ୍ତି ଏବଂ ଆପଣଙ୍କ ସହିତ ଡେଟିଙ୍ଗ୍ କରିବା ପାଇଁ ଚାହାନ୍ତି, ତେବେ ଆପଣ କʼଣ କରିବେ ? ଏବିଷୟରେ ଭାବନ୍ତୁ ଯେ ଏହା କହିବା ପାଇଁ ତାଙ୍କୁ କେତେ ସାହସର ଦରକାର ପଡ଼ିଥିବ, ତେଣୁ ତାଙ୍କ ସହିତ ପ୍ରେମ ଓ ଆଦରର ସହ କଥା ହୁଅନ୍ତୁ । (କଲସୀୟ ୪:୬ ପଢ଼ନ୍ତୁ ।) ତାଙ୍କୁ ଉତ୍ତର ଦେବା ପୂର୍ବରୁ ଯଦି ଆପଣ ଟିକେ ସମୟ ନେଇ ଭାବିବା ପାଇଁ ଚାହାନ୍ତି, ତାହେଲେ ଏକଥା ତାଙ୍କୁ ଜଣାନ୍ତୁ । କିନ୍ତୁ ଯେତେ ଶୀଘ୍ର ହୋଇପାରେ ତାଙ୍କୁ ଉତ୍ତର ଦିଅନ୍ତୁ । (ହିତୋ. ୧୩:୧୨) ଯଦି ଆପଣ ତାଙ୍କ ସହିତ ଡେଟିଙ୍ଗ୍ କରିବା ପାଇଁ ଚାହାନ୍ତି ନାହିଁ, ତେବେ ତାଙ୍କୁ ପ୍ରେମର ସହ କିନ୍ତୁ ସ୍ପଷ୍ଟ ଭାବେ ଏବିଷୟରେ ଜଣାଇ ଦିଅନ୍ତୁ । ଅଷ୍ଟ୍ରିଆରେ ରହୁଥିବା ହାନ୍ସଙ୍କ ଅନୁଭୂତି ପ୍ରତି ଧ୍ୟାନ ଦିଅନ୍ତୁ । ଯେବେ ଜଣେ ଭଉଣୀ ତାଙ୍କୁ କହିଲେ ଯେ ସେ ତାଙ୍କୁ ପସନ୍ଦ କରନ୍ତି, ତେବେ ଭାଇ କʼଣ କଲେ ? ସେ କହନ୍ତି, “ମୁଁ ତାଙ୍କୁ ପ୍ରେମର ସହ କିନ୍ତୁ ସ୍ପଷ୍ଟ ଭାବେ କହିଲି ଯେ ମୁଁ ତାଙ୍କ ସହିତ ଡେଟିଙ୍ଗ୍ କରିବା ପାଇଁ ଚାହେଁନି । ଆଉ ଏହି କଥା ମୁଁ ଶୀଘ୍ର ତାଙ୍କୁ ଜଣାଇ ଦେଲି, କାରଣ ମୁଁ ଚାହୁଁ ନ ଥିଲି ଯେ ସେ ଏପରି କିଛି ଭାବନ୍ତୁ ଯେ ମୋତେ ତାଙ୍କ ପ୍ରତି ଆଗ୍ରହ ଅଛି । ପରେ ବି ମୋତେ ଏ କଥାର ଧ୍ୟାନ ରଖିବାର ଥିଲା ଯେ ତାଙ୍କ ସହିତ ମୁଁ କିପରି ବ୍ୟବହାର କରୁଛି, ଯାହାଦ୍ୱାରା ତାଙ୍କୁ ଏପରି ନ ଲାଗୁ ଯେ ମୋ ମନରେ ତାଙ୍କ ପ୍ରତି କିଛି ଭାବନା ଅଛି ।” ଅନ୍ୟ ପକ୍ଷରେ ଯଦି ଆପଣ ଡେଟିଙ୍ଗ୍ କରିବା ପାଇଁ ଚାହୁଁଛନ୍ତି, ତେବେ ପରସ୍ପରକୁ ନିଜର ଭାବନା ବିଷୟରେ କହନ୍ତୁ ଏବଂ ଡେଟିଙ୍ଗ୍ କରିବା ସମୟରେ ଆପଣ ପରସ୍ପରଠାରୁ କʼଣ ଆଶା କରନ୍ତି, ସେବିଷୟରେ ବି ଜଣାନ୍ତୁ । ଏପରି କରିବା ଏଥିପାଇଁ ଭଲ ରହିବ କାରଣ ଅଲଗା ପରିବେଶ ଓ ସଂସ୍କୃତି ଯୋଗୁଁ ସେମାନଙ୍କ ଭାବନା ବି ପରସ୍ପରଠାରୁ ଅଲଗା ହୋଇପାରେ ।
ଅନ୍ୟ ଭାଇଭଉଣୀମାନେ କିପରି ସାହାଯ୍ୟ କରିବେ ?
୧୪. ଆମେ ଅବିବାହିତ ଭାଇ କିମ୍ବା ଭଉଣୀଙ୍କ କିପରି ସାହାଯ୍ୟ କରିପାରିବା ?
୧୪ ମଣ୍ଡଳୀର ଭାଇଭଉଣୀମାନେ ସେହି ଯୁବା ଭାଇଭଉଣୀମାନଙ୍କର କିପରି ସାହାଯ୍ୟ କରିପାରିବେ, ଯେଉଁମାନେ ବାହା ହେବା ପାଇଁ ଚାହାନ୍ତି ? ଗୋଟିଏ ଉପାୟ ହେଉଛି, ତାଙ୍କ ସହିତ ଭାବିଚିନ୍ତି କଥା ହେବା । (ଏଫି. ୪:୨୯) ଆମେ ନିଜକୁ ପଚାରିପାରିବା, ‘ଯେଉଁମାନେ ବାହା ହେବା ପାଇଁ ଭାବୁଛନ୍ତି କʼଣ ମୁଁ ସବୁବେଳେ ସେମାନଙ୍କୁ ଚିଡ଼ାଉ ଥାଏ ? ଯେବେ ମୁଁ ମଣ୍ଡଳୀର କୌଣସି ପୁଅ ଓ ଝିଅକୁ କଥା ହେବାର ଦେଖେ, ତେବେ କʼଣ ମୁଁ ଏପରି ଭାବେ ଯେ ସେମାନଙ୍କ ମଧ୍ୟରେ କିଛି ଚାଲିଛି ?’ (୧ ତୀମ. ୫:୧୩) ତାʼଛଡ଼ା ଆପଣଙ୍କୁ ଏ କଥାର ବି ଧ୍ୟାନ ରଖିବା ଉଚିତ୍ ଯେ ଆପଣ ଅବିବାହିତ ଭାଇ କିମ୍ବା ଭଉଣୀଙ୍କୁ ଏପରି କିଛି କହନ୍ତୁ ନାହିଁ, ଯେଉଁଥିରୁ ସେମାନଙ୍କୁ ଲାଗିପାରେ ଯେ ବାହା ନ ହେଲେ ସେମାନେ ଯେପରି ଖୁସିରେ ରହିପାରିବେ ନାହିଁ । ହାନ୍ସ କହନ୍ତି, “କିଛି ଭାଇଭଉଣୀ କହନ୍ତି, ‘ତମେ ବାହା କାହିଁକି ହେଉ ନ ? ଯଦି ବାହା ହେବାର ବୟସ ଚାଲିଯିବ, ତାହେଲେ ପ୍ରସ୍ତାବ ମିଳିବା ଆହୁରି କଷ୍ଟ ହୋଇଯିବ ।’ ଏପରି କଥାଗୁଡ଼ିକ ଅବିବାହିତ ଭାଇଭଉଣୀମାନଙ୍କୁ ଦୁଃଖ ପହଞ୍ଚାଇପାରେ ଏବଂ ସେମାନେ ଭାବିବାକୁ ଲାଗିପାରିବେ ଯେ ସେମାନଙ୍କୁ ଶୀଘ୍ର ବାହା ହୋଇଯିବା ଉଚିତ୍ ।” ଏପରି କଥାଗୁଡ଼ିକ କହିବା ପରିବର୍ତ୍ତେ ଆପଣ ସେହି ଅବିବାହିତ ଭାଇଭଉଣୀମାନଙ୍କର ଉତ୍ସାହ ବଢ଼ାଇପାରିବେ ।—୧ ଥେସ. ୫:୧୧.
୧୫. (କ) ଯଦି ଆପଣ କାହାରି ପାଇଁ ଜୀବନସାଥୀ ଖୋଜିବା ପାଇଁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ କେଉଁ କଥାର ଧ୍ୟାନ ରଖିବା ଉଚିତ୍ ? (ରୋମୀୟ ୧୫:୨) (ଚିତ୍ର ମଧ୍ୟ ଦେଖନ୍ତୁ ।) (ଖ) ଆପଣ ଭିଡିଓରୁ କʼଣ ଶିଖିଲେ ? (ଫୁଟନୋଟ୍ ଦେଖନ୍ତୁ ।)
୧୫ ଯଦି ଆପଣଙ୍କୁ ଲାଗେ ଯେ କୌଣସି ଭାଇ ଓ ଭଉଣୀ ପରସ୍ପର ପାଇଁ ଭଲ ଜୀବନସାଥୀ ହୋଇପାରିବେ, ତେବେ ଆପଣଙ୍କୁ କʼଣ କରିବା ଉଚିତ୍ ? ବାଇବଲରେ କୁହାଯାଇଛି ଯେ ଆମକୁ ଅନ୍ୟମାନଙ୍କ ଭାବନାର ଆଦର କରିବା ଉଚିତ୍ । (ରୋମୀୟ ୧୫:୨ ପଢ଼ନ୍ତୁ ।) ଅନେକ ଅବିବାହିତ ଭାଇଭଉଣୀମାନେ ଚାହାନ୍ତିନି ଯେ ତାଙ୍କ ପାଇଁ ଅନ୍ୟମାନେ ଜୀବନସାଥୀ ଖୋଜନ୍ତୁ ଆଉ ଆମକୁ ତାଙ୍କ ନିଷ୍ପତ୍ତିର ଆଦର କରିବା ଉଚିତ୍ । (୨ ଥେସ. ୩:୧୧) ଆଉ କିଛି ଭାଇଭଉଣୀମାନେ ଚାହାନ୍ତି ଯେ ଅନ୍ୟମାନେ ସେମାନଙ୍କୁ ସାହାଯ୍ୟ କରନ୍ତୁ । କିନ୍ତୁ ଯେଉଁ ପର୍ଯ୍ୟନ୍ତ ସେ ଆପଣଙ୍କଠାରୁ ସାହାଯ୍ୟ ମାଗି ନାହାନ୍ତି, ଆପଣ ତାଙ୍କ ପାଇଁ ଜୀବନସାଥୀ ଖୋଜିବା ଉଚିତ୍ ନୁହେଁ ।f (ହିତୋ. ୩:୨୭) ଆଉ କିଛି ଅବିବାହିତ ଭାଇଭଉଣୀମାନେ ଚାହାଁନ୍ତିନି ଯେ କେହି ତାଙ୍କୁ ସିଧାସଳଖ କାହାରି ସହିତ ଭେଟ କରାନ୍ତୁ । ଏପରି ହେଲେ ଆପଣ କʼଣ କରିପାରିବେ ? ଜର୍ମାନୀରେ ରହୁଥିବା ଜଣେ ଅବିବାହିତ ଭଉଣୀ ଲିଡିୟା କହନ୍ତି, “ଆପଣ ମଣ୍ଡଳୀର ଅନ୍ୟ ସାଙ୍ଗମାନଙ୍କ ସହ ମିଶି କିଛି କରିବା ପାଇଁ ଯୋଜନା କରିପାରିବେ ଓ ସେହି ଭାଇ ଓ ଭଉଣୀଙ୍କୁ ବି ଡାକିପାରିବେ । ଏପରି ଭାବେ ସେମାନଙ୍କୁ ପରସ୍ପର ସହିତ ଭେଟିବାର ସୁଯୋଗ ମିଳିବ ଆଉ ତାʼପରେ ସେମାନେ କʼଣ କରିବେ, ତାହା ସେମାନଙ୍କ ଉପରେ ଛାଡ଼ି ପାରିବେ ।”
ଯେବେ ମଣ୍ଡଳୀର ଭାଇଭଉଣୀମାନେ ସାଙ୍ଗରେ ମିଶି କିଛି କରନ୍ତି, ତେବେ ଅବିବାହିତ ଭାଇ ଓ ଭଉଣୀମାନଙ୍କୁ ପରସ୍ପର ସହିତ ଭେଟିବାର ସୁଯୋଗ ମିଳେ (ପାରାଗ୍ରାଫ ୧୫)
୧୬. ଅବିବାହିତ ଭାଇଭଉଣୀମାନେ କେଉଁ କଥା ମନେ ରଖିପାରିବେ ?
୧୬ ଆମେ ଅବିବାହିତ ରହୁ ବା ବିବାହିତ, ଆମେ ସମସ୍ତେ ଖୁସିରେ ରହିପାରିବା ! (ଗୀତ. ୧୨୮:୧) ଯଦି ଆପଣ ବାହା ହେବା ପାଇଁ ଚାହାନ୍ତି, କିନ୍ତୁ ଏବେ ଯାଏ ଆପଣଙ୍କୁ କେହି ମିଳି ନାହାନ୍ତି, ତେବେ ଆପଣ ଯିହୋବାଙ୍କ ସେବା କରିବା ଜାରି ରଖନ୍ତୁ । ମକାଉରେ ରହୁଥିବା ଜଣେ ଭଉଣୀ ସିନୟି କହନ୍ତି, “ନୂଆ ଦୁନିଆରେ ଆପଣ ନିଜ ଜୀବନସାଥୀ ସହିତ ଯେତେ ସମୟ ରହିବେ, ତାʼ ତୁଳନାରେ ଆଜି ଆପଣ ଯେତେ ସମୟ ଅବିବାହିତ ରହିବେ, ତାହା କିଛି ବି ନୁହେଁ । ତେଣୁ ଯେବେ ଯାଏ ଆପଣଙ୍କ ବାହା ହୋଇନି, ଆପଣ ସମୟର ଭଲ ବ୍ୟବହାର କରନ୍ତୁ । କାରଣ ଏହି ସୁଯୋଗ ଆପଣଙ୍କୁ ପୁଣିଥରେ ମିଳିବନି ।” କିନ୍ତୁ ଯଦି ଆପଣ କାହାରିକୁ ପସନ୍ଦ କରନ୍ତି ଆଉ ଡେଟିଙ୍ଗ୍ କରିବା ଆରମ୍ଭ କରିଦେଇଛନ୍ତି, ତେବେ ଆପଣ ସଠିକ୍ ନିଷ୍ପତ୍ତି ନେବା ପାଇଁ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିପାରିବେ ? ପରବର୍ତ୍ତୀ ଲେଖାରେ ଆମେ ଏହି ବିଷୟରେ ଆଲୋଚନା କରିବା ।
ଗୀତ ୧୩୭ ୱଫାଦାର୍ ଔରତେଁ, ମସିହି ବହନେଁ
a ଆପଣ ବାହା ହେବା ପାଇଁ ପୂରାପୂରି ପ୍ରସ୍ତୁତ ଅଛନ୍ତି ନା ନାହିଁ, ଏହା ଜାଣିବା ପାଇଁ jw.org ୱେବସାଇଟ୍ରେ ଦିଆଯାଇଥିବା ଲେଖା “ଡେଟିଙ୍ଗ୍—ଭାଗ ୧: କ୍ୟା ମେ ଡେଟିଙ୍ଗ୍ କେ ଲିଏ ତୈୟାର ହୁଁ?” (ହିନ୍ଦୀ) ପଢ଼ନ୍ତୁ ।
b ଏହାର ଅର୍ଥ କʼଣ ? ଏହି ଲେଖାରେ ଓ ପରବର୍ତ୍ତୀ ଲେଖାରେ ଯେଉଁ ଜାଗାରେ ବି “ଡେଟିଙ୍ଗ୍” ବିଷୟରେ କୁହାଯାଇଛି, ତାʼଅର୍ଥ ହେଉଛି ଯେ ବାହା ହେବା ଉଦ୍ଦେଶ୍ୟରେ କାହାରି ସହିତ ଚିହ୍ନା ପରିଚୟ ହେବା କିମ୍ବା ପରସ୍ପର ସହିତ ଭେଟିବା । ଡେଟିଙ୍ଗ୍ କରିବା ସମୟରେ ପୁଅ ଓ ଝିଅ ଏହା ଜାଣିବା ପାଇଁ ଚେଷ୍ଟା କରନ୍ତି ଯେ କʼଣ ସେମାନେ ପରସ୍ପର ପାଇଁ ଭଲ ଜୀବନସାଥୀ ହୋଇପାରିବେ ନା ନାହିଁ । ଡେଟିଙ୍ଗ୍ କରିବା ସେସମୟରେ ଆରମ୍ଭ ହୁଏ ଯେବେ ଜଣେ ପୁଅ ଓ ଝିଅ ପରସ୍ପରକୁ ଏବିଷୟରେ କହନ୍ତି ଯେ ସେମାନେ ପରସ୍ପରକୁ ପସନ୍ଦ କରନ୍ତି । ଡେଟିଙ୍ଗ୍ କରିବା ସେସମୟ ଯାଏ ଚାଲେ ଯେବେ ଯାଏ ସେମାନେ ଏହା ନିଷ୍ପତ୍ତି ନିଅନ୍ତିନି ଯେ ସେମାନେ ବାହା ହେବେ ନା ନାହିଁ ।
c ଏହି ଲେଖାରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକରୁ ଅବିବାହିତ ଭାଇ ଓ ଭଉଣୀ ଉଭୟଙ୍କୁ ଲାଭ ହୋଇପାରିବ ।
d ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।
e ଅନେକ ଜାଗାରେ ଏପରି ହୁଏ ଯେ ଜଣେ ଭାଇ ଜଣେ ଭଉଣୀଙ୍କୁ କହନ୍ତି ଯେ ସେ ତାଙ୍କୁ ପସନ୍ଦ କରନ୍ତି ଏବଂ ତାଙ୍କ ସହିତ ଡେଟିଙ୍ଗ୍ କରିବା ପାଇଁ ଚାହାନ୍ତି । କିନ୍ତୁ ଜଣେ ଭଉଣୀ ମଧ୍ୟ ଜଣେ ଭାଇଙ୍କୁ କହିପାରିବେ ଯେ ସେ ତାଙ୍କୁ ପସନ୍ଦ କରନ୍ତି । (ରୂତ ୩:୧-୧୩) ଏବିଷୟରେ ଆହୁରି ଜାଣିବା ପାଇଁ “ଯୁବକଯୁବତୀମାନଙ୍କ ପ୍ରଶ୍ନ” ସିରିଜ୍ରେ ଦିଆଯାଇଥିବା ଲେଖା “How Can I Tell Him How I Feel?” ପଢ଼ନ୍ତୁ । ଏହି ଲେଖା ୨୨ ଅକ୍ଟୋବର, ୨୦୦୪ର ସଜାଗ ହୁଅ ! (ଇଂରାଜୀରେ) ଆସିଥିଲା ।
f jw.org ୱେବସାଇଟ୍ରେ ଦିଆଯାଇଥିବା ଭିଡିଓ ସେମାନେ ବିଶ୍ୱାସ ଯୋଗୁଁ ପ୍ରାଣପଣରେ ଯୁଦ୍ଧ କରୁଛନ୍ତି—ଯେଉଁମାନଙ୍କ ବିବାହ ହୋଇ ନାହିଁ ଦେଖନ୍ତୁ ।