ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଜୁଲାଇ ପୃଷ୍ଠା ୧୪-୧୯
  • ମୌଳିକ ଶିକ୍ଷାଗୁଡ଼ିକରୁ ଶିଖନ୍ତୁ, ନୂଆ ନୂଆ କଥା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୌଳିକ ଶିକ୍ଷାଗୁଡ଼ିକରୁ ଶିଖନ୍ତୁ, ନୂଆ ନୂଆ କଥା
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯିହୋବା ସୃଷ୍ଟିକର୍ତ୍ତା ଅଟନ୍ତି
  • ଈଶ୍ୱର କାହିଁକି ଦୁଃଖକଷ୍ଟକୁ ଦୂର କରି ନାହାନ୍ତି ?
  • ଆମେ “ଶେଷକାଳରେ” ବଞ୍ଚୁଛୁ
  • ଯିହୋବା ଯେଉଁ କଥାଗୁଡ଼ିକୁ ମନେ ପକାଇ ଦିଅନ୍ତି, ସେଗୁଡ଼ିକୁ ବହୁମୂଲ୍ୟ ମନେ କରନ୍ତୁ
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଆପଣ ସତ ଓ ମିଛକୁ ଚିହ୍ନିପାରିବେ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଆମେ କାହିଁକି ପ୍ରଚାର କରୁ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଜୁଲାଇ ପୃଷ୍ଠା ୧୪-୧୯

ଅଧ୍ୟୟନ ଲେଖା ୩୦

ଗୀତ ୯୪ ଯିହୋବାଙ୍କ ବାକ୍ୟ ପାଇଁ କୃତଜ୍ଞ

ମୌଳିକ ଶିକ୍ଷାଗୁଡ଼ିକରୁ ଶିଖନ୍ତୁ, ନୂଆ ନୂଆ କଥା

“ତୁମ୍ଭେମାନେ ଯଦ୍ୟପି ଏହିସବୁ ବିଷୟ ଜାଣ ଓ ପ୍ରାପ୍ତ ସତ୍ୟରେ ସ୍ଥିରୀକୃତ ହୋଇଅଛ, ତଥାପି ମୁଁ ଏହିସବୁ ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଇବାକୁ ସର୍ବଦା ପ୍ରସ୍ତୁତ ହୋଇ ରହିବି ।”—୨ ପିତ. ୧:୧୨.

କʼଣ ଶିଖିବା ?

ଆପଣ ଆରମ୍ଭରେ ବାଇବଲରୁ ଯେଉଁ ମୌଳିକ ଶିକ୍ଷାଗୁଡ଼ିକ ବିଷୟରେ ଶିଖିଥିଲେ, ସେଥିରୁ ଆଜି ବି ଆପଣ କିଛି ଜରୁରୀ କଥାଗୁଡ଼ିକ ଶିଖିପାରିବେ ।

୧. ଯେବେ ଆପଣ ଆରମ୍ଭରେ ସତ୍ୟ ଶିଖିଲେ, ତେବେ ବାଇବଲରୁ ମୌଳିକ ଶିକ୍ଷାଗୁଡ଼ିକୁ ଶିଖି ଆପଣଙ୍କୁ କʼଣ ଲାଭ ହେଲା ?

ବାଇବଲରୁ ମୌଳିକ ଶିକ୍ଷାଗୁଡ଼ିକୁ ଶିଖି ଆମ ଜୀବନ ବଦଳିଗଲା । ଯେପରି ଆମେ ଯିହୋବାଙ୍କ ନାମ ବିଷୟରେ ଜାଣି ବହୁତ ଖୁସି ହୋଇଗଲୁ ଏବଂ ଆମକୁ ତାଙ୍କ ବିଷୟରେ ଜାଣିବା ପାଇଁ ଇଚ୍ଛା ହେଲା । (ଯିଶା. ୪୨:୮) ଆମେ ମୃତ୍ୟୁ ବିଷୟରେ ବି ସତ୍ୟ ଶିଖିଲୁ । ଯେବେ ଆମେ ଜାଣିଲୁ ଯେ ଆମର ଯେଉଁ ପ୍ରିୟଜନମାନଙ୍କର ମୃତ୍ୟୁ ହୋଇଯାଇଛି ସେମାନେ କୌଣସି କଷ୍ଟ ପାଉ ନାହାନ୍ତି, ତେବେ ଆମର ଚିନ୍ତା ଦୂର ହୋଇଗଲା । (ଉପ. ୯:୧୦) ତାʼସହିତ ଯେବେ ଆମେ ଶିଖିଲୁ ଯେ ଈଶ୍ୱର ପୃଥିବୀକୁ ପାରଦୀଶ କରିଦେବେ, ତେବେ ଭବିଷ୍ୟତ ବିଷୟରେ ଆମକୁ ଆଉ ଚିନ୍ତା ରହିଲା ନାହିଁ । କେବଳ ଏତିକି ନୁହେଁ, ଆମକୁ ଭରସା ହୋଇଗଲା ଯେ ଆମେ କେବଳ ୭୦-୮୦ ବର୍ଷ ବୟସ ଯାଏ ବଞ୍ଚିବା ନାହିଁ, ବରଂ ଆମେ ସବୁଦିନ ଯାଏ ବଞ୍ଚିପାରିବା ।—ଗୀତ. ୩୭:୨୯; ୯୦:୧୦.

୨. ୨ ପିତର ୧:୧୨, ୧୩ ପଦରୁ କିପରି ଜଣାପଡ଼େ ଯେ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ବାଇବଲରୁ ମୌଳିକ ଶିକ୍ଷାଗୁଡ଼ିକୁ ଧ୍ୟାନ ଦେଲେ ଲାଭ ହୋଇପାରିବ ?

୨ ଆମେ ବାଇବଲର ମୌଳିକ ଶିକ୍ଷାଗୁଡ଼ିକୁ କେବେ ବି କମ୍‌ ଭାବିବା ଉଚିତ୍‌ ନୁହେଁ । ଧ୍ୟାନ ଦିଅନ୍ତୁ ଯେ ପ୍ରେରିତ ପିତର ନିଜର ଦ୍ୱିତୀୟ ଚିଠିରେ ସେହି ଖ୍ରୀଷ୍ଟିୟାନମାନଙ୍କୁ କʼଣ ଲେଖିଲେ, ଯେଉଁମାନେ ‘ସତ୍ୟରେ ସ୍ଥିରୀକୃତ ଥିଲେ ।’ (୨ ପିତର ୧:୧୨, ୧୩ ପଢ଼ନ୍ତୁ ।) ପିତର ସେମାନଙ୍କୁ ବାଇବଲର ମୌଳିକ ଶିକ୍ଷାଗୁଡ଼ିକୁ ମନେ ପକାଇ ଦେଲେ, ଯାହା ବିଷୟରେ ସେମାନେ ପୂର୍ବରୁ ଜାଣିଥିଲେ । ସେ ଏପରି କାହିଁକି କଲେ ? କାରଣ ସେସମୟରେ ମଣ୍ଡଳୀରେ କିଛି ଦୁଷ୍ଟ ଲୋକ ଓ ମିଛ ଶିକ୍ଷକ, ଭାଇମାନଙ୍କୁ ଭ୍ରାନ୍ତ କରିବା ପାଇଁ ଚାହୁଁଥିଲେ । (୨ ପିତ. ୨:୧-୩) ସେମାନଙ୍କଠାରୁ ରକ୍ଷା କରିବା ପାଇଁ ପିତର ନିଜର ଭାଇଭଉଣୀମାନଙ୍କର ବିଶ୍ୱାସ ଦୃଢ଼ କରିବା ପାଇଁ ଚାହୁଁଥିଲେ । ତେଣୁ ସେ ସେମାନଙ୍କୁ ଏହି ମୌଳିକ ଶିକ୍ଷାଗୁଡ଼ିକୁ ମନେ ପକାଇ ଦେଲେ । ତାଙ୍କୁ ପୂରା ଭରସା ଥିଲା ଯେ ଯଦି ଭାଇଭଉଣୀମାନେ ଏହି କଥାଗୁଡ଼ିକୁ ଧ୍ୟାନ ଦେବେ, ତାହେଲେ ସେମାନେ ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ହୋଇ ରହିପାରିବେ ।

୩. ଉଦାହରଣ ଦେଇ ବୁଝାନ୍ତୁ ଯେ କାହିଁକି ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ବାଇବଲର ମୌଳିକ ଶିକ୍ଷାଗୁଡ଼ିକୁ ଚିନ୍ତନ କରିବା ଜାରି ରଖିବା ଉଚିତ୍‌ ।

୩ ଯଦିଓ ଆମେ ଅନେକ ବର୍ଷରୁ ଯିହୋବାଙ୍କର ସେବା କରୁଛୁ, ତଥାପି ଆମେ ବାଇବଲର ମୌଳିକ ଶିକ୍ଷାଗୁଡ଼ିକରୁ ନୂଆ ନୂଆ କଥା ଶିଖିପାରିବା । ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଭାବନ୍ତୁ, ଦୁଇଜଣ ରୋଷେଇଆ ଅଛନ୍ତି । ଜଣେ ବହୁତ ଭଲଭାବେ ରୋଷେଇ କରେ, କିନ୍ତୁ ଅନ୍ୟଜଣେ କିଛି ସମୟ ପୂର୍ବରୁ ହିଁ ରୋଷେଇ କରିବା ଶିଖିଛି । ଆପଣ ସେହି ଦୁଇଜଣଙ୍କୁ ଗୋଟିଏ ପ୍ରକାରର ମସଲା ଓ ପନିପରିବା ଦେଇ କହନ୍ତି ଯେ ସେମାନେ ଏଥିରୁ ରୋଷେଇ କରନ୍ତୁ । ଯିଏ ଭଲ ରୋଷେଇ କରେ, ସେ ହୁଏତ ନୂଆ ରୋଷେଇଆ ତୁଳନାରେ ପୂରାପୂରି ଭିନ୍ନ ଓ ସ୍ୱାଦିଷ୍ଟ ତରକାରୀ କରେ । ଠିକ୍‌ ସେହିଭଳି, ଅନୁଭବୀ ଖ୍ରୀଷ୍ଟିୟାନମାନେ ନୂଆ ଲୋକମାନଙ୍କ ତୁଳନାରେ ବାଇବଲର ମୌଳିକ ଶିକ୍ଷାଗୁଡ଼ିକରୁ ନୂଆ ନୂଆ କଥା ଶିଖିଯାʼନ୍ତି । ବାପ୍ତିସ୍ମ ନେଲା ପରେ ସେମାନେ ଅଲଗା ଅଲଗା ସମସ୍ୟାର ସାମନା କରିଛନ୍ତି ଏବଂ ହୁଏତ ଯିହୋବାଙ୍କ ସେବାରେ ଅଲଗା ଅଲଗା ଦାୟିତ୍ୱ ତୁଲାଇଛନ୍ତି । ତେଣୁ ସେମାନେ ବାଇବଲର ମୌଳିକ ଶିକ୍ଷାଗୁଡ଼ିକୁ ନୂଆ ଉପାୟରେ ଲାଗୁ କରିପାରନ୍ତି । ଆସନ୍ତୁ ବାଇବଲର ତିନୋଟି ମୌଳିକ ଶିକ୍ଷା ଉପରେ ଧ୍ୟାନ ଦେବା ଏବଂ ଜାଣିବା ଯେ ପ୍ରୌଢ଼ ଖ୍ରୀଷ୍ଟିୟାନମାନେ ଏଥିରୁ କʼଣ ଶିଖିପାରିବେ ।

ଯିହୋବା ସୃଷ୍ଟିକର୍ତ୍ତା ଅଟନ୍ତି

୪. ଯିହୋବା ସୃଷ୍ଟିକର୍ତ୍ତା, ଏହି ସତ୍ୟକୁ ଜାଣିବା ଯୋଗୁଁ ଆମକୁ କʼଣ ଲାଭ ହୋଇଛି ?

୪ “ସମସ୍ତ ବିଷୟର ଯେ ସ୍ଥାପନକର୍ତ୍ତା, ସେ ଈଶ୍ୱର ।” (ଏବ୍ରୀ ୩:୪) ଆମେ ଜାଣିଛୁ ଯେ ଏହି ପୃଥିବୀ ଏବଂ ଏଥିରେ ଥିବା ଜୀବଜନ୍ତୁଗୁଡ଼ିକୁ ଈଶ୍ୱର ସୃଷ୍ଟି କରିଛନ୍ତି, ଯିଏ ଅତି ବୁଦ୍ଧିମାନ ଓ ସର୍ବଶକ୍ତିମାନ । ସେ ଆମ ମଣିଷମାନଙ୍କୁ ମଧ୍ୟ ସୃଷ୍ଟି କରିଛନ୍ତି, ସେଥିପାଇଁ ସେ ଆମକୁ ବହୁତ ଭଲଭାବରେ ଜାଣନ୍ତି । ତାʼସହିତ ସେ ଆମର ବହୁତ ଚିନ୍ତା କରନ୍ତି ଏବଂ ଆମ ପାଇଁ କʼଣ ଭଲ, ତାହା ସେ ଭଲଭାବରେ ଜାଣନ୍ତି । ସତରେ, ଯିହୋବା ସୃଷ୍ଟିକର୍ତ୍ତା, ଏହି ମୌଳିକ ସତ୍ୟକୁ ଜାଣିବା ଯୋଗୁଁ ଆମ ଜୀବନ ପୂରାପୂରି ବଦଳିଯାଇଛି । ଆମକୁ ବଞ୍ଚିବାର ଗୋଟିଏ ଉଦ୍ଦେଶ୍ୟ ମିଳିଯାଇଛି ।

୫. କେଉଁ ସତ୍ୟକୁ ଧ୍ୟାନ ଦେଲେ ଆମେ ନମ୍ର ହେବା ପାଇଁ ଶିଖିପାରିବା ? (ଯିଶାଇୟ ୪୫:୯-୧୨)

୫ ଯିହୋବା ସୃଷ୍ଟିକର୍ତ୍ତା, ଏହି ସତ୍ୟକୁ ଧ୍ୟାନ ଦେଲେ ଆମେ ନମ୍ର ହେବା ପାଇଁ ଶିଖିପାରିବା । ଆୟୁବଙ୍କ ବିଷୟରେ ଭାବନ୍ତୁ । ଥରେ ଆୟୁବ ନିଜ ଉପରେ ଓ ଅନ୍ୟମାନଙ୍କ ଉପରେ ଅତ୍ୟଧିକ ଧ୍ୟାନ ଦେବାକୁ ଲାଗିଲେ । ସେହି ସମୟରେ ଯିହୋବା ଆୟୁବଙ୍କୁ ଏହି ସତ୍ୟ ମନେ ପକାଇ ଦେଲେ ଯେ ସର୍ବଶକ୍ତିମାନ ଈଶ୍ୱର ଓ ସୃଷ୍ଟିକର୍ତ୍ତା କିଏ । (ଆୟୁ. ୩୮:୧-୪) ଏଥିରୁ ଆୟୁବ ବୁଝିପାରିଲେ ଯେ ଯିହୋବାଙ୍କର ଚିନ୍ତାଧାରା ମଣିଷମାନଙ୍କ ଚିନ୍ତାଧାରାଠାରୁ ଉଚ୍ଚତର । ଅନେକ ବର୍ଷ ପରେ ଭବିଷ୍ୟଦ୍‌ବକ୍ତା ଯିଶାଇୟ ମଧ୍ୟ ଏପରି ହିଁ କିଛି ଲେଖିଲେ । ସେ କହିଲେ, “ମୃତ୍ତିକା କʼଣ ତାʼର ଗଢ଼ିବା ଲୋକକୁ କହିବ, ତୁମ୍ଭେ କଅଣ ନିର୍ମାଣ କରୁଅଛ ?”—ଯିଶାଇୟ ୪୫:୯-୧୨ ପଢ଼ନ୍ତୁ ।

୬. ବିଶେଷ କରି କେବେ ଏହି ମହତ୍ତ୍ୱପୂର୍ଣ୍ଣ ସତ୍ୟ ବିଷୟରେ ଭାବିବା ଭଲ ହେବ ଯେ ଆମ ସୃଷ୍ଟିକର୍ତ୍ତା ଅତି ବୁଦ୍ଧିମାନ ଓ ଶକ୍ତିଶାଳୀ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୬ ଯେବେ ଜଣେ ଖ୍ରୀଷ୍ଟିୟାନ ଲମ୍ବା ସମୟରୁ ଯିହୋବାଙ୍କ ସେବା କରେ, ତେବେ ହୁଏତ ସେ ଯିହୋବାଙ୍କ ଉପରେ ଭରସା କରିବା ଓ ତାଙ୍କ ବାକ୍ୟରୁ ମାର୍ଗଦର୍ଶନ ନେବା ପରିବର୍ତ୍ତେ ନିଜ ଉପରେ ଅତ୍ୟଧିକ ଭରସା କରିବାକୁ ଏବଂ ନିଜ ମତକୁ ଅତ୍ୟଧିକ ମହତ୍ତ୍ୱ ଦେବାକୁ ଲାଗେ । (ଆୟୁ. ୩୭:୨୩, ୨୪) କିନ୍ତୁ ଯଦି ସେ ସୃଷ୍ଟିକର୍ତ୍ତାଙ୍କ ବିଷୟରେ ଏହା ଭାବିବ ଯେ ସେ କେତେ ଶକ୍ତିଶାଳୀ ଓ କେତେ ବୁଦ୍ଧିମାନ, ତେବେ ଏଥିରୁ ତାକୁ କʼଣ ଲାଭ ହୋଇପାରିବ ? (ଯିଶା. ୪୦:୨୨; ୫୫:୮, ୯) ସେ ନମ୍ର ରହିପାରିବ ଓ ବୁଝିପାରିବ ଯେ ଯିହୋବାଙ୍କ ଚିନ୍ତାଧାରା ତାʼ ଚିନ୍ତାଧାରାଠାରୁ ଉଚ୍ଚତର ।

ଚିତ୍ରଗୁଡ଼ିକ: ୧. ପ୍ରାଚୀନମାନଙ୍କ ଗୋଟିଏ ସଭାରେ ଜଣେ ପ୍ରାଚୀନ ଭାଇ କିଛି ପରାମର୍ଶ ଦେଉଛନ୍ତି, କିନ୍ତୁ ଅନ୍ୟ ପ୍ରାଚୀନମାନଙ୍କୁ ତାଙ୍କର ପରାମର୍ଶ ଠିକ୍‌ ଲାଗୁନି । ୨. ଯେଉଁ ପ୍ରାଚୀନ ପରାମର୍ଶ ଦେଇଥିଲେ, ସେ ପରେ ରାତିରେ ତାରାଭରା ଆକାଶକୁ ଦେଖି ଚିନ୍ତନ କରୁଛନ୍ତି ।

କେଉଁ କଥାକୁ ମନେ ରଖିଲେ ଆମେ କେବେ ବି ନିଜ ଚିନ୍ତାଧାରାକୁ ଯିହୋବାଙ୍କ ଚିନ୍ତାଧାରାଠାରୁ ଉଚ୍ଚତର ଭାବିବା ନାହିଁ ? (ପାରାଗ୍ରାଫ ୬)e


୭. ସଂଗଠନରେ ହୋଇଥିବା ଗୋଟିଏ ପରିବର୍ତ୍ତନକୁ ମାନିବା ପାଇଁ ଭଉଣୀ ରହେଲା କʼଣ କଲେ ?

୭ ସ୍ଲୋଭେନିଆର ଭଉଣୀ ରହେଲାଙ୍କୁ ଆମ ସୃଷ୍ଟିକର୍ତ୍ତାଙ୍କ ବିଷୟରେ ଭାବିବାରୁ ବହୁତ ସାହାଯ୍ୟ ମିଳିଲା । ଏପରି କରିବା ଦ୍ୱାରା ସେ ସଂଗଠନରେ ହୋଇଥିବା ପରିବର୍ତ୍ତନକୁ ମାନିପାରିଲେ । ସେ କହନ୍ତି, “ବେଳେବେଳେ ସଂଗଠନରେ ନେତୃତ୍ୱ ନେଉଥିବା ଭାଇମାନଙ୍କ ନିଷ୍ପତ୍ତି ମାନିବା ମୋତେ କଠିନ ଲାଗେ । ଯେପରି, ପ୍ରଶାସନ ଦଳର ଗୋଟିଏ ଅପଡେଟ୍‌ରେa କୁହାଯାଇଥିଲା ଯେ ଏବେଠାରୁ ଭାଇମାନେ ଚାହିଁଲେ ଦାଢ଼ି ରଖିପାରିବେ । କିନ୍ତୁ ଯେବେ ମୁଁ ପ୍ରଥମଥର ଜଣେ ଦାଢ଼ି ରଖିଥିବା ଭାଇଙ୍କୁ ଭାଷଣ ଦେବାର ଦେଖିଲି, ତେବେ ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି । ତେଣୁ ମୁଁ ଯିହୋବାଙ୍କୁ ପ୍ରାର୍ଥନା କଲି ଯେ ସେ ଏହି ପରିବର୍ତ୍ତନକୁ ମାନିବା ପାଇଁ ମୋତେ ସାହାଯ୍ୟ କରନ୍ତୁ ।” ରହେଲାଙ୍କୁ ଅନୁଭବ ହେଲା ଯେ ଯିହୋବା ଯଦି ସ୍ୱର୍ଗ ଓ ପୃଥିବୀକୁ ସୃଷ୍ଟି କରିପାରିଲେ, ତାହେଲେ ସେ ନିଜ ସଂଗଠନକୁ ଭଲଭାବରେ ମାର୍ଗଦର୍ଶନ ବି କରିପାରିବେ । କʼଣ ଆପଣଙ୍କୁ ବି ଆମ ଜ୍ଞାନରେ ହୋଇଥିବା କୌଣସି ପରିବର୍ତ୍ତନକୁ ଆପଣାଇବା କିମ୍ବା କୌଣସି ନୂଆ ପରାମର୍ଶକୁ ମାନିବା ପାଇଁ କଠିନ ଲାଗେ । ଯଦି ଏପରି ହେଉଛି, ତାହେଲେ ନମ୍ର ହୋଇ ଏହି କଥା ଉପରେ ଚିନ୍ତନ କରନ୍ତୁ ଯେ ଆମ ସୃଷ୍ଟିକର୍ତ୍ତା କେତେ ବୁଦ୍ଧିମାନ ଓ ଶକ୍ତିଶାଳୀ ଅଟନ୍ତି ।—ରୋମୀ. ୧୧:୩୩-୩୬.

ଈଶ୍ୱର କାହିଁକି ଦୁଃଖକଷ୍ଟକୁ ଦୂର କରି ନାହାନ୍ତି ?

୮. ଈଶ୍ୱର କାହିଁକି ଦୁଃଖକଷ୍ଟକୁ ଦୂର କରି ନାହାନ୍ତି, ଏହା ଜାଣିବା ଯୋଗୁଁ ଆମକୁ କʼଣ ଲାଭ ହୋଇଛି ?

୮ ଈଶ୍ୱର କାହିଁକି ଦୁଃଖକଷ୍ଟକୁ ଦୂର କରି ନାହାନ୍ତି ? ଯେଉଁମାନଙ୍କୁ ଏବେ ପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତର ମିଳି ନାହିଁ, ସେମାନେ ଈଶ୍ୱରଙ୍କ ଉପରେ କ୍ରୋଧିତ ହୁଅନ୍ତି । କିମ୍ବା କିଛି ଲୋକ ଭାବନ୍ତି ଯେ ଈଶ୍ୱର ନାହାନ୍ତି । (ହିତୋ. ୧୯:୩) କିନ୍ତୁ ଆପଣ ଶିଖିଛନ୍ତି ଯେ ଆମର ଦୁଃଖକଷ୍ଟ ପାଇଁ ଯିହୋବା ଦାୟୀ ନୁହଁନ୍ତି, ବରଂ ଏହି ଦୁଃଖକଷ୍ଟ ଆମକୁ ଏଥିପାଇଁ ସହିବାକୁ ପଡ଼େ କାରଣ ଆଦମଠାରୁ ମଣିଷମାନଙ୍କୁ ପାପ ଓ ଅପରିପୂର୍ଣ୍ଣତା ଉତ୍ତରାଧିକାରୀ ଭାବେ ମିଳିଛି । ଆପଣ ଏହା ବି ଶିଖିଛନ୍ତି ଯେ ଯିହୋବାଙ୍କ ଧୈର୍ଯ୍ୟ ଯୋଗୁଁ ଅନେକ ଲାଭ ହୋଇଛି । ଯେପରି, ଲକ୍ଷ ଲକ୍ଷ ଲୋକ ତାଙ୍କୁ ଜାଣିପାରିଛନ୍ତି ଏବଂ ସେମାନେ ଏହା ଶିଖି ପାରିଛନ୍ତି ଯେ ଯିହୋବା ସବୁଦିନ ପାଇଁ ଦୁଃଖକଷ୍ଟକୁ ଶେଷ କରିଦେବେ । (୨ ପିତ. ୩:୯, ୧୫) ଏହି ସତ୍ୟଗୁଡ଼ିକ ଯୋଗୁଁ ଆପଣଙ୍କୁ ସାନ୍ତ୍ୱନା ମିଳିଛି ଏବଂ ଆପଣ ଯିହୋବାଙ୍କର ନିକଟତର ହୋଇପାରିଛନ୍ତି ।

୯. ବିଶେଷ କରି କେଉଁ ପରିସ୍ଥିତିରେ ଏହା ଭାବିବା ଭଲ ହେବ ଯେ ଯିହୋବା କାହିଁକି ଦୁଃଖକଷ୍ଟକୁ ଦୂର କରି ନାହାନ୍ତି ?

୯ ଆମେ ଜାଣିଛୁ ଯେ ଯେବେ ଯାଏ ଯିହୋବା ଦୁଃଖକଷ୍ଟକୁ ଦୂର କରିବେ ନାହିଁ, ସେସମୟ ଯାଏ ଆମକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ । କିନ୍ତୁ ଯେବେ ଆମ ଉପରେ କିମ୍ବା ଆମ ପରିବାର ଲୋକଙ୍କ ଉପରେ କିମ୍ବା ଆମ ସାଙ୍ଗମାନଙ୍କ ଉପରେ କୌଣସି ସମସ୍ୟା ଆସେ, ଅନ୍ୟାୟ ହୁଏ କିମ୍ବା ଆମ ପ୍ରିୟଜନମାନଙ୍କ ମୃତ୍ୟୁ ହୋଇଯାଏ, ତେବେ ହୁଏତ ଆମେ ଭାବିବା, ‘ଯିହୋବା କାହିଁକି ସବୁକିଛି ଠିକ୍‌ କରୁ ନାହାନ୍ତି ? ସେ କାହିଁକି ଏତେ ଡେରି କରୁଛନ୍ତି ?’ (ହବ. ୧:୨, ୩) ଏପରି ସମୟରେ ଏବିଷୟରେ ଭାବିବା ଭଲ ହେବ ଯେ ଯିହୋବା କାହିଁକି ଧାର୍ମିକ ଲୋକମାନଙ୍କ ଉପରେ ଦୁଃଖକଷ୍ଟ ଆସିବା ପାଇଁ ଅନୁମତି ଦେଇଛନ୍ତି ।b (ଗୀତ. ୩୪:୧୯) ତାʼସହିତ ଆମେ ଯିହୋବାଙ୍କର ଏହି ପ୍ରତିଜ୍ଞା ବିଷୟରେ ବି ଭାବିପାରିବା ଯେ ସେ ଦୁଃଖକଷ୍ଟକୁ ସବୁଦିନ ପାଇଁ ଶେଷ କରିଦେବେ ।

୧୦. ଭଉଣୀ ଏନ୍‌ଙ୍କୁ ନିଜ ମାଆଙ୍କ ମୃତ୍ୟୁର ଦୁଃଖ ସହିବା ପାଇଁ କେଉଁ କଥାରୁ ସାହାଯ୍ୟ ମିଳିଲା ?

୧୦ ଈଶ୍ୱର କାହିଁକି ଦୁଃଖକଷ୍ଟକୁ ଦୂର କରି ନାହାନ୍ତି, ଏହା ଜାଣିବା ଦ୍ୱାରା ଆମକୁ ସମସ୍ୟାଗୁଡ଼ିକ ସମୟରେ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ ମିଳେ । ଭାରତ ମହାସାଗରର ମାୟୋଟ୍‌ ଦ୍ୱୀପରେ ରହୁଥିବା ଭଉଣୀ ଏନ୍‌ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ କହନ୍ତି, “କିଛି ବର୍ଷ ପୂର୍ବେ ମୋ ମାଆଙ୍କ ମୃତ୍ୟୁ ହୋଇଗଲା । ସେହି ଦୁଃଖ ଯୋଗୁଁ ମୁଁ ଭାଙ୍ଗି ପଡ଼ିଥିଲି । କିନ୍ତୁ ମୁଁ ନିଜକୁ ବାରମ୍ବାର ମନେ ପକାଉଥିଲି ଯେ ଏହାପାଇଁ ଯିହୋବା ଦାୟୀ ନୁହଁନ୍ତି । କାରଣ ସେ ସବୁ ପ୍ରକାରର ଦୁଃଖକଷ୍ଟକୁ ଶେଷ କରିବା ପାଇଁ ଓ ଆମ ପ୍ରିୟଜନମାନଙ୍କୁ ପୁଣିଥରେ ଜୀବିତ କରିବା ପାଇଁ ବହୁତ ଇଚ୍ଛୁକ ଅଛନ୍ତି । ଏହି ସତ୍ୟଗୁଡ଼ିକ ଉପରେ ଚିନ୍ତନ କରିବା ଦ୍ୱାରା ମୋତେ କେତେ ସାହସ ଓ ଶାନ୍ତି ମିଳିଲା, ତାହା ମୁଁ କହିପାରିବି ନାହିଁ ।”

୧୧. ଈଶ୍ୱର କାହିଁକି ଦୁଃଖକଷ୍ଟକୁ ଦୂର କରି ନାହାନ୍ତି, ଏବିଷୟରେ ଜାଣିବା ଦ୍ୱାରା ଆମକୁ କିପରି ଲଗାତାର ପ୍ରଚାର କରିବା ପାଇଁ ପ୍ରୋତ୍ସାହନ ମିଳେ ?

୧୧ ଈଶ୍ୱର କାହିଁକି ଦୁଃଖକଷ୍ଟକୁ ଦୂର କରି ନାହାନ୍ତି, ଏବିଷୟରେ ସତ୍ୟ ଜାଣିବା ଦ୍ୱାରା ଆମକୁ ଲଗାତାର ପ୍ରଚାର କରିବା ପାଇଁ ପ୍ରୋତ୍ସାହନ ମିଳେ । ପିତର କହିଥିଲେ ଯେ ଯିହୋବାଙ୍କ ଧୈର୍ଯ୍ୟ ଯୋଗୁଁ ପଶ୍ଚାତାପ କରୁଥିବା ଲୋକମାନଙ୍କୁ ଉଦ୍ଧାର ପାଇବାର ସୁଯୋଗ ମିଳେ । ଏହାପରେ ସେ ଲେଖିଲେ, ‘ଏଥିପାଇଁ ତୁମ୍ଭମାନଙ୍କର କିପରି ସଦାଚାରୀ ଓ ଧର୍ମପରାୟଣ [“ଈଶ୍ୱରଙ୍କ ଭକ୍ତିର କାମ,” NWT] କରିବା ଉଚିତ୍‌,’ ସେବିଷୟରେ ଭାବ । (୨ ପିତ. ୩:୧୧, ୧୨) ଈଶ୍ୱରଙ୍କ ଭକ୍ତିର କାମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, ଲୋକମାନଙ୍କୁ ଖୁସିର ଖବର ଶୁଣାଇବା । ଆମେ ନିଜ ପିତା ଯିହୋବାଙ୍କ ଭଳି ଲୋକମାନଙ୍କୁ ପ୍ରେମ କରୁ ଏବଂ ଆମେ ଚାହୁଁ ଯେ ସେମାନେ ଈଶ୍ୱରଙ୍କ ନୂଆ ଦୁନିଆରେ ସବୁଦିନ ପାଇଁ ବଞ୍ଚନ୍ତୁ । ଆଜି ବି ଯିହୋବା ଧୈର୍ଯ୍ୟ ଧରୁଛନ୍ତି ଓ ଆପଣଙ୍କ ଅଞ୍ଚଳର ଲୋକମାନଙ୍କୁ ତାଙ୍କର ଉପାସନା କରିବାର ସୁଯୋଗ ଦେଉଛନ୍ତି । ଭାବନ୍ତୁ, ଯିହୋବାଙ୍କ ସହିତ ମିଶି କାମ କରିବା ଆମ ପାଇଁ କେତେ ସମ୍ମାନର କଥା ! ହେଲେ ଆସନ୍ତୁ ଆମେ ବିନାଶ ଆସିବା ପୂର୍ବରୁ ଯିହୋବାଙ୍କ ବିଷୟରେ ଜାଣିବା ପାଇଁ ଅଧିକରୁ ଅଧିକ ଲୋକମାନଙ୍କୁ ସାହାଯ୍ୟ କରିବା ।—୧ କରି. ୩:୯.

ଆମେ “ଶେଷକାଳରେ” ବଞ୍ଚୁଛୁ

୧୨. ଆମେ “ଶେଷକାଳରେ” ବଞ୍ଚୁଛୁ, ଏହା ଜାଣିବା ଦ୍ୱାରା ଆମକୁ କʼଣ ଲାଭ ହୁଏ ?

୧୨ ବାଇବଲରେ ସ୍ପଷ୍ଟଭାବେ କୁହାଯାଇଛି ଯେ ‘ଶେଷକାଳର’ ଲୋକମାନେ କିପରି ଥିବେ । (୨ ତୀମ. ୩:୧-୫) ଆଜି ଯଦି ଆମେ ନିଜ ଚାରିଆଡ଼େ ଧ୍ୟାନ ଦେବା, ତାହେଲେ ଆମେ ଜାଣିପାରିବା ଯେ ବାଇବଲର ଏହି ଭବିଷ୍ୟତବାଣୀ ପୂରା ହେଉଛି । ଲୋକମାନଙ୍କର ବ୍ୟବହାର ଏବଂ ସେମାନଙ୍କର ଚାଲିଚଳନ ଦିନକୁ ଦିନ ଆହୁରି ଖରାପ ହୋଇ ହୋଇଯାଉଛି । ଏହା ଦେଖି ଆମକୁ ଭରସା ହୋଇଯାଏ ଯେ ଈଶ୍ୱରଙ୍କ ବାକ୍ୟରେ ଲେଖାଥିବା କଥାଗୁଡ଼ିକ ପୂରାପୂରି ଠିକ୍‌ ଅଟେ ଏବଂ ଆମେ ତାଙ୍କର ବାକ୍ୟ ଉପରେ ଭରସା କରିପାରିବା ।—୨ ତୀମ. ୩:୧୩-୧୫.

୧୩. ଲୂକ ୧୨:୧୫-୨୧ ପଦରେ ଯୀଶୁ ଯେଉଁ ଉଦାହରଣ ଦେଲେ, ତାହାକୁ ଧ୍ୟାନରେ ରଖି ଆମେ ନିଜକୁ କେଉଁ ପ୍ରଶ୍ନ ପଚାରିପାରିବା ?

୧୩ ଆମେ ଶେଷକାଳରେ ବଞ୍ଚୁଛୁ, ଏହି ସତ୍ୟ ଜାଣିବା ଯୋଗୁଁ ଆମେ ସମୟର ସଠିକ୍‌ ବ୍ୟବହାର କରୁ ଏବଂ ଆମେ ଜାଣିପାରୁ ଯେ ଆମକୁ କେଉଁ କଥାଗୁଡ଼ିକୁ ଅଧିକ ମହତ୍ତ୍ୱ ଦେବା ଉଚିତ୍‌ । ଧ୍ୟାନ ଦିଅନ୍ତୁ ଯେ ଏବିଷୟରେ ଯୀଶୁ ଗୋଟିଏ ଉଦାହରଣରେ କʼଣ କହିଲେ, ଯାହା ଲୂକ ୧୨:୧୫-୨୧ ପଦରେ ଉଲ୍ଲେଖ କରାଯାଇଛି । (ପଢ଼ନ୍ତୁ ।) ଏହି ଉଦାହରଣରେ ଥିବା ଧନୀ ବ୍ୟକ୍ତିକୁ କାହିଁକି “ମୂର୍ଖ” ବୋଲି କୁହାଯାଇଛି ? ତାହା ଏଥିପାଇଁ ନୁହେଁ ଯେ ସେହି ବ୍ୟକ୍ତି ବହୁତ ଧନୀ ଥିଲା, ବରଂ ଯୀଶୁ ତାକୁ ଏଥିପାଇଁ ଏପରି କହିଲେ କାରଣ ସେ ସେହି କଥାଗୁଡ଼ିକୁ ଅଧିକ ମହତ୍ତ୍ୱ ଦେଉଥିଲା ଯାହା ଏତେ ଜରୁରୀ ନ ଥିଲା । ସେ “ଆପଣା ନିମନ୍ତେ ଧନ ସଞ୍ଚୟ କରେ, କିନ୍ତୁ ଈଶ୍ୱରଙ୍କ ବିଷୟରେ ଧନୀ ନୁହେଁ ।” ତାକୁ କାହିଁକି ଏବିଷୟରେ ଧ୍ୟାନ ଦେବାର ଥିଲା ଯେ ସେ କେଉଁ କଥାଗୁଡ଼ିକୁ ଅଧିକ ମହତ୍ତ୍ୱ ଦେଉଛି ? କାରଣ ଈଶ୍ୱର ତାକୁ କହିଲେ, “ଆଜି ରାତିରେ ତୋର ପ୍ରାଣ ତୋʼଠାରୁ ନିଆଯିବ ।” ଏହି ଉଦାହରଣରୁ ଆମେ କʼଣ ଶିଖୁ ? ଏହି ଦୁନିଆର ବିନାଶ ପାଖେଇ ଆସିଛି, ତେଣୁ ଆମେ ନିଜକୁ ପ୍ରଶ୍ନ ପଚାରିପାରିବା, ‘କʼଣ ମୋ ଲକ୍ଷ୍ୟଗୁଡ଼ିକରୁ ଜଣାପଡ଼େ ଯେ ମୁଁ ସମୟର ସଠିକ୍‌ ବ୍ୟବହାର କରେ ? ମୁଁ କେଉଁ କଥାଗୁଡ଼ିକୁ ଅଧିକ ମହତ୍ତ୍ୱ ଦିଏ ? ମୁଁ ନିଜ ପିଲାମାନଙ୍କୁ କିଭଳି ଲକ୍ଷ୍ୟ ରଖିବା ପାଇଁ ପ୍ରୋତ୍ସାହନ ଦିଏ ? କʼଣ ମୁଁ ନିଜ ସମୟ, ଶକ୍ତି ଓ ଜିନିଷ କେବଳ ଧନ-ସମ୍ପତ୍ତି ଜମା କରିବାରେ ଲଗାଇ ଦିଏ ନା ମୁଁ ସ୍ୱର୍ଗରେ ଧନ ଜମା କରିବାରେ ଲଗାଏ ?’

୧୪. ଯେପରି ଭଉଣୀ ମିକିଙ୍କ ଅନୁଭୂତିରୁ ଜଣାପଡ଼େ, ଆମେ କାହିଁକି ଏବିଷୟରେ ଚିନ୍ତନ କରିବା ଉଚିତ୍‌ ଯେ ଆମେ ଶେଷକାଳରେ ବଞ୍ଚୁଛୁ ?

୧୪ ଆମେ ଶେଷକାଳରେ ବଞ୍ଚୁଛୁ, ଯେବେ ଆମେ ଏବିଷୟରେ ଭାବୁ ତେବେ ଆମର ଦୃଷ୍ଟିକୋଣ ପୂରାପୂରି ବଦଳି ଯାଏ । ଭଉଣୀ ମିକିଙ୍କ ସହିତ ବି ଏପରି ହେଲା । ସେ କହନ୍ତି, “ସ୍କୁଲ ପଢ଼ା ଶେଷ ହେବା ପରେ ମୁଁ ବିଶ୍ୱବିଦ୍ୟାଳୟରୁ ଏପରି ଗୋଟିଏ କୋର୍ସ କରିବା ପାଇଁ ଚାହୁଁଥିଲି, ଯେଉଁଥିରେ ମୁଁ ପଶୁମାନଙ୍କ ବିଷୟରେ ଅଧ୍ୟୟନ କରିପାରନ୍ତି । ତାʼସହିତ ମୁଁ ଅଗ୍ରଦୂତ ସେବା ବି କରିବା ପାଇଁ ଚାହୁଁଥିଲି ଏବଂ ଏପରି ଜାଗାରେ ଯାଇ ସେବା କରିବା ପାଇଁ ଚାହୁଁଥିଲି ଯେଉଁଠି ପ୍ରଚାରକମାନଙ୍କର ଅଧିକ ଆବଶ୍ୟକ ଅଛି । ତେବେ ମୋର କିଛି ଭଲ ସାଙ୍ଗମାନେ ମୋତେ ଏବିଷୟରେ ଧ୍ୟାନର ସହ ଭାବିବା ପାଇଁ ପରାମର୍ଶ ଦେଲେ ଯେ ଯଦି ମୁଁ ଏହି ଶିକ୍ଷା ନିଏ, ତାହେଲେ କʼଣ ମୁଁ ଏହା ସହିତ ଅଗ୍ରଦୂତ ସେବା ମଧ୍ୟ କରିପାରିବି । ସେମାନେ ମୋତେ ମନେ ପକାଇ ଦେଲେ ଯେ ଦୁନିଆର ବିନାଶ ବହୁତ ପାଖେଇ ଆସିଛି ଏବଂ ନୂଆ ଦୁନିଆରେ ଆମ ପାଖରେ ବହୁତ ସମୟ ଥିବ । ଆଉ ସେସମୟରେ ମୁଁ ପଶୁମାନଙ୍କ ବିଷୟରେ ଯେତିକି ଅଧ୍ୟୟନ କରିବା ପାଇଁ ଚାହେଁ, ସେତିକି କରିପାରିବି । ସେଥିପାଇଁ ମୁଁ ଗୋଟିଏ ଛୋଟିଆ କୋର୍ସ କରିବା ପାଇଁ ଭାବିଲି, ଯାହାଯୋଗୁଁ ମୁଁ କିଛି ଦକ୍ଷତା ଶିଖିପାରନ୍ତି । ତାʼପରେ ମୋତେ ଏପରି ଗୋଟିଏ ଚାକିରି ମିଳିଲା, ଯାହାଯୋଗୁଁ ମୁଁ ଅଗ୍ରଦୂତ ସେବା କରିପାରିଲି । ଆଉ କିଛି ସମୟ ପରେ ମୁଁ ଇକ୍ୱେଡର ଯାଇ ସେବା କରିପାରିଲି, ଯେଉଁଠି ପ୍ରଚାରକମାନଙ୍କର ଅଧିକ ଆବଶ୍ୟକ ଅଛି ।” ବର୍ତ୍ତମାନ ଭଉଣୀ ମିକି ଓ ତାଙ୍କ ସ୍ୱାମୀ ସେହି ଦେଶରେ ସର୍କିଟ କାମ କରୁଛନ୍ତି ।

୧୫. ଯେଉଁମାନେ ଏବେ ପର୍ଯ୍ୟନ୍ତ ଆମ ସନ୍ଦେଶରେ ଆଗ୍ରହ ଦେଖାଇ ନାହାନ୍ତି, ସେମାନଙ୍କୁ ପୁଣିଥରେ ସାକ୍ଷ୍ୟ ଦେବା ପାଇଁ ଆମେ କାହିଁକି ପଛଘୁଞ୍ଚା ଦେବା ଉଚିତ୍‌ ନୁହେଁ ? ଗୋଟିଏ ଉଦାହରଣ ଦିଅନ୍ତୁ । (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୫ ଯେବେ ଲୋକମାନେ ଆମର ସନ୍ଦେଶ ଶୁଣନ୍ତି ନାହିଁ, ତେବେ ଆମେ ନିରାଶ ହେବା ଉଚିତ୍‌ ନୁହେଁ । କାରଣ ଲୋକମାନଙ୍କ ମନ ବଦଳିପାରେ । ଯେପରି, ଯୀଶୁଙ୍କ ଭାଇ ଯାକୁବଙ୍କ ବିଷୟରେ ଭାବନ୍ତୁ । ତାଙ୍କର ଲାଳନପାଳନ ଯୀଶୁଙ୍କ ସହିତ ହିଁ ହୋଇଥିଲା ଓ ସେ ବୁଝିଯାଇଥିଲେ ଯେ ଯୀଶୁ ହିଁ ମସୀହ ଅଟନ୍ତି । ସେ ଏହା ବି ଜାଣିଥିଲେ ଯେ ଯୀଶୁ ଯେପରି ଶିଖାନ୍ତି, ସେପରି ଆଜି ଯାଏ କେହି ବି ମଣିଷ ଶିଖାଇ ନାହାନ୍ତି । ତଥାପି ସେ ଅନେକ ବର୍ଷ ଯାଏ ଯୀଶୁଙ୍କ ଉପରେ ବିଶ୍ୱାସ କଲେ ନାହିଁ । ଯେବେ ଯୀଶୁଙ୍କ ମୃତ୍ୟୁ ହେଲା ଓ ତାଙ୍କୁ ପୁଣିଥରେ ଜୀବିତ କରାଗଲା, ତେବେ ଯାଇ ସେ ଯୀଶୁଙ୍କ ଶିଷ୍ୟ ହେଲେ ଏବଂ ତାଙ୍କ ଭିତରେ ବହୁତ ଉତ୍ସାହ ଥିଲା ।c (ଯୋହ. ୭:୫; ଗାଲା. ୨:୯) ତେଣୁ ଯଦି ଆପଣଙ୍କ କୌଣସି ସମ୍ପର୍କୀୟ କିମ୍ବା ପରିଚିତ ଲୋକମାନେ ଏବେ ପର୍ଯ୍ୟନ୍ତ ବାଇବଲର ସନ୍ଦେଶ ଉପରେ ଆଗ୍ରହ ଦେଖାଇ ନାହାନ୍ତି, ତାହେଲେ ବି ସେମାନଙ୍କୁ ପୁଣିଥରେ ସାକ୍ଷ୍ୟ ଦେବା ପାଇଁ ପଛଘୁଞ୍ଚା ଦିଅନ୍ତୁ ନାହିଁ । ମନେ ରଖନ୍ତୁ, ଆମେ ଶେଷ ସମୟରେ ବଞ୍ଚୁଛୁ ସେଥିପାଇଁ ଲୋକମାନଙ୍କୁ ଖୁସିର ଖବର ଶୁଣାଇବା ବହୁତ ଜରୁରୀ । ଆଜି ଆପଣ ଲୋକମାନଙ୍କୁ ଯାହା କହନ୍ତି, ହୁଏତ ସେମାନେ ସେହି ବିଷୟରେ ଭାବିବେ ଏବଂ ଆଗକୁ ଯାଇ ପଦକ୍ଷେପ ନେବେ । ହୁଏତ ସେମାନେ ମହାକ୍ଳେଶ ଆରମ୍ଭ ହେବା ପରେ ପଦକ୍ଷେପ ନେବେ ।d

ଜଣେ ଭଉଣୀ ବ୍ୟକ୍ତିଗତ ଅଧ୍ୟୟନ କରିବା ସମୟରେ ନିଜର ଭଉଣୀକୁ ଫୋନ୍‌ କରୁଛନ୍ତି, ଯିଏ ସାକ୍ଷୀ ନୁହେଁ । ତାଙ୍କର ଭଉଣୀ ନିଜର ସାନ ଝିଅ ସହ ରାସନ ଆଣିବା ପାଇଁ ଯାଇଛି ।

କେଉଁ କଥାକୁ ମନେ ରଖିଲେ ଆମେ ନିଜ ସମ୍ପର୍କୀୟମାନଙ୍କୁ ସାକ୍ଷ୍ୟ ଦେବା ପାଇଁ ବନ୍ଦ କରିବା ନାହିଁ ? (ପାରାଗ୍ରାଫ ୧୫)f


ଯିହୋବା ଯେଉଁ କଥାଗୁଡ଼ିକୁ ମନେ ପକାଇ ଦିଅନ୍ତି, ସେଗୁଡ଼ିକୁ ବହୁମୂଲ୍ୟ ମନେ କରନ୍ତୁ

୧୬. ଯିହୋବା ଆମକୁ ଯେଉଁ କଥାଗୁଡ଼ିକ ମନେ ପକାଇ ଦିଅନ୍ତି, ସେଗୁଡ଼ିକରୁ ଆପଣଙ୍କୁ କʼଣ ଲାଭ ହୋଇଛି ? (“ଆପଣଙ୍କ ପାଇଁ ଜଣାଶୁଣା, କିନ୍ତୁ ଅନ୍ୟମାନଙ୍କ ପାଇଁ ନୂଆ” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)

୧୬ ଆମ ସଂଗଠନ ବାଇବଲ ଉପରେ ଆଧାରିତ ଯାହା ବି ତଥ୍ୟ ଦିଏ, ସେମଧ୍ୟରୁ କିଛି ତଥ୍ୟ ବିଶେଷ କରି ସେହି ଲୋକମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଏ, ଯେଉଁମାନଙ୍କୁ ବାଇବଲର ମୌଳିକ ଶିକ୍ଷା ମଧ୍ୟ ଜଣାନାହିଁ । ଯେପରି, ପ୍ରତି ସପ୍ତାହ ହେଉଥିବା ଜନଭାଷଣ, jw.org ୱେବସାଇଟ୍‌ରେ ଦିଆଯାଇଥିବା କିଛି ଲେଖା ଓ ଭିଡିଓ ଏବଂ ସର୍ବସାଧାରଣ ପାଇଁ ଥିବା ଆମ ପତ୍ରିକାଗୁଡ଼ିକ, ବିଶେଷ କରି ସେହି ଲୋକମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଏ ଯେଉଁମାନେ ଯିହୋବାଙ୍କ ସାକ୍ଷୀ ନୁହଁନ୍ତି । ଏହା ସତ ଯେ ଆମେ ସେହି କଥାଗୁଡ଼ିକୁ ଜାଣିଛୁ, କିନ୍ତୁ ଯେବେ ବି ଆମକୁ ସେହି କଥାଗୁଡ଼ିକୁ ମନେ ପକାଇ ଦିଆଯାଏ, ତେବେ ଆମ ସମସ୍ତଙ୍କୁ ସେଥିରୁ ଲାଭ ହୁଏ । ଯେପରି, ଯିହୋବାଙ୍କ ସହିତ ଆମ ପ୍ରେମ ଆହୁରି ଗଭୀର ହୋଇଯାଏ, ତାଙ୍କ ବାକ୍ୟ ଉପରେ ଆମର ବିଶ୍ୱାସ ଆହୁରି ଦୃଢ଼ ହୁଏ ଓ ଆମେ ଲୋକମାନଙ୍କୁ ବାଇବଲର ମୌଳିକ ଶିକ୍ଷାଗୁଡ଼ିକୁ ଆହୁରି ଭଲଭାବେ ଶିଖାଇବା ପାଇଁ ଦକ୍ଷ ହୋଇପାରୁ ।—ଗୀତ. ୧୯:୭.

ଆପଣଙ୍କ ପାଇଁ ଜଣାଶୁଣା, କିନ୍ତୁ ଅନ୍ୟମାନଙ୍କ ପାଇଁ ନୂଆ

ଯେବେ ଆପଣ କୌଣସି ଏପରି ଲେଖା ପଢ଼ନ୍ତି, ଭିଡିଓ ଦେଖନ୍ତି କିମ୍ବା ଭାଷଣ ଶୁଣନ୍ତି ଯାହା ନୂଆ ଲୋକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ତେବେ ଭାବନ୍ତୁ ଯେ ସେହି ତଥ୍ୟରୁ ଆପଣ କିପରି ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବେ । ଆପଣ ନିଜକୁ ଏପରି କିଛି ପ୍ରଶ୍ନ ପଚାରିପାରିବେ:

  • ‘ଲୋକମାନଙ୍କୁ ବାଇବଲର କୌଣସି ଶିକ୍ଷା ଉପରେ ଭରସା କରିବା ପାଇଁ ଏଥିରେ କେଉଁ ପ୍ରମାଣ ଦିଆଯାଇଛି ?’

  • ‘କʼଣ ଏଥିରେ କୌଣସି ବଢ଼ିଆ ଉଦାହରଣ ଅଛି, ଯାହା ସାହାଯ୍ୟରେ ମୁଁ ଅନ୍ୟମାନଙ୍କୁ ଏହି କଥା ବୁଝାଇପାରିବି ?’

  • ‘ଏହି ବିଷୟରେ କେଉଁ ଲୋକମାନେ ଜାଣିବା ପାଇଁ ଚାହିଁବେ ଏବଂ ମୁଁ କେବେ ସେମାନଙ୍କୁ ଏବିଷୟରେ କହିପାରିବି ?’

୧୭. କେଉଁ ପରିସ୍ଥିତିରେ ଆପଣ ବାଇବଲର ମୌଳିକ ଶିକ୍ଷାଗୁଡ଼ିକ ବିଷୟରେ ଗଭୀର ଭାବେ ଭାବିପାରିବେ ?

୧୭ ଯେବେ ଆମକୁ ବାଇବଲର କୌଣସି ସତ୍ୟକୁ ଆହୁରି ସ୍ପଷ୍ଟ ଭାବେ ବୁଝାଯାଏ, ତେବେ ଆମେ ଯିହୋବାଙ୍କ ସାକ୍ଷୀମାନେ ବହୁତ ଖୁସି ହେଉ । କିନ୍ତୁ ଆମେ ବାଇବଲର ସେହି ମୌଳିକ ଶିକ୍ଷାଗୁଡ଼ିକୁ ମଧ୍ୟ ବହୁତ ବହୁମୂଲ୍ୟ ମନେ କରୁ, ଯାହାକୁ ଶିଖି ଆମେ ଯିହୋବାଙ୍କ ଆଡ଼କୁ ଆକର୍ଷିତ ହୋଇଥିଲୁ । ଯଦି କେବେ ଏପରି ହୁଏ ଯେ ଆମେ ଯିହୋବାଙ୍କ ସଂଗଠନରୁ ମିଳୁଥିବା ପରାମର୍ଶ ମାନିବା ପରିବର୍ତ୍ତେ ନିଜ ମତକୁ ଅଧିକ ମହତ୍ତ୍ୱ ଦେଉ, ତେବେ ଆମେ ନମ୍ର ହେବା ଉଚିତ୍‌ ଓ ଭାବିବା ଉଚିତ୍‌ ଯେ ଏହି ସଂଗଠନକୁ ଆମର ସୃଷ୍ଟିକର୍ତ୍ତା ଚଲାଉଛନ୍ତି ଯିଏ ସବୁଠାରୁ ଶକ୍ତିଶାଳୀ ଓ ବୁଦ୍ଧିମାନ ଅଟନ୍ତି । ଯଦି କେବେ ଆମକୁ କିମ୍ବା ଆମ କୌଣସି ସାଙ୍ଗ କିମ୍ବା ସମ୍ପର୍କୀୟଙ୍କୁ କୌଣସି ସମସ୍ୟାର ସାମନା କରିବାକୁ ପଡ଼େ, ତାହେଲେ ଆସନ୍ତୁ ଆମେ ଧୈର୍ଯ୍ୟ ଧରିବା ଓ ଏବିଷୟରେ ଭାବିବା ଯେ ଯିହୋବା କାହିଁକି ଦୁଃଖକଷ୍ଟକୁ ଦୂର କରି ନାହାନ୍ତି । ଆଉ ଯେବେ ଆମକୁ ଏହା ନିଷ୍ପତ୍ତି ନେବାକୁ ପଡ଼େ ଯେ ଆମେ ନିଜ ସମୟ ଓ ନିଜ ଜିନିଷଗୁଡ଼ିକୁ କେଉଁ କାମରେ ଲଗାଇବା, ତେବେ ଆମେ ମନେ ରଖିପାରିବା ଯେ ଆମେ ଶେଷକାଳରେ ବଞ୍ଚୁଛୁ ଓ ଆମ ପାଖରେ ବହୁତ କମ୍‌ ସମୟ ରହିଛି । ତେଣୁ ଆସନ୍ତୁ ଯିହୋବା ଆମକୁ ଯେଉଁ କଥାଗୁଡ଼ିକୁ ମନେ ପକାଇ ଦିଅନ୍ତି, ସେଗୁଡ଼ିକ ଉପରେ ଧ୍ୟାନ ଦେବା ଓ ବୁଦ୍ଧିମାନ ହେବା ଏବଂ ବିଶ୍ୱସ୍ତ ରହି ତାଙ୍କର ସେବା କରିବା ଜାରି ରଖିବା ।

ବାଇବଲର ଏହି ମୌଳିକ ଶିକ୍ଷାଗୁଡ଼ିକରୁ ଆଜି ଆପଣ କେଉଁ କଥାଗୁଡ଼ିକ ଶିଖିପାରିବେ ?

  • ଯିହୋବା ସୃଷ୍ଟିକର୍ତ୍ତା ଅଟନ୍ତି

  • ଈଶ୍ୱର ଦୁଃଖକଷ୍ଟକୁ କାହିଁକି ଦୂର କରି ନାହାନ୍ତି

  • ଆମେ “ଶେଷକାଳରେ” ବଞ୍ଚୁଛୁ

ଗୀତ ୯୫ ବଢ଼େ ସତ୍ୟର ଆଲୋକ

a ୨୦୨୩ ପ୍ରଶାସନ ଦଳ ତରଫରୁ ଅପଡେଟ୍‌ ସଂ. ୮ (ହିନ୍ଦୀ)

b ୧ ଜୁନ୍‌, ୨୦୦୭ର ପ୍ରହରୀଦୁର୍ଗର, ପୃଷ୍ଠା ୧୨-୧୬ରେ ଦିଆଯାଇଥିବା ଲେଖା, “ବହୁତ୍‌ ଜଲ୍‌ଦ ସାରେ ଦୁଃଖ୍‌ କ୍ୟୁ ଦୂର୍‌ ହୋନେୱାଲେ ହୈ” ଦେଖନ୍ତୁ ।

c ଲୋକଙ୍କୁ ପ୍ରେମ କର—ଶିଷ୍ୟ କର ପୁସ୍ତିକାର ପାଠ ୮ ଦେଖନ୍ତୁ ।

d ମେ ୨୦୨୪ର ପ୍ରହରୀଦୁର୍ଗର, ପୃଷ୍ଠା ୮-୧୩ରେ ଦିଆଯାଇଥିବା ଲେଖା, “ଯିହୋବା ଭବିଷ୍ୟତରେ ଲୋକମାନଙ୍କର କିପରି ଭାବେ ନ୍ୟାୟ କରିବେ ?” ଦେଖନ୍ତୁ ।

e ଚିତ୍ର ବିଷୟରେ: ଜଣେ ପ୍ରାଚୀନ କୌଣସି ପରାମର୍ଶ ଦିଅନ୍ତି, କିନ୍ତୁ ଅନ୍ୟ ପ୍ରାଚୀନମାନେ ସେହି ପରାମର୍ଶକୁ ମାନନ୍ତି ନାହିଁ । ସେହି ପ୍ରାଚୀନ ପରେ ତାରାଭରା ଆକାଶକୁ ଦେଖି ଭାବନ୍ତି ଯେ ତାଙ୍କ ଚିନ୍ତାଧାରା ଯିହୋବାଙ୍କ ଚିନ୍ତାଧାରାଠାରୁ ଉଚ୍ଚତର ନୁହେଁ ।

f ଚିତ୍ର ବିଷୟରେ: ଜଣେ ଭଉଣୀ ବ୍ୟକ୍ତିଗତ ଅଧ୍ୟୟନ ସମୟରେ ସେହି ପ୍ରମାଣଗୁଡ଼ିକ ଉପରେ ଧ୍ୟାନ ଦେଉଛନ୍ତି, ଯେଉଁଥିରୁ ଜଣାପଡ଼େ ଯେ ଆମେ ଶେଷକାଳରେ ବଞ୍ଚୁଛୁ । ତାʼପରେ ସେ ନିଜ ଭଉଣୀଙ୍କୁ ଫୋନ୍‌ କରି ସାକ୍ଷ୍ୟ ଦିଅନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ