ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଅଗଷ୍ଟ ପୃଷ୍ଠା ୧୪-୧୯
  • ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ କ୍ଷମା କରିଦେଇଛନ୍ତି !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ କ୍ଷମା କରିଦେଇଛନ୍ତି !
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଆମେ କାହିଁକି ଭରସା ରଖିବା ଉଚିତ୍‌ ଯେ ଯିହୋବା ଆମମାନଙ୍କୁ କ୍ଷମା କରିଦେଇଛନ୍ତି ?
  • ଆମେ ନିଜକୁ କିପରି ଭରସା ଦେଇପାରିବା ଯେ ଯିହୋବା ଆମମାନଙ୍କୁ କ୍ଷମା କରିଦେଇଛନ୍ତି ?
  • ଯିହୋବା ଆମ ବିଷୟରେ କେଉଁ କଥା ମନେ ରଖନ୍ତି ?
  • ଲଗାତାର ନିଜକୁ ଭରସା ଦିଅନ୍ତୁ !
  • ଯିହୋବା ଆପଣଙ୍କୁ କ୍ଷମା କରନ୍ତି—ଏଥିରୁ ଆପଣଙ୍କୁ କʼଣ ଲାଭ ହୁଏ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଯିହୋବା, କ୍ଷମା କରିବାରେ ସବୁଠୁ ଭଲ ଉଦାହରଣ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ମନେ ରଖନ୍ତୁ ଯିହୋବା ‘ଜୀବିତ ପରମେଶ୍ୱର’ ଅଟନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଯିହୋବା ଚାହାନ୍ତି ଯେ ସମସ୍ତେ ପଶ୍ଚାତାପ କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଅଗଷ୍ଟ ପୃଷ୍ଠା ୧୪-୧୯

ଅଧ୍ୟୟନ ଲେଖା ୩୪

ଗୀତ ୩ ଆମ ଶକ୍ତି, ଆଶା ଓ ଭରସା

ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ କ୍ଷମା କରିଦେଇଛନ୍ତି !

“ତୁମ୍ଭେ ମୋହର ପାପଘଟିତ ଅଧର୍ମ କ୍ଷମା କଲ ।”—ଗୀତ. ୩୨:୫.

କʼଣ ଶିଖିବା ?

ଯିହୋବା ଆମମାନଙ୍କୁ କ୍ଷମା କରନ୍ତି, ଏହି କଥା ଉପରେ ଭରସା କରିବା କାହିଁକି ଜରୁରୀ ? ଆଉ ବାଇବଲରୁ କିପରି ଆମମାନଙ୍କୁ ଭରସା ମିଳେ ଯେ ଯେଉଁମାନେ ହୃଦୟରୁ ପଶ୍ଚାତାପ କରନ୍ତି, ଯିହୋବା ସେମାନଙ୍କୁ କ୍ଷମା କରନ୍ତି ?

୧-୨. ଯେବେ ଯିହୋବା ଆମର ପାପଗୁଡ଼ିକୁ କ୍ଷମା କରିଦିଅନ୍ତି, ତେବେ ଆମେ କିପରି ଅନୁଭବ କରୁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ରାଜା ଦାଉଦ ନିଜ ଜୀବନରେ ଅନେକ ବଡ଼ ପାପ କରିଥିଲେ । ସେଥିପାଇଁ ସେ ଭଲଭାବେ ଜାଣିଥିଲେ ଯେ ଦୋଷୀ ଅନୁଭବ କରିବା କିପରି ଲାଗେ । (ଗୀତ. ୪୦:୧୨; ୫୧:୩; ଅଧ୍ୟାୟର ଝଲକ) କିନ୍ତୁ ପରେ ସେ ହୃଦୟରୁ ପଶ୍ଚାତାପ କଲେ, ତେଣୁ ଯିହୋବା ତାଙ୍କୁ କ୍ଷମା କରିଦେଲେ । (୨ ଶାମୁ. ୧୨:୧୩) ଯିହୋବାଙ୍କଠାରୁ କ୍ଷମା ପାଇ ଦାଉଦଙ୍କୁ ବହୁତ ଶାନ୍ତି ମିଳିଲା ।—ଗୀତ. ୩୨:୧.

୨ ଯେବେ ଯିହୋବା ଆମ ଉପରେ ଦୟା ଦେଖାଇ ଆମମାନଙ୍କୁ କ୍ଷମା କରନ୍ତି, ତେବେ ଆମେ ମଧ୍ୟ ଦାଉଦଙ୍କ ଭଳି ବହୁତ ଶାନ୍ତି ଅନୁଭବ କରୁ । ଏହା ଜାଣି ଆମମାନଙ୍କୁ ବହୁତ ସାନ୍ତ୍ୱନା ମିଳେ ଯେ ଯିହୋବା ଆମର ପାପଗୁଡ଼ିକୁ କ୍ଷମା କରିଦିଅନ୍ତି । ଯଦି ଆମେ ଗମ୍ଭୀର ପାପ କରିଅଛୁ, ତାହେଲେ ବି ଯିହୋବା ଆମର ପାପଗୁଡ଼ିକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି । କିନ୍ତୁ ଏଥିପାଇଁ ଆମକୁ ହୃଦୟରୁ ପଶ୍ଚାତାପ କରିବାକୁ ପଡ଼ିବ, ଆମର ପାପକୁ ସ୍ୱୀକାର କରିବାକୁ ପଡ଼ିବ ଓ ପୁଣିଥରେ ଏହି ପାପଗୁଡ଼ିକୁ ନ କରିବା ପାଇଁ ପୂରା ଚେଷ୍ଟା କରିବାକୁ ପଡ଼ିବ । (ହିତୋ. ୨୮:୧୩; ପ୍ରେରି. ୨୬:୨୦; ୧ ଯୋହ. ୧:୯) ଏହା ଜାଣି ଆମକୁ ବହୁତ ଖୁସି ମିଳେ ଯେ ଯିହୋବା ଆମ ପାପଗୁଡ଼ିକୁ ପୂରାପୂରି କ୍ଷମା କରିଦିଅନ୍ତି ଏବଂ କ୍ଷମା କଲାପରେ ସେହି ପାପ ପାଇଁ ଆମମାନଙ୍କୁ ଦୋଷୀ ଅନୁଭବ କରାନ୍ତି ନାହିଁ ଏବଂ ତାʼପାଇଁ ଦଣ୍ଡ ମଧ୍ୟ ଦିଅନ୍ତି ନାହିଁ ।—ଯିହି. ୩୩:୧୬.

ରାଜା ଦାଉଦ ନିଜ ଘର ବାହାରେ ବସି ବୀଣା ବଜାଉଛନ୍ତି ଏବଂ ଗୀତ ଗାଉଛନ୍ତି ।

ରାଜା ଦାଉଦ ନିଜର ଗୀତସଂହିତାଗୁଡ଼ିକରେ କହିଲେ ଯେ ଯିହୋବା କିପରି ଭାବେ କ୍ଷମା କରନ୍ତି (ପାରାଗ୍ରାଫ ୧-୨)


୩-୪. (କ) ବାପ୍ତିସ୍ମ ନେଲା ପରେ ବି ଜଣେ ଭଉଣୀଙ୍କୁ କିପରି ଅନୁଭବ ହେଉଥିଲା ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?

୩ ବେଳେବେଳେ କିଛି ଲୋକଙ୍କୁ ଏହା ସ୍ୱୀକାର କରିବା ପାଇଁ କଠିନ ଲାଗେ ଯେ ଯିହୋବା ସେମାନଙ୍କୁ କ୍ଷମା କରିଦେଇଛନ୍ତି । ଜେନିଫର୍‌ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କର ଲାଳନପାଳନ ସତ୍ୟରେ ହୋଇଥିଲା । ବଡ଼ ହେବା ସହିତ ସେ ଭୁଲ କାମଗୁଡ଼ିକୁ କରିବାକୁ ଲାଗିଲେ ଏବଂ ଦୋହରା ଜୀବନ ବଞ୍ଚିବାକୁ ଲାଗିଲେ । ଅନେକ ବର୍ଷ ପରେ ସେ ଯିହୋବାଙ୍କ ପାଖକୁ ଫେରି ଆସିଲେ ଏବଂ ବାପ୍ତିସ୍ମ ନେଲେ । ସେ କହନ୍ତି, “ମୁଁ ପଇସା ପଛରେ ପାଗଳ ଥିଲି, ଖରାପ ଜୀବନ ବିତାଉ ଥିଲି, ଅତ୍ୟଧିକ ମଦ ପିଉଥିଲି ଏବଂ ବହୁତ ରାଗୁଥିଲି । ମୁଁ ଜାଣିଥିଲି ଯେ ପଶ୍ଚାତାପ କଲେ ଆଉ କ୍ଷମା ମାଗିଲେ ଯିହୋବା, ଯୀଶୁଙ୍କର ମୁକ୍ତିର ମୂଲ୍ୟ ଆଧାରରେ ଆମମାନଙ୍କୁ କ୍ଷମା କରିଦିଅନ୍ତି । କିନ୍ତୁ ମୁଁ ଏହା ସ୍ୱୀକାର କରିପାରୁ ନ ଥିଲି ଯେ ଯିହୋବା ମୋତେ ସତରେ କ୍ଷମା କରିଦେଇଛନ୍ତି ।”

୪ କʼଣ ଆପଣଙ୍କୁ ବି ବେଳେବେଳେ ଏହା ସ୍ୱୀକାର କରିବା ପାଇଁ କଠିନ ଲାଗେ ଯେ ଆପଣ ପୂର୍ବରୁ ଯେଉଁ ଭୁଲଗୁଡ଼ିକ କରିଥିଲେ, ଯିହୋବା ସେଗୁଡ଼ିକୁ କ୍ଷମା କରିଦେଇଛନ୍ତି ? ଯଦି ଆପଣଙ୍କୁ ଏପରି ଲାଗେ ତାହେଲେ ମନେ ରଖନ୍ତୁ, ଯିହୋବା ଚାହାନ୍ତି ଯେ ଆପଣ ବି ଦାଉଦଙ୍କ ଭଳି ଭରସା ରଖନ୍ତୁ ଯେ ସେ ଆପଣଙ୍କର ପାପଗୁଡ଼ିକୁ କ୍ଷମା କରିଦେଇଛନ୍ତି ଏବଂ ସେ ଚାହାନ୍ତି ଯେ ଆପଣ ଶାନ୍ତି ଅନୁଭବ କରନ୍ତୁ । ଏହି ଲେଖାରେ ଆମେ ଜାଣିବା ଯେ ଆମମାନଙ୍କ ପାଇଁ ଏହା ଭରସା କରିବା କାହିଁକି ଜରୁରୀ ଯେ ଯିହୋବା ଆମମାନଙ୍କ ପାପଗୁଡ଼ିକୁ କ୍ଷମା କରିଦେଇଛନ୍ତି ଏବଂ ଏହା ଉପରେ ଭରସା କରିବା ପାଇଁ କେଉଁ କଥା ଆମକୁ ସାହାଯ୍ୟ କରିପାରିବ ।

ଆମେ କାହିଁକି ଭରସା ରଖିବା ଉଚିତ୍‌ ଯେ ଯିହୋବା ଆମମାନଙ୍କୁ କ୍ଷମା କରିଦେଇଛନ୍ତି ?

୫. ଶୟତାନ ଆମକୁ କʼଣ ଭରସା ଦେବା ପାଇଁ ଚାହେଁ ? ଉଦାହରଣ ଦେଇ ବୁଝାନ୍ତୁ ।

୫ ଏପରି କଲେ ଆମେ ଶୟତାନର ଫାନ୍ଦରେ ପଡ଼ିବା ନାହିଁ । ମନେ ରଖନ୍ତୁ, ଶୟତାନ ଚାହେଁ ଯେ ଆମେ ଯିହୋବାଙ୍କର ସେବା କରିବା ଛାଡ଼ିଦେଉ ଏବଂ ଏପରି କରିବା ପାଇଁ ସେ ଯେକୌଣସି ଉପାୟ ଆପଣାଇପାରେ । ଯେପରି, ସେ ଚାହେଁ ଯେ ଆମେ ଏହା ମାନୁ ଯେ ଆମେ ବହୁତ ବଡ଼ ପାପ କରିଛୁ ଏବଂ ଏହାପାଇଁ ଆମକୁ କ୍ଷମା ମିଳିପାରିବ ନାହିଁ । କରିନ୍ଥୀୟ ମଣ୍ଡଳୀର ସେହି ବ୍ୟକ୍ତିର ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯିଏ ଅନୈତିକ ଯୌନ ସମ୍ପର୍କ ରଖିବାର ପାପ କରିଥିଲା ଏବଂ ତାକୁ ମଣ୍ଡଳୀରୁ ବାହାର କରି ଦିଆଯାଇଥିଲା । (୧ କରି. ୫:୧, ୫, ୧୩) ପରେ ସେ ନିଜର ପାପଗୁଡ଼ିକ ପାଇଁ ପଶ୍ଚାତାପ କଲା । କିନ୍ତୁ ଶୟତାନ ଚାହୁଁଥିଲା ଯେ ମଣ୍ଡଳୀର ଭାଇଭଉଣୀମାନେ ତାକୁ କ୍ଷମା କରନ୍ତୁ ନାହିଁ, ଏପରିକି ମଣ୍ଡଳୀରେ ବି ତାʼର ସ୍ୱାଗତ କରନ୍ତୁ ନାହିଁ । ଯଦି ଭାଇଭଉଣୀମାନେ ତାକୁ କ୍ଷମା କରି ନ ଥାʼନ୍ତେ, ତାହେଲେ ହୁଏତ ସେହି ବ୍ୟକ୍ତି ଭାବିଥାʼନ୍ତା ଯେ ଯିହୋବା ତାକୁ କ୍ଷମା କରି ନାହାନ୍ତି, ସେ ‘ଅତିରିକ୍ତ ଦୁଃଖରେ ବୁଡ଼ିଯାʼନ୍ତା’ ଏବଂ ଯିହୋବାଙ୍କର ସେବା କରିବା ପାଇଁ ଛାଡ଼ି ଦେଇଥାʼନ୍ତା । ଶୟତାନ ବଦଳି ନାହିଁ, ତେଣୁ ସେ ଆଜି ବି ଏପରି ହିଁ ଉପାୟ ଆପଣାଇଥାଏ । ସେ ଆମମାନଙ୍କୁ ଭରସା ଦେବା ପାଇଁ ଚାହେଁ ଯେ ଯିହୋବା ଆମ ପାପଗୁଡ଼ିକୁ କ୍ଷମା କରିବେ ନାହିଁ । କିନ୍ତୁ ଆମ୍ଭେମାନେ “ତାʼର ସମସ୍ତ କଳ୍ପନା [“ଷଡ଼ଯନ୍ତ୍ର,” NWT] ସମ୍ବନ୍ଧରେ ଅଜ୍ଞ ନୋହୁ ।”—୨ କରି. ୨:୫-୧୧.

୬. ଯଦି ଆମେ ନିଜର ପାପଗୁଡ଼ିକ ପାଇଁ ନିଜକୁ ଦୋଷୀ ବୋଲି ଭାବୁଛୁ, ତାହେଲେ ଆମେ କʼଣ କରିପାରିବା ?

୬ ଏପରି କଲେ ଆମମାନଙ୍କୁ ଖୁସି ମିଳେ ଏବଂ ଆମେ ଦୋଷୀ ଅନୁଭବ କରି ନ ଥାଉ । ଆମଦ୍ୱାରା ପାପ ହୋଇଗଲେ, ଆମେ ନିଜକୁ ଦୋଷୀ ଭାବୁ । (ଗୀତ. ୫୧:୧୭) ଏପରି ଭାବିବା ଭଲ ହେବ, କାରଣ ଏଥିରୁ ଆମ ବିବେକ ସଠିକ୍‌ କାମ କରିବା ପାଇଁ ଆମମାନଙ୍କୁ ପ୍ରେରିତ କରିବ । (୨ କରି. ୭:୧୦, ୧୧) କିନ୍ତୁ ଯଦି ପାପଗୁଡ଼ିକର ପଶ୍ଚାତାପ କଲାପରେ ବି ଲମ୍ବା ସମୟ ଯାଏ ଆମେ ନିଜକୁ ଦୋଷୀ ଭାବୁ, ତାହେଲେ ଆମେ ହାର୍‌ ମାନିପାରୁ । କିନ୍ତୁ ଯଦି ଆମେ ଭରସା ରଖିବା ଯେ ଯିହୋବା ଆମମାନଙ୍କୁ କ୍ଷମା କରିଦେଇଛନ୍ତି, ତାହେଲେ ଆମେ ନିଜକୁ ଦୋଷୀ ଭାବିବାନି । ଏହା ପରିବର୍ତ୍ତେ ଆମେ ଶୁଦ୍ଧ ବିବେକ ଏବଂ ଖୁସିର ସହ ଯିହୋବାଙ୍କର ସେବା କରିବା, କାରଣ ଯିହୋବା ବି ଏହା ହିଁ ଚାହାନ୍ତି । (କଲ. ୧:୧୦, ୧୧; ୨ ତୀମ. ୧:୩) କିନ୍ତୁ ପ୍ରଶ୍ନ ଆସେ, ଆମେ ନିଜକୁ କିପରି ଭରସା ଦେଇପାରିବା ଯେ ଯିହୋବା ଆମମାନଙ୍କୁ କ୍ଷମା କରିଦେଇଛନ୍ତି ?

ଆମେ ନିଜକୁ କିପରି ଭରସା ଦେଇପାରିବା ଯେ ଯିହୋବା ଆମମାନଙ୍କୁ କ୍ଷମା କରିଦେଇଛନ୍ତି ?

୭-୮. ଯିହୋବା ମୋଶାଙ୍କୁ ନିଜ ବିଷୟରେ କʼଣ କହିଲେ ଏବଂ ଏଥିରୁ ଆମେ କେଉଁ କଥା ଉପରେ ଭରସା କରିପାରିବା ? (ଯାତ୍ରା ପୁସ୍ତକ ୩୪:୬, ୭)

୭ ଏବିଷୟରେ ଭାବନ୍ତୁ ଯେ ଯିହୋବା ନିଜ ବିଷୟରେ କʼଣ କହିଲେ । ଯିହୋବା ସୀନୟ ପର୍ବତରେ ମୋଶାଙ୍କୁ କʼଣ କହିଲେ, ସେହି ବିଷୟରେ ଧ୍ୟାନ ଦିଅନ୍ତୁ ।a (ଯାତ୍ରା ପୁସ୍ତକ ୩୪:୬, ୭ ପଢ଼ନ୍ତୁ ।) ଯଦି ଯିହୋବା ଚାହିଁଥାʼନ୍ତେ, ତାହେଲେ ସେ ମୋଶାଙ୍କୁ ନିଜ ବିଷୟରେ ଏବଂ ନିଜ ଗୁଣଗୁଡ଼ିକ ବିଷୟରେ ଅନେକ କଥା କହିପାରିଥାʼନ୍ତେ । କିନ୍ତୁ ସେ ନିଜ ବିଷୟରେ ମୋଶାଙ୍କୁ କହିଲେ, ‘ପରମେଶ୍ୱର ସ୍ନେହଶୀଳ [“କରୁଣାମୟ,” NWT] ଓ କୃପାମୟ ଈଶ୍ୱର ।’ ଏବିଷୟରେ ଭାବନ୍ତୁ, ଯଦି ଯିହୋବାଙ୍କ ଜଣେ ସେବକ ସହୃଦୟରେ ପଶ୍ଚାତାପ କରେ, ତାହେଲେ କʼଣ କରୁଣାମୟ ଓ କୃପାମୟ ଈଶ୍ୱର ଯିହୋବା ତାକୁ କ୍ଷମା କରିବେ ନାହିଁ । ସେ ନିଶ୍ଚୟ ତାକୁ କ୍ଷମା କରିବେ । ଯଦି ଯିହୋବା କ୍ଷମା କରିବେ ନାହିଁ, ତାହେଲେ ସେ ନିଷ୍ଠୁର ଈଶ୍ୱର ହୋଇଯିବେ । ଆଉ ଆମେ ଭଲଭାବେ ଜାଣୁ ଯେ ଯିହୋବା କେବେ ବି ଏପରି ହୋଇପାରିବେ ନାହିଁ ।

୮ ଯିହୋବା ସତ୍ୟ ଈଶ୍ୱର ଅଟନ୍ତି, ସେଥିପାଇଁ ସେ କେବେ ବି ନିଜ ବିଷୟରେ ମିଛ କଥା କହିବେ ନାହିଁ । (ଗୀତ. ୩୧:୫) ଯିହୋବା ଯାହା ବି କହନ୍ତି, ସେହି କଥା ଉପରେ ଆମେ ପୂରା ଭରସା କରିପାରିବା । ଯଦି ଆପଣ ନିଜ ଭୁଲଗୁଡ଼ିକ ଯୋଗୁଁ ନିଜକୁ ଦୋଷୀ ବୋଲି ଭାବନ୍ତି, ତାହେଲେ ଏବିଷୟରେ ଭାବନ୍ତୁ: ‘କʼଣ ମୁଁ ଏହା ମାନେ ଯେ ଯିହୋବା ପ୍ରକୃତରେ କରୁଣାମୟ ଓ କୃପାମୟ ଈଶ୍ୱର ଅଟନ୍ତି ଏବଂ ଯେଉଁମାନେ ପଶ୍ଚାତାପ କରନ୍ତି, ସେସମସ୍ତଙ୍କୁ ସେ କ୍ଷମା କରିଦିଅନ୍ତି ? ଯଦି ମୁଁ ଏହା ମାନେ, ତାହେଲେ କʼଣ ମୋତେ ଏହି କଥା ଉପରେ ଭରସା କରିବା ଉଚିତ୍‌ ନୁହଁ ଯେ ସେ ମୋତେ ବି କ୍ଷମା କରିଦେଇଛନ୍ତି ?’

୯. ଯିହୋବା ଆମମାନଙ୍କର ପାପ “କ୍ଷମା” କରନ୍ତି, ଏହାର ଅର୍ଥ କʼଣ ? (ଗୀତସଂହିତା ୩୨:୫)

୯ ଯିହୋବା ଆମମାନଙ୍କୁ କ୍ଷମା କରନ୍ତି, ଏବିଷୟରେ ସେ ବାଇବଲର ଲେଖକମାନଙ୍କଠାରୁ ଯାହା ବି ଲେଖାଇଛନ୍ତି, ସେବିଷୟରେ ଚିନ୍ତନ କରନ୍ତୁ । ଗୀତସଂହିତାର ଜଣେ ରଚୟିତା ଦାଉଦ ଏବିଷୟରେ ଯାହା ଲେଖିଲେ, ସେହି କଥା ଉପରେ ଧ୍ୟାନ ଦିଅନ୍ତୁ । (ଗୀତସଂହିତା ୩୨:୫ ପଢ଼ନ୍ତୁ ।) ସେ କହିଲେ, “ତୁମ୍ଭେ ମୋହର ପାପଘଟିତ ଅଧର୍ମ କ୍ଷମା କଲ ।” ଏଠାରେ ଯେଉଁ ଏବ୍ରୀ ଶବ୍ଦର ଅନୁବାଦ ‘କ୍ଷମା କରିବା’ କରାଯାଇଛି ତାହାର ଅର୍ଥ ହେଉଛି, “ଉଠାଇବା” କିମ୍ବା “ଉଠାଇ ନେଇଯିବା ।” ଯେବେ ଦାଉଦ ପାପ କଲେ, ତେବେ ସେ ପାପର ଭାରି ବୋଝ ଉଠାଇଲେ । କିନ୍ତୁ ଯିହୋବା ତାଙ୍କୁ କ୍ଷମା କରିଦେଲେ, ଅର୍ଥାତ୍‌ ସେ ଦାଉଦଙ୍କର ପାପର ବୋଝ ଉଠାଇଲେ ଏବଂ ତାଙ୍କଠାରୁ ଦୂରକୁ ନେଇଗଲେ । ଏଥିରୁ ଦାଉଦଙ୍କୁ ଖୁସି ମିଳିଲା । (ଗୀତ. ୩୨:୨-୪) ସେହିଭଳି ଯଦି ଆମେ ସହୃଦୟରୁ ନିଜ ପାପଗୁଡ଼ିକ ପାଇଁ ପଶ୍ଚାତାପ କରିବା, ତାହେଲେ ଆମମାନଙ୍କୁ ବି ଖୁସି ମିଳିପାରିବ । ଏହାପରେ ଆମେ ନିଜକୁ ଦୋଷୀ ବୋଲି ଭାବିବା ଉଚିତ୍‌ ନୁହଁ, କାରଣ ଯିହୋବା ଆମର ପାପର ବୋଝ ଆମମାନଙ୍କଠାରୁ ଉଠାଇ ନେଇଗଲେ ।

୧୦-୧୧. ଯିହୋବା “କ୍ଷମା କରିବାକୁ ପ୍ରସ୍ତୁତ,” ଏଥିରୁ ଆମେ ତାଙ୍କ ବିଷୟରେ କʼଣ ଜାଣିପାରୁ ? (ଗୀତସଂହିତା ୮୬:୫)

୧୦ ଗୀତସଂହିତା ୮୬:୫ ପଢ଼ନ୍ତୁ । ଦାଉଦ ଏହି ପଦରେ ଯିହୋବାଙ୍କ ବିଷୟରେ ଲେଖିଲେ, ସେ “କ୍ଷମା କରିବାକୁ ପ୍ରସ୍ତୁତ ।” ବାଇବଲ ଉପରେ ଜ୍ଞାନ ଦେଉଥିବା ଗୋଟିଏ ବହିରେ ଏହି ଶବ୍ଦ ବିଷୟରେ ଲେଖାଅଛି, “‘କ୍ଷମା’ କରିବା ଯିହୋବାଙ୍କ ‘ସ୍ୱଭାବରେ’ ରହିଛି ।” ଆମେ ଏପରି କାହିଁକି କହିପାରିବା ଯେ ଏହା ତାଙ୍କ ସ୍ୱଭାବରେ ରହିଛି ? ଏହାର ଉତ୍ତର ଆମମାନଙ୍କୁ ଏହି ପଦର ଦ୍ୱିତୀୟ ଭାଗରେ ମିଳିବ । ସେଠାରେ ଲେଖାଅଛି, ‘ତୁମ୍ଭେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ [“ଅଟଳ ପ୍ରେମରେ,” NWT] ମହାନ ।’ ଯେପରି ଆମେ ପୂର୍ବ ଲେଖାରେ ଦେଖିଥିଲୁ, ଯିହୋବା ନିଜର ବିଶ୍ୱସ୍ତ ସେବକମାନଙ୍କୁ ଅଟଳ ପ୍ରେମ କରନ୍ତି । ଏହାର ଅର୍ଥ, ସେ ସେମାନଙ୍କୁ ଗଭୀର ପ୍ରେମ କରନ୍ତି ଏବଂ ସେମାନଙ୍କୁ କେବେ ବି ଏକୁଟିଆ ଛାଡ଼ନ୍ତି ନାହିଁ । ସେଥିପାଇଁ ଯିହୋବା ସେହି ସମସ୍ତ ଲୋକମାନଙ୍କୁ “ବହୁଳ ରୂପରେ” କ୍ଷମା କରନ୍ତି, ଯେଉଁମାନେ ହୃଦୟରୁ ପଶ୍ଚାତାପ କରନ୍ତି । (ଯିଶା. ୫୫:୭) ଯଦି ଆପଣଙ୍କୁ ଏହି କଥା ଉପରେ ଭରସା କରିବା ପାଇଁ କଠିନ ଲାଗେ ଯେ ଯିହୋବା ଆପଣଙ୍କୁ କ୍ଷମା କରିଦେଇଛନ୍ତି, ତାହେଲେ ନିଜକୁ କିଛି ପ୍ରଶ୍ନ କରନ୍ତୁ: ‘କʼଣ ମୁଁ ଏହା ମାନେ ଯେ ଯିହୋବା କ୍ଷମା କରୁଥିବା ଈଶ୍ୱର ଅଟନ୍ତି ଓ ଯେକେହି ପଶ୍ଚାତାପ କରେ ଏବଂ ଦୟା ପାଇଁ ତାଙ୍କୁ ବିନତି କରେ, ସେ ତାକୁ କ୍ଷମା କରନ୍ତି ? ଯଦି ମୁଁ ଏହା ମାନେ, ତାହେଲେ କʼଣ ମୋତେ ଏହା ଭରସା କରିବା ଉଚିତ୍‌ ନୁହଁ ଯେ ଯେବେ ମୁଁ ନିଜ ପାପଗୁଡ଼ିକ ପାଇଁ ପଶ୍ଚାତାପ କଲି ଏବଂ ତାଙ୍କ ଆଗରେ ବିନତି କଲି, ତେବେ ସେ ମୋତେ ବି କ୍ଷମା କରିଦେଲେ ?’

୧୧ ଏହି କଥା ଜାଣି ଆମମାନଙ୍କୁ କେତେ ସାନ୍ତ୍ୱନା ମିଳେ ଯେ ଯିହୋବା ଆମମାନଙ୍କୁ ଭଲଭାବେ ବୁଝନ୍ତି । ସେ ଏହା ବୁଝନ୍ତି ଯେ ଆମେ ଅପରିପୂର୍ଣ୍ଣ, ତେଣୁ ଆମଦ୍ୱାରା ଭୁଲ ହୁଏ । (ଗୀତ. ୧୩୯:୧, ୨) ଏହି କଥା ଆମମାନଙ୍କୁ ଦାଉଦଙ୍କ ଆଉ ଗୋଟିଏ ଗୀତସଂହିତାରୁ ବି ଜଣାପଡ଼େ । ଆସନ୍ତୁ ସେହି ବିଷୟରେ ଧ୍ୟାନ ଦେବା । ଏଥିରୁ ଆମମାନଙ୍କୁ ଏହି କଥାର ଭରସା ହୋଇଯିବ ଯେ ଯିହୋବା ଆମମାନଙ୍କୁ କ୍ଷମା କରନ୍ତି ।

ଯିହୋବା ଆମ ବିଷୟରେ କେଉଁ କଥା ମନେ ରଖନ୍ତି ?

୧୨-୧୩. ଗୀତସଂହିତା ୧୦୩:୧୪ ପଦ ଅନୁସାରେ ଯିହୋବା ଆମ ବିଷୟରେ କେଉଁ କଥା ମନେ ରଖନ୍ତି ଏବଂ ଏହାଯୋଗୁଁ ସେ କʼଣ କରନ୍ତି ?

୧୨ ଗୀତସଂହିତା ୧୦୩:୧୪ ପଢ଼ନ୍ତୁ । ଦାଉଦ ଏଠାରେ ଆଉ ଗୋଟିଏ କାରଣ କହିଛନ୍ତି ଯେ କାହିଁକି ଯିହୋବା ସେହି ଲୋକମାନଙ୍କୁ କ୍ଷମା କରିବା ପାଇଁ ପ୍ରସ୍ତୁତ ଥାʼନ୍ତି, ଯେଉଁମାନେ ନିଜ ପାପଗୁଡ଼ିକ ପାଇଁ ପଶ୍ଚାତାପ କରନ୍ତି । ଦାଉଦ କହିଲେ ଯେ ‘ଆମ୍ଭେମାନେ ଧୂଳିମାତ୍ର, ଏହା ସେ ସ୍ମରଣ କରନ୍ତି ।’ ଏହାର ଅର୍ଥ ସେ ମନେ ରଖନ୍ତି ଯେ ଆମେ ଅପରିପୂର୍ଣ୍ଣ, ତେଣୁ ଆମଦ୍ୱାରା ଭୁଲ ହୁଏ । ଏହି କଥାକୁ ଭଲଭାବେ ବୁଝିବା ପାଇଁ ଆସନ୍ତୁ ଦାଉଦଙ୍କ ଏହି ଶବ୍ଦଗୁଡ଼ିକୁ ଆହୁରି ଭଲଭାବରେ ଯାଞ୍ଚ କରିବା ।

୧୩ ଦାଉଦ କହିଲେ ଯେ ଯିହୋବା “ଆମ୍ଭମାନଙ୍କର ଗଠନ ଜାଣନ୍ତି ।” ଯିହୋବା ଆଦମକୁ “ଭୂମିର ଧୂଳି ଦ୍ୱାରା” ଏବଂ ପରିପୂର୍ଣ୍ଣ ଭାବେ ସୃଷ୍ଟି କରିଥିଲେ । ସେ ଜାଣିଥିଲେ ଯେ ଆଦମକୁ ବଞ୍ଚି ରହିବା ପାଇଁ ଖାଇବା, ଶୋଇବା ଓ ନିଶ୍ୱାସ ନେବା ଦରକାର । (ଆଦି. ୨:୭) କିନ୍ତୁ ଦାଉଦ ଏହା ବି କହିଲେ ଯେ ଯିହୋବା ‘ଆମ୍ଭେମାନେ ଧୂଳିମାତ୍ର, ଏହା ସ୍ମରଣ କରନ୍ତି ।’ ଏହାର ଅର୍ଥ ହେଉଛି, ଯେବେ ଆଦମ ଓ ହବା ପାପ କଲେ, ତେବେ ସେ ଦୁହେଁ ଅପରିପୂର୍ଣ୍ଣ ହୋଇଗଲେ ଏବଂ ଆଗକୁ ଯାଇ ଉତ୍ତରାଧିକାରୀ ଭାବେ ସେମାନଙ୍କର ସନ୍ତାନମାନଙ୍କୁ ବି ପାପ ଦେଲେ । ଏହି କାରଣ ଯୋଗୁଁ ମାଟିରେ ଗଢ଼ା ମଣିଷମାନଙ୍କଠାରେ ଖରାପ କାମ କରିବାର ଇଚ୍ଛା ଆସେ । ଯିହୋବା ଏହି କଥାକୁ କେବଳ ଜାଣନ୍ତି ନାହିଁ, ବରଂ ଯେପରି ଦାଉଦ କହିଲେ ଯେ ସେ ଏହାକୁ “ସ୍ମରଣ” ବି କରନ୍ତି । ଯେଉଁ ଏବ୍ରୀ ଶବ୍ଦର ଅନୁବାଦ “ସ୍ମରଣ କରନ୍ତି” କରାଯାଇଛି, ଏହାର ଅର୍ଥ ଏପରି ବି ହୋଇପାରେ, “କିଛି ପଦକ୍ଷେପ ଉଠାଇବା ।” ଯିହୋବା କେବଳ ଏହା ଜାଣନ୍ତି ନାହିଁ ଯେ ଆମଦ୍ୱାରା ଭୁଲ ହୁଏ, ବରଂ ଯେବେ ଆମେ ହୃଦୟରୁ ପଶ୍ଚାତାପ କରୁ, ତେବେ ସେ ପଦକ୍ଷେପ ଉଠାନ୍ତି ଅର୍ଥାତ୍‌ ଆମ ଉପରେ ଦୟା କରନ୍ତି ଏବଂ ଆମକୁ କ୍ଷମା କରନ୍ତି । ଯିହୋବା ଏହି କଥା ଭଲଭାବେ ବୁଝନ୍ତି, ସେଥିପାଇଁ ଯେବେ ଆମେ ନିଜ ପାପଗୁଡ଼ିକ ପାଇଁ ହୃଦୟରୁ ପଶ୍ଚାତାପ କରୁ, ତେବେ ସେ ଆମ ଉପରେ ଦୟା ଦେଖାନ୍ତି ଏବଂ ଆମମାନଙ୍କୁ କ୍ଷମା କରନ୍ତି ।—ଗୀତ. ୭୮:୩୮, ୩୯.

୧୪. (କ) ଯିହୋବା ଆମକୁ ଯେପରି ଭାବରେ କ୍ଷମା କରନ୍ତି, ସେହି ବିଷୟରେ ଦାଉଦ କʼଣ କହିଲେ ? (ଗୀତସଂହିତା ୧୦୩:୧୨) (ଖ) ଦାଉଦଙ୍କ ଉଦାହରଣରୁ କିପରି ଜଣାପଡ଼େ ଯେ ଯିହୋବା ଆମର ପାପଗୁଡ଼ିକୁ ପୂରାପୂରି ଭାବେ କ୍ଷମା କରିଦେଇଛନ୍ତି ? (“ଯିହୋବା କ୍ଷମା କରନ୍ତି ଏବଂ ପାପଗୁଡ଼ିକୁ ଭୁଲିଯାʼନ୍ତି” ନାମକ ବକ୍ସ ଦେଖନ୍ତୁ ।)

୧୪ କେଉଁ କଥା ଆମକୁ ଏହା ଭରସା କରିବା ପାଇଁ ସାହାଯ୍ୟ କରିବ ଯେ ଯିହୋବା ଆମମାନଙ୍କୁ କ୍ଷମା କରନ୍ତି ? (ଗୀତସଂହିତା ୧୦୩:୧୨ ପଢ଼ନ୍ତୁ ।) ଦାଉଦ କହିଲେ, “ପୂର୍ବରୁ ପଶ୍ଚିମ ଯେତେ ଦୂର,” ସେ ଆମମାନଙ୍କର ପାପକୁ ସେତେ ଦୂର ଯାଏ ନେଇଯାʼନ୍ତି । ପୂର୍ବ ଓ ପଶ୍ଚିମ ମଧ୍ୟରେ ଯେଉଁ ଦୂରତା ରହିଛି, ତାହାକୁ କେହି ବି କମ୍‌ କରିପାରିବେ ନାହିଁ । ଏହା ପରସ୍ପରଠାରୁ ସବୁବେଳେ ଦୂରରେ ହିଁ ରହିବ । ଗୀତସଂହିତାର ଏହି ପଦ ବିଷୟରେ ଗୋଟିଏ ବହିରେ ବୁଝାଇ ଦିଆଯାଇଛି ଯେ ଯିହୋବା ଆମ ପାପଗୁଡ଼ିକୁ ଏତିକି ଦୂର ନେଇଯାʼନ୍ତି ଯେ ଆମକୁ ତାହାର ବାସ୍ନା ସୁଦ୍ଧା ଆସେ ନାହିଁ । ସେଥିପାଇଁ ଆମେ ପୂରା ଭରସା ରଖିପାରିବା ଯେ ଯିହୋବା ସମ୍ପୂର୍ଣ୍ଣ ଭାବେ ଆମ ପାପଗୁଡ଼ିକୁ ଭୁଲିଯାʼନ୍ତି ଏବଂ ସେ ପୁଣି କେବେ ବି ସେଗୁଡ଼ିକୁ ମନେ ପକାନ୍ତି ନାହିଁ । ଆପଣ ଦେଖିଥିବେ ଯେ ହୁଏତ ଅନେକ ଥର କୌଣସି ବାସ୍ନା ଯୋଗୁଁ ଆମକୁ କୌଣସି କଥା ମନେ ପଡ଼ିଥିବ । କିନ୍ତୁ ଯେବେ ଯିହୋବା ଆମମାନଙ୍କୁ କ୍ଷମା କରନ୍ତି, ତେବେ ତାଙ୍କୁ ପୁଣି କେବେ ବି ଆମ ପାପଗୁଡ଼ିକର ବାସ୍ନା ସୁଦ୍ଧା ଆସେ ନାହିଁ । ସେ ପୁଣି କେବେ ବି ସେହି ପାପଗୁଡ଼ିକୁ ମନେ ପକାନ୍ତି ନାହିଁ ଏବଂ ଆମମାନଙ୍କୁ ଦୋଷୀ ଅନୁଭବ କରାନ୍ତି ନାହିଁ କିମ୍ବା ଦଣ୍ଡ ଦିଅନ୍ତି ନାହିଁ ।—ଯିହି. ୧୮:୨୧, ୨୨; ପ୍ରେରି. ୩:୧୯.

ଚିତ୍ରଗୁଡ଼ିକ: ୧. ରାଜା ଦାଉଦ ଛାତ ଉପରେ ଅଛନ୍ତି ଏବଂ ବତ୍‌ଶେବାଙ୍କୁ ଗାଧୋଉଥିବାର ଦେଖୁଛନ୍ତି । ୨. ସେ ହୃଦୟରୁ ପ୍ରାର୍ଥନା କରୁଛନ୍ତି । ୩. ସେ କିଛି ଲେଖୁଛନ୍ତି ଏବଂ ଗଭୀର ଭାବେ ଭାବୁଛନ୍ତି ।

ଯିହୋବା କ୍ଷମା କରନ୍ତି ଏବଂ ପାପଗୁଡ଼ିକୁ ଭୁଲିଯାʼନ୍ତି

ଯେବେ ଯିହୋବା ଆମକୁ କ୍ଷମା କରନ୍ତି, ତେବେ ସେ ଆମର ପାପଗୁଡ଼ିକୁ ଭୁଲିଯାʼନ୍ତି । ଏହାର ଅର୍ଥ ହେଉଛି, ସେ ଆମର ସେହି ପାପଗୁଡ଼ିକ ପାଇଁ ଆମକୁ ପୁଣି କେବେ ବି ଦୋଷୀ ସାବ୍ୟସ୍ତ କରାନ୍ତି ନାହିଁ ଏବଂ ଦଣ୍ଡ ମଧ୍ୟ ଦିଅନ୍ତି ନାହିଁ । (ଯିଶା. ୪୩:୨୫) ରାଜା ଦାଉଦଙ୍କର ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କଠାରୁ ଆମେ ଶିଖୁ ଯେ ଯଦି ଆମେ କୌଣସି ବଡ଼ ପାପ କରିଛୁ, ତାହେଲେ ବି ଯିହୋବାଙ୍କଠାରୁ ଆମକୁ କ୍ଷମା ମିଳିପାରିବ ।

ଦାଉଦ କିଛି ଗମ୍ଭୀର ପାପ କରିଥିଲେ । ଯେପରି, ସେ ବ୍ୟଭିଚାର କରିଥିଲେ ଏବଂ ଜଣେ ବ୍ୟକ୍ତିର ହତ୍ୟା କରାଇଥିଲେ । କିନ୍ତୁ ପରେ ସେ ସହୃଦୟରୁ ପଶ୍ଚାତାପ କଲେ, ସେଥିପାଇଁ ଯିହୋବା ତାଙ୍କୁ କ୍ଷମା ମଧ୍ୟ କଲେ । ଯେବେ ଯିହୋବା ତାଙ୍କୁ କଡ଼ା ପରାମର୍ଶ ଦେଲେ, ତେବେ ସେ ତାହାକୁ ମାନିଲେ । ସେ ନିଜଠାରେ ସୁଧାର କଲେ ଏବଂ ସେ ପୁଣି କେବେ ବି ସେହି ଭୁଲଗୁଡ଼ିକୁ କଲେ ନାହିଁ ।—୨ ଶାମୁ. ୧୧:୧-୨୭; ୧୨:୧୩.

ଆଗକୁ ଯାଇ ଯିହୋବା ଦାଉଦଙ୍କ ବିଷୟରେ ତାଙ୍କ ପୁତ୍ର ଶଲୋମନଙ୍କୁ କହିଲେ, ‘ଆପଣା ପିତା ଦାଉଦ ପରି ଏକାନ୍ତ ଚିତ୍ତରେ ଓ ସରଳ ଭାବରେ ଆମ୍ଭ ସାକ୍ଷାତରେ ଚାଲ ।’ (୧ ରାଜା. ୯:୪, ୫) ଯିହୋବା ଦାଉଦଙ୍କର ପାପଗୁଡ଼ିକ ବିଷୟରେ ଉଲ୍ଲେଖ ସୁଦ୍ଧା କଲେ ନାହିଁ । ଏହା ପରିବର୍ତ୍ତେ ଯିହୋବା ଦାଉଦଙ୍କ ବିଷୟରେ କହିଲେ ଯେ ସେ ତାଙ୍କର ବିଶ୍ୱସ୍ତ ସେବକ ଥିଲେ, ଯିଏ ତାହା ହିଁ କଲେ ଯାହା ସଠିକ୍‌ ଥିଲା । ଆଉ ସେଥିପାଇଁ ଯିହୋବା ତାଙ୍କୁ “ପ୍ରଚୁର ମଙ୍ଗଳ” କଲେ ।—ଗୀତ. ୧୩:୬.

ଏଥିରୁ ଆମେ କʼଣ ଶିଖୁ ? ଯେବେ ଯିହୋବା କ୍ଷମା କରନ୍ତି, ତେବେ ସେ ଆମର ପାପଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି ନାହିଁ, ବରଂ ସେ ଆମର ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି ଏବଂ ତାʼପାଇଁ ଆମକୁ ଆଶିଷ ଦିଅନ୍ତି । (ଏବ୍ରୀ ୧୧:୬) ସେଥିପାଇଁ ଆମେ ଆମର ସେହି ଭୁଲଗୁଡ଼ିକୁ ସବୁବେଳେ ମନେ ପକାଇବା ନାହିଁ, ଯେଉଁଗୁଡ଼ିକୁ ଯିହୋବା ଭୁଲି ଯାଇଛନ୍ତି ।

୧୫. ଯଦି ଆମେ ପୂର୍ବେ ଯେଉଁ ଭୁଲଗୁଡ଼ିକ କରିଥିଲୁ ସେଗୁଡ଼ିକ ବିଷୟରେ ଭାବି ନିଜକୁ ଦୋଷୀ ବୋଲି ଭାବୁଛୁ, ତାହେଲେ ଆମେ କʼଣ କରିପାରିବା ?

୧୫ ଯଦି ଆପଣଙ୍କୁ ଏହି କଥା ଉପରେ ଭରସା କରିବା କଠିନ ଲାଗୁଛି ଯେ ଯିହୋବା ଆପଣଙ୍କୁ କ୍ଷମା କରିଦେଇଛନ୍ତି, ତାହେଲେ ଗୀତସଂହିତା ୧୦୩ ଅଧ୍ୟାୟରେ ଲେଖାଥିବା ଦାଉଦଙ୍କ ଶବ୍ଦଗୁଡ଼ିକରୁ କିପରି ଆପଣଙ୍କୁ ସାହାଯ୍ୟ ମିଳିପାରିବ ? ଆପଣ ପୂର୍ବେ ଯେଉଁ ଭୁଲଗୁଡ଼ିକ କରିଥିଲେ, ତାʼପାଇଁ ଯଦି ନିଜକୁ ଦୋଷୀ ବୋଲି ଭାବୁଛନ୍ତି, ତାହେଲେ ନିଜକୁ ପଚାରନ୍ତୁ: ‘ଯିହୋବା ଆମ ବିଷୟରେ ଯେଉଁ କଥା ମନେ ରଖନ୍ତି, କʼଣ ମୁଁ ସେଗୁଡ଼ିକୁ ଭୁଲିଯାଉଛି ? କʼଣ ମୁଁ ଏହା ଭୁଲିଯାଉଛି ଯେ ଯିହୋବା ସ୍ମରଣ ରଖନ୍ତି ଯେ ମୁଁ ଧୂଳିମାତ୍ର ଓ ମୋ ଦ୍ୱାରା ଭୁଲ ହୋଇଯାଏ ଏବଂ ପଶ୍ଚାତାପ କଲେ ସେ ମୋତେ କ୍ଷମା କରିଦିଅନ୍ତି ? କʼଣ ଏପରି ହୁଏ ଯେ ମୁଁ ସେହି କଥାଗୁଡ଼ିକୁ ସବୁବେଳେ ମନେ ପକାଏ, ଯାହାକୁ ଯିହୋବା ଭୁଲି ଯାଇଛନ୍ତି ? ଯେପରି, କʼଣ ମୁଁ ସେହି ପାପଗୁଡ଼ିକ ପାଇଁ ଏବେ ବି ନିଜକୁ ଦୋଷୀ ବୋଲି ଭାବୁଛି, ଯେଉଁ ପାପ ପାଇଁ ଯିହୋବା ମୋତେ କ୍ଷମା କରିଦେଇଛନ୍ତି ଏବଂ ଯାହା ପାଇଁ ଯିହୋବା ମୋତେ ପୁଣି କେବେ ଦଣ୍ଡ ଦେବେ ନାହିଁ ?’ ମନେ ରଖନ୍ତୁ, ଆମେ ପୂର୍ବେ ଯେଉଁ ଭୁଲଗୁଡ଼ିକ କରିଥିଲୁ ଯିହୋବା ସେଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି ନାହିଁ ଏବଂ ଆମମାନଙ୍କୁ ବି ସେଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍‌ ନୁହେଁ । (ଗୀତ. ୧୩୦:୩) ଯଦି ଆମେ ଭରସା କରିବା ଯେ ଯିହୋବା ଆମମାନଙ୍କୁ କ୍ଷମା କରିଦେଇଛନ୍ତି, ତାହେଲେ ଆମେ ନିଜ ଭୁଲଗୁଡ଼ିକ ପାଇଁ ନିଜକୁ ଦୋଷୀ ବୋଲି ଭାବିବା ନାହିଁ ଏବଂ ଖୁସିର ସହ ଯିହୋବାଙ୍କର ସେବା କରିବା ।

୧୬. ପୂର୍ବେ ଆମେ ଯେଉଁ ଭୁଲଗୁଡ଼ିକ କରିଥିଲୁ, ସେଗୁଡ଼ିକୁ ସବୁବେଳେ ମନେ ପକାଇବା କାହିଁକି ବିପଦଜନକ ହୋଇପାରେ ? ଉଦାହରଣ ଦେଇ ବୁଝାନ୍ତୁ । (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୬ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଗାଡ଼ି ଚଳାଇଲା ବେଳେ ଯଦି ଜଣେ ବ୍ୟକ୍ତି ସାମନାକୁ ଦେଖିବା ପରିବର୍ତ୍ତେ ସବୁବେଳେ ଦର୍ପଣରେ ପଛକୁ ଦେଖେ, ତାହେଲେ ତାʼ ସହିତ କʼଣ ହୋଇପାରେ ? ତାʼ ସହିତ ଦୁର୍ଘଟଣା ଘଟିପାରେ । ବେଳେବେଳେ ପଛକୁ ଦେଖିବା ଠିକ୍‌ ଅଟେ, କିନ୍ତୁ ସବୁବେଳେ ଏପରି କରିବା ବିପଦଜନକ ହୋଇପାରେ । ଠିକ୍‌ ସେହିଭଳି, ବେଳେବେଳେ ନିଜ ଭୁଲଗୁଡ଼ିକ ବିଷୟରେ ଭାବିବା ଠିକ୍‌ ଅଟେ, କାରଣ ଏପରି ଭାବିବା ଯୋଗୁଁ ଆମେ ସେହି ଭୁଲଗୁଡ଼ିକୁ ପୁଣିଥରେ କରିବାରୁ ଦୂରେଇ ରହିପାରିବା । କିନ୍ତୁ ଯଦି ଆମେ ସାରା ଦିନ ନିଜ ଭୁଲଗୁଡ଼ିକ ବିଷୟରେ ଭାବି ନିଜକୁ ଦୋଷୀ ମନେ କରୁ, ତାହେଲେ ଆଜି ଆମେ ଯିହୋବାଙ୍କ ସେବାରେ ଯାହା କରିପାରୁଛୁ ଆମେ ତାହା ବି କରିପାରିବାନି । ସେଥିପାଇଁ ଆଗକୁ ଦେଖିବା ଭଲ ରହିବ, ଅର୍ଥାତ୍‌ ଆମେ ନୂଆ ଦୁନିଆ ଉପରେ ଧ୍ୟାନ ଲଗାଇ ରଖିବା ଯେଉଁଠି ଖରାପ ସ୍ମୃତିଗୁଡ଼ିକ ଆମକୁ ପୁଣି କେବେ ବି ମନେ ପଡ଼ିବ ନାହିଁ ।—ଯିଶା. ୬୫:୧୭; ହିତୋ. ୪:୨୫.

ଜଣେ ବ୍ୟକ୍ତି ଗାଡ଼ି ଚଳାଉଥିବା ସମୟରେ ଦର୍ପଣରେ ପଛକୁ ଦେଖୁଛନ୍ତି । ସାମନାରେ ଅଙ୍କାବଙ୍କା ରାସ୍ତା ଅଛି ।

ଗାଡ଼ି ଚଳାଇଲା ବେଳେ ଜଣେ ବ୍ୟକ୍ତି ଦର୍ପଣରେ ପଛକୁ ଦେଖିବା ପରିବର୍ତ୍ତେ ସାମନାକୁ ଦେଖେ; ସେହିପରି ଆମେ ନିଜ ଭୁଲଗୁଡ଼ିକ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଆଗାମୀ ଭବିଷ୍ୟତରେ ମିଳିବାକୁ ଯାଉଥିବା ଆଶିଷଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍‌ (ପାରାଗ୍ରାଫ ୧୬)


ଲଗାତାର ନିଜକୁ ଭରସା ଦିଅନ୍ତୁ !

୧୭. ଆମେ କାହିଁକି ନିଜକୁ ଭରସା ଦେବା ଉଚିତ୍‌ ଯେ ଯିହୋବା ଆମକୁ ପ୍ରେମ କରନ୍ତି ଏବଂ କ୍ଷମା କରନ୍ତି ?

୧୭ ଲଗାତାର ନିଜକୁ ଭରସା ଦିଅନ୍ତୁ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ଏବଂ ଆପଣଙ୍କୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି । (୧ ଯୋହ. ୩:୧୯) ଏପରି କରିବା କାହିଁକି ଜରୁରୀ ? କାରଣ ଶୟତାନ ଆମକୁ ଏହି କଥାର ପୂରା ଭରସା ଦେବା ପାଇଁ ଚେଷ୍ଟା କରୁଛି ଯେ ଆମେ ଯିହୋବାଙ୍କ ପ୍ରେମର ଯୋଗ୍ୟ ନୁହେଁ କିମ୍ବା ଆମେ ଏତେ ଗମ୍ଭୀର ପାପ କରିଛୁ ଯେ ଯିହୋବା ଆମକୁ କ୍ଷମା କରିବେ ନାହିଁ । କାରଣ ଯାହା ବି ହୋଇଥାଉ ନା କାହିଁକି, ଶୟତାନ ଏହା ଚାହେଁ ଯେ ଆମେ ଯିହୋବାଙ୍କର ସେବା କରିବା ଛାଡ଼ିଦେଉ । ଆମେ ଜାଣିଛୁ ଯେ ସେ ହାର୍‌ ମାନିବନି, ବରଂ ସେ ଆହୁରି ଚେଷ୍ଟା କରିବ, କାରଣ ସେ ଜାଣିଛି ଯେ ତାʼର ଅତି ଅଳ୍ପ ସମୟ ରହିଯାଇଛି । (ପ୍ରକା. ୧୨:୧୨) କିନ୍ତୁ ଆସନ୍ତୁ ଆମେ ଦୃଢ଼ ନିଷ୍ପତ୍ତି ନେବା ଯେ ଆମେ ଶୟତାନକୁ ଜିତିବା ପାଇଁ ଦେବା ନାହିଁ ।

୧୮. ଆମେ କିପରି ନିଜକୁ ଭରସା ଦେଇପାରିବା ଯେ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି ଏବଂ ଆମକୁ କ୍ଷମା କରିଦେଇଛନ୍ତି ?

୧୮ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି, ନିଜକୁ ଏହି କଥାର ଭରସା ଦେବା ପାଇଁ ପୂର୍ବ ଲେଖାରେ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ମାନନ୍ତୁ । ଯିହୋବା ଆପଣଙ୍କୁ କ୍ଷମା କରିଦେଇଛନ୍ତି, ଏହି କଥାର ନିଜକୁ ଭରସା ଦେବା ପାଇଁ ଭାବନ୍ତୁ ଯେ ଯିହୋବା ନିଜ ବିଷୟରେ କʼଣ କହିଛନ୍ତି । ତାʼ ସହିତ ସେ ବାଇବଲ ଲେଖକମାନଙ୍କ ଜରିଆରେ ଯାହା ଲେଖାଇଛନ୍ତି, ସେହି କଥାଗୁଡ଼ିକ ଉପରେ ଚିନ୍ତନ କରନ୍ତୁ । ଏହା କେବେ ବି ଭୁଲନ୍ତୁ ନାହିଁ ଯେ ଯିହୋବା ଭଲଭାବେ ଜାଣନ୍ତି ଯେ ଆମେ ଅପରିପୂର୍ଣ୍ଣ ଏବଂ ଆମଦ୍ୱାରା ଭୁଲଗୁଡ଼ିକ ହୋଇଯାଏ । ସେଥିପାଇଁ ସେ ଆମ ଉପରେ ଦୟା ଦେଖାନ୍ତି । ମନେ ରଖନ୍ତୁ, ଯିହୋବା ଆମ ପାପଗୁଡ଼ିକୁ ପୂରାପୂରି କ୍ଷମା କରିଦିଅନ୍ତି । ଯଦି ଆପଣ ଏପରି କରିବେ, ତାହେଲେ ଆପଣ ମଧ୍ୟ ଦାଉଦଙ୍କ ଭଳି ପୂରା ଭରସାର ସହିତ କହିପାରିବେ, “ଧନ୍ୟବାଦ ଯିହୋବା, ‘ତୁମ୍ଭେ ମୋହର ପାପଘଟିତ ଅଧର୍ମ କ୍ଷମା କଲ ।’”—ଗୀତ. ୩୨:୫.

ଆପଣ କʼଣ ଉତ୍ତର ଦେବେ ?

  • ଏହା ଭରସା କରିବା କାହିଁକି ଜରୁରୀ ଯେ ଯିହୋବା ଆମମାନଙ୍କୁ କ୍ଷମା କରିଦେଇଛନ୍ତି ?

  • ଆମେ ନିଜକୁ କିପରି ଭରସା ଦେଇପାରିବା ଯେ ଯିହୋବା ଆମମାନଙ୍କୁ କ୍ଷମା କରିଦେଇଛନ୍ତି ?

  • ଆମେ କାହିଁକି ଲଗାତାର ନିଜକୁ ଭରସା ଦେବା ଉଚିତ୍‌ ଯେ ଯିହୋବା ଆମମାନଙ୍କୁ କ୍ଷମା କରିଦେଇଛନ୍ତି ?

ଗୀତ ୧ ଯିହୋବାଙ୍କ ଗୁଣ

a ଅକ୍ଟୋବର-ଡିସେମ୍ବର ୨୦୦୯ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା, “ପରମେଶ୍ୱର କେ କରିବ୍‌ ଆଇଏ—ଜବ୍‌ ପରମେଶ୍ୱର ନେ ଅପନେ ବାରେ ମେ ବତାୟା” ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ