ଅଧ୍ୟୟନ ଲେଖା ୩୪
ଗୀତ ୧୦୭ ୟହୋୱା କେ ପ୍ୟାର କି ମିଶାଲ୍
ପାପ କରିଥିବା ବ୍ୟକ୍ତିମାନଙ୍କୁ ପ୍ରେମ ଓ ଦୟା ଦେଖାନ୍ତୁ
“ଈଶ୍ୱରଙ୍କ କୃପା ଯେ ତୁମ୍ଭକୁ ମନପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ଚେଷ୍ଟା କରେ ।”—ରୋମୀ. ୨:୪.
କʼଣ ଶିଖିବା ?
ଯେବେ କୌଣସି ଖ୍ରୀଷ୍ଟିୟାନ ଗମ୍ଭୀର ପାପ କରନ୍ତି, ତେବେ ପ୍ରାଚୀନମାନେ କିପରି ତାଙ୍କୁ ସାହାଯ୍ୟ କରନ୍ତି ?
୧. ଯଦି ଜଣେ ବ୍ୟକ୍ତି ଗମ୍ଭୀର ପାପ କରନ୍ତି, ତେବେ କʼଣ ହୋଇପାରେ ?
ପୂର୍ବ ଲେଖାରେ ଆମେ ଦେଖିଥିଲୁ ଯେ ପ୍ରେରିତ ପାଉଲ କରିନ୍ଥୀୟ ମଣ୍ଡଳୀରେ ଯେଉଁ ଗମ୍ଭୀର ସମସ୍ୟା ଉପୁଜି ଥିଲା, ତାହାକୁ କିପରି ସମାଧାନ କଲେ । ସେହି ବ୍ୟକ୍ତି ପଶ୍ଚାତାପ କରି ନ ଥିଲା, ତେଣୁ ତାକୁ ମଣ୍ଡଳୀରୁ ବାହାର କରିବା ଜରୁରୀ ଥିଲା । କିନ୍ତୁ ଯେପରି ଏହି ଲେଖାର ମୁଖ୍ୟ ପଦରେ କୁହାଯାଇଛି, ଯଦି ଜଣେ ବ୍ୟକ୍ତି ଗମ୍ଭୀର ପାପ କରନ୍ତି, ତେବେ ଯିହୋବା ତାଙ୍କୁ ପଶ୍ଚାତାପ ଆଡ଼କୁ ନେଇପାରିବେ । (ରୋମୀ. ୨:୪) ଏବେ ପ୍ରଶ୍ନ ଉଠେ ଯେ ପ୍ରାଚୀନମାନେ କିପରି ଜଣେ ବ୍ୟକ୍ତିଙ୍କୁ ପଶ୍ଚାତାପ କରିବା ପାଇଁ ସାହାଯ୍ୟ କରିପାରିବେ ?
୨-୩. ଯଦି ଆମେ ଜାଣିଛୁ ଯେ କୌଣସି ଭାଇ କିମ୍ବା ଭଉଣୀ ଗମ୍ଭୀର ପାପ କରିଛନ୍ତି, ତେବେ ଆମକୁ କʼଣ କରିବା ଉଚିତ୍ ଏବଂ କାହିଁକି ?
୨ ଯଦି ପ୍ରାଚୀନମାନଙ୍କୁ ଏହା ଜଣା ନ ଥିବ ଯେ ଜଣେ ବ୍ୟକ୍ତି ଗମ୍ଭୀର ପାପ କରିଛନ୍ତି, ତେବେ ସେମାନେ ତାଙ୍କୁ ସାହାଯ୍ୟ କରିପାରିବେ ନାହିଁ । ସେଥିପାଇଁ ଯଦି ଆମେ ଏବିଷୟରେ ଜାଣିଛୁ ଯେ କୌଣସି ଭାଇ କିମ୍ବା ଭଉଣୀ ଏପରି କିଛି ଗମ୍ଭୀର ପାପ କରିଛନ୍ତି, ଯାହାଯୋଗୁଁ ତାଙ୍କୁ ମଣ୍ଡଳୀରୁ ବାହାର କରାଯାଇପାରେ, ତେବେ ଆମକୁ କʼଣ କରିବା ଉଚିତ୍ ? ଆମେ ତାଙ୍କୁ ଅନୁରୋଧ କରିବା ଉଚିତ୍ ଯେ ସେ ଯାଇ ପ୍ରାଚୀନମାନଙ୍କ ସାହାଯ୍ୟ ନିଅନ୍ତୁ ।—ଯିଶା. ୧:୧୮; ପ୍ରେରି. ୨୦:୨୮; ୧ ପିତ. ୫:୨.
୩ କିନ୍ତୁ ଯଦି ସେ ପ୍ରାଚୀନମାନଙ୍କୁ ଏବିଷୟରେ କହନ୍ତି ନାହିଁ, ତେବେ ଆମକୁ କʼଣ କରିବା ଉଚିତ୍ ? ଆମେ ଯାଇ ପ୍ରାଚୀନମାନଙ୍କୁ ଏବିଷୟରେ କହିବା ଉଚିତ୍, ଯାହାଫଳରେ ସେମାନେ ତାଙ୍କୁ ସାହାଯ୍ୟ କରିପାରିବେ । ଏପରି କରି ଆମେ ଦେଖାଇବା ଯେ ଆମେ ସେହି ଭାଇ କିମ୍ବା ଭଉଣୀଙ୍କୁ ପ୍ରେମ କରୁ ଏବଂ ଆମେ ଚାହୁଁନୁ ଯେ ସେ ଆମଠାରୁ ଦୂରେଇ ଯାʼନ୍ତୁ । କେବଳ ଏତିକି ନୁହେଁ, ଯଦି ସେହି ବ୍ୟକ୍ତି ଭୁଲ କାମ କରିବା ବନ୍ଦ କରିବେ ନାହିଁ, ତାହେଲେ ଯିହୋବାଙ୍କ ସହିତ ତାଙ୍କ ସମ୍ପର୍କ ଆହୁରି ଦୁର୍ବଳ ହୋଇଯିବ । ଆଉ ସେହି ବ୍ୟକ୍ତି ଯୋଗୁଁ ମଣ୍ଡଳୀର ନାମ ବି ବଦନାମ ହୋଇପାରେ । ସେଥିପାଇଁ ଆମକୁ ସାହସର ସହ ପ୍ରାଚୀନମାନଙ୍କୁ ଏବିଷୟରେ କହିବା ଉଚିତ୍ । ଆମେ ଯିହୋବା ଏବଂ ପାପ କରିଥିବା ସେହି ବ୍ୟକ୍ତିଙ୍କୁ ପ୍ରେମ କରୁ, ତେଣୁ ଆମେ ଏପରି କରିବାରୁ ପଛଘୁଞ୍ଚା ଦେବା ନାହିଁ ।—ଗୀତ. ୨୭:୧୪.
ଯେଉଁମାନେ ଗମ୍ଭୀର ପାପ କରନ୍ତି, ପ୍ରାଚୀନମାନେ ସେମାନଙ୍କୁ କିପରି ସାହାଯ୍ୟ କରନ୍ତି ?
୪. ଯେଉଁ ଭାଇ କିମ୍ବା ଭଉଣୀ ପାପ କରନ୍ତି, ସେମାନଙ୍କୁ ଭେଟିବା ସମୟରେ ପ୍ରାଚୀନମାନେ କʼଣ କରିବା ପାଇଁ ଚେଷ୍ଟା କରନ୍ତି ?
୪ ଯେବେ ମଣ୍ଡଳୀରେ କେହି ଗମ୍ଭୀର ପାପ କରନ୍ତି, ତେବେ ପ୍ରାଚୀନମାନଙ୍କ ସମୂହ ତିନିଜଣ ଦକ୍ଷ ପ୍ରାଚୀନମାନଙ୍କୁ ବାଛେ ଏବଂ ସେମାନଙ୍କର ଗୋଟିଏ ସମିତି ଗଢ଼େ ।a ପ୍ରାଚୀନମାନଙ୍କ ସମୂହ ଏପରି ଭାଇମାନଙ୍କୁ ବାଛେ ଯେଉଁମାନେ ନମ୍ର ଥାʼନ୍ତି ଏବଂ ନିଜ ମର୍ଯ୍ୟାଦାରେ ରହନ୍ତି । ଏହି ଭାଇମାନେ ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ପଶ୍ଚାତାପ ଆଡ଼କୁ ନେବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ସେମାନେ ଏହା ବି ବୁଝନ୍ତି ଯେ ସେମାନେ କାହାରିକୁ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିପାରିବେ ନାହିଁ । (ଦ୍ୱିବି. ୩୦:୧୯) ପ୍ରାଚୀନମାନେ ଜାଣନ୍ତି ଯେ ଯେଉଁମାନେ ପାପ କରନ୍ତି, ସେମାନଙ୍କ ମଧ୍ୟରୁ ସମସ୍ତେ ରାଜା ଦାଉଦଙ୍କ ଭଳି ପଶ୍ଚାତାପ କରିବେ ନାହିଁ । (୨ ଶାମୁ. ୧୨:୧୩) କିଛି ଲୋକ ଏପରି ବି ଥିବେ ଯେଉଁମାନେ ଜାଣିଶୁଣି ଯିହୋବାଙ୍କ ପରାମର୍ଶ ମାନିବେ ନାହିଁ । (ଆଦି. ୪:୬-୮) ତଥାପି ପ୍ରାଚୀନମାନେ ସେମାନଙ୍କୁ ପଶ୍ଚାତାପ ଆଡ଼କୁ ନେବା ପାଇଁ ପୂରା ଚେଷ୍ଟା କରନ୍ତି । ଯେବେ ସେମାନେ ଏପରି ବ୍ୟକ୍ତିଙ୍କୁ ଭେଟନ୍ତି, ତେବେ ସେମାନେ ବାଇବଲର କେଉଁ ସିଦ୍ଧାନ୍ତକୁ ଧ୍ୟାନରେ ରଖନ୍ତି ?
୫. ପାପ କରିଥିବା ବ୍ୟକ୍ତିମାନଙ୍କୁ ଭେଟିବା ସମୟରେ ପ୍ରାଚୀନମାନଙ୍କୁ କିପରି ବ୍ୟବହାର ଦେଖାଇବା ଉଚିତ୍ ? (୨ ତୀମଥି ୨:୨୪-୨୬) (ଚିତ୍ର ମଧ୍ୟ ଦେଖନ୍ତୁ ।)
୫ ପାପ କରିଥିବା ବ୍ୟକ୍ତିମାନଙ୍କୁ ପ୍ରାଚୀନମାନେ ହଜିଯାଇଥିବା ବହୁମୂଲ୍ୟ ମେଷ ଭାବନ୍ତି । (ଲୂକ ୧୫:୪, ୬) ସେଥିପାଇଁ ଯେବେ ସେମାନେ ତାଙ୍କୁ ଭେଟନ୍ତି, ତେବେ ତାଙ୍କ ସହ କଠୋରତାର ସହିତ ବ୍ୟବହାର କରନ୍ତି ନାହିଁ । ସେମାନେ ଏପରି ଭାବନ୍ତି ନାହିଁ ଯେ ସେମାନଙ୍କୁ କେବଳ ପ୍ରଶ୍ନ ପଚାରି ତାଙ୍କଠାରୁ ସତ ଜାଣିବାର ଅଛି । ତାʼଛଡ଼ା ଯେପରି ୨ ତୀମଥି ୨:୨୪-୨୬ (ପଢ଼ନ୍ତୁ ।) ପଦରେ କୁହାଯାଇଛି, ସେମାନେ ପ୍ରେମ ଓ କୋମଳତାର ସହିତ କଥା ହୁଅନ୍ତି ଏବଂ ତାଙ୍କ ଚିନ୍ତାଧାରା ସୁଧାରିବା ପାଇଁ ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ।
ପ୍ରାଚୀନ ସମୟର ମେଷପାଳକମାନଙ୍କ ଭଳି ପ୍ରାଚୀନମାନେ ମଧ୍ୟ ଗୋଟିଏ ହଜିଯାଇଥିବା ମେଷକୁ ପୁଣିଥରେ ଫେରାଇ ଆଣିବା ପାଇଁ ପୂରା ଚେଷ୍ଟା କରନ୍ତି (ପାରାଗ୍ରାଫ ୫)
୬. ପାପ କରିଥିବା ବ୍ୟକ୍ତିମାନଙ୍କୁ ଭେଟିବା ପୂର୍ବରୁ ପ୍ରାଚୀନମାନେ କିପରି ନିଜ ହୃଦୟ ପ୍ରସ୍ତୁତ କରନ୍ତି ? (ରୋମୀୟ ୨:୪)
୬ ପ୍ରାଚୀନମାନେ ନିଜ ହୃଦୟ ପ୍ରସ୍ତୁତ କରନ୍ତି । ସେମାନେ ଯିହୋବାଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତି ଏବଂ ପାପ କରିଥିବା ବ୍ୟକ୍ତିମାନଙ୍କ ସହିତ ପ୍ରେମର ସହ ବ୍ୟବହାର କରନ୍ତି । ସେମାନେ ପାଉଲଙ୍କ ଏହି ପରାମର୍ଶ ମନେ ରଖନ୍ତି, “ଈଶ୍ୱରଙ୍କ କୃପା ଯେ ତୁମ୍ଭକୁ ମନପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ଚେଷ୍ଟା କରେ ।” (ରୋମୀୟ ୨:୪ ପଢ଼ନ୍ତୁ ।) ପ୍ରାଚୀନମାନେ ମନେ ରଖିବା ଉଚିତ୍ ଯେ ସେମାନେ ଜଣେ ମେଷପାଳକ ଅଟନ୍ତି ଏବଂ ଖ୍ରୀଷ୍ଟଙ୍କ ନେତୃତ୍ୱରେ କାମ କରୁଛନ୍ତି । (ଯିଶା. ୧୧:୩, ୪; ମାଥି. ୧୮:୧୮-୨୦) ସେଥିପାଇଁ ସମିତିର ଭାଇମାନେ ସେହି ବ୍ୟକ୍ତିଙ୍କୁ ଭେଟିବା ପୂର୍ବରୁ ପ୍ରାର୍ଥନା କରିବେ ଏବଂ ଆଲୋଚନା କରିବେ ଯେ ସେମାନେ କିପରି ସେହି ବ୍ୟକ୍ତିଙ୍କୁ ପଶ୍ଚାତାପ ଆଡ଼କୁ ନେଇପାରିବେ । ତାʼ ସହିତ ସମିତିର ପ୍ରାଚୀନମାନେ ବାଇବଲ ଏବଂ ଆମ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ କରିବେ ଆଉ ସେହି ବ୍ୟକ୍ତିଙ୍କ ପରିସ୍ଥିତିକୁ ବୁଝିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିବେ । ସେମାନେ ସେହି ବ୍ୟକ୍ତିଙ୍କ ବ୍ୟବହାର ଓ ଚାଲିଚଳନ ବିଷୟରେ ଭାବିବେ ଓ ବୁଝିବା ପାଇଁ ଚେଷ୍ଟା କରିବେ ଯେ ସେହି ବ୍ୟକ୍ତି କେଉଁ କାରଣ ଯୋଗୁଁ ପାପ କଲେ ।—ହିତୋ. ୨୦:୫.
୭-୮. ପାପ କରିଥିବା ବ୍ୟକ୍ତିମାନଙ୍କୁ ଭେଟିବା ସମୟରେ ପ୍ରାଚୀନମାନେ କିପରି ଯିହୋବାଙ୍କ ଭଳି ଧୈର୍ଯ୍ୟ ଧରିପାରିବେ ?
୭ ପ୍ରାଚୀନମାନେ ଯିହୋବାଙ୍କ ଭଳି ଧୈର୍ଯ୍ୟ ଧରନ୍ତି । ସେମାନେ ମନେ ରଖନ୍ତି ଯେ ପ୍ରାଚୀନ ସମୟରେ ଯିହୋବା ପାପ କରିଥିବା ବ୍ୟକ୍ତିମାନଙ୍କ ସହିତ କିପରି ବ୍ୟବହାର କରିଥିଲେ । ଯେପରି, ଯିହୋବା କୟିନ ସହ ଧୈର୍ଯ୍ୟ ଧରିଲେ । ସେ କୟିନକୁ ସତର୍କ କରାଇଲେ ଯେ ଯଦି ସେ ପରିବର୍ତ୍ତନ କରିବ ନାହିଁ, ତାହେଲେ କʼଣ ହୋଇପାରେ । ସେ ତାକୁ ଏହା ବି ବୁଝାଇଲେ ଯେ ଯଦି ସେ ଆଜ୍ଞା ମାନିବ, ତାହେଲେ ତାକୁ ଆଶିଷ ମିଳିବ । (ଆଦି. ୪:୬, ୭) ଆଉ ଯଦି ଦାଉଦଙ୍କ ବିଷୟରେ ଦେଖିବା, ଯିହୋବା ତାଙ୍କୁ ସୁଧାରିବା ପାଇଁ ଭବିଷ୍ୟଦ୍ବକ୍ତା ନାଥନଙ୍କୁ ତାଙ୍କ ପାଖକୁ ପଠାଇଲେ । ନାଥନ ଦାଉଦଙ୍କୁ ଏପରି ଗୋଟିଏ ଉଦାହରଣ ବିଷୟରେ କହିଲେ ଯାହା ତାଙ୍କ ହୃଦୟକୁ ଛୁଇଁଗଲା । (୨ ଶାମୁ. ୧୨:୧-୭) କେବଳ ଏତିକି ନୁହେଁ, ଯେବେ ଇସ୍ରାଏଲ ରାଷ୍ଟ୍ର ମଧ୍ୟ ଯିହୋବାଙ୍କ ସହିତ ବିଦ୍ରୋହ କଲା, ତେବେ ଯିହୋବା “ନିତ୍ୟ ନିତ୍ୟ” [“ବାରମ୍ବାର,” NWT ] ନିଜ ଭବିଷ୍ୟଦ୍ବକ୍ତାମାନଙ୍କୁ ସେମାନଙ୍କ ପାଖକୁ ‘ପଠାଇଲେ ।’ (ଯିରି. ୭:୨୪, ୨୫) ସେ ଏହି କଥା ପାଇଁ ଅପେକ୍ଷା କଲେ ନାହିଁ ଯେ ଯେବେ ତାଙ୍କ ଲୋକମାନେ ପଶ୍ଚାତାପ କରିବେ, ତେବେ ସେ ସେମାନଙ୍କୁ ସାହାଯ୍ୟ କରିବେ । ତାʼ ପରିବର୍ତ୍ତେ ଯେବେ ସେମାନେ ପାପ କରିବାରେ ଲାଗି ରହିଥିଲେ, ସେସମୟରେ ହିଁ ଯିହୋବା ସେମାନଙ୍କୁ ପଶ୍ଚାତାପ କରିବା ପାଇଁ ଅନୁରୋଧ କଲେ ।
୮ ଯେବେ ଜଣେ ବ୍ୟକ୍ତି ଗମ୍ଭୀର ପାପ କରନ୍ତି, ତେବେ ତାଙ୍କର ସାହାଯ୍ୟ କରିବା ସମୟରେ ପ୍ରାଚୀନମାନେ ଯିହୋବାଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତି । ଯେପରି ୨ ତୀମଥି ୪:୨ ପଦରେ କୁହାଯାଇଛି, ସେମାନେ “ପୂର୍ଣ୍ଣ ସହିଷ୍ଣୁତା ସହ” କାମ କରନ୍ତି । ଏହାର ଅର୍ଥ, ପ୍ରାଚୀନମାନେ ସେହି ବ୍ୟକ୍ତିଙ୍କ ସହିତ କଥା ହେବା ସମୟରେ ଶାନ୍ତ ରହନ୍ତି ଏବଂ ଧୈର୍ଯ୍ୟ ଧରନ୍ତି । ସେହି ବ୍ୟକ୍ତି ନିଜ ଭିତରେ ପରିବର୍ତ୍ତନ କରନ୍ତୁ ଏବଂ ସଠିକ୍ ପଦକ୍ଷେପ ନିଅନ୍ତୁ, ସେଥିପାଇଁ ପ୍ରାଚୀନମାନେ ତାଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରନ୍ତି । ପ୍ରାଚୀନମାନେ ତାଙ୍କ ଉପରେ ରାଗନ୍ତି ନାହିଁ କିମ୍ବା ଚିଡ଼ିଯାʼନ୍ତି ନାହିଁ । ଯଦି ସେମାନେ ଏପରି କରିବେ, ତାହେଲେ ସେହି ବ୍ୟକ୍ତି ହୁଏତ ସେମାନଙ୍କ ପରାମର୍ଶ ମାନିବେ ନାହିଁ ଏବଂ ପଶ୍ଚାତାପ କରିବେ ନାହିଁ ।
୯-୧୦. ପ୍ରାଚୀନ କିପରି ଜଣେ ବ୍ୟକ୍ତିଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରିପାରିବେ ଯେ ସେ କାହିଁକି ପାପ କଲେ ?
୯ ପ୍ରାଚୀନମାନେ ଏହା ବୁଝିବା ପାଇଁ ଚେଷ୍ଟା କରନ୍ତି ଯେ ସେହି ବ୍ୟକ୍ତି କେଉଁ କାରଣ ଯୋଗୁଁ ପାପ କଲେ । ଯେପରି, ଈଶ୍ୱରଙ୍କ ସହ ତାଙ୍କ ସମ୍ପର୍କ କାହିଁକି ଦୁର୍ବଳ ହୋଇଗଲା ? କʼଣ ସେ ବାଇବଲ ଅଧ୍ୟୟନ କରିବା ଏବଂ ପ୍ରଚାରରେ ଯିବା କମ୍ କରି ଦେଇଥିଲେ ? କʼଣ ସେ ପ୍ରାର୍ଥନା କରିବା ଛାଡ଼ି ଦେଇଥିଲେ କିମ୍ବା ସେ ହୃଦୟରୁ ପ୍ରାର୍ଥନା କରୁ ନ ଥିଲେ ? କʼଣ ସେ ଖରାପ ଇଚ୍ଛାଗୁଡ଼ିକ ସହିତ ସଂଘର୍ଷ କରିବା ଛାଡ଼ି ଦେଇଥିଲେ ? କʼଣ ସେ ଏପରି ଲୋକମାନଙ୍କ ସହିତ ମିଳାମିଶା କରୁଥିଲେ କିମ୍ବା ଏପରି ମନୋରଞ୍ଜନ କରୁଥିଲେ, ଯାହା ଖ୍ରୀଷ୍ଟିୟାନମାନଙ୍କ ପାଇଁ ଠିକ୍ ନୁହେଁ ? ଏସବୁ କଥାର ତାଙ୍କ ଉପରେ କʼଣ ପ୍ରଭାବ ପଡ଼ିଲା ? କʼଣ ସେ ଏ କଥାକୁ ବୁଝି ପାରୁଛନ୍ତି ଯେ ତାଙ୍କ କାମ ଓ ନିଷ୍ପତ୍ତି ଯୋଗୁଁ ଯିହୋବାଙ୍କୁ କେତେ ଦୁଃଖ ପହଞ୍ଚିଛି ?
୧୦ ପ୍ରାଚୀନମାନେ ପ୍ରେମର ସହିତ ଓ ଭାବିଚିନ୍ତି ପ୍ରଶ୍ନ ପଚାରନ୍ତି ଓ ସେମାନେ ସେହି ବ୍ୟକ୍ତିଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତି ଯେ ସେ କାହିଁକି ପାପ କଲେ । (ହିତୋ. ୨୦:୫) କିନ୍ତୁ ସେମାନେ ଏହି କଥାର ଧ୍ୟାନ ରଖନ୍ତି ଯେ ସେମାନେ କୌଣସି ବ୍ୟକ୍ତିଗତ ପ୍ରଶ୍ନ ପଚାରନ୍ତୁ ନାହିଁ, ଯାହା ସେମାନଙ୍କୁ ଜାଣିବା ଜରୁରୀ ନୁହେଁ । ତାʼଛଡ଼ା ସେମାନେ ନାଥନଙ୍କ ଭଳି ଏପରି ଉଦାହରଣ ଦେଇପାରିବେ, ଯାହାଫଳରେ ସେହି ବ୍ୟକ୍ତି ଏହା ବୁଝିପାରିବେ ଯେ ସେ ଯାହା କଲେ ତାହା ଯିହୋବାଙ୍କ ଦୃଷ୍ଟିରେ ଭୁଲ ଅଟେ । ଏପରି କଥା ହେବା ଦ୍ୱାରା ହୁଏତ ସେ ବ୍ୟକ୍ତି ସମିତିର ଭାଇମାନଙ୍କ ସହ ପ୍ରଥମ ସାକ୍ଷାତରେ ହିଁ ନିଜ ଭୁଲ ବୁଝିବେ ଏବଂ ହୁଏତ ସେ ପଶ୍ଚାତାପ କରିବେ ।
୧୧. ଯୀଶୁ ପାପ କରିଥିବା ବ୍ୟକ୍ତିମାନଙ୍କ ସହିତ କିପରି ବ୍ୟବହାର କଲେ ?
୧୧ ପ୍ରାଚୀନମାନେ ଯୀଶୁଙ୍କ ଭଳି ହେବା ପାଇଁ ପୂରା ଚେଷ୍ଟା କରନ୍ତି । ଧ୍ୟାନ ଦିଅନ୍ତୁ ଯେ ଯୀଶୁ ଜୀବିତ ହେବା ପରେ ତାର୍ଷର ଶାଉଲଙ୍କୁ କʼଣ କହିଲେ । ସେ ପଚାରିଲେ, “ହେ ଶାଉଲ, ହେ ଶାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ ?” ଏହି ପ୍ରଶ୍ନ ପଚାରି ସେ ଶାଉଲଙ୍କୁ ବୁଝିବା ପାଇଁ ସାହାଯ୍ୟ କରୁଥିଲେ ଯେ ସେ ଯାହା କରୁଛନ୍ତି, ତାହା ଭୁଲ ଅଟେ । (ପ୍ରେରି. ୯:୩-୬) ଧ୍ୟାନ ଦିଅନ୍ତୁ ଯେ ଯୀଶୁ ‘ଯିଜେବଲଙ୍କ’ ବିଷୟରେ କʼଣ କହିଲେ । ସେ କହିଲେ, ‘ଆମ୍ଭେ ତାହାଙ୍କୁ ମନ ପରିବର୍ତ୍ତନ କରିବାକୁ ସମୟ ଦେଲୁ ।’—ପ୍ରକା. ୨:୨୦, ୨୧.
୧୨-୧୩. ପ୍ରାଚୀନମାନେ କିପରି ପାପ କରିଥିବା ବ୍ୟକ୍ତିଙ୍କୁ ସମୟ ଦେଇପାରିବେ, ଯାହାଦ୍ୱାରା ସେ ପଶ୍ଚାତାପ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୨ ଯୀଶୁଙ୍କ ଭଳି ପ୍ରାଚୀନମାନେ ମଧ୍ୟ ତୁରନ୍ତ କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ । ସେମାନେ ଏପରି ଭାବନ୍ତି ନାହିଁ ଯେ ପାପ କରିଥିବା ବ୍ୟକ୍ତି ପଶ୍ଚାତାପ କରିବେ ନାହିଁ । କିଛି ଲୋକ ଯେବେ ପ୍ରଥମ ଥର ସମିତିର ଭାଇମାନଙ୍କ ସହ ଭେଟନ୍ତି, ସେସମୟରେ ସେମାନେ ପଶ୍ଚାତାପ କରନ୍ତି, କିନ୍ତୁ କିଛି ଲୋକମାନଙ୍କୁ ଟିକେ ସମୟ ଲାଗେ । ସେଥିପାଇଁ ପ୍ରାଚୀନମାନେ ପାପ କରିଥିବା ବ୍ୟକ୍ତିଙ୍କୁ କେବଳ ଥରେ ନ ଭେଟି ଆଗକୁ ବି ଭେଟିପାରିବେ । ହୁଏତ, ପ୍ରଥମ ସାକ୍ଷାତ ପରେ, ସେହି ବ୍ୟକ୍ତି ପ୍ରାଚୀନମାନଙ୍କ କଥା ଉପରେ ଗଭୀର ଭାବେ ଚିନ୍ତନ କରିବେ । ସେ ନିଜ ଭୁଲ ବୁଝିବେ ଏବଂ ସେ ନମ୍ର ହୋଇ ଯିହୋବାଙ୍କୁ କ୍ଷମା ମାଗିବେ । (ଗୀତ. ୩୨:୫; ୩୮:୧୮) ଆଉ ଯେବେ ସେ ପୁଣିଥରେ ପ୍ରାଚୀନମାନଙ୍କୁ ଭେଟିବେ, ତେବେ ହୁଏତ ସେ ଭଲ ବ୍ୟବହାର କରିବେ ।
୧୩ ପ୍ରାଚୀନମାନେ ପାପ କରିଥିବା ବ୍ୟକ୍ତିଙ୍କୁ ପଶ୍ଚାତାପ ଆଡ଼କୁ ନେବା ପାଇଁ ଚାହାନ୍ତି, ତେଣୁ ସେମାନେ ତାଙ୍କ ସହିତ ପ୍ରେମର ସହ କଥା ହୁଅନ୍ତି ଓ ତାଙ୍କ ଭାବନାକୁ ବୁଝନ୍ତି । ସେମାନେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତି ଯେ ସେମାନଙ୍କ ଚେଷ୍ଟା ଉପରେ ସେ ଆଶିଷ ଦିଅନ୍ତୁ । ଆଉ ସେମାନେ ଏହା ଭରସା ରଖନ୍ତି ଯେ ସେହି ବ୍ୟକ୍ତି ନିଜ ଭୁଲ ମାନି ପଶ୍ଚାତାପ କରିବେ ।—୨ ତୀମ. ୨:୨୫, ୨୬.
ପାପ କରିଥିବା ବ୍ୟକ୍ତିଙ୍କୁ ପଶ୍ଚାତାପ କରିବାକୁ ସମୟ ଦେବା ପାଇଁ, ପ୍ରାଚୀନମାନେ ହୁଏତ କେବଳ ଥରେ ନ ଭେଟି ଆଗକୁ ବି ଭେଟିପାରିବେ (ପାରାଗ୍ରାଫ ୧୨)
୧୪. ଯେବେ ଜଣେ ବ୍ୟକ୍ତି ପଶ୍ଚାତାପ କରନ୍ତି, ତେବେ ଏହାର ଶ୍ରେୟ କାହାକୁ ମିଳିବା ଉଚିତ୍ ଏବଂ କାହିଁକି ?
୧୪ ପାପ କରିଥିବା ବ୍ୟକ୍ତି ଯେବେ ପଶ୍ଚାତାପ କରନ୍ତି ତେବେ ଆମକୁ ବହୁତ ଖୁସି ଲାଗେ ! (ଲୂକ ୧୫:୭, ୧୦) କିନ୍ତୁ ଏହାର ଶ୍ରେୟ କାହାକୁ ମିଳିବା ଉଚିତ୍ ? କʼଣ ପ୍ରାଚୀନମାନଙ୍କୁ ମିଳିବା ଉଚିତ୍ ? ମନେ ପକାନ୍ତୁ ଯେ ପାଉଲ ପାପ କରିଥିବା ବ୍ୟକ୍ତିମାନଙ୍କ ବିଷୟରେ କʼଣ କହିଥିଲେ । ସେ ଲେଖିଥିଲେ, ‘କେଜାଣି ଈଶ୍ୱର ସେମାନଙ୍କୁ ମନପରିବର୍ତ୍ତନରୂପ’ ସୁଯୋଗ ଦେବେ । (୨ ତୀମ. ୨:୨୫) ଏହାର ଅର୍ଥ କେବଳ ଯିହୋବା ହିଁ ଜଣେ ବ୍ୟକ୍ତିଙ୍କ ଚିନ୍ତାଧାରା ଓ ବ୍ୟବହାରକୁ ବଦଳାଇବା ପାଇଁ ସାହାଯ୍ୟ କରନ୍ତି । ପାଉଲ ବୁଝାଇଲେ ଯେ ଯେବେ ଜଣେ ବ୍ୟକ୍ତି ପଶ୍ଚାତାପ କରନ୍ତି, ତେବେ ଏହାର କʼଣ ଭଲ ପରିଣାମ ହୁଏ: ସେହି ବ୍ୟକ୍ତିଙ୍କୁ ସତ୍ୟର ଆହୁରି ସଠିକ୍ ଜ୍ଞାନ ମିଳେ, ତାଙ୍କ ଚେତା ଫେରି ଆସେ ଏବଂ ସେ ଶୟତାନର ଫାନ୍ଦରୁ ମୁକ୍ତ ହୁଅନ୍ତି ।
୧୫. ପ୍ରାଚୀନମାନେ ପଶ୍ଚାତାପ କରିଥିବା ବ୍ୟକ୍ତିଙ୍କୁ କିପରି ଲଗାତାର ସାହାଯ୍ୟ କରିପାରିବେ ?
୧୫ ଯେବେ ଜଣେ ବ୍ୟକ୍ତି ପଶ୍ଚାତାପ କରନ୍ତି, ତେବେ ସମିତିର ଭାଇମାନେ ଆଗକୁ ବି ତାଙ୍କ ସହ ପ୍ରତିପାଳକ ସାକ୍ଷାତ କରିବା ପାଇଁ ବ୍ୟବସ୍ଥା କରିବେ । ଏପରି ସାହାଯ୍ୟ ମିଳିବା ଦ୍ୱାରା ସେ ଶୟତାନର ଫାନ୍ଦରେ ପଡ଼ନ୍ତି ନାହିଁ ଏବଂ ସଠିକ୍ ରାସ୍ତାରେ ଚାଲିପାରନ୍ତି । (ଏବ୍ରୀ ୧୨:୧୨, ୧୩) ମନେ ରଖନ୍ତୁ, ପ୍ରାଚୀନମାନେ ଜଣେ ବ୍ୟକ୍ତି କʼଣ ପାପ କରିଥିଲେ, ସେବିଷୟରେ କେବେ ବି କାହାରିକୁ କହନ୍ତି ନାହିଁ । କିନ୍ତୁ ମଣ୍ଡଳୀକୁ ହୁଏତ କେଉଁ କଥା ଜାଣିବା ଦରକାର ?
ସମସ୍ତଙ୍କ ସାମନାରେ ସୁଧାରିବା
୧୬. ଯେବେ ପାଉଲ ସମସ୍ତଙ୍କ ସାମନାରେ ସୁଧାରିବା ବିଷୟରେ କହିଲେ, ତେବେ ତାଙ୍କ ଏପରି କହିବାର ଅର୍ଥ କʼଣ ଥିଲା ? (୧ ତୀମଥି ୫:୨୦)
୧୬ ୧ ତୀମଥି ୫:୨୦ ପଢ଼ନ୍ତୁ । ପାଉଲ ଏହି କଥା ନିଜ ସାଥୀ ପ୍ରାଚୀନ ତୀମଥିଙ୍କୁ ଲେଖିଲେ ଏବଂ କହିଲେ ଯେ ‘ଯେଉଁମାନେ ପାପ କରିବାରେ,’ ଲାଗି ରହନ୍ତି, ସେମାନଙ୍କୁ କିପରି ସାହାଯ୍ୟ କରିବା ଦରକାର । କିନ୍ତୁ ଯେବେ ପାଉଲ “ସମସ୍ତଙ୍କ ସାକ୍ଷାତରେ” ଅନୁଯୋଗ କରିବା ଅର୍ଥାତ୍ ସମସ୍ତଙ୍କ ସାମନାରେ ସୁଧାରିବା ବିଷୟରେ କହିଲେ, ତେବେ ଏହାର ଅର୍ଥ କʼଣ ଥିଲା ? କʼଣ ସବୁ ମାମଲାକୁ ମଣ୍ଡଳୀ ସାମନାରେ ସୁଧାରିବାର ଥିଲା ? ଏପରି ନୁହେଁ । ପାଉଲ ସେହି ଲୋକମାନଙ୍କ ସାମନାରେ ସୁଧାରିବା ବିଷୟରେ କହୁଥିଲେ, ଯେଉଁମାନେ ସେହି ବ୍ୟକ୍ତିଙ୍କ ପାପ ବିଷୟରେ ଜାଣନ୍ତି । ହୁଏତ ଏଥିରେ ସେହି ଲୋକମାନେ ସାମିଲ୍ ଅଛନ୍ତି, ଯେଉଁମାନେ ସେହି ବ୍ୟକ୍ତିଙ୍କୁ ପାପ କରିବାର ଦେଖିଥିଲେ କିମ୍ବା ପାପ କରିଥିବା ବ୍ୟକ୍ତି ନିଜେ ସେହି ପାପ ବିଷୟରେ କାହାରିକୁ କହିଥିଲେ । ଏପରି ପରିସ୍ଥିତିରେ ପ୍ରାଚୀନମାନେ ଭାବିଚିନ୍ତି କେବଳ ସେହି ଲୋକମାନଙ୍କୁ ଏବିଷୟରେ କହିବେ, ଯେଉଁମାନେ ସେହି ପାପ ବିଷୟରେ ଜାଣିଛନ୍ତି । ପ୍ରାଚୀନମାନେ ସେମାନଙ୍କୁ କହିବେ ଯେ ମାମଲାକୁ ସମାଧାନ କରି ଦିଆଯାଇଛି ଏବଂ ପାପ କରିଥିବା ବ୍ୟକ୍ତିଙ୍କୁ ସୁଧାର କରାଯାଇଛି ।
୧୭. ଯଦି କାହାରି ଗମ୍ଭୀର ପାପ ବିଷୟରେ ମଣ୍ଡଳୀର ଅନେକ ଲୋକ ଜାଣିଛନ୍ତି କିମ୍ବା ଆଗକୁ ଯାଇ ସେମାନଙ୍କୁ ଜଣାପଡ଼ିବ, ତାହେଲେ କʼଣ ଘୋଷଣା କରାଯାଏ ଏବଂ କାହିଁକି ?
୧୭ କିନ୍ତୁ କିଛି ମାମଲା ଏପରି ଥାଏ ଯାହା ବିଷୟରେ ହୁଏତ ମଣ୍ଡଳୀରେ ଅନେକ ଲୋକଙ୍କୁ ଜଣା ଥିବ କିମ୍ବା ଆଗକୁ ଯାଇ ସେମାନଙ୍କୁ ଜଣାପଡ଼ିବ । ଏପରି ସମୟରେ “ସମସ୍ତଙ୍କ ସାକ୍ଷାତରେ” ଅନୁଯୋଗ କର ଏହାର ଅର୍ଥ ହେଉଛି, ମଣ୍ଡଳୀ ଆଗରେ ସୁଧାରିବା । ସେଥିପାଇଁ ପ୍ରାଚୀନମାନେ ମଣ୍ଡଳୀରେ ଘୋଷଣା କରିବେ ଏବଂ କହିବେ ଯେ ସେହି ଭାଇ କିମ୍ବା ଭଉଣୀଙ୍କୁ ସୁଧାର କରାଯାଇଛି । ଏହି ଘୋଷଣା କରିବା କାହିଁକି ଜରୁରୀ ? ପାଉଲ କହିଲେ, ‘ଯେପରି ଅନ୍ୟମାନେ ମଧ୍ୟ ଭୟ କରନ୍ତୁ’ ଏବଂ ତାଙ୍କ ଭଳି ପାପ କରନ୍ତୁ ନାହିଁ ।
୧୮. ଯଦି ଜଣେ ବାପ୍ତିସ୍ମ ପ୍ରାପ୍ତ ନାବାଳକ କୌଣସି ଗମ୍ଭୀର ପାପ କରେ, ତାହେଲେ ପ୍ରାଚୀନମାନେ ସେହି ମାମଲାକୁ କିପରି ସମାଧାନ କରନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୮ କିନ୍ତୁ ଯଦି ଗମ୍ଭୀର ପାପ କରିଥିବା ବ୍ୟକ୍ତି ବାପ୍ତିସ୍ମ ପ୍ରାପ୍ତ ନାବାଳକ ଅର୍ଥାତ୍ ୧୮ ବର୍ଷରୁ କମ୍ ବୟସର ଅଟେ, ତାହେଲେ କʼଣ କରାଯିବା ଉଚିତ୍ ? ପ୍ରାଚୀନମାନଙ୍କ ସମୂହ ଦୁଇଜଣ ପ୍ରାଚୀନଙ୍କୁ ବାଛିବ, ଯେଉଁମାନେ ସେହି ନାବାଳକ ଓ ତାʼ ଖ୍ରୀଷ୍ଟିୟାନ ବାପାମାଆଙ୍କୁ ଭେଟିବେ ।b ସେମାନେ ଏହା ଜାଣିବା ପାଇଁ ଚେଷ୍ଟା କରିବେ ଯେ ବାପାମାଆ କିପରି ନିଜ ପିଲାକୁ ପଶ୍ଚାତାପ ଆଡ଼କୁ ନେବା ପାଇଁ ଚେଷ୍ଟା କରୁଛନ୍ତି । ଯଦି ପିଲା ବାପାମାଆଙ୍କ କଥା ମାନେ ଏବଂ ନିଜ ଚିନ୍ତାଧାରା ଓ ବ୍ୟବହାରରେ ପରିବର୍ତ୍ତନ କରେ, ତାହେଲେ ସେହି ଦୁଇଜଣ ପ୍ରାଚୀନ ହୁଏତ ନିର୍ଦ୍ଧାରିତ କରିବେ ଯେ ଆଗକୁ ବି ବାପାମାଆ ହିଁ ସେହି ପିଲାକୁ ସାହାଯ୍ୟ କରିପାରିବେ ଏବଂ ସମିତି ଗଢ଼ିବାର କୌଣସି ଆବଶ୍ୟକତା ନାହିଁ । ଆଉ ଏହା ସତ ଯେ ଯିହୋବା ବାପାମାଆଙ୍କୁ ହିଁ ନିଜ ପିଲାମାନଙ୍କୁ ଶିଖାଇବା ଏବଂ ସେମାନଙ୍କୁ ପ୍ରେମର ସହିତ ସୁଧାର କରିବାର ଦାୟିତ୍ୱ ଦେଇଛନ୍ତି । (ଦ୍ୱିବି. ୬:୬, ୭; ହିତୋ. ୬:୨୦; ୨୨:୬; ଏଫି. ୬:୨-୪) କିନ୍ତୁ ତାʼପରେ ବି ପ୍ରାଚୀନମାନେ ମଝି ମଝିରେ ବାପାମାଆଙ୍କ ସହ କଥା ହେବେ ଓ ଜାଣିବା ପାଇଁ ଚେଷ୍ଟା କରିବେ ଯେ ନାବାଳକର କିପରି ସାହାଯ୍ୟ କରାଯାଉଛି । କିନ୍ତୁ ବାପ୍ତିସ୍ମ ପ୍ରାପ୍ତ ଜଣେ ନାବାଳକ ଯଦି ଖରାପ କାମ କରିବା ଛାଡ଼େ ନାହିଁ ଏବଂ ପଶ୍ଚାତାପ କରେ ନାହିଁ, ତାହେଲେ କʼଣ କରାଯାଏ ? ଏପରି ସମୟରେ ପ୍ରାଚୀନମାନଙ୍କ ଗୋଟିଏ ସମିତି ଗଢ଼ାଯାଏ ଯିଏ ସେହି ନାବାଳକ ଓ ତାʼ ଖ୍ରୀଷ୍ଟିୟାନ ବାପାମାଆଙ୍କୁ ଭେଟେ ।
ଯେବେ ଜଣେ ନାବାଳକ ଗମ୍ଭୀର ପାପ କରେ, ତେବେ ଦୁଇଜଣ ପ୍ରାଚୀନ ତାକୁ ଏବଂ ତାʼ ଖ୍ରୀଷ୍ଟିୟାନ ବାପାମାଆଙ୍କୁ ଭେଟନ୍ତି (ପାରାଗ୍ରାଫ ୧୮)
ଯିହୋବା “ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି”
୧୯. ପ୍ରାଚୀନମାନେ ପାପ କରିଥିବା ବ୍ୟକ୍ତିମାନଙ୍କ ସହ ଯିହୋବାଙ୍କ ଭଳି କିପରି ବ୍ୟବହାର କରନ୍ତି ?
୧୯ ଯେଉଁ ପ୍ରାଚୀନମାନେ ସମିତିରେ ଥାʼନ୍ତି, ସେମାନେ ଯିହୋବାଙ୍କ ଆଗରେ ଏ କଥା ପାଇଁ ଦାୟୀ ଯେ ସେମାନେ ମଣ୍ଡଳୀକୁ ଶୁଦ୍ଧ ରଖିବେ । (୧ କରି. ୫:୭) କିନ୍ତୁ ପ୍ରାଚୀନମାନେ ପାପ କରିଥିବା ବ୍ୟକ୍ତିଙ୍କୁ ପଶ୍ଚାତାପ ଆଡ଼କୁ ନେବା ପାଇଁ ବି ପୂରା ଚେଷ୍ଟା କରନ୍ତି ଏବଂ ଏ କଥାର ଭରସା ରଖନ୍ତି ଯେ ସେହି ବ୍ୟକ୍ତି ନିଶ୍ଚୟ ବଦଳିବେ । ସେମାନେ ଏପରି କାହିଁକି କରନ୍ତି ? କାରଣ ସେମାନେ ଯିହୋବାଙ୍କ ଭଳି ହେବା ପାଇଁ ଚାହାନ୍ତି ଯିଏ “ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି ।” (ଯାକୁ. ୫:୧୧) ବୃଦ୍ଧ ପ୍ରେରିତ ଯୋହନ ଏପରି ହିଁ କରିଥିଲେ । ସେ ଲେଖିଲେ, “ହେ ମୋହର ବତ୍ସଗଣ, ତୁମ୍ଭେମାନେ ଯେପରି ପାପ ନ କର, ଏଥିନିମନ୍ତେ ମୁଁ ଏହିସବୁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି । କିନ୍ତୁ କେହି ଯଦି ପାପ କରେ, ତାହାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେହି ଧାର୍ମିକ ଯୀଶୁ ଖ୍ରୀଷ୍ଟ ।”—୧ ଯୋହ. ୨:୧.
୨୦. ଏହି ସଂଖ୍ୟାର ଶେଷ ଲେଖାରେ ଆମେ କʼଣ ଜାଣିବା ?
୨୦ ଦୁଃଖର କଥା, ବେଳେବେଳେ ପାପ କରିଥିବା ବ୍ୟକ୍ତି ପଶ୍ଚାତାପ କରନ୍ତି ନାହିଁ, ତେଣୁ ସେମାନଙ୍କୁ ମଣ୍ଡଳୀରୁ ବାହାର କରିବା ଜରୁରୀ ହୋଇଯାଏ । ପ୍ରାଚୀନମାନେ ଏହି ଗମ୍ଭୀର ମାମଲାକୁ କିପରି ସମାଧାନ କରନ୍ତି ? ଏବିଷୟରେ ଆମେ ଶେଷ ଲେଖାରେ ଜାଣିବା ।
ଗୀତ ୧୦୩ “ଆଦମିୟୋଁ କେ ରୂପ ମେଁ ତୌଫେ”
a ପ୍ରାଚୀନମାନଙ୍କ ଏହି ସମିତିକୁ ପୂର୍ବେ ନ୍ୟାୟିକ ସମିତି କୁହାଯାଉଥିଲା । କିନ୍ତୁ ନ୍ୟାୟ କରିବା କେବଳ ସେମାନଙ୍କ କାମର ଗୋଟିଏ ଭାଗ ଅଟେ । ସେଥିପାଇଁ ଏବେଠାରୁ ଆମେ ଏହାକୁ ନ୍ୟାୟିକ ସମିତି କହିବା ନାହିଁ, ବରଂ ପ୍ରାଚୀନମାନଙ୍କ ସମିତି କହିବା ।
b ଏହି କଥା ସେମାନଙ୍କ ପାଇଁ ବି ଲାଗୁ ହୁଏ ଯେଉଁମାନେ ଜଣେ ନାବାଳକର ଆଇନ ଅନୁସାରେ ଦେଖାଶୁଣା କରନ୍ତି (ଅଭିଭାବକ) ଏବଂ ସେମାନଙ୍କ ପାଇଁ ବି ଯେଉଁମାନେ ବାପାମାଆଙ୍କ ଭଳି ତାଙ୍କର ଲାଳନପାଳନ କରନ୍ତି ।