ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ମେ ପୃଷ୍ଠା ୨୬-୩୧
  • ଡେଟିଙ୍ଗ୍‌ କଲାବେଳେ କିପରି ଭଲ ନିଷ୍ପତ୍ତି ନେଇପାରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଡେଟିଙ୍ଗ୍‌ କଲାବେଳେ କିପରି ଭଲ ନିଷ୍ପତ୍ତି ନେଇପାରିବା ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଡେଟିଙ୍ଗ୍‌ କରିବାର ଉଦ୍ଦେଶ୍ୟ
  • ପରସ୍ପରକୁ ଭଲଭାବେ ଜାଣନ୍ତୁ
  • ଧ୍ୟାନ ଦେବା ପାଇଁ କିଛି କଥା
  • ଅନ୍ୟ ଭାଇଭଉଣୀମାନେ କିପରି ସାହାଯ୍ୟ କରିପାରିବେ ?
  • ଭଲ ଜୀବନସାଥୀ ଖୋଜିବା ପାଇଁ କʼଣ କରିବା ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଏପରି ନିଷ୍ପତ୍ତି ନିଅନ୍ତୁ, ଯେଉଁଥିରୁ ଯିହୋବା ଖୁସି ହେବେ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ମେ ପୃଷ୍ଠା ୨୬-୩୧

ଅଧ୍ୟୟନ ଲେଖା ୨୨

ଗୀତ ୧୨୭ ୟହୋୱା ଚାହେ ଜୈସା, ବନୁଁ ମୈ ୱୈସା

ଡେଟିଙ୍ଗ୍‌ କଲାବେଳେ କିପରି ଭଲ ନିଷ୍ପତ୍ତି ନେଇପାରିବା ?

‘ହୃଦୟ ବହୁମୂଲ୍ୟ ଥାଏ ।’—୧ ପିତ. ୩:୪.

କʼଣ ଶିଖିବା ?

ଡେଟିଙ୍ଗ୍‌ କଲାବେଳେ ଜଣେ ପୁଅ ଓ ଝିଅ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିବେ ଓ ମଣ୍ଡଳୀର ଭାଇଭଉଣୀମାନେ କିପରି ସେମାନଙ୍କର ସାହାଯ୍ୟ କରିପାରିବେ ?

୧-୨. ଡେଟିଙ୍ଗ୍‌ ବିଷୟରେ କିଛି ଭାଇଭଉଣୀମାନେ କʼଣ କହନ୍ତି ?

ଯେବେ ଜଣେ ପୁଅ ଓ ଝିଅ ଡେଟିଙ୍ଗ୍‌ କରନ୍ତି, ତେବେ ଏହା ସେମାନଙ୍କ ପାଇଁ ବହୁତ ଖୁସିଭରା ସମୟ ଥାଏ । ଯଦି ଆପଣ ଏବେ ଡେଟିଙ୍ଗ୍‌ କରୁଛନ୍ତି, ତେବେ ଆପଣ ବି ଚାହିଁବେ ଯେ ଆପଣଙ୍କ ଡେଟିଙ୍ଗ୍‌ର ସମୟ ଖୁସିରେ ବିତୁ । ଅନେକ ଲୋକମାନଙ୍କର ଏପରି ହିଁ ଅନୁଭବ ରହିଛି । ଇଥିଓପିଆରେ ରହୁଥିବା ଜଣେ ଭଉଣୀ ସିଆନଙ୍କa ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ କହନ୍ତି, “ଯେବେ ମୁଁ ଓ ମୋ ସ୍ୱାମୀ ଡେଟିଙ୍ଗ୍‌ କରୁଥିଲୁ, ସେସମୟରେ ମୁଁ ବହୁତ ଖୁସି ଥିଲି । ଆମେ ଅନେକ ଜରୁରୀ ବିଷୟରେ କଥା ହେଲୁ, ତାʼସହ ଆମେ ମିଶି ହସ ମଜା ବି କଲୁ । ଯେବେ ମୋତେ ଅନୁଭବ ହେଲା ଯେ ମୋତେ ମୋ ଜୀବନସାଥୀ ମିଳିଯାଇଛି ଆଉ ସେ ବି ମୋତେ ବହୁତ ପ୍ରେମ କରେ, ତେବେ ମୋର ଖୁସିର ସୀମା ନ ଥିଲା ।”

୨ କିନ୍ତୁ ଡେଟିଙ୍ଗ୍‌ ବିଷୟରେ ନେଦରଲ୍ୟାଣ୍ଡସ୍‌ରେ ରହୁଥିବା ଜଣେ ଭାଇ ଅଲେଶୋଙ୍କ ଅନୁଭୂତି ଅଲଗା ଥିଲା । ସେ କହନ୍ତି, “ଯେବେ ମୁଁ ମୋ ସ୍ତ୍ରୀ ସହିତ ଡେଟିଙ୍ଗ୍‌ କରୁଥିଲି, ସେସମୟରେ ମୋତେ ବହୁତ ଭଲ ଲାଗୁଥିଲା, ମୁଁ ବହୁତ ଖୁସି ଥିଲି । କିନ୍ତୁ ଆମକୁ କିଛି ସମସ୍ୟାଗୁଡ଼ିକର ସାମନା ବି କରିବାକୁ ପଡ଼ିଲା ।” ଏହି ଲେଖାରେ ଆମେ ଜାଣିବା ଯେ ଡେଟିଙ୍ଗ୍‌ କଲାବେଳେ କେଉଁ କେଉଁ ସମସ୍ୟା ଆସିପାରେ ଓ ଭଲ ନିଷ୍ପତ୍ତି ନେବା ପାଇଁ ଜଣେ ପୁଅ ଓ ଝିଅ, ବାଇବଲର କେଉଁ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିପାରିବେ । ଆମେ ଏହା ବି ଜାଣିବା ଯେ ମଣ୍ଡଳୀର ଭାଇଭଉଣୀମାନେ କିପରି ତାଙ୍କୁ ସାହାଯ୍ୟ କରିପାରିବେ ।

ଡେଟିଙ୍ଗ୍‌ କରିବାର ଉଦ୍ଦେଶ୍ୟ

୩. ଡେଟିଙ୍ଗ୍‌ କରିବାର ଉଦ୍ଦେଶ୍ୟ କʼଣ ହେବା ଉଚିତ୍‌ ? (ହିତୋପଦେଶ ୨୦:୨୫)

୩ ଡେଟିଙ୍ଗ୍‌ର ସମୟ ବହୁତ ମଜାଦାର ଥାଏ, କିନ୍ତୁ ଆମକୁ ଏହା ସାଧାରଣ କଥା ଭାବିବା ଉଚିତ୍‌ ନୁହଁ । ଏପରି କାହିଁକି ? କାରଣ ଡେଟିଙ୍ଗ୍‌ କରିବା ଦ୍ୱାରା ଜଣେ ପୁଅ ଓ ଝିଅ ନିଷ୍ପତ୍ତି ନିଅନ୍ତି ଯେ ସେମାନେ ବିବାହ କରିବେ ନା ନାହିଁ । ଆଉ ଯଦି ସେମାନେ ବିବାହ କରିବାର ନିଷ୍ପତ୍ତି ନିଅନ୍ତି, ତେବେ ସେମାନଙ୍କୁ ପ୍ରତିଜ୍ଞା କରିବାକୁ ପଡ଼େ ଯେ ସେମାନେ ସାରା ଜୀବନ ସାଙ୍ଗରେ ବଞ୍ଚିବେ, ପରସ୍ପରକୁ ପ୍ରେମ କରିବେ ଓ ପରସ୍ପରର ଆଦର କରିବେ । ଯିହୋବାଙ୍କ ନିକଟରେ ଏହି ପ୍ରତିଜ୍ଞା କରିବା ଗୋଟିଏ ଜରୁରୀ ବିଷୟ ଅଟେ । ବାଇବଲରେ କୁହାଯାଇଛି ଯେ କୌଣସି ପ୍ରତିଜ୍ଞା କରିବା ପୂର୍ବରୁ ସେବିଷୟରେ ଭଲଭାବରେ ଭାବିବା ଉଚିତ୍‌ । (ହିତୋପଦେଶ ୨୦:୨୫ ପଢ଼ନ୍ତୁ ।) ଯେବେ କେହି ପୁଅ ଓ ଝିଅ ଡେଟିଙ୍ଗ୍‌ କରନ୍ତି, ତେବେ ସେମାନଙ୍କୁ ପରସ୍ପରକୁ ଭଲଭାବରେ ଜାଣିବାର ସୁଯୋଗ ମିଳେ ଓ ପରେ ସେମାନେ ଭଲ ନିଷ୍ପତ୍ତି ନେଇପାରନ୍ତି । କେତେକ ପୁଅ ଓ ଝିଅ ହୁଏତ ବିବାହ କରିବାର ନିଷ୍ପତ୍ତି ନେବେ କିନ୍ତୁ ଆଉ କେତେକ ଡେଟିଙ୍ଗ୍‌ କରିବା ବନ୍ଦ କରିଦେବେ । ଯଦି ସେମାନେ ନିଷ୍ପତ୍ତି ନିଅନ୍ତି ଯେ ସେମାନଙ୍କୁ ପରସ୍ପର ସହ ଡେଟିଙ୍ଗ୍‌ କରିବା ବନ୍ଦ କରିଦେବା ଉଚିତ୍‌, ତାହେଲେ ଏହା ଭୁଲ ନୁହଁ । ଆମକୁ ଏହା ବୁଝିବା ଜରୁରୀ ଯେ ଡେଟିଙ୍ଗ୍‌ର ଉଦ୍ଦେଶ୍ୟ ପୂରା ହୋଇଯାଇଛି । ସେମାନେ ପରସ୍ପରକୁ ଭଲଭାବେ ଜାଣି ସାରିଛନ୍ତି ଆଉ ଏହା ବି ବୁଝିଯାଇଛନ୍ତି ଯେ ସେମାନେ ପରସ୍ପର ପାଇଁ ଭଲ ଜୀବନସାଥୀ ହୋଇପାରିବେ ନା ନାହିଁ ।

୪. ଆମେ କାହିଁକି ଡେଟିଙ୍ଗ୍‌ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିବା ଉଚିତ୍‌ ?

୪ ଆମ ସମସ୍ତଙ୍କୁ ଡେଟିଙ୍ଗ୍‌ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିବା ଉଚିତ୍‌ । କାରଣ ଯଦି ଜଣେ ପୁଅ ଓ ଝିଅ ଡେଟିଙ୍ଗ୍‌ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିବେ, ତାହେଲେ ସେମାନେ ଏପରି ବ୍ୟକ୍ତି ସହିତ ଡେଟିଙ୍ଗ୍‌ କରିବେ ନାହିଁ, ଯାହା ସହିତ ସେମାନେ ବିବାହ କରିବା ପାଇଁ ଭାବି ନାହାନ୍ତି । ଏବିଷୟରେ କେବଳ ଅବିବାହିତ ଲୋକମାନଙ୍କ ନୁହେଁ, ବରଂ ଆମ ସମସ୍ତଙ୍କୁ ସଠିକ୍‌ ଦୃଷ୍ଟିକୋଣ ରଖିବା ଉଚିତ୍‌ । ଯେପରି, କିଛି ଲୋକମାନେ ଭାବନ୍ତି ଯେ ଯଦି ଜଣେ ପୁଅ ଓ ଝିଅ ଡେଟିଙ୍ଗ୍‌ କରୁଛନ୍ତି, ତାହେଲେ ସେମାନଙ୍କୁ ବିବାହ କରିବାକୁ ହିଁ ପଡ଼ିବ । ଏପରି ଦୃଷ୍ଟିକୋଣ ଅବିବାହିତ ଲୋକମାନଙ୍କ ଉପରେ କିପରି ପ୍ରଭାବ ପକାଏ ? ଆମେରିକାରେ ରହୁଥିବା ଜଣେ ଅବିବାହିତ ଭଉଣୀ, ମଲିସା କହନ୍ତି, “କିଛି ଭାଇଭଉଣୀମାନେ ଭାବନ୍ତି ଯେ ଯେଉଁମାନେ ଡେଟିଙ୍ଗ୍‌ କରନ୍ତି ସେମାନଙ୍କୁ ବିବାହ କରିବାକୁ ହିଁ ପଡ଼ିବ । ଏହି କାରଣ ଯୋଗୁଁ ଅନେକଥର ଏପରି ହୁଏ ଯେ ଜଣେ ପୁଅ ଓ ଝିଅ ଡେଟିଙ୍ଗ୍‌ କରିବା ବନ୍ଦ କରିବା ପାଇଁ ଚାହାନ୍ତି, କିନ୍ତୁ ଲୋକଙ୍କ ଡର ଯୋଗୁଁ ସେମାନେ ଏପରି କରିପାରନ୍ତି ନାହିଁ । ଆଉ କିଛି ଭାଇଭଉଣୀ କାହାରି ସହ ଡେଟିଙ୍ଗ୍‌ କରିବା ପାଇଁ ଚାହାନ୍ତି ହିଁ ନାହିଁ । ମୁଁ କହିପାରିବି ନାହିଁ ଯେ ଏହା ଭାବି ପୁଅ ଓ ଝିଅମାନଙ୍କୁ କେତେ ଚିନ୍ତା ହୁଏ ।”

ପରସ୍ପରକୁ ଭଲଭାବେ ଜାଣନ୍ତୁ

୫-୬. ଯେଉଁମାନେ ଡେଟିଙ୍ଗ୍‌ କରୁଛନ୍ତି, ସେମାନଙ୍କୁ ପରସ୍ପର ବିଷୟରେ କʼଣ ଜାଣିବା ଉଚିତ୍‌ ? (୧ ପିତର ୩:୪)

୫ ଯଦି ଆପଣ କାହାରି ସହ ଡେଟିଙ୍ଗ୍‌ କରୁଛନ୍ତି, ତାହେଲେ ଆପଣ କିପରି ନିଷ୍ପତ୍ତି ନେଇପାରିବେ ଯେ ଆପଣ ତାଙ୍କୁ ବିବାହ କରିବେ ନା ନାହିଁ ? ପରସ୍ପରକୁ ଭଲଭାବେ ଜାଣନ୍ତୁ । ଡେଟିଙ୍ଗ୍‌ କରିବା ପୂର୍ବରୁ ହୁଏତ ଆପଣ ତାଙ୍କ ବିଷୟରେ କିଛି କଥା ଜାଣିଥିବେ, କିନ୍ତୁ ଏବେ ଆପଣଙ୍କ ପାଖରେ ଏହି ସୁଯୋଗ ଅଛି ଯେ ଆପଣ ତାଙ୍କ “ହୃଦୟର” କଥା ଜାଣନ୍ତୁ ଆଉ ଏହା ବି ଜାଣନ୍ତୁ ଯେ ସେ ପ୍ରକୃତରେ କିପରି ବ୍ୟକ୍ତି ଅଟନ୍ତି । ଯେପରି, ଯିହୋବାଙ୍କ ସହ ତାଙ୍କ ସମ୍ପର୍କ କିପରି ଅଛି, ତାଙ୍କ ସ୍ୱଭାବ କିପରି ଓ ତାଙ୍କର ଚିନ୍ତାଧାରା କିପରି । (୧ ପିତର ୩:୪ ପଢ଼ନ୍ତୁ ।) କିଛି ସମୟ ପରେ ଆପଣଙ୍କୁ ଏପରି ପ୍ରଶ୍ନଗୁଡ଼ିକର ଉତ୍ତର ମିଳିଯିବ: ‘କʼଣ ସେ ମୋର ଭଲ ଜୀବନସାଥୀ ହେବେ ?’ (ହିତୋ. ୩୧:୨୬, ୨୭, ୩୦; ଏଫି. ୫:୩୩; ୧ ତୀମ. ୫:୮) ‘କʼଣ ଆମେ ପରସ୍ପରର ଭାବନାକୁ ବୁଝିପାରିବା ଓ ପରସ୍ପରର ଯତ୍ନ ନେଇପାରିବା ? କʼଣ ଆମେ ପରସ୍ପରର ଦୁର୍ବଳତା ସହ ବଞ୍ଚିପାରିବା ?’b (ରୋମୀ. ୩:୨୩) ଆପଣ ଦୁହେଁ ବିବାହର ବନ୍ଧନରେ ବାନ୍ଧି ହୋଇ ରହିପାରିବେ ନା ନାହିଁ, ଏହା ଆପଣ କିପରି ଜାଣିପାରିବେ ? କେବଳ ଏହା ଦେଖନ୍ତୁ ନାହିଁ ଯେ ଆପଣ ଦୁଇଜଣଙ୍କର କେଉଁ କଥା ପରସ୍ପର ସହ ମେଳ ଖାଏ, ବରଂ ଏହା ବି ଦେଖିବା ପାଇଁ ଚେଷ୍ଟା କରନ୍ତୁ ଯେ କʼଣ ଆପଣ ଦୁହେଁ ପରସ୍ପରର ପସନ୍ଦ ନାପସନ୍ଦକୁ ଆପଣାଇବା ପାଇଁ ପ୍ରସ୍ତୁତ ଅଛନ୍ତି ।

୬ ଆପଣ ଯାହା ସହ ଡେଟିଙ୍ଗ୍‌ କରୁଛନ୍ତି, ତାଙ୍କ ବିଷୟରେ ଆପଣଙ୍କୁ କେଉଁ କେଉଁ କଥା ଜାଣିବା ଉଚିତ୍‌ ? ତାଙ୍କୁ ଭଲ ପାଇବା ପୂର୍ବରୁ ଆପଣ କିଛି ଜରୁରୀ ମାମଲାଗୁଡ଼ିକ ବିଷୟରେ କଥା ହୋଇପାରିବେ । ଯେପରି, ତାଙ୍କର ଲକ୍ଷ୍ୟ କʼଣ ? ଭବିଷ୍ୟତରେ ସେ କʼଣ କରିବାକୁ ଚାହାନ୍ତି ? ତାʼସହ ଆପଣ କିଛି ବ୍ୟକ୍ତିଗତ ମାମଲାଗୁଡ଼ିକ ବିଷୟରେ କଥା ହୋଇପାରିବେ । ଯେପରି, କʼଣ ତାଙ୍କୁ କୌଣସି ରୋଗ କିମ୍ବା ଟଙ୍କାର ଅଭାବ ତ ନାହିଁ ? କʼଣ କୌଣସି ଖରାପ ସ୍ମୃତି ଯୋଗୁଁ ସେ ଏବେ ବି ଚିନ୍ତିତ ଅଛନ୍ତି ? ଏକଥାଗୁଡ଼ିକ ଜାଣିବା ବହୁତ ଜରୁରୀ, କିନ୍ତୁ ଏପରି ଭାବନ୍ତୁ ନାହିଁ ଯେ ଏସବୁ ଡେଟିଙ୍ଗ୍‌ର ଆରମ୍ଭରେ କଥା ହେବା ଉଚିତ୍‌ । (ଯୋହନ ୧୬:୧୨ ସହ ତୁଳନା କରନ୍ତୁ ।) ଯଦି ଆପଣ ଦୁହେଁଙ୍କ ମଧ୍ୟରେ ଜଣେ କେହି ଏପରି ପ୍ରଶ୍ନ କରନ୍ତି ଯାହାର ଉତ୍ତର ଆପଣ ସେସମୟରେ ଦେବା ପାଇଁ ଚାହାନ୍ତି ନାହିଁ, ତାହେଲେ ଆପଣ ତାଙ୍କୁ କହିପାରିବେ ଯେ ଆପଣ ଏବିଷୟରେ ପରେ କଥା ହେବେ । କିନ୍ତୁ ଏହା ବି ମନେରଖନ୍ତୁ ଯେ ବିବାହ ପୂର୍ବରୁ ଏବିଷୟରେ କଥା ହେବା ବହୁତ ଜରୁରୀ ।

୭. ଯେଉଁମାନେ ଡେଟିଙ୍ଗ୍‌ କରୁଛନ୍ତି, ସେମାନେ ପରସ୍ପରକୁ କିପରି ଜାଣିପାରିବେ ? (“ଯଦି ଆପଣ ପରସ୍ପରଠାରୁ ଦୂରରେ ରହନ୍ତି, ତାହେଲେ ଡେଟିଙ୍ଗ୍‌ କିପରି କରିବେ ?” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୭ ଆପଣ କିପରି ଜାଣିପାରିବେ ଯେ ଆପଣ ଯାହାଙ୍କ ସହ ଡେଟିଙ୍ଗ୍‌ କରୁଛନ୍ତି, ସେ ପ୍ରକୃତରେ କିପରି ବ୍ୟକ୍ତି ଅଟନ୍ତି ? ପରସ୍ପର ସହ ଖୋଲିକି କଥା ହୁଅନ୍ତୁ, କିଛି ବି ଲୁଚାନ୍ତୁ ନାହିଁ । ପରସ୍ପରକୁ କିଛି ପ୍ରଶ୍ନ ପଚାରନ୍ତୁ ଓ ଧ୍ୟାନର ସହ ଶୁଣନ୍ତୁ । (ହିତୋ. ୨୦:୫; ଯାକୁ. ୧:୧୯) ଆପଣ ଚାହିଁଲେ ଏବିଷୟରେ ଜାଣିବା ପାଇଁ ତାଙ୍କ ସହ ମିଶି କିଛି କାମ କରିପାରିବେ, ଏପରି କଲେ ଆପଣଙ୍କୁ ପରସ୍ପର ସହ କଥା ହେବା ପାଇଁ ସୁଯୋଗ ମିଳିପାରେ । ଆପଣ ସାଙ୍ଗରେ ମିଶି ଖାଇପାରିବେ, କୁଆଡ଼େ ବୁଲିବା ପାଇଁ ଯାଇପାରିବେ କିମ୍ବା ପ୍ରଚାର କରିପାରିବେ । ଯେବେ ଆପଣ ନିଜ ସାଙ୍ଗ ଓ ପରିବାର ଲୋକଙ୍କ ସହ ସମୟ ବିତାଉ ଥାʼନ୍ତି, ତେବେ ବି ଆପଣ ପରସ୍ପରକୁ ଭଲଭାବେ ଜାଣିପାରିବେ । ଏହା ବ୍ୟତୀତ, ସାଙ୍ଗରେ ମିଶି ଏପରି କିଛି କାମ କରନ୍ତୁ, ଯେଉଁଥିରେ ଆପଣ ଦେଖିପାରିବେ ଯେ ସେ ଭିନ୍ନ ଭିନ୍ନ ପରିସ୍ଥିତିରେ ଆଉ ଅଲଗା ଅଲଗା ଲୋକଙ୍କ ସହ କିପରି ବ୍ୟବହାର କରନ୍ତି । ନେଦରଲ୍ୟାଣ୍ଡରେ ରହୁଥିବା ଏଶ୍ୱିନଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଧ୍ୟାନ ଦିଅନ୍ତୁ ଯେ ଏଲିଶାଙ୍କ ସହ ଡେଟିଙ୍ଗ୍‌ କରିବା ବେଳେ ସେ କʼଣ କଲେ । ସେ କହନ୍ତି, “ଆମେ ପରସ୍ପରକୁ ଜାଣିବା ପାଇଁ ସାଙ୍ଗରେ ମିଶି ଛୋଟ ଛୋଟ କାମ କରୁଥିଲୁ । ପ୍ରାୟ ଆମେ ସାଙ୍ଗରେ ମିଶି କିଛି ଖାଇବା ତିଆରି କରୁଥିଲୁ କିମ୍ବା ଘରର କିଛି କାମ କରୁଥିଲୁ । ଏପରି ଭାବରେ ଆମେ ପରସ୍ପରର ଭଲ ଗୁଣଗୁଡ଼ିକୁ ଓ ଦୁର୍ବଳତାଗୁଡ଼ିକୁ ଜାଣିପାରିଲୁ ।”

ଚିତ୍ରଗୁଡ଼ିକ: ୧. ଡେଟିଙ୍ଗ୍‌ କରୁଥିବା ପୁଅ ଓ ଝିଅ କଫି ପିଇବା ପାଇଁ ଯାଇଛନ୍ତି ଓ ସାଙ୍ଗରେ ବସି କଥା ହେଉଛନ୍ତି । ୨. ଡେଟିଙ୍ଗ୍‌ କରୁଥିବା ଆଉ ଜଣେ ପୁଅ ଓ ଝିଅ ଗୋଟିଏ ପାର୍ଟିରେ ସାଙ୍ଗରେ ମିଶି କିଛି ଖାଇବା ପାଇଁ ତିଆରି କରୁଛନ୍ତି । ୩. ଜଣେ ଭାଇ ଓ ଭଉଣୀ ଭିଡିଓ କଲ୍‌ରେ ପରସ୍ପର ସହ କଥା ହେଉଛନ୍ତି । ସେମାନେ jw.orgରେ “What Can I Expect From Marriage?—Part ୧” ନାମକ ଲେଖା ପଢ଼ୁଛନ୍ତି ଓ ତାʼ ଉପରେ ଚର୍ଚ୍ଚା କରୁଛନ୍ତି । ଭାଇଙ୍କ ପାଖରେ ବାଇବଲ ଖୋଲା ଅଛି ।

ଯଦି ଆପଣ ଦୁହେଁ ସାଙ୍ଗରେ ମିଶି ଏପରି କିଛି କରିବେ ଯାହାଯୋଗୁଁ ଆପଣଙ୍କୁ କଥାବାର୍ତ୍ତା ହେବା ପାଇଁ ସୁଯୋଗ ମିଳିବ, ତେବେ ଆପଣ ପରସ୍ପରକୁ ଭଲଭାବେ ଜାଣିପାରିବେ (ପାରାଗ୍ରାଫ ୭-୮)


ଯଦି ଆପଣ ପରସ୍ପରଠାରୁ ଦୂରରେ ରହନ୍ତି, ତାହେଲେ ଡେଟିଙ୍ଗ୍‌ କିପରି କରିବେ ?

ଯଦି ଆପଣ ପରସ୍ପରଠାରୁ ଦୂରରେ ରହନ୍ତି ଓ ଫୋନ୍‌ କିମ୍ବା ଭିଡିଓ କଲ୍‌ ଜରିଆରେ କଥା ହୁଅନ୍ତି, ତାହେଲେ ବି ଆପଣ ଏହି ଲେଖାରେ ଦିଆଯାଇଥିବା ପରାମର୍ଶକୁ ମାନିପାରିବେ । ଆପଣ ମନଖୋଲି ପରସ୍ପର ସହ କଥା ହୋଇପାରିବେ ଓ ପରସ୍ପରର ଧ୍ୟାନର ସହ ଶୁଣିପାରିବେ । କିଛି କଥାଗୁଡ଼ିକ ଏପରି ଥାଏ ଯାହା ଆପଣ ଫୋନ୍‌ କିମ୍ବା ଭିଡିଓ କଲ୍‌ ଜରିଆରେ ଜାଣିପାରିବେ ନାହିଁ, ବରଂ ଆପଣ ସେହି ବ୍ୟକ୍ତି ପାଖରେ ଥିଲେ ହିଁ ଜାଣିପାରିବେ । ତେଣୁ ଭଲ ହେବ ଯେ ଆପଣ ପରସ୍ପରକୁ ଭେଟିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କୁ ଆଉ କିଛି କଥା ଉପରେ ବି ଧ୍ୟାନ ଦେବାକୁ ପଡ଼ିବ । ଯେପରି, ଆପଣ ଯାହା ସହ ଡେଟିଙ୍ଗ୍‌ କରୁଛନ୍ତି, କʼଣ ଆପଣ ତାଙ୍କ ଦେଶ କିମ୍ବା ଜାଗାକୁ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି ? କʼଣ ଆପଣ ସେଠାର ଭାଷା ଓ ସଂସ୍କୃତି ଆପଣାଇପାରିବେ ? କʼଣ ଆପଣଙ୍କ ପାଖରେ ଏତେ ଟଙ୍କା ଅଛି ଯେ ଆପଣ ଡେଟିଙ୍ଗ୍‌ କଲାବେଳେ ତାଙ୍କ ସହ ଭେଟିବା ପାଇଁ ଯାଇପାରିବେ ? ଆଉ କʼଣ ବିବାହ ପରେ ବି ଆପଣ ଦୁହେଁ ନିଜ ପରିବାର ଓ ସାଙ୍ଗମାନଙ୍କୁ ଭେଟିବା ପାଇଁ ଯାଇପାରିବେ ?—ଲୂକ ୧୪:୨୮.

୮. ସାଙ୍ଗରେ ମିଶି ଅଧ୍ୟୟନ କଲେ କʼଣ ଲାଭ ହେବ ?

୮ ପରସ୍ପରକୁ ଭଲଭାବେ ଜାଣିବା ପାଇଁ ଆପଣ ସାଙ୍ଗରେ ମିଶି ବାଇବଲର କୌଣସି ବିଷୟ ଉପରେ ଅଧ୍ୟୟନ କରିପାରିବେ । ଦେଖିବାକୁ ଗଲେ, ଯଦି ଆପଣ ଆଗକୁ ବିବାହ କରିବେ, ତାହେଲେ ବି ଈଶ୍ୱରଙ୍କୁ ଆପଣଙ୍କ ବନ୍ଧନର ତ୍ରିଗୁଣ ରଜ୍ଜୁ କରିବା ପାଇଁ ପାରିବାରିକ ଉପାସନା କରିବାକୁ ହିଁ ପଡ଼ିବ । (ଉପ. ୪:୧୨) ତେଣୁ ଭଲ ହେବ ଯେ ଆପଣ ଏବେଠାରୁ ହିଁ ଅଧ୍ୟୟନ କରିବା ପାଇଁ ସମୟ ବାହାର କରନ୍ତୁ । ଆମେ ଏହା ବୁଝିପାରୁ ଯେ ଆପଣ ଦୁହେଁ ଏବେ ସ୍ୱାମୀ ସ୍ତ୍ରୀ ହୋଇ ନାହାନ୍ତି ଆଉ ସେହି ଭାଇ ମୁଖିଆ ହୋଇ ନାହାନ୍ତି, ତଥାପି ସାଙ୍ଗରେ ମିଶି ଅଧ୍ୟୟନ କଲେ ଆପଣ ଜାଣିପାରିବେ ଯେ ଆପଣ ଦୁହେଁଙ୍କ ଯିହୋବାଙ୍କ ସହ କିପରି ସମ୍ପର୍କ ଅଛି । ଆମେରିକାରେ ରହୁଥିବା ମ୍ୟାକ୍ସ ଆଉ ଲିସା କହନ୍ତି ଯେ ଏପରି କରି ତାଙ୍କୁ ଆହୁରି ଗୋଟିଏ ଲାଭ ହେଲା । ମ୍ୟାକ୍ସ କହନ୍ତି, “ଯେବେ ଆମେ ଡେଟିଙ୍ଗ୍‌ କରିବା ପାଇଁ ଆରମ୍ଭ ହିଁ କରିଥିଲୁ, ତେବେ ଆମେ ଏପରି ପ୍ରକାଶନଗୁଡ଼ିକର ଅଧ୍ୟୟନ କଲୁ ଯେଉଁଥିରେ ଡେଟିଙ୍ଗ୍‌, ବିବାହ ଓ ପାରିବାରିକ ଜୀବନ ଭଳି ବିଷୟଗୁଡ଼ିକରେ କୁହାଯାଇଥିଲା । ଏପରି କରିବା ଦ୍ୱାରା ଯେଉଁ ଜରୁରୀ ବିଷୟରେ କଥା ହେବା ଆମ ପାଇଁ କଠିନ ହୁଅନ୍ତା, ତାହା ବି ଆମେ ମନଖୋଲି କଥା ହୋଇପାରିଲୁ ।”

ଧ୍ୟାନ ଦେବା ପାଇଁ କିଛି କଥା

୯. ଡେଟିଙ୍ଗ୍‌ ବିଷୟରେ କାହାକୁ କହିବା, ଏହାର ନିଷ୍ପତ୍ତି ନେବା ସମୟରେ ଜଣେ ପୁଅ ଓ ଝିଅ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିପାରିବେ ?

୯ ଆପଣ କାହାକୁ କହିପାରିବେ ଯେ ଆପଣ ଡେଟିଙ୍ଗ୍‌ କରୁଛନ୍ତି ? ଆପଣ ଦୁହେଁ ମିଶି ଏହା ନିଷ୍ପତ୍ତି ନେଇପାରିବେ । ଆରମ୍ଭରେ ଆପଣ ଚାହିଁଲେ କିଛି ଲୋକଙ୍କୁ ଏବିଷୟରେ କହିପାରିବେ । (ହିତୋ. ୧୭:୨୭) ଏପରି କଲେ ଆପଣଙ୍କୁ ଅଧିକ ଲୋକଙ୍କ ସହ ଏବିଷୟରେ କଥା ହେବା ପାଇଁ ଦରକାର ପଡ଼ିବ ନାହିଁ । ତାʼସହ ଏହା ବି ଚିନ୍ତା ଲାଗି ରହିବ ନାହିଁ ଯେ ଯେତେ ଶୀଘ୍ର ହୋଇପାରେ କୌଣସି ନିଷ୍ପତ୍ତି ନେବାର ହିଁ ଅଛି । କିନ୍ତୁ ଯଦି ଆପଣ କାହାରିକୁ କହିବେ ନାହିଁ ଯେ ଆପଣ ଡେଟିଙ୍ଗ୍‌ କରୁଛନ୍ତି, ତେବେ ହୁଏତ ଆପଣଙ୍କୁ ଏହା ଡର ଲାଗି ରହିବ ଯେ ଲୋକମାନଙ୍କୁ ଏବିଷୟରେ ଜଣାପଡ଼ି ନ ଯାଉ । ଆଉ ତାʼଯୋଗୁଁ ହୁଏତ ଆପଣ ଲୁଚି ଲୁଚି ଭେଟିବାକୁ ଲାଗିପାରନ୍ତି । ଏପରି କରିବା ବିପଦପୂର୍ଣ୍ଣ ହୋଇପାରେ । ସେଥିପାଇଁ ଭଲ ହେବ ଯେ ଆପଣ ଏବିଷୟରେ ସେହି ଲୋକମାନଙ୍କୁ କହନ୍ତୁ, ଯେଉଁମାନେ ଆପଣଙ୍କୁ ଭଲ ପରାମର୍ଶ ଦେଇପାରିବେ ଓ ଆପଣଙ୍କୁ ସାହାଯ୍ୟ କରିପାରିବେ । (ହିତୋ. ୧୫:୨୨) ଯେପରି, ଆପଣ ନିଜ ପରିବାରର କିଛି ଲୋକମାନଙ୍କୁ, ସାଙ୍ଗମାନଙ୍କୁ କିମ୍ବା ପ୍ରାଚୀନଙ୍କୁ କହିପାରିବେ ।

୧୦. ଡେଟିଙ୍ଗ୍‌ କରିବା ସମୟରେ ଜଣେ ପୁଅ ଓ ଝିଅ କିପରି ଶୁଦ୍ଧ ଚାଲିଚଳନ ବଜାୟ ରଖିପାରିବେ ? (ହିତୋପଦେଶ ୨୨:୩)

୧୦ ଆପଣ ଡେଟିଙ୍ଗ୍‌ କଲାବେଳେ କିପରି ଶୁଦ୍ଧ ଚାଲିଚଳନ ବଜାୟ ରଖିପାରିବେ ? ଆପଣ ଯେପରି ଭାବରେ ପରସ୍ପରକୁ ଜାଣିବାକୁ ଲାଗିବେ, ସେପରି ହିଁ ଆପଣ ପରସ୍ପରକୁ ଭଲ ପାଇବାକୁ ଲାଗିବେ । ଏପରି ସମୟରେ ଆପଣ କିପରି ଧ୍ୟାନ ଦେଇପାରିବେ ଯେ ଆପଣ କୌଣସି ଭୁଲ କାମ ନ କରନ୍ତୁ ଓ ଭଲ ଚାଲିଚଳନ ବଜାୟ ରଖନ୍ତୁ ? (୧ କରି. ୬:୧୮) ପରସ୍ପର ଭିତରେ ଖରାପ କଥା କହନ୍ତୁ ନାହିଁ, କେବେ ବି ଏକୁଟିଆ ରହନ୍ତୁ ନାହିଁ ଓ ଅଧିକ ମଦ ପିଅନ୍ତୁ ନାହିଁ । (ଏଫି. ୫:୩) ଯଦି ଆପଣ ଏସବୁକୁ ଧ୍ୟାନ ଦେବେ ନାହିଁ, ତାହେଲେ ଆପଣଙ୍କ ଭିତରେ ଖରାପ ଇଚ୍ଛା ଆସିପାରେ ଓ ଶୁଦ୍ଧ ଚାଲିଚଳନ ବଜାୟ ରଖିବା କଷ୍ଟକର ହୋଇପାରେ । ବେଳେବେଳେ ଆପଣ ଦୁହେଁ ଏବିଷୟରେ ଚର୍ଚ୍ଚା କରନ୍ତୁ ଯେ ଆପଣ କେଉଁ ବିଷୟଗୁଡ଼ିକରେ ଧ୍ୟାନ ଦେବେ ଆଉ କିପରି ନିଜର ଚାଲିଚଳନ ଶୁଦ୍ଧ ରଖିବେ । (ହିତୋପଦେଶ ୨୨:୩ ପଢ଼ନ୍ତୁ ।) ଧ୍ୟାନ ଦିଅନ୍ତୁ ଯେ ଇଥିଓପିଆରେ ରହୁଥିବା ଭାଇ ଡାୱିଟ୍‌ ଓ ତାଙ୍କ ସ୍ତ୍ରୀ ଆଲମାଜ୍‌ କʼଣ କଲେ । ସେମାନେ କହନ୍ତି, “ଆମେ ସବୁବେଳେ ଏହି କଥା ଉପରେ ଧ୍ୟାନ ଦେଲୁ ଯେ ଆମେ କେବେ ବି ଏକୁଟିଆ ନ ରହୁ, ଯାହାଫଳରେ ଆମ ଦ୍ୱାରା କୌଣସି ଭୁଲ ହୋଇ ନ ଯାଉ । ଯେବେ ବି ଆମେ ପରସ୍ପର ସହ ସମୟ ବିତାଉ ଥିଲୁ, ସେସମୟରେ ଆମ ସହ କୌଣସି ସାଙ୍ଗ କିମ୍ବା ଅନ୍ୟ କେହି ରହୁଥିଲେ । ଆମେ କେବେ ବି କାରରେ ଏକୁଟିଆ ଯାଉ ନ ଥିଲୁ, ଏପରିକି ଘରେ ବି ଏକୁଟିଆ ରହୁ ନ ଥିଲୁ ।”

୧୧. ନିଜ ପ୍ରେମ ଦେଖାଇବା ମାମଲାରେ ପୁଅ ଓ ଝିଅ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିପାରିବେ ?

୧୧ ଯଦି ଆପଣଙ୍କ କଥା ଆଗକୁ ବଢ଼ିବାକୁ ଲାଗେ, ତାହେଲେ ହୁଏତ ଆପଣ କିଛି ଉପାୟରେ ନିଜ ପ୍ରେମ ଦେଖାଇବା ପାଇଁ ଚାହିଁବେ । ସୀମା ଭିତରେ ରହି ଏପରି କରିବା ଠିକ୍‌ ବି ଅଟେ । (ପଗୀ. ୧:୨; ୨:୬) କିନ୍ତୁ ଏପରି କରିବା ସମୟରେ ଯଦି ଆପଣଙ୍କ ଭିତରେ ଯୌନ ଇଚ୍ଛା ବଢ଼େ, ତାହେଲେ ହୋଇପାରେ ଆପଣ ସେହି ବ୍ୟକ୍ତି ବିଷୟରେ ଠିକ୍‌ ଭାବରେ ଭାବିପାରିବେ ନାହିଁ, ଆଉ ଭାବନାରେ ଆସି ଭୁଲ ନିଷ୍ପତ୍ତି ନେଇପାରିବେ । ଏହା ବି ହୋଇପାରେ ଯେ ଆପଣ ନିଜକୁ କାବୁରେ ରଖିପାରିବେ ନାହିଁ ଓ ଖରାପ କାମ କରିଦେବେ । (ହିତୋ. ୬:୨୭) ସେଥିପାଇଁ ଆରମ୍ଭରେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ପରସ୍ପରକୁ କିପରି ପ୍ରେମ ଦେଖାଇବେ ଓ କିପରି ନାହିଁ ।c (୧ ଥେସ. ୪:୩-୭) ଆପଣ ଦୁହେଁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ବିଷୟରେ ଭାବିପାରିବେ: ‘ଯଦି ଆମେ ପରସ୍ପର ପାଇଁ ଏପରି ପ୍ରେମ ଦେଖାଇବା, ତାହେଲେ ଆମ ବିଷୟରେ ଲୋକ କʼଣ କହିବେ ? କʼଣ ଏପରି କରିବା ଦ୍ୱାରା ଆମ ଦୁହେଁଙ୍କ ମଧ୍ୟରେ କାହାରି ଯୌନ ଇଚ୍ଛା ବଢ଼ୁଛି ?’

୧୨. ଯେବେ ସମସ୍ୟା ଆସେ କିମ୍ବା ପୁଅ ଓ ଝିଅ କୌଣସି କଥାରେ ରାଜି ହୁଅନ୍ତି ନାହିଁ, ତେବେ ସେମାନଙ୍କୁ କେଉଁ କଥା ମନେ ରଖିବା ଉଚିତ୍‌ ?

୧୨ ଯେବେ ସମସ୍ୟା ଆସେ ବା କୌଣସି କଥାରେ ଆପଣ ଦୁହେଁ ରାଜି ହୁଅନ୍ତି ନାହିଁ, ତାହେଲେ କʼଣ କରିପାରିବେ ? ବେଳେବେଳେ ଯଦି ଆପଣ ଦୁହେଁ କୌଣସି କଥାରେ ରାଜି ହୁଅନ୍ତି ନାହିଁ, ତାହେଲେ ଏହାର ଅର୍ଥ ନୁହେଁ ଯେ ଆପଣ ପରସ୍ପର ପାଇଁ ଭଲ ସ୍ୱାମୀ ସ୍ତ୍ରୀ ହୋଇପାରିବେ ନାହିଁ । କାରଣ ସମସ୍ତଙ୍କ ସହ ଏପରି ହୋଇଥାଏ । କିନ୍ତୁ ଆଜି ଆପଣ ଯେପରି ଭାବରେ ସମସ୍ୟାଗୁଡ଼ିକୁ ସମାଧାନ କରନ୍ତି, ସେଥିରୁ ଜଣାପଡ଼େ ଯେ ବିବାହ ପରେ ବି ଆପଣ କʼଣ କରିବେ ଓ ଆପଣଙ୍କର ସମ୍ପର୍କ କିପରି ହେବ । ଆପଣ ଦୁହିଁଙ୍କ ମତ ପରସ୍ପରଠାରୁ ଭିନ୍ନ ହୋଇପାରେ, କିନ୍ତୁ ମନେରଖନ୍ତୁ ବିବାହର ସମ୍ପର୍କ ତେବେ ଦୃଢ଼ ହୁଏ ଯେବେ ଆପଣ ନିଜ ଜୀବନ ସାଥି ସହ ମିଶି କୌଣସି ନିଷ୍ପତ୍ତି ନିଅନ୍ତି । ସେଥିପାଇଁ ସାଙ୍ଗରେ ମିଶି ଏବିଷୟରେ ଭାବନ୍ତୁ, ‘କʼଣ ଆମେ ଶାନ୍ତିରେ ମିଶି ମାମଲାଗୁଡ଼ିକୁ ସମାଧାନ କରୁ ଓ ପରସ୍ପରର ଆଦର କରୁ ? କʼଣ ଆମେ ନିଜ ଦୁର୍ବଳତାଗୁଡ଼ିକୁ ସୁଧାରିବା ପାଇଁ ଚେଷ୍ଟା କରୁ ? କʼଣ ଆମେ ପରସ୍ପରର କଥା ମାନିବା ପାଇଁ ରାଜି ହେଉ, କ୍ଷମା ମାଗୁ ଓ ପରସ୍ପରକୁ କ୍ଷମା କରୁ ?’ (ଏଫି. ୪:୩୧, ୩୨) କିନ୍ତୁ ଯଦି ଆପଣ ପରସ୍ପରର କଥାରେ ରାଜି ହୁଅନ୍ତି ନାହିଁ ଆଉ ନିଜ କଥାରେ ହିଁ ଅଡ଼ି ରହନ୍ତି, ତାହେଲେ ଏପରି ଭାବନ୍ତୁ ନାହିଁ ଯେ ବିବାହ ପରେ ସବୁକିଛି ଠିକ୍‌ ହୋଇଯିବ । ଯଦି ଆପଣଙ୍କୁ ଲାଗେ ଯେ ଯାହା ସହ ଆପଣ ଡେଟିଙ୍ଗ୍‌ କରୁଛନ୍ତି, ସେ ଆପଣଙ୍କ ଭଲ ଜୀବନସାଥୀ ହୋଇପାରିବ ନାହିଁ, ତାହେଲେ ଆପଣ ଦୁହିଁଙ୍କ ପାଇଁ ଏହା ଭଲ ହେବ ଯେ ଆପଣ ଡେଟିଙ୍ଗ୍‌ କରିବା ବନ୍ଦ କରିଦିଅନ୍ତୁ ।d

୧୩. କେତେ ସମୟ ଯାଏ ଡେଟିଙ୍ଗ୍‌ କରିବା ଉଚିତ୍‌, ଏହାର ନିଷ୍ପତ୍ତି ନେବା ସମୟରେ ପୁଅ ଓ ଝିଅ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିପାରିବେ ?

୧୩ ଆପଣଙ୍କୁ କେତେ ସମୟ ଯାଏ ଡେଟିଙ୍ଗ୍‌ କରିବା ଉଚିତ୍‌ ? ତରତର ହୋଇ ନିଷ୍ପତ୍ତି ନେଲେ ଅନେକଥର ଖରାପ ପରିଣାମ ହୋଇଥାଏ । (ହିତୋ. ୨୧:୫) ଆପଣ ଯେବେ ଯାଏ ପରସ୍ପରକୁ ଜାଣି ନାହାନ୍ତି, ତେବେ ଯାଏ ଆପଣଙ୍କୁ ଡେଟିଙ୍ଗ୍‌ କରିବା ଉଚିତ୍‌ । କିନ୍ତୁ ତାʼଅର୍ଥ ଏହା ନୁହେଁ ଯେ ଆପଣ ଲମ୍ବା ସମୟ ଯାଏ ଡେଟିଙ୍ଗ୍‌ କରିବା ଜାରି ରଖିବେ ଓ କୌଣସି ନିଷ୍ପତ୍ତି ନେବେ ନାହିଁ । ବାଇବଲରେ ଲେଖାଅଛି, “ଆଶାସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ ।” (ହିତୋ. ୧୩:୧୨) ତାʼଛଡ଼ା, ଯଦି ଆପଣ ଲମ୍ବା ସମୟ ଧରି ଡେଟିଙ୍ଗ୍‌ କରିବା ଜାରି ରଖିବେ, ତାହେଲେ ଯୌନ ଇଚ୍ଛାଗୁଡ଼ିକୁ କାବୁ କରିବା କଷ୍ଟକର ହୋଇପାରେ । (୧ କରି. ୭:୯) ତେଣୁ କେତେ ସମୟ ଯାଏ ଡେଟିଙ୍ଗ୍‌ କରିବେ ଏବିଷୟରେ ଚିନ୍ତା କରିବା ପରିବର୍ତ୍ତେ ନିଜକୁ ପଚାରନ୍ତୁ, ‘ତାଙ୍କ ବିଷୟରେ ମୋତେ ଆଉ କʼଣ ଜାଣିବା ବାକି ରହିଛି, ଯାହାଫଳରେ ମୁଁ ନିଷ୍ପତ୍ତି ନେଇପାରିବି ଯେ ମୁଁ ତାଙ୍କୁ ବିବାହ କରିପାରିବି ନା ନାହିଁ ?’

ଅନ୍ୟ ଭାଇଭଉଣୀମାନେ କିପରି ସାହାଯ୍ୟ କରିପାରିବେ ?

୧୪. ମଣ୍ଡଳୀର ଭାଇଭଉଣୀମାନେ କିପରି ସେମାନଙ୍କୁ ସାହାଯ୍ୟ କରିପାରିବେ, ଯେଉଁମାନେ ଡେଟିଙ୍ଗ୍‌ କରୁଛନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ଯଦି ଆପଣ ଜାଣନ୍ତି ଯେ ଜଣେ ପୁଅ ଓ ଝିଅ ଡେଟିଙ୍ଗ୍‌ କରୁଛନ୍ତି, ତାହେଲେ ଆପଣ କିପରି ତାଙ୍କୁ ସାହାଯ୍ୟ କରିପାରିବେ ? ଆପଣ ସେମାନଙ୍କୁ ଖାଇବା ପାଇଁ କିମ୍ବା ପାରିବାରିକ ଉପାସନା ପାଇଁ ଡାକିପାରିବେ କିମ୍ବା ସାଙ୍ଗରେ ମିଶି ମନୋରଞ୍ଜନ କରିପାରିବେ । (ରୋମୀ. ୧୨:୧୩) ଯେବେ ଆପଣ ସେମାନଙ୍କୁ ଡାକିବେ, ତେବେ ସେମାନଙ୍କୁ ପରସ୍ପରକୁ ଆହୁରି ଭଲଭାବେ ଜାଣିବା ପାଇଁ ସୁଯୋଗ ମିଳିବ । ତାʼଛଡ଼ା, ଯଦି ସେମାନେ କୁଆଡ଼େ ବୁଲିବାକୁ ଯିବା ପାଇଁ ଚାହାନ୍ତି କିମ୍ବା ସାଙ୍ଗରେ ମିଶି ଗାଡ଼ିରେ ଯିବା ପାଇଁ ଚାହାନ୍ତି, ତାହେଲେ ଆପଣ ସେମାନଙ୍କ ସହ ଯାଇପାରିବେ କିମ୍ବା ସେମାନେ ଏକୁଟିଆରେ କଥା ହେବା ପାଇଁ ଚାହାନ୍ତି, ତାହେଲେ ଆପଣ ସେମାନଙ୍କୁ ନିଜ ଘରେ ଡାକିପାରିବେ । (ଗାଲା. ୬:୧୦) ଏଲିଶା, ଯାହା ବିଷୟରେ ଆମେ ପୂର୍ବରୁ କଥା ହୋଇଥିଲୁ, ସେ କହନ୍ତି ଯେ ତାଙ୍କୁ ଓ ତାଙ୍କ ସ୍ୱାମୀ ଏଶ୍ୱିନଙ୍କୁ କେଉଁ କଥା ବହୁତ ଭଲ ଲାଗିଲା । ସେ କହନ୍ତି, “କିଛି ଭାଇଭଉଣୀ ଆମକୁ କହିଲେ ଯେ ତମକୁ ଯେବେ ବି ଏକୁଟିଆରେ ପରସ୍ପର ସହ କଥା ହେବା ପାଇଁ ଇଚ୍ଛା ହୁଏ, ତେବେ ତମେ ଆମ ଘରକୁ ଆସିପାର । ଏହା ଶୁଣି ଆମକୁ ବହୁତ ଭଲ ଲାଗିଲା ।” ତେଣୁ ଯେବେ କୌଣସି ପୁଅ ଓ ଝିଅ ଆପଣଙ୍କୁ କହନ୍ତି ଯେ ସେମାନେ ପରସ୍ପର ସହ କଥା ହେବା ପାଇଁ ଚାହାନ୍ତି ଓ ଆପଣ ସେମାନଙ୍କ ସାଙ୍ଗରେ ରହନ୍ତୁ, ତେବେ ଭାବନ୍ତୁ ଯେ ଏହା ଆପଣଙ୍କ ସାଙ୍ଗକୁ ସାହାଯ୍ୟ କରିବାର ଗୋଟିଏ ଭଲ ସୁଯୋଗ ମିଳିଛି । ଏ କଥାକୁ ବି ଧ୍ୟାନରେ ରଖନ୍ତୁ ଯେ ସେମାନେ ସବୁବେଳେ ଏପରି ଜାଗାରେ ଥାʼନ୍ତୁ ଯେଉଁଠାରୁ ଆପଣ ସେମାନଙ୍କୁ ଭଲଭାବରେ ଦେଖିପାରିବେ, କିନ୍ତୁ ତାʼସହ ସେମାନଙ୍କୁ ଏକୁଟିଆରେ ସମୟ ବିତାଇବା ପାଇଁ ଦିଅନ୍ତୁ ଓ କଥା ହେବାକୁ ଦିଅନ୍ତୁ ।—ଫିଲିପ୍‌. ୨:୪.

ଡେଟିଙ୍ଗ୍‌ କରୁଥିବା ଜଣେ ପୁଅ ଓ ଝିଅ କିଛି ଲୋକଙ୍କ ସହ ପିକ୍‌ନିକ ଯାଇଛନ୍ତି । ସେଠାରେ ସେମାନେ ଏକୁଟିଆ ବସି କଥା ହେଉଛନ୍ତି ।

ଯଦି ଆମେ ଜାଣୁ ଯେ ଜଣେ ପୁଅ ଓ ଝିଅ ଡେଟିଙ୍ଗ୍‌ କରୁଛନ୍ତି, ତାହେଲେ ଆମେ ଅନେକ ଉପାୟରେ ତାଙ୍କୁ ସାହାଯ୍ୟ କରିପାରିବା (ପାରାଗ୍ରାଫ ୧୪-୧୫)


୧୫. ଯେଉଁମାନେ ଡେଟିଙ୍ଗ୍‌ କରୁଛନ୍ତି, ସେମାନଙ୍କ ସାହାଯ୍ୟ କରିବା ପାଇଁ ଭାଇଭଉଣୀମାନେ ଆଉ କʼଣ କରିପାରିବେ ? (ହିତୋପଦେଶ ୧୨:୧୮)

୧୫ ଡେଟିଙ୍ଗ୍‌ କରୁଥିବା ଭାଇଭଉଣୀଙ୍କୁ ଆମେ ଆଉ ଗୋଟିଏ ଉପାୟରେ ସାହାଯ୍ୟ କରିପାରିବା । ଆମେ ଧ୍ୟାନ ଦେଇପାରିବା ଯେ ଆମେ ସେମାନଙ୍କୁ କʼଣ କହିବା ଓ କʼଣ କହିବା ନାହିଁ । ବେଳେବେଳେ ଆମକୁ ନିଜ ମୁହଁ ବନ୍ଦ ରଖିବାକୁ ପଡ଼ିପାରେ । (ହିତୋପଦେଶ ୧୨:୧୮ ପଢ଼ନ୍ତୁ ।) ଯେପରି ହୁଏତ ଆମକୁ ଏହା କହିବା ପାଇଁ ଇଚ୍ଛା ହୋଇପାରେ ଯେ ସେହି ଭାଇଭଉଣୀ ଡେଟିଙ୍ଗ୍‌ କରୁଛନ୍ତି । କିନ୍ତୁ ଯଦି ସେହି ଭାଇଭଉଣୀ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ନିଜେ ଏହି କଥା ଅନ୍ୟମାନଙ୍କୁ କହିବେ, ତାହେଲେ ଆମେ ଅନ୍ୟମାନଙ୍କୁ ସେବିଷୟରେ କିଛି କହିବା ଉଚିତ୍‌ ନୁହେଁ । ଯେଉଁ ଲୋକମାନେ ଡେଟିଙ୍ଗ୍‌ କରୁଛନ୍ତି, ସେମାନଙ୍କ ବିଷୟରେ ଆମେ ଗପସପ କରିବା ଉଚିତ୍‌ ନୁହେଁ ଆଉ ସେମାନେ ଯାହା କରନ୍ତି, ସେଥିରେ ଭୁଲ ବାହାର କରିବା ଉଚିତ୍‌ ନୁହେଁ । (ହିତୋ. ୨୦:୧୯: ରୋମୀ. ୧୪:୧୦; ୧ ଥେସ. ୪:୧୧) ତାʼଛଡ଼ା, ଆମେ ଏପରି କଥା ହେବା ଉଚିତ୍‌ ନୁହେଁ କିମ୍ବା ଏପରି ପ୍ରଶ୍ନ କରିବା ଉଚିତ୍‌ ନୁହେଁ, ଯାହାଫଳରେ ସେମାନଙ୍କୁ ଲାଗିବ ଯେ ସେମାନେ ବିବାହ କରିନେବା ଉଚିତ୍‌ କିମ୍ବା ସେମାନେ ବାହା ହେବେ । ଏପରି କଲେ ସେମାନଙ୍କୁ ଖରାପ ଲାଗିପାରେ । ଭଉଣୀ ଇଲିଜ୍‌ ଓ ତାଙ୍କ ସ୍ୱାମୀ କହନ୍ତି, “କିଛି ଲୋକ ଆମକୁ ବିବାହ ବିଷୟରେ ପ୍ରଶ୍ନ କରିବାକୁ ଲାଗିଲେ । ଏହା ଶୁଣି ଆମକୁ ବହୁତ ଅଜବ ଲାଗିଲା, କାରଣ ସେସମୟ ଯାଏ ଆମେ ନିଜେ ସେବିଷୟରେ କଥା ହୋଇ ନ ଥିଲୁ ।”

୧୬. ଯଦି ପୁଅ ଓ ଝିଅ ଡେଟିଙ୍ଗ୍‌ କରିବା ବନ୍ଦ କରିଦିଅନ୍ତି, ତାହେଲେ ଆମେ କʼଣ କରିବା ଉଚିତ୍‌ ?

୧୬ ଯଦି ପୁଅ ଓ ଝିଅ ଡେଟିଙ୍ଗ୍‌ କରିବା ବନ୍ଦ କରିଦିଅନ୍ତି, ତାହେଲେ ଆମେ କʼଣ କରିବା ଉଚିତ୍‌ ? ଆମେ ଏହା ଜାଣିବା ପାଇଁ ଚେଷ୍ଟା କରିବା ଉଚିତ୍‌ ନୁହେଁ ଯେ ସେମାନେ କାହିଁକି ଏହି ନିଷ୍ପତ୍ତି ନେଲେ । ତାʼଛଡ଼ା ଆମେ ପୁଅ କିମ୍ବା ଝିଅର ଭୁଲ ବାହାର କରିବା କଥା ନୁହଁ । (୧ ପିତ. ୪:୧୫) ଲିଆ କହନ୍ତି, “ଯେବେ ମୁଁ ଜଣେ ଭାଇଙ୍କ ସହ ଡେଟିଙ୍ଗ୍‌ କରିବା ବନ୍ଦ କରିଦେଲି, ତେବେ ଲୋକମାନେ ଆମ ବିଷୟରେ କଥା ହେବାକୁ ଲାଗିଲେ । ସେମାନଙ୍କ କଥା ଶୁଣି ମୋତେ ବହୁତ ଦୁଃଖ ଲାଗିଲା ।” କିନ୍ତୁ ଯେପରି ଆମେ ପୂର୍ବେ ଦେଖିଲୁ ଯେ ଡେଟିଙ୍ଗ୍‌ ବନ୍ଦ କରିବା କୌଣସି ଖରାପ କଥା ନୁହଁ । ତାʼଅର୍ଥ କେବଳ ଏହା ଅଟେ ଯେ ଡେଟିଙ୍ଗ୍‌ର ଉଦ୍ଦେଶ୍ୟ ପୂରା ହୋଇଗଲା । ଆଉ ସେହି ପୁଅ ଓ ଝିଅ ବୁଝିଗଲେ ଯେ ସେମାନେ ପରସ୍ପର ପାଇଁ ଭଲ ଜୀବନସାଥୀ ହୋଇପାରିବେ ନାହିଁ । କିନ୍ତୁ ଏହା ସତ ଯେ ଯେବେ ପୁଅ ଓ ଝିଅ ଡେଟିଙ୍ଗ୍‌ କରିବା ବନ୍ଦ କରିଦିଅନ୍ତି, ତେବେ ସେମାନଙ୍କୁ ଟିକେ ଦୁଃଖ ଲାଗେ ଓ ହୁଏତ ସେମାନେ ଏକୁଟିଆ ବି ଅନୁଭବ କରନ୍ତି । ତେଣୁ ଆମେ ଭିନ୍ନ ଭିନ୍ନ ଉପାୟରେ ସେମାନଙ୍କୁ ସାହାଯ୍ୟ କରିବା ଉଚିତ୍‌ ।—ହିତୋ. ୧୭:୧୭.

୧୭. ଯେଉଁମାନେ ଡେଟିଙ୍ଗ୍‌ କରୁଛନ୍ତି, ସେମାନଙ୍କୁ କʼଣ କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ ?

୧୭ ଯେପରି ଆମେ ଦେଖିଲୁ, ଡେଟିଙ୍ଗ୍‌ କରିବା ସମୟରେ କିଛି ସମସ୍ୟା ଆସେ, କିନ୍ତୁ ଏହା ଏକ ମଜାଦାର ଯାତ୍ରା ଭଳି ଅଟେ । ଜେସିକା କହନ୍ତି, “ଡେଟିଙ୍ଗ୍‌ କରିବା ସମୟରେ ଆମକୁ ବହୁତ କିଛି କରିବାକୁ ପଡ଼ିଲା । କିନ୍ତୁ ଆମ ପରିଶ୍ରମ ବେକାର ଗଲା ନାହିଁ । ଆମେ ପରସ୍ପରକୁ ଆହୁରି ଭଲଭାବେ ଜାଣିପାରିଲୁ ।” ଯଦି ଆପଣ କାହାରି ସହିତ ଡେଟିଙ୍ଗ୍‌ କରୁଛନ୍ତି, ତାହେଲେ ତାଙ୍କୁ ଭଲଭାବେ ଜାଣିବା ପାଇଁ ପୂରା ଚେଷ୍ଟା କରନ୍ତୁ । ତାହେଲେ ଆପଣ ଏକ ଏପରି ନିଷ୍ପତ୍ତି ନେଇପାରିବେ, ଯେଉଁଥିରେ ଆପଣ ଦୁହେଁ ଖୁସିରେ ରହିବେ !

ଆପଣ କʼଣ ଉତ୍ତର ଦେବେ ?

  • ଡେଟିଙ୍ଗ୍‌ କରିବାର ଉଦ୍ଦେଶ୍ୟ କʼଣ ?

  • ଡେଟିଙ୍ଗ୍‌ କରିବା ସମୟରେ ପୁଅ ଓ ଝିଅ କିପରି ପରସ୍ପରକୁ ଭଲଭାବେ ଜାଣିପାରିବେ ?

  • ଯେଉଁ ଭାଇଭଉଣୀ ଡେଟିଙ୍ଗ୍‌ କରୁଛନ୍ତି ସେମାନଙ୍କୁ ମଣ୍ଡଳୀର ଭାଇଭଉଣୀମାନେ କିପରି ସାହାଯ୍ୟ କରିପାରିବେ ?

ଗୀତ ୪୯ ୟହୋୱା କା ଦିଲ ଖୁସ୍‌ କରେ

a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

b ଆପଣଙ୍କୁ ଆଉ କେଉଁ କଥା ଉପରେ ଧ୍ୟାନ ଦେବା ଉଚିତ୍‌, ଏହା ଜାଣିବା ପାଇଁ ଇଂରାଜୀରେ ଥିବା ବହି କ୍ୱେସଚେନ୍ସ ୟଙ୍ଗ୍‌ ପିପଲ୍‌ ଆସ୍କ—ଆଂସର୍ସ ଦେଟ୍‌ ୱର୍କ, ୱଲ୍ୟୁମ ୨ର ପୃଷ୍ଠା ୩୯-୪୦ ଦେଖନ୍ତୁ ।

c ସମ୍ବେଦନଶୀଳ ଅଙ୍ଗଗୁଡ଼ିକ ଉପରେ ହାତ ଦେବା ମଧ୍ୟ ଅନୈତିକ ଯୌନ ସମ୍ପର୍କରେ ସାମିଲ୍‌, ଯାହା ପାଇଁ ମଣ୍ଡଳୀର ପ୍ରାଚୀନମାନଙ୍କୁ ନ୍ୟାୟିକ ସମିତି ଗଢ଼ି ପଦକ୍ଷେପ ନେବାକୁ ପଡ଼େ । ସ୍ତନ ଉପରେ ହାତ ଦେବା ଏବଂ ମେସେଜ୍‌ ଜରିଆରେ କିମ୍ବା ଫୋନ୍‌ରେ ଅନୈତିକ କଥାବାର୍ତ୍ତା ହେବା ପାଇଁ ମଧ୍ୟ ନ୍ୟାୟିକ ସମିତି ଗଢ଼ା ଯାଇପାରେ । କିନ୍ତୁ ପରିସ୍ଥିତିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଏ ।

d ଅଧିକ ଜାଣିବା ପାଇଁ ୧୫ ଅଗଷ୍ଟ, ୧୯୯୯ର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ପାଠକଙ୍କ ପ୍ରଶ୍ନ” ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ