ଭାଗ ୧୪
ଈଶ୍ୱର ତାହାଙ୍କ ଭାବବାଦୀଙ୍କ ଦ୍ୱାରା କଥା କହନ୍ତି
ଈଶ୍ୱର ଭାବବାଦୀଙ୍କୁ ନିଯୁକ୍ତି କରିଥିଲେ ଏବଂ ସେମାନେ ଯିହୋବାଙ୍କ ବିଚାର, ସୁଦ୍ଧ ଉପାସନା ଏବଂ ମସୀହଙ୍କ ଆଶା ବିଷୟରେ ଘୋଷଣା କରୁଥିଲେ
ଯିହୂଦା ଏବଂ ଇସ୍ରାଏଲ ରାଜାମାନଙ୍କ ସମୟରେ ଏକ ବିଶେଷ ଧରଣର ଲୋକଙ୍କ ଆବିର୍ଭାବ ହୋଇଥିଲା, ସେମାନଙ୍କୁ ଭାବବାଦୀ କୁହାଯାଏ । ସେମାନେ ଦୃଢ଼ ବିଶ୍ୱାସୀ ଓ ସାହସୀ ଥିଲେ, ଆଉ ଈଶ୍ୱରଙ୍କ ବିଷୟରେ ଘୋଷଣା କରୁଥିଲେ । ଆସନ୍ତୁ ଚାରୋଟି ମୂଖ୍ୟ ବିଷୟକୁ ଦେଖିବା ଯାହା ଈଶ୍ୱରଙ୍କ ଭାବବାଦୀ କହିଥିଲେ ।
୧. ଯିରୁଶାଲମର ଧ୍ୱଂସ । ଅନେକ ବର୍ଷ ପୂର୍ବେ ଈଶ୍ୱରଙ୍କ ଭାବବାଦୀମାନେ ବିଶେଷ କରି—ଯିଶାଇୟ ଓ ଯିରିମିୟ ଯିରୁଶାଲମର ଧ୍ୱଂସ ଓ ପରିତ୍ୟକ୍ତ ହେବା ବିଷୟରେ ସତର୍କବାଣୀ ଘୋଷଣା କରିଥିଲେ । ସେମାନେ ସ୍ପଷ୍ଟଭାବେ କହିଥିଲେ ଯେ ଈଶ୍ୱର କାହିଁକି ଏହି ସହର ଉପରେ ଏତେ କ୍ରୋଧିତ । ଯିରୁଶାଲମର ଲୋକମାନେ ଦାବି କରିଆସୁଥିଲେ ଯେ ସେମାନେ ଯିହୋବାଙ୍କ ପ୍ରତିନିଧି, କିନ୍ତୁ ତାଙ୍କର ମିଥ୍ୟା ଧର୍ମ, ଭ୍ରଷ୍ଟାଚାରୀତା, ଅତ୍ୟାଚାରିତା ସେମାନଙ୍କ ଏହି ଦାବିକୁ ମିଥ୍ୟା ବୋଲି ପ୍ରମାଣିତ କରିଥିଲା ।—୨ ରାଜାବଳୀ ୨୧:୧୦-୧୫; ଯିଶାଇୟ ୩:୧-୮, ୧୬-୨୬; ଯିରିମିୟ ୨:୧-୩:୧୩.
୨. ଶୁଦ୍ଧଉପାସନାର ପୁନଃସ୍ଥାପନ । ଈଶ୍ୱରଙ୍କ ଲୋକମାନେ ୭୦ ବର୍ଷ ବାବିଲରେ ବନ୍ଦୀ ରହିବା ପରେ ମୁକ୍ତି ପାଇବାର ଥିଲା । ସେମାନଙ୍କୁ ନିଜର ସେହି ପରିତ୍ୟକ୍ତ ଜନ୍ମସ୍ଥାନକୁ ଫେରିବା ପରେ, ଯିହୋବାଙ୍କ ମନ୍ଦିର ଯିରୁଶାଲମରେ ପୁନଃନିର୍ମାଣ କରିବାର ଥିଲା । (ଯିରିମିୟ ୪୬:୨୭; ଆମୋଷ ୯:୧୩-୧୫) ପ୍ରାୟ ୨୦୦ ବର୍ଷ ପୂର୍ବେ, ଯିଶାଇୟ, ଭବିଷ୍ୟତ ବାଣୀ କରି କହିଥିଲେ ଯେ କୋରସ ନାମକ ଜଣେ ବ୍ୟକ୍ତି ବାବିଲକୁ ପରାଜିତ କରିବେ ଏବଂ ଈଶ୍ୱରଙ୍କ ଲୋକମାନଙ୍କୁ ପୁଣିଥରେ ସତ୍ୟଉପାସନାର ପୁନଃସ୍ଥାପନ କରିବାକୁ ଅନୁମତି ଦେବେ । ଏପରିକି କୋରସଙ୍କ ଯୁଦ୍ଧର ରଣକୌଶଳ ବିଷୟ ମଧ୍ୟ ଯିଶାଇୟ ବିସ୍ତାରଭାବେ ବର୍ଣ୍ଣନା କରିଥିଲେ ।—ଯିଶାଇୟ ୪୪:୨୪-୪୫:୩.
୩. ମସୀହଙ୍କ ଆଗମନ ଓ ତାହାଙ୍କ ଅଭିଜ୍ଞତା । ମସୀହ ବେଥଲିହିମ ସହରରେ ଜନ୍ମଗ୍ରହଣ କରିବେ । (ମୀଖା ୫:୨) ସେ ନମ୍ରତାର ସହ ଗଧ ଉପରେ ବସି ଯିରୁଶାଲମକୁ ଆସିବେ । (ଯିଖରିୟ ୯:୯) ଯଦ୍ୟପି ସେ ଭଦ୍ର ଓ ଦୟାଳୁ ତଥାପି ଅନେକ ଲୋକ ତାହାଙ୍କୁ ଗ୍ରହଣ କରିବେ ନାହିଁ । (ଯିଶାଇୟ ୪୧:୧-୩; ୫୩:୧, ୩) ତାହାଙ୍କ ମୃତ୍ୟୁ ଅତ୍ୟନ୍ତ କଷ୍ଟଦାୟକ ହେବ । କʼଣ ଏପରି ତାହାଙ୍କ ଜୀବନର ଶେଷ ହେବ ? ନାʼ, କାରଣ ତାହାଙ୍କ ବଳିଦାନ ଦ୍ୱାରା ଅନେକଙ୍କର ପାପ କ୍ଷମା ହେବ । (ଯିଶାଇୟ ୫୩:୪, ୫, ୯-୧୨) ଏହା କେବଳ ତାହାଙ୍କ ପୁନରୁତ୍ଥାନ ଦ୍ୱାରା ସମ୍ଭବ ।
୪. ପୃଥିବୀ ଉପରେ ମସୀହଙ୍କ ଶାସନ । ଅସିଦ୍ଧ ମନୁଷ୍ୟ କେବେ ମଧ୍ୟ ଶାନ୍ତିରେ ଶାସନ କରିପାରିବେ ନାହିଁ, କିନ୍ତୁ ମସୀହ ରାଜାଙ୍କୁ ଶାନ୍ତିର ରାଜା କୁହାଯାଏ । (ଯିଶାଇୟ ୯:୬, ୭; ଯିରିମିୟ ୧୦:୨୩) ତାହାଙ୍କ ଶାସନକାଳରେ ସମସ୍ତ ମାନବଜାତି ପରସ୍ପର ଶାନ୍ତିରେ ବାସ କରିବେ ଏପରି କି ସୃଷ୍ଟିର ସମସ୍ତ ଜୀବଜନ୍ତୁ ମଧ୍ୟ । (ଯିଶାଇୟ ୧୧:୩-୭) ରୋଗ ଆଉ ରହିବ ନାହିଁ । (ଯିଶାଇୟ ୪୪:୨୪) ଏପରି କି ମୃତ୍ୟୁ ଆଉ ଘଟିବ ନାହିଁ । (ଯିଶାଇୟ ୨୫:୮) ମସୀହଙ୍କ ଶାସନ ବେଳେ ଯେଉଁମାନେ ମରିଯିବେ ସେମାନେ ଏହି ପୃଥିବୀରେ ପୁଣିଥରେ ପୁନରୁତ୍ଥିତ ହେବେ ।—ଦାନିଏଲ ୧୨:୧୩.
—ଏହା ଯିଶାଇୟ, ଯିରିମିୟ, ଦାନିଏଲ, ଆମୋଷ, ମୀଖା ଏବଂ ଯିଖରିୟ ପୁସ୍ତକ ଉପରେ ଆଧାରିତ ।