ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ନଭେମ୍ବର ପୃଷ୍ଠା ୨୦-୨୫
  • ଭାଇମାନେ, କʼଣ ଆପଣ ପ୍ରାଚୀନ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭାଇମାନେ, କʼଣ ଆପଣ ପ୍ରାଚୀନ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଭଲ ନାମ ଅର୍ଜନ କରିବା
  • ପରିବାରର ଭଲ ମୁଖିଆ ହେବା
  • ମଣ୍ଡଳୀରେ ଖୁସିର ସହ ଅନ୍ୟମାନଙ୍କର ସେବା କରିବା
  • ଆଗକୁ ବଢ଼ିବା ଜାରି ରଖନ୍ତୁ
  • ଭାଇମାନେ, କʼଣ ଆପଣ ସହାୟକ ସେବକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ପ୍ରାଚୀନମାନଙ୍କ ସାହାଯ୍ୟ ନିଅନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ‘ମନୁଷ୍ୟମାନଙ୍କ ରୂପରେ ମିଳିଥିବା ଉପହାର’ ପାଇଁ କୃତଜ୍ଞତା ଦେଖାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ନଭେମ୍ବର ପୃଷ୍ଠା ୨୦-୨୫

ଅଧ୍ୟୟନ ଲେଖା ୪୭

ଗୀତ ୧୦୩ “ଆଦମିୟୋଁ କେ ରୂପ ମେଁ ତୌଫେ”

ଭାଇମାନେ, କʼଣ ଆପଣ ପ୍ରାଚୀନ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ?

“କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ବାଞ୍ଛା କରନ୍ତି ।”—୧ ତୀମ. ୩:୧.

କʼଣ ଶିଖିବା ?

ଏହି ଲେଖାରେ ଆମେ ଜାଣିବା ଯେ ଯଦି ଜଣେ ଭାଇ ପ୍ରାଚୀନ ଭାବେ ସେବା କରିବା ପାଇଁ ଚାହାନ୍ତି, ତାହେଲେ ତାଙ୍କଠାରେ ବାଇବଲରେ ଦିଆଯାଇଥିବା କେଉଁ ଯୋଗ୍ୟତାଗୁଡ଼ିକ ରହିବା ଆବଶ୍ୟକ ।

୧-୨. ଜଣେ ପ୍ରାଚୀନ କେଉଁ କେଉଁ କାମ କରନ୍ତି ?

ଯଦି ଆପଣ ଜଣେ ସହାୟକ ସେବକ ଅଟନ୍ତି, ତାହେଲେ ଆପଣଙ୍କଠାରେ ଏପରି ଅନେକ ଯୋଗ୍ୟତା ଥିବ, ଯାହା ଜଣେ ପ୍ରାଚୀନଙ୍କଠାରେ ଥାଏ । କିନ୍ତୁ ଆପଣ ଆଉ କʼଣ କରିପାରିବେ, ଯାହାଦ୍ୱାରା ଆପଣ ଜଣେ ପ୍ରାଚୀନ ହୋଇପାରିବେ ? ଏହି “ଉତ୍ତମ କାର୍ଯ୍ୟ” କରିବା ପାଇଁ ଆପଣ କିପରି ଆଗକୁ ବଢ଼ିପାରିବେ ?—୧ ତୀମ. ୩:୧.

୨ ଜଣେ ପ୍ରାଚୀନ ପ୍ରଚାର କାମରେ ନେତୃତ୍ୱ ନିଅନ୍ତି, ପ୍ରତିପାଳକ ସାକ୍ଷାତ କରନ୍ତି ଏବଂ ଶିଖାଇବା କାମରେ ପରିଶ୍ରମ କରନ୍ତି । ତାʼସହ ସେ ନିଜ କଥାରୁ ମଣ୍ଡଳୀକୁ ଦୃଢ଼ କରନ୍ତି ଓ ଭାଇଭଉଣୀଙ୍କ ପାଇଁ ଭଲ ଉଦାହରଣ ରଖନ୍ତି । ସତରେ, ଆମ ପ୍ରାଚୀନମାନେ ବହୁତ ପରିଶ୍ରମ କରନ୍ତି । ଏହି କାରଣ ଯୋଗୁଁ ବାଇବଲରେ ସେମାନଙ୍କୁ ‘ମନୁଷ୍ୟମାନଙ୍କ ରୂପରେ ବର ଦାନ’ କୁହାଯାଇଛି ।—ଏଫି. ୪:୮.

୩. ଯଦି ଜଣେ ଭାଇ ପ୍ରାଚୀନ ଭାବେ ସେବା କରିବା ପାଇଁ ଚାହାନ୍ତି, ତାହେଲେ ତାଙ୍କୁ କʼଣ କରିବାକୁ ପଡ଼ିବ ? (୧ ତୀମଥି ୩:୧-୭; ତୀତସ ୧:୫-୯)

୩ ଯଦି ଆପଣ ଜଣେ ପ୍ରାଚୀନ ହେବା ପାଇଁ ଚାହାନ୍ତି, ତାହେଲେ ଆପଣଙ୍କୁ କʼଣ କରିବାକୁ ପଡ଼ିବ ? ପ୍ରାଚୀନ ହେବା କୌଣସି ଚାକିରି ପାଇବା ଭଳି ନୁହେଁ । ଯଦି ଆପଣଙ୍କ ପାଖରେ କିଛି ଦକ୍ଷତା ଅଛି କିମ୍ବା ଆପଣ କୌଣସି କାମ ଜାଣନ୍ତି, ତାହେଲେ ଆପଣଙ୍କୁ ଦୁନିଆରେ ଚାକିରି ମିଳିଯିବ । କିନ୍ତୁ ପ୍ରାଚୀନ ହେବା ପାଇଁ କେବଳ ପ୍ରଚାର କରିବା ଓ ଶିଖାଇବା କାମରେ ଦକ୍ଷ ହେବା ଯଥେଷ୍ଟ ନୁହେଁ, ଜଣେ ଭାଇଙ୍କ ପାଖରେ କିଛି ଯୋଗ୍ୟତା ରହିବା ବି ଜରୁରୀ । ଏହି ଯୋଗ୍ୟତାଗୁଡ଼ିକ ବାଇବଲର ୧ ତୀମଥି ୩:୧-୭ ଏବଂ ତୀତସ ୧:୫-୯ ପଦରେ ଦିଆଯାଇଛି । (ପଢ଼ନ୍ତୁ ।) ଏହି ଲେଖାରେ ଆମେ ଏମଧ୍ୟରୁ କିଛି ଯୋଗ୍ୟତା ଉପରେ ଧ୍ୟାନ ଦେବା ଓ ଦେଖିବା ଯେ ଜଣେ ଭାଇ ଯିଏ ପ୍ରାଚୀନ ହେବା ପାଇଁ ଚାହାନ୍ତି, ତାଙ୍କୁ ବିଶେଷ କରି କେଉଁ ତିନୋଟି କ୍ଷେତ୍ରରେ ଧ୍ୟାନ ଦେବାକୁ ପଡ଼ିବ । ତାଙ୍କୁ ଏହା ଧ୍ୟାନ ଦେବାକୁ ପଡ଼ିବ ଯେ (୧) ମଣ୍ଡଳୀ ଓ ମଣ୍ଡଳୀ ବାହାରେ ତାଙ୍କର ଭଲ ନାମ ରହୁ, (୨) ସେ ପରିବାରର ଭଲ ମୁଖିଆ ହୁଅନ୍ତୁ ଏବଂ (୩) ମଣ୍ଡଳୀରେ ଖୁସିର ସହ ଅନ୍ୟମାନଙ୍କ ସେବା କରନ୍ତୁ ।

ଭଲ ନାମ ଅର୍ଜନ କରିବା

୪. ଜଣେ ଭାଇଙ୍କୁ “ଅନିନ୍ଦନୀୟ ହେବା ଆବଶ୍ୟକ,” ଏହାର ଅର୍ଥ କʼଣ ?

୪ ଯଦି ଆପଣ ଜଣେ ପ୍ରାଚୀନ ହେବା ପାଇଁ ଚାହାନ୍ତି, ତାହେଲେ ଆପଣଙ୍କୁ “ଅନିନ୍ଦନୀୟ ହେବା ଆବଶ୍ୟକ ।” ଏହାର ଅର୍ଥ ମଣ୍ଡଳୀରେ ଆପଣଙ୍କର ଭଲ ନାମ ରହିବା ଉଚିତ୍‌ ଏବଂ ଆପଣଙ୍କର ଚାଲିଚଳନ ଏପରି ହେବା ଉଚିତ୍‌ ଯେ କେହି ଆପଣଙ୍କ ଉପରେ ଦୋଷ ଲଗାଇପାରିବେ ନାହିଁ । ତାʼ ସହିତ “ବାହାର ଲୋକଙ୍କଠାରୁ ସୁଖ୍ୟାତି ପ୍ରାପ୍ତ ହେବା ଆବଶ୍ୟକ ।” ଆପଣଙ୍କ ବିଶ୍ୱାସ ଯୋଗୁଁ ଦୁନିଆର ଲୋକେ ହୁଏତ ଆପଣଙ୍କ ବିଷୟରେ ଖରାପ କଥା କହିବେ । କିନ୍ତୁ ଆପଣଙ୍କ ଚାଲିଚଳନ ଓ ସଚ୍ଚୋଟତା ଉପରେ ସେମାନଙ୍କୁ କୌଣସି ଦୋଷ ଦେଖାଯିବା ଉଚିତ୍‌ ନୁହେଁ । (ଦାନି. ୬:୪, ୫) ସେଥିପାଇଁ ନିଜକୁ ପଚାରନ୍ତୁ, ‘କʼଣ ମଣ୍ଡଳୀରେ ଓ ବାହାରେ ମୋର ଭଲ ନାମ ଅଛି ?’

୫. ଆପଣ କିପରି ଦେଖାଇପାରିବେ ଯେ ଆପଣ ‘ଉତ୍ତମ ବିଷୟକୁ’ ଭଲ ପାଆନ୍ତି ?

୫ ଯଦି ଆପଣ “ଉତ୍ତମ ବିଷୟର ଅନୁରାଗୀ” ଅର୍ଥାତ୍‌ ଉତ୍ତମ ବିଷୟକୁ ଭଲ ପାଆନ୍ତି, ତାହେଲେ ଆପଣ ଅନ୍ୟମାନଙ୍କର ଭଲ ଗୁଣଗୁଡ଼ିକୁ ଧ୍ୟାନ ଦେବେ ଓ ସେମାନଙ୍କୁ ପ୍ରଶଂସା କରିବେ । ଆପଣ ଅନ୍ୟମାନଙ୍କୁ ଖୁସିର ସହ ସାହାଯ୍ୟ କରିବେ । ତାʼସହ ଏପରି କାମ ମଧ୍ୟ କରିବେ ଯାହା ଅନ୍ୟମାନେ ଆପଣଙ୍କଠାରୁ ଆଶା କରି ନ ଥିବେ । (୧ ଥେସ. ୨:୮) ପ୍ରାଚୀନମାନେ କାହିଁକି ଉତ୍ତମ ବିଷୟକୁ ଭଲ ପାଇବା ବହୁତ ଜରୁରୀ ? କାରଣ ତେବେ ହିଁ ସେମାନେ ମେଷପାଳକ ଭଳି ଭାଇଭଉଣୀମାନଙ୍କର ଦେଖାରେଖା କରିବା ସହିତ ମଣ୍ଡଳୀରେ ନିଜର ଅନ୍ୟ ଦାୟିତ୍ୱଗୁଡ଼ିକୁ ପୂରା କରିବା ପାଇଁ ପରିଶ୍ରମ କରିବେ । (୧ ପିତ. ୫:୧-୩) ଏସବୁ କାମ କରିବା ଦ୍ୱାରା ସେମାନଙ୍କୁ ଯେଉଁ ଖୁସି ମିଳେ, ତାହାର ତୁଳନା ଆଉ କୌଣସି ଜିନିଷ ସହ କରାଯାଇପାରିବ ନାହିଁ ।—ପ୍ରେରି. ୨୦:୩୫.

୬. ଅତିଥି ସତ୍କାର କରିବା, ଏହାର ଅର୍ଥ କʼଣ ? (ଏବ୍ରୀ ୧୩:୨, ୧୬; ଚିତ୍ର ମଧ୍ୟ ଦେଖନ୍ତୁ ।)

୬ ଆପଣ କିପରି ଦେଖାଇପାରିବେ ଯେ ଆପଣ “ଆତିଥ୍ୟପ୍ରିୟ” ଅର୍ଥାତ୍‌ ଅତିଥି ସତ୍କାର କରନ୍ତି । ଅନ୍ୟମାନଙ୍କ ପାଇଁ ଭଲ କାମ କରନ୍ତୁ, ସେମାନଙ୍କ ପାଇଁ ବି ଯେଉଁମାନେ ଆପଣଙ୍କର ଏତେ ଭଲ ସାଙ୍ଗ ନୁହଁନ୍ତି । (୧ ପିତ. ୪:୯) ବାଇବଲର ଗୋଟିଏ ଶବ୍ଦକୋଷରେ ଅତିଥି ସତ୍କାର କରୁଥିବା ଜଣେ ବ୍ୟକ୍ତି ବିଷୟରେ କୁହାଯାଇଛି, “ଯେଉଁ ବ୍ୟକ୍ତି ଅତିଥି ସତ୍କାର କରନ୍ତି, ସେ ଅନ୍ୟମାନଙ୍କ ଉପରେ ଦୟା ଦେଖାନ୍ତି । ସେ ଏପରି ଲୋକମାନଙ୍କୁ ବି ଦୟା ଦେଖାନ୍ତି ଓ ଖୁସିର ସହ ସେମାନଙ୍କୁ ନିଜ ଘରକୁ ଡାକନ୍ତି, ଯାହାକୁ ସେ ଜାଣି ବି ନ ଥାʼନ୍ତି ।” ସେଥିପାଇଁ ନିଜକୁ ପଚାରନ୍ତୁ, ‘କʼଣ ମୁଁ ମଣ୍ଡଳୀରେ ଆସୁଥିବା ନୂଆ ଲୋକମାନଙ୍କୁ ଅତିଥି ସତ୍କାର କରିବା ପାଇଁ ଜଣାଯାଏ ?’ (ଏବ୍ରୀ ୧୩:୨, ୧୬ ପଢ଼ନ୍ତୁ ।) ଯେଉଁ ବ୍ୟକ୍ତି ଅତିଥି ସତ୍କାର କରନ୍ତି, ସେ ନିଜଠାରେ ଯାହା ବି ଥାଏ ସେସବୁ ଅନ୍ୟମାନଙ୍କୁ ବାଣ୍ଟନ୍ତି, ସେମାନଙ୍କୁ ବି ଯେଉଁମାନେ ଗରିବ ବା ଯିହୋବାଙ୍କ ସେବାରେ କଠିନ ପରିଶ୍ରମ କରନ୍ତି, ଯେପରି ସର୍କିଟ ଅଧ୍ୟକ୍ଷ ଓ ଅତିଥି ବକ୍ତା ।—ଆଦି. ୧୮:୨-୮; ହିତୋ. ୩:୨୭; ଲୂକ ୧୪:୧୩, ୧୪; ପ୍ରେରି. ୧୬:୧୫; ରୋମୀ. ୧୨:୧୩.

ଜଣେ ସ୍ୱାମୀ ସ୍ତ୍ରୀଙ୍କ ଘରେ ସର୍କିଟ ଅଧ୍ୟକ୍ଷ ଓ ତାଙ୍କ ସ୍ତ୍ରୀ ରହିବା ପାଇଁ ଆସିଛନ୍ତି ଓ ସେମାନେ ସେମାନଙ୍କୁ ରୁମ୍‌ ଦେଖାଉଛନ୍ତି ।

ଜଣେ ସ୍ୱାମୀ ସ୍ତ୍ରୀ, ଅତିଥି ସତ୍କାର କରିବା ପାଇଁ ଜଣେ ସର୍କିଟ ଅଧ୍ୟକ୍ଷ ଓ ତାଙ୍କ ସ୍ତ୍ରୀଙ୍କୁ ନିଜ ଘରେ ଡାକିଛନ୍ତି (ପାରାଗ୍ରାଫ ୬)


୭. ଆପଣ କିପରି ଦେଖାଇପାରିବେ ଯେ ଆପଣ ଧନଲୋଭୀ ନୁହଁନ୍ତି ?

୭ “ନିର୍ଲୋଭ” ହୁଅନ୍ତୁ ଅର୍ଥାତ୍‌ ଧନଲୋଭୀ ହୁଅନ୍ତୁ ନାହିଁ । ଏହାର ଅର୍ଥ ଆପଣଙ୍କର ପୂରା ଧ୍ୟାନ ଟଙ୍କା ପଇସା ରୋଜଗାର କରିବା ଓ ଅଧିକ ଜିନିଷ କିଣିବାରେ ଲାଗି ରହିବା ଉଚିତ୍‌ ନୁହେଁ । ଆପଣ ଧନୀ ହୁଅନ୍ତୁ ବା ଗରିବ, ଆପଣଙ୍କୁ ନିଜ ଜୀବନରେ ଈଶ୍ୱରଙ୍କ ରାଜ୍ୟକୁ ପ୍ରଥମ ସ୍ଥାନ ଦେବା ଉଚିତ୍‌ । (ମାଥି. ୬:୩୩) ଆପଣ ନିଜ ସମୟ, ନିଜ ଶକ୍ତି ଓ ସାଧନ ଯିହୋବାଙ୍କ ଉପାସନାରେ, ନିଜ ପରିବାରର ଦେଖାଶୁଣା କରିବାରେ ଓ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବାରେ ଲଗାଇବା ଉଚିତ୍‌ । (ମାଥି. ୬:୨୪; ୧ ଯୋହ. ୨:୧୫-୧୭) ସେଥିପାଇଁ ନିଜକୁ ପଚାରନ୍ତୁ, ‘ଟଙ୍କା ପଇସା ବିଷୟରେ ମୋର ଦୃଷ୍ଟିକୋଣ କିପରି ଅଛି ? ମୋ ପାଖରେ ଯେତିକି ଜିନିଷ ଅଛି, କʼଣ ମୁଁ ସେତିକିରେ ସନ୍ତୁଷ୍ଟ ଅଛି ? କିମ୍ବା ମୁଁ ଅଧିକ ଟଙ୍କା ପଇସା ରୋଜଗାର କରିବା ପାଇଁ ବା ସବୁବେଳେ ନୂଆ ନୂଆ ଜିନିଷ କିଣିବା ବିଷୟରେ ହିଁ ଭାବୁଥାଏ ?’—୧ ତୀମ. ୬:୬, ୧୭-୧୯.

୮. ଆପଣ କିପରି ଦେଖାଇପାରିବେ ଯେ ଆପଣ ଆତ୍ମସଂଯମୀ ?

୮ “ମିତାଚାରୀ [‘ଆତ୍ମସଂଯମୀ,’ NWT]” ହୁଅନ୍ତୁ । ଏହାର ଅର୍ଥ ଆପଣ ଜୀବନର ପ୍ରତ୍ୟେକ ମାମଲାରେ ନିଜ ପାଇଁ କିଛି ସୀମା ନିର୍ଦ୍ଧାରିତ କରିବେ । ଯେପରି ଖାଇବା ପିଇବା ମାମଲାରେ, ଫେଶନ କିମ୍ବା ମନୋରଞ୍ଜନ ମାମଲାରେ । ଯଦି ଆପଣ ସଂଯମ ରଖିବେ, ତାହେଲେ ଆପଣ ଦୁନିଆର ଲୋକମାନଙ୍କ ଭଳି ଜୀବନ ବିତାଇବେ ନାହିଁ । (ଲୂକ ୨୧:୩୪; ଯାକୁ. ୪:୪) ତାʼଛଡ଼ା ଆପଣଙ୍କୁ ଯଦି କାହାରି କଥାରୁ ରାଗ ଲାଗେ, ତାହେଲେ ବି ଆପଣ ଶାନ୍ତ ରହିବେ । ଆପଣଙ୍କ ପାଇଁ ଏହା ବି ଜରୁରୀ ଯେ ଆପଣ “ମଦ୍ୟପାୟୀ” ହୁଅନ୍ତୁ ନାହିଁ ଓ ଲୋକମାନେ ବି ଆପଣଙ୍କ ବିଷୟରେ ଏପରି ଭାବନ୍ତୁ ନାହିଁ ଯେ ଆପଣ ବହୁତ ବେଶୀ ପିଅନ୍ତି । ସେଥିପାଇଁ ନିଜକୁ ପଚାରନ୍ତୁ, ‘ମୋର ଅଭ୍ୟାସ କିପରି ? କʼଣ ମୁଁ ସବୁ ବିଷୟରେ ସଂଯମ ରଖେ ?’

୯. “ସୁବୁଦ୍ଧି” ହେବା ଓ “ସଦାଚାରୀ” ହେବା, ଏହାର ଅର୍ଥ କʼଣ ?

୯ ଆପଣଙ୍କଠାରେ “ସୁବୁଦ୍ଧି” ହେବା ଜରୁରୀ । ଏହାର ଅର୍ଥ କୌଣସି ବିଷୟକୁ ନେଇ ବାଇବଲର ସିଦ୍ଧାନ୍ତ ଖୋଜନ୍ତୁ । ତାʼପରେ ସେହି ବିଷୟରେ ଗଭୀର ଭାବେ ଚିନ୍ତନ କରନ୍ତୁ, ତେବେ ଆପଣ ସେହି ବିଷୟକୁ ଭଲଭାବରେ ବୁଝିପାରିବେ । ଏପରି କଲେ ଆପଣ ତୁରନ୍ତ କୌଣସି ନିଷ୍ପତ୍ତି ନେବେ ନାହିଁ, ବରଂ ସେହି ବିଷୟରେ ପୂରା ତଥ୍ୟ ନେଇ ନିଷ୍ପତ୍ତି ନେବେ । (ହିତୋ. ୧୮:୧୩) ତେବେ ଯାଇ ଆପଣ ଏପରି ନିଷ୍ପତ୍ତି ନେଇପାରିବେ ଯାହା ଯିହୋବାଙ୍କ ଚିନ୍ତାଧାରା ଅନୁସାରେ ଥିବ । ଯଦି ଆପଣ “ସଦାଚାରୀ” ବ୍ୟକ୍ତି ଅଟନ୍ତି, ତାହେଲେ ଆପଣ ପ୍ରତ୍ୟେକ କାମକୁ ବ୍ୟବସ୍ଥିତ ଭାବେ ଓ ସଠିକ୍‌ ସମୟରେ କରିବେ । ଆଉ ଲୋକମାନେ ଜାଣିବେ ଯେ ଆପଣ ଜଣେ ଭରସାଯୋଗ୍ୟ ବ୍ୟକ୍ତି ଅଟନ୍ତି ଏବଂ ନିର୍ଦ୍ଦେଶକୁ ଧ୍ୟାନରେ ରଖି କାମ କରନ୍ତି । ଏବେ ଯାଏ ଆମେ ଯେଉଁ ଗୁଣ କିମ୍ବା ଯୋଗ୍ୟତାଗୁଡ଼ିକ ବିଷୟରେ ଦେଖିଲୁ, ଯଦି ଆପଣ ସେଗୁଡ଼ିକୁ ପୂରା କରିବେ, ତାହେଲେ ଭାଇମାନଙ୍କ ମଧ୍ୟରେ ଆପଣଙ୍କର ଭଲ ନାମ ରହିବ । ଏବେ ଆସନ୍ତୁ ଦେଖିବା ଯେ ଯଦି ଜଣେ ଭାଇ ପରିବାରର ମୁଖିଆ ଅଟନ୍ତି, ତେବେ ପ୍ରାଚୀନ ହେବା ପାଇଁ ତାଙ୍କ ପାଖରେ କେଉଁ ଯୋଗ୍ୟତାଗୁଡ଼ିକ ରହିବା ଦରକାର ।

ପରିବାରର ଭଲ ମୁଖିଆ ହେବା

୧୦. ଜଣେ ଭାଇ କିପରି “ନିଜ ପରିବାରକୁ ଉତ୍ତମ ରୂପେ ଶାସନ” କରିପାରିବେ ?

୧୦ ଯଦି ଆପଣ ବିବାହିତ ଅଟନ୍ତି ଏବଂ ଜଣେ ପ୍ରାଚୀନ ଭାବେ ସେବା କରିବା ପାଇଁ ଚାହାନ୍ତି, ତାହେଲେ ଏହା ଜରୁରୀ ଯେ ଆପଣଙ୍କ ପରିବାରର ଭଲ ନାମ ରହୁ । ଆପଣଙ୍କୁ “ନିଜ ପରିବାରକୁ ଉତ୍ତମ ରୂପେ ଶାସନ” କରିବା ଉଚିତ୍‌ । ଲୋକମାନଙ୍କୁ ଏହା ସ୍ପଷ୍ଟ ଜଣାପଡ଼ିବା ଉଚିତ୍‌ ଯେ ଆପଣ ନିଜ ପରିବାରକୁ ପ୍ରେମ କରନ୍ତି ଏବଂ ମୁଖିଆର ଦାୟିତ୍ୱ ଭଲଭାବେ ତୁଲାନ୍ତି । ଆପଣଙ୍କୁ ଯିହୋବାଙ୍କ ଉପାସନା ସହ ଜଡ଼ିତ କାମଗୁଡ଼ିକରେ ମଧ୍ୟ ନେତୃତ୍ୱ ନେବା ଉଚିତ୍‌ । ଏପରି କରିବା କାହିଁକି ଜରୁରୀ ? ପ୍ରେରିତ ପାଉଲ ବୁଝାଇଲେ, “କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ୱରଙ୍କ ମଣ୍ଡଳୀର ତତ୍ତ୍ୱ ନେବ ?”—୧ ତୀମ. ୩:୫.

୧୧-୧୨. ଯଦି ଜଣେ ଭାଇ ପ୍ରାଚୀନ ହେବା ପାଇଁ ଆଗକୁ ବଢ଼ୁଛନ୍ତି, ତାହେଲେ ତାଙ୍କ ପିଲାଙ୍କ ବ୍ୟବହାରରୁ ଭାଇଙ୍କ ଉପରେ କʼଣ ପ୍ରଭାବ ପଡ଼ିବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ଯଦି ଆପଣ ଜଣେ ବାପା, ତାହେଲେ ଏହା ଜରୁରୀ ଯେ ଆପଣଙ୍କ ନାବାଳକ ସନ୍ତାନମାନେ ‘ଗାମ୍ଭୀର୍ଯ୍ୟ ସହକାରେ ଆପଣଙ୍କ ବଶୀଭୂତ ହୁଅନ୍ତୁ ।’ ଆପଣଙ୍କୁ ପ୍ରେମର ସହିତ ସେମାନଙ୍କୁ ଶିଖାଇବା ଓ ଟ୍ରେନିଂ ଦେବାର ଅଛି । ଦେଖିବାକୁ ଗଲେ ସମସ୍ତ ପିଲାମାନଙ୍କୁ ଖେଳା ଖେଳି କରିବା ଭଲ ଲାଗେ ଏବଂ ଏଥିରେ କୌଣସି ଭୁଲ ନାହିଁ । କିନ୍ତୁ ଆପଣଙ୍କୁ ସେମାନଙ୍କୁ ଭଲ ଟ୍ରେନିଂ ମଧ୍ୟ ଦେବାର ଅଛି, ତାହେଲେ ସେମାନେ ଆଜ୍ଞା ମାନିବା ଶିଖିବେ । ଅନ୍ୟମାନଙ୍କୁ ଆଦର କରିବା ସହିତ ଭଲ ବ୍ୟବହାର ଦେଖାଇବେ । କେବଳ ଏତିକି ନୁହେଁ, ଆପଣଙ୍କୁ ଏହା ବି ଚେଷ୍ଟା କରିବା ଉଚିତ୍‌ ଯେ ଆପଣଙ୍କ ପିଲାମାନଙ୍କର ଯିହୋବାଙ୍କ ସହିତ ଗୋଟିଏ ଭଲ ସମ୍ପର୍କ ରହୁ, ସେମାନେ ବାଇବଲ ସିଦ୍ଧାନ୍ତ ଅନୁସାରେ ବଞ୍ଚନ୍ତୁ ଏବଂ ବାପ୍ତିସ୍ମ ନେବା ପାଇଁ ଆଗକୁ ବଢ଼ନ୍ତୁ ।

୧୨ ‘ତାଙ୍କ ସନ୍ତାନମାନେ ବିଶ୍ୱାସୀ ହୁଅନ୍ତୁ ଓ କଦାଚରଣ ବିଷୟରେ ଅପବାଦିତ କିମ୍ବା ଅବାଧ୍ୟ‘ ଅର୍ଥାତ୍‌ ବିଶୃଙ୍ଖଳା ଓ ଅମାନିଆ ହୁଅନ୍ତୁ ନାହିଁ । ଯଦି ଜଣେ ଭାଇଙ୍କ ପିଲାର ବାପ୍ତିସ୍ମ ହୋଇସାରିଛି କିମ୍ବା ଆଗକୁ ଯାଇ ତାʼର ବାପ୍ତିସ୍ମ ହେବ, କିନ୍ତୁ ସେ ଗୋଟିଏ ଗମ୍ଭୀର ପାପ କରିଦିଏ, ତାହେଲେ ଭାଇଙ୍କ ଉପରେ ଏହାର କʼଣ ପ୍ରଭାବ ପଡ଼ିବ ? ଯଦି ସେ ନିଜ ପିଲାକୁ ଭଲଭାବେ ଶିଖାଇ ନ ଥିଲେ କିମ୍ବା ତାକୁ ସୁଧାରି ନ ଥିଲେ, ତାହେଲେ ହୁଏତ ସେ ଜଣେ ପ୍ରାଚୀନ ହେବାର ଯୋଗ୍ୟ ନ ଥିବେ ।—୧୫ ଅକ୍ଟୋବର, ୧୯୯୬ ମସିହାର ପ୍ରହରୀଦୁର୍ଗର (ହିନ୍ଦୀ) ପୃଷ୍ଠା ୨୧, ପାରା. ୬-୭ ପଢ଼ନ୍ତୁ ।

ଚିତ୍ରଗୁଡ଼ିକ: ୧. ଜଣେ ଭାଇ ନିଜ ସ୍ତ୍ରୀ ଓ ପିଲାମାନଙ୍କ ସହ ମିଶି ପାରିବାରିକ ଉପାସନା କରୁଛନ୍ତି । ସେମାନେ jw.org ୱେବସାଇଟ୍‌ରେ “ଯିହୋବାଙ୍କ ମିତ୍ର ହୁଅ​—ୟହୋୱା କେ ଭୱନ କୋ ସାଫ୍‌ ସୁଥରା ରଖୋ” ଭିଡିଓ ଦେଖୁଛନ୍ତି । ୨. ପରେ ସେହି ଭାଇ ନିଜ ଦୁଇଜଣ ପୁଅଙ୍କ ସହ ମିଶି ରାଜ୍ୟଘର ସଫା କରୁଛନ୍ତି । ଭାଇ ଏବଂ ତାଙ୍କ ଜଣେ ପୁଅ ବେକ୍ୟୁମ୍‌ କରୁଛନ୍ତି ଓ ଆଉ ଜଣେ ପୋଛୁଛି ।

ପରିବାରର ମୁଖିଆ ନିଜ ପିଲାମାନଙ୍କୁ ଶିଖାନ୍ତି ଓ ସେମାନଙ୍କ ସହିତ ମିଶି ଯିହୋବାଙ୍କ ଉପାସନା ସହ ଜଡ଼ିତ କାମ କରନ୍ତି (ପାରାଗ୍ରାଫ ୧୧)


ମଣ୍ଡଳୀରେ ଖୁସିର ସହ ଅନ୍ୟମାନଙ୍କର ସେବା କରିବା

୧୩. ଆପଣ ଏହା କିପରି ଦେଖାଇପାରିବେ ଯେ ଆପଣ ଜଣେ “ମୃଦୁଶୀଳ” ବ୍ୟକ୍ତି ଅଟନ୍ତି ଓ “ସ୍ୱେଚ୍ଛାଚାରୀ” ନୁହଁନ୍ତି ?

୧୩ ଯେଉଁ ଭାଇମାନଙ୍କଠାରେ ଖ୍ରୀଷ୍ଟୀୟ ଗୁଣ ଥାଏ, ସେମାନେ ମଣ୍ଡଳୀ ପାଇଁ ଆଶିଷ ସାବ୍ୟସ୍ତ ହୁଅନ୍ତି । “ମୃଦୁଶୀଳ” ଭାଇ ମଣ୍ଡଳୀରେ ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତି । ଯଦି ଆପଣ ମୃଦୁଶୀଳ ବ୍ୟକ୍ତି ହେବା ପାଇଁ ଚାହାନ୍ତି, ତାହେଲେ ଅନ୍ୟମାନଙ୍କର କଥା ଧ୍ୟାନ ଦେଇ ଶୁଣନ୍ତୁ ଏବଂ ଯେବେ ସେମାନେ କୌଣସି ବିଷୟରେ ନିଜର ମତ ଦିଅନ୍ତି, ତେବେ ତାହାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଭାବନ୍ତୁ, ଆପଣ ପ୍ରାଚୀନମାନଙ୍କ ବୈଠକରେ ଅଛନ୍ତି, ସେଠାରେ ଅଧିକାଂଶ ଭାଇମାନେ ଗୋଟିଏ ନିଷ୍ପତ୍ତିକୁ ନେଇ ଏକମତ ଅଛନ୍ତି । ଆଉ ତାହା ବାଇବଲ ସିଦ୍ଧାନ୍ତ ଓ ନିୟମ ବିରୁଦ୍ଧରେ ନାହିଁ, ତେବେ କʼଣ ଆପଣ ଖୁସିର ସହ ସେହି ନିଷ୍ପତ୍ତିକୁ ମାନିବେ ? ଏହା ବି ଜରୁରୀ ଯେ ଜଣେ ଭାଇଙ୍କୁ “ସ୍ୱେଚ୍ଛାଚାରୀ” ହେବା ଉଚିତ୍‌ ନୁହେଁ । ଏହାର ଅର୍ଥ ତାଙ୍କୁ ନିଜ କଥାରେ ଅଡ଼ି ରହିବା ଏବଂ ଏପରି ଭାବିବା ଉଚିତ୍‌ ନୁହଁ ଯେ ସେ ଯେପରି ଚାହାନ୍ତି, ଠିକ୍‌ ସେପରି ହିଁ ହେଉ । ତାʼ ପରିବର୍ତ୍ତେ ସେ ଏ କଥାକୁ ବୁଝିବେ ଯେ ଅନ୍ୟମାନଙ୍କ ପରାମର୍ଶ ନେଲେ ହିଁ ଲାଭ ହୁଏ । (ଆଦି. ୧୩:୮, ୯; ହିତୋ. ୧୫:୨୨) ଆପଣଙ୍କୁ ‘କ୍ରୋଧୀ’ ଓ “ବିବାଦପ୍ରିୟ” ମଧ୍ୟ ହେବା ଉଚିତ୍‌ ନୁହେଁ । ଏହାର ଅର୍ଥ ଆପଣଙ୍କୁ କଠୋର ହେବା ଏବଂ କଥା କଥାରେ ଯୁକ୍ତିତର୍କ କରିବା ଉଚିତ୍‌ ନୁହଁ । ଏହା ପରିବର୍ତ୍ତେ ଆପଣଙ୍କୁ ପ୍ରେମର ସହ ଓ ଭାବିଚିନ୍ତି କଥା ହେବା ଉଚିତ୍‌ । ଆପଣଙ୍କୁ ଶାନ୍ତିପ୍ରିୟ ବି ହେବା ଉଚିତ୍‌, ଅର୍ଥାତ୍‌ ଅନ୍ୟମାନଙ୍କ ସହିତ ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରିବା ଉଚିତ୍‌, ସେସମୟରେ ବି ଯେବେ ଏପରି କରିବା କଠିନ ଲାଗେ । (ଯାକୁ. ୩:୧୭, ୧୮) ଯେବେ ଆପଣ ଅନ୍ୟମାନଙ୍କ ସହିତ ପ୍ରେମର ସହ କଥା ହୁଅନ୍ତି, ତେବେ ହୁଏତ ଏପରି ଲୋକମାନେ ବି ଶାନ୍ତ ହୋଇଯିବେ ଯେଉଁମାନେ ଆପଣଙ୍କୁ ବିରୋଧ କରନ୍ତି ।—ବିଚା. ୮:୧-୩; ହିତୋ. ୨୦:୩; ୨୫:୧୫; ମାଥି. ୫:୨୩, ୨୪.

୧୪. ଜଣେ ଭାଇଙ୍କୁ “ନୂତନ ଶିଷ୍ୟ” ହେବା ଉଚିତ୍‌ ନୁହଁ ଓ ବିଶ୍ୱସ୍ତ ହେବା ଉଚିତ୍‌, ଏହାର ଅର୍ଥ କʼଣ ?

୧୪ ପ୍ରାଚୀନ ହେବାର ଯୋଗ୍ୟ ହେବା ପାଇଁ ଏହା ବି ଜରୁରୀ ଯେ ଜଣେ ଭାଇ “ନୂତନ ଶିଷ୍ୟ” ହୋଇ ନ ଥିବେ । ଏହା ଜରୁରୀ ନୁହେଁ ଯେ ଆପଣଙ୍କୁ ବାପ୍ତିସ୍ମ ନେବାର ଅନେକ ବର୍ଷ ହୋଇଥିବ । କିନ୍ତୁ ଏହା ଜରୁରୀ ଯେ ଆପଣ ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ଥିବେ । ଆଉ ପ୍ରୌଢ଼ ଖ୍ରୀଷ୍ଟିୟାନ ହେବା ପାଇଁ ସମୟ ଲାଗେ । ଆପଣଙ୍କୁ ପ୍ରାଚୀନ ଭାବେ ନିଯୁକ୍ତ କରାଯିବା ପୂର୍ବରୁ ଏହା ସ୍ପଷ୍ଟ ଜଣାପଡ଼ିବା ଉଚିତ୍‌ ଯେ ଆପଣ ଯୀଶୁଙ୍କ ଭଳି ନମ୍ର ଅଟନ୍ତି ଓ କୌଣସି ଦାୟିତ୍ୱ ମିଳିବା ପର୍ଯ୍ୟନ୍ତ ଯିହୋବାଙ୍କ ସମୟର ଅପେକ୍ଷା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । (ମାଥି. ୨୦:୨୩; ଫିଲିପ୍‌. ୨:୫-୮) ଆପଣଙ୍କ ପାଇଁ “ସାଧୁ [‘ବିଶ୍ୱସ୍ତ,’ NWT]” ରହିବା ବି ଜରୁରୀ । ଆପଣ କିପରି ବିଶ୍ୱସ୍ତ ରହିପାରିବେ ? ଯିହୋବାଙ୍କ ନିକଟତର ହୋଇ ରହନ୍ତୁ, ତାଙ୍କ ସ୍ତର ମାନନ୍ତୁ ଓ ତାଙ୍କ ସଂଗଠନରୁ ଯାହା ବି ନିର୍ଦ୍ଦେଶ ମିଳେ ତାହାକୁ ମାନନ୍ତୁ ।—୧ ତୀମ. ୪:୧୫.

୧୫. ପ୍ରାଚୀନ ହେବା ପାଇଁ କʼଣ ଜଣେ ଭାଇଙ୍କୁ ବହୁତ ଭଲ ବକ୍ତା ହେବା ଉଚିତ୍‌ ? ବୁଝାନ୍ତୁ ।

୧୫ ବାଇବଲରେ କୁହାଯାଇଛି ଯେ ଅଧ୍ୟକ୍ଷମାନଙ୍କୁ “ଶିକ୍ଷାଦାନରେ ନିପୁଣ” ହେବା ଉଚିତ୍‌ । ଏହାର ଅର୍ଥ କʼଣ ଆପଣଙ୍କୁ ବହୁତ ଭଲ ବକ୍ତା ହେବା ଉଚିତ୍‌ ? ଏପରି ନୁହେଁ । କିଛି ପ୍ରାଚୀନମାନେ ବହୁତ ଭଲ ବକ୍ତା ନ ଥାʼନ୍ତି, କିନ୍ତୁ ସେମାନେ ପ୍ରଚାର କିମ୍ବା ପ୍ରତିପାଳକ ସାକ୍ଷାତରେ ବହୁତ ଭଲଭାବରେ ଶିଖାନ୍ତି । (୧ କରିନ୍ଥୀୟ ୧୨:୨୮, ୨୯ ଏବଂ ଏଫିସୀୟ ୪:୧୧ ପଦ ସହ ତୁଳନା କରନ୍ତୁ ।) ତଥାପି ଏହା ଜରୁରୀ ଯେ ଆପଣ ଶିଖାଇବା କାମରେ ନିପୁଣ ହୁଅନ୍ତୁ, ଯାହାଦ୍ୱାରା ଆପଣ ଜଣେ ଭଲ ଶିକ୍ଷକ ହୋଇପାରିବେ । ତାହେଲେ ଆପଣ ଏହା କିପରି କରିପାରିବେ ?

୧୬. ଆପଣ ଆହୁରି ଭଲଭାବେ ଶିଖାଇବା ପାଇଁ କʼଣ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୬ “ବିଶ୍ୱାସ-ଯୋଗ୍ୟ ବାକ୍ୟକୁ ଦୃଢ଼ ଭାବରେ ଧରନ୍ତୁ ।” ଯଦି ଆପଣ ଜଣେ ଭଲ ଶିକ୍ଷକ ହେବା ପାଇଁ ଚାହାନ୍ତି, ତାହେଲେ ଯେବେ ବି ଆପଣ ଭାଇଭଉଣୀମାନଙ୍କୁ କିଛି ଶିଖାନ୍ତି ବା ସେମାନଙ୍କୁ ଏକୁଟିଆରେ ପରାମର୍ଶ ଦିଅନ୍ତି, ତେବେ ତାହା ବାଇବଲ ଉପରେ ଆଧାରିତ ହେବା ଜରୁରୀ । ସେଥିପାଇଁ ବାଇବଲ ଓ ପ୍ରକାଶନଗୁଡ଼ିକର ଭଲଭାବେ ଅଧ୍ୟୟନ କରନ୍ତୁ । (ହିତୋ. ୧୫:୨୮; ୧୬:୨୩) ଏହା ବୁଝିବା ପାଇଁ ଚେଷ୍ଟା କରନ୍ତୁ ଯେ ବାଇବଲର ପଦଗୁଡ଼ିକର ଅର୍ଥ କʼଣ ଓ ସେଗୁଡ଼ିକୁ କିପରି ଲାଗୁ କରାଯାଏ । ତାʼପରେ ଏପରି ଭାବରେ ଶିଖାଇବା ପାଇଁ ଚେଷ୍ଟା କରନ୍ତୁ, ଯେପରି ଆପଣଙ୍କ କଥା ଲୋକମାନଙ୍କ ହୃଦୟକୁ ଛୁଇଁବ ଓ ସେମାନେ ପଦକ୍ଷେପ ନେବା ପାଇଁ ଆଗକୁ ଆସିବେ । ଜଣେ ଭଲ ଶିକ୍ଷକ ହେବା ପାଇଁ ଏହା ବି ଜରୁରୀ ଯେ ଆପଣ ଅନୁଭବୀ ପ୍ରାଚୀନମାନଙ୍କୁ ପଚାରିପାରିବେ ଯେ ଆପଣଙ୍କୁ କʼଣ ସୁଧାର କରିବାର ଅଛି । (୧ ତୀମ. ୫:୧୭) ଜଣେ ପ୍ରାଚୀନଙ୍କୁ ଭାଇଭଉଣୀମାନଙ୍କର “ଉତ୍ସାହ” ବଢ଼ାଇବା ଜରୁରୀ । କିନ୍ତୁ ବେଳେବେଳେ ସେମାନଙ୍କୁ ପରାମର୍ଶ ଦେବା ବା “ଅନୁଯୋଗ [‘ସୁଧାରିବା,’ NWT]” ବି ଜରୁରୀ । ଆଉ ଜଣେ ପ୍ରାଚୀନଙ୍କୁ ସବୁବେଳେ ପ୍ରେମର ସହ ଓ ନମ୍ର ହୋଇ କଥା ହେବା ଉଚିତ୍‌ । ଯଦି ଆପଣ ଏପରି କରିବେ, ତାହେଲେ ଈଶ୍ୱରଙ୍କ ବାକ୍ୟରୁ ଶିଖାଇବା ସମୟରେ ଆପଣଙ୍କ କଥା ଲୋକମାନଙ୍କ ଉପରେ ଭଲ ପ୍ରଭାବ ପକାଇବ । ଏହିପରି ଭାବରେ ଆପଣ ଆମ ମହାନ ଶିକ୍ଷକ ଯୀଶୁଙ୍କ ଭଳି ହୋଇପାରିବେ ।—ମାଥି. ୧୧:୨୮-୩୦; ୨ ତୀମ. ୨:୨୪.

ଚିତ୍ରଗୁଡ଼ିକ: ୧. ଜଣେ ସହାୟକ ସେବକ ଓ ପ୍ରାଚୀନ ଜଣେ ଭଉଣୀଙ୍କୁ ଭେଟିବା ପାଇଁ ଆସିଛନ୍ତି । ତିନିଜଣଙ୍କ ବାଇବଲ ଖୋଲା ଅଛି ଓ ସହାୟକ ସେବକ ଭଉଣୀଙ୍କ ସହ କଥା ହେଉଛନ୍ତି । ୨. ସହାୟକ ସେବକ ଦର୍ପଣ ସାମନାରେ ଛିଡ଼ା ହୋଇ ଭାଷଣ ଦେବା ପାଇଁ ଅଭ୍ୟାସ କରୁଛନ୍ତି ।

ଜଣେ ସହାୟକ ସେବକ, ଜଣେ ଅନୁଭବୀ ପ୍ରାଚୀନଙ୍କଠାରୁ ଶିଖୁଛନ୍ତି ଯେ ସେ କିପରି ବାଇବଲରୁ ଅନ୍ୟମାନଙ୍କର ଉତ୍ସାହ ବଢ଼ାଇପାରିବେ । ସେହି ଭାଇ ଦର୍ପଣ ସାମନାରେ ଛିଡ଼ା ହୋଇ ଭାଷଣ ଦେବା ପାଇଁ ଅଭ୍ୟାସ କରୁଛନ୍ତି (ପାରାଗ୍ରାଫ ୧୬)


ଆଗକୁ ବଢ଼ିବା ଜାରି ରଖନ୍ତୁ

୧୭. (କ) ସହାୟକ ସେବକମାନେ ଆଗକୁ ବଢ଼ିବା ପାଇଁ କʼଣ କରିପାରିବେ ? (ଖ) ଯେବେ ଭାଇମାନଙ୍କ ଯୋଗ୍ୟତାଗୁଡ଼ିକ ବିଷୟରେ ଆଲୋଚନା କରାଯାଏ, ତେବେ ପ୍ରାଚୀନମାନଙ୍କୁ କେଉଁ କଥା ମନେ ରଖିବା ଉଚିତ୍‌ ? (“ଭାଇମାନଙ୍କ ଯୋଗ୍ୟତାଗୁଡ଼ିକ ବିଷୟରେ ଚର୍ଚ୍ଚା କରିବା ସମୟରେ ଅତ୍ୟଧିକ ଆଶା କରନ୍ତୁ ନାହିଁ” ନାମକ ବକ୍ସ ଦେଖନ୍ତୁ ।)

୧୭ ଆମେ ଉପରେ ଯାହା ବି ଆଲୋଚନା କଲୁ ସେଥିରୁ ହୁଏତ ସହାୟକ ସେବକମାନଙ୍କୁ ଲାଗିବ ଯେ ପ୍ରାଚୀନମାନଙ୍କୁ ଯାହା କରିବା ପାଇଁ କୁହାଯାଇଛି, ତାହା ସେମାନେ କେବେ ବି କରିପାରିବେ ନାହିଁ । କିନ୍ତୁ ମନେ ରଖନ୍ତୁ, ଯିହୋବା ଓ ତାଙ୍କ ସଂଗଠନ ଏହା ଆଶା କରେ ନାହିଁ ଯେ ପ୍ରାଚୀନମାନଙ୍କ ପାଇଁ ଯେଉଁ ଯୋଗ୍ୟତାଗୁଡ଼ିକ ରହିଛି, ଆପଣ ସେସବୁକୁ ସମ୍ପୂର୍ଣ୍ଣ ଭାବେ ପୂରା କରନ୍ତୁ । (୧ ପିତ. ୨:୨୧) ଏହା ବି ମନେ ରଖନ୍ତୁ ଯେ ଯିହୋବା ଆପଣଙ୍କୁ ନିଜ ପବିତ୍ର ଶକ୍ତି ଦେବେ ଯାହା ସାହାଯ୍ୟରେ ଆପଣ ଏହି ଯୋଗ୍ୟତାଗୁଡ଼ିକୁ ପୂରା କରିପାରିବେ ଓ ଖ୍ରୀଷ୍ଟୀୟ ଗୁଣ ବଢ଼ାଇପାରିବେ । (ଫିଲିପ୍‌. ୨:୧୩) କʼଣ ଏପରି କୌଣସି ଯୋଗ୍ୟତା ଅଛି ଯାହାକୁ ପୂରା କରିବା କିମ୍ବା କୌଣସି ଗୁଣ ବଢ଼ାଇବା ପାଇଁ ଆପଣଙ୍କୁ ସୁଧାର କରିବାକୁ ପଡ଼ିବ ? ଯଦି କିଛି ଅଛି, ତାହେଲେ ସେବିଷୟରେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । ସେହି ଯୋଗ୍ୟତା ବିଷୟରେ ଅନୁସନ୍ଧାନ କରନ୍ତୁ ଓ ଆପଣ ଚାହିଁଲେ କୌଣସି ପ୍ରାଚୀନଙ୍କୁ ପଚାରନ୍ତୁ ଯେ ଆପଣ କିପରି ସୁଧାର କରିପାରିବେ ।

ଭାଇମାନଙ୍କ ଯୋଗ୍ୟତାଗୁଡ଼ିକ ବିଷୟରେ ଚର୍ଚ୍ଚା କରିବା ସମୟରେ ଅତ୍ୟଧିକ ଆଶା କରନ୍ତୁ ନାହିଁ

ଯେବେ ପ୍ରାଚୀନମାନେ ଚର୍ଚ୍ଚା କରନ୍ତି ଯେ ଜଣେ ଭାଇ ପ୍ରାଚୀନମାନଙ୍କ ପାଇଁ ଦିଆଯାଇଥିବା ଯୋଗ୍ୟତାଗୁଡ଼ିକୁ ପୂରା କରୁଛନ୍ତି ନା ନାହିଁ, ତେବେ ସେମାନଙ୍କୁ ଅତ୍ୟଧିକ ଆଶା କରିବା ଉଚିତ୍‌ ନୁହେଁ । ସେମାନେ ନିଜକୁ “ଅତିରିକ୍ତ ଧାର୍ମିକ” ଭାବିବା ଉଚିତ୍‌ ନୁହଁ । (ଉପ. ୭:୧୬; ରୋମୀ. ୧୨:୩) ପ୍ରାଚୀନମାନଙ୍କୁ ମନେ ରଖିବା ଉଚିତ୍‌ ଯେ ସେମାନେ ବି ତାଙ୍କ ପାଇଁ ଯେଉଁ ଯୋଗ୍ୟତାଗୁଡ଼ିକ ରହିଛି, ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିପାରିବେ ନାହିଁ । ସେମାନେ ଏହା ବି ମନେ ରଖିବା ଉଚିତ୍‌ ଯେ ଯେପରି ଯିହୋବା ସେମାନଙ୍କଠାରୁ ଅତ୍ୟଧିକ ଆଶା କରନ୍ତି ନାହିଁ, ସେହିପରି ସେମାନେ ମଧ୍ୟ ଅନ୍ୟମାନଙ୍କଠାରୁ ଅତ୍ୟଧିକ ଆଶା କରନ୍ତୁ ନାହିଁ । ତେଣୁ ପ୍ରାଚୀନମାନେ ପ୍ରାର୍ଥନା କରନ୍ତି ଓ ଦେଖିବା ପାଇଁ ଚେଷ୍ଟା କରନ୍ତି ଯେ ଜଣେ ବ୍ୟକ୍ତି ଉଚିତ୍‌ ମାତ୍ରାରେ ବାଇବଲରେ ଦିଆଯାଇଥିବା ଯୋଗ୍ୟତାଗୁଡ଼ିକୁ ପୂରା କରୁଛନ୍ତି ନା ନାହିଁ । ସେମାନେ ଏହା ଆଶା କରନ୍ତି ନାହିଁ ଯେ ଭାଇଙ୍କଠାରେ କୌଣସି ଦୁର୍ବଳତା ନ ଥିବ । କୌଣସି ଭାଇଙ୍କ ସୁପାରିଶ କରିବା ସମୟରେ ପ୍ରାଚୀନମାନେ ଏହା ଦେଖନ୍ତି ଯେ ସେହି ଭାଇ ଯିହୋବାଙ୍କ ସ୍ତର ଅନୁସାରେ ବଞ୍ଚୁଛନ୍ତି ନା ନାହିଁ ଓ ଯଦି ତାଙ୍କୁ ପ୍ରାଚୀନ ନିଯୁକ୍ତ କରାଯାଏ, ତେବେ ମଣ୍ଡଳୀକୁ ଲାଭ ହେବ ନା ନାହିଁ ।

୧୮. ସହାୟକ ସେବକମାନେ କʼଣ କରିପାରିବେ ?

୧୮ ଆମେ ଜଣେ ପ୍ରାଚୀନ ଥାଉ ବା ନ ଥାଉ, ଆସନ୍ତୁ ଆମେ ସମସ୍ତ ଭାଇମାନେ ଏହି ଲେଖାରେ ଦିଆଯାଇଥିବା ଗୁଣଗୁଡ଼ିକୁ ବଢ଼ାଇବା ପାଇଁ ପରିଶ୍ରମ କରିବା ଜାରି ରଖିବା । (ଫିଲିପ୍‌. ୩:୧୬) କʼଣ ଆପଣ ଜଣେ ସହାୟକ ସେବକ ଅଟନ୍ତି ? ଯଦି ହଁ, ତାହେଲେ ଆଗକୁ ବଢ଼ିବା ଜାରି ରଖନ୍ତୁ । ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କୁ ଶିଖାଇବା ଓ ପ୍ରାଚୀନ ହେବା ପାଇଁ ସାହାଯ୍ୟ କରନ୍ତୁ, ଯାହାଫଳରେ ଆପଣ ତାଙ୍କ ଓ ମଣ୍ଡଳୀର ଭାଇଭଉଣୀମାନଙ୍କ ଆହୁରି ଭଲଭାବେ ସେବା କରିପାରିବେ । (ଯିଶା. ୬୪:୮) ଆମ ଏହା ପ୍ରାର୍ଥନା ଯେ ଯିହୋବା ଆପଣଙ୍କ ପରିଶ୍ରମ ଉପରେ ଆଶିଷ ଦିଅନ୍ତୁ ଏବଂ ପ୍ରାଚୀନ ହେବା ପାଇଁ ଯେଉଁ ଯୋଗ୍ୟତାଗୁଡ଼ିକ ରହିଛି, ସେଗୁଡ଼ିକୁ ପୂରା କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରନ୍ତୁ ।

ଆମେ ଆଗକୁ ଦିଆଯାଇଥିବା ପଦଗୁଡ଼ିକରୁ କʼଣ ଶିଖିଲୁ ?

  • ୧ ତୀମଥି ୩:୧-୭

  • ତୀତସ ୧:୫-୯

  • ଏବ୍ରୀ ୧୩:୨, ୧୬

ଗୀତ ୧୦୧ ଏକତା ବନାଏ ରଖେଁ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ