-
ପ୍ରାଚୀନମାନେ କିପରି ମଣ୍ଡଳୀର ସେବା କରନ୍ତି ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୧୫
ପ୍ରାଚୀନମାନେ କିପରି ମଣ୍ଡଳୀର ସେବା କରନ୍ତି ?
ଫିନ୍ଲ୍ୟାଣ୍ଡ
ଶିଖାଇବା
ଉତ୍ସାହ ବଢ଼ାଇବା
ସାକ୍ଷ୍ୟ ଦେବା
ଆମ ସଂଗଠନରେ ପାଦ୍ରିମାନେ ନ ଥାʼନ୍ତି, ଯେଉଁମାନଙ୍କୁ ମଣ୍ଡଳୀକୁ ସମ୍ଭାଳିବା ପାଇଁ ଦରମା ଦିଆଯାଏ । ଏହା ପରିବର୍ତ୍ତେ, ଠିକ୍ ଯେପରି ଖ୍ରୀଷ୍ଟିୟାନ ମଣ୍ଡଳୀର ଆରମ୍ଭରେ କରାଯାଉଥିଲା, ଆଜି ମଧ୍ୟ ମଣ୍ଡଳୀରେ ଯୋଗ୍ୟ ଭାଇମାନଙ୍କୁ ଅଧ୍ୟକ୍ଷ ରୂପେ ନିଯୁକ୍ତ କରାଯାଏ, ଯେଉଁମାନେ ‘ଈଶ୍ୱରଙ୍କ ମଣ୍ଡଳୀକୁ ପ୍ରତିପାଳନ କରନ୍ତି ।’ (ପ୍ରେରିତ ୨୦:୨୮) ଈଶ୍ୱରଙ୍କ ସ୍ତର ଅନୁସାରେ ଯୋଗ୍ୟତା ରଖୁଥିବା ଏହି ଅଧ୍ୟକ୍ଷ କିମ୍ବା ପ୍ରାଚୀନମାନେ ମଣ୍ଡଳୀକୁ ପରିଚାଳନା କରନ୍ତି । ସେମାନେ ଏହି କାମ ‘ବାଧ୍ୟ ହୋଇ ନୁହେଁ, ମାତ୍ର ଈଶ୍ୱରଙ୍କ ଇଚ୍ଛାନୁଯାୟୀ ସ୍ୱଚ୍ଛନ୍ଦ ମନରେ, କୁତ୍ସିତ ଲାଭ ନିମନ୍ତେ ନୁହେଁ, କିନ୍ତୁ ଆଗ୍ରହ ସହକାରେ କରନ୍ତି ।’ (୧ ପିତର ୫:୧-୩) ସେମାନେ ଆମ ପାଇଁ କʼଣ କରନ୍ତି ?
ସେମାନେ ଆମ ବିଷୟରେ ଚିନ୍ତା କରନ୍ତି ଏବଂ ଆମକୁ ସୁରକ୍ଷା ଦିଅନ୍ତି । ପ୍ରାଚୀନମାନେ ମଣ୍ଡଳୀର ଭାଇଭଉଣୀଙ୍କୁ ବାଇବଲରୁ ନିର୍ଦ୍ଦେଶ ଦିଅନ୍ତି ଏବଂ ଯେଉଁ ବିପଦଗୁଡ଼ିକ ସେମାନଙ୍କୁ ଯିହୋବାଙ୍କଠାରୁ ଦୂରକୁ ନେଇଯାଏ, ସେଗୁଡ଼ିକରୁ ରକ୍ଷା କରନ୍ତି । ସେମାନେ ଜାଣନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଯିହୋବା ସେମାନଙ୍କୁ ଦେଇଛନ୍ତି । ତେଣୁ ସେମାନେ ଯିହୋବାଙ୍କ ଲୋକମାନଙ୍କ ଉପରେ ଶାସନ କରନ୍ତି ନାହିଁ, ତାʼ ପରିବର୍ତ୍ତେ ସେମାନଙ୍କ ହିତ ଓ ଖୁସି ପାଇଁ ପରିଶ୍ରମ କରନ୍ତି । (୨ କରିନ୍ଥୀୟ ୧:୨୪) ଠିକ୍ ଯେପରି ଜଣେ ମେଷପାଳକ ନିଜ ପ୍ରତ୍ୟେକ ମେଷକୁ ଭଲ ଭାବେ ଜାଣେ ଏବଂ ତାʼର ଯତ୍ନ ନିଏ, ସେହିପରି ପ୍ରାଚୀନମାନେ ମଣ୍ଡଳୀର ପ୍ରତ୍ୟେକ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ଜାଣିବାକୁ ଚେଷ୍ଟା କରିଥାʼନ୍ତି ।—ହିତୋପଦେଶ ୨୭:୨୩.
ସେମାନେ ଆମକୁ ଈଶ୍ୱରଙ୍କ ଇଚ୍ଛା ପୂରଣ କରିବା ଶିଖାନ୍ତି । ପ୍ରାଚୀନ ପ୍ରତି ସପ୍ତାହ ମଣ୍ଡଳୀରେ ସଭା ଚଳାନ୍ତି ଏବଂ ଏପରି ଶିକ୍ଷା ଦିଅନ୍ତି, ଯାହାଦ୍ୱାରା ଆମ ବିଶ୍ୱାସ ମଜବୁତ୍ ହୁଏ । (ପ୍ରେରିତ ୧୫:୩୨) ଈଶ୍ୱରଙ୍କୁ ସମର୍ପିତ ଏହି ଭାଇମାନେ ପ୍ରଚାର କାମରେ ମଧ୍ୟ ନେତୃତ୍ୱ ନିଅନ୍ତି, ଆମ ସହିତ ପ୍ରଚାରରେ ଯାଆନ୍ତି ଏବଂ ପ୍ରଚାର କରିବାର ଅଲଗା ଅଲଗା ଉପାୟ ବିଷୟରେ ତାଲିମ ଦିଅନ୍ତି ।
ସେମାନେ ବ୍ୟକ୍ତିଗତ ଭାବେ ଆମ ଉତ୍ସାହ ବଢ଼ାଇଥାʼନ୍ତି । ପ୍ରାଚୀନମାନେ ଚାହାନ୍ତି ଯେ ଆମେ ପ୍ରତ୍ୟେକେ ଈଶ୍ୱରଙ୍କ ସହିତ ଦୃଢ଼ ସମ୍ପର୍କ ରଖୁ । ଆମକୁ ସାହାଯ୍ୟ କରିବା ପାଇଁ ସେମାନେ ହୁଏତ ଆମ ଘରେ କିମ୍ବା ରାଜ୍ୟଘରେ ଆମ ସହିତ କଥା ହୋଇଥାʼନ୍ତି, ବାଇବଲରୁ ସାନ୍ତ୍ୱନା ଦେଇଥାʼନ୍ତି ଏବଂ ଆମ ଆତ୍ମବିଶ୍ୱାସ ବଢ଼ାଇଥାʼନ୍ତି ।—ଯାକୁବ ୫:୧୪, ୧୫.
ସାଧାରଣତଃ, ପ୍ରାଚୀନମାନଙ୍କ ପାଖରେ ମଣ୍ଡଳୀର କାମ ଛଡ଼ା ଆହୁରି ଅନେକ କାମ ଥାଏ । ସେମାନଙ୍କୁ ନିଜ ଚାକିରୀ ଓ ପରିବାର ପ୍ରତି ମଧ୍ୟ ଧ୍ୟାନ ଦେବାକୁ ଏବଂ ସମୟ ବାହାର କରିବାକୁ ହୁଏ । ଆମକୁ ଏହି ପରିଶ୍ରମୀ ଭାଇମାନଙ୍କୁ ହୃଦୟର ସହିତ ଆଦର କରିବା ଉଚିତ୍ ।—୧ ଥେସଲନୀକୀୟ ୫:୧୨, ୧୩.
ମଣ୍ଡଳୀରେ ପ୍ରାଚୀନମାନଙ୍କ କʼଣ ଭୂମିକା ରହିଥାଏ ?
ପ୍ରାଚୀନମାନେ କେଉଁ କେଉଁ ଉପାୟରେ ଆମ ପ୍ରତି ବ୍ୟକ୍ତିଗତ ଭାବେ ଆଗ୍ରହ ଦେଖାନ୍ତି ?
-
-
ସହାୟକ ସେବକମାନଙ୍କର ଭୂମିକା କʼଣ ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୧୬
ସହାୟକ ସେବକମାନଙ୍କର ଭୂମିକା କʼଣ ?
ମ୍ୟାନ୍ମାର
ସଭାର ଗୋଟିଏ କାର୍ଯ୍ୟକ୍ରମ
ସେବା ସମୂହ
ରାଜ୍ୟଘରର ରକ୍ଷଣାବେକ୍ଷଣ
ବାଇବଲ କହେ ଯେ ମଣ୍ଡଳୀରେ ଦାୟିତ୍ୱ ବହନ କରିବା ପାଇଁ ଖ୍ରୀଷ୍ଟିୟାନ ପୁରୁଷଙ୍କ ଦୁଇ ପ୍ରକାର ସମୂହ ଥାଏ: ‘ଅଧ୍ୟକ୍ଷ ଓ ସହାୟକ ସେବକ ।’ (ଫିଲିପ୍ପୀୟ ୧:୧) ସାଧାରଣତଃ, ପ୍ରତ୍ୟେକ ମଣ୍ଡଳୀରେ ଅନେକ ପ୍ରାଚୀନ ଓ ସହାୟକ ସେବକ ଥାଆନ୍ତି । ଆସନ୍ତୁ ଦେଖିବା, ସହାୟକ ସେବକମାନେ କିପରି ଆମକୁ ସାହାଯ୍ୟ କରନ୍ତି ।
ସେମାନେ ପ୍ରାଚୀନମାନଙ୍କ ସମୂହକୁ ସାହାଯ୍ୟ କରନ୍ତି । ସହାୟକ ସେବକମାନଙ୍କର ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଥାଏ । ସେମାନେ ଭରସାଯୋଗ୍ୟ ହୋଇଥାʼନ୍ତି ଏବଂ ପୂରା ମନ ଲଗାଇ କାମ କରନ୍ତି । ସେମାନଙ୍କ ମଧ୍ୟରୁ କେତେକ ଯୁବକ, ଆଉ କେତେକ ବୃଦ୍ଧ ହୋଇଥାʼନ୍ତି । ସେମାନେ ମଣ୍ଡଳୀର ଛୋଟ-ମୋଟ କିନ୍ତୁ ଜରୁରୀ କାମ କରନ୍ତି ଏବଂ ଏପରି କାମ ମଧ୍ୟ କରନ୍ତି, ଯେଉଁଥିରେ କଠିନ ପରିଶ୍ରମ କରିବାକୁ ହୁଏ । ସେମାନଙ୍କ ଏହି କାମ ଯୋଗୁଁ ପ୍ରାଚୀନମାନେ ମଣ୍ଡଳୀକୁ ଶିଖାଇବାରେ ଏବଂ ଭାଇଭଉଣୀଙ୍କ ଉତ୍ସାହ ବଢ଼ାଇବାରେ ଅଧିକ ଧ୍ୟାନ ଦେଇପାରନ୍ତି ।
ସେମାନେ ଅତି ଜରୁରୀ ସାହାଯ୍ୟ କରନ୍ତି । ସହାୟକ ସେବକମାନଙ୍କ ମଧ୍ୟରୁ କିଛି ଭାଇଙ୍କୁ ପରିଚାରକର ଦାୟିତ୍ୱ ଦିଆଯାଏ, ଯେଉଁମାନେ ସଭାକୁ ଆସୁଥିବା ସମସ୍ତଙ୍କୁ ସ୍ୱାଗତ କରନ୍ତି । ଅନ୍ୟ ଭାଇମାନଙ୍କୁ ହୁଏତ ସାଉଣ୍ଡ ସିଷ୍ଟମ୍ ସମ୍ଭାଳିବା, ପ୍ରକାଶନ ଯୋଗାଇବା, ମଣ୍ଡଳୀର ହିସାବକିତାବ ରଖିବା ଏବଂ ଭାଇଭଉଣୀଙ୍କୁ ପ୍ରଚାର କରିବା ପାଇଁ ପ୍ରଚାର ଅଞ୍ଚଳ ଦେବା କାମ ଦିଆଯାଏ । ଏହା ସହିତ, ରାଜ୍ୟଘରର ରକ୍ଷଣାବେକ୍ଷଣରେ ମଧ୍ୟ ସେମାନେ ସାହାଯ୍ୟ କରନ୍ତି । ଯଦି ଦରକାର ହୁଏ, ପ୍ରାଚୀନମାନେ ସେମାନଙ୍କୁ ମଣ୍ଡଳୀର ବୃଦ୍ଧ ଭାଇ ଓ ବୃଦ୍ଧା ଭଉଣୀଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ କହିପାରନ୍ତି । ସହାୟକ ସେବକମାନଙ୍କୁ ଯାହା ଦାୟିତ୍ୱ ଦିଆଯାଏ, ସେମାନେ ତାକୁ ଖୁସିର ସହିତ ପୂରା କରିଥାʼନ୍ତି । ଏହି କାରଣରୁ ଭାଇଭଉଣୀଙ୍କ ନଜରରେ ସେମାନଙ୍କ ସମ୍ମାନ ବଢ଼ିଯାଏ ।—୧ ତୀମଥି ୩:୧୩.
ସେମାନେ ଖ୍ରୀଷ୍ଟିୟାନ ପୁରୁଷ ହେବାର ଏକ ଭଲ ଉଦାହରଣ ରଖନ୍ତି । ସହାୟକ ସେବକମାନଙ୍କୁ ସେମାନଙ୍କ ଭଲ ଖ୍ରୀଷ୍ଟିୟାନ ଗୁଣଗୁଡ଼ିକ ଯୋଗୁଁ ବଛାଯାଏ । ସେମାନେ ସଭାରେ ଯେପରି ଭାବେ ନିଜ ଭାଗ ପ୍ରସ୍ତୁତ କରନ୍ତି, ସେଥିରୁ ଆମ ବିଶ୍ୱାସ ଦୃଢ଼ ହୋଇଥାଏ । ପ୍ରଚାର କାମରେ ସେମାନଙ୍କ ଭଲ ଉଦାହରଣ ଦେଖି ଆମର ମଧ୍ୟ ଉତ୍ସାହ ଆହୁରି ବଢ଼ିଥାଏ । ସେମାନେ ପ୍ରାଚୀନମାନଙ୍କୁ ସହଯୋଗ କରିଥାʼନ୍ତି, ଯାହା ଫଳରେ ମଣ୍ଡଳୀରେ ଏକତା ଏବଂ ଖୁସି ବଢ଼ିଥାଏ । (ଏଫିସୀୟ ୪:୧୬) ପରେ ଏମିତି ଏକ ସମୟ ଆସେ, ସହାୟକ ସେବକମାନେ ମଧ୍ୟ ପ୍ରାଚୀନର ଦାୟିତ୍ୱ ବହନ କରିବାର ଯୋଗ୍ୟ ହୋଇପାରନ୍ତି ।
ସହାୟକ ସେବକମାନଙ୍କଠାରେ କେଉଁ କେଉଁ ଭଲ ଗୁଣ ରହିଥାଏ ?
ମଣ୍ଡଳୀର କାମସବୁ ଠିକ୍ ଭାବରେ ଚାଲିବା ପାଇଁ ସହାୟକ ସେବକମାନେ କʼଣ କରିଥାʼନ୍ତି ?
-
-
ସର୍କିଟ ଅଧ୍ୟକ୍ଷମାନେ କିପରି ଆମକୁ ସାହାଯ୍ୟ କରନ୍ତି ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୧୭
ସର୍କିଟ ଅଧ୍ୟକ୍ଷମାନେ କିପରି ଆମକୁ ସାହାଯ୍ୟ କରନ୍ତି ?
ମାଲାୱୀ
ସେବା ସମୂହ
ପ୍ରଚାର ସେବା
ପ୍ରାଚୀନମାନଙ୍କ ବୈଠକ
ବାଇବଲର ଗ୍ରୀକ୍ ଶାସ୍ତ୍ରରେ ଅନେକ ଥର ବର୍ଣ୍ଣବ୍ବା ଓ ପ୍ରେରିତ ପାଉଲଙ୍କ ବିଷୟରେ କୁହାଯାଇଛି । ସେ ଦୁହେଁ ଭ୍ରମଣକାରୀ ଅଧ୍ୟକ୍ଷ ଭାବରେ ସେବା କରୁଥିଲେ ଏବଂ ଆରମ୍ଭର ମଣ୍ଡଳୀଗୁଡ଼ିକୁ ପରିଦର୍ଶନ କରିବାକୁ ଯାଉଥିଲେ । କାହିଁକି ? କାରଣ ସେମାନେ ନିଜ ଭାଇଭଉଣୀଙ୍କ ବିଷୟରେ ପ୍ରକୃତରେ ଚିନ୍ତା କରୁଥିଲେ । ପାଉଲ କହିଲେ ଯେ ସେ ‘ଫେରିଯାଇ ଭାଇମାନଙ୍କୁ ସାକ୍ଷାତ କରି, ସେମାନେ କିପ୍ରକାରେ ଅଛନ୍ତି ଦେଖିବାକୁ’ ଚାହାନ୍ତି । ସେ ନିଜ ଭାଇଭଉଣୀଙ୍କୁ ସାକ୍ଷାତ କରିବା ଏବଂ ସେମାନଙ୍କ ସାହସ ବଢ଼ାଇବା ପାଇଁ ଶହ ଶହ କିଲୋମିଟର ଯାତ୍ରା କରିବାକୁ ପ୍ରସ୍ତୁତ ଥିଲେ । (ପ୍ରେରିତ ୧୫:୩୬) ଆଜି ସର୍କିଟ ଅଧ୍ୟକ୍ଷମାନଙ୍କଠାରେ ମଧ୍ୟ ସେହି ମନୋଭାବ ରହିଛି ।
ସେମାନେ ଆମର ଉତ୍ସାହ ବଢ଼ାଇବା ପାଇଁ ଆସନ୍ତି । ଜଣେ ସର୍କିଟ ଅଧ୍ୟକ୍ଷ ୬ ମାସରେ ଥରେ ପ୍ରାୟ ୨୦ଟି ମଣ୍ଡଳୀକୁ ପରିଦର୍ଶନ କରନ୍ତି ଏବଂ ପ୍ରତ୍ୟେକ ମଣ୍ଡଳୀରେ ଗୋଟିଏ ସପ୍ତାହ ରହନ୍ତି । ଏହି ଅନୁଭବୀ ଭାଇମାନଙ୍କଠାରୁ ଏବଂ ଯଦି ସେମାନେ ବିବାହିତ, ତେବେ ସେମାନଙ୍କ ପତ୍ନୀଙ୍କଠାରୁ ମଧ୍ୟ ଆମକୁ ଅନେକ କଥା ଶିଖିବାକୁ ମିଳେ । ସେମାନେ ଛୋଟବଡ଼ ସମସ୍ତଙ୍କ ସହିତ ପରିଚିତ ହେବା ପାଇଁ ଚେଷ୍ଟା କରନ୍ତି । ସେମାନେ ଆମ ସହିତ ପ୍ରଚାର ଏବଂ ବାଇବଲ ଅଧ୍ୟୟନରେ ଯିବା ପାଇଁ ସବୁବେଳେ ପ୍ରସ୍ତୁତ ଥାʼନ୍ତି । ଏହି ଅଧ୍ୟକ୍ଷମାନେ ପ୍ରାଚୀନମାନଙ୍କ ସହିତ ମିଶି ମଣ୍ଡଳୀର ଭାଇଭଉଣୀଙ୍କ ଉତ୍ସାହ ବଢ଼ାଇବା କିମ୍ବା ପରାମର୍ଶ ଦେବା ପାଇଁ ପ୍ରତିପାଳକ ଭେଟ କରନ୍ତି । ତାʼ ସହିତ, ସଭା ଏବଂ ସମ୍ମିଳନୀଗୁଡ଼ିକରେ ଭାଷଣ ମାଧ୍ୟମରେ ଆମ ସାହସ ବଢ଼ାଇଥାʼନ୍ତି ।—ପ୍ରେରିତ ୧୫:୩୫.
ସେମାନେ ସମସ୍ତଙ୍କ ପ୍ରତି ଆଗ୍ରହ ଦେଖାନ୍ତି । ମଣ୍ଡଳୀର ସମସ୍ତେ ଈଶ୍ୱରଙ୍କ ସେବାରେ କିପରି ଉନ୍ନତି କରୁଛନ୍ତି, ସର୍କିଟ ଅଧ୍ୟକ୍ଷମାନେ ତାହା ଜାଣିବାକୁ ଭାରି ଇଚ୍ଛୁକ ଥାʼନ୍ତି । ଏହା ପାଇଁ ସେମାନେ ପ୍ରାଚୀନ ଏବଂ ସହାୟକ ସେବକମାନଙ୍କ ସହିତ ଏକ ବୈଠକ ରଖନ୍ତି । ଏହି ସମୟରେ ସର୍କିଟ ଅଧ୍ୟକ୍ଷମାନେ ସେମାନଙ୍କୁ ନିଜ ଦାୟିତ୍ୱଗୁଡ଼ିକୁ ଆହୁରି ଭଲ ଭାବେ ତୁଲାଇବା ପାଇଁ ବ୍ୟବହାରିକ ନିର୍ଦ୍ଦେଶ ଦିଅନ୍ତି । ଏହା ଛଡ଼ା, ସେମାନେ ଅଗ୍ରଦୂତମାନଙ୍କୁ ନିଜ ସେବାରେ ସଫଳତା ଏବଂ ଖୁସି ପାଇବାରେ ସାହାଯ୍ୟ କରିଥାʼନ୍ତି । ମଣ୍ଡଳୀରେ ଆସୁଥିବା ନୂଆ ଲୋକଙ୍କ ସହିତ ସାକ୍ଷାତ କରିବାକୁ ଏବଂ ସେମାନେ ସତ୍ୟରେ କେମିତି ଉନ୍ନତି କରୁଛନ୍ତି, ତାହା ଶୁଣିବାକୁ ସେମାନଙ୍କୁ ଭାରି ଭଲ ଲାଗେ । ପ୍ରତ୍ୟେକ ସର୍କିଟ ଅଧ୍ୟକ୍ଷ ଆମ ମଙ୍ଗଳ ପାଇଁ ‘ଆମ ସହକର୍ମୀ’ ହୋଇ ନିଜକୁ ଖୁସିର ସହିତ ଉତ୍ସର୍ଗ କରି ଦିଅନ୍ତି । (୨ କରିନ୍ଥୀୟ ୮:୨୩) ଆମେ ସେମାନଙ୍କ ବିଶ୍ୱାସ ଏବଂ ଈଶ୍ୱରଙ୍କ ପ୍ରତି ଭକ୍ତିର ଉଦାହରଣକୁ ଅନୁକରଣ କରିବା ଉଚିତ୍ ।—ଏବ୍ରୀ ୧୩:୭.
ସର୍କିଟ ଅଧ୍ୟକ୍ଷମାନେ କେଉଁ ଉଦ୍ଦେଶ୍ୟରେ ମଣ୍ଡଳୀଗୁଡ଼ିକୁ ପରିଦର୍ଶନ କରନ୍ତି ?
ସେମାନଙ୍କ ପରିଦର୍ଶନରୁ ଆପଣ କିପରି ଲାଭ ପାଇପାରିବେ ?
-
-
ସଂକଟ ସମୟରେ ଆମେ ନିଜ ଭାଇମାନଙ୍କୁ କିପରି ସାହାଯ୍ୟ କରୁ ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୧୮
ସଂକଟ ସମୟରେ ଆମେ ନିଜ ଭାଇମାନଙ୍କୁ କିପରି ସାହାଯ୍ୟ କରୁ ?
ଡୋମିନିକାନ ରିପବ୍ଲିକ୍
ଜାପାନ
ହୈତି
ଯେତେବେଳେ କୌଣସି ପ୍ରାକୃତିକ ବିପତ୍ତି ଆସେ, ଯିହୋବାଙ୍କ ସାକ୍ଷୀମାନେ ଅତିଶୀଘ୍ର ସେହି ଜାଗାର ଭାଇମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଦିଅନ୍ତି । ଏହା ଦେଖାଏ ଯେ ଆମେ ପରସ୍ପରକୁ ପ୍ରକୃତ ପ୍ରେମ କରୁ । (ଯୋହନ ୧୩:୩୪, ୩୫; ୧ ଯୋହନ ୩:୧୭, ୧୮) ଆମେ କେଉଁ ଉପାୟରେ ଆମ ଭାଇମାନଙ୍କୁ ସାହାଯ୍ୟ କରିଥାଉ ?
ଆମେ ଆର୍ଥିକ ସାହାଯ୍ୟ କରୁ । ଯେତେବେଳେ ପ୍ରଥମ ଶତାବ୍ଦୀରେ ଯିହୁଦାରେ ଭୟଙ୍କର ଦୁର୍ଭିକ୍ଷ ହୋଇଥିଲା, ଆନ୍ତିୟଖିଆର ଖ୍ରୀଷ୍ଟିୟାନମାନେ ଯିହୁଦାର ନିଜ ଭାଇଭଉଣୀଙ୍କ ପାଇଁ ଆର୍ଥିକ ସାହାଯ୍ୟ ପଠାଇଲେ । (ପ୍ରେରିତ ୧୧:୨୭-୩୦) ଠିକ୍ ସେହିପରି ଯେତେବେଳେ ପୃଥିବୀର କୌଣସି ଅଞ୍ଚଳରେ ଆମ ଭାଇମାନେ ସମସ୍ୟାର ସାମନା କରନ୍ତି ଏବଂ ସେମାନଙ୍କ ପାଖରେ ଖାଦ୍ୟ-ବସ୍ତ୍ର ମଧ୍ୟ ନ ଥାଏ, ଆମେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆମ ମଣ୍ଡଳୀ ମାଧ୍ୟମରେ ପଇସା ପଠାଇଥାଉ ।—୨ କରିନ୍ଥୀୟ ୮:୧୩-୧୫.
ଆମେ ବ୍ୟବହାରିକ ସାହାଯ୍ୟ କରୁ । ପ୍ରଭାବିତ ଅଞ୍ଚଳରେ ଥିବା ପ୍ରାଚୀନମାନେ ଜାଣିବାକୁ ଚେଷ୍ଟା କରନ୍ତି ଯେ ମଣ୍ଡଳୀର ପ୍ରତ୍ୟେକ ସଦସ୍ୟ ସୁରକ୍ଷିତ ଅଛନ୍ତି, ନା ନାହିଁ । ଗୋଟିଏ ରିଲିଫ୍ ସମିତି ଗଠନ କରାଯାଏ, ଯାହା ଭାଇଭଉଣୀଙ୍କୁ ଖାଦ୍ୟ, ପିଇବା ପାଣି, କପଡ଼ା, ରହିବା ପାଇଁ ଜାଗା ଏବଂ ଡାକ୍ତରୀ ସାହାଯ୍ୟର ବ୍ୟବସ୍ଥା କରେ । ଅନେକ ସାକ୍ଷୀ ଯେଉଁମାନଙ୍କ ପାଖରେ ବିଶେଷ ଦକ୍ଷତା ଥାଏ, ସେମାନେ ନିଜ ଇଚ୍ଛାରେ ଓ ନିଜ ଖର୍ଚ୍ଚରେ ସେଠାରେ ଯାଇ ସାହାଯ୍ୟ କାମରେ ଭାଗ ନିଅନ୍ତି । କିମ୍ବା ଭାଇମାନଙ୍କ ଭାଙ୍ଗି ଯାଇଥିବା ଘର ଏବଂ ରାଜ୍ୟଘରର ମରାମତିରେ ଭାଗ ନିଅନ୍ତି । ଏକ ସଂଗଠନ ଭାବରେ ଆମ ମଧ୍ୟରେ ଏକତା ରହିଛି ଏବଂ ଏକାଠି ମିଶି କାମ କରି ଆମେ ବେଶ୍ ଅନୁଭବ ହାସଲ୍ କରିଛୁ । ଏହି କାରଣରୁ ଆମେ ଜରୁରୀକାଳୀନ ପରିସ୍ଥିତିରେ ସାଙ୍ଗେ ସାଙ୍ଗେ ରିଲିଫ୍ ସାମଗ୍ରୀ ଏବଂ ସାହାଯ୍ୟ ପାଇଁ ଭାଇମାନଙ୍କୁ ଏକଜୁଟ କରିପାରୁ । ଏହା ସତ ଯେ ଆମେ ନିଜ “ବିଶ୍ୱାସୀ” ଭାଇଭଉଣୀମାନଙ୍କୁ ବିଶେଷ ସାହାଯ୍ୟ କରିଥାଉ; କିନ୍ତୁ ଯଦି ସମ୍ଭବ ହୁଏ, ଆମେ ଅନ୍ୟ ସମସ୍ତ ଧର୍ମର ଲୋକଙ୍କୁ ମଧ୍ୟ ସାହାଯ୍ୟ କରିଥାଉ ।—ଗାଲାତୀୟ ୬:୧୦.
ଆମେ ଲୋକଙ୍କୁ ବାଇବଲରୁ ସାନ୍ତ୍ୱନା ଦେଉ ଏବଂ ମାନସିକ ଯନ୍ତ୍ରଣାରୁ ବାହାରି ଆସିବା ପାଇଁ ସାହାଯ୍ୟ କରୁ । ବିପତ୍ତିର ଶିକାର ହୋଇଥିବା ଲୋକଙ୍କୁ ବିଶେଷ କରି ସାନ୍ତ୍ୱନା ଆବଶ୍ୟକ ହୁଏ । ଏପରି ସମୟରେ ଆମକୁ “ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର” ଯିହୋବାଙ୍କଠାରୁ ସାହସ ମିଳେ । (୨ କରିନ୍ଥୀୟ ୧:୩, ୪) ହତାଶ ଲୋକଙ୍କୁ ଆମେ ବାଇବଲରୁ ଆଶା ଦେଉ ଯେ ଈଶ୍ୱରଙ୍କ ରାଜ୍ୟ ଖୁବ୍ ଶୀଘ୍ର ଆଜିର ସମସ୍ତ ଦୁଃଖକଷ୍ଟର କାରଣକୁ ସମାପ୍ତ କରିଦେବ ।—ପ୍ରକାଶିତ ବାକ୍ୟ ୨୧:୪.
ଯିହୋବାଙ୍କ ସାକ୍ଷୀମାନେ କାହିଁକି ବିପତ୍ତି ସମୟରେ ଅତିଶୀଘ୍ର ନିଜ ଭାଇମାନଙ୍କୁ ସାହାଯ୍ୟ କରିପାରନ୍ତି ?
ବିପତ୍ତିର ଶିକାର ହୋଇଥିବା ଲୋକଙ୍କୁ ଆମେ ବାଇବଲରୁ କʼଣ ସାନ୍ତ୍ୱନା ଦେଇପାରିବା ?
-
-
ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୧୯
ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ ?
ଆଧ୍ୟାତ୍ମିକ ଭୋଜନରୁ ଆମ ସମସ୍ତଙ୍କୁ ଲାଭ ମିଳେ
ଯୀଶୁ ନିଜ ମୃତ୍ୟୁର କିଛି ସମୟ ପୂର୍ବେ ନିଜ ଚାରି ଶିଷ୍ୟ ପିତର, ଯାକୁବ, ଯୋହନ ଏବଂ ଆନ୍ଦ୍ରିୟଙ୍କ ସହିତ ଏକାନ୍ତରେ କଥା ହେଉଥିଲେ । ସେ କହୁଥିଲେ ଯେ ଜଗତର ଶେଷକାଳରେ ତାଙ୍କ ଉପସ୍ଥିତିର କି କି ଲକ୍ଷଣ ଦେଖାଯିବ । ସେହି ସମୟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଲେ: “ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପଡ଼ି ଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ ?” (ମାଥିଉ ୨୪:୩, ୪୫; ମାର୍କ ୧୩:୩, ୪) ଯୀଶୁ ଏଠାରେ ଶାରୀରିକ ପଡ଼ି କିମ୍ବା ଭୋଜନ ବିଷୟରେ କହୁ ନ ଥିଲେ । ଏହି ଭୋଜନର ଅର୍ଥ ଥିଲା, ଈଶ୍ୱରଙ୍କ ଜ୍ଞାନ । ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରତିଶ୍ରୁତି ଦେଉଥିଲେ ଯେ ସେ ସେମାନଙ୍କ “ପ୍ରଭୁ” ହୋଇଥିବାରୁ ନିଜ ଦାସଙ୍କୁ ନିଯୁକ୍ତ କରିବେ, ଯିଏ ଶେଷକାଳରେ ତାଙ୍କ ଅନୁଗାମୀମାନଙ୍କୁ ଆଧ୍ୟାତ୍ମିକ ଭୋଜନ ଯୋଗାଉଥିବେ । ସେହି ଦାସ କିଏ ?
ଏହା ଯୀଶୁଙ୍କ ଅଭିଷିକ୍ତ ଶିଷ୍ୟମାନଙ୍କ ଦ୍ୱାରା ଗଠିତ ଏକ ଛୋଟ ସମୂହ ଅଟେ । ଏହି “ଦାସ” ଯିହୋବାଙ୍କ ସାକ୍ଷୀମାନଙ୍କ ପ୍ରଶାସନ ଦଳ ଅଟେ । ଏହା ନିଜ ସହଉପାସକମାନଙ୍କୁ ଠିକ୍ ସମୟରେ ଆଧ୍ୟାତ୍ମିକ ଭୋଜନ ଯୋଗାଇଥାଏ । ଆମେ ଏହି ବିଶ୍ୱସ୍ତ ଦାସଙ୍କ ଉପରେ ନିର୍ଭର କରୁ, ଯେଉଁମାନେ ଆମକୁ ‘ଯଥାସମୟରେ ନିରୂପିତ ଭୋଜନ ଯୋଗାଇଥାʼନ୍ତି ।’—ଲୂକ ୧୨:୪୨.
ଏହା ଈଶ୍ୱରଙ୍କ ପରିବାରର ଯତ୍ନ ନିଏ । (୧ ତୀମଥି ୩:୧୫) ଯୀଶୁ ଏହି ଦାସଙ୍କୁ ପୃଥିବୀରେ ଥିବା ଯିହୋବାଙ୍କ ସଂଗଠନକୁ ପରିଚାଳନା କରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ, ଯେପରି ଏହାର ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବା, ପ୍ରଚାର କାମ ବିଷୟରେ ନିର୍ଦ୍ଦେଶ ଦେବା ଏବଂ ମଣ୍ଡଳୀ ମାଧ୍ୟମରେ ଆମକୁ ଶିକ୍ଷା ଦେବା । “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ସଭା, ସମ୍ମିଳନୀ ଏବଂ ପ୍ରକାଶନଗୁଡ଼ିକ ମାଧ୍ୟମରେ ଆମକୁ ଠିକ୍ ସେହି ସମୟରେ ଆଧ୍ୟାତ୍ମିକ ଭୋଜନ ଯୋଗାଇଥାʼନ୍ତି, ଯେତେବେଳେ ଆମକୁ ଏହା ଆବଶ୍ୟକ ହୋଇଥାଏ ।
ଏହି ଦାସ ବିଶ୍ୱସ୍ତ ଅଟନ୍ତି, କାରଣ ସେମାନେ ବାଇବଲର ସତ୍ୟକୁ ନିର୍ଭୁଲ ଭାବରେ ଲୋକଙ୍କଠାରେ ପହଞ୍ଚାଇଥାʼନ୍ତି ଏବଂ ଖୁସିର ଖବରକୁ ଉତ୍ସାହର ସହିତ ପ୍ରଚାର କରନ୍ତି । ଏହି ଦାସଙ୍କୁ ବୁଦ୍ଧିମାନ ମଧ୍ୟ କୁହାଯାଏ, କାରଣ ସେମାନେ ଯୀଶୁଙ୍କ ଦ୍ୱାରା ଦିଆଯାଇଥିବା ଦାୟିତ୍ୱକୁ ବୁଦ୍ଧିର ସହିତ ତୁଲାଉଛନ୍ତି । (ପ୍ରେରିତ ୧୦:୪୨) ଏହି ଦାସଙ୍କ ଉପରେ ନିଶ୍ଚିତ ଭାବେ ଯିହୋବାଙ୍କ ଆଶିଷ ରହିଛି, କାରଣ ଏହାଦ୍ୱାରା ଆଜି ବହୁ ମାତ୍ରାରେ ଆଧ୍ୟାତ୍ମିକ ଭୋଜନ ଦିଆଯାଉଛି ଏବଂ ଅନେକ ଲୋକ ଯିହୋବାଙ୍କ ସଂଗଠନ ଆଡ଼କୁ ଆକର୍ଷିତ ହେଉଛନ୍ତି ।—ଯିଶାଇୟ ୬୦:୨୨; ୬୫:୧୩.
ଯୀଶୁ ନିଜ ଶିଷ୍ୟମାନଙ୍କୁ ଆଧ୍ୟାତ୍ମିକ ଭୋଜନ ଯୋଗାଇବା ପାଇଁ କାହାକୁ ନିଯୁକ୍ତ କରିଛନ୍ତି ?
ଏହି ଦାସ କେଉଁ ଅର୍ଥରେ ବିଶ୍ୱସ୍ତ ଅଟନ୍ତି ଏବଂ ବୁଦ୍ଧିର ସହିତ କାମ କରନ୍ତି ?
-
-
ପ୍ରଶାସନ ଦଳ ଆଜି କିପରି କାମ କରେ ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୨୦
ପ୍ରଶାସନ ଦଳ ଆଜି କିପରି କାମ କରେ ?
ପ୍ରଥମ ଶତାବ୍ଦୀର ପ୍ରଶାସନ ଦଳ
ପ୍ରଶାସନ ଦଳର ଚିଠି ପଢ଼ାଯାଉଛି
ପ୍ରଥମ ଶତାବ୍ଦୀରେ ଏକ ଛୋଟ ସମୂହ ପ୍ରଶାସନ ଦଳ ଭାବରେ କାର୍ଯ୍ୟ କରୁଥିଲା । ଏହି ସମୂହ “ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ” ଦ୍ୱାରା ଗଠିତ ହୋଇଥିଲା ଏବଂ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ସମ୍ପୂର୍ଣ୍ଣ ମଣ୍ଡଳୀ ତରଫରୁ ଜରୁରୀ ନିଷ୍ପତ୍ତି ନେଉଥିଲା । (ପ୍ରେରିତ ୧୫:୨) ଯେତେବେଳେ ସେମାନଙ୍କୁ କୌଣସି ବିଷୟରେ ନିଷ୍ପତ୍ତି ନେବାକୁ ପଡ଼ୁଥିଲା, ସେମାନେ ଦେଖୁଥିଲେ ଯେ ଏହା ବିଷୟରେ ଶାସ୍ତ୍ର କʼଣ କହେ ଏବଂ ଈଶ୍ୱରଙ୍କ ପବିତ୍ର ଶକ୍ତିର ନିର୍ଦ୍ଦେଶ ଅନୁସାରେ ଏକମତ ହୋଇ ନିଷ୍ପତ୍ତି ନେଉଥିଲେ । (ପ୍ରେରିତ ୧୫:୨୫) ଆଜିର ପ୍ରଶାସନ ଦଳ ମଧ୍ୟ ଠିକ୍ ସେହିପରି କାମ କରେ ।
ଏହା ଜରିଆରେ ଈଶ୍ୱର ନିଜ ଇଚ୍ଛା ପୂରଣ କରୁଛନ୍ତି । ପ୍ରଶାସନ ଦଳରେ ଯେଉଁ ଅଭିଷିକ୍ତ ଭାଇମାନେ ସେବା କରନ୍ତି, ସେମାନେ ଈଶ୍ୱରଙ୍କ ବାକ୍ୟରେ ଗଭୀର ଆଗ୍ରହ ରଖନ୍ତି । ସଂଗଠନକୁ କିପରି ପରିଚାଳନା କରାଯିବା ଉଚିତ୍ ଏବଂ ବାଇବଲର ପ୍ରଶ୍ନଗୁଡ଼ିକର ଉତ୍ତର କିପରି ମିଳେ, ଏହା ବିଷୟରେ ସେମାନଙ୍କ ବେଶ୍ ଅନୁଭବ ଥାଏ । ପ୍ରତ୍ୟେକ ସପ୍ତାହରେ ସେମାନଙ୍କ ଗୋଟିଏ ବୈଠକ ହୁଏ, ଯେଉଁଥିରେ ସେମାନେ ସାରା ପୃଥିବୀର ଆମ ଭାଇମାନଙ୍କ ଆବଶ୍ୟକତା ବିଷୟରେ ଆଲୋଚନା କରନ୍ତି । ସେମାନେ ମଣ୍ଡଳୀଗୁଡ଼ିକୁ ବାଇବଲରୁ ପରାମର୍ଶ ଦେବା ପାଇଁ ଚିଠି ଲେଖନ୍ତି, କିମ୍ବା ସର୍କିଟ ଅଧ୍ୟକ୍ଷ ଏବଂ ଅନ୍ୟମାନଙ୍କୁ ସେମାନଙ୍କ ପାଖକୁ ପଠାନ୍ତି, ଠିକ୍ ଯେପରି ପ୍ରଥମ ଶତାବ୍ଦୀରେ କରାଯାଉଥିଲା । ଏହାଦ୍ୱାରା ଈଶ୍ୱରଙ୍କ ଲୋକମାନଙ୍କ ଚିନ୍ତାଧାରା ଏବଂ କାମରେ ଏକତା ବଜାୟ ରହେ । (ପ୍ରେରିତ ୧୬:୪, ୫) ପ୍ରଶାସନ ଦଳ ସମସ୍ତଙ୍କୁ ପ୍ରଚାର କାମରେ ଆଗ୍ରହର ସହିତ ଭାଗ ନେବା ପାଇଁ ଉତ୍ସାହିତ କରେ । ଏହାର ତତ୍ତ୍ୱାବଧାନରେ ହିଁ ଆଧ୍ୟାତ୍ମିକ ଭୋଜନ ପ୍ରସ୍ତୁତ କରାଯାଏ ଏବଂ ଭାଇମାନଙ୍କୁ ଦାୟିତ୍ୱପୂର୍ଣ୍ଣ ପଦରେ ନିଯୁକ୍ତ କରାଯାଏ ।
ଏହା ଈଶ୍ୱରଙ୍କ ପବିତ୍ର ଶକ୍ତିର ନିର୍ଦ୍ଦେଶକୁ ସାଙ୍ଗେ ସାଙ୍ଗେ ପାଳନ କରେ । ପ୍ରଶାସନ ଦଳ ସାରା ବିଶ୍ୱର ଶାସନକର୍ତ୍ତା ଯିହୋବା ଏବଂ ମଣ୍ଡଳୀର ମସ୍ତକ ଯୀଶୁଙ୍କ ମାର୍ଗଦର୍ଶନ ଅନୁସାରେ ତାʼର ପ୍ରତ୍ୟେକ କାର୍ଯ୍ୟ କରେ । (୧ କରିନ୍ଥୀୟ ୧୧:୩; ଏଫିସୀୟ ୫:୨୩) ଏହାର ସଦସ୍ୟମାନେ ନିଜକୁ ଈଶ୍ୱରଙ୍କ ଲୋକମାନଙ୍କ ନେତା ବୋଲି ଭାବନ୍ତି ନାହିଁ । ସେମାନେ ଅନ୍ୟ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ସହିତ ମିଶି “ମେଷଶାବକ [ଯୀଶୁ] ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି ।” (ପ୍ରକାଶିତ ବାକ୍ୟ ୧୪:୪) ଆମେ ସେମାନଙ୍କ ପାଇଁ କରୁଥିବା ପ୍ରାର୍ଥନାକୁ ପ୍ରଶାସନ ଦଳ ଖୁବ୍ ପ୍ରଶଂସା କରନ୍ତି ।
ପ୍ରଥମ ଶତାବ୍ଦୀର ପ୍ରଶାସନ ଦଳ କେଉଁମାନଙ୍କୁ ନେଇ ଗଠିତ ହୋଇଥିଲା ?
ଆଜି ପ୍ରଶାସନ ଦଳ କିପରି ଈଶ୍ୱରଙ୍କ ନିର୍ଦ୍ଦେଶ ପାଇବା ପାଇଁ ଚେଷ୍ଟା କରେ ?
-
-
ବୈଥେଲ କʼଣ ଅଟେ ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୨୧
ବୈଥେଲ କʼଣ ଅଟେ ?
ଚିତ୍ର ପ୍ରସ୍ତୁତ କରୁଥିବା ବିଭାଗ, ଆମେରିକା
ଜର୍ମାନୀ
କେନିୟା
କଲମ୍ବିଆ
ବୈଥେଲ ଏକ ଏବ୍ରୀ ଶବ୍ଦ, ଯାହାର ଅର୍ଥ ହେଉଛି: ‘ପରମେଶ୍ୱରଙ୍କ ଘର ।’ (ଆଦି ପୁସ୍ତକ ୨୮:୧୭, ୧୯) ସାରା ଦୁନିଆର ବିଭିନ୍ନ ଦେଶରେ ଥିବା ଯିହୋବାଙ୍କ ସାକ୍ଷୀମାନଙ୍କ ଏହି ଘରଗୁଡ଼ିକ ପାଇଁ ଏହି ନାମ ବିଲ୍କୁଲ୍ ଠିକ୍ ଅଟେ, ଯେଉଁଠାରୁ ପ୍ରଚାର କାମ ପାଇଁ ନିର୍ଦ୍ଦେଶ ଏବଂ ସାହାଯ୍ୟ ଦିଆଯାଏ । ଯିହୋବାଙ୍କ ସାକ୍ଷୀମାନଙ୍କ ବିଶ୍ୱ ପ୍ରଶାସନିକ କେନ୍ଦ୍ର ଆମେରିକାର ନ୍ୟୁ ୟର୍କ ରାଜ୍ୟରେ ଅଛି । ପ୍ରଶାସନ ଦଳ ସେଠାରେ ସେବା କରେ ଏବଂ ସେଠାରୁ ବିଭିନ୍ନ ଦେଶର ଶାଖା କାର୍ଯ୍ୟାଳୟରେ ହେଉଥିବା କାମର ପରିଚାଳନା କରିଥାଏ । ଯେଉଁମାନେ ବୈଥେଲରେ ସେବା କରନ୍ତି, ସେମାନେ ଏକା ସାଙ୍ଗେ ମିଶି ରହନ୍ତି ଓ କାମ କରନ୍ତି, ଏକା ସାଙ୍ଗେ ମିଶି ଖାଆନ୍ତି ଏବଂ ଏକା ସାଙ୍ଗରେ ବାଇବଲର ଅଧ୍ୟୟନ କରନ୍ତି । ତେଣୁ ଏହାକୁ ବୈଥେଲ ପରିବାର କୁହାଯାଏ ।—ଗୀତସଂହିତା ୧୩୩:୧.
ଏକ ଭିନ୍ନ ଜାଗା, ଯେଉଁଠାରେ ପରିବାରର ସଦସ୍ୟମାନେ ତ୍ୟାଗର ମନୋଭାବ ଦେଖାନ୍ତି । ପ୍ରତ୍ୟେକ ବୈଥେଲରେ ଏପରି ଭାଇଭଉଣୀମାନେ ସେବା କରନ୍ତି, ଯେଉଁମାନେ ଈଶ୍ୱରଙ୍କ ଇଚ୍ଛା ପୂରଣ କରିବା ପାଇଁ ସମର୍ପିତ ଅଟନ୍ତି ଏବଂ ତାଙ୍କ ରାଜ୍ୟ ସହ ଜଡ଼ିତ କାମଗୁଡ଼ିକରେ ନିଜ ପୂରା ସମୟ ଏବଂ ଶକ୍ତି ବ୍ୟବହାର କରନ୍ତି । (ମାଥିଉ ୬:୩୩) ସେମାନଙ୍କ ମଧ୍ୟରୁ କାହାରିକୁ କୌଣସି ଦରମା ମିଳେ ନାହିଁ । କିନ୍ତୁ ସମସ୍ତଙ୍କ ରହିବା ପାଇଁ କୋଠରୀ ଓ ଖାଇବା ପାଇଁ ଦିଆଯାଏ ଏବଂ ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ କିଛି ଭତ୍ତା ଦିଆଯାଏ । ପ୍ରତ୍ୟେକ ସଦସ୍ୟଙ୍କୁ କିଛି ନା କିଛି କାମ ଦିଆଯାଏ । କିଛି ସଦସ୍ୟ ଅଫିସ୍ରେ କାମ କରନ୍ତି ତ କିଛି ରୋଷେଇ ଘରେ, ଖାଇବା ଘରେ, ଛାପାଖାନାରେ ଓ ବହି ବନ୍ଧେଇ କାମରେ । ଏହା ସହିତ, କିଛି ସଦସ୍ୟ କପଡ଼ା ଧୋଇବା, ଯନ୍ତ୍ରପାତିଗୁଡ଼ିକର ମରାମତି, ରକ୍ଷଣାବେକ୍ଷଣ ଓ ସଫେଇ କାମ କରନ୍ତି ।
ଏପରି ଏକ ଜାଗା, ଯେଉଁଠାରେ ରାଜ୍ୟର ପ୍ରଚାର କାମରେ ସହଯୋଗ ଦେବା ପାଇଁ ପ୍ରତ୍ୟେକେ ମନ ଲଗାଇ କାମ କରନ୍ତି । ପ୍ରତ୍ୟେକ ବୈଥେଲର ମୁଖ୍ୟ ଉଦ୍ଦେଶ୍ୟ ହେଉଛି: ଅଧିକରୁ ଅଧିକ ଲୋକଙ୍କ ପାଖକୁ ବାଇବଲର ସତ୍ୟ ପହଞ୍ଚାଇବା । ଏହି ପୁସ୍ତିକା ଏହାର ଏକ ଉଦାହରଣ ଅଟେ । ପ୍ରଥମେ ଏହାକୁ ପ୍ରଶାସନ ଦଳର ନିର୍ଦ୍ଦେଶ ଅନୁସାରେ ଲେଖାଗଲା, ତାʼପରେ ଏହାକୁ ବିଭିନ୍ନ ଭାଷାରେ ଅନୁବାଦ କରିବା ପାଇଁ କମ୍ପ୍ୟୁଟର ସାହାଯ୍ୟରେ ଆମ ଶହ ଶହ ଅନୁବାଦ ଦଳଗୁଡ଼ିକୁ ପଠାଗଲା, ଅନେକ ବୈଥେଲର ଛାପାଖାନାରେ ଅତ୍ୟାଧୁନିକ ଛାପାକଳରେ ମୁଦ୍ରଣ କରାଗଲା ଏବଂ ସେଠାରୁ ୧,୧୦,୦୦୦ରୁ ଅଧିକ ମଣ୍ଡଳୀକୁ ପଠାଗଲା । ପ୍ରକାଶନକୁ ପ୍ରସ୍ତୁତ କରିବା ଏବଂ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ବୈଥେଲ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ହାତ ଥାଏ । ଏହିପରି ଭାବେ ପୂରା ବୈଥେଲ ପରିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ଅର୍ଥାତ୍ ପ୍ରଚାର କାମକୁ ସହଯୋଗ କରନ୍ତି ।—ମାର୍କ ୧୩:୧୦.
ବୈଥେଲରେ କେଉଁମାନେ ସେବା କରନ୍ତି ଏବଂ ସେମାନଙ୍କ ଆବଶ୍ୟକତା କିପରି ପୂରଣ କରାଯାଏ ?
ପ୍ରତ୍ୟେକ ବୈଥେଲରେ କେଉଁ ଗୁରୁତ୍ୱପୂର୍ଣ୍ଣ କାମକୁ ସହଯୋଗ କରାଯାଏ ?
-
-
ଶାଖା କାର୍ଯ୍ୟାଳୟରେ କʼଣ କରାଯାଏ ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୨୨
ଶାଖା କାର୍ଯ୍ୟାଳୟରେ କʼଣ କରାଯାଏ ?
ସୋଲୋମନ ଦ୍ୱୀପ ସମୂହ
କାନାଡ଼ା
ଦକ୍ଷିଣ ଆଫ୍ରିକା
ଶାଖା କାର୍ଯ୍ୟାଳୟ ଗୋଟିଏ କିମ୍ବା ତାʼଠାରୁ ଅଧିକ ଦେଶରେ ଚାଲୁଥିବା ପ୍ରଚାର କାମକୁ ଦେଖାଶୁଣା କରେ । ଏହି କାମକୁ ସାହାଯ୍ୟ କରିବା ପାଇଁ ବୈଥେଲ ପରିବାରର ସଦସ୍ୟମାନେ ଭିନ୍ନ ଭିନ୍ନ ବିଭାଗଗୁଡ଼ିକରେ ସେବା କରନ୍ତି । ସେମାନେ ଅନୁବାଦ କରିବା, ପତ୍ରିକା ଛାପିବା, ବହି ବନ୍ଧେଇ କରିବା, ପ୍ରକାଶନ ଭଣ୍ଡାର ସମ୍ଭାଳିବା, ଅଡିଓ/ଭିଡିଓ ତିଆରି କରିବା, କିମ୍ବା ଶାଖା କାର୍ଯ୍ୟାଳୟ ଅଞ୍ଚଳରେ ଅନ୍ୟାନ୍ୟ ଆବଶ୍ୟକତାଗୁଡ଼ିକର ଧ୍ୟାନ ରଖିବାରେ ସାହାଯ୍ୟ କରନ୍ତି ।
ଶାଖା ସମିତି ସମସ୍ତ କାମର ତତ୍ତ୍ୱାବଧାନ କରେ । ପ୍ରଶାସନ ଦଳ ପ୍ରତ୍ୟେକ ଶାଖା କାର୍ଯ୍ୟାଳୟରେ ହେଉଥିବା କାମର ତତ୍ତ୍ୱାବଧାନ ଶାଖା ସମିତିକୁ ଦିଏ । ଏହି ସମିତି ତିନି କିମ୍ବା ତାʼଠାରୁ ଅଧିକ ଦକ୍ଷ ଏବଂ ଅନୁଭବୀ ପ୍ରାଚୀନମାନଙ୍କୁ ନେଇ ଗଠିତ ହୋଇଥାଏ । ଏହା ନିଜ ଅଞ୍ଚଳରେ ହେଉଥିବା ପ୍ରଚାର କାମ ବିଷୟରେ ପ୍ରଶାସନ ଦଳକୁ ଜଣାଏ । ଯଦି କୌଣସି ସମସ୍ୟା ଦେଖାଦିଏ, ତେବେ ଏହା ବିଷୟରେ ମଧ୍ୟ ସେମାନଙ୍କୁ ଖବର ଦିଏ । ଏହିସବୁ ରିପୋର୍ଟରୁ ପ୍ରଶାସନ ଦଳକୁ ଏହା ନିର୍ଣ୍ଣୟ କରିବା ପାଇଁ ସାହାଯ୍ୟ ମିଳେ ଯେ ଆସନ୍ତା ପ୍ରକାଶନ, ସଭା ଓ ସମ୍ମିଳନୀଗୁଡ଼ିକରେ କେଉଁ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା କରାଯିବା ଉଚିତ୍ । ବିଭିନ୍ନ ଶାଖାଗୁଡ଼ିକର ପରିଦର୍ଶନ କରିବା ଏବଂ ଶାଖା ସମିତିଗୁଡ଼ିକୁ ନିଜ ଦାୟିତ୍ୱ ସମ୍ଭାଳିବା ପାଇଁ ପ୍ରଶାସନ ଦଳ ନିଜ ପ୍ରତିନିଧିମାନଙ୍କୁ ନିୟମିତ ଭାବେ ପଠାଇଥାଏ । (ହିତୋପଦେଶ ୧୧:୧୪) ଏହି ସମୟରେ ସେହି ଶାଖା ଅଞ୍ଚଳରେ ରହୁଥିବା ଲୋକଙ୍କ ଉତ୍ସାହ ବଢ଼ାଇବା ପାଇଁ ଗୋଟିଏ ବିଶେଷ କାର୍ଯ୍ୟକ୍ରମ ରଖାଯାଏ, ଯେଉଁଥିରେ ବିଶ୍ୱ ପ୍ରଶାସନିକ କେନ୍ଦ୍ରର ଜଣେ ପ୍ରତିନିଧିଙ୍କ ଏକ ଭାଷଣ ମଧ୍ୟ ଶୁଶିବାକୁ ମିଳେ ।
ଶାଖା କାର୍ଯ୍ୟାଳୟ ନିଜ ଅଞ୍ଚଳର ମଣ୍ଡଳୀଗୁଡ଼ିକୁ ସହଯୋଗ କରେ । ଯଦି କୌଣସି ନୂଆ ମଣ୍ଡଳୀ ଆରମ୍ଭ କରାଯାଏ, ତେବେ ଶାଖା କାର୍ଯ୍ୟାଳୟରେ ଦାୟିତ୍ୱବାନ ଭାଇମାନେ ଏହାର ମଞ୍ଜୁରି ଦିଅନ୍ତି । ଏହା ସହିତ, ସେମାନେ ଶାଖା ଅଞ୍ଚଳରେ ସେବା କରୁଥିବା ଅଗ୍ରଦୂତ, ମିଶନାରୀ ଏବଂ ସର୍କିଟ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଅନ୍ତି । ସେମାନେ ସମ୍ମିଳନୀ ଓ ଅଧିବେଶନଗୁଡ଼ିକର ଆୟୋଜନ କରନ୍ତି, ନୂଆ ରାଜ୍ୟଘର ନିର୍ମାଣ କାମର ଦେଖାଶୁଣା କରନ୍ତି ଏବଂ ଏହା ମଧ୍ୟ ଧ୍ୟାନ ଦିଅନ୍ତି ଯେ ମଣ୍ଡଳୀଗୁଡ଼ିକର ଆବଶ୍ୟକତା ଅନୁସାରେ ସେମାନଙ୍କ ପାଖକୁ ପ୍ରକାଶନଗୁଡ଼ିକ ପଠାଯାଉ । ଶାଖା କାର୍ଯ୍ୟାଳୟରେ କରାଯାଉଥିବା ପ୍ରତ୍ୟେକ କାମ ଯୋଗୁଁ ପ୍ରଚାର କାମକୁ ଉତ୍ତମ ବ୍ୟବସ୍ଥା ଅନୁସାରେ କରିବା ପାଇଁ ସାହାଯ୍ୟ ମିଳେ ।—୧ କରିନ୍ଥୀୟ ୧୪:୩୩, ୪୦.
ଶାଖା ସମିତି କିପରି ପ୍ରଶାସନ ଦଳକୁ ସହଯୋଗ କରେ ?
ଶାଖା କାର୍ଯ୍ୟାଳୟରେ କʼଣ କʼଣ କାମ କରାଯାଏ ?
-
-
ଆମ ପ୍ରକାଶନଗୁଡ଼ିକୁ କିପରି ଲେଖା ଏବଂ ଅନୁବାଦ କରାଯାଏ ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୨୩
ଆମ ପ୍ରକାଶନଗୁଡ଼ିକୁ କିପରି ଲେଖା ଏବଂ ଅନୁବାଦ କରାଯାଏ ?
ଲିଖନ ବିଭାଗ, ଆମେରିକା
ଦକ୍ଷିଣ କୋରିଆ
ଆର୍ମିନିଆ
ବୁରୁଣ୍ଡି
ଶ୍ରୀଲଙ୍କା
“ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ” “ସୁସମାଚାର” ପ୍ରଚାର କରିବା ପାଇଁ ଆମେ ଯଥାଚେଷ୍ଟା କରିଥାଉ । ସେଥିପାଇଁ ଆମେ ୭୫୦ରୁ ଅଧିକ ଭାଷାରେ ପ୍ରକାଶନଗୁଡ଼ିକୁ ପ୍ରସ୍ତୁତ କରିଥାଉ । (ପ୍ରକାଶିତ ବାକ୍ୟ ୧୪:୬) ଆମେ ଏହି କଷ୍ଟକର କାମକୁ କିପରି କରିପାରୁ ? ପୃଥିବୀର ବିଭିନ୍ନ ଦେଶରେ ରହୁଥିବା ସମର୍ପିତ ଲେଖକ ଓ ଅନୁବାଦକମାନଙ୍କ ଏକ ସମୂହ ଏହି କାମରେ ଆମକୁ ସାହାଯ୍ୟ କରନ୍ତି । ଏମାନେ ସମସ୍ତେ ଯିହୋବାଙ୍କ ସାକ୍ଷୀ ଅଟନ୍ତି ।
ପ୍ରକାଶନଗୁଡ଼ିକୁ ସର୍ବପ୍ରଥମେ ଇଂରାଜୀରେ ପ୍ରସ୍ତୁତ କରାଯାଏ । ପ୍ରଶାସନ ଦଳ ଲିଖନ ବିଭାଗର କାମକୁ ଦେଖାଶୁଣା କରେ । ଏହି ବିଭାଗ ଆମ ବିଶ୍ୱ ପ୍ରଶାସନିକ କେନ୍ଦ୍ରରେ ଅଛି । କେଉଁ ଲେଖକକୁ କେଉଁ ବିଷୟରେ ଲେଖିବା ପାଇଁ କୁହାଯିବ, ଏହି ବିଭାଗ ସ୍ଥିର କରେ । କିଛି ଲେଖକ ବିଶ୍ୱ ପ୍ରଶାସନିକ କେନ୍ଦ୍ରରେ ଏବଂ ଆଉ କିଛି ଶାଖା କାର୍ଯ୍ୟାଳୟଗୁଡ଼ିକରେ ସେବା କରନ୍ତି । ଆମ ଲେଖକମାନେ ଭିନ୍ନ ଭିନ୍ନ ଦେଶର ଅଟନ୍ତି । ସେଥିପାଇଁ ଆମେ ଏପରି ବିଷୟଗୁଡ଼ିକ ଉପରେ ଲେଖିପାରୁ, ଯାହା ପ୍ରତ୍ୟେକ ସଂସ୍କୃତି, ଦେଶ ଏବଂ ଭାଷାର ଲୋକମାନଙ୍କ ହୃଦୟକୁ ସ୍ପର୍ଶ କରିଥାଏ ।
ପ୍ରକାଶନଗୁଡ଼ିକୁ ଅନୁବାଦକମାନଙ୍କ ପାଖକୁ ପଠାଯାଏ । ପ୍ରକାଶନଗୁଡ଼ିକ ପ୍ରସ୍ତୁତ ହେବା ପରେ ତାକୁ ପଢ଼ାଯାଏ, ତାʼପରେ ସେଥିରେ ଜରୁରୀ ସଂଶୋଧନ କରାଯାଏ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ମଞ୍ଜୁରି ଦିଆଯାଏ । ଏହା ପରେ ତାକୁ କମ୍ପ୍ୟୁଟର ସାହାଯ୍ୟରେ ଭିନ୍ନ ଭିନ୍ନ ଅଞ୍ଚଳରେ ଥିବା ଅନୁବାଦ ଦଳଗୁଡ଼ିକୁ ପଠାଯାଏ, ଯେଉଁମାନେ ତାକୁ ନିଜ ଭାଷାରେ ଅନୁବାଦ କରନ୍ତି । ସେମାନେ ସବୁବେଳେ ସଠିକ୍ ଶବ୍ଦଗୁଡ଼ିକୁ ବ୍ୟବହାର କରିବା ପାଇଁ ଚେଷ୍ଟା କରିଥାʼନ୍ତି, ଯାହାଦ୍ୱାରା ଇଂରାଜୀରେ କୁହାଯାଇଥିବା ବିଷୟର ସମ୍ପୂର୍ଣ୍ଣ ଅର୍ଥ ନିଜ ଭାଷାରେ ଦେଇପାରନ୍ତି ।—ଉପଦେଶକ ୧୨:୧୦.
କମ୍ପ୍ୟୁଟର ସାହାଯ୍ୟରେ କାମ ଶୀଘ୍ର ହୁଏ । କମ୍ପ୍ୟୁଟର କେବେ ମଧ୍ୟ ମଣିଷ ଭଳି ଲେଖି ଏବଂ ଅନୁବାଦ କରିପାରିବ ନାହିଁ । କିନ୍ତୁ ଏହା ସେମାନଙ୍କ କାମକୁ ନିଶ୍ଚୟ ସରଳ କରିଦିଏ । କାରଣ ଏଥିରେ ଗବେଷଣା କରିବା ପାଇଁ ଅନେକ ପ୍ରୋଗ୍ରାମ୍ ଏବଂ ଶବ୍ଦକୋଷ ଥାଏ, ଯାହା ସାହାଯ୍ୟରେ ସେମାନେ ଏହି କାମ ଶୀଘ୍ର କରିପାରନ୍ତି । ଯିହୋବାଙ୍କ ସାକ୍ଷୀମାନେ ମଲ୍ଟିଲାଙ୍ଗୁଏଜ୍ ଇଲେକ୍ଟ୍ରୋନିକ୍ ପବ୍ଲିସିଙ୍ଗ୍ ସିଷ୍ଟମ୍ (MEPS) ନାମକ ଏକ କମ୍ପ୍ୟୁଟର ପ୍ରୋଗ୍ରାମ୍ ପ୍ରସ୍ତୁତ କରିଛନ୍ତି । ଏହି ପ୍ରୋଗ୍ରାମ୍ ସାହାଯ୍ୟରେ ପ୍ରକାଶନଗୁଡ଼ିକୁ ଶହ ଶହ ଭାଷାରେ ଟାଇପ୍ କରିପାରନ୍ତି, ଚିତ୍ରଗୁଡ଼ିକୁ ସୁନ୍ଦର ଭାବରେ ବସାଇପାରନ୍ତି ଏବଂ ତାକୁ ଛାପିବା ପାଇଁ ପ୍ରସ୍ତୁତ କରିପାରନ୍ତି ।
ଆମେ ଏତେ ପରିଶ୍ରମ କାହିଁକି କରୁ, ଏପରିକି ସେହି ଭାଷାଗୁଡ଼ିକ ପାଇଁ ମଧ୍ୟ ଯେଉଁଗୁଡ଼ିକୁ ମାତ୍ର କିଛି ହଜାର ଲୋକ କହନ୍ତି ? କାରଣ ଏହା ଯିହୋବାଙ୍କ ଇଚ୍ଛା ଯେ “ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି ।”—୧ ତୀମଥି ୨:୩, ୪.
ଆମ ପ୍ରକାଶନଗୁଡ଼ିକୁ ଲେଖିବାରେ କʼଣ କʼଣ ସାମିଲ୍ ଅଛି ?
ଆମେ ଏତେଗୁଡ଼ିଏ ଭାଷାରେ ଆମ ପ୍ରକାଶନଗୁଡ଼ିକର ଅନୁବାଦ କାହିଁକି କରିଥାଉ ?
-
-
ସାରା ପୃଥିବୀରେ ଚାଲୁଥିବା ଆମ କାମ ପାଇଁ ପଇସା କେଉଁଠୁ ଆସେ ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୨୪
ସାରା ପୃଥିବୀରେ ଚାଲୁଥିବା ଆମ କାମ ପାଇଁ ପଇସା କେଉଁଠୁ ଆସେ ?
ନେପାଳ
ଟୋଗୋ
ବ୍ରିଟେନ୍
ଆମ ସଂଗଠନ ପ୍ରତିବର୍ଷ ଲକ୍ଷ ଲକ୍ଷ ବାଇବଲ ଏବଂ ଅନ୍ୟାନ୍ୟ ପ୍ରକାଶନ ଛାପି ବିନା ମୂଲ୍ୟରେ ଲୋକଙ୍କ ପାଖକୁ ପଠାଏ । ଆମେ ରାଜ୍ୟଘର ଏବଂ ଶାଖା କାର୍ଯ୍ୟାଳୟଗୁଡ଼ିକର ନିର୍ମାଣ କରୁ ଏବଂ ସେଗୁଡ଼ିକର ରକ୍ଷଣାବେକ୍ଷଣ ମଧ୍ୟ କରୁ । ଆମେ ବୈଥେଲ ପରିବାରର ହଜାର ହଜାର ସଦସ୍ୟ ଏବଂ ମିଶନାରୀମାନଙ୍କ ଖର୍ଚ୍ଚ ଉଠାଇଥାଉ ଏବଂ ବିପତ୍ତି ସମୟରେ ଭାଇଭଉଣୀଙ୍କୁ ସାହାଯ୍ୟ କରିଥାଉ । ତେଣୁ ଆପଣ ଭାବିପାରନ୍ତି, ‘ଏହିସବୁ କାମ ପାଇଁ ପଇସା କେଉଁଠୁ ଆସେ ?’
ଆମେ ନା କେବେ ରୋଜଗାରର ଦଶମାଂଶ ମାଗୁ, ନା ଥଳି ବୁଲାଇ ଚାନ୍ଦା ମାଗୁ । ଏହା ସତ ଯେ ରାଜ୍ୟର ପ୍ରଚାର କାମରେ ବହୁତ ଖର୍ଚ୍ଚ ହୋଇଥାଏ । ତଥାପି ଆମେ କାହାରିକୁ ପଇସା ମାଗି ନ ଥାଉ । ଆଜିଠାରୁ ପ୍ରାୟ ଶହେ ବର୍ଷ ପୂର୍ବେ ପ୍ରହରୀଦୁର୍ଗ ପତ୍ରିକାର ଦ୍ୱିତୀୟ ସଂସ୍କରଣରେ କୁହାଯାଇଥିଲା—ଆମର ପୂରା ବିଶ୍ୱାସ ଅଛି ଯେ ଯିହୋବା ଆମ ସହିତ ଅଛନ୍ତି ଏବଂ ଆମେ ‘ମଣିଷମାନଙ୍କ ଆଗରେ କେବେ ମଧ୍ୟ ହାତ ପାତି ମାଗିବୁ ନାହିଁ, କି ସାହାଯ୍ୟ ପାଇଁ ସେମାନଙ୍କୁ ଅନୁରୋଧ କରିବୁ ନାହିଁ ।’ ଆଜି ପର୍ଯ୍ୟନ୍ତ ଆମକୁ ଏପରି କରିବାର ଆବଶ୍ୟକତା କେବେ ମଧ୍ୟ ହୋଇ ନାହିଁ ।—ମାଥିଉ ୧୦:୮.
ଆମ କାମ ସ୍ୱେଚ୍ଛାରେ ଦିଆଯାଉଥିବା ଦାନ ଦ୍ୱାରା ଚାଲେ । ଅନେକ ଲୋକ ବାଇବଲରୁ ଦିଆଯାଉଥିବା ଆମ ଶିକ୍ଷାକୁ ପ୍ରଶଂସା କରନ୍ତି ଏବଂ ନିଜ ଇଚ୍ଛାରେ ଏହି କାମ ପାଇଁ ଦାନ ଦିଅନ୍ତି । ସାରା ପୃଥିବୀରେ ଯିହୋବାଙ୍କ ସାକ୍ଷୀମାନେ ଖୁସିର ସହିତ ନିଜ ସମୟ, ଶକ୍ତି, ସମ୍ପତ୍ତି ଏବଂ ସବୁକିଛି ଈଶ୍ୱରଙ୍କ ଇଚ୍ଛା ପୂରା କରିବାରେ ଲଗାନ୍ତି । (୧ ବଂଶାବଳୀ ୨୯:୯) ରାଜ୍ୟଘରେ ଏବଂ ଆମ ସମ୍ମିଳନୀ ଓ ଅଧିବେଶନଗୁଡ଼ିକରେ ଦାନ ବାକ୍ସଗୁଡ଼ିକ ରଖାଯାଏ । ସେଥିରେ ଯିଏ ନିଜ ଇଚ୍ଛାରେ ଦାନ ଦେବା ପାଇଁ ଚାହିଁବେ, ସେ ଦେଇପାରିବେ । କିମ୍ବା ଆମ ୱେବ୍ସାଇଟ୍ jw.org ମାଧ୍ୟମରେ ମଧ୍ୟ ଦାନ ଦିଆଯାଇପାରିବ । ସାଧାରଣତଃ, ଯେଉଁମାନେ ଦାନ ଦିଅନ୍ତି, ସେମାନେ ଧନୀ ହୋଇ ନ ଥାʼନ୍ତି । ଠିକ୍ ସେହି ବିଧବା ଭଳି, ଯିଏ ମନ୍ଦିରରେ ଦାନ ପାତ୍ରରେ କେବଳ ଦୁଇଟି ଛୋଟ ମୁଦ୍ରା ଦେଇଥିଲେ ଏବଂ ଯାହାକୁ ଯୀଶୁ ପ୍ରଶଂସା କରିଥିଲେ । (ଲୂକ ୨୧:୧-୪) ତେଣୁ କେହି ମଧ୍ୟ, ଏପରିକି ସେ ଗରିବ ହୋଇଥାଉ ନା କାହିଁକି, ନିୟମିତ “କିଛି ସଞ୍ଚୟ କରି” ଅଲଗା ରଖିପାରିବ । ଏହାଦ୍ୱାରା ସେ “ଆପଣା ହୃଦୟରେ ଯେପରି ସଂକଳ୍ପ କରିଅଛି,” ସେତିକି ଦାନ ଦେଇପାରିବ ।—୧ କରିନ୍ଥୀୟ ୧୬:୨; ୨ କରିନ୍ଥୀୟ ୯:୭.
ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ‘ଆପଣା ଧନରେ ଯିହୋବାଙ୍କର ଆଦର’ କରିବାକୁ ଚାହାନ୍ତି । (ହିତୋପଦେଶ ୩:୯) ଆମେ ନିଶ୍ଚିତ ଯେ ଯିହୋବା ଏହି ଲୋକମାନଙ୍କ ହୃଦୟକୁ ପ୍ରେରଣା ଦେବେ, ଯାହାଦ୍ୱାରା ରାଜ୍ୟର କାମକୁ ସହଯୋଗ ମିଳିବ ଏବଂ ତାଙ୍କ ଇଚ୍ଛା ପୂରଣ ହୋଇପାରିବ ।
ଆମ ସଂଗଠନ କିପରି ଅନ୍ୟ ଧର୍ମଗୁଡ଼ିକଠାରୁ ଭିନ୍ନ ଅଟେ ?
ସ୍ୱେଚ୍ଛାରେ ଦିଆଯାଉଥିବା ଦାନକୁ କିପରି ବ୍ୟବହାର କରାଯାଏ ?
-
-
ରାଜ୍ୟଘରଗୁଡ଼ିକର ନିର୍ମାଣ କାହିଁକି ଏବଂ କିପରି କରାଯାଏ ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୨୫
ରାଜ୍ୟଘରଗୁଡ଼ିକର ନିର୍ମାଣ କାହିଁକି ଏବଂ କିପରି କରାଯାଏ ?
ବୋଲିଭିଆ
ନାଇଜେରିଆ, ପୂର୍ବରୁ ଏବଂ ପରେ
ତାହିତୀ
ରାଜ୍ୟଘର ନାମରୁ ଜଣାପଡ଼େ ଯେ ଏଠାରେ ବାଇବଲରୁ ଯେଉଁ ଶିକ୍ଷା ଦିଆଯାଏ, ତାହାର ମୁଖ୍ୟ ବିଷୟ ଈଶ୍ୱରଙ୍କ ରାଜ୍ୟ ଅଟେ । ଏହା ଯୀଶୁଙ୍କ ପ୍ରଚାରର ମଧ୍ୟ ମୁଖ୍ୟ ବିଷୟ ଥିଲା ।—ଲୂକ ୮:୧.
ଏହା ସମାଜରେ ସତ୍ୟ ଉପାସନାର କେନ୍ଦ୍ର ଅଟେ । ଏଠାରୁ ଯିହୋବାଙ୍କ ସାକ୍ଷୀମାନେ ନିଜ ଅଞ୍ଚଳରେ ବ୍ୟବସ୍ଥିତ ଭାବେ ସୁସମାଚାର ପ୍ରଚାର କରିପାରନ୍ତି । (ମାଥିଉ ୨୪:୧୪) ରାଜ୍ୟଘରଗୁଡ଼ିକର ଆକାର ଛୋଟବଡ଼ ହୋଇପାରେ ଏବଂ ନକ୍ସା ମଧ୍ୟ ଭିନ୍ନ ଭିନ୍ନ ହୋଇପାରେ । କିନ୍ତୁ ଏଗୁଡ଼ିକ ଦେଖିବାକୁ ସାଧାରଣ ହୋଇଥାଏ ଏବଂ ଅନେକ ରାଜ୍ୟଘରେ ସଭା ପାଇଁ ଗୋଟିଏରୁ ଅଧିକ ମଣ୍ଡଳୀ ଏକାଠି ହୁଅନ୍ତି । ଗତ କିଛି ବର୍ଷ ହେଲା, ଆମେ ସାରା ପୃଥିବୀରେ ହଜାର ହଜାର ନୂଆ ରାଜ୍ୟଘର (ପ୍ରତିଦିନ ହାରାହାରି ୫ଟି ରାଜ୍ୟଘର) ନିର୍ମାଣ କରିଛୁ । କାରଣ ଯେପରି ଭାବରେ ମଣ୍ଡଳୀଗୁଡ଼ିକର ଓ ପ୍ରଚାରକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ସେମାନଙ୍କ ଏକତ୍ରିତ ହେବା ପାଇଁ ଜାଗା ହୋଇପାରିବ । ତେବେ ଏତେଗୁଡ଼ିଏ ରାଜ୍ୟଘରଗୁଡ଼ିକର ନିର୍ମାଣ କିପରି ସମ୍ଭବ ହୋଇପାରିଛି ?—ମାଥିଉ ୧୯:୨୬.
ଏହାର ନିର୍ମାଣ ଏକ କେନ୍ଦ୍ରୀୟ ପାଣ୍ଠିକୁ ପଠାଯାଇଥିବା ଦାନରୁ କରାଯାଏ । ଏହି ଦାନ ଶାଖା କାର୍ଯ୍ୟାଳୟକୁ ପଠାଇ ଦିଆଯାଏ । ଏହାଦ୍ୱାରା ଯେଉଁ ମଣ୍ଡଳୀଗୁଡ଼ିକୁ ନୂଆ ରାଜ୍ୟଘରର ଆବଶ୍ୟକତା ରହିଛି, କିମ୍ବା ଯେଉଁମାନଙ୍କୁ ନିଜ ରାଜ୍ୟଘରର ମରାମତି କରିବାକୁ ହୁଏ, ସେମାନଙ୍କୁ ବିନା ସୁଧରେ ପଇସା ଦିଆଯାଏ ।
ଏହାର ନିର୍ମାଣ ସମାଜର ଭିନ୍ନ ଭିନ୍ନ ଶ୍ରେଣୀରୁ ଆସିଥିବା ସ୍ୱେଚ୍ଛାସେବକମାନେ କରନ୍ତି, ଯେଉଁମାନଙ୍କୁ କୌଣସି ଦରମା ମିଳେ ନାହିଁ । ଅନେକ ଦେଶରେ ରାଜ୍ୟଘର ନିର୍ମାଣ ସମୂହ ଗଠନ କରାଯାଇଛି । ନିର୍ମାଣ ସେବକମାନଙ୍କ ଦଳ ଓ ଅନ୍ୟ ସ୍ୱେଚ୍ଛାସେବକମାନେ ନିଜ ଦେଶରେ ହିଁ ଗୋଟିଏ ମଣ୍ଡଳୀରୁ ଅନ୍ୟ ମଣ୍ଡଳୀକୁ ଯାଇ ରାଜ୍ୟଘର ନିର୍ମାଣ କରିବାରେ ସାହାଯ୍ୟ କରନ୍ତି । ଦରକାର ପଡ଼ିଲେ ସେମାନେ ଦୂରଦୂରାନ୍ତର ଅଞ୍ଚଳକୁ ମଧ୍ୟ ଯାଆନ୍ତି । କେତେକ ଦେଶରେ ଯୋଗ୍ୟ ସାକ୍ଷୀମାନଙ୍କୁ ନିଯୁକ୍ତ କରାଯାଏ, ଯେଉଁମାନଙ୍କୁ ଗୋଟିଏ ଅଞ୍ଚଳ ଦିଆଯାଏ ଏବଂ ସେମାନେ ସେହି ଅଞ୍ଚଳରେ ରାଜ୍ୟଘର ନିର୍ମାଣ ଓ ମରାମତି କରିବାରେ ଦେଖାଶୁଣା କରନ୍ତି । ଏହା ସତ ଯେ ପ୍ରତ୍ୟେକ ନିର୍ମାଣ ଜାଗାରେ ନିର୍ମାଣ ସମୂହର ଅନେକ ଦକ୍ଷ କାରିଗର ଖୁସିର ସହିତ ଆସି ଏହି କାମରେ ସାହାଯ୍ୟ କରନ୍ତି, କିନ୍ତୁ ଅଧିକାଂଶ ପରିଶ୍ରମ ମଣ୍ଡଳୀର ଭାଇଭଉଣୀମାନେ କରିଥାʼନ୍ତି । ଯିହୋବାଙ୍କ ପବିତ୍ର ଶକ୍ତି ଓ ତାଙ୍କ ଲୋକମାନଙ୍କ ମନ-ପ୍ରାଣର ସହିତ କରାଯାଇଥିବା ପରିଶ୍ରମ ଦ୍ୱାରା ହିଁ ଏହା ସମ୍ଭବ ହେଉଛି ।—ଗୀତସଂହିତା ୧୨୭:୧; କଲସୀୟ ୩:୨୩.
ଆମ ଉପାସନାର ଜାଗାଗୁଡ଼ିକୁ ରାଜ୍ୟଘର କାହିଁକି କୁହାଯାଏ ?
ସାରା ଦୁନିଆରେ ଏତେଗୁଡ଼ିଏ ରାଜ୍ୟଘରର ନିର୍ମାଣ କିପରି ସମ୍ଭବ ହୋଇପାରୁଛି ?
-
-
ରାଜ୍ୟଘରକୁ ଭଲ ସ୍ଥିତିରେ ରଖିବା ପାଇଁ ଆମେ କʼଣ କରିପାରିବା ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୨୬
ରାଜ୍ୟଘରକୁ ଭଲ ସ୍ଥିତିରେ ରଖିବା ପାଇଁ ଆମେ କʼଣ କରିପାରିବା ?
ଏଷ୍ଟୋନିଆ
ଜିମ୍ବାୱେ
ମଙ୍ଗୋଲିଆ
ପ୍ୟୁର୍ଟୋ ରିକୋ
ଯିହୋବାଙ୍କ ସାକ୍ଷୀମାନଙ୍କ ପ୍ରତ୍ୟେକ ରାଜ୍ୟଘର ଈଶ୍ୱରଙ୍କ ପବିତ୍ର ନାମ ସହିତ ଜଡ଼ିତ ଅଛି । ସେଥିପାଇଁ ଏହି ଘରକୁ ସଫାସୁତୁରା, ସୁନ୍ଦର ଏବଂ ଭଲ ସ୍ଥିତିରେ ରଖିବା କେବଳ ଆମ ପାଇଁ ସମ୍ମାନର ବିଷୟ ନୁହେଁ, ବରଂ ଏହା ଆମ ପବିତ୍ର ଉପାସନାର ଏକ ଗୁରୁତ୍ୱପୂର୍ଣ୍ଣ ଭାଗ ମଧ୍ୟ ଅଟେ । ଏହି କାମରେ ଆମେ ସମସ୍ତେ ଭାଗ ନେଇପାରିବା ।
ସଭା ପରେ ସଫେଇ କାମରେ ଭାଗ ନେଇପାରିବା । ରାଜ୍ୟଘରକୁ ସଫାସୁତୁରା ରଖିବା ପାଇଁ ପ୍ରତ୍ୟେକ ସଭା ପରେ ଭାଇଭଉଣୀମାନେ ଖୁସିର ସହିତ ରାଜ୍ୟଘରର ସଫେଇ କରନ୍ତି । ସପ୍ତାହରେ ଥରେ ରାଜ୍ୟଘରକୁ ଭଲ ଭାବରେ ସଫା କରାଯାଏ । ଏହି ସଫେଇର ଦେଖାଶୁଣା ଜଣେ ପ୍ରାଚୀନ କିମ୍ବା ସହାୟକ ସେବକ କରନ୍ତି । ସାଧାରଣତଃ, ସଫେଇ କାର୍ଯ୍ୟସୂଚୀ ଦେଖି ସେ କହନ୍ତି ଯେ କʼଣ କʼଣ କରାଯିବା ଉଚିତ୍ । ଆବଶ୍ୟକତା ଅନୁସାରେ ଭାଇଭଉଣୀମାନେ ବିଭିନ୍ନ କାମରେ ସାହାଯ୍ୟ କରନ୍ତି, ଯେପରି ଝାଡ଼ୁ କରିବା, ପୋଛା ଲଗାଇବା, ଆସବାବପତ୍ରରୁ ଧୂଳି ଝାଡ଼ିବା, ଚୌକିଗୁଡ଼ିକୁ ସଜାଇ ରଖିବା, ଶୌଚାଗାର ସଫା କରିବା, ଝରକା ଓ କାଚଗୁଡ଼ିକ ପୋଛିବା, ଅଳିଆକୁ ଠିକ୍ ଜାଗାରେ ପକାଇବା, ବାହାରପଟ ସଫା କରିବା, ଗଛଲତାରେ ପାଣି ଦେବା ଇତ୍ୟାଦି । ପ୍ରତିବର୍ଷ ଅତି କମ୍ରେ ଥରେ ରାଜ୍ୟଘରର ସମ୍ପୂର୍ଣ୍ଣ ସଫେଇ କରାଯାଏ ଅର୍ଥାତ୍ ଭିତର-ବାହାର ଭଲ ଭାବେ ସଫା କରାଯାଏ । ଆମ ପିଲାମାନଙ୍କୁ ସଫେଇ କାମରେ ସାମିଲ୍ କରିବା ଦ୍ୱାରା ଆମେ ସେମାନଙ୍କୁ ଆମ ଉପାସନାର ଜାଗାର ଆଦର କରିବା ଶିଖାଇଥାଉ ।—ଉପଦେଶକ ୫:୧.
ଜରୁରୀ ମରାମତି କାମରେ ଭାଗ ନେଇପାରିବା । ପ୍ରତିବର୍ଷ ରାଜ୍ୟଘରର ଭିତର-ବାହାର ଟିକିନିଖି ଭାବେ ଯାଞ୍ଚ କରାଯାଏ । ଏହି ଯାଞ୍ଚର ଆଧାରରେ ରାଜ୍ୟଘରର ନିୟମିତ ଭାବେ ରକ୍ଷଣାବେକ୍ଷଣ କରାଯାଏ, ଯାହାଦ୍ୱାରା ରାଜ୍ୟଘରକୁ ଭଲ ସ୍ଥିତିରେ ରଖାଯାଇପାରେ ଏବଂ ଅଯଥା ଖର୍ଚ୍ଚ ହୁଏ ନାହିଁ । (୨ ବଂଶାବଳୀ ୨୪:୧୩; ୩୪:୧୦) ସଫାସୁତୁରା ଓ ଭଲ ସ୍ଥିତିରେ ଥିବା ରାଜ୍ୟଘର ଈଶ୍ୱରଙ୍କ ଉପାସନା ପାଇଁ ଏକ ଉପଯୁକ୍ତ ଜାଗା ଅଟେ । ରାଜ୍ୟଘରର ରକ୍ଷଣାବେକ୍ଷଣରେ ଭାଗ ନେବା ଦ୍ୱାରା ଆମେ ଦେଖାଉ ଯେ ଆମେ ଯିହୋବାଙ୍କୁ ପ୍ରେମ କରୁ ଏବଂ ଆମ ଉପାସନାର ଜାଗାକୁ ଆଦର କରୁ । (ଗୀତସଂହିତା ୧୨୨:୧) ଏହା ସହିତ, ଆମ ଆଖପାଖ ଅଞ୍ଚଳର ଲୋକମାନଙ୍କ ଉପରେ ମଧ୍ୟ ଏହାର ଭଲ ପ୍ରଭାବ ପଡ଼ିଥାଏ ।—୨ କରିନ୍ଥୀୟ ୬:୩.
ଆମ ଉପାସନା ଜାଗାର ରକ୍ଷଣାବେକ୍ଷଣ ପ୍ରତି ଆମକୁ କାହିଁକି ଅବହେଳା କରିବା ଉଚିତ୍ ନୁହେଁ ?
ରାଜ୍ୟଘରକୁ ସଫାସୁତୁରା ରଖିବା ପାଇଁ କʼଣ କʼଣ ବ୍ୟବସ୍ଥା କରାଯାଏ ?
-
-
ରାଜ୍ୟଘରର ଲାଇବ୍ରେରୀରୁ ଆମେ କିପରି ଲାଭ ପାଇପାରିବା ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୨୭
ରାଜ୍ୟଘରର ଲାଇବ୍ରେରୀରୁ ଆମେ କିପରି ଲାଭ ପାଇପାରିବା ?
ଇସ୍ରାଏଲ
ଚେକ୍ ରିପବ୍ଲିକ୍
ବେନିନ୍
କେମେନ ଦ୍ୱୀପ-ସମୂହ
ଆପଣ ବାଇବଲ ବିଷୟରେ ନିଜ ଜ୍ଞାନ ବଢ଼ାଇବା ପାଇଁ କିଛି ଗବେଷଣା କରିବାକୁ ଚାହିଁବେ କି ? ଆପଣ କʼଣ ବାଇବଲର କୌଣସି ପଦ କିମ୍ବା ସେଥିରେ ଦିଆଯାଇଥିବା କୌଣସି ବ୍ୟକ୍ତି, ଜାଗା, କିମ୍ବା ଜିନିଷ ବିଷୟରେ ଆହୁରି ଅଧିକ ଜାଣିବାକୁ ଇଚ୍ଛା କରନ୍ତି କି ? କିମ୍ବା କେବେ ଭାବିଛନ୍ତି ଯେ ଆପଣ ଯେଉଁ ସମସ୍ୟାର ସାମନା କରୁଛନ୍ତି, ତାକୁ ସମାଧାନ କରିବା ପାଇଁ ଈଶ୍ୱରଙ୍କ ବାକ୍ୟ ଆପଣଙ୍କୁ କିପରି ସାହାଯ୍ୟ କରିପାରିବ ? ଯଦି ହଁ, ତେବେ ଆପଣ ରାଜ୍ୟଘରର ଲାଇବ୍ରେରୀର ବ୍ୟବହାର କରନ୍ତୁ ।
ଏଠାରେ ଅନେକ ପ୍ରକାଶନ ଅଛି, ଯାହା ଗବେଷଣା କରିବାରେ ସାହାଯ୍ୟ କରେ । ବୋଧହୁଏ ଯିହୋବାଙ୍କ ସାକ୍ଷୀମାନଙ୍କ ଯେତେ ବି ପ୍ରକାଶନ ଆପଣଙ୍କ ଭାଷାରେ ଅଛି, ସେସବୁ ଆପଣଙ୍କ ପାଖରେ ନ ଥାଇପାରେ । କିନ୍ତୁ ନିକଟ ଅତୀତରେ ପ୍ରକାଶିତ ହୋଇଥିବା ପ୍ରାୟ ସମସ୍ତ ପ୍ରକାଶନ ଆପଣଙ୍କୁ ରାଜ୍ୟଘରର ଲାଇବ୍ରେରୀରେ ମିଳିବ । ଏହା ଛଡ଼ା, ଲାଇବ୍ରେରୀରେ ହୁଏତ ବାଇବଲର ଭିନ୍ନ ଭିନ୍ନ ଅନୁବାଦ, ଗୋଟିଏ ଭଲ ଶବ୍ଦକୋଷ ଏବଂ ଗବେଷଣା କରିବା ପାଇଁ ସାହାଯ୍ୟ କରୁଥିବା ଅନ୍ୟ କିଛି ବହିଗୁଡ଼ିକ ମଧ୍ୟ ଥାଇପାରେ । ଆପଣ ସଭା ପୂର୍ବରୁ କିମ୍ବା ପରେ ବିନା ସଂକୋଚରେ ଲାଇବ୍ରେରୀର ବ୍ୟବହାର କରିପାରିବେ । ଯଦି ଆପଣଙ୍କ ରାଜ୍ୟଘରେ କମ୍ପ୍ୟୁଟର ଅଛି, ତେବେ ସେଥିରେ ୱାଚ୍ଟାୱର ଲାଇବ୍ରେରୀ ମଧ୍ୟ ଥିବ । ଏହା ଏକ ପ୍ରକାର କମ୍ପ୍ୟୁଟର ପ୍ରୋଗ୍ରାମ୍ ଅଟେ, ଯେଉଁଥିରେ ଆପଣଙ୍କୁ ବହୁତଗୁଡ଼ିଏ ପ୍ରକାଶନ ମିଳିବ । ଏଥିରେ କୌଣସି ବିଷୟରେ ଖୋଜିବା ପାଇଁ ଏପରି ସୁବିଧା ଅଛି, ଯାହା ସାହାଯ୍ୟରେ ଆପଣ ସହଜରେ ଯେକୌଣସି ବିଷୟ, ଶବ୍ଦ କିମ୍ବା ବାଇବଲ ପଦ ଉପରେ ଗବେଷଣା କରିପାରିବେ ।
ଜୀବନ ଏବଂ ସେବା ସଭାର ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ଲାଭଦାୟକ ଅଟେ । ଆପଣ ନିଜ ଭାଗ ପ୍ରସ୍ତୁତି କରିବା ସମୟରେ ରାଜ୍ୟଘରର ଲାଇବ୍ରେରୀର ଭଲ ବ୍ୟବହାର କରିପାରିବେ । ଜୀବନ ଏବଂ ସେବା ସଭାର ଅଧ୍ୟକ୍ଷ ଏହି ଲାଇବ୍ରେରୀର ଦାୟିତ୍ୱ ତୁଲାଇଥାʼନ୍ତି । ଲାଇବ୍ରେରୀରେ ନୂଆ ପ୍ରକାଶନଗୁଡ଼ିକ ଅଛି କି ନାହିଁ ଏବଂ ସେଗୁଡ଼ିକ ଭଲଭାବରେ ସଜାଇ ରଖାଯାଇଛି କି ନାହିଁ, ତାʼ ପ୍ରତି ସେ ଧ୍ୟାନ ଦିଅନ୍ତି । ଏହି ଅଧ୍ୟକ୍ଷ କିମ୍ବା ଆପଣଙ୍କ ବାଇବଲ ଶିକ୍ଷକ ଆପଣଙ୍କୁ ଦେଖାଇପାରିବେ ଯେ ଆପଣ ଯେଉଁ ତଥ୍ୟ ଚାହୁଁଛନ୍ତି, ତାହା କିପରି ଖୋଜିବେ । କିନ୍ତୁ ଲାଇବ୍ରେରୀର ବହିଗୁଡ଼ିକ କେବଳ ରାଜ୍ୟଘରେ ବ୍ୟବହାର କରିବା ପାଇଁ ଅଟେ, ସେଗୁଡ଼ିକୁ ବାହାରକୁ ନେବା ଉଚିତ୍ ନୁହେଁ । ଏହି ବହିଗୁଡ଼ିକର ବ୍ୟବହାର ଆମକୁ ସାବଧାନର ସହିତ କରିବା ଉଚିତ୍ ଏବଂ ଏଗୁଡ଼ିକରେ କୌଣସି ଚିହ୍ନ ଦେବା କିମ୍ବା ଲେଖିବା ଉଚିତ୍ ନୁହେଁ ।
ବାଇବଲ କହେ ଯେ “ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ” ପାଇବା ପାଇଁ ଆମେ ତାହାକୁ ଏପରି ଖୋଜିବା ଉଚିତ୍, ସତେ ଯେପରି ଆମେ କୌଣସି “ପୋତା-ଧନ” ଖୋଜୁଅଛୁ । (ହିତୋପଦେଶ ୨:୧-୫) ଏହି ଗବେଷଣା ଆରମ୍ଭ କରିବାରେ ରାଜ୍ୟଘରର ଲାଇବ୍ରେରୀ ଆପଣଙ୍କୁ ସାହାଯ୍ୟ କରିପାରିବ ।
ରାଜ୍ୟଘରର ଲାଇବ୍ରେରୀରେ କʼଣ କʼଣ ରହିଛି, ଯାହା ଆପଣଙ୍କୁ ଗବେଷଣା କରିବାରେ ସାହାଯ୍ୟ କରିବ ?
ଲାଇବ୍ରେରୀକୁ ଭଲ ଭାବେ ବ୍ୟବହାର କରିବା ପାଇଁ କିଏ ଆପଣଙ୍କୁ ସାହାଯ୍ୟ କରିପାରିବ ?
-
-
ଆମ ୱେବ୍ସାଇଟ୍ରେ କʼଣ ମିଳିପାରିବ ?ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
-
-
ପାଠ ୨୮
ଆମ ୱେବ୍ସାଇଟ୍ରେ କʼଣ ମିଳିପାରିବ ?
ଫ୍ରାନ୍ସ
ପୋଲାଣ୍ଡ
ରୁଷିଆ
ଯୀଶୁ ଖ୍ରୀଷ୍ଟ ନିଜ ଶିଷ୍ୟମାନଙ୍କୁ କହିଲେ: “ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ।” (ମାଥିଉ ୫:୧୬) ଏପରି କରିବା ପାଇଁ ଆମେ ଆଜିର ଆଧୁନିକ ପ୍ରୟୋଗ-ବିଜ୍ଞାନର ସମ୍ପୂର୍ଣ୍ଣ ଲାଭ ଉଠାଇଥାଉ । ସେମଧ୍ୟରୁ ଗୋଟିଏ ହେଉଛି—ଇଣ୍ଟର୍ନେଟ୍ । ଆମ ଅଫିସିଅଲ୍ ୱେବ୍ସାଇଟ୍, jw.orgରେ ଆମର ଅର୍ଥାତ୍ ଯିହୋବାଙ୍କ ସାକ୍ଷୀମାନଙ୍କ ବିଶ୍ୱାସ ଏବଂ କାମ ବିଷୟରେ ତଥ୍ୟ ଦିଆଯାଇଛି । ଏହି ୱେବ୍ସାଇଟ୍ରେ ଆପଣ କʼଣ ଦେଖିପାରିବେ ?
ବାଇବଲରୁ ସେହି ପ୍ରଶ୍ନଗୁଡ଼ିକର ଉତ୍ତର, ଯାହା ସାଧାରଣତଃ ଲୋକେ ପଚାରିଥାʼନ୍ତି । ଏହି ୱେବ୍ସାଇଟ୍ରେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ମିଳିପାରିବ, ଯାହା ସମସ୍ତେ ଜାଣିବାକୁ ଚାହାନ୍ତି । ଉଦାହରଣସ୍ୱରୂପ, ଦୁଃଖକଷ୍ଟ କେବେ ସମାପ୍ତି ହେବ କି ? ଏବଂ ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ? ଟ୍ରାକ୍ଟ୍ଦୁଇଟି ଆମ ୱେବ୍ସାଇଟ୍ରେ ୬୦୦ରୁ ଅଧିକ ଭାଷାରେ ରହିଛି । ଏହି ୱେବ୍ସାଇଟ୍ରେ ଆପଣଙ୍କୁ ୧୩୦ରୁ ଅଧିକ ଭାଷାରେ ନୂତନ ଜଗତ ଅନୁବାଦ ବାଇବଲ ମଧ୍ୟ ମିଳିବ । ଏହା ସହିତ, ଏପରି ବହି-ପୁସ୍ତିକାଗୁଡ଼ିକ ରହିଛି, ଯାହା ଆପଣଙ୍କୁ ବାଇବଲର ଅଧ୍ୟୟନ କରିବାରେ ସାହାଯ୍ୟ କରିବ, ଯେପରି ବାଇବଲ ପ୍ରକୃତରେ କʼଣ ଶିଖାଏ ? ବହି, ପ୍ରହରୀଦୁର୍ଗ ଏବଂ ସଜାଗ ହୁଅ ! ପତ୍ରିକାଗୁଡ଼ିକର ନୂଆ ସଂସ୍କରଣ । ଏଥିମଧ୍ୟରୁ ଅନେକ ପ୍ରକାଶନକୁ ଆପଣ ଏହି ୱେବ୍ସାଇଟ୍ରେ ପଢ଼ିପାରିବେ କିମ୍ବା ଶୁଣିପାରିବେ । କିମ୍ବା ସେଗୁଡ଼ିକୁ MP3, PDF କିମ୍ବା EPUB (ଇଲେକ୍ଟ୍ରୋନିକ୍ ପବ୍ଲିକେଶନ୍) ଭଳି ଲୋକପ୍ରିୟ ଫର୍ମାଟ୍ଗୁଡ଼ିକରେ ଡାଉନ୍ଲୋଡ୍ କରିପାରିବେ । ଯଦି ଆପଣ ଚାହିଁବେ, ଆଗ୍ରହ ଦେଖାଉଥିବା କୌଣସି ବ୍ୟକ୍ତିଙ୍କୁ ତାଙ୍କ ଭାଷାରେ ଆମ ସାହିତ୍ୟର କିଛି ପୃଷ୍ଠା ପ୍ରିଣ୍ଟ୍ କରି ମଧ୍ୟ ଦେଇପାରିବେ । ଏହା ଛଡ଼ା, ଅନେକ ସାଂକେତିକ ଭାଷାରେ ଭିଡିଓ ପ୍ରକାଶନ ମଧ୍ୟ ଅଛି । ଆପଣ ନାଟକୀୟ ଶୈଳୀରେ ବାଇବଲ ପଠନ, ବାଇବଲ ନାଟକ ଓ ହୃଦୟକୁ ଛୁଇଁ ଯାଉଥିବା ସଙ୍ଗୀତ ଡାଉନ୍ଲୋଡ୍ କରିପାରିବେ ଏବଂ ଅବସର ସମୟରେ ଏହାର ଆନନ୍ଦ ନେଇପାରିବେ ।
ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ସଠିକ୍ ତଥ୍ୟ । ସାରା ଦୁନିଆରେ ଚାଲୁଥିବା ଆମ କାମ, ଯିହୋବାଙ୍କ ସାକ୍ଷୀମାନଙ୍କ ସହିତ ଜଡ଼ିତ ଘଟଣା ଏବଂ ଆମ ରିଲିଫ୍ କାମ ବିଷୟରେ ତାଜା ଖବର ଓ ଭିଡିଓ କ୍ଲିପ୍ ମଧ୍ୟ ଆମ ୱେବ୍ସାଇଟ୍ରେ ପ୍ରକାଶିତ କରାଯାଏ । ଆପଣଙ୍କୁ ଆମ ଆସନ୍ତା ଅଧିବେଶନର ସୂଚନା ଏବଂ ଆମ କୌଣସି ଶାଖା କାର୍ଯ୍ୟାଳୟ ସହିତ ସମ୍ପର୍କ କରିବା ପାଇଁ ତଥ୍ୟ ମଧ୍ୟ ଏହି ୱେବ୍ସାଇଟ୍ରେ ମିଳିପାରିବ ।
ଏହି ଉପାୟଗୁଡ଼ିକ ଦ୍ୱାରା ଆମେ ଦୁନିଆର ପ୍ରତ୍ୟେକ କୋଣରେ ସତ୍ୟର ଆଲୋକ ପହଞ୍ଚାଇ ପାରୁଛୁ । ପ୍ରତ୍ୟେକ ମହାଦ୍ୱୀପରେ, ଏପରିକି ଆଣ୍ଟାର୍କ୍ଟିକା ପରି ଅପହଞ୍ଚ ଅଞ୍ଚଳରେ ମଧ୍ୟ ଲୋକମାନଙ୍କ ପାଖକୁ ଖୁସିର ଖବର ପହଞ୍ଚୁଛି । ଆମେ ପ୍ରାର୍ଥନା କରୁ ଯେ ‘ଯିହୋବାଙ୍କ ବାକ୍ୟ ସର୍ବତ୍ର ଶୀଘ୍ର ବ୍ୟାପିଯାଉ’ ଏବଂ ଏହାଦ୍ୱାରା ଈଶ୍ୱରଙ୍କ ମହିମା ହେଉ ।—୨ ଥେସଲନୀକୀୟ ୩:୧.
jw.org ୱେବ୍ସାଇଟ୍ କିପରି ଭାବେ ଅଧିକରୁ ଅଧିକ ଲୋକଙ୍କୁ ବାଇବଲର ସତ୍ୟ ଶିଖାଇବାରେ ସାହାଯ୍ୟ କରୁଛି ?
ଆପଣ ଆମ ୱେବ୍ସାଇଟ୍ରେ କେଉଁ ବିଷୟରେ ଜାଣିବାକୁ ଚାହିଁବେ ?
-