ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ଦାଉଦ ଓ ଗଲୀୟାତ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
    • ଦାଉଦ ଛାଟିଣୀରେ ପଥର ରଖି ଗଲୀୟାତ ଆଡ଼କୁ ଫିଙ୍ଗୁଛନ୍ତି

      ପାଠ ୪୦

      ଦାଉଦ ଓ ଗଲୀୟାତ

      ଯିହୋବା ଶାମୁୟେଲଙ୍କୁ କହିଲେ, ‘ଯିଶୀଙ୍କ ଘରକୁ ଯାଅ । ତାଙ୍କ ପୁଅମାନଙ୍କ ମଧ୍ୟରୁ ଜଣେ ଇସ୍ରାଏଲର ପରବର୍ତ୍ତୀ ରାଜା ହେବେ ।’ ତେଣୁ ଶାମୁୟେଲ ଯିଶୀଙ୍କ ଘରକୁ ଗଲେ । ଯେବେ ସେ ଯିଶୀଙ୍କ ସବୁଠୁ ବଡ଼ ପୁଅକୁ ଦେଖିଲେ ତେବେ ସେ ଭାବିଲେ, ‘ଯିହୋବା ନିଶ୍ଚୟ ଏହି ଯୁବାକୁ ନିଯୁକ୍ତ କରିଥିବେ ।’ କିନ୍ତୁ ଯିହୋବା କହିଲେ ଯେ ସେ ତାକୁ ନିଯୁକ୍ତ କରି ନାହାନ୍ତି । ଯିହୋବା କହିଲେ, ‘ମୁଁ ମଣିଷର ରୂପରଙ୍ଗକୁ ଦେଖେ ନାହିଁ, ବରଂ ତାଙ୍କ ହୃଦୟକୁ ଦେଖେ ।’

      ଶାମୁୟେଲ ଦାଉଦଙ୍କ ଅଭିଷେକ କରୁଛନ୍ତି

      ଯିଶୀ ତାଙ୍କ ଆଉ ଛଅ ଜଣ ପୁଅମାନଙ୍କୁ ଶାମୁୟେଲଙ୍କ ପାଖକୁ ଆଣିଲେ । କିନ୍ତୁ ଶାମୁୟେଲ କହିଲେ, ‘ଯିହୋବା ଏମାନଙ୍କ ମଧ୍ୟରୁ କାହାରିକୁ ନିଯୁକ୍ତ କରି ନାହାନ୍ତି । କʼଣ ଆପଣଙ୍କର ଆଉ ପୁଅ ନାହାନ୍ତି ?’ ଯିଶୀ କହିଲେ, ‘ମୋର ଆଉ ଜଣେ ପୁଅ ଅଛି । ତାʼର ନାମ ଦାଉଦ । ସେ ମେଣ୍ଢା ଚରାଇବା ପାଇଁ ଯାଇଛି ।’ ଯେବେ ଦାଉଦ ଘରକୁ ଆସିଲେ ତେବେ ଯିହୋବା ଶାମୁୟେଲଙ୍କୁ କହିଲେ, ‘ମୁଁ ଏହାକୁ ନିଯୁକ୍ତ କରିଛି !’ ଶାମୁୟେଲ ଦାଉଦଙ୍କ ମୁଣ୍ଡରେ ତେଲ ଢାଳି ଇସ୍ରାଏଲର ରାଜା ଭାବେ ତାଙ୍କୁ ଅଭିଷେକ କଲେ ।

      ଗଲୀୟାତ

      କିଛି ସମୟ ମଧ୍ୟରେ ଇସ୍ରାଏଲୀୟମାନଙ୍କ ଓ ପଲେଷ୍ଟୀୟମାନଙ୍କ ମଧ୍ୟରେ ଯୁଦ୍ଧ ହେବାକୁ ଯାଉଥିଲା । ପଲେଷ୍ଟୀୟମାନଙ୍କ ଜଣେ ସୈନିକ ବହୁତ ଲମ୍ବା ଚଉଡ଼ା ଥିଲା । ତାʼର ନାମ ଗଲୀୟାତ ଥିଲା । ସେ ପ୍ରତିଦିନ ଇସ୍ରାଏଲୀୟମାନଙ୍କ ଥଟ୍ଟା କରୁଥିଲା । ସେ ଜୋର୍‌ ପାଟି କରି କହୁଥିଲା, ‘ମୋ ସହିତ ଲଢ଼ିବା ପାଇଁ ଜଣେ ବ୍ୟକ୍ତିକୁ ପଠାଅ । ଯଦି ସେ ଜିତିବ ତାହେଲେ ଆମେ ତମମାନଙ୍କ ଦାସ ହୋଇଯିବୁ । କିନ୍ତୁ ଯଦି ମୁଁ ଜିତିବି ତାହେଲେ ତମେମାନେ ଆମ ଦାସ ହୋଇଯିବ ।’

      ଦାଉଦଙ୍କ ଭାଇମାନେ ସୈନିକ ଥିଲେ । ସେ ସେମାନଙ୍କ ପାଇଁ ଖାଇବା ନେଇ ଇସ୍ରାଏଲୀୟମାନଙ୍କ ଛାଉଣିକୁ ଗଲେ । ସେ ଗଲୀୟାତର କଥା ଶୁଣି କହିଲେ, ‘ମୁଁ ତାʼ ସହ ଲଢ଼ିବି ।’ ରାଜା ଶାଉଲ କହିଲେ, ‘କିନ୍ତୁ ତମେ ଜଣେ ଛୋଟ ପିଲାଟିଏ ।’ ଦାଉଦ କହିଲେ, ‘ଯିହୋବା ମୋତେ ସାହାଯ୍ୟ କରିବେ ।’

      ଶାଉଲ ନିଜ କପଡ଼ା ଓ ହତିଆର ଦାଉଦଙ୍କୁ ଦେଲେ, କିନ୍ତୁ ଦାଉଦ କହିଲେ, ‘ମୁଁ ଏସବୁ ନେଇ ଲଢ଼ିପାରିବି ନାହିଁ ।’ ଦାଉଦ ନିଜ ଛାଟିଣୀ ନେଲେ ଏବଂ ନଦୀ ପାଖକୁ ଗଲେ । ସେଠାରୁ ସେ ପାଞ୍ଚୋଟି ଚିକ୍କଣ ପଥର ନେଇ ନିଜ ଥଳିରେ ରଖିଲେ । ତାʼପରେ ସେ ଗଲୀୟାତ ପାଖକୁ ଗଲେ । ଗଲୀୟାତ ଜୋର୍‌ରେ କହିଲା, ‘ମୋ ପାଖକୁ ଆ, ମୁଁ ତୋତେ ମାରି ତୋ ମାଂସ ଚଢ଼େଇ ଓ ବନ୍ୟପଶୁମାନଙ୍କୁ ଖୁଆଇ ଦେବି ।’ କିନ୍ତୁ ଦାଉଦ ଡରିଲେ ନାହିଁ । ସେ ମଧ୍ୟ ଜୋର୍‌ରେ କହିଲେ, ‘ତୁ ଗୋଟିଏ ଖଣ୍ଡା ଓ ବର୍ଚ୍ଛା ନେଇ ଆସିଛୁ, କିନ୍ତୁ ମୁଁ ଯିହୋବାଙ୍କ ନାମରେ ଆସିଛି । ତୁ ଆମ ସହିତ ନୁହେଁ ଈଶ୍ୱରଙ୍କ ସହିତ ଲଢ଼ୁଛୁ । ଏଠାରେ ସମସ୍ତେ ଦେଖିବେ ଯେ ଖଣ୍ଡା କିମ୍ବା ବର୍ଚ୍ଛା ଅପେକ୍ଷା ଯିହୋବା ଅଧିକ ଶକ୍ତିଶାଳୀ ଅଟନ୍ତି । ସେ ତମମାନଙ୍କୁ ଆମ ହାତରେ କରି ଦେଇଛନ୍ତି ।’

      ଦାଉଦ ନିଜ ଛାଟିଣୀରେ ଗୋଟିଏ ପଥର ରଖିଲେ ଏବଂ ତାହା ବୁଲାଇ ଜୋର୍‌ରେ ଫିଙ୍ଗିଲେ । ପଥର ସିଧା ଯାଇ ଗଲୀୟାତର କପାଳରେ ବାଜିଲା ଏବଂ ଭିତରକୁ ପଶିଗଲା । ଏହା ପଛରେ ଯିହୋବାଙ୍କ ହାତ ଥିଲା । ସେ ବ୍ୟକ୍ତି ମରି ତଳେ ଜମିରେ ପଡ଼ିଗଲା । ସେସମୟରେ ପଲେଷ୍ଟୀୟ ନିଜ ଜୀବନ ରକ୍ଷା କରି ପଳାଇଗଲେ । କʼଣ ଆପଣ ଦାଉଦଙ୍କ ଭଳି ଯିହୋବାଙ୍କ ଉପରେ ଭରସା ରଖନ୍ତି ?

      “ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ନୁହେଁ; କାରଣ ଈଶ୍ୱରଙ୍କର ସମସ୍ତ ସାଧ୍ୟ ।”—ମାର୍କ ୧୦:୨୭

      ପ୍ରଶ୍ନ: ଯିହୋବା କାହାକୁ ଇସ୍ରାଏଲର ପରବର୍ତ୍ତୀ ରାଜା ବାଛିଲେ ? ଦାଉଦ ଗଲୀୟାତକୁ କିପରି ପରାସ୍ତ କଲେ ?

      ୧ ଶାମୁୟେଲ ୧୬:୧-୧୩; ୧୭:୧-୫୪

  • ଦାଉଦ ଓ ଶାଉଲ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
    • ଦାଉଦ ଜୋର୍‌ ପାଟି କରି ଶାଉଲଙ୍କ ଛାଉଣିର ଲୋକଙ୍କ ସହ କଥା ହେଉଛନ୍ତି

      ପାଠ ୪୧

      ଦାଉଦ ଓ ଶାଉଲ

      ଯେବେ ଦାଉଦ ଗଲୀୟାତକୁ ମାରିଦେଲେ ତେବେ ରାଜା ଶାଉଲ ତାଙ୍କୁ ନିଜ ସେନାପତି କରିନେଲେ । ଦାଉଦ ଅନେକ ଯୁଦ୍ଧ ଜିତିଲେ ଏବଂ ସେ ବହୁତ ପ୍ରସିଦ୍ଧ ହୋଇଗଲେ । ଯେବେ ବି ସେ ଯୁଦ୍ଧ ଜିତିଲା ପରେ ଘରକୁ ଫେରୁଥିଲେ, ସ୍ତ୍ରୀ ଲୋକମାନେ ଖୁସିରେ ନାଚୁଥିଲେ ଏବଂ ଏହି ଗୀତ ଗାଉଥିଲେ, “ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ ।” ଶାଉଲ ଦାଉଦଙ୍କୁ ଈର୍ଷା କରିବାକୁ ଲାଗିଲେ ଏବଂ ତାଙ୍କୁ ମାରିଦେବା ପାଇଁ ଚାହୁଁଥିଲେ ।

      ଦାଉଦ ବୀଣା ନାମକ ଗୋଟିଏ ବାଦ୍ୟଯନ୍ତ୍ର ବହୁତ ଭଲଭାବେ ବଜାଉଥିଲେ । ଦିନେ ଯେବେ ସେ ଶାଉଲଙ୍କ ପାଇଁ ବୀଣା ବଜାଉଥିଲେ ତେବେ ଶାଉଲ ନିଜ ବର୍ଚ୍ଛା ଜୋର୍‌ରେ ତାଙ୍କ ଆଡ଼କୁ ଫିଙ୍ଗିଲେ । ଦାଉଦ ତୁରନ୍ତ ହଟିଗଲେ ଓ ବର୍ଚ୍ଛା କାନ୍ଥରେ ଯାଇ ବାଜିଲା । ଏହାପରେ ମଧ୍ୟ ଶାଉଲ ଦାଉଦଙ୍କୁ ମାରିବା ପାଇଁ ଅନେକ ଥର ଚେଷ୍ଟା କଲେ । ଶେଷରେ ଦାଉଦ ପଳାଇଗଲେ ଏବଂ ପ୍ରାନ୍ତରରେ ଲୁଚି ରହିବାକୁ ଲାଗିଲେ ।

      ଶାଉଲ ଶୋଇଛନ୍ତି ଏବଂ ଦାଉଦ ତାଙ୍କ ବର୍ଚ୍ଛା ନେଉଛନ୍ତି

      ଶାଉଲ ୩,୦୦୦ ସୈନିକ ସହ ଦାଉଦଙ୍କୁ ଖୋଜିବା ପାଇଁ ବାହାରି ପଡ଼ିଲେ । ଥରେ ଏପରି ହେଲା ଯେ ସେ ସେହି ଗୁମ୍ଫାକୁ ଗଲେ ଯେଉଁଠି ଦାଉଦ ଓ ତାଙ୍କ ଲୋକମାନେ ଲୁଚିଥିଲେ । ଦାଉଦଙ୍କ ଲୋକମାନେ ତାଙ୍କୁ ଫୁସ୍‌ ଫୁସ୍‌ କରି କହିଲେ, ‘ଶାଉଲଙ୍କୁ ମାରିବାର ଏହା ହିଁ ସୁଯୋଗ ।’ ଦାଉଦ ଲୁଚି ଶାଉଲଙ୍କ ପାଖକୁ ଗଲେ ଏବଂ ତାଙ୍କ କପଡ଼ାର ଖଣ୍ତ କାଟି ନେଲେ । ଶାଉଲଙ୍କୁ ଜଣା ହିଁ ପଡ଼ିଲା ନାହିଁ । ପରେ ଦାଉଦଙ୍କୁ ଏହା ଭାବି ଦୁଃଖ ଲାଗିଲା ଯେ ସେ ଯିହୋବାଙ୍କ ଦ୍ୱାରା ଅଭିଷିକ୍ତ କରାଯାଇଥିବା ରାଜାଙ୍କର ଆଦର କଲେ ନାହିଁ । ସେ ନିଜ ଲୋକମାନଙ୍କୁ ଶାଉଲଙ୍କ ଉପରେ ଆକ୍ରମଣ କରିବା ପାଇଁ ଦେଲେ ନାହିଁ । ସେ ଜୋର୍‌ ପାଟି କରି ଶାଉଲଙ୍କୁ କହିଲେ ଯେ ତାଙ୍କ ପାଖରେ ସୁଯୋଗ ଥିଲା ଯେ ସେ ଚାହିଁଥିଲେ ଶାଉଲଙ୍କୁ ମାରିପାରିଥାʼନ୍ତେ । କିନ୍ତୁ ସେ ଏପରି କଲେ ନାହିଁ । କʼଣ ଏହାପରେ ଶାଉଲଙ୍କ ମନ ବଦଳିଗଲା ?

      ନୁହେଁ, ସେ ଦାଉଦଙ୍କ ପିଛା କରିବା ଜାରି ରଖିଲେ । ଦିନେ ରାତିରେ ଦାଉଦ ଓ ତାଙ୍କ ଭଣଜା ଅବୀଶୟ ଲୁଚି ଶାଉଲଙ୍କ ଛାଉଣିରେ ପଶିଗଲେ । ଶାଉଲଙ୍କ ଅଙ୍ଗରକ୍ଷୀ ଅବ୍‌ନର ଶୋଇଥିଲେ । ଅବୀଶୟ କହିଲେ, ‘ଏହା ଏକ ବଢ଼ିଆ ସୁଯୋଗ । ମୋତେ ମାରିବା ପାଇଁ ଅନୁମତି ଦିଅନ୍ତୁ ।’ ଦାଉଦ କହିଲେ, ‘ଶାଉଲଙ୍କ କଥା ଯିହୋବା ଦେଖିବେ । ଆମେ କେବଳ ବର୍ଚ୍ଛା ଓ ଜଳପାତ୍ର ନେଇ ଏଠାରୁ ଯିବା ।’

      ଦାଉଦ ପାଖରେ ଥିବା ଏକ ପାହାଡ଼ ଉପରେ ଚଢ଼ିଗଲେ ଯେଉଁଠାରୁ ଶାଉଲଙ୍କ ଛାଉଣି ଦେଖା ଯାଉଥିଲା । ତାʼପରେ ସେ ଜୋର୍‌ରେ କହିଲେ, ‘ଅବ୍‌ନର, ତମେ ନିଜ ମାଲିକଙ୍କ ରକ୍ଷା କାହିଁକି କଲ ନାହିଁ ? ତାଙ୍କ ଜଳପାତ୍ର ଓ ବର୍ଚ୍ଛା କାହିଁ ?’ ଶାଉଲ ଦାଉଦଙ୍କ ଆବାଜ୍‌ ଚିହ୍ନିଲେ । ସେ ଦାଉଦଙ୍କୁ କହିଲେ, ‘ତମେ ଚାହିଁଲେ ମୋତେ ମାରିଦେଇଥାʼନ୍ତ, କିନ୍ତୁ ତମେ ଏପରି କଲ ନାହିଁ । ମୁଁ ଜାଣିଛି ଯେ ତମେ ଇସ୍ରାଏଲର ପରବର୍ତ୍ତୀ ରାଜା ହେବ ।’ ଶାଉଲ ନିଜ ମହଲକୁ ଫେରିଗଲେ । କିନ୍ତୁ ଶାଉଲଙ୍କ ପରିବାରରେ ସମସ୍ତେ ଦାଉଦଙ୍କୁ ଘୃଣା କରୁ ନ ଥିଲେ ।

      “ସମ୍ଭବ ହେଲେ, ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ, ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ । ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ ।”—ରୋମୀୟ ୧୨:୧୮, ୧୯

      ପ୍ରଶ୍ନ: ଶାଉଲ ଦାଉଦଙ୍କୁ କାହିଁକି ମାରିବା ପାଇଁ ଚାହୁଁଥିଲେ ? ଦାଉଦ ଶାଉଲଙ୍କୁ କାହିଁକି ମାରିବା ପାଇଁ ମନା କରିଦେଲେ ?

      ୧ ଶାମୁୟେଲ ୧୬:୧୪-୨୩; ୧୮:୫-୧୬; ୧୯:୯-୧୨; ୨୩:୧୯-୨୯; ୨୪:୧-୧୫; ୨୬:୧-୨୫

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ