ଅଧ୍ୟୟନ ଲେଖା ୩୨
ଗୀତ ୩୮ ସେ ତୁମକୁ ଶକ୍ତିଶାଳୀ କରିବେ
ଯିହୋବା କିପରି ଆମକୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରନ୍ତି ?
‘ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ୱର . . . ତୁମ୍ଭମାନଙ୍କୁ ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ ।’—୧ ପିତ. ୫:୧୦.
କʼଣ ଶିଖିବା ?
ଆମେ ଶିଖିବା ଯେ ଧୈର୍ଯ୍ୟ ଧରିବା ପାଇଁ ଯିହୋବା ଆମ ପାଇଁ କʼଣ କʼଣ ବ୍ୟବସ୍ଥା କରିଛନ୍ତି ଏବଂ ସେଗୁଡ଼ିକରୁ ଆମେ କିପରି ଲାଭ ପାଇପାରିବା ?
୧. ଆମ ପାଇଁ ଧୈର୍ଯ୍ୟ ଧରିବା କାହିଁକି ଜରୁରୀ ଏବଂ ଏପରି କରିବା ପାଇଁ କିଏ ଆମକୁ ସାହାଯ୍ୟ କରିପାରିବେ ? (୧ ପିତର ୫:୧୦)
ଏହି ଶେଷ କାଳରେ ଯିହୋବାଙ୍କ ସେବକମାନଙ୍କୁ ଅନେକ ସମସ୍ୟାର ସାମନା କରିବା ପାଇଁ ପଡ଼ୁଛି । ଏପରି ସମୟରେ ସେମାନଙ୍କ ପାଇଁ ବେଳେବେଳେ ଧୈର୍ଯ୍ୟ ଧରିବା ସହଜ ହୁଏନି । କିଛି ଭାଇଭଉଣୀ ଗମ୍ଭୀର ରୋଗ ଯୋଗୁଁ କଷ୍ଟ ସହୁଛନ୍ତି ଏବଂ କିଛିମାନେ ନିଜ ପ୍ରିୟଜନମାନଙ୍କୁ ହରାଇବାର ଦୁଃଖ ସହୁଛନ୍ତି । ଆଉ କିଛି ଭାଇଭଉଣୀ ନିଜ ପରିବାର ଲୋକ କିମ୍ବା ସରକାରୀ ଅଧିକାରୀମାନଙ୍କର ଅତ୍ୟାଚାର କିମ୍ବା ବିରୋଧର ସାମନା କରୁଛନ୍ତି । (ମାଥି. ୧୦:୧୮, ୩୬, ୩୭) ଆପଣ ଯେକୌଣସି ସମସ୍ୟାର ସାମନା କରନ୍ତୁ ନା କାହିଁକି, ଆପଣ ପୂରା ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କୁ ଧୈର୍ଯ୍ୟ ଧରିବା ପାଇଁ ଶକ୍ତି ଦେଇପାରିବେ ।—୧ ପିତର ୫:୧୦ ପଢ଼ନ୍ତୁ ।
୨. ଆମେ ଖ୍ରୀଷ୍ଟିୟାନମାନେ କାହିଁକି ଧୈର୍ଯ୍ୟ ଧରିପାରୁ ?
୨ ଧୈର୍ଯ୍ୟ ଧରିବାର ଅର୍ଥ ହେଉଛି ଯେ ସମସ୍ୟା ଆସିଲେ, ଅତ୍ୟାଚାର ହେଲେ କିମ୍ବା ପାପ କରିବା ପାଇଁ ପ୍ରଲୋଭନ ଆସିଲେ ମଧ୍ୟ ଆମେ ଯିହୋବାଙ୍କର ବିଶ୍ୱସ୍ତ ରହିବା, ଖୁସିର ସହ ତାଙ୍କର ସେବା କରିବା ଓ ଗୋଟିଏ ଭଲ ଭବିଷ୍ୟତର ଆଶା ରଖିବା । କିନ୍ତୁ ଆମେ ନିଜ ଶକ୍ତିରୁ ନୁହେଁ, ବରଂ ଯିହୋବାଙ୍କ ଶକ୍ତିରୁ ଧୈର୍ଯ୍ୟ ଧରିପାରିବା । ସେ ଆମକୁ ଏପରି “ଶକ୍ତି” ଦେଇପାରିବେ, “ଯାହା ସାଧାରଣ ମଣିଷର ଶକ୍ତିଠାରୁ ବହୁତ ଅଧିକ ଅଟେ ।” (୨ କରି. ୪:୭, NWT) ଏହି ଲେଖାରେ ଆମେ ଜାଣିବା ଯେ ଯିହୋବା ଆମ ପାଇଁ କେଉଁ ଚାରୋଟି ବ୍ୟବସ୍ଥା କରିଛନ୍ତି, ଯାହା ସାହାଯ୍ୟରେ ଆମେ ଧୈର୍ଯ୍ୟ ଧରିପାରିବା । ଆମେ ଏହା ବି ଜାଣିବା ଯେ ସେହି ବ୍ୟବସ୍ଥାଗୁଡ଼ିକରୁ ଆମେ କିପରି ପୂରା ଲାଭ ପାଇପାରିବା ।
ପ୍ରାର୍ଥନା
୩. ଆମେ କାହିଁକି କହିପାରିବା ଯେ ପ୍ରାର୍ଥନା କରିବାର ବ୍ୟବସ୍ଥା କୌଣସି ଚମତ୍କାରରୁ କମ୍ ନୁହେଁ ?
୩ ଆମେ ଧୈର୍ଯ୍ୟ ଧରିପାରିବା ବୋଲି ଯିହୋବା ଆମ ପାଇଁ କେତେ ନିଆରା ବ୍ୟବସ୍ଥା କରିଛନ୍ତି । ଆଉ ସେହି ବ୍ୟବସ୍ଥା ହେଉଛି, ଆମେ ପାପୀ ମଣିଷ ହୋଇ ମଧ୍ୟ ଯିହୋବାଙ୍କୁ ପ୍ରାର୍ଥନା କରି କଥା ହୋଇପାରିବା । (ଏବ୍ରୀ ୪:୧୬) ଏହି ବିଷୟରେ ଭାବନ୍ତୁ, ଆମେ ଯିହୋବାଙ୍କ ସହିତ ଯେକୌଣସି ସମୟରେ ଓ ଯେକୌଣସି ବିଷୟରେ ବି ପ୍ରାର୍ଥନା କରିପାରିବା । କେବଳ ଏତିକି ନୁହେଁ, ଆମେ ଯେକୌଣସି ଭାଷାରେ ଏବଂ ଯେଉଁ ଜାଗାରୁ ବି ଯିହୋବାଙ୍କୁ ପ୍ରାର୍ଥନା କଲେ ସେ ଆମ ପ୍ରାର୍ଥନାକୁ ଶୁଣିବେ । ଏପରିକି ଆମେ ଏକୁଟିଆ ଥିଲେ କିମ୍ବା ଜେଲରେ ବନ୍ଦୀ ଥିଲେ ମଧ୍ୟ ସେ ନିଶ୍ଚୟ ଆମ ପ୍ରାର୍ଥନା ଶୁଣିବେ । (ଯୂନ. ୨:୧, ୨; ପ୍ରେରି. ୧୬:୨୫, ୨୬) ଯେବେ ଆମେ ଚିନ୍ତିତ ଥାଉ, ତେବେ ଆମେ ବୁଝିପାରି ନ ଥାଉ ଯେ ଆମେ ପ୍ରାର୍ଥନାରେ ଯିହୋବାଙ୍କୁ କʼଣ କହିବା । ସେସମୟରେ ବି ଯିହୋବା ଆମର ମନ କଥାକୁ ବୁଝିପାରନ୍ତି । (ରୋମୀ. ୮:୨୬, ୨୭) ସତରେ, ଯିହୋବାଙ୍କ ସହିତ କଥା ହେବାର ଏହି ବ୍ୟବସ୍ଥା କୌଣସି ଚମତ୍କାରରୁ କମ୍ ନୁହେଁ !
୪. ଆମେ କାହିଁକି କହିପାରିବା ଯେ ଧୈର୍ଯ୍ୟ ଧରିବା ପାଇଁ ଆମେ ଯିହୋବାଙ୍କୁ ପ୍ରାର୍ଥନା କଲେ ସେ ଆମର ପ୍ରାର୍ଥନା ଶୁଣନ୍ତି ?
୪ ଯିହୋବା ନିଜ ବାକ୍ୟ ବାଇବଲ ଜରିଆରେ ଆମକୁ ଭରସା ଦିଅନ୍ତି ଯେ “ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି ।” (୧ ଯୋହ. ୫:୧୪) କʼଣ ଆମେ ଧୈର୍ଯ୍ୟ ଧରିବା ପାଇଁ ତାଙ୍କୁ ସାହାଯ୍ୟ ମାଗିପାରିବା ? ନିଶ୍ଚୟ । କାରଣ ଯିହୋବା ନିଜେ ଏହା ଇଚ୍ଛା କରନ୍ତି । ଆମେ ଏପରି କାହିଁକି କହିପାରିବା ? କାରଣ ଯେବେ ଆମେ ସମସ୍ୟା ସମୟରେ ଧୈର୍ଯ୍ୟ ଧରୁ, ତେବେ ଯିହୋବା, ଶୟତାନକୁ ଉତ୍ତର ଦେଇପାରନ୍ତି ଯିଏ ତାଙ୍କୁ ନିନ୍ଦା କରେ । (ହିତୋ. ୨୭:୧୧) କେବଳ ଏତିକି ନୁହେଁ, ବାଇବଲରେ ଲେଖାଅଛି ଯେ ଯିହୋବାଙ୍କ ପ୍ରତି “ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ, ସେମାନଙ୍କ ସପକ୍ଷରେ ଆପଣାକୁ ବଳବାନ ଦେଖାଇବା ପାଇଁ ତାହାଙ୍କର ଚକ୍ଷୁ ପୃଥିବୀର ସର୍ବତ୍ର ଏଣେତେଣେ ଦୌଡ଼ଇ ।” (୨ ବଂଶା. ୧୬:୯) ହେଲେ ଆମେ ଭରସା ରଖିପାରିବା ଯେ ଯିହୋବା ଧୈର୍ଯ୍ୟ ଧରିବା ପାଇଁ ଆମକୁ ସାହାଯ୍ୟ କରିବେ, କାରଣ ତାଙ୍କ ପାଖରେ ଏପରି କରିବାର ଶକ୍ତି ଅଛି ଏବଂ ଏପରି କରିବାର ଇଚ୍ଛା ମଧ୍ୟ ଅଛି ।—ଯିଶା. ୩୦:୧୮; ୪୧:୧୦; ଲୂକ ୧୧:୧୩.
୫. ପ୍ରାର୍ଥନା କଲେ ଆମକୁ କିପରି ମନର ଶାନ୍ତି ମିଳେ ? (ଯିଶାଇୟ ୨୬:୩)
୫ ଯେବେ ଆମେ ପ୍ରାର୍ଥନା କରି ନିଜ ଚିନ୍ତାଗୁଡ଼ିକୁ ଯିହୋବାଙ୍କୁ କହୁ, ତେବେ ସେ କʼଣ କରନ୍ତି ? ବାଇବଲରେ କୁହାଯାଇଛି, ‘ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ୱରଙ୍କ ଶାନ୍ତି, ତାହା ଆମ୍ଭମାନଙ୍କର ହୃଦୟ ଓ ମନକୁ ସୁରକ୍ଷା କରେ ।’ (ଫିଲିପ୍. ୪:୭) ଧ୍ୟାନ ଦିଅନ୍ତୁ ଯେ ଏହାର ଅର୍ଥ କʼଣ ? ଦୁନିଆର ଲୋକମାନେ ସମସ୍ୟା ଆସିଲେ ମନର ଶାନ୍ତି ପାଇବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାନ୍ତି । ଯେପରି କିଛି ଲୋକ ବିଶେଷ ପ୍ରକାରର ଧ୍ୟାନ କରନ୍ତି । ଏଥିରେ ସେମାନେ ନିଜ ମନକୁ ଶାନ୍ତ କରିବା ପାଇଁ ନିଜର ସବୁ ପ୍ରକାରର ଭାବନାକୁ ବାହାର କରିଦେବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ଏପରି କରିବା ବିପଦଜନକ ହୋଇପାରେ । (ମାଥିଉ ୧୨:୪୩-୪୫ ପଦ ସହ ତୁଳନା କରନ୍ତୁ ।) ଅନ୍ୟପକ୍ଷରେ ଯିହୋବା ଆମମାନଙ୍କୁ ପ୍ରକୃତ ଶାନ୍ତି ଦିଅନ୍ତି, ଯାହା ଦୁନିଆର ଲୋକମାନଙ୍କ ଭଳି ଧ୍ୟାନ କରିବା ଦ୍ୱାରା ମିଳିପାରିବ ନାହିଁ । ଯିହୋବାଙ୍କୁ ପ୍ରାର୍ଥନା କରି ଆମେ ଦେଖାଉ ଯେ ଆମେ ତାଙ୍କ ଉପରେ ପୂରାପୂରି ନିର୍ଭର ଏବଂ ସେ ହିଁ ଆମକୁ ‘ସମ୍ପୂର୍ଣ୍ଣ ଶାନ୍ତି’ ଦିଅନ୍ତି । (ଯିଶାଇୟ ୨୬:୩ ପଢ଼ନ୍ତୁ ।) ସେଥିପାଇଁ ଯିହୋବା ଅନେକ ଥର ଆମକୁ ଏପରି ସତ୍ୟଗୁଡ଼ିକୁ ମନେ ପକାଇ ଦିଅନ୍ତି, ଯାହା ଆମେ ତାଙ୍କର ବାକ୍ୟରୁ ଶିଖିଥିଲୁ । ଏହି ସତ୍ୟଗୁଡ଼ିକରୁ ଆମକୁ ଭରସା ହୋଇଯାଏ ଯେ ଯିହୋବା ଆମକୁ ପ୍ରେମ କରନ୍ତି ଏବଂ ଆମକୁ ସାହାଯ୍ୟ କରିବା ପାଇଁ ଚାହାନ୍ତି । ଆଉ ଏହାଯୋଗୁଁ ଆମ ମନ ଓ ହୃଦୟ ପୂରାପୂରି ଶାନ୍ତ ହୋଇଯାଏ ।—ଗୀତ. ୬୨:୧, ୨.
୬. ଆପଣ କିପରି ପ୍ରାର୍ଥନା କରିବାର ବ୍ୟବସ୍ଥାରୁ ପୂରା ଲାଭ ପାଇପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୬ ଆପଣ କʼଣ କରିପାରିବେ ? ଯେବେ ଆପଣ କୌଣସି ସମସ୍ୟାର ସାମନା କରନ୍ତି, ତେବେ ଯିହୋବାଙ୍କୁ ଜଣାନ୍ତୁ ଯେ ଆପଣ କିପରି ଅନୁଭବ କରୁଛନ୍ତି । ‘ଯିହୋବାଙ୍କ ଉପରେ ଆପଣା ଭାର ପକାନ୍ତୁ’ ଏବଂ ପ୍ରାର୍ଥନାରେ ତାଙ୍କର ଶାନ୍ତି ମାଗନ୍ତୁ । (ଗୀତ. ୫୫:୨୨) କେବଳ ଏତିକି ନୁହେଁ, ନିଜ ସମସ୍ୟାଗୁଡ଼ିକୁ ସାମନା କରିବା ପାଇଁ ତାଙ୍କୁ ବୁଦ୍ଧି ମଧ୍ୟ ମାଗନ୍ତୁ । (ହିତୋ. ୨:୧୦, ୧୧) ନିବେଦନ କରିବା ସହିତ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଭୁଲନ୍ତୁ ନାହିଁ । (ଫିଲିପ୍. ୪:୬) ଭାବନ୍ତୁ, ପ୍ରତିଦିନ ଯିହୋବା କିପରି ଆପଣଙ୍କୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରୁଛନ୍ତି ଏବଂ ଏହି କଥା ପାଇଁ ତାଙ୍କୁ ଧନ୍ୟବାଦ ଦିଅନ୍ତୁ । ଏହା ସତ ଯେ ଆପଣଙ୍କୁ ଏବେ ବି ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ପଡ଼ୁଛି, କିନ୍ତୁ ନିଜ ସମସ୍ୟାଗୁଡ଼ିକ ବିଷୟରେ ଅତ୍ୟଧିକ ଭାବନ୍ତୁ ନାହିଁ । କାରଣ ଏପରି କଲେ ଆପଣ ସେହି ଆଶିଷଗୁଡ଼ିକ ଉପରେ ଧ୍ୟାନ ଦେଇପାରିବେ ନାହିଁ, ଯାହା ଆପଣଙ୍କୁ ଏବେ ମଧ୍ୟ ମିଳୁଛି ।—ଗୀତ. ୧୬:୫, ୬.
ପ୍ରାର୍ଥନା କରି ଆପଣ ଯିହୋବାଙ୍କ ସହିତ କଥା ହୁଅନ୍ତି ଏବଂ ବାଇବଲ ପଢ଼ିବା ସମୟରେ ଯିହୋବା ଆପଣଙ୍କ ସହିତ କଥା ହୁଅନ୍ତି (ପାରାଗ୍ରାଫ ୬)b
ଈଶ୍ୱରଙ୍କ ବାକ୍ୟ
୭. ବାଇବଲ ପଢ଼ିଲେ ଆମେ କିପରି ଧୈର୍ଯ୍ୟ ଧରିପାରିବା ?
୭ ଧୈର୍ଯ୍ୟ ଧରିବା ପାଇଁ ଯିହୋବା ଆମକୁ ନିଜ ବାକ୍ୟ ବାଇବଲ ମଧ୍ୟ ଦେଇଛନ୍ତି । ବାଇବଲରେ ଏପରି ଅନେକ ପଦ ରହିଛି, ଯାହାକୁ ପଢ଼ି ଆମକୁ ଭରସା ହୋଇଯାଏ ଯେ ଯିହୋବା ସବୁବେଳେ ଆମ ସହ ଅଛନ୍ତି । ଏହାର ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ମାଥିଉ ୬:୮ ପଦରେ ଲେଖାଅଛି, “ତୁମ୍ଭମାନଙ୍କର କଅଣ ପ୍ରୟୋଜନ, ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ୱର ତାହା ଜାଣନ୍ତି ।” ଏହି କଥା ଯୀଶୁ କହିଥିଲେ ଏବଂ ସେ ଯିହୋବାଙ୍କୁ ଯେତିକି ଭଲଭାବେ ଜାଣନ୍ତି, ସେତିକି ଆଉ କେହି ଜାଣି ନାହାନ୍ତି । ତେଣୁ ଆମେ ପୂରା ଭରସା ରଖିପାରିବା ଯେ ଆମେ ସମସ୍ୟାରେ ଥିବା ବେଳେ ଯିହୋବା ଆମ ଆବଶ୍ୟକତା ଜାଣନ୍ତି ଏବଂ ସେ ନିଶ୍ଚୟ ଆମକୁ ସାହାଯ୍ୟ କରିବେ । ବାଇବଲରେ ଏପରି ଅନେକ ପଦ ଦିଆଯାଇଛି, ଯାହା ସାହାଯ୍ୟରୁ ଆମକୁ ସମସ୍ୟା ବେଳେ ଧୈର୍ଯ୍ୟ ଧରିବା ପାଇଁ ଶକ୍ତି ମିଳିପାରିବ ।—ଗୀତ. ୯୪:୧୯.
୮. (କ) ଉଦାହରଣ ଦେଇ ବୁଝାନ୍ତୁ ଯେ ବାଇବଲର ପରାମର୍ଶ କିପରି ଆମକୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରିପାରିବ । (ଖ) ଆମେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ତୁରନ୍ତ ମନେ ପକାଇବା ପାଇଁ କʼଣ କରିପାରିବା ?
୮ ବାଇବଲରେ ଏପରି ଭଲ ସିଦ୍ଧାନ୍ତ କିମ୍ବା ପରାମର୍ଶ ଦିଆଯାଇଛି, ଯାହା ସାହାଯ୍ୟରୁ ଆମେ ସମସ୍ୟାଗୁଡ଼ିକ ସମୟରେ ଧୈର୍ଯ୍ୟ ଧରିପାରିବା । ଏଗୁଡ଼ିକୁ ମାନିଲେ ଆମେ ବୁଦ୍ଧିମାନୀର ସହ କାମ କରିପାରିବା ଏବଂ ସଠିକ୍ ନିଷ୍ପତ୍ତି ନେଇପାରିବା । (ହିତୋ. ୨:୬, ୭) ଯେପରି, ବାଇବଲରେ ଆମକୁ ପ୍ରୋତ୍ସାହନ ଦିଆଯାଇଛି ଯେ କାଲି କʼଣ ହେବ, ସେବିଷୟରେ ଆମେ ଅତ୍ୟଧିକ ଭାବିବା ଉଚିତ୍ ନୁହେଁ । ଏହା ପରିବର୍ତ୍ତେ ଆମେ ଆଜି ପାଇଁ ଭାବିବା ଉଚିତ୍ । (ମାଥି. ୬:୩୪) ଯଦି ଆମେ ପ୍ରତିଦିନ ବାଇବଲ ପଢ଼ିବା ଏବଂ ସେବିଷୟରେ ଚିନ୍ତନ କରିବା, ତାହେଲେ ସମସ୍ୟା ସମୟରେ କିମ୍ବା କୌଣସି ନିଷ୍ପତ୍ତି ନେବା ସମୟରେ, ଆମେ ବାଇବଲର ପରାମର୍ଶକୁ ତୁରନ୍ତ ମନେ ପକାଇପାରିବା ।
୯. ବାଇବଲରେ ଦିଆଯାଇଥିବା ଜୀବନ କାହାଣୀଗୁଡ଼ିକୁ ପଢ଼ି କିପରି ଆମର ଏହି କଥା ଉପରେ ଭରସା ବଢ଼ିଯାଏ ଯେ ଯିହୋବା ଆମକୁ ସାହାଯ୍ୟ କରିବେ ?
୯ ବାଇବଲରେ ଏପରି ଲୋକମାନଙ୍କର ଜୀବନ କାହାଣୀ ମଧ୍ୟ ଦିଆଯାଇଛି, ଯେଉଁମାନେ ଯିହୋବାଙ୍କ ଉପରେ ଭରସା ରଖିଲେ ଏବଂ ଯିହୋବା ସେମାନଙ୍କୁ ସାହାଯ୍ୟ କଲେ । (ଏବ୍ରୀ ୧୧:୩୨-୩୪; ଯାକୁ. ୫:୧୭) ଯେବେ ଆମେ ଏଗୁଡ଼ିକୁ ପଢ଼ୁ, ତେବେ ଆମର ଭରସା ବଢ଼ିଯାଏ ଯେ “ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ, ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ ।” (ଗୀତ. ୪୬:୧) ଯେବେ ଆମେ ଏବିଷୟରେ ଚିନ୍ତନ କରୁ ଯେ ଯିହୋବାଙ୍କର ସେହି ସେବକମାନେ କିପରି ନିଜର ବିଶ୍ୱାସ ଦୃଢ଼ ରଖିଲେ ଏବଂ ସମସ୍ୟାଗୁଡ଼ିକ ସତ୍ତ୍ୱେ ଯିହୋବାଙ୍କର ସେବା କରିବା ଜାରି ରଖିଲେ, ତେବେ ଆମକୁ ମଧ୍ୟ ଏପରି କରିବା ପାଇଁ ପ୍ରୋତ୍ସାହନ ମିଳେ ।—ଯାକୁ. ୫:୧୦, ୧୧.
୧୦. ଆପଣ କିପରି ଈଶ୍ୱରଙ୍କ ବାକ୍ୟରୁ ପୂରା ଲାଭ ଉଠାଇପାରିବେ ?
୧୦ ଆପଣ କʼଣ କରିପାରିବେ ? ପ୍ରତିଦିନ ବାଇବଲ ପଢ଼ନ୍ତୁ ଏବଂ ସେହି ପଦଗୁଡ଼ିକୁ ଲେଖି ରଖନ୍ତୁ, ଯେଉଁଥିରୁ ଆପଣଙ୍କୁ ସାହାଯ୍ୟ ମିଳିଛି । ଅନେକ ଭାଇଭଉଣୀ ଅନୁଭବ କରିଛନ୍ତି ଯେ ପ୍ରତିଦିନ ସକାଳେ ଦୈନିକ ପାଠ ପଢ଼ିବା ଯୋଗୁଁ ସେମାନଙ୍କୁ ବହୁତ ଲାଭ ହୁଏ । ସେମାନେ ଦିନସାରା ସେହି ବିଷୟରେ ଭାବିପାରନ୍ତି । ମରିୟାଙ୍କରa ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଯେବେ ସେ ଜାଣିଲେ ଯେ ତାଙ୍କର ବାପାମାଆଙ୍କୁ କ୍ୟାନସର ହୋଇଛି, ତେବେ କେଉଁ କଥାରୁ ତାଙ୍କୁ ସାହାଯ୍ୟ ମିଳିଲା ? ସେମାନଙ୍କର ମୃତ୍ୟୁ ପୂର୍ବରୁ ସେ ସେମାନଙ୍କର ଦେଖାଶୁଣା କରୁଥିଲେ । ସେହି ଦିନ ବିଷୟରେ ସେ କହନ୍ତି, “ମୁଁ ପ୍ରତିଦିନ ସକାଳେ ଦୈନିକ ପାଠ ପଢ଼ୁଥିଲି ଏବଂ ସେବିଷୟରେ ଚିନ୍ତନ କରୁଥିଲି । ଏପରି କରିବା ଯୋଗୁଁ ମୁଁ ନିଜ ଚିନ୍ତା ଓ କଷ୍ଟଗୁଡ଼ିକ ବିଷୟରେ ଭାବିବା ପରିବର୍ତ୍ତେ ଯିହୋବାଙ୍କ ଉପରେ ଏବଂ ବାଇବଲରେ ଲେଖାଥିବା ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଲଗାଇପାରିଲି ।”—ଗୀତ. ୬୧:୨.
ଖ୍ରୀଷ୍ଟିୟାନ ଭାଇଭଉଣୀ
୧୧. ଆମକୁ ଏହା ଜାଣି କାହିଁକି ସାନ୍ତ୍ୱନା ମିଳେ ଯେ ଆମ ଭାଇଭଉଣୀମାନେ ମଧ୍ୟ ଆମ ଭଳି କଷ୍ଟ ସହୁଛନ୍ତି ?
୧୧ ଯିହୋବା ଆମମାନଙ୍କୁ ଖ୍ରୀଷ୍ଟିୟାନ ଭାଇଭଉଣୀ ଦେଇଛନ୍ତି, ଯେଉଁମାନଙ୍କ ସାହାଯ୍ୟରୁ ଆମେ ଧୈର୍ଯ୍ୟ ଧରିପାରୁ । ଏହା ଜାଣି ଆମକୁ ବହୁତ ସାନ୍ତ୍ୱନା ମିଳେ ଯେ ‘ଜଗତରେ ଥିବା ଆମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହିପ୍ରକାର ଦୁଃଖଭୋଗ ଘଟୁଅଛି’ ଯେପରି ଆମ ଉପରେ ଘଟୁଛି । (୧ ପିତ. ୫:୯) ତେଣୁ ଆମ ଉପରେ ଯାହା ବି ସମସ୍ୟା ଆସୁ ନା କାହିଁକି ଆମେ ସେଗୁଡ଼ିକୁ ସହିପାରିବା । ଆମେ ମନେ ରଖିପାରିବା ଯେ ଆମ ଭାଇଭଉଣୀମାନେ ମଧ୍ୟ ସମସ୍ୟା ସମୟରେ ଧୈର୍ଯ୍ୟ ଧରୁଛନ୍ତି ଏବଂ ଆମେ ବି ଏପରି କରିପାରିବା ।—ପ୍ରେରି. ୧୪:୨୨.
୧୨. ଆମର ଭାଇଭଉଣୀମାନେ କିପରି ଆମକୁ ସାହାଯ୍ୟ କରନ୍ତି ଓ ଆମେ ସେମାନଙ୍କ ପାଇଁ କʼଣ କରିପାରିବା ? (୨ କରିନ୍ଥୀୟ ୧:୩, ୪)
୧୨ ସମସ୍ୟାଗୁଡ଼ିକ ସମୟରେ ଆମ ଭାଇଭଉଣୀମାନେ ଆମର ସାହସ ବଢ଼ାଇପାରିବେ । ଧ୍ୟାନ ଦିଅନ୍ତୁ ଯେ ପ୍ରେରିତ ପାଉଲଙ୍କ ସହିତ କʼଣ ହୋଇଥିଲା । ଯେବେ ସେ ଗୋଟିଏ ଘରେ ବନ୍ଦୀ ଥିଲେ, ତେବେ କିଛି ଭାଇ ତାଙ୍କୁ ସାନ୍ତ୍ୱନା ଦେଲେ, ତାଙ୍କର ସାହସ ବଢ଼ାଇଲେ ଓ ତାଙ୍କର ଆବଶ୍ୟକତାଗୁଡ଼ିକୁ ପୂରା କଲେ । ପାଉଲ ସେହି ଭାଇମାନଙ୍କର ବହୁତ କୃତଜ୍ଞ ଥିଲେ, ତେଣୁ ସେ ତାଙ୍କର ଚିଠିଗୁଡ଼ିକରେ ସେମାନଙ୍କର ନାମ ନେଇ ସେମାନଙ୍କୁ ଧନ୍ୟବାଦ ଦେଲେ । (ଫିଲିପ୍. ୨:୨୫, ୨୯, ୩୦; କଲ. ୪:୧୦, ୧୧) ଆଜି ଆମେ ବି ଯେବେ ସମସ୍ୟାଗୁଡ଼ିକର ସାମନା କରୁ, ତେବେ ଆମ ଭାଇଭଉଣୀମାନେ ଆମକୁ ସାନ୍ତ୍ୱନା ଦିଅନ୍ତି ଓ ଆମକୁ ସାହାଯ୍ୟ କରନ୍ତି । ଆଉ ଯେବେ ସେମାନେ ସମସ୍ୟାଗୁଡ଼ିକର ସାମନା କରନ୍ତି, ତେବେ ଆମେ ବି ସେମାନଙ୍କୁ ପୂରା ସହଯୋଗ କରିପାରିବା ।—୨ କରିନ୍ଥୀୟ ୧:୩, ୪ ପଢ଼ନ୍ତୁ ।
୧୩. ଭଉଣୀ ମାୟାଙ୍କୁ କେଉଁ କଥାରୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ ମିଳିଲା ?
୧୩ ରୁଷରେ ଥିବା ଆମ ଭଉଣୀ ମାୟାଙ୍କୁ ଭାଇଭଉଣୀମାନଙ୍କଠାରୁ ବହୁତ ସାହସ ମିଳିଲା । ଏହା ୨୦୨୦ର କଥା । ଦିନେ ହଠାତ୍ ପୋଲିସ ତାଙ୍କ ଘରେ ପଶିଗଲା ଏବଂ ତାଙ୍କ ଘରର ତଲାସି କରିବାକୁ ଲାଗିଲା । ପରେ ଭଉଣୀଙ୍କ ଉପରେ ମକଦ୍ଦମା ଚାଲିଲା । କାରଣ ସେ ନିଜ ବିଶ୍ୱାସ ବିଷୟରେ ଅନ୍ୟମାନଙ୍କୁ କହୁଥିଲେ । ସେ କହନ୍ତି, “ସେସମୟରେ ମୁଁ ପୂରାପୂରି ଥକି ଯାଇଥିଲି । କିନ୍ତୁ ଭାଇଭଉଣୀମାନେ ମୋତେ ଚିଠି ଲେଖି, ଫୋନ୍ କରି ଓ ମେସେଜ୍ ପଠାଇ କହିଲେ ସେ ସେମାନେ ମୋତେ ବହୁତ ପ୍ରେମ କରନ୍ତି । ମୁଁ ଜାଣିଥିଲି ଯେ ଆମର ଗୋଟିଏ ବଡ଼ ଖ୍ରୀଷ୍ଟିୟାନ ପରିବାର ଅଛି, ଯେଉଁମାନେ ଆମକୁ ବହୁତ ପ୍ରେମ କରନ୍ତି । କିନ୍ତୁ ୨୦୨୦ରେ ମୁଁ ଏହା ବୁଝିପାରିଲି ଯେ ଏହି ପରିବାର କେତେ ନିଆରା ।”
୧୪. ଯଦି ଆମେ ଚାହୁଁ ଯେ ଭାଇଭଉଣୀମାନେ ସମସ୍ୟା ସମୟରେ ଆମକୁ ସାହାଯ୍ୟ କରନ୍ତୁ, ତାହେଲେ ଆମେ କʼଣ କରିବା ଉଚିତ୍ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୪ ଆପଣ କʼଣ କରିପାରିବେ ? ସମସ୍ୟାଗୁଡ଼ିକ ସମୟରେ ଭାଇଭଉଣୀମାନଙ୍କର ନିକଟତର ହୋଇ ରହନ୍ତୁ ଏବଂ ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନେବା ପାଇଁ ସଂକୋଚ କରନ୍ତୁ ନାହିଁ । ଆମ ପ୍ରାଚୀନମାନେ ‘ବତାସରୁ ଆଶ୍ରୟ ସ୍ଥାନ ଓ ଝଡ଼ରୁ ଆଶ୍ରୟ ଅଟନ୍ତି ।’ (ଯିଶା. ୩୨:୨) ମନେ ରଖନ୍ତୁ, ଆମ ଭାଇଭଉଣୀମାନେ ମଧ୍ୟ ଆମ ଭଳି ସମସ୍ୟାର ସାମନା କରୁଛନ୍ତି । ତେଣୁ ଆପଣ ଯଦି କୌଣସି ଏପରି ଭାଇଭଉଣୀମାନଙ୍କର ସାହାଯ୍ୟ କରିବେ ଯେଉଁମାନେ ସମସ୍ୟାର ସାମନା କରୁଛନ୍ତି, ତାହେଲେ ଆପଣଙ୍କୁ ଖୁସି ମିଳିବ ଏବଂ ଆପଣ ମଧ୍ୟ ନିଜର ସମସ୍ୟାଗୁଡ଼ିକୁ ସାମନା କରିପାରିବେ ।—ପ୍ରେରି. ୨୦:୩୫.
ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କ ନିକଟତର ହୋଇ ରହନ୍ତୁ (ପାରାଗ୍ରାଫ ୧୪)c
ଭବିଷ୍ୟତ ପାଇଁ ଆଶା
୧୫. ଭବିଷ୍ୟତ ପାଇଁ ଯୀଶୁଙ୍କ ପାଖରେ ଆଶା ଥିବା ଯୋଗୁଁ ସେ କʼଣ କରିପାରିଲେ ? ଏବଂ ଆମ ପାଖରେ ଯେଉଁ ଆଶା ରହିଛି, ତାʼଯୋଗୁଁ ଆମେ କʼଣ କରିପାରୁ ? (ଏବ୍ରୀ ୧୨:୨)
୧୫ ଯିହୋବା ଆମକୁ ଭବିଷ୍ୟତ ପାଇଁ ଗୋଟିଏ ଦୃଢ଼ ଆଶା ଦେଇଛନ୍ତି, ଯାହାଯୋଗୁଁ ଆମେ ଧୈର୍ଯ୍ୟ ଧରିପାରୁ । (ରୋମୀ. ୧୫:୧୩) ଏବିଷୟରେ ଭାବନ୍ତୁ ଯେ ଯୀଶୁ ନିଜ ମୃତ୍ୟୁ ଦିନ କେତେ କଷ୍ଟ ସହିଲେ । କିନ୍ତୁ ତାଙ୍କ ପାଖରେ ଗୋଟିଏ ଆଶା ଥିବା ଯୋଗୁଁ ସେ ସେହି କଷ୍ଟଗୁଡ଼ିକୁ ସହିପାରିଲେ । (ଏବ୍ରୀ ୧୨:୨ ପଢ଼ନ୍ତୁ ।) ସେ ଜାଣିଥିଲେ ଯେ ଯଦି ସେ ବିଶ୍ୱସ୍ତ ରହିବେ, ତାହେଲେ ତାଙ୍କ ପିତା ଯିହୋବାଙ୍କର ନାମ ପବିତ୍ର ହେବ ଏବଂ ତାଙ୍କ ପିତାଙ୍କ ଉପରେ ଲାଗିଥିବା ଆରୋପ ମିଛ ସାବ୍ୟସ୍ତ ହେବ । ତାଙ୍କ ପାଖରେ ଆଶା ଥିଲା ଯେ ସେ ପୁଣି ନିଜ ପିତାଙ୍କ ପାଖକୁ ସ୍ୱର୍ଗକୁ ଚାଲିଯିବେ ଓ ଦିନେ ଏପରି ସମୟ ଆସିବ ଯେବେ ସେ ରାଜା ହେବେ ଏବଂ ନିଜ ଭାଇମାନଙ୍କ ସହ ମିଶି ଶାସନ କରିବେ । ଠିକ୍ ସେହିପରି ଆମ ପାଖରେ ମଧ୍ୟ ନୂଆ ଦୁନିଆରେ ସବୁଦିନ ପାଇଁ ବଞ୍ଚିବାର ଆଶା ରହିଛି । ଏହି ଆଶା ବିଷୟରେ ଭାବିବା ଯୋଗୁଁ ଆମେ ଶୟତାନର ଏହି ଦୁନିଆରୁ ଆସୁଥିବା ଯେକୌଣସି ସମସ୍ୟାକୁ ମଧ୍ୟ ସହିପାରୁ ।
୧୬. ଭବିଷ୍ୟତ ପାଇଁ ଆଶା ଥିବା ଯୋଗୁଁ ଜଣେ ଭଉଣୀ କିପରି ଧୈର୍ଯ୍ୟ ଧରିପାରିଲେ ଏବଂ ସେ ଯାହା କହିଲେ ସେଥିରୁ ଆମେ କʼଣ ଶିଖିପାରିବା ?
୧୬ ଧ୍ୟାନ ଦିଅନ୍ତୁ ଯେ ନୂଆ ଦୁନିଆର ଆଶା ଥିବା ଯୋଗୁଁ ରୁଷରେ ରହୁଥିବା ଆମ ଭଉଣୀ ଆଲାଙ୍କୁ କିପରି ସାହାଯ୍ୟ ମିଳିଲା । ଭଉଣୀଙ୍କର ସ୍ୱାମୀଙ୍କୁ ଗିରଫ କରାଗଲା ଏବଂ ତାଙ୍କ ମକଦ୍ଦମାର ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଜେଲରେ ଅଟକ ରଖାଗଲା । ଯେବେ ଏହିସବୁ ଘଟଣା ଘଟୁଥିଲା, ତେବେ ଭଉଣୀ କହିଲେ, “ମୁଁ ଭବିଷ୍ୟତ ପାଇଁ ଥିବା ନିଜ ଆଶା ବିଷୟରେ ଲଗାତାର ପ୍ରାର୍ଥନା କଲି ଏବଂ ସେବିଷୟରେ ଚିନ୍ତନ କରିବା ଜାରି ରଖିଲି । ଏହାଯୋଗୁଁ ମୁଁ ଅତ୍ୟଧିକ ନିରାଶ ହେଲି ନାହିଁ । ମୁଁ ଜାଣିଥିଲି ଯେ ମୋର ସମସ୍ୟାଗୁଡ଼ିକ ସବୁଦିନ ଯାଏ ରହିବ ନାହିଁ । ଶେଷରେ ଯିହୋବାଙ୍କର ହିଁ ଜୟ ହେବ ଏବଂ ସେ ନିଜ ସେବକମାନଙ୍କୁ ପୁରସ୍କାର ଦେବେ ।”
୧୭. ଆମେ କିପରି ଦେଖାଇପାରିବା ଯେ ଯିହୋବା ଆମକୁ ଯେଉଁ ଆଶା ଦେଇଛନ୍ତି, ଆମେ ତାʼପାଇଁ କୃତଜ୍ଞ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୭ ଆପଣ କʼଣ କରିପାରିବେ ? ଈଶ୍ୱର ଯେଉଁ ନିଆରା ଭବିଷ୍ୟତର ପ୍ରତିଜ୍ଞା କରିଛନ୍ତି, ସେବିଷୟରେ ଭାବନ୍ତୁ । ଆପଣ ଏହା ଭାବନ୍ତୁ ଯେ ନୂଆ ଦୁନିଆରେ ଆପଣ ନିଜ ସାଙ୍ଗ ଏବଂ ପରିବାର ସହ କେତେ ଖୁସିରେ ଅଛନ୍ତି । ଯେବେ ଆପଣ ଏପରି ଭାବିବେ, ତେବେ ଆପଣଙ୍କୁ ଅନୁଭବ ହେବ ଯେ ଆପଣଙ୍କର ସମସ୍ୟାଗୁଡ଼ିକ ‘କ୍ଷଣକାଳସ୍ଥାୟୀ ଲଘୁ ବା ହାଲୁକା କ୍ଳେଶ ।’ (୨ କରି. ୪:୧୭) ଏହାଛଡ଼ା ଆପଣ ଅନ୍ୟମାନଙ୍କୁ ମଧ୍ୟ ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ବିଷୟରେ କହିପାରିବେ । ଭାବନ୍ତୁ ଯେ ଶୟତାନର ଏହି ଦୁନିଆରେ ଲୋକମାନେ କେତେ ଦୁଃଖକଷ୍ଟ ସହୁଛନ୍ତି ଏବଂ ସେମାନେ ଏହି କଥା ବି ଜାଣି ନାହାନ୍ତି ଯେ ଈଶ୍ୱର ସେମାନଙ୍କ ପାଇଁ କେତେ ଭଲ ଭବିଷ୍ୟତ ଭାବି ରଖିଛନ୍ତି । ତାହେଲେ ଆମେ ପ୍ରୋତ୍ସାହନ ଦେଉ ଯେ ଆପଣ ନିଜ ଆଶା ବିଷୟରେ ଅନ୍ୟମାନଙ୍କୁ କହନ୍ତୁ । ହୁଏତ ସେମାନଙ୍କୁ ଅଧିକ ଜାଣିବା ପାଇଁ ଇଚ୍ଛା ହେବ ।
ସମୟ ବାହାର କରି ଭାବନ୍ତୁ ଯେ ଯିହୋବା ଆମ ପାଇଁ କେତେ ନିଆରା ଭବିଷ୍ୟତ ଭାବି ରଖିଛନ୍ତି (ପାରାଗ୍ରାଫ ୧୭)d
୧୮. ଆମେ କାହିଁକି ଭରସା ରଖିପାରିବା ଯେ ଯିହୋବା ନିଜର ପ୍ରତିଜ୍ଞା ନିଶ୍ଚୟ ପୂରା କରିବେ ?
୧୮ ଆୟୁବ ଅନେକ ଦୁଃଖକଷ୍ଟ ସହିଥିଲେ, ତଥାପି ସେ ଯିହୋବାଙ୍କର ବିଶ୍ୱସ୍ତ ହୋଇ ରହିଲେ । ସେ ଯିହୋବାଙ୍କୁ କହିଲେ, “ମୁଁ ଜାଣେ ଯେ, ତୁମ୍ଭେ ସବୁ କରିପାର ଓ ତୁମ୍ଭର କୌଣସି ସଙ୍କଳ୍ପ ନିବାରଣ କରାଯାଇ ନ ପାରେ ।” (ଆୟୁ. ୪୨:୨) ଆୟୁବ ବୁଝି ଯାଇଥିଲେ ଯେ କୌଣସି ବି କଥା ଯିହୋବାଙ୍କୁ ତାଙ୍କର ଉଦ୍ଦେଶ୍ୟ ପୂରା କରିବା ପାଇଁ ରୋକିପାରିବ ନାହିଁ । ଏହି କଥାକୁ ମନେ ରଖିଲେ ଆମକୁ ମଧ୍ୟ ସମସ୍ୟାଗୁଡ଼ିକୁ ସାମନା କରିବା ପାଇଁ ଶକ୍ତି ମିଳିପାରିବ । ଏହି କଥାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଜଣେ ମହିଳା ରୋଗରେ ପୀଡ଼ିତ ଅଛନ୍ତି । ସେ ଅନେକ ଡାକ୍ତରଙ୍କଠାରୁ ଚିକିତ୍ସା କରାଇଛନ୍ତି । କିନ୍ତୁ ତାଙ୍କର ରୋଗ ଏବେ ଯାଏ ଠିକ୍ ହୋଇ ନାହିଁ । ଏହି କାରଣରୁ ସେ ବହୁତ ନିରାଶ ଅଛନ୍ତି । ଏହାପରେ ସେ ଜଣେ ଏପରି ଡାକ୍ତରଙ୍କ ପାଖକୁ ଯାʼନ୍ତି, ଯାହାଙ୍କ ପାଖରେ ଅନେକ ବର୍ଷର ଅଭିଜ୍ଞତା ରହିଛି । ସେହି ଡାକ୍ତର ତୁରନ୍ତ ସେହି ମହିଳାଙ୍କ ରୋଗର କାରଣ ଜାଣିଯାʼନ୍ତି ଏବଂ ତାଙ୍କୁ ବୁଝାନ୍ତି ଯେ ସେ କିପରି ତାଙ୍କର ଚିକିତ୍ସା କରିବେ । ଏହା ଶୁଣି ମହିଳା ଜଣକୁ ସାନ୍ତ୍ୱନା ଏବଂ ଶକ୍ତି ମିଳେ । ଏହା ସତ ଯେ ରୋଗ ଠିକ୍ ହେବା ପାଇଁ ସମୟ ଲାଗିବ, କିନ୍ତୁ ସେ ଆଶା କରନ୍ତି ଯେ ଦିନେ ସେ ଠିକ୍ ହୋଇଯିବେ । ସେଥିପାଇଁ ଏବେ ସେ ନିଜ କଷ୍ଟକୁ ସହଜରେ ସହିପାରିବେ । ଠିକ୍ ସେହିପରି ଆମେ ଆଶା କରୁ ଯେ ଯିହୋବା ପାରଦୀଶ ଆଣିବା ପାଇଁ ଯେଉଁ ପ୍ରତିଜ୍ଞା କରିଛନ୍ତି, ତାହା ନିଶ୍ଚୟ ପୂରା କରିବେ । ତେଣୁ ଆମେ ମଧ୍ୟ ଦୁଃଖକଷ୍ଟଗୁଡ଼ିକୁ ସହିପାରୁ ।
୧୯. ଧୈର୍ଯ୍ୟ ଧରିବା ପାଇଁ ଆମେ କʼଣ କରିବା ଉଚିତ୍ ?
୧୯ ଆମେ ଏହି ଲେଖାରେ ଚାରୋଟି ବ୍ୟବସ୍ଥାଗୁଡ଼ିକୁ ଦେଖିଲୁ, ଯାହା ସାହାଯ୍ୟରୁ ଆମେ ଦୁଃଖକଷ୍ଟଗୁଡ଼ିକୁ ସହିପାରିବା । ଯିହୋବା କରିଥିବା ଏହି ବ୍ୟବସ୍ଥାଗୁଡ଼ିକ ହେଉଛି: ପ୍ରାର୍ଥନା, ତାଙ୍କର ବାକ୍ୟ ବାଇବଲ, ଖ୍ରୀଷ୍ଟିୟାନ ଭାଇଭଉଣୀ ଓ ଭବିଷ୍ୟତ ପାଇଁ ଗୋଟିଏ ବଢ଼ିଆ ଆଶା । ଯଦି ଆମେ ଏହି ବ୍ୟବସ୍ଥାଗୁଡ଼ିକରୁ ପୂରା ଲାଭ ଉଠାଇବା, ତାହେଲେ ଆମକୁ ସାହସ ମିଳିବ ଏବଂ ଆମେ ଶୟତାନର ଏହି ଦୁନିଆର ଅନ୍ତ ହେବା ପର୍ଯ୍ୟନ୍ତ ପ୍ରତି ସମସ୍ୟାର ସାମନା କରିପାରିବା ।—ଫିଲିପ୍. ୪:୧୩.
ଗୀତ ୩୩ ଯିହୋବାଙ୍କୁ ଚିନ୍ତାର ଭାର ଦେବା
a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।
b ଚିତ୍ର ବିଷୟରେ: ଗୋଟିଏ ପରେ ଗୋଟିଏ ଋତୁ ପରିବର୍ତ୍ତନ ହେଲା, କିନ୍ତୁ ଏଠାରେ ଯେଉଁ ବୃଦ୍ଧ ଭାଇଙ୍କୁ ଦେଖାଇ ଦିଆଯାଇଛି ସେ ଧୈର୍ଯ୍ୟ ଧରିଛନ୍ତି ଏବଂ ବିଶ୍ୱସ୍ତତାର ସହ ଯିହୋବାଙ୍କର ସେବା କରୁଛନ୍ତି ।
c ଚିତ୍ର ବିଷୟରେ: ଗୋଟିଏ ପରେ ଗୋଟିଏ ଋତୁ ପରିବର୍ତ୍ତନ ହେଲା, କିନ୍ତୁ ଏଠାରେ ଯେଉଁ ବୃଦ୍ଧ ଭାଇଙ୍କୁ ଦେଖାଇ ଦିଆଯାଇଛି ସେ ଧୈର୍ଯ୍ୟ ଧରିଛନ୍ତି ଏବଂ ବିଶ୍ୱସ୍ତତାର ସହ ଯିହୋବାଙ୍କର ସେବା କରୁଛନ୍ତି ।
d ଚିତ୍ର ବିଷୟରେ: ଗୋଟିଏ ପରେ ଗୋଟିଏ ଋତୁ ପରିବର୍ତ୍ତନ ହେଲା, କିନ୍ତୁ ଏଠାରେ ଯେଉଁ ବୃଦ୍ଧ ଭାଇଙ୍କୁ ଦେଖାଇ ଦିଆଯାଇଛି ସେ ଧୈର୍ଯ୍ୟ ଧରିଛନ୍ତି ଏବଂ ବିଶ୍ୱସ୍ତତାର ସହ ଯିହୋବାଙ୍କର ସେବା କରୁଛନ୍ତି ।