ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଅଗଷ୍ଟ ପୃଷ୍ଠା ୮-୧୩
  • ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ ପ୍ରେମ କରନ୍ତି !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ ପ୍ରେମ କରନ୍ତି !
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଆମେ କାହିଁକି ଭରସା କରିବା ଉଚିତ୍‌ ଯେ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି ?
  • ଆମେ କିପରି ନିଜକୁ ଭରସା ଦେଇପାରିବା ଯେ ଯିହୋବା ଆମକୁ ପ୍ରେମ କରନ୍ତି ?
  • ଯୀଶୁ କିପରି ଭରସା ଦେଲେ ଯେ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି ?
  • ନିଜ ଭରସା ବଢ଼ାଇବା ଜାରି ରଖନ୍ତୁ
  • ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ ବହୁତ ପ୍ରେମ କରନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଯିହୋବାଙ୍କ ପ୍ରେମ ଅଟଳ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ମୁକ୍ତିର ମୂଲ୍ୟରୁ ଆମେ କʼଣ ଶିଖୁ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଅଗଷ୍ଟ ପୃଷ୍ଠା ୮-୧୩

ଅଧ୍ୟୟନ ଲେଖା ୩୩

ଗୀତ ୪ ଯିହୋବା ମୋର ପ୍ରତିପାଳକ

ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ ପ୍ରେମ କରନ୍ତି !

‘ସ୍ନେହପୂର୍ଣ୍ଣ କରୁଣାରେ [“ଅଟଳ ପ୍ରେମରେ,” NWT] ମୁଁ ତୁମ୍ଭକୁ ଆକର୍ଷଣ କରିଅଛି ।’—ଯିରି. ୩୧:୩.

କʼଣ ଶିଖିବା ?

ଆମେ କାହିଁକି ଭରସା କରିବା ଉଚିତ୍‌ ଯେ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି ଏବଂ ଆମେ ଏହି ଭରସାକୁ କିପରି ବଢ଼ାଇପାରିବା । ଆସନ୍ତୁ ଜାଣିବା ।

୧. ଆପଣ କାହିଁକି ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଆପଣଙ୍କୁ ସେହି ଦିନ ମନେ ଥିବ, ଯେଉଁ ଦିନ ଆପଣ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିଥିଲେ । ଆପଣ ଯିହୋବାଙ୍କ ବିଷୟରେ ଯେତେ ଅଧିକ ଶିଖିବାକୁ ଲାଗିଲେ, ଆପଣ ସେତେ ଅଧିକ ଯିହୋବାଙ୍କୁ ପ୍ରେମ କରିବାକୁ ଲାଗିଲେ । ଏହାପରେ ଆପଣ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କଲେ । ଆପଣ ତାଙ୍କୁ ପ୍ରତିଜ୍ଞା କରିଛନ୍ତି ଯେ ଏବେଠାରୁ ଆପଣ ତାଙ୍କର ଇଚ୍ଛାକୁ ଜୀବନରେ ପ୍ରଥମ ସ୍ଥାନ ଦେବେ ଏବଂ ଆପଣ ତାଙ୍କୁ ସମସ୍ତ ଅନଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରେମ କରିବେ । (ମାର୍କ ୧୨:୩୦) ସେହି ସମୟରୁ ଯିହୋବାଙ୍କ ପାଇଁ ଆପଣଙ୍କ ପ୍ରେମ ଆହୁରି ବଢ଼ିବାକୁ ଲାଗିଲା । ଯଦି କେହି ଆପଣଙ୍କୁ ପଚାରନ୍ତି, “କʼଣ ଆପଣ ସତରେ ଯିହୋବାଙ୍କୁ ପ୍ରେମ କରନ୍ତି ?” ତାହେଲେ ଆପଣ କʼଣ କହିବେ ? ଆପଣ ବିନା ସଂକୋଚ କରି କହିବେ, “ହଁ, ମୁଁ ଯିହୋବାଙ୍କୁ ବହୁତ ପ୍ରେମ କରେ । ମୁଁ ତାଙ୍କୁ ଯେତିକି ପ୍ରେମ କରେ, ସେତିକି ପ୍ରେମ ଆଉ କାହାରିକୁ ବି କରେ ନାହିଁ !”

ଚିତ୍ରଗୁଡ଼ିକ: ଜଣେ ଭଉଣୀ ନିଜ ସମର୍ପଣ ଏବଂ ବାପ୍ତିସ୍ମ ବିଷୟରେ ଭାବୁଛନ୍ତି । ୧. ସେ ଗୋଟିଏ ଗଛ ପାଖରେ ବସି ପ୍ରାର୍ଥନା କରୁଛନ୍ତି । ୨. ସେ ନଦୀରେ ବାପ୍ତିସ୍ମ ନେଉଛନ୍ତି ।

ସେହି ଦିନକୁ ମନେ ପକାନ୍ତୁ ଯେଉଁ ଦିନ ଆପଣ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କଲେ ଓ ବାପ୍ତିସ୍ମ ନେଲେ ଏବଂ ସେହି ସମୟରେ ଆପଣଙ୍କ ହୃଦୟରେ ଯିହୋବାଙ୍କ ପାଇଁ କେତେ ପ୍ରେମ ଥିଲା (ପାରାଗ୍ରାଫ ୧)


୨-୩. (କ) ଆମେ କେଉଁ କଥା ଉପରେ ଭରସା କରୁ ବୋଲି ଯିହୋବା ଚାହାନ୍ତି ? (ଯିରିମୀୟ ୩୧:୩) (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?

୨ ଯଦି କେହି ଆପଣଙ୍କୁ ପଚାରନ୍ତି, “ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ବୋଲି ଆପଣଙ୍କୁ ଭରସା ଅଛି ?” ତାହେଲେ ଆପଣ କʼଣ ଉତ୍ତର ଦେବେ ? କʼଣ ଆପଣ ଉତ୍ତର ଦେବା ପାଇଁ ସଂକୋଚ କରିବେ ଏବଂ ଏହା ଭାବିବେ ଯେ ଆପଣ ଯିହୋବାଙ୍କର ପ୍ରେମର ଯୋଗ୍ୟ ନୁହଁନ୍ତି ? ଜଣେ ଭଉଣୀ ଯାହାଙ୍କୁ ଛୋଟବେଳେ ପ୍ରେମ ମିଳିଲା ନାହିଁ, ସେ କହନ୍ତି, “ଏଥିରେ କୌଣସି ସନ୍ଦେହ ନାହିଁ ଯେ ମୁଁ ଯିହୋବାଙ୍କୁ ବହୁତ ପ୍ରେମ କରେ । କିନ୍ତୁ ବେଳେବେଳେ ମୋତେ ଏହା ମାନିବା କଠିନ ଲାଗେ ଯେ ଯିହୋବା ବି ମୋତେ ପ୍ରେମ କରନ୍ତି ।” ତାହେଲେ ପ୍ରଶ୍ନ ଆସେ, ଆପଣ କିପରି ଜାଣିପାରିବେ ଯେ ଯିହୋବା ଆପଣଙ୍କ ବିଷୟରେ କିପରି ଅନୁଭବ କରନ୍ତି ?

୩ ଯିହୋବା ଚାହାନ୍ତି ଯେ ଆପଣ ଏହି କଥା ଉପରେ ପୂରା ଭରସା ରଖନ୍ତୁ ଯେ ସେ ଆପଣଙ୍କୁ ପ୍ରେମ କରନ୍ତି । (ଯିରିମୀୟ ୩୧:୩ ପଢ଼ନ୍ତୁ ।) ସତ କଥା ଏହା ଯେ ଯିହୋବା ଆପଣଙ୍କୁ ତାଙ୍କ ଆଡ଼କୁ ଆକର୍ଷିତ କରିଛନ୍ତି । ଯେବେ ଆପଣ ନିଜ ଜୀବନ ତାଙ୍କୁ ସମର୍ପଣ କଲେ ଏବଂ ବାପ୍ତିସ୍ମ ନେଲେ, ତେବେ ଯିହୋବା ଆପଣଙ୍କୁ ପ୍ରତିଜ୍ଞା କଲେ ଯେ ସେ ଆପଣଙ୍କୁ ଅଟଳ ପ୍ରେମ କରିବେ । ଏହାର ଅର୍ଥ, ଯିହୋବା ଆପଣଙ୍କୁ ଗଭୀର ପ୍ରେମ କରିବେ ଏବଂ କେବେ ବି ଆପଣଙ୍କୁ ଏକୁଟିଆ ଛାଡ଼ିବେ ନାହିଁ । ଯିହୋବା ନିଜର ସମସ୍ତ ସେବକମାନଙ୍କୁ ଅଟଳ ପ୍ରେମ କରନ୍ତି, ସେଥିପାଇଁ ସେମାନେ ସମସ୍ତେ ତାଙ୍କର “ସଞ୍ଚିତ ଧନ” ଅଟନ୍ତି, ଏପରିକି ଆପଣ ବି । (ମଲାଖି ୩:୧୭) ପ୍ରେରିତ ପାଉଲଙ୍କୁ ପୂରା ଭରସା ଥିଲା ଯେ ଯିହୋବା ତାଙ୍କୁ ପ୍ରେମ କରନ୍ତି । ସେଥିପାଇଁ ସେ ଲେଖିଲେ, ‘ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ, ଉଚ୍ଚସ୍ଥ ବିଷୟ କି ନୀଚସ୍ଥ ବିଷୟ କି ଅନ୍ୟ କୌଣସି ସୃଷ୍ଟ ବସ୍ତୁ ଈଶ୍ୱରଙ୍କ ପ୍ରେମରୁ ଯେ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ, ଏହା ମୁଁ ନିଶ୍ଚୟ ଜାଣେ ।’ (ରୋମୀ. ୮:୩୮, ୩୯) ଯିହୋବା ଚାହାନ୍ତି ଯେ ପାଉଲଙ୍କ ଭଳି ଆପଣ ବି ଏହା ଭରସା କରନ୍ତୁ ଯେ ସେ ଆପଣଙ୍କୁ ବହୁତ ପ୍ରେମ କରନ୍ତି । ଏହି ଲେଖାରେ ଆମେ ଜାଣିବା ଯେ ଆମେ କାହିଁକି ଭରସା କରିବା ଉଚିତ୍‌ ଯେ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି ଏବଂ ଆମେ କିପରି ଏହି କଥା ଉପରେ ନିଜର ଭରସା ବଢ଼ାଇପାରିବା ।

ଆମେ କାହିଁକି ଭରସା କରିବା ଉଚିତ୍‌ ଯେ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି ?

୪. (କ) ଆମେ କେଉଁ ମିଛ କଥା ଉପରେ ଭରସା କରୁ ବୋଲି ଶୟତାନ ଚାହେଁ ? (ଖ) କିନ୍ତୁ ଆମେ କିପରି ତାʼର ଷଡ଼ଯନ୍ତ୍ରର ମୁକାବିଲା କରିପାରିବା ?

୪ ଏପରି କଲେ ଆମେ ଶୟତାନର “ଚାତୁରି” ଅର୍ଥାତ୍‌ ଷଡ଼ଯନ୍ତ୍ରର ମୁକାବିଲା କରିପାରିବା । (ଏଫି. ୬:୧୧) ଶୟତାନ ଚାହେଁ ଯେ ଆମେ ଯିହୋବାଙ୍କର ସେବା କରିବା ଛାଡ଼ିଦେଉ ଏବଂ ଏପରି କରିବା ପାଇଁ ସେ ପ୍ରାଣପଣେ ଚେଷ୍ଟା କରେ । ସେ ଯେଉଁ ଷଡ଼ଯନ୍ତ୍ର କରେ ସେମଧ୍ୟରୁ ଗୋଟିଏ ହେଉଛି, ଶୟତାନ ପୂରା ଚେଷ୍ଟା କରେ ଯେ ଆମେ ଏହି କଥା ଉପରେ ଭରସା କରୁ ଯେ ଯିହୋବା ଆମକୁ ପ୍ରେମ କରନ୍ତି ନାହିଁ । କିନ୍ତୁ ଏହା ପୂରାପୂରି ମିଛ କଥା । ବାଇବଲରେ ଶୟତାନର ତୁଳନା ସିଂହ ସହ କରାଯାଇଛି । ଯେବେ ବି ସୁଯୋଗ ମିଳେ, ସିଂହ ଏପରି ଜୀବଜନ୍ତୁମାନଙ୍କ ଉପରେ ଆକ୍ରମଣ କରେ ଯେଉଁମାନେ ଦୁର୍ବଳ ଥାʼନ୍ତି ଏବଂ ନିଜକୁ ରକ୍ଷା କରିପାରନ୍ତି ନାହିଁ । ସେହିଭଳି ଶୟତାନ ମଧ୍ୟ ପ୍ରାୟ ସେହି ସମୟରେ ଆମ ଉପରେ ଆକ୍ରମଣ କରେ, ଯେବେ ଆମେ ବହୁତ ଦୁର୍ବଳ ଥାଉ । ଯେପରି, ହୁଏତ ଆମେ ନିଜ ଖରାପ ସ୍ମୃତି ଯୋଗୁଁ ଦୁଃଖି ଥାଉ, ଏବେ ଆମକୁ କୌଣସି ସମସ୍ୟାର ସାମନା କରିବାକୁ ପଡ଼ୁଛି କିମ୍ବା ଆମକୁ ଏହି କଥାକୁ ନେଇ ଚିନ୍ତା ହୁଏ ଯେ ଆଗକୁ ଯାଇ କʼଣ ହେବ । (ହିତୋ. ୨୪:୧୦) ଏପରି ସମୟରେ ଶୟତାନ ଆମ ପରିସ୍ଥିତିର ଲାଭ ଉଠାଇଥାଏ ଏବଂ ଆମକୁ ନିରାଶ କରିବା ପାଇଁ ଚେଷ୍ଟା କରେ, ଯାହାଫଳରେ ଆମେ ଯିହୋବାଙ୍କର ସେବା କରିବା ପାଇଁ ଛାଡ଼ିଦେଉ । କିନ୍ତୁ ଯଦି ଆମେ ଏହି କଥା ଉପରେ ପୂରା ଭରସା କରିବା ଯେ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି, ତାହେଲେ ଆମେ ଶୟତାନର “ପ୍ରତିରୋଧ” କରିପାରିବା ଏବଂ ତାʼର ଷଡ଼ଯନ୍ତ୍ରର ମୁକାବିଲା କରିପାରିବା ।—୧ ପିତ. ୫:୮, ୯; ଯାକୁ. ୪:୭.

୫. ଏହି କଥା ଉପରେ ଭରସା କରିବା କାହିଁକି ଜରୁରୀ ଯେ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି ଏବଂ ଆମକୁ ବହୁମୂଲ୍ୟ ମନେ କରନ୍ତି ?

୫ ଏପରି କଲେ ଆମେ ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହୋଇପାରିବା । ଆମେ କାହିଁକି ଏପରି କହିପାରିବା ? ଯିହୋବା ଆମମାନଙ୍କୁ ଏପରି ଭାବେ ସୃଷ୍ଟି କରିଛନ୍ତି ଯେ ଆମେ ଅନ୍ୟମାନଙ୍କୁ ପ୍ରେମ କରିବା ପାଇଁ ଚାହୁଁ ଏବଂ ସେମାନଙ୍କଠାରୁ ପ୍ରେମ ପାଇବା ପାଇଁ ବି ଚାହୁଁ । ଯେବେ କେହି ଆମକୁ ଭଲ ବ୍ୟବହାର ଦେଖାନ୍ତି, ତେବେ ଆମେ ବି ସେମାନଙ୍କୁ ଭଲ ବ୍ୟବହାର ଦେଖାଉ । ସେଥିପାଇଁ ଯେତେ ଅଧିକ ଆମକୁ ଯିହୋବାଙ୍କ ପ୍ରେମ ଉପରେ ଭରସା ଥିବ, ସେତେ ଅଧିକ ଆମେ ତାଙ୍କୁ ପ୍ରେମ କରିବା । (୧ ଯୋହ. ୪:୧୯) ଆଉ ଯେତେ ଅଧିକ ଆମେ ତାଙ୍କୁ ପ୍ରେମ କରିବା, ସେତେ ଅଧିକ ସେ ଆମକୁ ପ୍ରେମ କରିବେ । ବାଇବଲରେ ଲେଖାଅଛି, “ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ ।” (ଯାକୁ. ୪:୮) କିନ୍ତୁ ପ୍ରଶ୍ନ ଆସେ, ଆମେ କିପରି ଏହି କଥା ଉପରେ ନିଜର ଭରସା ବଢ଼ାଇପାରିବା ଯେ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି ?

ଆମେ କିପରି ନିଜକୁ ଭରସା ଦେଇପାରିବା ଯେ ଯିହୋବା ଆମକୁ ପ୍ରେମ କରନ୍ତି ?

୬. ଯଦି ଆପଣଙ୍କୁ ଭରସା ନାହିଁ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି, ତାହେଲେ ଆପଣ କʼଣ କରିପାରିବେ ?

୬ ଯିହୋବା ଆପଣଙ୍କୁ କାହିଁକି ପ୍ରେମ କରନ୍ତି, ଏହା ବୁଝିବା ପାଇଁ ଲଗାତାର ପ୍ରାର୍ଥନା କରି ତାଙ୍କୁ ସାହାଯ୍ୟ ମାଗନ୍ତୁ । (ଲୂକ ୧୮:୧; ରୋମୀ. ୧୨:୧୨) ଦିନରେ ଅନେକ ଥର ତାଙ୍କୁ ପ୍ରାର୍ଥନା କରନ୍ତୁ । ତାଙ୍କୁ କହନ୍ତୁ ଯେ ଆପଣ ନିଜକୁ ସେହି ଦୃଷ୍ଟିରେ ଦେଖିବା ପାଇଁ ଚାହାନ୍ତି, ଯେପରି ସେ ଆପଣଙ୍କୁ ଦେଖନ୍ତି । ଯଦି ଆପଣ ନିଜକୁ ଦୋଷୀ ବୋଲି ଭାବନ୍ତି, ତାହେଲେ ହୁଏତ ଆପଣଙ୍କୁ ଏହା ଭରସା କରିବା କଷ୍ଟ ଲାଗିବ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି । କିନ୍ତୁ ମନେ ରଖନ୍ତୁ, ଯିହୋବା ଆମମାନଙ୍କ ହୃଦୟଠାରୁ ମହାନ । (୧ ଯୋହ. ୩:୧୯, ୨୦) ଯିହୋବା ଆପଣଙ୍କୁ ଯେତିକି ଭଲଭାବେ ଜାଣନ୍ତି, ସେତିକି ଆପଣ ମଧ୍ୟ ନିଜ ବିଷୟରେ ଜାଣନ୍ତି ନାହିଁ । ସେ ଆପଣଙ୍କ ସେହି ଭଲ ଗୁଣଗୁଡ଼ିକୁ ଦେଖନ୍ତି, ଯାହା ଆପଣ ନିଜେ ମଧ୍ୟ ଦେଖିପାରନ୍ତି ନାହିଁ । (୧ ଶାମୁ. ୧୬:୭; ୨ ବଂଶା. ୬:୩୦) ସେଥିପାଇଁ ଯିହୋବାଙ୍କ ସାମନାରେ ‘ମନର ସବୁ କଥା ଭାଙ୍ଗି କହନ୍ତୁ’ ଏବଂ ତାଙ୍କର ପ୍ରେମର ଭରସା ଦେବା ପାଇଁ ତାଙ୍କୁ ସାହାଯ୍ୟ ମାଗନ୍ତୁ । (ଗୀତ. ୬୨:୮) ତାʼପରେ ନିଜ ପ୍ରାର୍ଥନା ଅନୁସାରେ କାମ କରନ୍ତୁ । ଆପଣ କʼଣ କରିପାରିବେ ? ଆସନ୍ତୁ ଆଗକୁ ଜାଣିବା ।

୭-୮. ଗୀତସଂହିତା ବହିର ପଦଗୁଡ଼ିକରୁ କିପରି ଆମକୁ ଏହି କଥାର ଭରସା ହୁଏ ଯେ ଯିହୋବା ଆମକୁ ପ୍ରେମ କରନ୍ତି ?

୭ ଯିହୋବା ଯାହା କହିଛନ୍ତି, ସେଗୁଡ଼ିକ ଉପରେ ଭରସା କରନ୍ତୁ । ଯିହୋବା ବାଇବଲ ଲେଖକମାନଙ୍କ ଜରିଆରେ କହିଛନ୍ତି ଯେ ସେ କିପରି ଈଶ୍ୱର ଅଟନ୍ତି । ଦାଉଦ ଗୋଟିଏ ଗୀତସଂହିତାରେ କହିଲେ ଯେ ଯିହୋବା ଆମକୁ କେତେ ପ୍ରେମ କରନ୍ତି । ସେ ଲେଖିଲେ, ‘ଯିହୋବା ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଓ ସେ ଚୂର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି ।’ (ଗୀତ. ୩୪:୧୮) ଯେବେ ଆପଣ ବହୁତ ନିରାଶ ଥାʼନ୍ତି, ତେବେ ହୁଏତ ଆପଣଙ୍କୁ ଏକୁଟିଆ ଲାଗିବ । କିନ୍ତୁ ଏପରି ସମୟରେ ଯିହୋବା ଆପଣଙ୍କ ଆହୁରି ନିକଟତର ହୋଇ ରହନ୍ତି, କାରଣ ସେ ଜାଣନ୍ତି ଯେ ଆପଣଙ୍କୁ ତାଙ୍କର ଆବଶ୍ୟକତା ରହିଛି । ଆଉ ଗୋଟିଏ ଗୀତସଂହିତାରେ ଦାଉଦ ଲେଖିଲେ, “ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ନେତ୍ରଜଳ ରଖିଥାଅ ।” (ଗୀତ. ୫୬:୮) ଯେବେ ଆପଣ କଷ୍ଟରେ ଥାʼନ୍ତି, ତେବେ ଯିହୋବା ଆପଣଙ୍କ କଷ୍ଟକୁ ଭଲଭାବେ ବୁଝନ୍ତି । ଯେପରି, ମରୁଭୂମିରେ ଯାଉଥିବା ଲୋକଙ୍କ ପାଇଁ ଟୋପାଏ ପାଣି ବହୁମୂଲ୍ୟ, ସେହିପରି ଯିହୋବାଙ୍କ ପାଇଁ ଆପଣଙ୍କ ଟୋପାଏ ଲୁହ ବି ବହୁମୂଲ୍ୟ, ଅର୍ଥାତ୍‌ ଆପଣ ଯେତେଥର କଷ୍ଟରେ ଥାʼନ୍ତି ବା ଆପଣଙ୍କ ଆଖିରୁ ଲୁହ ଆସେ, ତାହାକୁ ସେ ମନେ ରଖନ୍ତି । ଗୀତସଂହିତା ୧୩୯:୩ ପଦରେ ଯିହୋବାଙ୍କ ବିଷୟରେ ଲେଖାଅଛି, ‘ତୁମ୍ଭେ ମୋହର ସକଳ ଗତି ଜାଣୁଅଛ,’ ଅର୍ଥାତ୍‌ ଯିହୋବା ଆମର ଚାଲିଚଳନ ଜାଣନ୍ତି । ଆପଣ ଯାହା ବି କରନ୍ତି, ଯିହୋବା ସେଗୁଡ଼ିକୁ ଦେଖିପାରନ୍ତି । କିନ୍ତୁ ସେ ଆପଣଙ୍କର ଭଲ କାମଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି । (ଏବ୍ରୀ ୬:୧୦) କାରଣ ଆପଣ ତାଙ୍କୁ ଖୁସି କରିବା ପାଇଁ ଯାହା ବି ପରିଶ୍ରମ କରନ୍ତି, ସେ ସେଗୁଡ଼ିକୁ ବହୁମୂଲ୍ୟ ମନେ କରନ୍ତି ।a

୮ ବାଇବଲର ଏପରି ପଦଗୁଡ଼ିକରୁ ଆମକୁ ବହୁତ ସାହସ ମିଳେ । ଏହି ପଦଗୁଡ଼ିକ ଜରିଆରେ ଯିହୋବା ଯେମିତି ଆପଣଙ୍କୁ କହୁଛନ୍ତି, “ମୁଁ ତମମାନଙ୍କୁ ବହୁତ ପ୍ରେମ କରେ ଏବଂ ତମମାନଙ୍କ ପାଇଁ ବହୁତ ଚିନ୍ତା ମଧ୍ୟ କରେ ।” କିନ୍ତୁ ଆମେ ପୂର୍ବରୁ ଦେଖିଥିଲୁ, ଶୟତାନ ପୂରା ଚେଷ୍ଟା କରେ ଯେ ଆମେ ଏହି ମିଛ କଥା ଉପରେ ଭରସା କରୁ ଯେ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି ନାହିଁ । ସେଥିପାଇଁ ଯଦି ଆପଣଙ୍କ ମନରେ ଏପରି ଭାବନା ଆସେ, ‘ଜଣାନାହିଁ ଯିହୋବା ମୋତେ ପ୍ରେମ କରନ୍ତି ନା ନାହିଁ,’ ତାହେଲେ କିଛି କ୍ଷଣ ରହି ଭାବନ୍ତୁ, ‘ମୁଁ କାହା ଉପରେ ଭରସା କରିବି, “ମିଥ୍ୟାବାଦୀର ପିତା” ଉପରେ ନା ‘ସତ୍ୟମୟ ପରମେଶ୍ୱରଙ୍କ’ ଉପରେ ?’—ଯୋହ. ୮:୪୪; ଗୀତ. ୩୧:୫.

୯. ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି, ସେ ସେମାନଙ୍କୁ କʼଣ ପ୍ରତିଜ୍ଞା କରିଛନ୍ତି ? (ଯାତ୍ରା ପୁସ୍ତକ ୨୦:୫, ୬)

୯ ଭାବନ୍ତୁ ଯେ ଆମମାନଙ୍କ ପ୍ରେମ ଦେଖି ଯିହୋବା କʼଣ କରନ୍ତି । ଧ୍ୟାନ ଦିଅନ୍ତୁ ଯେ ଯିହୋବା ମୋଶାଙ୍କୁ ଏବଂ ଇସ୍ରାଏଲୀୟମାନଙ୍କୁ କʼଣ କହିଥିଲେ । (ଯାତ୍ରା ପୁସ୍ତକ ୨୦:୫, ୬ ପଢ଼ନ୍ତୁ ।) ଯିହୋବା ପ୍ରତିଜ୍ଞା କରିଥିଲେ ଯେ ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି, ଯିହୋବା ବି ସେମାନଙ୍କୁ ଅଟଳ ପ୍ରେମ କରନ୍ତି । ଏହି ଶବ୍ଦଗୁଡ଼ିକରୁ ଆମକୁ ଭରସା ହୋଇଯାଏ ଯେ ଯଦି ଜଣେ ବ୍ୟକ୍ତି ଯିହୋବାଙ୍କୁ ପ୍ରେମ କରେ, ତାହେଲେ ଏପରି କେବେ ହୋଇପାରିବ ନାହିଁ ଯେ ଯିହୋବା ତାକୁ ପ୍ରେମ କରିବେ ନାହିଁ । (ନିହି. ୧:୫) ଯଦି କେବେ ଆପଣଙ୍କ ମନରେ ଏହି ଭାବନା ଆସେ, ‘ଜଣାନାହିଁ ଯିହୋବା ମୋତେ ପ୍ରେମ କରନ୍ତି ନା ନାହିଁ,’ ତାହେଲେ କିଛି କ୍ଷଣ ରହି ଭାବନ୍ତୁ, ‘କʼଣ ମୁଁ ଯିହୋବାଙ୍କୁ ପ୍ରେମ କରେ ?’ ଯଦି ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି ଏବଂ ତାଙ୍କୁ ଖୁସି କରିବା ପାଇଁ ପୂରା ଚେଷ୍ଟା କରୁଛନ୍ତି, ତାହେଲେ ଆପଣ ଭରସା ରଖିପାରିବେ ଯେ ଯିହୋବା ମଧ୍ୟ ଆପଣଙ୍କୁ ବହୁତ ପ୍ରେମ କରନ୍ତି । (ଦାନି. ୯:୪; ୧ କରି. ୮:୩) ଅନ୍ୟ ଶବ୍ଦରେ କହିବାକୁ ଗଲେ, ଯଦି ଆପଣଙ୍କୁ ଏଥିରେ ସନ୍ଦେହ ନାହିଁ ଯେ ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି, ତାହେଲେ କʼଣ ଆପଣଙ୍କୁ ଏହା ସନ୍ଦେହ କରିବା ଉଚିତ୍‌ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ନାହିଁ ? ମନେ ରଖନ୍ତୁ, ଯିହୋବାଙ୍କ ପ୍ରେମ ଅଟଳ ଏବଂ ସେ ଆପଣଙ୍କୁ ପ୍ରେମ କରିବା କେବେ ବି ଛାଡ଼ିବେ ନାହିଁ ।

୧୦-୧୧. ମୁକ୍ତିର ମୂଲ୍ୟ ବିଷୟରେ ଆପଣ କେଉଁ କଥା ମନେ ରଖନ୍ତୁ ବୋଲି ଯିହୋବା ଚାହାନ୍ତି ? (ଗାଲାତୀୟ ୨:୨୦)

୧୦ ମୁକ୍ତିର ମୂଲ୍ୟ ଉପରେ ଚିନ୍ତନ କରନ୍ତୁ । ଯିହୋବା ଆମ ମଣିଷମାନଙ୍କ ପାଇଁ ନିଜ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ମୁକ୍ତିର ମୂଲ୍ୟ ଭାବେ ଦେଇଛନ୍ତି । ଏହା ଆମ ମଣିଷମାନଙ୍କ ପାଇଁ ତାଙ୍କଠାରୁ ମିଳିଥିବା ସବୁଠାରୁ ଉତ୍ତମ ଉପହାର । (ଯୋହ. ୩:୧୬) କିନ୍ତୁ କʼଣ ସେ ଏହି ଉପହାର ଆପଣଙ୍କ ପାଇଁ ମଧ୍ୟ ଦେଇଛନ୍ତି ? ନିଶ୍ଚୟ । ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କୁ ମନେ ଥିବ ଯେ ପାଉଲ ଯୀଶୁଙ୍କ ଶିଷ୍ୟ ହେବା ପୂର୍ବରୁ ବଡ଼ ବଡ଼ ପାପ କରିଥିଲେ । ଆଉ ଖ୍ରୀଷ୍ଟିୟାନ ହେବା ପରେ ବି ତାଙ୍କୁ ନିଜ କିଛି ଦୁର୍ବଳତା ସହ ସଂଘର୍ଷ କରିବାକୁ ପଡ଼ିଥିଲା । (ରୋମୀ. ୭:୨୪, ୨୫; ୧ ତୀମ. ୧:୧୨-୧୪) ତଥାପି ତାଙ୍କୁ ଭରସା ଥିଲା ଯେ ଯିହୋବା ତାଙ୍କ ପାଇଁ ନିଜ ପୁତ୍ରକୁ ଉତ୍ସର୍ଗ କରିଛନ୍ତି । (ଗାଲାତୀୟ ୨:୨୦ ପଢ଼ନ୍ତୁ ।) ମନେ ରଖନ୍ତୁ, ଯିହୋବା ପାଉଲଙ୍କ ଜରିଆରେ ଏହି ଶବ୍ଦ ଲେଖାଇଥିଲେ । ଆଉ ବାଇବଲରେ ଯାହା ବି ଲେଖାଅଛି, ତାହା ଆମ ଶିକ୍ଷା ପାଇଁ ଲେଖା ହୋଇଛି । (ରୋମୀ. ୧୫:୪) ଏହାର ଅର୍ଥ, ଯିହୋବା ଚାହାନ୍ତି ଯେ ଆପଣ ମଧ୍ୟ ପାଉଲଙ୍କ ଭଳି ଭରସା ରଖନ୍ତୁ ଯେ ସେ ଆପଣଙ୍କ ପାଇଁ ନିଜ ପୁତ୍ରର ଜୀବନ ଦେଇଛନ୍ତି । ଯେବେ ଆପଣ ଏହି ବିଷୟରେ ଭାବିବେ ଯେ ଯିହୋବା ଆପଣଙ୍କୁ କେତେ ଉତ୍ତମ ଉପହାର ଦେଇଛନ୍ତି, ତେବେ ଏହି କଥା ଉପରେ ଆପଣଙ୍କର ଭରସା ବଢ଼ିବ ଯେ ସେ ଆପଣଙ୍କୁ ପ୍ରେମ କରନ୍ତି ।

୧୧ ଆମେ ଯିହୋବାଙ୍କୁ ଧନ୍ୟବାଦ ଦେବା ପାଇଁ ଚାହୁଁ ଯେ ସେ ନିଜ ପୁତ୍ରକୁ ଏହି ପୃଥିବୀକୁ ପଠାଇଲେ, ଯାହାଫଳରେ ସେ ନିଜ ଜୀବନ ଆମମାନଙ୍କ ପାଇଁ ଉତ୍ସର୍ଗ କରିଦିଅନ୍ତୁ । କିନ୍ତୁ ଯୀଶୁ ଆଉ ଗୋଟିଏ କାରଣ ଯୋଗୁଁ ଏହି ପୃଥିବୀକୁ ଆସିଥିଲେ । ସେ ଆମମାନଙ୍କୁ ଈଶ୍ୱରଙ୍କ ବିଷୟରେ ସତ୍ୟ ଶିଖାଇବା ପାଇଁ ଆସିଥିଲେ । (ଯୋହ. ୧୮:୩୭) ସେହି ସତ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଯେ ଯିହୋବା ନିଜ ସନ୍ତାନମାନଙ୍କୁ ଅର୍ଥାତ୍‌ ଆମ ମଣିଷମାନଙ୍କୁ ବହୁତ ପ୍ରେମ କରନ୍ତି ।

ଯୀଶୁ କିପରି ଭରସା ଦେଲେ ଯେ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି ?

୧୨. ଯୀଶୁ ଯିହୋବାଙ୍କ ବିଷୟରେ ଯାହା ବି କହିଲେ, ସେହି କଥା ଉପରେ ଆମେ କାହିଁକି ଭରସା କରିପାରିବା ?

୧୨ ପୃଥିବୀରେ ଥିବା ସମୟରେ ଯୀଶୁ ଲୋକମାନଙ୍କୁ କହିଲେ ଯେ ଯିହୋବା କିପରି ଈଶ୍ୱର ଅଟନ୍ତି । (ଲୂକ ୧୦:୨୨) ସେ ଯିହୋବାଙ୍କ ବିଷୟରେ ଯାହା ବି କହିଲେ, ସେହି କଥା ଉପରେ ଆମେ କାହିଁକି ପୂରା ଭରସା କରିପାରିବା ? କାରଣ ପୃଥିବୀକୁ ଆସିବା ପୂର୍ବରୁ ଯୀଶୁ ସ୍ୱର୍ଗରେ ଯିହୋବାଙ୍କ ସହ କୋଟି କୋଟି ବର୍ଷ ଯାଏ ଥିଲେ । (କଲ. ୧:୧୫) ସେ ଦେଖିଥିଲେ ଯେ ଯିହୋବା ତାଙ୍କୁ କେତେ ପ୍ରେମ କରନ୍ତି । ତାʼସହ ସେ ଏହା ବି ଦେଖିଥିଲେ ଯେ ଯିହୋବା ନିଜ ବିଶ୍ୱସ୍ତ ପୁଅ ଓ ଝିଅମାନଙ୍କୁ କେତେ ପ୍ରେମ କରନ୍ତି । ସେ ମଣିଷମାନଙ୍କୁ କିପରି ଭରସା ଦେଲେ ଯେ ଯିହୋବା ସେମାନଙ୍କୁ ପ୍ରେମ କରନ୍ତି ?

୧୩. ଯୀଶୁ ଯିହୋବାଙ୍କ ବିଷୟରେ କିପରି ଅନୁଭବ କରୁଥିଲେ ଏବଂ ଆମେ କିପରି ଯିହୋବାଙ୍କ ବିଷୟରେ ଅନୁଭବ କରିବା ଉଚିତ୍‌ ?

୧୩ ଯୀଶୁ ଚାହାନ୍ତି ଯେ ସେ ଯିହୋବାଙ୍କ ବିଷୟରେ ଯେପରି ଅନୁଭବ କରନ୍ତି, ଆମେ ବି ସେପରି ଅନୁଭବ କରୁ । ସୁସମାଚାରର ବହିଗୁଡ଼ିକରେ ସେ ଯିହୋବାଙ୍କୁ ୧୬୦ରୁ ବି ଅଧିକ ଥର “ପିତା” ବୋଲି କହିଲେ । ନିଜ ଶିଷ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ କହୁଥିବା ସମୟରେ ସେ ପ୍ରାୟ ଏହା କହୁଥିଲେ, ‘ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ।’ (ମାଥି. ୫:୧୬; ୬:୨୬) ଯୀଶୁ ପୃଥିବୀକୁ ଆସିବା ପୂର୍ବରୁ ଯିହୋବାଙ୍କ ବିଶ୍ୱସ୍ତ ସେବକମାନେ ତାଙ୍କୁ ‘ସର୍ବଶକ୍ତିମାନ,’ ‘ସମୁଦାୟ ଭୂମଣ୍ଡଳରେ ସର୍ବପରିସ୍ଥ’ ଓ ‘ମହାନ ସୃଷ୍ଟିକର୍ତ୍ତା’ ଭଳି ଉପାଧିଗୁଡ଼ିକୁ ବ୍ୟବହାର କରୁଥିଲେ । କିନ୍ତୁ ଯୀଶୁ ଅଧିକାଂଶ ସମୟରେ ‘ପିତା’ ଭଳି ଗୋଟିଏ ସାଧାରଣ ଉପାଧିକୁ ବ୍ୟବହାର କରୁଥିଲେ । ଏଥିରୁ ଜଣାପଡ଼େ ଯେ ଯିହୋବା ଚାହାନ୍ତି, ଯେପରି ପିଲାମାନେ ନିଜର ବାପାଙ୍କର ନିକଟତର ଅନୁଭବ କରନ୍ତି, ସେପରି ଯିହୋବାଙ୍କ ସେବକମାନେ ବି ତାଙ୍କର ନିକଟତର ଅନୁଭବ କରନ୍ତୁ । ଯୀଶୁ ଚାହାନ୍ତି ଯେ ଆମେ ବି ତାଙ୍କ ଭଳି ଯିହୋବାଙ୍କୁ ନିଜ ପିତା ବୋଲି ମନେ କରୁ, ଯିଏ ନିଜ ପିଲାମାନଙ୍କୁ ବହୁତ ପ୍ରେମ କରନ୍ତି । ଆସନ୍ତୁ ବାଇବଲରୁ ଏପରି ଦୁଇଟି ଉଦାହରଣ ଉପରେ ଧ୍ୟାନ ଦେବା, ଯେଉଁଥିରେ ଯୀଶୁ ଯିହୋବାଙ୍କୁ “ପିତା” ବୋଲି କହିଲେ ।

୧୪. ଯୀଶୁଙ୍କ ଶବ୍ଦରୁ କିପରି ଜଣାପଡ଼େ ଯେ ଯିହୋବାଙ୍କ ଦୃଷ୍ଟିରେ ତାଙ୍କର ପ୍ରତ୍ୟେକ ସେବକ ବହୁମୂଲ୍ୟ ? (ମାଥିଉ ୧୦:୨୯-୩୧) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ପ୍ରଥମେ ଆମେ ମାଥିଉ ୧୦:୨୯-୩୧ ପଦରେ ଦିଆଯାଇଥିବା ଯୀଶୁଙ୍କର ଶବ୍ଦଗୁଡ଼ିକ ଉପରେ ଧ୍ୟାନ ଦେବା । (ପଢ଼ନ୍ତୁ ।) ଏହି ପଦଗୁଡ଼ିକରେ ଯୀଶୁ ଘରଚଟିଆ ଅର୍ଥାତ୍‌ ପକ୍ଷୀମାନଙ୍କର ଉଦାହରଣ ଦେଇଛନ୍ତି । ପକ୍ଷୀମାନେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ ଆଉ ନା ତାଙ୍କୁ ଉପାସନା କରନ୍ତି । ତଥାପି ଆମ ପିତା ତାଙ୍କ ବିଷୟରେ ସବୁକିଛି ଜାଣନ୍ତି । ଯଦି ସେମାନଙ୍କ ମଧ୍ୟରୁ ଗୋଟିଏ ବି ପକ୍ଷୀ ତଳେ ପଡ଼ିଯାଏ, ତାହେଲେ ଯିହୋବା ତାʼଉପରେ ଧ୍ୟାନ ଦିଅନ୍ତି । ଯଦି ଯିହୋବା ଛୋଟ ପକ୍ଷୀକୁ ଏତେ ବହୁମୂଲ୍ୟ ଭାବନ୍ତି, ତାହେଲେ ଭାବି ଦେଖନ୍ତୁ ଯେ ସେ ନିଜ ବିଶ୍ୱସ୍ତ ସେବକମାନଙ୍କୁ କେତେ ବହୁମୂଲ୍ୟ ମନେ କରୁଥିବେ ଯେଉଁମାନେ ପ୍ରେମର ସହ ତାଙ୍କୁ ଉପାସନା କରନ୍ତି । ଯୀଶୁ ଏହା ମଧ୍ୟ କହିଥିଲେ ଯେ ଆମ ମସ୍ତକରେ କେତେ କେଶ ଅଛି, ତାହା ଯିହୋବା ଜାଣନ୍ତି । ଯଦି ଯିହୋବା ଆମ ବିଷୟରେ ଏତେ ଛୋଟ କଥାକୁ ବି ଧ୍ୟାନ ଦିଅନ୍ତି, ତାହେଲେ ଆମେ ଭରସା ରଖିପାରିବା ଯେ ଯିହୋବା ଆମମାନଙ୍କର କେତେ ଚିନ୍ତା କରନ୍ତି । ଏହି ପଦଗୁଡ଼ିକରେ ଯୀଶୁ ଯାହା ବି କହିଲେ, ସେଥିରୁ ସେ ଆମକୁ ଭରସା ଦେବା ପାଇଁ ଚାହୁଁଥିଲେ ଯେ ଆମ ପିତା ଯିହୋବାଙ୍କ ଦୃଷ୍ଟିରେ ତାଙ୍କର ପ୍ରତ୍ୟେକ ସେବକ ବହୁମୂଲ୍ୟ ।

ଯୀଶୁ ତଳକୁ ଉଡ଼ି ଆସୁଥିବା ଗୋଟିଏ ଛୋଟ ପକ୍ଷୀକୁ ଦେଖାଉଛନ୍ତି । ତାଙ୍କର ଶିଷ୍ୟମାନେ ଧ୍ୟାନର ସହ ତାଙ୍କ କଥା ଶୁଣୁଛନ୍ତି ।

ଯଦି ଯିହୋବା ପକ୍ଷୀମାନଙ୍କୁ ଏତେ ବହୁମୂଲ୍ୟ ମନେ କରନ୍ତି ଯେ ସେମାନଙ୍କ ମଧ୍ୟରୁ ଗୋଟିଏ ବି ତଳେ ପଡ଼ିଗଲେ ସେ ତାʼ ଉପରେ ଧ୍ୟାନ ଦିଅନ୍ତି, ତାହେଲେ ଭାବନ୍ତୁ ଯେ ସେ ଆପଣଙ୍କୁ ଅର୍ଥାତ୍‌ ନିଜର ବିଶ୍ୱସ୍ତ ସେବକମାନଙ୍କୁ କେତେ ବହୁମୂଲ୍ୟ ମନେ କରୁଥିବେ ! (ପାରାଗ୍ରାଫ ୧୪)


୧୫. ଯୋହନ ୬:୪୪ ପଦରେ ଲେଖାଥିବା ଯୀଶୁଙ୍କର ଶବ୍ଦଗୁଡ଼ିକରୁ ଆପଣଙ୍କୁ ସ୍ୱର୍ଗରେ ରହୁଥିବା ନିଜ ପିତାଙ୍କ ବିଷୟରେ କʼଣ ଜଣାପଡ଼େ ?

୧୫ ବର୍ତ୍ତମାନ ଆମେ ଆଉ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦେବା, ଯେବେ ଯୀଶୁ ଯିହୋବାଙ୍କୁ “ପିତା” ବୋଲି କହିଲେ । (ଯୋହନ ୬:୪୪ ପଢ଼ନ୍ତୁ ।) ଏହି ପଦରେ କୁହାଯାଇଛି ଯେ ସ୍ୱର୍ଗରେ ରହୁଥିବା ଆପଣଙ୍କ ପିତା ଆପଣଙ୍କୁ ପ୍ରେମର ସହ ନିଜ ଆଡ଼କୁ ଆକର୍ଷିତ କରିଛନ୍ତି । ସେ ଏପରି କାହିଁକି କଲେ ? କାରଣ ସେ ଆପଣଙ୍କ ଭିତରେ ଥିବା ଭଲ ଗୁଣଗୁଡ଼ିକୁ ଦେଖିଲେ । (ପ୍ରେରି. ୧୩:୪୮) ଯୋହନ ୬:୪୪ ପଦର ଅଧ୍ୟୟନ ନୋଟ୍‌ରେ (ଇଂରାଜୀ) ଲେଖାଅଛି ଯେ ଯୀଶୁ ହୁଏତ ଏଠାରେ ଯିରିମୀୟଙ୍କ ଏହି ଶବ୍ଦଗୁଡ଼ିକୁ ଉଲ୍ଲେଖ କରୁଥିଲେ: ‘ଅଟଳ ପ୍ରେମରେ ମୁଁ ତୁମ୍ଭକୁ ଆକର୍ଷଣ କରିଅଛି [କିମ୍ବା ମୁଁ ତୁମ୍ଭକୁ ଅଟଳ ପ୍ରେମର ପ୍ରମାଣ ଦେଉଥିଲି] ।’ (ଯିରି. ୩୧:୩; ହୋଶେୟ ୧୧:୪ ପଦ ସହ ତୁଳନା କରନ୍ତୁ ।) ଏହା ଏହି ଲେଖାର ମୁଖ୍ୟ ପଦ ବି ଅଟେ । ଯୀଶୁଙ୍କର ଶବ୍ଦରୁ ଜଣାପଡ଼େ ଯେ ସ୍ୱର୍ଗରେ ରହୁଥିବା ଆମମାନଙ୍କ ପିତା ସର୍ବଦା ଆମମାନଙ୍କ ଭିତରେ ଏପରି ଭଲ ଗୁଣଗୁଡ଼ିକୁ ଦେଖନ୍ତି, ଯାହା ହୁଏତ ଆମେ ନିଜେ ଦେଖିପାରୁ ନ ଥିବା ।

୧୬. (କ) ଯୀଶୁ ଯିହୋବାଙ୍କ ବିଷୟରେ କʼଣ କହିଲେ ଏବଂ ଆମେ ସେହି କଥା ଉପରେ କାହିଁକି ଭରସା କରିବା ଉଚିତ୍‌ ? (ଖ) ଆପଣ କିପରି ଏହି କଥା ଉପରେ ଭରସା ବଢ଼ାଇପାରିବେ ଯେ ଯିହୋବା ସବୁଠାରୁ ଭଲ ପିତା ଅଟନ୍ତି ? (‘ଏପରି ପିତା ଯାହାଙ୍କର ଆବଶ୍ୟକତା ଆମ ସମସ୍ତଙ୍କର ରହିଛି’ ନାମକ ବକ୍ସ ଦେଖନ୍ତୁ ।)

୧୬ ଯେବେ ଯୀଶୁ କହିଲେ ଯେ ଯିହୋବା ଆମମାନଙ୍କର ପିତା ଅଟନ୍ତି, ତେବେ ସେ ଯେମିତି ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ କହୁଥିଲେ, “ଯିହୋବା କେବଳ ମୋର ପିତା ନୁହଁନ୍ତି, ବରଂ ତମମାନଙ୍କର ପିତା ବି ଅଟନ୍ତି । ତମେମାନେ ଭରସା ରଖିପାରିବ ଯେ ସେ ତମମାନଙ୍କୁ ବହୁତ ପ୍ରେମ କରନ୍ତି ଏବଂ ତମମାନଙ୍କର ବହୁତ ଚିନ୍ତା କରନ୍ତି ।” ସେଥିପାଇଁ ଯଦି ଆପଣଙ୍କ ମନରେ କେବେ ଏପରି ଭାବନା ଆସେ, ‘ଜଣାନାହିଁ ଯିହୋବା ମୋତେ ପ୍ରେମ କରନ୍ତି ନା ନାହିଁ,’ ତାହେଲେ କିଛି କ୍ଷଣ ରହି ଭାବନ୍ତୁ, ‘କʼଣ ମୋତେ ଯୀଶୁଙ୍କ କଥା ଉପରେ ଭରସା କରିବା ଉଚିତ୍‌ ନୁହଁ, ଯିଏ ପିତାଙ୍କୁ ବହୁତ ଭଲଭାବେ ଜାଣନ୍ତି ଏବଂ ସବୁବେଳେ ସତ କହନ୍ତି ?’—୧ ପିତ. ୨:୨୨.

‘ଏପରି ପିତା ଯାହାଙ୍କର ଆବଶ୍ୟକତା ଆମ ସମସ୍ତଙ୍କର ରହିଛି’

ଏହି ଶବ୍ଦ ଯିହୋବାଙ୍କ ନିକଟବର୍ତ୍ତୀ ହୁଅ (ହିନ୍ଦୀ) ବହିର ପ୍ରସ୍ତାବନାରେ ଦିଆଯାଇଛି । ଏହି ବହି କାହିଁକି ପ୍ରସ୍ତୁତ କରାଯାଇଛି, ଏବିଷୟରେ ସେଠାରେ ଲେଖାଅଛି, “ଆମେ ଏହା ବୁଝିପାରିବା ଯେ ଯିହୋବା . . . ଏପରି ପିତା ଯାହାଙ୍କର ଆବଶ୍ୟକତା ଆମ ସମସ୍ତଙ୍କର ରହିଛି । ସେ ଶକ୍ତିଶାଳୀ, ନ୍ୟାୟୀ, ବୁଦ୍ଧିମାନ ଓ ପ୍ରେମମୟୀ ଅଟନ୍ତି ଏବଂ ସେ ନିଜର ବିଶ୍ୱସ୍ତ ପିଲାମାନଙ୍କୁ କେବେ ବି ଛାଡ଼ନ୍ତି ନାହିଁ ।”

ଜଣେ ଝିଅ କହେ ଯେ ଏହି ବହି ପଢ଼ି ତାକୁ କିପରି ଲାଗିଲା । ତାʼର ଲାଳନପାଳନ ଏପରି ପରିବାରରେ ହୋଇଥିଲା, ଯେଉଁଠି ତାʼବାପା ବହୁତ ଖରାପ ବ୍ୟବହାର କରୁଥିଲେ । ସେ କହେ, “‘ବାପା’ ବା ‘ପିତା’ ଶବ୍ଦ ଶୁଣିଲେ ହିଁ ମୋ ମନରେ ଡର ଆସି ଯାଉଥିଲା । କିନ୍ତୁ ଏହି ବହି ସାହାଯ୍ୟରୁ ମୁଁ ଶିଖିଲି ଯେ ଜଣେ ଭଲ ବାପା କିପରି ଥାʼନ୍ତି । ମୋତେ ପୂରା ଭରସା ଅଛି ଯେ ଯିହୋବା ମୋତେ ବହୁତ ପ୍ରେମ କରନ୍ତି ଏବଂ ମୁଁ ମଧ୍ୟ ନିଜ ପିତା ଯିହୋବାଙ୍କୁ ବହୁତ ପ୍ରେମ କରେ ।” ଏହି ବହି ପଢ଼ିବା ପରେ ଆଉ ଜଣେ ବ୍ୟକ୍ତି କହିଲେ, “ଯିହୋବା ସବୁଠାରୁ ଭଲ ପିତା ଅଟନ୍ତି !”

ଯଦି ଆପଣ ଏକଥା ଉପରେ ନିଜର ଭରସା ବଢ଼ାଇବା ପାଇଁ ଚାହାନ୍ତି ଯେ ଯିହୋବା ସବୁଠାରୁ ଭଲ ପିତା ଅଟନ୍ତି ଯିଏ ଆପଣଙ୍କୁ ପ୍ରେମ କରନ୍ତି, ତାହେଲେ ଆମେ ପ୍ରୋତ୍ସାହନ ଦେଉ ଯେ ଆପଣ ଏହି ବହି ପଢ଼ି ଦେଖନ୍ତୁ । ଯଦି ଆପଣ ଏହି ବହି ପଢ଼ି ସାରିଛନ୍ତି, ତାହେଲେ ମଧ୍ୟ ଆମେ ପ୍ରୋତ୍ସାହନ ଦେଉ ଯେ ଆପଣ ଏହାକୁ ପୁଣିଥରେ ପଢ଼ିକି ଦେଖନ୍ତୁ ।

ନିଜ ଭରସା ବଢ଼ାଇବା ଜାରି ରଖନ୍ତୁ

୧୭. ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି, ଏହି କଥା ଉପରେ ଆମେ କାହିଁକି ନିଜର ଭରସା ବଢ଼ାଇବା ଜାରି ରଖିବା ଉଚିତ୍‌ ?

୧୭ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି, ଏହି କଥା ଉପରେ ଆମେ ନିଜର ଭରସା ବଢ଼ାଇବା ଜାରି ରଖିବା ଉଚିତ୍‌ । ଯେପରି, ଆମେ ଏହି ଲେଖାରେ ଦେଖିଲୁ ଯେ ଆମ ଶତ୍ରୁ ଶୟତାନ ବହୁତ ଚାଲାକ ଏବଂ ଆମେ ଯିହୋବାଙ୍କ ସେବା କରିବା ପାଇଁ ଛାଡ଼ିଦେଉ ବୋଲି ସେ ପୂରା ଚେଷ୍ଟା କରୁଛି । ସେ ଆମର ମନବଳ ଦୁର୍ବଳ କରିବା ପାଇଁ ଚାହେଁ । ସେଥିପାଇଁ ସେ ସବୁବେଳେ ଚେଷ୍ଟା କରିବ ଯେ ଆମେ ଏହା ମାନୁ ଯେ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି ନାହିଁ । ଆମେ ଶୟତାନର ଏହି ମିଛ କଥା ଉପରେ କେବେ ଭରସା କରିବା ଉଚିତ୍‌ ନୁହେଁ !—ଆୟୁ. ୨୭:୫.

୧୮. ଯିହୋବା ଆପଣଙ୍କୁ ପ୍ରେମ କରନ୍ତି, ଏହି କଥା ଉପରେ ନିଜର ଭରସା ବଢ଼ାଇବା ପାଇଁ ଆପଣ କʼଣ କରିପାରିବେ ?

୧୮ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି, ଏହି କଥା ଉପରେ ନିଜର ଭରସା ବଢ଼ାଇବା ପାଇଁ ତାଙ୍କୁ ପ୍ରାର୍ଥନା କରିବା ଜାରି ରଖନ୍ତୁ । ପ୍ରାର୍ଥନାରେ ତାଙ୍କୁ କହନ୍ତୁ ଯେ ଆପଣ ନିଜକୁ ସେହି ଦୃଷ୍ଟିରେ ଦେଖିପାରିବେ, ଯେପରି ସେ ଆପଣଙ୍କୁ ଦେଖନ୍ତି । ଯିହୋବା ନିଜ ସେବକମାନଙ୍କୁ କେତେ ପ୍ରେମ କରନ୍ତି, ଏବିଷୟରେ ବାଇବଲର ଲେଖକମାନେ ଯାହା ବି ଲେଖିଛନ୍ତି ସେବିଷୟରେ ଚିନ୍ତନ କରନ୍ତୁ । ଏବିଷୟରେ ବି ଭାବନ୍ତୁ ଯେ ଯେବେ ଆପଣ ଯିହୋବାଙ୍କୁ ପ୍ରେମ କରିବେ, ତେବେ ସେ ବି ଆପଣଙ୍କୁ ପ୍ରେମ କରିବେ । ଏହା ବି ଚିନ୍ତନ କରନ୍ତୁ ଯେ ଯିହୋବା ଆପଣଙ୍କ ପାଇଁ ନିଜ ପ୍ରିୟ ପୁତ୍ରଙ୍କ ଜୀବନ ଦେଇଛନ୍ତି । ଯୀଶୁ କହିଲେ ଯେ ଯିହୋବା ଆପଣଙ୍କ ପିତା, ଯୀଶୁଙ୍କର ଏହି କଥା ଉପରେ ବି ଭରସା କରନ୍ତୁ । ଏସବୁ ବିଷୟରେ ଗଭୀର ଭାବେ ଭାବିବା ଜାରି ରଖନ୍ତୁ । ଏପରି କଲେ ଯେବେ କେହି ଆପଣଙ୍କୁ ପ୍ରଶ୍ନ କରିବେ, “କʼଣ ଆପଣଙ୍କୁ ଭରସା ଅଛି ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ?” ତେବେ ଆପଣ କହିପାରିବେ, “ହଁ, ମୋତେ ପୂରା ଭରସା ଅଛି ! ଆଉ ମୁଁ ପ୍ରତିଦିନ ଏହା ଦେଖାଇବା ପାଇଁ ଚେଷ୍ଟା କରେ ଯେ ମୁଁ ଯିହୋବାଙ୍କୁ କେତେ ପ୍ରେମ କରେ ।”

ଆପଣ କʼଣ ଉତ୍ତର ଦେବେ ?

  • ଆମେ କାହିଁକି ଭରସା କରିବା ଉଚିତ୍‌ ଯେ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି ?

  • ଆମେ ନିଜକୁ କିପରି ଭରସା ଦେଇପାରିବା ଯେ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି ?

  • ଯୀଶୁ କିପରି ଆମମାନଙ୍କୁ ଭରସା ଦେଲେ ଯେ ଯିହୋବା ଆମମାନଙ୍କୁ ପ୍ରେମ କରନ୍ତି ?

ଗୀତ ୧୫୪ ହାରେ ନା ପ୍ରେମ

a ୱଚନ୍‌ ଜୋ ଦିଖାଏ ରାହ୍‌ ବହିରେ “ଖୁଦ୍‌ କୋ ନାକାବିଲ୍‌ ସମଝନା” ଭାଗରେ ଏପରି ଅନେକ ପଦ ଦିଆଯାଇଛି, ଯେଉଁଗୁଡ଼ିକୁ ପଢ଼ି ଆପଣଙ୍କୁ ଭରସା ହୋଇଯିବ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ