ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ନଭେମ୍ବର ପୃଷ୍ଠା ୨-୭
  • ବୃଦ୍ଧାବସ୍ଥାରେ ବି ଖୁସି ବଜାୟ ରଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବୃଦ୍ଧାବସ୍ଥାରେ ବି ଖୁସି ବଜାୟ ରଖନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ବୃଦ୍ଧାବସ୍ଥାରେ ନିଜ ଖୁସିକୁ ବଜାୟ ରଖିବା କାହିଁକି ସହଜ ହୋଇ ନ ଥାଏ ?
  • ନିଜ ଖୁସିକୁ ବଜାୟ ରଖନ୍ତୁ
  • ମଣ୍ଡଳୀର ଭାଇଭଉଣୀମାନେ କିପରି ବୃଦ୍ଧ ଭାଇଭଉଣୀମାନଙ୍କର ସାହାଯ୍ୟ କରିପାରିବେ ?
  • ବିଶ୍ୱସ୍ତ ସେବକମାନଙ୍କଠାରୁ ଶିଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ପ୍ରଚାର କାମରେ ଆହୁରି ଖୁସି ପାଆନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଅନ୍ୟମାନଙ୍କୁ ଦେଲେ ବହୁତ ଖୁସି ମିଳେ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ନଭେମ୍ବର ପୃଷ୍ଠା ୨-୭

ଅଧ୍ୟୟନ ଲେଖା ୪୪

ଗୀତ ୧୩୮ ଧଳାକେଶର ସୌନ୍ଦର୍ଯ୍ୟ

ବୃଦ୍ଧାବସ୍ଥାରେ ବି ଖୁସି ବଜାୟ ରଖନ୍ତୁ

“ସେମାନେ ବୃଦ୍ଧ ବୟସରେ ହେଁ ଫଳ ଉତ୍ପନ୍ନ କରିବେ ।”—ଗୀତ. ୯୨:୧୪.

କʼଣ ଶିଖିବା ?

ବୃଦ୍ଧ ଭାଇଭଉଣୀମାନଙ୍କ ପାଇଁ ଖୁସି ବଜାୟ ରଖିବା କାହିଁକି ଜରୁରୀ ଏବଂ ସେମାନେ କିପରି ନିଜ ଖୁସି ବଜାୟ ରଖିପାରିବେ ?

୧-୨. ଯିହୋବା ବୃଦ୍ଧ ଭାଇଭଉଣୀମାନଙ୍କୁ କେଉଁ ଦୃଷ୍ଟିରେ ଦେଖନ୍ତି ? (ଗୀତସଂହିତା ୯୨:୧୨-୧୪; ଚିତ୍ର ମଧ୍ୟ ଦେଖନ୍ତୁ ।)

ବୃଦ୍ଧାବସ୍ଥାରେ ପାଚିଲା କେଶ ଦେଖି କିଛି ଲୋକଙ୍କୁ ବହୁତ ଖୁସି ଲାଗେ । କିନ୍ତୁ କିଛି ଲୋକଙ୍କୁ ଏହା ଜମା ଭଲ ଲାଗେ ନାହିଁ । ଆପଣ ନିଜ ବିଷୟରେ ଭାବନ୍ତୁ, ଯେବେ ଆପଣ ପ୍ରଥମ ଥର ନିଜର ପାଚିଲା କେଶ ଦେଖିଲେ, ତେବେ ଆପଣଙ୍କୁ କିପରି ଲାଗିଥିଲା ? ହୁଏତ ଏହାକୁ ଲୁଚାଇବା ପାଇଁ, ଆପଣ ଏହାକୁ ଉପାଡ଼ିବା ପାଇଁ ଚେଷ୍ଟା କରିଥିବେ । ଏହା ସତ ଯେ ହୁଏତ ଆମେ ନିଜ ପାଚିଲା କେଶକୁ ଲୁଚାଇ ଦେଇପାରୁ । କିନ୍ତୁ ଆମେ ଯେତେ ଚେଷ୍ଟା କଲେ ବି ନିଜ ବୃଦ୍ଧାବସ୍ଥାକୁ ଲୁଚାଇ ପାରିବା ନାହିଁ ।

୨ ଯିହୋବା ସେହି ବୃଦ୍ଧ ଭାଇଭଉଣୀମାନଙ୍କୁ କେଉଁ ଦୃଷ୍ଟିରେ ଦେଖନ୍ତି ? (ହିତୋ. ୧୬:୩୧) ବାଇବଲରେ ସେମାନଙ୍କ ତୁଳନା ଫଳଦାୟକ ବୃକ୍ଷ ସହିତ କରାଯାଇଛି । (ଗୀତସଂହିତା ୯୨:୧୨-୧୪ ପଢ଼ନ୍ତୁ ।) ଏପରି ତୁଳନା କରିବା କାହିଁକି ସଠିକ୍‌ ଅଟେ ? କିଛି ଗଛ ବର୍ଷ ବର୍ଷ ଧରି ବଞ୍ଚିଥାଏ, ତଥାପି ସେଥିରେ ଏତେ ପତ୍ର ଓ ଫୁଲ ଥାଏ ଯେ ତାହା ଦେଖିବାକୁ ଖୁବ୍‌ ସୁନ୍ଦର ଲାଗେ । ସେହିପରି ଗୋଟିଏ ବୃକ୍ଷର ନାମ ହେଉଛି, ଚେରି ବ୍ଲସମ । ଏହି ଗଛ ଜାପାନରେ ରହିଛି । ଏହି ଗଛଗୁଡ଼ିକ ମଧ୍ୟରୁ କିଛି ଗଛ ହଜାରରୁ ବି ଅଧିକ ବର୍ଷରୁ ରହିଛି ଏବଂ ସେହି ଗଛଗୁଡ଼ିକ ଦେଖିବାକୁ ଖୁବ୍‌ ସୁନ୍ଦର । ଏହି ଗଛଗୁଡ଼ିକ ଭଳି ଯିହୋବା ସେହି ବିଶ୍ୱସ୍ତ ବୃଦ୍ଧ ଭାଇଭଉଣୀଙ୍କୁ ମଧ୍ୟ ବହୁମୂଲ୍ୟ ଭାବନ୍ତି । ଯିହୋବା ସେମାନଙ୍କ ପାଚିଲା କେଶ ନୁହେଁ, ବରଂ ସେମାନଙ୍କ ହୃଦୟ ଦେଖନ୍ତି । ସେ ଦେଖନ୍ତି ଯେ ସେମାନେ କିପରି ଧୈର୍ଯ୍ୟର ସହ ବର୍ଷ ବର୍ଷ ଧରି ତାଙ୍କର ସେବା କରୁଛନ୍ତି । ଏହି କାରଣରୁ ସେ ସେମାନଙ୍କୁ ବହୁମୂଲ୍ୟ ଭାବନ୍ତି ।

ଚେରି ବ୍ଲସମ ଗଛ ତଳେ ବୃଦ୍ଧ ଦମ୍ପତି ବସିଛନ୍ତି ।

କିଛି ଗଛ ବର୍ଷ ବର୍ଷ ଧରି ଥିଲେ ମଧ୍ୟ ସେଥିରେ ଭରି ରହିଥିବା ଫୁଲ ଓ ଫଳ ଯୋଗୁଁ ଗଛଟି ଭାରି ସୁନ୍ଦର ଦେଖାଯାଏ, ଠିକ୍‌ ସେହିଭଳି ଯିହୋବାଙ୍କ ବିଶ୍ୱସ୍ତ ବୃଦ୍ଧ ସେବକମାନେ ତାଙ୍କ ଦୃଷ୍ଟିରେ ବହୁତ ସୁନ୍ଦର ଓ ବହୁମୂଲ୍ୟ ଥାʼନ୍ତି (ପାରାଗ୍ରାଫ ୨)


୩. ଉଦାହରଣ ଦେଇ କହନ୍ତୁ ଯେ କିପରି ଯିହୋବା ନିଜ ବୃଦ୍ଧ ସେବକଙ୍କଠାରୁ ନିଜ ଉଦ୍ଦେଶ୍ୟକୁ ପୂରା କଲେ ।

୩ ଜଣେ ବ୍ୟକ୍ତିଙ୍କ ବୟସ ଯେତେ ହୋଇଥିଲେ ବି ସେ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ।a ଯିହୋବା ଅନେକ ଥର ନିଜ ବୃଦ୍ଧ ସେବକଙ୍କ ଜରିଆରେ ନିଜ ଉଦ୍ଦେଶ୍ୟକୁ ପୂରା କଲେ । ଉଦାହରଣ ସ୍ୱରୂପ, ସାରାଙ୍କ ବୃଦ୍ଧାବସ୍ଥାରେ ଯିହୋବା ତାଙ୍କୁ କହିଲେ ଯେ ସେ ଜଣେ ପୁଅକୁ ଜନ୍ମ ଦେବେ, ଯାହାଙ୍କ ଜରିଆରେ ଗୋଟିଏ ବଡ଼ ରାଷ୍ଟ୍ର ଉତ୍ପନ୍ନ ହେବ ଏବଂ ସେ ଏହା ବି କହିଲେ ଯେ ସାରା ଖ୍ରୀଷ୍ଟଙ୍କ ଆଦିମାତା ହେବେ । (ଆଦି. ୧୭:୧୫-୧୯) ଯଦି ମୋଶାଙ୍କ ବିଷୟରେ ଦେଖିବା, ତାହେଲେ ଯିହୋବା ତାଙ୍କୁ ବି ବୃଦ୍ଧାବସ୍ଥାରେ ଇସ୍ରାଏଲୀୟମାନଙ୍କୁ ମିଶରରୁ ମୁକ୍ତ କରିବା ପାଇଁ କହିଥିଲେ । (ଯାତ୍ରା. ୭:୬, ୭) ଆଉ ପ୍ରେରିତ ଯୋହନ ମଧ୍ୟ ଯେବେ ବୃଦ୍ଧ ହୋଇଯାଇଥିଲେ, ତେବେ ଯିହୋବା ନିଜ ପବିତ୍ର ଶକ୍ତି ଦ୍ୱାରା ତାଙ୍କ ଜରିଆରେ ବାଇବଲର ପାଞ୍ଚଟି ବହି ଲେଖାଇଲେ ।

୪. ହିତୋପଦେଶ ୧୫:୧୫ ପଦ ଅନୁସାରେ କେଉଁ କଥାରୁ ବୃଦ୍ଧ ଭାଇଭଉଣୀମାନଙ୍କୁ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ସାହାଯ୍ୟ ମିଳିପାରିବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୪ ବୟସ ବଢ଼ିବା ସହିତ ଆମ ବୃଦ୍ଧ ଭାଇଭଉଣୀମାନଙ୍କୁ ଆହୁରି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ । ସେଥିପାଇଁ ଅନେକ ଲୋକ ଏବିଷୟରେ କହନ୍ତି, “ବୃଦ୍ଧାବସ୍ଥାର ସାମନା କରିବା, ସହଜ କଥା ନୁହେଁ ।” ତଥାପି ଯଦି ବୃଦ୍ଧ ଭାଇଭଉଣୀମାନେ ନିଜ ଖୁସିକୁb ବଜାୟ ରଖିବା ପାଇଁ ଚେଷ୍ଟା କରିବେ, ତାହେଲେ ଏହି ଅବସ୍ଥାରେ ହେଉଥିବା ସମସ୍ୟାଗୁଡ଼ିକର ସାମନା କରିବା ସେମାନଙ୍କ ପାଇଁ ସହଜ ହୋଇପାରେ । (ହିତୋପଦେଶ ୧୫:୧୫ ପଢ଼ନ୍ତୁ ।) ଏହି ଲେଖାରେ ଆମେ କିଛି ପରାମର୍ଶ ଉପରେ ଚର୍ଚ୍ଚା କରିବା, ଯାହାକୁ ମାନି ବୃଦ୍ଧ ଭାଇଭଉଣୀମାନେ ନିଜ ଖୁସିକୁ ବଜାୟ ରଖିପାରିବେ । ତାʼସହିତ ଆମେ ଏହା ବି ଜାଣିବା ଯେ ମଣ୍ଡଳୀର ଭାଇଭଉଣୀମାନେ ଏହି ବୃଦ୍ଧ ଭାଇଭଉଣୀମାନଙ୍କୁ କିପରି ସାହାଯ୍ୟ କରିପାରିବେ । କିନ୍ତୁ ପ୍ରଥମେ ଆମେ ଜାଣିବା ଯେ ବୃଦ୍ଧାବସ୍ଥାରେ ନିଜ ଖୁସିକୁ ବଜାୟ ରଖିବା କାହିଁକି ସହଜ ହୋଇ ନ ଥାଏ ।

ଚେରି ବ୍ଲସମ ଗଛ ତଳେ ସେହି ବୃଦ୍ଧ ଦମ୍ପତି ପରସ୍ପରର ହାତ ଧରି ଛିଡ଼ା ହୋଇଛନ୍ତି ।

ଖୁସି ରହିବା ଦ୍ୱାରା ବୃଦ୍ଧ ଲୋକମାନେ ବୃଦ୍ଧାବସ୍ଥାରେ ହେଉଥିବା ସମସ୍ୟାର ସାମନା କରିପାରିବେ (ପାରାଗ୍ରାଫ ୪)


ବୃଦ୍ଧାବସ୍ଥାରେ ନିଜ ଖୁସିକୁ ବଜାୟ ରଖିବା କାହିଁକି ସହଜ ହୋଇ ନ ଥାଏ ?

୫. ବୃଦ୍ଧ ଭାଇଭଉଣୀମାନେ ହୁଏତ କେଉଁ କାରଣଗୁଡ଼ିକ ପାଇଁ ନିରାଶ ହୋଇପାରନ୍ତି ?

୫ ଯଦି ଆପଣଙ୍କର ବୟସ ହୋଇଯାଇଛି, ତାହେଲେ ହୁଏତ ଆପଣ ଏହା ଭାବି ନିରାଶ ହୋଇଯିବେ ଯେ ପୂର୍ବେ ଆପଣ ଯାହା କରିପାରୁ ଥିଲେ, ସେଗୁଡ଼ିକ ଏବେ କରିପାରୁ ନାହାନ୍ତି । ହୁଏତ ଆପଣ ଭାବିବେ, ‘କେତେ ଭଲ ହୁଅନ୍ତା, ଯଦି ମୋର ଯୁବାବସ୍ଥା ଫେରି ଆସନ୍ତା !’ (ଉପ. ୭:୧୦) ରୁବି ନାମକ ଜଣେ ଭଉଣୀ କହନ୍ତି, “ବେଳେବେଳେ ମୋର ପୂରା ଶରୀରରେ ଏତେ ଦରଜ ହୁଏ ଯେ ମୋ ହାତ ଗୋଡ଼ ବି କାମ ଦିଏନି, ଏହାଯୋଗୁଁ ମୁଁ ପୋଷାକ ବି ପିନ୍ଧିପାରେ ନାହିଁ । ମୁଁ ଗୋଡ଼ରେ ମୋଜା ମଧ୍ୟ ପିନ୍ଧିପାରେ ନାହିଁ । ମୋ ହାତ ଓ ଗଣ୍ଠିଗୁଡ଼ିକରେ ଏତେ ଦରଜ ଥାଏ ଯେ ମୁଁ ଛୋଟରୁ ଛୋଟ କାମ ମଧ୍ୟ କରିପାରେ ନାହିଁ ।” ଭାଇ ହେରଲ୍‌ଡ ଯିଏ ପୂର୍ବେ ବୈଥେଲରେ ସେବା କରୁଥିଲେ, ସେ କହନ୍ତି, “ନିଜ ପରିସ୍ଥିତିକୁ ଦେଖି ବେଳେବେଳେ ମୋତେ ବହୁତ ରାଗ ଲାଗେ । ଯେବେ ମୁଁ ଯୁବା ଥିଲି, ତେବେ ମୋତେ ଖେଳକୁଦ କରିବାର ବହୁତ ସଉକ ଥିଲା । ବେସ୍‌ବଲ ଖେଳିବା ସମୟରେ ଲୋକେ କହୁଥିଲେ, ‘ହେରଲ୍‌ଡକୁ ବଲ୍‌ ଦିଏ, ସେ ଆମକୁ ହାରିବା ପାଇଁ ଦେବନି ।’ କିନ୍ତୁ ଆଜି ମୋ ପାଖରେ ବଲ୍‌ ଫିଙ୍ଗିବା ପାଇଁ ମଧ୍ୟ ବଳ ନାହିଁ ।”

୬. (କ) ବୃଦ୍ଧ ଭାଇଭଉଣୀମାନେ ଆଉ କେଉଁ କାରଣ ପାଇଁ ନିରାଶ ହୋଇପାରନ୍ତି ? (ଖ) ବୃଦ୍ଧ ଭାଇଭଉଣୀମାନେ କିପରି ନିଷ୍ପତ୍ତି ନେଇପାରିବେ ଯେ ସେମାନଙ୍କୁ ଗାଡ଼ି ଚଳାଇବା ଉଚିତ୍‌ ନା ନୁହେଁ ? (ଏହି ସଂଖ୍ୟାରେ ଦିଆଯାଇଥିବା ଲେଖା, “କʼଣ ଏବେ ମୋତେ ଗାଡ଼ି ଚଳାଇବା ବନ୍ଦ କରିଦେବା ଉଚିତ୍‌ ?” ଦେଖନ୍ତୁ ।)

୬ ବୃଦ୍ଧାବସ୍ଥା ଯୋଗୁଁ ଆପଣଙ୍କ ଯତ୍ନ ନେବା ପାଇଁ କାହାରିକୁ ରଖିବାକୁ ପଡ଼ିପାରେ କିମ୍ବା ଆପଣଙ୍କୁ ନିଜ ଘରଛାଡ଼ି ନିଜ ପିଲାମାନଙ୍କ ସହିତ ରହିବାକୁ ପଡ଼ିପାରେ । ଏପରି ସମୟରେ ହୁଏତ ଆପଣ ପୂର୍ବ ଭଳି ନିଜ ଇଚ୍ଛା ଅନୁସାରେ କିଛି କରିପାରିବେ ନାହିଁ, ତେଣୁ ଆପଣ ନିରାଶ ହୋଇପାରନ୍ତି । କିମ୍ବା ଏପରି ବି ହୋଇପାରେ ଯେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁଁ କିମ୍ବା ଦୃଷ୍ଟିଶକ୍ତି ଦୁର୍ବଳ ହେବା ଯୋଗୁଁ ଆପଣ ଏକୁଟିଆ କୁଆଡ଼େ ଯାଇପାରିବେ ନାହିଁ କିମ୍ବା ଗାଡ଼ି ଚଳାଇପାରିବେ ନାହିଁ । ଏହାଯୋଗୁଁ ବି ଆପଣ ହୁଏତ ଦୁଃଖି ହୋଇଯିବେ । କିନ୍ତୁ ମନେ ରଖନ୍ତୁ, ଏଗୁଡ଼ିକ ଯୋଗୁଁ ଯିହୋବା ଓ ଅନ୍ୟମାନଙ୍କ ଦୃଷ୍ଟିରେ ଆପଣଙ୍କ ମହତ୍ତ୍ୱ କମ୍‌ ହୁଏ ନାହିଁ, କାରଣ ଯିହୋବାଙ୍କ ପାଇଁ ଏହା ମହତ୍ତ୍ୱ ରଖେ ଯେ ଆମେ ହୃଦୟରୁ କିପରି ବ୍ୟକ୍ତି ଅଟୁ । ଆଉ ସେ ଜାଣନ୍ତି ଯେ ଆମେ କିପରି ଅନୁଭବ କରୁଛୁ । ସେ ଏହା ଦେଖନ୍ତି ଯେ ଆମେ ହୃଦୟରୁ ତାଙ୍କୁ ଓ ଭାଇଭଉଣୀମାନଙ୍କୁ କେତେ ପ୍ରେମ କରୁ ଏବଂ ଆମେ ସେମାନଙ୍କର କେତେ କୃତଜ୍ଞ । ଆଉ ଏହା ଦେଖି ସେ ଆମକୁ ବହୁମୂଲ୍ୟ ମନେ କରନ୍ତି ।—୧ ଶାମୁ. ୧୬:୭.

୭. ଯଦି ଆପଣ ଏହା ଭାବି ନିରାଶ ଅଛନ୍ତି ଯେ ଆପଣଙ୍କ ବଞ୍ଚିଥିବା ଯାଏ ବିନାଶ ଆସିବ ନାହିଁ, ତାହେଲେ ଆପଣ କʼଣ ମନେ ରଖିପାରିବେ ?

୭ ହୁଏତ ଆପଣ ଏହା ଭାବି ମଧ୍ୟ ନିରାଶ ହୋଇଯିବେ ଯେ ଆପଣଙ୍କ ବଞ୍ଚିଥିବା ଯାଏ ବିନାଶ ଆସିବ ନାହିଁ । ଯଦି ଆପଣଙ୍କୁ ଏପରି ଲାଗେ, ତାହେଲେ ମନେ ରଖନ୍ତୁ ଯେ ଯିହୋବା ମଧ୍ୟ ଏହି ଦୁଷ୍ଟ ଦୁନିଆକୁ ବିନାଶ କରିବା ପାଇଁ ଚାହାନ୍ତି, କିନ୍ତୁ ସେ ଧୈର୍ଯ୍ୟ ଧରିଛନ୍ତି । (ଯିଶା. ୩୦:୧୮) ଆଉ ତାଙ୍କ ଧୈର୍ଯ୍ୟ ଧରିବାର ଗୋଟିଏ କାରଣ ରହିଛି । ତାହା ହେଉଛି, ସେ ଲକ୍ଷ ଲକ୍ଷ ଲୋକଙ୍କୁ ସୁଯୋଗ ଦେଉଛନ୍ତି ଯେ ସେମାନେ ତାଙ୍କୁ ଜାଣନ୍ତୁ ଏବଂ ତାଙ୍କର ସେବା କରନ୍ତୁ । (୨ ପିତ. ୩:୯) ତେଣୁ ଯଦି ଆପଣ ଦୁଃଖି ହୋଇଯାʼନ୍ତି, ତାହେଲେ ଏବିଷୟରେ ଭାବନ୍ତୁ ଯେ ଯିହୋବାଙ୍କ ଧୈର୍ଯ୍ୟ ଯୋଗୁଁ ବିନାଶ ଆସିବା ପୂର୍ବରୁ ଅନେକ ଲୋକଙ୍କୁ ଲାଭ ହୋଇପାରିବ । ଆଉ ହୁଏତ ସେମଧ୍ୟରୁ କିଛି ଲୋକ ଆପଣଙ୍କ ପରିବାରରୁ ବି ହୋଇପାରନ୍ତି ।

୮. ବୃଦ୍ଧାବସ୍ଥା ଯୋଗୁଁ ହୁଏତ ବୃଦ୍ଧ ଭାଇଭଉଣୀମାନେ କʼଣ କରନ୍ତି ?

୮ ଆମେ ଯୁବା ହେଉ କିମ୍ବା ବୃଦ୍ଧବୃଦ୍ଧା, ଯେବେ ଆମ ସ୍ୱାସ୍ଥ୍ୟ ଠିକ୍‌ ରହେ ନାହିଁ, ତେବେ ଅନେକ ଥର ହୁଏତ ଆମେ କିଛି ଏପରି କହିଦେବା କିମ୍ବା କିଛି ଏପରି କାମ କରିଦେବା, ଯାହାଯୋଗୁଁ ପରେ ଆମକୁ ଅବଶୋଷ ହୁଏ । (ଉପ. ୭:୭; ଯାକୁ. ୩:୨) ବାଇବଲରେ ମଧ୍ୟ କୁହାଯାଇଛି ଯେ ଯେବେ ଆୟୁବ ରୋଗରେ ପୀଡ଼ିତ ଥିଲେ, ତେବେ ତାଙ୍କର ବି କଥା “ଅବିବେଚନାଯୁକ୍ତ” ଥିଲା । (ଆୟୁ. ୬:୧-୩) ବେଳେବେଳେ ବୃଦ୍ଧ ଭାଇଭଉଣୀମାନେ କୌଣସି ରୋଗ ଯୋଗୁଁ କିମ୍ବା ସେମାନେ ଯେଉଁ ଔଷଧ ନିଅନ୍ତି ତାʼଯୋଗୁଁ ଏପରି କିଛି କହିଦିଅନ୍ତି କିମ୍ବା ଏପରି କିଛି କରିଦିଅନ୍ତି, ଯାହା ସେମାନେ ସାଧାରଣତଃ କରି ନ ଥାʼନ୍ତି । ଆମେ ସମସ୍ତେ ମନେ ରଖିବା ଯେ ଆମେ କେବେ ବି ନିଜର ସ୍ୱାସ୍ଥ୍ୟ କିମ୍ବା ବୃଦ୍ଧାବସ୍ଥାକୁ ବାହାନା କରି ଅନ୍ୟମାନଙ୍କ ସହିତ ଖରାପ ବ୍ୟବହାର କରିବା ଉଚିତ୍‌ ନୁହେଁ । ତାʼସହିତ ସେମାନଙ୍କଠାରୁ ଅତ୍ୟଧିକ ଆଶା ବି କରିବା ଉଚିତ୍‌ ନୁହେଁ । ଆଉ ଯଦି ଆମକୁ ଅନୁଭବ ହୁଏ ଯେ ଆମେ ଅଜାଣତରେ କାହାକୁ କଷ୍ଟ ଦେଇଛୁ, ତାହେଲେ ଆମେ ତୁରନ୍ତ କ୍ଷମା ମାଗିବା ।—ମାଥି. ୫:୨୩, ୨୪.

ନିଜ ଖୁସିକୁ ବଜାୟ ରଖନ୍ତୁ

ଚେରି ବ୍ଲସମର ଡାଳ ରହିଛି । ଛୋଟ ଚିତ୍ରଗୁଡ଼ିକରେ ଦେଖାଇ ଦିଆଯାଇଛି ଯେ ବୃଦ୍ଧ ଭାଇଭଉଣୀମାନେ କେଉଁ ଉପାୟରେ ନିଜ ଖୁସି ବଜାୟ ରଖିପାରିବେ । ପାରାଗ୍ରାଫ ୯-୧୩ରେ ଏବିଷୟରେ କୁହାଯାଇଛି ।

ବୃଦ୍ଧାବସ୍ଥା ସମୟରେ ହେଉଥିବା ସମସ୍ୟାଗୁଡ଼ିକ ସତ୍ତ୍ୱେ ଆପଣ ନିଜ ଖୁସି କିପରି ବଜାୟ ରଖିପାରିବେ ? (ପାରାଗ୍ରାଫ ୯-୧୩)


୯. ଆପଣଙ୍କୁ କାହିଁକି ଅନ୍ୟମାନଙ୍କଠାରୁ ସାହାଯ୍ୟ ନେବା ଉଚିତ୍‌ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୯ ଅନ୍ୟମାନଙ୍କଠାରୁ ସାହାଯ୍ୟ ନିଅନ୍ତୁ । (ଗାଲା. ୬:୨) ଆରମ୍ଭରେ ହୁଏତ ଆପଣଙ୍କୁ ଅନ୍ୟମାନଙ୍କଠାରୁ ସାହାଯ୍ୟ ନେବା କଠିନ ଲାଗିବ । ଗ୍ରେଟଲ୍‌ ନାମକ ଜଣେ ଭଉଣୀ କହନ୍ତି, “ବେଳେବେଳେ ମୋତେ ଅନ୍ୟମାନଙ୍କଠାରୁ ସାହାଯ୍ୟ ନେବା ଭଲ ଲାଗେ ନାହିଁ । ଏମିତି ଲାଗେ ଯେ ମୁଁ ତାଙ୍କ ଉପରେ ବୋଝ ହୋଇଯିବି । ମୋତେ ନିଜ ଚିନ୍ତାଧାରାରେ ପରିବର୍ତ୍ତନ କରିବା ଏବଂ ଅନ୍ୟମାନଙ୍କର ସାହାଯ୍ୟ ନେବା ପାଇଁ ସମୟ ଲାଗିଲା ।” ଯେବେ ଆପଣ ଅନ୍ୟମାନଙ୍କଠାରୁ ସାହାଯ୍ୟ ନିଅନ୍ତି, ତେବେ ଆପଣ ସେମାନଙ୍କୁ ସେହି ଖୁସି ଦେଉଥାʼନ୍ତି ଯେଉଁ ଖୁସି ଅନ୍ୟମାନଙ୍କୁ ସାହାଯ୍ୟ କଲେ ମିଳିଥାଏ । (ପ୍ରେରି. ୨୦:୩୫) ଆଉ ଯେବେ ଆପଣ ଦେଖିବେ ଯେ ଅନ୍ୟମାନେ ଆପଣଙ୍କୁ କେତେ ପ୍ରେମ କରନ୍ତି ଏବଂ ଆପଣଙ୍କର କେତେ ଚିନ୍ତା କରନ୍ତି, ତେବେ ଆପଣଙ୍କୁ ବହୁତ ଖୁସି ଲାଗିବ ।

ଜଣେ ବୃଦ୍ଧା ଭଉଣୀ ଆଉ ଜଣେ ଯୁବା ଭଉଣୀଙ୍କ ସହିତ ପରିବା ଓ ଫଳମୂଳ କିଣୁଛନ୍ତି ।

(ପାରାଗ୍ରାଫ ୯)


୧୦. ଆପଣଙ୍କୁ କାହିଁକି କୃତଜ୍ଞତା ଦେଖାଇବା ଉଚିତ୍‌ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୦ କୃତଜ୍ଞତା ଦେଖାନ୍ତୁ । (କଲ. ୩:୧୫; ୧ ଥେସ. ୫:୧୮) ଯେବେ ଅନ୍ୟମାନେ ଆମ ପାଇଁ କିଛି କରନ୍ତି, ତେବେ ଆମକୁ ବହୁତ ଭଲ ଲାଗେ । କିନ୍ତୁ ହୁଏତ ଆମେ ସେମାନଙ୍କୁ କୃତଜ୍ଞତା ଦେଖାଇବା ଭୁଲିଯିବା । ଯଦି ଆମେ ସେମାନଙ୍କ ସାହାଯ୍ୟ ପାଇଁ କେବଳ ଧନ୍ୟବାଦ ବି କହିବା, ତାହେଲେ ଆମେ ଦେଖାଇବା ଯେ ଆମେ ସେମାନଙ୍କର କେତେ କୃତଜ୍ଞ । ଭଉଣୀ ଲୀୟାଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ ଯିଏ ବୈଥେଲରେ ବୃଦ୍ଧା ଭଉଣୀମାନଙ୍କର ସେବା କରନ୍ତି । ସେ କହନ୍ତି, “ମୁଁ ଯେଉଁ ଭଉଣୀମାନଙ୍କର ଦେଖାଶୁଣା କରେ, ସେମଧ୍ୟରୁ ଜଣେ ଭଉଣୀ ମୋତେ ସବୁବେଳେ ଥେଂକ୍ୟୁ କାର୍ଡ ଦିଅନ୍ତି । ସେ ସେଥିରେ ବେଶୀ କିଛି ଲେଖନ୍ତି ନାହିଁ, କିନ୍ତୁ ସେ ଯାହା ବି ଲେଖନ୍ତି ତାହା ମୋ ହୃଦୟକୁ ଛୁଇଁ ଯାଏ । ଆଉ ଯେବେ ବି ସେ ମୋତେ ଥେଂକ୍ୟୁ କାର୍ଡ ଦିଅନ୍ତି, ତେବେ ମୋତେ ଅନୁଭବ ହୁଏ ଯେ ସେ ମୋର ପରିଶ୍ରମ ପାଇଁ କୃତଜ୍ଞ ଅଛନ୍ତି ଏବଂ ଏହା ଦେଖି ମୋତେ ବହୁତ ଖୁସି ଲାଗେ ।”

ଜଣେ ବୃଦ୍ଧା ଭଉଣୀ ଥେଂକ୍ୟୁ କାର୍ଡ ଲେଖୁଛନ୍ତି ।

(ପାରାଗ୍ରାଫ ୧୦)


୧୧. ଆପଣ କିପରି ଅନ୍ୟମାନଙ୍କର ସାହାଯ୍ୟ କରିପାରିବେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୧ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ । ଯେବେ ଆପଣ ଅନ୍ୟମାନଙ୍କ ବିଷୟରେ ଭାବିବେ ଏବଂ ସେମାନଙ୍କର ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବେ, ତେବେ ଆପଣଙ୍କର ଧ୍ୟାନ ନିଜ ଚିନ୍ତାଗୁଡ଼ିକ ଉପରେ ରହିବନି । ଆଫ୍ରିକାରେ ଗୋଟିଏ କଥା ରହିଛି ଯେ ବୃଦ୍ଧବୃଦ୍ଧାମାନେ ଏପରି ଲାଇବ୍ରେରୀ ଭଳି ଅଟନ୍ତି, ଯେଉଁଠି ଜ୍ଞାନ ଓ ବୁଦ୍ଧିରେ ପରିପୂର୍ଣ୍ଣ ବହିଗୁଡ଼ିକ ରହିଛି । କିନ୍ତୁ ଯଦି ସେହି ବହିଗୁଡ଼ିକ ଥାକରେ ହିଁ ପଡ଼ିରହେ, ତାହେଲେ ସେଥିରୁ କାହାକୁ ବି ଲାଭ ହେବ ନାହିଁ । ସେଥିପାଇଁ ନିଜେ ଆଗେଇ ଆସି ଯୁବାମାନଙ୍କ ସହିତ କଥା ହୁଅନ୍ତୁ । ଆପଣଙ୍କୁ ଯାହା ଜଣାଅଛି ଏବଂ ଆପଣ ଯାହା ଶିଖିଛନ୍ତି, ତାହା ସେମାନଙ୍କୁ କହନ୍ତୁ । ସେମାନଙ୍କୁ ପ୍ରଶ୍ନ କରନ୍ତୁ ଏବଂ ସେମାନଙ୍କ କଥା ଧ୍ୟାନର ସହ ଶୁଣନ୍ତୁ । ନିଜ ଅନୁଭୂତିରୁ କହନ୍ତୁ ଯେ ଯିହୋବାଙ୍କ ଆଜ୍ଞା ମାନି ଆପଣଙ୍କୁ କʼଣ କʼଣ ଲାଭ ହୋଇଛି ଏବଂ ଏହା ବି କହନ୍ତୁ ଯେ ଯଦି ସେମାନେ ବି ଯିହୋବାଙ୍କ ଆଜ୍ଞା ମାନିବେ, ତାହେଲେ ସେମାନଙ୍କୁ ବି ନିଶ୍ଚୟ ଲାଭ ହେବ । ଯେବେ ଆପଣ ଏହିପରି ଭାବେ ଯୁବାମାନଙ୍କର ଉତ୍ସାହ ବଢ଼ାଇବେ ଏବଂ ସେମାନଙ୍କୁ ସାନ୍ତ୍ୱନା ଦେବେ, ତେବେ ଆପଣଙ୍କୁ ବହୁତ ଖୁସି ମିଳିବ ।—ଗୀତ. ୭୧:୧୮.

ଜଣେ ଯୁବା ଭାଇ ବୃଦ୍ଧ ଭାଇଙ୍କୁ ନିଜ ମନ କଥା କହୁଛନ୍ତି ଏବଂ ସେହି ଭାଇ ଧ୍ୟାନର ସହ ତାଙ୍କର ଶୁଣୁଛନ୍ତି ।

(ପାରାଗ୍ରାଫ ୧୧)


୧୨. ଯିହୋବା ବୃଦ୍ଧାବସ୍ଥାରେ ଥିବା ନିଜ ସେବକମାନଙ୍କୁ କʼଣ ପ୍ରତିଜ୍ଞା କରିଛନ୍ତି ? (ଯିଶାଇୟ ୪୬:୪) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୨ ଯିହୋବାଙ୍କୁ ପ୍ରାର୍ଥନାରେ ଶକ୍ତି ମାଗନ୍ତୁ । ବେଳେବେଳେ ହୁଏତ ଆପଣ ବହୁତ ଥକିଯାʼନ୍ତି କିମ୍ବା ହାର ମାନିଯାʼନ୍ତି । କିନ୍ତୁ ମନେ ରଖନ୍ତୁ, ଯିହୋବା “କ୍ଳାନ୍ତ ହୁଅନ୍ତି ନାହିଁ, କି ଶ୍ରାନ୍ତ ହୁଅନ୍ତି ନାହିଁ ।” (ଯିଶା. ୪୦:୨୮) ତାଙ୍କ ପାଖରେ ବହୁତ ଶକ୍ତି ରହିଛି । କʼଣ ସେ ନିଜ ଶକ୍ତି କେବଳ ନିଜ ପାଖରେ ହିଁ ରଖିଥାʼନ୍ତି ? ଜମା ନୁହଁ । ସେ ବୃଦ୍ଧାବସ୍ଥାରେ ଥିବା ନିଜ ସେବକମାନଙ୍କୁ ଶକ୍ତି ଦିଅନ୍ତି । (ଯିଶା. ୪୦:୨୯-୩୧) ସେ ବୃଦ୍ଧ ଭାଇଭଉଣୀମାନଙ୍କୁ ପ୍ରତିଜ୍ଞା କରିଛନ୍ତି ଯେ ସେ ସେମାନଙ୍କୁ ସବୁବେଳେ ସମ୍ଭାଳି ରଖିବେ । (ଯିଶାଇୟ ୪୬:୪ ପଢ଼ନ୍ତୁ ।) ଯିହୋବା ସବୁବେଳେ ନିଜ ପ୍ରତିଜ୍ଞା ନିଶ୍ଚିତ ପୂରା କରନ୍ତି । (ଯିହୋ. ୨୩:୧୪; ଯିଶା. ୫୫:୧୦, ୧୧) ଯେବେ ଆପଣ ଯିହୋବାଙ୍କୁ ପ୍ରାର୍ଥନା କରିବେ, ତେବେ ସେ ଆପଣଙ୍କୁ ବି ସାହାଯ୍ୟ କରିବେ । ସେହି ସମୟରେ ଆପଣ ନିଜେ ଅନୁଭବ କରିପାରିବେ ଯେ ସେ ଆପଣଙ୍କୁ କେତେ ପ୍ରେମ କରନ୍ତି ଏବଂ ଏହି କଥାରୁ ଆପଣଙ୍କୁ ବହୁତ ଖୁସି ମିଳିବ ।

ଜଣେ ବୃଦ୍ଧ ଭାଇ ପ୍ରାର୍ଥନା କରୁଛନ୍ତି ।

(ପାରାଗ୍ରାଫ ୧୨)


୧୩. ୨ କରିନ୍ଥୀୟ ୪:୧୬-୧୮ ପଦ ଅନୁସାରେ ଆମକୁ କେଉଁ କଥା ମନେ ରଖିବା ଉଚିତ୍‌ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୩ ମନେ ରଖନ୍ତୁ ଯେ ଆପଣ ବୃଦ୍ଧାବସ୍ଥାରେ ସବୁବେଳେ ରହିବେ ନାହିଁ । ଯେବେ ଆପଣ ଏହି କଥାକୁ ମନେ ରଖିବେ, ତେବେ ଆପଣଙ୍କୁ ନିଜ ସମସ୍ୟାଗୁଡ଼ିକର ସାମନା କରିବା ସହଜ ଲାଗିବ । ବାଇବଲରେ ଆମକୁ ଭରସା ଦିଆଯାଇଛି ଯେ ବୃଦ୍ଧାବସ୍ଥା ଓ ଖରାପ ସ୍ୱାସ୍ଥ୍ୟ ସବୁଦିନ ପାଇଁ ରହିବ ନାହିଁ । (ଆୟୁ. ୩୩:୨୫; ଯିଶା. ୩୩:୨୪) ଏହି କଥାରୁ ଆପଣ ଖୁସି ହୋଇପାରିବେ ଯେ ଭବିଷ୍ୟତରେ ଆପଣଙ୍କ ଜୀବନ ଖୁସିଭରା ରହିବ । (୨ କରିନ୍ଥୀୟ ୪:୧୬-୧୮ ପଢ଼ନ୍ତୁ ।) କିନ୍ତୁ ପ୍ରଶ୍ନ ଉଠେ, ମଣ୍ଡଳୀର ଭାଇଭଉଣୀମାନେ ଆପଣଙ୍କୁ କିପରି ସାହାଯ୍ୟ କରିପାରିବେ ?

ଜଣେ ବୃଦ୍ଧା ଭଉଣୀ ହ୍ୱିଲଚେୟାରରେ ବସି ବାଇବଲ ପଢ଼ୁଛନ୍ତି ଏବଂ କଳ୍ପନା କରୁଛନ୍ତି ଯେ ସେ ପାରଦୀଶରେ ଯୁବା ହୋଇଯାଇଛନ୍ତି ଓ ଚାଲିପାରୁଛନ୍ତି ।

(ପାରାଗ୍ରାଫ ୧୩)


ମଣ୍ଡଳୀର ଭାଇଭଉଣୀମାନେ କିପରି ବୃଦ୍ଧ ଭାଇଭଉଣୀମାନଙ୍କର ସାହାଯ୍ୟ କରିପାରିବେ ?

୧୪. ବୃଦ୍ଧ ଭାଇଭଉଣୀମାନଙ୍କୁ ଫୋନ୍‌ କରିବା ଏବଂ ସେମାନଙ୍କୁ ଭେଟିବା କାହିଁକି ଜରୁରୀ ?

୧୪ ମଝି ମଝିରେ ବୃଦ୍ଧ ଭାଇଭଉଣୀମାନଙ୍କୁ ଫୋନ୍‌ କରନ୍ତୁ ଏବଂ ସେମାନଙ୍କୁ ଭେଟିବା ପାଇଁ ଯାʼନ୍ତୁ । (ଏବ୍ରୀ ୧୩:୧୬) ବୃଦ୍ଧ ଭାଇଭଉଣୀମାନେ ସାଧାରଣତଃ ନିଜକୁ ଏକୁଟିଆ ଭାବନ୍ତି । ଭାଇ କେମି ଯିଏ ଘରର ଚାରି କାନ୍ଥ ଭିତରେ ବନ୍ଦ ହୋଇ ଅଛନ୍ତି, ସେ କହନ୍ତି, “ବେଳେବେଳେ ମୁଁ ବହୁତ ଚିନ୍ତିତ ହୋଇପଡ଼େ ଏବଂ ମୁଁ ବହୁତ ରାଗିଯାଏ । କାରଣ ମୁଁ ଘରୁ ବାହାରି ପାରେ ନାହିଁ ଏବଂ ମୋ ପାଖରେ କରିବା ପାଇଁ କିଛି କାମ ନ ଥାଏ ।” ଯେବେ ଆମେ ବୃଦ୍ଧ ଭାଇଭଉଣୀମାନଙ୍କୁ ଭେଟିବା ପାଇଁ ଯାଉ, ତେବେ ଆମେ କହିପାରିବା ଯେ ଆମେ ସେମାନଙ୍କୁ ବହୁତ ପ୍ରେମ କରୁ ଏବଂ ସେମାନେ ଆମ ପାଇଁ ବହୁତ ବହୁମୂଲ୍ୟ ଅଟନ୍ତି । ବେଳେବେଳେ ଆମେ ବୃଦ୍ଧ ଭାଇଭଉଣୀମାନଙ୍କୁ ଫୋନ୍‌ କରିବା କିମ୍ବା ସେମାନଙ୍କୁ ଭେଟିବା ପାଇଁ ଯିବା ବୋଲି ଭାବୁ, କିନ୍ତୁ ଆମେ ଏପରି କରିବା ଭୁଲିଯାଉ । କାରଣ ଆମେ ଦିନସାରା ବହୁତ ବ୍ୟସ୍ତ ରହୁ । ଆପଣଙ୍କ ସହିତ ବି ନିଶ୍ଚୟ ଏପରି ହୋଇଥିବ । କିନ୍ତୁ ବୃଦ୍ଧ ଭାଇଭଉଣୀମାନଙ୍କୁ ଭେଟିବା, ଗୋଟିଏ ଜରୁରୀ କାମ ଅଟେ । ଏହା “ଉତ୍କୃଷ୍ଟ ବିଷୟଗୁଡ଼ିକ” ମଧ୍ୟରୁ ଗୋଟିଏ । (ଫିଲିପ୍‌. ୧:୧୦) ତାହେଲେ ଆମେ କʼଣ କରିପାରିବା, ଯେଉଁଥିରୁ ଆମେ ନିଜ ବୃଦ୍ଧ ଭାଇଭଉଣୀମାନଙ୍କୁ ଭୁଲିବା ନାହିଁ ? କେବେ ବି ଏମିତି ଭାବନ୍ତୁ ନାହିଁ ଯେ ଆମକୁ ସୁଯୋଗ ମିଳିଳେ ଆମେ ମଣ୍ଡଳୀର ବୃଦ୍ଧ ଭାଇଭଉଣୀମାନଙ୍କୁ ଭେଟିବା ପାଇଁ ଯିବା । ଏହା ପରିବର୍ତ୍ତେ ନିଜ କ୍ୟାଲେଣ୍ଡରରେ ଲେଖି ରହନ୍ତୁ ଯେ ଆପଣ କେବେ ତାଙ୍କୁ ଫୋନ୍‌ କରିବେ କିମ୍ବା ମେସେଜ କରିବେ । ତାʼସହିତ ଆପଣ କେବେ ସେମାନଙ୍କୁ ଭେଟିବା ପାଇଁ ଯିବେ, ଏହା ପାଇଁ ବି ଦିନ ଓ ସମୟ ନିର୍ଦ୍ଧାରିତ କରନ୍ତୁ ।

୧୫. ଯୁବା ଓ ବୃଦ୍ଧ ଭାଇଭଉଣୀମାନେ ସାଙ୍ଗରେ ମିଶି କʼଣ କରିପାରିବେ ?

୧୫ ଯଦି ଆପଣ ଜଣେ ଯୁବା ଅଟନ୍ତି ତାହେଲେ ହୁଏତ ଆପଣ ଭାବିବେ, ‘ମୁଁ ବୃଦ୍ଧ ଭାଇଭଉଣୀମାନଙ୍କ ସହିତ କʼଣ କଥା ହେବି କିମ୍ବା ସେମାନଙ୍କ ସାଙ୍ଗରେ ମିଶି କʼଣ କରିପାରିବି ?’ ଏସବୁ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ ସେମାନଙ୍କ ଭଲ ସାଙ୍ଗ ହେବା ପାଇଁ ଚେଷ୍ଟା କରନ୍ତୁ । (ହିତୋ. ୧୭:୧୭) ସଭା ଆରମ୍ଭ ହେବା ପୂର୍ବରୁ ଏବଂ ପରେ ସେମାନଙ୍କ ସହିତ କଥା ହୁଅନ୍ତୁ । ଆପଣ ଚାହିଁଲେ ସେମାନଙ୍କୁ ତାଙ୍କ ମନପସନ୍ଦର ପଦ ପଚାରିପାରିବେ କିମ୍ବା ସେମାନଙ୍କୁ ତାଙ୍କ ପିଲାବେଳର କୌଣସି ମଜାଦାର କଥା କହିବା ପାଇଁ କହିପାରିବେ । ଆପଣ ଚାହିଁଲେ ସାଙ୍ଗରେ ମିଶି JW ବ୍ରୋଡକାଷ୍ଟିଙ୍ଗ୍‌ ଦେଖିପାରିବେ । ତାʼସହିତ ଆପଣ ଅନ୍ୟ ଉପାୟରେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିପାରିବେ । ଯେପରି, ଆପଣ ସେମାନଙ୍କ ମୋବାଇଲକୁ ଅପଡେଟ୍‌ କରିପାରିବେ କିମ୍ବା ଯେଉଁ ନୂଆ ପ୍ରକାଶନ ଆସିଛି, ତାହାକୁ ଡାଉନଲୋଡ୍‌ କରିବାରେ ମଧ୍ୟ ସାହାଯ୍ୟ କରିପାରିବେ । କେରଲ ନାମକ ଜଣେ ବୃଦ୍ଧା ଭଉଣୀ କହନ୍ତି, “ତମକୁ ଯାହା ଭଲ ଲାଗେ, ତମେ ଆମ ସହ ମିଶି ସେସବୁ କରିପାରିବ । ଏମିତି ତ ମୋର ବୟସ ହୋଇଯାଇଛି, କିନ୍ତୁ ଏବେ ବି ମୋତେ ମଜା କରିବା ଭାରି ପସନ୍ଦ । ଯେପରି ମୋତେ ଶୋପିଙ୍ଗ୍‌ ଯିବା, ବାହାରେ ଖାଇବା ଓ ବୁଲାବୁଲି କରିବା ଭାରି ଭଲ ଲାଗେ ।” ମାୟରା ନାମକ ଜଣେ ଭଉଣୀ କହନ୍ତି, “ମୋର ୯୦ ବର୍ଷ ବୟସର ଜଣେ ସାଙ୍ଗ ଅଛନ୍ତି । ଆମ ମଧ୍ୟରେ ପ୍ରାୟ ୫୭ ବର୍ଷର ଫରକ ରହିଛି । ତଥାପି ମୁଁ ଯେବେ ତାଙ୍କୁ ଭେଟେ, ତେବେ ମୁଁ ଭୁଲିଯାଏ ଯେ ସେ ମୋଠାରୁ ବହୁତ ବଡ଼ ଅଟନ୍ତି । ଆମେ ସାଙ୍ଗରେ ବହୁତ କଥା ହେଉ, ହସମଜା କରୁ ଓ ଫିଲ୍ମ ଦେଖୁ । ତାʼସହିତ ଯେବେ ଆମ ଆଗରେ କୌଣସି ସମସ୍ୟା ଆସେ, ତେବେ ଆମେ ପରସ୍ପରଠାରୁ ପରାମର୍ଶ ନେଉ ।”

୧୬. ଯେବେ ବୃଦ୍ଧ ଭାଇଭଉଣୀମାନଙ୍କୁ ଡାକ୍ତରଙ୍କୁ ଦେଖା କରିବାର ଥାଏ, ତେବେ ତାଙ୍କ ସାଙ୍ଗରେ ଯିବା କାହିଁକି ଭଲ ରହିବ ?

୧୬ ଯେବେ ତାଙ୍କୁ ଡାକ୍ତରଙ୍କ ସହିତ ଦେଖା ହେବାର ଥାଏ, ତେବେ ସାଙ୍ଗରେ ଯାʼନ୍ତୁ । ଆପଣ ନିଜ ଗାଡ଼ିରେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇପାରିବେ । ତାʼସହିତ ଆପଣ ଏକଥାର ବି ଧ୍ୟାନ ରଖିପାରିବେ ଯେ ଡାକ୍ତର ଓ ନର୍ସ ତାଙ୍କ ସହିତ ଭଲ ବ୍ୟବହାର କରନ୍ତୁ ଏବଂ ତାଙ୍କୁ ଭଲରେ ଯତ୍ନ ନିଅନ୍ତୁ । (ଯିଶା. ୧:୧୭) ଆଉ ଯେବେ ଡାକ୍ତର କିଛି କହନ୍ତି, ତେବେ ଆପଣ ତାଙ୍କ ପାଇଁ ସେହି କଥାଗୁଡ଼ିକୁ ଲେଖିପାରିବେ । ରୁଥ୍‌ ନାମକ ଜଣେ ଭଉଣୀ କହନ୍ତି, “ପ୍ରାୟ ଏପରି ହୁଏ ଯେ ଯେବେ ମୁଁ ଏକୁଟିଆ ଡାକ୍ତରଙ୍କୁ ଦେଖା କରିବା ପାଇଁ ଯାଏ, ତେବେ ସେ ମୋ କଥା ଉପରେ ଏତେ ଧ୍ୟାନ ଦିଅନ୍ତି ନାହିଁ । ବେଳେବେଳେ ଡାକ୍ତର ଏପରି କହନ୍ତି, ‘ଆପଣଙ୍କୁ କିଛି ହୋଇନି, ଆପଣ ପୂରା ଠିକ୍‌ ଅଛନ୍ତି ।’ କିନ୍ତୁ ଯେବେ ମୁଁ କାହା ସହିତ ଡାକ୍ତରଙ୍କ ପାଖକୁ ଯାଏ, ତେବେ ଡାକ୍ତର ମୋ କଥାକୁ ଧ୍ୟାନର ସହିତ ଶୁଣନ୍ତି ଏବଂ ମୋ ସହିତ ଭଲ ବ୍ୟବହାର କରନ୍ତି । ମୁଁ ସେହି ଭାଇଭଉଣୀମାନଙ୍କର ବହୁତ କୃତଜ୍ଞ ଯେଉଁମାନେ ସମୟ ବାହାର କରି ମୋ ସହିତ ଡାକ୍ତରଙ୍କ ପାଖକୁ ଯାʼନ୍ତି ।”

୧୭. ବୃଦ୍ଧ ଭାଇଭଉଣୀଙ୍କ ସହିତ ପ୍ରଚାର କରିବା ପାଇଁ ଆପଣ କʼଣ କରିପାରିବେ ?

୧୭ ସେମାନଙ୍କ ସହିତ ପ୍ରଚାରରେ ଯାʼନ୍ତୁ । କିଛି ବୃଦ୍ଧ ଭାଇଭଉଣୀଙ୍କଠାରେ ଏତେ ବଳ ନ ଥାଏ ଯେ ସେମାନେ ଘର ଘର ପ୍ରଚାରକୁ ଯାଇପାରିବେ । ଏପରି ସମୟରେ କʼଣ ଆପଣ ତାଙ୍କୁ କାର୍ଟ ଲଗାଇ ପ୍ରଚାର କରିବା ପାଇଁ ସାଙ୍ଗରେ ନେଇପାରିବେ ? ଆପଣ ତାଙ୍କ ବସିବା ପାଇଁ ଗୋଟିଏ ଚେୟାର ବି ନେଇପାରିବେ । ଆପଣ ତାଙ୍କୁ ନିଜ ବାଇବଲ ଅଧ୍ୟୟନରେ ମଧ୍ୟ ନେଇପାରିବେ କିମ୍ବା ତାଙ୍କ ଘରେ ନିଜ ବାଇବଲ ଅଧ୍ୟୟନକୁ ଚଲାଇପାରିବେ । ପ୍ରାଚୀନମାନେ ବୃଦ୍ଧ ଭାଇଭଉଣୀଙ୍କର କିପରି ସାହାଯ୍ୟ କରିପାରିବେ ? ସେମାନେ ତାଙ୍କର ସୁବିଧା ପାଇଁ ତାଙ୍କ ଘରେ ପ୍ରଚାର ସଭା ରଖିପାରିବେ । ଆମେ ବୃଦ୍ଧ ଭାଇଭଉଣୀଙ୍କର ସାହାଯ୍ୟ କରିବା ପାଇଁ ଯାହା ପରିଶ୍ରମ କରୁ ତାହା ବ୍ୟର୍ଥ ହୁଏ ନାହିଁ, ବରଂ ଏହା ଦେଖି ଯିହୋବା ବହୁତ ଖୁସି ହୁଅନ୍ତି ।—ହିତୋ. ୩:୨୭; ରୋମୀ. ୧୨:୧୦.

୧୮. ପରବର୍ତ୍ତୀ ଲେଖାରେ ଆମେ କʼଣ ଜାଣିବା ?

୧୮ ଏହି ଲେଖାରେ ଆମକୁ ମନେ ପକାଇ ଦିଆଯାଇଛି ଯେ ଯିହୋବା ବୃଦ୍ଧ ଲୋକମାନଙ୍କୁ ବହୁତ ପ୍ରେମ କରନ୍ତି ଏବଂ ସେମାନଙ୍କୁ ବହୁମୂଲ୍ୟ ମନେ କରନ୍ତି । ମଣ୍ଡଳୀରେ ଥିବା ସମସ୍ତ ଭାଇଭଉଣୀମାନେ ମଧ୍ୟ ଏହିଭଳି ଅନୁଭବ କରନ୍ତି । ବୃଦ୍ଧାବସ୍ଥା ଯୋଗୁଁ ଅନେକ ସମସ୍ୟା ଆସେ ଏବଂ ଏଗୁଡ଼ିକର ସାମନା କରିବା ସହଜ ହୋଇ ନ ଥାଏ । ତଥାପି ଯିହୋବାଙ୍କ ସାହାଯ୍ୟରୁ ଆମେ ଏଗୁଡ଼ିକର ସାମନା କରିପାରିବା ଏବଂ ନିଜ ଖୁସି ବଜାୟ ରଖିପାରିବା । (ଗୀତ. ୩୭:୨୫) ମନେ ରଖନ୍ତୁ, ଆପଣଙ୍କ ଜୀବନରେ ଭବିଷ୍ୟତରେ ଖୁସିଭରା ସମୟ ଆସିବ ! ଆଜି ମଧ୍ୟ କିଛି ଏପରି ଭାଇଭଉଣୀ ଅଛନ୍ତି, ଯେଉଁମାନଙ୍କୁ ନିଜ ପରିବାରରେ ଥିବା ବୃଦ୍ଧମାନଙ୍କ, ପିଲାମାନଙ୍କ କିମ୍ବା ରୋଗରେ ପଡ଼ିଥିବା ସାଙ୍ଗମାନଙ୍କ ଯତ୍ନ ନେବାକୁ ପଡ଼େ । ଏହି ଭାଇଭଉଣୀମାନେ ନିଜ ଖୁସି କିପରି ବଜାୟ ରଖିପାରିବେ ? ଏବିଷୟରେ ଆମେ ପରବର୍ତ୍ତୀ ଲେଖାରେ ଜାଣିବା ।

ଆପଣ କʼଣ ଉତ୍ତର ଦେବେ ?

  • ବୃଦ୍ଧାବସ୍ଥାରେ ନିଜ ଖୁସିକୁ ବଜାୟ ରଖିବା କାହିଁକି ସହଜ ହୋଇ ନ ଥାଏ ?

  • ବୃଦ୍ଧ ଭାଇଭଉଣୀମାନେ କିପରି ନିଜର ଖୁସି ବଜାୟ ରଖିପାରିବେ ?

  • ମଣ୍ଡଳୀରେ ଥିବା ଭାଇଭଉଣୀମାନେ ବୃଦ୍ଧ ଭାଇଭଉଣୀମାନଙ୍କୁ କିପରି ସାହାଯ୍ୟ କରିପାରିବେ ?

ଗୀତ ୩୦ ଯିହୋବା, ମୋର ଈଶ୍ୱର, ପିତା ଓ ବନ୍ଧୁ

a jw.org ଏବଂ JW ଲାଇବ୍ରେରୀରେ ବୁଜୁର୍ଗ ଭାଇ ବେହନୋ, ଆପ ଦୁଷରୋ କା ହୌସଲା ବଢ଼ା ସକତେ ହୈ ନାମକ ଭିଡିଓ ଦେଖନ୍ତୁ ।

b ଏହାର ଅର୍ଥ କʼଣ ? ଖୁସି ଈଶ୍ୱରଙ୍କ ପବିତ୍ର ଶକ୍ତିର ଗୋଟିଏ ଫଳ । (ଗାଲା. ୫:୨୨) ପ୍ରକୃତ ଖୁସି ଯିହୋବାଙ୍କ ସହ ଗୋଟିଏ ଭଲ ସମ୍ପର୍କ ଥିଲେ ହିଁ ମିଳିଥାଏ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ