ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଏପ୍ରିଲ୍‌ ପୃଷ୍ଠା ୨୬-୩୧
  • ଯୁବା ଭାଇମାନେ, ମାର୍କ ଓ ତୀମଥିଙ୍କ ଭଳି ହୁଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୁବା ଭାଇମାନେ, ମାର୍କ ଓ ତୀମଥିଙ୍କ ଭଳି ହୁଅନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ମାର୍କଙ୍କ ଭଳି ଉତ୍ସାହର ସହ ସେବା କରିବା ପାଇଁ ପ୍ରସ୍ତୁତ ରହନ୍ତୁ
  • ତୀମଥିଙ୍କ ଭଳି ଅନ୍ୟମାନଙ୍କର ଚିନ୍ତା କରନ୍ତୁ
  • ପାଉଲଙ୍କ ପରାମର୍ଶରୁ ଲାଭ ପାଆନ୍ତୁ
  • ଅନ୍ୟମାନଙ୍କର ସେବା କଲେ ଆଶିଷ ମିଳେ
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଭାଇମାନେ, କʼଣ ଆପଣ ସହାୟକ ସେବକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ମନେ ରଖନ୍ତୁ ଯିହୋବା ‘ଜୀବିତ ପରମେଶ୍ୱର’ ଅଟନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ପ୍ରଚାର କାମରେ ଆହୁରି ଖୁସି ପାଆନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଏପ୍ରିଲ୍‌ ପୃଷ୍ଠା ୨୬-୩୧

ଅଧ୍ୟୟନ ଲେଖା ୧୮

ଗୀତ ୬୫ ବଢ଼ିବା ଆଗଇ !

ଯୁବା ଭାଇମାନେ, ମାର୍କ ଓ ତୀମଥିଙ୍କ ଭଳି ହୁଅନ୍ତୁ

“ମାର୍କଙ୍କୁ ତୁମ୍ଭ ସଙ୍ଗରେ ଘେନି ଆସ, କାରଣ ମୋହର ସେବା ନିମନ୍ତେ ସେ ଉପକାରୀ ।”—୨ ତୀମ. ୪:୧୧.

କʼଣ ଶିଖିବା ?

ଆମେ ମାର୍କ ଓ ତୀମଥିଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ଓ ଜାଣିବା ଯେ ଯିହୋବା ଓ ଭାଇଭଉଣୀମାନଙ୍କର ଆହୁରି ଅଧିକ ସେବା କରିବା ପାଇଁ ଯୁବା ଭାଇମାନେ ନିଜ ଭିତରେ କେଉଁ କେଉଁ ଗୁଣ ବଢ଼ାଇପାରିବେ ।

୧-୨. ମାର୍କ ଓ ତୀମଥି କେଉଁ କାରଣ ଯୋଗୁଁ ଯିହୋବାଙ୍କର ଆହୁରି ଅଧିକ ସେବା କରିବା ପାଇଁ ପଛଘୁଞ୍ଚା ଦେଇପାରିଥାʼନ୍ତେ ?

ଯୁବା ଭାଇମାନେ, କʼଣ ଆପଣ ଯିହୋବାଙ୍କର ଓ ଭାଇଭଉଣୀମାନଙ୍କର ଆହୁରି ଅଧିକ ସେବା କରିବା ପାଇଁ ଚାହାନ୍ତି ? ଆମକୁ ପୂରା ଭରସା ଅଛି ଯେ ଆପଣ ଏପରି କରିବା ପାଇଁ ଚାହାନ୍ତି । ଆଜି ଅନେକ ଯୁବା ଭାଇ ଖୁସିର ସହ ଅନ୍ୟମାନଙ୍କର ସେବା କରିବା ପାଇଁ ଆଗେଇ ଆସୁଛନ୍ତି । ସେମାନଙ୍କୁ ଦେଖି ଆମମାନଙ୍କୁ ବହୁତ ଖୁସି ଅନୁଭବ ହୁଏ ! (ଗୀତ. ୧୧୦:୩) କିନ୍ତୁ ହୁଏତ ଆପଣ କୌଣସି କାରଣ ଯୋଗୁଁ ଏପରି କରିବାରୁ ପଛଘୁଞ୍ଚା ଦେଉଛନ୍ତି । ଯେପରି, ହୁଏତ ଆପଣଙ୍କୁ ଏହା ଭାବି ଡର ଲାଗୁଥିବ ଯେ ମୋତେ କେଉଁ ଜାଗାକୁ ଯାଇ ସେବା କରିବାକୁ ପଡ଼ିବ ଓ ସେଠାରେ ସବୁକିଛି କିପରି ଚାଲିବ । କିମ୍ବା ଆପଣ ଏହା ଭାବି ପଛଘୁଞ୍ଚା ଦେଉଥିବେ ଯେ ଆପଣଙ୍କୁ ଯେଉଁ ଦାୟିତ୍ୱ ମିଳିବ, ଆପଣ ତାହାକୁ ଭଲଭାବେ ତୁଲାଇପାରିବେ ନାହିଁ । ଯଦି ଆପଣ ଏପରି ଭାବୁଛନ୍ତି, ତାହେଲେ ଆପଣ ଏକୁଟିଆ ନୁହଁନ୍ତି ।

୨ ମାର୍କ ଓ ତୀମଥିଙ୍କୁ ମଧ୍ୟ ହୁଏତ ଏପରି ହିଁ ଲାଗିଥିବ । କିନ୍ତୁ ସେମାନେ ଏହା ଭାବି ପଛଘୁଞ୍ଚା ଦେଲେ ନାହିଁ ଯେ ସେମାନଙ୍କୁ କେଉଁଠି ଯାଇ ସେବା କରିବାକୁ ପଡ଼ିବ କିମ୍ବା ସେମାନେ ନିଜ ଦାୟିତ୍ୱ ଭଲଭାବେ ତୁଲାଇପାରିବେ ନା ନାହିଁ । ଯେବେ ପାଉଲ ଓ ବର୍ଣ୍ଣବ୍‌ବା, ମାର୍କଙ୍କୁ ନିଜ ସହ ପ୍ରଥମ ମିଶନାରୀ ପରିଦର୍ଶନରେ ଆସିବା ପାଇଁ କହିଲେ, ତେବେ ସେ ହୁଏତ ନିଜ ମାଆଙ୍କ ସହ ଏକ ଭଲ ଘରେ ରହୁଥିଲେ ଓ ଆରାମଦାୟକ ଜୀବନ ବିତାଉଥିଲେ । (ପ୍ରେରି. ୧୨:୧୨, ୧୩, ୨୫) କିନ୍ତୁ ଯିହୋବାଙ୍କର ସେବା ଆହୁରି ଅଧିକ କରିବା ପାଇଁ ସେ ଖୁସି ଖୁସି ଏସବୁ ତ୍ୟାଗ କଲେ । ସେ ସବୁଠୁ ପ୍ରଥମେ ଆନ୍ତିୟଖିଆକୁ ଗଲେ । ଏହାପରେ ସେ ପାଉଲ ଓ ବର୍ଣ୍ଣବ୍‌ବାଙ୍କ ସହ ଦୂର ଦୂରାନ୍ତ ଜାଗାକୁ ଯାଇ ମଧ୍ୟ ସେବା କଲେ । (ପ୍ରେରି. ୧୩:୧-୫) ଆଗକୁ ଯାଇ ପାଉଲ ତୀମଥିଙ୍କୁ ବି ନିଜ ସହ ଆସିବା ପାଇଁ କହିଲେ, ତେବେ ହୁଏତ ସେ ମଧ୍ୟ ନିଜର ବାପାମାଆଙ୍କ ସହ ରହୁଥିଲେ । ତୀମଥି ଯୁବା ଥିଲେ ଓ ତାଙ୍କ ପାଖରେ ଏତେ ଅନୁଭୂତି ନ ଥିଲା, ତେଣୁ ସେ ଏହା ଭାବି ପଛଘୁଞ୍ଚା ଦେଇପାରିଥାʼନ୍ତେ ଯେ ସେ ଏତେ ବଡ଼ ଦାୟିତ୍ୱ ତୁଲାଇପାରିବେ ନାହିଁ । (୧ କରିନ୍ଥୀୟ ୧୬:୧୦, ୧୧ ଏବଂ ୧ ତୀମଥି ୪:୧୨ ପଦ ସହ ତୁଳନା କରନ୍ତୁ ।) କିନ୍ତୁ ସେ ପଛଘୁଞ୍ଚା ଦେଲେ ନାହିଁ । ସେ ପାଉଲଙ୍କ ସାଙ୍ଗରେ ଗଲେ ଓ ଏହି କାରଣ ଯୋଗୁଁ ତାଙ୍କୁ ଅନେକ ଆଶିଷ ମିଳିଲା ।—ପ୍ରେରି. ୧୬:୩-୫.

୩. (କ) ଆମେ କାହିଁକି କହିପାରିବା ଯେ ମାର୍କ ଓ ତୀମଥି ପାଉଲଙ୍କର ଅତି ପ୍ରିୟ ହୋଇଯାଇଥିଲେ ? (୨ ତୀମଥି ୪:୬, ୯, ୧୧) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।) (ଖ) ଏହି ଲେଖାରୁ ଆମେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ?

୩ ମାର୍କ ଓ ତୀମଥି ଯେବେ ଯୁବା ଥିଲେ, ତେବେ ସେମାନେ ଅନେକ ବଡ଼ ବଡ଼ ଦାୟିତ୍ୱ ତୁଲାଇବା ଶିଖିଲେ ଏବଂ ଏହି କାରଣ ଯୋଗୁଁ ପାଉଲ ସେମାନଙ୍କ ପାଇଁ ବହୁତ କୃତଜ୍ଞ ଥିଲେ । ଏହି ଦୁଇ ଯୁବା ଭାଇ ପାଉଲଙ୍କ ଅତି ପ୍ରିୟ ହୋଇଯାଇଥିଲେ, ତେଣୁ ପାଉଲ ନିଜ ମୃତ୍ୟୁ ପୂର୍ବରୁ ସେମାନଙ୍କୁ ନିଜ ପାଖକୁ ଡକାଇଲେ । (୨ ତୀମଥି ୪:୬, ୯, ୧୧ ପଢ଼ନ୍ତୁ ।) ମାର୍କ ଓ ତୀମଥିଙ୍କଠାରେ ଏପରି କେଉଁ ଭଲ ଗୁଣଗୁଡ଼ିକ ଥିଲା, ଯାହାଯୋଗୁଁ ପାଉଲ ସେମାନଙ୍କୁ ପ୍ରେମ କରୁଥିଲେ ? ଆଜି ଯୁବା ଭାଇମାନେ କିପରି ସେମାନଙ୍କ ଭଳି ହୋଇପାରିବେ ? ଏବଂ ପାଉଲ ଜଣେ ବାପାଙ୍କ ଭଳି ଯେଉଁ ବଢ଼ିଆ ପରାମର୍ଶ ଦେଲେ, ତାହାକୁ ମାନିଲେ ଆଜି ଯୁବା ଭାଇମାନଙ୍କୁ କʼଣ କʼଣ ଲାଭ ହୋଇପାରିବ ?

ଚିତ୍ରଗୁଡ଼ିକ: ୧. ମାର୍କ, ପାଉଲ ଓ ବର୍ଣ୍ଣବ୍‌ବାଙ୍କୁ ଖାଇବା ପିଇବା ଦେଉଛନ୍ତି । ୨. ତୀମଥି କିଛି ପ୍ରାଚୀନଙ୍କ ସାମନାରେ ଚିଠି ପଢ଼ୁଛନ୍ତି ଓ ସେମାନେ ଧ୍ୟାନର ସହ ଶୁଣୁଛନ୍ତି ।

ମାର୍କ ଓ ତୀମଥି ଯୁବା ସମୟରେ ବଡ଼ ବଡ଼ ଦାୟିତ୍ୱ ତୁଲାଇବା ଶିଖିଲେ ଓ ଏହା ଯୋଗୁଁ ପାଉଲ ସେମାନଙ୍କୁ ବହୁତ ବହୁମୂଲ୍ୟ ମନେ କରୁଥିଲେ (ପାରାଗ୍ରାଫ ୩) b


ମାର୍କଙ୍କ ଭଳି ଉତ୍ସାହର ସହ ସେବା କରିବା ପାଇଁ ପ୍ରସ୍ତୁତ ରହନ୍ତୁ

୪-୫. କେଉଁ କଥାରୁ ଜଣାପଡ଼େ ଯେ ମାର୍କଙ୍କ ଭିତରେ ଅନ୍ୟମାନଙ୍କର ସେବା କରିବାର ଗଭୀର ଇଚ୍ଛା ଥିଲା ?

୪ ଗୋଟିଏ ବହି ଅନୁସାରେ ଅନ୍ୟମାନଙ୍କର ସେବା କରିବାର ଅର୍ଥ ହେଉଛି, ‘ତାଙ୍କର ସାହାଯ୍ୟ କରିବା ପାଇଁ ମନପ୍ରାଣ ଲଗାଇବା ଓ ଏପରି କରିବାରେ ଲାଗି ରହିବା ।’ ମାର୍କଙ୍କ ଭିତରେ ଏପରି କରିବାର ଗଭୀର ଇଚ୍ଛା ଥିଲା । ଯେବେ ପାଉଲ ନିଜର ଦ୍ୱିତୀୟ ମିଶନାରୀ ପରିଦର୍ଶନରେ ମାର୍କଙ୍କୁ ନିଜ ସାଙ୍ଗରେ ନେବା ପାଇଁ ମନା କଲେ, ତେବେ ହୁଏତ ମାର୍କଙ୍କୁ ଖରାପ ଲାଗିଥିବ ଓ ଦୁଃଖ ବି ହୋଇଥିବ । (ପ୍ରେରି. ୧୫:୩୭, ୩୮) କିନ୍ତୁ ଏହି କାରଣ ଯୋଗୁଁ ସେ ଭାଇଭଉଣୀମାନଙ୍କର ସେବା କରିବାରୁ ପଛଘୁଞ୍ଚା ଦେଲେ ନାହିଁ ।

୫ ମାର୍କ ନିଜ ଭାଇ ବର୍ଣ୍ଣବ୍‌ବାଙ୍କ ସାଙ୍ଗରେ ଅନ୍ୟ ଏକ ଜାଗାକୁ ଯାଇ ସେବା କରିବାକୁ ଲାଗିଲେ । ପ୍ରାୟ ୧୧ ବର୍ଷ ପରେ ସେ ପୁଣିଥରେ ପାଉଲଙ୍କୁ ସାହାଯ୍ୟ କଲେ । ଯେବେ ପାଉଲ ପ୍ରଥମ ଥର ରୋମରେ ବନ୍ଦୀ ଥିଲେ, ତେବେ ସେ ତାଙ୍କ ପାଖକୁ ଯାଇ ତାଙ୍କର ଉତ୍ସାହ ବଢ଼ାଇଲେ । (ଫିଲୀ. ୨୩, ୨୪) ଏହି କାରଣ ଯୋଗୁଁ ପାଉଲ ତାଙ୍କର ବହୁତ କୃତଜ୍ଞ ଥିଲେ, ତେଣୁ ସେ କହିଲେ ଯେ ମାର୍କ “ମୋହର ସାନ୍ତ୍ୱନାର କାରଣ ହୋଇଅଛନ୍ତି ।”—କଲ. ୪:୧୦, ୧୧.

୬. ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କ ସହିତ ସମୟ ବିତାଇବା ଯୋଗୁଁ ମାର୍କଙ୍କୁ କେଉଁ ଆଶିଷଗୁଡ଼ିକ ମିଳିଲା ? (ଫୁଟନୋଟ୍‌ ଦେଖନ୍ତୁ ।)

୬ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କ ସହ ସମୟ ବିତାଇବା ଯୋଗୁଁ ମାର୍କଙ୍କୁ ଅନେକ ଆଶିଷ ମିଳିଲା । ରୋମରେ ପାଉଲଙ୍କ ସହ କିଛି ସମୟ ବିତାଇବା ପରେ ସେ ପିତରଙ୍କୁ ଭେଟିବା ପାଇଁ ବାବିଲକୁ ଗଲେ । ମାର୍କ ପିତରଙ୍କ ପ୍ରିୟ ହୋଇଯାଇଥିଲେ, ତେଣୁ ସେ ତାଙ୍କୁ “ମୋହର ପୁତ୍ର ମାର୍କ” ବୋଲି କହିଲେ । (୧ ପିତ. ୫:୧୩) ପିତର ନିଶ୍ଚୟ ନିଜର ଯୁବା ସାଙ୍ଗ ମାର୍କଙ୍କୁ ଯୀଶୁଙ୍କ ଜୀବନ ଓ ସେବା ବିଷୟରେ ଅନେକ ଖାସ୍‌ କଥା ଜଣାଇଥିବେ । ଏହିସବୁ କଥା ସେ ଆଗକୁ ଯାଇ ନିଜର ସୁସମାଚାର ବହିରେ ମଧ୍ୟ ଲେଖିଲେ ।a

୭. ଏହା କିପରି ଜଣାପଡ଼େ ଯେ ଯେବେ ଭାଇ ସେଙ୍ଗ୍‌-ବୁ ଯୁବା ଥିଲେ, ତେବେ ତାଙ୍କ ଭିତରେ ମାର୍କଙ୍କ ଭଳି ଅନ୍ୟମାନଙ୍କର ସେବା କରିବାର ଗଭୀର ଇଚ୍ଛା ଥିଲା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୭ ମାର୍କ ପ୍ରୌଢ଼ ଭାଇମାନଙ୍କ ସହ ମିଶି ସେବା କରିବା ଜାରି ରଖିଲେ ଓ ନିଜର ଉତ୍ସାହ କମ୍‌ ହେବାକୁ ଦେଲେ ନାହିଁ । ଆପଣ କିପରି ମାର୍କଙ୍କ ଭଳି ହୋଇପାରିବେ ? ହୁଏତ ଆପଣ ମଣ୍ଡଳୀରେ କୌଣସି ଦାୟିତ୍ୱ ତୁଲାଇବା ପାଇଁ ଚାହୁଁଥିବେ । ଯେପରି, ଆପଣ ଜଣେ ସହାୟକ ସେବକ କିମ୍ବା ପ୍ରାଚୀନ ଭାବେ ସେବା କରିବା ପାଇଁ ଚାହୁଁଥିବେ, କିନ୍ତୁ ଏବେ ଯାଏଁ ଆପଣଙ୍କୁ ସେହି ଦାୟିତ୍ୱ ମିଳିନି । ଏପରି ସମୟରେ ନିରାଶ ହୁଅନ୍ତୁ ନାହିଁ । ଯିହୋବା ଏବଂ ଭାଇଭଉଣୀମାନଙ୍କର ସେବା କରିବା ପାଇଁ ବିଭିନ୍ନ ସୁଯୋଗ ଖୋଜନ୍ତୁ । ଜଣେ ପ୍ରାଚୀନ ଭାଇଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କ ନାମ ସେଙ୍ଗ୍‌-ବୁ । ଯେବେ ସେ ଯୁବା ଥିଲେ, ତେବେ ସେ ନିଜର ତୁଳନା ତାଙ୍କ ବୟସର ଅନ୍ୟ ଭାଇମାନଙ୍କ ସହ କରୁଥିଲେ । ସେମାନଙ୍କ ମଧ୍ୟରୁ କିଛି ଭାଇମାନେ ମଣ୍ଡଳୀରେ ଅନେକ ଦାୟିତ୍ୱ ତୁଲାଉଥିଲେ, କିନ୍ତୁ ଭାଇ ସେଙ୍ଗ୍‌-ବୁଙ୍କୁ କୌଣସି ଦାୟିତ୍ୱ ମିଳିଲା ନାହିଁ । ସେଥିପାଇଁ ଭାଇଙ୍କୁ ଲାଗିଲା ଯେ ପ୍ରାଚୀନମାନେ ତାଙ୍କ ଉପରେ କୌଣସି ଧ୍ୟାନ ଦେଉ ନାହାନ୍ତି । ଏବିଷୟରେ ସେ କିଛି ପ୍ରୌଢ଼ ଭାଇମାନଙ୍କ ସହ କଥା ହେଲେ । ଜଣେ ପ୍ରାଚୀନ ତାଙ୍କୁ ପରାମର୍ଶ ଦେଇ କହିଲେ ଯେ ତାଙ୍କୁ କେହି ଦେଖନ୍ତୁ ବା ନ ଦେଖନ୍ତୁ, ସେ ଭାଇଭଉଣୀମାନଙ୍କର ସେବା କରିବା ଜାରି ରଖନ୍ତୁ । ଭାଇ ସେଙ୍ଗ୍‌-ବୁ ଏହି ପରାମର୍ଶକୁ ମାନିଲେ ଓ ସେ ବୃଦ୍ଧ ଭାଇଭଉଣୀମାନଙ୍କୁ ଓ ଅନ୍ୟ ଭାଇଭଉଣୀମାନଙ୍କୁ ଗାଡ଼ିରେ ସଭା ପାଇଁ ନେବା ଆଣିବା କରିବାକୁ ଲାଗିଲେ । ସେହି ସମୟ ବିଷୟରେ ଭାଇ କହନ୍ତି, “ଏବେ ମୁଁ ବୁଝିଯାଇଥିଲି ଯେ ଅନ୍ୟମାନଙ୍କର ସେବା କରିବାର ଅର୍ଥ କʼଣ । ଆଉ ମୋତେ ସେହି ଖୁସି ମିଳିଲା ଯାହା ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ମିଳେ ।”

ଜଣେ ଯୁବା ଭାଇ ନିଜ ଗାଡ଼ିରେ ଜଣେ ବୃଦ୍ଧ ଭାଇଙ୍କୁ ସଭାକୁ ନେଉଛନ୍ତି ।

ପ୍ରୌଢ଼ ଭାଇମାନଙ୍କ ସହିତ ସମୟ ବିତାଇଲେ ଯୁବା ଭାଇମାନଙ୍କୁ କʼଣ ଲାଭ ହୋଇପାରେ ? (ପାରାଗ୍ରାଫ ୭)


ତୀମଥିଙ୍କ ଭଳି ଅନ୍ୟମାନଙ୍କର ଚିନ୍ତା କରନ୍ତୁ

୮. ପାଉଲ କାହିଁକି ତୀମଥିଙ୍କୁ ନିଜ ସାଙ୍ଗରେ ନେଲେ ? (ଫିଲିପ୍‌ପୀୟ ୨:୧୯-୨୨)

୮ ପାଉଲଙ୍କୁ ପୁଣିଥରେ ସେହି ସହର ଯିବାର ଥିଲା ଯେଉଁଠି ତାଙ୍କର ବିରୋଧ କରାଯାଇଥିଲା । ସେଥିପାଇଁ ସେ ସେଠାରେ ଏପରି ଭାଇମାନଙ୍କୁ ନେବା ପାଇଁ ଚାହୁଁଥିଲେ ଯେଉଁମାନେ ସାହସୀ ଥିବେ । ସବୁଠୁ ପ୍ରଥମେ ସେ ଶୀଲା ନାମକ ଜଣେ ଭାଇଙ୍କୁ ବାଛିଲେ ଯିଏ ବହୁତ ଅନୁଭବୀ ଥିଲେ । (ପ୍ରେରି. ୧୫:୨୨, ୪୦) ପରେ ସେ ତୀମଥିଙ୍କୁ ବି ନିଜ ସହ ନେଇକି ଗଲେ । ସେ କାହିଁକି ତୀମଥିଙ୍କୁ ନେଲେ ? କାରଣ ତୀମଥିଙ୍କ ଭାଇଭଉଣୀମାନଙ୍କ ମଧ୍ୟରେ ଭଲ ନାମ ଥିଲା । (ପ୍ରେରି. ୧୬:୧, ୨) ତାʼସହ ସେ ଲୋକମାନଙ୍କର ହୃଦୟରୁ ଚିନ୍ତା କରୁଥିଲେ ।—ଫିଲିପ୍‌ପୀୟ ୨:୧୯-୨୨ ପଢ଼ନ୍ତୁ ।

୯. ଆମେ କାହିଁକି କହିପାରିବା ଯେ ତୀମଥି ହୃଦୟରୁ ଭାଇଭଉଣୀମାନଙ୍କର ଚିନ୍ତା କରୁଥିଲେ ?

୯ ପାଉଲ ଯେବେ ତୀମଥିଙ୍କ ସହ ସେବା କରିବା ଆରମ୍ଭ କଲେ, ତେବେ ସେ ଦେଖିଲେ ଯେ ତୀମଥି ନିଜ ଅପେକ୍ଷା ଅନ୍ୟମାନଙ୍କର ଅଧିକ ଚିନ୍ତା କରନ୍ତି । ସେଥିପାଇଁ ଯେବେ ପାଉଲଙ୍କୁ ହଠାତ୍‌ ବେରୟା ଛାଡ଼ି ଯିବାକୁ ପଡ଼ିଲା, ତେବେ ସେ ତୀମଥିଙ୍କ ଉପରେ ଭରସା ଦେଖାଇ ତାଙ୍କୁ ବେରୟାରେ ହିଁ ରହିବା ପାଇଁ କହିଲେ । ପାଉଲଙ୍କୁ ପୂରା ଭରସା ଥିଲା ଯେ ତୀମଥି ସେଠାର ସେହି ଭାଇଭଉଣୀମାନଙ୍କର ଉତ୍ସାହ ବଢ଼ାଇବେ, ଯେଉଁମାନେ କିଛି ସମୟ ପୂର୍ବରୁ ଯୀଶୁଙ୍କର ଶିଷ୍ୟ ହୋଇଥିଲେ । (ପ୍ରେରି. ୧୭:୧୩, ୧୪) ତୀମଥିଙ୍କ ସହ ଶୀଲା ମଧ୍ୟ ବେରୟାରେ ରହିଗଲେ । ଏହି ସମୟ ମଧ୍ୟରେ ତୀମଥି ଶୀଲାଙ୍କଠାରୁ ଅନେକ କଥା ଶିଖିଥିବେ । ତାʼପରେ ପାଉଲ ଥେସଲନୀକୀରେ ରହୁଥିବା ଭାଇଭଉଣୀମାନଙ୍କର ଉତ୍ସାହ ବଢ଼ାଇବା ପାଇଁ ତୀମଥିଙ୍କୁ ଏକୁଟିଆ ହିଁ ସେଠାକୁ ପଠାଇଲେ । (୧ ଥେସ. ୩:୨) ଆଗାମୀ ୧୫ ବର୍ଷ ଧରି ତୀମଥି ଭାଇଭଉଣୀମାନଙ୍କୁ ସହାନୁଭୂତି ଦେଖାଇବା ଶିଖିଲେ । ସେ ଶିଖିଲେ ଯେ “ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ” କରିବାର ଅର୍ଥ କʼଣ । (ରୋମୀ. ୧୨:୧୫; ୨ ତୀମ. ୧:୪) ଆଜି ଯୁବା ଭାଇମାନେ କିପରି ତୀମଥିଙ୍କ ଭଳି ହୋଇପାରିବେ ?

୧୦. ଭାଇ ବୁ-ଜେ କିପରି ଅନ୍ୟମାନଙ୍କର ଚିନ୍ତା କରିବା ଶିଖିଲେ ?

୧୦ ଭାଇ ବୁ-ଜେଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ, ଯିଏ ଅନ୍ୟମାନଙ୍କର ଚିନ୍ତା କରିବା ଶିଖିଲେ । ଯୁବା ସମୟରେ ତାଙ୍କୁ ବୃଦ୍ଧ ଭାଇଭଉଣୀମାନଙ୍କ ସହ କଥା ହେବା କଠିନ ଲାଗୁଥିଲା । ସେଥିପାଇଁ ସେ ରାଜ୍ୟଘରେ ସେମାନଙ୍କୁ କେବଳ ନମସ୍କାର କହି ଚାଲି ଯାଉଥିଲେ ଓ ସେମାନଙ୍କ ସହ କଥାବାର୍ତ୍ତା ହେଉ ନ ଥିଲେ । ସେ ଜଣେ ପ୍ରାଚୀନଙ୍କ ସହ କଥା ହେଲେ । ସେହି ପ୍ରାଚୀନ ଭାଇ, ବୁ-ଜେଙ୍କୁ କହିଲେ ଯେ ସେ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିବା ପାଇଁ କʼଣ କରିପାରିବେ । ସେ କହିଲେ ଯେ ସେ ଭାଇଭଉଣୀମାନଙ୍କର ପ୍ରଶଂସା କରି କହିପାରିବେ ଯେ ତାଙ୍କୁ ସେମାନଙ୍କର କେଉଁ କଥା ଭଲ ଲାଗେ । ସେହି ପ୍ରାଚୀନ ତାଙ୍କୁ ଏହା ବି କହିଲେ ଯେ ଅନ୍ୟମାନଙ୍କ ସହ କେଉଁ ବିଷୟରେ କଥା ହେବା ଭଲ ହେବ, ତାହା ବି ସେ ଭାବିପାରିବେ । ଭାଇ ବୁ-ଜେ ସେହି ପ୍ରାଚୀନଙ୍କ ପରାମର୍ଶ ମାନିଲେ । ଆଜି ଭାଇ ବୁ-ଜେ ମଧ୍ୟ ଜଣେ ପ୍ରାଚୀନ ଅଟନ୍ତି । ସେ କହନ୍ତି, “ବର୍ତ୍ତମାନ ମୁଁ ସବୁ ବୟସର ଲୋକମାନଙ୍କ ସହିତ ସହଜରେ ଓ ଭଲଭାବେ କଥା ହୋଇପାରେ । ମୋତେ ଏହି କଥା ପାଇଁ ବହୁତ ଖୁସି ଲାଗେ ଯେ ମୁଁ ଅନ୍ୟମାନଙ୍କର ପରିସ୍ଥିତି ଓ ସେମାନଙ୍କର କଷ୍ଟକୁ ବୁଝେ, ତେଣୁ ମୁଁ ସେମାନଙ୍କର ଭଲଭାବେ ସାହାଯ୍ୟ କରିପାରେ ।”

୧୧. ଯୁବା ଭାଇମାନେ କିପରି ମଣ୍ଡଳୀର ଭାଇଭଉଣୀମାନଙ୍କର ହୃଦୟରୁ ଚିନ୍ତା କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ଯୁବା ଭାଇମାନେ, ଆପଣମାନେ ବି ମଣ୍ଡଳୀର ପ୍ରତ୍ୟେକ ଭାଇଭଉଣୀମାନଙ୍କୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଏପରି କଲେ ଆପଣ ହୃଦୟରୁ ସେମାନଙ୍କର ଚିନ୍ତା କରିପାରିବେ । ଯେବେ ଆପଣ ସଭାକୁ ଯାʼନ୍ତି, ତେବେ ପ୍ରତ୍ୟେକ ବୟସର ଓ ପ୍ରତ୍ୟେକ ଜାଗାର ଲୋକମାନଙ୍କ ସହିତ କଥା ହୁଅନ୍ତୁ । ସେମାନଙ୍କର ଭଲମନ୍ଦ ଜାଣିବା ପାଇଁ ଚେଷ୍ଟା କରନ୍ତୁ ଓ ଧ୍ୟାନର ସହ ସେମାନଙ୍କର ଶୁଣନ୍ତୁ । ଏପରି କଲେ ଆପଣ ଜାଣିପାରିବେ ଯେ ସେମାନଙ୍କୁ କʼଣ ସାହାଯ୍ୟ ଦରକାର । ହୁଏତ ଆପଣ ଜାଣିପାରିବେ ଯେ କୌଣସି ବୃଦ୍ଧ ଭାଇ କିମ୍ବା ଭଉଣୀଙ୍କୁ JW ଲାଇବ୍ରେରୀ ଆପ୍‌ ଚଲାଇବା ପାଇଁ କଠିନ ଲାଗୁଛି । ଏପରି ସମୟରେ କʼଣ ଆପଣ ସେମାନଙ୍କୁ ଏହା ଚଲାଇବା ପାଇଁ ଶିଖାଇପାରିବେ ? କିମ୍ବା ଯଦି ଆପଣଙ୍କୁ ଜଣାପଡ଼େ ଯେ କାହାରିକୁ ପ୍ରଚାର ପାଇଁ ସାଥୀ ଦରକାର, ତାହେଲେ କʼଣ ଆପଣ ତାଙ୍କ ସହିତ ମିଶି ପ୍ରଚାରରେ ଯାଇପାରିବେ ? ଏପରି ଭାବେ ଯେବେ ଆପଣ ନିଜେ ଆଗକୁ ଆସି ଅନ୍ୟମାନଙ୍କର ସାହାଯ୍ୟ କରିବେ, ତେବେ ଆପଣ ସମସ୍ତଙ୍କ ପାଇଁ ଭଲ ଉଦାହରଣ ହୋଇପାରିବେ ।

ଜଣେ ଯୁବା ଭାଇ ଓ ବୃଦ୍ଧ ଭାଇ ମିଶି ଘର ଘର ପ୍ରଚାର କରୁଛନ୍ତି । ବୃଦ୍ଧ ଭାଇ ଜଣେ ବ୍ୟକ୍ତି ସହ କଥା ହେଉଛନ୍ତି ଓ ଯୁବା ଭାଇ ନିଜ ଟ୍ୟାବଲେଟରେ ଗୋଟିଏ ଭିଡିଓ ଦେଖାଉଛନ୍ତି ।

ଯୁବା ଭାଇମାନେ ଅନେକ ଉପାୟରେ ମଣ୍ଡଳୀର ଭାଇଭଉଣୀମାନଙ୍କର ସାହାଯ୍ୟ କରିପାରିବେ (ପାରାଗ୍ରାଫ ୧୧)


ପାଉଲଙ୍କ ପରାମର୍ଶରୁ ଲାଭ ପାଆନ୍ତୁ

୧୨. ପାଉଲ ତୀମଥିଙ୍କୁ ଯେଉଁ ପରାମର୍ଶ ଦେଲେ, ସେଥିରୁ ଆଜି ଯୁବା ଭାଇମାନଙ୍କୁ କିପରି ଲାଭ ହୋଇପାରିବ ?

୧୨ ପାଉଲ ତୀମଥିଙ୍କୁ ପୁଅ ଭଳି ଦେଖୁଥିଲେ । ସେ ତୀମଥିଙ୍କୁ ବଢ଼ିଆ ପରାମର୍ଶ ଦେଲେ, ଯାହାକୁ ମାନି ତୀମଥି ଖୁସିରେ ରହିପାରିଲେ ଓ ଭଲଭାବେ ଯିହୋବାଙ୍କର ସେବା କରିପାରିଲେ । (୧ ତୀମ. ୧:୧୮; ୨ ତୀମ. ୪:୫) ଯୁବା ଭାଇମାନେ, ଆପଣ ବି ପାଉଲଙ୍କର ଏହି ପରାମର୍ଶରୁ ଅନେକ କଥା ଶିଖିପାରିବେ । ଏହା ପାଇଁ ଆପଣଙ୍କୁ କʼଣ କରିବାକୁ ପଡ଼ିବ ? ପାଉଲ ତୀମଥିଙ୍କୁ ଯେଉଁ ଦୁଇଟି ଚିଠି ଲେଖିଲେ, ତାହାକୁ ଏପରି ଭାବେ ପଢ଼ନ୍ତୁ ଯେପରି ତାହା ଆପଣଙ୍କ ପାଇଁ ଲେଖାଯାଇଛି । ତାʼପରେ ଭାବନ୍ତୁ ଯେ ଆପଣ ସେଥିରେ ଦିଆଯାଇଥିବା ପରାମର୍ଶକୁ କିପରି ମାନିପାରିବେ । ଆସନ୍ତୁ ପାଉଲଙ୍କର କିଛି ପରାମର୍ଶ ଉପରେ ଧ୍ୟାନ ଦେବା ।

୧୩. ଯିହୋବାଙ୍କର ବିଶ୍ୱସ୍ତ ରହିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

୧୩ “ଈଶ୍ୱରପରାୟଣ ଜୀବନ ଯାପନ କରିବା ନିମନ୍ତେ ଅଭ୍ୟାସ କର ।” (୧ ତୀମ. ୪:୭ଖ) “ଈଶ୍ୱରପରାୟଣ” ହେବାର ଅର୍ଥ କʼଣ ? ଏହାର ଅର୍ଥ ହେଉଛି, ଯିହୋବାଙ୍କର ବିଶ୍ୱସ୍ତ ରହିବା ଓ ସେହି କାମଗୁଡ଼ିକୁ କରିବା ପାଇଁ ଗଭୀର ଇଚ୍ଛା ହେବା ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି । ଈଶ୍ୱରପରାୟଣ ଏପରି ଏକ ଗୁଣ ଅଟେ ଯାହା ଆମ ଭିତରେ ଜନ୍ମରୁ ନ ଥାଏ । ଆମକୁ ଏହା ବଢ଼ାଇବାକୁ ପଡ଼େ । ଆମେ ଏହା କିପରି ବଢ଼ାଇପାରିବା ? ଯେଉଁ ଗ୍ରୀକ୍‌ ଶବ୍ଦର ଅନୁବାଦ “ଅଭ୍ୟାସ କର” କରାଯାଇଛି, ତାହା ପ୍ରାୟ ସେହି ଖେଳାଳିମାନଙ୍କ ପାଇଁ ବ୍ୟବହାର କରାଯାଉଥିଲା ଯିଏ କୌଣସି ପ୍ରତିଯୋଗିତାରେ ଭାଗ ନେବା ପାଇଁ ବହୁତ ପରିଶ୍ରମ କରୁଥିଲା ଓ ନିଜ ସହ କଠୋର ହେଉଥିଲା । ଆମକୁ ବି ନିଜ ସହ କଠୋର ହେବା ଆବଶ୍ୟକ । ଏପରି କଲେ ଆମେ ଭଲ ଅଭ୍ୟାସ ରଖିପାରିବା ଯେଉଁଥିରୁ ଆମେ ଯିହୋବାଙ୍କର ଆହୁରି ନିକଟତର ହୋଇପାରିବା ।

୧୪. (କ) ଆମେ କାହିଁକି ବାଇବଲ ପଢ଼ିବା ଉଚିତ୍‌ ? (ଖ) ଆମେ ଏହା କିପରି କରିପାରିବା, ତାହାର ଗୋଟିଏ ଉଦାହରଣ ଦିଅନ୍ତୁ ।

୧୪ ପ୍ରତିଦିନ ବାଇବଲ ପଢ଼ିବା ଏକ ଭଲ ଅଭ୍ୟାସ ଅଟେ । ପ୍ରତିଦିନ ବାଇବଲ ପଢ଼ିଲେ ଆମକୁ କʼଣ ଲାଭ ହେବ ? ଏପରି କଲେ ଆମେ ଯିହୋବାଙ୍କର ଆହୁରି ନିକଟତର ହୋଇପାରିବା । ଆସନ୍ତୁ ଏହାର ଗୋଟିଏ ଉଦାହରଣ ଦେଖିବା । ଭାବନ୍ତୁ ଆପଣ ସେହି ଧନୀ ଯୁବା ଅଧିକାରୀର ଘଟଣା ପଢ଼ୁଛନ୍ତି ଯିଏ ଯୀଶୁଙ୍କୁ ଭେଟିବା ପାଇଁ ଆସିଥିଲା । (ମାର୍କ ୧୦:୧୭-୨୨) ସେହି ଯୁବା ବ୍ୟକ୍ତିକୁ ଭରସା ଥିଲା ଯେ ଯୀଶୁ ହିଁ ମସୀହ ଅଟନ୍ତି । କିନ୍ତୁ ତାକୁ ଏତେ ବିଶ୍ୱାସ ନ ଥିଲା ଯେ ସେ ନିଜର ସବୁକିଛି ଛାଡ଼ି ଯୀଶୁଙ୍କର ଶିଷ୍ୟ ହୋଇଯିବ । ତଥାପି ଯୀଶୁ ‘ଏକଦୃଷ୍ଟିରେ ଚାହିଁ ତାକୁ ସ୍ନେହ କଲେ’ ଓ ତାʼସହ ଭଲଭାବେ କଥାବାର୍ତ୍ତା ହେଲେ । କʼଣ ଏହି କଥା ଆପଣଙ୍କ ହୃଦୟକୁ ଛୁଏନି ? ଯୀଶୁ ଚାହୁଁଥିଲେ ଯେ ସେହି ବ୍ୟକ୍ତି ଭଲ ନିଷ୍ପତ୍ତି ନେଉ । ଯୀଶୁଙ୍କ କଥାରୁ ଏହା ମଧ୍ୟ ଜଣାପଡ଼େ ଯେ ଯିହୋବା ସେହି ବ୍ୟକ୍ତିକୁ ବହୁତ ପ୍ରେମ କରୁଥିଲେ । (ଯୋହ. ୧୪:୯) ଏହି ଘଟଣା ପଢ଼ିବା ପରେ ଆପଣ ନିଜର ପରିସ୍ଥିତି ବିଷୟରେ ଭାବନ୍ତୁ ଓ ନିଜକୁ ପଚାରନ୍ତୁ, ‘ଯିହୋବାଙ୍କର ନିକଟତର ହେବା ପାଇଁ ଓ ଭାଇଭଉଣୀମାନଙ୍କର ଆହୁରି ଅଧିକ ସେବା କରିବା ପାଇଁ ମୋତେ କʼଣ କରିବାକୁ ପଡ଼ିବ ?’

୧୫. ଯୁବା ଭାଇମାନେ କାହିଁକି ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ହେବା ଉଚିତ୍‌ ? ଗୋଟିଏ ଉଦାହରଣ ଦିଅନ୍ତୁ । (୧ ତୀମଥି ୪:୧୨, ୧୩)

୧୫ “ବିଶ୍ୱାସୀମାନଙ୍କର ଆଦର୍ଶ ସ୍ୱରୂପ ହୁଅ ।” (୧ ତୀମଥି ୪:୧୨, ୧୩ ପଢ଼ନ୍ତୁ ।) ପାଉଲ ତୀମଥିଙ୍କୁ କହିଲେ ଯେ ସେ ପଢ଼ିବାର ଓ ଶିଖାଇବାର କଳା ବଢ଼ାନ୍ତୁ । କିନ୍ତୁ ସେ ଏହା ମଧ୍ୟ କହିଲେ ଯେ ତୀମଥି ନିଜ ଭିତରେ ପ୍ରେମ ଓ ବିଶ୍ୱାସ ଭଳି ଗୁଣ ବଢ଼ାନ୍ତୁ ଓ ପବିତ୍ରତା ବଜାୟ ରଖନ୍ତୁ । ସେ ଏପରି କାହିଁକି କହିଲେ ? କାରଣ ଲୋକମାନଙ୍କ ଉପରେ ଆମ କଥାଠାରୁ ଅଧିକ ଆମ କାମ ପ୍ରଭାବ ପକାଏ । ଭାବନ୍ତୁ, ଆପଣଙ୍କୁ ଏକ ଭାଷଣ ଦେବାର ଅଛି ଓ ପ୍ରଚାର କରିବା ପାଇଁ ଭାଇଭଉଣୀମାନଙ୍କ ଭିତରେ ଉତ୍ସାହ ବଢ଼ାଇବାର ଅଛି । ଯଦି ଆପଣ ନିଜେ ଉତ୍ସାହର ସହ ପ୍ରଚାର କରନ୍ତି, ତାହେଲେ ଆପଣ ଉତ୍ସାହର ସହ ଅନ୍ୟମାନଙ୍କୁ ମଧ୍ୟ ଏପରି କରିବା ପାଇଁ ପ୍ରୋତ୍ସାହନ ଦେଇପାରିବେ । ଆଉ ଯେବେ ଭାଇଭଉଣୀମାନେ ଦେଖିବେ ଯେ ଆପଣ ନିଜେ ଏହି ମାମଲାରେ ଏକ ଆଦର୍ଶ, ତାହେଲେ ଆପଣଙ୍କର କଥା ସେମାନଙ୍କ ଉପରେ ଭଲ ପ୍ରଭାବ ପକାଇବ ।—୧ ତୀମ. ୩:୧୩.

୧୬. (କ) ଯୁବା ଖ୍ରୀଷ୍ଟିୟାନମାନେ କେଉଁ ପାଞ୍ଚଟି କଥାରେ ଏକ ଆଦର୍ଶ ହୋଇପାରିବେ ? (ଖ) ଜଣେ ଯୁବା ଭାଇ କହିବା ମାମଲାରେ କିପରି ଏକ ଆଦର୍ଶ ହୋଇପାରିବ ?

୧୬ ପ୍ରଥମ ତୀମଥି ୪:୧୨ ପଦରେ ପାଉଲ ଏପରି ପାଞ୍ଚଟି କଥା ବିଷୟରେ କହିଲେ, ଯେଉଁଥିରେ ଜଣେ ଯୁବା ଭାଇ ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ହୋଇପାରିବ । ଆମେ ପ୍ରୋତ୍ସାହନ ଦେଉ ଯେ ନିଜର ବ୍ୟକ୍ତିଗତ ଅଧ୍ୟୟନ ବେଳେ ଆପଣ ଏହି କଥାଗୁଡ଼ିକୁ ଅନୁସନ୍ଧାନ କରନ୍ତୁ । ଭାବନ୍ତୁ, ଯଦି ଆପଣ “ବାକ୍ୟରେ” ବା କହିବା ମାମଲାରେ ଏକ ଆଦର୍ଶ ହେବା ପାଇଁ ଚାହାନ୍ତି, ତାହେଲେ ଆପଣ କʼଣ କରିପାରିବେ ? ଏବିଷୟରେ ଭାବନ୍ତୁ ଯେ ଆପଣ ନିଜର କଥାରୁ କିପରି ଅନ୍ୟମାନଙ୍କର ଉତ୍ସାହ ବଢ଼ାଇପାରିବେ । ଯେପରି, ଯଦି ଆପଣ ନିଜର ବାପାମାଆଙ୍କ ସହିତ ରହୁଛନ୍ତି ତାହେଲେ ସେମାନେ ଆପଣଙ୍କ ପାଇଁ ଯାହା ବି କରୁଛନ୍ତି, କʼଣ ତାʼପାଇଁ ଆପଣ ପ୍ରତିଥର ହୃଦୟରୁ ତାଙ୍କୁ ଧନ୍ୟବାଦ ଦେଇପାରିବେ ? କିମ୍ବା ସଭାରେ ଯେଉଁ ଭାଇଭଉଣୀମାନେ ନିଜର ଭାଗ ପରିବେଷଣ କରନ୍ତି, କʼଣ ଆପଣ ସେମାନଙ୍କୁ କହିପାରିବେ ଯେ ଆପଣଙ୍କୁ ସେମାନଙ୍କର ଭାଗର କେଉଁ କଥା ଭଲ ଲାଗିଲା ? ତାʼଛଡ଼ା ଆପଣ ସଭାରେ ନିଜ ଶବ୍ଦରେ ଉତ୍ତର ଦେବା ପାଇଁ ଚେଷ୍ଟା କରିପାରିବେ ? ଏପରି ଭାବେ ଯେବେ ଆପଣ କହିବା ମାମଲାରେ ଏକ ଆଦର୍ଶ ହେବା ପାଇଁ ଚେଷ୍ଟା କରିବେ, ତେବେ ସମସ୍ତ ଲୋକଙ୍କୁ ଆପଣଙ୍କର ଉନ୍ନତି ସ୍ପଷ୍ଟ ଦେଖାଯିବ ।—୧ ତୀମ. ୪:୧୫.

୧୭. ଜଣେ ଯୁବା ଭାଇ ଯିହୋବାଙ୍କର ସେବା ସହ ଜଡ଼ିତ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ କʼଣ କରିପାରିବ ? (୨ ତୀମଥି ୨:୨୨)

୧୭ ‘ଯୌବନ କାଳର ଅଭିଳାଷରୁ ପଳାୟନ କର ଓ ଧାର୍ମିକତାର ଅନୁଗାମୀ ହୁଅ ।’ (୨ ତୀମଥି ୨:୨୨ ପଢ଼ନ୍ତୁ ।) ପାଉଲ ତୀମଥିଙ୍କୁ କହିଲେ ଯେ ସେ ଯୌବନ କାଳର ଅଭିଳାଷରୁ ପଳାୟନ କରୁ । କିନ୍ତୁ କାହିଁକି ? କାରଣ ଏହି ଇଚ୍ଛାଗୁଡ଼ିକ ଯିହୋବାଙ୍କର ସେବାରେ ଅଧିକ କରିବା ପାଇଁ ତୀମଥିଙ୍କୁ ରୋକନ୍ତା ଓ ଯିହୋବାଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଖରାପ ହୋଇପାରନ୍ତା । ଏବେ ନିଜ ବିଷୟରେ ଭାବନ୍ତୁ । ହୁଏତ ଆପଣଙ୍କର କିଛି ଏପରି ସଉକ ଅଛି ଯାହା ହୁଏତ ଭୁଲ ନୁହେଁ, କିନ୍ତୁ ସେଥିରେ ଆପଣଙ୍କର ଏତେ ସମୟ ନଷ୍ଟ ହୋଇଯାଏ ଯେ ଯିହୋବାଙ୍କର ସେବାରେ ଅଧିକ କରିବା ପାଇଁ ଆପଣଙ୍କ ପାଖରେ ସମୟ ହିଁ ନ ଥାଏ । ଯେପରି, ଆପଣଙ୍କୁ କୌଣସି ଖେଳ ଖେଳିବା ବହୁତ ପସନ୍ଦ ଲାଗେ କିମ୍ବା ଆପଣଙ୍କୁ ଇଣ୍ଟରନେଟ୍‌ ଚଳାଇବା ଓ ଭିଡିଓ ଗେମ୍‌ ଖେଳିବା ଭଲ ଲାଗେ । କʼଣ ଆପଣ ଏସବୁରୁ ଟିକିଏ ସମୟ ବାହାର କରି ସେହି ସମୟକୁ ଈଶ୍ୱରଙ୍କର ସେବାରେ ଲଗାଇପାରିବେ ? ଯେପରି, କʼଣ ଆପଣ ନିଜର ରାଜ୍ୟଘରର ରକ୍ଷଣାବେକ୍ଷଣ କାମରେ ସହଯୋଗ କରିପାରିବେ ? କିମ୍ବା କାର୍ଟ ଲଗାଇ ସାକ୍ଷ୍ୟ ଦେବାରେ ଭାଗ ନେଇପାରିବେ ? ଯଦି ଆପଣ ଏପରି କରିବେ, ତାହେଲେ ଆପଣ ନୂଆ ସାଙ୍ଗ କରିପାରିବେ ଓ ସେହି ସାଙ୍ଗମାନେ ଆପଣଙ୍କୁ ଯିହୋବାଙ୍କ ସେବାରେ ଲକ୍ଷ୍ୟ ରଖିବା ପାଇଁ ଓ ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ସାହାଯ୍ୟ କରିବେ ।

ଅନ୍ୟମାନଙ୍କର ସେବା କଲେ ଆଶିଷ ମିଳେ

୧୮. ଯିହୋବାଙ୍କର ସେବାରେ ଅଧିକ କରିବା ଯୋଗୁଁ ମାର୍କ ଓ ତୀମଥିଙ୍କୁ କେଉଁ କେଉଁ ଆଶିଷ ମିଳିଲା ?

୧୮ ଯିହୋବାଙ୍କର ସେବାରେ ଅଧିକ କରିବା ପାଇଁ ମାର୍କ ଓ ତୀମଥି ଅନେକ ତ୍ୟାଗ କଲେ ଓ ଏହା ଯୋଗୁଁ ସେମାନଙ୍କୁ ଅନେକ ଆଶିଷ ମଧ୍ୟ ମିଳିଲା । (ପ୍ରେରି. ୨୦:୩୫) ମାର୍କଙ୍କୁ ଦୂର ଦୂରାନ୍ତ ଜାଗାରେ ଥିବା ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବାର ସୁଯୋଗ ମିଳିଲା । ତାଙ୍କୁ ଯୀଶୁଙ୍କ ଜୀବନ ଓ ସେବା ବିଷୟରେ ଲେଖିବାର ସମ୍ମାନ ମିଳିଲା । ତୀମଥି ନୂଆ ମଣ୍ଡଳୀ ଆରମ୍ଭ କରିବା ଓ ଭାଇଭଉଣୀମାନଙ୍କର ଉତ୍ସାହ ବଢ଼ାଇବାରେ ପାଉଲଙ୍କୁ ସାହାଯ୍ୟ କରିପାରିଲେ । ସତରେ, ସେମାନେ ଦୁହେଁ ଯାହା ବି ତ୍ୟାଗ କଲେ ଯିହୋବା ସେଥିରୁ ବହୁତ ଖୁସି ହୋଇଥିବେ !

୧୯. ଯୁବା ଭାଇମାନଙ୍କୁ କାହିଁକି ପାଉଲଙ୍କର ପରାମର୍ଶ ମାନିବା ଉଚିତ୍‌ ଓ ଏଥିରୁ ସେମାନଙ୍କୁ କʼଣ ଆଶିଷ ମିଳିବ ?

୧୯ ପାଉଲ ନିଜର ଯୁବା ସାଙ୍ଗ ତୀମଥିଙ୍କୁ ଯେଉଁ ଦୁଇଟି ଚିଠି ଲେଖିଲେ, ସେଥିରୁ ସ୍ପଷ୍ଟ ଜଣାପଡ଼େ ଯେ ସେ ତାଙ୍କୁ କେତେ ପ୍ରେମ କରୁଥିଲେ । କିନ୍ତୁ ଯିହୋବା ଏହି ଚିଠିଗୁଡ଼ିକ ଆମ ପାଇଁ ମଧ୍ୟ ଲେଖାଇଲେ । ଏଥିରୁ ଜଣାପଡ଼େ ଯେ ସେ ଆପଣ ସମସ୍ତ ଯୁବା ଭାଇମାନଙ୍କୁ ବହୁତ ପ୍ରେମ କରନ୍ତି । ସେ ଚାହାନ୍ତି ଯେ ଆପଣ ତାଙ୍କର ସେବା କରନ୍ତୁ ଓ ଅନେକ ଆଶିଷ ପାଆନ୍ତୁ । ସେଥିପାଇଁ ପାଉଲ ଜଣେ ବାପାଙ୍କ ଭଳି ଏହି ଚିଠିରେ ଯେଉଁ ପରାମର୍ଶ ଦେଇଛନ୍ତି ସେଗୁଡ଼ିକୁ ମାନନ୍ତୁ । ଯିହୋବା ଓ ଭାଇଭଉଣୀମାନଙ୍କର ଆହୁରି ଅଧିକ ସେବା କରିବା ପାଇଁ ଇଚ୍ଛା ବଢ଼ାନ୍ତୁ । ଯଦି ଆପଣ ଏପରି କରିବେ, ତାହେଲେ ଆପଣ ଏକ ଭଲ ଜୀବନ ବଞ୍ଚିପାରିବେ ଓ ଭବିଷ୍ୟତରେ “ପ୍ରକୃତ ଜୀବନ ପ୍ରାପ୍ତ” କରିପାରିବେ ।—୧ ତୀମ. ୬:୧୮, ୧୯.

ଆପଣ କʼଣ ଉତ୍ତର ଦେବେ ?

  • ଆପଣ ମାର୍କଙ୍କଠାରୁ କʼଣ ଶିଖିଲେ ?

  • ଆପଣ କିପରି ତୀମଥିଙ୍କ ଭଳି ଅନ୍ୟମାନଙ୍କର ଚିନ୍ତା କରିପାରିବେ ?

  • ଯିହୋବାଙ୍କର ସେବାରେ ଅଧିକ କରିବା ପାଇଁ ପାଉଲ ଯୁବା ଭାଇମାନଙ୍କୁ କʼଣ ପରାମର୍ଶ ଦେଲେ ?

ଗୀତ ୮୦ “ପାରାଖ୍‌କର୍‌ ଦେଖୋ କି ୟହୋୱା କିତ୍‌ନା ଭାଲା ହୈ”

a ପିତର ଜଣେ ଭାବୁକ ବ୍ୟକ୍ତି ଥିଲେ, ତେଣୁ ସେ ମାର୍କଙ୍କୁ ଖୋଲିକି କହିଥିବେ ଯେ ଯୀଶୁ ଅଲଗା ଅଲଗା ପରିସ୍ଥିତିରେ ଯାହା କଲେ, ତାହା କାହିଁକି କଲେ ଓ ସେସମୟରେ ତାଙ୍କୁ କିପରି ଅନୁଭବ ହେଉଥିଲା । ହୁଏତ ଏହି କାରଣ ଯୋଗୁଁ ମାର୍କ ଯୀଶୁଙ୍କ ଜୀବନ ବିଷୟରେ ଲେଖିବା ସମୟରେ ପ୍ରାୟ ଯୀଶୁଙ୍କର ଭାବନା ଓ ତାଙ୍କର କାମ ବିଷୟରେ କହିଲେ ।—ମାର୍କ ୩:୫; ୭:୩୪; ୮:୧୨.

b ଚିତ୍ର ବିଷୟରେ: ମିଶନାରୀ ଯାତ୍ରା ସମୟରେ ପାଉଲ ଓ ବର୍ଣ୍ଣବ୍‌ବାଙ୍କୁ, ମାର୍କ ସାହାଯ୍ୟ କରୁଛନ୍ତି । ତୀମଥି ଗୋଟିଏ ମଣ୍ଡଳୀର ପରିଦର୍ଶନ କରୁଛନ୍ତି ଓ ଭାଇଭଉଣୀମାନଙ୍କର ଉତ୍ସାହ ବଢ଼ାଉଛନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ