-
ଜଣେ ନୂଆ ମୁଖିଆ ଏବଂ ଦୁଇ ଜଣ ସାହସୀ ସ୍ତ୍ରୀବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
-
-
ପାଠ ୩୨
ଜଣେ ନୂଆ ମୁଖିଆ ଏବଂ ଦୁଇ ଜଣ ସାହସୀ ସ୍ତ୍ରୀ
ଯିହୋଶୂୟ ଅନେକ ବର୍ଷ ଯାଏ ଯିହୋବାଙ୍କ ଲୋକମାନଙ୍କ ନେତୃତ୍ୱ ନେଉଥିଲେ । ତାʼପରେ ୧୧୦ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଗଲା । ଯେବେ ଯାଏ ସେ ଜୀବିତ ଥିଲେ ଇସ୍ରାଏଲୀୟ ଯିହୋବାଙ୍କ ଉପାସନା କରୁଥିଲେ । କିନ୍ତୁ ତାଙ୍କ ମୃତ୍ୟୁ ପରେ ସେମାନେ କିଣାନୀୟ ଲୋକଙ୍କ ଭଳି ମୂର୍ତ୍ତିପୂଜା କରିବାକୁ ଲାଗିଲେ । ଇସ୍ରାଏଲୀୟମାନେ ଯିହୋବାଙ୍କ କଥା ମାନିବା ଛାଡ଼ିଦେଲେ । ତେଣୁ ଯେବେ କିଣାନର ଜଣେ ରାଜା ଯାବୀନ୍ ସେମାନଙ୍କ ବଞ୍ଚିବା କଷ୍ଟ କରିଦେଲା ତେବେ ଯିହୋବା ତାକୁ ରୋକିଲେ ନାହିଁ । ସେସମୟରେ ଲୋକମାନେ ସାହାଯ୍ୟ ପାଇଁ ଯିହୋବାଙ୍କୁ ବହୁତ ବିନତି କଲେ । ଯିହୋବା ସେମାନଙ୍କ ପାଇଁ ଜଣେ ନୂଆ ମୁଖିଆ ନିଯୁକ୍ତ କଲେ । ତାଙ୍କ ନାମ ବାରକ୍ ଥିଲା । ବାରକ୍ ଲୋକମାନଙ୍କୁ ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ ସାହାଯ୍ୟ କଲେ ।
ଦବୋରା ନାମକ ଜଣେ ଭବିଷ୍ୟଦ୍ବକ୍ତ୍ରୀ ବାରକ୍ଙ୍କୁ ଡକାଇଲେ । ସେ ବାରକ୍ଙ୍କୁ ଯିହୋବାଙ୍କ ଏହି ସନ୍ଦେଶ ଦେଲେ, ‘ନିଜ ସହ ୧୦,୦୦୦ ଲୋକଙ୍କୁ ନେଇ କୀଶୋନ୍ ନଦୀ ପାଖକୁ ଯାଅ ଏବଂ ସେଠାରେ ଯାବୀନ୍ର ସେନା ସହିତ ଲଢ଼ । ସେଠାରେ ତମେ ଯାବୀନ୍ର ସେନାପତି ସୀଷରାକୁ ପରାସ୍ତ କରିଦେବ ।’ ବାରକ୍ ଦବୋରାଙ୍କୁ କହନ୍ତି, ‘ତମେ ଯେବେ ମୋ ସହିତ ଯିବ ତେବେ ମୁଁ ଯିବି ।’ ଦବୋରା କହନ୍ତି, ‘ମୁଁ ତମ ସହିତ ଯିବି । କିନ୍ତୁ ଜାଣିଥାଅ ଯେ ସୀଷରାକୁ ତମେ ମାରିବ ନାହିଁ । ଯିହୋବା କହିଛନ୍ତି ଯେ ଜଣେ ସ୍ତ୍ରୀ ତାକୁ ମାରିବ ।’
ଦବୋରା, ବାରକ୍ ଓ ତାଙ୍କ ସେନା ସହ ତାବୋର ପାହାଡ଼କୁ ଗଲେ, ଯାହାଦ୍ୱାରା ଯୁଦ୍ଧର ପ୍ରସ୍ତୁତି କରିପାରିବେ । ସୀଷରାକୁ ଏହି ଖବର ମିଳିବା ମାତ୍ରେ ସେ ନିଜ ଯୁଦ୍ଧରଥଗୁଡ଼ିକୁ ଏବଂ ସେନାକୁ ତଳ ଘାଟିରେ ଏକାଠି କଲା । ଦବୋରା ବାରକ୍ଙ୍କୁ କହିଲେ, ‘ଆଜି ଯିହୋବା ତମକୁ ଜୟ ହାସଲ କରାଇବେ ।’ ବାରକ୍ ଓ ତାଙ୍କ ୧୦,୦୦୦ ଜଣ ଲୋକ ପାହାଡ଼ ତଳକୁ ଓହ୍ଲାଇଲେ, ଯାହାଦ୍ୱାରା ସୀଷରାର ବଡ଼ ସେନା ସହ ଲଢ଼ିପାରିବେ ।
ତାʼପରେ ଯିହୋବା କୀଶୋନ୍ ନଦୀରେ ବନ୍ୟା ଆଣିଲେ । ସୀଷରାର ଯୁଦ୍ଧରଥ କାଦୁଅରେ ଫସିଗଲା । ସୀଷରା ନିଜ ରଥ ଛାଡ଼ି ପଳାଇବାକୁ ଲାଗିଲା । ବାରକ୍ ଓ ତାଙ୍କ ସୈନିକମାନେ ସୀଷରାର ସେନାକୁ ପରାସ୍ତ କରିଦେଲେ, କିନ୍ତୁ ସୀଷରା ଜୀବନ ରକ୍ଷା କରି ପଳାଇଲା ! ସେ ଯାଇ ଯାୟେଲ ନାମକ ଜଣେ ସ୍ତ୍ରୀର ତମ୍ବୁରେ ଲୁଚିଗଲା । ଯାୟେଲ ତାକୁ ପିଇବା ପାଇଁ କ୍ଷୀର ଦେଲେ ଏବଂ ତାକୁ କମ୍ବଳ ଘୋଡ଼ାଇ ଦେଲେ । ସୀଷରା ବହୁତ ଥକି ଯାଇଥିଲା, ତେଣୁ ସେ ଶୋଇଗଲା । ପରେ ଯାୟେଲ ଚୁପ୍ଚାପ୍ ତାʼ ପାଖକୁ ଗଲେ ଏବଂ ସେ ତମ୍ବୁରେ ଲାଗିଥିବା ଲୁହା କଣ୍ଟାକୁ ତାʼ ମୁଣ୍ଡରେ ପିଟିଲେ । ଆଉ ସେ ମରିଗଲା ।
ବାରକ୍, ସୀଷରାକୁ ଖୋଜି ଖୋଜି ତମ୍ବୁ ପାଖକୁ ଆସିଲେ । ଯାୟେଲ ତମ୍ବୁରୁ ବାହାରି କହିଲେ, ‘ଭିତରକୁ ଆସ । ଯେଉଁ ବ୍ୟକ୍ତିକୁ ତମେ ଖୋଜୁଛ ସେ ଏଠାରେ ଅଛି ।’ ଯେବେ ବାରକ୍ ଭିତରକୁ ଗଲେ ସେ ଦେଖିଲେ ଯେ ସୀଷରାର ମୃତ୍ୟୁ ହୋଇଯାଇଛି । ବାରକ୍ ଓ ଦବୋରା ଯିହୋବାଙ୍କ ପ୍ରଶଂସାରେ ଗୋଟିଏ ଗୀତ ଗାଇଲେ କାରଣ ସେ ଇସ୍ରାଲୀୟମାନଙ୍କୁ ଶତ୍ରୁମାନଙ୍କଠାରୁ ଜୟ ହାସଲ କରାଇଲେ । ପରବର୍ତ୍ତୀ ୪୦ ବର୍ଷ ଯାଏ ଇସ୍ରାଏଲ ଦେଶରେ ଶାନ୍ତି ରହିଲା ।
‘ଖୁସିଖବର ଶୁଣାଉଥିବା ସ୍ତ୍ରୀଗଣ ମହାବାହିନୀ ଅଟନ୍ତି ।’—ଗୀତସଂହିତା ୬୮:୧୧
-
-
ରୂତ ଓ ନୟମୀବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
-
-
ପାଠ ୩୩
ରୂତ ଓ ନୟମୀ
ଥରେ ଇସ୍ରାଏଲରେ ଯେବେ ଦୁର୍ଭିକ୍ଷ ପଡ଼ିଲା ତେବେ ନୟମୀ ନାମକ ଜଣେ ଇସ୍ରାଏଲୀୟ ସ୍ତ୍ରୀ ନିଜ ସ୍ୱାମୀ ଓ ଦୁଇ ପୁଅଙ୍କ ସହିତ ମୋୟାବ ଦେଶକୁ ଯିବା ପାଇଁ ବାହାରି ଗଲେ । ପରେ ନୟମୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା । ତାଙ୍କ ପୁଅମାନେ ମୋୟାବୀୟ ମହିଳାମାନଙ୍କୁ ବିବାହ କଲେ । ଜଣକର ନାମ ରୂତ ଥିଲା ଏବଂ ଅନ୍ୟ ଜଣକ ନାମ ଅର୍ପା । କିନ୍ତୁ ଦୁଃଖର କଥା ଯେ କିଛି ସମୟ ପରେ ନୟମୀଙ୍କ ପୁଅମାନଙ୍କ ମଧ୍ୟ ମୃତ୍ୟୁ ହୋଇଗଲା ।
ଯେବେ ନୟମୀ ଶୁଣିଲେ ଯେ ଇସ୍ରାଏଲରେ ଏବେ ଦୁର୍ଭିକ୍ଷ ନାହିଁ ତେବେ ସେ ନିଜ ଦେଶକୁ ଫେରି ଯିବା ପାଇଁ ନିଷ୍ପତ୍ତି ନିଅନ୍ତି । ରୂତ ଓ ଅର୍ପା ତାଙ୍କ ସହିତ ବାହାରି ପଡ଼ନ୍ତି । କିନ୍ତୁ ରାସ୍ତାରେ ନୟମୀ ସେମାନଙ୍କୁ କହନ୍ତି, ‘ତମେ ଦୁହେଁ ସ୍ତ୍ରୀ ଓ ବୋହୂର ଦାୟିତ୍ୱ ଭଲ ଭାବରେ ତୁଲାଇଛ । ଏବେ ମୁଁ ଚାହେଁ ଯେ ତମେ ଦୁହେଁ ପୁଣିଥରେ ବିବାହ କର । ତେଣୁ ତମେ ମୋୟାବ ନିଜ ଘରକୁ ଫେରି ଯାଅ ।’ କିନ୍ତୁ ସେମାନେ କହିଲେ, ‘ଆମେ ତମକୁ ପ୍ରେମ କରୁ । ଆମେ ତମକୁ ଛାଡ଼ି ଯିବା ପାଇଁ ଚାହୁଁନୁ ।’ ନୟମୀ ସେମାନଙ୍କୁ ବାରମ୍ବାର ଯିବା ପାଇଁ କହିଲେ । ଶେଷରେ ଅର୍ପା ନିଜ ଘରକୁ ଫେରିଗଲେ, କିନ୍ତୁ ରୂତ ଗଲେ ନାହିଁ । ନୟମୀ ତାଙ୍କୁ କହିଲେ, ‘ଅର୍ପା ନିଜ ଲୋକମାନଙ୍କ ଏବଂ ନିଜ ଦେବତାମାନଙ୍କ ପାଖକୁ ଫେରି ଯାଉଛି । ତମେ ମଧ୍ୟ ତାʼ ସହିତ ନିଜ ମାଁ ଘରକୁ ଫେରି ଯାଅ ।’ କିନ୍ତୁ ରୂତ କହିଲେ, ‘ମୁଁ ତୁମକୁ ଛାଡ଼ି ଯିବି ନାହିଁ । ତମ ଲୋକ ହିଁ ମୋର ଲୋକ ଓ ତମ ଈଶ୍ୱର ହିଁ ମୋର ଈଶ୍ୱର ହେବେ ।’ ଆପଣଙ୍କୁ କʼଣ ଲାଗେ, ରୂତଙ୍କ ଏହି କଥା ଶୁଣି ନୟମୀଙ୍କୁ କିପରି ଲାଗିଥିବ ?
ଯେବେ ରୂତ ଓ ନୟମୀ ଇସ୍ରାଏଲକୁ ପହଞ୍ଚିଲେ ସେ ଯାଏ ଯବ କଟା ଆରମ୍ଭ ହୋଇଯାଇଥିଲା । ଦିନେ ରୂତ ବୋୟଜ ନାମକ ଜଣେ ବ୍ୟକ୍ତିର କ୍ଷେତରେ ବଳିଥିବା ଶସ୍ୟ ଗୋଟାଇବାକୁ ଗଲେ । ବୋୟଜ, ରାହାବଙ୍କ ପୁଅ ଥିଲେ । ବୋୟଜ ଶୁଣିଲେ ଯେ ରୂତ ଜଣେ ମୋୟାବୀୟ ମହିଳା ଅଟନ୍ତି ଏବଂ ସେ ନୟମୀଙ୍କୁ ଛାଡ଼ିଲେ ନାହିଁ । ବୋୟଜ କ୍ଷେତରେ କାମ କରୁଥିବା ଲୋକମାନଙ୍କୁ କ୍ଷେତରେ ଅଧିକ ଶସ୍ୟ ଛାଡ଼ି ଦେବା ପାଇଁ କହନ୍ତି ଯାହାଦ୍ୱାରା ରୂତ ସେସବୁ ଶସ୍ୟକୁ ଗୋଟାଇପାରିବେ ।
ସନ୍ଧ୍ୟାରେ ନୟମୀ ରୂତଙ୍କୁ ପଚାରନ୍ତି, ‘ତମେ ଆଜି କାହା କ୍ଷେତରେ କାମ କଲ ?’ ରୂତ କହନ୍ତି, ‘ବୋୟଜ ନାମକ ଜଣେ ବ୍ୟକ୍ତିଙ୍କ କ୍ଷେତରେ ।’ ନୟମୀ କହିଲେ, ‘ସେ ମୋ ସ୍ୱାମୀଙ୍କ ସମ୍ପର୍କୀୟ ଅଟନ୍ତି । ତମେ ଅନ୍ୟ ଯୁବା ମହିଳାମାନଙ୍କ ସହ ସେହି କ୍ଷେତରେ କାମ କରିବ । ସେଠାରେ ତମେ ସୁରକ୍ଷିତ ଥିବ ।’
ରୂତ ଯବ କଟା ଶେଷ ହେବା ଯାଏ ବୋୟଜର କ୍ଷେତରେ ହିଁ କାମ କଲେ । ବୋୟଜ ଦେଖିଲେ ଯେ ରୂତ ବହୁତ ପରିଶ୍ରମୀ ଏବଂ ଜଣେ ଭଲ ମହିଳା ଅଟନ୍ତି । ସେସମୟରେ ଯଦି ଜଣେ ପୁରୁଷର ମୃତ୍ୟୁ ହୋଇଯାଏ ଏବଂ ତାʼର କୌଣସି ପୁଅ ନ ଥାଏ, ତେବେ ତାଙ୍କ ଜଣେ ସମ୍ପର୍କୀୟ ସେହି ବିଧବାକୁ ବିବାହ କରନ୍ତି । ତେଣୁ ବୋୟଜ ରୂତଙ୍କୁ ବିବାହ କଲେ । ସେମାନଙ୍କ ଜଣେ ପୁଅ ହେଲା ଯାହାର ନାମ ଓବେଦ୍ ଥିଲା । ଓବେଦ୍ ଆଗକୁ ଯାଇ ରାଜା ଦାଉଦଙ୍କ ଜେଜେବାପା ହେଲେ । ନୟମୀଙ୍କ ସାହି ପଡ଼ିଶାର ସ୍ତ୍ରୀମାନେ ବହୁତ ଖୁସି ହେଲେ । ସେମାନେ କହିଲେ, ‘ଯିହୋବା ପ୍ରଥମେ ତମକୁ ରୂତ ଦେଲେ ଯିଏ ସବୁବେଳେ ତମ ମଙ୍ଗଳ କଲେ ଏବଂ ଏବେ ସେ ତମକୁ ଜଣେ ନାତି ଦେଇଛନ୍ତି । ଯିହୋବାଙ୍କ ପ୍ରଶଂସା ହେଉ ।’
“ଜଣେ ପ୍ରେମକାରୀ ଅଛନ୍ତି, ଯେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରହନ୍ତି ।”—ହିତୋପଦେଶ ୧୮:୨୪
-