ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwbr20 ସେପ୍ଟେମ୍ବର ପୃଷ୍ଠା ୧-୭
  • ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ
  • ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୨୦)
  • ଉପଶୀର୍ଷକ
  • ୭-୧୩ ସେପ୍ଟେମ୍ବର
  • ୧୪-୨୦ ସେପ୍ଟେମ୍ବର
  • ୨୧-୨୭ ସେପ୍ଟେମ୍ବର
  • ୨୮ ସେପ୍ଟେମ୍ବର–୪ ଅକ୍ଟୋବର
ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୨୦)
mwbr20 ସେପ୍ଟେମ୍ବର ପୃଷ୍ଠା ୧-୭

ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

୭-୧୩ ସେପ୍ଟେମ୍ବର

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୨୩-୨୪

“ବହୁଲୋକର ପଶ୍ଚାଦ୍‌ବର୍ତ୍ତୀ ହୁଅନ୍ତୁ ନାହିଁ ”

ପ୍ର୧୮.୦୮-ହି ପୃ ୪-୫ ¶୭-୮

କʼଣ ଆପଣଙ୍କ ପାଖରେ ସଠିକ୍‌ ତଥ୍ୟ ଅଛି ?

୭ କʼଣ ଆପଣ ନିଜ ସାଙ୍ଗମାନଙ୍କୁ ଇ-ମେଲ୍‌ ଓ ମୋବାଇଲରେ ମେସେଜ୍‌ ପଠାଇବା ପସନ୍ଦ କରନ୍ତି ? କୌଣସି ନୂଆ ଖବର ପଢ଼ିଲେ କିମ୍ବା ନୂଆ ଅନୁଭବ ଶୁଣିଲେ ଆପଣଙ୍କୁ କିପରି ଲାଗେ ? କʼଣ ଆପଣଙ୍କୁ ଲାଗେ ଯେ ଜଣେ ସାମ୍ବାଦିକଙ୍କ ଭଳି ଆପଣ ଲୋକଙ୍କୁ ଏହି ଖବର ସର୍ବପ୍ରଥମେ ଦେବେ ? କିନ୍ତୁ ସେହି ମେସେଜ୍‌ କିମ୍ବା ଇ-ମେଲ୍‌ ପଠାଇବା ପୂର୍ବରୁ ନିଜକୁ ପଚାରନ୍ତୁ: ‘କଅଣ ମୁଁ ପୂରା ବିଶ୍ୱାସ କରେ ଯେ ଯେଉଁ ତଥ୍ୟ ମୁଁ ଦେବାକୁ ଯାଉଛି, ତାହା ପୂରା ସତ ? କʼଣ ମୋ ପାଖରେ ଠୋସ୍‌ ପ୍ରମାଣ ଅଛି ?’ ଯଦି ଆପଣ ସେହି ତଥ୍ୟ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି ନାହିଁ, ତେବେ ଆପଣ ଅଜାଣତରେ ଭାଇଭଉଣୀମାନଙ୍କୁ ଭୁଲ ତଥ୍ୟ ପ୍ରସାରିତ କରିପାରନ୍ତି । ଟିକିଏ ବି ସନ୍ଦେହ ହେଲେ ତାକୁ ତୁରନ୍ତ ଡିଲିଟ କରି ଦିଅନ୍ତୁ ।

୮ କୌଣସି ମେସେଜ୍‌ କିମ୍ବା ଇ-ମେଲ୍‌ ତୁରନ୍ତ ପଠାଇବା ଦ୍ୱାରା ଆଉ ଏକ କ୍ଷତି ହୋଇପାରେ । କିଛି ଦେଶ ଉପରେ ଆମ କାମ ଉପରେ କଟକଣା ଜାରି କରାଯାଇଛି, କିମ୍ବା ଆମ କାମକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହି ଦେଶଗୁଡ଼ିକରେ ହୁଏତ ବିରୋଧୀମାନେ ଜାଣିଶୁଣି ଏପରି ଖବରଗୁଡ଼ିକ ପ୍ରସାରିତ କରିପାରନ୍ତି, ଯେଉଁଥିରୁ ଆମ ମନରେ ଭୟ ପଶି ଯାଇପାରେ, କିମ୍ବା ପରସ୍ପର ଉପରୁ ଭରସା ଉଠିଯାଇପାରେ । ଧ୍ୟାନ ଦିଅନ୍ତୁ ଯେ ଭୂତପୂର୍ବ ସୋଭିଏତ ସଂଘରେ କʼଣ ହୋଇଥିଲା । ସେଠାକାର ସିକ୍ରେଟ ପୋଲିସ ଏହି ଗୁଜବ ପ୍ରସାରିତ କରିଥିଲା ଯେ ଅନେକ ଦାୟିତ୍ୱବାନ ଭାଇମାନେ ସଂଗଠନ ସହ ବିଶ୍ୱାସଘାତ କରିଛନ୍ତି । ଦୁଃଖର କଥା ଯେ ଅନେକ ଲୋକେ ଏହି ଗୁଜବକୁ ସତ ବୋଲି ଧରିନେଲେ ଏବଂ ଯିହୋବାଙ୍କ ସଂଗଠନକୁ ଛାଡ଼ି ଚାଲିଗଲେ । ଯାହା ହେଉ, ପରେ ସେମାନଙ୍କ ମଧ୍ୟରୁ ଅନେକେ ଫେରିଆସିଲେ । କିନ୍ତୁ କିଛି ଫେରିଲେ ନାହିଁ, କାରଣ ସେମାନଙ୍କ ବିଶ୍ୱାସ ସମ୍ପୂର୍ଣ୍ଣ ଶେଷ ହୋଇଗଲା । (୧ ତୀମ. ୧:୧୯) ଆମର ଏପରି ଅବସ୍ଥା ନ ହେବା ପାଇଁ ଆମେ କʼଣ କରିପାରିବା ? ଯେଉଁ ଖବରଗୁଡ଼ିକ ନକରାତ୍ମକ ହୋଇଥାଏ କିମ୍ବା ଯାହାର ଠୋସ୍‌ ପ୍ରମାଣ ନ ଥାଏ, ସେଗୁଡ଼ିକୁ କାହାରିକୁ ପଠାନ୍ତୁ ନାହିଁ । ପ୍ରତ୍ୟେକ କଥା ଉପରେ ବିଶ୍ୱାସ କରନ୍ତୁ ନାହିଁ, ବରଂ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ତାହା ସଠିକ୍‌ ଅଟେ ନା ନୁହେଁ ।

ପ୍ର୧୧-ହି ୭/୧୫ ପୃ ୧୧ ¶୩, ୬

କʼଣ ଆପଣ ଯିହୋବାଙ୍କ ପ୍ରେମ-ଭରା ମାର୍ଗଦର୍ଶନ ଅନୁଯାୟୀ ଚାଲିବେ ?

୩ କୌଣସି ଲମ୍ବା ଯାତ୍ରାରେ ବାହାରିବା ସମୟରେ ଯଦି ଆପଣଙ୍କୁ ଠିକ୍‌ ଭାବେ ରାସ୍ତା ଜଣା ନାହିଁ, ତେବେ ଆପଣ କʼଣ କରିବେ ? ଆପଣ ହୁଏତ ଅନ୍ୟ ଯାତ୍ରୀମାନଙ୍କ ପଛେ ପଛେ ଯିବା ଠିକ୍‌ ବୋଲି ଭାବିବେ, ବିଶେଷ କରି ଯେତେବେଳେ ଆପଣ ଦେଖିବେ ଯେ ଲୋକଙ୍କ ଭିଡ଼ ମଧ୍ୟ ସେହି ଆଡ଼କୁ ଯାଉଛି । ଏପରି କରିବା ବିପଜ୍ଜନକ ହୋଇପାରେ । କାରଣ ଯେଉଁଠାକୁ ଆପଣ ଯିବାକୁ ଚାହାନ୍ତି, ସେହି ଯାତ୍ରୀମାନେ ହୁଏତ ସେଠାକୁ ଯାଇ ନ ପାରନ୍ତି । କିମ୍ବା ହୁଏତ ସେମାନେ ଆଗକୁ ଯାଇ ବାଟବଣା ହୋଇପାରନ୍ତି । ଏବିଷୟରେ ସେହି ସିଦ୍ଧାନ୍ତ ଉପରେ ଧ୍ୟାନ ଦିଅନ୍ତୁ, ଯାହା ଉପରେ ଇସ୍ରାଏଲୀୟମାନଙ୍କୁ ଦିଆଯାଇଥିବା ଏକ ନିୟମ ଆଧାରିତ ଥିଲା । ଯେଉଁମାନେ ନ୍ୟାୟୀ ବା ବିଚାରକର୍ତ୍ତା ଭାବେ ସେବା କରୁଥିଲେ କିମ୍ବା ନ୍ୟାୟିକ ମାମଲାଗୁଡ଼ିକରେ ସାକ୍ଷ୍ୟ ଦେଉଥିଲେ, ସେମାନଙ୍କୁ ସତର୍କ କରାଯାଇଥିଲା ଯେ ସେମାନେ “ବହୁଲୋକର ପଶ୍ଚାଦ୍‌ବର୍ତ୍ତୀ” ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । (ଯାତ୍ରା ପୁସ୍ତକ ୨୩:୨ ପଢ଼ନ୍ତୁ ।) ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅସିଦ୍ଧ ମଣିଷମାନେ ସହଜରେ ଅନ୍ୟମାନଙ୍କ ଚାପରେ ଆସି ଭୁଲ ବିଚାର କରି ବସନ୍ତି । କିନ୍ତୁ କʼଣ ଭିଡ଼ର ପଛରେ ନ ଯିବାର ସିଦ୍ଧାନ୍ତ କେବଳ ନ୍ୟାୟିକ ମାମଲା ପର୍ଯ୍ୟନ୍ତ ସୀମିତ ? ନା, ଏପରି ନୁହେଁ ।

୬ କʼଣ ଆପଣଙ୍କ ଉପରେ କେବେ ଭିଡ଼ର ପଛରେ ଯିବା ପାଇଁ ବା ଦୁନିଆର ଲୋକଙ୍କୁ ଅନୁକରଣ କରିବା ପାଇଁ ଚାପ ଆସିଛି ? ଯେଉଁମାନେ ଯିହୋବାଙ୍କୁ ଜାଣନ୍ତି ନାହିଁ ଏବଂ ତାହାଙ୍କ ନୈତିକ ମାନଦଣ୍ଡଗୁଡ଼ିକୁ ଉପହାସ କରନ୍ତି, ଏପରି ଲୋକମାନଙ୍କର ଆଜି ଅଭାବ ନାହିଁ । ମଉଜ-ମଜଲିସ ପାଇଁ ଏହି ଲୋକମାନେ ଏପରି ଚିନ୍ତାଧାରାଗୁଡ଼ିକ ପ୍ରସାରିତ କରନ୍ତି, ଯାହାର କୌଣସି ଆଧାର ନ ଥାଏ । ସେମାନେ ଟିଭି କାର୍ଯ୍ୟକ୍ରମ, ଚଳଚ୍ଚିତ୍ର ଓ ଭିଡିଓ ଗେମ୍‌ସରେ ଅନୈତିକତା, ହିଂସା ଓ ଭୂତପ୍ରେତ ସହ ଜଡ଼ିତ ବିଷୟଗୁଡ଼ିକୁ ଅତିରଞ୍ଜିତ କରି ଦେଖାନ୍ତି ସତେ ଯେପରି ସେଗୁଡ଼ିକରୁ କୌଣସି କ୍ଷତି ହୁଏ ନାହିଁ । (୨ ତୀମ. ୩:୧-୫) ଯେତେବେଳେ ଆପଣ ନିଜ ପାଇଁ ଓ ନିଜ ପରିବାର ପାଇଁ ମନୋରଞ୍ଜନ ବାଛନ୍ତି, କʼଣ ଆପଣ ଅନ୍ୟମାନଙ୍କ ଦୁର୍ବଳ ବିବେକର ଆଧାରରେ ନିଷ୍ପତ୍ତି ନିଅନ୍ତି ଏବଂ ଆପଣଙ୍କ ବିବେକ ମଧ୍ୟ ସେମାନଙ୍କୁ ଅନୁକରଣ କରେ ? ଏପରି କରିବା କʼଣ “ବହୁଲୋକର ପଶ୍ଚାଦ୍‌ବର୍ତ୍ତୀ” ହେବା ନୁହେଁ ?

ଇନସାଇଟ୍‌-୧ ପୃ ୩୪୩ ¶୫

ଅନ୍ଧତା

ମୋଶାଙ୍କ ନିୟମରେ ନ୍ୟାୟୀ ବା ବିଚାରକର୍ତ୍ତାମାନଙ୍କୁ ସ୍ପଷ୍ଟ ଭାବେ ପରାମର୍ଶ ଦିଆଯାଇଥିଲା ଯେ ସେମାନେ ଲାଞ୍ଚ ନ ନିଅନ୍ତୁ, କାହାରିଠାରୁ ଉପହାର ସ୍ୱୀକାର ନ କରନ୍ତୁ ଏବଂ ପକ୍ଷପାତ ନ କରନ୍ତୁ । କାରଣ ଏସବୁ ଯୋଗୁଁ ସେମାନେ ଅନ୍ଧ ହୋଇ ଭୁଲ ବିଚାର କରିବାର ସମ୍ଭାବନା ଥିଲା । ଉଦାହରଣ ପାଇଁ, ନିୟମରେ ଲେଖାଥିଲା: “ଲାଞ୍ଚ ଦୃଷ୍ଟି ଥିବା ଲୋକମାନଙ୍କୁ ଅନ୍ଧ କରିଦିଏ ।” (ଯାତ୍ରା ୨୩:୮) “ଲାଞ୍ଚ ଜ୍ଞାନୀମାନଙ୍କର ଚକ୍ଷୁ ଅନ୍ଧ କରେ ।” (ଦ୍ୱିବି ୧୬:୧୯) ଜଣେ ନ୍ୟାୟୀ ଯେତେ ମଧ୍ୟ ସଚ୍ଚୋଟ ଓ ବୁଝିବିଚାରି କାମ କରୁଥାଉ ନା କାହିଁକି, ଯଦି କେହି ତାକୁ ଉପହାର ଦିଅନ୍ତା, ତେବେ ହୁଏତ ଜାଣିଶୁଣି କିମ୍ବା ଅଜାଣତରେ ସେ ସେହି ବ୍ୟକ୍ତିର ପକ୍ଷ ନେବାର ସମ୍ଭାବନା ଥିଲା । ଈଶ୍ୱରଙ୍କ ବ୍ୟବସ୍ଥାରେ ବିଚାରକର୍ତ୍ତାମାନଙ୍କୁ ଉପହାର ନେବା ପାଇଁ ସତର୍କ ତ କରାଯାଇଥିଲା, କିନ୍ତୁ ଏହା ମଧ୍ୟ କୁହାଯାଇଥିଲା ଯେ ସେମାନେ ଭାବନାରେ ବହି ଯାଇ କୌଣସି ବିଚାର କରିବା ଉଚିତ୍‌ ନୁହେଁ । ବିଚାରକର୍ତ୍ତାମାନଙ୍କୁ କୁହାଯାଇଥିଲା, “ତୁମ୍ଭେ ଦରିଦ୍ରର ମୁଖାପେକ୍ଷା କରିବ ନାହିଁ, କିଅବା ଧନୀର ସମ୍ଭ୍ରମ କରିବ ନାହିଁ ।” (ଲେବୀ ୧୯:୧୫) ଠିକ୍‌ ସେହିପରି, ଯଦି ଜଣେ ବିଚାରକର୍ତ୍ତା କେବଳ ଭିଡ଼କୁ ଖୁସି କରିବା ପାଇଁ ଜଣେ ଧନୀ ବ୍ୟକ୍ତିର ବିରୁଦ୍ଧରେ ବିଚାର କରନ୍ତା, ତେବେ ଏହା ଅନ୍ୟାୟ ହୁଅନ୍ତା ।—ଯାତ୍ରା ୨୩:୨, ୩.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୧୬.୧୦-ହି ପୃ ୯ ¶୪

“ଅଚିହ୍ନା ଲୋକଙ୍କ ଉପରେ କୃପା କରିବାକୁ ଭୁଲନ୍ତୁ ନାହିଁ ”

୪ ଯିହୋବା ଚାହିଁଥିଲେ ଇସ୍ରାଏଲୀୟମାନଙ୍କୁ ଆଦେଶ ଦେଇପାରିଥାʼନ୍ତେ ଯେ ସେମାନେ ବିଦେଶୀମାନଙ୍କର ଆଦର କରନ୍ତୁ, କିନ୍ତୁ ସେ ଏପରି କଲେ ନାହିଁ । ଏହା ପରିବର୍ତ୍ତେ, ସେ ଚାହୁଁଥିଲେ ଯେ ଇସ୍ରାଏଲୀୟମାନେ ମଧ୍ୟ ଦିନେ ବିଦେଶୀ ଥିଲେ ବୋଲି ସେମାନେ ମନେ ରଖନ୍ତୁ । (ଯାତ୍ରା ପୁସ୍ତକ ୨୩:୯ ପଢ଼ନ୍ତୁ ।) ଯେତେବେଳେ ସେମାନେ ମିଶରରେ ଦାସତ୍ୱରେ ମଧ୍ୟ ନ ଥିଲେ, ସେତେବେଳଠାରୁ ସେଠାକାର ଲୋକେ ସେମାନଙ୍କୁ ଘୃଣା କରୁଥିଲେ, କାରଣ ଇସ୍ରାଏଲୀୟମାନେ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ । (ଆଦି. ୪୩:୩୨; ୪୬:୩୪; ଯାତ୍ରା. ୧:୧୧-୧୪) ଏହା ସତ ଯେ ଇସ୍ରାଏଲୀୟମାନଙ୍କୁ ବିଦେଶୀ ଭାବେ ଜୀବନଯାପନ କରିବାକୁ ପଡ଼ିଲା ଏବଂ ଅନେକ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା, ତଥାପି ଯିହୋବା ଚାହୁଁଥିଲେ ଯେ ସେମାନେ ବିଦେଶୀମାନଙ୍କ ଉପରେ କୃପା କରନ୍ତୁ ।—ଲେବୀ. ୧୯:୩୩, ୩୪.

ଇନସାଇଟ୍‌-୨ ପୃ ୩୯୩

ମୀଖାୟେଲ

୧. ବାଇବଲରେ ଗାବ୍ରିଏଲଙ୍କ ଛଡ଼ା ଆଉ ଜଣେ ସ୍ୱର୍ଗଦୂତଙ୍କ ନାମ ଦିଆଯାଇଛି । ସେ ହେଉଛନ୍ତି ମୀଖାୟେଲ । ଏହି ସ୍ୱର୍ଗଦୂତଙ୍କୁ “ପ୍ରଧାନ ଦୂତ” ମଧ୍ୟ କୁହାଯାଇଛି । (ଯିହୂ ୯) ଦାନିୟେଲ ବହିର ଦଶମ ଅଧ୍ୟାୟରେ ଏହି ନାମ ପ୍ରଥମ ଥର ଆସେ । ସେଠାରେ କୁହାଯାଇଛି ଯେ ମୀଖାୟେଲ “ପ୍ରଧାନ ଅଧିପତିମାନଙ୍କ ମଧ୍ୟରୁ” ଜଣେ ଅଟନ୍ତି । ଯେତେବେଳେ “ପାରସ୍ୟ ରାଜ୍ୟର ଅଧିପତି” ଯିହୋବାଙ୍କ ଏକ ସ୍ୱର୍ଗଦୂତଙ୍କୁ ବିରୋଧ କରୁଥିଲେ, ସେତେବେଳେ ମୀଖାୟେଲ ସେହି ସ୍ୱର୍ଗଦୂତଙ୍କୁ ସାହାଯ୍ୟ କଲେ । ମୀଖାୟେଲଙ୍କୁ “ମହାନ ଅଧିପତି” ମଧ୍ୟ କୁହାଯାଇଛି, ଯିଏ “[ଦାନିୟେଲଙ୍କ] ଲୋକଙ୍କ ସନ୍ତାନଗଣର ସାହାଯ୍ୟକାରୀ” ଭାବେ “ଠିଆ” ହୁଅନ୍ତେ । (ଦାନି ୧୦:୧୩, ୨୦, ୨୧; ୧୨:୧) ଏଥିରୁ ସ୍ପଷ୍ଟ ହୋଇଯାଏ ଯେ ମୀଖାୟେଲ ହିଁ ସେହି ସ୍ୱର୍ଗଦୂତ ଥିଲେ, ଯିଏ ଇସ୍ରାଏଲୀୟମାନଙ୍କୁ ପ୍ରାନ୍ତରରୁ ବାହାରି ଆସିବାରେ ସାହାଯ୍ୟ କଲେ । (ଯାତ୍ରା ୨୩:୨୦, ୨୧, ୨୩; ୩୨:୩୪; ୩୩:୨) ଆମେ ଏପରି ଏଥିପାଇଁ ମଧ୍ୟ କହିପାରିବା, କାରଣ “ପ୍ରଧାନ ଦୂତ ମୀଖାୟେଲ ମୋଶାଙ୍କ ଶବ ବିଷୟରେ ଶୟତାନ ସହିତ ବାଦାନୁବାଦ” କରିଥିଲେ ।—ଯିହୂ ୯.

୧୪-୨୦ ସେପ୍ଟେମ୍ବର

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୨୫-୨୬

“ପବିତ୍ର ତମ୍ବୁରେ ସିନ୍ଦୁକର ଭୂମିକା”

ଇନସାଇଟ୍‌-୧ ପୃ ୧୬୫

ନିୟମ-ସିନ୍ଦୁକ

ଢାଞ୍ଚା ଓ ନିର୍ମାଣ ଶୈଳୀ— ଯେତେବେଳେ ଯିହୋବା ମୋଶାଙ୍କୁ ପବିତ୍ର ତମ୍ବୁ ନିର୍ମାଣ କରିବା ବିଷୟରେ ପରାମର୍ଶ ଦେଉଥିଲେ, ସେ ସର୍ବପ୍ରଥମେ ତାଙ୍କୁ କହିଲେ ଯେ ନିୟମ-ସିନ୍ଦୁକ କିପରି ନିର୍ମାଣ କରିବାକୁ ହେବ । କାରଣ ପବିତ୍ର ତମ୍ବୁ ଓ ସମଗ୍ର ଇସ୍ରାଏଲର ଛାଉଣିରେ ନିୟମ-ସିନ୍ଦୁକର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା । ସିନ୍ଦୁକର ଲମ୍ବ ଅଢ଼େଇ ହାତ, ଚଉଡ଼ା ଦେଢ଼ ହାତ ଓ ଉଚ୍ଚତା ଦେଢ଼ ହାତ ଥିଲା (ପ୍ରାୟ ୩.୫ ଫୁଟ ଲମ୍ବା, ୨.୨ ଫୁଟ ଚଉଡ଼ା ଓ ୨.୨ ଫୁଟ ଉଚ୍ଚ) । ଏହା ଶିଟୀମ୍‌ କାଠରେ ନିର୍ମାଣ କରାଯାଇଥିଲା ଏବଂ ସେଥିର ବାହାର ଓ ଭିତର ଶୁଦ୍ଧ ସୁନାରେ ମଡ଼ା ଯାଇଥିଲା । ଏହାର “ଚତୁର୍ଦ୍ଦିଗରେ ସ୍ୱର୍ଣ୍ଣର କାନ୍ଥି” ବା ଧାର ନିର୍ମିତ ହୋଇଥିଲା । କିନ୍ତୁ ସିନ୍ଦୁକର ଢାଙ୍କୁଣି କାଠର ନ ଥିଲା ବରଂ ଶୁଦ୍ଧ ସୁନାରେ ନିର୍ମିତ ହୋଇଥିଲା । ଢାଙ୍କୁଣିର ଲମ୍ବ ଓ ଚଉଡ଼ା, ସିନ୍ଦୁକର ଲମ୍ବ ଓ ଚଉଡ଼ା ସହ ସମାନ ଥିଲା । ସିନ୍ଦୁକର ଢାଙ୍କୁଣିର ଉଭୟ ମୁଣ୍ଡରେ ସୁନାର ଦୁଇଟି କିରୂବ ନିର୍ମିତ କରାଯାଇଥିଲା । ଦୁଇ କିରୂବ ପରସ୍ପର ଆଡ଼କୁ ମୁହଁ କରିଥିଲେ ଏବଂ ସେମାନଙ୍କ ମୁହଁ ତଳକୁ ଢାଙ୍କୁଣି ଆଡ଼କୁ ନଇଁ ଥିଲା । ଉଭୟଙ୍କର ଡେଣା ଉପର ଆଡ଼କୁ ବିସ୍ତାରିତ ହୋଇଥିଲା ଏବଂ ସିନ୍ଦୁକର ଢାଙ୍କୁଣିକୁ ଢାଙ୍କିଥିଲା । (ଯାତ୍ରା ୨୫:୧୦, ୧୧, ୧୭-୨୨; ୩୭:୬-୯) ଏହି ଢାଙ୍କୁଣିକୁ “ପାପାଚ୍ଛାଦନ” ମଧ୍ୟ କୁହାଯାଉଥିଲା ।—ଏବ୍ରୀ ୯:୫.

ପ୍ର୦୬-ହି ୪/୧୫ ପୃ ୩୦ ¶୪

କʼଣ ଆପଣଙ୍କ ମନେ ଅଛି ?

• ନିୟମ-ସିନ୍ଦୁକରେ କʼଣ କʼଣ ରଖାଯାଇଥିଲା ?

ଏଥିରେ ଦଶ ଆଜ୍ଞା ଲେଖାଥିବା ପଥରର ଦୁଇଟି ଫଳକ ଓ ମାନ୍ନା ରଖାଯାଇଥିଲା । ଏହା ସହିତ, କୋରହର ବିଦ୍ରୋହ ପରେ ହାରୋଣଙ୍କ ଯଷ୍ଟି ବା ବାଡ଼ିକୁ ମଧ୍ୟ ଏଥିରେ ରଖାଯାଇଥିଲା, ଯାହା କୋରହର ପିଢ଼ି ପାଇଁ ଚେତାବନୀର ଚିହ୍ନ ହୁଅନ୍ତା । (ଏବ୍ରୀ ୯:୪) ଶଲୋମନଙ୍କ ମନ୍ଦିର ସମର୍ପଣ ପୂର୍ବରୁ ସେହି ଯଷ୍ଟି ଓ ମାନ୍ନାକୁ ହୁଏତ ସିନ୍ଦୁକରୁ ବାହାର କରି ଦିଆଯାଇଥିଲା ।

ପ୍ର୯୬-ହି ୭/୧ ପୃ ୯ ¶୬

“ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ”

ବାଇବଲ କହେ, “ଯେ ପରାତ୍ପର, ସେ ହସ୍ତ ନିର୍ମିତ ଗୃହରେ ବାସ କରନ୍ତି ନାହିଁ ।” (ପ୍ରେରିତ ୭:୪୮) ତଥାପି ଈଶ୍ୱରଙ୍କ ଉପସ୍ଥିତି ମହାପବିତ୍ର ସ୍ଥାନ ନାମକ ସବୁଠାରୁ ଭିତର ଭାଗରେ ଏକ ମେଘ ଦ୍ୱାରା ଚିତ୍ରିତ ହେଉଥିଲା । (ଲେବୀ ପୁସ୍ତକ ୧୬:୨) ଏହି ମେଘର ଚମକରେ ମହାପବିତ୍ର ସ୍ଥାନ ଆଲୋକିତ ହେଉଥିଲା । ଏହା ପବିତ୍ର ସିନ୍ଦୁକର ଉପରେ ରହୁଥିଲା, ଯାହାକୁ “ସାକ୍ଷ୍ୟସିନ୍ଦୁକ” କୁହାଯାଉଥିଲା । ଏହି ସିନ୍ଦୁକରେ ପଥରର ଦୁଇ ଫଳକ ଥିଲା, ଯେଉଁଥିରେ ଈଶ୍ୱରଙ୍କ ତରଫରୁ ଇସ୍ରାଏଲୀୟମାନଙ୍କୁ ଦିଆଯାଇଥିବା କିଛି ଆଜ୍ଞା ଖୋଦିତ ଥିଲା । ସିନ୍ଦୁକର ଢାଙ୍କୁଣି ଉପରେ ନିଜ ଡେଣାକୁ ବିସ୍ତାରିତ କରିଥିବା ସୁନାର ଦୁଇଟି କିରୂବ ଥିଲେ, ଯେଉଁମାନେ ଈଶ୍ୱରଙ୍କ ସ୍ୱର୍ଗୀୟ ସଂଗଠନରେ ଉଚ୍ଚ ପଦର ସ୍ୱର୍ଗଦୂତମାନଙ୍କୁ ସୂଚିତ କରୁଥିଲେ । ଆଲୋକ ଦେଉଥିବା ଏହି ଐଶ୍ୱରିକ ମେଘ ଢାଙ୍କୁଣି ଉପରେ ଏବଂ କିରୂବମାନଙ୍କ ମଧ୍ୟରେ ରହୁଥିଲା (ଯାତ୍ରା ପୁସ୍ତକ ୨୫:୨୨) ଏହି ମେଘ ସର୍ବଶକ୍ତିମାନ ଈଶ୍ୱରଙ୍କୁ ଦର୍ଶାଉଥିଲା, ଯିଏ କିରୂବମାନଙ୍କ ଦ୍ୱାରା ସୂଚିତ କରୁଥିବା ଏକ ଲାକ୍ଷଣିକ ସ୍ୱର୍ଗୀୟ ରଥରେ ବିରାଜମାନ ଥିଲେ । (୧ ବଂଶାବଳୀ ୨୮:୧୮) ଏଥିପାଇଁ ରାଜା ହିଜକୀୟ ପ୍ରାର୍ଥନା କରିବା ସମୟରେ ଯିହୋବାଙ୍କୁ “ହେ କିରୂବଗଣ ଉପରେ ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର” ବୋଲି ସମ୍ବୋଧନ କଲେ ।—ଯିଶାଇୟ ୩୭:୧୬.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଇନସାଇଟ୍‌-୧ ପୃ ୪୩୨ ¶୧

କିରୂବ

ସିନ୍ଦୁକର ଢାଙ୍କୁଣିର ଦୁଇ ମୁଣ୍ଡରେ ସୁନାର ନିର୍ମିତ ଦୁଇଟି କିରୂବ ଥିଲେ । ଦୁଇ କିରୂବ ପରସ୍ପର ଆଡ଼କୁ ମୁହଁ କରିଥିଲେ ଏବଂ ସେମାନଙ୍କ ମୁହଁ ଢାଙ୍କୁଣି ଆଡ଼କୁ ନଇଁ ରହିଥିଲା, ସତେ ଯେପରି ସେମାନେ ଯିହୋବାଙ୍କ ଉପାସନା କରୁଛନ୍ତି । ସେମାନଙ୍କ ଦୁଇ ଡେଣା ଉପର ଆଡ଼କୁ ବିସ୍ତାର ହୋଇ ରହିଥିଲା ଏବଂ ସିନ୍ଦୁକର ଢାଙ୍କୁଣିକୁ ଢାଙ୍କି ରହିଥିଲା, ସତେ ଯେପରି ସେମାନେ ତାର ରକ୍ଷା କରୁଛନ୍ତି । (ଯାତ୍ରା ୨୫:୧୦-୨୧; ୩୭:୭-୯) ଏହା ଛଡ଼ା, ପବିତ୍ର ତମ୍ବୁକୁ ଢାଙ୍କିବା ପାଇଁ ଭିତର ଆଡ଼ୁ ଯବନିକା ବା କପଡ଼ା ଲଗାଯାଇଥିଲା ଏବଂ ପବିତ୍ର ଓ ମହାପବିତ୍ର ସ୍ଥାନ ମଧ୍ୟରେ ଯେଉଁ ପରଦା ଥିଲା, ସେଥିରେ ହାତର କାରୁକାର୍ଯ୍ୟରେ ତିଆରି ଦୁଇଟି କିରୂବ ନିର୍ମିତ କରାଯାଇଥିଲା ।—ଯାତ୍ରା ୨୬:୧, ୩୧; ୩୬:୮, ୩୫.

ଇନସାଇଟ୍‌-୨ ପୃ ୯୩୬

ଦର୍ଶନୀୟ ରୋଟୀ

ପବିତ୍ର ତମ୍ବୁ ଓ ଆଗକୁ ଯାଇ ମନ୍ଦିରର ପବିତ୍ର ସ୍ଥାନର ମେଜ ଉପରେ ୧୨ଟି ରୋଟୀ ରଖାଯାଉଥିଲା । ପ୍ରତ୍ୟେକ ବିଶ୍ରାମବାର ଦିନ ଏହାକୁ ହଟାଇ ତାଜା ରୋଟୀ ରଖାଯାଉଥିଲା । (ଯାତ୍ରା ୩୫:୧୩; ୩୯:୩୬; ୧ରାଜା ୭:୪୮; ୨ବଂଶା ୧୩:୧୧; ନିହି ୧୦:୩୨, ୩୩) ଯେଉଁ ଏବ୍ରୀ ଶବ୍ଦର ଅନୁବାଦ “ଦର୍ଶନୀୟ ରୋଟୀ” କରାଯାଇଛି, ତାର ଅର୍ଥ ହେଉଛି “ଚେହେରାର ରୋଟୀ” । “ଚେହେରା” ଶବ୍ଦ ବେଳେ ବେଳେ ଉପସ୍ଥିତିକୁ ଦର୍ଶାଏ । ଏହି କାରଣରୁ ଦର୍ଶନୀୟ ରୋଟୀ ସର୍ବଦା ସତେ ଯେପରି ଯିହୋବାଙ୍କ ଚେହେରା ସାମନାରେ ଉପହାର ଭାବେ ରହୁଥିଲା । (ଯାତ୍ରା ୨୫:୩୦) ଏହାକୁ “ରୋଟୀର ଥାକ” (୨ବଂଶା ୨:୪, NW) ଓ “ଦର୍ଶନୀରୋଟୀ” ମଧ୍ୟ କୁହାଯାଉଥିଲା ।—ମାର୍କ ୨:୨୬; ଏବ୍ରୀ ୯:୨.

୨୧-୨୭ ସେପ୍ଟେମ୍ବର

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୨୭-୨୮

“ଯାଜକମାନଙ୍କ ପୋଷାକରୁ ଆମେ କʼଣ ଶିଖୁ ?”

ଇନସାଇଟ୍‌-୨ ପୃ ୧୧୪୩

ଉରୀମ୍‌ ଓ ତୁମ୍ମୀମ୍‌

ବାଇବଲ ଉପରେ ଟିପ୍ପଣୀ କରୁଥିବା ଅନେକ ଲୋକେ କହନ୍ତି ଯେ ଉରୀମ୍‌ ଓ ତୁମ୍ମୀମ୍‌ ପ୍ରକୃତରେ ଗୁଲିବାଣ୍ଟର ଗୋଟି ଥିଲା । ଜେମ୍‌ସ ମୋଫେଟଙ୍କ ଅନୁବାଦରେ, ଯାତ୍ରା ପୁସ୍ତକ ୨୮:୩୦ ପଦରେ ଏଗୁଡ଼ିକୁ “ଗୁଲିବାଣ୍ଟର ପବିତ୍ର ଗୋଟି” ବୋଲି କୁହାଯାଇଛି । କିଛି ଲୋକ ବିଶ୍ୱାସ କରନ୍ତି ଯେ ଏଗୁଡ଼ିକ ତିନୋଟି ଗୋଟି ଥିଲା । ଗୋଟିଏ ଉପରେ “ହଁ ” ଲେଖାଥିଲା, ଦ୍ୱିତୀୟ ଉପରେ “ନା” ଏବଂ ତୃତୀୟରେ କିଛି ଲେଖା ହୋଇ ନ ଥିଲା । କୌଣସି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଏହି ଗୋଟିଗୁଡ଼ିକ ସାହାଯ୍ୟରେ ଗୁଲିବାଣ୍ଟ କରାଯାଉଥିଲା । ଯେଉଁ ଗୋଟିଟିକୁ ବାହାର କରାଯାଉଥିଲା, ତାହା ହିଁ ସେହି ପ୍ରଶ୍ନର ଉତ୍ତର ବୋଲି ଧରାଯାଉଥିଲା । ଆଉ, ଯଦି କିଛି ଲେଖା ହୋଇ ନ ଥିବା ଗୋଟି ବାହାରୁଥିଲା, ତେବେ ଏହାର ଉତ୍ତର ଥିଲା, କୌଣସି ଉତ୍ତର ମିଳି ନାହିଁ । ଆଉ କିଛି ଲୋକେ ବିଶ୍ୱାସ କରୁଥିଲେ ଯେ ଉରୀମ୍‌ ଓ ତୁମ୍ମୀମ୍‌ ଦୁଇଟି ଚେପ୍ଟା ପଥର ଥିଲା । ଏହି ପଥରର ଗୋଟିଏ ପଟ ଧଳା ଥିଲା ଓ ଅନ୍ୟ ପଟ କଳା । ଏଗୁଡ଼ିକୁ ଉପରକୁ ଫିଙ୍ଗିଲେ ତଳେ ପଡ଼ିବା ପରେ ଯଦି ଦୁଇଟିଯାକ ପଥରର ଧଳା ଭାଗ ଉପର ପଟେ ଆସନ୍ତା, ତେବେ ଏହାର ଅର୍ଥ “ହଁ ” ହେଉଥିଲା ଏବଂ ଯଦି କଳା ଭାଗ ଉପର ପଟେ ଆସନ୍ତା, ତେବେ ଏହାର ଅର୍ଥ “ନା” ହେଉଥିଲା । ଯଦି ଗୋଟିଏ ପଥରର କଳା ଭାଗ ଓ ଅନ୍ୟ ପଥରର ଧଳା ଭାଗ ଉପର ପଟେ ଆସନ୍ତା, ତେବେ ଏହାର ଅର୍ଥ ହେଉଥିଲା କୌଣସି ଉତ୍ତର ମିଳି ନାହିଁ । ଥରେ ଶାଉଲ ଯାଜକଙ୍କ ଜରିଆରେ ଯିହୋବାଙ୍କୁ ପଚାରିଲେ ଯେ କʼଣ ସେ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କରିବା ଉଚିତ୍‌ ନା ନୁହେଁ । କିନ୍ତୁ ତାଙ୍କୁ କୌଣସି ଉତ୍ତର ମିଳିଲା ନାହିଁ । ଏହାପରେ ଶାଉଲଙ୍କୁ ଲାଗିଲା ଯେ ତାଙ୍କର କୌଣସି ଲୋକ ପାପ କରିଥିବ । ତେଣୁ ସେ ଯିହୋବାଙ୍କୁ କହିଲେ “ହେ ଇସ୍ରାଏଲର ଈଶ୍ୱର, ତୁମ୍ମୀମ୍‌ ଜରିଆରେ ଆମକୁ ଉତ୍ତର ଦିଅନ୍ତୁ  !” ତାʼପରେ ସମସ୍ତଙ୍କ ମଧ୍ୟରୁ ଶାଉଲ ଓ ଯୋନାଥନଙ୍କୁ ବଛାଗଲା ଏବଂ ଦୁହିଙ୍କ ମଧ୍ୟରୁ କିଏ ଦୋଷୀ ଜାଣିବା ପାଇଁ ଗୁଲିବାଣ୍ଟ କରାଗଲା । “ତୁମ୍ମୀମ୍‌ ଜରିଆରେ ଆମକୁ ଉତ୍ତର ଦିଅନ୍ତୁ,” ଏ ଶବ୍ଦଗୁଡ଼ିକରୁ ଜଣାପଡ଼େ ଯେ ଉରୀମ୍‌ ଓ ତୁମ୍ମୀମ୍‌ ହୁଏତ ଗୁଲିବାଣ୍ଟର ଗୋଟି ନ ଥିଲା, କିନ୍ତୁ ଏଗୁଡ଼ିକର ନିଶ୍ଚିତ ରୂପେ ଗୁଲିବାଣ୍ଟ ସହ ସମ୍ପର୍କ ଥିଲା ।—୧ଶାମୁ ୧୪:୩୬-୪୨, NW.

ଇନସାଇଟ୍‌-୧ ପୃ ୮୪୯ ¶୩

କପାଳ

ଇସ୍ରାଏଲର ମହାଯାଜକ— ଇସ୍ରାଏଲର ମହାଯାଜକଙ୍କ ପାଗ ବା ପଗଡ଼ି ଉପରେ ସାମନା ପଟରେ ସୁନାର ଏକ ପତ୍ର ବା ପଟି ବନ୍ଧା ହେଉଥିଲା, “ଯାହା ସମର୍ପଣର ପବିତ୍ର ଚିହ୍ନ ଥିଲା ।” ତାʼ ଉପରେ ଏହି ଶବ୍ଦଗୁଡ଼ିକୁ “ଖୋଦିତ କରି ଲେଖା” ଯାଇଥିଲା: “ଯିହୋବା ପବିତ୍ର ଅଟନ୍ତି ।” (ଯାତ୍ରା ୨୮:୩୬-୩୮; ୩୯:୩୦, NW) ମହାଯାଜକ ଯିହୋବାଙ୍କ ପ୍ରତିନିଧି ଥିଲେ ଏବଂ ଉପାସନା କରିବାରେ ଇସ୍ରାଏଲୀୟମାନଙ୍କର ନେତୃତ୍ୱ ନେଉଥିଲେ । ତେଣୁ ସେ ଯିହୋବାଙ୍କ ଦୃଷ୍ଟିରେ ଶୁଦ୍ଧ ହେବା ବହୁତ ଜରୁରୀ ଥିଲା । ଏହି ଶବ୍ଦ ଇସ୍ରାଏଲୀୟମାନଙ୍କୁ ମଧ୍ୟ ମନେ ପକାଇ ଦିଅନ୍ତା ଯେ ଯିହୋବାଙ୍କ ଉପାସକମାନେ ଶୁଦ୍ଧ ରହିବା ଉଚିତ୍‌ । ସୁନାର ପତ୍ର ବା ପଟି ଉପରେ ଖୋଦିତ କରି ଲେଖାଯାଇଥିବା ଏହି ଶବ୍ଦଗୁଡ଼ିକ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ମଧ୍ୟ ସଠିକ୍‌ ଭାବେ ଲାଗୁ ହୁଏ, ଯାହାଙ୍କୁ ଯିହୋବା ସବୁଠାରୁ ବଡ଼ ମହାଯାଜକ ଭାବେ ନିଯୁକ୍ତ କରିଛନ୍ତି ଏବଂ ଯିଏ ଯିହୋବାଙ୍କ ଭଳି ପବିତ୍ର ଅଟନ୍ତି ।—ଏବ୍ରୀ ୭:୨୬.

ପ୍ର୦୮-ହି ୮/୧୫ ପୃ ୧୫ ¶୧୭, ୧୮

ମର୍ଯ୍ୟାଦା ବଜାୟ ରଖି ଯିହୋବାଙ୍କର ଆଦର କରନ୍ତୁ

୧୭ ଆମେ ଉପାସନାରେ ଯିହୋବାଙ୍କର ଆଦର କରିବାରେ ବିଶେଷ ଧ୍ୟାନ ଦେବା ଉଚିତ୍‌ । ଉପଦେଶକ ୫:୧ ପଦ କହେ: “ତୁମ୍ଭେ ପରମେଶ୍ୱରଙ୍କ ଗୃହକୁ ଯିବା ବେଳେ ସାବଧାନରେ ଆପଣା ଚରଣ ରଖ ।” ମୋଶା ଓ ଯିହୋଶୂୟଙ୍କୁ ନିଜ ଜୋତା ଖୋଲିବା ପାଇଁ ଆଜ୍ଞା ଦିଆଯାଇଥିଲା, କାରଣ ସେମାନେ ପବିତ୍ର ଜାଗାରେ ଠିଆ ହୋଇଥିଲେ । (ଯାତ୍ରା. ୩:୫; ଯିହୋ. ୫:୧୫) ସେମାନଙ୍କ ଜୋତା ଖୋଲିବା ଶ୍ରଦ୍ଧା ଓ ଆଦରକୁ ସୂଚାଉଥିଲା । ଇସ୍ରାଏଲୀୟ ଯାଜକମାନଙ୍କଠାରୁ ଏହା ଆଶା କରାଯାଉଥିଲା ଯେ ସେମାନେ ନିଜ “ଶରୀରର ଉଲଙ୍ଗତା ଆଚ୍ଛାଦନ ନିମନ୍ତେ” ସୂକ୍ଷ୍ମ ସୂତାରେ ନିର୍ମିତ ଜଙ୍ଘିଆ ପିନ୍ଧିବା ଉଚିତ୍‌ । (ଯାତ୍ରା. ୨୮:୪୨, ୪୩) ସେମାନଙ୍କୁ ଏହି ଆଜ୍ଞା ଏଥିପାଇଁ ଦିଆଯାଇଥିଲା, କାରଣ ବେଦି ଉପରେ ବଳି ବା ଧୂପ ଚଢ଼ାଇବା ସମୟରେ ସେମାନଙ୍କ ଉଲଙ୍ଗତା ବା ନଗ୍ନତା ଦେଖା ନ ଯାଉ, ଯାହା ଯିହୋବାଙ୍କ ଦୃଷ୍ଟିରେ ଏକ ଘୃଣ୍ୟ କଥା ଥିଲା । କିନ୍ତୁ ଯାଜକମାନଙ୍କ ଛଡ଼ା ସେମାନଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମଧ୍ୟ ଈଶ୍ୱରଙ୍କ ମାନଦଣ୍ଡଗୁଡ଼ିକ ଅନୁଯାୟୀ ମର୍ଯ୍ୟାଦା ବଜାୟ ରଖିବାର ଥିଲା ।

୧୮ ଯିହୋବାଙ୍କ ଉପାସକ ଭାବେ ଆମେ ନିଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମର୍ଯ୍ୟାଦାରେ ରହିବା ଉଚିତ୍‌ । ଏପରି କରିବା ଦ୍ୱାରା ଏହା ବଦଳରେ ଆମକୁ ମଧ୍ୟ ଆଦର ଓ ସମ୍ମାନ ମିଳେ । ଆମେ ମର୍ଯ୍ୟାଦାରେ ରହିବାକୁ ଯେଉଁ ଚେଷ୍ଟା କରୁ, ତାହା ନାମକୁ ମାତ୍ର ଓ ଦେଖାଣିଆ ହେବା ଉଚିତ୍‌ ନୁହେଁ । ତାʼ ଛଡ଼ା ଏହା ଏକ ପୋଷାକ ଭଳି ହେବା ଉଚିତ୍‌ ନୁହେଁ, ଯାହାକୁ ଆମେ ଚାହିଁଲେ ପିନ୍ଧୁ ଓ ଚାହିଁଲେ ଖୋଲିଦେଉ । ଆମେ ମଣିଷମାନଙ୍କୁ ଦେଖାଇବା ପାଇଁ ନୁହେଁ, ବରଂ ଅନ୍ତଃକରଣ ବା ହୃଦୟକୁ ଯାଞ୍ଚ କରୁଥିବା ଆମ ଈଶ୍ୱରଙ୍କୁ ଖୁସି କରିବା ପାଇଁ ମର୍ଯ୍ୟାଦାରେ ରହିବାକୁ ଚେଷ୍ଟା କରୁ । (୧ଶାମୁ. ୧୬:୭ ହିତୋ. ୨୧:୨) ତେଣୁ ମର୍ଯ୍ୟାଦାରେ ରହିବା ଆମ ବ୍ୟକ୍ତିତ୍ୱର ଅଭିନ୍ନ ଭାଗ ହୋଇଯିବା ଉଚିତ୍‌ । ଆଉ, ଆମ ବ୍ୟବହାର, ଆମ ଚିନ୍ତାଧାରା, ଅନ୍ୟମାନଙ୍କ ସହିତ ଆମ ସମ୍ପର୍କ, ଏପରିକି ନିଜ ବିଷୟରେ ଆମ ଦୃଷ୍ଟିକୋଣରେ ମଧ୍ୟ ଦେଖାଯିବା ଉଚିତ୍‌ ଯେ ଆମେ ମର୍ଯ୍ୟାଦା ବଜାୟ ରଖୁଛୁ । ହଁ, ଆମ କଥା ଓ କାମଗୁଡ଼ିକରୁ ସବୁବେଳେ ଦେଖାଯିବା ଉଚିତ୍‌ ଯେ ଆମେ ମର୍ଯ୍ୟାଦାରେ ରହୁ । ସେଥିପାଇଁ ଯେତେବେଳେ ଆମ ଚାଲିଚଳନ, ବେଶଭୂଷା ଓ ସଜବାଜର କଥା ଆସେ, ଆମେ ପାଉଲଙ୍କ ଏହି ଶବ୍ଦଗୁଡ଼ିକୁ ମାନିଥାଉ: “ଆମର ସେବାକାର୍ଯ୍ୟ ଯେପରି ନିନ୍ଦିତ ନ ହୁଏ, ଏଥିପାଇଁ ଆମେ କାହାରି ପଥରେ ପ୍ରତିବନ୍ଧକ ରଖୁ ନାହୁଁ । ବରଞ୍ଚ ଈଶ୍ୱରଙ୍କ ସେବକ ରୂପେ ଏହି ସମସ୍ତ ଅବସ୍ଥାରେ ନିଜର ଯୋଗ୍ୟତା ପ୍ରତିପାଦନ କରୁଛୁ ।” (୨କରି ୬:୩, ୪, NIBV) ଆମେ “ସବୁ ବିଷୟରେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଶିକ୍ଷାର ଅଳଙ୍କାର ସ୍ୱରୂପ” ହେଉ ।—ତୀତ. ୨:୧୦.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୧୨-ଇଂ ୮/୧ ପୃ ୨୬ ¶୧-୩

କʼଣ ଆପଣ ଜାଣିଥିଲେ ?

ଇସ୍ରାଏଲର ମହାଯାଜକଙ୍କ ବୁକୁପଟାରେ ଯେଉଁ ରତ୍ନଗୁଡ଼ିକ ଥିଲା, ସେସବୁ ହୁଏତ କେଉଁଠୁ ଆସିଥିଲା ?

ଯେତେବେଳେ ଇସ୍ରାଏଲୀୟମାନେ ପ୍ରାନ୍ତରରେ ଥିଲେ, ସେତେବେଳେ ଯିହୋବା ସେମାନଙ୍କୁ ମହାଯାଜକଙ୍କ ବୁକୁପଟା (ଛାତି ଉପରେ ବନ୍ଧାଯାଉଥିବା ପଟା) ତିଆରି କରିବାକୁ କହିଥିଲେ । (ଯାତ୍ରା ପୁସ୍ତକ ୨୮:୧୫-୨୧) ବୁକୁପଟା ଉପରେ ଚୂଣୀ, ପୀତମଣି, ମରକତ, ପଦ୍ମରାଗ, ନୀଳକାନ୍ତ, ହୀରକ, ପେରୋଜ, ଯିସ୍ମ, କଟାହେଳା, ବୈଦୁର୍ଯ୍ୟ, ଗୋମେଦକ ଓ ସୂର୍ଯ୍ୟକାନ୍ତ ଖଞ୍ଜା ଯାଇଥିଲା । ଇସ୍ରାଏଲୀୟମାନଙ୍କୁ ଏହି ରତ୍ନ କେଉଁଠାରୁ ମିଳିଥିଲା ?

ପ୍ରାଚୀନ କାଳରେ ଲୋକେ ରତ୍ନଗୁଡ଼ିକୁ ବହୁମୂଲ୍ୟ ମନେ କରୁଥିଲେ ଏବଂ ସେଗୁଡ଼ିକର କିଣାବିକା କରୁଥିଲେ । ମିଶରୀୟ ଲୋକେ ଦୂର ଦୂରାନ୍ତ ଦେଶଗୁଡ଼ିକରୁ ରତ୍ନ କିଣୁଥିଲେ, ଯେପରି— ଇରାନ, ଆଫଗାନିସ୍ତାନ ଓ ହୁଏତ ଭାରତରୁ ମଧ୍ୟ । ମିଶରର ଖଣିଗୁଡ଼ିକରେ ମଧ୍ୟ ବିଭିନ୍ନ ପ୍ରକାରର ବହୁମୂଲ୍ୟ ରତ୍ନ ବାହାର କରାଯାଉଥିଲା । ଯେଉଁ ଅଞ୍ଚଳଗୁଡ଼ିକ ମିଶରର ରାଜାମାନଙ୍କର ଅଧୀନରେ ଥିଲା, ସେଠାକାର ଖଣିଗୁଡ଼ିକରୁ ମଧ୍ୟ ରତ୍ନ ବାହାର କରାଯାଉଥିଲା । ଆୟୁବ ମଧ୍ୟ କହିଲେ ଯେ ତାଙ୍କ ସମୟରେ ଲୋକେ ନୀଳକାନ୍ତ, ପିତମଣି ଓ ଅନ୍ୟାନ୍ୟ ରତ୍ନଗୁଡ଼ିକୁ ଖୋଜିବା ପାଇଁ ସୁଡ଼ଙ୍ଗ ଖୋଳୁଥିଲେ ।—ଆୟୁବ ୨୮:୧-୧୧, ୧୯.

ବାଇବଲରେ କୁହାଯାଇଛି ଯେ ମିଶରରୁ ବାହାରିବା ସମୟରେ ଇସ୍ରାଏଲୀୟମାନେ ସତେ ଯେପରି “ମିସ୍ରୀୟମାନଙ୍କ ଧନ ହରଣ” କରିଥିଲେ । (ଯାତ୍ରା ପୁସ୍ତକ ୧୨:୩୫, ୩୬) ତେଣୁ ମହାଯାଜକଙ୍କ ବୁକୁପଟାରେ ଯେଉଁ ରତ୍ନଗୁଡ଼ିକ ଥିଲା, ସେଗୁଡ଼ିକ ହୁଏତ ମିଶରରୁ ଅଣାଯାଇଥିଲା ।

ଇନସାଇଟ୍‌-୧ ପୃ ୧୧୩୦ ¶୨

ପବିତ୍ରତା

ପଶୁ ଓ ଫସଲ— ପ୍ରଥମଜାତ ବଳଦ, ପ୍ରଥମଜାତ ଅଣ୍ଡିରା ମେଷ ଓ ଛେଳି ଯିହୋବାଙ୍କ ପାଇଁ ପବିତ୍ର ମନେ କରାଯାଉଥିଲା ଏବଂ ଇସ୍ରାଏଲୀୟମାନେ ସେହି ପଶୁମାନଙ୍କୁ ମୁକ୍ତ କରିବାର ନ ଥିଲା । ସେଗୁଡ଼ିକୁ ଯିହୋବାଙ୍କୁ ଅର୍ପଣ କରାଯାଉଥିଲା ଏବଂ ବଳିଦାନର କିଛି ଭାଗ ଯାଜକମାନଙ୍କୁ ଦିଆଯାଉଥିଲା । (ଗଣ ୧୮:୧୭-୧୯) ଫସଲର ପ୍ରଥମ ଉତ୍ପାଦ, ଦଶମାଂଶ ଓ ପବିତ୍ର ସ୍ଥାନରେ ଅର୍ପଣ କରାଯାଇଥିବା ସବୁ ବଳିଦାନ ଓ ଉପହାର ପବିତ୍ର ଥିଲା । ସେଗୁଡ଼ିକ ଯିହୋବାଙ୍କ ପାଇଁ ଅଲଗା ରଖାଯାଉଥିଲା । (ଯାତ୍ରା ୨୮:୩୮) ଏହି ସମସ୍ତ ପବିତ୍ର ଜିନିଷଗୁଡ଼ିକୁ ଯିହୋବାଙ୍କ ସେବା ଛଡ଼ା ଅନ୍ୟ କୌଣସି କାମରେ ବ୍ୟବହାର କରିବାର ନ ଥିଲା । ମନେ କରନ୍ତୁ, ଜଣେ ବ୍ୟକ୍ତି ନିଜ ଗହମ ଫସଲର ଦଶମାଂଶ ଯିହୋବାଙ୍କ ପାଇଁ ଅଲଗା ରଖେ । କିନ୍ତୁ ପରେ, ସେ କିମ୍ବା ତାʼ ଘରର କୌଣସି ବ୍ୟକ୍ତି ଅଜାଣତରେ ସେଥିରୁ କିଛି ଖାଦ୍ୟ ତିଆରି କରିବା ପାଇଁ ନେଇଯାଏ । ଏହିପରି ଭାବେ ସେ ପବିତ୍ର ଜିନିଷଗୁଡ଼ିକ ବିଷୟରେ ଈଶ୍ୱରଙ୍କ ବ୍ୟବସ୍ଥାର ଉଲ୍ଲଙ୍ଘନ କରନ୍ତା । ଏପରି କ୍ଷେତ୍ରରେ ତାକୁ ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦେବାକୁ ହୁଅନ୍ତା । କ୍ଷତିପୂରଣରେ ତାକୁ ସେହି ଜିନିଷଗୁଡ଼ିକର ମୂଲ୍ୟ ଓ ସେହି ମୂଲ୍ୟର ଶତକଡ଼ା ୨୦ ଭାଗ ଯୋଡ଼ି ଶୁଝିବାକୁ ପଡ଼ନ୍ତା । ଏହା ଛଡ଼ା, ତାକୁ ଏପରି ଏକ ମେଷର ବଳି ଚଢ଼ାଇବାର ଥିଲା, ଯେଉଁଥିରେ କୌଣସି ଦୋଷ ବା ତ୍ରୁଟି ନ ଥିବ । ଏହିପରି ଭାବେ, ଯେଉଁ ଜିନିଷଗୁଡ଼ିକ ପବିତ୍ର ଥିଲା ଏବଂ ଯିହୋବାଙ୍କ ପାଇଁ ଅଲଗା କରାଯାଉଥିଲା, ସେଗୁଡ଼ିକର ବହୁତ ଆଦର କରାଯିବାର ଥିଲା ।—ଲେବୀ ୫:୧୪-୧୬.

୨୮ ସେପ୍ଟେମ୍ବର–୪ ଅକ୍ଟୋବର

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୨୯-୩୦

“ଯିହୋବାଙ୍କ କାମ ପାଇଁ ଦାନ”

ଇନସାଇଟ୍‌-୨ ପୃ ୭୬୪-୭୬୫

ଗଣନା

ସୀନୟ ପ୍ରାନ୍ତରରେ— ଇସ୍ରାଏଲୀୟମାନେ ମିଶରରୁ ବାହାରିବାର ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସରେ ଯିହୋବା ସୀନୟ ପ୍ରାନ୍ତରରେ ମୋଶାଙ୍କୁ କହିଲେ ଯେ ସେ ଇସ୍ରାଏଲୀୟମାନଙ୍କର ଗଣନା କରନ୍ତୁ । ଏହି କାମରେ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକ ଗୋତ୍ରରୁ ଜଣେ ପୁରୁଷଙ୍କୁ ବଛାଗଲା, ଯିଏ ନିଜ ଗୋତ୍ରର ଗଣନା କରିବାର ଦାୟିତ୍ୱ ନିଅନ୍ତା । ଏପରି ସମସ୍ତ ପୁରୁଷଙ୍କ ନାମ ଲେଖାଗଲା, ଯେଉଁମାନଙ୍କ ବୟସ ୨୦ ବର୍ଷ କିମ୍ବା ତାʼଠାରୁ ଅଧିକ ଥିଲା ଏବଂ ଯେଉଁମାନେ ଇସ୍ରାଏଲର ସୈନ୍ୟବାହିନୀରେ ସେବା କରିବାର ଯୋଗ୍ୟ ଥିଲେ । ଯେଉଁମାନଙ୍କର ନାମ ଲେଖାଗଲା ସେମାନଙ୍କୁ ପବିତ୍ର ତମ୍ବୁରେ ସେବା କରିବା ପାଇଁ ଅଧା ଶେକଲ (ପ୍ରାୟ ୮୩ ଟଙ୍କା) ଦାନ କରିବାର ଥିଲା । (ଯାତ୍ରା ୩୦:୧୧-୧୬; ଗଣ ୧:୧-୧୬, ୧୮, ୧୯) ସେମାନଙ୍କ ସର୍ବମୋଟ ସଂଖ୍ୟା ୬,୦୩,୫୫୦ ଥିଲା । ଏହି ଗଣନାରେ ଲେବୀୟମାନେ ସାମିଲ୍‌ ନ ଥିଲେ, କାରଣ ସେମାନଙ୍କ ଗୋତ୍ରକୁ ଉତ୍ତରାଧିକାରୀ ଭାବେ କୌଣସି ଜମି ଦିଆଯାʼନ୍ତା ନାହିଁ । ଲେବୀୟମାନଙ୍କୁ ପବିତ୍ର ତମ୍ବୁରେ କରାଯାଉଥିବା ସେବା ପାଇଁ ଦାନ କରିବା କିମ୍ବା ସୈନ୍ୟବାହିନୀରେ ଭର୍ତ୍ତି ହେବା ଆବଶ୍ୟକ ନ ଥିଲା ।—ଗଣ ୧:୪୪-୪୭; ୨:୩୨, ୩୩; ୧୮:୨୦, ୨୪.

ଇନସାଇଟ୍‌-୧ ପୃ ୫୦୨

ଦାନ

ବ୍ୟବସ୍ଥା ଅନୁସାରେ ଇସ୍ରାଏଲୀୟମାନଙ୍କୁ କିଛି କ୍ଷେତ୍ରରେ ଦାନ ଦେବା ଜରୁରୀ ଥିଲା । ଯେତେବେଳେ ମୋଶା ଇସ୍ରାଏଲୀୟମାନଙ୍କର ଗଣନା କଲେ, ସେତେବେଳେ ଯେଉଁମାନଙ୍କ ବୟସ ୨୦ ବର୍ଷ କିମ୍ବା ତାʼଠାରୁ ଅଧିକ ଥିଲା, ସେମାନଙ୍କୁ “ନିଜ ପ୍ରାଣର ମୁକ୍ତିର ମୂଲ୍ୟ” ଦେବାର ଥିଲା । ଏହି ମୂଲ୍ୟ “ପବିତ୍ର ସ୍ଥାନର ଶେକଲ ଅନୁସାରେ ଅର୍ଦ୍ଧ ଶେକଲ” (ପ୍ରାୟ ୮୩ ଟଙ୍କା) ଦେବାର ଥିଲା । ଏହା ସେମାନଙ୍କ ମୁକ୍ତିର ମୂଲ୍ୟ ପାଇଁ ଏବଂ ସମାଗମ-ତମ୍ବୁରେ କରାଯାଉଥିବା ସେବା ପାଇଁ “ପ୍ରଭୁଙ୍କ ପ୍ରାପ୍ୟ ଅର୍ଥ-ନୈବେଦ୍ୟ” ହୁଅନ୍ତା । (ଯାତ୍ରା ୩୦:୧୧-୧୬, NIBV) ଯିହୁଦୀ ଐତିହାସିକ ଯୋଷେଫସଙ୍କ ଅନୁସାରେ, ଆଗକୁ ଯାଇ “ପବିତ୍ର କର” ପ୍ରତିବର୍ଷ ଦିଆଯିବାକୁ ଲାଗିଲା ।—୨ବଂଶା ୨୪:୬-୧୦; ମାଥି ୧୭:୨୪, NW.

ପ୍ର୧୧-ଇଂ ୧୧/୧ ପୃ ୧୨ ¶୧-୨

କʼଣ ଆପଣ ଜାଣିଥିଲେ ?

ଯିରୂଶାଲମରେ ଯିହୋବାଙ୍କ ମନ୍ଦିରରେ କରାଯାଉଥିବା ଖର୍ଚ୍ଚ ପାଇଁ ଅର୍ଥ କେଉଁଠୁ ଆସୁଥିଲା ?

ମନ୍ଦିରରେ କରାଯାଉଥିବା ସେବାର ଖର୍ଚ୍ଚ ପୂରଣ କରିବା ପାଇଁ ଇସ୍ରାଏଲୀୟମାନଙ୍କୁ କର ଦେବାକୁ ହେଉଥିଲା । ଇସ୍ରାଏଲୀୟମାନଙ୍କୁ ନିଜ ଆୟର ଦଶମାଂଶ ତ ଦେବାର ହିଁ ଥିଲା, କିନ୍ତୁ ଏହା ଛଡ଼ା ସେମାନେ ଆହୁରି ଅନେକ ପ୍ରକାରର କର ଦେଉଥିଲେ । ଯେପରି, ଯେତେବେଳେ ପବିତ୍ର ତମ୍ବୁ ତିଆରି କରାଯାଉଥିଲା, ସେତେବେଳେ ଯିହୋବା ମୋଶାଙ୍କୁ କହିଲେ ଯେ ପ୍ରତ୍ୟେକ ଇସ୍ରାଏଲୀୟ ଯାହାଙ୍କ ନାମ ଲେଖାଯାଇଛି, ଅଧା ଶେକଲ ରୂପା “ସଦାପ୍ରଭୁଙ୍କ ପ୍ରାପ୍ୟ ଉପହାର” ଦିଅନ୍ତୁ ।—ଯାତ୍ରା ପୁସ୍ତକ ୩୦:୧୨-୧୬.

ଆଗକୁ ଯାଇ ଏହା ଯିହୁଦୀମାନଙ୍କ ଏକ ପ୍ରଥା ହୋଇଗଲା । ସେମାନେ ପ୍ରତିବର୍ଷ ଅଧା ଶେକଲ ରୂପା ମନ୍ଦିରର କର ଭାବେ ଦେଉଥିଲେ । ଯେତେବେଳେ ଯୀଶୁ ପିତରଙ୍କୁ କହିଲେ ଯେ ସେ ମାଛର ମୁହଁରୁ ମୁଦ୍ରା ବାହାର କରି କର ଦିଅନ୍ତୁ, ସେତେବେଳେ ସେ ଏହି କର ବିଷୟରେ କହୁଥିଲେ ।—ମାଥିଉ ୧୭:୨୪-୨୭.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଇନସାଇଟ୍‌-୧ ପୃ ୧୦୨୯ ¶୪

ହସ୍ତ

ହସ୍ତର ନିର୍ଭର ଦେବା— ଜଣେ ବ୍ୟକ୍ତି କିମ୍ବା କୌଣସି ଜିନିଷ ଉପରେ ହାତ ରଖିବାର ଅନେକ ଅର୍ଥ ରହୁଥିଲା । ଯେପରି, ତାକୁ କୌଣସି ବିଶେଷ କାମ ପାଇଁ ବାଛିବା, ଆଶୀର୍ବାଦ ଦେବା, ସୁସ୍ଥ କରିବା କିମ୍ବା ପବିତ୍ର ଶକ୍ତିର କୌଣସି ବରଦାନ ଦେବା । ବେଳେ ବେଳେ ପଶୁମାନଙ୍କର ବଳି ଚଢ଼ାଇବା ପୂର୍ବରୁ ସେଗୁଡ଼ିକ ଉପରେ ମଧ୍ୟ ହାତ ରଖାଯାଉଥିଲା । ଯେତେବେଳେ ହାରୋଣ ଓ ତାଙ୍କ ପୁତ୍ରମାନଙ୍କୁ ଯାଜକପଦ ଦିଆଯାଉଥିଲା, ସେତେବେଳେ ସେମାନେ ନିଜ ହାତ ଏକ ବଳଦ ଓ ଦୁଇଟି ମେଷର ମୁଣ୍ଡ ଉପରେ ରଖିଲେ । ଏପରି କରି ସେମାନେ ଦେଖାଇଥିଲେ ଯେ ସେହି ପଶୁଗୁଡ଼ିକ ବଳି ଚଢ଼ାଇବା ପାଇଁ ଥିଲେ । ଏହା ପରେ ଯାଇ ସେମାନେ ଯିହୋବା ଈଶ୍ୱରଙ୍କ ସେବା ପାଇଁ ଯାଜକ ଭାବେ ସେବା କରିପାରୁଥିଲେ । (ଯାତ୍ରା ୨୯:୧୦, ୧୫, ୧୯; ଲେବୀ ୮:୧୪, ୧୮, ୨୨) ଯେତେବେଳେ ଯିହୋବା ମୋଶାଙ୍କୁ କହିଲେ ଯେ ସେ ଯିହୋଶୂୟଙ୍କୁ ଇସ୍ରାଏଲୀୟମାନଙ୍କର ନେତୃତ୍ୱ ନେବା ପାଇଁ ବାଛନ୍ତୁ, ସେତେବେଳେ ମୋଶା ଯିହୋଶୂୟଙ୍କ ଉପରେ ହାତ ରଖିଲେ । ଏଥିରେ ସେ “ଜ୍ଞାନଦାୟକ ଆତ୍ମାରେ ପରିପୂର୍ଣ୍ଣ” ହେଲେ, ଅର୍ଥାତ୍‌ ଈଶ୍ୱରଙ୍କ ଶକ୍ତିରୁ ମିଳୁଥିବା ବୁଦ୍ଧିରେ ଭରିଗଲେ ଏବଂ ଆଗକୁ ଯାଇ ଏହି ଦାୟିତ୍ୱ ଭଲ ଭାବେ ତୁଲାଇପାରିଲେ । (ଦ୍‌ୱିବି ୩୪:୯) କାହାରିକୁ ଆଶୀର୍ବାଦ ଦେବା ସମୟରେ ମଧ୍ୟ ତାʼ ଉପରେ ହାତ ରଖାଯାଉଥିଲା । (ଆଦି ୪୮:୧୪; ମାର୍କ ୧୦:୧୬) ଯୀଶୁ ଖ୍ରୀଷ୍ଟ ଲୋକମାନଙ୍କୁ ସୁସ୍ଥ କରିବା ପାଇଁ ସେମାନଙ୍କୁ ଛୁଇଁଲେ କିମ୍ବା ସେମାନଙ୍କ ଉପରେ ହାତ ରଖିଲେ । (ମାଥି ୮:୩; ମାର୍କ ୬:୫; ଲୂକ ୧୩:୧୩) କିଛି ଘଟଣାରେ ପ୍ରେରିତମାନେ ପବିତ୍ର ଶକ୍ତିର ବରଦାନ ଦେବା ପାଇଁ ଲୋକମାନଙ୍କ ଉପରେ ହାତ ରଖିଲେ ।—ପ୍ରେରି ୮:୧୪-୨୦; ୧୯:୬.

ଇନସାଇଟ୍‌-୧ ପୃ ୧୧୪ ¶୧

ଅଭିଷିକ୍ତ, ଅଭିଷେକ

ଯିହୋବା ମୋଶାଙ୍କୁ ଯେଉଁ ନିୟମ ଦେଇଥିଲେ, ସେଥିରେ ସେ ପବିତ୍ର ତେଲ ତିଆରି କରିବାର ପ୍ରଣାଳୀ କହିଥିଲେ । ଏହାକୁ ଉତ୍ତମ ସୁଗନ୍ଧିତ ଜିନିଷଗୁଡ଼ିକରୁ ତିଆରି କରାଯାଉଥିଲା, ଯେପରି— ଗନ୍ଧରସ, ଦାରୁଚିନି, ବଚ, ଗୁଡ଼ତ୍ୱକ ଓ ଜୀତର ତେଲ । (ଯାତ୍ରା ୩୦:୨୨-୨୫) ଯେତେବେଳେ ଯିହୋବା ଜଣେ ବ୍ୟକ୍ତିଙ୍କୁ କୌଣସି ବିଶେଷ କାମ ପାଇଁ ବାଛୁଥିଲେ, ସେତେବେଳେ ଯାଇ ପବିତ୍ର ତେଲ ବ୍ୟବହାର କରାଯାଉଥିଲା । ଯଦି କେହି ଏହି ମିଶ୍ରଣର ତେଲ ତିଆରି କରନ୍ତା ଏବଂ ଏପରି କୌଣସି ବ୍ୟକ୍ତି ଉପରେ ଲଗାନ୍ତା ଯାହା ଉପରେ ଲଗାଇବାର ଅନୁମତି ନାହିଁ, ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯାʼନ୍ତା ।—ଯାତ୍ରା ୩୦:୩୧-୩୩.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ