ପ୍ରଶାସନ ଦଳରେ ଦୁଇଜଣ ନୂଆ ସଦସ୍ୟ
୫ ଅକ୍ଟୋବର, ୨୦୨୪ର ଆମ ବାର୍ଷିକ ସଭାରେ ଗୋଟିଏ ବିଶେଷ ଘୋଷଣା କରାଗଲା । ସେଥିରେ କୁହାଗଲା ଯେ ଭାଇ ଜୋଡି ଜେଡେଲ୍ ଏବଂ ଭାଇ ଜେକବ୍ ରମ୍ଫ୍ ଏବେଠାରୁ ଯିହୋବାଙ୍କ ସାକ୍ଷୀମାନଙ୍କ ପ୍ରଶାସନ ଦଳରେ ସେବା କରିବେ । ଏହି ଦୁଇଜଣ ଭାଇ ଲମ୍ବା ସମୟରୁ ବିଶ୍ୱସ୍ତତାର ସହିତ ଯିହୋବାଙ୍କର ସେବା କରୁଛନ୍ତି ।
ଜୋଡି ଜେଡେଲ୍ ଏବଂ ତାଙ୍କ ସ୍ତ୍ରୀ ଡେମାରିସ
ଭାଇ ଜେଡେଲ୍ଙ୍କ ଜନ୍ମ ଆମେରିକାର ମିଜୁରୀ ରାଜ୍ୟରେ ହୋଇଥିଲା । ସେ ନିଜର ବାପାମାଆଙ୍କଠାରୁ ସତ୍ୟ ଶିଖିଲେ । ସେ ଯେଉଁଠି ରହୁଥିଲେ ତାହାର କିଛି ଦୂରରେ ଏପରି ଗୋଟିଏ ଅଞ୍ଚଳ ଥିଲା, ଯେଉଁଠି ବହୁତ କମ୍ ପ୍ରଚାର ହୋଇଥିଲା । ସେଥିପାଇଁ ପ୍ରାୟ ଅଲଗା ଅଲଗା ଜାଗାଗୁଡ଼ିକରୁ ଭାଇଭଉଣୀ ସେଠାରେ ପ୍ରଚାର କରିବା ପାଇଁ ଆସୁଥିଲେ । ସେମାନଙ୍କ ମଧ୍ୟରେ ଯେଉଁ ପ୍ରେମ ଓ ଏକତା ଥିଲା, ତାହାର ଭାଇଙ୍କ ଉପରେ ଗଭୀର ପ୍ରଭାବ ପଡ଼ିଲା । ୧୫ ଅକ୍ଟୋବର, ୧୯୮୩ରେ ସେ ବାପ୍ତିସ୍ମ ନେଲେ । ତାଙ୍କୁ ପ୍ରଚାର କରିବା ପାଇଁ ବହୁତ ଭଲ ଲାଗୁଥିଲା, ସେଥିପାଇଁ ସ୍କୁଲର ପାଠପଢ଼ା ଶେଷ ହେବା ପରେ, ସେପ୍ଟେମ୍ବର ୧୯୮୯ରେ ସେ ଅଗ୍ରଦୂତ ସେବା ଆରମ୍ଭ କଲେ ।
ଭାଇ ଜେଡେଲ୍ ଛୋଟ ଥିବା ସମୟରେ ତାଙ୍କର ବାପାମାଆ ତାଙ୍କୁ ଏବଂ ତାଙ୍କ ଭଉଣୀକୁ ବୈଥେଲ ବୁଲାଇବା ପାଇଁ ନେଇ ଯାଉଥିଲେ । ତେଣୁ ସେହି ଦୁହେଁ ଭାଇଭଉଣୀ ବୈଥେଲ ଯିବାର ଲକ୍ଷ୍ୟ ରଖିଲେ ଏବଂ ତାହାକୁ ହାସଲ ମଧ୍ୟ କଲେ । ଭାଇ ଜେଡେଲ୍ ସେପ୍ଟେମ୍ବର ୧୯୯୦ ମସିହାରେ ୱାଲକିଲ ବୈଥେଲକୁ ଗଲେ । ସର୍ବପ୍ରଥମେ ସେ ସଫାସୁତୁରା ବିଭାଗରେ କାମ କଲେ ଏବଂ ଏହାପରେ ସେ ମେଡିକାଲ୍ ସେବା ବିଭାଗରେ କାମ କଲେ ।
ସେହି ସମୟ ମଧ୍ୟରେ ବୈଥେଲର ଆଖପାଖରେ ସ୍ପେନିଶ୍ ଭାଷା କହୁଥିବା ମଣ୍ଡଳୀଗୁଡ଼ିକରେ ଭାଇମାନଙ୍କର ଆବଶ୍ୟକ ଥିଲା । ସେଥିପାଇଁ ଭାଇ ଜେଡେଲ୍ ସ୍ପେନିଶ୍ ଭାଷା କହୁଥିବା ଗୋଟିଏ ମଣ୍ଡଳୀକୁ ଯିବାକୁ ଲାଗିଲେ ଏବଂ ସ୍ପେନିଶ୍ ଭାଷା ଶିଖିବାକୁ ଲାଗିଲେ । କିଛି ସମୟ ପରେ ସେ ଭଉଣୀ ଡେମାରିସଙ୍କୁ ଭେଟିଲେ, ଯିଏ ସେହି ସର୍କିଟରେ ଅଗ୍ରଦୂତ ଭାବେ ସେବା କରୁଥିଲେ । ଆଗକୁ ଯାଇ ସେ ଦୁହେଁ ବିବାହ କଲେ ଏବଂ ଭଉଣୀ ମଧ୍ୟ ବୈଥେଲରେ ସେବା କରିବାକୁ ଲାଗିଲେ ।
ନିଜର ବାପାମାଆଙ୍କର ଦେଖାଶୁଣା କରିବା ପାଇଁ ଭାଇ ଓ ଭଉଣୀ ଉଭୟଙ୍କୁ ୨୦୦୫ ମସିହାରେ ବୈଥେଲ ଛାଡ଼ିବାକୁ ପଡ଼ିଲା । ସେହି ସମୟ ମଧ୍ୟରେ ସେ ଦୁହେଁ ଅଗ୍ରଦୂତ ସେବା କଲେ । ଭାଇ ଅଗ୍ରଦୂତ ସେବା ସ୍କୁଲରେ ଶିଖାଇଲେ ଏବଂ ହସ୍ପିଟାଲ ସମ୍ପର୍କ ସମିତି ଓ ଆଞ୍ଚଳିକ ନିର୍ମାଣ ସମିତିରେ ମଧ୍ୟ କାମ କଲେ ।
୨୦୧୩ ମସିହାରେ ଭାଇ ଏବଂ ଭଉଣୀଙ୍କୁ ୱାରୱିକ୍ରେ ହେଉଥିବା ନିର୍ମାଣ କାମ ପାଇଁ ବୈଥେଲକୁ ଡକାଗଲା । ଏହାପରେ ସେମାନେ ପେଟରସନ୍ ଏବଂ ୱାଲକିଲ ବୈଥେଲରେ ମଧ୍ୟ ସେବା କଲେ । ଭାଇ ଜେଡେଲ୍ ସ୍ଥାନୀୟ ଯୋଜନା ଓ ନିର୍ମାଣ ବିଭାଗରେ ଏବଂ ବିଶ୍ୱ ମୁଖ୍ୟାଳୟର ହସ୍ପିଟାଲ ସୂଚନା ସେବା ବିଭାଗରେ କାମ କଲେ । ମାର୍ଚ୍ଚ ୨୦୨୩ ମସିହାରେ ଭାଇଙ୍କୁ ସେବା ସମିତିର ସହାୟକ ଭାବେ ନିଯୁକ୍ତ କରାଗଲା । ଭାଇ ଏବେ ପର୍ଯ୍ୟନ୍ତ ଅନେକ ଦାୟିତ୍ୱ ତୁଲାଇଛନ୍ତି ଏବଂ ସେ କହନ୍ତି, “ଯେବେ କୌଣସି ନୂଆ କାମ କରିବା ପାଇଁ କୁହାଯାଏ, ତେବେ ଟିକିଏ ଡର ଲାଗେ । କିନ୍ତୁ ସେସମୟରେ ଆମକୁ ଯିହୋବାଙ୍କ ଉପରେ ଭରସା କରିବା ଉଚିତ୍ । କାରଣ ଯିହୋବା ଯେପରି ଚାହାନ୍ତି ସେପରି ହୋଇପାରନ୍ତି ଏବଂ ସେ ଆମକୁ ବି ସେପରି କରିପାରନ୍ତି ।”
ଜେକବ୍ ରମ୍ଫ ଏବଂ ତାଙ୍କ ସ୍ତ୍ରୀ ଇଙ୍ଗା
ଭାଇ ରମ୍ଫ୍ଙ୍କ ଜନ୍ମ ଆମେରିକାର କାଲିଫର୍ନିଆ ରାଜ୍ୟରେ ହୋଇଥିଲା । ଭାଇଙ୍କ ମାଆ ସାକ୍ଷୀ ଥିଲେ, କିନ୍ତୁ ସେ ସଭା ଓ ପ୍ରଚାରକୁ ଯାଉ ନ ଥିଲେ । ତଥାପି ସେ ଭାଇଙ୍କୁ ପିଲାବେଳୁ ହିଁ ବାଇବଲ ବିଷୟରେ ଶିଖାଇବା ପାଇଁ ଚେଷ୍ଟା କଲେ । ଭାଇ ପ୍ରତି ବର୍ଷ ନିଜ ଆଈଙ୍କୁ ଭେଟିବା ପାଇଁ ଯାଉଥିଲେ, ଯିଏ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରୁଥିଲେ । ତାଙ୍କର ଆଈ ଭାଇଙ୍କ ହୃଦୟରେ ସତ୍ୟ ପାଇଁ ପ୍ରେମ ବଢ଼ାଇଲେ । ସେଥିପାଇଁ ଭାଇ ୧୩ ବର୍ଷ ବୟସରେ ବାଇବଲ ଅଧ୍ୟୟନ କରିବା ଆରମ୍ଭ କରିଦେଲେ । ଆଉ କିଛି ସମୟ ପରେ, ୨୭ ସେପ୍ଟେମ୍ବର ୧୯୯୨ରେ ସେ ବାପ୍ତିସ୍ମ ନେଲେ । ତାଙ୍କର ମାଆ ପୁଣିଥରେ ଉତ୍ସାହର ସହିତ ଯିହୋବାଙ୍କର ସେବା କରିବାକୁ ଲାଗିଲେ ଏବଂ ତାଙ୍କ ବାପା ଓ ତାଙ୍କ ଭାଇଭଉଣୀମାନେ ମଧ୍ୟ ଆଗକୁ ଯାଇ ବାପ୍ତିସ୍ମ ନେଲେ ।
ଯୁବା ଥିବା ସମୟରେ ଭାଇ ଦେଖିଲେ ଯେ ଅଗ୍ରଦୂତ ସେବା କରୁଥିବା ଭାଇଭଉଣୀମାନେ ବହୁତ ଖୁସି ଥାʼନ୍ତି । ସେଥିପାଇଁ ସ୍କୁଲର ପାଠପଢ଼ା ଶେଷ ହେବା ପରେ, ସେ ସେପ୍ଟେମ୍ବର ୧୯୯୫ରେ ଅଗ୍ରଦୂତ ସେବା ଆରମ୍ଭ କଲେ । ଏହା ପରେ ୨୦୦୦ ମସିହାରେ ସେ ଇକ୍ୱେଡର ଦେଶକୁ ଗଲେ, ଯେଉଁଠି ପ୍ରଚାରକମାନଙ୍କ ଅଧିକ ଆବଶ୍ୟକ ଥିଲା । ସେଠାରେ ସେ ଇଙ୍ଗା ନାମକ ଜଣେ ଅଗ୍ରଦୂତ ଭଉଣୀଙ୍କୁ ଭେଟିଲେ ଯିଏ କାନାଡ଼ାରୁ ଥିଲେ । ପରେ ସେ ଦୁହେଁ ବିବାହ କଲେ । ବିବାହ ପରେ ସେମାନେ ଇକ୍ୱେଡରରେ ହିଁ ଗୋଟିଏ ଛୋଟ ସହରରେ ସେବା କରିବାକୁ ଲାଗିଲେ ଯେଉଁଠି ପ୍ରଚାରକମାନଙ୍କର କେବଳ ଗୋଟିଏ ଛୋଟ ସମୂହ ଥିଲା । ଆଜି ସେଠାରେ ଗୋଟିଏ ବଡ଼ ମଣ୍ଡଳୀ ଅଛି ।
ଆଗକୁ ଯାଇ ଭାଇ ଏବଂ ଭଉଣୀଙ୍କୁ ବିଶେଷ ଅଗ୍ରଦୂତ ଭାବେ ସେବା କରିବା ପାଇଁ ନିଯୁକ୍ତ କରାଗଲା ଏବଂ ସେମାନେ ସର୍କିଟ କାମ ମଧ୍ୟ କଲେ । ୨୦୧୧ ମସିହାରେ ତାଙ୍କୁ ଗିଲିଅଡ୍ ସ୍କୁଲର ୧୩୨ତମ କ୍ଲାସରେ ଡକାଗଲା । ଗ୍ରାଜୁଏଟ୍ ହେବା ପରେ ସେମାନେ ଅଲଗା ଅଲଗା ଦେଶରେ ବିଭିନ୍ନ ପ୍ରକାରର ସେବା କଲେ । ଯେପରି, ସେମାନେ ବୈଥେଲ ସେବା କଲେ, ମିଶନାରୀ ଭାବେ ସେବା କଲେ ଏବଂ ସର୍କିଟ କାମ ମଧ୍ୟ କଲେ । ଭାଇ ରମ୍ଫ୍ଙ୍କୁ ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ ଶିଖାଇବାର ମଧ୍ୟ ସୁଯୋଗ ମିଳିଲା ।
କୋଭିଡ୍-୧୯ ମହାମାରୀ ଯୋଗୁଁ ଭାଇ ଏବଂ ଭଉଣୀଙ୍କୁ ପୁଣିଥରେ ଆମେରିକା ଫେରିବାକୁ ପଡ଼ିଲା । ଏହାପରେ ସେମାନଙ୍କୁ ୱାଲକିଲ ବୈଥେଲରେ ସେବା କରିବା ପାଇଁ ଡକାଗଲା, ଯେଉଁଠି ଭାଇଙ୍କୁ ସେବା ବିଭାଗରେ କାମ କରିବା ପାଇଁ ଟ୍ରେନିଙ୍ଗ ମିଳିଲା । କିଛି ସମୟ ପରେ, ସେମାନଙ୍କୁ ପୁଣିଥରେ ଇକ୍ୱେଡର ଶାଖା କାର୍ଯ୍ୟାଳୟକୁ ପଠାଗଲା । ସେଠାରେ ଭାଇ ଶାଖା ସମିତିର ସଦସ୍ୟ ଭାବେ ସେବା କଲେ । ୨୦୨୩ ମସିହାରେ ଭାଇ ଏବଂ ଭଉଣୀଙ୍କୁ ୱାରୱିକ୍ ବୈଥେଲକୁ ଡକାଗଲା । ଜାନୁୟାରୀ ୨୦୨୪ ମସିହାରେ ଭାଇଙ୍କୁ ସେବା ସମିତିର ସହାୟକ ଭାବେ ନିଯୁକ୍ତ କରାଗଲା । ଭାଇ ଅନେକ ଭିନ୍ନ ଭିନ୍ନ ଜାଗାରେ ସେବା କଲେ, କିନ୍ତୁ ସେ କହନ୍ତି, “କୌଣସି ବି ଅସାଇନ୍ମେଣ୍ଟ ଜାଗାରୁ ନୁହଁ, ବରଂ ଲୋକମାନଙ୍କ ଯୋଗୁଁ ଖାସ୍ ହୋଇଥାଏ ।”
ଆମେ ଏହି ଭାଇମାନଙ୍କ ପରିଶ୍ରମ ପାଇଁ ହୃଦୟରୁ କୃତଜ୍ଞ ଏବଂ ଆମେ ସେମାନଙ୍କର “ସମାଦର [“ଏପରି ଭାଇମାନଙ୍କୁ ବହୁମୂଲ୍ୟ ମନେ କରୁ,” NWT] କରୁ ।”—ଫିଲିପ୍. ୨:୨୯.