ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ଅଗଷ୍ଟ ପୃଷ୍ଠା ୨୬-୩୧
  • ଯେଉଁମାନଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି, ସେମାନଙ୍କୁ ସାହାଯ୍ୟ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯେଉଁମାନଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି, ସେମାନଙ୍କୁ ସାହାଯ୍ୟ କରନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ‘ସେହି ଦୁଷ୍ଟ ଲୋକଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ବାହାର କରିଦିଅ’
  • ଯେଉଁମାନଙ୍କୁ ମଣ୍ଡଳୀରୁ ବାହାର କରିଦିଆଯାଏ, ପ୍ରାଚୀନମାନେ ସେମାନଙ୍କୁ କିପରି ସାହାଯ୍ୟ କରନ୍ତି ?
  • ମଣ୍ଡଳୀର ଭାଇଭଉଣୀମାନେ କʼଣ କରିପାରିବେ ?
  • ଯିହୋବାଙ୍କ ଭଳି କରୁଣା ଓ ଦୟା ଦେଖାନ୍ତୁ
  • ପାପ କରିଥିବା ବ୍ୟକ୍ତିମାନଙ୍କୁ ପ୍ରେମ ଓ ଦୟା ଦେଖାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଗମ୍ଭୀର ପାପ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ପ୍ରାଚୀନମାନଙ୍କ ସାହାଯ୍ୟ ନିଅନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଯଦି ଆମ ଦ୍ୱାରା କୌଣସି ଗମ୍ଭୀର ପାପ ହୋଇଯାଏ, ତାହେଲେ ଆମେ କʼଣ କରିବା ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ଅଗଷ୍ଟ ପୃଷ୍ଠା ୨୬-୩୧

ଅଧ୍ୟୟନ ଲେଖା ୩୫

ଗୀତ ୧୨୩ ୟହୋୱା କି ହୁକୁମତ୍‌ କବୁଲ୍‌ କରେଁ

ଯେଉଁମାନଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି, ସେମାନଙ୍କୁ ସାହାଯ୍ୟ କରନ୍ତୁ

“ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ପ୍ରୟୋଜନ ନାହିଁ, ଏପରି ଅନେଶ୍ୱତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ ।”—ଲୂକ ୧୫:୭.

କʼଣ ଶିଖିବା ?

କିଛି ଲୋକମାନଙ୍କୁ ମଣ୍ଡଳୀରୁ କାହିଁକି ବାହାର କରିଦିଆଯାଏ ଓ ପ୍ରାଚୀନମାନେ ସେମାନଙ୍କୁ ପଶ୍ଚାତାପ କରିବା ଏବଂ ଯିହୋବାଙ୍କ ସହିତ ପୁଣିଥରେ ନିଜ ସମ୍ପର୍କ ଦୃଢ଼ କରିବା ପାଇଁ କିପରି ସାହାଯ୍ୟ କରିପାରିବେ ?

୧-୨. (କ) ଯେବେ କେହି ଗମ୍ଭୀର ପାପ କରି ପଶ୍ଚାତାପ କରନ୍ତି ନାହିଁ, ତେବେ ଯିହୋବାଙ୍କୁ କିପରି ଲାଗେ ? (ଖ) ଯେଉଁମାନେ ପାପ କରନ୍ତି, ଯିହୋବା ସେମାନଙ୍କଠାରୁ କʼଣ ଚାହାନ୍ତି ?

ଯିହୋବା ପାପକୁ ଘୃଣା କରନ୍ତି ଏବଂ ଖରାପ କାମଗୁଡ଼ିକୁ ଅନୁମତି ଦିଅନ୍ତି ନାହିଁ । (ଗୀତ. ୫:୪-୬) ସେ ଚାହାନ୍ତି ଯେ ସେ ବାଇବଲରେ ଯେଉଁ ଧାର୍ମିକ ସ୍ତରଗୁଡ଼ିକ ଲେଖାଇଛନ୍ତି, ସେଗୁଡ଼ିକୁ ଆମେ ମାନୁ । କିନ୍ତୁ ସେ ଜାଣନ୍ତି ଯେ ଆମେ ଅପରିପୂର୍ଣ୍ଣ, ତେଣୁ ସେ ଆମଠାରୁ ଏହା ଆଶା କରନ୍ତି ନାହିଁ ଯେ ଆମ ଦ୍ୱାରା କେବେ କୌଣସି ଭୁଲ ହେବ ନାହିଁ । (ଗୀତ. ୧୩୦:୩, ୪) କିନ୍ତୁ ସେ ଏପରି “ଅଧାର୍ମିକ” ଲୋକମାନଙ୍କୁ ଜମା ପସନ୍ଦ କରନ୍ତି ନାହିଁ, ଯେଉଁମାନେ ‘ଈଶ୍ୱରଙ୍କ ଅନୁଗ୍ରହକୁ ବିପରୀତ ଭାବରେ କାମୁକତାରେ [“ନିର୍ଲ୍ଲଜ କାମ,” NWT ] ବ୍ୟବହାର’ କରନ୍ତି । (ଯିହୂ. ୪) ବାଇବଲରେ କୁହାଯାଇଛି ଯେ ଯିହୋବା ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ ‘ଅଧାର୍ମିକ ଲୋକମାନଙ୍କର ବିନାଶ’ କରିଦେବେ ।—୨ ପିତ. ୩:୭; ପ୍ରକା. ୧୬:୧୬.

୨ କିନ୍ତୁ ଯିହୋବା ଚାହାନ୍ତି ନାହିଁ ଯେ କେହି ବିନଷ୍ଟ ହୁଅନ୍ତୁ । ଯେପରି ଆମେ ଏହି ସଂଖ୍ୟାର ଅନ୍ୟ ଲେଖାଗୁଡ଼ିକରେ ଚର୍ଚ୍ଚା କଲୁ, ଯିହୋବା ଚାହାନ୍ତି ଯେ ‘ସମସ୍ତେ ମନ ପରିବର୍ତ୍ତନ କରନ୍ତୁ’ ଏବଂ ସେ ଏହି କଥା ବାଇବଲରେ ସ୍ପଷ୍ଟ ଭାବେ ଲେଖାଇଛନ୍ତି । (୨ ପିତ. ୩:୯) ସେଥିପାଇଁ ଯେଉଁମାନେ ପାପ କରନ୍ତି, ପ୍ରାଚୀନମାନେ ସେମାନଙ୍କ ସହିତ ଯିହୋବାଙ୍କ ଭଳି ଧୈର୍ଯ୍ୟ ଧରନ୍ତି । ସେମାନେ ପ୍ରେମର ସହିତ ସେମାନଙ୍କୁ ପଶ୍ଚାତାପ ଆଡ଼କୁ ନେବା ପାଇଁ ଚେଷ୍ଟା କରନ୍ତି ଏବଂ ଚାହାନ୍ତି ଯେ ପୁଣିଥରେ ଯିହୋବାଙ୍କ ସହିତ ସେମାନଙ୍କ ସମ୍ପର୍କ ଦୃଢ଼ ହେଉ । କିନ୍ତୁ ଦୁଃଖର କଥା ଯେ କିଛି ଲୋକ ପଶ୍ଚାତାପ କରନ୍ତି ନାହିଁ । (ଯିଶା. ୬:୯) ପ୍ରାଚୀନମାନେ ବାରମ୍ବାର ସାହାଯ୍ୟ କଲାପରେ ବି ସେମାନେ ନିଜକୁ ପରିବର୍ତ୍ତନ କରନ୍ତି ନାହିଁ ଏବଂ ଖରାପ କାମ କରିବାରେ ଲାଗି ରହନ୍ତି । ଏପରି ସମୟରେ ପ୍ରାଚୀନମାନେ କʼଣ କରିବା ଉଚିତ୍‌ ?

‘ସେହି ଦୁଷ୍ଟ ଲୋକଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ବାହାର କରିଦିଅ’

୩. (କ) ଯେଉଁମାନେ ପଶ୍ଚାତାପ କରନ୍ତି ନାହିଁ, ସେମାନଙ୍କ ବିଷୟରେ ବାଇବଲରେ କʼଣ କୁହାଯାଇଛି ? (ଖ) ଆମେ ଏପରି କାହିଁକି କହିପାରିବା ଯେ ଯିଏ ପାପ କରନ୍ତି, ତାଙ୍କୁ ଯେତେବେଳେ ମଣ୍ଡଳୀରୁ ବାହାର କରିଦିଆଯାଏ, ତେବେ ତାʼପାଇଁ ସେ ନିଜେ ହିଁ ଦାୟୀ ?

୩ ଯିଏ ପାପ କରନ୍ତି, ସେ ଯଦି ପଶ୍ଚାତାପ କରନ୍ତି ନାହିଁ ତେବେ ପ୍ରାଚୀନମାନେ ୧ କରିନ୍ଥୀୟ ୫:୧୩ ପଦରେ ଦିଆଯାଇଥିବା ନିର୍ଦ୍ଦେଶକୁ ମାନନ୍ତି । ସେଠାରେ ଲେଖାଅଛି, ‘ସେହି ଦୁଷ୍ଟ ଲୋକଙ୍କୁ ତୁମ୍ଭମାନଙ୍କ ମଧ୍ୟରୁ ବାହାର କରିଦିଅ ।’ ଦେଖିବାକୁ ଗଲେ ଯେତେବେଳେ ସେହି ବ୍ୟକ୍ତିଙ୍କୁ ମଣ୍ଡଳୀରୁ ବାହାର କରିଦିଆଯାଏ, ତେବେ ତାʼପାଇଁ ସେ ନିଜେ ହିଁ ଦାୟୀ । ସେ ଯାହା ବୁଣିଲେ, ତାହା ହିଁ କାଟୁଛନ୍ତି । (ଗାଲା. ୬:୭) ଆମେ ଏପରି କାହିଁକି କହିପାରିବା ? କାରଣ ପ୍ରାଚୀନମାନେ ତାଙ୍କୁ ବାରମ୍ବାର ପଶ୍ଚାତାପ ଆଡ଼କୁ ନେବା ପାଇଁ ଚେଷ୍ଟା କଲେ, କିନ୍ତୁ ସେ ସେମାନଙ୍କ କଥା ଶୁଣିଲେ ନାହିଁ । (୨ ରାଜା. ୧୭:୧୨-୧୫) ସେ ଖରାପ କାମ କରିବାରେ ଲାଗି ରହିଲେ ଏବଂ ଏପରି କରି ସେ ଦେଖାଇଲେ ଯେ ସେ ଯିହୋବାଙ୍କ ସ୍ତର ମାନିବା ପାଇଁ ଚାହାନ୍ତି ନାହିଁ ।—ଦ୍ୱିବି. ୩୦:୧୯, ୨୦.

୪. ଯେବେ କାହାରିକୁ ମଣ୍ଡଳୀରୁ ବାହାର କରିଦିଆଯାଏ, ତେବେ ଏବିଷୟରେ ମଣ୍ଡଳୀରେ କାହିଁକି ଘୋଷଣା କରାଯାଏ ?

୪ ଯେବେ ଜଣେ ବ୍ୟକ୍ତିଙ୍କୁ ମଣ୍ଡଳୀରୁ ବାହାର କରିଦିଆଯାଏ, ତେବେ ଭାଇଭଉଣୀମାନଙ୍କୁ ଏବିଷୟରେ ଜଣାଇବା ପାଇଁ ଗୋଟିଏ ଘୋଷଣା କରାଯାଏ । ସେଥିରେ କୁହାଯାଏ ସେ ସେହି ବ୍ୟକ୍ତି ଏବେଠାରୁ ଯିହୋବାଙ୍କ ସାକ୍ଷୀ ନୁହଁନ୍ତି ।a ଏହି ଘୋଷଣା ପାପ କରିଥିବା ବ୍ୟକ୍ତିଙ୍କୁ ସମସ୍ତଙ୍କ ସାମନାରେ ଲଜ୍ଜିତ କରିବା ପାଇଁ ନୁହେଁ, ବରଂ ଏଥିପାଇଁ କରାଯାଏ ଯାହାଦ୍ୱାରା ଭାଇଭଉଣୀମାନେ ବାଇବଲରେ ଦିଆଯାଇଥିବା ନିର୍ଦ୍ଦେଶକୁ ମାନିପାରିବେ ଓ ସେହି ବ୍ୟକ୍ତିଙ୍କ ସହିତ “ସମ୍ପର୍କ” ରଖିବେ ନାହିଁ, ଏପରିକି ସେହି ବ୍ୟକ୍ତିଙ୍କ ସହିତ “ଭୋଜନ ସୁଦ୍ଧା” କରିବେ ନାହିଁ । (୧ କରି. ୫:୯-୧୧) ଏହି ନିର୍ଦ୍ଦେଶ ପଛରେ ଗୋଟିଏ ବିଶେଷ କାରଣ ରହିଛି । ଯେପରି ପ୍ରେରିତ ପାଉଲ କହିଲେ, “ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ ।” (୧ କରି. ୫:୬) ଯଦି ଜଣେ ବ୍ୟକ୍ତି ପଶ୍ଚାତାପ କରନ୍ତି ନାହିଁ ଆଉ ମଣ୍ଡଳୀରେ ରହନ୍ତି, ତାହେଲେ ଯେଉଁ ଭାଇଭଉଣୀମାନେ ଯିହୋବାଙ୍କ ସ୍ତର ମାନିବା ପାଇଁ କଠିନ ପରିଶ୍ରମ କରୁଛନ୍ତି ସେମାନଙ୍କୁ ଲାଗିପାରେ ଯେ ସେମାନଙ୍କୁ ମଧ୍ୟ ଯିହୋବାଙ୍କ ଆଜ୍ଞା ମାନିବା ଦରକାର ନାହିଁ ।—ହିତୋ. ୧୩:୨୦; ୧ କରି. ୧୫:୩୩.

୫. ଯେବେ କାହାରିକୁ ମଣ୍ଡଳୀରୁ ବାହାର କରିଦିଆଯାଏ, ତେବେ ଆମେ ତାଙ୍କୁ କେଉଁ ଦୃଷ୍ଟିରେ ଦେଖିବା ଉଚିତ୍‌ ଓ କାହିଁକି ?

୫ ଯଦି କେହି ଭାଇ କିମ୍ବା ଭଉଣୀଙ୍କୁ ମଣ୍ଡଳୀରୁ ବାହାର କରିଦିଆଯାଏ, ତେବେ ଆମେ ତାଙ୍କୁ କେଉଁ ଦୃଷ୍ଟିରେ ଦେଖିବା ଉଚିତ୍‌ ? ଏହା ସତ ଯେ ଆମେ ତାଙ୍କ ସହିତ ସଙ୍ଗତି କରିବା ବନ୍ଦ କରିଦେବା, କିନ୍ତୁ ଆମେ ଏପରି ଭାବିବା ନାହିଁ ଯେ ତାଙ୍କ ପାଇଁ କୌଣସି ଆଶା ନାହିଁ । ଏହା ପରିବର୍ତ୍ତେ ଆମେ ତାଙ୍କୁ ଯିହୋବାଙ୍କ ହଜିଯାଇଥିବା ମେଷ ଭାବିବା, ଯିଏ ତାଙ୍କ ପାଖକୁ ପୁଣିଥରେ ଫେରି ପାରିବେ । ମନେ ରଖନ୍ତୁ, ସେହି ବ୍ୟକ୍ତି ନିଜ ଜୀବନ ଯିହୋବାଙ୍କୁ ସମର୍ପିତ କରିଛନ୍ତି, କିନ୍ତୁ ଦୁଃଖର କଥା ଯେ ସେ ବର୍ତ୍ତମାନ ନିଜ ସମର୍ପଣ ଅନୁସାରେ ବଞ୍ଚୁ ନାହାନ୍ତି ଏବଂ ଏହି କାରଣ ଯୋଗୁଁ ସେ ଅନନ୍ତ ଜୀବନର ସୁଯୋଗ ହରାଇପାରିବେ । (ଯିହି. ୧୮:୩୧) କିନ୍ତୁ ଯେଉଁ ପର୍ଯ୍ୟନ୍ତ ସମୟ ଅଛି ଏବଂ ଯିହୋବା ଲୋକମାନଙ୍କ ଉପରେ ଦୟା ଦେଖାଉଛନ୍ତି, ସେସମୟ ଯାଏ ଆମେ ଆଶା ରଖିବା ଯେ ସେହି ବ୍ୟକ୍ତି ବଦଳି ପାରିବେ ଓ ଯିହୋବାଙ୍କ ପାଖକୁ ଫେରି ପାରିବେ । ଏବେ ପ୍ରଶ୍ନ ଉଠେ ଯେ ଯେବେ କାହାରିକୁ ମଣ୍ଡଳୀରୁ ବାହାର କରିଦିଆଯାଏ, ତେବେ ପ୍ରାଚୀନମାନେ କିପରି ତାଙ୍କୁ ସାହାଯ୍ୟ କରିପାରିବେ ?

ଯେଉଁମାନଙ୍କୁ ମଣ୍ଡଳୀରୁ ବାହାର କରିଦିଆଯାଏ, ପ୍ରାଚୀନମାନେ ସେମାନଙ୍କୁ କିପରି ସାହାଯ୍ୟ କରନ୍ତି ?

୬. ଯାହାଙ୍କୁ ମଣ୍ଡଳୀରୁ ବାହାର କରିଦିଆଯାଏ, ପ୍ରାଚୀନମାନେ ତାଙ୍କୁ କିପରି ସାହାଯ୍ୟ କରନ୍ତି ?

୬ ଯେବେ ଜଣେ ବ୍ୟକ୍ତିଙ୍କୁ ମଣ୍ଡଳୀରୁ ବାହାର କରିଦିଆଯାଏ, ତେବେ କʼଣ ପ୍ରାଚୀନମାନେ ତାଙ୍କୁ ପୁଣିଥରେ ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ ସାହାଯ୍ୟ କରନ୍ତି ନାହିଁ ? ଏପରି ନୁହେଁ । ଯେବେ ପାପ କରିଥିବା ବ୍ୟକ୍ତିଙ୍କୁ କୁହାଯାଏ ଯେ ତାଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଉଛି, ତେବେ ପ୍ରାଚୀନମାନଙ୍କ ସମିତି ତାଙ୍କୁ ଏହା ବି ବୁଝାଏ ଯେ ମଣ୍ଡଳୀକୁ ଫେରି ଆସିବା ପାଇଁ ସେ କʼଣ କରିପାରିବେ । କେବଳ ଏତିକି ନୁହେଁ, ଅଧିକାଂଶ ମାମଲାରେ ପ୍ରାଚୀନମାନେ ତାଙ୍କୁ କହନ୍ତି ଯେ ସେମାନେ କିଛି ମାସ ପରେ ପୁଣି ତାଙ୍କୁ ଭେଟିବେ ଏବଂ ଦେଖିବେ ଯେ ସେ ପରିବର୍ତ୍ତନ କରିଛନ୍ତି ନା ନାହିଁ । ଯଦି ସେହି ବ୍ୟକ୍ତି ଭେଟିବା ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ପ୍ରାଚୀନମାନେ ତାଙ୍କୁ ଭେଟିବେ ଏବଂ ପ୍ରେମର ସହ ଅନୁରୋଧ କରିବେ ଯେ ସେ ପଶ୍ଚାତାପ କରି ଯିହୋବାଙ୍କ ପାଖକୁ ଫେରି ଆସନ୍ତୁ । କିନ୍ତୁ ଯଦି ପ୍ରାଚୀନମାନଙ୍କୁ ଲାଗେ ଯେ ସେ ପରିବର୍ତ୍ତନ କରି ନାହାନ୍ତି, ତେବେ ସେମାନେ ହାର ମାନିବେ ନାହିଁ । ସେମାନେ ମଝି ମଝିରେ ତାଙ୍କୁ ଭେଟିବେ ଓ ପଶ୍ଚାତାପ କରିବା ପାଇଁ ପ୍ରୋତ୍ସାହନ ଦେବେ ।

୭. ଯିହୋବାଙ୍କ ଭଳି ପ୍ରାଚୀନମାନେ କିପରି ଦେଖାନ୍ତି ଯେ ସେମାନଙ୍କ ହୃଦୟରେ ସେହି ବ୍ୟକ୍ତିଙ୍କ ପାଇଁ କରୁଣାର ଭାବନା ଅଛି, ଯାହାଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି ? (ଯିରିମୀୟ ୩:୧୨)

୭ ଯିହୋବାଙ୍କ ଭଳି ପ୍ରାଚୀନମାନଙ୍କ ହୃଦୟରେ ମଧ୍ୟ ସେହି ବ୍ୟକ୍ତିଙ୍କ ପାଇଁ କରୁଣାର ଭାବନା ଥାଏ, ଯାହାଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ ସେମାନେ ପୂରା ଚେଷ୍ଟା କରନ୍ତି । ଯିହୋବାଙ୍କ ବିଷୟରେ ଭାବନ୍ତୁ । ଇସ୍ରାଏଲୀୟମାନେ ବାରମ୍ବାର ତାଙ୍କ ଆଜ୍ଞା ଭାଙ୍ଗିଲେ, ତଥାପି ସେ ନିଜେ ଆଗକୁ ଆସି ସେମାନଙ୍କୁ ସାହାଯ୍ୟ କଲେ । ଯିହୋବା ଏପରି ଭାବିଲେ ନାହିଁ ଯେ ଯେବେ ସେମାନେ ପଶ୍ଚାତାପ କରିବେ, ତେବେ ସେ ସେମାନଙ୍କୁ ସାହାଯ୍ୟ କରିବେ । ଆପଣଙ୍କୁ ହୁଏତ ମନେ ଥିବ ଯେ ଆମେ ଏହି ସଂଖ୍ୟାର ଦ୍ୱିତୀୟ ଲେଖାରେ କʼଣ ଶିଖିଥିଲୁ । ଭବିଷ୍ୟଦ୍‌ବକ୍ତା ହୋଶେୟଙ୍କ ସ୍ତ୍ରୀ ପାପ କରିବାରେ ଲାଗି ରହିଥିଲେ, ତଥାପି ଯିହୋବା ହୋଶେୟଙ୍କୁ ନିଜ ସ୍ତ୍ରୀଙ୍କୁ ଆପଣାଇବା ପାଇଁ କହିଲେ । ଏପରି ଭାବେ ଯିହୋବା ଦେଖାଇଲେ ଯେ ଯେଉଁମାନେ ପାପ କରନ୍ତି, ସେମାନଙ୍କ ପାଇଁ ତାଙ୍କ ହୃଦୟରେ କେତେ କରୁଣା ଭରି ରହିଛି । (ହୋଶେ. ୩:୧; ମଲାଖି ୩:୭) ଯିହୋବାଙ୍କ ଭଳି ଆଜି ପ୍ରାଚୀନମାନେ ମଧ୍ୟ ହୃଦୟରୁ ଚାହାନ୍ତି ଯେ ଯିଏ ପାପ କରନ୍ତି, ସେ ପଶ୍ଚାତାପ କରି ମଣ୍ଡଳୀକୁ ଫେରି ଆସନ୍ତୁ । ସେଥିପାଇଁ ସେମାନେ ପ୍ରେମର ସହ ତାଙ୍କ ସହିତ ବ୍ୟବହାର କରନ୍ତି ଏବଂ ଏପରି କିଛି କହନ୍ତି ନାହିଁ ବା କରନ୍ତି ନାହିଁ, ଯାହାଦ୍ୱାରା ସେହି ବ୍ୟକ୍ତିଙ୍କ ପାଇଁ ମଣ୍ଡଳୀରେ ଫେରି ଆସିବା କଠିନ ହୋଇଯିବ ।—ଯିରିମୀୟ ୩:୧୨ ପଢ଼ନ୍ତୁ ।

୮. ଯୀଶୁ ହଜିଲା ପୁତ୍ରର ଯେଉଁ ଉଦାହରଣ ଦେଲେ, ସେଥିରୁ ଆମେ ଯିହୋବାଙ୍କ କରୁଣାର ଗୁଣ ବିଷୟରେ କିପରି ଆହୁରି ଭଲଭାବେ ବୁଝିପାରୁ ? (ଲୂକ ୧୫:୭)

୮ ଏହି ସଂଖ୍ୟାର ଦ୍ୱିତୀୟ ଲେଖାରେ ଆମେ ହଜିଲା ପୁତ୍ରର ଉଦାହରଣ ଉପରେ ମଧ୍ୟ ଚର୍ଚ୍ଚା କରିଥିଲୁ । କʼଣ ଆପଣଙ୍କୁ ମନେ ଅଛି ଯେ ତାʼ ବାପା କିପରି ବ୍ୟବହାର ଦେଖାଇଥିଲେ ? ନିଜ ପୁଅକୁ ଘରକୁ ଫେରିବାର ଦେଖି ସେ ଦୂରରୁ ହିଁ “ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ ।” (ଲୂକ ୧୫:୨୦) ଧ୍ୟାନ ଦିଅନ୍ତୁ ଯେ ବାପା ଏପରି ଭାବିଲେ ନାହିଁ ଯେ ଯେବେ ପୁଅ ନିଜ ଭୁଲ ମାନିବ, ତେବେ ସେ ତାକୁ ଆପଣାଇବେ । ତାʼ ପରିବର୍ତ୍ତେ ସେ ଦୌଡ଼ି ଦୌଡ଼ି ତାʼ ପାଖକୁ ଗଲେ, କାରଣ ସେ ତାକୁ ବହୁତ ପ୍ରେମ କରୁଥିଲେ । ଠିକ୍‌ ସେହିପରି ପ୍ରାଚୀନମାନେ ବି ସେମାନଙ୍କୁ ପ୍ରେମ କରନ୍ତି, ଯେଉଁମାନେ ଯିହୋବାଙ୍କୁ ଛାଡ଼ି ଚାଲି ଯାଇଛନ୍ତି ଏବଂ ସେମାନେ ଏହା ଚାହାନ୍ତି ଯେ ହଜିଯାଇଥିବା ମେଷମାନେ ଯିହୋବାଙ୍କ ପାଖକୁ ଫେରି ଆସନ୍ତୁ । (ଲୂକ ୧୫:୨୨-୨୪, ୩୨) ଆଉ ଯେବେ ସେମାନେ ଯିହୋବାଙ୍କ ପାଖକୁ ଫେରି ଆସନ୍ତି, ତେବେ ଯିହୋବା, ଯୀଶୁ, ସ୍ୱର୍ଗଦୂତ ଏବଂ ମଣ୍ଡଳୀର ଭାଇଭଉଣୀମାନେ ବହୁତ ଖୁସି ହୁଅନ୍ତି !—ଲୂକ ୧୫:୭ ପଢ଼ନ୍ତୁ ।

୯. ଯେଉଁମାନେ ପାପ କରିଛନ୍ତି, ଯିହୋବା ସେମାନଙ୍କଠାରୁ କʼଣ ଆଶା କରନ୍ତି ?

୯ ଏବେ ଯାଏ ଆମେ ଯାହା ଚର୍ଚ୍ଚା କଲୁ ସେଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଯେଉଁମାନେ ପଶ୍ଚାତାପ କରନ୍ତି ନାହିଁ, ଯିହୋବା ସେମାନଙ୍କୁ ନିଜ ଲୋକମାନଙ୍କ ମଧ୍ୟରେ ରହିବାକୁ ଦିଅନ୍ତି ନାହିଁ । କିନ୍ତୁ ତାʼଅର୍ଥ ଏହା ନୁହେଁ ଯେ ଯେଉଁମାନେ ପାପ କରନ୍ତି, ସେମାନଙ୍କ ଉପରେ ସେ ଧ୍ୟାନ ଦିଅନ୍ତି ନାହିଁ ବରଂ ସେ ଚାହାନ୍ତି ଯେ ସେମାନେ ତାଙ୍କ ପାଖକୁ ଫେରି ଆସନ୍ତୁ । ଆଉ ଯେବେ କେହି ପଶ୍ଚାତାପ କରନ୍ତି, ତେବେ ଯିହୋବା ସେମାନଙ୍କ ବିଷୟରେ କʼଣ ଭାବନ୍ତି ? ହୋଶେୟ ୧୪:୪ ପଦରେ ଲେଖାଅଛି, ‘ଆମ୍ଭେ ସେମାନଙ୍କ ବିପଥଗମନର [“ବିଶ୍ୱାସଘାତ,” NWT ] ପ୍ରତିକାର କରିବା, ଆମ୍ଭେ ସ୍ୱଚ୍ଛନ୍ଦରେ ସେମାନଙ୍କୁ ପ୍ରେମ କରିବା; କାରଣ ଆମ୍ଭ କ୍ରୋଧ ତାହାଠାରୁ ନିବୃତ୍ତ ହୋଇଅଛି ।’ ଏହି ପଦରୁ ପ୍ରାଚୀନମାନଙ୍କୁ କʼଣ କରିବା ପାଇଁ ପ୍ରୋତ୍ସାହନ ମିଳେ ? ଯଦି ସେମାନଙ୍କୁ ଯିଏ ପାପ କରିଛନ୍ତି, ତାଙ୍କଠାରେ କିଛି ବି ପରିବର୍ତ୍ତନ ଦେଖାଯାଏ ଏବଂ ସେମାନେ ଦେଖନ୍ତି ଯେ ସେହି ବ୍ୟକ୍ତି ପଶ୍ଚାତାପ ଆଡ଼କୁ ଯିବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ସେମାନଙ୍କୁ ତୁରନ୍ତ ତାଙ୍କ ସାହାଯ୍ୟ କରିବା ଉଚିତ୍‌ । ଆଉ ଯେଉଁମାନେ ଯିହୋବାଙ୍କୁ ଛାଡ଼ି ଚାଲି ଯାଇଛନ୍ତି, ସେମାନଙ୍କୁ ଏହି ପଦରୁ କʼଣ କରିବା ପାଇଁ ପ୍ରୋତ୍ସାହନ ମିଳେ ? ସେମାନଙ୍କୁ ଡେରି ନ କରି ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ ପ୍ରୋତ୍ସାହନ ମିଳେ, କାରଣ ଯିହୋବା ସେମାନଙ୍କୁ ବହୁତ ପ୍ରେମ କରନ୍ତି ।

୧୦-୧୧. ପ୍ରାଚୀନମାନେ ସେମାନଙ୍କୁ କିପରି ସାହାଯ୍ୟ କରିପାରିବେ, ଯେଉଁମାନଙ୍କୁ ହୁଏତ ଅନେକ ବର୍ଷ ପୂର୍ବେ ମଣ୍ଡଳୀରୁ ବାହାର କରି ଦିଆଯାଇଥିଲା ?

୧୦ କିଛି ଲୋକମାନଙ୍କୁ ହୁଏତ ଅନେକ ବର୍ଷ ପୂର୍ବେ ମଣ୍ଡଳୀରୁ ବାହାର କରି ଦିଆଯାଇଥିଲା, ସେମାନଙ୍କୁ ପ୍ରାଚୀନମାନେ କିପରି ସାହାଯ୍ୟ କରିପାରିବେ ? ହୁଏତ ସେମାନେ ସେହି ପାପ କରିବା ଛାଡ଼ି ଦେଇଥିବେ, ଯାହାଯୋଗୁଁ ସେମାନଙ୍କୁ ମଣ୍ଡଳୀରୁ ବାହାର କରାଯାଇଥିଲା । ବେଳେବେଳେ ଏପରି ବି ହୋଇପାରେ ଯେ ତାଙ୍କୁ ମନେ ହିଁ ନ ଥିବ ଯେ କାହିଁକି ତାଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଥିଲା । କାରଣ ଯାହା ବି ଥାଉ ନା କାହିଁକି, ପ୍ରାଚୀନମାନେ ଏହା ଜାଣିବା ପାଇଁ ଚେଷ୍ଟା କରିବେ ଯେ ସେ କେଉଁଠି ରହନ୍ତି ଏବଂ ତାଙ୍କୁ ଭେଟିବେ । ଭେଟିବା ସମୟରେ ସେମାନେ ତାଙ୍କ ସହିତ ପ୍ରାର୍ଥନା କରିବେ ଏବଂ ପ୍ରେମର ସହିତ ତାଙ୍କୁ ମଣ୍ଡଳୀକୁ ଫେରି ଆସିବା ପାଇଁ ଅନୁରୋଧ କରିବେ । ହୋଇପାରେ ଅନେକ ବର୍ଷ ମଣ୍ଡଳୀରୁ ଦୂରରେ ଥିବା ଯୋଗୁଁ ଯିହୋବାଙ୍କ ସହିତ ତାଙ୍କ ସମ୍ପର୍କ ଦୁର୍ବଳ ହୋଇଯାଇଥିବ । ଯଦି ସେ କହନ୍ତି ଯେ ସେ ମଣ୍ଡଳୀକୁ ଫେରି ଆସିବା ପାଇଁ ଚାହାନ୍ତି, ତେବେ ପ୍ରାଚୀନମାନେ ତାଙ୍କର ବାଇବଲ ଅଧ୍ୟୟନ କରିବାର ବ୍ୟବସ୍ଥା କରିପାରିବେ । ଆଉ ଏହି ବ୍ୟବସ୍ଥା ସେମାନଙ୍କ ପୁନଃସ୍ଥାପନ କରାଯିବା ପୂର୍ବରୁ କରାଯାଇପାରେ । କିନ୍ତୁ ପ୍ରତ୍ୟେକ ମାମଲାରେ ପ୍ରାଚୀନମାନେ ନିଷ୍ପତ୍ତି ନେବେ ଯେ ସେହି ବ୍ୟକ୍ତିଙ୍କ ସହିତ କିଏ ଅଧ୍ୟୟନ କରିବେ ।

୧୧ ପ୍ରାଚୀନମାନଙ୍କ ହୃଦୟରେ ଯିହୋବାଙ୍କ ଭଳି ଲୋକଙ୍କ ପାଇଁ କରୁଣାର ଭାବନା ଥାଏ । ସେଥିପାଇଁ ସେମାନେ ଏପରି ବ୍ୟକ୍ତିଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତି, ଯିଏ ଯିହୋବାଙ୍କୁ ଛାଡ଼ି ଚାଲି ଯାଇଛନ୍ତି ଓ ତାଙ୍କୁ ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ ଅନୁରୋଧ କରନ୍ତି । ଆଉ ଯେବେ ସେହି ବ୍ୟକ୍ତି ପଶ୍ଚାତାପ କରନ୍ତି ଓ ଖରାପ କାମ କରିବା ଛାଡ଼ି ଦିଅନ୍ତି, ତେବେ ପ୍ରାଚୀନମାନେ ଯେତେ ଶୀଘ୍ର ହୋଇପାରେ ତାଙ୍କୁ ପୁନଃସ୍ଥାପନ କରିପାରିବେ ।—୨ କରି. ୨:୬-୮.

୧୨. (କ) କେଉଁ ପରିସ୍ଥିତିରେ ପ୍ରାଚୀନମାନଙ୍କୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼େ ? (ଖ) ଆମେ ଏପରି କାହିଁକି ଭାବିବା ଉଚିତ୍‌ ନୁହେଁ ଯେ ଯେଉଁମାନେ ପାପ କରନ୍ତି, ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କୁ ଯିହୋବାଙ୍କଠାରୁ କ୍ଷମା ମିଳିପାରିବ ନାହିଁ ? (ଫୁଟନୋଟ୍‌ ମଧ୍ୟ ଦେଖନ୍ତୁ ।)

୧୨ କିଛି ପରିସ୍ଥିତିରେ ପ୍ରାଚୀନମାନଙ୍କୁ କାହାରିଙ୍କୁ ପୁନଃସ୍ଥାପନ କରିବା ପୂର୍ବରୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼େ । ଯେପରି, ଯଦି କେହି ଶିଶୁ ନିର୍ଯ୍ୟାତନା କରିଥିଲେ, ଧର୍ମତ୍ୟାଗୀ ହୋଇଯାଇଥିଲେ କିମ୍ବା ନିଜ ଜୀବନ ସାଥୀଙ୍କୁ ଛାଡ଼ିବା ପାଇଁ ଷଡ଼ଯନ୍ତ୍ର କରିଥିଲେ, ତେବେ ତାଙ୍କୁ ପୁନଃସ୍ଥାପନ କରିବା ପୂର୍ବେ ପ୍ରାଚୀନମାନଙ୍କୁ ଏହା ସ୍ପଷ୍ଟ ଜାଣିବା ଉଚିତ୍‌ ଯେ କʼଣ ସେ ସତରେ ପଶ୍ଚାତାପ କରିଛନ୍ତି । (ମଲାଖି ୨:୧୪; ୨ ତୀମ. ୩:୬) ପ୍ରାଚୀନମାନଙ୍କ ଦାୟିତ୍ୱ ଯେ ସେମାନେ ମଣ୍ଡଳୀର ଭାଇଭଉଣୀମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ । କିନ୍ତୁ ସେମାନେ ଏହା ବି ମନେ ରଖନ୍ତି ଯେ ଯଦି କେହି ସତରେ ପଶ୍ଚାତାପ କରନ୍ତି ଓ ଖରାପ କାମ କରିବା ଛାଡ଼ି ଦିଅନ୍ତି, ତେବେ ଯିହୋବା ତାଙ୍କୁ ଆପଣାଇବା ପାଇଁ ପ୍ରସ୍ତୁତ ରହନ୍ତି । ସେଥିପାଇଁ ପ୍ରାଚୀନମାନଙ୍କୁ ଏହା ଦେଖିବା ଜରୁରୀ ଯେ ଯେଉଁ ବ୍ୟକ୍ତି ଷଡ଼ଯନ୍ତ୍ର କରି କାହାରିକୁ କ୍ଷତି ପହଞ୍ଚାଇଛନ୍ତି, ସେ ସତରେ ପଶ୍ଚାତାପ କରିଛନ୍ତି ନା ନାହିଁ । କିନ୍ତୁ ତାଙ୍କୁ କେବେ ବି ଏହା ଭାବିବା ଉଚିତ୍‌ ନୁହଁ ଯେ ଯିହୋବାଙ୍କଠାରୁ ତାଙ୍କୁ କ୍ଷମା ମିଳିପାରିବ ନାହିଁ ।b—୧ ପିତ. ୨:୧୦.

ମଣ୍ଡଳୀର ଭାଇଭଉଣୀମାନେ କʼଣ କରିପାରିବେ ?

୧୩. ଯେଉଁ ବ୍ୟକ୍ତିଙ୍କୁ ସୁଧାର କରାଯାଏ ଏବଂ ଯେଉଁ ବ୍ୟକ୍ତିଙ୍କୁ ମଣ୍ଡଳୀରୁ ବାହାର କରିଦିଆଯାଏ, ଉଭୟଙ୍କ ସହିତ ଆମେ କିପରି ବ୍ୟବହାର କରିବା ?

୧୩ ଯେପରି ଆମେ ପୂର୍ବ ଲେଖାରେ ଦେଖିଥିଲୁ ଯେ ବେଳେବେଳେ ଏହା ଘୋଷଣା କରାଯାଏ ଯେ ଜଣେ ବ୍ୟକ୍ତିଙ୍କୁ ସୁଧାର କରାଯାଇଛି । ଏପରି ସମୟରେ ଆମେ ସେହି ବ୍ୟକ୍ତିଙ୍କ ସହିତ ମିଳାମିଶା କରିବା ଜାରି ରଖିପାରିବା, କାରଣ ସେ ପଶ୍ଚାତାପ କରିଛନ୍ତି ଏବଂ ଖରାପ କାମ କରିବା ଛାଡ଼ି ଦେଇଛନ୍ତି । (୧ ତୀମ. ୫:୨୦) ସେ ଏବେ ବି ମଣ୍ଡଳୀର ଭାଗ ଅଟନ୍ତି ଓ ତାଙ୍କୁ ସଠିକ୍‌ ରାସ୍ତାରେ ଚାଲିବା ପାଇଁ ଭାଇଭଉଣୀଙ୍କଠାରୁ ପ୍ରୋତ୍ସାହନ ଦରକାର । (ଏବ୍ରୀ ୧୦:୨୪, ୨୫) କିନ୍ତୁ ଯେବେ କାହାରିଙ୍କୁ ମଣ୍ଡଳୀରୁ ବାହାର କରିଦିଆଯାଏ, ତେବେ ଆମେ କʼଣ କରିବା ? ଆମେ ତାଙ୍କ ସହିତ କୌଣସି “ସମ୍ପର୍କ” ରଖିବା ନାହିଁ ଏବଂ ତାଙ୍କ ସହ “ଭୋଜନ ସୁଦ୍ଧା” କରିବା ନାହିଁ ।—୧ କରି. ୫:୧୧.

୧୪. ଯେଉଁ ବ୍ୟକ୍ତିଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି, ତାଙ୍କ ବିଷୟରେ ପ୍ରତ୍ୟେକ ଖ୍ରୀଷ୍ଟିୟାନ ନିଜ ବିବେକ ଅନୁସାରେ କʼଣ ନିଷ୍ପତ୍ତି ନେଇପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ କʼଣ ଏହାର ଅର୍ଥ ଏହା ଯେ ଯେଉଁ ବ୍ୟକ୍ତିଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି, ଆମେ ତାଙ୍କୁ ଅଣଦେଖା କରିଦେବା ଉଚିତ୍‌ ? ଏପରି ନୁହେଁ । ଆମେ ତାଙ୍କ ସହିତ ସଙ୍ଗତି କରିବା ନାହିଁ । କିନ୍ତୁ ବାଇବଲ ପ୍ରଶିକ୍ଷିତ ନିଜ ବିବେକ ଅନୁସାରେ ଆମେ ନିଷ୍ପତ୍ତି ନେଇପାରିବା ଯେ ଆମେ ତାଙ୍କୁ ସଭାରେ ଡାକିବା ନା ନାହିଁ । ହୁଏତ ସେ ଆମର ସମ୍ପର୍କୀୟ, ଭଲ ସାଙ୍ଗ କିମ୍ବା ପରିଚିତ ବ୍ୟକ୍ତି ହୋଇଥିବେ । ଯଦି ଆମେ ତାଙ୍କୁ ସଭାରେ ଡାକୁ ଓ ସେ ସଭାରେ ଆସନ୍ତି, ତେବେ ଆମେ କʼଣ କରିବା ? ପୂର୍ବେ ଆମେ ଏପରି ଲୋକମାନଙ୍କୁ ନମସ୍କାର ବି କରୁ ନ ଥିଲୁ । କିନ୍ତୁ ଏବେ ପ୍ରତ୍ୟେକ ଖ୍ରୀଷ୍ଟିୟାନ ନିଜ ବିବେକ ଅନୁସାରେ ନିଷ୍ପତ୍ତି ନେଇପାରିବେ ଯେ ସେମାନେ କʼଣ କରିବେ । କିଛି ଭାଇଭଉଣୀ ହୁଏତ ସଭାରେ ତାଙ୍କର ସ୍ୱାଗତ କରିବେ କିମ୍ବା ତାଙ୍କୁ ନମସ୍କାର କରିବେ । କିନ୍ତୁ ଆମକୁ ମନେ ରଖିବା ଉଚିତ୍‌ ଯେ ଆମେ ତାଙ୍କ ସହିତ ବହୁତ ବେଶୀ କଥା ହେବା ଓ ସଙ୍ଗତି କରିବା ନାହିଁ ।

ଚିତ୍ରଗୁଡ଼ିକ: ୧. ଜଣେ ଭଉଣୀ ଜଣେ ଏପରି ଭଉଣୀଙ୍କୁ ଫୋନ୍‌ କରି ସଭା ପାଇଁ ଡାକୁଛନ୍ତି, ଯାହାଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଥିଲା । ୨. ସେହି ଭଉଣୀ ଓ ତାଙ୍କ ସ୍ୱାମୀ ସଭାରେ ସେହି ସ୍ତ୍ରୀଙ୍କୁ ପ୍ରେମର ସହ ସ୍ୱାଗତ କରୁଛନ୍ତି ।

ଜଣେ ଖ୍ରୀଷ୍ଟିୟାନ ନିଜ ବିବେକ ଅନୁସାରେ ନିଷ୍ପତ୍ତି ନେଇପାରିବେ ଯେ ସେ ଜଣେ ଏପରି ବ୍ୟକ୍ତିଙ୍କୁ ସଭାରେ ଡାକିବେ ନା ନାହିଁ ଏବଂ ତାଙ୍କୁ ନମସ୍କାର କରିବେ ନା ନାହିଁ, ଯାହାଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି (ପାରାଗ୍ରାଫ ୧୪)


୧୫. ୨ ଯୋହନ ୯-୧୧ ପଦରେ କେଉଁ ଭଳି ପାପ କରୁଥିବା ବ୍ୟକ୍ତିମାନଙ୍କ ବିଷୟରେ କୁହାଯାଇଛି ? (“କʼଣ ଯୋହନ ଓ ପାଉଲ ଉଭୟ ଏକାଭଳି ପାପ କରିଥିବା ବ୍ୟକ୍ତିମାନଙ୍କ ବିଷୟରେ କଥା ହେଉଥିଲେ ?” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)

୧୫ କିଛି ଲୋକ ହୁଏତ ଭାବିବେ, ‘ବାଇବଲରେ କୁହାଯାଇଛି ଯେ ଯଦି ଜଣେ ଖ୍ରୀଷ୍ଟିୟାନ ଏପରି ବ୍ୟକ୍ତିଙ୍କୁ ନମସ୍କାର କରନ୍ତି, ତେବେ ସେ ତାଙ୍କ ଦୁଷ୍କର୍ମର ସହଭାଗୀ ହେବେ ।’ (୨ ଯୋହନ ୯-୧୧ ପଢ଼ନ୍ତୁ ।) କିନ୍ତୁ ଆଖପାଖ ପଦରୁ ଜଣାପଡ଼େ ଯେ ଏଠାରେ ଧର୍ମତ୍ୟାଗୀମାନଙ୍କ ବିଷୟରେ କୁହାଯାଇଛି ଏବଂ ଏପରି ଲୋକମାନଙ୍କ ବିଷୟରେ ବି ଯେଉଁମାନେ ଖରାପ କାମ କରିବା ପାଇଁ ପ୍ରୋତ୍ସାହନ ଦିଅନ୍ତି । (ପ୍ରକା. ୨:୨୦) ସେଥିପାଇଁ ଯଦି ଜଣେ ବ୍ୟକ୍ତି ଧର୍ମତ୍ୟାଗୀ ଅଟେ ଓ ମିଛ ଶିକ୍ଷା ପ୍ରସାରିତ କରେ କିମ୍ବା ଖରାପ କାମ କରିବା ପାଇଁ ପ୍ରୋତ୍ସାହନ ଦିଏ, ତେବେ ପ୍ରାଚୀନମାନେ ତାକୁ ଭେଟିବା ପାଇଁ ଯିବେ ନାହିଁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏପରି ଲୋକମାନଙ୍କ ପାଇଁ କୌଣସି ଆଶା ନାହିଁ । ହୋଇପାରେ ଦିନେ ସେ ପଶ୍ଚାତାପ କରିବେ, କିନ୍ତୁ ଯେବେ ପର୍ଯ୍ୟନ୍ତ ସେ ପଶ୍ଚାତାପ କରନ୍ତି ନାହିଁ, ଆମେ ସେମାନଙ୍କୁ ନମସ୍କାର କରିବା ନାହିଁ ଏବଂ ସଭାରେ ବି ଡାକିବା ନାହିଁ ।

କʼଣ ଯୋହନ ଓ ପାଉଲ ଉଭୟ ଏକାଭଳି ପାପ କରିଥିବା ବ୍ୟକ୍ତିମାନଙ୍କ ବିଷୟରେ କଥା ହେଉଥିଲେ ?

ପ୍ରେରିତ ଯୋହନ ଈଶ୍ୱରଙ୍କ ପ୍ରେରଣାରେ ନିଜ ଦ୍ୱିତୀୟ ଚିଠିରେ ଲେଖିଲେ, “କେହି ଯଦି ଏହି ଶିକ୍ଷା ନ ଘେନି ତୁମ୍ଭମାନଙ୍କ ନିକଟକୁ ଆସେ, ତେବେ ତାହାକୁ ଗୃହରେ ଅତିଥି ନ କର ଓ ସମ୍ବର୍ଦ୍ଧନା ଜଣାଅ ନାହିଁ; କାରଣ ଯେକେହି ତାହାକୁ ସମ୍ବର୍ଦ୍ଧନା ଜଣାଏ, ସେ ତାହାର ଦୁଷ୍କର୍ମର ସହଭାଗୀ ହୁଏ ।”—୨ ଯୋହ. ୧୦, ୧୧.

୧ କରିନ୍ଥୀୟ ୫:୧୧ ପଦରେ ପ୍ରେରିତ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ ସେହି ଲୋକମାନଙ୍କ ସହ “ସମ୍ପର୍କ ରଖ ନାହିଁ,” ଯେଉଁମାନଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି । କିନ୍ତୁ ପ୍ରଶ୍ନ ଉଠେ ଯେ କʼଣ ଯୋହନ ଓ ପାଉଲ ଉଭୟ ଏକାଭଳି ପାପ କରିଥିବା ବ୍ୟକ୍ତିମାନଙ୍କ ବିଷୟରେ କହିଲେ ? ନୁହେଁ ।

ଏହି ଦୁଇଜଣ ପ୍ରେରିତ ଅଲଗା ଅଲଗା ପାପ କରିଥିବା ବ୍ୟକ୍ତିମାନଙ୍କ ବିଷୟରେ କହୁଥିଲେ । ପାଉଲ ଜଣେ ଏପରି ବ୍ୟକ୍ତିଙ୍କ ବିଷୟରେ କହୁଥିଲେ ଯିଏ ଅନୈତିକ ଯୌନ ସମ୍ପର୍କ ରଖିବାର ପାପ କରିଥିଲେ । କିନ୍ତୁ ଏହାର ପ୍ରାୟ ୪୩ ବର୍ଷ ପରେ ଯୋହନ ନିଜ ଚିଠିରେ ଧର୍ମତ୍ୟାଗୀମାନଙ୍କ ବିଷୟରେ ଏବଂ ସେହି ବ୍ୟକ୍ତିମାନଙ୍କ ବିଷୟରେ କହିଲେ, ଯେଉଁମାନେ ମିଛ ଶିକ୍ଷାଗୁଡ଼ିକୁ ଓ ଖରାପ ଚାଲିଚଳନଗୁଡ଼ିକୁ ପ୍ରୋତ୍ସାହନ ଦେଉଥିଲେ । ଯେପରି ସେମାନେ ଏହା ମାନୁ ନ ଥିଲେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ଏବଂ ଅନ୍ୟମାନଙ୍କୁ ବି ଏହା ହିଁ ଶିଖାଉଥିଲେ ।—୧ ଯୋହ. ୨:୨୨; ୪:୨, ୩.

ଯେବେ ଯୋହନ ନିଜ ଚିଠିଗୁଡ଼ିକ ଲେଖିଲେ, ସେସମୟରେ ସତ୍ୟ ଉପାସନା ବିରୁଦ୍ଧରେ ବିଦ୍ରୋହ ଆହୁରି ବଢ଼ିବାକୁ ଲାଗିଲା । ଯୋହନ ଜାଣିଥିଲେ ଯେ ସେ ଏହାକୁ ପୂରାପୂରି ରୋକି ପାରିବେ ନାହିଁ । କିନ୍ତୁ ସେ ପ୍ରେରିତ ହେବାର ଦାୟିତ୍ୱକୁ ବହୁତ ଭଲଭାବେ ତୁଲାଇଲେ ଏବଂ ଯେତେ ସମ୍ଭବ, ସେ ପୂରା ମଣ୍ଡଳୀକୁ ଭ୍ରଷ୍ଟ ନ ହେବା ପାଇଁ ଧର୍ମତ୍ୟାଗୀମାନଙ୍କୁ ରୋକିବା ପାଇଁ “କାର୍ଯ୍ୟ” କଲେ ।—୨ ଥେସ. ୨:୭.

ସେଥିପାଇଁ ଯୋହନ ଭାଇଭଉଣୀମାନଙ୍କୁ ସତର୍କ କଲେ ଯେ ସେମାନେ ଏହି ବିଦ୍ରୋହୀ ଓ ମିଛ ଶିକ୍ଷକମାନଙ୍କ କଥାରେ ନ ଆସନ୍ତୁ । ସେ ସେମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ ସେମାନଙ୍କୁ ନିଜ ଘରେ ଆସିବା ପାଇଁ ଦିଅନ୍ତୁ ନାହିଁ, ଆଉ ନା ସେମାନଙ୍କୁ ନମସ୍କାର କରନ୍ତୁ । ଯଦି ସେମାନେ ନମସ୍କାର କରନ୍ତେ, ତାହେଲେ ହୁଏତ କଥାବାର୍ତ୍ତା ଆଗକୁ ବଢ଼ନ୍ତା ଆଉ ଏପରି କଲେ ଧର୍ମତ୍ୟାଗୀମାନେ ସେମାନଙ୍କୁ ହୁଏତ ନିଜ ମିଛ ଶିକ୍ଷାଗୁଡ଼ିକ କହିବାକୁ ଲାଗନ୍ତେ । ଆଜି ଆମ ସହିତ ବି ଏପରି ହିଁ କିଛି ହୋଇପାରେ । ଯଦି ଆମେ ଧର୍ମତ୍ୟାଗୀମାନଙ୍କ ବ୍ଲଗ୍‌ କିମ୍ବା ସୋସିଆଲ୍‌ ମିଡିଆରେ କମେଣ୍ଟ କରିବା ଅର୍ଥାତ୍‌ ଯଦି କିଛି ଲେଖିବା, ତାହେଲେ ସେମାନେ ଆମକୁ ହୁଏତ ନିଜ ମିଛ ଶିକ୍ଷାଗୁଡ଼ିକ କହିବେ । ମନେ ରଖନ୍ତୁ, ଯଦି କେହି ଧର୍ମତ୍ୟାଗୀମାନଙ୍କୁ ନମସ୍କାର କରନ୍ତି, ତାହେଲେ ସେ ତାଙ୍କର “ଦୁଷ୍କର୍ମର ସହଭାଗୀ” ହେବେ ।

ଯଦି ପାଉଲଙ୍କ ବିଷୟରେ ଦେଖିବା, ତାହେଲେ ଯେପରି ୧ କରିନ୍ଥୀୟ ୫ ଅଧ୍ୟାୟରୁ ଜଣାପଡ଼େ ଯେ ସେ ଜଣେ ଏପରି ବ୍ୟକ୍ତି ବିଷୟରେ କହୁଥିଲେ, ଯାହାକୁ ଅନୈତିକ ଯୌନ ସମ୍ପର୍କ ରଖିବା ଯୋଗୁଁ ମଣ୍ଡଳୀରୁ ବାହାର କରି ଦିଆଯାଇଥିଲା । କିନ୍ତୁ ଏପରି ଜଣାପଡ଼େ ଯେ ସେ ଧର୍ମତ୍ୟାଗୀ ନ ଥିଲା, ଆଉ ନା ସେ ଲୋକମାନଙ୍କୁ ଯିହୋବାଙ୍କ ସ୍ତର ବିରୁଦ୍ଧରେ ଶିଖାଉ ଥିଲା । (ପ୍ରକାଶିତ ବାକ୍ୟ ୨:୨୦ ପଦ ସହ ତୁଳନା କରନ୍ତୁ ।) ସେଥିପାଇଁ ପାଉଲ ମଣ୍ଡଳୀର ଭାଇଭଉଣୀମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ ତାʼସହ ମିଳାମିଶା କରିବା ବନ୍ଦ କରିଦିଅନ୍ତୁ ଓ ତାʼ ସହ ଭୋଜନ ସୁଦ୍ଧା କରନ୍ତୁ ନାହିଁ । କିନ୍ତୁ ସେ ଏହା କହିଲେ ନାହିଁ ଯେ ତାକୁ ନମସ୍କାର କରନ୍ତୁ ନାହିଁ ।

ଯିହୋବାଙ୍କ ଭଳି କରୁଣା ଓ ଦୟା ଦେଖାନ୍ତୁ

୧୬-୧୭. (କ) ଯିହିଜିକଲ ୧୮:୩୨ ପଦ ଅନୁସାରେ ଯିହୋବା ପାପ କରିଥିବା ବ୍ୟକ୍ତିମାନଙ୍କଠାରୁ କʼଣ ଚାହାନ୍ତି ? (ଖ) ପ୍ରାଚୀନମାନେ ଯିହୋବାଙ୍କ ସହକର୍ମୀ ଅଟନ୍ତି, ତେଣୁ ସେମାନେ କʼଣ କରିବା ପାଇଁ ଚେଷ୍ଟା କରନ୍ତି ?

୧୬ ଏହି ସଂଖ୍ୟାରେ ଦିଆଯାଇଥିବା ପାଞ୍ଚୋଟି ଅଧ୍ୟୟନ ଲେଖାରୁ ଆମେ କʼଣ ଶିଖିଲୁ ? ଆମେ ଶିଖିଲୁ ଯେ ଯିହୋବା ଚାହାନ୍ତି ନାହିଁ ଯେ କେହି ବି ବିନାଶ ହୁଅନ୍ତୁ । (ଯିହିଜିକଲ ୧୮:୩୨ ପଢ଼ନ୍ତୁ ।) ସେ ଚାହାନ୍ତି ଯେ ପାପ କରିଥିବା ବ୍ୟକ୍ତି ତାଙ୍କ ସହ ବୁଝାମଣା କରନ୍ତୁ । (୨ କରି. ୫:୨୦) ସେଥିପାଇଁ ପ୍ରାଚୀନ ସମୟରେ ଯେବେ ବି ଯିହୋବାଙ୍କ ସେବକମାନେ ତାଙ୍କୁ ଛାଡ଼ିଦେଲେ, ତେବେ ସେ ବାରମ୍ବାର ସେମାନଙ୍କୁ ଅନୁରୋଧ କଲେ ଯେ ସେମାନେ ପଶ୍ଚାତାପ କରନ୍ତୁ ଓ ତାଙ୍କ ପାଖକୁ ଫେରି ଆସନ୍ତୁ । ଆଜି ମଣ୍ଡଳୀରେ ଯେଉଁ ପ୍ରାଚୀନମାନେ ଅଛନ୍ତି, ସେମାନେ ଯିହୋବାଙ୍କ ସହକର୍ମୀ ଅଟନ୍ତି । ଯିହୋବାଙ୍କ ଭଳି ସେମାନେ ପାପ କରିଥିବା ବ୍ୟକ୍ତିମାନଙ୍କୁ ପଶ୍ଚାତାପ ଆଡ଼କୁ ନେଇଯିବା ପାଇଁ ପୂରାପୂରି ଚେଷ୍ଟା କରନ୍ତି ।—ରୋମୀ. ୨:୪; ୧ କରି. ୩:୯.

୧୭ ଟିକେ ଭାବି ଦେଖନ୍ତୁ, ଯେବେ ଜଣେ ବ୍ୟକ୍ତି ପଶ୍ଚାତାପ କରନ୍ତି ତେବେ ସ୍ୱର୍ଗରେ ସମସ୍ତେ କେତେ ଖୁସି ହେଉଥିବେ ! ଯେବେ ବି ହଜିଯାଇଥିବା ମେଷ ମଣ୍ଡଳୀକୁ ଫେରି ଆସେ, ତେବେ ଯିହୋବା ବହୁତ ଖୁସି ହୁଅନ୍ତି । ଯେବେ ଆମେ ଏବିଷୟରେ ଭାବୁ ଯେ ଯିହୋବାଙ୍କ ହୃଦୟରେ ଆମ ପାଇଁ କେତେ କରୁଣା ଭରି ରହିଛି, ସେ ଆମକୁ କେତେ ଦୟା ଦେଖାନ୍ତି ଏବଂ ମହାକୃପା କରନ୍ତି, ତେବେ ଆମେ ତାଙ୍କୁ ଆହୁରି ଅଧିକ ପ୍ରେମ କରିବାକୁ ଲାଗୁ ।—ଲୂକ ୧:୭୮.

ଆପଣ କ’ଣ ଉତ୍ତର ଦେବେ ?

  • କିଛି ଲୋକମାନଙ୍କୁ ମଣ୍ଡଳୀରୁ କାହିଁକି ବାହାର କରିଦିଆଯାଏ ?

  • ପ୍ରାଚୀନମାନେ କିପରି ଦେଖାନ୍ତି ଯେ ସେମାନଙ୍କ ହୃଦୟରେ ଯିହୋବାଙ୍କ ଭଳି କରୁଣାର ଭାବନା ଅଛି ?

  • ଯେଉଁ ବ୍ୟକ୍ତିଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି, ତାଙ୍କ ବିଷୟରେ ଜଣେ ଖ୍ରୀଷ୍ଟିୟାନ ନିଜ ବିବେକ ଅନୁସାରେ କʼଣ ନିଷ୍ପତ୍ତି ନେଇପାରିବେ ?

ଗୀତ ୧୧୧ ହାମାରି ଖୁସି କେ କାଇ କାରନ

a ଏବେଠାରୁ ଆମେ ଏପରି ବ୍ୟକ୍ତିମାନଙ୍କ ବିଷୟରେ ଏହା କହିବା ନାହିଁ ଯେ ସେମାନଙ୍କୁ ମଣ୍ଡଳୀରୁ ବହିଷ୍କାର କରାଯାଇଛି । ଏହା ପରିବର୍ତ୍ତେ ୧ କରିନ୍ଥୀୟ ୫:୧୩ ପଦ ଅନୁସାରେ ଆମେ କହିବା ଯେ ସେମାନଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଛି ।

b ବାଇବଲରେ କୁହାଯାଇଛି ଯେ କିଛି ଲୋକମାନଙ୍କୁ ତାଙ୍କ ପାପ ପାଇଁ କ୍ଷମା ମିଳିପାରିବ ନାହିଁ । ଏହାର ଅର୍ଥ ନୁହେଁ ଯେ ସେମାନଙ୍କର ପାପ କ୍ଷମା କରାଯାଇପାରିବ ନାହିଁ, ବରଂ ସେମାନଙ୍କ କାମ ଓ ବ୍ୟବହାର ଠିକ୍‌ ନାହିଁ । ସେମାନେ ସବୁବେଳେ ଯିହୋବାଙ୍କ ବିରୁଦ୍ଧରେ କାମ କରନ୍ତି ଓ ନିଜଠାରେ ପରିବର୍ତ୍ତନ କରିବା ପାଇଁ ଚାହାନ୍ତି ନାହିଁ, କେବଳ ଯିହୋବା ଓ ଯୀଶୁ ହିଁ ନିଷ୍ପତ୍ତି ନେଇପାରିବେ ଯେ ଜଣେ ବ୍ୟକ୍ତିଙ୍କୁ ପାପ ପାଇଁ କ୍ଷମା ମିଳିବ ନା ନାହିଁ ।—ମାର୍କ ୩:୨୯; ଏବ୍ରୀ ୧୦:୨୬, ୨୭.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ