ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଏପ୍ରିଲ୍‌ ପୃଷ୍ଠା ୧୪-୧୯
  • ଭାଇଭଉଣୀମାନଙ୍କର ନିକଟତର ହୁଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭାଇଭଉଣୀମାନଙ୍କର ନିକଟତର ହୁଅନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଆମେ କାହିଁକି ଭାଇଭଉଣୀମାନଙ୍କର ଆହୁରି ନିକଟତର ହେବା ଉଚିତ୍‌ ?
  • ଭାଇଭଉଣୀମାନଙ୍କୁ ଆଦର ଦେଖାନ୍ତୁ
  • ‘ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ନ ହେଉ’
  • ସତ୍ୟ ପ୍ରେମ ନିଜ କାମରୁ ଦେଖାଅ
  • ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ ବହୁତ ପ୍ରେମ କରନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ‘ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋହର ମଙ୍ଗଳ’
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଅନ୍ୟମାନଙ୍କୁ ଦେଲେ ବହୁତ ଖୁସି ମିଳେ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଏପ୍ରିଲ୍‌ ପୃଷ୍ଠା ୧୪-୧୯

ଅଧ୍ୟୟନ ଲେଖା ୧୬

ଗୀତ ୮୭ ଆସ ! ସତେଜ ହୁଅ

ଭାଇଭଉଣୀମାନଙ୍କର ନିକଟତର ହୁଅନ୍ତୁ

“ଦେଖ, ଭାଇମାନେ ମିଳନରେ ଏକତ୍ର ବାସ କରିବା କିପରି ଉତ୍ତମ ଓ ମନୋହର !”—ଗୀତ. ୧୩୩:୧.

କʼଣ ଶିଖିବା ?

ଆମେ ଭାଇଭଉଣୀମାନଙ୍କର କିପରି ଆହୁରି ନିକଟତର ହୋଇପାରିବା ଓ ଏପରି କଲେ ଆମକୁ କʼଣ ଆଶିଷ ମିଳିବ ?

୧-୨. ଯିହୋବା କେଉଁ କଥାକୁ ବିଶେଷ ଧ୍ୟାନ ଦିଅନ୍ତି ଓ ସେ ଆମଠାରୁ କʼଣ ଚାହାନ୍ତି ?

ଯିହୋବା ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତି ଯେ ଆମେ ଲୋକମାନଙ୍କ ସହ କିପରି ବ୍ୟବହାର କରୁ । ଯୀଶୁ ଶିଖାଇଥିଲେ ଯେ ଆମକୁ ନିଜ ପଡ଼ୋଶୀମାନଙ୍କୁ ନିଜ ଭଳି ପ୍ରେମ କରିବା ଉଚିତ୍‌ । (ମାଥି. ୨୨:୩୭-୩୯) ଏହାର ଅର୍ଥ ହେଉଛି, ଯେଉଁମାନେ ଯିହୋବାଙ୍କର ସେବା କରନ୍ତି ନାହିଁ ଆମକୁ ସେମାନଙ୍କୁ ବି ପ୍ରେମ କରିବା ଉଚିତ୍‌ । ଯେବେ ଆମେ ସମସ୍ତଙ୍କୁ ପ୍ରେମ କରୁ, ତେବେ ଆମେ ଯିହୋବାଙ୍କ ଭଳି ହୋଇଥାଉ ଯିଏ “ଦୁଷ୍ଟ ଓ ସନ୍ଥ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟ ଉଦୟ କରାନ୍ତି, ପୁଣି ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି ।”—ମାଥି. ୫:୪୫.

୨ ଯିହୋବା ସମସ୍ତଙ୍କୁ ପ୍ରେମ କରନ୍ତି । କିନ୍ତୁ ଯେଉଁମାନେ ତାଙ୍କର ଆଜ୍ଞା ମାନନ୍ତି, ସେମାନଙ୍କୁ ସେ ଅଧିକ ପ୍ରେମ କରନ୍ତି । (ଯୋହ. ୧୪:୨୧) ଯିହୋବା ଚାହାନ୍ତି ଯେ ଆମେ ତାଙ୍କ ଭଳି ହେଉ । ସେଥିପାଇଁ ସେ ଆମକୁ ଅନୁରୋଧ କରନ୍ତି ଯେ ଆମେ ଭାଇଭଉଣୀମାନଙ୍କୁ “ପ୍ରଗାଢ଼ ପ୍ରେମ” କରୁ ଓ ସେମାନଙ୍କ ପ୍ରତି“ସ୍ନେହଶୀଳ” ହେଉ । (୧ ପିତ. ୪:୮; ରୋମୀ. ୧୨:୧୦) ଆମ ପରିବାର ଲୋକ ଓ ପ୍ରିୟ ସାଙ୍ଗମାନେ ଆମର ବହୁତ ନିକଟତର ଥାʼନ୍ତି ଓ ଆମେ ସେମାନଙ୍କୁ ବହୁତ ପ୍ରେମ କରୁ । ଠିକ୍‌ ସେହିପରି ଭାଇଭଉଣୀମାନଙ୍କ ପାଇଁ ମଧ୍ୟ ଆମେ ପ୍ରେମ ଓ ସ୍ନେହ ଦେଖାଇବା ଉଚିତ୍‌ ।

୩. ପ୍ରେମ ବିଷୟରେ ଆମକୁ କେଉଁ କଥା ମନେ ରଖିବା ଉଚିତ୍‌ ?

୩ ପ୍ରେମ, ଛୋଟିଆ ଗଛ ପରି ଅଟେ । ଛୋଟିଆ ଗଛକୁ ବଡ଼ ହେବାକୁ ହେଲେ, ଆମକୁ ତାହାର ଭଲଭାବେ ଯତ୍ନ ନେବାକୁ ପଡ଼େ । ଠିକ୍‌ ସେହିଭଳି ଆମକୁ ମନେ ରଖିବା ଉଚିତ୍‌ ଯେ ଅନ୍ୟମାନଙ୍କ ପାଇଁ ଆମ ପ୍ରେମ ଆପେ ଆପେ ବଢ଼ିବନି, ଆମକୁ ତାʼପାଇଁ ପରିଶ୍ରମ କରିବାକୁ ପଡ଼ିବ । ପ୍ରେରିତ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ କହିଲେ, “ଭ୍ରାତୃପ୍ରେମ ସ୍ଥିର ହୋଇଥାଉ ।” (ଏବ୍ରୀ ୧୩:୧) ଯିହୋବା ଚାହାନ୍ତି ଯେ ଆମେ ଅନ୍ୟମାନଙ୍କ ପାଇଁ ପ୍ରେମ ବଢ଼ାଇବା ଜାରି ରଖୁ । ଏହି ଲେଖାରୁ ଆମେ ଜାଣିବା ଯେ ଆମକୁ କାହିଁକି ନିଜର ଭାଇଭଉଣୀମାନଙ୍କର ଆହୁରି ନିକଟତର ହେବା ଉଚିତ୍‌ ଓ ଆମେ ଏହା କିପରି କରିପାରିବା ।

ଆମେ କାହିଁକି ଭାଇଭଉଣୀମାନଙ୍କର ଆହୁରି ନିକଟତର ହେବା ଉଚିତ୍‌ ?

୪. ଆମ ଓ ଭାଇଭଉଣୀମାନଙ୍କ ମଧ୍ୟରେ ଯେଉଁ ପ୍ରେମ ଓ ଏକତା ଅଛି, ତାʼପାଇଁ ଆମେ କିପରି ନିଜର କୃତଜ୍ଞତା ବଢ଼ାଇବା ଜାରି ରଖିପାରିବା ? (ଗୀତସଂହିତା ୧୩୩:୧) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୪ ଗୀତସଂହିତା ୧୩୩:୧ ପଢ଼ନ୍ତୁ । ଗୀତସଂହିତାର ରଚୟିତା କହିଲେ ଯେ ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି, ସେମାନଙ୍କ ସହିତ ସଙ୍ଗତି କରିବା “ଉତ୍ତମ” ଓ “ମନୋହର ।” କିନ୍ତୁ ହୁଏତ ଆମେ ଏହି କଥାକୁ କମ୍‌ ମନେ କରିବା । ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଜଣେ ବ୍ୟକ୍ତି ପ୍ରତିଦିନ ରାସ୍ତାରେ ଯିବା ସମୟରେ ଗୋଟିଏ ବଡ଼ ଓ ସୁନ୍ଦର ଗଛକୁ ଦେଖେ । ପ୍ରଥମ ଥର ସେହି ଗଛକୁ ଦେଖିବା ମାତ୍ରେ ସେ ଆଶ୍ଚର୍ଯ୍ୟ ହୋଇଗଲା । କିନ୍ତୁ ବାରମ୍ବାର ସେହି ଗଛକୁ ଦେଖିବା ପରେ ହୁଏତ ସେହି ଗଛ ତାକୁ ସାଧାରଣ ଲାଗିବ । ଠିକ୍‌ ସେହିଭଳି ଆମ ଓ ଭାଇଭଉଣୀମାନଙ୍କ ମଧ୍ୟରେ ଯେଉଁ ପ୍ରେମ ଓ ଏକତା ଅଛି, ତାହା ବହୁତ ନିଆରା । କିନ୍ତୁ ଯେବେ ଆମେ ପ୍ରତି ସପ୍ତାହ ଭାଇଭଉଣୀମାନଙ୍କୁ ଭେଟୁ, ତେବେ ହୁଏତ ତାଙ୍କ ପାଇଁ ଆମର ପ୍ରେମ କମ୍‌ ହୋଇଯିବ ଓ ଆମେ ତାଙ୍କୁ ବହୁମୂଲ୍ୟ ଭାବିବାନି । ଏପରି ସମୟରେ ଆମେ କʼଣ କରିପାରିବା ? ଯଦି ଆମେ ଏବିଷୟରେ ଭାବିବା ଯେ ପ୍ରତ୍ୟେକ ଭାଇ ଓ ଭଉଣୀ ମଣ୍ଡଳୀ ପାଇଁ ଓ ଆମ ପାଇଁ କେତେ ବହୁମୂଲ୍ୟ, ତେବେ ସେମାନଙ୍କ ପାଇଁ ଆମର ପ୍ରେମ ଆହୁରି ବଢ଼ିଯିବ ଏବଂ ଆମେ ସେମାନଙ୍କୁ ସବୁବେଳେ ବହୁମୂଲ୍ୟ ମନେ କରିବା ।

ଚିତ୍ରଗୁଡ଼ିକ: ୧. ଜଣେ ଭଉଣୀ ଗୋଟିଏ ସୁନ୍ଦର ଗଛକୁ ଦେଖୁଛନ୍ତି । ୨. ସେହି ଭଉଣୀ ଆଞ୍ଚଳିକ ଅଧିବେଶନରେ ଅନ୍ୟ ଜଣେ ଭଉଣୀଙ୍କୁ ଆଲିଙ୍ଗନ କରୁଛନ୍ତି । ଅନ୍ୟ ଭାଇଭଉଣୀମାନେ ପରସ୍ପର ସହ କଥା ହେଉଛନ୍ତି ଓ ସମସ୍ତେ ବହୁତ ଖୁସି ଅଛନ୍ତି ।

ଆମ ମଧ୍ୟରେ ଯେଉଁ ଏକତା ଅଛି, ତାହାକୁ ଆମେ କେବେ ବି କମ୍‌ ମନେ କରିବା ଉଚିତ୍‌ ନୁହେଁ (ପାରାଗ୍ରାଫ ୪)


୫. ଆମ ମଧ୍ୟରେ ଥିବା ପ୍ରେମ ଦେଖି ଲୋକମାନଙ୍କ ଉପରେ କʼଣ ପ୍ରଭାବ ପଡ଼ିପାରେ ?

୫ କିଛି ଲୋକ ଯେବେ ପ୍ରଥମ ଥର ଆମ ସଭାକୁ ଆସିଲେ, ତେବେ ସେମାନେ ଆମ ମଧ୍ୟରେ ଥିବା ପ୍ରେମକୁ ଅନୁଭବ କରିପାରିଲେ ଆଉ ଏହା ସେମାନଙ୍କର ହୃଦୟକୁ ଛୁଇଁଗଲା । ସେମାନଙ୍କୁ ଲାଗିଲା ଯେ ସେମାନଙ୍କୁ ସତ୍ୟ ମିଳିଯାଇଛି । ଯୀଶୁ କହିଥିଲେ, “ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଦ୍ୱାରା ଜ୍ଞାତ ହେବେ ।” (ଯୋହ. ୧୩:୩୫) ଏହାକୁ ବୁଝିବା ପାଇଁ ଚିତ୍ରାର ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ସେ ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ ଅଧ୍ୟୟନ କରୁଥିଲା । ଥରେ ତାକୁ ଆମର ଆଞ୍ଚଳିକ ଅଧିବେଶନରେ ଯିବାର ସୁଯୋଗ ମିଳିଲା । ଅଧିବେଶନର ପ୍ରଥମ ଦିନର ଶେଷରେ ସେ ନିଜର ବାଇବଲ ଟିଚରଙ୍କୁ କହିଲା, “ଜାଣିଛ, ମୋ ବାପାମାଆ ମୋତେ କେବେ ବି ଆଲିଙ୍ଗନ କରି ନାହାନ୍ତି, କିନ୍ତୁ ଆଜି ମୋତେ ୫୨ ଥର ଲୋକମାନେ ଆଲିଙ୍ଗନ କଲେ ! ଏପରି ଲାଗିଲା ଯେପରି ଯିହୋବା ନିଜର ଲୋକମାନଙ୍କ ଜରିଆରେ ମୋତେ ତାଙ୍କର ପ୍ରେମର ଅନୁଭବ କରାଉଛନ୍ତି ।” ମୁଁ ମଧ୍ୟ ଯିହୋବାଙ୍କ ଲୋକମାନଙ୍କ ସହ ମିଶି ଯିହୋବାଙ୍କର ସେବା କରିବା ପାଇଁ ଚାହେଁ । ଚିତ୍ରା ବାଇବଲ ଅଧ୍ୟୟନ ଜାରି ରଖିଲା ଓ ନିଜ ଭିତରେ ଅନେକ ପରିବର୍ତ୍ତନ କଲା । ୨୦୨୪ ମସିହାରେ ସେ ବାପ୍ତିସ୍ମ ନେଲା । ଏହି ଅନୁଭୂତିରୁ ଜଣାପଡ଼େ ଯେ ଯେବେ ନୂଆ ଲୋକମାନେ ଆମ ଭଲ କାମ ଓ ଆମ ମଧ୍ୟରେ ପ୍ରେମ ଦେଖନ୍ତି, ତେବେ ଅଧିକାଂଶ ସମୟରେ ସେମାନେ ଯିହୋବାଙ୍କର ସେବା କରିବାକୁ ଲାଗନ୍ତି ।—ମାଥି. ୫:୧୬.

୬. ଭାଇଭଉଣୀମାନଙ୍କର ନିକଟତର ହେଲେ ଆମର କିପରି ସୁରକ୍ଷା ହୁଏ ?

୬ ଭାଇଭଉଣୀମାନଙ୍କର ନିକଟତର ହେଲେ ଆମର ସୁରକ୍ଷା ହୁଏ । ପାଉଲ ଖ୍ରୀଷ୍ଟିୟାନମାନଙ୍କୁ କହିଥିଲେ, “କାଳେ ପାପର ପ୍ରବଞ୍ଚନା ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରୁ କେହି କଠିନମନା ହୁଏ, ଏଥିନିମନ୍ତେ ଆଜି ସୁଯୋଗ ଥାଉ ଥାଉ ପ୍ରତିଦିନ ପରସ୍ପରକୁ ଉତ୍ସାହ ଦିଅ ।” (ଏବ୍ରୀ ୩:୧୩) ଯଦି ଆମେ ଅତ୍ୟଧିକ ଚିନ୍ତିତ ହୋଇଯାଉ, ତାହେଲେ ଆମ ପାଇଁ ସଠିକ୍‌ ବାଟରେ ଚାଲିବା କଠିନ ହୋଇଯାଏ । ଏପରି ସମୟରେ ଯିହୋବା କୌଣସି ଭାଇ କିମ୍ବା ଭଉଣୀଙ୍କ ଜରିଆରେ ଆମକୁ ସଠିକ୍‌ ବାଟରେ ଚାଲିବା ପାଇଁ ସାହାଯ୍ୟ କରିପାରିବେ । (ଗୀତ. ୭୩:୨, ୧୭, ୨୩) ସତରେ, ଭାଇଭଉଣୀମାନଙ୍କର ନିକଟତର ହେବା କେତେ ବଢ଼ିଆ ଆଶିଷ ଅଟେ !

୭. ପରସ୍ପର ପ୍ରତି ପ୍ରେମ ଥିବା ଯୋଗୁଁ ଆମ ମଧ୍ୟରେ କିପରି ଏକତା ବଜାୟ ରହେ ? (କଲସୀୟ ୩:୧୩, ୧୪)

୭ ଆମେ ଯିହୋବାଙ୍କର ସେବକ ହୋଇଥିବା ଯୋଗୁଁ ପରସ୍ପରକୁ ପ୍ରକୃତ ପ୍ରେମ କରୁ ଏବଂ ଏହା ଆମେ ନିଜର କାମରୁ ବି ଦେଖାଇବା ପାଇଁ ଚେଷ୍ଟା କରୁ । ଏହି କାରଣ ଯୋଗୁଁ ଆମକୁ ଅନେକ ଆଶିଷ ମିଳେ । (୧ ଯୋହ. ୪:୧୧) ଯେପରି, ପ୍ରେମ ଯୋଗୁଁ ଆମେ ପରସ୍ପର ପ୍ରତି “ସହନଶୀଳ” ହୋଇଥାଉ, ତେଣୁ ଆମ ମଧ୍ୟରେ ଏକତା ବଜାୟ ରହେ । (କଲସୀୟ ୩:୧୩, ୧୪ ପଢ଼ନ୍ତୁ; ଏଫି. ୪:୨-୬) ତାʼସହ ଆମେ ସଭାରେ ମଧ୍ୟ ବଢ଼ିଆ ପରିବେଶର ମଜା ନେଇଥାଉ, ଯାହା ଦୁନିଆର କୌଣସି ସଂଗଠନରେ ଦେଖିବାକୁ ମିଳେ ନାହିଁ ।

ଭାଇଭଉଣୀମାନଙ୍କୁ ଆଦର ଦେଖାନ୍ତୁ

୮. ଆମ ମଧ୍ୟରେ ଏକତା ରହୁ, ତାʼପାଇଁ ଯିହୋବା କʼଣ କରିଛନ୍ତି ?

୮ ସାରା ଦୁନିଆରେ ଆମ ଭାଇଭଉଣୀମାନଙ୍କ ମଧ୍ୟରେ ଯେଉଁ ଏକତା ଅଛି, ତାହା କୌଣସି ଚମତ୍କାରରୁ କମ୍‌ ନୁହେଁ । କେବଳ ଯିହୋବାଙ୍କ ଯୋଗୁଁ ଆମେ ଅପରିପୂର୍ଣ୍ଣ ଲୋକ ଏକତାରେ ରହିପାରୁଛୁ । (୧ କରି. ୧୨:୨୫) ବାଇବଲରେ ଲେଖାଅଛି, ‘ତୁମ୍ଭେମାନେ ପରସ୍ପରକୁ ପ୍ରେମ କରିବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ଶିକ୍ଷିତ ହୋଇଅଛ ।’ (୧ ଥେସ. ୪:୯) ତାହା କିପରି ? ସେ ନିଜ ବାକ୍ୟ ବାଇବଲ ଜରିଆରେ ଆମକୁ ଶିଖାନ୍ତି ଯେ ପରସ୍ପରର ଆହୁରି ନିକଟତର ହେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ । ଯଦି ଆମେ ‘ଈଶ୍ୱରଙ୍କ ଦ୍ୱାରା ଶିକ୍ଷିତ’ ହେବା ପାଇଁ ଚାହୁଁ, ତାହେଲେ ଆମକୁ ଧ୍ୟାନର ସହ ବାଇବଲର ଅଧ୍ୟୟନ କରିବାକୁ ପଡ଼ିବ ଓ ଶିଖିଥିବା କଥାକୁ ଲାଗୁ କରିବାକୁ ପଡ଼ିବ । (ଏବ୍ରୀ ୪:୧୨; ଯାକୁ. ୧:୨୫) ଆଉ ଆଜି ଯିହୋବାଙ୍କର ପ୍ରତ୍ୟେକ ସେବକମାନେ ଏହା ହିଁ କରିବା ପାଇଁ ଚେଷ୍ଟା କରନ୍ତି !

୯. ରୋମୀୟ ୧୨:୯-୧୩ ପଦରୁ ଆମେ ଅନ୍ୟମାନଙ୍କୁ ସମାଦର କରିବା ବିଷୟରେ କʼଣ ଶିଖୁ ?

୯ ଈଶ୍ୱରଙ୍କ ବାକ୍ୟରୁ ଆମେ କିପରି ପରସ୍ପରର ଆହୁରି ନିକଟତର ହେବା ବିଷୟରେ ଶିଖୁ ? ଏହି ବିଷୟରେ ରୋମୀୟ ୧୨:୯-୧୩ ପଦରେ ବଢ଼ିଆ ପରାମର୍ଶ ଦିଆଯାଇଛି । (ପଢ଼ନ୍ତୁ ।) ଧ୍ୟାନ ଦିଅନ୍ତୁ ଯେ ପାଉଲ କʼଣ କହିଲେ । ସେ କହିଲେ, “ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର ।” ତାଙ୍କର କହିବାର ଅର୍ଥ କʼଣ ଥିଲା ? ଏହାର ଅର୍ଥ ହେଉଛି ଯେ ଆମକୁ ନିଜେ ଆଗକୁ ଆସି ଅନ୍ୟମାନଙ୍କୁ ‘ସ୍ନେହ’ କରିବା ଉଚିତ୍‌ । ଯେପରି—ଆମେ ତାଙ୍କୁ କ୍ଷମା କରିବା, ଅତିଥି ସତ୍କାର କରିବା ଓ ଉଦାର ହେବା । (ଏଫି. ୪:୩୨) ଆମକୁ ଏହା ଭାବିବା ଉଚିତ୍‌ ନୁହେଁ ଯେ ଅନ୍ୟମାନେ ଆମର ନିକଟତର ହେଲେ ହିଁ ଆମେ ତାଙ୍କର ନିକଟତର ହେବା । ଏହା ପରିବର୍ତ୍ତେ ଆମକୁ ନିଜେ ଆଗକୁ ଆସି ସେମାନଙ୍କର ନିକଟତର ହେବା ଉଚିତ୍‌ । ଏପରି କଲେ ଆମେ ଯୀଶୁଙ୍କର ଏହି କଥାକୁ ଅନୁଭବ କରିପାରିବା, “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର ।”—ପ୍ରେରି. ୨୦:୩୫.

୧୦. ଅନ୍ୟମାନଙ୍କୁ ଆଦର କରିବା ବିଷୟରେ ଆମେ କିପରି ପରିଶ୍ରମୀ ହୋଇପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୦ ପାଉଲ କହିଲେ ଯେ ଆମେ ନିଜେ ଆଗକୁ ଆସି ଅନ୍ୟମାନଙ୍କର ଆଦର କରିବା ଉଚିତ୍‌ । ଧ୍ୟାନ ଦିଅନ୍ତୁ ଯେ ଏହାର ତୁରନ୍ତ ପରେ ସେ କʼଣ କହିଲେ । ସେ କହିଲେ, “ଉଦ୍‌ଯୋଗରେ [ବା “ପରିଶ୍ରମ କରିବାରେ”] ଶିଥିଳ ହୁଅ ନାହିଁ ।” ଜଣେ ପରିଶ୍ରମୀ ବ୍ୟକ୍ତିକୁ ଯାହା କାମ ଦିଆଯାଏ ତାହାକୁ ସେ ଉତ୍ସାହର ସହ ଓ ମନଦେଇ କରେ । ହିତୋପଦେଶ ୩:୨୭, ୨୮ ପଦରେ ଆମକୁ ପ୍ରୋତ୍ସାହନ ଦିଆଯାଇଛି, “ଉପକାର କରିବାର ସାମର୍ଥ୍ୟ ତୁମ୍ଭ ହସ୍ତରେ ଥିଲେ, ଉଚିତ ଦାନପାତ୍ରମାନଙ୍କୁ ନାସ୍ତି କର ନାହିଁ ।” ଯଦି ଆମେ ଦେଖୁ ଯେ କାହାରିକୁ ସାହାଯ୍ୟ ଦରକାର, ତାହେଲେ ଆମଦ୍ୱାରା ଯେତେ ସମ୍ଭବ ଆମେ ତାହା କରିବା । ଆମେ ଏହାକୁ ଏଡ଼ାଇବା ଉଚିତ୍‌ ନୁହେଁ ଓ ଏପରି ଭାବିବା ଉଚିତ୍‌ ନୁହେଁ ଯେ ତାକୁ ଅନ୍ୟ କେହି ସାହାଯ୍ୟ କରିଦେବେ ।—୧ ଯୋହନ ୩:୧୭, ୧୮.

ଜଣେ ଯୁବା ଭାଇ ଜଣେ ବୃଦ୍ଧ ଭାଇଙ୍କ ଘରର ଛାତକୁ ସଫା କରୁଛନ୍ତି । ସେ ସିଢ଼ିରେ ଛିଡ଼ା ହୋଇଛନ୍ତି ଓ ଛାତରେ ଥିବା ପତ୍ର ସଫା କରୁଛନ୍ତି ।

ଯେଉଁ ଭାଇଭଉଣୀମାନଙ୍କୁ ସାହାଯ୍ୟ ଦରକାର, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ନିଜେ ଆଗକୁ ଆସିବା ଉଚିତ୍‌ (ପାରାଗ୍ରାଫ ୧୦)


୧୧. ପରସ୍ପରର ଆହୁରି ନିକଟତର ହେବା ପାଇଁ ଆମେ ଆଉ କʼଣ କରିପାରିବା ?

୧୧ ଅନ୍ୟମାନଙ୍କୁ ସମାଦର କରିବାର ଆଉ ଏକ ଉପାୟ ହେଉଛି ଯେ ଯେବେ ଆମକୁ କେହି ଦୁଃଖ ପହଞ୍ଚାଏ, ତେବେ ଆମେ ଯଥାଶୀଘ୍ର ତାଙ୍କୁ କ୍ଷମା କରିବା ଉଚିତ୍‌ । ଏଫିସୀୟ ୪:୨୬ ପଦରେ ଲେଖାଅଛି, “ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର ।” ଆମକୁ ଏହି କଥାକୁ କାହିଁକି ମାନିବା ଉଚିତ୍‌ ? ଯେପରି ୨୭ ପଦରେ କୁହାଯାଇଛି, ଯଦି ଆମେ ରାଗ ରଖିବା ତାହେଲେ ଆମେ “ଶୟତାନକୁ ସ୍ଥାନ” ଦେଉଥିବା । ବାଇବଲରେ ଯିହୋବା ଆମକୁ ବାରମ୍ବାର ଅନୁରୋଧ କରନ୍ତି ଯେ ଆମେ ପରସ୍ପରକୁ କ୍ଷମା କରୁ । କଲସୀୟ ୩:୧୩ ପଦରେ ମଧ୍ୟ ଲେଖାଅଛି, “ଏକକୁଆରେକ କ୍ଷମା କର ।” ଅନ୍ୟମାନଙ୍କର ଭୁଲକୁ ଅଣଦେଖା କରିବା ଓ ତାଙ୍କୁ କ୍ଷମା କରିବା, ସେମାନଙ୍କର ଆହୁରି ନିକଟତର ହେବାର ଗୋଟିଏ ବହୁତ ବଢ଼ିଆ ଉପାୟ ଅଟେ । ଯେବେ ଆମେ ଏପରି କରୁ, ତେବେ ଆମେ ‘ଶାନ୍ତିରୂପ ବନ୍ଧନରେ ଏକତା ରକ୍ଷା କରିବା ନିମନ୍ତେ ଯତ୍ନବାନ ହେଉ ।’ (ଏଫି ୪:୩) ସତରେ, ପରସ୍ପରକୁ କ୍ଷମା କଲେ ଆମ ମଧ୍ୟରେ ଶାନ୍ତି ଓ ଏକତା ବଜାୟ ରହେ !

୧୨. ଅନ୍ୟମାନଙ୍କୁ କ୍ଷମା କରିବା ପାଇଁ ଯିହୋବା କିପରି ଆମକୁ ସାହାଯ୍ୟ କରନ୍ତି ?

୧୨ ଏହା ସତ ଯେ ଯେବେ କେହି ଆମକୁ ଦୁଃଖ ପହଞ୍ଚାଏ, ତେବେ ତାକୁ କ୍ଷମା କରିବା ବହୁତ କଠିନ ଲାଗିଥାଏ । କିନ୍ତୁ ଯିହୋବାଙ୍କର ପବିତ୍ର ଶକ୍ତି ସାହାଯ୍ୟରୁ ଆମେ ଏପରି କରିପାରିବା । ପାଉଲ ପରସ୍ପର ପ୍ରତି “ସ୍ନେହଶୀଳ” ହେବା ଓ “ଉଦ୍‌ଯୋଗୀ” ବା ପରିଶ୍ରମୀ ହେବା ପାଇଁ ପରାମର୍ଶ ଦେବା ପରେ କହିଲେ, ‘ଆତ୍ମାରେ [“ପବିତ୍ର ଶକ୍ତିରେ,” NWT] ଉତ୍ତପ୍ତ ହୁଅ ।’ ଯେଉଁ ବ୍ୟକ୍ତି ପବିତ୍ର ଶକ୍ତିରେ “ଉତ୍ତପ୍ତ” ଥାଏ, ତାʼ ଭିତରେ ସଠିକ୍‌ କାମ କରିବାର ଉତ୍ସାହ ଥାଏ । ତାହେଲେ ପବିତ୍ର ଶକ୍ତି ଆମକୁ ପରସ୍ପର ପ୍ରତି ସ୍ନେହଶୀଳ ହେବା ପାଇଁ ଓ ପରସ୍ପରକୁ କ୍ଷମା କରିବା ପାଇଁ ପ୍ରେରିତ କରିପାରେ । ତେଣୁ ଆମେ ଯିହୋବାଙ୍କୁ ପବିତ୍ର ଶକ୍ତି ପାଇଁ ପ୍ରାର୍ଥନା କରୁ ।—ଲୂକ ୧୧:୧୩.

‘ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ନ ହେଉ’

୧୩. ଆମମାନଙ୍କ ମଧ୍ୟରେ କେଉଁ କାରଣ ଯୋଗୁଁ ଫାଟ ସୃଷ୍ଟି ହୋଇପାରେ ?

୧୩ ଖ୍ରୀଷ୍ଟିୟାନ ମଣ୍ଡଳୀରେ ସମସ୍ତ ପ୍ରକାରର ଲୋକ ଅଛନ୍ତି ଓ ସେମାନଙ୍କର ଲାଳନପାଳନ ଅଲଗା ଅଲଗା ପରିବେଶରେ ହୋଇଛି । (୧ ତୀମ. ୨:୩, ୪) ତେଣୁ ଚିକିତ୍ସା, ମନୋରଞ୍ଜନ ଓ ସଜବାଜ ମାମଲାରେ ଭାଇଭଉଣୀମାନଙ୍କର ପସନ୍ଦ ନାପସନ୍ଦ ପରସ୍ପରଠାରୁ ଅଲଗା ହୋଇପାରେ । ଯଦି ଆମେ ସତର୍କ ନ ରହୁ, ତାହେଲେ ମଣ୍ଡଳୀରେ ଦଳଭେଦ ବା ଫାଟ ସୃଷ୍ଟି ହୋଇପାରେ । (ରୋମୀ. ୧୪:୪; ୧ କରି. ୧:୧୦) ଆମେ ‘ପରସ୍ପରକୁ ପ୍ରେମ କରିବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ଶିକ୍ଷିତ,’ ତେଣୁ ଆମେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ମନେ କରିବା ଉଚିତ୍‌ ନୁହେଁ ଓ ନିଜ ପସନ୍ଦ ନାପସନ୍ଦ ମାନିବା ପାଇଁ ଅନ୍ୟମାନଙ୍କୁ ବାଧ୍ୟ କରିବା ଉଚିତ୍‌ ନୁହେଁ ।—ଫିଲିପ୍‌. ୨:୩.

୧୪. ଆମକୁ କʼଣ କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ ଓ କାହିଁକି ?

୧୪ ମଣ୍ଡଳୀରେ ଫାଟ ସୃଷ୍ଟି ନ ହେବା ପାଇଁ ଆମେ ଆଉ କʼଣ କରିପାରିବା ? ଆମେ ଅନ୍ୟମାନଙ୍କୁ ସତେଜ କରିବା ଓ ସେମାନଙ୍କୁ ଦୃଢ଼ କରିବା ପାଇଁ ପୂରା ଚେଷ୍ଟା କରିପାରିବା । (୧ ଥେସ. ୫:୧୧) ନିକଟରେ ଏପରି ଅନେକ ଭାଇଭଉଣୀମାନେ ମଣ୍ଡଳୀରେ ଫେରି ଆସିଛନ୍ତି, ଯେଉଁମାନେ ସଭାକୁ ଓ ପ୍ରଚାରରେ ଯିବା ଛାଡ଼ି ଦେଇଥିଲେ କିମ୍ବା ଯେଉଁମାନଙ୍କୁ ମଣ୍ଡଳୀରୁ ବାହାର କରି ଦିଆଯାଇଥିଲା । ଆମେ ଏପରି ଭାଇଭଉଣୀମାନଙ୍କୁ ପ୍ରେମର ସହ ସ୍ୱାଗତ କରୁ । (୨ କରି. ୨:୮) ଧ୍ୟାନ ଦିଅନ୍ତୁ, ଯେବେ ଜଣେ ନିଷ୍କ୍ରିୟ ଭଉଣୀ ୧୦ ବର୍ଷ ପରେ ସଭାକୁ ଆସିଲେ, ତେବେ ତାଙ୍କୁ କିପରି ଲାଗିଲା । ସେ କହନ୍ତି, “ମୋତେ ଦେଖି ସମସ୍ତେ ବହୁତ ଖୁସି ହୋଇଗଲେ । ସେମାନେ ମୋ ସହ ହାତ ମିଳାଇଲେ ଓ ମୋତେ ପ୍ରେମର ସହ ସ୍ୱାଗତ କଲେ ।” (ପ୍ରେରି. ୩:୧୯) ଏହା ସେ ଭଉଣୀଙ୍କ ଉପରେ କʼଣ ପ୍ରଭାବ ପକାଇଲା ? ସେ କହନ୍ତି, “ମୋତେ ଏପରି ଲାଗିଲା ଯେପରି ଯିହୋବା ମୋତେ ଶିଖାଉଛନ୍ତି ଯେ ପୁଣିଥରେ ଖୁସିରେ ରହିବା ପାଇଁ ମୋତେ କʼଣ କରିବାକୁ ପଡ଼ିବ ।” ଯେବେ ଆମେ ଅନ୍ୟମାନଙ୍କର ଉତ୍ସାହ ବଢ଼ାଉ, ତେବେ ଯୀଶୁ ଆମ ଜରିଆରେ ‘ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକମାନଙ୍କୁ’ ସତେଜ କରନ୍ତି ।—ମାଥି. ୧୧:୨୮, ୨୯.

୧୫. ମଣ୍ଡଳୀରେ ଏକତା ବଜାୟ ରଖିବାର ଆଉ ଗୋଟିଏ ଉପାୟ କʼଣ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୫ ମଣ୍ଡଳୀରେ ଏକତା ବଜାୟ ରଖିବାର ଆଉ ଗୋଟିଏ ଉପାୟ ହେଉଛି, ଏକଥା ଉପରେ ଧ୍ୟାନ ଦେବା ଯେ ଆମେ କʼଣ କହୁ । ଆୟୁବ ୧୨:୧୧ ପଦରେ ଲେଖାଅଛି, “ଯେପରି ରସନା [ବା “ଜିଭ”] ଖାଦ୍ୟର ଆସ୍ୱାଦ ପାଏ, ସେପରି କର୍ଣ୍ଣ କʼଣ କଥାର ପରୀକ୍ଷା ନ କରେ ?” ଜଣେ ଭଲ ରୋଷେୟା କାହାରିକୁ ଖାଇବା ଦେବା ପୂର୍ବରୁ ସବୁବେଳେ ପ୍ରଥମେ ନିଜେ ଚାଖିକି ଦେଖେ । ସେହିପରି ଆମେ କିଛି କହିବା ପୂର୍ବରୁ ଭାବିବା ଉଚିତ୍‌ ଯେ ଆମେ ଯାହା କହିବା, ତାହା ଅନ୍ୟମାନଙ୍କ ଉପରେ କʼଣ ପ୍ରଭାବ ପକାଇବ । (ଗୀତ. ୧୪୧:୩) ଆମେ ଚେଷ୍ଟା କରିବା ଉଚିତ୍‌ ଯେ ଆମ କଥାରୁ ସବୁବେଳେ ଅନ୍ୟମାନଙ୍କର ଉତ୍ସାହ ବଢ଼ୁ, ସେମାନଙ୍କୁ ସତେଜତା ମିଳୁ ଓ ‘ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହେଉ ।’—ଏଫି. ୪:୨୯.

ଜଣେ ଭାଇ ଅତିଥିମାନଙ୍କ ପାଇଁ ଖାଦ୍ୟ ତିଆରି କରିଛନ୍ତି ଓ ପରଷିବା ପୂର୍ବରୁ ନିଜେ ଚାଖିକି ଦେଖୁଛନ୍ତି ।

କିଛି ବି କହିବା ପୂର୍ବରୁ ଭାବନ୍ତୁ ଯେ ଆପଣ ଯାହା କହିବେ ତାହାର ଅନ୍ୟମାନଙ୍କ ଉପରେ କʼଣ ପ୍ରଭାବ ପଡ଼ିବ (ପାରାଗ୍ରାଫ ୧୫)


୧୬. କେଉଁମାନଙ୍କୁ ଅନ୍ୟମାନଙ୍କର ଉତ୍ସାହ ବଢ଼ାଇବା ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍‌ ?

୧୬ ସ୍ୱାମୀମାନଙ୍କୁ ଓ ବାପାମାଆମାନଙ୍କୁ ଏକଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍‌ ଯେ ସେମାନଙ୍କର କଥାରୁ ଅନ୍ୟମାନଙ୍କର ଉତ୍ସାହ ବଢ଼ୁ । (କଲ. ୩:୧୯, ୨୧; ତୀତ. ୨:୪) ପ୍ରାଚୀନମାନଙ୍କୁ ମଧ୍ୟ ମନେ ରଖିବା ଉଚିତ୍‌ ଯେ ସେମାନେ ଜଣେ ମେଷପାଳକ, ତେଣୁ ସେମାନଙ୍କୁ ନିଜ କଥାରୁ ଯିହୋବାଙ୍କ ମେଷମାନଙ୍କୁ ସତେଜ କରିବା ଓ ସାନ୍ତ୍ୱନା ଦେବା ଉଚିତ୍‌ । (ଯିଶା. ୩୨:୧, ୨; ଗାଲା. ୬:୧) ଗୋଟିଏ ହିତୋପଦେଶରେ ଲେଖାଅଛି, “ଯଥାକାଳର କଥା କିପରି ଉତ୍ତମ !”—ହିତୋ. ୧୫:୨୩.

ସତ୍ୟ ପ୍ରେମ ନିଜ କାମରୁ ଦେଖାଅ

୧୭. ଭାଇଭଉଣୀମାନଙ୍କୁ ସତ୍ୟରେ ପ୍ରେମ କରିବା ପାଇଁ ଆମେ କʼଣ କରିପାରିବା ?

୧୭ ପ୍ରେରିତ ଯୋହନ କହିଲେ ଯେ ଆମେ “ବାକ୍ୟରେ କି ଜିହ୍ୱାରେ ପ୍ରେମ ନ କରି କାର୍ଯ୍ୟରେ ଓ ସତ୍ୟରେ ପ୍ରେମ” କରିବା ଉଚିତ୍‌ । (୧ ଯୋହ. ୩:୧୮) ନିଜ ଭାଇଭଉଣୀମାନଙ୍କୁ ସତ୍ୟରେ ପ୍ରେମ କରିବା ପାଇଁ ଆମେ କʼଣ କରିପାରିବା ? ସେମାନଙ୍କ ସହ ଅଧିକରୁ ଅଧିକ ସମୟ ବିତାନ୍ତୁ । ଏପରି କଲେ ଆପଣ ସେମାନଙ୍କର ଆହୁରି ନିକଟତର ହୋଇଯିବେ ଓ ସେମାନଙ୍କ ପାଇଁ ଆପଣଙ୍କ ପ୍ରେମ ଆହୁରି ବଢ଼ିଯିବ । ତେଣୁ ଭାଇଭଉଣୀମାନଙ୍କ ସହ ସମୟ ବିତାଇବା ପାଇଁ ସୁଯୋଗ ଖୋଜନ୍ତୁ । ଯେପରି ସଭାର ପୂର୍ବେ ଓ ପରେ ସେମାନଙ୍କ ସହ କଥାବାର୍ତ୍ତା ହୁଅନ୍ତୁ, ସେମାନଙ୍କ ସହ ପ୍ରଚାରରେ ଯାଆନ୍ତୁ ଓ ସମୟ ବାହାର କରି ଭାଇଭଉଣୀଙ୍କ ସହ ଭେଟିବା ହେବା ପାଇଁ ଯାଆନ୍ତୁ । ଏପରି କଲେ ଆପଣ ଦେଖାଇପାରିବେ ଯେ ଆପଣ ‘ପରସ୍ପରକୁ ପ୍ରେମ କରିବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ଶିକ୍ଷିତ ।’ (୧ ଥେସ. ୪:୯) ଆଉ ଆପଣ ଅନୁଭବ କରିବେ, “ଭାଇ ମାନେ ମିଳନରେ ବାସ କରିବା କିପରି ଉତ୍ତମ ଓ ମନୋହର !”—ଗୀତ. ୧୩୩:୧.

ଆପଣ କʼଣ ଉତ୍ତର ଦେବେ ?

  • ପରସ୍ପରର ଆହୁରି ନିକଟତର ହେଲେ ଆମକୁ କʼଣ ଆଶିଷ ମିଳେ ?

  • ଆମେ କିପରି ନିଜେ ଆଗକୁ ଆସି ଅନ୍ୟମାନଙ୍କର ସମାଦର କରିପାରିବା ?

  • ଆମେ କିପରି ପରସ୍ପର ମଧ୍ୟରେ ଏକତା ବଜାୟ ରଖିପାରିବା ?

ଗୀତ ୯୦ ପରସ୍ପରକୁ କରୁ ଉତ୍ସାହିତ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ