ଅଧ୍ୟୟନ ଲେଖା ୧୫
ଗୀତ ୩୦ ଯିହୋବା, ମୋର ପିତା ଓ ବନ୍ଧୁ
‘ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋହର ମଙ୍ଗଳ’
‘ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋହର ମଙ୍ଗଳ ।’—ଗୀତ. ୭୩:୨୮.
କʼଣ ଶିଖିବା ?
ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହେବା ପାଇଁ ଆମେ କʼଣ କରିପାରିବା ଓ ଏପରି କଲେ ଆମକୁ କେଉଁ କେଉଁ ଆଶିଷ ମିଳିବ ?
୧-୨. (କ) କାହାରି ସାଙ୍ଗ ହେବା ପାଇଁ ଆମକୁ କʼଣ କରିବାକୁ ପଡ଼େ ? (ଖ) ଏହି ଲେଖାରେ ଆମେ କେଉଁ ବିଷୟରେ ଆଲୋଚନା କରିବା ?
କʼଣ ଆପଣଙ୍କ କେହି ଭଲ ସାଙ୍ଗ ଅଛନ୍ତି ? ତାଙ୍କ ସହିତ ସାଙ୍ଗ ହେବା ପାଇଁ ଆପଣ କʼଣ କଲେ ? ଆପଣ ନିଶ୍ଚୟ ତାଙ୍କ ସହ ସମୟ ବିତାଇଥିବେ, ତାଙ୍କ ପସନ୍ଦ ନାପସନ୍ଦ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥିବେ ଏବଂ ତାଙ୍କ ଜୀବନ ବିଷୟରେ ଆପଣ ଅନେକ କିଛି ଜାଣିଥିବେ । ଯେବେ ଆପଣ ଜାଣିଲେ ଯେ ସେ ବହୁତ ଭଲ ଓ ତାଙ୍କଠାରେ ଅନେକ ଭଲ ଗୁଣ ରହିଛି, ତେବେ ଆପଣ ତାଙ୍କ ସାଙ୍ଗ ହେବା ପାଇଁ ଆଗକୁ ବଢ଼ିଲେ । ଧୀରେ ଧୀରେ ସେ ଆପଣଙ୍କର ପ୍ରିୟ ସାଙ୍ଗ ହୋଇଗଲେ ।
୨ କାହାରି ସାଙ୍ଗ ହେବା ପାଇଁ ଆମକୁ ସମୟ ଲାଗେ ଓ ପରିଶ୍ରମ କରିବାକୁ ପଡ଼େ । ଠିକ୍ ସେହିଭଳି, ଯିହୋବାଙ୍କର ସାଙ୍ଗ ହେବା ବା ତାଙ୍କର ନିକଟବର୍ତ୍ତୀ ହେବା ପାଇଁ ଆମକୁ ସମୟ ଲାଗେ ଏବଂ ପରିଶ୍ରମ କରିବାକୁ ପଡ଼େ । ଏହି ଲେଖାରେ ଆମେ ଜାଣିବା ଯେ ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ଓ ଏପରି କଲେ ଆମକୁ କେଉଁ କେଉଁ ଆଶିଷ ମିଳିବ । ଆସନ୍ତୁ ପ୍ରଥମେ ଜାଣିବା ଯେ ଆମର ସବୁଠୁ ଭଲ ସାଙ୍ଗ ଯିହୋବାଙ୍କର ନିକଟବର୍ତ୍ତୀ ହେଲେ କʼଣ ଲାଭ ହେବ ।
୩. ଆମକୁ ଏବିଷୟରେ କାହିଁକି ଭାବିବା ଉଚିତ୍ ଯେ ଯିହୋବାଙ୍କର ନିକଟବର୍ତ୍ତୀ ହେବା ଆମ ପାଇଁ ଭଲ ? ଉଦାହରଣ ଦିଅନ୍ତୁ ।
୩ ଯିହୋବାଙ୍କର ନିକଟବର୍ତ୍ତୀ ହେବା ଆମ ପାଇଁ ଭଲ ଓ ଏଥିରୁ ଆମକୁ ହିଁ ଲାଭ ହୁଏ । ଯଦି ଆମେ ଏବିଷୟରେ ଗଭୀର ଭାବରେ ଭାବିବା, ତାହେଲେ ଆମେ ତାଙ୍କର ଆହୁରି ନିକଟବର୍ତ୍ତୀ ହେବା ଜାରି ରଖିବା । (ଗୀତ. ୬୩:୬-୮) ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଆମେ ସମସ୍ତେ ଜାଣୁ ଯେ ଭଲ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା, ବ୍ୟାୟାମ କରିବା, ଭଲ ନିଦ ନେବା ଓ ପ୍ରତିଦିନ ପ୍ରଚୁର ପାଣି ପିଇବା ଜରୁରୀ । କିନ୍ତୁ ଏସବୁ ଜାଣିଥିଲେ ମଧ୍ୟ ଅନେକ ଲୋକ ଏପରି କରନ୍ତି ନାହିଁ, କାରଣ ସେମାନେ ଏବିଷୟରେ ଭାବନ୍ତି ହିଁ ନାହିଁ । କିନ୍ତୁ ଯଦି ଜଣେ ବ୍ୟକ୍ତି ଏସବୁ ବିଷୟରେ ଭାବିବ, ତାହେଲେ ସେ ନିଶ୍ଚୟ ପଦକ୍ଷେପ ନେବ ଓ ତାʼ ସ୍ୱାସ୍ଥ୍ୟ ଭଲ ରହିବ । ସେହିପରି ଆମେ ସମସ୍ତେ ଜାଣୁ ଯେ ଯିହୋବାଙ୍କର ନିକଟବର୍ତ୍ତୀ ହୋଇରହିବା ଆମ ପାଇଁ ଭଲ ଅଟେ । କିନ୍ତୁ ଯଦି ଆମେ ଏହି ବିଷୟରେ ଗଭୀର ଭାବରେ ଭାବିବା, ତାହେଲେ ଆମକୁ ତାଙ୍କର ଆହୁରି ନିକଟବର୍ତ୍ତୀ ହେବା ପାଇଁ ଇଚ୍ଛା ହେବ ।—ଗୀତ. ୧୧୯:୨୭-୩୦.
୪. ଗୀତସଂହିତା ୭୩:୨୮ ପଦର ରଚୟିତା କʼଣ କହିଲେ ?
୪ ଗୀତସଂହିତା ୭୩:୨୮ ପଢ଼ନ୍ତୁ । ଗୀତସଂହିତା ୭୩ ଅଧ୍ୟାୟର ରଚୟିତା ଜଣେ ଲେବୀ ଥିଲେ । ସେ ଯିହୋବାଙ୍କର ମନ୍ଦିରରେ ସଙ୍ଗୀତକାର ଥିଲେ । ସେ ହୁଏତ ଅନେକ ବର୍ଷରୁ ଯିହୋବାଙ୍କର ସେବା କରୁଥିଲେ । ସେ ଜାଣିଥିଲେ ଯେ “ପରମେଶ୍ୱରଙ୍କର ନିକଟବର୍ତ୍ତୀ” ହେବା ହିଁ ତାଙ୍କ ପାଇଁ ଭଲ । ଆଉ ସେ ଅନ୍ୟମାନଙ୍କୁ ମଧ୍ୟ ଏପରି କରିବା ପାଇଁ ପ୍ରେରିତ କଲେ । ତାହେଲେ ଆସନ୍ତୁ ଦେଖିବା ଯେ ଯିହୋବାଙ୍କର ନିକଟବର୍ତ୍ତୀ ହେଲେ ଆମକୁ କʼଣ ଲାଭ ହୋଇପାରେ ।
“ପରମେଶ୍ୱରଙ୍କର ନିକଟବର୍ତ୍ତୀ” ହେଲେ ଖୁସି ମିଳେ
୫. (କ) ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହେଲେ ଆମକୁ କାହିଁକି ଖୁସି ମିଳେ ? (ଖ) ହିତୋପଦେଶ ୨:୬-୧୬ ପଦରେ ଦିଆଯାଇଥିବା ଯିହୋବାଙ୍କର ବୁଦ୍ଧିଭରା କଥାଗୁଡ଼ିକୁ ମାନିଲେ କିପରି ଆପଣଙ୍କୁ ସାହାଯ୍ୟ ମିଳିପାରେ ଓ ଆପଣଙ୍କର ସୁରକ୍ଷା ହୋଇପାରେ ?
୫ ଆମେ ଯେତେ ବେଶୀ ଯିହୋବାଙ୍କର ନିକଟବର୍ତ୍ତୀ ହେବା, ଆମେ ସେତେ ବେଶୀ ଖୁସିରେ ରହିବା । (ଗୀତ. ୬୫:୪) ଆମେ ଏପରି କାହିଁକି କହିପାରିବା ? ତାହାର ଅନେକ କାରଣ ରହିଛି । ଯେପରି, ଯିହୋବା ନିଜ ବାକ୍ୟରେ ଅନେକ ବୁଦ୍ଧିଭରା କଥା ଲେଖାଇଛନ୍ତି, ସେଗୁଡ଼ିକୁ ମାନିଲେ ଆମର ଲାଭ ହୁଏ । ଆମେ ଖରାପ କଥାଗୁଡ଼ିକରେ ଫସି ନ ଥାଉ ଓ ପାପ କରିବାଠାରୁ ଦୂରେଇ ରହୁ । (ହିତୋପଦେଶ ୨:୬-୧୬ ପଢ଼ନ୍ତୁ ।) ତେଣୁ ବାଇବଲରେ ଲେଖାଅଛି, “ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ, ସେ ଧନ୍ୟ ।”—ହିତୋ. ୩:୧୩.
୬. ଗୀତସଂହିତା ୭୩ ଅଧ୍ୟାୟର ରଚୟିତା କାହିଁକି ନିଜର ଖୁସି ହରାଇଦେଲେ ?
୬ ଏହା ସତ ଯେ ଅନେକ ଥର ଯିହୋବାଙ୍କର ସାଙ୍ଗମାନେ ମଧ୍ୟ ନିରାଶ ହୋଇଯାʼନ୍ତି । ଥରେ ଗୀତସଂହିତା ୭୩ ଅଧ୍ୟାୟର ରଚୟିତା ମଧ୍ୟ ନିଜ ଖୁସି ହରାଇ ବସିଥିଲେ । ସେ ଭାବିବାକୁ ଲାଗିଲେ ଯେ ଯେଉଁ ଲୋକମାନେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ ଓ ତାଙ୍କର ସ୍ତର ଅନୁସାରେ ଚାଲନ୍ତି ନାହିଁ ସେମାନେ ଆରାମରେ ବଞ୍ଚୁଛନ୍ତି । ଏପରି ଭାବିବା ଯୋଗୁଁ ତାଙ୍କୁ ବହୁତ ରାଗ ଲାଗିଲା ଓ ସେ ସେହି ଲୋକମାନଙ୍କୁ ଈର୍ଷା କରିବାକୁ ଲାଗିଲେ । ସେ ଏହା ଭାବିବାକୁ ଲାଗିଲେ ଯେ ଯେଉଁ ଲୋକମାନେ ଅହଂକାରୀ ଓ ହିଂସା କରନ୍ତି, ସେମାନେ ଆହୁରି ଧନୀ ହୋଇଯାଉଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ ଓ ସେମାନଙ୍କୁ ଜୀବନରେ କୌଣସି କଷ୍ଟ ନାହିଁ । (ଗୀତ. ୭୩:୩-୭, ୧୨) ଏସବୁ ଭାବି ସେ ଏତେ ଚିନ୍ତିତ ହୋଇଗଲେ ଯେ ତାଙ୍କୁ ଲାଗିଲା, ଯିହୋବାଙ୍କ ସେବା କରିବାର କୌଣସି ଲାଭ ନାହିଁ । ଆଉ ଦୁଃଖରେ ସେ କହିଲେ, ‘ମୁଁ ବ୍ୟର୍ଥରେ ଆପଣା ଅନ୍ତଃକରଣ ଶୁଚି କରୁଅଛି ଓ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରୁଅଛି ।’—ଗୀତ. ୭୩:୧୩.
୭. ଯେବେ ଆମେ ଦୁଃଖି ଥାଉ, ତେବେ ଆମେ କʼଣ କରିପାରିବା ? ( ମଧ୍ୟ ଦେଖନ୍ତୁ ।)
୭ ଗୀତସଂହିତାର ରଚୟିତା ଯେବେ ବହୁତ ନିରାଶ ଥିଲେ, ତେବେ ବି ସେ ହାର ମାନିଲେନି । ସେ ‘ପରମେଶ୍ୱରଙ୍କ ଧର୍ମଧାମକୁ [ବା, “ବିସ୍ମୟକାରୀ ଭବନକୁ”] ଗଲେ’ ଓ ସେଠାରେ ଯିହୋବା ତାଙ୍କର ଚିନ୍ତାଧାରା ସୁଧାରିଲେ । (ଗୀତ. ୭୩:୧୭-୧୯) ଯେବେ ଆମେ ନିରାଶ କିମ୍ବା ଦୁଃଖି ହୋଇଯାଉ, ତେବେ ଆମର ସବୁଠୁ ଭଲ ସାଙ୍ଗ ଯିହୋବା ଜାଣନ୍ତି ଯେ ଆମ ଉପରେ କʼଣ ବିତୁଛି । ସେଥିପାଇଁ ଆମେ ତାଙ୍କୁ ପ୍ରାର୍ଥନା କରିପାରିବା ଓ ସାହାଯ୍ୟ ମାଗିପାରିବା । ଏପରି କଲେ ଯିହୋବା ନିଜ ବାକ୍ୟ ବାଇବଲ ଓ ମଣ୍ଡଳୀର ଭାଇଭଉଣୀମାନଙ୍କ ଜରିଆରେ ଆମକୁ ସାହସ ଦେବେ, ଯାହାଫଳରେ ଆମେ ନିଜର ଦୁଃଖ ଭୁଲିପାରିବା । କେବଳ ଏତିକି ନୁହେଁ, ଯେବେ ଆମେ ଅତ୍ୟଧିକ ଚିନ୍ତିତ ହୋଇଯିବା ତେବେ ଯିହୋବା ଆମକୁ ସାନ୍ତ୍ୱନା ଓ ମନର ଶାନ୍ତି ଦେବେ ।—ଗୀତ. ୯୪:୧୯.a
ଯେଉଁ ଲେବୀ ଗୀତସଂହିତା ୭୩ ଅଧ୍ୟାୟ ଲେଖିଥିଲେ, ସେ ପରମେଶ୍ୱରଙ୍କ ମନ୍ଦିରରେ ଛିଡ଼ା ହୋଇଛନ୍ତି (ପାରାଗ୍ରାଫ ୭)
“ପରମେଶ୍ୱରଙ୍କର ନିକଟବର୍ତ୍ତୀ” ହେଲେ ଆମକୁ ବଞ୍ଚିବାର ଉଦ୍ଦେଶ୍ୟ ଓ ଆଶା ମିଳେ
୮. ଯିହୋବାଙ୍କର ନିକଟବର୍ତ୍ତୀ ହେଲେ ଆମକୁ ଆହୁରି କʼଣ ଲାଭ ହୁଏ ?
୮ ଯିହୋବାଙ୍କର ନିକଟବର୍ତ୍ତୀ ହେବା ଭଲ । ଏପରି କାହିଁକି ? ଏହାର ଦୁଇଟି କାରଣ ରହିଛି । ପ୍ରଥମ, ଆମକୁ ବଞ୍ଚିବାର ଉଦ୍ଦେଶ୍ୟ ମିଳେ । ଦ୍ୱିତୀୟ, ଆମକୁ ଭବିଷ୍ୟତ ପାଇଁ ଦୃଢ଼ ଆଶା ମିଳେ । (ଯିରି. ୨୯:୧୧) ଆସନ୍ତୁ ଗୋଟିଏ ଗୋଟିଏ କରି ଏହି କଥା ଉପରେ ଚର୍ଚ୍ଚା କରିବା ।
୯. ଯିହୋବାଙ୍କର ନିକଟବର୍ତ୍ତୀ ହେଲେ କିପରି ଆମକୁ ବଞ୍ଚିବାର ଉଦ୍ଦେଶ୍ୟ ଓ ଖୁସି ମିଳେ ?
୯ ଯିହୋବାଙ୍କର ନିକଟବର୍ତ୍ତୀ ହେଲେ ଆମକୁ ବଞ୍ଚିବାର ଉଦ୍ଦେଶ୍ୟ ମିଳେ ଓ ଆମେ ଖୁସିରେ ରହୁ । ଅନେକ ଲୋକ ମାନନ୍ତି ଯେ ଈଶ୍ୱର ନାହାନ୍ତି, ସେଥିପାଇଁ ସେମାନଙ୍କ ପାଖରେ ବଞ୍ଚିବାର କୌଣସି ଉଦ୍ଦେଶ୍ୟ ନାହିଁ । ସେମାନଙ୍କୁ ଲାଗେ ଯେ ଦିନେ ସବୁକିଛି ଶେଷ ହୋଇଯିବ, ଏପରିକି ମଣିଷମାନଙ୍କର ବି ଅସ୍ତିତ୍ୱ ରହିବନି । କିନ୍ତୁ ଆମେ ବାଇବଲର ଅଧ୍ୟୟନ କରିଛୁ ଓ ଆମକୁ ଭରସା ଅଛି ଯେ ‘ଈଶ୍ୱର ଅଛନ୍ତି’ ଓ ଆମେ ତାଙ୍କର ସେବା କରିବା ପାଇଁ ଯାହା ବି କରୁଛୁ ତାହା କେବେ ବେକାର ହେବନି । କାରଣ ‘ସେ ତାହାଙ୍କ ଅନ୍ୱଷେଣକାରୀମାନଙ୍କର ପୁରସ୍କାରଦାତା ।’ (ଏବ୍ରୀ ୧୧:୬) ଯିହୋବା ଆମକୁ ଏପରି ଭାବେ ସୃଷ୍ଟି କରିଛନ୍ତି ଯେ ତାଙ୍କର ସେବା କଲେ ଆମକୁ ଖୁସି ମିଳେ । ସେଥିପାଇଁ ଯେବେ ଆମେ ଏପରି କରୁ, ତେବେ ଆମେ ଖୁସିରେ ରହୁ ।—ଦ୍ୱିବି. ୧୦:୧୨, ୧୩.
୧୦. ଯେଉଁମାନେ ଯିହୋବାଙ୍କ ଉପରେ ଭରସା ରଖନ୍ତି, ସେମାନଙ୍କୁ ସେ କିପରି ଭବିଷ୍ୟତ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି ? (ଗୀତସଂହିତା ୩୭:୨୯)
୧୦ ଅନେକ ଲୋକଙ୍କୁ ଲାଗେ ଯେ କେବଳ ଚାକିରି କରିବା, ବିବାହ କରିବା, ପିଲାଛୁଆ କରିବା ଓ ବୃଦ୍ଧ ସମୟ ପାଇଁ କିଛି ପଇସା ସଞ୍ଚୟ କରି ରଖିବା, ଏହା ହିଁ ଜୀବନ । ସେମାନେ ଈଶ୍ୱରଙ୍କ ବିଷୟରେ ବିଲକୁଲ୍ ଭାବନ୍ତି ନାହିଁ । କିନ୍ତୁ ଆମେ ଈଶ୍ୱରଙ୍କ ସେବକ ଯିହୋବାଙ୍କ ଉପରେ ଭରସା ରଖୁ । (ଗୀତ. ୨୫:୩-୫; ୧ ତୀମ. ୬:୧୭) ଆମେ ଯିହୋବାଙ୍କର ନିକଟବର୍ତ୍ତୀ ହୋଇଛୁ ଓ ଆମକୁ ପୂରା ଭରସା ଅଛି ଯେ ଯିହୋବା ନିଜ ପ୍ରତିଜ୍ଞା ନିଶ୍ଚୟ ପୂରା କରିବେ । ଆମେ ସେହି ସମୟର ବି ଆଗ୍ରହର ସହ ଅପେକ୍ଷା କରୁଛୁ, ଯେବେ ନୂଆ ଦୁନିଆରେ ଆମେ ସବୁଦିନ ପାଇଁ ଯିହୋବାଙ୍କର ଉପାସନା କରିବା ।—ଗୀତସଂହିତା ୩୭:୨୯ ପଢ଼ନ୍ତୁ ।
୧୧. ଯିହୋବାଙ୍କର ନିକଟବର୍ତ୍ତୀ ହେଲେ ଆମକୁ କେଉଁ ଆଶିଷ ମିଳେ ଓ ଯିହୋବାଙ୍କୁ କିପରି ଲାଗେ ?
୧୧ ଯିହୋବାଙ୍କର ନିକଟବର୍ତ୍ତୀ ହେଲେ ଆମକୁ ଅନେକ ଆଶିଷ ମିଳେ । ଯେପରି ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ଯଦି ଆମେ ହୃଦୟରୁ ପଶ୍ଚାତାପ କରିବା, ତାହେଲେ ସେ ଆମ ପାପଗୁଡ଼ିକୁ କ୍ଷମା କରିଦେବେ । (ଯିଶା. ୧:୧୮) ସେଥିପାଇଁ ଆମକୁ ନିଜ ପାପଗୁଡ଼ିକର ବୋଝ ଉଠାଇବାକୁ ପଡ଼େନି ଏବଂ ଆମ ବିବେକ ଶୁଦ୍ଧ ରହେ । (ଗୀତ. ୩୨:୧-୫) ଯେବେ ଆମେ ଯିହୋବାଙ୍କର ନିକଟବର୍ତ୍ତୀ ହେଉ ତେବେ ସେ ଖୁସି ହୁଅନ୍ତି । (ହିତୋ. ୨୩:୧୫) କʼଣ ଆପଣ ସେହି ଆଶିଷଗୁଡ଼ିକ ବିଷୟରେ ଭାବିପାରିବେ, ଯାହା ଆପଣଙ୍କୁ ଯିହୋବାଙ୍କର ନିକଟବର୍ତ୍ତୀ ହେବା ଦ୍ୱାରା ମିଳିଛି ? ଆସନ୍ତୁ ଦେଖିବା ଯେ ଆମେ ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହୋଇରହିବା ପାଇଁ କʼଣ କରିପାରିବା ?
ଯିହୋବାଙ୍କର ନିକଟବର୍ତ୍ତୀ ହେବା ଜାରି ରଖିବା ପାଇଁ ଆମେ କʼଣ କରିପାରିବା ?
୧୨. ଆପଣଙ୍କୁ ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହେବା ପାଇଁ କʼଣ କରିବା ଜାରି ରଖିବାକୁ ପଡ଼ିବ ?
୧୨ ଯଦି ଆପଣ ବାପ୍ତିସ୍ମ ନେଇଛନ୍ତି, ତାହେଲେ ଆପଣ ନିଶ୍ଚୟ ଯିହୋବାଙ୍କର ନିକଟବର୍ତ୍ତୀ ହେବା ପାଇଁ କିଛି ପଦକ୍ଷେପ ବି ନେଇଥିବେ । ଯେପରି ଆପଣ ଯିହୋବା ଓ ଯୀଶୁଙ୍କ ବିଷୟରେ ସତ୍ୟ ଶିଖିଲେ, ନିଜ ପାପ ପାଇଁ ପଶ୍ଚାତାପ କଲେ, ଯିହୋବାଙ୍କ ଉପରେ ବିଶ୍ୱାସ କଲେ ଓ ତାଙ୍କର ଇଚ୍ଛା ଅନୁସାରେ ବଞ୍ଚିବା ପାଇଁ ଚେଷ୍ଟା କଲେ । କିନ୍ତୁ ଯଦି ଆପଣ ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହୋଇରହିବା ପାଇଁ ଚାହାନ୍ତି, ତାହେଲେ ଆପଣଙ୍କୁ ଏହିସବୁ କାମ କରିବା ଜାରି ରଖିବାକୁ ପଡ଼ିବ ।—କଲ. ୨:୬.
୧୩. ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହେବା ପାଇଁ ଆମକୁ କେଉଁ ତିନୋଟି ପଦକ୍ଷେପ ନେବାକୁ ପଡ଼ିବ ?
୧୩ ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (୧) ଆମକୁ ପ୍ରତିଦିନ ବାଇବଲ ପଢ଼ିବା ଓ ଅଧ୍ୟୟନ କରିବାକୁ ପଡ଼ିବ । କିନ୍ତୁ ଆମେ କେବଳ କିଛି ନୂଆ ତଥ୍ୟ ପାଇବା ଉଦ୍ଦେଶ୍ୟରେ ଏପରି କରିବା ଉଚିତ୍ ନୁହେଁ, ବରଂ ଆମେ ସେସମୟରେ ଯିହୋବାଙ୍କର ଚିନ୍ତାଧାରା ବିଷୟରେ ଜାଣିବା ପାଇଁ ଚେଷ୍ଟା କରିବା ଉଚିତ୍ । ଆମେ ଏହା ବି ଜାଣିବା ପାଇଁ ଚେଷ୍ଟା କରିବା ଯେ ଯିହୋବା ଆମ ପାଇଁ କʼଣ ଚାହାନ୍ତି ଓ ସେହି ଅନୁସାରେ ଆମକୁ ବଞ୍ଚିବାକୁ ପଡ଼ିବ । (ଏଫି. ୫:୧୫-୧୭) (୨) ଆମକୁ ଯିହୋବାଙ୍କ ଉପରେ ନିଜ ବିଶ୍ୱାସ ଦୃଢ଼ କରିବାକୁ ପଡ଼ିବ । କିନ୍ତୁ ଏହା ଆମେ କିପରି କରିପାରିବା ? ଯିହୋବା ଆମକୁ ଏବେ ଯାଏଁ ଯେଉଁ ବିଭିନ୍ନ ଉପାୟରେ ପ୍ରେମ ଦେଖାଇଛନ୍ତି, ସେଗୁଡ଼ିକୁ ଚିନ୍ତନ କରିପାରିବା । ଓ (୩) ଆମକୁ ସେହି କାମଗୁଡ଼ିକୁ ଘୃଣା କରିବାକୁ ପଡ଼ିବ ଯାହାକୁ ଯିହୋବା ଘୃଣା କରନ୍ତି । ତାʼ ସହିତ ଯେଉଁ ଲୋକମାନେ ଖରାପ କାମରେ ଲାଗି ରହନ୍ତି, ଆମକୁ ସେମାନଙ୍କଠାରୁ ବି ଦୂରେଇ ରହିବାକୁ ପଡ଼ିବ ।—ଗୀତ. ୧:୧; ୧୦୧:୩.
୧୪. ଯିହୋବାଙ୍କୁ ଖୁସି କରିବା ପାଇଁ ଆମେ ନିତିଦିନ କʼଣ କରିପାରିବା ? (୧ କରିନ୍ଥୀୟ ୧୦:୩୧) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୪ ପ୍ରଥମ କରିନ୍ଥୀୟ ୧୦:୩୧ ପଢ଼ନ୍ତୁ । ଏହା ବହୁତ ଜରୁରୀ ଯେ ଆମେ ଲଗାତାର ଏପରି କାମ କରିବା ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି । ଯେପରି ଆମକୁ ପ୍ରଚାର କରିବା ଉଚିତ୍ ଓ ସଭାକୁ ଯିବା ଉଚିତ୍ । କିନ୍ତୁ ଏତିକି କରିବା ଯଥେଷ୍ଟ ନୁହେଁ । ଯିହୋବାଙ୍କୁ ଖୁସି କରିବା ପାଇଁ ଆମକୁ ନିତିଦିନ ଭଲ କାମ ବି କରିବାକୁ ପଡ଼ିବ । ଯେପରି, ଆମେ ସବୁବେଳେ ସଚ୍ଚୋଟ ରହିବା ଓ ଆମ ପାଖରେ ଯାହା ଅଛି, ତାହା ଅନ୍ୟମାନଙ୍କୁ ବାଣ୍ଟିବା । (୨ କରି. ୮:୨୧; ୯:୭) ଆମେ ନିଜ ଜୀବନକୁ ବହୁମୂଲ୍ୟ ମନେ କରିବା । ଖାଇବା ପିଇବା ମାମଲାରେ ସଠିକ୍ ଦୃଷ୍ଟିକୋଣ ଆପଣାଇବା ଏବଂ ନିଜ ସ୍ୱାସ୍ଥ୍ୟର ଭଲଭାବେ ଯତ୍ନ ନେବା । ଏପରି କଲେ ଆମେ ଯିହୋବାଙ୍କର ନିକଟବର୍ତ୍ତୀ ହେବା । ଯେବେ ଯିହୋବା ଧ୍ୟାନ ଦେବେ ଯେ ଆମେ ଛୋଟରୁ ଛୋଟ କଥାରେ ବି ତାଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରୁଛୁ, ତେବେ ସେ ଆମକୁ ଆହୁରି ପ୍ରେମ କରିବାକୁ ଲାଗିବେ ।—ଲୂକ ୧୬:୧୦.
ଯିହୋବାଙ୍କୁ ଖୁସି କରିବାର କିଛି ଉପାୟ ହେଉଛି: ଗାଡ଼ି ଚଳାଇବା ସମୟରେ ସୁରକ୍ଷାର ଧ୍ୟାନ ରଖିବା; ବ୍ୟାୟାମ କରିବା ଓ ପୁଷ୍ଟିକର ଖାଦ୍ୟ ଖାଇ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା; ଅତିଥି ସତ୍କାର କରିବା (ପାରାଗ୍ରାଫ ୧୪)
୧୫. ଯିହୋବା ଆମଠାରୁ କʼଣ ଚାହାନ୍ତି ?
୧୫ ଯିହୋବା ଧାର୍ମିକ ଓ ଅଧାର୍ମିକ ଉଭୟ ବ୍ୟକ୍ତିମାନଙ୍କ ମଙ୍ଗଳ ଚାହାନ୍ତି । (ମାଥି. ୫:୪୫) ସେ ଚାହାନ୍ତି ଯେ ଆମେ ବି ଏପରି କରୁ । ସେଥିପାଇଁ ସେ କହିଛନ୍ତି ଯେ ଆମେ ‘କାହାରି ନିନ୍ଦା ନ କରୁ, କାହାରି ବିରୋଧୀ ନ ହେଉ . . . ସର୍ବପ୍ରକାରେ କୋମଳ ଭାବ ଦେଖାଉ ।’ (ତୀତ. ୩:୨) ଆମେ ଏହି କଥାଗୁଡ଼ିକୁ ଧ୍ୟାନରେ ରଖୁ, ତେଣୁ ଯେବେ କେହି ଯିହୋବାଙ୍କୁ ମାନନ୍ତି ନାହିଁ, ତେବେ ଆମେ ସେମାନଙ୍କୁ ନୀଚ ଦୃଷ୍ଟିରେ ଦେଖି ନ ଥାଉ । (୨ ତୀମ. ୨:୨୩-୨୫) ଆମେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରୁ, ତେଣୁ ଆମେ ଯିହୋବାଙ୍କର ନିକଟବର୍ତ୍ତୀ ହୋଇଯାଉ ।
ଭୁଲ ହେବା ସତ୍ତ୍ୱେ ଆମେ “ପରମେଶ୍ୱରଙ୍କର ନିକଟବର୍ତ୍ତୀ” ହୋଇପାରିବା
୧୬ ଥରେ ଗୀତସଂହିତା ୭୩ ଅଧ୍ୟାୟର ରଚୟିତାଙ୍କୁ କିପରି ଲାଗିଲା ?
୧୬ ହୁଏତ ଆପଣଙ୍କ ଦ୍ୱାରା ଅନେକ ଭୁଲ ହୋଇଥିବ, ସେହି କାରଣ ଯୋଗୁଁ ଆପଣଙ୍କୁ ଲାଗିବ ଯେ ଆପଣ ଯିହୋବାଙ୍କ ପ୍ରେମର ଯୋଗ୍ୟ ନୁହଁନ୍ତି । ଏପରି ସମୟରେ ଆପଣ କʼଣ କରିପାରିବେ ? ଗୀତସଂହିତା ୭୩ ଅଧ୍ୟାୟର ରଚୟିତାଙ୍କ ବିଷୟରେ ଭାବନ୍ତୁ । ସେ କହିଲେ, “ମୋହର ଚରଣ ପ୍ରାୟ ଟଳିଗଲା, ମୋହର ପାଦବିକ୍ଷେପ ପ୍ରାୟ ଖସିଗଲା ।” (ଗୀତ. ୭୩:୨) ତାʼପରେ ସେ କହିଲେ ଯେ ତାଙ୍କର “ମର୍ମ ବିଦ୍ଧ ହୋଇଥିଲା” ଓ ସେ “ମୂର୍ଖ ଓ ଅଜ୍ଞାନ” ହୋଇଯାଇଥିଲେ । ସେ ଏହା ବି କହିଲେ ଯେ ସେ ଯିହୋବାଙ୍କର ‘ସାକ୍ଷାତରେ ପଶୁ ପରି ଥିଲେ ।’ (ଗୀତ. ୭୩:୨୧, ୨୨) କିନ୍ତୁ କʼଣ ସେ ଏପରି ଭାବିଲେ ଯେ ତାଙ୍କଠାରେ କୌଣସି ଆଶା ନାହିଁ ଓ ଯିହୋବା ତାଙ୍କୁ କେବେ ବି ପ୍ରେମ କରିବେ ନାହିଁ ?
୧୭. (କ) ଯେବେ ଗୀତସଂହିତାର ରଚୟିତା ବହୁତ ନିରାଶ ହୋଇଯାଇଥିଲେ, ତେବେ ସେ କʼଣ କଲେ ? (ଖ) ଆମେ ତାଙ୍କଠାରୁ କʼଣ ଶିଖିପାରିବା ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୭ ହୁଏତ ଗୀତସଂହିତାର ରଚୟିତାଙ୍କୁ କିଛି ସମୟ ପାଇଁ ଲାଗିଥିବ ଯେ ଯିହୋବା ତାଙ୍କୁ ଛାଡ଼ି ଦେଇଛନ୍ତି । ଯେବେ ସେ ଅତ୍ୟଧିକ ନିରାଶ ହୋଇଯାଇଥିଲେ, ତେବେ ସେ ବୁଝିଗଲେ ଯେ ତାଙ୍କୁ ଯିହୋବାଙ୍କ ନିକଟବର୍ତ୍ତୀ ହେବା ଦରକାର । ତେଣୁ ସେ ଲେଖିଲେ, “ମୁଁ ତୁମ୍ଭ [ଯିହୋବା] ସଙ୍ଗେ ସଙ୍ଗେ ନିରନ୍ତର ଅଛି; ତୁମ୍ଭେ ମୋହର ଦକ୍ଷିଣ ହସ୍ତ ଧରିଅଛ । ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ ।” (ଗୀତ. ୭୩:୨୩, ୨୪) ଆମେ ବି ଯେବେ ଦୁର୍ବଳ ବା ନିରାଶ ହୋଇଯାଉ, ତେବେ ଆମକୁ ଆମ ଶୈଳ ଯିହୋବାଙ୍କ ଉପରେ ଭରସା ରଖିବା ଉଚିତ୍ ଯେ ସେ ଆମର ସାହାଯ୍ୟ କରିବେ । (ଗୀତ. ୭୩:୨୬; ୯୪:୧୮) ହୁଏତ ଆମଦ୍ୱାରା ବି ଭୁଲ ହୋଇଯିବ, ତଥାପି ଆମେ ଯିହୋବାଙ୍କ ପାଖକୁ ଫେରିପାରିବା ଓ ଆମେ ଯିହୋବାଙ୍କ ଉପରେ ଭରସା ରଖିପାରିବା ଯେ ସେ “କ୍ଷମା କରିବାକୁ ପ୍ରସ୍ତୁତ” ରହନ୍ତି । (ଗୀତ. ୮୬:୫) ଯେବେ ଆମେ ଅତ୍ୟଧିକ ନିରାଶ ହୋଇଯାଉ, ତେବେ ଆମକୁ ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହେବା ଉଚିତ୍ ।—ଗୀତ. ୧୦୩:୧୩, ୧୪.
ଯେବେ ଆମର ବିଶ୍ୱାସ ଦୁର୍ବଳ ହେବାକୁ ଲାଗେ, ତେବେ ଆମକୁ ପ୍ରାର୍ଥନା କରି ଓ ସଭାରେ ଯାଇ ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହେବା ଉଚିତ୍ (ପାରାଗ୍ରାଫ ୧୭)
“ପରମେଶ୍ୱରଙ୍କର ନିକଟବର୍ତ୍ତୀ” ହେବା ଜାରି ରଖନ୍ତୁ
୧୮. ଆମକୁ କାହିଁକି ସବୁବେଳେ ଯିହୋବାଙ୍କର ନିକଟବର୍ତ୍ତୀ ହେବା ଜାରି ରଖିବା ଉଚିତ୍ ?
୧୮ ବାଇବଲରେ ଲେଖାଅଛି ଯେ ଈଶ୍ୱରଙ୍କ ପଥ, ତାଙ୍କ ବୁଦ୍ଧି ଓ ଜ୍ଞାନ “ଅନନୁସନ୍ଧେୟ !” ଅର୍ଥାତ୍ ଆମ ଭାବିବାର ଦକ୍ଷତାରୁ ବାହାରେ । (ରୋମୀ. ୧୧:୩୩) ତେଣୁ ଆମେ କେବେ ବି ଯିହୋବାଙ୍କ ବିଷୟରେ ସବୁକିଛି ଜାଣିପାରିବା ନାହିଁ । ଆମେ ସବୁବେଳେ ତାଙ୍କ ବିଷୟରେ ଶିଖୁଥିବା ଓ ତାଙ୍କର ନିକଟବର୍ତ୍ତୀ ହେବା ଜାରି ରଖିବା ।
୧୯. ଗୀତସଂହିତାରେ ଯେଉଁ କଥାଗୁଡ଼ିକ ଲେଖାଯାଇଛି, ସେଥିରୁ ଆମକୁ କେଉଁ କଥାର ଭରସା ହୋଇଯାଏ ?
୧୯ ଗୀତସଂହିତା ୭୯:୧୩ ପଦରେ ଲେଖାଅଛି: “ତହିଁରେ ତୁମ୍ଭର ଲୋକ ଓ ତୁମ୍ଭ ଚରାସ୍ଥାନର ମେଷ ଯେ ଆମ୍ଭେମାନେ, ଆମ୍ଭେମାନେ ସଦାକାଳ ତୁମ୍ଭର ଧନ୍ୟବାଦ କରିବା ।” ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହେଲେ, ଆମକୁ ଏହି କଥାର ପୂରା ଭରସା ହୋଇଯିବ ଯେ ସେ ଆମକୁ ଅନେକ ଆଶିଷ ଦେବେ । ତାʼପରେ ଆମେ ବି ଗୀତସଂହିତାର ରଚୟିତାଙ୍କ ଭଳି କହିପାରିବା, “ପରମେଶ୍ୱର ଅନନ୍ତକାଳ ମୋʼ ଚିତ୍ତର ବଳ ଓ ମୋହର ବାଣ୍ଟ ସ୍ୱରୂପ ଅଟନ୍ତି ।”—ଗୀତ. ୭୩:୨୬.
ଗୀତ ୩୨ ଯିହୋବାଙ୍କ ପକ୍ଷ ହେଉ
a ଯେଉଁ ଲୋକମାନଙ୍କୁ ବହୁତ ଚିନ୍ତା ହୁଏ କିମ୍ବା ଯେଉଁମାନେ ନିରାଶାରେ ବୁଡ଼ି ରହନ୍ତି, ସେମାନଙ୍କୁ ହୁଏତ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିପାରେ । ଅଧିକ ଜାଣିବା ପାଇଁ ପ୍ରହରୀଦୁର୍ଗ, ସଂଖ୍ୟା ୧ ୨୦୨୩ (ହିନ୍ଦୀ) ପଢ଼ନ୍ତୁ ।