ଅଧ୍ୟୟନ ଲେଖା ୧୩
ଗୀତ ୪ ଯିହୋବା ମୋର ପ୍ରତିପାଳକ
ଯିହୋବାଙ୍କର ହସ୍ତ କି ସଙ୍କୁଚିତ !
‘ଯିହୋବାଙ୍କର ହସ୍ତ କି ସଙ୍କୁଚିତ ହୋଇଅଛି ?’—ଗଣ. ୧୧:୨୩.
କʼଣ ଶିଖିବା ?
ଏହି ଲେଖାରୁ ଆପଣଙ୍କର ଭରସା ବଢ଼ିବ ଯେ ଯିହୋବା ସବୁବେଳେ ଆପଣଙ୍କର ଆବଶ୍ୟକତା ପୂରା କରିବେ ।
୧. ମୋଶା ଇସ୍ରାଏଲୀୟମାନଙ୍କୁ ମିସରରୁ ମୁକ୍ତ କରିବା ସମୟରେ କିପରି ଯିହୋବାଙ୍କ ଉପରେ ଭରସା ରଖିଲେ ?
ଏବ୍ରୀ ବହିରେ ଯିହୋବାଙ୍କ ଅନେକ ବିଶ୍ୱସ୍ତ ସେବକମାନଙ୍କ ବିଷୟରେ କୁହାଯାଇଛି, ସେମାନଙ୍କ ମଧ୍ୟରୁ ଜଣେ ଥିଲେ, ମୋଶା । (ଏବ୍ରୀ ୩:୨-୫; ୧୧:୨୩-୨୫) ତାଙ୍କଠାରେ ପ୍ରଗାଢ଼ ବିଶ୍ୱାସ ଥିଲା । ସେ ଇସ୍ରାଏଲୀୟମାନଙ୍କୁ ମିସରରୁ ମୁକ୍ତ କରିଥିଲେ । ଯେବେ ଫାରୋ ଓ ତାʼ ସେନା ସେମାନଙ୍କର ପିଛା କଲା ତେବେ ମୋଶା ଡରିଲେ ନାହିଁ । ସେ ଯିହୋବାଙ୍କ ଉପରେ ଭରସା ରଖିଲେ, ତେଣୁ ସେ ଇସ୍ରାଏଲୀୟମାନଙ୍କୁ ଲୋହିତ ସାଗର ପାର କରାଇଲେ ଓ ପ୍ରାନ୍ତରରେ ସେମାନଙ୍କର ନେତୃତ୍ୱ ନେଲେ । (ଏବ୍ରୀ ୧୧:୨୭-୨୯) ଯେତେବେଳେ ଅଧିକାଂଶ ଇସ୍ରାଏଲୀୟମାନଙ୍କୁ ଲାଗିଲା ଯେ ଯିହୋବା ସେମାନଙ୍କର ଆବଶ୍ୟକତା ପୂରା କରିପାରିବେ ନାହିଁ, ସେତେବେଳେ ବି ମୋଶା ଯିହୋବାଙ୍କ ଉପରେ ଭରସା ରଖିଲେ । ତାଙ୍କ ଭରସା କରିବା ଠିକ୍ ବି ଥିଲା କାରଣ ଯିହୋବା ପ୍ରାନ୍ତରରେ ଚମତ୍କାର କରି ସେମାନଙ୍କୁ ଖାଇବା ପିଇବା ଦେଲେ ଓ ସେମାନଙ୍କୁ ସମ୍ଭାଳିଲେ ।a—ଯାତ୍ରା. ୧୫:୨୨-୨୫; ଗୀତ. ୭୮:୨୩-୨୫.
୨. ଯିହୋବା ମୋଶାଙ୍କୁ ଏହା କାହିଁକି କହିଲେ, ‘ଯିହୋବାଙ୍କର ହସ୍ତ କି ସଙ୍କୁଚିତ ହୋଇଅଛି ?’ (ଗଣନା ପୁସ୍ତକ ୧୧:୨୧-୨୩)
୨ ମୋଶାଙ୍କଠାରେ ଦୃଢ଼ ବିଶ୍ୱାସ ଥିଲା । କିନ୍ତୁ ଇସ୍ରାଏଲୀୟମାନଙ୍କୁ ମିସରରୁ ମୁକ୍ତ କରିବାର ପ୍ରାୟ ବର୍ଷେ ପରେ ସେ ଯିହୋବାଙ୍କ ଉପରେ ସନ୍ଦେହ କରିବାକୁ ଲାଗିଲେ । ଏହି ଘଟଣାଟି ସେହି ସମୟର ଯେବେ ଇସ୍ରାଏଲୀୟମାନେ ଖାଇବା ପାଇଁ ମାଂସ ମାଗିଲେ, ତେବେ ମୋଶା ଭାବିଲେ ଯେ ପ୍ରାନ୍ତରରେ ଲକ୍ଷ ଲକ୍ଷ ଲୋକଙ୍କୁ ଯିହୋବା ମାଂସ କିପରି ଦେବେ ? ତେବେ ଯିହୋବା ମୋଶାଙ୍କୁ କହିଲେ, ‘ଯିହୋବାଙ୍କର ହସ୍ତ କି ସଙ୍କୁଚିତ ହୋଇଅଛି ?’ (ଗଣନା ପୁସ୍ତକ ୧୧:୨୧-୨୩ ପଢ଼ନ୍ତୁ ।) ଏହି ପଦରେ ‘ଯିହୋବାଙ୍କ ହସ୍ତର’ ଅର୍ଥ ହେଉଛି ତାଙ୍କର ଜୋର୍ଦାର ଶକ୍ତି ବା ପବିତ୍ର ଶକ୍ତି, ଯାହା ସାହାଯ୍ୟରେ ଯିହୋବା ନିଜ ଇଚ୍ଛା ପୂରା କରନ୍ତି । ଏପରି ପ୍ରଶ୍ନ କରି ଯିହୋବା ଯେପରି ମୋଶାଙ୍କୁ କହୁଥିଲେ, ‘ତୁମ୍ଭକୁ କʼଣ ଲାଗେ, ମୁଁ ଯାହା କହିଛି ତାହା ପୂରା କରିପାରିବି ନାହିଁ ?’
୩. ଆମକୁ କାହିଁକି ମୋଶା ଓ ଇସ୍ରାଏଲୀୟମାନଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ଉଚିତ୍ ?
୩ କʼଣ ଆପଣଙ୍କୁ କେବେ ଏପରି ସନ୍ଦେହ ହୋଇଛି, ‘ଜଣାନାହିଁ ଯିହୋବା ମୋର ଓ ମୋର ପରିବାରର ଆବଶ୍ୟକତା ପୂରା କରିବେ ନା ନାହିଁ ?’ ଆସନ୍ତୁ ଆମେ ମୋଶା ଓ ଇସ୍ରାଏଲୀୟଙ୍କ ଉଦାହରଣ ଉପରେ ଧ୍ୟାନ ଦେବା, ଯେଉଁମାନଙ୍କ ମନରେ ବି ଏପରି ସନ୍ଦେହ ଆସିଥିଲା । ତାʼସହ ବାଇବଲର କିଛି ସିଦ୍ଧାନ୍ତ ଉପରେ ବି ଧ୍ୟାନ ଦେବା ଓ ଜାଣିବା ଯେ ଆମେ କାହିଁକି ଭରସା ରଖିପାରିବେ ଯେ ଯିହୋବାଙ୍କ ହସ୍ତ ଏତେ ସଙ୍କୁଚିତ ନାହିଁ ଯେ ସେ ଆମର ଆବଶ୍ୟକତା ପୂରା କରିପାରିବେ ନାହିଁ ।
ମୋଶା ଓ ଇସ୍ରାଏଲୀୟମାନଙ୍କଠାରୁ ଶିଖନ୍ତୁ
୪. ଅଧିକାଂଶ ଇସ୍ରାଏଲୀୟମାନେ ହୁଏତ କାହିଁକି ସନ୍ଦେହ କରିବାକୁ ଲାଗିଲେ ?
୪ ଆସନ୍ତୁ ଜାଣିବା ଯେ ଇସ୍ରାଏଲୀୟମାନଙ୍କୁ କାହିଁକି ସନ୍ଦେହ ହେଲା ଯେ ଯିହୋବା ସେମାନଙ୍କର ଆବଶ୍ୟକତା ପୂରା କରିପାରିବେ ନା ନାହିଁ । ପ୍ରାନ୍ତରରେ ଇସ୍ରାଏଲୀୟମାନଙ୍କ ସହିତ ମିସରକୁ ଛାଡ଼ି ଆସିଥିବା ମିଶ୍ରିତ ଲୋକମାନଙ୍କର “ଏକ ମହାଜନତା” ବି ଥିଲା । ସେମାନେ ସମସ୍ତେ ପ୍ରାନ୍ତରରେ କିଛି ସମୟ ବିତାଇ ସାରିଥିଲେ । (ଯାତ୍ରା. ୧୨:୩୮; ଦ୍ୱିବି. ୮:୧୫) କିଛି ସମୟ ପରେ ଏହି ମହାଜନତା ମାନ୍ନା ଖାଇ-ଖାଇ ବିରକ୍ତ ହୋଇଗଲା ଓ ତାଙ୍କ ଭଳି ଅନେକ ଇସ୍ରାଏଲୀୟମାନେ ମଧ୍ୟ ବିରକ୍ତ ହୋଇଗଲେ । (ଗଣ. ୧୧:୪-୬) ସେମାନେ ସେହି ଖାଦ୍ୟକୁ ମନେ ପକାଇବାକୁ ଲାଗିଲେ, ଯାହା ସେମାନଙ୍କୁ ମିସରରେ ମିଳୁଥିଲା । ତେଣୁ ସେମାନେ ମୋଶାଙ୍କୁ ଅଭିଯୋଗ କରିବାକୁ ଲାଗିଲେ । ସେମାନଙ୍କ କଥା ଶୁଣି ମୋଶା ଭାବିଲେ ଯେ ସେ ସେମାନଙ୍କୁ ମାଂସ କେଉଁଠୁ ଦେବେ ।—ଗଣ. ୧୧:୧୩, ୧୪.
୫-୬. ଅନେକ ଇସ୍ରାଏଲୀୟମାନଙ୍କ ଉପରେ ମିଶ୍ରିତ ଲୋକମାନଙ୍କ ମହାଜନତାର କʼଣ ପ୍ରଭାବ ପଡ଼ିଲା ଓ ସେଥିରୁ ଆମେ କʼଣ ଶିଖୁ ?
୫ ଯିହୋବା ମିଶ୍ରିତ ଲୋକମାନଙ୍କୁ ଯେଉଁ ଜିନିଷଗୁଡ଼ିକ ଦେଇଥିଲେ, ସେଗୁଡ଼ିକ ପ୍ରତି ସେମାନେ କୃତଜ୍ଞତା ଦେଖାଇଲେ ନାହିଁ । ଏପରି ଲାଗେ ଯେ ଅନେକ ଇସ୍ରାଏଲୀୟମାନେ ବି ସେମାନଙ୍କ ଭଳି ହୋଇଯାଇଥିଲେ । ଆମ ସହ ବି ଏପରି ହୋଇପାରେ । ଆଜି ସବୁଆଡ଼େ ଏପରି ଲୋକମାନେ ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କୁ କୃତଜ୍ଞତା ଦେଖାନ୍ତି ନାହିଁ । ସେମାନଙ୍କ ଭଳି ହୁଏତ ଆମେ ବି ଯିହୋବାଙ୍କୁ କୃତଜ୍ଞତା ଦେଖାଇବା ନାହିଁ । ହୁଏତ ଆମେ ଯେଉଁ ଜିନିଷଗୁଡ଼ିକୁ ଛାଡ଼ି ଦେଇଛୁ, ସେଗୁଡ଼ିକୁ ପାଇବା ପାଇଁ ଚାହିଁବା କିମ୍ବା ଅନ୍ୟମାନଙ୍କଠାରେ ଯାହା ଅଛି ସେସବୁ ଦେଖି ଈର୍ଷା କରିବାକୁ ଲାଗିବା । କିନ୍ତୁ ଆମ ପାଖରେ ଯେତିକି ଅଛି ଯଦି ଆମେ ସେତିକିରେ ସନ୍ତୁଷ୍ଟ ରହିବା, ତାହେଲେ ଆମେ ଯେକୌଣସି ପରିସ୍ଥିତିରେ ବି ଖୁସିରେ ରହିପାରିବା ।
୬ ଇସ୍ରାଏଲୀୟମାନଙ୍କୁ ଏହି ବିଷୟରେ ଭାବିବାର ଥିଲା ଯେ ଯିହୋବା ଆଗକୁ ଯାଇ ସେମାନଙ୍କୁ ଅନେକ ଆଶିଷ ଦେବେ । କିନ୍ତୁ ସେମାନଙ୍କୁ ମନେ ରଖିବାର ଥିଲା ଯେ ଏହି ଆଶିଷଗୁଡ଼ିକ ସେମାନଙ୍କୁ ପ୍ରତିଜ୍ଞାତ ଦେଶରେ ମିଳିବ, ପ୍ରାନ୍ତରରେ ନୁହେଁ । ଠିକ୍ ସେହିଭଳି ଆଜି ଆମ ପାଖରେ କʼଣ ନାହିଁ ସେବିଷୟରେ ନ ଭାବି ଯିହୋବା ଆମକୁ ନୂଆ ଦୁନିଆରେ କʼଣ କʼଣ ଆଶିଷ ଦେବେ, ଆମକୁ ସେବିଷୟରେ ଭାବିବା ଉଚିତ୍ । ତାʼସହ ଆମେ ବାଇବଲରେ ଦିଆଯାଇଥିବା ସେହି ପଦଗୁଡ଼ିକ ଉପରେ ବି ଚିନ୍ତନ କରିପାରିବା ଯେଉଁଥିରୁ ଯିହୋବାଙ୍କ ଉପରେ ଆମର ଭରସା ବଢ଼ିବ ।
୭. ଆମେ ଏହି କଥା ଉପରେ କାହିଁକି ଭରସା ରଖିପାରିବା ଯେ ଯିହୋବାଙ୍କ ହସ୍ତ ସଙ୍କୁଚିତ ନୁହେଁ ?
୭ ଆପଣ ହୁଏତ ଭାବିବେ ଯେ ଯିହୋବା ମୋଶାଙ୍କୁ ଏପରି କାହିଁକି କହିଲେ ଯେ ‘ଯିହୋବାଙ୍କ ହସ୍ତ କି ସଙ୍କୁଚିତ ହୋଇଅଛି ?’ ଯିହୋବା ହୁଏତ ମୋଶାଙ୍କୁ ଏହା ବୁଝାଇବା ପାଇଁ ଚାହୁଁଥିଲେ ଯେ ସେ ବହୁତ ଶକ୍ତିଶାଳୀ ଅଟନ୍ତି । ତାଙ୍କ ଲୋକମାନେ କୌଣସି ବି ଜାଗାରେ ରହନ୍ତୁ ନା କାହିଁକି, ସେ ସେମାନଙ୍କର ସାହାଯ୍ୟ କରିପାରିବେ । ସତରେ ଯିହୋବା ଇସ୍ରାଏଲୀୟମାନଙ୍କୁ ସେହି ପ୍ରାନ୍ତରରେ ବି ପ୍ରଚୁର ପରିମାଣରେ ମାଂସ ଦେଇପାରନ୍ତେ ଏବଂ ଯିହୋବା ଏପରି ହିଁ କଲେ । ସେ “ବଳବାନ ହସ୍ତ ଓ ବିସ୍ତୃତ ବାହୁ ଦ୍ୱାରା” ଦେଖାଇଲେ ଯେ ସେ ବହୁତ ଶକ୍ତିଶାଳୀ ଅଟନ୍ତି । (ଗୀତ. ୧୩୬:୧୧, ୧୨) ଆମେ ଯେକୌଣସି ଜାଗାରେ ରହୁ ନା କାହିଁକି, ଯେବେ ଆମେ କୌଣସି ସମସ୍ୟାର ସାମନା କରୁ ତେବେ ଆମେ ପୂରା ଭରସା ରଖିପାରିବା ଯେ ଯିହୋବା ଆମ ପ୍ରତ୍ୟେକ ଜଣକୁ ସାହାଯ୍ୟ କରିପାରିବେ ।—ଗୀତ. ୧୩୮:୬, ୭.
୮. ଯଦି ଆମେ ସେହି ଭୁଲ ଦୋହରାଇବା ପାଇଁ ଚାହୁଁ ନାହୁଁ ଯାହା ଇସ୍ରାଏଲୀୟମାନେ କରିଥିଲେ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୮ ଯିହୋବା ଯାହା କହିଥିଲେ ସେ ସେପରି ହିଁ କଲେ । କିଛି ସମୟ ମଧ୍ୟରେ ଯିହୋବା ଲୋକମାନଙ୍କ ପାଇଁ ଅସଂଖ୍ୟ ଭାଟୋଇ ପକ୍ଷୀ ପଠାଇଲେ । କିନ୍ତୁ ଇସ୍ରାଏଲୀୟମାନେ ଯିହୋବାଙ୍କର ଏହି ଚମତ୍କାର ପାଇଁ କୃତଜ୍ଞତା ଦେଖାଇବା ପରିବର୍ତ୍ତେ ଲୋଭ କରିବାକୁ ଲାଗିଲେ । ସେମାନଙ୍କ ମଧ୍ୟରୁ ଅନେକେ ଏତେ ଲୋଭୀ ହୋଇଗଲେ ଯେ ସେମାନେ ଦିନରାତି ଜାଗିରହି ଭାଟୋଇ ପକ୍ଷୀ ସଂଗ୍ରହ କରିବାକୁ ଲାଗିଲେ । ସେମାନଙ୍କ “ଲୋଭ ହେତୁ” ଯିହୋବା ବହୁତ କ୍ରୋଧିତ ହେଲେ ଏବଂ ସେମାନଙ୍କୁ ଦଣ୍ଡ ଦେଲେ । (ଗଣ. ୧୧:୩୧-୩୪) ଏହି ଘଟଣାରୁ ଆମେ ଶିଖୁ ଯେ ଆମକୁ ଲୋଭ କରିବା ଉଚିତ୍ ନୁହେଁ । ଆମେ ଧନୀ ଥାଉ ବା ଗରିବ ଆମକୁ “ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ” କରିବା ଉଚିତ୍ । ଏହା ପାଇଁ ଆମକୁ ଯିହୋବା ଓ ଯୀଶୁଙ୍କ ସହିତ ନିଜ ସମ୍ପର୍କ ଦୃଢ଼ କରିବା ସହିତ ସେମାନଙ୍କର ଆହୁରି ନିକଟତର ହେବାକୁ ପଡ଼ିବ । (ମାଥି. ୬:୧୯, ୨୦; ଲୂକ ୧୬:୯) ତେବେ ଆମେ ଭରସା ରଖିପାରିବା ଯେ ଯିହୋବା ଆମର ଆବଶ୍ୟକତା ପୂରା କରିବେ ।
ଯେବେ ଯିହୋବା ପ୍ରାନ୍ତରରେ ଭାଟୋଇ ପକ୍ଷୀ ପଠାଇଲେ, ତେବେ ଅନେକ ଲୋକ କʼଣ କଲେ ଏବଂ ଏହି ଘଟଣାରୁ ଆମେ କʼଣ ଶିଖୁ ? (ପାରାଗ୍ରାଫ ୮)
୯. ଆମେ କେଉଁ କଥାର ପୂରା ଭରସା ରଖିପାରିବା ?
୯ ଆଜି ଯିହୋବା ଆମକୁ ସାହାଯ୍ୟ କରୁଛନ୍ତି ସତ, କିନ୍ତୁ ତାʼ ଅର୍ଥ ଏହା ନୁହେଁ ଯେ ଆମକୁ କେବେ ପଇସାର ଅସୁବିଧା ହେବ ନାହିଁ କିମ୍ବା ଆମକୁ ଖାଇବା ପିଇବାର ଅଭାବ ହେବ ନାହିଁ ।b ଆମେ ଭରସା ରଖିପାରିବା ଯେ ଯିହୋବା ଆମକୁ କେବେ ବି ଛାଡ଼ିବେ ନାହିଁ ଏବଂ ସବୁ ପରିସ୍ଥିତିରେ ଆମକୁ ସମ୍ଭାଳିବେ । ଆସନ୍ତୁ ଏବିଷୟରେ ଜାଣିବା ପାଇଁ ଆମେ ଦୁଇଟି ପରିସ୍ଥିତି ଉପରେ ଧ୍ୟାନ ଦେବା । ଏହି ପରିସ୍ଥିତିରେ ଆମେ ଦେଖାଇପାରିବା ଯେ ଆମକୁ ଯିହୋବାଙ୍କ ଉପରେ ପୂରା ଭରସା ଅଛି ଯେ ସେ ଆମ ଆବଶ୍ୟକତା ପୂରା କରିବେ: (୧) ଯେବେ ଆମକୁ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡ଼େ ଓ (୨) ଯେବେ ଆମକୁ ଚିନ୍ତା ହୁଏ ଯେ ଆମେ ନିଜ ଆବଶ୍ୟକତା କିପରି ପୂରା କରିବା ।
ଯେବେ ଆମକୁ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡ଼େ
୧୦. କେଉଁ କାରଣ ଯୋଗୁଁ ଆମକୁ ପଇସାର ଅଭାବ ହୋଇପାରେ ?
୧୦ ଦୁନିଆର ବିନାଶ ଯେପରି ପାଖେଇ ଆସୁଛି, ଲୋକମାନଙ୍କୁ ପଇସାର ଆହୁରି ଅଭାବ ହୋଇପାରେ । ରାଜନୈତିକ ଅସ୍ଥିରତା, ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ନୂଆ ନୂଆ ମହାମାରୀ ଯୋଗୁଁ ହୁଏତ ଆମ ଖର୍ଚ୍ଚ ଆହୁରି ବଢ଼ିଯିବ, ଆମ ଚାକିରି ଚାଲିଯିବ, ଧନ ସମ୍ପତ୍ତି ଚାଲିଯିବ କିମ୍ବା ଆମକୁ ନିଜ ଘର ଛାଡ଼ି ଯିବାକୁ ପଡ଼ିବ । ଏପରି ସମୟରେ ହୁଏତ ଆମକୁ ନୂଆ ଚାକିରି ଖୋଜିବାକୁ ପଡ଼ିବ କିମ୍ବା ନିଜର ଆବଶ୍ୟକତା ପୂରା କରିବା ପାଇଁ ନିଜ ପରିବାର ଲୋକଙ୍କ ସହିତ ଅନ୍ୟ ଜାଗାକୁ ଯାଇ ରହିବାକୁ ପଡ଼ିବ । ଏପରି ପରିସ୍ଥିତିରେ ଆମେ କʼଣ ନିଷ୍ପତ୍ତି ନେବା ? ଆମେ କିପରି ଦେଖାଇପାରିବା ଯେ ଆମେ ପୂରା ଭରସା କରୁ ଯେ ଯିହୋବାଙ୍କ ହସ୍ତ ସଙ୍କୁଚିତ ନୁହେଁ ?
୧୧. ଯେବେ ଆର୍ଥିକ ସମସ୍ୟା ଯୋଗୁଁ ଚିନ୍ତା ହୁଏ ତେବେ ଆମେ କʼଣ କରିପାରିବା ? (ଲୂକ ୧୨:୨୯-୩୧)
୧୧ ଯେବେ ଆମକୁ ଆର୍ଥିକ ସମସ୍ୟା ଯୋଗୁଁ ଚିନ୍ତା ହୁଏ, ତେବେ ଯିହୋବା ଆମକୁ ସବୁଠୁ ବଢ଼ିଆ ଉପାୟରେ ସାହାଯ୍ୟ କରିପାରିବେ । (ହିତୋ. ୧୬:୩) ତେଣୁ ଆପଣଙ୍କୁ ଯାହା ବି ଚିନ୍ତା ଅଛି ସେବିଷୟରେ ଯିହୋବାଙ୍କୁ କହନ୍ତୁ । ଭଲ ନିଷ୍ପତ୍ତି ନେବା ପାଇଁ ଯିହୋବାଙ୍କୁ ବୁଦ୍ଧି ମାଗନ୍ତୁ ଏବଂ ଆପଣଙ୍କ ମନ ଶାନ୍ତ ରହିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । ଯାହାଦ୍ୱାରା ଆପଣ ଅତ୍ୟଧିକ “ଚିନ୍ତିତ” ହେବେ ନାହିଁ । (ଲୂକ ୧୨:୨୯-୩୧ ପଢ଼ନ୍ତୁ ।) ଯଦି ଆପଣଙ୍କର ଆବଶ୍ୟକତା ପୂରା ହେଉଛି, ତାହେଲେ ସେତିକିରେ ସନ୍ତୁଷ୍ଟ ରହିବା ପାଇଁ ମଧ୍ୟ ଆପଣ ଯିହୋବାଙ୍କୁ ପ୍ରାର୍ଥନା କରିପାରିବେ । (୧ ତୀମ. ୬:୭, ୮) ଏହାଛଡ଼ା, ଆପଣ ଆମ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ କରିପାରିବେ ଓ ଏପରି ଲେଖାଗୁଡ଼ିକ ପଢ଼ିପାରିବେ ଯେଉଁଥିରୁ ଆପଣଙ୍କୁ ଆର୍ଥିକ ସମସ୍ୟାର ସାମନା କରିବା ପାଇଁ ସାହାଯ୍ୟ ମିଳିପାରିବ । ଆମ ୱେବସାଇଟ୍ jw.org ରେ ଏହି ବିଷୟରେ ଅନେକ ତଥ୍ୟ ଦିଆଯାଇଛି ସେଥିରୁ ଅନେକ ଲୋକଙ୍କୁ ଲାଭ ହୋଇଛି । ଆପଣ ମଧ୍ୟ ତାହା ଦେଖିପାରିବେ ।
୧୨. ଯଦି ଆପଣ ନିଜ ପରିବାର ପାଇଁ ଭଲ ନିଷ୍ପତ୍ତି ନେବାକୁ ଚାହାନ୍ତି, ତାହେଲେ ଆପଣ ନିଜକୁ କେଉଁ ପ୍ରଶ୍ନ ପଚାରିବା ଉଚିତ୍ ?
୧୨ କିଛି ଲୋକ ନିଜ ପରିବାରଠାରୁ ଦୂରକୁ ଯାଇ ଅନ୍ୟ ଜାଗାରେ ଚାକିରି କରିବାର ନିଷ୍ପତ୍ତି ନେଲେ । କିନ୍ତୁ ପରେ ସେମାନେ ବୁଝିପାରିଲେ ଯେ ଏହି ନିଷ୍ପତ୍ତି ଠିକ୍ ନ ଥିଲା । ତେଣୁ କୌଣସି ନୂଆ ଚାକିରି କରିବା ପୂର୍ବରୁ କେବଳ ଏହା ଭାବନ୍ତୁ ନାହିଁ ଯେ ଆପଣ କେତେ ପଇସା ରୋଜଗାର କରିପାରିବେ, ଏହା ପରିବର୍ତ୍ତେ ଆପଣ ଏବିଷୟରେ ବି ଭାବନ୍ତୁ ଯେ କʼଣ ଆପଣ ଓ ଆପଣଙ୍କ ପରିବାର ଯିହୋବାଙ୍କ ନିକଟତର ହୋଇ ରହିପାରିବ । (ଲୂକ ୧୪:୨୮) ନିଜକୁ ପଚାରନ୍ତୁ: ‘ଯଦି ମୁଁ ନିଜ ଜୀବନସାଥୀଠାରୁ ଦୂରରେ ରହେ, ତାହେଲେ ଆମ ସମ୍ପର୍କ ଉପରେ କʼଣ ପ୍ରଭାବ ପଡ଼ିବ ? କʼଣ ମୁଁ ପ୍ରତି ସଭାକୁ ଯାଇପାରିବି, ପ୍ରଚାର କରିପାରିବି ଏବଂ ଭାଇଭଉଣୀଙ୍କ ସହ ସମୟ ବିତାଇପାରିବି ?’ ଯଦି ଆପଣଙ୍କ ପିଲାମାନେ ଅଛନ୍ତି, ତାହେଲେ ଏବିଷୟରେ ବି ଭାବନ୍ତୁ: ‘ଯଦି ମୁଁ ପରିବାରଠାରୁ ଦୂରରେ ରହେ ତାହେଲେ କʼଣ ମୁଁ ନିଜ ପିଲାମାନଙ୍କୁ “ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା” ଲାଳନପାଳନ କରିପାରିବି ?’ (ଏଫି. ୬:୪) କୌଣସି ନିଷ୍ପତ୍ତି ନେବା ସମୟରେ ଆପଣ ସେହି ସାଙ୍ଗ ଓ ସମ୍ପର୍କୀୟମାନଙ୍କ କଥା ଶୁଣନ୍ତୁ ନାହିଁ ଯେଉଁମାନେ ସତ୍ୟରେ ନାହାନ୍ତି, ବରଂ ଯିହୋବା କʼଣ ଚାହାନ୍ତି ସେବିଷୟରେ ଭାବନ୍ତୁ ।c ପଶ୍ଚିମ ଏସିଆରେ ରହୁଥିବା ଟୋନିଙ୍କୁ ବିଦେଶ ଯାଇ ଚାକିରି କରିବାର ଅନେକ ସୁଯୋଗ ମିଳିଲା ଯେଉଁ ଚାକିରିରେ ତାଙ୍କୁ ଅଧିକ ପଇସା ମିଳନ୍ତା । କିନ୍ତୁ ସେ ଏବିଷୟରେ ଯିହୋବାଙ୍କୁ ପ୍ରାର୍ଥନା କଲେ ଓ ତାଙ୍କ ସ୍ତ୍ରୀଙ୍କ ସହିତ ବି ଆଲୋଚନା କଲେ । ସେ ନିଷ୍ପତ୍ତି ନେଲେ ଯେ ସେ ବିଦେଶ ଯିବେ ନାହିଁ, ବରଂ ନିଜ ପରିବାର ସହ ରହିବେ ଓ କମ୍ ଖର୍ଚ୍ଚରେ ଚଳିବେ । ଟୋନି କହନ୍ତି, “ନିଜ ଏହି ନିଷ୍ପତ୍ତି ଯୋଗୁଁ ମୁଁ ଅନେକ ଲୋକଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇପାରିଲି । ମୋ ପିଲାମାନେ ମଧ୍ୟ ଉତ୍ସାହର ସହ ଯିହୋବାଙ୍କ ସେବା କରୁଛନ୍ତି । ଆମ ପରିବାରର ସମସ୍ତେ ଶିଖିଲୁ ଯେ ଯଦି ଆମେ ମାଥିଉ ୬:୩୩ ପଦ ଅନୁସାରେ ବଞ୍ଚିବା ତାହେଲେ ଯିହୋବା ସବୁବେଳେ ଆମର ଯତ୍ନ ନେବେ ।”
ଯେବେ ଆମକୁ ଚିନ୍ତା ହୁଏ ଯେ ଆମେ ନିଜ ଆବଶ୍ୟକତା କିପରି ପୂରା କରିବା
୧୩. ବୃଦ୍ଧ ସମୟରେ ଆମ ଆବଶ୍ୟକତା ପୂରା ହୋଇପାରିବ, ତାʼପାଇଁ ଆମେ ଏବେଠାରୁ କʼଣ କରିପାରିବା ?
୧୩ ହୁଏତ ଆମକୁ ଏହି କଥା ପାଇଁ ବି ଚିନ୍ତା ହେବ ଯେ ଆଗକୁ ଯେବେ ଆମେ ବୃଦ୍ଧ ହୋଇଯିବା, ତେବେ ଆମେ କିପରି ଚଳିବା । ଏପରି ସମୟରେ ଆମେ ଯିହୋବାଙ୍କ ଉପରେ କେତେ ଭରସା କରୁ ଏହି କଥାର ପରୀକ୍ଷା ହୋଇପାରେ । ତାଙ୍କ ବାକ୍ୟରେ କୁହାଯାଇଛି ଯେ ଆମକୁ ପରିଶ୍ରମ କରିବା ଉଚିତ୍ । ଯାହାଦ୍ୱାରା ଆମେ ଭବିଷ୍ୟତ ପାଇଁ କିଛି ସଞ୍ଚୟ କରି ରଖିପାରିବା । (ହିତୋ. ୬:୬-୧୧) ଏପରି କରିବାରେ କିଛି ଭୁଲ ନାହିଁ । କାରଣ ତାହା ଦରକାର ସମୟରେ ଆମ କାମରେ ଆସିବ । (ଉପ. ୭:୧୨) କିନ୍ତୁ ଆମକୁ ସବୁବେଳେ ପଇସା ରୋଜଗାର କରିବା ବିଷୟରେ ଭାବିବା ଉଚିତ୍ ନୁହେଁ ।
୧୪. ଯେବେ ଜଣେ ବ୍ୟକ୍ତି ଭବିଷ୍ୟତ ପାଇଁ କିଛି ପଇସା ସଞ୍ଚୟ କରି ରଖିବା ପାଇଁ ଭାବେ, ତେବେ ତାକୁ ଏବ୍ରୀ ୧୩:୫ ପଦରେ ଲେଖାଥିବା କଥାକୁ କାହିଁକି ଧ୍ୟାନରେ ରଖିବା ଉଚିତ୍ ?
୧୪ ଯୀଶୁ ଗୋଟିଏ ଉଦାହରଣ ଦେଇ କହିଥିଲେ ଯେ ନିର୍ବୋଧ ବ୍ୟକ୍ତି ପଇସା ଜମା କରିବାରେ ଲାଗି ରହେ, କିନ୍ତୁ ସେ “ଈଶ୍ୱରଙ୍କ ବିଷୟରେ ଧନୀ ନୁହେଁ ।” (ଲୂକ ୧୨:୧୬-୨୧) ଆମ ମଧ୍ୟରୁ କାହାରିକୁ ବି ଜଣାନାହିଁ ଯେ କାଲି କʼଣ ହେବ । (ହିତୋ. ୨୩:୪, ୫; ଯାକୁ. ୪:୧୩-୧୫) ତାʼ ସହିତ ଯୀଶୁ କହିଥିଲେ ଯେଉଁମାନେ ତାଙ୍କ ଶିଷ୍ୟ ହେବା ପାଇଁ ଚାହାନ୍ତି, ସେମାନଙ୍କୁ ନିଜ ସବୁ ସମ୍ପତ୍ତି “ତ୍ୟାଗ” କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍ । (ଲୂକ ୧୪:୩୩) ପ୍ରଥମ ଶତାବ୍ଦୀର ଯିହୁଦୀ ଖ୍ରୀଷ୍ଟିୟାନମାନେ ଖୁସିର ସହ ନିଜ ଜିନିଷଗୁଡ଼ିକୁ ତ୍ୟାଗ କଲେ । (ଏବ୍ରୀ ୧୦:୩୪) ଆଜି ବି ଅନେକ ଭାଇଭଉଣୀମାନଙ୍କୁ ନିଜ ଚାକିରି ଏବଂ ଧନ ସମ୍ପତ୍ତି ହରାଇବାକୁ ପଡ଼ିଛି । କାରଣ ସେମାନେ ରାଜନୈତିକ ମାମଲାରେ ନିଷ୍ପକ୍ଷ ରହିଲେ । (ପ୍ରକା. ୧୩:୧୬, ୧୭) ସେମାନେ ଏଥିପାଇଁ ଏହା କରିପାରିଲେ କାରଣ ସେମାନଙ୍କୁ ଯିହୋବାଙ୍କ ଏହି ପ୍ରତିଜ୍ଞା ଉପରେ ପୂରା ଭରସା ଅଛି: “ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ ।” (ଏବ୍ରୀ ୧୩:୫ ପଢ଼ନ୍ତୁ ।) ଏହା ସତ ଯେ ଆମେ ଭବିଷ୍ୟତ ପାଇଁ କିଛି ପଇସା ସଞ୍ଚୟ କରି ରଖିବା କିନ୍ତୁ ହଠାତ୍ ଯଦି ଆମକୁ ଖରାପ ପରିସ୍ଥିତିର ସାମନା କରିବାକୁ ପଡ଼େ, ତେବେ ଆମେ ପୂରା ଭରସା ରଖିବା ଯେ ଯିହୋବା ଆମକୁ ସମ୍ଭାଳିବେ ।
୧୫. ଖ୍ରୀଷ୍ଟିୟାନ ବାପାମାଆମାନଙ୍କୁ ନିଜ ପିଲାମାନଙ୍କ ଲାଳନପାଳନ କରିବା ବିଷୟରେ କିପରି ଚିନ୍ତାଧାରା ଆପଣାଇବା ଉଚିତ୍ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୫ କିଛି ଦେଶରେ ଲୋକମାନେ ବିଶେଷ କରି ଏଥିପାଇଁ ପିଲା ଜନ୍ମ କରନ୍ତି, ଯାହାଦ୍ୱାରା ପିଲାମାନେ ବଡ଼ ହୋଇ ପଇସା ରୋଜଗାର କରି ବୃଦ୍ଧ ସମୟରେ ସେମାନଙ୍କୁ ସମ୍ଭାଳିବେ ଓ ସେମାନଙ୍କର ଆବଶ୍ୟକତା ପୂରା କରିବେ । କିନ୍ତୁ ବାଇବଲରେ କୁହାଯାଇଛି ଯେ ବାପାମାଆମାନଙ୍କୁ ନିଜ ପିଲାମାନଙ୍କ ଆବଶ୍ୟକତା ପୂରା କରିବା ଉଚିତ୍ । (୨ କରି. ୧୨:୧୪) ଏହା ସତ ଯେ ବାପାମାଆମାନଙ୍କୁ ବୃଦ୍ଧ ସମୟରେ ସାହାଯ୍ୟର ଦରକାର ପଡ଼ିପାରେ ଏବଂ ଅନେକ ପିଲା ଖୁସିର ସହ ନିଜ ବାପାମାଆଙ୍କର ଦେଖାଶୁଣା କରନ୍ତି । (୧ ତୀମ. ୫:୪) କିନ୍ତୁ ଯିହୋବାଙ୍କ ଉପରେ ଭରସା ରଖୁଥିବା ବାପାମାଆମାନେ ଏହା ଭାବିକି ନିଜ ପିଲାମାନଙ୍କର ଲାଳନପାଳନ କରନ୍ତି ନାହିଁ ଯେ ସେମାନେ ଆଗକୁ ଯାଇ ପଇସା ରୋଜଗାର କରିବେ ଓ ସେମାନଙ୍କ ଆବଶ୍ୟକତା ପୂରା କରିବେ । ଏହା ପରିବର୍ତ୍ତେ ସେମାନେ ନିଜ ପିଲାମାନଙ୍କୁ ଯିହୋବାଙ୍କ ସେବକ ହେବା ପାଇଁ ସାହାଯ୍ୟ କରନ୍ତି । ଏପରି କରିବାରୁ ସେମାନଙ୍କୁ ବହୁତ ଖୁସି ମିଳେ ।—୩ ଯୋହ. ୪.
ଯେଉଁ ସ୍ୱାମୀ ସ୍ତ୍ରୀ ଯିହୋବାଙ୍କ ଉପରେ ଭରସା ରଖନ୍ତି ସେମାନେ ଭବିଷ୍ୟତ ପାଇଁ କୌଣସି ନିଷ୍ପତ୍ତି ନେବା ସମୟରେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନ ଦିଅନ୍ତି (ପାରାଗ୍ରାଫ ୧୫) d
୧୬. ବାପାମାଆମାନେ କିପରି ପିଲାମାନଙ୍କୁ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ଶିଖାଇପାରିବେ ? (ଏଫିସୀୟ ୪:୨୮)
୧୬ ବାପାମାଆମାନେ, ନିଜ ପିଲାମାନଙ୍କ ପାଇଁ ଭଲ ଉଦାହରଣ ରଖନ୍ତୁ ଏବଂ ସେମାନଙ୍କୁ ଯିହୋବାଙ୍କ ଉପରେ ଭରସା ରଖିବା ଶିଖାନ୍ତୁ । ସେମାନଙ୍କୁ ଏପରି ଟ୍ରେନିଙ୍ଗ ଦିଅନ୍ତୁ ଯେ ସେମାନେ ନିଜ ଗୋଡ଼ରେ ଛିଡ଼ା ହୋଇପାରିବେ ଏବଂ ସେମାନଙ୍କୁ ପିଲାବେଳୁ ପରିଶ୍ରମୀ ହେବା ପାଇଁ ଶିଖାନ୍ତୁ । (ହିତୋ. ୨୯:୨୧; ଏଫିସୀୟ ୪:୨୮ ପଢ଼ନ୍ତୁ ।) ସେମାନଙ୍କୁ ସ୍କୁଲରେ ଭଲଭାବେ ପାଠ ପଢ଼ିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ । ଏହା ବ୍ୟତୀତ, ସେମାନେ କେତେ ପାଠ ପଢ଼ିବେ ଏହାର ନିଷ୍ପତ୍ତି ନେବା ପାଇଁ ବି ସେମାନଙ୍କୁ ସାହାଯ୍ୟ କରନ୍ତୁ । ଏହା ଆପଣ କିପରି କରିପାରିବେ ? ଏବିଷୟରେ ବାଇବଲର ସିଦ୍ଧାନ୍ତ ଖୋଜନ୍ତୁ ଓ ପିଲାମାନଙ୍କ ସହ ସେବିଷୟରେ ଚର୍ଚ୍ଚା କରନ୍ତୁ । ଏପରି କଲେ ଆପଣଙ୍କ ପିଲାମାନେ ଏପରି ନିଷ୍ପତ୍ତି ନେଇପାରିବେ, ଯେଉଁଥିରୁ ଆଗକୁ ଯାଇ ସେମାନେ ନିଜର ଆବଶ୍ୟକତା ପୂରା କରିପାରିବେ ଓ ପ୍ରଚାରରେ ଅଧିକ ସମୟ ଦେଇପାରିବେ ଏବଂ ହୁଏତ ଅଗ୍ରଦୂତ ସେବା କରିପାରିବେ ।
୧୭. ଆମେ କେଉଁ କଥାର ଭରସା ରଖିପାରିବା ?
୧୭ ଯିହୋବାଙ୍କ ବିଶ୍ୱସ୍ତ ସେବକ ଭରସା ରଖନ୍ତି ଯେ ଯିହୋବା ସେମାନଙ୍କର ସବୁ ଆବଶ୍ୟକତା ପୂରା କରିପାରିବେ ଏବଂ ଯିହୋବା ଏପରି କରିବା ପାଇଁ ବି ଚାହାନ୍ତି । କିନ୍ତୁ ଦୁନିଆର ବିନାଶ ଯେପରି ପାଖେଇ ଆସୁଛି, ଆମକୁ ଯିହୋବାଙ୍କ ଉପରେ ଆହୁରି ଭରସା ରଖିବାକୁ ପଡ଼ିବ । ଆସନ୍ତୁ ଆମେ ଭରସା ରଖିବା ଯେ ଯିହୋବା ସବୁ ପରିସ୍ଥିତିରେ ଆମର ଯତ୍ନ ନେବେ । ସେ ନିଜର ବଳବାନ ହସ୍ତ ଓ ବିସ୍ତୃତ ବାହୁ ଦ୍ୱାରା ଆମକୁ ସାହାଯ୍ୟ କରିବେ । ସତରେ ଯିହୋବାଙ୍କ ହସ୍ତ ସଙ୍କୁଚିତ ନୁହେଁ ।
ଗୀତ ୧୫୦ ଯିହୋବାଙ୍କ ନିକଟବର୍ତ୍ତୀ ହେବା
a ଅକ୍ଟୋବର ୨୦୨୩ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଆପଣଙ୍କ ପ୍ରଶ୍ନ” ପଢ଼ନ୍ତୁ ।
b ୧୫ ସେପ୍ଟେମ୍ବର, ୨୦୧୪ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଆପଣଙ୍କ ପ୍ରଶ୍ନ” ପଢ଼ନ୍ତୁ ।
c ୧୫ ଏପ୍ରିଲ୍, ୨୦୧୪ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “କୋଇ ଭି ଦୋ ମାଲିକୋ କି ସେୱା ନାହିଁ କାର ସାକତା” ପଢ଼ନ୍ତୁ ।
d ଚିତ୍ର ବିଷୟରେ: ଯିହୋବାଙ୍କ ଉପରେ ଭରସା ରଖୁଥିବା ଜଣେ ବାପାମାଆ ନିଜ ଝିଅ ସହ କଥା ହେଉଛନ୍ତି, ଯିଏ ନିଜ ସ୍ୱାମୀଙ୍କ ସହ ରାଜ୍ୟଘର ନିର୍ମାଣ କାମରେ ସହଯୋଗ କରୁଛନ୍ତି ।