ଅଧ୍ୟୟନ ଲେଖା ୪୧
ଗୀତ ୧୦୮ ଯିହୋବାଙ୍କ ଅସୀମ ପ୍ରେମ
ଯିହୋବାଙ୍କ ପ୍ରେମ ଅଟଳ
‘ଯିହୋବାଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ; ତାହାଙ୍କ ଦୟା [“ଅଟଳ ପ୍ରେମ,” NWT] ଅନନ୍ତକାଳସ୍ଥାୟୀ ।’—ଗୀତ. ୧୩୬:୧.
କʼଣ ଶିଖିବା ?
ବାଇବଲର ଗୋଟିଏ ମୌଳିକ ଶିକ୍ଷା ହେଉଛି ଯେ ଯିହୋବା ଆମକୁ ପ୍ରେମ କରନ୍ତି । ଏହି କଥାକୁ ମନେ ରଖିଲେ ସମସ୍ୟା ସମୟରେ ଆମକୁ ସାହସ ମିଳିପାରିବ ।
୧-୨. ସମସ୍ୟା ସମୟରେ ଅନେକ ଭାଇଭଉଣୀ ହୁଏତ କʼଣ ଭାବନ୍ତି ?
କଳ୍ପନା କରନ୍ତୁ ଯେ ଗୋଟିଏ ଭୟଙ୍କର ଝଡ଼ ତୋଫାନ ଆସିଛି । ଉଚ୍ଚ ଉଚ୍ଚ ଢେଉ ଯୋଗୁଁ ନୌକା ସ୍ଥିର ହୋଇ ରହିପାରୁନି । ଯଦି କେହି ଲଙ୍ଗର ପକାଇବେ ନାହିଁ, ତାହେଲେ ନୌକା ଢେଉ ସହ ବହି ଚାଲିଯିବ । ଏହି ଭୟଙ୍କର ଝଡ଼ ତୋଫାନରେ ଲଙ୍ଗର ହିଁ ନୌକାକୁ ସମ୍ଭାଳି ରଖିପାରିବ ।
୨ ଯେବେ ଆପଣ ଝଡ଼ ତୋଫାନ ଭଳି ସମସ୍ୟାଗୁଡ଼ିକର ସାମନା କରନ୍ତି, ତେବେ ଆପଣଙ୍କ ପରିସ୍ଥିତି ବି ହୁଏତ ଏହି ନୌକା ଭଳି ହେବ । ଆପଣ ଅଶାନ୍ତ ରହିବେ । କୌଣସି ଦିନ ଆପଣଙ୍କୁ ଏପରି ଲାଗିବ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ଏବଂ ଆପଣଙ୍କ ସହ ଅଛନ୍ତି । କିନ୍ତୁ ଅନ୍ୟ କୌଣସି ଦିନ ଆପଣଙ୍କୁ ଲାଗିବ ଯେ ଜଣାନାହିଁ ଯିହୋବା ମୋର କଷ୍ଟ ଦେଖୁଛନ୍ତି ନା ନାହିଁ । (ଗୀତ. ୧୦:୧; ୧୩:୧) ହୁଏତ ଏପରି ପରିସ୍ଥିତିରେ ଜଣେ ସାଙ୍ଗର କଥାରୁ ଆପଣଙ୍କୁ ସାହସ ମିଳିବ ଏବଂ ଆପଣ ଭଲ ଅନୁଭବ କରିବେ । (ହିତୋ. ୧୭:୧୭; ୨୫:୧୧) କିନ୍ତୁ କିଛି ସମୟ ପରେ ଆପଣ ହୁଏତ ପୁଣିଥରେ ସନ୍ଦେହ କରିବେ ଯେ ଜଣାନାହିଁ ଯିହୋବା ମୋର ସାହାଯ୍ୟ କରୁଛନ୍ତି ନା ନାହିଁ । ଆପଣ ହୁଏତ ଏହା ବି ଭାବିବେ ଯେ ଆପଣ ପୂରା ବେକାର ଏବଂ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ନାହିଁ । ଏପରି ଝଡ଼ ତୋଫାନ ଭଳି ପରିସ୍ଥିତିରେ ଲଙ୍ଗର ଭଳି କେଉଁ ଜିନିଷ ଆପଣଙ୍କୁ ସମ୍ଭାଳି ରଖିପାରିବ ? ଅନ୍ୟ ଶବ୍ଦରେ କହିଲେ, ଆପଣ ନିଜକୁ କିପରି ଭରସା ଦେଇପାରିବେ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ଏବଂ ସେ କେବେ ବି ଆପଣଙ୍କୁ ଛାଡ଼ିବେ ନାହିଁ ? ଆଉ ଆପଣ କିପରି ଏହି ଭରସା ବଜାୟ ରଖିପାରିବେ ?
୩. (କ) ଗୀତସଂହିତା ୩୧:୭ ଏବଂ ୧୩୬:୧ ପଦରେ ଯେଉଁ “ଦୟା” ଶବ୍ଦର ବ୍ୟବହାର କରାଯାଇଛି, ତାହାର ଅର୍ଥ କʼଣ ? (ଖ) ଆମେ କାହିଁକି କହିପାରିବା ଯେ ଯିହୋବା ଗଭୀର ପ୍ରେମ ଏବଂ ବିଶ୍ୱସ୍ତତା ଦେଖାଇବାରେ ସବୁଠୁ ବଢ଼ିଆ ଉଦାହରଣ ରଖିଛନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୩ ଗୋଟିଏ କଥା ଯାହା ଆପଣଙ୍କୁ ଲଙ୍ଗର ଭଳି ସମସ୍ୟାଗୁଡ଼ିକ ସମୟରେ ସ୍ଥିର ରହିବା ପାଇଁ ସାହାଯ୍ୟ କରିପାରିବ । ତାହା ହେଉଛି, ଯିହୋବାଙ୍କ ପ୍ରେମ ଏବଂ ବିଶ୍ୱସ୍ତତାକୁ ମନେ ରଖିବା । (ଗୀତସଂହିତା ୩୧:୭; ୧୩୬:୧ ପଢ଼ନ୍ତୁ ।) ଏହି ପଦଗୁଡ଼ିକରେ “ଦୟା” ପାଇଁ ଯେଉଁ ମୂଳ ଭାଷାର ଶବ୍ଦ ବ୍ୟବହାର କରାଯାଇଛି, ସେଥିରୁ ଜଣାପଡ଼େ ଯେ ଏହାର ଅର୍ଥ ହେଉଛି, ଜଣେ ବ୍ୟକ୍ତିର ଆଉ ଜଣେ ବ୍ୟକ୍ତି ପ୍ରତି ଥିବା ଗଭୀର ପ୍ରେମ ଏବଂ ବିଶ୍ୱସ୍ତତା । ଆଉ ଯିହୋବା ଏପରି ଗଭୀର ପ୍ରେମ ଏବଂ ବିଶ୍ୱସ୍ତତା ଦେଖାଇବାରେ ସବୁଠୁ ବଢ଼ିଆ ଉଦାହରଣ ରଖିଛନ୍ତି । ଏପରିକି ଯାତ୍ରା ପୁସ୍ତକ ୩୪:୬, ୭ ଏବଂ ଗୀତସଂହିତା ୮୬:୫ ପଦର ମୂଳ ଭାଷାରେ ଯେଉଁ ଶବ୍ଦର ବ୍ୟବହାର କରାଯାଇଛି, ଏଥିରୁ ବି ଜଣାପଡ଼େ ଯେ ସେ ପ୍ରେମ ଏବଂ ବିଶ୍ୱସ୍ତତାରେ ପରିପୂର୍ଣ୍ଣ । ଭାବନ୍ତୁ, ଯିହୋବା ନିଜର ବିଶ୍ୱସ୍ତ ସେବକମାନଙ୍କୁ କେବେ ବି ଛାଡ଼ନ୍ତି ନାହିଁ । ଯଦି ଆପଣ ଏହି କଥାକୁ ମନେ ରଖିବେ, ତାହେଲେ ଏହା ଆପଣଙ୍କୁ ଝଡ଼ ତୋଫାନ ଭଳି ସମସ୍ୟାଗୁଡ଼ିକରେ ସମ୍ଭାଳି ରଖିବ ।—ଗୀତ. ୨୩:୪.
ଯେପରି ଲଙ୍ଗର ନୌକାକୁ ଭୟଙ୍କର ଝଡ଼ ତୋଫାନ ସମୟରେ ସମ୍ଭାଳି ରଖେ, ଠିକ୍ ସେହିଭଳି ଯିହୋବାଙ୍କ ପ୍ରେମ ଆମକୁ ଝଡ଼ ତୋଫାନ ଭଳି ସମସ୍ୟାଗୁଡ଼ିକ ସମୟରେ ସମ୍ଭାଳି ରଖିବ (ପାରାଗ୍ରାଫ ୩)
ମନେ ରଖନ୍ତୁ, ଯିହୋବା ଆପଣଙ୍କୁ ପ୍ରେମ କରନ୍ତି, ଏହା ମୌଳିକ ଶିକ୍ଷାଗୁଡ଼ିକ ମଧ୍ୟରୁ ଗୋଟିଏ
୪. ବାଇବଲର କିଛି ମୌଳିକ ଶିକ୍ଷା କʼଣ ଏବଂ କାହାରି କଥାରେ ଆସି କʼଣ ଆପଣ ଏଗୁଡ଼ିକୁ ମାନିବା ଛାଡ଼ିଦେବେ ? ବୁଝାନ୍ତୁ ।
୪ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି, ଏହା ବାଇବଲର ମୌଳିକ ଶିକ୍ଷାଗୁଡ଼ିକ ମଧ୍ୟରୁ ଗୋଟିଏ । ଏହା ଗୋଟିଏ ଲଙ୍ଗର ଭଳି ଆପଣଙ୍କୁ ସମସ୍ୟାଗୁଡ଼ିକ ସମୟରେ ସମ୍ଭାଳିବ । “ବାଇବଲର ମୌଳିକ ଶିକ୍ଷାଗୁଡ଼ିକ” କହିଲେ ଆପଣଙ୍କ ମନରେ କʼଣ ଆସେ ? ଯେପରି ଈଶ୍ୱରଙ୍କ ନାମ ଯିହୋବା, ଯୀଶୁ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ର, ମୃତ ଲୋକମାନେ କିଛି ଜାଣନ୍ତି ନାହିଁ, ଈଶ୍ୱର ପୃଥିବୀକୁ ପାରଦୀଶ କରିଦେବେ ଏବଂ ମଣିଷମାନେ ଏଠାରେ ସବୁଦିନ ଯାଏ ବଞ୍ଚିବେ । (ଯାତ୍ରା. ୬:୨; ଉପ. ୯:୫; ଯୋହ. ୩:୧୬; ପ୍ରକା. ୨୧:୩, ୪) ଆପଣ ଏହି ଶିକ୍ଷାଗୁଡ଼ିକୁ ହୃଦୟରୁ ମାନନ୍ତି ଏବଂ କାହାରି କହିବାରୁ ଆପଣ ଏଗୁଡ଼ିକୁ ମାନିବା ଛାଡ଼ିବେ ନାହିଁ । ଏପରି କାହିଁକି ? କାରଣ ଆପଣଙ୍କୁ ଭରସା ଅଛି ଯେ ଏହି ଶିକ୍ଷାଗୁଡ଼ିକ ସତ୍ୟ ଅଟେ ଏବଂ ଆମ ପାଖରେ ଏହାର ପ୍ରମାଣ ବି ରହିଛି । ଯିହୋବା ଆପଣଙ୍କୁ ପ୍ରେମ କରନ୍ତି, ଏହା ବି ଏକ ମୌଳିକ ଶିକ୍ଷା । ଏହାକୁ ମନେ ରଖିଲେ ଆପଣଙ୍କୁ କʼଣ ଲାଭ ହେବ ? ଯେବେ ଆପଣ ସମସ୍ୟାଗୁଡ଼ିକର ସାମନା କରିବେ ଏବଂ ଆପଣଙ୍କ ମନରେ ଏହି ସନ୍ଦେହ ଆସିବ ଯେ ଜଣାନାହିଁ ଯିହୋବା ମୋର ଚିନ୍ତା କରନ୍ତି ନା ନାହିଁ, ତେବେ ଏହି ସତ୍ୟ ଲଙ୍ଗର ଭଳି ଆପଣଙ୍କୁ ସମ୍ଭାଳି ରଖିବ । ତାହା କିପରି ? ଆସନ୍ତୁ ଦେଖିବା ।
୫. ବୁଝାନ୍ତୁ ଯେ ଜଣେ ବ୍ୟକ୍ତି କିପରି ମିଥ୍ୟା ଶିକ୍ଷାଗୁଡ଼ିକୁ ମାନିବା ଛାଡ଼ିଦିଏ ?
୫ ଯେବେ ଆପଣ ବାଇବଲ ଶିଖିବା ଆରମ୍ଭ କରିଥିଲେ, ତେବେ ଆପଣ କିପରି ମିଥ୍ୟା ଶିକ୍ଷାଗୁଡ଼ିକୁ ଛାଡ଼ିପାରିଲେ ? ଆପଣ ଭାବିବାକୁ ଲାଗିଲେ ଯେ ଆପଣ ଯାହା ମାନନ୍ତି ଏବଂ ବାଇବଲରେ ଯାହା ଲେଖାଅଛି, ସେଥିରେ କେତେ ପାର୍ଥକ୍ୟ ରହିଛି । ଯେପରି, ଆପଣ ହୁଏତ ମାନୁଥିଲେ ଯେ ମୃତ୍ୟୁ ପରେ ମଣିଷମାନଙ୍କ ଆତ୍ମା ଜୀବିତ ରହେ । କିନ୍ତୁ ଯେବେ ଆପଣ ବାଇବଲ ଅଧ୍ୟୟନ ଆରମ୍ଭ କଲେ, ତେବେ ଆପଣ ଭାବିବାକୁ ଲାଗିଲେ, ‘ମୁଁ ଯାହା ବିଶ୍ୱାସ କରେ କʼଣ ତାହା ସତ ?’ ଏହାପରେ ଆପଣ ବାଇବଲରୁ ପ୍ରମାଣଗୁଡ଼ିକୁ ଧ୍ୟାନ ଦେଲେ ଏବଂ ବୁଝିପାରିଲେ ଯେ ଆପଣ ଯାହା ମାନୁଥିଲେ, ତାହା ଭୁଲ ଅଟେ । ଆପଣ ସେହି ମିଥ୍ୟା ଶିକ୍ଷା ଉପରେ ଭରସା କରିବା ପରିବର୍ତ୍ତେ, ବାଇବଲରେ ଲେଖାଥିବା ଏହି ସତ୍ୟକୁ ଭରସା କରିବାକୁ ଲାଗିଲେ ଯେ “ମୃତ ଲୋକମାନେ କିଛି ଜାଣନ୍ତି ନାହିଁ” ଏବଂ ଏପରି ସମୟ ଆସିବ ଯେବେ ସେମାନଙ୍କୁ “ପୁନରୁତ୍ଥାନ” କରାଯିବ । (ଉପ. ୯:୫; ପ୍ରେରି. ୨୪:୧୫) ମିଥ୍ୟା ଶିକ୍ଷାଗୁଡ଼ିକ ଆମ ଭିତରେ “ଦୃଢ଼ ଗଡ଼” ଭଳି ଥାଏ ଏବଂ ଏଗୁଡ଼ିକୁ ଛାଡ଼ିବା ସହଜ ହୋଇ ନ ଥାଏ । (୨ କରି. ୧୦:୪, ୫) କିନ୍ତୁ ଥରେ ଯେବେ ଆପଣ ଏଗୁଡ଼ିକୁ ଛାଡ଼ିଦିଅନ୍ତି, ତେବେ ପୁଣି କେବେ ବି ଏଗୁଡ଼ିକୁ ମାନନ୍ତି ନାହିଁ ।—ଫିଲିପ୍. ୩:୧୩, ୧୪.
୬. ଆପଣ ଏହି କଥା ଉପରେ କାହିଁକି ଭରସା କରିପାରିବେ ଯେ ଯିହୋବାଙ୍କ ‘ଅଟଳ ପ୍ରେମ ଅନନ୍ତକାଳସ୍ଥାୟୀ ?’
୬ ସମସ୍ୟା ସମୟରେ ଯଦି ଆପଣଙ୍କୁ ଲାଗେ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ନାହିଁ, ତାହେଲେ ଆପଣ ସେହି କାମ କରିପାରିବେ, ଯାହା ଆପଣ ସତ୍ୟ ଶିଖିବା ସମୟରେ କରିଥିଲେ । ନିଜକୁ ପଚାରନ୍ତୁ, ‘ମୁଁ ଯାହା ଭାବୁଛି, କʼଣ ତାହା ଠିକ୍ ଅଟେ ?’ ଏହାପରେ ବାଇବଲର ପ୍ରମାଣଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । ଯେପରି ଗୀତସଂହିତା ୧୩୬:୧ ପଦ ଉପରେ ଧ୍ୟାନ ଦିଅନ୍ତୁ, ଯାହା ଏହି ଲେଖାର ମୁଖ୍ୟ ପଦ ବି ଅଟେ । ଭାବନ୍ତୁ, ଯିହୋବା ଏଠାରେ ଏପରି କାହିଁକି କହିଲେ ଯେ ତାଙ୍କର ପ୍ରେମ ଅଟଳ ଅଟେ । ଏହା ବି ଭାବନ୍ତୁ ଯେ ଏହି ଗୀତସଂହିତାରେ ୨୬ ଥର ଏପରି କାହିଁକି କୁହାଯାଇଛି ଯେ “ତାହାଙ୍କ ଦୟା [“ଅଟଳ ପ୍ରେମ,” NWT] ଅନନ୍ତକାଳସ୍ଥାୟୀ ।” ଯେପରି ଆମେ ଦେଖିଥିଲୁ, ଯିହୋବା ନିଜର ଲୋକମାନଙ୍କୁ ଅଟଳ ପ୍ରେମ କରନ୍ତି । ଏହା ବାଇବଲର ଅନ୍ୟ ଶିକ୍ଷାଗୁଡ଼ିକ ମଧ୍ୟରୁ ଗୋଟିଏ ମୌଳିକ ଶିକ୍ଷା ଏବଂ ଆପଣ ଏହି ଶିକ୍ଷାକୁ ମାନିଥିଲେ । ସେଥିପାଇଁ ଯଦି ଆପଣଙ୍କ ମନରେ କେବେ ଏପରି ଭାବନା ଆସେ ଯେ ଆପଣ ଯିହୋବାଙ୍କ ଦୃଷ୍ଟିରେ ବେକାର ଅଟନ୍ତି ଏବଂ ତାଙ୍କ ପ୍ରେମର ଯୋଗ୍ୟ ନୁହଁନ୍ତି, ତାହେଲେ ମନେ ରଖନ୍ତୁ ଯେ ଏହା ପୂରାପୂରି ମିଛ କଥା । ଅନ୍ୟ ମିଥ୍ୟା ଶିକ୍ଷାଗୁଡ଼ିକ ଭଳି ଆପଣଙ୍କୁ ଏହି ମିଛ କଥାକୁ ବି ମାନିବା ଛାଡ଼ିଦେବା ଉଚିତ୍ ।
୭. କିଛି ପଦଗୁଡ଼ିକ କହନ୍ତୁ ଯେଉଁଥିରୁ ଆପଣଙ୍କୁ ଭରସା ହୁଏ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ?
୭ ଯିହୋବା ଆମକୁ ପ୍ରେମ କରନ୍ତି, ବାଇବଲରେ ଏହି କଥାର ଅନେକ ପ୍ରମାଣ ଦିଆଯାଇଛି । ଯେପରି ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ ।” (ମାଥି. ୧୦:୩୧) ଏହାଛଡ଼ା ଯିହୋବା ନିଜେ ମଧ୍ୟ କହିଲେ, ‘ମୁଁ ତୁମ୍ଭକୁ ସବଳ କରିବି; ମୁଁ ତୁମ୍ଭର ସାହାଯ୍ୟ କରିବି; ମୁଁ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବି ।’ (ଯିଶା. ୪୧:୧୦) ଧ୍ୟାନ ଦିଅନ୍ତୁ ଯେ ଏହି କଥାଗୁଡ଼ିକୁ କେତେ ବିଶ୍ୱାସର ସହ କୁହାଯାଇଛି । ଯୀଶୁ ଏପରି କହିଲେ ନାହିଁ, ‘ତୁମ୍ଭେମାନେ ହୁଏତ ଶ୍ରେଷ୍ଠ ।’ ଏହା ପରିବର୍ତ୍ତେ ସେ କହିଲେ, ‘ତୁମ୍ଭେମାନେ ଶ୍ରେଷ୍ଠ ।’ ଆଉ ଯିହୋବା ଏପରି କହିଲେ ନାହିଁ, ‘ମୁଁ ହୁଏତ ତୁମ୍ଭର ସାହାଯ୍ୟ କରିବି ।’ ଏହା ପରିବର୍ତ୍ତେ ସେ କହିଲେ, ‘ମୁଁ ତୁମ୍ଭର ସାହାଯ୍ୟ କରିବି ।’ ଯଦି ଆପଣଙ୍କୁ ବେଳେବେଳେ ଯିହୋବାଙ୍କ ପ୍ରେମ ଉପରେ ସନ୍ଦେହ ହୁଏ, ତାହେଲେ ଏହି ପଦଗୁଡ଼ିକୁ ପଢ଼ି ଆପଣଙ୍କୁ ଭଲ ଲାଗିବ । କିନ୍ତୁ ଏଥିରୁ ବି ବଡ଼ କଥା, ଆପଣଙ୍କୁ ପୂରା ବିଶ୍ୱାସ ହୋଇଯିବ ଯେ ଯିହୋବା ପ୍ରକୃତରେ ଆପଣଙ୍କୁ ବହୁତ ପ୍ରେମ କରନ୍ତି । ଯଦି ଆପଣ ପ୍ରାର୍ଥନାରେ ଯିହୋବାଙ୍କୁ କହିବେ ଯେ ଆପଣଙ୍କୁ ତାଙ୍କ ପ୍ରେମ ଉପରେ ଭରସା କରିବା କଠିନ ଲାଗୁଛି ଏବଂ ଆପଣ ଏହି ପଦଗୁଡ଼ିକ ବିଷୟରେ ଗଭୀର ଭାବେ ଭାବିବେ, ତାହେଲେ ଆପଣ ବି ସେପରି ହିଁ ଅନୁଭବ କରିବେ ଯେପରି ୧ ଯୋହନ ୪:୧୬ ପଦରେ ଲେଖାଅଛି, “ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ଯେଉଁ ପ୍ରେମ ଅଛି, ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ ।”a
୮. ଯଦି ଆପଣଙ୍କୁ କେବେ ଲାଗେ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ନାହିଁ, ତାହେଲେ ଆପଣ କʼଣ କରିପାରିବେ ?
୮ କିନ୍ତୁ ହୁଏତ ଏହାପରେ ବି ଆପଣଙ୍କୁ ଲାଗିବ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ନାହିଁ । ଏପରି ସମୟରେ ଆପଣ କʼଣ କରିପାରିବେ ? ମନେ ରଖନ୍ତୁ ଯେ ଆପଣଙ୍କୁ ଏପରି ଅନୁଭବ ହେଉଛି । କିନ୍ତୁ ଏହା ଜରୁରୀ ନୁହେଁ ଯେ ଆମକୁ ଯେପରି ଅନୁଭବ ହେଉଛି, ତାହା ସବୁବେଳେ ଠିକ୍ ଥିବ । ନିଜକୁ ସବୁବେଳେ ଏହା ମନେ ପକାନ୍ତୁ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି, ଏହା ଏକ ସତ୍ୟ ଏବଂ ଏହାର ଅନେକ ପ୍ରମାଣ ରହିଛି । ଯଦି ଆମେ ଏହି ସତ୍ୟକୁ ବିଶ୍ୱାସ କରିବା ନାହିଁ, ତାହେଲେ ଆମେ ଯିହୋବାଙ୍କ ପ୍ରେମକୁ, ଅର୍ଥାତ୍ ତାଙ୍କ ସବୁଠୁ ବିଶେଷ ଗୁଣକୁ ସାଧାରଣ ବୋଲି ମନେ କରୁଥିବା ।—୧ ଯୋହ. ୪:୮.
ଯିହୋବା ‘ଆପଣଙ୍କୁ ସ୍ନେହ କରନ୍ତି,’ ଏହି କଥା ଉପରେ ଚିନ୍ତନ କରନ୍ତୁ
୯-୧୦. ଯେବେ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ ଯେ “ପିତା ସ୍ୱୟଂ ତୁମ୍ଭମାନଙ୍କୁ ସ୍ନେହ କରନ୍ତି,” ତେବେ ସେ ସେମାନଙ୍କୁ କʼଣ ଶିଖାଉଥିଲେ ? (ଯୋହନ ୧୬:୨୬, ୨୭) (ଚିତ୍ର ମଧ୍ୟ ଦେଖନ୍ତୁ ।)
୯ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି, ଏହି କଥା ଉପରେ ବିଶ୍ୱାସ କରିବା ପାଇଁ ଯୀଶୁ ନିଜ ଶିଷ୍ୟମାନଙ୍କୁ କʼଣ କହିଥିଲେ, ସେହି କଥା ଉପରେ ଧ୍ୟାନ ଦିଅନ୍ତୁ । ସେ କହିଥିଲେ, “ପିତା ସ୍ୱୟଂ ତୁମ୍ଭମାନଙ୍କୁ ସ୍ନେହ କରନ୍ତି ।” (ଯୋହନ ୧୬:୨୬, ୨୭ ପଢ଼ନ୍ତୁ ।) ଯୀଶୁ ଏହି କଥା କେବଳ ନିଜ ଶିଷ୍ୟମାନଙ୍କୁ ଖୁସି କରିବା ପାଇଁ କହି ନ ଥିଲେ । ଆଖପାଖ ପଦଗୁଡ଼ିକରୁ ଜଣାପଡ଼େ ଯେ ଯୀଶୁ ସେମାନଙ୍କୁ ଗୋଟିଏ ଜରୁରୀ କଥା କହୁଥିଲେ । ସେ କହୁଥିଲେ ଯେ ପ୍ରାର୍ଥନା କରିବା ସମୟରେ ସେମାନଙ୍କୁ କେଉଁ କଥା ମନେ ରଖିବା ଉଚିତ୍ ।
୧୦ ଯୀଶୁ ନିଜର ଶିଷ୍ୟମାନଙ୍କୁ କହିଥିଲେ ଯେ ସେମାନେ ତାଙ୍କୁ ନୁହେଁ, ବରଂ ତାଙ୍କ ନାମରେ ପ୍ରାର୍ଥନା କରନ୍ତୁ । (ଯୋହ. ୧୬:୨୩, ୨୪) ଶିଷ୍ୟମାନଙ୍କ ପାଇଁ ଏହା ଜାଣିବା ବହୁତ ଜରୁରୀ ଥିଲା । ଯୀଶୁଙ୍କ ଜୀବିତ ହେବା ପରେ ତାଙ୍କ ଶିଷ୍ୟମାନଙ୍କୁ ହୁଏତ ଯୀଶୁଙ୍କୁ ପ୍ରାର୍ଥନା କରିବା ପାଇଁ ଇଚ୍ଛା ହୁଅନ୍ତା । ସେମାନେ ଯୀଶୁଙ୍କୁ ବହୁତ ଭଲଭାବେ ଜାଣିଥିଲେ ଏବଂ ସେ ସେମାନଙ୍କର ସାଙ୍ଗ ଥିଲେ । ସେମାନେ ଭାବିପାରିଥାʼନ୍ତେ ଯେ ଯୀଶୁ ସେମାନଙ୍କୁ ବହୁତ ପ୍ରେମ କରନ୍ତି, ତେଣୁ ସେ ସେମାନଙ୍କର ପ୍ରାର୍ଥନା ଶୁଣିବେ ଏବଂ ଏବିଷୟରେ ପିତାଙ୍କୁ କହିବେ । କିନ୍ତୁ ଯୀଶୁ କହିଲେ ଯେ ସେମାନଙ୍କୁ ଏପରି ଭାବିବା ଉଚିତ୍ ନୁହଁ । ତାହା କାହିଁକି ? ସେ କହିଲେ, “ପିତା ସ୍ୱୟଂ ତୁମ୍ଭମାନଙ୍କୁ ସ୍ନେହ କରନ୍ତି ।” ଏହା କହି ଯୀଶୁ ନିଜ ଶିଷ୍ୟମାନଙ୍କୁ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସତ୍ୟ ଶିଖାଉଥିଲେ ଯେ ସେମାନଙ୍କୁ ଯିହୋବାଙ୍କଠାରେ ପ୍ରାର୍ଥନା କରିବା ଉଚିତ୍, କାରଣ ସେ ନିଜର ଲୋକମାନଙ୍କୁ ସ୍ନେହ କରନ୍ତି । ଭାବନ୍ତୁ, ଏହାର ଅର୍ଥ କʼଣ ? ବାଇବଲ ଜରିଆରେ ଆପଣ ଯୀଶୁଙ୍କୁ ଜାଣିଲେ ଏବଂ ତାଙ୍କୁ ପ୍ରେମ କରିବାକୁ ଲାଗିଲେ । (ଯୋହ. ୧୪:୨୧) କିନ୍ତୁ ପ୍ରଥମ ଶତାବ୍ଦୀର ଶିଷ୍ୟମାନଙ୍କ ଭଳି ଆପଣ ବି ପୂରା ବିଶ୍ୱାସର ସହ ଯିହୋବାଙ୍କୁ ପ୍ରାର୍ଥନା କରନ୍ତି, କାରଣ ଆପଣ ଜାଣନ୍ତି ଯେ ସେ ‘ସ୍ୱୟଂ ଆପଣଙ୍କୁ ସ୍ନେହ କରନ୍ତି ।’ ପ୍ରତିଥର ଯେବେ ଆପଣ ଯିହୋବାଙ୍କୁ ପ୍ରାର୍ଥନା କରନ୍ତି, ତେବେ ଆପଣ ଦେଖାନ୍ତି ଯେ ଆପଣ ଯୀଶୁଙ୍କ କଥା ଉପରେ ବିଶ୍ୱାସ କରନ୍ତି ।—୧ ଯୋହ. ୫:୧୪.
ଆପଣ ପୂରା ବିଶ୍ୱାସର ସହ ଯିହୋବାଙ୍କୁ ପ୍ରାର୍ଥନା କରିପାରିବେ, କାରଣ ଆପଣ ଜାଣନ୍ତି ଯେ ସେ ‘ସ୍ୱୟଂ ଆପଣଙ୍କୁ ସ୍ନେହ କରନ୍ତି’ (ପାରାଗ୍ରାଫ ୯-୧୦)b
ଆମେ କାହିଁକି ସନ୍ଦେହ କରିବାକୁ ଲାଗୁ, ଏହା ବୁଝନ୍ତୁ
୧୧. ଯଦି ଆମେ ଯିହୋବାଙ୍କ ପ୍ରେମ ଉପରେ ସନ୍ଦେହ କରିବାକୁ ଲାଗିବା, ତାହେଲେ ଶୟତାନ କାହିଁକି ଖୁସି ହେବ ?
୧୧ ଆମେ କାହିଁକି ଯିହୋବାଙ୍କ ପ୍ରେମ ଉପରେ ସନ୍ଦେହ କରିବାକୁ ଲାଗିପାରୁ ? ଆପଣ ହୁଏତ କହିବେ, ‘ଶୟତାନ ଯୋଗୁଁ ।’ କିଛି ମାତ୍ରା ଯାଏ ଏହା ସତ କଥା । ଶୟତାନ ସବୁବେଳେ ଆମକୁ ‘ଗ୍ରାସିବା’ ପାଇଁ ସୁଯୋଗ ଖୋଜେ । (୧ ପିତ. ୫:୮) ସେଥିପାଇଁ ଯଦି ଆମେ ଯିହୋବାଙ୍କ ପ୍ରେମ ଉପରେ ସନ୍ଦେହ କରିବାକୁ ଲାଗିବା, ତାହେଲେ ସବୁଠୁ ଅଧିକ ଖୁସି ଶୟତାନକୁ ହେବ । ଯିହୋବା ଆମକୁ ଏତେ ପ୍ରେମ କରନ୍ତି ଯେ ସେ ମୁକ୍ତିର ମୂଲ୍ୟର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଶୟତାନ ଚାହେଁ ଯେ ଆମେ ଏହା ଭାବୁ ଯେ ଆମେ ବଡ଼ ପାପୀ ଅଟୁ, ତେଣୁ ଆମକୁ ମୁକ୍ତିର ମୂଲ୍ୟରୁ ଲାଭ ହୋଇପାରିବ ନାହିଁ । (ଏବ୍ରୀ ୨:୯) ଭାବନ୍ତୁ, ଯଦି ଆମେ ଯିହୋବାଙ୍କ ପ୍ରେମ ଉପରେ ସନ୍ଦେହ କରିବାକୁ ଲାଗିବା, ତାହେଲେ ଏଥିରୁ କିଏ ସବୁଠୁ ବେଶୀ ଖୁସି ହେବ ? ଶୟତାନ । ଆଉ ଯଦି ଆମେ ସମସ୍ୟାଗୁଡ଼ିକ ସମୟରେ ହାର ମାନିଯିବା ଏବଂ ଯିହୋବାଙ୍କ ସେବା କରିବା ଛାଡ଼ିଦେବା, ତାହେଲେ ଏଥିରୁ କିଏ ଖୁସି ହେବ ? ଶୟତାନ । ଏବିଷୟରେ ବି ଭାବନ୍ତୁ ଯେ ଏହା କେତେ ଅଜବ କଥା, ଶୟତାନ ଆମକୁ ଏହା ଭରସା କରାଇବାକୁ ଚାହେଁ ଯେ ଆମେ ଯିହୋବାଙ୍କ ପ୍ରେମର ଯୋଗ୍ୟ ନୁହଁ । କିନ୍ତୁ ପ୍ରକୃତରେ ସତ କଥା ଏହା ଯେ ଶୟତାନ ଯିହୋବାଙ୍କ ପ୍ରେମର ଯୋଗ୍ୟ ନୁହେଁ । ସେ ବହୁତ ‘ଚତୁର’ ଅଟେ । (ଏଫି. ୬:୧୧) ସେ ଆମକୁ ଏହା ଭରସା ଦେବା ପାଇଁ ଚାହେଁ ଯେ ଯିହୋବା ଆମକୁ ପ୍ରେମ କରନ୍ତି ନାହିଁ ଏବଂ ସେ ଆମକୁ ଅସ୍ୱୀକାର କରିଦେଇଛନ୍ତି । କିନ୍ତୁ ଆମେ ନିଜ ଶତ୍ରୁର ଷଡ଼ଯନ୍ତ୍ରରୁ ଅଜଣା ନାହୁଁ । ସେଥିପାଇଁ ଆସନ୍ତୁ ଆମେ ଦୃଢ଼ ହୋଇ ତାʼର ସାମନା କରିବା ।—ଯାକୁ. ୪:୭.
୧୨-୧୩. ପାପୀ ହେବା ଯୋଗୁଁ ଆମେ ହୁଏତ କାହିଁକି ଯିହୋବାଙ୍କ ପ୍ରେମ ଉପରେ ସନ୍ଦେହ କରିବା ?
୧୨ ଆଉ ଏକ କାରଣ ଯୋଗୁଁ ଆମେ ଯିହୋବାଙ୍କ ପ୍ରେମ ଉପରେ ସନ୍ଦେହ କରିବାକୁ ଲାଗିପାରୁ । ତାହା ହେଉଛି, ଆମକୁ ଉତ୍ତରାଧିକାରୀ ଭାବେ ଆଦମ ଓ ହବାଠାରୁ ପାପ ମିଳିଛି । (ଗୀତ. ୫୧:୫; ରୋମୀ. ୫:୧୨) ଏହି ପାପ ଯୋଗୁଁ ଯିହୋବା ଓ ମଣିଷମାନଙ୍କ ସମ୍ପର୍କ ଖରାପ ହୋଇଯାଇଛି ଏବଂ ଆମେ ତାଙ୍କଠାରୁ ଦୂରକୁ ଚାଲିଯାଇଛୁ । କେବଳ ଏତିକି ନୁହେଁ, ଏହାର ଆମ ଚିନ୍ତାଧାରା, ଆମ ଭାବନା ଏବଂ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପଡ଼ିଛି ।
୧୩ ଆମେ ପାପୀ ହୋଇଥିବାରୁ ନିଜକୁ ଦୋଷୀ ଅନୁଭବ କରୁ, ଚିନ୍ତାଗ୍ରସ୍ତ ହୋଇଯାଉ, ବିଚଳିତ ହୋଇପଡ଼ୁ କିମ୍ବା ଆମକୁ ଲଜ୍ଜିତ ଅନୁଭବ ହୁଏ । ଏହା ସତ ଯେ ଯେବେ ଆମଦ୍ୱାରା କୌଣସି ଭୁଲ୍ କିମ୍ବା ପାପ ହୋଇଯାଏ, ତେବେ ଆମ ଭିତରେ ଏପରି ଭାବନା ଆସେ । କିନ୍ତୁ ଅପରିପୂର୍ଣ୍ଣ ହେବା ଯୋଗୁଁ ଅନ୍ୟ ସମୟରେ ମଧ୍ୟ ଆମ ଭିତରେ ଏପରି ଭାବନା ଆସିଥାଏ । (ରୋମୀ. ୮:୨୦, ୨୧) ଯଦି ଗୋଟିଏ ଗାଡ଼ିର ଟାୟରରେ ପବନ ନ ଥାଏ, ତାହେଲେ ଗାଡ଼ି ସେହି ବେଗରେ ଯାଇପାରିବ ନାହିଁ, ଯେଉଁ ବେଗରେ ଯିବା ଉଚିତ୍ । ଠିକ୍ ସେହିଭଳି ଅପରିପୂର୍ଣ୍ଣ ହେବା ଯୋଗୁଁ ଆମେ ସେପରି ଜୀବନ ବିତାଇପାରୁ ନାହୁଁ, ଯେପରି ଯିହୋବା ଚାହିଁଥିଲେ । ଏହି କାରଣରୁ ହୋଇପାରେ ଆମେ ଯିହୋବାଙ୍କ ପ୍ରେମ ଉପରେ ସନ୍ଦେହ କରିବା । ଯଦି ଆପଣଙ୍କ ସହିତ କେବେ ଏପରି ହୁଏ, ତାହେଲେ ମନେ ରଖନ୍ତୁ ଯେ ଯିହୋବା ‘ମହାନ ଓ ଭୟଙ୍କର [“ବିସ୍ମୟକାରୀ,” NWT] ପରମେଶ୍ୱର ଅଟନ୍ତି, ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି ଓ ତାଙ୍କର ସବୁ ଆଜ୍ଞା ପାଳନ କରନ୍ତି, ସେ ସେମାନଙ୍କ ପକ୍ଷରେ ଦୟା [“ଅଟଳ ପ୍ରେମ,” NWT] ଦେଖାନ୍ତି ।’—ନିହି. ୧:୫.
୧୪. ଯଦି ଆମକୁ ଲାଗେ ଯେ ଆମେ ଯିହୋବାଙ୍କ ପ୍ରେମର ଯୋଗ୍ୟ ନାହୁଁ, ତାହେଲେ ମୁକ୍ତିର ମୂଲ୍ୟ ଉପରେ ଚିନ୍ତନ କଲେ ଆମକୁ କିପରି ସାହାଯ୍ୟ ମିଳିପାରିବ ? (ରୋମୀୟ ୫:୮) (“‘ପାପର ପ୍ରବଞ୍ଚନାଠାରୁ’ ସତର୍କ ରହନ୍ତୁ” ନାମକ ବକ୍ସ ଦେଖନ୍ତୁ ।)
୧୪ ହୁଏତ ସବୁକିଛି କଲାପରେ ମଧ୍ୟ ବେଳେବେଳେ ଆମ ମନରେ ଏପରି ଭାବନା ଆସିପାରେ ଯେ ଆମେ ଯିହୋବାଙ୍କ ପ୍ରେମର ଯୋଗ୍ୟ ନାହୁଁ । ଦେଖିବାକୁ ଗଲେ ଏହା ସତ ମଧ୍ୟ । ଆମେ ଯେତେ ଯାହା କଲେ ବି ଯିହୋବାଙ୍କ ପ୍ରେମର ଯୋଗ୍ୟ ହୋଇପାରିବା ନାହିଁ । କିନ୍ତୁ ଆମ ପାଇଁ ନିଜ ପୁତ୍ରଙ୍କୁ ମୁକ୍ତିର ମୂଲ୍ୟ ଭାବେ ଦେଇ ଯିହୋବା ଆମ ପାପଗୁଡ଼ିକୁ କ୍ଷମା କରିଛନ୍ତି । ସେ ଆମକୁ ବହୁତ ପ୍ରେମ କରନ୍ତି, ସେଥିପାଇଁ ସେ ଏହି ବ୍ୟବସ୍ଥା କରିଛନ୍ତି । ଆଉ ଏଥିରୁ ହିଁ ଜଣାପଡ଼େ ଯେ ଯିହୋବାଙ୍କ ପ୍ରେମ କାହିଁକି ଏତେ ଖାସ୍ । (୧ ଯୋହ. ୪:୧୦) ଏହା ବି ମନେ ରଖନ୍ତୁ ଯେ ଯୀଶୁ ଧାର୍ମିକମାନଙ୍କୁ ନୁହେଁ, ବରଂ ପାପୀମାନଙ୍କୁ ରକ୍ଷା କରିବା ପାଇଁ ଆସିଥିଲେ । (ରୋମୀୟ ୫:୮ ପଢ଼ନ୍ତୁ ।) ଆମେ ନ ଚାହିଁଲେ ବି ଅନେକ ଭୁଲ କରୁ ଏବଂ ଯିହୋବା ଏକଥାକୁ ଭଲଭାବେ ବୁଝନ୍ତି । ଯଦି ଆପଣଙ୍କୁ କେବେ ଲାଗେ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ନାହିଁ, ତାହେଲେ ମନେ ରଖନ୍ତୁ ଯେ ପାପୀ ହେବା ଯୋଗୁଁ ଆପଣ ଏପରି ଭାବୁଛନ୍ତି । ସେଥିପାଇଁ ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ଏହି ପ୍ରକାରର ଚିନ୍ତାଧାରାଠାରୁ ସବୁବେଳେ ଦୂରେଇ ରହିବେ ।—ରୋମୀ. ୭:୨୪, ୨୫.
ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ଦୃଢ଼ ନିଷ୍ପତ୍ତି ନିଅନ୍ତୁ
୧୫-୧୬. ଯଦି ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିବା, ତାହେଲେ ଆମେ କେଉଁ କଥାର ଭରସା ରଖିପାରିବା ଏବଂ କାହିଁକି ? (୨ ଶାମୁୟେଲ ୨୨:୨୬)
୧୫ ଯିହୋବା ଆମକୁ ନିଷ୍ପତ୍ତି ନେବା ପାଇଁ ସ୍ୱାଧୀନତା ଦେଇଛନ୍ତି ଏବଂ ସେ ଚାହାନ୍ତି ଯେ ଆମେ ତାଙ୍କଠାରେ “ଆଶକ୍ତ” ରହୁ । (ଦ୍ୱିବି. ୩୦:୧୯, ୨୦) ଯଦି ଆମେ ଏପରି କରିବା, ତାହେଲେ ଆମେ ଭରସା ରଖିପାରିବା ଯେ ସେ ଆମ ବିଶ୍ୱସ୍ତ ରହିବେ । (୨ ଶାମୁୟେଲ ୨୨:୨୬ ପଢ଼ନ୍ତୁ ।) ମନେ ରଖନ୍ତୁ, ଯଦି ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିବା ତାହେଲେ ଯେପରି ବି ସମସ୍ୟା ଆସୁ ନା କାହିଁକି, ସେ ଆମକୁ ସମ୍ଭାଳିବେ ।
୧୬ ଏହି ଲେଖାରେ ଆମେ ଏପରି କଥାଗୁଡ଼ିକ ଉପରେ ଚର୍ଚ୍ଚା କଲୁ, ଯାହା ଝଡ଼ ତୋଫାନ ଭଳି ସମସ୍ୟା ସମୟରେ ଆମକୁ ଲଙ୍ଗର ଭଳି ସମ୍ଭାଳି ରଖେ । ଆମେ ଜାଣୁ ଯେ ଯିହୋବା ଆମକୁ ପ୍ରେମ କରନ୍ତି ଏବଂ ସେ ସବୁବେଳେ ଆମକୁ ସାହାଯ୍ୟ କରିବେ । ଏହା ବାଇବଲର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସତ୍ୟ । ସେଥିପାଇଁ ଯଦି କେବେ ଆପଣଙ୍କୁ ଯିହୋବାଙ୍କ ପ୍ରେମ ଉପରେ ସନ୍ଦେହ ହୁଏ, ତାହେଲେ ମନେ ରଖନ୍ତୁ ଯେ ହୁଏତ ଆପଣଙ୍କୁ ଏପରି ଅନୁଭବ ହେଉଛି, କିନ୍ତୁ ଏହା ସତ ନୁହେଁ । ଆସନ୍ତୁ ଆମେ ବାଇବଲର ଏହି ସତ୍ୟ ଉପରେ ପୂରା ଭରସା ରଖିବା ଯେ ଯିହୋବାଙ୍କ ଅଟଳ ପ୍ରେମ ଅନନ୍ତକାଳସ୍ଥାୟୀ ।
ଗୀତ ୧୫୯ ଯିହୋବାଙ୍କୁ ଦେବି ମହିମା
a ଦ୍ୱିତୀୟ ବିବରଣ ୩୧:୮; ଗୀତସଂହିତା ୯୪:୧୪ ଏବଂ ଯିଶାଇୟ ୪୯:୧୫ ଭଳି ଅନ୍ୟ ପଦଗୁଡ଼ିକରୁ ମଧ୍ୟ ଜଣାପଡ଼େ ଯେ ଯିହୋବା ଆମକୁ ପ୍ରେମ କରନ୍ତି ।
b ଚିତ୍ର ବିଷୟରେ: ଜଣେ ଭାଇ ରୋଗରେ ପୀଡ଼ିତ ନିଜ ସ୍ତ୍ରୀଙ୍କର ଯତ୍ନ ନେବା ପାଇଁ, ଭାବିଚିନ୍ତି ପଇସା ଖର୍ଚ୍ଚ କରିବା ପାଇଁ ଏବଂ ନିଜ ଝିଅକୁ ତାଙ୍କ ବିଷୟରେ ଭଲଭାବେ ଶିଖାଇବା ପାଇଁ ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗୁଛନ୍ତି ।