ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ସେପ୍ଟେମ୍ବର ପୃଷ୍ଠା ୮-୧୩
  • ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରୁଥିବା ଏକ ଚିଠି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରୁଥିବା ଏକ ଚିଠି
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ‘ଆମ୍ଭେମାନେ ପ୍ରୌଢ଼ତା ଲାଭ କରିବା ନିମନ୍ତେ ଅଗ୍ରସର ହେଉ’
  • ‘ଜୀବନ ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତୁ’
  • ‘ତୁମ୍ଭମାନଙ୍କୁ ଧୈର୍ଯ୍ୟଶୀଳ ହେବା ଦରକାର’
  • ସେହି ନଗରର ଅପେକ୍ଷା କରନ୍ତୁ, ଯାହା ସବୁଦିନ ଯାଏ ରହିବ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଯିହୋବା କିପରି ଆମକୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରନ୍ତି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ମନେ ରଖନ୍ତୁ ଯିହୋବା ‘ଜୀବିତ ପରମେଶ୍ୱର’ ଅଟନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ସେପ୍ଟେମ୍ବର ପୃଷ୍ଠା ୮-୧୩

ଅଧ୍ୟୟନ ଲେଖା ୩୭

ଗୀତ ୧୧୮ “ହାମାରା ବିଶ୍ୱାସ ବଢ଼ା”

ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରୁଥିବା ଏକ ଚିଠି

‘ଆରମ୍ଭରେ ଆମ୍ଭମାନଙ୍କର ଯେଉଁ ବିଶ୍ୱାସ ଥିଲା, ତାହା ଆମେ ଶେଷ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖୁ ।’—ଏବ୍ରୀ ୩:୧୪.

କʼଣ ଶିଖିବା ?

ବାଇବଲର ଏବ୍ରୀ ବହିରେ ଅନେକ ବଢ଼ିଆ ପରାମର୍ଶ ଦିଆଯାଇଛି । ସେଗୁଡ଼ିକୁ ମାନିଲେ ଆମେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିପାରିବା ଓ ବିଶ୍ୱସ୍ତ ରହିପାରିବା ।

୧-୨. (କ) ଯେବେ ପାଉଲ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ଚିଠି ଲେଖିଲେ, ସେସମୟରେ ଯିରୂଶାଲମ ଓ ଯିହୁଦାର ପରିସ୍ଥିତି କିପରି ଥିଲା ? (ଖ) ଆମେ ଏହା କାହିଁକି କହିପାରିବା ଯେ ପାଉଲ ସେମାନଙ୍କୁ ଏହି ଚିଠି ଠିକ୍‌ ସମୟରେ ଲେଖିଲେ ?

ଯୀଶୁଙ୍କ ମୃତ୍ୟୁ ପରେ ଯିରୂଶାଲମ ଓ ଯିହୁଦାରେ ଥିବା ଖ୍ରୀଷ୍ଟିୟାନମାନଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଲା । ଖ୍ରୀଷ୍ଟିୟାନ ମଣ୍ଡଳୀ ଆରମ୍ଭ ହେବାର କିଛି ସମୟ ପରେ ସେମାନଙ୍କର ବହୁତ ବିରୋଧ ହେଲା । (ପ୍ରେରି. ୮:୧) ତାʼର ୨୦ ବର୍ଷ ପରେ ସେମାନଙ୍କୁ ମରୁଡ଼ି ଓ ଦାରିଦ୍ରତାର ମଧ୍ୟ ସାମନା କରିବାକୁ ପଡ଼ିଲା । (ପ୍ରେରି. ୧୧:୨୭-୩୦) ତାʼପରେ ପାଖାପାଖି ୬୧ ଖ୍ରୀଷ୍ଟାବ୍ଦରେ ଶାନ୍ତିର ସମୟ ଆରମ୍ଭ ହେଲା, ସେସମୟରେ ଭାଇଭଉଣୀମାନଙ୍କର ସମସ୍ୟା ଟିକେ କମ୍‌ ହୋଇଗଲା । କିନ୍ତୁ ଆଗକୁ ଯାଇ ପରିସ୍ଥିତି ବଦଳିଯାʼନ୍ତା, ଠିକ୍‌ ସେହି ସମୟରେ ଯିହୋବା ପାଉଲଙ୍କ ଜରିଆରେ ସେହି ଖ୍ରୀଷ୍ଟିୟାନମାନଙ୍କ ପାଇଁ ଗୋଟିଏ ଚିଠି ଲେଖାଇଲେ । ଆଉ ସେହି ଚିଠିରେ ବଢ଼ିଆ ପରାମର୍ଶ ଦିଆଯାଇଥିଲା, ଯାହାଦ୍ୱାରା ଆଗକୁ ଯାଇ ସେମାନଙ୍କୁ ବହୁତ ସାହାଯ୍ୟ ମିଳନ୍ତା ।

୨ ପାଉଲଙ୍କ ଏହି ଚିଠି ସେମାନଙ୍କୁ ଠିକ୍‌ ସମୟରେ ମିଳିଲା । ଶାନ୍ତିର ସମୟ ଶେଷ ହେବାକୁ ଯାଉଥିଲା, ଯେପରି ଯୀଶୁ କହିଥିଲେ, ଯିରୂଶାଲମ ଓ ତାʼର ମନ୍ଦିରର ବିନାଶ ହୋଇଯିବ । (ଲୂକ ୨୧:୨୦) ଯଦି ସେମାନେ ଚିଠିରେ ଦିଆଯାଇଥିବା ବଢ଼ିଆ ପରାମର୍ଶକୁ ମାନନ୍ତେ, ତେବେ ଯିହୁଦୀ ଖ୍ରୀଷ୍ଟିୟାନମାନେ ସେହି ସମସ୍ୟାର ଭଲଭାବେ ସାମନା କରିପାରନ୍ତେ । ଆଉ ଗୋଟିଏ କଥା, ପାଉଲ ଓ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରୁ କାହାରିକୁ ବି ଜଣା ନ ଥିଲା ଯେ ବିନାଶ ଠିକ୍‌ କେବେ ଆସିବ । କିନ୍ତୁ ବିନାଶ ଆସିବା ପୂର୍ବରୁ ଯେଉଁ ସମୟ ଥିଲା, ସେହି ସମୟରେ ସେମାନେ ନିଜକୁ ପ୍ରସ୍ତୁତ କରିପାରନ୍ତେ । ଯେପରି, ସେମାନେ ବିଶ୍ୱାସ ଓ ଧୈର୍ଯ୍ୟ ଭଳି ଗୁଣ ବଢ଼ାଇ ପାରନ୍ତେ ।—ଏବ୍ରୀ ୧୦:୨୫; ୧୨:୧, ୨.

୩. ଆଜି ଆମ ପାଇଁ ଏବ୍ରୀ ବହି ଉପରେ ଧ୍ୟାନ ଦେବା କାହିଁକି ବହୁତ ଜରୁରୀ ?

୩ ଯିହୁଦୀ ଖ୍ରୀଷ୍ଟିୟାନମାନେ ଯେଉଁ ସମସ୍ୟାର ସାମନା କରିଥିଲେ, ଆଗକୁ ଯାଇ ଆମକୁ ତାʼଠୁ ବି ବଡ଼ ସମସ୍ୟାର ସାମନା କରିବାକୁ ପଡ଼ିବ । (ମାଥି. ୨୪:୨୧; ପ୍ରକା. ୧୬:୧୪, ୧୬) ସେଥିପାଇଁ ଏବ୍ରୀ ବହିରେ ଯିହୋବା ସେହି ଖ୍ରୀଷ୍ଟିୟାନମାନଙ୍କୁ ଯେଉଁ ବଢ଼ିଆ ପରାମର୍ଶ ଦେଇଥିଲେ, ସେଗୁଡ଼ିକୁ ଧ୍ୟାନ ଦେଲେ ଆମକୁ ବି ବହୁତ ଲାଭ ହେବ ।

‘ଆମ୍ଭେମାନେ ପ୍ରୌଢ଼ତା ଲାଭ କରିବା ନିମନ୍ତେ ଅଗ୍ରସର ହେଉ’

୪. ଯେଉଁ ଯିହୁଦୀମାନେ ଖ୍ରୀଷ୍ଟିୟାନ ହେଲେ, ସେମାନଙ୍କୁ କେଉଁ କେଉଁ ସମସ୍ୟାର ସାମନା କରିବାକୁ ପଡ଼ିଲା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୪ ଯେଉଁ ଯିହୁଦୀମାନେ ଖ୍ରୀଷ୍ଟିୟାନ ହେଲେ, ସେମାନଙ୍କୁ ବଡ଼ ବଡ଼ ପରିବର୍ତ୍ତନ କରିବାର ଥିଲା । ଦେଖିବାକୁ ଗଲେ ଦିନେ ଏପରି ସମୟ ଥିଲା, ଯେବେ ଯିହୋବା ଯିହୁଦୀମାନଙ୍କୁ ନିଜ ଲୋକ ଭାବେ ବାଛିଥିଲେ । ଆଉ ତାଙ୍କ ସହର ଯିରୂଶାଲମ ବହୁତ ଖାସ୍‌ ଥିଲା । ଯିହୋବା ଯେଉଁମାନଙ୍କୁ ରାଜା ବାଛିଥିଲେ ସେମାନେ ସେଠାରେ ରହି ଶାସନ କରୁଥିଲେ । ତାʼ ସହିତ ଯିହୋବାଙ୍କ ମନ୍ଦିର ବି ସେଠାରେ ଥିଲା, ତେଣୁ ଲୋକମାନେ ଯିରୂଶାଲମ ଯାଇ ଉପାସନା କରୁଥିଲେ । ସେମାନଙ୍କ ଧର୍ମଗୁରୁ ମୋଶାଙ୍କ ବ୍ୟବସ୍ଥା ଆଧାରରେ ଯାହା ଶିକ୍ଷା ଦେଉଥିଲେ, ସେଗୁଡ଼ିକୁ ଯିହୁଦୀମାନେ ହୃଦୟରୁ ମାନୁଥିଲେ । ଯେପରି, ଖାଇବା ପିଇବା ମାମଲାରେ, ସୁନ୍ନତ ମାମଲାରେ ଏବଂ ଅଣଯିହୁଦୀମାନଙ୍କ ସହିତ ବ୍ୟବହାର କରିବା ମାମଲାରେ । କିନ୍ତୁ ଯୀଶୁଙ୍କ ମୃତ୍ୟୁ ପରେ ସବୁକିଛି ବଦଳିଗଲା । ମୋଶାଙ୍କ ବ୍ୟବସ୍ଥା ରଦ୍ଦ ହୋଇଗଲା ଓ ଏବେ ମନ୍ଦିରରେ ବଳିଦାନ ଚଢ଼ାଇବା ଆବଶ୍ୟକ ନ ଥିଲା । କିନ୍ତୁ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କ ପାଇଁ ମୋଶାଙ୍କ ବ୍ୟବସ୍ଥା ଛାଡ଼ିବା ସହଜ ନ ଥିଲା କାରଣ ଏଗୁଡ଼ିକୁ ମାନିବା ସେମାନଙ୍କର ଅଭ୍ୟାସ ହୋଇଯାଇଥିଲା । (ଏବ୍ରୀ ୧୦:୧, ୪, ୧୦) ଏପରିକି ପ୍ରେରିତ ପିତରଙ୍କ ଭଳି ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କ ପାଇଁ ମଧ୍ୟ ଏପରି କରିବା କଠିନ ଥିଲା । (ପ୍ରେରି. ୧୦:୯-୧୪; ଗାଲା. ୨:୧୧-୧୪) ତାʼସହ ସେମାନଙ୍କର ନୂଆ ବିଶ୍ୱାସ ଯୋଗୁଁ ଯିହୁଦୀ ଧର୍ମଗୁରୁମାନେ ସେମାନଙ୍କୁ ହଇରାଣ ଓ ଅତ୍ୟାଚାର କରିବାକୁ ଲାଗିଲେ ।

ଯିହୁଦୀ ଧର୍ମଗୁରୁମାନେ ମନ୍ଦିରରେ ଅଛନ୍ତି ଏବଂ ସେହି ଖ୍ରୀଷ୍ଟିୟାନମାନଙ୍କ ବିରୁଦ୍ଧରେ କଥା ହେଉଛନ୍ତି ଯେଉଁମାନେ ପ୍ରଚାର କରୁଛନ୍ତି ।

ଖ୍ରୀଷ୍ଟିୟାନମାନଙ୍କୁ ଯିହୁଦୀ ଧର୍ମଗୁରୁମାନଙ୍କ ମିଥ୍ୟା ଶିକ୍ଷାଠାରୁ ଦୂରେଇ ରହିବାର ଥିଲା ଏବଂ ସତ୍ୟ ପଥରେ ଚାଲିବା ଜାରି ରଖିବାର ଥିଲା (ପାରାଗ୍ରାଫ ୪-୫)


୫. ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ କାହିଁକି ସାବଧାନ ରହିବା ଜରୁରୀ ଥିଲା ?

୫ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ବାହାରୁ ଓ ମଣ୍ଡଳୀ ଭିତରୁ ବି ଅନେକ ସମସ୍ୟା ଆସିଲା । ଯେପରି, ଯିହୁଦୀ ଧର୍ମଗୁରୁମାନେ ସେମାନଙ୍କୁ ଧର୍ମତ୍ୟାଗୀ ଭାବୁଥିଲେ ଓ ସେମାନଙ୍କ ଉପରେ ଅତ୍ୟାଚାର କରୁଥିଲେ । ତାʼ ସହିତ ମଣ୍ଡଳୀରେ କିଛି ଖ୍ରୀଷ୍ଟିୟାନ ମୋଶାଙ୍କ ବ୍ୟବସ୍ଥାର କିଛି କଥାଗୁଡ଼ିକୁ ମାନିବା ପାଇଁ ଅନ୍ୟମାନଙ୍କ ଉପରେ ଚାପ ପକାଉଥିଲେ । ହୁଏତ ସେମାନେ ଭାବୁଥିଲେ ଯେ ଏପରି କଲେ ସେମାନେ ଧର୍ମଗୁରୁମାନଙ୍କ ଅତ୍ୟାଚାରରୁ ରକ୍ଷା ପାଇବେ । (ଗାଲା. ୬:୧୨) ଏପରି ସମୟରେ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ କʼଣ କରିବାର ଥିଲା ?

୬. ପାଉଲ ଖ୍ରୀଷ୍ଟିୟାନମାନଙ୍କୁ କʼଣ କରିବା ପାଇଁ ପ୍ରୋତ୍ସାହନ ଦେଲେ ? (ଏବ୍ରୀ ୫:୧୪–୬:୨)

୬ ପାଉଲ ନିଜ ଚିଠିରେ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ଈଶ୍ୱରଙ୍କ ବାକ୍ୟର ଗଭୀର ଭାବେ ଅଧ୍ୟୟନ କରିବା ଓ ଚିନ୍ତନ କରିବା ପାଇଁ ପ୍ରୋତ୍ସାହନ ଦେଲେ । (ଏବ୍ରୀ ୫:୧୪–୬:୨ ପଢ଼ନ୍ତୁ ।) ସେ ଏବ୍ରୀ ଶାସ୍ତ୍ରକୁ ବ୍ୟବହାର କରି ସେମାନଙ୍କୁ ବୁଝାଇଲେ ଯେ ଖ୍ରୀଷ୍ଟିୟାନମାନେ ଯେପରି ଯିହୋବାଙ୍କ ଉପାସନା କରନ୍ତି, ତାହା କାହିଁକି ଯିହୁଦୀମାନଙ୍କ ଉପାୟଠାରୁ ଉତ୍ତମ ଅଟେ ।a ପାଉଲ ଜାଣିଥିଲେ ଯେ ଯଦି ଯିହୁଦୀ ଖ୍ରୀଷ୍ଟିୟାନ ନିଜର ଜ୍ଞାନ ବଢ଼ାଇବେ ଏବଂ ଶାସ୍ତ୍ରରେ ଦିଆଯାଇଥିବା ସତ୍ୟକୁ ଭଲଭାବେ ବୁଝିବେ, ତେବେ ସେମାନେ ଭ୍ରାନ୍ତ ହେବେ ନାହିଁ । ସେମାନେ ଭୁଲ ଶିକ୍ଷାଗୁଡ଼ିକୁ ଚିହ୍ନିପାରିବେ ଏବଂ ସେଥିରୁ ଦୂରେଇ ରହିପାରିବେ ।

୭. ଆଜି ଆମକୁ କେଉଁ କେଉଁ ସମସ୍ୟାର ସାମନା କରିବାକୁ ପଡ଼େ ?

୭ ଆମ ସମୟରେ ମଧ୍ୟ ଯିହୋବାଙ୍କ ସ୍ତରଗୁଡ଼ିକ ବିରୁଦ୍ଧରେ ଅନେକ କଥା କୁହାଯାଏ । ବିରୋଧୀମାନେ ପ୍ରାୟ ଆମ ଉପରେ ଏହି ଆରୋପ ଲଗାନ୍ତି ଯେ ଆମ ଚିନ୍ତାଧାରା ବହୁତ ପୁରୁଣା, କାରଣ ସେକ୍ସ ବିଷୟରେ ଆମ ଦୃଷ୍ଟିକୋଣ ପୂରାପୂରି ଅଲଗା । ଆଉ ସେମାନେ ଏହା ବି କହନ୍ତି ଯେ ଆମେ ନିଷ୍ଠୁର ଅଟୁ । ତାʼଛଡ଼ା ଆଜି ଦେଖିବାକୁ ଗଲେ ଲୋକମାନଙ୍କ ବ୍ୟବହାର ଓ ଚିନ୍ତାଧାରା ଦିନକୁ ଦିନ ଆହୁରି ଖରାପ ହୋଇଯାଉଛି । ଆଉ ଯିହୋବାଙ୍କ ଚିନ୍ତାଧାରାଠାରୁ ଲୋକମାନଙ୍କ ଚିନ୍ତାଧାରା ପୂରାପୂରି ଅଲଗା । (ହିତୋ. ୧୭:୧୫) ତେଣୁ ଆମେ ଯିହୋବାଙ୍କ ବିରୁଦ୍ଧରେ ଥିବା କଥାଗୁଡ଼ିକୁ ଚିହ୍ନିବା ଓ ସେଗୁଡ଼ିକଠାରୁ ଦୂରେଇ ରହିବା ବହୁତ ଜରୁରୀ । ଏପରି କଲେ ଆମେ ବିରୋଧୀମାନଙ୍କ କଥାରେ ଆସିବାନି ଏବଂ ସତ୍ୟ ପଥରେ ଚାଲିପାରିବା ।—ଏବ୍ରୀ ୧୩:୯.

୮. ପ୍ରୌଢ଼ ହେବା ପାଇଁ ଆମକୁ କʼଣ କରିବା ଜାରି ରଖିବା ଉଚିତ୍‌ ?

୮ ପାଉଲ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ପରାମର୍ଶ ଦେଲେ ଯେ ସେମାନଙ୍କୁ ‘ସିଦ୍ଧି [“ପ୍ରୌଢ଼ତା,” NWT] ଲାଭ କରିବା ନିମନ୍ତେ ଅଗ୍ରସର ହେବା ଉଚିତ୍‌ ।’ ଆଜି ଆମକୁ ବି ଏପରି କରିବା ଜରୁରୀ । ତାʼଅର୍ଥ ଯିହୋବା ଓ ତାଙ୍କ ଚିନ୍ତାଧାରାଗୁଡ଼ିକୁ ଭଲଭାବେ ଜାଣିବା ପାଇଁ ଆମକୁ ବାଇବଲର ଗଭୀର ଭାବେ ଅଧ୍ୟୟନ କରିବା ଉଚିତ୍‌ । ଆମେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ଓ ବାପ୍ତିସ୍ମ ନେବା ପରେ ମଧ୍ୟ ଏପରି କରିବା ଜାରି ରଖିବା ଉଚିତ୍‌ । ଆମେ ଯେତେ ଲମ୍ବା ସମୟରୁ ବି ଯିହୋବାଙ୍କ ଉପାସନା କରୁଥାଉ ନା କାହିଁକି ଆମକୁ ପ୍ରତିଦିନ ବାଇବଲ ପଢ଼ିବା ଓ ଅଧ୍ୟୟନ କରିବା ଉଚିତ୍‌ । (ଗୀତ. ୧:୨) ଯଦି ଆମେ ଲଗାତାର ବାଇବଲର ଅଧ୍ୟୟନ କରିବା, ତେବେ ଆମେ ନିଜ ବିଶ୍ୱାସ ବଢ଼ାଇପାରିବା । ପାଉଲ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ନିଜ ବିଶ୍ୱାସ ବଢ଼ାଇବା ପାଇଁ କହିଥିଲେ ।—ଏବ୍ରୀ ୧୧:୧, ୬.

‘ଜୀବନ ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତୁ’

୯. ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ କାହିଁକି ଦୃଢ଼ ବିଶ୍ୱାସର ଆବଶ୍ୟକ ଥିଲା ?

୯ ଖୁବ୍‌ ଶୀଘ୍ର ଯିହୁଦା ପ୍ରଦେଶରେ ଯେଉଁ ସଙ୍କଟ ଆସିବାର ଥିଲା, ତାʼର ସାମନା କରିବା ପାଇଁ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ଦୃଢ଼ ବିଶ୍ୱାସର ଆବଶ୍ୟକ ଥିଲା । (ଏବ୍ରୀ ୧୦:୩୭-୩୯) ଯୀଶୁ ନିଜ ଶିଷ୍ୟମାନଙ୍କୁ ପୂର୍ବରୁ କହିଥିଲେ ଯେ ଯେତେବେଳେ ସେମାନେ ଯିରୂଶାଲମ ସହରକୁ ସୈନ୍ୟସାମନ୍ତ ଦ୍ୱାରା ଘେରି ହୋଇଥିବାର ଦେଖିବେ, ସେତେବେଳେ ସେମାନେ ପର୍ବତମାଳା ଆଡ଼କୁ ପଳାଇ ଯାଆନ୍ତୁ । ଏହି ପରାମର୍ଶ ଯିରୂଶାଲମରେ ରହୁଥିବା କିମ୍ବା ଗାଁରେ ରହୁଥିବା ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ମାନିବାର ଥିଲା । (ଲୂକ ୨୧:୨୦-୨୪) ଯୀଶୁଙ୍କ ଏହି ପରାମର୍ଶ ହୁଏତ ସେମାନଙ୍କୁ ଅଜବ ଲାଗିଥିବ, କାରଣ ସେସମୟରେ ସାଧାରଣତଃ ଲୋକମାନେ ନିଜକୁ ରକ୍ଷା କରିବା ପାଇଁ ପ୍ରାଚୀର ଥିବା ସହର ଆଡ଼କୁ ଯାଉଥିଲେ । କିନ୍ତୁ ଯୀଶୁ ସେମାନଙ୍କୁ ପର୍ବତ ଆଡ଼କୁ ଯିବା ପାଇଁ କହିଲେ । ସେଥିପାଇଁ ଯୀଶୁଙ୍କ ଏହି ପରାମର୍ଶ ମାନିବା ପାଇଁ ସେମାନଙ୍କଠାରେ ଦୃଢ଼ ବିଶ୍ୱାସର ଆବଶ୍ୟକ ଥିଲା ।

୧୦. ଯେଉଁ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କର ବିଶ୍ୱାସ ଦୃଢ଼ ଥିଲା, ସେମାନେ କʼଣ କରିଥିବେ ? (ଏବ୍ରୀ ୧୩:୧୭)

୧୦ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ସେହି ଭାଇମାନଙ୍କ ଉପରେ ଭରସା କରିବାର ଥିଲା, ଯେଉଁମାନଙ୍କ ଜରିଆରେ ଯୀଶୁ ମଣ୍ଡଳୀକୁ ନିର୍ଦ୍ଦେଶ ଦେଉଥିଲେ । ଏହି ଭାଇମାନେ ଖ୍ରୀଷ୍ଟିୟାନମାନଙ୍କୁ ସ୍ପଷ୍ଟ ଭାବେ ପରାମର୍ଶ ଦେଇଥିବେ ଯେ ସେମାନଙ୍କୁ କʼଣ କରିବାର ଅଛି ଓ କେବେ ଯିରୂଶାଲମ ଛାଡ଼ି ଯିବାର ଅଛି । (ଏବ୍ରୀ ୧୩:୧୭ ପଢ଼ନ୍ତୁ ।) ଯେବେ ପାଉଲ ଭାଇଭଉଣୀମାନଙ୍କୁ, ନେତୃତ୍ୱ ନେଉଥିବା ଭାଇମାନଙ୍କର ‘ବାଧ୍ୟ ହେବା [“ଆଜ୍ଞା ମାନିବା,” NWT]ʼ ପାଇଁ କହିଲେ, ତେବେ ସେ ଏହା ଚାହୁଁ ନ ଥିଲେ ଯେ ଭାଇଭଉଣୀମାନେ କେବଳ ଆଦେଶ ଭାବି ଏପରି କରନ୍ତୁ । ବରଂ ସେ ଚାହୁଁଥିଲେ ଯେ ଭାଇଭଉଣୀମାନେ ସେହି ଭାଇମାନଙ୍କ ଉପରେ ଭରସା କରିବା ଯୋଗୁଁ ସେମାନଙ୍କ ଆଜ୍ଞା ମାନନ୍ତୁ । ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ସଙ୍କଟ ଆସିବା ପୂର୍ବେ ହିଁ ନେତୃତ୍ୱ ନେଉଥିବା ଭାଇମାନଙ୍କ ଉପରେ ଭରସା କରିବା ଶିଖିବାର ଥିଲା । ଯଦି ସେମାନେ ଶାନ୍ତିର ଏହି ସମୟରେ ସେମାନଙ୍କ ଉପରେ ଭରସା କରନ୍ତେ ଓ ଆଜ୍ଞା ମାନନ୍ତେ, ତେବେ ସମସ୍ୟା ସମୟରେ ବି ସେମାନଙ୍କୁ ଏପରି କରିବା ସହଜ ହୋଇଯାʼନ୍ତା ।

୧୧. ଆଜି ଆମ ଖ୍ରୀଷ୍ଟିୟାନମାନଙ୍କ ପାଇଁ ନିଜ ବିଶ୍ୱାସ ବଢ଼ାଇବା କାହିଁକି ଜରୁରୀ ?

୧୧ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କ ଭଳି ଆମକୁ ବି ନିଜ ବିଶ୍ୱାସ ବଢ଼ାଇବା ଦରକାର । କାହିଁକି ? କାରଣ ଯେପରି ବାଇବଲରେ କୁହାଯାଇଛି ଯେ ଆମେ ଆଜି ଦୁନିଆର ଶେଷ ସମୟରେ ବଞ୍ଚୁଛୁ । ଆଜି ଅଧିକାଂଶ ଲୋକମାନେ ଆମର ସନ୍ଦେଶ ଶୁଣନ୍ତି ନାହିଁ ଏବଂ ଆମର ଥଟ୍ଟା କରନ୍ତି । (୨ ପିତ. ୩:୩, ୪) କେବଳ ଏତିକି ନୁହେଁ, ମହାକ୍ଳେଶ ବିଷୟରେ ବାଇବଲରେ ସବୁକିଛି କୁହାଯାଇ ନାହିଁ । ସେଥିପାଇଁ ଆମକୁ ପୂରା ଭରସା ରଖିବାର ଅଛି ଯେ ଠିକ୍‌ ସମୟରେ ବିନାଶ ଆସିବ ଏବଂ ସେସମୟରେ ଯିହୋବା ଆମକୁ ରକ୍ଷା କରିବେ ।—ହବ. ୨:୩.

୧୨. ଯଦି ଆମେ ମହାକ୍ଳେଶରୁ ରକ୍ଷା ପାଇବା ପାଇଁ ଚାହୁଁ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ?

୧୨ ଆମକୁ “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ଉପରେ ମଧ୍ୟ ଭରସା ବଢ଼ାଇବା ଦରକାର, ଯାହା ଜରିଆରେ ଯିହୋବା ଆଜି ଆମକୁ ମାର୍ଗଦର୍ଶନ ଦେଉଛନ୍ତି । (ମାଥି. ୨୪:୪୫) ଯେବେ ମହାକ୍ଳେଶ ଆରମ୍ଭ ହେବ, ତେବେ ହୁଏତ ଆମକୁ ସ୍ପଷ୍ଟ ଭାବେ ପରାମର୍ଶ ମିଳିବ ଯେ ଆମକୁ କʼଣ କରିବାର ଅଛି, ଠିକ୍‌ ଯେପରି ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ସେସମୟରେ ପରାମର୍ଶ ଦିଆଯାଇଥିବ, ଯେବେ ରୋମୀୟ ସେନା ଯିରୂଶାଲମକୁ ଘେରି ରଖିଥିଲା । ତାହେଲେ ଏହା ବହୁତ ଜରୁରୀ ଯେ ଆମେ ନିଜ ବିଶ୍ୱାସ ବଢ଼ାଇବା ଏବଂ ନେତୃତ୍ୱ ନେଉଥିବା ଭାଇମାନଙ୍କ ଉପରେ ପୂରା ଭରସା କରିବା । ଯଦି ଆଜି ଆମେ ଏପରି କରିବା, ତେବେ ମହାକ୍ଳେଶ ସମୟରେ ବି ଭାଇମାନଙ୍କ ଆଜ୍ଞା ମାନିବା ଆମ ପାଇଁ ସହଜ ହୋଇଯିବ ।

୧୩. ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏବ୍ରୀ ୧୩:୫ ପଦରେ ଦିଆଯାଇଥିବା ପରାମର୍ଶ ମାନିବା କାହିଁକି ଜରୁରୀ ଥିଲା ?

୧୩ ଯିହୁଦୀ ଖ୍ରୀଷ୍ଟିୟାନମାନେ ଜାଣିଥିଲେ ଯେ ଦିନେ ସେମାନଙ୍କୁ ସବୁକିଛି ଛାଡ଼ି ପଳାଇବାକୁ ପଡ଼ିବ । ତେଣୁ ସେମାନଙ୍କୁ ନିଜ ଜୀବନ ସାଦା ରଖିବାର ଥିଲା ଏବଂ ଧ୍ୟାନ ଦେବାର ଥିଲା ଯେ ସେମାନେ ‘ଧନଲୋଭୀ’ ହୁଅନ୍ତୁ ନାହିଁ । (ଏବ୍ରୀ ୧୩:୫ ପଢ଼ନ୍ତୁ ।) ସେମଧ୍ୟରୁ କିଛି ଖ୍ରୀଷ୍ଟିୟାନ ମରୁଡ଼ି ଓ ଦାରିଦ୍ରତାର ମଧ୍ୟ ସାମନା କରିଥିଲେ । (ଏବ୍ରୀ ୧୦:୩୨-୩୪) ଗୋଟେ ସମୟ ଏପରି ଥିଲା, ଯେବେ ଯିହୁଦାରେ ରହୁଥିବା ଖ୍ରୀଷ୍ଟିୟାନମାନେ ଖୁସିଖବର ପାଇଁ ସବୁକିଛି ସହିବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ଏବେ ହୁଏତ କିଛି ଖ୍ରୀଷ୍ଟିୟାନ ପଇସା ଉପରେ ଭରସା କରିବାକୁ ଲାଗିଥିଲେ । ସେମାନେ ଭାବୁଥିଲେ ଯେ ପଇସା ସେମାନଙ୍କୁ ପ୍ରତ୍ୟେକ ସମସ୍ୟାରୁ ରକ୍ଷା କରିପାରିବ । କିନ୍ତୁ ପ୍ରକୃତରେ ପଇସା ସେମାନଙ୍କୁ ସେହି ସଙ୍କଟରୁ ରକ୍ଷା କରିପାରି ନ ଥାʼନ୍ତା । (ଯାକୁ. ୫:୩) ଯଦି ଜଣେ ଖ୍ରୀଷ୍ଟିୟାନ ଧନଲୋଭୀ ହୁଅନ୍ତା, ତାହେଲେ ତାʼପାଇଁ ନିଜ ଘର ଓ ଧନ ସମ୍ପତ୍ତି ଛାଡ଼ି ପଳାଇବା କଠିନ ହୋଇଯାʼନ୍ତା ।

୧୪. ଯଦି ଆମ ବିଶ୍ୱାସ ଦୃଢ଼ ଥିବ, ତେବେ ଆମେ ପଇସା ମାମଲାରେ କʼଣ ନିଷ୍ପତ୍ତି ନେବା ?

୧୪ ଯଦି ଆମକୁ ଏକଥା ଉପରେ ବିଶ୍ୱାସ ଥିବ ଯେ ଏହି ଦୁନିଆର ବିନାଶ ନିକଟତର ଅଛି, ତେବେ ଆମେ ଅତ୍ୟଧିକ ଧନ ସମ୍ପତ୍ତି ରୋଜଗାର କରିବାରେ ଲାଗି ରହିବାନି । ମହାକ୍ଳେଶ ସମୟରେ ପଇସାର କୌଣସି ମୂଲ୍ୟ ନ ଥିବ । ବାଇବଲରେ ଲେଖାଅଛି, ଲୋକମାନେ “ଆପଣା ଆପଣା ରୂପା ଦାଣ୍ଡରେ ପକାଇ ଦେବେ,” କାରଣ ସେମାନେ ବୁଝିଯିବେ ଯେ ‘ଯିହୋବାଙ୍କ କୋପର ଦିନରେ ସେମାନଙ୍କର ରୂପା ଓ ସୁନା ସେମାନଙ୍କୁ ରକ୍ଷା କରି ପାରିବ ନାହିଁ ।’ (ଯିହି. ୭:୧୯) ସେଥିପାଇଁ ଆଜି ଆମକୁ ପଇସା ପଛରେ ଗୋଡ଼ାଇବା ଉଚିତ୍‌ ନୁହେଁ । ତାʼ ପରିବର୍ତ୍ତେ ଆମକୁ ଏପରି ନିଷ୍ପତ୍ତି ନେବା ଉଚିତ୍‌, ଯେଉଁଥିରୁ ଆମେ ନିଜର ଓ ନିଜ ପରିବାରର ଆବଶ୍ୟକତା ପୂରା କରିପାରିବା ଏବଂ ଯିହୋବାଙ୍କ ସେବା ଜାରି ରଖିପାରିବା । ଆମେ ଅଯଥା ଋଣ ନେବାନି ଏବଂ ଅଧିକ ଜିନିଷ କିଣିବାନି, ଯାହାଦ୍ୱାରା ସେଗୁଡ଼ିକର ଯତ୍ନ ନେବାରେ ଆମର ସମୟ ନଷ୍ଟ ହୋଇଯିବ । ତାʼ ସହିତ ଆଜି ଆମ ପାଖରେ ଯେଉଁ ଜିନିଷ ସବୁ ଅଛି, ସେଗୁଡ଼ିକୁ ଆମେ ଅତ୍ୟଧିକ ପ୍ରେମ କରିବାନି । (ମାଥି. ୬:୧୯, ୨୪) ବିନାଶ ଆସିବା ପୂର୍ବରୁ ହୁଏତ ଅନେକଥର ଆମର ବିଶ୍ୱାସର ପରୀକ୍ଷା ହେବ, କିନ୍ତୁ ଆମକୁ ଦେଖାଇବାକୁ ପଡ଼ିବ ଯେ ଆମେ କୌଣସି ଜିନିଷ ଅପେକ୍ଷା ଯିହୋବାଙ୍କୁ ଅଧିକ ପ୍ରେମ କରୁ ।

‘ତୁମ୍ଭମାନଙ୍କୁ ଧୈର୍ଯ୍ୟଶୀଳ ହେବା ଦରକାର’

୧୫. ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ କାହିଁକି ଧୈର୍ଯ୍ୟ ଧରିବା ବହୁତ ଜରୁରୀ ଥିଲା ?

୧୫ ଆଗକୁ ଯିହୁଦାର ପରିସ୍ଥିତି ଆହୁରି ଖରାପ ହୁଅନ୍ତା, ସେଥିପାଇଁ ଖ୍ରୀଷ୍ଟିୟାନମାନଙ୍କୁ ଧୈର୍ଯ୍ୟ ଧରିବାର ଆବଶ୍ୟକ ଥିଲା । (ଏବ୍ରୀ ୧୦:୩୬) କିଛି ଖ୍ରୀଷ୍ଟିୟାନମାନେ ବହୁତ ଅତ୍ୟାଚାର ସହିଥିଲେ । କିନ୍ତୁ ଅଧିକାଂଶ ଭାଇଭଉଣୀମାନେ ଯେବେ ଶାନ୍ତିର ସମୟ ଥିଲା ଆଉ ପରିସ୍ଥିତି ଭଲ ଥିଲା, ସେସମୟରେ ଖ୍ରୀଷ୍ଟିୟାନ ହୋଇଥିଲେ । ତେଣୁ ପାଉଲ କହିଲେ ଯେ ସେମାନଙ୍କୁ ଭବିଷ୍ୟତରେ ସମସ୍ୟାଗୁଡ଼ିକ ସାମନା କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ, ଏପରିକି ଯୀଶୁଙ୍କ ଭଳି ନିଜର ଜୀବନ ଦେବା ପାଇଁ ବି ପ୍ରସ୍ତୁତ ରହିବାକୁ ପଡ଼ିବ । (ଏବ୍ରୀ ୧୨:୪) ଏପରି କାହିଁକି ? କାରଣ ଅନେକ ଯିହୁଦୀମାନେ ଖ୍ରୀଷ୍ଟିୟାନ ହେଉଥିଲେ ଆଉ ଏହି କାରଣ ଯୋଗୁଁ ବିରୋଧୀମାନେ ତାଙ୍କ ଉପରେ ବହୁତ ରାଗି ଉଠିଲେ ଆଉ ଭାଇମାନଙ୍କୁ ବହୁତ ହଇରାଣ କରିବାକୁ ଲାଗିଲେ । ଯେପରି, ଏବ୍ରୀମାନଙ୍କୁ ଚିଠି ଲେଖିବାର କିଛି ବର୍ଷ ପୂର୍ବେ ଯେବେ ପାଉଲ ଯିରୂଶାଲମରେ ଥିଲେ, ତେବେ ତାଙ୍କୁ ଦେଖି ଯିହୁଦୀମାନେ ବହୁତ ରାଗି ଯାଇଥିଲେ । ୪୦ରୁ ବି ଅଧିକ ଯିହୁଦୀମାନେ “ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ଶପଥରେ ଆପଣା ଆପଣାକୁ ଆବଦ୍ଧ କଲେ ।” (ପ୍ରେରି. ୨୨:୨୨; ୨୩:୧୨-୧୪) ଯିହୁଦୀମାନେ ନିଜ ଧର୍ମକୁ ବହୁତ ମାନୁଥିଲେ ଆଉ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ବହୁତ ଘୃଣା କରୁଥିଲେ । ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ଏପରି ଜାଗାରେ ରହିବା ସହ ଉପାସନା କରିବା ପାଇଁ ଏକାଠି ହେବାର ଥିଲା, ପ୍ରଚାର କରିବା ଓ ନିଜ ବିଶ୍ୱାସ ବି ଦୃଢ଼ କରିବାର ଥିଲା ।

୧୬. ସମସ୍ୟାଗୁଡ଼ିକୁ ନେଇ ସଠିକ୍‌ ଦୃଷ୍ଟିକୋଣ ରଖିବା ପାଇଁ ଆମକୁ ଏବ୍ରୀମାନଙ୍କୁ ଲେଖା ଯାଇଥିବା ଚିଠିଗୁଡ଼ିକରୁ କିପରି ସାହାଯ୍ୟ ମିଳେ ? (ଏବ୍ରୀ ୧୨:୭)

୧୬ ବିରୋଧ ସମୟରେ ଯିହୁଦୀ ଖ୍ରୀଷ୍ଟିୟାନମାନେ କିପରି ଧୈର୍ଯ୍ୟ ଧରନ୍ତେ ? ପାଉଲଙ୍କୁ ଜଣାଥିଲା ଯେ ସେମାନଙ୍କୁ ନିଜ ସମସ୍ୟାଗୁଡ଼ିକୁ ନେଇ ସଠିକ୍‌ ଦୃଷ୍ଟିକୋଣ ରଖିବାକୁ ପଡ଼ିବ । ସେଥିପାଇଁ ସେ ସେମାନଙ୍କୁ ବୁଝାଇଲେ ଯେ ଈଶ୍ୱର ଆମର ବିଶ୍ୱାସର ପରୀକ୍ଷା ହେବା ପାଇଁ ଦିଅନ୍ତି ଆଉ ସେସମୟରେ ସେ ଆମକୁ ପ୍ରଶିକ୍ଷଣ ଦିଅନ୍ତି । (ଏବ୍ରୀ ୧୨:୭ ପଢ଼ନ୍ତୁ ।) ଏହି କାରଣ ଯୋଗୁଁ ଆମେ ନିଜ ଭିତରେ ଅନେକ ଭଲ ଗୁଣ ବଢ଼ାଇ ପାରିଥାଉ ଆଉ ତାକୁ ନିଜ ଜୀବନରେ ଦେଖାଇ ପାରିଥାଉ । ଯଦି ଯିହୁଦୀ ଖ୍ରୀଷ୍ଟିୟାନମାନେ ଏ କଥାକୁ ମନେ ରଖନ୍ତେ ଯେ ସମସ୍ୟାଗୁଡ଼ିକର ସାମନା କଲେ ଭଲ ପରିଣାମ ମିଳେ, ତାହେଲେ ସେମାନଙ୍କୁ ସମସ୍ୟାଗୁଡ଼ିକୁ ସହିବା ଟିକେ ସହଜ ହୋଇଯାʼନ୍ତା ।—ଏବ୍ରୀ ୧୨:୧୧.

୧୭. ସାହସର ସହ ସମସ୍ୟାଗୁଡ଼ିକୁ ସହିବା ବିଷୟରେ ପାଉଲ କʼଣ ଅନୁଭୂତି ଥିଲା ?

୧୭ ପାଉଲ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ଅନୁରୋଧ କଲେ ଯେ ସେମାନେ ସାହସର ସହ ନିଜ ସମସ୍ୟାଗୁଡ଼ିକର ସାମନା କରନ୍ତୁ ଏବଂ ହାର ମାନନ୍ତୁ ନାହିଁ । ପାଉଲ କାହିଁକି ସେମାନଙ୍କୁ ଏହି ପରାମର୍ଶ ଦେଇପାରିଲେ ? କାରଣ ଖ୍ରୀଷ୍ଟିୟାନ ହେବା ପୂର୍ବେ ସେ ଭାଇଭଉଣୀମାନଙ୍କ ଉପରେ ଅନେକ ଅତ୍ୟାଚାର କରିଥିଲେ ଆଉ ଖ୍ରୀଷ୍ଟିୟାନ ହେବା ପରେ ସେ ନିଜେ ଅନେକ ଅତ୍ୟାଚାର ସହିଥିଲେ । (୨ କରି. ୧୧:୨୩-୨୫) ସେଥିପାଇଁ ସେ ଭଲଭାବେ ବୁଝିପାରନ୍ତେ ଯେ ସେମାନଙ୍କୁ କିପରି ଲାଗୁଛି । ଆଉ ସେମାନଙ୍କୁ ଏହା ବି କହିପାରନ୍ତେ ଯେ ସମସ୍ୟା ସହିବା ପାଇଁ ସେମାନେ କʼଣ କରିପାରିବେ । ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ମନେ ପକାଇଦେଲେ ଯେ ସମସ୍ୟା ସମୟରେ ସେମାନଙ୍କୁ ନିଜ ଉପରେ ଭରସା ରଖିବା ପରିବର୍ତ୍ତେ ଯିହୋବାଙ୍କ ଉପରେ ନିର୍ଭର ରହିବାର ଅଛି ଏବଂ ସାହସ ଧରିବାର ଅଛି । ପାଉଲ ବି ଏପରି ହିଁ କରିଥିଲେ, ତେଣୁ ସେ କହିପାରିଲେ, ‘ଯିହୋବା ମୋହର ସହାୟ, ମୁଁ ଭୟ କରିବି ନାହିଁ ।’—ଏବ୍ରୀ ୧୩:୬.

୧୮. ଭବିଷ୍ୟତରେ କʼଣ ହେବ ଏବଂ ଆଜି ଆମକୁ କʼଣ କରିବାକୁ ପଡ଼ିବ ?

୧୮ ଆଜି ଆମର କିଛି ଭାଇଭଉଣୀମାନେ ଅତ୍ୟାଚାର ସହୁଛନ୍ତି । ତଥାପି ସେମାନେ ସେଗୁଡ଼ିକର ଧୈର୍ଯ୍ୟର ସହ ସାମନା କରୁଛନ୍ତି । ସେହି ଭାଇଭଉଣୀମାନଙ୍କ ପାଇଁ ଆମେ କିପରି ନିଜର ପ୍ରେମ ଦେଖାଇପାରିବା ? ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରିପାରିବା ଆଉ ଯଦି ସମ୍ଭବ, ତାହେଲେ ସେମାନଙ୍କୁ ଯାହା ଆବଶ୍ୟକ ତାହା ଦେଇ ଆମେ ତାଙ୍କୁ ସାହାଯ୍ୟ କରିପାରିବା । (ଏବ୍ରୀ ୧୦:୩୩) ବାଇବଲରେ କୁହାଯାଇଛି, “ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ ।” (୨ ତୀମ. ୩:୧୨) ସେଥିପାଇଁ ଆମ ସମସ୍ତଙ୍କୁ ଭବିଷ୍ୟତରେ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ତାହେଲେ ଆସନ୍ତୁ ଆମେ ଭରସା ରଖିବା ଯେ ଯିହୋବା ଯେକୌଣସି ସମସ୍ୟାକୁ ସହିବା ପାଇଁ ମଧ୍ୟ ଆମକୁ ସାହାଯ୍ୟ କରିବେ ଏବଂ ଆଗକୁ ଯାଇ ନିଜର ପ୍ରତ୍ୟେକ ସେବକଙ୍କୁ ଶାନ୍ତି ଦେବେ ।—୨ ଥେସ. ୧:୭, ୮.

୧୯. ମହାକ୍ଳେଶ ପାଇଁ ଆମେ କିପରି ପ୍ରସ୍ତୁତ ରହିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୯ ପାଉଲ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ଯେଉଁ ଚିଠି ଲେଖିଥିଲେ, ସେଥିରୁ ସେମାନେ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ପ୍ରସ୍ତୁତ ହେଲେ । ପାଉଲ ସେମାନଙ୍କୁ ବାଇବଲର ଗଭୀର ଭାବେ ଅଧ୍ୟୟନ କରିବା ଏବଂ ସେଥିରେ ଦିଆଯାଇଥିବା କଥାଗୁଡ଼ିକୁ ଭଲଭାବେ ବୁଝିବା ପାଇଁ କହିଲେ । ଏପରି କରିବା ଦ୍ୱାରା ସେମାନେ ସେହି ଶିକ୍ଷାଗୁଡ଼ିକୁ ଚିହ୍ନିପାରନ୍ତେ ଏବଂ ସେଥିରୁ ଦୂରେଇ ରହିପାରନ୍ତେ, ଯାହାଯୋଗୁଁ ସେମାନଙ୍କ ବିଶ୍ୱାସ ଦୁର୍ବଳ ହୋଇଯାʼନ୍ତା । ପାଉଲ ସେମାନଙ୍କୁ ନିଜ ବିଶ୍ୱାସ ଦୃଢ଼ କରିବା ପାଇଁ ମଧ୍ୟ କହିଲେ, ଯାହାଦ୍ୱାରା ସେମାନେ ଯୀଶୁ ଏବଂ ନେତୃତ୍ୱ ନେଉଥିବା ଭାଇମାନଙ୍କ ପରାମର୍ଶ ତୁରନ୍ତ ମାନିପାରନ୍ତେ । ସେ ସେମାନଙ୍କୁ ଏହା ବି କହିଲେ ଯେ ସମସ୍ୟା ସମୟରେ ସେମାନେ କିପରି ଧୈର୍ଯ୍ୟ ଧରିପାରିବେ । ତାʼ ସହିତ ସେ ଏହା କହିଲେ ଯେ ସେମାନେ ସମସ୍ୟାକୁ ନେଇ ସଠିକ୍‌ ଦୃଷ୍ଟିକୋଣ ରଖନ୍ତୁ ଏବଂ ଏହା ବୁଝନ୍ତୁ ଯେ ଯିହୋବା ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଆଉ ଯଦି ଆମେ ବି ଏବ୍ରୀମାନଙ୍କୁ ଲେଖିଥିବା ଚିଠିରେ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ମାନିବା, ତାହେଲେ ଆମେ ବି ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିପାରିବା ଏବଂ ଧୈର୍ଯ୍ୟ ଧରିପାରିବା ।—ଏବ୍ରୀ ୩:୧୪.

ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ଗୋଟିଏ ଖୋଲା ଜାଗାରେ ଏକାଠି ହୋଇଛନ୍ତି ।

ଧୈର୍ଯ୍ୟ ଧରିବା ଯୋଗୁଁ ବିଶ୍ୱସ୍ତ ଖ୍ରୀଷ୍ଟିୟାନମାନଙ୍କୁ ଅନେକ ଆଶିଷ ମିଳିଲା । ଯିହୁଦା ଛାଡ଼ିବା ପରେ ମଧ୍ୟ ସେମାନେ ଏକାଠି ହେବା ଛାଡ଼ିଲେ ନାହିଁ । ଆମେ ସେମାନଙ୍କଠାରୁ କʼଣ ଶିଖୁ ? (ପାରାଗ୍ରାଫ ୧୯)

ଆପଣ କʼଣ ଉତ୍ତର ଦେବେ ?

  • ଆମେ ପ୍ରୌଢ଼ କିପରି ହୋଇପାରିବା ?

  • ଆମକୁ ନିଜ ବିଶ୍ୱାସ ବଢ଼ାଇବା କାହିଁକି ଜରୁରୀ ?

  • ଆମକୁ ଧୈର୍ଯ୍ୟ ଧରିବା କାହିଁକି ଜରୁରୀ ?

ଗୀତ ୧୨୬ ଜାଗ୍‌ତେ ରହୋ, ଶକ୍ତିଶାଲୀ ବାନତେ ଜାଓ

a ଏବ୍ରୀ ବହିର ପ୍ରଥମ ଅଧ୍ୟାୟରେ ହିଁ ପାଉଲ ଏବ୍ରୀ ଶାସ୍ତ୍ରର ଅତିକମ୍‌ରେ ସାତୋଟି କଥା ବିଷୟରେ କହି ବୁଝାଇଲେ ଯେ ଖ୍ରୀଷ୍ଟିୟାନମାନେ ଯେପରି ଭାବେ ଉପାସନା କରନ୍ତି, ତାହା ଯିହୁଦୀମାନଙ୍କ ଉପାସନା କରିବାର ଉପାୟଠାରୁ ଉତ୍ତମ ।—ଏବ୍ରୀ ୧:୫-୧୩.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ