ଅଧ୍ୟୟନ ଲେଖା ୩୫
ଗୀତ ୧୨୧ ଧୈର୍ଯ୍ୟ ବଜାୟ ରଖିବା ଜରୁରୀ
ଆମେ କିପରି ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ?
“ପାପ ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ରାଜତ୍ୱ ନ କରୁ, ତାହା କଲେ, ତୁମ୍ଭେମାନେ ସେଥିର କୁଅଭିଳାଷଗୁଡ଼ାକର ବଶବର୍ତ୍ତୀ ହେବ ।”—ରୋମୀ. ୬:୧୨.
କʼଣ ଶିଖିବା ?
ଆସନ୍ତୁ ଜାଣିବା ଯେ ଆମ ମନରେ ଖରାପ ଇଚ୍ଛାଗୁଡ଼ିକ ଆସିଲେ ଆମେ କାହିଁକି ନିରାଶ ହେବା ଉଚିତ୍ ନୁହଁ ଏବଂ ଏହି ଖରାପ ଇଚ୍ଛାଗୁଡ଼ିକ ସହ ଆମେ କିପରି ଲଢ଼ିପାରିବା ।
୧. ସମସ୍ତ ମଣିଷମାନଙ୍କୁ କେଉଁ ଲଢ଼େଇ ଲଢ଼ିବାକୁ ପଡ଼ିଥାଏ ?
କʼଣ କେବେ ଆପଣଙ୍କୁ ଏପରି କିଛି କରିବା ପାଇଁ ପ୍ରବଳ ଇଚ୍ଛା ହୋଇଛି, ଯାହା ଯିହୋବା ପସନ୍ଦ କରନ୍ତି ନାହିଁ ? ଯଦି ଏପରି ହୋଇଛି, ତାହେଲେ ନିରାଶ ହୁଅନ୍ତୁ ନାହିଁ । ବାଇବଲରେ ଲେଖାଅଛି, “ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ ।” (୧ କରି. ୧୦:୧୩) ଏହାର ଅର୍ଥ, ଆପଣ ଏକୁଟିଆ ଏପରି ବ୍ୟକ୍ତି ନୁହଁନ୍ତି, ଯାହାଙ୍କୁ ନିଜ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିବାକୁ ପଡ଼େ, ବରଂ ସମସ୍ତ ମଣିଷମାନଙ୍କୁ ଏପରି ଇଚ୍ଛା ସହ ଲଢ଼ିବାକୁ ପଡ଼ିଥାଏ । କିନ୍ତୁ ଖୁସିର କଥା ଯେ ଯିହୋବା ଆପଣଙ୍କୁ ଏହି ଲଢ଼େଇ ଜିତିବା ପାଇଁ ସାହାଯ୍ୟ କରିପାରିବେ ।
୨. କିଛି ଖ୍ରୀଷ୍ଟିୟାନଙ୍କୁ ଏବଂ ବାଇବଲ ବିଦ୍ୟାର୍ଥୀଙ୍କୁ କେଉଁ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିବାକୁ ପଡ଼େ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୨ ବାଇବଲରେ ଏହା ବି ଲେଖାଅଛି, “ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ ।” (ଯାକୁ. ୧:୧୪) ପ୍ରତ୍ୟେକ ମଣିଷକୁ ଭିନ୍ନ ଭିନ୍ନ ଇଚ୍ଛାଗୁଡ଼ିକ ସହ ଲଢ଼ିବାକୁ ପଡ଼ିପାରେ । ଯେପରି, ଜଣେ ଭାଇଙ୍କୁ କୌଣସି ସ୍ତ୍ରୀ ସହ ଅନୈତିକ ଯୌନ ସମ୍ପର୍କ ରଖିବା ପାଇଁ ଇଚ୍ଛା ହୋଇପାରେ । ଆଉ ଅନ୍ୟ ଭାଇଙ୍କୁ କୌଣସି ପୁରୁଷ ସହ ସମ୍ପର୍କ ରଖିବା ପାଇଁ ଇଚ୍ଛା ହୋଇପାରେ । ଯେଉଁମାନଙ୍କୁ ପୂର୍ବେ ପର୍ନୋଗ୍ରାଫି ଦେଖିବାର ଅଭ୍ୟାସ ଥିଲା, ସେମାନଙ୍କୁ ପୁଣିଥରେ ଅଶ୍ଳୀଳ ଚିତ୍ରଗୁଡ଼ିକ ଦେଖିବା ପାଇଁ ଇଚ୍ଛା ହୋଇପାରେ । ଆଉ ଯେଉଁମାନଙ୍କୁ ଡ୍ରଗସ୍ ନେବା କିମ୍ବା ମଦ ପିଇବାର ଅଭ୍ୟାସ ଥିଲା, ସେମାନଙ୍କୁ ପୁଣିଥରେ ଏଗୁଡ଼ିକୁ ସେବନ କରିବା ପାଇଁ ଇଚ୍ଛା ହୋଇପାରେ । ଏଠାରେ କେବଳ କିଛି ଖରାପ ଇଚ୍ଛାଗୁଡ଼ିକ ବିଷୟରେ କୁହାଯାଇଛି, ଯାହା ଜଣେ ଖ୍ରୀଷ୍ଟିୟାନ କିମ୍ବା ବାଇବଲ ବିଦ୍ୟାର୍ଥୀଙ୍କ ମନରେ ଆସିପାରେ ଏବଂ ସେମାନଙ୍କୁ ପ୍ରଲୋଭିତ କରିପାରେ । କିନ୍ତୁ ଏପରି ଆହୁରି ଇଚ୍ଛାଗୁଡ଼ିକ ରହିଛି, ଯାହା ସହ ଜଣେ ବ୍ୟକ୍ତିଙ୍କୁ ଲଢ଼ିବାକୁ ପଡ଼ିପାରେ । ଏହା ସତ ଯେ ଆମ ସମସ୍ତଙ୍କ ଜୀବନରେ ଏପରି ସମୟ ଆସେ ଯେବେ ଆମେ ପ୍ରେରିତ ପାଉଲଙ୍କ ଭଳି ଅନୁଭବ କରୁ, ଯିଏ ଲେଖିଲେ, “ଉତ୍ତମ କର୍ମ କରିବାକୁ ଇଚ୍ଛୁକ ଯେ ମୁଁ, ମୋʼ ନିକଟରେ ଯେ ମନ୍ଦ ଉପସ୍ଥିତ ।”—ରୋମୀ. ୭:୨୧.
ଆମକୁ କୌଣସି ବି ଜାଗାରେ ଏବଂ କୌଣସି ବି ସମୟରେ ଖରାପ ଇଚ୍ଛାଗୁଡ଼ିକ ଦ୍ୱାରା ପ୍ରଲୋଭିତ କରାଯାଇପାରିବ (ପାରାଗ୍ରାଫ ୨)c
୩. ଯଦି ଜଣେ ବ୍ୟକ୍ତିର ମନରେ ବାରମ୍ବାର ଖରାପ ଇଚ୍ଛାଗୁଡ଼ିକ ଆସେ, ତାହେଲେ ତାକୁ କʼଣ ଲାଗିପାରେ ?
୩ ଯଦି ଆପଣଙ୍କ ମନରେ ବାରମ୍ବାର ଖରାପ ଇଚ୍ଛାଗୁଡ଼ିକ ଆସେ, ତାହେଲେ ହୁଏତ ଆପଣ ନିଜକୁ ଅସହାୟ ଭାବିବେ ଏବଂ ଆପଣ ଏହା ବି ଭାବିପାରିବେ ଯେ ଏହି ଇଚ୍ଛାଗୁଡ଼ିକ ସହ ଲଢ଼ିବା ପାଇଁ ଆପଣଙ୍କ ପାଖରେ ଆଉ ଶକ୍ତି ନାହିଁ । ତାʼସହିତ ଏହି ଖରାପ ଇଚ୍ଛାଗୁଡ଼ିକ ଯୋଗୁଁ ଆପଣଙ୍କୁ ଏହା ବି ଲାଗିପାରେ ଯେ ଯିହୋବାଙ୍କ ଦୃଷ୍ଟିରେ ଆପଣ ଦୋଷୀ ଏବଂ ସେ ଆପଣଙ୍କୁ ଅନନ୍ତ ଜୀବନ ଦେବେ ନାହିଁ । କିନ୍ତୁ ଏପରି ଭାବିବା ଭୁଲ । ଏହି ଲେଖାରେ ଏହି କଥା ବିଷୟରେ ବୁଝାଇ ଦିଆଯାଇଛି । ଆମେ ଏହି ଦୁଇଟି ପ୍ରଶ୍ନ ଉପରେ ଚର୍ଚ୍ଚା କରିବା: (୧) ଆପଣଙ୍କୁ କାହିଁକି ଲାଗିପାରେ ଯେ ଆପଣ ଅସହାୟ, ଆପଣ ନିଜ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବେ ନାହିଁ ଏବଂ ଯିହୋବାଙ୍କ ଦୃଷ୍ଟିରେ ଆପଣ ଦୋଷୀ ଅଟନ୍ତି ? ଓ (୨) ଆପଣ କିପରି ନିଜ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ି ଜିତିପାରିବେ ?
ଶୟତାନ ଆମକୁ କʼଣ ଭରସା ଦେବା ପାଇଁ ଚାହେଁ ?
୪. (କ) ଶୟତାନ କାହିଁକି ଚାହେଁ ଯେ ଆମେ ଏହା ଭାବୁ ଯେ ଆମେ ନିଜ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ନାହିଁ ? (ଖ) ଆମେ କାହିଁକି କହିପାରିବା ଯେ ଆମେ ଏତେ ବି ଅସହାୟ ନାହୁଁ ଯେ ନିଜ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ନାହିଁ ?
୪ ଯେବେ ଆପଣ କୌଣସି ଖରାପ ଇଚ୍ଛା ଦ୍ୱାରା ପ୍ରଲୋଭିତ ହୁଅନ୍ତି, ତେବେ ଶୟତାନ ଚାହେଁ ଯେ ଆପଣ ଏହା ଭାବନ୍ତୁ ଯେ ଆପଣ ଅସହାୟ ଅଟନ୍ତି ଏବଂ ଆପଣ ଏହି ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବେ ନାହିଁ । ଯୀଶୁ ଏହି କଥା ଜାଣିଥିଲେ, ସେଥିପାଇଁ ସେ ନିଜ ଶିଷ୍ୟମାନଙ୍କୁ ଏହି ପ୍ରକାର ପ୍ରାର୍ଥନା କରିବା ପାଇଁ ଶିଖାଇଲେ, “ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ [“ଶୟତାନରୁ,” NWT] ରକ୍ଷା କର ।” (ମାଥି. ୬:୧୩) ଶୟତାନ ଦାବି କରେ ଯେ ଯଦି ଜଣେ ବ୍ୟକ୍ତିକୁ ପ୍ରଲୋଭିତ କରାଯାଏ, ତାହେଲେ ସେ ଯିହୋବାଙ୍କ ବିଶ୍ୱସ୍ତ ରହିବ ନାହିଁ । (ଆୟୁ. ୨:୪, ୫) କିନ୍ତୁ ସତ କଥା ଏହା ଯେ ଯେବେ ଶୟତାନର ମନରେ ଖରାପ ଇଚ୍ଛାଗୁଡ଼ିକ ଆସିଲା, ତେବେ ସେ ସେହି ଇଚ୍ଛାଗୁଡ଼ିକ ସହ ଲଢ଼ିବା ପରିବର୍ତ୍ତେ ତାହାର ଫାନ୍ଦରେ ପଡ଼ିଗଲା ଏବଂ ଯିହୋବାଙ୍କର ବିଶ୍ୱସ୍ତ ରହିଲା ନାହିଁ । ସେଥିପାଇଁ ଶୟତାନ ଭାବେ ଯେ ଆମ ମଣିଷମାନଙ୍କୁ ଯଦି ପ୍ରଲୋଭିତ କରାଯାଏ, ତାହେଲେ ଆମେ ଯିହୋବାଙ୍କୁ ଛାଡ଼ିଦେବା । ତାକୁ ଏହା ବି ଲାଗୁଥିଲା ଯେ ଯିହୋବାଙ୍କ ପରିପୂର୍ଣ୍ଣ ପୁତ୍ରଙ୍କୁ ପ୍ରଲୋଭିତ କରାଗଲେ, ସେ ବି ଯିହୋବାଙ୍କ ଆଜ୍ଞା ଭାଙ୍ଗି ଦେବେ । (ମାଥି. ୪:୮, ୯) କିନ୍ତୁ ଭାବନ୍ତୁ, କʼଣ ଆମେ ସତରେ ଏତେ ଅସହାୟ ଯେ ନିଜ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ନାହିଁ ? ଏପରି ନୁହଁ । ପ୍ରେରିତ ପାଉଲ ଲେଖିଲେ, “ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ ।” (ଫିଲିପ୍. ୪:୧୩) ସତରେ, ଯିହୋବାଙ୍କ ସାହାଯ୍ୟରୁ ଆମେ ନିଜର ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ।
୫. ଆମେ କାହିଁକି କହିପାରିବା ଯେ ଯିହୋବାଙ୍କୁ ଏହି କଥାର ପୂରା ଭରସା ଅଛି ଯେ ଆମେ ନିଜର ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ?
୫ ଯିହୋବା ଶୟତାନଠାରୁ ପୂରାପୂରି ଅଲଗା । ତାଙ୍କୁ ପୂରା ଭରସା ଅଛି ଯେ ଆମେ ନିଜର ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ଏବଂ ତାଙ୍କର ବିଶ୍ୱସ୍ତ ରହିପାରିବା । ଆମେ ଏପରି କାହିଁକି କହିପାରିବା ? କାରଣ ସେ ଆଗରୁ ହିଁ ବାଇବଲରେ ଲେଖାଇଛନ୍ତି ଯେ ତାଙ୍କ ବିଶ୍ୱସ୍ତ ଲୋକମାନଙ୍କର ଗୋଟିଏ ମହାଜନତା ମହାକ୍ଳେଶରୁ ରକ୍ଷା ପାଇ ବାହାରିବ । ଆମେ ଜାଣିଛୁ ଯେ ଯିହୋବା ମିଛ କହନ୍ତି ନାହିଁ । ଯଦି ସେ କହିଲେ ଯେ ଗୋଟିଏ ମହାଜନତା ନୂଆ ଦୁନିଆରେ ଯିବ, ତାʼଅର୍ଥ ତାଙ୍କୁ ପୂରା ଭରସା ଅଛି ଯେ ଅନେକ ଲୋକ ‘ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିବେ’ ଏବଂ ଯିହୋବାଙ୍କ ଦୃଷ୍ଟିରେ ଧାର୍ମିକ ସାବ୍ୟସ୍ତ ହେବେ । (ପ୍ରକା. ୭:୯, ୧୩, ୧୪) ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଯିହୋବା ଆମମାନଙ୍କୁ ଅସହାୟ ଭାବନ୍ତି ନାହିଁ ଏବଂ ତାଙ୍କୁ ପୂରା ଭରସା ଅଛି ଯେ ଆମେ ନିଜ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ।
୬-୭. ଶୟତାନ ଆମମାନଙ୍କୁ ଆଉ କେଉଁ କଥାର ଭରସା ଦେବା ପାଇଁ ଚାହେଁ ?
୬ ଶୟତାନ ଆମମାନଙ୍କୁ ଆଉ ଗୋଟିଏ କଥାର ଭରସା ଦେବା ପାଇଁ ଚାହେଁ । ଆମେ ଅପରିପୂର୍ଣ୍ଣ ହେବା ଯୋଗୁଁ ଆମ ମନରେ ଖରାପ ଇଚ୍ଛାଗୁଡ଼ିକ ଆସେ । ସେଥିପାଇଁ ଶୟତାନ ଚାହେଁ, ଆମେ ଏହା ମାନୁ ଯେ ଆମେ ଯିହୋବାଙ୍କ ଦୃଷ୍ଟିରେ ଦୋଷୀ ଏବଂ ସେ ଆମମାନଙ୍କୁ ଅନନ୍ତ ଜୀବନ ଦେବେ ନାହିଁ । କିନ୍ତୁ ସତ କଥା ଏହା ଯେ ଶୟତାନ ଯିହୋବାଙ୍କ ଦୃଷ୍ଟିରେ ଦୋଷୀ ଏବଂ ସେ ତାକୁ ଅନନ୍ତ ଜୀବନ ଦେବେ ନାହିଁ । ଯିହୋବା ତାକୁ ଦଣ୍ଡ ବି ଦେଇ ସାରିଛନ୍ତି । (ଆଦି. ୩:୧୫; ପ୍ରକା. ୨୦:୧୦) ଶୟତାନ ପାଖରେ କୌଣସି ଆଶା ନାହିଁ । ସେଥିପାଇଁ ସେ ଆମ ମଣିଷମାନଙ୍କୁ ଈର୍ଷା କରେ । କାରଣ ଆମ ପାଖରେ ଅନନ୍ତ ଜୀବନର ଆଶା ରହିଛି । ତେଣୁ ଶୟତାନ ଆମକୁ ଭରସା ଦେବା ପାଇଁ ଚାହେଁ ଯେ ଆମ ପାପୀ ମଣିଷମାନଙ୍କ ପାଖରେ କୌଣସି ଆଶା ନାହିଁ । କିନ୍ତୁ ଏହା ପୂରାପୂରି ମିଛ କଥା । ବାଇବଲରେ କୁହାଯାଇଛି ଯେ ଯିହୋବା ଆମମାନଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି ନାହିଁ, ବରଂ ସେ ଆମମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହାନ୍ତି । ବାଇବଲରେ ଲେଖାଅଛି, ‘ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ସେ ଇଚ୍ଛା କରନ୍ତି ।’—୨ ପିତ. ୩:୯.
୭ ଯଦି ଆମେ ନିଜକୁ ଅସହାୟ ଭାବୁ ଏବଂ ଏହା ବି ଭାବୁ ଯେ ଆମେ ନିଜ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ନାହିଁ କିମ୍ବା ଆମେ ଯିହୋବାଙ୍କ ଦୃଷ୍ଟିରେ ନିଜକୁ ଦୋଷୀ ବୋଲି ଭାବୁ, ତାହେଲେ ଶୟତାନ ଜିତିଯିବ । ଏପରି କାହିଁକି ? କାରଣ ଶୟତାନ ଚାହେଁ ଯେ ଆମେ ଏହିପରି ଭାବୁ । ଏବେ ଆମେ ବୁଝିଯାଇଛୁ ଯେ ଶୟତାନ କʼଣ ଚାହେଁ, ତେଣୁ ଆସନ୍ତୁ ତାʼର ମୁକାବିଲା କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେବା ।—୧ ପିତ. ୫:୮, ୯.
ପାପୀ ହେବା ଯୋଗୁଁ ଆମେ କʼଣ ଭାବିପାରୁ ?
୮. “ପାପ” ଶବ୍ଦର ଅର୍ଥ କʼଣ ? (ଗୀତସଂହିତା ୫୧:୫) (“ଏହାର ଅର୍ଥ କʼଣ ?” ମଧ୍ୟ ଦେଖନ୍ତୁ ।)
୮ ଯେପରି ଆମେ ଦେଖିଲୁ ଶୟତାନ ଚାହେଁ, ଆମେ ଏହା ଭାବୁ ଯେ ଆମେ ନିଜ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ନାହିଁ ଏବଂ ଏହି ଇଚ୍ଛାଗୁଡ଼ିକ ଯୋଗୁଁ ଆମେମାନେ ଯିହୋବାଙ୍କର ଦୃଷ୍ଟିରେ ଦୋଷୀ । କିନ୍ତୁ ଆଉ ଗୋଟିଏ କାରଣ ଯୋଗୁଁ ବି ଆମେ ଏପରି ଭାବିପାରୁ । ସେହି କାରଣଟି କʼଣ ? ତାହା ହେଉଛି, ଆଦମ ଓ ହବାଠାରୁ ଆମମାନଙ୍କୁ ଉତ୍ତରାଧିକାରୀ ଭାବେ ପାପ ମିଳିଛି ।a ତେଣୁ ପାପୀ ହେବା ଯୋଗୁଁ ଆମେ ଏପରି ଭାବିପାରୁ ।—ଆୟୁ. ୧୪:୪; ଗୀତସଂହିତା ୫୧:୫ ପଢ଼ନ୍ତୁ ।
୯-୧୦. (କ) ପାପ ଯୋଗୁଁ ଆଦମ ଓ ହବା ଉପରେ କʼଣ ପ୍ରଭାବ ପଡ଼ିଲା ? (ଚିତ୍ର ମଧ୍ୟ ଦେଖନ୍ତୁ ।) (ଖ) ପାପୀ ହେବା ଯୋଗୁଁ ଆମେ କିପରି ଅନୁଭବ କରୁ ?
୯ ପାପ ଯୋଗୁଁ ଆଦମ ଓ ହବା ଉପରେ କʼଣ ପ୍ରଭାବ ପଡ଼ିଲା ? ଯିହୋବାଙ୍କ ଆଜ୍ଞା ଭାଙ୍ଗିବା ପରେ ସେମାନେ ଲୁଚିବାକୁ ଲାଗିଲେ ଏବଂ ନିଜ ଶରୀରକୁ ଢାଙ୍କିବାକୁ ଲାଗିଲେ । ଇନସାଇଟ୍ ଓନ ଦା ସ୍କ୍ରିପଚରସ୍ ବହିରେ ଲେଖାଅଛି, “ପାପ ଯୋଗୁଁ ସେମାନେ ଦୁହେଁ [୧] ଦୋଷୀ ଅନୁଭବ କରିବାକୁ ଲାଗିଲେ, [୨] ସେମାନଙ୍କୁ ଚିନ୍ତା ହେବାକୁ ଲାଗିଲା, [୩] ସେମାନେ ଅଶାନ୍ତ ରହିବାକୁ ଲାଗିଲେ ଓ [୪] ସେମାନେ ଲଜ୍ଜା ଅନୁଭବ କରିବାକୁ ଲାଗିଲେ ।” ଏହା ଏମିତି ଥିଲା ଯେମିତି ଆଦମ ଓ ହବା ଏପରି ଗୋଟିଏ ଘରେ ବନ୍ଦ ହୋଇଗଲେ, ଯେଉଁଠି ମାତ୍ର ଚାରୋଟି କୋଠରୀ ଥିଲା । ସେମାନେ ଗୋଟିଏ କୋଠରୀରୁ ଅନ୍ୟ କୋଠରୀକୁ ଯାଇପାରିଥାʼନ୍ତେ, କିନ୍ତୁ ସେମାନେ କେବେ ବି ଘରୁ ବାହାରିପାରି ନ ଥାʼନ୍ତେ । ଏହାର ଅର୍ଥ ପାପୀ ହେବା ଯୋଗୁଁ ସେମାନେ ବେଳେବେଳେ ଦୋଷୀ ଅନୁଭବ କରନ୍ତେ, ସେମାନଙ୍କୁ ଚିନ୍ତା ହୁଅନ୍ତା, ସେମାନେ ଅଶାନ୍ତ ରହନ୍ତେ, ତ ଆଉ କେତେବେଳେ ସେମାନଙ୍କୁ ଲଜ୍ଜା ଅନୁଭବ ହୁଅନ୍ତା । କିନ୍ତୁ ସେମାନେ ଏହି ପାପୀ ପରିସ୍ଥିତିରୁ କେବେ ବି ମୁକ୍ତ ହୋଇପାରି ନ ଥାʼନ୍ତେ ।
୧୦ ଆଦମ ଓ ହବା ଏବଂ ଆମ ମଣିଷମାନଙ୍କ ମଧ୍ୟରେ ଗୋଟିଏ ପାର୍ଥକ୍ୟ ରହିଛି । ସେମାନଙ୍କୁ ମୁକ୍ତିର ମୂଲ୍ୟରୁ କୌଣସି ଲାଭ ମିଳିବ ନାହିଁ । କିନ୍ତୁ ଆମମାନଙ୍କୁ ଏଥିରୁ ଲାଭ ମିଳିପାରିବ । ଯେପରି, ଆମମାନଙ୍କୁ ନିଜ ପାପଗୁଡ଼ିକରୁ କ୍ଷମା ମିଳିପାରିବ ଏବଂ ଆମେ ଗୋଟିଏ ଶୁଦ୍ଧ ବିବେକ ସହ ଯିହୋବାଙ୍କର ସେବା କରିପାରିବା । (୧ କରି. ୬:୧୧) କିନ୍ତୁ ଏହା ବି ସତ ଯେ ଆଦମ ଓ ହବାଠାରୁ ଉତ୍ତରାଧିକାରୀ ଭାବେ ଆମମାନଙ୍କୁ ପାପ ମିଳିଛି । ସେଥିପାଇଁ ଆମଦ୍ୱାରା ଭୁଲ ହୋଇଗଲେ ଆମେ ନିଜକୁ ଦୋଷୀ ଭାବୁ, ଆମକୁ ଚିନ୍ତା ହୁଏ, ଆମେ ଅଶାନ୍ତ ରହୁ ଏବଂ ଲଜ୍ଜା ଅନୁଭବ କରୁ । ବାଇବଲରେ ଲେଖାଅଛି ଯେ ଆମେମାନେ “ଆଦମଙ୍କ ଆଜ୍ଞାଲଙ୍ଘନ ସଦୃଶ ପାପ କରି ନ ଥିଲେ,” ତଥାପି ପାପ ଆମ ଶରୀରରେ ରାଜତ୍ୱ କରୁଛି ଏବଂ ଆମେ ତାʼ ଗିରଫରେ ଅଛୁ । (ରୋମୀ. ୫:୧୪) କିନ୍ତୁ ଏପରି ନୁହେଁ ଯେ ଆମେ ନିଜ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ନାହିଁ କିମ୍ବା ଆମେ ଈଶ୍ୱରଙ୍କ ଦୃଷ୍ଟିରେ ଦୋଷୀ । ତଥାପି ବେଳେବେଳେ ଆମ ମନରେ ଏପରି ଭାବନା ଆସିପାରେ ଏବଂ ଆମେ ନିରାଶ ହୋଇପାରୁ । ଏପରି ସମୟରେ ଆମେ କʼଣ କରିପାରିବା ?
ପାପ କରିବା ଯୋଗୁଁ ଆଦମ ଓ ହବା ଦୋଷୀ ଅନୁଭବ କରିବାକୁ ଲାଗିଲେ, ସେମାନଙ୍କୁ ଚିନ୍ତା ହେବାକୁ ଲାଗିଲା, ସେମାନେ ଅଶାନ୍ତ ରହିବାକୁ ଲାଗିଲେ ଏବଂ ଲଜ୍ଜା ଅନୁଭବ କରିବାକୁ ଲାଗିଲେ (ପାରାଗ୍ରାଫ ୯)
୧୧. ଯଦି ଆମେ ଏପରି ଭାବୁ ଯେ ଆମେ ନିଜ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ନାହିଁ, ତାହେଲେ ଆମେ କʼଣ କରିବା ଉଚିତ୍ ଏବଂ କାହିଁକି ? (ରୋମୀୟ ୬:୧୨)
୧୧ ଆମ ପାପୀ ପରିସ୍ଥିତି ଯୋଗୁଁ ହୁଏତ ଆମେ ଭାବିପାରୁ ଯେ ଆମେ ନିଜ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ନାହିଁ । କିନ୍ତୁ ଆମମାନଙ୍କୁ ଏପରି ଭାବିବା ଉଚିତ୍ ନୁହଁ । କାହିଁକି ? କାରଣ ବାଇବଲରେ ଲେଖାଅଛି ଯେ ଆମେ ପାପକୁ ନିଜ ଶରୀରରେ “ରାଜତ୍ୱ” କରିବା ପାଇଁ ଦେବା ଉଚିତ୍ ନୁହଁ । (ରୋମୀୟ ୬:୧୨ ପଢ଼ନ୍ତୁ ।) ଏହାର ଅର୍ଥ ଯେବେ ଆମ ମନରେ ଖରାପ ଇଚ୍ଛାଗୁଡ଼ିକ ଆସେ, ତେବେ ଆମମାନଙ୍କୁ ସେହି କାମଗୁଡ଼ିକୁ କରିବା ଉଚିତ୍ ନୁହଁ । ଏହା ଆମ ଉପରେ ନିର୍ଭର କରେ ଯେ ଆମେ ନିଜ ଖରାପ ଇଚ୍ଛାଗୁଡ଼ିକ ଅନୁସାରେ କାମ କରିବା ନା ନାହିଁ । (ଗାଲା. ୫:୧୬) ଯିହୋବାଙ୍କୁ ପୂରା ଭରସା ଅଛି ଯେ ଆମମାନଙ୍କୁ ପ୍ରଲୋଭିତ କରାଗଲେ ମଧ୍ୟ ଆମେ ନିଜ ଖରାପ ଇଚ୍ଛାଗୁଡ଼ିକୁ ପ୍ରତିରୋଧ କରିପାରିବା । ଯଦି ସେ ଭରସା କରନ୍ତେ ନାହିଁ, ତାହେଲେ ସେ ଆମମାନଙ୍କୁ କେବେ ବି ଏପରି କରିବା ପାଇଁ କହି ନ ଥାʼନ୍ତେ । (ଦ୍ୱିବି. ୩୦:୧୧-୧୪; ରୋମୀ. ୬:୬; ୧ ଥେସ. ୪:୩) ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଆମେ ଏତେ ବି ଅସହାୟ ନାହୁଁ ଯେ ନିଜ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ନାହିଁ ।
୧୨. ଯଦି ଆମେ ଖରାପ ଇଚ୍ଛାଗୁଡ଼ିକ ଯୋଗୁଁ ନିଜକୁ ଯିହୋବାଙ୍କ ଦୃଷ୍ଟିରେ ଦୋଷୀ ବୋଲି ଭାବୁ, ତାହେଲେ ଆମମାନଙ୍କୁ କʼଣ କରିବା ଉଚିତ୍ ଏବଂ କାହିଁକି ?
୧୨ ସେହିପରି, ଯଦି ଆମେ ନିଜ ଖରାପ ଇଚ୍ଛାଗୁଡ଼ିକ ଯୋଗୁଁ ନିଜକୁ ଯିହୋବାଙ୍କ ଦୃଷ୍ଟିରେ ଦୋଷୀ ବୋଲି ଭାବୁ, ତାହେଲେ ଆମକୁ ଏପରି ଭାବିବା ଉଚିତ୍ ନୁହଁ । କାରଣ ବାଇବଲରେ ଲେଖାଅଛି ଯେ ଯିହୋବା ଆମେ ପାପୀ ବୋଲି ଭଲଭାବେ ବୁଝନ୍ତି । (ଗୀତ. ୧୦୩:୧୩, ୧୪) ସେ ଆମ ବିଷୟରେ “ସବୁ ଜାଣନ୍ତି ।” (୧ ଯୋହ. ୩:୧୯, ୨୦) ସେ ଜାଣନ୍ତି ଯେ ପାପୀ ହେବା ଯୋଗୁଁ ମଣିଷମାନଙ୍କଠାରେ ଖରାପ କାମ କରିବାର ଇଚ୍ଛା ଆସେ । କିନ୍ତୁ ଯଦି ଆମେ ଖରାପ ଇଚ୍ଛାଗୁଡ଼ିକ ଅନୁସାରେ କାମ କରିବା ନାହିଁ ଏବଂ ପାପଠାରୁ ଦୂରେଇ ରହିବା, ତାହେଲେ ଆମେମାନେ ଯିହୋବାଙ୍କ ଦୃଷ୍ଟିରେ ଧାର୍ମିକ ହୋଇ ରହିବା । ଆମେ କାହିଁକି ଏହି କଥା ଉପରେ ଭରସା କରିପାରିବା ?
୧୩-୧୪. ଯଦି କାହାରି ମନରେ ଖରାପ ଇଚ୍ଛାଗୁଡ଼ିକ ଆସେ, ତାହେଲେ କʼଣ ଏହାର ଅର୍ଥ ଯିହୋବା ତାଙ୍କଠାରୁ ଖୁସି ନାହାନ୍ତି ? ବୁଝାନ୍ତୁ ।
୧୩ ବାଇବଲରେ କୁହାଯାଇଛି ଯେ ଆମ ମନରେ ଖରାପ କାମ କରିବାର ଇଚ୍ଛା ଆସିବା ଏବଂ ତାʼଅନୁସାରେ କାମ କରିବା ମଧ୍ୟରେ ପାର୍ଥକ୍ୟ ରହିଛି । ଆମେ ନ ଚାହିଁଲେ ମଧ୍ୟ ଖରାପ ଇଚ୍ଛାଗୁଡ଼ିକ ଆମ ମନରେ ଆସିପାରେ, କିନ୍ତୁ ଆମେ ଏହି ଖରାପ ଇଚ୍ଛାଗୁଡ଼ିକ ଅନୁସାରେ କାମ କରିବାରୁ ନିଜକୁ ରୋକିପାରିବା । ଉଦାହରଣ ପାଇଁ, ପ୍ରଥମ ଶତାବ୍ଦୀରେ କରିନ୍ଥୀୟ ମଣ୍ଡଳୀର କିଛି ଲୋକ ଏପରି ଥିଲେ, ଯେଉଁମାନେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ସମଲିଙ୍ଗୀ ସମ୍ପର୍କ ରଖୁଥିଲେ । ସେମାନଙ୍କ ବିଷୟରେ ପାଉଲ କହିଲେ, “ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏହିପ୍ରକାର ଥିଲ ।” କିନ୍ତୁ କʼଣ ଏହାର ଅର୍ଥ ଖ୍ରୀଷ୍ଟିୟାନ ହେବା ପରେ ସେମାନଙ୍କ ମନରେ କେବେ ବି ଏପରି ଖରାପ କାମ କରିବାର ଭାବନା ଆସିଲା ନାହିଁ ? ଏପରି ଭାବିବା ଭୁଲ ହେବ, କାରଣ ଏପରି ଖରାପ ଇଚ୍ଛାଗୁଡ଼ିକ ଆମ ମନରୁ ବାହାର କରିବା ଏତେ ସହଜ ହୋଇ ନ ଥାଏ । ଏହି ଇଚ୍ଛାଗୁଡ଼ିକ ବାରମ୍ବାର ଆମ ମନରେ ଆସିପାରେ । କିନ୍ତୁ କରିନ୍ଥର ଯେଉଁ ଖ୍ରୀଷ୍ଟିୟାନମାନେ ସଂଯମ ରଖିଲେ ଏବଂ ନିଜ ଖରାପ ଇଚ୍ଛାଗୁଡ଼ିକ ଅନୁସାରେ କାମ କଲେ ନାହିଁ, ଯିହୋବା ସେମାନଙ୍କଠାରୁ ଖୁସି ଥିଲେ । ଆଉ ସେମାନେ ତାଙ୍କ ଦୃଷ୍ଟିରେ “ଧୌତ” ଅର୍ଥାତ୍ ଶୁଦ୍ଧ ଥିଲେ । (୧ କରି. ୬:୯-୧୧) ଆଜି ଆମେ ବି ଯିହୋବାଙ୍କ ଦୃଷ୍ଟିରେ ନିଜକୁ ଶୁଦ୍ଧ ରଖିପାରିବା ।
୧୪ ଯଦି ଆପଣ କୌଣସି ଖରାପ ଇଚ୍ଛା ସହ ଲଢ଼ୁଛନ୍ତି, ତାହେଲେ ଆପଣ ଜିତିପାରିବେ । ହୋଇପାରେ, ଆପଣ ସେହି ଇଚ୍ଛାକୁ ପୂରାପୂରି ଭାବରେ ନିଜ ମନରୁ କାଢ଼ିପାରିବେ ନାହିଁ, କିନ୍ତୁ ଆପଣ ସଂଯମ ରଖିପାରିବେ । ଆପଣ “ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ” କରିବାରୁ ନିଜକୁ ଦୂରେଇ ରଖିପାରିବେ । (ଏଫି. ୨:୩) ଆପଣ ଏହା କିପରି କରିପାରିବେ ? ଆସନ୍ତୁ ଜାଣିବା ।
ଆମେ କିପରି ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ?
୧୫. ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିବା ପାଇଁ ଆମେ କʼଣ କରିବା ଉଚିତ୍ ଏବଂ କାହିଁକି ?
୧୫ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିବା ପାଇଁ ଏହା ଜରୁରୀ ଯେ ଆପଣ ପ୍ରଥମେ ନିଜ ଦୁର୍ବଳତାଗୁଡ଼ିକୁ ମାନନ୍ତୁ ଏବଂ “ପ୍ରବଞ୍ଚନା” [“ମିଛ ତର୍କ,” NWT] ଦେଇ ନିଜକୁ ଧୋକା ଦିଅନ୍ତୁ ନାହିଁ । (ଯାକୁ. ୧:୨୨) ଯେପରି ହୋଇପାରେ, ଆପଣ ଅତ୍ୟଧିକ ମଦ ପିଅନ୍ତି, କିନ୍ତୁ ଆପଣ ନିଜକୁ ମିଛ ତର୍କ ଦେଇ କହନ୍ତି ଯେ ‘ମୁଁ କଉଠି ଏତେ ପିଏ, ଅନ୍ୟମାନେ ତ ମୋଠାରୁ ଅଧିକ ପିଅନ୍ତି ।’ କିମ୍ବା ହୁଏତ ଆପଣଙ୍କର ବିବାହ ହୋଇଯାଇଛି ଏବଂ ଆପଣଙ୍କୁ ପର୍ନୋଗ୍ରାଫି ଦେଖିବାର ଅଭ୍ୟାସ ଅଛି, ଏପରି ସମୟରେ ଆପଣ ହୁଏତ ନିଜକୁ କହିବେ, ‘ଯଦି ମୋ ସ୍ତ୍ରୀ ମୋତେ ପ୍ରେମ କରନ୍ତା ଏବଂ ମୋ ଆଡ଼େ ଧ୍ୟାନ ଦିଅନ୍ତା, ତାହେଲେ ଅଶ୍ଳୀଳ ଚିତ୍ରଗୁଡ଼ିକ ଦେଖିବା ପାଇଁ ମୋତେ ଇଚ୍ଛା ହୁଅନ୍ତା ନାହିଁ ।’ ଯଦି ଆପଣ ନିଜକୁ ଏହିପରି ଭାବେ ମିଛ ତର୍କ ଦେବେ, ତାହେଲେ ଆପଣ ସହଜରେ ଖରାପ କାମ କରିବେ । ସେଥିପାଇଁ ଆପଣଙ୍କ ମନରେ ବି ଖରାପ କାମଗୁଡ଼ିକୁ ଠିକ୍ ବୋଲି ପ୍ରମାଣିତ କରନ୍ତୁ ନାହିଁ । ନିଜ ଭୁଲଗୁଡ଼ିକୁ ମାନନ୍ତୁ ଏବଂ ସୁଧାର କରନ୍ତୁ ।—ଗାଲା. ୬:୭.
୧୬. ଆପଣ କିପରି ସଠିକ୍ କାମ କରିବାର ନିଜ ନିଷ୍ପତ୍ତିକୁ ଦୃଢ଼ କରିପାରିବେ ?
୧୬ ନିଜ ଦୁର୍ବଳତାଗୁଡ଼ିକୁ ମାନିବା ସହ ଏହା ବି ଜରୁରୀ ଯେ ଆପଣ ନିଜ ଖରାପ ଇଚ୍ଛାଗୁଡ଼ିକ ଆଗରେ ହାର ମାନିବେ ନାହିଁ ବୋଲି ଦୃଢ଼ ନିଷ୍ପତ୍ତି ନିଅନ୍ତୁ । (୧ କରି. ୯:୨୬, ୨୭; ୧ ଥେସ. ୪:୪; ୧ ପିତ. ୧:୧୫, ୧୬) ଏହାପାଇଁ ଆପଣ କʼଣ କରିପାରିବେ ? ସବୁଠୁ ପ୍ରଥମେ ଆପଣଙ୍କର କʼଣ ଦୁର୍ବଳତା ରହିଛି, ତାହା ଭାବନ୍ତୁ । ଏହା ବି ଭାବନ୍ତୁ ଯେ ଆପଣ କେଉଁ ପରିସ୍ଥିତିରେ ଏବଂ କେଉଁ ସମୟରେ ପ୍ରଲୋଭିତ ହୋଇପାରିବେ ? ଯେପରି, ଆପଣ ଯେବେ ବହୁତ ଥକି ଥାʼନ୍ତି, କʼଣ ସେସମୟରେ ଆପଣଙ୍କୁ ଖରାପ କାମ କରିବା ପାଇଁ ପ୍ରଲୋଭିତ କରାଯାଇପାରେ ? କିମ୍ବା ଆପଣଙ୍କୁ ଅଧରାତିରେ ଖରାପ କାମ କରିବା ପାଇଁ ଇଚ୍ଛା ହୋଇପାରେ ? ଏହାପରେ ଭାବନ୍ତୁ ଯେ ଏପରି ପରିସ୍ଥିତିରେ ଆପଣ କʼଣ କରିବେ ? ଏହିପରି ପୂର୍ବରୁ ଭାବିଲେ ଆପଣ ପରୀକ୍ଷାରେ ପଡ଼ିବେ ନାହିଁ ।—ହିତୋ. ୨୨:୩.
୧୭. ଆମେ ଯୋଷେଫଙ୍କଠାରୁ କʼଣ ଶିଖିପାରିବା ? (ଆଦି ପୁସ୍ତକ ୩୯:୭-୯) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୭ ଏବିଷୟରେ ଭାବନ୍ତୁ, ଯେବେ ପୋଟୀଫରଙ୍କ ସ୍ତ୍ରୀ ଯୋଷେଫଙ୍କୁ ପ୍ରଲୋଭିତ କରିବା ପାଇଁ ଚେଷ୍ଟା କଲା, ତେବେ ଯୋଷେଫ କʼଣ କଲେ । ସେ ତୁରନ୍ତ ମନା କରିଦେଲେ ଏବଂ ସେଠାରୁ ପଳାଇଗଲେ । (ଆଦି ପୁସ୍ତକ ୩୯:୭-୯ ପଢ଼ନ୍ତୁ ।) ଏଥିରୁ କʼଣ ଜଣାପଡ଼େ ? ଏଥିରୁ ଜଣାପଡ଼େ ଯେ ଯୋଷେଫ ପୂର୍ବରୁ ଭାବିଥିଲେ ଯେ ସେ କୌଣସି ପରସ୍ତ୍ରୀ ସହ ଯୌନ ସମ୍ପର୍କ ରଖିବେ ନାହିଁ । ଠିକ୍ ସେହିଭଳି ଆମମାନଙ୍କୁ ବି ପୂର୍ବରୁ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍ ଯେ ଯଦି ଆମକୁ ପ୍ରଲୋଭିତ କରାଯାଏ, ତାହେଲେ ଆମେ କʼଣ କରିବା । ଯଦି ଆମେ ଏପରି କରିବା, ତାହେଲେ ଆମକୁ ପ୍ରଲୋଭିତ କରାଗଲେ ମଧ୍ୟ ଆମେ ସଠିକ୍ ପଦକ୍ଷେପ ଉଠାଇପାରିବା, କାରଣ ଆମେ ପୂର୍ବରୁ ସେବିଷୟରେ ଭାବି ପ୍ରସ୍ତୁତ ଥିବା ।
ପାପ କରିବା ପାଇଁ ପ୍ରଲୋଭିତ କରାଗଲେ ଯୋଷେଫଙ୍କ ଭଳି ତୁରନ୍ତ ପଦକ୍ଷେପ ନିଅନ୍ତୁ ! (ପାରାଗ୍ରାଫ ୧୭)
ଲଗାତାର ନିଜକୁ ଯାଞ୍ଚ କରନ୍ତୁ
୧୮. ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ି ଜିତିବା ପାଇଁ ଆପଣ କʼଣ କରିପାରିବେ ? (୨ କରିନ୍ଥୀୟ ୧୩:୫)
୧୮ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ି ଜିତିବା ପାଇଁ “ଆପଣା ଆପଣାକୁ ପରୀକ୍ଷା” କରିବା ଜରୁରୀ । ଏହାର ଅର୍ଥ, ଆମକୁ ନିଜ ଦୁର୍ବଳତାଗୁଡ଼ିକ ବିଷୟରେ ସମୟେ ସମୟେ ଯାଞ୍ଚ କରିବା ଉଚିତ୍ । (୨ କରିନ୍ଥୀୟ ୧୩:୫ ପଢ଼ନ୍ତୁ ।) ଆମେ ଏହା କିପରି କରିପାରିବା ? ଆମକୁ ନିଜର ଚିନ୍ତାଧାରା ଓ କାମଗୁଡ଼ିକୁ ଯାଞ୍ଚ କରିବା ଉଚିତ୍ ଏବଂ ଯଦି କିଛି ସୁଧାର କରିବା ଦରକାର, ତାହେଲେ ଆମକୁ ସୁଧାର କରିବା ଉଚିତ୍ । ଭାବନ୍ତୁ, ଆପଣଙ୍କ ମନରେ କୌଣସି ଖରାପ ଇଚ୍ଛା ଆସିଥିବ ଏବଂ ଆପଣ ତାହାକୁ ପ୍ରତିରୋଧ କରିଥିବେ । ତଥାପି ନିଜକୁ ପଚାରନ୍ତୁ: ‘ଏହାକୁ ପ୍ରତିରୋଧ କରିବା ପାଇଁ ମୋତେ କେତେ ସମୟ ଲାଗିଲା ?’ ଯଦି ଆପଣଙ୍କୁ ଏଥିରେ ଅଧିକ ସମୟ ଲାଗିଲା, ତାହେଲେ ନିଜକୁ ଦୋଷୀ ଭାବନ୍ତୁ ନାହିଁ । ଏହା ପରିବର୍ତ୍ତେ ଭାବନ୍ତୁ ଯେ ଆପଣ ଆରଥରକୁ ଏହାକୁ ତୁରନ୍ତ ପ୍ରତିରୋଧ କରିବା ପାଇଁ କʼଣ କରିପାରିବେ । ଏହାପାଇଁ ଆପଣ ନିଜକୁ ଏପରି ପ୍ରଶ୍ନ ପଚାରିପାରିବେ: ‘କʼଣ ମୁଁ ଖରାପ ଇଚ୍ଛାଗୁଡ଼ିକୁ ଆହୁରି ଶୀଘ୍ର ପ୍ରତିରୋଧ କରିପାରିବି ? ମୁଁ ଯେପରି ମନୋରଞ୍ଜନ କରେ, କʼଣ ଏହାଯୋଗୁଁ ମୋତେ ଏଗୁଡ଼ିକୁ ପ୍ରତିରୋଧ କରିବା ପାଇଁ କଠିନ ତ ଲାଗୁନି ? ଯଦି ମୋ ସାମନାରେ କୌଣସି ଅଶ୍ଳୀଳ ଦୃଶ୍ୟ ଆସେ, ତାହେଲେ କʼଣ ମୁଁ ତୁରନ୍ତ ନିଜର ଆଖି ସେଠାରୁ ଫେରାଇ ନିଏ ? ଯିହୋବା ଚାହାନ୍ତି ଯେ ମୁଁ ସଂଯମ ରଖେ, କିନ୍ତୁ ଏଥିରେ ପରିଶ୍ରମ ଲାଗେ, ତଥାପି କʼଣ ମୁଁ ଏହା ମାନେ ଯେ ଯିହୋବାଙ୍କ କଥା ମାନିଲେ ମୋତେ ଲାଭ ହେବ ?’—ଗୀତ. ୧୦୧:୩.
୧୯. ଛୋଟ ଛୋଟ ଭୁଲ ନିଷ୍ପତ୍ତି ନେବା ଦ୍ୱାରା କିପରି ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିବା କଠିନ ହୋଇପାରେ ?
୧୯ ନିଜକୁ ଯାଞ୍ଚ କରିବା ସମୟରେ ଧ୍ୟାନ ରଖନ୍ତୁ ଯେ ଆପଣ ନିଜ ଭୁଲଗୁଡ଼ିକୁ ଠିକ୍ ବୋଲି ପ୍ରମାଣିତ କରନ୍ତୁ ନାହିଁ । ବାଇବଲରେ ଲେଖାଅଛି, “ଅନ୍ତଃକରଣ ସବୁଠାରୁ କପଟମୟ ।” (ଯିରି. ୧୭:୯) ଯୀଶୁ ବି କହିଥିଲେ ଯେ ଅନ୍ତଃକରଣରୁ ହିଁ “କୁଚିନ୍ତା” ଆସେ । (ମାଥି. ୧୫:୧୯) ଉଦାହରଣ ପାଇଁ, ଯେଉଁ ବ୍ୟକ୍ତି ପର୍ନୋଗ୍ରାଫି ଦେଖିବା ଛାଡ଼ି ଦେଇଛି, ସେ ହୁଏତ କିଛି ସମୟ ପରେ ଏପରି ଚିତ୍ରଗୁଡ଼ିକୁ ଦେଖିବାକୁ ଲାଗିବ ଯାହା ତାକୁ ଅଶ୍ଳୀଳ ଲାଗିବ ନାହିଁ ଏବଂ ସେ ନିଜକୁ ହିଁ ଠକି କହିବ, ‘ଏହି ଚିତ୍ରଗୁଡ଼ିକ ଏତେ ବି ଖରାପ ନୁହେଁ, ଏଥିରେ କାହାରି ବି ନଗ୍ନ ଚିତ୍ର ଦେଖାଇ ଦିଆଯାଇ ନାହିଁ ।’ କିମ୍ବା ଏହା ବି ହୋଇପାରେ ଯେ ସେ ଖରାପ କାମଗୁଡ଼ିକ କରିବାର ସ୍ୱପ୍ନ ଦେଖୁଥିବ ଏବଂ ଭାବିବ, ‘ଏଥିରେ କʼଣ ଭୁଲ ଅଛି ? ମୁଁ ତ କେବଳ ଏବିଷୟରେ ଭାବୁଛି, ସତରେ ଏପରି କାମ କରୁନି ।’ ଏହା ଏମିତି ହେବ ଯେମିତି ତାʼର କପଟମୟ ହୃଦୟ “ଶରୀର ନିମନ୍ତେ ଆୟୋଜନ” କରୁଅଛି । (ରୋମୀ. ୧୩:୧୪) ଆପଣ ଏପରି କରିବାରୁ କିପରି ଦୂରେଇ ରହିପାରିବେ ? ମନେ ରଖନ୍ତୁ, ଛୋଟ ଛୋଟ ଭୁଲ ନିଷ୍ପତ୍ତି ନେବା ଦ୍ୱାରା ଆପଣ କୌଣସି ବଡ଼ ଭୁଲ କରିପାରିବେ, ସେଥିପାଇଁ ବୁଝିବିଚାରି ପ୍ରତ୍ୟେକ ନିଷ୍ପତ୍ତି ନିଅନ୍ତୁ ।b ଖରାପ କାମଗୁଡ଼ିକ ପାଇଁ ବାହାନା କରନ୍ତୁ ନାହିଁ, ବରଂ ସେହି ‘କୁଚିନ୍ତାଗୁଡ଼ିକୁ’ ଶୀଘ୍ର ପ୍ରତିରୋଧ କରନ୍ତୁ ।
୨୦. ନୂଆ ଦୁନିଆ ପାଇଁ ଆମେ କʼଣ ଆଶା ରଖିପାରିବା ଏବଂ ଆଜି ଆମେ କିପରି ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ?
୨୦ ଯେପରି ଆମେ ଶିଖିଲୁ, ଯିହୋବା ଆମକୁ ଖରାପ ଇଚ୍ଛାଗୁଡ଼ିକୁ ପ୍ରତିରୋଧ କରିବା ପାଇଁ ଶକ୍ତି ଦିଅନ୍ତି । ଆମେ ଯିହୋବାଙ୍କର ବହୁତ କୃତଜ୍ଞ ଯେ ସେ ଆମ ପାଇଁ ମୁକ୍ତିର ମୂଲ୍ୟର ବ୍ୟବସ୍ଥା କରିଛନ୍ତି, ଯାହାଫଳରେ ଆମେ ନୂଆ ଦୁନିଆରେ ଅନନ୍ତ ଜୀବନ ପାଇପାରିବା । ଭାବନ୍ତୁ, ନୂଆ ଦୁନିଆରେ ଆମମାନଙ୍କୁ ପୁଣି କେବେ ବି ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିବାକୁ ପଡ଼ିବ ନାହିଁ । ସେସମୟରେ ଯିହୋବାଙ୍କର ସେବା କରି ଆମକୁ କେତେ ଖୁସି ମିଳିବ ! କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ଆମେ ପୂରା ଭରସା ରଖିପାରିବା ଯେ ଆମେ ଏହି ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା । ଆମେ ଏହି ଖରାପ ଇଚ୍ଛାଗୁଡ଼ିକ ଯୋଗୁଁ ଅସହାୟ ନାହୁଁ ଏବଂ ଏହି ଇଚ୍ଛାଗୁଡ଼ିକ ଯୋଗୁଁ ଯିହୋବା ଆମକୁ ଦୋଷୀ ସାବ୍ୟସ୍ତ କରନ୍ତି ନାହିଁ । ଏଗୁଡ଼ିକ ସହ ଲଢ଼ିବା ପାଇଁ ଆମେ ଯେଉଁ ପରିଶ୍ରମ କରୁଛୁ, ଯିହୋବା ସେଗୁଡ଼ିକ ଉପରେ ଆଶିଷ ଦେବେ । ଭରସା ରଖନ୍ତୁ, ଆମେ ଏହି ଇଚ୍ଛାଗୁଡ଼ିକ ସହ ନିଶ୍ଚୟ ଲଢ଼ିପାରିବା !
ଗୀତ ୧୨୨ ଦୃଢ଼ ରୁହ
a ଏହାର ଅର୍ଥ କʼଣ ? ଯେବେ ଜଣେ ମଣିଷ ଭୁଲ କାମ କରେ ଯେପରି, ଚୋରି କରେ, ବ୍ୟଭିଚାର କରେ କିମ୍ବା କାହାରି ହତ୍ୟା କରେ, ତେବେ ତାହାକୁ ବାଇବଲରେ “ପାପ” ବୋଲି କୁହାଯାଇଛି । (ଯାତ୍ରା. ୨୦:୧୩-୧୫; ୧ କରି. ୬:୧୮) ବାଇବଲର ଆଉ କିଛି ପଦରେ ଆମ ଅପରିପୂର୍ଣ୍ଣ କିମ୍ବା ପାପୀ ପରିସ୍ଥିତିକୁ ମଧ୍ୟ “ପାପ” ବୋଲି କୁହାଯାଇଛି । ପାପ ଆମଠାରେ ଜନ୍ମରୁ ଅଛି, ଏହା ଆମକୁ ଆଦମ ଓ ହବାଙ୍କଠାରୁ ମିଳିଛି । ସେଥିପାଇଁ ଆମେ କୌଣସି ଭୁଲ କାମ ନ କଲେ ମଧ୍ୟ ପାପୀ ଅଟୁ ।
b ଧ୍ୟାନ ଦିଅନ୍ତୁ ଯେ ହିତୋପଦେଶ ୭:୭-୨୩ ପଦରେ କୁହାଯାଇଥିବା ଯୁବା କିପରି ଛୋଟ ଛୋଟ ଭୁଲ ନିଷ୍ପତ୍ତି ନେବା ଯୋଗୁଁ ଅନୈତିକ ଯୌନ ସମ୍ପର୍କ ରଖିବାର ବଡ଼ ପାପ କଲା ।
c ଚିତ୍ର ବିଷୟରେ: ବାମପଟେ: ଜଣେ ଯୁବା ଭାଇ କଫି ସପରେ ବସିଛନ୍ତି ଏବଂ ଦୁଇଜଣ ପୁରୁଷ ପରସ୍ପରକୁ ପ୍ରେମ କରୁଛନ୍ତି । ଡାହାଣ ପଟେ: ଦୁଇଜଣ ବ୍ୟକ୍ତି ସିଗାରେଟ୍ ପିଉଛନ୍ତି ଏବଂ ଜଣେ ଭଉଣୀ ସେମାନଙ୍କୁ ଦେଖୁଛନ୍ତି ।