ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଅକ୍ଟୋବର ପୃଷ୍ଠା ୬-୧୧
  • କେବଳ ଯିହୋବା ପ୍ରକୃତ ଖୁସି ଦେଇପାରିବେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କେବଳ ଯିହୋବା ପ୍ରକୃତ ଖୁସି ଦେଇପାରିବେ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • କିଏ ପ୍ରକୃତ ଖୁସି ଦେଇପାରିବ ?
  • କେଉଁ କାରଣଗୁଡ଼ିକରୁ ଆମ ଖୁସି ଚାଲିଯାଇପାରେ ଏବଂ ଆମେ କିପରି ତାହାକୁ ପାଇପାରିବା ?
  • ପ୍ରଚାର କାମରେ ଆହୁରି ଖୁସି ପାଆନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଅନ୍ୟମାନଙ୍କୁ ଦେଲେ ବହୁତ ଖୁସି ମିଳେ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ବିଶ୍ୱସ୍ତ ସେବକମାନଙ୍କଠାରୁ ଶିଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଅକ୍ଟୋବର ପୃଷ୍ଠା ୬-୧୧

ଅଧ୍ୟୟନ ଲେଖା ୪୦

ଗୀତ ୧୧୧ ଆମ ଖୁସିର କାରଣ

କେବଳ ଯିହୋବା ପ୍ରକୃତ ଖୁସି ଦେଇପାରିବେ

‘ମୁଁ ମୋହର ପରମାନନ୍ଦଜନକ ପରମେଶ୍ୱରଙ୍କ ନିକଟକୁ ଯିବି ।’—ଗୀତ. ୪୩:୪.

କʼଣ ଶିଖିବା ?

ଆମେ ଜାଣିବା ଯେ କେଉଁ କାରଣଗୁଡ଼ିକରୁ ଆମ ଖୁସି ଚାଲିଯାଇପାରେ ଏବଂ ଆମେ କିପରି ପୁଣିଥରେ ନିଜର ଖୁସି ପାଇପାରିବା ।

୧-୨. (କ) ଆଜି ଅନେକ ଲୋକ କିପରି ଅନୁଭବ କରନ୍ତି ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?

ଆଜି ଦୁନିଆର ଲୋକମାନେ ଖୁସି ରହିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରହନ୍ତି, କିନ୍ତୁ ସେମାନେ ଖୁସି ରହିପାରନ୍ତିନି । ଅନେକ ଲୋକ ନିଜ ଜୀବନରେ ଏକୁଟିଆ ଅନୁଭବ କରନ୍ତି ଏବଂ ନିରାଶ ଥାʼନ୍ତି । ବେଳେବେଳେ ଯିହୋବାଙ୍କ ସେବକମାନଙ୍କ ସହିତ ବି ଏମିତି ହୋଇପାରେ । ସେମାନଙ୍କୁ ହୁଏତ ଏପରି ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ, ଯାହାଯୋଗୁଁ ସେମାନେ ନିରାଶ ହୋଇପାରନ୍ତି କିମ୍ବା ସେମାନଙ୍କ ଖୁସି ଚାଲିଯାଇପାରେ । କିନ୍ତୁ ଆମେ ଆଶ୍ଚର୍ଯ୍ୟ ହୋଇ ନ ଥାଉ, କାରଣ ଆମେ “ଶେଷକାଳରେ” ବଞ୍ଚୁଛୁ ଏବଂ ଏପରି ସମସ୍ୟାଗୁଡ଼ିକର ସାମନା କରିବା ଆମକୁ ବହୁତ କଠିନ ଲାଗିପାରେ ଓ ଆମେ ବହୁତ ଦୁଃଖି କିମ୍ବା ନିରାଶ ହୋଇପାରୁ ।—୨ ତୀମ. ୩:୧.

୨ ଏହି ଲେଖାରେ ଆମେ ଜାଣିବା ଯେ କେଉଁ କାରଣଗୁଡ଼ିକ ଯୋଗୁଁ ଆମ ଖୁସି ଚାଲିଯାଇପାରେ ଏବଂ ଆମେ କିପରି ପୁଣିଥରେ ନିଜର ଖୁସି ପାଇପାରିବା । କିନ୍ତୁ ପ୍ରଥମେ ଆମେ ଜାଣିବା ଯେ କିଏ ଆମକୁ ପ୍ରକୃତ ଖୁସି ଦେଇପାରିବେ ।

କିଏ ପ୍ରକୃତ ଖୁସି ଦେଇପାରିବ ?

୩. ଯିହୋବାଙ୍କ ସୃଷ୍ଟିରୁ ଆମକୁ ତାଙ୍କ ବିଷୟରେ କʼଣ ଜଣାପଡ଼େ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୩ ଯିହୋବା ସବୁବେଳେ ଖୁସିରେ ରହନ୍ତି ଏବଂ ସେ ଚାହାନ୍ତି ଯେ ଆମେ ବି ଖୁସିରେ ରହୁ । ଏହା ଆମକୁ ତାଙ୍କର ସୃଷ୍ଟିରୁ ସ୍ପଷ୍ଟ ଜଣାପଡ଼େ । ଏବିଷୟରେ ଟିକିଏ ଭାବନ୍ତୁ, ଯିହୋବା ଏହି ପୃଥିବୀକୁ କେତେ ସୁନ୍ଦର ଭାବେ ସୃଷ୍ଟି କରିଛନ୍ତି । ଏଥିରେ ଥିବା ବିଭିନ୍ନ ପ୍ରକାରର ରଙ୍ଗକୁ ଦେଖି, ଜୀବଜନ୍ତୁମାନଙ୍କର ମଜାମସ୍ତି ଏବଂ ସେମାନଙ୍କର ଖେଳକୁଦ ଦେଖି, ଆମକୁ ବହୁତ ଖୁସି ଲାଗେ । ତାʼସହିତ ଯିହୋବା ଖାଇବା ପାଇଁ ଆମକୁ ବିଭିନ୍ନ ପ୍ରକାରର ଖାଦ୍ୟ ଦେଇଛନ୍ତି ଏବଂ ଏହାର କୌଣସି ଅଭାବ ନାହିଁ । ଏଗୁଡ଼ିକରୁ ଜଣାପଡ଼େ ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି ଏବଂ ସେ ଚାହାନ୍ତି ଯେ ଆମେ ଜୀବନର ପୂରା ମଜା ନେଉ ।

ଚିତ୍ରଗୁଡ଼ିକ: ବିଭିନ୍ନ ପ୍ରକାରର ଜୀବଜନ୍ତୁ ମଜାମସ୍ତି କରୁଛନ୍ତି । ୧. ଗୋଟିଏ ଛୋଟ ହାତୀ ପାଣିରେ ଖେଳୁଛି । ୨. ପେଙ୍ଗୁଇନ୍‌ ଛୁଆ ବରଫରେ ଧୀରେ ଧୀରେ ଚାଲୁଛି । ୩. ଛେଳି ଛୁଆ ଖୋଲା ପଡ଼ିଆରେ ଡେଉଁଛନ୍ତି । ୪. ଡଲଫିନ୍‌ ପାଣିରେ ଡେଉଁଛି ।

ଗୋଟିଏ ଛୋଟ ହାତୀ: Image © Romi Gamit/Shutterstock; ପେଙ୍ଗୁଇନ୍‌ ଛୁଆ: Vladimir Seliverstov/500px via Getty Images; ଛେଳି ଛୁଆ: Rita Kochmarjova/stock.adobe.com; ଦୁଇଟି ଡଲଫିନ୍‌: georgeclerk/E+ via Getty Images

ଜୀବଜନ୍ତୁ ଯେପରି ଭାବେ ମଜାମସ୍ତି କରନ୍ତି ଏବଂ ଖେଳକୁଦ କରନ୍ତି, ସେଥିରୁ ଜଣାପଡ଼େ ଯେ ଯିହୋବା ଆନନ୍ଦିତ ଈଶ୍ୱର ଅଟନ୍ତି (ପାରାଗ୍ରାଫ ୩)


୪. (କ) ଯିହୋବା କାହିଁକି ଲୋକମାନଙ୍କର କଷ୍ଟଗୁଡ଼ିକୁ ଦେଖିବା ସତ୍ତ୍ୱେ ଖୁସି ରହନ୍ତି ? (ଖ) ଯିହୋବା କିପରି ଆମକୁ ସାହାଯ୍ୟ କରନ୍ତି ? (ଗୀତସଂହିତା ୧୬:୧୧)

୪ ଯିହୋବା “ଆନନ୍ଦିତ ଈଶ୍ୱର” ଅଟନ୍ତି, କିନ୍ତୁ ସେ ଦୁନିଆର ଲୋକମାନଙ୍କ କଷ୍ଟ ଏବଂ ସେମାନଙ୍କର କ୍ରନ୍ଦନ ଭଲଭାବେ ବୁଝନ୍ତି । (୧ ତୀମ. ୧:୧୧, NWT) ତଥାପି ସେ ନିଜ ଖୁସି କମ୍‌ ହେବା ପାଇଁ ଦିଅନ୍ତି ନାହିଁ । ସେ ଜାଣନ୍ତି ଯେ ଏହି କଷ୍ଟଗୁଡ଼ିକ କେବଳ କିଛି ସମୟ ପାଇଁ ରହିଛି ଏବଂ ସେ ଏଗୁଡ଼ିକୁ ଶେଷ କରିବା ପାଇଁ ତାରିଖ ନିର୍ଦ୍ଧାରିତ କରିସାରିଛନ୍ତି । ଏହାଛଡ଼ା ସେ ସେହି ସମୟର ଅପେକ୍ଷା କରୁଛନ୍ତି, ଯେବେ ସେ ସବୁ ଦୁଃଖକଷ୍ଟକୁ ଦୂର କରିଦେବେ ଏବଂ ଆମ ଜୀବନ ଖୁସିରେ ଭରିଦେବେ । କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ସେ ଆମକୁ ଏକୁଟିଆ ଛାଡ଼ି ନାହାନ୍ତି । ସେ ଆମ କଷ୍ଟଗୁଡ଼ିକୁ ଭଲଭାବେ ବୁଝନ୍ତି ଏବଂ ଆମକୁ ସାହାଯ୍ୟ କରନ୍ତି । ତାହା କିପରି ? ସେ ଆମକୁ ଖୁସି ଦିଅନ୍ତି । (ଗୀତସଂହିତା ୧୬:୧୧ ପଢ଼ନ୍ତୁ ।) ଆସନ୍ତୁ ଜାଣିବା ଯେ ଯିହୋବା ନିଜ ପୁତ୍ର ଯୀଶୁଙ୍କୁ କିପରି ଏହି ଖୁସି ଦେଲେ ।

୫-୬. ଯୀଶୁ କାହିଁକି ସବୁବେଳେ ଖୁସିରେ ରହନ୍ତି ? ଏହାର କିଛି କାରଣ କହନ୍ତୁ ।

୫ ପୂରା ବିଶ୍ୱରେ ଯିହୋବାଙ୍କ ପରେ କିଏ ସବୁଠୁ ବେଶୀ ଖୁସିରେ ଅଛନ୍ତି ? ତାଙ୍କର ପୁଅ, ଯୀଶୁ । ଆମେ ଏପରି କାହିଁକି କହିପାରିବା ? ଏହାର ଦୁଇଟି କାରଣ ଉପରେ ଧ୍ୟାନ ଦିଅନ୍ତୁ: (୧) “ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି” ଏବଂ ପ୍ରତ୍ୟେକ କ୍ଷେତ୍ରରେ ସେ ନିଜ ପିତା ଯିହୋବାଙ୍କ ଭଳି ଅଟନ୍ତି । (କଲ. ୧:୧୫) (୨) ସେ ଖୁସିର ସ୍ରୋତ ଅର୍ଥାତ୍‌ ନିଜ ପିତା ଯିହୋବାଙ୍କ ସହିତ ସବୁଠୁ ଅଧିକ ସମୟ ବିତାଇଛନ୍ତି ।

୬ ଏହା ବ୍ୟତୀତ, ଯୀଶୁଙ୍କୁ ନିଜ ପିତାଙ୍କ କଥା ମାନିବାରୁ ଖୁସି ମିଳେ । ତାଙ୍କ ପିତା ତାଙ୍କୁ ଯାହା ବି କରିବା ପାଇଁ କହନ୍ତି, ସେ ତାହାକୁ ପୂରା କରନ୍ତି । (ହିତୋ. ୮:୩୦, ୩୧; ଯୋହ. ୮:୨୯) ଯୀଶୁଙ୍କୁ ଏକଥାରୁ ବି ଖୁସି ମିଳେ ଯେ ତାଙ୍କ ପିତା ଯିହୋବା ତାଙ୍କଠାରୁ ଖୁସି ଅଛନ୍ତି ଏବଂ ଯିହୋବା ତାଙ୍କ ପାଇଁ ଗର୍ବ କରନ୍ତି ।—ମାଥି. ୩:୧୭.

୭. ଆମେ କିପରି ପ୍ରକୃତ ଖୁସି ପାଇପାରିବା ?

୭ ପ୍ରକୃତ ଖୁସି କେବଳ ଯିହୋବା ଦିଅନ୍ତି, ତେଣୁ ତାଙ୍କର ନିକଟତର ହେଲେ, ଆମକୁ ବି ଖୁସି ମିଳେ । ଆମେ ଯେତିକି ଅଧିକ ତାଙ୍କ ବିଷୟରେ ଜାଣିବା ଏବଂ ତାଙ୍କ ଭଳି ହେବା ପାଇଁ ଚେଷ୍ଟା କରିବା, ଆମକୁ ସେତିକି ଅଧିକ ଖୁସି ମିଳିବ । ଆମକୁ ଏହି କଥାରୁ ବି ଖୁସି ମିଳିବ ଯେ ଆମେ ତାଙ୍କର ଇଚ୍ଛା ପୂରା କରୁଛୁ ଏବଂ ସେ ଆମଠାରୁ ଖୁସି ଅଛନ୍ତି ।a (ଗୀତ. ୩୩:୧୨) କିନ୍ତୁ ହୁଏତ ବେଳେବେଳେ ଆମେ ଦୁଃଖି ହୋଇଯାଉ କିମ୍ବା ଆମ ଖୁସି ଚାଲିଯାଏ । କିନ୍ତୁ ଏହାର ଅର୍ଥ ଏପରି ନୁହେଁ ଯେ ଯିହୋବା ଆମଠାରୁ ଖୁସି ନାହାନ୍ତି । ସେ ଭଲଭାବେ ଜାଣନ୍ତି ଯେ ଆମେ ଅପରିପୂର୍ଣ୍ଣ ଏବଂ ବେଳେବେଳେ ଆମେ ନିରାଶ ହୋଇଯାଉ କିମ୍ବା ଦୁଃଖି ହୋଇଯାଉ । (ଗୀତ. ୧୦୩:୧୪) ଆସନ୍ତୁ ଜାଣିବା ଯେ କେଉଁ କାରଣଗୁଡ଼ିକରୁ ଆମେ ଦୁଃଖି ହୋଇପାରୁ ଏବଂ ଆମ ଖୁସି ଚାଲିଯାଇପାରେ । ଆମେ ଏହା ବି ଜାଣିବା ଯେ ଆମେ କିପରି ପୁଣିଥରେ ନିଜର ଖୁସି ପାଇପାରିବା ।

ଯିହୋବାଙ୍କଠାରୁ ଖୁସି ପାଇବା ପାଇଁ ଆମେ କʼଣ କରିବା ?

ଯିହୋବାଙ୍କ ପବିତ୍ର ଶକ୍ତି ପାଇଁ ପ୍ରାର୍ଥନା କରନ୍ତୁ । ଆନନ୍ଦ ବା ଖୁସି ଈଶ୍ୱରଙ୍କ ପବିତ୍ର ଶକ୍ତିର ଫଳ ଅଟେ । ସେଥିପାଇଁ ପ୍ରକୃତ ଖୁସି ଆମକୁ ଯିହୋବାଙ୍କଠାରୁ ହିଁ ମିଳିପାରିବ । (ଗାଲା. ୫:୨୨) ଯିହୋବାଙ୍କ ପବିତ୍ର ଶକ୍ତି ଆମକୁ ‘ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ହେବା ସହିତ ଆନନ୍ଦରେ’ ରହିବା ପାଇଁ ସାହାଯ୍ୟ କରିବ ।—କଲ. ୧:୧୧, ୧୨.

ଯିହୋବାଙ୍କ ଉପାସନାକୁ ଅଧିକ ମହତ୍ତ୍ୱ ଦିଅନ୍ତୁ । ଈଶ୍ୱରଙ୍କ ବାକ୍ୟର ଏବଂ ଆମ ବହି ପତ୍ରିକାଗୁଡ଼ିକର ଲଗାତାର ଅଧ୍ୟୟନ କରନ୍ତୁ । ଲୋକମାନଙ୍କୁ ସେହି “ସୁସମାଚାର” ଜଣାଇବାର ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ, ଯାହା “ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ।” (ଲୂକ ୨:୧୦) ଯେବେ ଆପଣ ଯିହୋବାଙ୍କ ଉପାସନାକୁ ପ୍ରଥମ ସ୍ଥାନ ଦେବେ, ତେବେ ଆପଣ ପ୍ରକୃତରେ ଖୁସିରେ ରହିବେ ।—ଗୀତ. ୬୫:୪.

ସବୁବେଳେ ଯିହୋବାଙ୍କର ଆଜ୍ଞା ମାନନ୍ତୁ । ମନେ ରଖନ୍ତୁ, ଯିହୋବାଙ୍କର ଆଜ୍ଞା ମାନିଲେ ଆପଣଙ୍କୁ ହିଁ ଲାଭ ହେବ । ଯିହୋବାଙ୍କର ନିୟମ ଆମକୁ ଜୀବନର ମଜା ନେବା ପାଇଁ ରୋକି ନ ଥାଏ, ବରଂ ଏହାକୁ ମାନିଲେ ଆମକୁ ଅଧିକ ଖୁସି ମିଳେ ।—ଲୂକ ୧୧:୨୮.

କେଉଁ କାରଣଗୁଡ଼ିକରୁ ଆମ ଖୁସି ଚାଲିଯାଇପାରେ ଏବଂ ଆମେ କିପରି ତାହାକୁ ପାଇପାରିବା ?

୮. ସମସ୍ୟାଗୁଡ଼ିକ ଆସିଲେ କʼଣ ହୋଇପାରେ ?

୮ ପ୍ରଥମ କାରଣ: ସମସ୍ୟାଗୁଡ଼ିକ ଆସିଲେ । କʼଣ ଆପଣଙ୍କ ଉପରେ ଅତ୍ୟାଚାର କରାଯାଉଛି କିମ୍ବା ବିରୋଧ କରାଯାଉଛି ? କʼଣ ଆପଣ ପ୍ରାକୃତିକ ବିପତ୍ତି କିମ୍ବା ଦାରିଦ୍ରତାର ସାମନା କରୁଛନ୍ତି ? କʼଣ ଆପଣ ବୟସ ବଢ଼ିବା ଯୋଗୁଁ କିମ୍ବା କୌଣସି ରୋଗ ଯୋଗୁଁ ଚିନ୍ତିତ ଥାʼନ୍ତି ? ଯେବେ ଆମ ଉପରେ ଏପରି କୌଣସି ସମସ୍ୟା ଆସେ ଯେଉଁଥିରେ ଆମେ କିଛି କରିପାରିବାନି, ତେବେ ଆମ ଖୁସି ଚାଲିଯାଇପାରେ । ବାଇବଲ କହେ, ଆମେ ଏତେ ଦୁଃଖି ହୋଇପାରୁ ଯେ ଆମକୁ ଲାଗିପାରେ ଯେ ଆମେ ପୁଣି କେବେ ଖୁସିରେ ରହିପାରିବାନି । (ହିତୋ. ୧୫:୧୩) ବବିସ୍‌ ନାମକ ପ୍ରାଚୀନଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତି । ଚାରି ବର୍ଷ ମଧ୍ୟରେ ତାଙ୍କର ବାପାମାଆ ଏବଂ ଭାଇଙ୍କ ମୃତ୍ୟୁ ହୋଇଗଲା । ଭାଇ ବବିସ୍‌ କହନ୍ତି, “ମୁଁ ପୂରାପୂରି ଏକୁଟିଆ ହୋଇଯାଇଥିଲି । ମୋତେ ଲାଗୁଥିଲା ଯେ ମୋର ନିଜର ଆଉ କେହି ନାହାନ୍ତି । ସେମାନଙ୍କ ମୃତ୍ୟୁ ପୂର୍ବରୁ ମୁଁ ନିଜ କାମଗୁଡ଼ିକରେ ଏତେ ବ୍ୟସ୍ତ ଥିଲି ଯେ ମୁଁ ସେମାନଙ୍କ ସହିତ ଅଧିକ ସମୟ ବିତାଇପାରିଲି ନାହିଁ । ଏହି କାରଣ ଯୋଗୁଁ ମୋତେ ବହୁତ ଅବଶୋଷ ଲାଗୁଥିଲା ଏବଂ ମୁଁ ଭିତରୁ ଭାଙ୍ଗି ପଡ଼ିଥିଲି ।” ପ୍ରକୃତରେ, ଜୀବନର ସମସ୍ୟାଗୁଡ଼ିକ ଯୋଗୁଁ ଆମେ ପୂରାପୂରି ଥକି ଯାଇପାରୁ ଏବଂ ସାହସ ହରାଇପାରୁ ।

୯. ଆମେ କିପରି ପୁଣିଥରେ ନିଜର ଖୁସି ପାଇପାରିବା ? (ଯିରିମୀୟ ୨୯:୪-୭, ୧୦)

୯ ଆମେ କିପରି ପୁଣିଥରେ ନିଜର ଖୁସି ପାଇପାରିବା ? ଯାହା ଆମ ହାତରେ ନାହିଁ, ସେବିଷୟରେ ଭାବି ଅଯଥା ଚିନ୍ତା କରନ୍ତୁ ନାହିଁ । ଏହା ପରିବର୍ତ୍ତେ ଆପଣ ଯାହା କରିପାରିବେ, ତାହା କରନ୍ତୁ । ଆଉ ଆପଣଙ୍କ ପାଖରେ ଯେଉଁ ଭଲ ଜିନିଷଗୁଡ଼ିକ ରହିଛି, ସେଗୁଡ଼ିକ ପାଇଁ କୃତଜ୍ଞ ରହନ୍ତୁ । ଦୁନିଆର ଲୋକମାନେ ଭାବନ୍ତି ଯେ ସବୁକିଛି ଭଲ ଚାଲିଲେ ହିଁ ଆମେ ଖୁସିରେ ରହିପାରିବା । କିନ୍ତୁ ଏହା ସତ ନୁହେଁ । ଧ୍ୟାନ ଦିଅନ୍ତୁ ଯେ ଯିହୋବା ବାବିଲରେ ବନ୍ଦୀ ଥିବା ଯିହୁଦୀମାନଙ୍କୁ କʼଣ କହିଥିଲେ । ଯିହୋବା ସେମାନଙ୍କୁ କହିଲେ ଯେ ସେମାନେ ନୂଆ ପରିସ୍ଥିତି ଅନୁସାରେ ନିଜକୁ ପରିବର୍ତ୍ତନ କରନ୍ତୁ, ଯାହାଦ୍ୱାରା ସେମାନେ ଖୁସିରେ ରହିପାରିବେ । (ଯିରିମୀୟ ୨୯:୪-୭, ୧୦ ପଢ଼ନ୍ତୁ ।) ଏଥିରୁ ଆମେ କʼଣ ଶିଖୁ ? ଯେବେ ଆମ ପରିସ୍ଥିତି ବଦଳିଯାଏ, ତେବେ ଆମେ ନିଜକୁ ସେହି ପରିସ୍ଥିତି ଅନୁସାରେ ବଦଳାଇବା ଉଚିତ୍‌ ଏବଂ ଆମେ ଯାହା କରିପାରିବା, ତାହା କରିବା ଉଚିତ୍‌ । ଆମ ପାଖରେ ଯେଉଁ ଭଲ ଜିନିଷଗୁଡ଼ିକ ଅଛି, ଆମେ ସେଗୁଡ଼ିକ ପାଇଁ କୃତଜ୍ଞ ରହିବା ଉଚିତ୍‌ । ଆମେ ମନେ ରଖିବା ଉଚିତ୍‌ ଯେ ଯିହୋବା ସବୁବେଳେ ଆମ ସାଙ୍ଗରେ ଅଛନ୍ତି । (ଗୀତ. ୬୩:୭; ୧୪୬:୫) ଭଉଣୀ ଏଫୀଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କର ଗୋଟିଏ ଭୟଙ୍କର ଦୁର୍ଘଟଣା ଘଟିଥିଲା, ତାʼଯୋଗୁଁ ସେ ଆଉ ଚାଲିପାରନ୍ତି ନାହିଁ । ସେ କହନ୍ତି, “ଯିହୋବା, ମୋ ପରିବାର ଲୋକ ଏବଂ ମଣ୍ଡଳୀର ଭାଇଭଉଣୀମାନେ ମୋର ବହୁତ ସାହାଯ୍ୟ କଲେ । ମୁଁ ଭାବିଲି ଯେ ଯଦି ମୁଁ ହାର ମାନିବି, ତାହେଲେ ଏମିତି ହେବ ଯେମିତି ସେମାନେ ମୋ ପାଇଁ ଯାହା କଲେ ମୁଁ ସେଗୁଡ଼ିକ ପାଇଁ କୃତଜ୍ଞ ନାହିଁ । ସେଥିପାଇଁ ମୁଁ ଖୁସି ରହିବା ପାଇଁ ପୂରା ଚେଷ୍ଟା କରେ ଏବଂ ମୋ ଦ୍ୱାରା ଯାହା ବି ହୋଇପାରେ, ମୁଁ ସେଗୁଡ଼ିକୁ କରେ ।”

୧୦. ସମସ୍ୟାଗୁଡ଼ିକର ସାମନା କରୁଥିଲେ ବି ଆମେ କାହିଁକି ଖୁସି ରହିପାରିବା ?

୧୦ ହୁଏତ ଆମ ଜୀବନରେ କୌଣସି ସମସ୍ୟା ଆସେ କିମ୍ବା ଆମ ସହିତ କିମ୍ବା ଆମ ପରିବାର ଲୋକଙ୍କ ସହିତ କୌଣସି ଭୟଙ୍କର ଘଟଣା ଘଟେ । ଏପରି ସମୟରେ ବି ଆମେ ଖୁସି ରହିପାରିବା ।b (ଗୀତ. ୧୨୬:୫) ତାହା କାହିଁକି ? କାରଣ ଆମ ଖୁସି ଆମ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ । ମାରିଆ ନାମକ ଅଗ୍ରଦୂତ ଭଉଣୀ କହନ୍ତି, “ସମସ୍ୟା ସମୟରେ ବି ଖୁସି ରହିବାର ଅର୍ଥ ଏହା ନୁହେଁ ଯେ ଆପଣ ନିଜ ଭାବନାଗୁଡ଼ିକୁ ଲୁଚାଉଛନ୍ତି, ବରଂ ଏହାର ଅର୍ଥ ହେଉଛି ଯେ ଆପଣଙ୍କୁ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ପୂରା ଭରସା ଅଛି । ଆପଣଙ୍କୁ ଭରସା ଅଛି ଯେ ପରିସ୍ଥିତି ଯେପରି ଥିଲେ ବି ଆପଣଙ୍କ ପିତା ଖୁସି ରହିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବେ ।” ମନେ ରଖନ୍ତୁ, ଆପଣଙ୍କ ସମସ୍ୟାଗୁଡ଼ିକ ଯେତେ ବଡ଼ ଥିଲେ ବି ତାହା କେବଳ କିଛି ସମୟ ପାଇଁ ଅଛି, କାରଣ ଖୁବ୍‌ ଶୀଘ୍ର ଏଗୁଡ଼ିକ ଆଉ ରହିବନି । ଠିକ୍‌ ଯେପରି ସମୁଦ୍ରର ଲହଡ଼ି ପାଦ ଚିହ୍ନଗୁଡ଼ିକୁ ଲିଭାଇଦିଏ, ସେହିଭଳି ଯିହୋବା ଆମ ସମସ୍ୟାଗୁଡ଼ିକୁ ସବୁଦିନ ପାଇଁ ଶେଷ କରିଦେବେ ।

୧୧. ପାଉଲଙ୍କର ଉଦାହରଣରୁ ଆପଣ କʼଣ ଶିଖିଲେ ?

୧୧ ଆମ ଜୀବନରେ ଗୋଟିଏ ପରେ ଗୋଟିଏ ସମସ୍ୟା ଆସିଲେ, ହୁଏତ ଆମକୁ ଲାଗିବ ଯେ ଯିହୋବା ଆମଠାରୁ ଖୁସି ନାହାନ୍ତି । ଏପରି ସମୟରେ ଆମେ କʼଣ କରିପାରିବା ? ଯିହୋବାଙ୍କର ସେହି ବିଶ୍ୱସ୍ତ ସେବକମାନଙ୍କ ବିଷୟରେ ଭାବନ୍ତୁ, ଯେଉଁମାନେ ବଡ଼ ବଡ଼ ସମସ୍ୟାର ସାମନା କଲେ । ଯେପରି ପାଉଲଙ୍କ ବିଷୟରେ ଭାବନ୍ତୁ । ତାଙ୍କୁ ନିଜେ ଯୀଶୁ ‘ବିଜାତି, ରାଜା ଓ ଇସ୍ରାଏଲୀୟମାନଙ୍କୁ’ ଖୁସିଖବର ଶୁଣାଇବା ପାଇଁ ବାଛିଥିଲେ । (ପ୍ରେରି. ୯:୧୫) ଭାବନ୍ତୁ, ପାଉଲଙ୍କ ପାଇଁ ଏହା କେତେ ବଡ଼ କଥା ଥିଲା ! କିନ୍ତୁ ତାଙ୍କ ଜୀବନରେ ଗୋଟିଏ ପରେ ଗୋଟିଏ ଅନେକ ସମସ୍ୟା ଆସିଲା । (୨ କରି. ୧୧:୨୩-୨୭) କʼଣ ଏହାର ଅର୍ଥ ଯିହୋବା ତାଙ୍କଠାରୁ ଖୁସି ନ ଥିଲେ । ଏପରି ନୁହଁ । ସେ ସମସ୍ୟାଗୁଡ଼ିକ ସମୟରେ ଯେପରି ଭାବେ ଧୈର୍ଯ୍ୟ ଧରିଲେ, ତାହା ଏହି କଥାର ପ୍ରମାଣ ଥିଲା ଯେ ଯିହୋବାଙ୍କ ଆଶିଷ ତାଙ୍କ ଉପରେ ଅଛି । (ରୋମୀ. ୫:୩-୫) ଯଦି ଆପଣ ବି ସମସ୍ୟାଗୁଡ଼ିକ ସମୟରେ ଧୈର୍ଯ୍ୟ ଧରୁଛନ୍ତି ଏବଂ ବିଶ୍ୱସ୍ତତାର ସହିତ ଯିହୋବାଙ୍କର ସେବା କରୁଛନ୍ତି, ତାହେଲେ ଆପଣ ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କଠାରୁ ବହୁତ ଖୁସି ଅଛନ୍ତି ।

୧୨. ଆଶା ପୂରା ନ ହେଲେ କʼଣ ହୋଇପାରେ ?

୧୨ ଦ୍ୱିତୀୟ କାରଣ: ଆଶା ପୂରା ନ ହେଲେ । (ହିତୋ. ୧୩:୧୨) ଆମେ ଯିହୋବାଙ୍କୁ ପ୍ରେମ କରୁ ଏବଂ ସେ ଆମ ପାଇଁ ଯାହା କରିଛନ୍ତି, ତାʼପାଇଁ କୃତଜ୍ଞ ମନେ କରୁ । ସେଥିପାଇଁ ଆମେ ତାଙ୍କର ସେବା ଅଧିକ କରିବା ପାଇଁ ଚାହୁଁ । କିନ୍ତୁ ହୁଏତ ଆମେ ଏପରି କିଛି ଲକ୍ଷ୍ୟ ରଖିବା ଯାହାକୁ ପୂରା କରିବା ଆମ ହାତରେ ନ ଥିବ । ଏପରି ସମୟରେ ଆମେ ନିରାଶ ହୋଇପାରୁ । (ହିତୋ. ୧୭:୨୨) ହୋଲି ନାମକ ଜଣେ ଅଗ୍ରଦୂତ ଭଉଣୀ କହନ୍ତି, “ମୁଁ ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ ଯିବାକୁ ଚାହୁଁଥିଲି, ବିଦେଶ ଯାଇ ସେବା କରିବା ପାଇଁ ଚାହୁଁଥିଲି ଏବଂ ରାମାପୋର ନିର୍ମାଣ କାମରେ ସାହାଯ୍ୟ କରିବା ପାଇଁ ଚାହୁଁଥିଲି । କିନ୍ତୁ ମୋ ପରିସ୍ଥିତି ବଦଳିଗଲା ଏବଂ ମୁଁ ନିଜ ଲକ୍ଷ୍ୟଗୁଡ଼ିକ ପୂରା କରିପାରିଲି ନାହିଁ । ଏପରି ସମୟରେ ମୁଁ ବହୁତ ନିରାଶ ହୋଇଗଲି । ଯେବେ ଆପଣ କିଛି କରିବା ପାଇଁ ଚାହାନ୍ତି, କିନ୍ତୁ ତାହା କରିପାରନ୍ତି ନାହିଁ, ତେବେ ବହୁତ ଦୁଃଖ ଲାଗେ ।” ଏପରି ଅନେକ ଭାଇଭଉଣୀ ଅଛନ୍ତି ଯେଉଁମାନେ ଭଉଣୀ ହୋଲିଙ୍କ ଭଳି ଅନୁଭବ କରିଛନ୍ତି ।

୧୩. ଆମ ପରିସ୍ଥିତି ଯେପରି ବି ଥାଉ ନା କାହିଁକି, ଆମେ ସମସ୍ତେ କେଉଁ ଲକ୍ଷ୍ୟଗୁଡ଼ିକ ରଖିପାରିବା ?

୧୩ ଆମେ କିପରି ପୁଣିଥରେ ନିଜର ଖୁସି ପାଇପାରିବା ? ମନେ ରଖନ୍ତୁ, ଯିହୋବା ଜଣେ କଠୋର ଈଶ୍ୱର ନୁହଁନ୍ତି । ସେ ଆମଠାରୁ ଏପରି କିଛି କରିବା ପାଇଁ ଆଶା କରନ୍ତି ନାହିଁ, ଯାହା ଆମେ କରିପାରିବାନି । ସେ ଆମକୁ ତେବେ ବି ବହୁମୂଲ୍ୟ ଭାବନ୍ତି, ଯେବେ ଆମେ ତାଙ୍କ ସେବାରେ ଅଧିକ କରିପାରି ନ ଥାଉ । ସେ କେବଳ ଏହା ଚାହାନ୍ତି ଯେ ଆମେ ତାଙ୍କର ବିଶ୍ୱସ୍ତ ରହୁ ଏବଂ ନିଜ ମର୍ଯ୍ୟାଦାରେ ରହୁ । (ମୀଖା ୬:୮; ୧ କରି. ୪:୨) ସେ ଏହା ଦେଖନ୍ତି ନାହିଁ ଯେ ଆମେ ତାଙ୍କ ସେବାରେ କʼଣ କରୁଛୁ, ବରଂ ସେ ଆମର ହୃଦୟ ଦେଖନ୍ତି । ଭାବନ୍ତୁ, ଯଦି ଯିହୋବା ଆମଠାରୁ ଅତ୍ୟଧିକ ଆଶା କରନ୍ତି ନାହିଁ, ତାହେଲେ କʼଣ ଆମେ ନିଜଠାରୁ ଅତ୍ୟଧିକ ଆଶା କରିବା ଉଚିତ୍‌ ?c ଜମା ବି ନୁହଁ । ଯଦି ଆପଣ ନିଜ ପରିସ୍ଥିତି ଯୋଗୁଁ ଯିହୋବାଙ୍କ ସେବାରେ ସେତିକି କରିପାରୁ ନାହାନ୍ତି ଯେତିକି ଆପଣ କରିବା ପାଇଁ ଚାହାନ୍ତି, ତାହେଲେ ନିରାଶ ହୁଅନ୍ତୁ ନାହିଁ । ଏହା ପରିବର୍ତ୍ତେ ଏପରି ଲକ୍ଷ୍ୟ ରଖନ୍ତୁ ଯେଉଁଗୁଡ଼ିକୁ ଆପଣ ହାସଲ କରିପାରିବେ । ଯେପରି, କʼଣ ଆପଣ ଯୁବାମାନଙ୍କୁ ଟ୍ରେନିଙ୍ଗ ଦେଇପାରିବେ ? କʼଣ ଆପଣ ବୃଦ୍ଧ ଭାଇଭଉଣୀଙ୍କର ସାହସ ବଢ଼ାଇପାରିବେ ? କʼଣ ଆପଣ କାହାରିକୁ ଭେଟି, ଫୋନ୍‌ କରି କିମ୍ବା ମେସେଜ ପଠାଇ ତାଙ୍କର ଉତ୍ସାହ ବଢ଼ାଇପାରିବେ ? ଯଦି ଆପଣ ଏପରି କରିବେ, ତାହେଲେ ଯିହୋବା ଆପଣଙ୍କଠାରୁ ଖୁସି ହେବେ ଏବଂ ଆପଣଙ୍କୁ ଅନେକ ଆଶିଷ ଦେବେ । ମନେ ରଖନ୍ତୁ, ନୂଆ ଦୁନିଆ ଖୁବ୍‌ ଶୀଘ୍ର ଆସିବାକୁ ଯାଉଛି । ସେସମୟରେ ଆପଣଙ୍କ ପାଖରେ ଯିହୋବାଙ୍କ ସେବା କରିବାର ଏପରି ଅନେକ ସୁଯୋଗ ରହିବ, ଯାହା ବିଷୟରେ ଆଜି ଆପଣ କଳ୍ପନା ବି କରିପାରିବେ ନାହିଁ । ଭଉଣୀ ହୋଲି ଯାହାଙ୍କ ବିଷୟରେ ପୂର୍ବ ପାରାଗ୍ରାଫରେ କୁହାଯାଇଥିଲା, ସେ କହନ୍ତି, “ଯେବେ ମୁଁ ନିରାଶ ରହେ, ତେବେ ମୁଁ ଭାବେ ଯେ ନୂଆ ଦୁନିଆରେ ମୋତେ ଅନନ୍ତ ଜୀବନ ମିଳିବ । ସେସମୟରେ ମୁଁ ନିଜର ସବୁ ଲକ୍ଷ୍ୟ ହାସଲ କରିପାରିବି ।”

୧୪. ଆଉ କେଉଁ କାରଣରୁ ଆମ ଖୁସି ଚାଲିଯାଇପାରେ ?

୧୪ ତୃତୀୟ କାରଣ: ନିଜ ଇଚ୍ଛାଗୁଡ଼ିକୁ ପୂରା କରିବାରେ ଲାଗି ରହିଲେ । ଆଜି ସୋସିଆଲ୍‌ ମିଡିଆରେ ଏହା ହିଁ ଦେଖାଯାଏ ଯେ ନିଜ ଇଚ୍ଛାଗୁଡ଼ିକୁ ପୂରା କଲେ ହିଁ ଆମେ ଖୁସି ରହିପାରିବା । ଲୋକମାନେ କହନ୍ତି ଯେ ନିଜ ସଉକ ପୂରା କର, ନୂଆ ନୂଆ ଜିନିଷ କିଣ ଏବଂ ବୁଲିବା ପାଇଁ ଯାଅ । ଏଥିରେ କୌଣସି ଭୁଲ ନାହିଁ, ଯିହୋବା ବି ଚାହାନ୍ତି ଯେ ଆମେ ଏଗୁଡ଼ିକର ମଜା ନେଉ । ଅନେକ ଲୋକ ଖୁସି ପାଇବା ପାଇଁ ବହୁତ କିଛି କଲେ, କିନ୍ତୁ ପରେ ସେମାନେ ଦେଖିଲେ ଯେ ସେମାନଙ୍କୁ ସେହି ଜିନିଷଗୁଡ଼ିକରୁ ଖୁସି ମିଳିବା ପରିବର୍ତ୍ତେ କେବଳ ଦୁଃଖ ହିଁ ମିଳିଲା । ଈୱା ନାମକ ଅଗ୍ରଦୂତ ଭଉଣୀ କହନ୍ତି, “ଆପଣ ନିଜ ଇଚ୍ଛାଗୁଡ଼ିକୁ ପୂରା କରିବା ପାଇଁ ଯେତେ ଯାହା କଲେ ବି, ଏହା କେବେ ବି ପୂରା ହୁଏନି ।” ଯଦି ଜଣେ ବ୍ୟକ୍ତି ନିଜ ଇଚ୍ଛାଗୁଡ଼ିକୁ ପୂରା କରିବାରେ ହିଁ ଲାଗିରହେ, ତାହେଲେ ତାକୁ ଦୁଃଖ ଏବଂ ନିରାଶା ଛଡ଼ା ଆଉ କିଛି ବି ମିଳିବ ନାହିଁ ।

୧୫. ଆମେ ରାଜା ଶଲୋମନଙ୍କଠାରୁ କʼଣ ଶିଖିପାରିବା ?

୧୫ ରାଜା ଶଲୋମନ ଖୁସି ପାଇବା ପାଇଁ ଭିନ୍ନ ଭିନ୍ନ ଜିନିଷ କଲେ । ଯେପରି, ସେ ସୁସ୍ୱାଦୁ ଖାଦ୍ୟ ଖାଇଲେ, ମଧୁର ସଙ୍ଗୀତ ଶୁଣିଲେ ଏବଂ ସେ ନିଜ ଧନ ସମ୍ପତ୍ତିରୁ ଯାହା ବି କିଣିପାରନ୍ତେ, ସେସବୁ କିଛି ସେ କିଣିଲେ । କିନ୍ତୁ ଏସବୁ କଲାପରେ ବି ସେ କହିଲେ, “ଚକ୍ଷୁ ଦର୍ଶନରେ ତୃପ୍ତ ନୁହେଁ, କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ ।” (ଉପ. ୧:୮; ୨:୧-୧୧) ଶଲୋମନ ଯେଉଁ ଖୁସି ପାଇବା ପାଇଁ ଚାହୁଁଥିଲେ, ତାଙ୍କୁ ସେହି ଖୁସି ଏହି ଜିନିଷଗୁଡ଼ିକରୁ ମିଳିଲା ନାହିଁ । ଆଜି ବି ଲୋକମାନଙ୍କୁ ଏହା ହିଁ ଲାଗେ ଯେ ନିଜ ଇଚ୍ଛାଗୁଡ଼ିକୁ ପୂରା କଲେ ଖୁସି ମିଳିପାରିବ । କିନ୍ତୁ ସତ କଥା ଏହା ଯେ ଇଚ୍ଛାଗୁଡ଼ିକ ନକଲି ନୋଟ୍‌ ଭଳି ହୋଇଥାଏ । ଯେପରି ଆମେ ନକଲି ନୋଟ୍‌ରୁ କିଛି କିଣିପାରିବାନି, ସେହିଭଳି ନିଜ ଇଚ୍ଛାଗୁଡ଼ିକୁ ପୂରା କଲେ ଆମେ ଖୁସି ପାଇପାରିବା ନାହିଁ ।

୧୬. ଅନ୍ୟମାନଙ୍କ ପାଇଁ କିଛି କଲେ କିପରି ଆମ ଖୁସି ଫେରି ଆସେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୬ ଆମେ କିପରି ପୁଣିଥରେ ନିଜର ଖୁସି ପାଇପାରିବା ? ଯୀଶୁ କହିଥିଲେ, “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର ।” (ପ୍ରେରି. ୨୦:୩୫) ଅଲେକୋସ୍‌ ନାମକ ପ୍ରାଚୀନ କହନ୍ତି, “ମୁଁ ନିଜ ବିଷୟରେ ଭାବିବା ପରିବର୍ତ୍ତେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ବିଷୟରେ ଭାବେ । ମୁଁ ଯେତିକି ଅଧିକ ସେମାନଙ୍କର ସାହାଯ୍ୟ କରେ, ସେତିକି ଅଧିକ ମୋତେ ଖୁସି ମିଳେ ।” ଭାବନ୍ତୁ, ଆପଣ ଅନ୍ୟମାନଙ୍କ ପାଇଁ କʼଣ କରିପାରିବେ ? ଯଦି କେହି ଦୁଃଖୀ କିମ୍ବା ନିରାଶ ଅଛନ୍ତି, ତାହେଲେ ତାଙ୍କର ଉତ୍ସାହ ବଢ଼ାନ୍ତୁ । ହୁଏତ ଆପଣ ତାଙ୍କର ସମସ୍ୟାର ସମାଧାନ କରିପାରିବେନି, କିନ୍ତୁ ଆପଣ ଧ୍ୟାନର ସହିତ ତାଙ୍କର କଥା ଶୁଣିପାରିବେ ଏବଂ ସହାନୁଭୂତି ଦେଖାଇପାରିବେ । ଆପଣ ତାଙ୍କୁ ପ୍ରେମର ସହିତ ମନେ ପକାଇପାରିବେ ଯେ ସେ ଯିହୋବାଙ୍କ ଉପରେ ନିଜର ଭାର ପକାନ୍ତୁ । (ଗୀତ. ୫୫:୨୨; ୬୮:୧୯) ଆପଣ ତାଙ୍କୁ ଭରସା ଦେଇପାରିବେ ଯେ ଯିହୋବା ତାଙ୍କ ସାଙ୍ଗରେ ଅଛନ୍ତି ଏବଂ ସେ ତାଙ୍କୁ ଛାଡ଼ିବେ ନାହିଁ । (ଗୀତ. ୩୭:୨୮; ଯିଶା. ୫୯:୧) ଆପଣ ଅନ୍ୟ ଉପାୟଗୁଡ଼ିକରୁ ମଧ୍ୟ ତାଙ୍କର ସାହାଯ୍ୟ କରିପାରିବେ । ଯେପରି, ତାଙ୍କ ପାଇଁ ରୋଷେଇ କରିପାରିବେ କିମ୍ବା ତାଙ୍କ ସହିତ କୁଆଡ଼େ ବୁଲିବା ପାଇଁ ଯାଇପାରିବେ । ଆପଣ ତାଙ୍କୁ ନିଜ ସହିତ ପ୍ରଚାରରେ ବି ନେଇପାରିବେ । ଏଥିରୁ ତାଙ୍କୁ ଖୁସି ମିଳିବ । ଭାବନ୍ତୁ, ଆପଣଙ୍କ ଜରିଆରେ ଯିହୋବା ଅନ୍ୟମାନଙ୍କର ଉତ୍ସାହ ବଢ଼ାଇପାରିବେ ! ସେଥିପାଇଁ ନିଜ ବିଷୟରେ ଭାବିବା ପରିବର୍ତ୍ତେ ଅନ୍ୟମାନଙ୍କ ବିଷୟରେ ଭାବନ୍ତୁ ଏବଂ ସେମାନଙ୍କର ସାହାଯ୍ୟ କରନ୍ତୁ । ଏଥିରୁ ଆପଣଙ୍କୁ ପ୍ରକୃତ ଖୁସି ମିଳିବ ।—ହିତୋ. ୧୧:୨୫.

ଚିତ୍ରଗୁଡ଼ିକ: ୧. ଜଣେ ଭଉଣୀ କଫି ସପ୍‌ରେ ବସି ଫୋନ୍‌ରେ କିଛି ଦେଖୁଛନ୍ତି । କିଣାକିଣି ଶେଷ ହେବା ପରେ ତାଙ୍କ ପାଖରେ ଅନେକ ବ୍ୟାଗ୍‌ ଅଛି । ୨. ସେହି ଭଉଣୀ ଜଣେ ବୃଦ୍ଧା ଭଉଣୀଙ୍କ ଘରକୁ ଯାʼନ୍ତି ଏବଂ ତାଙ୍କୁ ଖୁସିରେ ଗୋଟିଏ ଫୁଲଗୁଚ୍ଛା ଦିଅନ୍ତି ।

ସବୁବେଳେ ନିଜ ଇଚ୍ଛାଗୁଡ଼ିକୁ ପୂରା କରିବା ପରିବର୍ତ୍ତେ, ଅନ୍ୟମାନଙ୍କ ପାଇଁ କିଛି କରନ୍ତୁ (ପାରାଗ୍ରାଫ ୧୬)d


୧୭. ଯଦି ଆମେ ପ୍ରକୃତ ଖୁସି ପାଇବା ପାଇଁ ଚାହୁଁ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ? (ଗୀତସଂହିତା ୪୩:୪)

୧୭ ବାଇବଲରେ କୁହାଯାଇଛି ଯେ ଯିହୋବା ହିଁ ଆମକୁ ପ୍ରକୃତ ଖୁସି ଦେଇପାରିବେ । ସେଥିପାଇଁ ଯେବେ ଆମେ ତାଙ୍କର ନିକଟତର ହେଉ, ତେବେ ଆମକୁ ‘ପରମାନନ୍ଦ’ ବା ଅତ୍ୟଧିକ ଖୁସି ମିଳେ । (ଗୀତସଂହିତା ୪୩:୪ ପଢ଼ନ୍ତୁ ।) ତେଣୁ ଆମ ଜୀବନରେ ଯେତେ ସମସ୍ୟା ଆସିଲେ ବି ଆମେ ଡରିବା ନାହିଁ । ଆସନ୍ତୁ ଆମେ ଲଗାତାର ଯିହୋବାଙ୍କ ସହିତ ନିଜ ସମ୍ପର୍କ ଦୃଢ଼ କରିବା, ଯିଏ ଖୁସିର ସ୍ରୋତ ଅଟନ୍ତି । ଏପରି କଲେ ଆମେ ସବୁବେଳେ ଖୁସିରେ ରହିପାରିବା !—ଗୀତ. ୧୪୪:୧୫.

ଆପଣ କʼଣ ଉତ୍ତର ଦେବେ ?

  • ଯିହୋବା ଓ ଯୀଶୁ କାହିଁକି ଖୁସି ରହନ୍ତି ?

  • କେଉଁ କାରଣଗୁଡ଼ିକରୁ ଆମର ଖୁସି ଚାଲିଯାଇପାରେ ?

  • ଆମେ କିପରି ପୁଣିଥରେ ନିଜର ଖୁସି ପାଇପାରିବା ?

ଗୀତ ୧୫୫ ସର୍ବଦା ଆନନ୍ଦ

a “ଯିହୋବାଙ୍କଠାରୁ ଖୁସି ପାଇବା ପାଇଁ ଆମେ କʼଣ କରିବା ?” ନାମକ ବକ୍ସ ଦେଖନ୍ତୁ ।

b ଉଦାହରଣ ପାଇଁ jw.org ୱେବସାଇଟ୍‌ରେ ୨୦୨୩ ପ୍ରଶାସନ ଦଳ ତରଫରୁ ଅପଡେଟ୍‌ ସଂ. ୫ରେ ଭାଇ ଡେନିସ୍‌ ଓ ଭଉଣୀ ଇରିନା କ୍ରିଷ୍ଟେଂସନଙ୍କ ଇଣ୍ଟରଭ୍ୟୁ ଦେଖନ୍ତୁ ।

c ଅଧିକ ଜାଣିବା ପାଇଁ ୧୫ ଜୁଲାଇ, ୨୦୦୮ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା, “ଅପନେ ହାଲାତ କେ ମୁତାବିକ ଲକସ୍‌ ରଖିଏ ଔର ଖୁସି ପାଇଏ” ପଢ଼ନ୍ତୁ ।

d ଚିତ୍ର ବିଷୟରେ: ଜଣେ ଭଉଣୀ ନିଜ ପାଇଁ ଅନେକ ଜିନିଷ କିଣନ୍ତି, କିନ୍ତୁ ଏହାପରେ ସେ ଜଣେ ବୃଦ୍ଧା ଭଉଣୀ ପାଇଁ ଫୁଲ କିଣନ୍ତି ଯାହାଙ୍କୁ ଉତ୍ସାହର ଆବଶ୍ୟକ ଅଛି । ଏପରି କରି ତାଙ୍କୁ ଅଧିକ ଖୁସି ମିଳୁଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ