ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଡିସେମ୍ବର ପୃଷ୍ଠା ୮-୧୩
  • ଆୟୁବ ବହିରୁ ପରାମର୍ଶ ଦେବା ବିଷୟରେ ଶିଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆୟୁବ ବହିରୁ ପରାମର୍ଶ ଦେବା ବିଷୟରେ ଶିଖନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଆୟୁବଙ୍କ ତିନିଜଣ ବନ୍ଧୁ ତାଙ୍କୁ କିପରି ଭାବେ ପରାମର୍ଶ ଦେଲେ ?
  • ଇଲୀହୂ ଆୟୁବଙ୍କୁ କିପରି ଭାବେ ପରାମର୍ଶ ଦେଲେ ?
  • ଆୟୁବ ବହିରୁ ଶିଖିବା ଜାରି ରଖନ୍ତୁ
  • ଆୟୁବ ବହିରୁ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଶିଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଡିସେମ୍ବର ପୃଷ୍ଠା ୮-୧୩

ଅଧ୍ୟୟନ ଲେଖା ୪୯

ଗୀତ ୪୪ ନମ୍ର ଲୋକର ପ୍ରାର୍ଥନା

ଆୟୁବ ବହିରୁ ପରାମର୍ଶ ଦେବା ବିଷୟରେ ଶିଖନ୍ତୁ

“ଯାହା ହେଉ, ବିନୟ କରୁଅଛି, ହେ ଆୟୁବ, ମୋʼ କଥା ଶୁଣ ।”—ଆୟୁ. ୩୩:୧.

କʼଣ ଶିଖିବା ?

ଆମେ ଆୟୁବ ବହିରୁ ଶିଖିବା ଯେ ଆମେ ବଢ଼ିଆ ପରାମର୍ଶ କିପରି ଦେଇପାରିବା ।

୧-୨. ଆୟୁବଙ୍କ ତିନିଜଣ ବନ୍ଧୁ ଏବଂ ଇଲୀହୂଙ୍କ ପାଇଁ ଆୟୁବଙ୍କୁ ସାନ୍ତ୍ୱନା ଦେବା କାହିଁକି ସହଜ ନ ଥିଲା ?

ଆୟୁବ ଊଷ ଦେଶରେ ରହୁଥିବା ଜଣେ ଧନୀ ବ୍ୟକ୍ତି ଥିଲେ ଏବଂ ତାଙ୍କୁ ସମସ୍ତେ ଜାଣୁଥିଲେ । ସେଥିପାଇଁ ସେ ନିଜର ସବୁକିଛି ହରାଇ ଦେଲା ମାତ୍ରେ ଏହି ଖବର ପୂର୍ବ ଦେଶର ଚାରିଆଡ଼େ ନିଆଁ ଭଳି ବ୍ୟାପିଗଲା । ଏହି ଖବର ଶୁଣି ଆୟୁବଙ୍କର ତିନିଜଣ ବନ୍ଧୁ ଇଲୀଫସ୍‌, ବିଲ୍‌ଦଦ୍‌ ଓ ସୋଫର ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ଗଲେ । କିନ୍ତୁ ସେଠାରେ ଯିବା ପୂର୍ବରୁ ସେମାନେ ଭାବି ବି ନ ଥିବେ ଯେ ଆୟୁବଙ୍କ ଅବସ୍ଥା ଏତେ ଖରାପ ଥିବ ।

୨ କଳ୍ପନା କରନ୍ତୁ: ଆୟୁବ ନିଜର ସବୁକିଛି ହରାଇ ଦେଇଛନ୍ତି । ତାଙ୍କର ମେଣ୍ଢା, ଗାଈ, ବଳଦ, ଓଟ ଓ ଗଧମାନଙ୍କୁ ଲୁଟି ନିଆଯାଇଛି । ତାଙ୍କ ପିଲାମାନଙ୍କୁ ଓ ତାଙ୍କର ଅଧିକାଂଶ ଚାକରମାନଙ୍କୁ ମାରି ଦିଆଯାଇଛି । ତାଙ୍କ ଘର ମାଟିରେ ମିଶି ଯାଇଛି । କେବଳ ଏତିକି ନୁହଁ, ଆୟୁବଙ୍କୁ ଗୋଟିଏ ଯନ୍ତ୍ରଣା ଦାୟକ ରୋଗ ହୋଇଯାଇଛି । ତାଙ୍କ ଦେହ ସାରା ବଥ ହୋଇଯାଇଛି । ତାଙ୍କର ତିନିଜଣ ବନ୍ଧୁ ଆସି ଦେଖନ୍ତି ଯେ ଆୟୁବ ପାଉଁଶ ଉପରେ ବସିଛନ୍ତି ଏବଂ ବହୁତ ଦୁଃଖି ଦେଖାଯାଉଛନ୍ତି । ସେମାନେ କʼଣ କରନ୍ତି ? ସେମାନେ ଦେଖୁଛନ୍ତି ଯେ ଆୟୁବ ବହୁତ ଯନ୍ତ୍ରଣା ସହୁଛନ୍ତି, ତଥାପି ସେମାନେ ସାତ ଦିନ ଯାଏ ତାଙ୍କୁ କିଛି ବି କହନ୍ତି ନାହିଁ । (ଆୟୁ. ୨:୧୨, ୧୩) ଏହାର କିଛି ସମୟ ପରେ ଇଲୀହୂ ନାମକ ଜଣେ ଯୁବା ବ୍ୟକ୍ତି ତାଙ୍କ ପାଖକୁ ଆସି ବସିଯାʼନ୍ତି । ଏତେ ସମୟ ପର୍ଯ୍ୟନ୍ତ ଅପେକ୍ଷା କଲାପରେ ଆୟୁବ ଆଉ ନିଜକୁ ରୋକିପାରନ୍ତି ନାହିଁ ଏବଂ ସେ ଦୁଃଖରେ କହନ୍ତି ଯେ ଭଲ ହୁଅନ୍ତା ମୁଁ ଜନ୍ମ ହୋଇ ନ ଥାʼନ୍ତି ଓ ସେ ନିଜ ମୃତ୍ୟୁର କାମନା ବି କରନ୍ତି । (ଆୟୁ. ୩:୧-୩, ୧୧) ଆୟୁବଙ୍କ କଥାରୁ ସ୍ପଷ୍ଟ ଜଣାପଡ଼େ ଯେ ତାଙ୍କୁ ସାହାଯ୍ୟର ଆବଶ୍ୟକ ଅଛି । କିନ୍ତୁ ଏହି ବ୍ୟକ୍ତିମାନେ ଆୟୁବଙ୍କୁ ଯେପରି ଭାବେ ସାନ୍ତ୍ୱନା ଦେବେ, ସେଥିରୁ ଜଣାପଡ଼ିବ ଯେ ସେମାନେ ଆୟୁବଙ୍କ ପ୍ରକୃତ ବନ୍ଧୁ ଅଟନ୍ତି ନା ନୁହଁନ୍ତି । ଆଉ ତାଙ୍କ କଥାରୁ ଏହା ବି ଜଣାପଡ଼ନ୍ତା ଯେ ସେମାନେ ସତରେ ତାଙ୍କର ଚିନ୍ତା କରନ୍ତି ନା ନାହିଁ ।

୩. ଏହି ଲେଖାରେ ଆମେ କʼଣ ଶିଖିବା ?

୩ ଆୟୁବଙ୍କ ତିନିଜଣ ବନ୍ଧୁ ଓ ଇଲୀହୂ, ଆୟୁବଙ୍କୁ ଯାହା ବି କହିଲେ ଓ ଯାହା କିଛି କଲେ, ସେବିଷୟରେ ଯିହୋବା ମୋଶାଙ୍କ ଜରିଆରେ ବାଇବଲରେ ଲେଖାଇଲେ । ଏପରି ଜଣାପଡ଼େ ଯେ ଇଲୀଫସ୍‌କୁ ଦୁଷ୍ଟ ସ୍ୱର୍ଗଦୂତ ଉସକାଇବାରୁ ସେ କିଛି କଥା କହିଥିଲା । କିନ୍ତୁ ଇଲୀହୂ ଯିହୋବାଙ୍କ ତରଫରୁ କହିଥିଲେ । (ଆୟୁ. ୪:୧୨-୧୬; ୩୩:୨୪, ୨୫) ସେଥିପାଇଁ ଆୟୁବ ବହିରୁ ଆମକୁ ସବୁଠୁ ଭଲ ପରାମର୍ଶ ମିଳେ ଏବଂ ସବୁଠୁ ବେକାର ପରାମର୍ଶ ବି ମିଳେ । ଏହି ଲେଖାରେ ଆମେ ଆୟୁବ ବହିରୁ ଜାଣିବା ଯେ ଆମେ କିପରି ଅନ୍ୟମାନଙ୍କୁ ଭଲ ପରାମର୍ଶ ଦେଇପାରିବା । ସବୁଠୁ ପ୍ରଥମେ ଆମେ ଇଲୀଫସ୍‌, ବିଲ୍‌ଦଦ୍‌ ଓ ସୋଫରଠାରୁ ଶିଖିବା ଯେ ପରାମର୍ଶ ଦେବା ସମୟରେ ଆମକୁ କʼଣ କହିବା ଓ କʼଣ କରିବା ଉଚିତ୍‌ ନୁହେଁ । ଏହାପରେ ଆମେ ଇଲୀହୂଙ୍କଠାରୁ ଶିଖିବା ଯେ ଆମକୁ କʼଣ କହିବା ଓ କିପରି କହିବା ଉଚିତ୍‌ । ଆମେ ଏହା ବି ଜାଣିବା ଯେ ଇସ୍ରାଏଲୀୟମାନେ ଆୟୁବଙ୍କ ତିନିଜଣ ବନ୍ଧୁ ଓ ଇଲୀହୂଙ୍କଠାରୁ କʼଣ ଶିଖିପାରିଥାʼନ୍ତେ ଏବଂ ଆଜି ଆମେ କʼଣ ଶିଖିପାରିବା ।

ଆୟୁବଙ୍କ ତିନିଜଣ ବନ୍ଧୁ ତାଙ୍କୁ କିପରି ଭାବେ ପରାମର୍ଶ ଦେଲେ ?

୪. ଆୟୁବଙ୍କ ତିନିଜଣ ବନ୍ଧୁ ତାଙ୍କୁ କାହିଁକି ସାନ୍ତ୍ୱନା ଦେଇପାରିଲେ ନାହିଁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୪ ଆୟୁବଙ୍କ ବିଷୟରେ ଶୁଣି ତାଙ୍କର ତିନିଜଣ ବନ୍ଧୁ ତାଙ୍କ ସହ ‘ଶୋକ କରିବା ପାଇଁ ଓ ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ଆସିଲେ ।’ (ଆୟୁ. ୨:୧୧) କିନ୍ତୁ ସେମାନେ କାହିଁକି ତାଙ୍କୁ ସାନ୍ତ୍ୱନା ଦେଇପାରିଲେ ନାହିଁ ? ଏହାର ତିନୋଟି କାରଣ ଉପରେ ଧ୍ୟାନ ଦିଅନ୍ତୁ । ପ୍ରଥମ, ସେମାନେ ଆୟୁବଙ୍କ କଥା ଶୁଣିଲେ ନାହିଁ ଏବଂ ତାଙ୍କ ପରିସ୍ଥିତିକୁ ବୁଝିବା ପାଇଁ ଚେଷ୍ଟା କଲେ ନାହିଁ । ଏହା ପରିବର୍ତ୍ତେ ସେମାନେ ମାନି ନେଇଥିଲେ ଯେ ଆୟୁବଙ୍କର କିଛି ଭୁଲ ଯୋଗୁଁ ହିଁ ଈଶ୍ୱର ତାଙ୍କୁ ଦଣ୍ଡ ଦେଉଛନ୍ତି ।a (ଆୟୁ. ୪:୭; ୧୧:୧୪) ଦ୍ୱିତୀୟ, ସେମାନଙ୍କ ଅଧିକାଂଶ କଥାଗୁଡ଼ିକ କଷ୍ଟ ପହଞ୍ଚାଇଲା ଭଳି ଥିଲା ଏବଂ ସେଥିରୁ ଆୟୁବଙ୍କୁ ବହୁତ ଦୁଃଖ ଲାଗିଲା । ସେମାନେ ଯାହା କହିଲେ ତାହା ଶୁଣିବାରେ ତ ଠିକ୍‌ ଲାଗୁଥିଲା, କିନ୍ତୁ ସେଥିରୁ ଆୟୁବଙ୍କୁ କିଛି ବି ଲାଭ ହେଲା ନାହିଁ । (ଆୟୁ. ୧୩:୧୨) ବିଲ୍‌ଦଦ୍‌ ଦୁଇଥର କହିଲା ଯେ ଆୟୁବ ବହୁତ ବେଶୀ ହିଁ କହନ୍ତି । (ଆୟୁ. ୮:୨; ୧୮:୨) ଆଉ ସୋଫର ତାଙ୍କୁ “ବୁଦ୍ଧିବିହୀନ” ବୋଲି କହିଲା । ଏହିସବୁ କଥା ଶୁଣି ଆୟୁବଙ୍କୁ ବହୁତ ଖରାପ ଲାଗିଥିବ । (ଆୟୁ. ୧୧:୧୨) ତୃତୀୟ, ଯଦିଓ ସେମାନେ ଆୟୁବଙ୍କ ସହିତ ଉଚ୍ଚ ପାଟିରେ କଥା ହେଲେ ନାହିଁ, ତଥାପି ସେମାନେ ନିଜ କଥାବାର୍ତ୍ତାରୁ ତାଙ୍କୁ ନୀଚ ଅନୁଭବ କରାଇଲେ, ତାଙ୍କର ଅପମାନ କଲେ ଓ ତାଙ୍କ ଉପରେ ଆରୋପ ମଧ୍ୟ ଲଗାଇଲେ । (ଆୟୁ. ୧୫:୭-୧୧) ସେମାନେ ତାଙ୍କୁ ସାନ୍ତ୍ୱନା ଦେବା ପରିବର୍ତ୍ତେ ଏବଂ ତାଙ୍କ ବିଶ୍ୱାସ ଦୃଢ଼ କରିବା ପରିବର୍ତ୍ତେ କେବଳ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଲାଗି ରହିଥିଲେ ।

ଆୟୁବଙ୍କର ଜଣେ ବନ୍ଧୁ କଠୋରତାର ସହିତ ତାଙ୍କ ସହ କଥା ହେଉଛନ୍ତି ଏବଂ ତାଙ୍କର ଦୁଇଜଣ ବନ୍ଧୁ ତାହା ଦେଖୁଛନ୍ତି । ଆୟୁବଙ୍କ ଦେହ ସାରା ବଥ ହୋଇଯାଇଛି ଏବଂ ସେ ଅତି କଷ୍ଟରେ ଥାଇ ତାଙ୍କ ବନ୍ଧୁଙ୍କ କଥା ଶୁଣୁଛନ୍ତି ।

ପରାମର୍ଶ ଦେବା ସମୟରେ ନିଜ କଥା କହିବା ଶୈଳୀରୁ ବ୍ୟକ୍ତି ଜଣକୁ ନୀଚ ଅନୁଭବ କରାନ୍ତୁ ନାହିଁ । ଏହା ପରିବର୍ତ୍ତେ, ତାʼର ସାହାଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ (ପାରାଗ୍ରାଫ ୪)


୫. ଆୟୁବଙ୍କ ବନ୍ଧୁମାନଙ୍କ କଥାରୁ ଆୟୁବଙ୍କ ଉପରେ କʼଣ ପ୍ରଭାବ ପଡ଼ିଲା ?

୫ ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଆୟୁବଙ୍କୁ ତାଙ୍କର ତିନିଜଣ ବନ୍ଧୁଙ୍କ କଥାରୁ ସାନ୍ତ୍ୱନା ମିଳିଲା ନାହିଁ । ଏହା ପରିବର୍ତ୍ତେ ସେମାନଙ୍କ କଥାରୁ ଆୟୁବ ପୂରାପୂରି ଭାଙ୍ଗି ପଡ଼ିଲେ । (ଆୟୁ. ୧୯:୨) ତେଣୁ ଆୟୁବ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ ଲାଗିଲେ । ସେ ଏତେ ଚିନ୍ତିତ ହୋଇ ପଡ଼ିଲେ ଯେ ସେ ଠିକ୍‌ରେ ଭାବିପାରୁ ନ ଥିଲେ ଏବଂ ବିନା ଭାବିଚିନ୍ତି କଥା କହିବାକୁ ଲାଗିଲେ । (ଆୟୁ. ୬:୩, ୨୬) ତାଙ୍କ ତିନିଜଣ ବନ୍ଧୁ ତାଙ୍କୁ ଯାହା କହିଲେ, ତାହା ଈଶ୍ୱରଙ୍କ ଚିନ୍ତାଧାରାଠାରୁ ପୂରାପୂରି ଭିନ୍ନ ଥିଲା । ଆଉ ସେମାନେ ଆୟୁବଙ୍କୁ ପ୍ରେମ ଓ ସହାନୁଭୂତି ବି ଦେଖାଇଲେ ନାହିଁ । ଏହି କାରଣଗୁଡ଼ିକ ଯୋଗୁଁ ସେମାନେ ଅଜାଣତରେ ଶୟତାନକୁ ସାହାଯ୍ୟ କରିବାକୁ ଲାଗିଲେ, ଯିଏ ଆୟୁବଙ୍କୁ ନିରାଶ କରିବା ପାଇଁ ଚେଷ୍ଟା କରୁଥିଲା । (ଆୟୁ. ୨:୪, ୬) ଏହି ଘଟଣାରୁ ଇସ୍ରାଏଲୀୟମାନେ କʼଣ ଶିଖିପାରିଥାʼନ୍ତେ ଏବଂ ଆଜି ଆମେ କʼଣ ଶିଖିପାରିବା ?

୬. ଇସ୍ରାଏଲର ମୁଖିଆମାନେ ଆୟୁବଙ୍କ ତିନିଜଣ ବନ୍ଧୁମାନଙ୍କଠାରୁ କʼଣ ଶିଖିପାରିଥାʼନ୍ତେ ?

୬ ଇସ୍ରାଏଲୀୟମାନେ ଏହି ଘଟଣାରୁ କʼଣ ଶିଖିପାରିଥାʼନ୍ତେ ? ଇସ୍ରାଏଲ ରାଷ୍ଟ୍ରର ଗଠନ ହେବା ପରେ ଯିହୋବା କିଛି ଦକ୍ଷ ପୁରୁଷମାନଙ୍କୁ ମୁଖିଆ ଭାବେ ନିଯୁକ୍ତ କଲେ, ଯେଉଁମାନେ ତାଙ୍କ ସ୍ତର ଅନୁଯାୟୀ ଲୋକମାନଙ୍କର ନ୍ୟାୟ କରନ୍ତେ । (ଦ୍ୱିବି. ୧:୧୫-୧୮; ୨୭:୧) ଯିହୋବା ଚାହୁଁଥିଲେ ଯେ ଏହି ପୁରୁଷମାନେ ପ୍ରଥମେ ଲୋକମାନଙ୍କ କଥା ଶୁଣି କୌଣସି ପରାମର୍ଶ ଦିଅନ୍ତୁ କିମ୍ବା ନ୍ୟାୟ କରନ୍ତୁ । (୨ ବଂଶା. ୧୯:୬) କେବଳ ଏତିକି ନୁହଁ, ସେମାନଙ୍କୁ ଏହା ଭାବିବାର ନ ଥିଲା ଯେ ସେମାନେ ସବୁକିଛି ଜାଣନ୍ତି, ବରଂ ସେମାନଙ୍କୁ ଲୋକମାନଙ୍କର ପରିସ୍ଥିତି ବିଷୟରେ ଜାଣିବା ପାଇଁ ସେମାନଙ୍କୁ ପ୍ରଶ୍ନ ପଚାରିବାର ଥିଲା । (ଦ୍ୱିବି. ୧୯:୧୮) ଯେଉଁ ଇସ୍ରାଏଲୀୟମାନେ ସାହାଯ୍ୟ ପାଇଁ ସେମାନଙ୍କ ପାଖକୁ ଆସୁଥିଲେ, ସେହି ଇସ୍ରାଏଲୀୟମାନଙ୍କ ସହିତ ସେମାନଙ୍କୁ ଚିଡ଼ିକି କିମ୍ବା ରାଗିକି କଥା ହେବାର ନ ଥିଲା । କାରଣ ଯଦି ସେମାନେ ଏପରି କରନ୍ତେ, ତାହେଲେ ଇସ୍ରାଏଲୀୟମାନେ ନିଜ ମନକଥା ଖୋଲିକି କହିପାରନ୍ତେ ନାହିଁ । (ଯାତ୍ରା. ୨୨:୨୨-୨୪) ସତରେ, ଆୟୁବଙ୍କ ଘଟଣାରୁ ଇସ୍ରାଏଲର ମୁଖିଆମାନେ ଅନେକ ବଢ଼ିଆ କଥା ଶିଖିପାରିଥାʼନ୍ତେ ।

୭. (କ) ମୁଖିଆମାନଙ୍କ ବ୍ୟତୀତ, ଇସ୍ରାଏଲୀୟମାନଙ୍କୁ ଆଉ କିଏ ପରାମର୍ଶ ଦେଇପାରିଥାʼନ୍ତେ ? (ଖ) ଇସ୍ରାଏଲୀୟମାନେ ଆୟୁବଙ୍କ ଘଟଣାରୁ କʼଣ ଶିଖିପାରିଥାʼନ୍ତେ ? (ହିତୋପଦେଶ ୨୭:୯)

୭ ଇସ୍ରାଏଲର ମୁଖିଆମାନଙ୍କ ବ୍ୟତୀତ, ଅନ୍ୟ ସମସ୍ତ ଇସ୍ରାଏଲୀୟ—ବୃଦ୍ଧବୃଦ୍ଧା, ଯୁବା, ପୁରୁଷ କିମ୍ବା ସ୍ତ୍ରୀମାନେ ପରସ୍ପରକୁ ପରାମର୍ଶ ଦେଇପାରନ୍ତେ । ଉଦାହରଣ ପାଇଁ, ଯଦି ଜଣେ ଇସ୍ରାଏଲୀୟକୁ ଉପାସନା ମାମଲାରେ କିମ୍ବା ଚାଲିଚଳନ ମାମଲାରେ ସୁଧାର କରିବାର ଆବଶ୍ୟକ ଥିଲା, ତାହେଲେ ତାʼସାଙ୍ଗ ଏବିଷୟରେ ତାକୁ ପରାମର୍ଶ ଦେଇପାରନ୍ତା । (ଗୀତ. ୧୪୧:୫) ଆଉ ପ୍ରକୃତ ସାଙ୍ଗ ଏପରି ହିଁ କରେ । (ହିତୋପଦେଶ ୨୭:୯ ପଢ଼ନ୍ତୁ ।) ଯଦି ଇସ୍ରାଏଲୀୟମାନେ ଏବିଷୟରେ ଭାବନ୍ତେ ଯେ ଇଲୀଫସ୍‌, ବିଲ୍‌ଦଦ୍‌ ଓ ସୋଫର କିପରି ଭାବେ ଆୟୁବଙ୍କ ସହିତ କଥା ହେଲେ, ତେବେ ସେମାନେ ଶିଖିପାରିଥାʼନ୍ତେ ଯେ ପରାମର୍ଶ ଦେବା ସମୟରେ ସେମାନଙ୍କୁ କʼଣ କହିବା ଓ କʼଣ କରିବା ଉଚିତ୍‌ ନୁହେଁ ।

୮. ଅନ୍ୟମାନଙ୍କୁ ପରାମର୍ଶ ଦେବା ସମୟରେ ଆମେ କେଉଁ କଥାଗୁଡ଼ିକ ପ୍ରତି ଧ୍ୟାନ ଦେବା ଉଚିତ୍‌ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୮ ଏହି ଘଟଣାରୁ ଆମେ କʼଣ ଶିଖୁ ? ଯେବେ ଆମ ଭାଇଭଉଣୀମାନେ କଷ୍ଟରେ ଥାʼନ୍ତି, ତେବେ ଆମେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁ । କିନ୍ତୁ ଆମକୁ ଧ୍ୟାନ ରଖିବା ଉଚିତ୍‌ ଯେ ଆମେ କେବେ ବି ସେମାନଙ୍କ ସହିତ ଆୟୁବଙ୍କ ତିନିଜଣ ବନ୍ଧୁମାନଙ୍କ ଭଳି ବ୍ୟବହାର କରିବା ନାହିଁ । ଏହାପାଇଁ ଆମେ କʼଣ କରିପାରିବା ? ପ୍ରଥମ, ଆମେ ତାଙ୍କ ପରିସ୍ଥିତିକୁ ଭଲଭାବେ ବୁଝି ତାଙ୍କୁ କିଛି କହିବା ଉଚିତ୍‌ । ଦ୍ୱିତୀୟ, ଆମ ପରାମର୍ଶ ଇଲୀଫସ୍‌ ଭଳି ନିଜ ଅନୁଭୂତି କିମ୍ବା ନିଜ ଚିନ୍ତାଧାରା ଅନୁସାରେ ନୁହେଁ, ବରଂ ବାଇବଲ ଅନୁସାରେ ହେବା ଉଚିତ୍‌ । (ଆୟୁ. ୪:୮; ୫:୩, ୨୭) ତୃତୀୟ, ଆମେ ନିଜ କଥାରୁ କାହାରିକୁ କଷ୍ଟ ପହଞ୍ଚାଇବା ନାହିଁ, ବରଂ ସେମାନଙ୍କ ଉତ୍ସାହ ବଢ଼ାଇବା ଉଚିତ୍‌ । ମନେ ପକାନ୍ତୁ, ଇଲୀଫସ୍‌ ଓ ତାʼର ବନ୍ଧୁମାନେ ଯାହା କହିଲେ ସେମଧ୍ୟରୁ କିଛି କଥା ସତ ଥିଲା । ଆଉ ଆଗକୁ ଯାଇ ବାଇବଲର ଲେଖକ ବି ସେମଧ୍ୟରୁ ଗୋଟିଏ କଥାକୁ ପୁଣିଥରେ କହିଲେ । (ଆୟୁବ ୫:୧୩ ପଦର ତୁଳନା ୧ କରିନ୍ଥୀୟ ୩:୧୯ ପଦ ସହ କରନ୍ତୁ ।) ତଥାପି ଈଶ୍ୱର କହିଲେ ଯେ ସେମାନେ ମିଛ କହୁଛନ୍ତି । ସେ ଏପରି କାହିଁକି କହିଲେ ? କାରଣ ସେମାନେ ଈଶ୍ୱରଙ୍କ ବିଷୟରେ ସତ କହିଲେ ନାହିଁ ଏବଂ ନିଜ କଥାରୁ ଆୟୁବଙ୍କୁ କଷ୍ଟ ଦେଲେ । (ଆୟୁ. ୪୨:୭, ୮) ଅନ୍ୟମାନଙ୍କୁ ପରାମର୍ଶ ଦେବା ସମୟରେ ଆମେ କେବେ ବି ଏପରି କିଛି କହିବା ଉଚିତ୍‌ ନୁହଁ, ଯେଉଁଥିରୁ ବ୍ୟକ୍ତି ଜଣକୁ ଲାଗିବ ଯେ ଈଶ୍ୱର ବହୁତ କଠୋର ଅଟନ୍ତି କିମ୍ବା ସେ ତାଙ୍କ ପ୍ରେମର ଯୋଗ୍ୟ ନୁହଁନ୍ତି । ଏବେ ଆସନ୍ତୁ ଜାଣିବା ଯେ ଆମେ ଇଲୀହୂଙ୍କଠାରୁ କʼଣ ଶିଖିପାରିବା ।

ଚିତ୍ରଗୁଡ଼ିକ: ଜଣେ ଭାଇ ଦୁଃଖିତ ଥିବା ଭାଇଙ୍କୁ ପ୍ରେମର ସହିତ ପରାମର୍ଶ ଦେଉଛନ୍ତି । ୧. ଦୁଇଜଣ ଭାଇ ଘର ବାହାରେ ଆରାମରେ ବସି କଥା ହେଉଛନ୍ତି । ଦୁଃଖି ଥିବା ଭାଇ ନିଜ ମନ କଥା ଖୋଲିକି କହୁଛନ୍ତି ଏବଂ ସେହି ଭାଇ ଧ୍ୟାନର ସହ ତାଙ୍କର ଶୁଣୁଛନ୍ତି । ୨. ଯେଉଁ ଭାଇ ଧ୍ୟାନର ସହିତ କଥା ଶୁଣୁଥିଲେ ସେ ଏବେ ବାଇବଲ ଖୋଲୁଛନ୍ତି । ୩. ସେହି ଭାଇ ପ୍ରେମର ସହିତ ତାଙ୍କୁ ବାଇବଲରୁ ପରାମର୍ଶ ଦେଉଛନ୍ତି ଏବଂ ଦୁଃଖୀ ଥିବା ଭାଇ ଧ୍ୟାନର ସହ ଶୁଣୁଛନ୍ତି ।

ପରାମର୍ଶ ଦେବା ସମୟରେ (୧) ପରିସ୍ଥିତିକୁ ଭଲଭାବେ ବୁଝନ୍ତୁ, (୨) ଈଶ୍ୱରଙ୍କ ବାକ୍ୟରୁ ପରାମର୍ଶ ଦିଅନ୍ତୁ ଏବଂ (୩) ପ୍ରେମର ସହ କଥା ହୁଅନ୍ତୁ (ପାରାଗ୍ରାଫ ୮)


ଇଲୀହୂ ଆୟୁବଙ୍କୁ କିପରି ଭାବେ ପରାମର୍ଶ ଦେଲେ ?

୯. ଆୟୁବଙ୍କ ବନ୍ଧୁମାନେ ତାଙ୍କ ସହିତ କଥା ହେଲା ପରେ ମଧ୍ୟ ତାଙ୍କୁ କାହିଁକି ସାହାଯ୍ୟର ଆବଶ୍ୟକ ପଡ଼ିଲା ଏବଂ ଯିହୋବା କିପରି ତାଙ୍କୁ ସାହାଯ୍ୟ କଲେ ?

୯ ଆୟୁବ ଓ ତାଙ୍କ ତିନିଜଣ ବନ୍ଧୁ ବହୁତ ସମୟରୁ ଯୁକ୍ତିତର୍କ କରୁଥିଲେ । ସେମାନେ ଯାହା କୁହାକୁହି ହେଲେ, ତାହା ବାଇବଲର ୨୮ଟି ଅଧ୍ୟାୟରେ ଲେଖାଯାଇଛି । ସେମାନେ ଯାହା ବି କହିଲେ ପ୍ରାୟ ରାଗିକି କହିଲେ, ତେଣୁ ଆୟୁବଙ୍କୁ ସେମାନଙ୍କ କଥାରୁ ସାନ୍ତ୍ୱନା ମିଳିଲା ନାହିଁ ଏବଂ ସେ ଏବେ ବି ବହୁତ ନିରାଶ ଥିଲେ । ତାʼସହିତ ଆୟୁବଙ୍କୁ ବି ସୁଧାର କରିବାର ଆବଶ୍ୟକ ଥିଲା । ଯିହୋବା କିପରି ତାଙ୍କୁ ସାହାଯ୍ୟ କଲେ ? ସେ ଇଲୀହୂଙ୍କ ଜରିଆରେ ତାଙ୍କୁ ପରାମର୍ଶ ଦେଲେ । ହେଲେ ଇଲୀହୂ, ଆୟୁବଙ୍କୁ କିଛି କହିବା ପାଇଁ ଏତେ ସମୟ ଅପେକ୍ଷା କାହିଁକି କଲେ ? ସେ କହନ୍ତି, “ମୁଁ ଯୁବା ଲୋକ, ଆଉ ତୁମ୍ଭେମାନେ ଅତି ବୃଦ୍ଧ; ଏଣୁ ମୁଁ କ୍ଷାନ୍ତ ହେଲି ଓ ତୁମ୍ଭମାନଙ୍କ ନିକଟରେ ଆପଣା ମତ ପ୍ରକାଶ କରିବାକୁ ସାହସ କଲି ନାହିଁ ।” (ଆୟୁ. ୩୨:୬, ୭) ଇଲୀହୂ ଜାଣିଥିଲେ ଯେ ବୃଦ୍ଧବୃଦ୍ଧାମାନଙ୍କଠାରେ ଯୁବାମାନଙ୍କ ଅପେକ୍ଷା ଜୀବନର ଅଧିକ ଅନୁଭୂତି ଥାଏ, ତେଣୁ ସେମାନେ ବୁଦ୍ଧିମାନ ଥାʼନ୍ତି । ଏହି କାରଣରୁ ସେ ଧୈର୍ଯ୍ୟ ଧରିଲେ ଓ ଚୁପ୍‌ ରହି ସେମାନଙ୍କ କଥା ଶୁଣିଲେ । କିନ୍ତୁ ପରେ ସେ ନିଜକୁ ରୋକିପାରିଲେ ନାହିଁ । ସେ କହିଲେ, “ବଡ଼ ଲୋକେ ଯେ ଜ୍ଞାନବାନ, ତାହା ନୁହେଁ, ଅବା ପ୍ରାଚୀନମାନେ ଯେ ବିଚାର ବୁଝନ୍ତି, ତାହା ନୁହେଁ ।” (ଆୟୁ. ୩୨:୯) ଆସନ୍ତୁ ଏବେ ଦେଖିବା ଯେ ଇଲୀହୂ କʼଣ କହିଲେ ଏବଂ କିପରି ଭାବେ କହିଲେ ?

୧୦. ଆୟୁବଙ୍କୁ ପରାମର୍ଶ ଦେବା ପୂର୍ବରୁ ଇଲୀହୂ କʼଣ କଲେ ? (ଆୟୁବ ୩୩:୬, ୭)

୧୦ ଆୟୁବଙ୍କୁ ପରାମର୍ଶ ଦେବା ପାଇଁ ଇଲୀହୂ ସଠିକ୍‌ ସମୟର ଅପେକ୍ଷା କଲେ । ସେ ଚାହୁଁଥିଲେ ଯେ ଆୟୁବ ଶାନ୍ତ ହୋଇ ତାଙ୍କର କଥା ଶୁଣନ୍ତୁ । ଏହାପାଇଁ ସେ କʼଣ କଲେ ? ଆୟୁବ ଓ ତାଙ୍କର ତିନିଜଣ ବନ୍ଧୁମାନଙ୍କ କଥା ଶୁଣି ଇଲୀହୂ ବହୁତ ରାଗି ଯାଇଥିଲେ । (ଆୟୁ. ୩୨:୨-୫) ସେଥିପାଇଁ ପ୍ରଥମେ ସେ ନିଜ ରାଗକୁ କାବୁ କଲେ ଏବଂ ଜଣେ ସାଙ୍ଗ ଭଳି ତାଙ୍କ ସହିତ କଥା ହେଲେ ଓ ତାଙ୍କୁ ସାନ୍ତ୍ୱନା ଦେଲେ । ସେ ଆୟୁବଙ୍କୁ କହିଲେ, “ଦେଖ, ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ଯେପରି, ମୁଁ ସେପରି ଅଟେ ।” (ଆୟୁବ ୩୩:୬, ୭ ପଢ଼ନ୍ତୁ ।) ଏହାପରେ ଇଲୀହୂ, ଆୟୁବ ଯାହା କହିଥିଲେ ସେମଧ୍ୟରୁ କିଛି ମୁଖ୍ୟ କଥାକୁ ପୁଣିଥରେ କହିଲେ । (ଆୟୁ. ୩୨:୧୧; ୩୩:୮-୧୧) ଏପରି ଭାବରେ ସେ ଦେଖାଇଲେ ଯେ ସେ ଆୟୁବଙ୍କ କଥା ସବୁକୁ ଧ୍ୟାନର ସହ ଶୁଣିଥିଲେ । ଆଗକୁ ଯାଇ ବି ସେ ଆୟୁବଙ୍କୁ ପରାମର୍ଶ ଦେବା ସମୟରେ ତାଙ୍କର କଥା ସବୁକୁ ପୁଣିଥରେ କହିଲେ ।—ଆୟୁ. ୩୪:୫, ୬, ୯; ୩୫:୧-୪.

୧୧. ଇଲୀହୂ, ଆୟୁବଙ୍କୁ କିପରି ଭାବେ ପରାମର୍ଶ ଦେଲେ ? (ଆୟୁବ ୩୩:୧)

୧୧ ଈଶ୍ୱରଙ୍କ ବିଶ୍ୱସ୍ତ ସେବକ ଆୟୁବଙ୍କୁ ପରାମର୍ଶ ଦେବା ସମୟରେ ଇଲୀହୂ ଆଦର ଦେଖାଇଲେ । ଏହା ସେ କିପରି କଲେ ? ସେ ଆୟୁବଙ୍କ ନାମ ନେଇ ତାଙ୍କୁ ପରାମର୍ଶ ଦେଲେ, କିନ୍ତୁ ଆୟୁବଙ୍କ ତିନିଜଣ ବନ୍ଧୁ ଏପରି କଲେ ନାହିଁ । (ଆୟୁବ ୩୩:୧ ପଢ଼ନ୍ତୁ ।) ତାʼସହ ଯେବେ ଆୟୁବ ଓ ତାଙ୍କ ସାଙ୍ଗମାନେ ଯୁକ୍ତିତର୍କ କରୁଥିଲେ, ତେବେ ହୁଏତ ଇଲୀହୂଙ୍କୁ ବି କହିବା ପାଇଁ ଇଚ୍ଛା ହେଉଥିଲା, କିନ୍ତୁ ତାଙ୍କୁ ସୁଯୋଗ ମିଳିଲା ନାହିଁ । ସେଥିପାଇଁ ଇଲୀହୂ ଯେବେ ଆୟୁବଙ୍କୁ ପରାମର୍ଶ ଦେଲେ, ତେବେ ସେ ନିଜେ କହି ଚାଲିଲେ ନାହିଁ; ସେ ଆୟୁବଙ୍କୁ ବି କହିବା ପାଇଁ ସୁଯୋଗ ଦେଲେ । (ଆୟୁ. ୩୨:୪; ୩୩:୩୨) ଇଲୀହୂ ଆୟୁବଙ୍କୁ ସ୍ପଷ୍ଟ ଭାବରେ ଏହା ବି କହିଲେ ଯେ ତାଙ୍କର କିଛି କଥାଗୁଡ଼ିକ ଠିକ୍‌ ନ ଥିଲା ଏବଂ ତାଙ୍କୁ ମନେ ପକାଇ ଦେଲେ ଯେ ଯିହୋବା ଅତି ବୁଦ୍ଧିମାନ, ଶକ୍ତିଶାଳୀ, ନ୍ୟାୟପ୍ରିୟ ଓ ତାଙ୍କର ପ୍ରେମ ଅଟଳ । (ଆୟୁ. ୩୬:୧୮, ୨୧-୨୬; ୩୭:୨୩, ୨୪) ଇଲୀହୂ ଆୟୁବଙ୍କୁ ଯେପରି ଭାବେ ପରାମର୍ଶ ଦେଲେ, ସେଥିରୁ ଆୟୁବ ଯିହୋବାଙ୍କ କଥା ଶୁଣିବା ପାଇଁ ପ୍ରସ୍ତୁତ ହୋଇଯାଇଥିବେ । (ଆୟୁ. ୩୮:୧-୩) ଇଲୀହୂଙ୍କଠାରୁ ଇସ୍ରାଏଲୀୟମାନେ କʼଣ ଶିଖିପାରିଥାʼନ୍ତେ ଏବଂ ଆଜି ଆମେ କʼଣ ଶିଖିପାରିବା ?

୧୨. ଯିହୋବା କିପରି ଭବିଷ୍ୟଦ୍‌ବକ୍ତାମାନଙ୍କ ଜରିଆରେ ନିଜ ଲୋକମାନଙ୍କୁ ସାହାଯ୍ୟ କଲେ ଏବଂ ଇସ୍ରାଏଲୀୟମାନେ ଇଲୀହୂଙ୍କ ଉଦାହରଣରୁ କʼଣ ଶିଖିପାରିଥାʼନ୍ତେ ?

୧୨ ଇସ୍ରାଏଲୀୟମାନେ ଏହି ଘଟଣାରୁ କʼଣ ଶିଖିପାରିଥାʼନ୍ତେ ? ଯିହୋବା ଇସ୍ରାଏଲୀୟମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏବଂ ସେମାନଙ୍କୁ ସୁଧାରିବା ପାଇଁ ଭବିଷ୍ୟଦ୍‌ବକ୍ତାମାନଙ୍କୁ ନିଯୁକ୍ତ କରିଥିଲେ । ଯେପରି ବିଚାରକର୍ତ୍ତାମାନଙ୍କ ସମୟରେ ଯିହୋବା ଦବୋରା ନାମକ ଜଣେ ସ୍ତ୍ରୀକୁ ଭବିଷ୍ୟଦ୍‌ବକ୍ତ୍ରୀ ଭାବେ ନିଯୁକ୍ତ କଲେ, ଯିଏ ଜଣେ ମାଆ ଭଳି ଇସ୍ରାଏଲୀୟମାନଙ୍କୁ ସଠିକ୍‌ ବାଟ ଦେଖାଇଲେ । ଆଉ ଯେବେ ଶାମୁୟେଲ ଛୋଟ ଥିଲେ, ତେବେଠାରୁ ହିଁ ଯିହୋବା ଶାମୁୟେଲ ଜରିଆରେ ନିଜ ଲୋକମାନଙ୍କୁ ଜରୁରୀ ନିର୍ଦ୍ଦେଶ ଦେଲେ । (ବିଚା. ୪:୪-୭; ୫:୭; ୧ ଶାମୁ. ୩:୧୯, ୨୦) ତାʼପରେ ରାଜାମାନଙ୍କ ସମୟରେ ବି ଯିହୋବା ଗୋଟିଏ ପରେ ଗୋଟିଏ ଅନେକ ଭବିଷ୍ୟଦ୍‌ବକ୍ତାମାନଙ୍କୁ ନିଯୁକ୍ତ କଲେ, ଯେଉଁମାନେ ତାଙ୍କ ଲୋକମାନଙ୍କୁ ସତ୍ୟ ଉପାସନା କରିବା ପାଇଁ ପରାମର୍ଶ ଦେଇପାରନ୍ତେ ଏବଂ ସେମାନଙ୍କୁ ସୁଧାରିପାରନ୍ତେ । (୨ ଶାମୁ. ୧୨:୧-୪; ପ୍ରେରି. ୩:୨୪) ଏହି ବିଶ୍ୱସ୍ତ ସେବକମାନେ ଆୟୁବ ବହିରେ ଦିଆଯାଇଥିବା ଇଲୀହୂଙ୍କ ଉଦାହରଣରୁ ଶିଖିପାରିଥାʼନ୍ତେ ଯେ ଲୋକମାନଙ୍କୁ ପରାମର୍ଶ ଦେବା ସମୟରେ କିମ୍ବା ସେମାନଙ୍କୁ ସୁଧାରିବା ସମୟରେ କʼଣ କହିବା ଓ କିପରି ଭାବେ କହିବା ଉଚିତ୍‌ ।

୧୩. ଆଜି ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ଉତ୍ସାହ ବଢ଼ାନ୍ତି ?

୧୩ ଏହି ଘଟଣାରୁ ଆମେ କʼଣ ଶିଖୁ ? ଆମେ ଖ୍ରୀଷ୍ଟିୟାନମାନେ ବି ବାଇବଲରୁ ଲୋକମାନଙ୍କୁ ଈଶ୍ୱରଙ୍କ ଇଚ୍ଛା ବିଷୟରେ କହିଥାଉ । ତାʼସହିତ ଆମେ ନିଜ କଥାରୁ ଭାଇଭଉଣୀମାନଙ୍କର ଉତ୍ସାହ ବଢ଼ାଉ ଏବଂ ସେମାନଙ୍କୁ ସାନ୍ତ୍ୱନା ଦେଉ । (୧ କରି. ୧୪:୩) ବିଶେଷ କରି ପ୍ରାଚୀନମାନେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତି ଯେ ଭାଇଭଉଣୀମାନଙ୍କର ଉତ୍ସାହ ବଢ଼ାଇବା ସମୟରେ ସେମାନେ ଭାଇଭଉଣୀମାନଙ୍କୁ “ସାନ୍ତ୍ୱନା” ଦେବା ଭଳି କଥା କହନ୍ତୁ । (୧ ଥେସ. ୫:୧୪) ପ୍ରାଚୀନମାନେ ସେସମୟରେ ବି ଏପରି କରନ୍ତି, ଯେବେ କେହି ଚିନ୍ତିତ ହୋଇ “ଅବିବେଚନାଯୁକ୍ତ” ଅର୍ଥାତ୍‌ ବିନା ଭାବିଚିନ୍ତି କଥା ହେବାକୁ ଲାଗନ୍ତି ।—ଆୟୁ. ୬:୩.

୧୪-୧୫. ବୁଝାନ୍ତୁ ଯେ ଜଣେ ପ୍ରାଚୀନ ପରାମର୍ଶ ଦେବା ସମୟରେ କିପରି ଇଲୀହୂଙ୍କ ଉଦାହରଣରେ ଚାଲିପାରିବ ?

୧୪ କଳ୍ପନା କରନ୍ତୁ, ଜଣେ ପ୍ରାଚୀନଙ୍କୁ ଜଣାପଡ଼େ ଯେ ତାଙ୍କ ମଣ୍ଡଳୀର ଜଣେ ଭଉଣୀ ବହୁତ ନିରାଶ ଅଛନ୍ତି । ତେଣୁ ସେ ଆଉ ଜଣେ ଭାଇଙ୍କ ସହିତ ସେହି ଭଉଣୀଙ୍କର ଉତ୍ସାହ ବଢ଼ାଇବା ପାଇଁ ତାଙ୍କ ପାଖକୁ ଯାʼନ୍ତି । ଭଉଣୀ ତାଙ୍କୁ କହନ୍ତି ଯେ ସେ ସଭାକୁ ଯାଉଛନ୍ତି ଓ ପ୍ରଚାର ମଧ୍ୟ କରୁଛନ୍ତି, ତଥାପି ତାଙ୍କୁ ଖୁସି ମିଳୁ ନାହିଁ । ଏପରି ସମୟରେ ସେହି ପ୍ରାଚୀନ କʼଣ କରିବେ ?

୧୫ ପ୍ରଥମେ ସେ ଏହା ବୁଝିବା ପାଇଁ ଚେଷ୍ଟା କରିବ ଯେ ସେହି ଭଉଣୀ କାହିଁକି ନିରାଶ ଅଛନ୍ତି । ଏହାପାଇଁ ସେ ହୁଏତ ଭଉଣୀଙ୍କୁ କିଛି ପ୍ରଶ୍ନ ପଚାରିବ ଏବଂ ତାଙ୍କ କଥାକୁ ଧ୍ୟାନର ସହ ଶୁଣିବ । ତାʼପରେ ସେ ଏହା ଜାଣିବା ପାଇଁ ଚେଷ୍ଟା କରିବ ଯେ ସେହି ଭଉଣୀ କʼଣ ଭାବୁଛନ୍ତି । କʼଣ ତାଙ୍କୁ ଏପରି ଲାଗୁଛି ଯେ ସେ ଯିହୋବାଙ୍କ ପ୍ରେମର ଯୋଗ୍ୟ ନୁହଁନ୍ତି ? କିମ୍ବା କʼଣ ସେ “ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ” ହୋଇ ପୂରାପୂରି ଥକି ଯାଇଛନ୍ତି ? (ଲୂକ ୨୧:୩୪) ଦ୍ୱିତୀୟ, ସେହି ଭାଇ ଏବିଷୟରେ ଭାବିବ ଯେ ସେ କେଉଁ କଥାଗୁଡ଼ିକ ପାଇଁ ଭଉଣୀଙ୍କୁ ପ୍ରଶଂସା କରିବ । ଯେପରି, ହୁଏତ ସେ ଏକଥା ପାଇଁ ତାଙ୍କର ପ୍ରଶଂସା କରିପାରିବ ଯେ ଏତେ ସମସ୍ୟାଗୁଡ଼ିକ ସତ୍ତ୍ୱେ ସେ ସଭାକୁ ଆସୁଛନ୍ତି ଏବଂ ପ୍ରଚାର କରୁଛନ୍ତି । ତୃତୀୟ, ଯେବେ ସେହି ପ୍ରାଚୀନ ତାଙ୍କୁ ଏବଂ ତାଙ୍କ ପରିସ୍ଥିତିକୁ ବୁଝିବା ପାଇଁ ଚେଷ୍ଟା କରିବ, ତେବେ ସେ ବାଇବଲରୁ ତାଙ୍କ ଉତ୍ସାହ ବଢ଼ାଇପାରିବ ଏବଂ ତାଙ୍କୁ ଭରସା ଦେଇପାରିବ ଯେ ଯିହୋବା ତାଙ୍କୁ ପ୍ରେମ କରନ୍ତି ।—ଗାଲା. ୨:୨୦.

ଆୟୁବ ବହିରୁ ଶିଖିବା ଜାରି ରଖନ୍ତୁ

୧୬. ଆୟୁବ ବହିରୁ ଶିଖିବା ଜାରି ରଖିବା ପାଇଁ ଆମେ କʼଣ କରିପାରିବା ?

୧୬ ଆୟୁବ ବହିରୁ ଆମେ ଅନେକ କଥା ଶିଖିପାରିଲୁ । ପୂର୍ବ ଲେଖାରୁ ଆମେ ଶିଖିପାରିଲୁ ଯେ ଆୟୁବ ବହିରେ କୁହାଯାଇଛି ଯେ ଈଶ୍ୱର କାହିଁକି ଏବେ ପର୍ଯ୍ୟନ୍ତ ଦୁଃଖକଷ୍ଟକୁ ଦୂର କରି ନାହାନ୍ତି ଏବଂ ସମସ୍ୟାଗୁଡ଼ିକ ସମୟରେ ଆମେ କିପରି ଧୈର୍ଯ୍ୟ ଧରିପାରିବା । ତାʼସହିତ ଏହି ଲେଖାରୁ ଆମେ ଜାଣିଲୁ ଯେ ଯଦି ଆମେ ବଢ଼ିଆ ପରାମର୍ଶ ଦେବା ପାଇଁ ଚାହୁଁ, ତାହେଲେ ଆମକୁ ଆୟୁବଙ୍କ ତିନିଜଣ ବନ୍ଧୁଙ୍କ ଭଳି ନୁହଁ; ଇଲୀହୂଙ୍କ ଭଳି ପରାମର୍ଶ ଦେବା ଉଚିତ୍‌ । ତେଣୁ ଆର ଥରକୁ କାହାକୁ ପରାମର୍ଶ ଦେବା ପୂର୍ବରୁ ଏବିଷୟରେ ଭାବିବା ଭଲ ରହିବ ଯେ ଆପଣ ପରାମର୍ଶ ଦେବା ବିଷୟରେ ଆୟୁବ ବହିରୁ କʼଣ ଶିଖିଲେ । ଯଦି ଆପଣ କିଛି ସମୟ ପୂର୍ବରୁ ଆୟୁବ ବହି ପଢ଼ି ନାହାନ୍ତି, ତାହେଲେ ଆପଣ ଏହାକୁ ପଢ଼ିବା ପାଇଁ ଲକ୍ଷ୍ୟ ରଖିପାରିବେ । ଏପରି କଲେ ଆପଣ ଆହୁରି ବଢ଼ିଆ କଥାଗୁଡ଼ିକୁ ଶିଖିପାରିବେ ।

ଆପଣ କʼଣ ଉତ୍ତର ଦେବେ ?

  • କାହାକୁ ପରାମର୍ଶ ଦେବା ସମୟରେ ଆମେ ଆୟୁବଙ୍କ ତିନିଜଣ ବନ୍ଧୁମାନଙ୍କ ଭଳି କʼଣ କରିବା ଉଚିତ୍‌ ନୁହେଁ ?

  • ଇଲୀହୂ ଯେଉଁଭଳି ଭାବେ ଆୟୁବଙ୍କୁ ପରାମର୍ଶ ଦେଲେ, ସେଥିରୁ ଆମେ କʼଣ ଶିଖିପାରିବା ?

  • ଆୟୁବ ବହିରୁ ଶିଖିବା ଜାରି ରଖିବା ପାଇଁ ଆମେ କʼଣ କରିପାରିବା ?

ଗୀତ ୧୧୬ ଦୟା ଅଟେ ଶକ୍ତିଶାଳୀ

a ଏପରି ଜଣାପଡ଼େ ଯେ ଜଣେ ଦୁଷ୍ଟ ସ୍ୱର୍ଗଦୂତ ଇଲୀଫସ୍‌କୁ ଏହା ଭରସା ଦେବା ପାଇଁ ଚେଷ୍ଟା କଲା ଯେ କୌଣସି ବି ମଣିଷ ଯିହୋବାଙ୍କ ଦୃଷ୍ଟିରେ ଧାର୍ମିକ ନୁହଁନ୍ତି ଏବଂ ଆମେ ଯିହୋବାଙ୍କୁ ଖୁସି କରିପାରିବା ନାହିଁ । ଇଲୀଫସ୍‌ ତାʼର କଥାକୁ ସତ ବୋଲି ଭାବି ନେଲା ଏବଂ ଆୟୁବଙ୍କ ସହ କଥା ହେବା ସମୟରେ ସେ ବାରମ୍ବାର ଏହି କଥାକୁ କହିଲା ।—ଆୟୁ. ୪:୧୭; ୧୫:୧୫, ୧୬; ୨୨:୨.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ