ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଫେବୃୟାରୀ ପୃଷ୍ଠା ୮-୧୩
  • ଯିହୋବା ଆପଣଙ୍କୁ କ୍ଷମା କରନ୍ତି—ଏଥିରୁ ଆପଣଙ୍କୁ କʼଣ ଲାଭ ହୁଏ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ଆପଣଙ୍କୁ କ୍ଷମା କରନ୍ତି—ଏଥିରୁ ଆପଣଙ୍କୁ କʼଣ ଲାଭ ହୁଏ ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯିହୋବା ଆମ ପାପଗୁଡ଼ିକୁ ଆମଠାରୁ ଦୂର କରିଦିଅନ୍ତି
  • ଯିହୋବା ଆମ ପାପଗୁଡ଼ିକୁ ପୋଛି ଦିଅନ୍ତି
  • ଯିହୋବା ଆମ ସହିତ ପୁଣିଥରେ ଭଲ ସମ୍ପର୍କ ଗଢ଼ନ୍ତି
  • ଯିହୋବାଙ୍କ ପ୍ରକୃତ କ୍ଷମାରୁ ଆମକୁ ଅନେକ ଲାଭ ହୁଏ
  • ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ କ୍ଷମା କରିଦେଇଛନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଯିହୋବା ଆପଣଙ୍କୁ କ୍ଷମା କରନ୍ତି—ତାଙ୍କୁ କୃତଜ୍ଞତା ଦେଖାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଯିହୋବା, କ୍ଷମା କରିବାରେ ସବୁଠୁ ଭଲ ଉଦାହରଣ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଯିହୋବାଙ୍କର ପ୍ରେମ ଯୋଗୁଁ ମିଳେ ଅନେକ ଆଶିଷ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଫେବୃୟାରୀ ପୃଷ୍ଠା ୮-୧୩

ଅଧ୍ୟୟନ ଲେଖା ୭

ଗୀତ ୧୫ ୟହୋୱା କି ପେହ୍‌ଲୌଠେ କି ତାରିଫ୍‌ କରେଁ !

ଯିହୋବା ଆପଣଙ୍କୁ କ୍ଷମା କରନ୍ତି—ଏଥିରୁ ଆପଣଙ୍କୁ କʼଣ ଲାଭ ହୁଏ ?

“ତୁମ୍ଭଠାରେ କ୍ଷମା [‘ପ୍ରକୃତ କ୍ଷମା,’ NWT] ଅଛି ।”—ଗୀତ. ୧୩୦:୪.

କʼଣ ଶିଖିବା ?

ଯିହୋବା ଆମକୁ ପ୍ରକୃତ କ୍ଷମା କରନ୍ତି । ଏହି କଥାକୁ ବୁଝାଇବା ପାଇଁ ବାଇବଲରେ ଅନେକ ଉଦାହରଣ ଦିଆଯାଇଛି । ସେମଧ୍ୟରୁ କିଛି ଉଦାହରଣ ଉପରେ ଆମେ ଏହି ଲେଖାରେ ଚର୍ଚ୍ଚା କରିବା, ଯାହାଦ୍ୱାରା ଯିହୋବାଙ୍କ ପାଇଁ ଆମ କୃତଜ୍ଞତା ଆହୁରି ବଢ଼ିଯିବ ।

୧. ହୁଏତ ଆପଣଙ୍କ ସାଙ୍ଗ ଆପଣଙ୍କୁ କ୍ଷମା କରିଦେବେ, ତଥାପି କʼଣ ହୋଇପାରେ ?

ଭାବନ୍ତୁ, ଆପଣ ନିଜର ଜଣେ ସାଙ୍ଗକୁ ଦୁଃଖ ପହଞ୍ଚାଇଛନ୍ତି, ତେଣୁ ଆପଣ ତାଙ୍କୁ କ୍ଷମା ମାଗନ୍ତି । ଆଉ ସେ ଆପଣଙ୍କୁ କହନ୍ତି, “ମୁଁ ତମକୁ କ୍ଷମା କରିଦେଲି ।” ଏହା ଶୁଣି ଆପଣଙ୍କୁ କିପରି ଲାଗିବ ? ଆପଣଙ୍କୁ ବହୁତ ଶାନ୍ତି ମିଳିବ । ତଥାପି ହୁଏତ ଆପଣ ଭାବିବେ, ‘କʼଣ ଆମେ ପୂର୍ବ ଭଳି ସାଙ୍ଗ ଥିବା ? କʼଣ ଆମ ସମ୍ପର୍କରେ ଦୂରତା ଆସିଯିବ ?’

୨. ଯିହୋବା ଯେପରି କ୍ଷମା କରନ୍ତି, ସେବିଷୟରେ ବାଇବଲରେ କʼଣ କୁହାଯାଇଛି ? (ଫୁଟନୋଟ୍‌ ମଧ୍ୟ ଦେଖନ୍ତୁ ।)

୨ ଯିହୋବା କ୍ଷମା କରିବା ମାମଲାରେ ମଣିଷମାନଙ୍କଠାରୁ ପୂରାପୂରି ଅଲଗା ଅଟନ୍ତି । ସେ ଯେପରି କ୍ଷମା କରନ୍ତି ସେପରି କେହି ବି କରନ୍ତି ନାହିଁ । ଗୋଟିଏ ଗୀତସଂହିତାରେ ଯିହୋବାଙ୍କ ବିଷୟରେ ଲେଖାଅଛି, ‘ତୁମ୍ଭଙ୍କୁ ଯେପରି ଭୟ କରାଯାଏ, ଏଥିପାଇଁ ତୁମ୍ଭଠାରେ ପ୍ରକୃତ କ୍ଷମା ଅଛି ।’a (ଗୀତ. ୧୩୦:୪) ଯେବେ ଯିହୋବା କାହାରିକୁ କ୍ଷମା କରନ୍ତି, ତେବେ ସେ ସେମାନଙ୍କୁ ପ୍ରକୃତ କ୍ଷମା ଦିଅନ୍ତି । ଯିହୋବାଙ୍କଠାରୁ ଆମେ କ୍ଷମା କରିବାର ପ୍ରକୃତ ଅର୍ଥ ଶିଖିପାରିବା । ଏବ୍ରୀ ଶାସ୍ତ୍ରର ଲେଖକମାନେ ଯିହୋବାଙ୍କ କ୍ଷମା କରିବା ବିଷୟରେ କହିବା ସମୟରେ କିଛି ଜାଗାଗୁଡ଼ିକରେ ଗୋଟିଏ ବିଶେଷ ଶବ୍ଦର ବ୍ୟବହାର କଲେ । ଏହି ଶବ୍ଦ ସେମାନେ କେବଳ ଯିହୋବାଙ୍କ ପାଇଁ ବ୍ୟବହାର କଲେ, ମଣିଷମାନଙ୍କ ପାଇଁ ନୁହେଁ ।

୩. ଯିହୋବା ଯେପରି ଭାବେ କ୍ଷମା କରନ୍ତି ଓ ମଣିଷମାନେ ଯେପରି ଭାବେ କ୍ଷମା କରନ୍ତି, ସେଥିରେ କʼଣ ପାର୍ଥକ୍ୟ ଅଛି ? (ଯିଶାଇୟ ୫୫:୬, ୭)

୩ ଯେବେ ଯିହୋବା କାହାରିକୁ କ୍ଷମା କରନ୍ତି, ତେବେ ସେ ତାଙ୍କ ପାପଗୁଡ଼ିକୁ ପୂରାପୂରି ପୋଛି ଦିଅନ୍ତି ଏବଂ ସେ ନିଜ ସହିତ ତାଙ୍କ ସମ୍ପର୍କକୁ ପୂର୍ବ ଭଳି କରିଦିଅନ୍ତି । ଯିହୋବା ହୃଦୟରୁ ଓ ବହୁଳ ରୂପରେ କ୍ଷମା କରନ୍ତି ।—ଯିଶାଇୟ ୫୫:୬, ୭ ପଢ଼ନ୍ତୁ ।

୪. ପ୍ରକୃତ କ୍ଷମା କʼଣ, ଏହାକୁ ବୁଝାଇବା ପାଇଁ ଯିହୋବା କʼଣ କଲେ ?

୪ ଯିହୋବା ପ୍ରକୃତ କ୍ଷମା କରନ୍ତି, କʼଣ ଆମେ ଏହି କଥାକୁ ପୂରାପୂରି ବୁଝିପାରିବା ? ନିଶ୍ଚୟ । ଏହି କଥାକୁ ବୁଝାଇବା ପାଇଁ ଯିହୋବା ବାଇବଲରେ ଅନେକ ଉଦାହରଣ ଦେଇଛନ୍ତି । ସେଗୁଡ଼ିକୁ ଧ୍ୟାନ ଦେଲେ ଆମେ ବୁଝିପାରିବା ଯେ ଯିହୋବା କେଉଁଭଳି କ୍ଷମା କରନ୍ତି । ଏହି ଲେଖାରେ ସେମଧ୍ୟରୁ କିଛି ଉଦାହରଣ ଉପରେ ଆମେ ଧ୍ୟାନ ଦେବା । ଆଉ ଜାଣିବା ଯେ ଯିହୋବା କିପରି ଆମ ପାପଗୁଡ଼ିକୁ ପୋଛି ଦିଅନ୍ତି ଓ ସେହି ପାପ ଯୋଗୁଁ ତାଙ୍କ ସହିତ ଆମର ଯେଉଁ ସମ୍ପର୍କ ଭାଙ୍ଗିଯାଇଛି, ତାକୁ ସେ ପୁଣିଥରେ ଠିକ୍‌ କରିଦିଅନ୍ତି । ଏହି ଉଦାହରଣଗୁଡ଼ିକ ଉପରେ ଧ୍ୟାନ ଦେଲେ ଯିହୋବାଙ୍କ ପାଇଁ ଆମର କୃତଜ୍ଞତା ଆହୁରି ବଢ଼ିଯିବ ।

ଯିହୋବା ଆମ ପାପଗୁଡ଼ିକୁ ଆମଠାରୁ ଦୂର କରିଦିଅନ୍ତି

୫. ଯିହୋବା ଆମ ପାପ କ୍ଷମା କରନ୍ତି, ଏହାର ଅର୍ଥ କʼଣ ?

୫ ବାଇବଲରେ ପ୍ରାୟ ପାପକୁ ଭାରି ବୋଝ ସହ ତୁଳନା କରାଯାଇଛି । ରାଜା ଦାଉଦ ନିଜ ପାପ ବିଷୟରେ କହିଲେ, “ମୋହର ଅପରାଧ ମୋʼ ମସ୍ତକ ଉପରେ ଉଠିଅଛି; ତାହାସବୁ ମୋʼ ଶକ୍ତି ଅପେକ୍ଷା ଭାରୀ ବୋଝ ସ୍ୱରୂପ ।” (ଗୀତ. ୩୮:୪) କିନ୍ତୁ ଯେବେ ଜଣେ ବ୍ୟକ୍ତି ହୃଦୟରୁ ପଶ୍ଚାତାପ କରେ, ତେବେ ଯିହୋବା ତାʼ ପାପ କ୍ଷମା କରିଦିଅନ୍ତି । (ଗୀତ. ୨୫:୧୮; ୩୨:୫) ଯେଉଁ ଏବ୍ରୀ ଶବ୍ଦର ଅନୁବାଦ ‘କ୍ଷମା କରିବା’ କରାଯାଇଛି, ତାହାର ଅର୍ଥ ହେଉଛି, “ଉଠାଇବା” କିମ୍ବା “ଉଠାଇ ନେଇଯିବା ।” ଏଥିରୁ ଜଣାପଡ଼େ ଯେ ଯିହୋବା ଜଣେ ଶକ୍ତିଶାଳୀ ବ୍ୟକ୍ତି ଭଳି ଅଟନ୍ତି ଯିଏ ଆମ ପାପର ଭାରି ବୋଝକୁ ଉଠାନ୍ତି ଏବଂ ଆମଠାରୁ ଦୂରକୁ ନେଇଯାʼନ୍ତି ।

ଜଣେ ଭାଇଙ୍କ କାନ୍ଧରେ ଭାରି ବୋଝ ଥିଲା ଯାହାକୁ କେହି ଉଠାଉଛନ୍ତି ।

“ପାପଘଟିତ ଅଧର୍ମ କ୍ଷମା କଲେ” (ଗୀତ. ୩୨:୫)


୬. ଯିହୋବା ଆମ ପାପଗୁଡ଼ିକୁ ଆମଠାରୁ କେତେ ଦୂରକୁ ନେଇଯାʼନ୍ତି ?

୬ ଯିହୋବା ଆମ ପାପଗୁଡ଼ିକୁ ଆମଠାରୁ କେତେ ଦୂରକୁ ନେଇଯାʼନ୍ତି ? ଆସନ୍ତୁ ଏହାକୁ ବୁଝିବା ପାଇଁ ବାଇବଲରେ ଦିଆଯାଇଥିବା ଆଉ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦେବା । ଗୀତସଂହିତା ୧୦୩:୧୨ ପଦରେ ଲେଖାଅଛି, “ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି ।” ଆମେ ଅନୁମାନ ବି କରିପାରିବା ନାହିଁ ଯେ ପୂର୍ବରୁ ପଶ୍ଚିମ କେତେ ଦୂର ଅଛି । ଠିକ୍‌ ସେହିଭଳି ଯିହୋବା ଆମ ପାପକୁ ଆମଠାରୁ ଏତେ ଦୂରକୁ ନେଇଯାʼନ୍ତି ଯେ ଆମେ କଳ୍ପନା ବି କରିପାରିବା ନାହିଁ । ଏହା ଜାଣି ଆମକୁ ବହୁତ ସାନ୍ତ୍ୱନା ମିଳେ ଯେ ଯିହୋବା ଆମ ପାପକୁ ଆମଠାରୁ ଦୂରକୁ ନେଇଯାʼନ୍ତି ଏବଂ ଆମକୁ ପୂରାପୂରି କ୍ଷମା କରିଦିଅନ୍ତି ।

ସୂର୍ଯ୍ୟାସ୍ତ ହେଉଛି ।

“ପୂର୍ବରୁ ପଶ୍ଚିମ ଯେତେ ଦୂର . . . ସେତେ ଦୂର” (ଗୀତ. ୧୦୩:୧୨)


୭. ଯିହୋବା ଆମ ପାପଗୁଡ଼ିକର କʼଣ କରନ୍ତି, ଏବିଷୟରେ ବାଇବଲରେ କʼଣ କୁହାଯାଇଛି ? (ମୀଖା ୭:୧୮, ୧୯)

୭ ଯିହୋବା ଆମ ପାପଗୁଡ଼ିକୁ ଆମଠାରୁ ଦୂରକୁ ନେଇଯାʼନ୍ତି । କିନ୍ତୁ ତାʼପରେ ସେ ସେହି ପାପଗୁଡ଼ିକର କʼଣ କରନ୍ତି ? କʼଣ ସେ ତାହାକୁ ସମ୍ଭାଳି ରଖନ୍ତି ? ନୁହଁ । ରାଜା ହିଜକୀୟ ଯିହୋବାଙ୍କ ବିଷୟରେ ଏପରି ଲେଖିଲେ, ସେ ‘ଆପଣା ପଛଆଡ଼େ ମୋହର ପାପସବୁ ପକାଇ ଦେଇଅଛନ୍ତି ।’ (ଯିଶା. ୩୮:୯, ୧୭) ଏହି ଉଦାହରଣରୁ ଜଣାପଡ଼େ ଯେ ଜଣେ ବ୍ୟକ୍ତି ଯେବେ ହୃଦୟରୁ ପଶ୍ଚାତାପ କରେ, ତେବେ ଯିହୋବା ତାʼ ପାପଗୁଡ଼ିକୁ ନିଜ ପଛଆଡ଼େ ପକାଇଦିଅନ୍ତି । ତାʼପରେ ଯିହୋବା ସେହି ପାପଗୁଡ଼ିକୁ ପୁଣିଥରେ ଦେଖନ୍ତି ନାହିଁ ଆଉ ସେଗୁଡ଼ିକ ଉପରେ ଧ୍ୟାନ ବି ଦିଅନ୍ତି ନାହିଁ । ହିଜକୀୟଙ୍କ କଥାକୁ ଏପରି ବି କୁହାଯାଇପାରେ, “ଆପଣ ମୋ ପାପଗୁଡ଼ିକୁ ଏପରି କରିଦେଇଛନ୍ତି ଯେପରି ମୁଁ କେବେ ପାପ ହିଁ କରି ନ ଥିଲି ।” ଏହି କଥାକୁ ଆହୁରି ଭଲଭାବେ ବୁଝାଇବା ପାଇଁ ମୀଖା ୭:୧୮, ୧୯ ପଦରେ ଆଉ ଗୋଟିଏ ଉଦାହରଣ ଦିଆଯାଇଛି । (ପଢ଼ନ୍ତୁ ।) ସେଠାରେ କୁହାଯାଇଛି ଯେ ଯିହୋବା ଆମ ପାପଗୁଡ଼ିକୁ ଗଭୀର ସମୁଦ୍ରରେ ଫିଙ୍ଗି ଦିଅନ୍ତି । ପ୍ରାଚୀନ ସମୟରେ ଯଦି କୌଣସି ଜିନିଷକୁ ସମୁଦ୍ରରେ ଫିଙ୍ଗି ଦିଆଯାଉଥିଲା, ତେବେ ସେହି ଜିନିଷକୁ ପୁଣିଥରେ କାଢ଼ିବା ଅସମ୍ଭବ ଥିଲା । ଯିହୋବା ଆମ ପାପଗୁଡ଼ିକ ସହ ବି ଏପରି ହିଁ କରନ୍ତି !

ଚିତ୍ରଗୁଡ଼ିକ: ୧. ଯିହୋବା ନିଜ ସିଂହାସନରେ ବସିଛନ୍ତି ଏବଂ ସେ ଗୋଟିଏ ଭାରି ବସ୍ତା ପଛଆଡ଼େ ଫିଙ୍ଗି ଦେଇଛନ୍ତି । ୨. ଗୋଟିଏ ଭାରି ବସ୍ତା ସମୁଦ୍ରର ଗଭୀରରେ ପଡ଼ିଛି ।

‘ଆପଣା ପଛଆଡ଼େ ମୋହର ପାପସବୁ ପକାଇ ଦେଲେ’ (ଯିଶା. ୩୮:୧୭)

‘ତୁମ୍ଭେ ଆମ୍ଭମାନଙ୍କର ଯାବତୀୟ ପାପ ସମୁଦ୍ରର ଆଗାଧ ଜଳରେ ନିକ୍ଷେପ କରିବ’ (ମୀଖା ୭:୧୯)


୮. ଏବେ ଯାଏ ଆମେ କʼଣ ଶିଖିଲୁ ?

୮ ଏହି ଉଦାହରଣଗୁଡ଼ିକରୁ ଆମେ ଶିଖୁ ଯେ ଯେବେ ବି ଯିହୋବା ଆମକୁ କ୍ଷମା କରନ୍ତି, ତେବେ ସେ ଆମ ପାପର ଭାରି ବୋଝ ଉଠାନ୍ତି । ତେଣୁ ଆମେ ନିଜକୁ ଦୋଷୀ ଭାବି ନ ଥାଉ । ଦାଉଦ କେତେ ସଠିକ୍‌ କଥା କହିଥିଲେ, “ଯେଉଁମାନଙ୍କର ଅପରାଧସବୁ କ୍ଷମା ହୋଇଅଛି, ଆଉ ଯେଉଁମାନଙ୍କର ପାପସବୁ ଆଚ୍ଛାଦିତ ହୋଇଅଛି, ସେମାନେ ଧନ୍ୟ । ପ୍ରଭୁ ଯେଉଁ ଲୋକର ପାପ ଗଣନା କରିବେ ନାହିଁ, ସେ ଧନ୍ୟ ।” (ରୋମୀ. ୪:୬-୮) ସତରେ, ଏହା ହିଁ ପ୍ରକୃତ କ୍ଷମା !

ଯିହୋବା ଆମ ପାପଗୁଡ଼ିକୁ ପୋଛି ଦିଅନ୍ତି

୯. ଯିହୋବା କେଉଁ ଉଦାହରଣ ଦେଇ ବୁଝାଇଲେ ଯେ ସେ ଆମକୁ ପୂରାପୂରି କ୍ଷମା କରିଦିଅନ୍ତି ?

୯ ଯିହୋବା ମୁକ୍ତିର ମୂଲ୍ୟ ଆଧାରରେ ପଶ୍ଚାତାପ କରୁଥିବା ଲୋକମାନଙ୍କର ପାପଗୁଡ଼ିକୁ ପୂରାପୂରି ପୋଛି ଦିଅନ୍ତି । ଏହି କଥାକୁ ବୁଝିବା ପାଇଁ ଯିହୋବା ବାଇବଲରେ ଆଉ କିଛି ଉଦାହରଣ ମଧ୍ୟ ଦେଇଛନ୍ତି । ଯେପରି ଏଥିରେ ଲେଖାଅଛି ଯେ ସେ ଆମ ପାପର ଦାଗକୁ ନିର୍ମଳ ବା ପରିଷ୍କାର କରିଦିଅନ୍ତି ଏବଂ ସେଗୁଡ଼ିକୁ ପୋଛି ଦିଅନ୍ତି । ଏପରି ଭାବେ ଜଣେ ପାପ କରିଥିବା ବ୍ୟକ୍ତି ଶୁଚି ବା ଶୁଦ୍ଧ ହୋଇଯାଏ । (ଗୀତ. ୫୧:୭; ଯିଶା. ୪:୪; ଯିରି. ୩୩:୮) ଯିହୋବା କିପରି ଆମ ପାପଗୁଡ଼ିକୁ ପରିଷ୍କାର କରନ୍ତି ? ଏବିଷୟରେ ସେ କହିଲେ, “ତୁମ୍ଭମାନଙ୍କର ପାପସବୁ ସିନ୍ଦୂରବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ; ସେସବୁ ଲୋହିତବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋମ ପରି ହେବ ।” (ଯିଶା. ୧:୧୮) ଯଦି ଗୋଟିଏ କପଡ଼ାରେ ସିନ୍ଦୂରବର୍ଣ୍ଣର ଦାଗ ଲାଗିଯାଏ, ତାହେଲେ ତାହାକୁ ସଫା କରିବା ବହୁତ କଠିନ ଲାଗେ । ଏହି ଉଦାହରଣ ଦେଇ ଯିହୋବା ଆମକୁ ଭରସା ଦେଲେ ଯେ ସେ ଆମ ପାପଗୁଡ଼ିକୁ ଧୋଇ ଏପରି ଭାବେ ସଫା କରିଦିଅନ୍ତି ଯେ ପାପର ଦାଗ ବି ଦେଖାଯାଏ ନାହିଁ ।

ଜଣେ ଭଉଣୀ ଧଳା ରଙ୍ଗର କପଡ଼ା ପିନ୍ଧିଛନ୍ତି ଯେଉଁଥିରେ ଲାଲ ରଙ୍ଗର ଦାଗ ଲାଗିଯାଇଛି । ପରେ ଭଉଣୀ ସେହି ଧଳା ରଙ୍ଗର କପଡ଼ା ପିନ୍ଧିଛନ୍ତି, କିନ୍ତୁ ସେଥିରେ କୌଣସି ଦାଗ ନାହିଁ ।

‘ତୁମ୍ଭମାନଙ୍କର ପାପସବୁ ସିନ୍ଦୂରବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ’ (ଯିଶା. ୧:୧୮)


୧୦. ଯିହୋବା ଆମକୁ ହୃଦୟରୁ କ୍ଷମା କରନ୍ତି, ଏହି କଥାକୁ କେଉଁ ଉଦାହରଣ ଦେଇ ବୁଝାଇ ଦିଆଯାଇଛି ?

୧୦ ଯେପରି ପୂର୍ବ ଲେଖାରେ କୁହାଯାଇଥିଲା, ପାପ “ଋଣ” ଭଳି ଅଟେ । (ମାଥି. ୧୮:୩୨-୩୫) ତେଣୁ ଯେବେ ବି ଆମେ ଯିହୋବାଙ୍କ ବିରୁଦ୍ଧରେ ପାପ କରୁ, ତେବେ ଏହା ଏପରି ଅଟେ ଯେପରି ଆମେ ଗୋଟିଏ ପରେ ଗୋଟିଏ ଅନେକ ଋଣ ନେଉଛୁ ଏବଂ ଆମର ଋଣ ବଢ଼ି ବଢ଼ି ଯାଉଛି । କିନ୍ତୁ ଯେବେ ଯିହୋବା ଆମକୁ କ୍ଷମା କରିଦିଅନ୍ତି, ତେବେ ଆମ ପାପର ଋଣ ରଦ୍ଦ ହୋଇଯାଏ । ତାʼପରେ ସେ ଆମଠାରୁ ଆମ ପାପର ହିସାବ ମାଗନ୍ତି ନାହିଁ, କାରଣ ସେ ଆମକୁ କ୍ଷମା କରିଦେଇଛନ୍ତି । ଯେବେ ଜଣେ ବ୍ୟକ୍ତିର ଋଣ କ୍ଷମା କରିଦିଆଯାଏ, ତେବେ ତାକୁ ବହୁତ ଶାନ୍ତି ମିଳେ । ଠିକ୍‌ ସେହିଭଳି ଯେବେ ଯିହୋବା ଆମକୁ କ୍ଷମା କରିଦିଅନ୍ତି, ତେବେ ଆମକୁ ବହୁତ ଶାନ୍ତି ମିଳେ !

ଜଣେ ଭାଇ କିଛି କହୁଛନ୍ତି ଏବଂ କେହି ଜଣେ ତାଙ୍କ ସାମନାରେ ଖଣ୍ଡେ କାଗଜ ଚିରୁଛନ୍ତି ।

“ଆମ୍ଭର ଋଣ କ୍ଷମା କର” (ମାଥି. ୧୮:୩୨)


୧୧. ବାଇବଲରେ ଲେଖାଅଛି ଯେ ଆମ ପାପ ପୋଛି ଦିଆଯାଏ, ଏହାର ଅର୍ଥ କʼଣ ? (ପ୍ରେରିତ ୩:୧୯)

୧୧ ଯିହୋବା ଆମ ପାପ କିମ୍ବା ଋଣକୁ କେବଳ ରଦ୍ଦ କରନ୍ତି ନାହିଁ, ବରଂ ଆମର ପାପ-ମୋଚନ କରନ୍ତି ଅର୍ଥାତ୍‌ ସେଗୁଡ଼ିକୁ ପୂରାପୂରି ପୋଛି ଦିଅନ୍ତି । (ପ୍ରେରିତ ୩:୧୯ ପଢ଼ନ୍ତୁ ।) ଦେଖିବାକୁ ଗଲେ ଋଣ ରଦ୍ଦ କରିବା ପାଇଁ ସେହି ଋଣର ମୂଲ୍ୟ ଯେଉଁ ଦସ୍ତାବିଜରେ ଲେଖା ହୋଇଥାଏ, ତାହାକୁ ପେନ୍‌ରେ କାଟି ଦିଆଯାଏ ଓ ତାʼ ଉପରେ “X” ବା ଛକି ଚିହ୍ନ ଦିଆଯାଏ । କିନ୍ତୁ ଛକି ଚିହ୍ନ ପଛରେ ଯାହା ଲେଖା ହୋଇଥାଏ ତାହା ସେସମୟରେ ବି ଦେଖାଯାଏ । ଏଥିରୁ ଜଣାପଡ଼େ ଯେ ଋଣକୁ ରଦ୍ଦ କରିବା ଓ ତାହାକୁ ପୂରାପୂରି ପୋଛି ଦେବାରେ ପାର୍ଥକ୍ୟ ଅଛି । ଏହାକୁ ବୁଝିବା ପାଇଁ ଏ କଥା ଉପରେ ଧ୍ୟାନ ଦିଅନ୍ତୁ । ପ୍ରାଚୀନ ସମୟରେ ଲେଖିବା ପାଇଁ ଯେଉଁ କାଳି ବ୍ୟବହାର କରାଯାଉଥିଲା, ତାହାକୁ କୋଇଲା, ଅଠା ଓ ପାଣି ମିଶାଇ ତିଆରି କରାଯାଉଥିଲା । ଜଣେ ବ୍ୟକ୍ତି ଓଦା କପଡ଼ାରେ କିମ୍ବା ସ୍ପଞ୍ଜରେ ସେହି ଲେଖାକୁ ସହଜରେ ପୋଛିପାରନ୍ତା । ତେଣୁ ଋଣକୁ ଯେବେ ରଦ୍ଦ କରି ଦିଆଯାଉଥିଲା, ତେବେ ତାହାକୁ ପୂରାପୂରି ପୋଛି ଦିଆଯାଉଥିଲା । କାଗଜ ଉପରେ ଯାହା ଲେଖା ହେଉଥିଲା ତାହା ଆଉ ଦେଖାଯାଉ ନ ଥିଲା । ତେଣୁ ସେହି ଋଣର କୌଣସି ଅସ୍ତିତ୍ୱ ରହୁ ନ ଥିଲା । ଏହା ଜାଣି ଆମକୁ କେତେ ଖୁସି ମିଳେ ଯେ ଯିହୋବା କେବଳ ଆମ ପାପସବୁର ଋଣ ରଦ୍ଦ କରନ୍ତି ନାହିଁ, ବରଂ ସେଗୁଡ଼ିକୁ ପୂରାପୂରି ପୋଛି ଦିଅନ୍ତି ।—ଗୀତ. ୫୧:୯.

ଗୋଟିଏ କାଗଜରେ କିଛି ଲେଖା ହୋଇଥିଲା, କିନ୍ତୁ କେହି ଜଣେ ସ୍ପଞ୍ଜରୁ ତାହାକୁ ପୋଛୁଛି ।

‘ତୁମ୍ଭମାନଙ୍କର ପାପ-ମୋଚନ ହେଉ’ ଅର୍ଥାତ୍‌ ପୋଛି ଦିଆଯାଉ (ପ୍ରେରି. ୩:୧୯)


୧୨. ବାଇବଲରେ ମେଘର ଯେଉଁ ଉଦାହରଣ ଦିଆଯାଇଛି, ସେଥିରୁ ଆମେ କʼଣ ଶିଖୁ ?

୧୨ ଯିହୋବା ଆମ ପାପଗୁଡ଼ିକୁ କିପରି ପୋଛି ଦିଅନ୍ତି, ଏହାକୁ ବୁଝାଇବା ପାଇଁ ଯିହୋବା ବାଇବଲରେ ଆଉ ଗୋଟିଏ ଉଦାହରଣ ଲେଖାଇଛନ୍ତି । ଯିହୋବା କହନ୍ତି, ‘ଆମ୍ଭେ ତୁମ୍ଭର ଅଧର୍ମସବୁ ଓ ତୁମ୍ଭର ପାପସବୁ ମେଘ ପରି ମାର୍ଜନା କରିଦେବା ।’ (ଯିଶା. ୪୪:୨୨) ଯେବେ ଯିହୋବା ଆମ ପାପଗୁଡ଼ିକୁ କ୍ଷମା କରିଦିଅନ୍ତି, ତେବେ ସେ ଯେପରି ଆମର ପାପସବୁ ମେଘରେ ଢ଼ାଙ୍କି ଦିଅନ୍ତି । ତାʼପରେ ସେହି ପାପସବୁକୁ ଆମେ ବି ଦେଖିପାରିବା ନାହିଁ କି ଯିହୋବା ବି ଦେଖିପାରିବେ ନାହିଁ ।

କଳା ମେଘ ଦେଖାଯାଉଛି ।

‘ଆମ୍ଭେ ତୁମ୍ଭର ଅଧର୍ମସବୁ ଓ ତୁମ୍ଭର ପାପସବୁ ମେଘ ପରି ମାର୍ଜନା କରିଦେବା’ (ଯିଶା. ୪୪:୨୨)


୧୩. ଯେବେ ଯିହୋବା ଆମର ପାପସବୁ କ୍ଷମା କରିଦିଅନ୍ତି, ତେବେ ଆମକୁ କିପରି ଲାଗେ ?

୧୩ ଆମେ ଯେଉଁ ଉଦାହରଣଗୁଡ଼ିକ ଉପରେ ଧ୍ୟାନ ଦେଲୁ, ସେଥିରୁ ଆମେ କʼଣ ଶିଖୁ ? ଯେବେ ଯିହୋବା ଆମର ପାପସବୁ କ୍ଷମା କରିଦିଅନ୍ତି, ତେବେ ଆମକୁ ଏହା ଭାବିବା କଥା ନୁହେଁ ଯେ ସେହି ପାପର ଦାଗ ଆମ ଜୀବନରେ ସବୁଦିନ ପାଇଁ ରହିବ । ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ଯୋଗୁଁ ଆମ ପାପର ଋଣ ପୂରାପୂରି ସୁଝି ଦିଆଯାଇଛି । ଆମ ଋଣର ରେକର୍ଡ ପୋଛି ଦିଆଯାଇଛି । ଯେବେ ଆମେ ନିଜ ପାପ ପାଇଁ ପଶ୍ଚାତାପ କରୁ, ତେବେ ଯିହୋବା ଆମକୁ ପ୍ରକୃତ କ୍ଷମା କରନ୍ତି ।

ଯିହୋବା ଆମ ସହିତ ପୁଣିଥରେ ଭଲ ସମ୍ପର୍କ ଗଢ଼ନ୍ତି

ଜଣେ ଭଉଣୀ ବାହାରକୁ ଯାଇଛନ୍ତି ଏବଂ କୌଣସି ବିଷୟରେ ଗଭୀର ଭାବେ ଚିନ୍ତନ କରୁଛନ୍ତି ।

ଯିହୋବା ଆମ ପାପସବୁ କ୍ଷମା କରିଦିଅନ୍ତି, ତେଣୁ ଆମେ ତାଙ୍କ ସହିତ ଗୋଟିଏ ଭଲ ସମ୍ପର୍କ ଗଢ଼ିପାରୁ (ପାରାଗ୍ରାଫ ୧୪)


୧୪. ଆମେ କାହିଁକି ଭରସା ରଖିପାରିବା ଯେ ଯିହୋବା ଆମ ପାପଗୁଡ଼ିକୁ ପୂରାପୂରି କ୍ଷମା କରିଦିଅନ୍ତି ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୪ ପ୍ରକୃତ କ୍ଷମା ଯିହୋବାଙ୍କଠାରୁ ହିଁ ମିଳେ, ଆଉ ଏହା ଯୋଗୁଁ ଆମେ ପୁଣିଥରେ ତାଙ୍କ ସହିତ ଭଲ ସମ୍ପର୍କ ଗଢ଼ିପାରୁ । ମନେ ରଖନ୍ତୁ, ଯିହୋବା ଆମକୁ ପୂରାପୂରି କ୍ଷମା କରିଦିଅନ୍ତି, ତେଣୁ ଆମେ ନିଜକୁ ଦୋଷୀ ଭାବିବା ଉଚିତ୍‌ ନୁହେଁ । ଆମକୁ ଏହା ବି ଭାବିବା ଉଚିତ୍‌ ନୁହେଁ ଯେ ଯିହୋବା ଏବେ ବି ଆମଠାରୁ ଖୁସି ନାହାନ୍ତି ଓ ସେ ଆମକୁ ଦଣ୍ଡ ଦେବାକୁ ଚାହାନ୍ତି । କାରଣ ଥରେ କ୍ଷମା କଲାପରେ ଯିହୋବା କେବେ ବି ଏପରି କରିବେ ନାହିଁ । ଆମେ କାହିଁକି ଏ କଥା ଉପରେ ଭରସା କରିପାରିବା ? ଭବିଷ୍ୟଦ୍‌ବକ୍ତା ଯିରିମୀୟ ଲେଖିଲେ, ‘ସଦାପ୍ରଭୁ କହନ୍ତି, ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ ।’ (ଯିରି. ୩୧:୩୪) ଆଗକୁ ଯାଇ ପ୍ରେରିତ ପାଉଲ ବି ଯିରିମୀୟଙ୍କ ଏହି ଶବ୍ଦଗୁଡ଼ିକୁ ଦୋହରାଇଥିଲେ । (ଏବ୍ରୀ ୮:୧୨) ଯିହୋବା ଆମ ପାପଗୁଡ଼ିକୁ ଆଉ ସ୍ମରଣ କରିବେ ନାହିଁ, ଏହାର ଅର୍ଥ କʼଣ ?

ଜଣେ ଭାଇ ଆକାଶ ଆଡ଼କୁ ଦେଖୁଛନ୍ତି ।

“ଆମ୍ଭେ . . . ସେମାନଙ୍କର ପାପ ଆଉ ସ୍ମରଣ କରିବା ନାହିଁ” (ଯିରି. ୩୧:୩୪)


୧୫. ଯେବେ ଯିହୋବା କହନ୍ତି ଯେ ସେ ଆମ ପାପ ସ୍ମରଣ କରିବେ ନାହିଁ, ତେବେ ଏହାର ଅର୍ଥ କʼଣ ?

୧୫ ବାଇବଲରେ ଯେଉଁ ଶବ୍ଦ “ସ୍ମରଣ କରିବା” ଦିଆଯାଇଛି, ତାʼର ଅର୍ଥ ସବୁବେଳେ ଏହା ନୁହେଁ ଯେ କୌଣସି ଘଟଣା କିମ୍ବା କାହାରି ବିଷୟରେ ଭାବିବା କିମ୍ବା ତାହାକୁ ମନେ ପକାଇବା । ତାʼଅର୍ଥ କିଛି କରିବା ବି ହୋଇପାରେ । ଯୀଶୁଙ୍କ ସହିତ ଯେଉଁ ଅପରାଧୀକୁ କାଠରେ ଟଙ୍ଗା ଯାଇଥିଲା, ସେ ଯୀଶୁଙ୍କୁ କହିଥିଲା: “ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ ।” (ଲୂକ ୨୩:୪୨, ୪୩) କʼଣ ସେହି ଅପରାଧୀ ଯୀଶୁଙ୍କୁ ଏହା କହିବା ପାଇଁ ଚାହୁଁଥିଲା ଯେ ଯୀଶୁ ତାକୁ କେବଳ ସ୍ମରଣ କରନ୍ତୁ ? ଯୀଶୁଙ୍କ ଉତ୍ତରରୁ ଜଣାପଡ଼େ ଯେ ସେହି ଅପରାଧୀ ଚାହୁଁଥିଲା ଯେ ଯୀଶୁ ତାʼପାଇଁ କିଛି କରନ୍ତୁ । ତେଣୁ ଯୀଶୁ କହିଲେ ଯେ ସେ ତାକୁ ପୁଣିଥରେ ଜୀବିତ କରିବେ । ଠିକ୍‌ ସେହିଭଳି ଯେବେ ଯିହୋବା କହନ୍ତି ଯେ ସେ ଆମ ପାପଗୁଡ଼ିକୁ ସ୍ମରଣ କରିବେ ନାହିଁ, ତେବେ ତାʼଅର୍ଥ ସେ ଆମ ବିରୁଦ୍ଧରେ କିଛି କରିବେ ନାହିଁ । ଯିହୋବା ଆମ ପାପ କ୍ଷମା କଲାପରେ ସେହି ପାପ ପାଇଁ ପରେ ଆମକୁ ଆଉ ଦଣ୍ଡ ଦିଅନ୍ତି ନାହିଁ ।

୧୬. ପ୍ରକୃତ କ୍ଷମା ମିଳିଲେ ଆମେ ମୁକ୍ତ ହୋଇଯାଉ, ଏହି କଥାକୁ ବାଇବଲରେ କିପରି ବୁଝାଇ ଦିଆଯାଇଛି ?

୧୬ ପ୍ରକୃତ କ୍ଷମା ମିଳିଲେ ଆମେ ମୁକ୍ତ ହୋଇଯାଉ । ଏହି କଥାକୁ ବୁଝାଇବା ପାଇଁ ବାଇବଲରେ ଆଉ ଗୋଟିଏ ଉଦାହରଣ ଦିଆଯାଇଛି । ଆମେ ଅପରିପୂର୍ଣ୍ଣ ଅଟୁ ଓ ଆମ ଭିତରେ ଖରାପ କାମ କରିବାର ଇଚ୍ଛା ଆସେ, ତେଣୁ ବାଇବଲରେ କୁହାଯାଇଛି ଯେ ଆମେ “ପାପର ଦାସ” ଅଟୁ । କିନ୍ତୁ ଆମେ ଯିହୋବାଙ୍କ ବହୁତ କୃତଜ୍ଞ ଯେ ସେ ଆମକୁ କ୍ଷମା କରିଛନ୍ତି ଏବଂ “ପାପରୁ ମୁକ୍ତ” କରିଛନ୍ତି । (ରୋମୀ. ୬:୧୭, ୧୮; ପ୍ରକା. ୧:୫) ଯେବେ ଯିହୋବା ଆମକୁ କ୍ଷମା କରନ୍ତି, ତେବେ ଆମ ହୃଦୟ କୃତଜ୍ଞତାରେ ଭରିଯାଏ ଓ ଆମକୁ ବହୁତ ଖୁସି ହୁଏ, ଠିକ୍‌ ସେହି ଦାସ ଭଳି ଯାହାକୁ ଅନେକ ବର୍ଷ ପରେ ମୁକ୍ତ କରାଯାଏ ।

କାହାରି ହାତରେ ଶିକୁଳି ବନ୍ଧା ହୋଇଥିଲା, କିନ୍ତୁ ଏବେ ସେ ତାହାକୁ ଭାଙ୍ଗୁଛନ୍ତି ।

‘ପାପରୁ ମୁକ୍ତ କରାଗଲା’ (ରୋମୀ. ୬:୧୮)


୧୭. ଯିଶାଇୟ ୫୩:୫ ପଦ ଅନୁସାରେ ଯିହୋବା ଆମକୁ କିପରି ସୁସ୍ଥ କରନ୍ତି ?

୧୭ ଯିଶାଇୟ ୫୩:୫ ପଢ଼ନ୍ତୁ । ଆସନ୍ତୁ ଶେଷ ଉଦାହରଣ ଉପରେ ଧ୍ୟାନ ଦେବା । ବାଇବଲରେ କୁହାଯାଇଛି ଯେ ଆମେ ଏପରି ବ୍ୟକ୍ତି ଭଳି ଅଟୁ ଯାହାକୁ ଗୋଟିଏ ଗମ୍ଭୀର ରୋଗ ହୋଇଛି । କିନ୍ତୁ ଯିହୋବା ନିଜ ପୁଅର ମୁକ୍ତିର ମୂଲ୍ୟ ଦେଇ ଆମକୁ ସୁସ୍ଥ କରିଛନ୍ତି । (୧ ପିତ. ୨:୨୪) ପାପ କରିବା ଯୋଗୁଁ ଯିହୋବାଙ୍କ ସହିତ ଆମ ସମ୍ପର୍କ ଖରାପ ହୋଇଯାଏ । କିନ୍ତୁ ଯୀଶୁଙ୍କ ମୁକ୍ତିର ମୂଲ୍ୟ ଯୋଗୁଁ ଆମେ ସେହି ସମ୍ପର୍କକୁ ପୁଣିଥରେ ଠିକ୍‌ କରିପାରୁ । ଭାବନ୍ତୁ, ଯଦି ଜଣେ ବ୍ୟକ୍ତିର ଗମ୍ଭୀର ରୋଗ ପୂରାପୂରି ଠିକ୍‌ ହୋଇଯାଏ, ତାହେଲେ ତାକୁ କେତେ ଖୁସି ଲାଗିବ । ଠିକ୍‌ ସେହିଭଳି ଯେବେ ଯିହୋବା ଆମକୁ କ୍ଷମା କରନ୍ତି, ତେବେ ଆମେ ସୁସ୍ଥ ହୋଇଯାଉ ଏବଂ ପୁଣିଥରେ ଯିହୋବାଙ୍କ ସହିତ ନିଜ ସମ୍ପର୍କ ଗଢ଼ିପାରୁ । ଯିହୋବା ଆମକୁ ଦୟା ଦେଖାନ୍ତି, ଏହା ଆମ ପାଇଁ କେତେ ଖୁସିର କଥା !

ଚିତ୍ରଗୁଡ଼ିକ: ଯୀଶୁଙ୍କ ମୁକ୍ତିର ମୂଲ୍ୟ ଯୋଗୁଁ ଯିହୋବାଙ୍କ ସହିତ ଆମ ସମ୍ପର୍କ ପୁଣିଥରେ ଠିକ୍‌ ହୋଇପାରିବ । ୧. ଯୀଶୁଙ୍କୁ ଯାତନା ଖୁଣ୍ଟରେ ଲଟକାଇ ଦିଆଯାଇଛି । ୨. ଜଣେ ଭାଇ ପାର୍କରେ ବସି ବହୁତ ଶାନ୍ତି ଅନୁଭବ କରୁଛନ୍ତି ଏବଂ ପ୍ରାର୍ଥନା କରୁଛନ୍ତି ।

“ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ” (ଯିଶା. ୫୩:୫)


ଯିହୋବାଙ୍କ ପ୍ରକୃତ କ୍ଷମାରୁ ଆମକୁ ଅନେକ ଲାଭ ହୁଏ

୧୮. ଆମେ କ୍ଷମା ବିଷୟରେ ଯେଉଁ ଉଦାହରଣଗୁଡ଼ିକ ଉପରେ ଧ୍ୟାନ ଦେଲୁ, ସେଥିରୁ ଆମେ କʼଣ ଶିଖୁ ? (“ଯିହୋବା ଆମକୁ କିପରି କ୍ଷମା କରନ୍ତି ?” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)

୧୮ ଏହି ଲେଖାରେ ଆମେ ଅନେକ ଉଦାହରଣ ଉପରେ ଧ୍ୟାନ ଦେଲୁ ଏବଂ ଦେଖିଲୁ ଯେ ଯିହୋବା ଆମକୁ କିପରି କ୍ଷମା କରନ୍ତି । ଏହି ଉଦାହରଣଗୁଡ଼ିକରୁ ଆମେ କʼଣ ଶିଖିଲୁ ? ଯେବେ ଯିହୋବା ଆମକୁ କ୍ଷମା କରନ୍ତି, ତେବେ ସେ ପୂରାପୂରି କ୍ଷମା କରିଦିଅନ୍ତି ଓ ସେ କେବେ ବି ସେହି ପାପ ପାଇଁ ଆମକୁ ଦଣ୍ଡ ଦିଅନ୍ତି ନାହିଁ । ତେଣୁ ଆମେ ଯିହୋବାଙ୍କ ସହିତ ଭଲ ସମ୍ପର୍କ ଗଢ଼ିପାରୁ । କିନ୍ତୁ ଆମେ ଏହା ବି ମନେ ରଖୁ ଯେ ଯିହୋବା ଆମକୁ ଯେଉଁ ପ୍ରକୃତ କ୍ଷମା ଦିଅନ୍ତି, ତାହା ଆମ ପାଇଁ ଗୋଟିଏ ଆଶିଷ ଓ ଉପହାର । କିନ୍ତୁ ଆମେ ଯୋଗ୍ୟ ଅଟୁ ବୋଲି ଏହି ଉପହାର ଆମକୁ ମିଳି ନାହିଁ, ବରଂ ଏହା ଯିହୋବାଙ୍କ ପ୍ରେମ ଯୋଗୁଁ ମିଳିଛି ଓ ସେ ଆମ ଉପରେ ମହାକୃପା କରିବା ପାଇଁ ଚାହାନ୍ତି ।—ରୋମୀ. ୩:୨୪.

ଏହି ଲେଖାରେ ଦିଆଯାଇଥିବା ଉଦାହରଣଗୁଡ଼ିକର ଚିତ୍ରଗୁଡ଼ିକ । ଚିତ୍ରଗୁଡ଼ିକ: ଯିହୋବା ଆମ ପାପଗୁଡ଼ିକୁ ଆମଠାରୁ ଦୂର କରିଦିଅନ୍ତି । ୧. “ପାପଘଟିତ ଅଧର୍ମ କ୍ଷମା କଲେ”: ଜଣେ ଭାଇଙ୍କ କାନ୍ଧରେ ଭାରି ବୋଝ ଥିଲା ଯାହାକୁ କେହି ଉଠାଉଛନ୍ତି । ୨. “ପୂର୍ବରୁ ପଶ୍ଚିମ ଯେତେ ଦୂର . . . ସେତେ ଦୂର”: ସୂର୍ଯ୍ୟାସ୍ତ ହେଉଛି । ୩. ‘ଆପଣା ପଛଆଡ଼େ ମୋହର ପାପସବୁ ପକାଇ ଦେଲେ’: ଯିହୋବା ନିଜ ସିଂହାସନରେ ବସିଛନ୍ତି ଏବଂ ସେ ଗୋଟିଏ ଭାରି ବସ୍ତା ପଛଆଡ଼େ ଫିଙ୍ଗି ଦେଇଛନ୍ତି । ୪. ‘ତୁମ୍ଭେ ଆମ୍ଭମାନଙ୍କର ଯାବତୀୟ ପାପ ସମୁଦ୍ରର ଆଗାଧ ଜଳରେ ନିକ୍ଷେପ କରିବ’: ଗୋଟିଏ ଭାରି ବସ୍ତା ସମୁଦ୍ରର ଗଭୀରରେ ପଡ଼ିଛି । ଚିତ୍ରଗୁଡ଼ିକ: ଯିହୋବା ଆମ ପାପଗୁଡ଼ିକୁ ପୋଛି ଦିଅନ୍ତି । ୧. ‘ତୁମ୍ଭମାନଙ୍କର ପାପସବୁ ସିନ୍ଦୂରବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ’: ଜଣେ ଭଉଣୀ ଧଳା ରଙ୍ଗର କପଡ଼ା ପିନ୍ଧିଛନ୍ତି ଯେଉଁଥିରେ ଲାଲ ରଙ୍ଗର ଦାଗ ଲାଗିଯାଇଛି । ପରେ ଭଉଣୀ ସେହି ଧଳା ରଙ୍ଗର କପଡ଼ା ପିନ୍ଧିଛନ୍ତି, କିନ୍ତୁ ସେଥିରେ କୌଣସି ଦାଗ ନାହିଁ । ୨. “ଆମ୍ଭର ଋଣ କ୍ଷମା କର”: ଜଣେ ଭାଇ କିଛି କହୁଛନ୍ତି ଏବଂ କେହି ଜଣେ ତାଙ୍କ ସାମନାରେ ଖଣ୍ଡେ କାଗଜ ଚିରୁଛନ୍ତି । ୩. ‘ତୁମ୍ଭମାନଙ୍କର ପାପ-ମୋଚନ ହେଉ’: ଗୋଟିଏ କାଗଜରେ କିଛି ଲେଖା ହୋଇଥିଲା, କିନ୍ତୁ କେହି ଜଣେ ସ୍ପଞ୍ଜରୁ ତାହାକୁ ପୋଛୁଛି । ୪. ‘ଆମ୍ଭେ ତୁମ୍ଭର ଅଧର୍ମସବୁ ଓ ତୁମ୍ଭର ପାପସବୁ ମେଘ ପରି ମାର୍ଜନା କରିଦେବା’: କଳା ମେଘ ଦେଖାଯାଉଛି । ଚିତ୍ରଗୁଡ଼ିକ: ଯିହୋବା ଆମ ସହିତ ପୁଣିଥରେ ଭଲ ସମ୍ପର୍କ ଗଢ଼ନ୍ତି । ୧. “ଆମ୍ଭେ . . . ସେମାନଙ୍କର ପାପ ଆଉ ସ୍ମରଣ କରିବା ନାହିଁ”: ଜଣେ ଭାଇ ଆକାଶ ଆଡ଼କୁ ଦେଖୁଛନ୍ତି । ୨. ‘ପାପରୁ ମୁକ୍ତ କରାଗଲା’: କାହାରି ହାତରେ ଶିକୁଳି ବନ୍ଧା ହୋଇଥିଲା, କିନ୍ତୁ ଏବେ ସେ ତାହାକୁ ଭାଙ୍ଗୁଛନ୍ତି । ୩. “ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ”: ଯୀଶୁଙ୍କୁ ଯାତନା ଖୁଣ୍ଟରେ ଲଟକାଇ ଦିଆଯାଇଛି । ଆଉ ଗୋଟିଏ ଚିତ୍ରରେ ଦେଖାଇ ଦିଆଯାଇଛି ଯେ ଜଣେ ଭାଇ ପାର୍କରେ ବସି ବହୁତ ଶାନ୍ତି ଅନୁଭବ କରୁଛନ୍ତି ଏବଂ ପ୍ରାର୍ଥନା କରୁଛନ୍ତି ।

୧୯. (କ) ଆମକୁ କାହିଁକି ଯିହୋବାଙ୍କର କୃତଜ୍ଞ ରହିବା ଉଚିତ୍‌ ? (ରୋମୀୟ ୪:୮) (ଖ) ପରବର୍ତ୍ତୀ ଲେଖାରେ ଆମେ କʼଣ ଜାଣିବା ?

୧୯ ରୋମୀୟ ୪:୮ ପଢ଼ନ୍ତୁ । ଯିହୋବା ଆମକୁ “ପ୍ରକୃତ କ୍ଷମା” କରନ୍ତି, ଏହି କଥା ପାଇଁ ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ତାଙ୍କର କୃତଜ୍ଞ ହେବା ଉଚିତ୍‌ । (ଗୀତ. ୧୩୦:୪) କିନ୍ତୁ ଯଦି ଆମେ ଯିହୋବାଙ୍କଠାରୁ କ୍ଷମା ପାଇବା ପାଇଁ ଚାହୁଁ, ତାହେଲେ ଆମକୁ ଗୋଟିଏ ଜରୁରୀ କାମ କରିବାକୁ ପଡ଼ିବ । ତାହା କʼଣ ? ଯୀଶୁ କହିଲେ, “ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ ।” (ମାଥି. ୬:୧୪, ୧୫) ତେଣୁ ଏହା ବହୁତ ଜରୁରୀ ଯେ ଆମେ ଯିହୋବାଙ୍କ ଭଳି ଅନ୍ୟମାନଙ୍କୁ ମଧ୍ୟ କ୍ଷମା କରୁ । ଆମେ ଏହା କିପରି କରିପାରିବା ? ପରବର୍ତ୍ତୀ ଲେଖାରେ ଆମେ ଏବିଷୟରେ ଜାଣିବା ।

ଆପଣ କʼଣ ଉତ୍ତର ଦେବେ ?

  • ଯିହୋବା ଆମ ପାପଗୁଡ଼ିକୁ ଆମଠାରୁ ଦୂର କରିଦିଅନ୍ତି, ଏହି କଥାକୁ ବାଇବଲରେ କିପରି ବୁଝାଇ ଦିଆଯାଇଛି ?

  • ଆମେ କାହିଁକି କହିପାରିବା ଯେ ଯିହୋବା ଆମ ପାପଗୁଡ଼ିକୁ ପୂରାପୂରି ପୋଛି ଦିଅନ୍ତି ?

  • ଯିହୋବା ଯେଉଁ ପ୍ରକୃତ କ୍ଷମା କରନ୍ତି, ସେଥିରୁ ଆପଣଙ୍କୁ କʼଣ ଲାଭ ହୁଏ ?

ଗୀତ ୪୬ ତେରା ଏହସାନ୍‌ ମାନତେ ୟହୋୱା

a ଦେଖିବାକୁ ଗଲେ ଆମେ ମଧ୍ୟ ପରସ୍ପରକୁ କ୍ଷମା କରୁ, କିନ୍ତୁ ଗୀତସଂହିତା ୧୩୦:୪ ପଦରେ ଯେଉଁ ଏବ୍ରୀ ଶବ୍ଦର ଅନୁବାଦ “ପ୍ରକୃତ କ୍ଷମା” କରାଯାଇଛି, ତାହା ବହୁତ ନିଆରା ଅଟେ । ସେଥିରୁ ଜଣାପଡ଼େ ଯେ କେବଳ ଯିହୋବା ହିଁ ଆମ ପାପ ପୂରାପୂରି କ୍ଷମା କରିପାରିବେ । ଏହି ବିଶେଷ କଥାକୁ ଅନେକ ବାଇବଲ ଅନୁବାଦଗୁଡ଼ିକରେ ଅଣଦେଖା କରି ଦିଆଯାଇଛି । କିନ୍ତୁ ନୂତନ ଜଗତ ଅନୁବାଦ ବାଇବଲରେ ଏହାର ସଠିକ୍‌ ଅର୍ଥକୁ ଧ୍ୟାନରେ ରଖି ଅନୁବାଦ କରାଯାଇଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ