ଅଧ୍ୟୟନ ଲେଖା ୩୧
ଗୀତ ୧୧୧ ଆମ ଖୁସିର କାରଣ
କʼଣ ଆପଣ ସନ୍ତୁଷ୍ଟ ରହିବା ପାଇଁ “ସୁଶିକ୍ଷିତ ?”
“ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି ।”—ଫିଲିପ୍. ୪:୧୧.
କʼଣ ଶିଖିବା ?
ଯଦି ଆମେ କୃତଜ୍ଞତାର ଭାବନା ବଢ଼ାଇବା, ଯିହୋବାଙ୍କର ଇଚ୍ଛା ପୂରା କରିବା ପାଇଁ ଧ୍ୟାନ ଲଗାଇ ରଖିବା, ନମ୍ର ରହିବା ଓ ଭବିଷ୍ୟତ ପାଇଁ ଆମର ଯେଉଁ ଆଶା ରହିଛି ତାʼ ଉପରେ ଚିନ୍ତନ କରିବା ଜାରି ରଖିବା, ତାହେଲେ ଆମେ ଖୁସି ଓ ସନ୍ତୁଷ୍ଟ ରହିବା ପାଇଁ ଶିଖିବା ।
୧. ସନ୍ତୁଷ୍ଟ ରହିବାର ଅର୍ଥ କʼଣ ଓ କʼଣ ନୁହେଁ ?
ଆପଣଙ୍କ ପାଖରେ ଯାହା ଅଛି, କʼଣ ଆପଣ ସେଥିରେ ସନ୍ତୁଷ୍ଟ ଅଛନ୍ତି ? ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହେ, ସେ ନିଜ ଆଶିଷଗୁଡ଼ିକ ଉପରେ ଧ୍ୟାନ ଲଗାଇ ରଖେ । ସେଥିପାଇଁ ସେ ଖୁସି ଓ ଶାନ୍ତିରେ ବଞ୍ଚିପାରେ । ତାʼ ପାଖରେ ଯାହା ନାହିଁ, ସେବିଷୟରେ ଭାବି ସେ ଦୁଃଖି କିମ୍ବା ନିରାଶ ହୁଏ ନାହିଁ, ବରଂ ସେ ସନ୍ତୁଷ୍ଟ ରହେ । କିନ୍ତୁ ସନ୍ତୁଷ୍ଟ ରହିବାର ଅର୍ଥ ଏହା ନୁହେଁ ଯେ ଜଣେ ବ୍ୟକ୍ତି ପରିଶ୍ରମ କରିବା ପାଇଁ ଛାଡ଼ିଦେବ । ଏହା ପରିବର୍ତ୍ତେ ସେହି ବ୍ୟକ୍ତି ଆଗକୁ ବଢ଼ିବା ଜାରି ରଖିବ ଏବଂ ଭାବିବ ଯେ ସେ କିପରି ଯିହୋବାଙ୍କର ଆହୁରି ସେବା କରିପାରିବ । (ରୋମୀ. ୧୨:୧; ୧ ତୀମ. ୩:୧) ଯଦି ତାକୁ ସେହି ଦାୟିତ୍ୱ ମିଳେ ନାହିଁ ଯାହାକୁ ସେ ପାଇବା ପାଇଁ ଆଶା କରିଛି, ତାହେଲେ ବି ସେ ନିଜ ଖୁସି କମ୍ ହେବା ପାଇଁ ଦେବ ନାହିଁ ।
୨. ଯଦି ଆମେ ସନ୍ତୁଷ୍ଟ ରହିବାନି, ତାହେଲେ ଏହାର କʼଣ ଖରାପ ପରିଣାମ ହୋଇପାରେ ?
୨ ଯଦି ଜଣେ ବ୍ୟକ୍ତି ସନ୍ତୁଷ୍ଟ ରହେ ନାହିଁ, ତାହେଲେ ଏହାର ବହୁତ ଖରାପ ପରିଣାମ ହୋଇପାରେ । ସେ ଆରାମଦାୟକ ଜିନିଷ ଏକାଠି କରିବା ପାଇଁ ହୁଏତ ଦିନରାତି କାମ କରିବ କିମ୍ବା ହୁଏତ ସେ ଚୋରି କରିବ । ଦୁଃଖର କଥା ଯେ କିଛି ଖ୍ରୀଷ୍ଟିୟାନ ଏପରି ହିଁ କଲେ । ସେମାନେ ହୁଏତ ଭାବିଥିବେ, ‘ଏହାକୁ ନେବା ମୋର ଅଧିକାର,’ ‘ମୁଁ ବହୁତ ସମୟ ଅପେକ୍ଷା କରିଛି’ କିମ୍ବା ‘ମୁଁ ଏବେ ପାଇଁ ଏହି ପଇସା ରଖିନିଏ, ପରେ ତାକୁ ଫେରାଇ ଦେବି ।’ କିନ୍ତୁ ଯିହୋବାଙ୍କ ଦୃଷ୍ଟିରେ ଯେକୌଣସି ପ୍ରକାରର ଚୋରି ପାପ ଅଟେ ଓ ଏଥିରୁ ଯିହୋବାଙ୍କର ନାମ ବଦନାମ ହୁଏ । (ହିତୋ. ୩୦:୯) ତାʼସହିତ କିଛି ଖ୍ରୀଷ୍ଟିୟାନଙ୍କ ସହ ଏପରି ବି ହେଲା ଯେ ଯେବେ ସେମାନଙ୍କୁ ସେହି ଦାୟିତ୍ୱ ମିଳିଲା ନାହିଁ ଯାହା ସେମାନେ ପାଇବା ପାଇଁ ଚାହୁଁଥିଲେ, ତେବେ ସେମାନେ ନିରାଶ ହୋଇ ଯିହୋବାଙ୍କର ସେବା କରିବା ଛାଡ଼ିଦେଲେ । (ଗାଲା. ୬:୯) କିନ୍ତୁ ପ୍ରଶ୍ନ ଆସେ, ଯିହୋବାଙ୍କର ଜଣେ ସମର୍ପିତ ସେବକ କିପରି ଏସବୁ କାମ କରିପାରେ ? ଯଦି ଜଣେ ଖ୍ରୀଷ୍ଟିୟାନ ତାʼ ପାଖରେ ଯାହା ଅଛି ସେଥିରେ ସନ୍ତୁଷ୍ଟ ରହେ ନାହିଁ, ତାହେଲେ ସେ ଏପରି ଭୁଲ ପଦକ୍ଷେପ ନେଇପାରେ ।
୩. ଫିଲିପ୍ପୀୟ ୪:୧୧, ୧୨ ପଦରୁ ଆମେ କʼଣ ଶିଖୁ ?
୩ ଆମେ ସମସ୍ତେ ସନ୍ତୁଷ୍ଟ ରହିପାରିବା । ପ୍ରେରିତ ପାଉଲ ଲେଖିଲେ, “ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି ।” (ଫିଲିପ୍ପୀୟ ୪:୧୧, ୧୨ ପଢ଼ନ୍ତୁ ।) ପାଉଲ ଏହି କଥା ଜେଲରେ ଥିବା ସମୟରେ ଲେଖିଥିଲେ । ଏପରି ପରିସ୍ଥିତିରେ ବି ସେ ନିଜ ଖୁସି ହରାଇଲେ ନାହିଁ । କାରଣ ସେ ସନ୍ତୁଷ୍ଟ ରହିବା ବିଷୟରେ “ସୁଶିକ୍ଷିତ” ଥିଲେ । ଯଦି ଆମକୁ ସନ୍ତୁଷ୍ଟ ରହିବା କଠିନ ଲାଗୁଛି, ତାହେଲେ ଆମେ ପାଉଲଙ୍କ ଉଦାହରଣ ମନେ ରଖିପାରିବା । ସେ ଯେପରି ଭାବେ ଜୀବନ ବିତାଇଲେ ଓ ଯାହା କହିଲେ, ସେଥିରୁ ଜଣାପଡ଼େ ଯେ ଆମେ ମଧ୍ୟ ସମସ୍ୟାର ସାମନା କରିବା ସମୟରେ ସନ୍ତୁଷ୍ଟ ରହିପାରିବା । କିନ୍ତୁ ଏପରି କରିବା ସହଜ ନୁହେଁ, ଆମକୁ ଏହା ଶିଖିବାକୁ ପଡ଼ିବ । ତାହା କିପରି ? ଆସନ୍ତୁ ତିନୋଟି କଥା ଉପରେ ଧ୍ୟାନ ଦେବା ।
କୃତଜ୍ଞତାର ଭାବନା ବଢ଼ାନ୍ତୁ
୪. କୃତଜ୍ଞ ରହିଲେ ଆମେ କିପରି ସନ୍ତୁଷ୍ଟ ରହିବା ପାଇଁ ଶିଖିପାରିବା ? (୧ ଥେସଲନୀକୀୟ ୫:୧୮)
୪ ଯେଉଁମାନେ କୃତଜ୍ଞ ରହନ୍ତି, ସେମାନେ ଅଧିକ ଖୁସି ଓ ସନ୍ତୁଷ୍ଟ ରହନ୍ତି । (୧ ଥେସଲନୀକୀୟ ୫:୧୮ ପଢ଼ନ୍ତୁ ।) ଯେପରି, ଆମ ପାଖରେ ଯେଉଁ ଆବଶ୍ୟକୀୟ ଜିନିଷଗୁଡ଼ିକ ଅଛି ସେଗୁଡ଼ିକ ପାଇଁ ଯେବେ ଆମେ କୃତଜ୍ଞ ରହିବା, ତେବେ ଆମ ପାଖରେ ଯାହା ନାହିଁ ସେବିଷୟରେ ଆମେ ଅତ୍ୟଧିକ ଭାବିବା ନାହିଁ । ଯଦି ଆମେ ଏହି କଥା ପାଇଁ ବି କୃତଜ୍ଞ ଯେ ଆମକୁ ଯିହୋବାଙ୍କର ସେବା କରିବା ପାଇଁ ଭଲ ସୁଯୋଗ ମିଳିଛି, ତେବେ ଆମେ ଅନ୍ୟ ଦାୟିତ୍ୱଗୁଡ଼ିକ ପାଇବା ପଛରେ ଲାଗି ରହିବା ନାହିଁ । ଏହା ପରିବର୍ତ୍ତେ ଆମକୁ ଯେଉଁ ଦାୟିତ୍ୱ ମିଳିଛି, ତାହାକୁ ତୁଲାଇବା ପାଇଁ କଠିନ ପରିଶ୍ରମ କରିବା । ବାଇବଲରେ ଆମକୁ ପ୍ରାର୍ଥନା କରି ଯିହୋବାଙ୍କୁ ଧନ୍ୟବାଦ ଦେବା ପାଇଁ ପ୍ରୋତ୍ସାହନ ଦିଆଯାଇଛି, କାରଣ ଏପରି କଲେ ଆମେ କୃତଜ୍ଞ ରହିବା ଏବଂ ଆମକୁ “ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି” ମିଳିବ ।—ଫିଲିପ୍. ୪:୬, ୭.
୫. ଇସ୍ରାଏଲୀୟମାନଙ୍କ ପାଖରେ କୃତଜ୍ଞତା ଦେଖାଇବାର କେଉଁ କାରଣଗୁଡ଼ିକ ଥିଲା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୫ ଧ୍ୟାନ ଦିଅନ୍ତୁ ଯେ ଇସ୍ରାଏଲୀୟମାନଙ୍କ ସହିତ କʼଣ ହୋଇଥିଲା । ସେମାନେ ଅନେକ ଥର ଅଭିଯୋଗ କଲେ ଯେ ସେମାନଙ୍କୁ ଯେପରି ମିଶରରେ ଖାଇବା ପିଇବା ପାଇଁ ମିଳୁଥିଲା, ସେପରି ଏବେ ସେମାନଙ୍କୁ ମିଳୁନି । (ଗଣ. ୧୧:୪-୬) ଏହା ସତ ଯେ ପ୍ରାନ୍ତରରେ ଜୀବନ ବିତାଇବା ସହଜ ନ ଥିଲା, ତଥାପି ଯିହୋବା ସେମାନଙ୍କ ପାଇଁ ଯାହା କରିଥିଲେ, ଯଦି ସେମାନେ ସେବିଷୟରେ ଭାବିଥାʼନ୍ତେ ଓ ସେଗୁଡ଼ିକ ପାଇଁ ତାଙ୍କୁ ଧନ୍ୟବାଦ ଦିଅନ୍ତେ, ତାହେଲେ ସେମାନେ ଖୁସି ଓ ସନ୍ତୁଷ୍ଟ ରହିପାରନ୍ତେ । ଯେପରି, ସେମାନେ ମିଶରରେ ଦାସତ୍ୱ ଭାବେ ଥିଲେ ଓ ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା, କିନ୍ତୁ ଯିହୋବା ଦଶଟି ଦଣ୍ଡ ଆଣି ସେମାନଙ୍କୁ ସେଠାରୁ ମୁକ୍ତ କଲେ । ଆଉ ଯେବେ ସେମାନେ ସେଠାରୁ ବାହାରିଲେ, ତେବେ ଯେପରି “ସେମାନେ ମିସ୍ରୀୟମାନଙ୍କ ଧନ ହରଣ କଲେ ।” ସେମାନେ ମିସ୍ରୀୟମାନଙ୍କ ବସ୍ତ୍ର ଓ ସେମାନଙ୍କର ସୁନା ଓ ରୂପାର ଜିନିଷଗୁଡ଼ିକୁ ନିଜ ସହ ନେଇ ଗଲେ । (ଯାତ୍ରା. ୧୨:୩୫, ୩୬) ଆଉ ଯେବେ ମିସ୍ରୀୟ ସେନା ସେମାନଙ୍କର ପିଛା କରି ଲୋହିତ ସାଗର ଯାଏ ଆସିଲା, ତେବେ ଯିହୋବା ଚମତ୍କାର କରି ଲୋହିତ ସାଗରକୁ ଦୁଇ ଭାଗରେ ବିଭକ୍ତ କଲେ । ତାʼସହିତ ପ୍ରାନ୍ତରରେ ଯିହୋବା ପ୍ରତିଦିନ ସେମାନଙ୍କୁ ଖାଇବା ପାଇଁ ମାନ୍ନା ଦେଉଥିଲେ । ତଥାପି ଇସ୍ରାଏଲୀୟମାନେ କାହିଁକି ଅଭିଯୋଗ କରିବାକୁ ଲାଗିଲେ ? ଏପରି ନ ଥିଲା ଯେ ସେମାନଙ୍କୁ ଖାଇବା ପାଇଁ ମିଳୁ ନ ଥିଲା । ପ୍ରକୃତରେ ସେମାନେ ସନ୍ତୁଷ୍ଟ ନ ଥିଲେ, କାରଣ ସେମାନେ ସେହି ଜିନିଷଗୁଡ଼ିକ ପାଇଁ କୃତଜ୍ଞ ନ ଥିଲେ ଯାହା ଯିହୋବା ସେମାନଙ୍କ ପାଇଁ କରିଥିଲେ ।
ଇସ୍ରାଏଲୀୟମାନେ କାହିଁକି ସନ୍ତୁଷ୍ଟ ନ ଥିଲେ ? (ପାରାଗ୍ରାଫ ୫)
୬. ଆମେ କିପରି କୃତଜ୍ଞତାର ଭାବନା ବଢ଼ାଇପାରିବା ?
୬ ଆପଣ କିପରି କୃତଜ୍ଞତାର ଭାବନା ବଢ଼ାଇପାରିବେ ? ପ୍ରଥମ, ପ୍ରତିଦିନ ସମୟ ବାହାର କରି ଭାବନ୍ତୁ ଯେ ଆପଣଙ୍କ ପାଖରେ ଏପରି କେଉଁ ଜିନିଷଗୁଡ଼ିକ ଅଛି, ଯାହା ପାଇଁ ଆପଣ କୃତଜ୍ଞ ଅଛନ୍ତି । ହୋଇପାରିଲେ ଆପଣ ଦୁଇ କିମ୍ବା ତିନୋଟି ଜିନିଷ ବିଷୟରେ ଲେଖି ରଖନ୍ତୁ । (ବିଳା. ୩:୨୨, ୨୩) ଦ୍ୱିତୀୟ, ଦେଖାନ୍ତୁ ଯେ ଆପଣ କୃତଜ୍ଞ । ଅନ୍ୟମାନେ ଆପଣଙ୍କ ପାଇଁ ଯାହା କରନ୍ତି ତାʼପାଇଁ ସେମାନଙ୍କୁ ଧନ୍ୟବାଦ ଦିଅନ୍ତୁ । ସବୁଠୁ ବଡ଼ କଥା, ଯିହୋବାଙ୍କୁ ପ୍ରତିଦିନ ଧନ୍ୟବାଦ ଦିଅନ୍ତୁ । (ଗୀତ. ୭୫:୧) ତୃତୀୟ, ସେହି ଲୋକମାନଙ୍କ ସହିତ ସାଙ୍ଗ ହୁଅନ୍ତୁ ଯେଉଁମାନେ କୃତଜ୍ଞତା ଦେଖାନ୍ତି । ଏପରି କଲେ ଆପଣ ବି କୃତଜ୍ଞତାର ଭାବନା ବଢ଼ାଇପାରିବେ । କିନ୍ତୁ ଯଦି ଆପଣ ସେହି ଲୋକମାନଙ୍କ ସହିତ ସାଙ୍ଗ ହୁଅନ୍ତି ଯେଉଁମାନେ ସନ୍ତୁଷ୍ଟ ରହନ୍ତି ନାହିଁ, ତାହେଲେ ଆପଣ ବି ସେମାନଙ୍କ ଭଳି ହୋଇଯିବେ ଓ ସନ୍ତୁଷ୍ଟ ରହିବେ ନାହିଁ । (ଦ୍ୱିବି. ୧:୨୬-୨୮; ୨ ତୀମ. ୩:୧, ୨, ୫) ଯେବେ ଆମେ ଏବିଷୟରେ ଭାବିବା ଯେ ଆମେ କେଉଁ କଥାଗୁଡ଼ିକ ପାଇଁ କୃତଜ୍ଞ ରହିପାରିବା, ତେବେ ଆମେ ସନ୍ତୁଷ୍ଟ ରହିବା ଏବଂ ଆମ ପାଖରେ ଯେଉଁ ଜିନିଷଗୁଡ଼ିକ ନାହିଁ ସେବିଷୟରେ ଭାବି ଚିନ୍ତିତ ହେବା ନାହିଁ ।
୭. ଆଚି କିପରି କୃତଜ୍ଞତାର ଭାବନା ବଢ଼ାଇଲେ ଓ ଏହାର କʼଣ ପରିଣାମ ହେଲା ?
୭ ଇଣ୍ଡୋନେସିଆର ଭଉଣୀ ଆଚିଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ କହନ୍ତି, “ଯେବେ କୋଭିଡ୍-୧୯ ମହାମାରୀ ଚାଲୁଥିଲା, ତେବେ ମୁଁ ନିଜ ତୁଳନା ଅନ୍ୟ ଭାଇଭଉଣୀମାନଙ୍କ ସହିତ କରିବାକୁ ଲାଗିଲି । ମୁଁ ଭାବିବାକୁ ଲାଗିଲି ଯେ ସେମାନଙ୍କ ପରିସ୍ଥିତି ମୋଠାରୁ କେତେ ଭଲ ଅଛି ଓ ଏପରି ଭାବିବା ଯୋଗୁଁ ମୁଁ ନିରାଶ ହୋଇଗଲି ।” (ଗାଲା. ୬:୪) ସେସମୟରେ ଆଚି କିପରି ନିଜର ଚିନ୍ତାଧାରାରେ ପରିବର୍ତ୍ତନ କଲେ ? ସେ କହନ୍ତି, “ମୁଁ ପ୍ରତିଦିନ ସେହି ଆଶିଷଗୁଡ଼ିକ ବିଷୟରେ ଭାବୁଥିଲି, ଯାହା ଯିହୋବା ମୋତେ ଦେଇଥିଲେ । ତାʼସହିତ ଯିହୋବାଙ୍କ ସଂଗଠନର ଭାଗ ହେବା ଯୋଗୁଁ ମୋତେ ଯେଉଁ ଆଶିଷଗୁଡ଼ିକ ମିଳୁଥିଲା, ମୁଁ ସେଗୁଡ଼ିକ ବିଷୟରେ ବି ଭାବିବାକୁ ଲାଗିଲି । ତାʼପରେ ମୁଁ ସେଗୁଡ଼ିକ ପାଇଁ ଯିହୋବାଙ୍କୁ ଧନ୍ୟବାଦ ଦେଲି । ଏହାପରେ ମୁଁ ମୋ ପାଖରେ ଯାହା ଥିଲା, ସେଥିରେ ଖୁସି ରହିବାକୁ ଲାଗିଲି ।” ଯଦି ଆପଣ ବି ନିଜ ପରିସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି, ତାହେଲେ କୃତଜ୍ଞତାର ଭାବନା ବଢ଼ାଇବା ପାଇଁ ଆଚି ଯାହା କଲେ, ଆପଣ ବି ତାହା ହିଁ କରନ୍ତୁ ।
ଯିହୋବାଙ୍କର ଇଚ୍ଛା ପୂରା କରିବା ପାଇଁ ଧ୍ୟାନ ଲଗାଇ ରଖନ୍ତୁ ଓ ନମ୍ର ରହନ୍ତୁ
୮. ଥରେ ବାରୂକଙ୍କ ସହିତ କʼଣ ହେଲା ?
୮ ଥରେ ଯିରିମୀୟଙ୍କ ସଚିବ ବାରୂକ ସେହି ଜିନିଷଗୁଡ଼ିକ ପାଇଁ ବହୁତ ଚିନ୍ତିତ ହୋଇଗଲେ, ଯାହା ତାଙ୍କ ପାଖରେ ନ ଥିଲା । ବାରୂକଙ୍କୁ ଗୋଟିଏ କଠିନ କାମ ମିଳିଥିଲା । ଯିହୋବା ଯିରିମୀୟଙ୍କୁ କହିଥିଲେ ଯେ ସେ ସେହି ଇସ୍ରାଏଲୀୟମାନଙ୍କୁ କଡ଼ା ସନ୍ଦେଶ ଶୁଣାନ୍ତୁ ଯେଉଁମାନେ କୃତଜ୍ଞତା ଦେଖାଉ ନ ଥିଲେ । ଏହି କାମରେ ବାରୂକଙ୍କୁ, ଯିରିମୀୟଙ୍କର ସହଯୋଗ କରିବାର ଥିଲା । କିନ୍ତୁ ଯିହୋବା ଯେଉଁ କାମ ଦେଇଥିଲେ ସେହି କାମ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ବାରୂକ ନିଜ ବିଷୟରେ ଅତ୍ୟଧିକ ଭାବିବାକୁ ଲାଗିଲେ । ତେବେ ଯିହୋବା ଯିରିମୀୟଙ୍କ ଜରିଆରେ ତାଙ୍କୁ କହିଲେ, “ତୁମ୍ଭେ କି ଆପଣା ପାଇଁ ମହତ ବିଷୟମାନ ଚେଷ୍ଟା କରୁଅଛ ? ତାହା ଚେଷ୍ଟା କର ନାହିଁ ।” (ଯିରି. ୪୫:୩-୫) ଅନ୍ୟ ଶବ୍ଦରେ କହିଲେ, ଯିହୋବା ତାଙ୍କୁ ଏହା କହୁଥିଲେ, “ତମ ପାଖରେ ଯାହା ଅଛି, ସେଥିରେ ଖୁସି ରହ ।” ଆଉ ବାରୂକ ଯିହୋବାଙ୍କର କଥା ମାନିଲେ ଓ ନିଜ ଚିନ୍ତାଧାରା ସୁଧାରିଲେ । ଏହି କାରଣ ଯୋଗୁଁ ଯିହୋବାଙ୍କର ଆଶିଷ ତାଙ୍କ ଉପରେ ବଜାୟ ରହିଲା ।
୯. ଯଦି ଆମେ ନମ୍ର ହେବା, ତାହେଲେ ଦାୟିତ୍ୱଗୁଡ଼ିକ ବିଷୟରେ ଆମର ଚିନ୍ତାଧାରା କିପରି ହେବ ? (୧ କରିନ୍ଥୀୟ ୪:୬, ୭) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୯ ହୁଏତ, ଜଣେ ଖ୍ରୀଷ୍ଟିୟାନକୁ ଲାଗେ ଯେ ତାକୁ କୌଣସି ଦାୟିତ୍ୱ ମିଳିବା ଉଚିତ୍ । କାରଣ ହୁଏତ ତାକୁ ଲାଗେ ଯେ ତାʼ ପାଖରେ ବହୁତ ଦକ୍ଷତା ଅଛି, ସେ ପରିଶ୍ରମୀ କିମ୍ବା ତାʼ ପାଖରେ ବହୁତ ଅନୁଭୂତି ଅଛି । କିନ୍ତୁ ପରେ ସେହି ଦାୟିତ୍ୱ ଅନ୍ୟ କାହାରିକୁ ମିଳିଯାଏ । ଏହା ଦେଖି ସେହି ଖ୍ରୀଷ୍ଟିୟାନ ହୁଏତ ବହୁତ ନିରାଶ ହୋଇଯାଏ । ଏପରି ସମୟରେ ସେ କʼଣ କରିପାରିବ ? ସେ ପ୍ରେରିତ ପାଉଲଙ୍କ କଥା ଭାବିପାରିବ ଯାହା ୧ କରିନ୍ଥୀୟ ୪:୬, ୭ ପଦରେ ଲେଖା ହୋଇଛି । (ପଢ଼ନ୍ତୁ ।) ସେଥିରେ କୁହାଯାଇଛି ଯେ ଆମକୁ ଯାହା ବି ଦାୟିତ୍ୱ ମିଳିଛି ଓ ଆମ ପାଖରେ ଯାହା ବି ଦକ୍ଷତା ଅଛି, ତାହା ଯିହୋବାଙ୍କ ତରଫରୁ ମିଳିଛି । ଆମେ ଏହା ପାଇଁ ଯୋଗ୍ୟ ନାହୁଁ, କିନ୍ତୁ ସେ ଆମ ଉପରେ ମହାକୃପା କରିଛନ୍ତି ଓ ଆମକୁ ଏହି ଉପହାର ଦେଇଛନ୍ତି ।—ରୋମୀ. ୧୨:୩, ୬; ଏଫି. ୨:୮, ୯.
ଆମ ପାଖରେ ଯାହା ବି ଉପହାର ଅଛି, ତାହା ଯିହୋବାଙ୍କ ମହାକୃପା ଯୋଗୁଁ ଅଛି (ପାରାଗ୍ରାଫ ୯)b
୧୦. ଆମେ ନମ୍ର ହେବା ପାଇଁ କʼଣ କରିପାରିବା ?
୧୦ ଯଦି ଆମେ ଯୀଶୁଙ୍କ ଉଦାହରଣ ଉପରେ ଗଭୀର ଭାବେ ଭାବିବା, ତାହେଲେ ଆମେ ବି ନମ୍ର ହେବା ପାଇଁ ଶିଖିପାରିବା । ଧ୍ୟାନ ଦିଅନ୍ତୁ ଯେ ଯେଉଁ ରାତିରେ ଯୀଶୁ ନିଜ ଶିଷ୍ୟମାନଙ୍କ ପାଦ ଧୋଇଲେ, ସେବିଷୟରେ ବାଇବଲରେ କʼଣ ଲେଖା ହୋଇଛି । ପ୍ରେରିତ ଯୋହନ ଲେଖିଲେ, ଯୀଶୁ ଏହା ଜାଣିଥିଲେ ‘ଯେ [୧] ପିତା ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି, [୨] ସେ ଈଶ୍ୱରଙ୍କ ନିକଟରୁ ଆସିଅଛନ୍ତି ଏବଂ [୩] ପୁଣି ସେ ଈଶ୍ୱରଙ୍କ ନିକଟକୁ ଯାଉଅଛନ୍ତି, . . . ସେ ଶିଷ୍ୟମାନଙ୍କ ପାଦ ଧୋଇଲେ ।’ (ଯୋହ. ୧୩:୩-୫) ଯୀଶୁ ଏହା ଭାବିଲେ ନାହିଁ, ‘ମୁଁ ଈଶ୍ୱରଙ୍କ ପୁତ୍ର ଏବଂ ଶିଷ୍ୟମାନଙ୍କୁ ମୋ ପାଦ ଧୋଇବା ଉଚିତ୍ ।’ ସେ ପୃଥିବୀରେ ଥିବା ସମୟରେ ମଧ୍ୟ କେବେ ବି ଆରାମଦାୟକ ଜୀବନ ଚାହିଁଲେ ନାହିଁ । (ଲୂକ ୯:୫୮) ଯୀଶୁ ନମ୍ର ଥିଲେ ଏବଂ ତାଙ୍କ ପାଖରେ ଯାହା ଥିଲା ସେଥିରେ ସେ ସନ୍ତୁଷ୍ଟ ଥିଲେ । ସେ ଆମ ପାଇଁ କେତେ ବଢ଼ିଆ ଉଦାହରଣ ଅଟନ୍ତି !—ଯୋହ. ୧୩:୧୫.
୧୧. ନମ୍ର ହେବା ଦ୍ୱାରା ଡେନିସ୍ କିପରି ସନ୍ତୁଷ୍ଟ ରହିପାରିଲେ ?
୧୧ ନେଦରଲ୍ୟାଣ୍ଡସ୍ର ଭାଇ ଡେନିସ୍ ଯୀଶୁଙ୍କ ଭଳି ନମ୍ର ହେବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ତାଙ୍କ ପାଇଁ ଏହା ସହଜ ନୁହେଁ । ସେ କହନ୍ତି, “ଯେବେ କାହାରିକୁ ସେହି ଦାୟିତ୍ୱ ମିଳିଯାଏ ଯାହା ମୁଁ ପାଇବା ପାଇଁ ଚାହେଁ, ତେବେ ମୋତେ ବହୁତ ଖରାପ ଲାଗେ । ଏପରି ସମୟରେ ମୁଁ ନମ୍ର ହେବା ବିଷୟରେ ଅଧ୍ୟୟନ କରେ । ମୁଁ jw ଲାଇବ୍ରେରୀ ଆପ୍ରେ ନମ୍ର ହେବା ବିଷୟରେ କିଛି ପଦ ଟ୍ୟାଗ୍ କରିକି ରଖିଛି, ଯାହା ସାହାଯ୍ୟରେ ମୁଁ ସେହି ପଦଗୁଡ଼ିକୁ ସହଜରେ ଖୋଜିପାରେ ଓ ସେଗୁଡ଼ିକୁ ବାରମ୍ବାର ପଢ଼େ । ମୁଁ ନିଜ ଫୋନ୍ରେ ନମ୍ର ରହିବା ବିଷୟରେ କିଛି ଭାଷଣ ବି ଡାଉନଲୋଡ୍ କରିକି ରଖିଛି ଓ ମୁଁ ବାରମ୍ବାର ସେଗୁଡ଼ିକୁ ଶୁଣେ ।a ମୁଁ ଶିଖିଛି ଯେ ଆମେ ଯାହା ବି କରୁ ତାହା ଯିହୋବାଙ୍କର ମହିମା ପାଇଁ କରିବା ଉଚିତ୍, ନିଜର ମହିମା ପାଇଁ ନୁହଁ । ଦେଖିବାକୁ ଗଲେ ଯିହୋବା ସବୁକିଛି କରୁଛନ୍ତି, ଆମେ କେବଳ ତାଙ୍କୁ ସହଯୋଗ କରୁଛୁ ।” ଯଦି ଆପଣ ବି କେବେ ଏହି କଥାକୁ ନେଇ ନିରାଶ ହେବାକୁ ଲାଗନ୍ତି ଯେ ଆପଣ ଯେଉଁ ଦାୟିତ୍ୱ ପାଇବା ପାଇଁ ଚାହୁଁଥିଲେ ତାହା ଆପଣଙ୍କୁ ମିଳିଲା ନାହିଁ, ତେବେ ନମ୍ର ରହିବା ପାଇଁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ଯିହୋବାଙ୍କ ସହିତ ଆପଣଙ୍କର ବନ୍ଧୁତା ଦୃଢ଼ ହୋଇଯିବ ଓ ଆପଣଙ୍କ ପାଖରେ ଯାହା କିଛି ଅଛି, ଆପଣ ସେଥିରେ ସନ୍ତୁଷ୍ଟ ରହିପାରିବେ ।—ଯାକୁ. ୪:୬, ୮.
ନିଜ ଆଶା ବିଷୟରେ ଚିନ୍ତନ କରନ୍ତୁ
୧୨. ଭବିଷ୍ୟତ ପାଇଁ ଆମ ପାଖରେ କʼଣ ଆଶା ଅଛି, ଯାହାଯୋଗୁଁ ଆଜି ଆମେ ସନ୍ତୁଷ୍ଟ ରହିପାରୁ ? (ଯିଶାଇୟ ୬୫:୨୧-୨୫)
୧୨ ଯିହୋବା ଆମକୁ ଏକ ସୁନ୍ଦର ଭବିଷ୍ୟତର ଆଶା ଦେଇଛନ୍ତି । ଯଦି ଆମେ ସେବିଷୟରେ ଚିନ୍ତନ କରିବା, ତାହେଲେ ଆମେ ସନ୍ତୁଷ୍ଟ ରହିବା ଶିଖିପାରିବା । ଭବିଷ୍ୟଦ୍ବକ୍ତା ଯିଶାଇୟଙ୍କ ଶବ୍ଦଗୁଡ଼ିକରୁ ସ୍ପଷ୍ଟ ଜଣାପଡ଼େ ଯେ ଯିହୋବା ଆମ ଚିନ୍ତାଗୁଡ଼ିକୁ ଭଲଭାବେ ବୁଝନ୍ତି ଓ ସେ ପ୍ରତିଜ୍ଞା କରିଛନ୍ତି ଯେ ସେଗୁଡ଼ିକୁ ସେ ସବୁଦିନ ପାଇଁ ଦୂର କରିଦେବେ । (ଯିଶାଇୟ ୬୫:୨୧-୨୫ ପଢ଼ନ୍ତୁ ।) ନୂଆ ଦୁନିଆରେ ଆମ ପାଖରେ ରହିବା ପାଇଁ ଭଲ ଘର ଥିବ ଓ ଆମେ ସୁରକ୍ଷିତ ରହିବା । ଆମ ପାଖରେ ଏପରି କାମ ଥିବ ଯେଉଁଥିରୁ ଆମକୁ ଖୁସି ମିଳିବ । ଆମେ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ଏବଂ ଆମ ସ୍ୱାସ୍ଥ୍ୟ ଭଲ ରହିବ । ଆମ କିମ୍ବା ଆମ ପିଲାମାନଙ୍କର ଭବିଷ୍ୟତକୁ ନେଇ ଆମକୁ କୌଣସି ଚିନ୍ତା ନ ଥିବ । (ଯିଶା. ୩୨:୧୭, ୧୮; ଯିହି. ୩୪:୨୫) ଯିହୋବା ଆମକୁ ଯେଉଁ ନିଆରା ଭବିଷ୍ୟତ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି, ତାହା ସେ ନିଶ୍ଚୟ ପୂରା କରିବେ !
୧୩. ଆମକୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ ଏବଂ ନିଜ ଆଶା ବିଷୟରେ ଭାବିବା ଯୋଗୁଁ ଆମକୁ କିପରି ସାହାଯ୍ୟ ମିଳେ ?
୧୩ ଆଜି ଆମକୁ ପୂର୍ବ ଅପେକ୍ଷା ଅଧିକ ନିଜ ଆଶା ଉପରେ ଧ୍ୟାନ ଲଗାଇ ରଖିବା ଉଚିତ୍ । ତାହା କାହିଁକି ? କାରଣ ଆମେ “ଶେଷକାଳରେ” ବଞ୍ଚୁଛୁ, ଯାହାର ସାମନା କରିବା ଭାରି କଷ୍ଟ । (୨ ତୀମ. ୩:୧) କିନ୍ତୁ ଯିହୋବା ଆମକୁ ପ୍ରତିଦିନ ସଠିକ୍ ବାଟ ଦେଖାନ୍ତି, ଆମକୁ ସାହସ ଦିଅନ୍ତି ଓ ଆମକୁ ସାହାଯ୍ୟ କରନ୍ତି । (ଗୀତ. ୧୪୫:୧୪) କେବଳ ଏତିକି ନୁହେଁ, ସେ ଆମକୁ ନିଆରା ଭବିଷ୍ୟତ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି । ତେଣୁ ଆମେ କଠିନ ପରିସ୍ଥିତିରେ ବି ନିଜକୁ ସମ୍ଭାଳିପାରୁ । ହୁଏତ ଆପଣ ନିଜ ପରିବାର ପାଇଁ ଦିନରାତି ପରିଶ୍ରମ କରି କେବଳ ଦୁଇ ଅଳିର ଖାଦ୍ୟ ଯୋଗାଇ ପାରନ୍ତି । କʼଣ ଏହାର ଅର୍ଥ ଆପଣଙ୍କୁ ସବୁଦିନ ଯାଏ ଦାରିଦ୍ରତାର ସାମନା କରିବାକୁ ପଡ଼ିବ ? ନୁହଁ । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ପାରଦୀଶରେ ଆପଣଙ୍କର ସବୁ ଆବଶ୍ୟକତା ପୂରା କରିବେ । ଆମେ ଯେତେ ଭାବିଛୁ, ଯିହୋବା ତାʼଠାରୁ ବି ଅଧିକ ଆମକୁ ଦେବେ । (ଗୀତ. ୯:୧୮; ୭୨:୧୨-୧୪) ହୁଏତ ଆପଣଙ୍କୁ କୌଣସି ଗମ୍ଭୀର ରୋଗ ହୋଇଛି କିମ୍ବା ଆପଣ ସବୁବେଳେ ଶାରୀରିକ ପୀଡ଼ାରେ ରହନ୍ତି କିମ୍ବା ଆପଣ ନିରାଶାର ସାମନା କରୁଛନ୍ତି । କʼଣ ଏହାର ଅର୍ଥ ଆପଣ ସବୁଦିନ ଯାଏ ଏପରି ହିଁ କଷ୍ଟ ସହୁଥିବେ ? ନୁହଁ । ଈଶ୍ୱର ନୂଆ ଦୁନିଆରେ ସବୁ ପ୍ରକାରର ରୋଗକୁ ଦୂର କରିଦେବେ ଏବଂ ମୃତ୍ୟୁ ମଧ୍ୟ ରହିବ ନାହିଁ । (ପ୍ରକା. ୨୧:୩, ୪) ଯେବେ ଆମେ ଏହି ଆଶା ବିଷୟରେ ଭାବୁ, ତେବେ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଆମ ମନ ରାଗ ଓ କ୍ରୋଧରେ ଭରିଯାଇ ନ ଥାଏ, ବରଂ ଆମେ ଖୁସିରେ ରହୁ । ଯେବେ ଆମ ସହିତ କୌଣସି ଅନ୍ୟାୟ ହୁଏ କିମ୍ବା ଆମେ ନିଜ କାହାରିକୁ ହରାଇ ଦେଉ କିମ୍ବା ଆମକୁ ରୋଗ ହୋଇଯାଏ କିମ୍ବା ଆମକୁ ଅନ୍ୟ କୌଣସି ସମସ୍ୟାର ସାମନା କରିବାକୁ ପଡ଼େ, ତେବେ ମଧ୍ୟ ଆମେ ଖୁସିରେ ରହିପାରୁ । ତାହା କାହିଁକି ? କାରଣ ଆମେ ଜାଣିଛୁ ଯେ ଆମ ଦୁଃଖକଷ୍ଟଗୁଡ଼ିକ “କ୍ଷଣକାଳସ୍ଥାୟୀ” ଏବଂ ନୂଆ ଦୁନିଆରେ ଆମକୁ ଏଗୁଡ଼ିକ ଆଉ ଦେଖିବାକୁ ମିଳିବ ନାହିଁ ।—୨ କରି. ୪:୧୭, ୧୮.
୧୪. ଆମେ କିପରି ନିଜ ଆଶା ଦୃଢ଼ କରିପାରିବା ?
୧୪ ସନ୍ତୁଷ୍ଟ ରହିବା ପାଇଁ ଆମ ପାଖରେ ଭବିଷ୍ୟତ ପାଇଁ ଗୋଟିଏ ଆଶା ଥିବା ଜରୁରୀ । ତାହେଲେ ଆମେ କିପରି ନିଜ ଆଶାକୁ ଦୃଢ଼ କରିପାରିବା ? ଯେପରି ଜଣେ ବ୍ୟକ୍ତିକୁ ଚଷମା ପିନ୍ଧିଲେ ଦୂର ଜିନିଷ ସ୍ପଷ୍ଟ ଦେଖାଯାଏ, ସେହିପରି ଯେବେ ଆମେ ନିଜ ଆଶାକୁ ଦୃଢ଼ କରିବା ପାଇଁ କିଛି ପଦକ୍ଷେପ ନେବା, ତେବେ ଆମେ ନିଜ ମନର ଆଖିରୁ ପାରଦୀଶକୁ ସ୍ପଷ୍ଟ ଭାବେ ଦେଖିପାରିବା । ଯେପରି, ଯଦି ଆମକୁ ଟଙ୍କା ପଇସାର ଚିନ୍ତା ହୁଏ, ତାହେଲେ ଆମେ ପାରଦୀଶ ବିଷୟରେ ଭାବିପାରିବା, ଯେଉଁଠି ପଇସାର ଆବଶ୍ୟକ ହେବ ନାହିଁ, ଋଣ ନେବାକୁ ପଡ଼ିବ ନାହିଁ ଓ କେହି ଗରିବ ହୋଇ ରହିବେ ନାହିଁ । ଯଦି ଆମକୁ ଏହା ଚିନ୍ତା ହେଉଛି ଯେ ଆମକୁ କୌଣସି ଦାୟିତ୍ୱ ମିଳୁ ନାହିଁ, ତେବେ ଆମେ ଭାବିପାରିବା ଯେ ଯେବେ ଆମେ ପରିପୂର୍ଣ୍ଣ ହୋଇଯିବା ଓ ହଜାର ବର୍ଷରୁ ବି ଅଧିକ ସମୟ ଧରି ଯିହୋବାଙ୍କ ସେବା କରି ସାରିଥିବା, ତେବେ ଆମକୁ ଏହି ଚିନ୍ତା ବହୁତ ସାମାନ୍ୟ କଥା ଲାଗିବ । (୧ ତୀମ. ୬:୧୯) ହୁଏତ ନିଜ ସମସ୍ୟାଗୁଡ଼ିକ ପାଇଁ ଚିନ୍ତା ନ କରି ନୂଆ ଦୁନିଆରେ ମିଳୁଥିବା ଆଶିଷଗୁଡ଼ିକ ବିଷୟରେ ଚିନ୍ତନ କରିବା ଆମକୁ କଠିନ ଲାଗେ । କିନ୍ତୁ ଯଦି ଆମେ ସେହି ଆଶିଷଗୁଡ଼ିକ ବିଷୟରେ ଭାବିବା ଜାରି ରଖିବା, ତାହେଲେ ଆମ ପାଇଁ ନିଜ ଆଶା ଉପରେ ଧ୍ୟାନ ଲଗାଇ ରଖିବା ସହଜ ହୋଇଯିବ ।
୧୫. ଆପଣ ଭଉଣୀ କ୍ରିଷ୍ଟାଙ୍କ ଅନୁଭୂତିରୁ କʼଣ ଶିଖିଲେ ?
୧୫ ଭାଇ ଡେନିସ୍, ଯାହାଙ୍କ ବିଷୟରେ ଏହି ଲେଖାର ଆରମ୍ଭରେ କୁହାଯାଇଥିଲା, ତାଙ୍କ ସ୍ତ୍ରୀ କ୍ରିଷ୍ଟାଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ଭଉଣୀ କ୍ରିଷ୍ଟା କହନ୍ତି, “ମୋତେ ଗୋଟିଏ ଏପରି ରୋଗ ହୋଇଛି, ଯାହାଯୋଗୁଁ ମୋର ମାଂସପେଶୀଗୁଡ଼ିକ ଦୁର୍ବଳ ହୋଇ ହୋଇଯାଉଛି । ଏବେ ମୁଁ ଚାଲିପାରେନି ଓ ହ୍ୱିଲଚେୟାର ସାହାରା ନିଏ । ମୁଁ ଅଧିକାଂଶ ସମୟ ବିଛଣାରେ ହିଁ ପଡ଼ିରହେ । ପ୍ରତିଦିନ ମୋତେ ବହୁତ ପୀଡ଼ା ସହିବାକୁ ପଡ଼େ । କିଛି ସମୟ ପୂର୍ବରୁ ଡାକ୍ତର ମୋତେ କହିଲେ ଯେ ମୋ ଅବସ୍ଥା ଖରାପ ହୋଇଯାଉଛି ଏବଂ ମୁଁ ଆଉ ଠିକ୍ ହୋଇପାରିବି ନାହିଁ । କିନ୍ତୁ ମୁଁ ଭାବିବାକୁ ଲାଗିଲି, ‘ତାଙ୍କୁ ଜଣାନାହିଁ ଯେ ମୋତେ କେତେ ନିଆରା ଭବିଷ୍ୟତ ମିଳିବ ।’ ମୁଁ ନିଜ ଆଶା ଉପରେ ଧ୍ୟାନ ଲଗାଇ ରଖେ, ତେଣୁ ମୋତେ ମନର ଶାନ୍ତି ମିଳେ । ମୁଁ ଜାଣିଛି ଯେ ଆଜି ଏହି ଦୁନିଆରେ ମୋତେ ଏସବୁ ସହିବାକୁ ପଡ଼ିବ, କିନ୍ତୁ ନୂଆ ଦୁନିଆରେ ମୋର ସବୁ ପୀଡ଼ା ଦୂର ହୋଇଯିବ ଓ ମୁଁ ଜୀବନର ମଜା ନେଇପାରିବି ।”
“ଯେଉଁମାନେ ତାହାଙ୍କୁ ଭୟ କରନ୍ତି, ସେମାନଙ୍କର କୌଣସି ଅଭାବ ନାହିଁ”
୧୬. ରାଜା ଦାଉଦ ଏପରି କାହିଁକି ଲେଖିଲେ ଯେ ଯେଉଁମାନେ ଯିହୋବାଙ୍କୁ ଭୟ କରନ୍ତି, ସେମାନଙ୍କର “କୌଣସି ଅଭାବ ନାହିଁ ?”
୧୬ ଯିହୋବାଙ୍କ ଯେଉଁ ସେବକମାନେ ସନ୍ତୁଷ୍ଟ ରହନ୍ତି, ସେମାନଙ୍କୁ ବି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ । ରାଜା ଦାଉଦଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ବାଇବଲରେ କୁହାଯାଇଛି ଯେ ସେ ନିଜର ପ୍ରାୟ ତିନିଜଣ ପିଲାଙ୍କୁ ହରାଇ ବସିଥିଲେ । ତାଙ୍କ ଉପରେ ମିଛ ଆରୋପ ଲଗାଯାଇଥିଲା, ତାଙ୍କୁ ଧୋକା ଦିଆଯାଇଥିଲା ଓ ନିଜ ଜୀବନ ରକ୍ଷା କରିବା ପାଇଁ ତାଙ୍କୁ ଅନେକ ବର୍ଷ ଧରି ବିଭିନ୍ନ ଜାଗାକୁ ପଳାଇବାକୁ ପଡ଼ିଥିଲା । ଦାଉଦଙ୍କ ସହ ଏତେ ସବୁ ଘଟିଲା ପରେ ବି ସେ ଯିହୋବାଙ୍କ ବିଷୟରେ କହିଲେ, “ଯେଉଁମାନେ ତାହାଙ୍କୁ ଭୟ କରନ୍ତି, ସେମାନଙ୍କର କୌଣସି ଅଭାବ ନାହିଁ ।” (ଗୀତ. ୩୪:୯, ୧୦) ଦାଉଦ ଏପରି କାହିଁକି କହିଲେ ? ସେ ଜାଣିଥିଲେ ଯେ ଯିହୋବା ନିଜ ସେବକମାନଙ୍କୁ ସବୁବେଳେ ସମସ୍ୟାଗୁଡ଼ିକରୁ ରକ୍ଷା କରନ୍ତି ନାହିଁ, କିନ୍ତୁ ସେ ସେମାନଙ୍କର ସବୁ ଆବଶ୍ୟକତା ପୂରା କରନ୍ତି । (ଗୀତ. ୧୪୫:୧୬) ଆମେ ବି ଭରସା ରଖିପାରିବା ଯେ ଯିହୋବା ଆମକୁ କୌଣସି ଜିନିଷର ଅଭାବ ହେବା ପାଇଁ ଦେବେ ନାହିଁ । ସେ ଆମକୁ ପ୍ରତ୍ୟେକେ ସମସ୍ୟା ସମୟରେ ସମ୍ଭାଳିବେ । ତେଣୁ ଆମ ପରିସ୍ଥିତି ଯାହା ହେଲେ ବି ଆମେ ଖୁସି ଓ ସନ୍ତୁଷ୍ଟ ରହିପାରିବା ।
୧୭. ଆପଣ କାହିଁକି ସନ୍ତୁଷ୍ଟ ରହିବା ବିଷୟରେ ଶିଖିବା ପାଇଁ ଚାହାନ୍ତି ?
୧୭ ଯିହୋବା ଚାହାନ୍ତି ଯେ ଆପଣ ଖୁସି ଓ ସନ୍ତୁଷ୍ଟ ରହନ୍ତୁ । (ଗୀତ. ୧୩୧:୧, ୨) ସେଥିପାଇଁ ସନ୍ତୁଷ୍ଟ ରହିବା ବିଷୟରେ ସୁଶିକ୍ଷିତ ହେବା ପାଇଁ ପୂରା ଚେଷ୍ଟା କରନ୍ତୁ । ଯଦି ଆପଣ କୃତଜ୍ଞତାର ଭାବନା ବଢ଼ାଇବା ପାଇଁ ପରିଶ୍ରମ କରିବେ, ଯିହୋବାଙ୍କର ଇଚ୍ଛା ପୂରା କରିବା ପାଇଁ ଧ୍ୟାନ ଲଗାଇ ରଖିବେ, ନମ୍ର ରହିବେ ଓ ନିଜ ଆଶାକୁ ଦୃଢ଼ କରିବେ, ତାହେଲେ ଆପଣ ବି କହିପାରିବେ ଯେ ମୁଁ ଖୁସି ଓ ସନ୍ତୁଷ୍ଟ ଅଛି ।—ଗୀତ. ୧୬:୫, ୬.
ଗୀତ ୧୧୮ ଦୃଢ଼ କର ଆମ ବିଶ୍ୱାସ
a ଉଦାହରଣ ପାଇଁ jw.org ୱେବସାଇଟ୍ରେ ସକାଳ ଉପାସନାର ଏହି କାର୍ଯ୍ୟକ୍ରମ ଦେଖନ୍ତୁ: ୟହୋୱା ନମ୍ର ଲୋଗୋ କା ଖୟାଲ୍ ରଖତା ହୈ ଓ ବିନାଶ୍ ସେ ପହଲେ ଘମଣ୍ଡ ।
b ଚିତ୍ର ବିଷୟରେ: ଜଣେ ଭାଇ ସଂଗଠନର ବିଲ୍ଡିଙ୍ଗଗୁଡ଼ିକର ଦେଖାରେଖା କରୁଛନ୍ତି, ଜଣେ ଭଉଣୀ ସାଇନ୍ ଲାଙ୍ଗୁଏଜ ଶିଖି ସର୍କିଟ ସମ୍ମିଳନୀରେ ଇଣ୍ଟରଭ୍ୟୁ ଦେଉଛନ୍ତି ଓ ଜଣେ ଭାଇ ଜନଭାଷଣ ଦେଉଛନ୍ତି ।