ଅଧ୍ୟୟନ ଲେଖା ୧୨
ଗୀତ ୧୧୯ ଅଛି ଆମ ପ୍ରକୃତ ବିଶ୍ୱାସ
ବିଶ୍ୱାସରେ ଜୀବନ ଯାପନ କରନ୍ତୁ
“ଆମ୍ଭେମାନେ ଦୃଶ୍ୟ ବିଷୟ ଦେଇ ଜୀବନ ଯାପନ ନ କରି ବିଶ୍ୱାସରେ ଜୀବନ ଯାପନ କରୁଅଛୁ ।”—୨ କରି. ୫:୭.
କʼଣ ଶିଖିବା ?
କୌଣସି ଜରୁରୀ ବିଷୟରେ ନିଷ୍ପତ୍ତି ନେବା ସମୟରେ ଆମେ କିପରି ବିଶ୍ୱାସରେ ଜୀବନ ଯାପନ କରିପାରିବା ?
୧. ପାଉଲ କାହିଁକି ନିଜ ଜୀବନରୁ ଖୁସି ଥିଲେ ?
ଖୁବ୍ ଶୀଘ୍ର ପ୍ରେରିତ ପାଉଲଙ୍କୁ ମାରିଦିଆଯିବ । କିନ୍ତୁ ସେ ଖୁସି ଅଛନ୍ତି, କାରଣ ସେ ଭଲ ଜୀବନ ଯାପନ କରିଛନ୍ତି । ସେ କହନ୍ତି, ‘ମୁଁ ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି ।’ (୨ ତୀମ. ୪:୬-୮) ପାଉଲ ଯିହୋବାଙ୍କ ସେବା କରିବାର ଭଲ ନିଷ୍ପତ୍ତି ନେଇଥିଲେ । ତାଙ୍କୁ ପୂରା ଭରସା ଥିଲା ଯେ ଯିହୋବା ତାଙ୍କର ଏହି ନିଷ୍ପତ୍ତିରୁ ବହୁତ ଖୁସି ଅଛନ୍ତି । ଆମେମାନେ ମଧ୍ୟ ଭଲ ନିଷ୍ପତ୍ତି ନେବା ପାଇଁ ଚାହୁଁ, ଏପରି ନିଷ୍ପତ୍ତି ଯେଉଁଥିରୁ ଯିହୋବା ଖୁସି ହେବେ । କିନ୍ତୁ ଆମେ ଭଲ ନିଷ୍ପତ୍ତି କିପରି ନେଇପାରିବା ?
୨. ବିଶ୍ୱାସରେ ଜୀବନ ଯାପନ କରିବାର ଅର୍ଥ କʼଣ ?
୨ ପାଉଲ ନିଜ ଓ ଅନ୍ୟ ବିଶ୍ୱସ୍ତ ଖ୍ରୀଷ୍ଟିୟାନମାନଙ୍କ ବିଷୟରେ କହିଲେ, “ଆମ୍ଭେମାନେ ଦୃଶ୍ୟ ବିଷୟ ଦେଇ ଜୀବନ ଯାପନ ନ କରି ବିଶ୍ୱାସରେ ଜୀବନ ଯାପନ କରୁଅଛୁ ।” (୨ କରି. ୫:୭) ପାଉଲ ଯାହା କହିଲେ ତାହାର ଅର୍ଥ କʼଣ ଥିଲା ? ବାଇବଲର ଅନେକ ଜାଗାରେ “ଜୀବନ ଯାପନ” ଶବ୍ଦ ବ୍ୟବହାର କରାଯାଇଛି, ତାହାର ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତି କିପରି ନିଜର ଜୀବନ ବିତାଏ । ଦୃଶ୍ୟ ବିଷୟ ଦେଇ ଜୀବନ ଯାପନ କରୁଥିବା ବ୍ୟକ୍ତି ନିଜ ଉପରେ ନିର୍ଭର ରହେ, ଅର୍ଥାତ୍ ସେ ଯାହା ଦେଖେ, ଯାହା ଶୁଣେ ଓ ତାକୁ ଯାହା ଠିକ୍ ଲାଗେ, ସେହି ଅନୁସାରେ ନିଷ୍ପତ୍ତି ନିଏ । କିନ୍ତୁ ବିଶ୍ୱାସରେ ଜୀବନ ଯାପନ କରୁଥିବା ବ୍ୟକ୍ତି ଯିହୋବାଙ୍କ ଉପରେ ଭରସା ରଖେ । ସେ କୌଣସି ନିଷ୍ପତ୍ତି ନେବା ସମୟରେ ଧ୍ୟାନ ଦିଏ ଯେ ସେହି ବିଷୟରେ ଯିହୋବା କʼଣ ଭାବନ୍ତି । ତାକୁ ପୂରା ଭରସା ଥାଏ ଯେ ବାଇବଲରେ ଯିହୋବା ଯାହା ବି କହିଛନ୍ତି ତାହାକୁ ମାନିଲେ ତାକୁ ଲାଭ ହେବ ଏବଂ ଆଗକୁ ଯାଇ ଯିହୋବା ତାକୁ ପୁରସ୍କାର ବି ଦେବେ ।—ଗୀତ. ୧୧୯:୬୬; ଏବ୍ରୀ. ୧୧:୬.
୩. ଯଦି ଆମେ ବିଶ୍ୱାସରେ ଜୀବନ ଯାପନ କରୁ, ତାହେଲେ ଆମକୁ କʼଣ ଲାଭ ହେବ ? (୨ କରିନ୍ଥୀୟ ୪:୧୮)
୩ ଏହା ସତ ଯେ ଆମେ ଅନେକ ଥର ଯାହା ଦେଖୁ, ଶୁଣୁ ବା ଆମକୁ ଯାହା ଠିକ୍ ଲାଗେ, ସେହି ଅନୁସାରେ ନିଷ୍ପତ୍ତି ନେଇ ଥାଉ । କିନ୍ତୁ ଯଦି ଆମେ ନିଜ ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ କେବଳ ଏହି କଥାକୁ ଧ୍ୟାନରେ ରଖି ନେବା, ତାହେଲେ ଆମେ ସମସ୍ୟାରେ ପଡ଼ିପାରୁ । କାରଣ ଆମେ ଯାହା ଦେଖୁ ଓ ଶୁଣୁ ତାହା ସବୁବେଳେ ଠିକ୍ ହୋଇ ନ ପାରେ । ଯଦି ଆମକୁ ଲାଗୁଥିବ ଯେ ଆମେ ଠିକ୍ ନିଷ୍ପତ୍ତି ନେଇଛୁ, ତେବେ ବି ଆମକୁ କେବଳ ଦୃଶ୍ୟ ବିଷୟ ଦେଇ ଜୀବନ ଯାପନ କରିବା ଉଚିତ୍ ନୁହେଁ । କାରଣ ଏପରି କଲେ ଆମେ କିଛି ଏପରି କାମ କରିପାରୁ ଯାହା ଯିହୋବାଙ୍କ ଦୃଷ୍ଟିରେ ଭୁଲ । (ଉପ. ୧୧:୯; ମାଥି ୨୪:୩୭-୩୯) କିନ୍ତୁ ଯଦି ଆମେ ବିଶ୍ୱାସରେ ଜୀବନ ଯାପନ କରୁ, ତାହେଲେ ଆମେ ଏପରି ନିଷ୍ପତ୍ତି ନେଇପାରୁ ଯାହା ‘ପ୍ରଭୁଙ୍କର ଦୃଷ୍ଟିରେ ସନ୍ତୋଷଜନକ ।’ (ଏଫି. ୫:୧୦) ଈଶ୍ୱରଙ୍କ ପରାମର୍ଶ ମାନିଲେ ଆମକୁ ମନର ଶାନ୍ତି ମିଳେ ଏବଂ ଆମେ ଖୁସିରେ ରହିପାରୁ । (ଗୀତ. ୧୬:୮, ୯; ଯିଶା. ୪୮:୧୭, ୧୮) ତାʼସହ ଯଦି ଆମେ ବିଶ୍ୱାସରେ ଜୀବନ ଯାପନ କରିବା ଜାରି ରଖିବା, ତାହେଲେ ଆଗକୁ ଯାଇ ଯିହୋବା ଆମକୁ ଅନନ୍ତ ଜୀବନ ବି ଦେବେ ।—୨ କରିନ୍ଥୀୟ ୪:୧୮ ପଢ଼ନ୍ତୁ ।
୪. ଜଣେ ବ୍ୟକ୍ତି କିପରି ଜାଣିପାରିବ ଯେ ସେ ବିଶ୍ୱାସରେ ଜୀବନ ଯାପନ କରୁଛି ନା ଦୃଶ୍ୟ ବିଷୟ ଦେଇ ଜୀବନ ଯାପନ କରୁଛି ?
୪ ଆମେ କିପରି ଜାଣିପାରିବା ଯେ ଆମେ ବିଶ୍ୱାସରେ ଜୀବନ ଯାପନ କରୁଛୁ ନା ଦୃଶ୍ୟ ବିଷୟ ଦେଇ ଜୀବନ ଯାପନ କରୁଛୁ ? ଏହା ଜାଣିବା ପାଇଁ ନିଜକୁ ପଚାରନ୍ତୁ, ‘ମୁଁ କେଉଁ ବିଷୟକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଏ ? କʼଣ ମୁଁ କେବଳ ସେହି କଥାଗୁଡ଼ିକୁ ଧ୍ୟାନରେ ରଖେ ଯାହା ମୋତେ ଦେଖାଯାଏ ? କିମ୍ବା ମୁଁ ଯିହୋବାଙ୍କ ଉପରେ ଭରସା ରଖେ ଓ ତାଙ୍କ ପରାମର୍ଶ ମାନେ ?’ ଏବେ ଆସନ୍ତୁ ଆମେ ତିନୋଟି ପରିସ୍ଥିତି ଉପରେ ଧ୍ୟାନ ଦେବା ଏବଂ ଦେଖିବା ଯେ ଆମେ କିପରି ବିଶ୍ୱାସରେ ଜୀବନ ଯାପନ କରିପାରିବା: (୧) ଯେବେ ଆମେ କୌଣସି ଚାକିରି ଖୋଜୁ, (୨) ଯେବେ ଆମେ ଜୀବନ ସାଥୀ ବାଛୁ ଓ (୩) ଯେବେ ଆମକୁ ସଂଗଠନ ତରଫରୁ କୌଣସି ନିର୍ଦ୍ଦେଶ ମିଳେ । ପ୍ରତ୍ୟେକ ପରିସ୍ଥିତି ବିଷୟରେ ଆଲୋଚନା କରିବା ସମୟରେ ଆମେ ଜାଣିବା ଯେ ଭଲ ନିଷ୍ପତ୍ତି ନେବା ପାଇଁ ଆମକୁ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍ ।
ଯେବେ ଆମେ କୌଣସି ଚାକିରି ଖୋଜୁ
୫. କୌଣସି ଚାକିରି କରିବା ପୂର୍ବରୁ ଆମକୁ କେଉଁ କଥାଗୁଡ଼ିକୁ ଧ୍ୟାନ ଦେବା ଉଚିତ୍ ?
୫ ଆମେ ସମସ୍ତେ ନିଜର ଓ ନିଜ ପରିବାରର ଆବଶ୍ୟକତା ପୂରା କରିବା ପାଇଁ ଚାହୁଁ । (ଉପ. ୭:୧୨; ୧ ତୀମ. ୫:୮) କିଛି ଚାକିରିରେ ଜଣେ ବ୍ୟକ୍ତିକୁ ଅଧିକ ପଇସା ମିଳେ, ଯାହାଫଳରେ ଜଣେ ବ୍ୟକ୍ତି ନିଜର ଦୈନନ୍ଦିନର ଆବଶ୍ୟକତା ପୂରା କରିପାରେ ଓ କିଛି ପଇସା ସଞ୍ଚୟ କରିପାରେ । କିନ୍ତୁ କିଛି ଚାକିରିରେ ଆମକୁ ଅଧିକ ପଇସା ମିଳେ ନାହିଁ ଆଉ ଯେତେ ପଇସା ମିଳେ, ସେତିକିରେ ଜଣେ ବ୍ୟକ୍ତି କେବଳ ନିଜ ପରିବାରର ଆବଶ୍ୟକତା ପୂରା କରିପାରିବ । କୌଣସି ଚାକିରି କରିବା ପୂର୍ବରୁ ଆମେ ଏହା ଦେଖୁ ଯେ ଆମକୁ କେତେ ପଇସା ମିଳିବ । କିନ୍ତୁ ଯଦି ଆମେ କେବଳ ଏହା ହିଁ ଦେଖିକି ଚାକିରି କରିବା, ତାହେଲେ ଆମେ ହୁଏତ ଦୃଶ୍ୟ ବିଷୟକୁ ଧ୍ୟାନରେ ରଖି ନିଷ୍ପତ୍ତି ନେଉଥିବା ।
୬. କୌଣସି ଚାକିରି କରିବା ପୂର୍ବରୁ ଆମେ କିପରି ଦେଖାଇପାରିବା ଯେ ଆମେ ବିଶ୍ୱାସରେ ଜୀବନ ଯାପନ କରୁଛୁ ? (ଏବ୍ରୀ ୧୩:୫)
୬ ବିଶ୍ୱାସରେ ଜୀବନ ଯାପନ କରୁଥିବା ବ୍ୟକ୍ତି କୌଣସି ଚାକିରି କରିବା ପୂର୍ବରୁ ଏହା ବି ଭାବିବ ଯେ ଏହା କଲେ ଯିହୋବାଙ୍କ ସହିତ ତାʼ ସମ୍ପର୍କ ଉପରେ କʼଣ ପ୍ରଭାବ ପଡ଼ିବ । ସେ ନିଜକୁ ପଚାରିବ, ‘ଯଦି ମୁଁ ଏହି ଚାକିରି କରିବି, ତାହେଲେ କʼଣ ମୋତେ ଏପରି କାମ କରିବାକୁ ପଡ଼ିବ ଯାହା ଯିହୋବା ଘୃଣା କରନ୍ତି ?’ (ହିତୋ. ୬:୧୬-୧୯) ‘କʼଣ ମୁଁ ପ୍ରତି ସଭାକୁ ଯାଇପାରିବି ? କʼଣ ମୋତେ ବାଇବଲ ପଢ଼ିବା ଓ ପ୍ରଚାର କରିବା ପାଇଁ ସମୟ ମିଳିବ ? କʼଣ ମୋତେ ଲମ୍ବା ସମୟ ପାଇଁ ନିଜ ପରିବାରଠାରୁ ଦୂରରେ ରହିବାକୁ ପଡ଼ିବ ?’ (ଫିଲିପ୍ ୧:୧୦) ଯଦି ସେହି ବ୍ୟକ୍ତି ଏହି ପ୍ରଶ୍ନଗୁଡ଼ିକର ଉତ୍ତର “ହଁ” ବୋଲି କହେ, ତାହେଲେ ଅନ୍ୟ ଚାକିରି ମିଳିବା ଯେତେ ବି କଷ୍ଟ ହେଉ ନା କାହିଁକି ସେ ଏହି ଚାକିରି କରିବନି । ଯଦି ଆମେ ବିଶ୍ୱାସରେ ଜୀବନ ଯାପନ କରୁ, ତାହେଲେ ଆମ ନିଷ୍ପତ୍ତିରୁ ଜଣାପଡ଼ିବ ଯେ ଆମେ ଯିହୋବାଙ୍କ ଉପରେ ପୂରା ଭରସା କରୁ । ଆଉ ଆମକୁ ବିଶ୍ୱାସ ଅଛି ଯେ ଯିହୋବା ଯେକୌଣସି ଉପାୟରେ ବି ଆମର ଆବଶ୍ୟକତାଗୁଡ଼ିକୁ ପୂରା କରିବେ ।—ମାଥି. ୬:୩୩; ଏବ୍ରୀ ୧୩:୫ ପଢ଼ନ୍ତୁ ।
୭-୮. ହାୱିଏର କିପରି ଦେଖାଇଲେ ଯେ ସେ ବିଶ୍ୱାସରେ ଜୀବନ ଯାପନ କରନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୭ ଦକ୍ଷିଣ ଆମେରିକାରେ ରହୁଥିବା ଭାଇ ହାୱିଏରଙ୍କa ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ତାଙ୍କୁ ଜଣାଥିଲା ଯେ ବିଶ୍ୱାସରେ ଜୀବନ ଯାପନ କରିବା ଉଚିତ୍ । ସେ କହନ୍ତି, “ମୁଁ ନିଜ କମ୍ପାନୀରେ ଗୋଟିଏ ଏପରି ଚାକିରି ପାଇଁ ଆବେଦନ କରିଥିଲି, ଯାହା ମୋତେ ବହୁତ ପସନ୍ଦ ଥିଲା ଏବଂ ସେଥିରେ ମୋତେ ଦୁଇଗୁଣ ଅଧିକ ଦରମା ମିଳନ୍ତା ।” କିନ୍ତୁ ମୋତେ ଅଗ୍ରଦୂତ ସେବା କରିବା ପାଇଁ ବି ବହୁତ ଇଚ୍ଛା ଥିଲା । ସେ କହନ୍ତି, “କମ୍ପାନୀର ମ୍ୟାନେଜରଙ୍କ ସହିତ ମୋର ଇଣ୍ଟରଭ୍ୟୁ ଥିଲା । ଇଣ୍ଟରଭ୍ୟୁ ପୂର୍ବରୁ ମୁଁ ଯିହୋବାଙ୍କୁ ପ୍ରାର୍ଥନା କଲି । ମୋତେ ପୂରା ଭରସା ଥିଲା ଯେ ସେ ଜାଣନ୍ତି ଯେ ମୋ ପାଇଁ ଭଲ କʼଣ । ଏହା ସତ ଯେ ମୁଁ ଏହି ଚାକିରି କରିବା ପାଇଁ ଚାହୁଁଥିଲି, କିନ୍ତୁ ଏହା ଯୋଗୁଁ ଯଦି ମୁଁ ଯିହୋବାଙ୍କ ସେବାରେ ଅଧିକ କରିପାରନ୍ତି ନାହିଁ, ତାହେଲେ ମୋତେ ଏପରି ଚାକିରି ଦରକାର ନ ଥିଲା ।”
୮ ହାୱିଏର କହନ୍ତି, “ଇଣ୍ଟରଭ୍ୟୁ ବେଳେ ମ୍ୟାନେଜର କହିଲେ ଯେ ମୋତେ ପ୍ରାୟ ଅଧିକ ସମୟ କାମ କରିବାକୁ ପଡ଼ିବ । କିନ୍ତୁ ମୁଁ ପ୍ରେମର ସହିତ ତାଙ୍କୁ କହିଲି ଯେ ମୋତେ ପ୍ରଚାରରେ ଯିବାକୁ ପଡ଼େ, ତେଣୁ ମୁଁ ଅଧିକ ସମୟ କାମ କରିପାରିବି ନାହିଁ ।” ହାୱିଏର ଏହି ଚାକିରି କଲେ ନାହିଁ । ଏହାର ଦୁଇ ସପ୍ତାହ ପରେ ସେ ଅଗ୍ରଦୂତ ସେବା କରିବା ଆରମ୍ଭ କରିଦେଲେ । କିଛି ମାସ ପରେ ତାଙ୍କୁ ଗୋଟିଏ ପାର୍ଟ ଟାଇମ୍ ଚାକିରି ମିଳିଲା । ସେ କହନ୍ତି, “ଯିହୋବା ମୋର ପ୍ରାର୍ଥନା ଶୁଣିଲେ ଏବଂ ମୋତେ ଏପରି ଚାକିରି ଖୋଜିବା ପାଇଁ ସାହାଯ୍ୟ କଲେ, ଯାହାଯୋଗୁଁ ମୁଁ ଅଗ୍ରଦୂତ ସେବା କରିବା ଜାରି ରଖିପାରିଲି । ମୁଁ ଏହି କଥା ପାଇଁ ଖୁସି ଯେ ମୁଁ ସଠିକ୍ ନିଷ୍ପତ୍ତି ନେଲି । ଏବେ ମୁଁ ଯିହୋବା ଓ ଭାଇଭଉଣୀମାନଙ୍କୁ ଅଧିକ ସମୟ ଦେଇପାରୁଛି ।”
ଯଦି ଆପଣଙ୍କୁ ନିଜ କାମ ଜାଗାରେ ଉଚ୍ଚ ପଦ ମିଳୁଛି, ତାହେଲେ ଆପଣ କʼଣ କରିବେ ? କʼଣ ଆପଣଙ୍କ ନିଷ୍ପତ୍ତିରୁ ଜଣାପଡ଼ିବ ଯେ ଆପଣଙ୍କୁ ଯିହୋବାଙ୍କ ଉପରେ ଭରସା ଅଛି ? (ପାରାଗ୍ରାଫ ୭-୮)
୯. ଆପଣ ଟ୍ରେଜୋରଙ୍କ ଅନୁଭୂତିରୁ କʼଣ ଶିଖିଲେ ?
୯ ଯଦି ଆପଣ ବର୍ତ୍ତମାନ ଏପରି କୌଣସି ଚାକିରି କରୁଛନ୍ତି ଯାହାଯୋଗୁଁ ଆପଣଙ୍କୁ ବିଶ୍ୱାସରେ ଜୀବନ ଯାପନ କରିବା କଷ୍ଟ ହେଉଛି, ତାହେଲେ ଆପଣ କʼଣ କରିପାରିବେ ? ଏବିଷୟରେ କଙ୍ଗୋରେ ରହୁଥିବା ଟ୍ରେଜୋରଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ କହନ୍ତି, “ମୁଁ ଗୋଟିଏ ଏପରି ଚାକିରି କରୁଥିଲି ଯାହା ସମସ୍ତ ଲୋକ ପାଇବା ପାଇଁ ଚାହାନ୍ତି । ସେଠାରେ ମୋତେ ତିନିଗୁଣ ଅଧିକ ଦରମା ମିଳୁଥିଲା ଓ ସମସ୍ତେ ମୋର ମାନସମ୍ମାନ କରୁଥିଲେ ।” କିନ୍ତୁ ତାଙ୍କୁ ପ୍ରାୟ ଅଧିକ ସମୟ କାମ କରିବାକୁ ପଡ଼ୁଥିଲା, ତେଣୁ ସେ ଅନେକ ଥର ସଭାକୁ ଯାଇପାରୁ ନ ଥିଲେ । ତାଙ୍କ କାମ ଜାଗାରେ ଯେଉଁ ହେରଫେର ହେଉଥିଲା ସେଗୁଡ଼ିକୁ ଲୁଚାଇବା ପାଇଁ ତାଙ୍କ ସହିତ କାମ କରୁଥିବା ଲୋକମାନେ ତାଙ୍କୁ ମିଛ କହିବା ପାଇଁ ବି କହୁଥିଲେ । ସେ ଏହି ଚାକିରି ଛାଡ଼ିବା ପାଇଁ ଚାହୁଁଥିଲେ, କିନ୍ତୁ ତାଙ୍କୁ ଚିନ୍ତା ହେଉଥିଲା ଯେ ତାଙ୍କୁ ଅନ୍ୟ ଚାକିରି ମିଳିବନି । ତଥାପି ସେ କିପରି ସଠିକ୍ ନିଷ୍ପତ୍ତି ନେଲେ ? ସେ କହନ୍ତି, “ମୁଁ ହବକ୍କୂକ ୩:୧୭-୧୯ ପଦରୁ ବୁଝିପାରିଲି ଯେ ମୋତେ କମ୍ ପଇସାରେ ବି ଚଳିବା ପାଇଁ ପଡ଼ୁ ନା କାହିଁକି, ଯିହୋବା ମୋତେ ସାହାଯ୍ୟ କରିବେ । ସେଥିପାଇଁ ମୁଁ ଏହି ଚାକିରି ଛାଡ଼ିଦେଲି ।” ସେ ଏହା ବି କହିଲେ, “ଅନେକ ମାଲିକଙ୍କୁ ଲାଗେ ଯେ ଯଦି କାହାରିକୁ ଅଧିକ ଦରମା ଦିଆଯାଏ ତାହେଲେ ସେ ସବୁକିଛି ଛାଡ଼ିବା ପାଇଁ ରାଜି ହୋଇଯିବ । ସେ ନିଜ ପରିବାର ଓ ଈଶ୍ୱରଙ୍କ ସେବା କରିବା ବି ଛାଡ଼ିଦେବ । କିନ୍ତୁ ମୁଁ ବହୁତ ଖୁସି ଯେ ମୁଁ ଏପରି କଲିନି । ବର୍ଷେ ପରେ ଯିହୋବାଙ୍କ ସାହାଯ୍ୟରୁ ମୋତେ ଏପରି ଚାକିରି ମିଳିପାରିଲା, ଯାହାଯୋଗୁଁ ମୁଁ ଆରାମରେ ଚଳିପାରିଲି ଏବଂ ଯିହୋବାଙ୍କ ସେବାରେ ଅଧିକ ସମୟ ଦେଇପାରିଲି । ଯେବେ ଆମେ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଉ, ତେବେ ହୁଏତ ଆମକୁ କିଛି ସମୟ ପାଇଁ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡ଼ିବ, କିନ୍ତୁ ଯିହୋବା ଆମର ଯତ୍ନ ନେବେ ।” ସତରେ, ଯଦି ଆମେ ବି ଯିହୋବାଙ୍କ ପରାମର୍ଶ ମାନିବା ଓ ତାଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ଭରସା ରଖିବା, ତାହେଲେ ଆମେ ବିଶ୍ୱାସରେ ଜୀବନ ଯାପନ କରିପାରିବା ଏବଂ ସେ ଆମକୁ ଅନେକ ଆଶିଷ ଦେବେ ।
ଯେବେ ଆମେ ଜୀବନସାଥୀ ବାଛୁ
୧୦. ଜୀବନସାଥୀ ବାଛିବା ସମୟରେ ଆମେ କିପରି ଦେଖାଇପାରିବା ଯେ ଆମେ ଦୃଶ୍ୟ ବିଷୟକୁ ମହତ୍ତ୍ୱ ଦେଉ ନାହୁଁ ?
୧୦ ବିବାହ ଯିହୋବାଙ୍କ ତରଫରୁ ଗୋଟିଏ ଉପହାର । ଜଣେ ପୁଅଝିଅ ବାହା ହେବା ସାଧାରଣ କଥା । ଭାବନ୍ତୁ, ଜଣେ ଭଉଣୀ ବିବାହ କରିବା ପାଇଁ ଭାବୁଛି । ସେ ହୁଏତ ଦେଖିବ ଯେ ପୁଅର ସ୍ୱଭାବ କିପରି, ସେ କିପରି ଦେଖାଯାଏ, ଲୋକମାନେ ତାʼ ବିଷୟରେ କʼଣ କହନ୍ତି, ଟଙ୍କା ବିଷୟରେ ତାʼର ଦୃଷ୍ଟିକୋଣ କିପରି କିମ୍ବା ପରିବାରରେ ତାʼର କʼଣ ଦାୟିତ୍ୱ ରହିଛି । ସେ ହୁଏତ ଏହା ବି ଭାବିବ ଯେ ତାʼସହ ଥିବା ସମୟରେ ତାକୁ କିପରି ଲାଗେ ।b ଏହା ସତ ଯେ ଏହି କଥା ଉପରେ ଧ୍ୟାନ ଦେବା ଜରୁରୀ । କିନ୍ତୁ ଯଦି ସେ କେବଳ ଏହି କଥାଗୁଡ଼ିକୁ ଧ୍ୟାନ ଦେଇ ନିଷ୍ପତ୍ତି ନେବ, ତେବେ ସେ ହୁଏତ ଦୃଶ୍ୟ ବିଷୟକୁ ମହତ୍ତ୍ୱ ଦେଉଥିବ ।
୧୧. ଜୀବନସାଥୀ ବାଛିବା ସମୟରେ ଆମେ କିପରି ଦେଖାଇପାରିବା ଯେ ଆମେ ବିଶ୍ୱାସରେ ଜୀବନ ଯାପନ କରୁଛୁ ? (୧ କରିନ୍ଥୀୟ ୭:୩୯)
୧୧ ଈଶ୍ୱରଙ୍କ ଯେଉଁ ସେବକମାନେ ବିଶ୍ୱାସରେ ଜୀବନ ଯାପନ କରନ୍ତି, ସେମାନେ ଜୀବନସାଥୀ ବାଛିବା ସମୟରେ ବାଇବଲର ପରାମର୍ଶକୁ ଧ୍ୟାନ ଦିଅନ୍ତି । ଯେପରି, ସେମାନେ “ଯୌବନ ଅବସ୍ଥାର ଆରମ୍ଭ ସମୟ” ପାର କରିବା ପରେ ହିଁ ବିବାହ ଉଦ୍ଦେଶ୍ୟରେ କାହାରି ସହ ସାକ୍ଷାତ (ଡେଟିଙ୍ଗ୍) କରନ୍ତି । (୧ କରି. ୭:୩୬, NWT) ସେମାନେ ଏହି କଥାକୁ ବି ଧ୍ୟାନ ଦିଅନ୍ତି ଯେ ସେମାନେ ଯାହାକୁ ବିବାହ କରିବା ପାଇଁ ଭାବୁଛନ୍ତି, ତାଙ୍କଠାରେ ସେହି ଗୁଣ ରହିବା ଉଚିତ୍ ଯାହା ଯିହୋବାଙ୍କ ଦୃଷ୍ଟିରେ ଜଣେ ଭଲ ସ୍ୱାମୀ କିମ୍ବା ଭଲ ସ୍ତ୍ରୀଙ୍କଠାରେ ଥିବା ଉଚିତ୍ । (ହିତୋ. ୩୧:୧୦-୧୩, ୨୬-୨୮; ଏଫି. ୫:୩୩; ୧ ତୀମ. ୫:୮) ଯଦି ତାଙ୍କୁ କୌଣସି ଏପରି ବ୍ୟକ୍ତି ପସନ୍ଦ କରେ ଯିଏ ଯିହୋବାଙ୍କ ସାକ୍ଷୀ ନୁହେଁ, ତେବେ ସେମାନଙ୍କୁ ୧ କରିନ୍ଥୀୟ ୭:୩୯ ପଦରେ ଦିଆଯାଇଥିବା ପରାମର୍ଶକୁ ମାନି କେବଳ “ପ୍ରଭୁଙ୍କଠାରେ” ବିବାହ କରିବା ଉଚିତ୍ । (ପଢ଼ନ୍ତୁ ।) ସେମାନେ ଏହା ଏଥିପାଇଁ କରନ୍ତି, କାରଣ ତାଙ୍କୁ ପୂରା ଭରସା ଅଛି ଯେ ଯିହୋବା ତାଙ୍କ ସାଙ୍ଗରେ ଅଛନ୍ତି ଓ ସେ ପ୍ରତି ମୁହୂର୍ତ୍ତରେ ତାଙ୍କୁ ସମ୍ଭାଳିବେ । (ଗୀତ. ୫୫:୨୨) ଯେବେ ଯିହୋବା ନିଜର ଏହି ସେବକମାନଙ୍କୁ ଦେଖୁଥିବେ, ତେବେ ସତରେ ତାଙ୍କୁ କେତେ ଖୁସି ଲାଗୁଥିବ !
୧୨. ଆପଣ ରୋସାଙ୍କ ଅନୁଭୂତିରୁ କʼଣ ଶିଖିଲେ ?
୧୨ ରୋସାଙ୍କ ଅନୁଭୂତି ପ୍ରତି ଧ୍ୟାନ ଦିଅନ୍ତୁ ଯିଏ କଲମ୍ବିଆରେ ଅଗ୍ରଦୂତ ସେବା କରୁଛନ୍ତି । ସେ ଯେଉଁଠାରେ କାମ କରୁଥିଲେ ସେଠାର ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ସାକ୍ଷାତ ହେଲା ଯିଏ ତାଙ୍କୁ ପସନ୍ଦ କରିବାକୁ ଲାଗିଲେ ଓ ସେ ଭଉଣୀ ବି ତାଙ୍କୁ ପସନ୍ଦ କରିବାକୁ ଲାଗିଲେ । ଭଉଣୀ କହନ୍ତି, “ସେ ଭଲ ବ୍ୟକ୍ତି ଥିଲେ । ତାଙ୍କର କୌଣସି ଖରାପ ଅଭ୍ୟାସ ନ ଥିଲା, ସେ ଲୋକମାନଙ୍କୁ ସାହାଯ୍ୟ କରୁଥିଲେ ଓ ମୋ ସହ ବହୁତ ଭଲ ବ୍ୟବହାର କରୁଥିଲେ । ମୁଁ ନିଜ ଜୀବନସାଥୀ ଭିତରେ ଯାହା ଦେଖିବା ପାଇଁ ଚାହୁଁଥିଲି, ସେସବୁ ତାଙ୍କଠାରେ ଥିଲା । କିନ୍ତୁ ସେ ଜଣେ ଯିହୋବାଙ୍କ ସାକ୍ଷୀ ନ ଥିଲେ ।” ସେ ଏହା ବି କହନ୍ତି, “ମୁଁ ବି ତାଙ୍କ ସହ ଡେଟିଙ୍ଗ୍ କରିବାକୁ ଚାହୁଁଥିଲି, ସେଥିପାଇଁ ତାଙ୍କୁ ମନା କରିପାରୁ ନ ଥିଲି । ସେହି ସମୟରେ ମୋତେ ଭାରି ଏକୁଟିଆ ଲାଗୁଥିଲା । ମୁଁ ବିବାହ କରିବା ପାଇଁ ଚାହୁଁଥିଲି, କିନ୍ତୁ ମୋତେ ଜଣେ ଭଲ ଭାଇ ମିଳୁ ନ ଥିଲେ ।” ରୋସା କେବଳ ଦୃଶ୍ୟ ବିଷୟକୁ ମହତ୍ତ୍ୱ ଦେଲେ ନାହିଁ । ସେ ଏବିଷୟରେ ଭାବିଲେ ଯେ ସେ ଯେଉଁ ନିଷ୍ପତ୍ତି ନେବେ, ସେଥିରୁ ଯିହୋବାଙ୍କ ସହିତ ତାଙ୍କର ସମ୍ପର୍କ ଉପରେ କʼଣ ପ୍ରଭାବ ପଡ଼ିବ । ରୋସା ସେହି ବ୍ୟକ୍ତି ସହ କଥାବାର୍ତ୍ତା ହେବା ପୂରାପୂରି ବନ୍ଦ କରିଦେଲେ ଓ ଜୋରସୋର୍ରେ ଯିହୋବାଙ୍କ ସେବା କରିବାକୁ ଲାଗିଲେ । ଏହାର କିଛି ସମୟ ପରେ ତାଙ୍କୁ ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ ଡକାଗଲା । ଆଜି ସେ ବିଶେଷ ଅଗ୍ରଦୂତ ସେବା କରୁଛନ୍ତି । ରୋସା କହନ୍ତି, “ଯିହୋବା ମୋ ଜୀବନ ଖୁସିରେ ଭରିଦେଲେ ।” ଯେବେ ଆପଣ କାହାରିକୁ ପସନ୍ଦ କରନ୍ତି ତାହେଲେ ବିଶ୍ୱାସରେ ଜୀବନ ଯାପନ କରିବା ସହଜ ହୋଇ ନ ଥାଏ । କିନ୍ତୁ ଯଦି ଆପଣ ଯିହୋବାଙ୍କ ପରାମର୍ଶ ମାନିବେ ତାହେଲେ ଆପଣଙ୍କୁ ସବୁବେଳେ ଲାଭ ହେବ ।
ଯେବେ ଆମକୁ ସଂଗଠନରୁ କୌଣସି ନିର୍ଦ୍ଦେଶ ମିଳେ
୧୩. ଯେବେ ଆମକୁ ସଂଗଠନ ତରଫରୁ ନିର୍ଦ୍ଦେଶ ମିଳେ, ତେବେ ଆମେ କିପରି ଦୃଶ୍ୟ ବିଷୟଗୁଡ଼ିକୁ ମହତ୍ତ୍ୱ ଦେବାର ଫାନ୍ଦରେ ପଡ଼ିପାରୁ ?
୧୩ ଆମକୁ ପ୍ରାୟ ଯିହୋବାଙ୍କ ସଂଗଠନ ତରଫରୁ ନିର୍ଦ୍ଦେଶ ମିଳେ, ଯେପରି—ପ୍ରାଚୀନମାନଙ୍କଠାରୁ, ସର୍କିଟ ଅଧ୍ୟକ୍ଷଙ୍କଠାରୁ, ଶାଖା କାର୍ଯ୍ୟାଳୟରୁ କିମ୍ବା ପ୍ରଶାସନ ଦଳ ତରଫରୁ । ଏହି ନିର୍ଦ୍ଦେଶଗୁଡ଼ିକୁ ମାନିଲେ ଆମେ ଯିହୋବାଙ୍କ ସେବା ଆହୁରି ଭଲଭାବେ କରିପାରୁ । କିନ୍ତୁ ହୁଏତ ବେଳେବେଳେ ଆମକୁ ବୁଝାପଡ଼ିବନି ଯେ ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ତାହା କାହିଁକି ଦିଆଯାଇଛି । କିମ୍ବା ଆମକୁ ଲାଗିବ ଯେ ଏହି ନିର୍ଦ୍ଦେଶ ମାନିଲେ କ୍ଷତି ହେବ । କିମ୍ବା ହୁଏତ ଆମକୁ ଯେଉଁ ଭାଇମାନେ ନିର୍ଦ୍ଦେଶ ଦେଉଛନ୍ତି ଆମେ ସେମାନଙ୍କର ଦୁର୍ବଳତା ଉପରେ ଧ୍ୟାନ ଦେଉ ।
୧୪. ଯେବେ ଆମକୁ ସଂଗଠନ ତରଫରୁ କୌଣସି ନିର୍ଦ୍ଦେଶ ମିଳେ, ତେବେ ଆମେ କିପରି ବିଶ୍ୱାସରେ ଜୀବନ ଯାପନ କରିପାରିବା ? (ଏବ୍ରୀ ୧୩:୧୭)
୧୪ ଯେବେ ଆମେ ବିଶ୍ୱାସରେ ଜୀବନ ଯାପନ କରୁ, ତେବେ ଆମେ ଭରସା ରଖୁ ଯେ ଯିହୋବା ଏହି ସଂଗଠନକୁ ଚଳାଉଛନ୍ତି ଏବଂ ସେ ଆମର ପରିସ୍ଥିତିକୁ ଭଲଭାବେ ବୁଝନ୍ତି । ତେଣୁ ଯେବେ ଆମକୁ କୌଣସି ନିର୍ଦ୍ଦେଶ ମିଳେ, ତେବେ ଆମେ ତୁରନ୍ତ ଓ ଖୁସିର ସହ ତାହାକୁ ମାନୁ । (ଏବ୍ରୀ ୧୩:୧୭ ପଢ଼ନ୍ତୁ ।) ଆମେ ଏହା ବି ମନେରଖୁ ଯେ ଯଦି ଆମେ ଏପରି କରିବା ତାହେଲେ ମଣ୍ଡଳୀରେ ଏକତା ବଜାୟ ରହିବ । (ଏଫି. ୪:୨, ୩) ଏହା ସତ ଯେ ନେତୃତ୍ୱ ନେଉଥିବା ଭାଇମାନେ ଅପରିପୂର୍ଣ୍ଣ ଅଟନ୍ତି, ତଥାପି ଯଦି ଆମେ ସେମାନଙ୍କର କଥା ଶୁଣିବା ତାହେଲେ ଆମେ ଭରସା ରଖିପାରିବା ଯେ ଯିହୋବା ଆମକୁ ଆଶିଷ ଦେବେ । (୧ ଶାମୁ. ୧୫:୨୨) ଆଉ ଯଦି କିଛି ପରିବର୍ତ୍ତନର ଆବଶ୍ୟକ ପଡ଼େ, ତାହେଲେ ଯିହୋବା ତାହାକୁ ନିଶ୍ଚୟ କରିବେ ।—ମୀଖା ୭:୭.
୧୫-୧୬. ଯେବେ ଜଣେ ଭାଇଙ୍କ ପାଇଁ ନିର୍ଦ୍ଦେଶ ମାନିବା କଠିନ ଲାଗୁଥିଲା, ତେବେ ବି ସେ କିପରି ବିଶ୍ୱାସରେ ଜୀବନ ଯାପନ କରିପାରିଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୫ ଗୋଟିଏ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ, ଯେଉଁଥିରୁ ଜଣାପଡ଼େ ଯେ ବିଶ୍ୱାସରେ ଜୀବନ ଯାପନ କଲେ ଲାଭ ହୁଏ । ପେରୁ ଦେଶର ପ୍ରତ୍ୟେକ ଜାଗାରେ ସ୍ପେନି ଭାଷା କୁହାଯାଏ । କିନ୍ତୁ ଅନେକ ଲୋକ ନିଜ ଭାଷା ବି କହନ୍ତି । ଯେପରିକି କେଚୁଆ ଭାଷା । ଅନେକ ବର୍ଷ ଯାଏ କେଚୁଆ ଭାଷା କହୁଥିବା ଭାଇଭଉଣୀମାନେ ନିଜ ପ୍ରଚାର ଅଞ୍ଚଳରେ କେଚୁଆ ଭାଷା କହୁଥିବା ଲୋକମାନଙ୍କୁ ଖୋଜୁଥିଲେ । କିନ୍ତୁ ସରକାରୀ ନିୟମଗୁଡ଼ିକୁ ପାଳନ କରିବା ପାଇଁ ଏହି ଉପାୟରେ ପରିବର୍ତ୍ତନ କରାଗଲା । (ରୋମୀ. ୧୩:୧) ତେଣୁ ଭାଇଭଉଣୀମାନଙ୍କୁ ଲାଗିଲା ଯେ ଏବେ କେଚୁଆ ଭାଷା କହୁଥିବା ଲୋକମାନଙ୍କୁ ଖୋଜିବା କଷ୍ଟକର ହୋଇଯିବ । କିନ୍ତୁ ଭାଇମାନଙ୍କୁ ସଂଗଠନ ତରଫରୁ ଯାହା ନିର୍ଦ୍ଦେଶ ମିଳିଥିଲା ତାହାକୁ ସେମାନେ ମାନିଲେ, ତେଣୁ ଯିହୋବା ସେମାନଙ୍କର ପରିଶ୍ରମ ଉପରେ ଆଶିଷ ଦେଲେ ଏବଂ ସେମାନେ କେଚୁଆ ଭାଷା କହୁଥିବା ଅନେକ ଲୋକମାନଙ୍କୁ ଖୋଜିପାରିଲେ ।
୧୬ କେଚୁଆ ଭାଷା କହୁଥିବା ଗୋଟିଏ ମଣ୍ଡଳୀର ପ୍ରାଚୀନ ଭାଇ କେୱିନଙ୍କୁ ବି ଏହି କଥା ପାଇଁ ଚିନ୍ତା ହେଉଥିଲା । ସେ କହନ୍ତି, “ମୁଁ ଭାବୁଥିଲି ଯେ ଏବେ ଆମେ କିପରି କେଚୁଆ ଭାଷା କହୁଥିବା ଲୋକମାନଙ୍କୁ ଖୋଜିପାରିବା !” ସେସମୟରେ ସେ କʼଣ କଲେ ? ସେ କହନ୍ତି, “ମୁଁ ହିତୋପଦେଶ ୩:୫ ପଦ ଉପରେ ଚିନ୍ତନ କଲି ଏବଂ ମୋଶାଙ୍କ ବିଷୟରେ ବି ଭାବିଲି । ଯିହୋବା ମୋଶାଙ୍କୁ ଇସ୍ରାଏଲୀୟମାନଙ୍କୁ ମିସରରୁ ମୁକ୍ତ କରି ଲୋହିତ ସାଗର ଆଡ଼କୁ ନେଇଯିବା ପାଇଁ କହିଥିଲେ । ମୋଶାଙ୍କୁ ଲାଗିଥାʼନ୍ତା ଯେ ଯିହୋବାଙ୍କ କଥା ମାନିଲେ ସେମାନେ ଫସିଯିବେ ଓ ମିସ୍ରୀୟ ସେନା ସେମାନଙ୍କୁ ସହଜରେ ଧରିନେବ । ତଥାପି ସେ ଯିହୋବାଙ୍କ ନିର୍ଦ୍ଦେଶ ମାନିଲେ ଓ ଯିହୋବା ତାଙ୍କୁ ଆଶିଷ ଦେଲେ । ଯିହୋବା ଅଦ୍ଭୁତ ଭାବରେ ଇସ୍ରାଏଲୀୟମାନଙ୍କୁ ରକ୍ଷା କଲେ ।” (ଯାତ୍ରା. ୧୪:୧, ୨, ୯-୧୧, ୨୧, ୨୨) ଭାଇ କେୱିନ ପ୍ରଚାର କରିବା ଉପାୟରେ ପରିବର୍ତ୍ତନ କଲେ । ଏହାର ପରିଣାମ କʼଣ ହେଲା ? ସେ କହନ୍ତି, “ଯିହୋବା ଯେପରି ଆଶିଷ ଦେଲେ ତାହାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ପ୍ରଥମେ ଆମକୁ ପ୍ରଚାର କରିବା ପାଇଁ ବହୁତ ବାଟ ଚାଲିବାକୁ ପଡ଼ୁଥିଲା ଓ ଆମେ କେବଳ ଜଣେ ଦୁଇଜଣ କେଚୁଆ ଭାଷା କହୁଥିଲା ଲୋକମାନଙ୍କୁ ଭେଟିପାରୁଥିଲୁ । କିନ୍ତୁ ଏବେ ଆମେ ଏପରି ଅଞ୍ଚଳରେ ପ୍ରଚାର କରିପାରୁଛୁ, ଯେଉଁଠାରେ ଅନେକ ଲୋକ କେଚୁଆ ଭାଷା କହନ୍ତି । ସେଥିପାଇଁ ଏବେ ଆମେ ଅନେକ ଲୋକଙ୍କ ସହିତ କଥା ହୋଇପାରୁ ଓ ଆମେ ଆଗରୁ ବି ଅଧିକ ପୁନଃସାକ୍ଷାତ କରିପାରୁଛୁ ଏବଂ ଆମ ପାଖରେ ଅନେକ ବାଇବଲ ଅଧ୍ୟୟନ ଅଛି । ଅନେକ ଲୋକ ସଭାରେ ବି ଆସିବାକୁ ଲାଗିଲେ ।” ସତରେ, ବିଶ୍ୱାସରେ ଜୀବନ ଯାପନ କଲେ ଯିହୋବା ଆମକୁ ସବୁବେଳେ ଆଶିଷ ଦିଅନ୍ତି ।
ଅନେକ ଲୋକ ଭାଇଭଉଣୀମାନଙ୍କୁ ଏହା ଜଣାଇଲେ ଯେ କେଚୁଆ ଭାଷା କହୁଥିବା ଲୋକମାନେ କେଉଁଠାରେ ରହନ୍ତି (ପାରାଗ୍ରାଫ ୧୫-୧୬)
୧୭. ଏହି ଲେଖାରୁ ଆମେ କʼଣ ଶିଖିଲୁ ?
୧୭ ଏହି ଲେଖାରେ ଆମେ ତିନୋଟି ଜରୁରୀ ପରିସ୍ଥିତି ବିଷୟରେ ଧ୍ୟାନ ଦେଲୁ, ଏହି ପରିସ୍ଥିତିରେ ଆମକୁ ବିଶ୍ୱାସରେ ଜୀବନ ଯାପନ କରିବା ଉଚିତ୍ । କିନ୍ତୁ ଆମକୁ ଜୀବନର ଅନ୍ୟ ମାମଲାରେ ବି ବିଶ୍ୱାସରେ ଜୀବନ ଯାପନ କରିବା ଉଚିତ୍ । ଯେପରି—ଆମେ କିପରି ମନୋରଞ୍ଜନ କରିବା, ଖାଲି ସମୟରେ ଆମେ କʼଣ କରିବା, ଆମେ କେତେ ପାଠ ପଢ଼ିବା କିମ୍ବା ପିଲାମାନଙ୍କ ଲାଳନପାଳନ କିପରି କରିବା । ଯେବେ ବି ଆମେ କୌଣସି ମାମଲାରେ ନିଷ୍ପତ୍ତି ନେଉ, ତେବେ ଆମେ ଧ୍ୟାନ ଦେବା ଯେ ଆମେ ଦୃଶ୍ୟ ବିଷୟକୁ ଦେଖି ନିଷ୍ପତ୍ତି ନେବା ନାହିଁ ବରଂ ବିଶ୍ୱାସରେ ଜୀବନ ଯାପନ କରିବା । ଅର୍ଥାତ୍ ଯିହୋବାଙ୍କ ସହିତ ନିଜ ସମ୍ପର୍କ ବିଷୟରେ ଭାବିବା ଉଚିତ୍, ତାଙ୍କ ପରାମର୍ଶ ମାନିବା ଉଚିତ୍ ଏବଂ ସେ ଆମର ଯତ୍ନ ନେବା ପାଇଁ ଯେଉଁ ପ୍ରତିଜ୍ଞା କରିଛନ୍ତି, ସେହି କଥା ଉପରେ ଭରସା କରିବା ଉଚିତ୍ । ଏପରି କଲେ “ଆମ୍ଭେମାନେ ଅନନ୍ତକାଳଯାଏ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଚାଲିବା ।”—ମୀଖା ୪:୫.
ଗୀତ ୧୫୬ ବିଶ୍ୱାସର ଆଖିରେ
a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।
b ଏହି ପାରାଗ୍ରାଫରେ ଜଣେ ଭଉଣୀଙ୍କ ବିଷୟରେ କୁହାଯାଇଛି ଯିଏ ଜୀବନସାଥୀ ଖୋଜୁଛନ୍ତି । କିନ୍ତୁ ଏହି ପରାମର୍ଶକୁ ଭାଇମାନେ ବି ମାନିପାରିବେ ।