ଅଧ୍ୟୟନ ଲେଖା ୧୩
ସୃଷ୍ଟିରୁ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାନ୍ତୁ
“ଦେଖ, ଏସମସ୍ତକୁ କିଏ ସୃଷ୍ଟି କରିଅଛନ୍ତି ?”—ଯିଶା. ୪୦:୨୬.
ଗୀତ ୧୧ ସୃଷ୍ଟି କରେ ୟହୋୱା କି ତାରିଫ୍ !
ଲେଖାର ଝଲକa
୧. ବାପାମାଆଙ୍କ କʼଣ ଇଚ୍ଛା ଥାଏ ?
ବାପାମାଆମାନେ, ଆପଣ ଏହା ଚାହୁଁଥିବେ ଯେ ଆପଣଙ୍କ ପିଲାମାନେ ଯିହୋବାଙ୍କୁ ଜାଣନ୍ତୁ ଓ ପ୍ରେମ କରନ୍ତୁ । କିନ୍ତୁ ଆମେ ଈଶ୍ୱରଙ୍କୁ ଦେଖିପାରି ନ ଥାଉ । ତାହେଲେ ଆପଣ ନିଜ ପିଲାମାନଙ୍କୁ କିପରି ଶିଖାଇପାରିବେ ଯେ ଯିହୋବାଙ୍କ ଭିତରେ କେଉଁ କେଉଁ ଗୁଣ ରହିଛି, ଯାହାଦ୍ୱାରା ସେମାନେ ତାଙ୍କୁ ଭଲଭାବେ ଜାଣନ୍ତୁ ଓ ତାଙ୍କ ନିକଟତର ହୁଅନ୍ତୁ ।—ଯାକୁ. ୪:୮.
୨. ବାପାମାଆ ନିଜ ପିଲାମାନଙ୍କୁ କିପରି ଶିଖାଇପାରିବେ ଯେ ଯିହୋବାଙ୍କ ଭିତରେ କେଉଁ କେଉଁ ଗୁଣ ରହିଛି ?
୨ ନିଜ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବାର ଗୋଟେ ଉପାୟ ହେଉଛି, ତାଙ୍କ ସହ ବାଇବଲ ଅଧ୍ୟୟନ କରିବା । (୨ ତୀମ. ୩:୧୪-୧୭) କିନ୍ତୁ ବାଇବଲରେ ଆଉ ଗୋଟିଏ ଉପାୟ ବିଷୟରେ କୁହାଯାଇଛି ଯେଉଁଥିରୁ ଆପଣଙ୍କ ପିଲାମାନେ ଯିହୋବାଙ୍କୁ ଜାଣିପାରିବେ ଓ ତାଙ୍କ ନିକଟତର ହୋଇପାରିବେ । ହିତୋପଦେଶ ନାମକ ବହିର ଗୋଟେ ଅଧ୍ୟାୟରେ ଆମେ ପଢ଼ୁ ଯେ ଜଣେ ବାପା ନିଜ ପୁଅକୁ ଯିହୋବାଙ୍କ ସେହି ଗୁଣଗୁଡ଼ିକ ବିଷୟରେ କହୁଛନ୍ତି ଯାହା ସୃଷ୍ଟିରୁ ଜଣାପଡ଼େ । ସେ କହନ୍ତି, “ଏହି ସବୁ ତୁମ୍ଭ ଦୃଷ୍ଟିଗୋଚରରୁ ନ ଯାଉ ।” (ହିତୋ. ୩:୧୯-୨୧) ଏଥିରୁ ଜଣାପଡ଼େ ଯେ ଯିହୋବାଙ୍କ ସୃଷ୍ଟିରୁ ମଧ୍ୟ ଆମେ ତାଙ୍କ ଗୁଣଗୁଡ଼ିକ ବିଷୟରେ ଜାଣିପାରିବା । ଏହି ଲେଖାରେ ଆମେ ଜାଣିବା ଯେ ବାପାମାଆ ନିଜ ପିଲାମାନଙ୍କୁ ସୃଷ୍ଟିରୁ କିପରି ଶିଖାଇପାରିବେ ଯେ ଯିହୋବା କିପରି ଈଶ୍ୱର ଅଟନ୍ତି ।
ସୃଷ୍ଟିରୁ ପିଲାମାନଙ୍କୁ କିପରି ଶିଖାଇବା ?
୩. ବାପାମାଆମାନେ ନିଜ ପିଲାମାନଙ୍କୁ କʼଣ ବୁଝାଇବା ଉଚିତ୍ ?
୩ ବାଇବଲରେ ଲେଖାଅଛି ଯେ ‘ଜଗତର ସୃଷ୍ଟିକାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ । ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି ।’ (ରୋମୀ. ୧:୨୦) ବାପାମାଆମାନେ, ଆପଣଙ୍କୁ ନିଶ୍ଚୟ ନିଜ ପିଲାମାନଙ୍କ ସହ ସମୟ ବିତାଇବା ଭଲ ଲାଗୁଥିବ ଆଉ ସେସମୟରେ ଆପଣ ନିଜ ପିଲାମାନଙ୍କୁ ବୁଝାନ୍ତୁ ଯେ ଯିହୋବାଙ୍କ ସୃଷ୍ଟିରୁ ତାଙ୍କର କେଉଁ ନିଆରା ଗୁଣଗୁଡ଼ିକ ବିଷୟରେ ଜଣାପଡ଼େ ? ଆସନ୍ତୁ ଜାଣିବା ଏବିଷୟରେ ଯୀଶୁଙ୍କଠାରୁ ଆପଣ କʼଣ ଶିଖିପାରିବେ ।
୪. ଯୀଶୁ ଯିହୋବାଙ୍କ ସୃଷ୍ଟିରୁ କିପରି ନିଜ ଶିଷ୍ୟମାନଙ୍କୁ ଶିଖାଇଲେ ? (ଲୂକ ୧୨:୨୪, ୨୭-୩୦)
୪ ଧ୍ୟାନ ଦିଅନ୍ତୁ ଯେ ଯୀଶୁ ଯିହୋବାଙ୍କ ସୃଷ୍ଟିର ଉଦାହରଣ ଦେଇ କିପରି ନିଜ ଶିଷ୍ୟମାନଙ୍କୁ ଶିଖାଇଲେ । ଥରେ ସେ କହିଲେ ଯେ ସେମାନେ କୁଆ ବା କାଉ ଓ ଲିଲି ଫୁଲଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । (ଲୂକ ୧୨:୨୪, ୨୭-୩୦ ପଢ଼ନ୍ତୁ ।) ଯୀଶୁ ଚାହିଁଥିଲେ ଯେକୌଣସି ପଶୁ କିମ୍ବା ଗଛଲତାର ଉଦାହରଣ ଦେଇପାରିଥାନ୍ତେ, କିନ୍ତୁ ସେ ଏପରି ପକ୍ଷୀ ଓ ଫୁଲ ବିଷୟରେ କହିଲେ ଯାହା ତାଙ୍କ ଶିଷ୍ୟମାନେ ଭଲଭାବେ ଜାଣିଥିଲେ । ଯେବେ ଯୀଶୁ ଏହି ଉଦାହରଣ ଦେଉଥିବେ, ତେବେ ଭାବନ୍ତୁ ସେ କିପରି ସେଗୁଡ଼ିକୁ ହାତ ଦେଖାଇ କହୁଥିବେ । ହୁଏତ ଶିଷ୍ୟମାନେ ମଧ୍ୟ କାଉଗୁଡ଼ିକୁ ଉଡ଼ିବାର ଓ ପଡ଼ିଆରେ ଲିଲି ଫୁଲଗୁଡ଼ିକୁ ଫୁଟିବାର ଦେଖିଥିବେ । ତାʼପରେ ସେ କʼଣ କଲେ ? ସେ ନିଜ ଶିଷ୍ୟମାନଙ୍କୁ କହିଲେ ଯେ ଯେପରି ଯିହୋବା କାଉଗୁଡ଼ିକୁ ଖାଦ୍ୟ ଦିଅନ୍ତି ଓ ଲିଲି ଫୁଲଗୁଡ଼ିକୁ ବଢ଼ିଆ ପୋଷାକ ପିନ୍ଧାନ୍ତି, ସେହିପରି ସେ ନିଜ ବିଶ୍ୱସ୍ତ ସେବକମାନଙ୍କର ଆବଶ୍ୟକତାଗୁଡ଼ିକୁ ମଧ୍ୟ ପୂରା କରିବେ । ଏପରି ଭାବେ ସେ ସେମାନଙ୍କୁ ବୁଝାଇଲେ ଯେ ଯିହୋବା ନିଜ ସେବକମାନଙ୍କୁ ହୃଦୟ ଖୋଲିକି ଦିଅନ୍ତି ଓ ସେମାନଙ୍କର ଚିନ୍ତା କରନ୍ତି ।
୫. ବାପାମାଆମାନେ ଯିହୋବାଙ୍କ ସୃଷ୍ଟିରୁ ପିଲାମାନଙ୍କୁ କିପରି ଶିଖାଇପାରିବେ ?
୫ ବାପାମାଆମାନେ, ଆପଣ ଯୀଶୁଙ୍କ ଭଳି ନିଜ ପିଲାମାନଙ୍କୁ କିପରି ଶିଖାଇପାରିବେ ? ଆପଣ ସେମାନଙ୍କୁ ଯିହୋବାଙ୍କ ସୃଷ୍ଟିରୁ ଏପରି ଜିନିଷ ବିଷୟରେ କହିପାରିବେ ଯାହା ଆପଣଙ୍କୁ ବହୁତ ଭଲ ଲାଗେ । ଯେପରି ଆପଣ ସେମାନଙ୍କୁ କହିପାରିବେ ଯେ ଆପଣଙ୍କୁ କେଉଁ ପଶୁ କିମ୍ବା କେଉଁ ଗଛଲତା ସବୁଠୁ ଭଲ ଲାଗେ ଓ ସେଥିରୁ ଯିହୋବାଙ୍କ ବିଷୟରେ କʼଣ ଜଣାପଡ଼େ । ତାʼପରେ ନିଜ ପିଲାମାନଙ୍କୁ ପଚାରନ୍ତୁ ଯେ ସେମାନଙ୍କୁ କେଉଁ ପଶୁ କିମ୍ବା ଗଛଲତାଗୁଡ଼ିକ ସବୁଠୁ ଭଲ ଲାଗେ । ତାʼପରେ ଯେବେ ଆପଣ ସେମାନଙ୍କୁ କହିବେ ଯେ ସେମାନଙ୍କ ମନପସନ୍ଦର ପଶୁ କିମ୍ବା ଗଛଲତାରୁ ଯିହୋବାଙ୍କ କେଉଁ ଗୁଣ ବିଷୟରେ ଜଣାପଡ଼େ, ତେବେ ହୁଏତ ଆପଣଙ୍କ କଥା ସେମାନେ ଆହୁରି ଧ୍ୟାନ ଦେଇ ଶୁଣିବେ ।
୬. ଆମେ ଭାଇ କ୍ରୀଷ୍ଟୋଫରଙ୍କ ମାଆଙ୍କଠାରୁ କʼଣ ଶିଖିପାରିବା ?
୬ ବାପାମାଆମାନେ, ଯେବେ ଆପଣଙ୍କୁ ପିଲାମାନଙ୍କୁ ଏହା କହିବାର ଥାଏ ଯେ କୌଣସି ପଶୁ କିମ୍ବା ଗଛରୁ ଯିହୋବାଙ୍କ ବିଷୟରେ କʼଣ ଜଣାପଡ଼େ, ତେବେ କʼଣ ଆପଣଙ୍କୁ ଘଣ୍ଟାଘଣ୍ଟା ଧରି ଅନୁସନ୍ଧାନ କରିବାକୁ ପଡ଼ିବ ? ନା, ଯୀଶୁ ନିଜ ଶିଷ୍ୟମାନଙ୍କୁ ସେବିଷୟରେ କୌଣସି ଲମ୍ବା ଭାଷଣ ଦେଲେନି ଯେ କାଉମାନେ କʼଣ ଖାଆନ୍ତି, କିପରି ଖାଆନ୍ତି କିମ୍ବା ଲିଲି ଫୁଲ କିପରି ଫୁଟେ । ହୋଇପାରେ ଆପଣଙ୍କୁ ନିଜ ପିଲାମାନଙ୍କୁ ପ୍ରକୃତିର ଜିନିଷଗୁଡ଼ିକ ବିଷୟରେ ଶିଖାଇବା ଭଲ ଲାଗେ, କିନ୍ତୁ ସବୁବେଳେ ବହୁତ କିଛି କହିବା ଜରୁରୀ ନ ଥାଏ । ଅନେକଥର ହୁଏତ ସେହି ପଶୁ କିମ୍ବା ଗଛ ବିଷୟରେ ଛୋଟିଆ କଥା କହିବା କିମ୍ବା ଛୋଟିଆ ପ୍ରଶ୍ନ ପଚାରିବା ଯଥେଷ୍ଟ । କ୍ରୀଷ୍ଟୋଫର ନାମକ ଭାଇ କହନ୍ତି ଯେବେ ସେ ଛୋଟ ଥିଲେ, ତେବେ ତାଙ୍କ ମାଆ ସେମାନଙ୍କୁ କିପରି ଶିଖାଉଥିଲେ । ସେ କହନ୍ତି, “ଆମ ଆଖପାଖରେ ପ୍ରକୃତିର ଯେଉଁ ଜିନିଷଗୁଡ଼ିକ ଥିଲା, ସେଗୁଡ଼ିକ ବିଷୟରେ ମାଆ ଆମକୁ କୌଣସି ଛୋଟିଆ କଥା କହୁଥିଲେ ଯାହାଦ୍ୱାରା ସେହି ଜିନିଷ ପାଇଁ ଆମ କୃତଜ୍ଞତା ବଢ଼ିଯାଉ । ଯେପରି, ଯେବେ ଆମେ ପାହାଡ଼ ଆଡ଼କୁ ଯାଉଥିଲୁ, ତେବେ ସେ କିଛି ଏପରି କହୁଥିଲେ, ‘ଦେଖ ଏହି ପାହାଡ଼ଗୁଡ଼ିକ କେତେ ବଡ଼ ଓ ସୁନ୍ଦର ଅଛି ! ଯିହୋବା କେତେ ମହାନ ଅଟନ୍ତି ନା ?’ କିମ୍ବା ଯେବେ ଆମେ ସମୁଦ୍ର କୂଳରେ ଯାଉଥିଲୁ, ତେବେ ସେ କିଛି ଏପରି କହୁଥିଲେ, ‘ଏହି ଉଚ୍ଚ ଉଚ୍ଚ ଲହଡ଼ିଗୁଡ଼ିକୁ ଦେଖ, ଯିହୋବା କେତେ ଶକ୍ତିଶାଳୀ ଅଟନ୍ତି ନା ?’ ” ଭାଇ କହନ୍ତି, “ମାଆ କୌଣସି ଜିନିଷ ବିଷୟରେ ଛୋଟିଆ କଥା କହୁଥିଲେ ଆଉ ତାʼପରେ ଆମେ ସେବିଷୟରେ ବହୁତ ଭାବୁଥିଲୁ । ଏପରି କରି ଆମେ ବହୁତ କିଛି ଶିଖିପାରିଲୁ ।”
୭. ଆପଣ ପିଲାମାନଙ୍କୁ କିପରି ଶିଖାଇପାରିବେ ଯେ ସେମାନେ ଯିହୋବାଙ୍କ ସୃଷ୍ଟି ଉପରେ ଧ୍ୟାନ ଦିଅନ୍ତୁ ?
୭ ଯେବେ ଆପଣଙ୍କ ପିଲାମାନେ ବଡ଼ ହେବାକୁ ଲାଗନ୍ତି, ସେମାନଙ୍କୁ ଶିଖାନ୍ତୁ ଯେ ସେମାନେ ଯିହୋବାଙ୍କ ସୃଷ୍ଟି ଉପରେ ଧ୍ୟାନ ଦିଅନ୍ତୁ ଓ ଭାବନ୍ତୁ ଯେ ସେଥିରୁ ସେମାନେ ଯିହୋବାଙ୍କ ବିଷୟରେ କʼଣ ଶିଖନ୍ତି । ଆପଣ ପ୍ରକୃତିର କୌଣସି ଗୋଟିଏ ଜିନିଷରେ ସେମାନଙ୍କ ସହ କଥା ହୋଇପାରିବେ ଓ ସେମାନଙ୍କୁ ପଚାରିପାରିବେ, ‘ଏଥିରୁ ସେମାନେ ଯିହୋବାଙ୍କ ବିଷୟରେ କʼଣ ଶିଖନ୍ତି ?’ ତାଙ୍କର ଉତ୍ତର ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !—ମାଥି. ୨୧:୧୬.
ସୃଷ୍ଟିରୁ ପିଲାମାନଙ୍କୁ କେବେ ଶିଖାଇବା ?
୮. ରାସ୍ତାରେ ଯିବା ସମୟରେ ଇସ୍ରାଏଲୀୟମାନେ ନିଜ ପିଲାମାନଙ୍କୁ କʼଣ ଶିଖାଇପାରୁଥିଲେ ?
୮ ପ୍ରାଚୀନ ସମୟରେ ଇସ୍ରାଏଲୀୟମାନଙ୍କୁ କୁହାଯାଇଥିଲା ଯେ ସେମାନେ “ପଥରେ ଚାଲିବା” ସମୟରେ ନିଜ ପିଲାମାନଙ୍କୁ ଯିହୋବାଙ୍କ ଆଜ୍ଞାଗୁଡ଼ିକ ବିଷୟରେ କହନ୍ତୁ । (ଦ୍ୱିବି. ୧୧:୧୯) ଇସ୍ରାଏଲ ଦେଶରେ ଅନେକଗୁଡ଼ିଏ ରାସ୍ତା ଥିଲା ଓ ତାʼ ଆଖପାଖରେ ବିଭିନ୍ନ ପ୍ରକାରର ପଶୁ, ପକ୍ଷୀ ଓ ଫୁଲ ଦେଖିବାକୁ ମିଳୁଥିଲା । ଯେବେ ବି ଗୋଟେ ପରିବାର ସେହି ରାସ୍ତା ଦେଇ ଯାଉଥିବେ, ତେବେ ବାପାମାଆ ଯିହୋବାଙ୍କ ଏହି ସୃଷ୍ଟି ବିଷୟରେ ନିଜ ପିଲାମାନଙ୍କ ସହିତ କଥା ହେଉଥିବେ, ଯାହାଦ୍ୱାରା ସେମାନଙ୍କ ମନରେ ସେବିଷୟରେ ଆହୁରି ଜାଣିବା ପାଇଁ ଇଚ୍ଛା ହେଉ । ଆଜି ବି ବାପାମାଆ ନିଜ ପିଲାମାନଙ୍କ ସହ ଯାତ୍ରା କରିବା ସମୟରେ ଯିହୋବାଙ୍କ ସୃଷ୍ଟି ବିଷୟରେ କଥା ହୋଇପାରିବେ । ଆସନ୍ତୁ ଦେଖିବା କିଛି ବାପାମାଆ ଏହା କିପରି କରିଛନ୍ତି ।
୯. ଆପଣ ଭଉଣୀ ପୁନିତା ଓ ଭଉଣୀ କାଟ୍ୟାଙ୍କଠାରୁ କʼଣ ଶଖିପାରିବେ ?
୯ ପୁନିତା ନାମକ ଭଉଣୀ ଯିଏ ଭାରତର ଗୋଟିଏ ବଡ଼ ସହରରେ ରହନ୍ତି । ସେ କହନ୍ତି, “ଯେବେ ବି ଆମେ ନିଜ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଗାଁକୁ ଯାଉ, ତେବେ ଆମକୁ ଯିହୋବା ସୃଷ୍ଟି କରିଥିବା ସୁନ୍ଦର ଜିନିଷଗୁଡ଼ିକ ଦେଖିବାକୁ ମିଳେ ଓ ସବୁବେଳେ ଆମେ ପିଲାମାନଙ୍କ ସହ ସେବିଷୟରେ କଥା ହେଉ । ମୋତେ ଲାଗେ, ଯେବେ ପିଲାମାନେ ସହରର ଭିଡ଼ ଓ ଗାଡ଼ିର ଆବାଜ୍ରୁ ଦୂରେଇ ରହନ୍ତି, ତେବେ ସେମାନେ ସୃଷ୍ଟି ଉପରେ ଆହୁରି ଧ୍ୟାନ ଦେଇପାରନ୍ତି ।” ବାପାମାଆମାନେ, ଯେବେ ଆପଣ ପିଲାମାନଙ୍କ ସହ କୌଣସି ସୁନ୍ଦର ଜାଗାରେ ଯାନ୍ତି, ତେବେ ଆପଣଙ୍କ ସହ ବିତାଇଥିବା ସମୟକୁ ହୁଏତ ସେମାନେ କେବେ ବି ଭୁଲିପାରିବେନି । କାଟ୍ୟା ନାମକ ଭଉଣୀ ଯିଏ ମୋଲ୍ଦୋୱାରେ ରହନ୍ତି, କହନ୍ତି, “ପିଲାବେଳେ ବାପାମାଆଙ୍କ ସହ ଗାଁରେ ବିତାଇଥିବା ସମୟ ମୋତେ ଆଜି ବି ଭଲଭାବେ ମନେଅଛି । ବାପାମାଆ ମୋତେ ଶିଖାଇଲେ ଯେ ମୁଁ ଟିକେ ଅଟକି ଯିହୋବାଙ୍କ ସୃଷ୍ଟିକୁ ଧ୍ୟାନ ଦିଏ ଓ ସେଥିରୁ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣେ । ମୁଁ ତାʼପାଇଁ ସେମାନଙ୍କର ବହୁତ କୃତଜ୍ଞ ।”
ସହରରେ ମଧ୍ୟ ଆପଣଙ୍କୁ ଯିହୋବାଙ୍କ ସୃଷ୍ଟିର ଏପରି ଅନେକ ଜିନିଷ ଦେଖିବାକୁ ମିଳିଯିବ, ଯେଉଁଥିରୁ ଆପଣ ନିଜ ପିଲାମାନଙ୍କୁ ତାଙ୍କ ବିଷୟରେ ଶିଖାଇପାରିବେ (ପାରାଗ୍ରାଫ ୧୦)
୧୦. ଯଦି ଆପଣଙ୍କ ପରିବାର ସହରରୁ ଦୂରକୁ ଯାଇପାରିବନି, ତେବେ ଆପଣ କʼଣ କରିପାରିବେ ? (“ବାପାମାଆଙ୍କ ପାଇଁ ପରାମର୍ଶ” ନାମକ ବକ୍ସ ଦେଖନ୍ତୁ ।)
୧୦ କିନ୍ତୁ ଯଦି ଆପଣ ସହରରୁ ଦୂରକୁ ଯାଇପାରିବେନି, ତେବେ ଆପଣ କʼଣ କରିପାରିବେ ? ଭାରତରେ ରହୁଥିବା ଭାଇ ଆମୋଲ କହନ୍ତି, “ଆମଠାରେ ସାଧାରଣତଃ ଲୋକମାନଙ୍କୁ ପୂରା ଦିନ କାମ କରିବାକୁ ପଡ଼େ ଓ ଯଦି ଆମେ ଅନ୍ୟ ସହରକୁ ବୁଲିବାକୁ ଯିବା ପାଇଁ ଚାହୁଁ, ତାହେଲେ ବହୁତ ଖର୍ଚ୍ଚ ହୁଏ ? କିନ୍ତୁ ଆପଣଙ୍କୁ ଦୂରକୁ ଯିବା ଦରକାର ନାହିଁ, ଆପଣ ନିଜ ଘରର ଛାତ ଉପରେ ହିଁ କିମ୍ବା କୌଣସି ଛୋଟିଆ ପାର୍କରେ ଯାଇ ନିଜ ପିଲାମାନଙ୍କ ସହ ଯିହୋବାଙ୍କ ସୃଷ୍ଟିକୁ ଦେଖିପାରିବେ ଓ ତାଙ୍କ ଗୁଣଗୁଡ଼ିକ ବିଷୟରେ କଥା ହୋଇପାରିବେ ।” ଯଦି ଆପଣ ଧ୍ୟାନ ଦେଇ ଦେଖିବେ, ତେବେ ଆପଣଙ୍କୁ ନିଜ ଘରର ହିଁ ଆଖପାଖରେ ଏପରି ଅନେକ ଜିନିଷ ଦେଖିବାକୁ ମିଳିଯିବ ଯେଉଁଥିରୁ ଆପଣ ନିଜ ପିଲାମାନଙ୍କୁ ଶିଖାଇପାରିବେ, ଯେପରି ଛୋଟ ଛୋଟ ପୋକ, ଗଛଲତା ଓ ପକ୍ଷୀ । (ଗୀତ. ୧୦୪:୨୪) ଭଉଣୀ କରିନା ଯିଏ ଜର୍ମାନୀରେ ରହନ୍ତି, ସେ କହନ୍ତି, “ମୋ ମାଆଙ୍କୁ ଫୁଲ ବହୁତ ପସନ୍ଦ, ତେଣୁ ଯେବେ ମୁଁ ଛୋଟ ଥିଲି ଓ ଆମେ ସାଙ୍ଗରେ ମିଶି ବୁଲିବା ପାଇଁ ଯାଉଥିଲୁ, ତେବେ ମାଆ ମୋତେ ସବୁବେଳେ ସୁନ୍ଦର ସୁନ୍ଦର ଫୁଲଗୁଡ଼ିକୁ ଦେଖାଉଥିଲେ ।” ବାପାମାଆମାନେ, ଆପଣ ନିଜ ପିଲାମାନଙ୍କୁ ସଂଗଠନର ସେହି ଭିଡିଓ ଓ ଲେଖାଗୁଡ଼ିକରୁ ମଧ୍ୟ ଶିଖାଇପାରିବେ ଯେଉଁଥିରେ ସୃଷ୍ଟି ବିଷୟରେ କୁହାଯାଇଛି । ଆପଣ ଯେଉଁଠି ବି ରହନ୍ତୁ ନା କାହିଁକି, ଆପଣ ନିଜ ପିଲାମାନଙ୍କୁ ସୃଷ୍ଟି ଉପରେ ଧ୍ୟାନ ଦେବା ପାଇଁ ଶିଖାଇପାରିବେ । ଏବେ ଆସନ୍ତୁ ଯିହୋବାଙ୍କ କିଛି ଗୁଣ ବିଷୟରେ କଥା ହେବା ଯାହା ବିଷୟରେ ଆପଣ ପିଲାମାନଙ୍କୁ ସୃଷ୍ଟିରୁ ଶିଖାଇପାରିବେ ।
ଯିହୋବାଙ୍କ ଅଦୃଶ୍ୟ ଗୁଣସମୂହ ସ୍ପଷ୍ଟ ଦେଖାଯାଏ
୧୧. ବାପାମାଆମାନେ ପିଲାମାନଙ୍କୁ କିପରି ଅନୁଭବ କରାଇପାରିବେ ଯେ ଯିହୋବା ଆମକୁ ପ୍ରେମ କରନ୍ତି ?
୧୧ ବାପାମାଆମାନେ, ଆପଣ ପିଲାମାନଙ୍କୁ କିପରି ଏକଥାର ଅନୁଭବ କରାଇପାରିବେ ଯେ ଯିହୋବା ଆମକୁ ପ୍ରେମ କରନ୍ତି ? ଆପଣ ସେମାନଙ୍କୁ ଦେଖାଇପାରିବେ ଯେ ଅନେକ ପଶୁ କିପରି ବହୁତ ଭଲଭାବେ ନିଜ ପିଲାମାନଙ୍କ ଯତ୍ନ ନିଅନ୍ତି । (ମାଥି. ୨୩:୩୭) ଆପଣ ଏକଥା ଉପରେ ସେମାନଙ୍କୁ ଧ୍ୟାନ ଦେବା ପାଇଁ କହିପାରିବେ ଯେ ପ୍ରକୃତିରେ ଅନେକ ଜିନିଷ ଅଛି ଯାହାକୁ ଦେଖି ଆମକୁ ଭଲ ଲାଗେ । ଭଉଣୀ କରିନା ଯାହାଙ୍କ ବିଷୟରେ ଆମେ ପୂର୍ବରୁ ଦେଖିଲୁ, ସେ କହନ୍ତି, “ଯେବେ ମାଆ ଓ ମୁଁ ବୁଲିବା ପାଇଁ ଯାଉଥିଲୁ, ତେବେ ଆମେ ସବୁବେଳେ ଟିକେ ଅଟକି ଫୁଲଗୁଡ଼ିକୁ ଦେଖୁଥିଲୁ । ମାଆ କହୁଥିଲେ, ‘ଦେଖ ! ପ୍ରତ୍ୟେକ ଫୁଲ ଅନ୍ୟ ଫୁଲଠାରୁ ଅଲଗା ଓ କେତେ ସୁନ୍ଦର ଅଛି । ଏଥିରୁ ଜଣାପଡ଼େ ଯେ ଯିହୋବା ଆମକୁ ପ୍ରେମ କରନ୍ତି ।’ ଏକଥାକୁ ଅନେକ ବର୍ଷ ହୋଇଯାଇଛି, କିନ୍ତୁ ଆଜି ବି ଯେବେ ମୁଁ କୌଣସି ଫୁଲକୁ ଦେଖେ, ତେବେ ଧ୍ୟାନ ଦିଏ ଯେ କିପରି ତାହା ଅନ୍ୟ ଫୁଲଗୁଡ଼ିକରୁ ଅଲଗା ଅଛି, ତାʼର ରଙ୍ଗ କିପରି ଅଛି ଓ ତାʼର ଗଠନ କିପରି ଅଛି । ପ୍ରତ୍ୟେକଥର ଯେବେ ମୁଁ ଫୁଲଗୁଡ଼ିକୁ ଦେଖେ, ତେବେ ମୋତେ ଅନୁଭବ ହୁଏ ଯେ ଯିହୋବା ଆମକୁ କେତେ ପ୍ରେମ କରନ୍ତି ।”
ପିଲାମାନଙ୍କୁ ଏହା ଶିଖାଇବା ପାଇଁ ଯେ ଯିହୋବା କେତେ ବୁଦ୍ଧିମାନ ଅଟନ୍ତି, ଆପଣ ସେମାନଙ୍କୁ କହିପାରିବେ ଯେ ଆମକୁ କେତେ ଅଦ୍ଭୁତ ଭାବେ ସୃଷ୍ଟି କରାଯାଇଛି (ପାରାଗ୍ରାଫ ୧୨)
୧୨. ବାପାମାଆମାନେ ପିଲାମାନଙ୍କୁ କିପରି ଅନୁଭବ କରାଇପାରିବେ ଯେ ଯିହୋବା ବହୁତ ବୁଦ୍ଧିମାନ ଅଟନ୍ତି ? (ଗୀତସଂହିତା ୧୩୯:୧୪) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୨ ଯିହୋବା ଆମ ମଣିଷମାନଙ୍କଠାରୁ ବହୁତ ବୁଦ୍ଧିମାନ ଅଟନ୍ତି । (ରୋମୀ. ୧୧:୩୩) ଆପଣ ନିଜ ପିଲାମାନଙ୍କୁ ଏକଥାର କିପରି ଅନୁଭବ କରାଇପାରିବେ ? ଆପଣ ଚାହିଁଲେ ତାଙ୍କୁ ମେଘ ବିଷୟରେ କହିପାରିବେ । ଯେପରି, ପାଣି ଆକାଶରେ ଯାଇ ମେଘ ହୁଏ, ତାʼପରେ ତାହା ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଇ ବର୍ଷା ଭାବେ ପଡ଼େ । (ଆୟୁ. ୩୮:୩୬, ୩୭) ଆପଣ ସେମାନଙ୍କୁ ଏହା ବି କହିପାରିବେ ଯେ ମଣିଷମାନଙ୍କୁ କିପରି ଅଦ୍ଭୁତ ଭାବେ ସୃଷ୍ଟି କରାଯାଇଛି । (ଗୀତସଂହିତା ୧୩୯:୧୪ ପଢ଼ନ୍ତୁ ।) ଧ୍ୟାନ ଦିଅନ୍ତୁ ଯେ ଭାଇ ଭ୍ଲାଦିମିର ନିଜ ପୁଅକୁ କିପରି ବୁଝାଇଲେ । ସେ କହନ୍ତି, “ଦିନେ ଆମ ପୁଅ ସାଇକେଲ ଚଲାଇବା ସମୟରେ ପଡ଼ିଗଲା ଓ ତାʼ ଗୋଡ଼ ଖଣ୍ଡିଆ ହୋଇଗଲା । କିନ୍ତୁ କିଛି ଦିନ ପରେ ତାହା ଠିକ୍ ହୋଇଗଲା । ତେବେ ମୁଁ ଓ ତାʼ ମାଆ ତାକୁ ବୁଝାଇଲୁ ଯେ ଯିହୋବା ଆମ ଶରୀରକୁ ଏପରି ସୃଷ୍ଟି କରିଛନ୍ତି ଯେ ଯଦି କୌଣସି ଘାʼ ହୋଇଯାଏ, ତେବେ ବି ତାହା ଆପେ ଆପେ ଠିକ୍ ହୋଇଯାଏ । ତାʼପରେ ଆମେ କହିଲୁ ଯେ ମଣିଷମାନେ ମଧ୍ୟ ଅନେକ ଜିନିଷ ତିଆରି କରନ୍ତି, କିନ୍ତୁ ତାହା ଆପେ ଆପେ ଠିକ୍ ହୁଏନି । ଯେପରି ଆକ୍ସିଡେଣ୍ଟ ହେବା ପରେ ଗାଡ଼ି ଆପେ ଆପେ ଠିକ୍ ହୁଏନି । ଏପରି କରିବା ଦ୍ୱାରା ଆମ ପୁଅ ବୁଝିପାରିଲା ଯେ ଯିହୋବା ବହୁତ ବୁଦ୍ଧିମାନ ଅଟନ୍ତି ।”
୧୩. ବାପାମାଆମାନେ ନିଜ ପିଲାମାନଙ୍କୁ କିପରି ଅନୁଭବ କରାଇପାରିବେ ଯେ ଯିହୋବା ବହୁତ ଶକ୍ତିଶାଳୀ ଅଟନ୍ତି ? (ଯିଶାଇୟ ୪୦:୨୬)
୧୩ ଯିହୋବା ଆମକୁ କହନ୍ତି ଯେ ଆମେ ନିଜ ଦୃଷ୍ଟି ଉଠାଇ ଆକାଶକୁ ଦେଖୁ ଓ ଏବିଷୟରେ ଭାବୁ ଯେ କିପରି ତାଙ୍କ ଶକ୍ତିରୁ ସମସ୍ତ ତାରାଗୁଡ଼ିକ ନିଜ ଜାଗାରେ ରହନ୍ତି । (ଯିଶାଇୟ ୪୦:୨୬ ପଢ଼ନ୍ତୁ ।) ଆପଣ ନିଜ ପିଲାମାନଙ୍କୁ ମଧ୍ୟ କହିପାରିବେ ଯେ ସେମାନେ ଆକାଶକୁ ଦେଖନ୍ତୁ ଓ ଯିହୋବା ଯାହା ସୃଷ୍ଟି କରିଛନ୍ତି ସେବିଷୟରେ ଭାବନ୍ତୁ । ତାଇୱାନରେ ରହୁଥିବା ଭଉଣୀ ସିୟଙ୍ଗ-ସିୟଙ୍ଗଙ୍କ ମାଆ ମଧ୍ୟ ତାଙ୍କୁ ଏପରି ହିଁ କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ । ତାଙ୍କୁ ନିଜ ଛୋଟ ବେଳର ଗୋଟିଏ ଘଟଣା ଆଜି ବି ମନେଅଛି । ସେ କହନ୍ତି, “ଥରେ ମାଆ ଓ ମୁଁ ବୁଲିବା ପାଇଁ ସହରରୁ ଦୂରକୁ ଗଲୁ ଓ ତମ୍ବୁରେ ରହିଲୁ । ଏହି ଅଞ୍ଚଳରେ ସହର ଭଳି ବେଶି ଆଲୁଅ ନ ଥିଲା, ତେଣୁ ଆମେ ରାତିରେ ଆକାଶରେ ବହୁତ ତାରାଗୁଡ଼ିକୁ ଦେଖିପାରିଲୁ । ସେସମୟରେ ମୁଁ ଏହାଭାବି ବହୁତ ବ୍ୟସ୍ତ ହୋଇଗଲି ଯେ ମୁଁ ନିଜ କ୍ଲାସର ପିଲାମାନଙ୍କ କଥାରେ ଆସି ଯିହୋବାଙ୍କ ଆଜ୍ଞା ଭାଙ୍ଗି ନ ଦିଏ । ମାଆ ମୋତେ କହିଲେ ଯେ ମୁଁ ଏବିଷୟରେ ଭାବେ ଯେ ଯିହୋବା ଏତେଗୁଡ଼ିଏ ତାରା ସୃଷ୍ଟି କରିଛନ୍ତି, ତେବେ ତାଙ୍କ ଭିତରେ କେତେ ଶକ୍ତି ଥିବ ଓ ସେ ମୋତେ ବି ଶକ୍ତି ଦେଇପାରିବେ ଯାହାଦ୍ୱାରା ମୁଁ କୌଣସି ବି ସମସ୍ୟାର ସାମନା କରିପାରେ । ସେହି ଛୁଟିଗୁଡ଼ିକରେ ଯିହୋବାଙ୍କ ସୃଷ୍ଟି ଉପରେ ଧ୍ୟାନ ଦେବା ଯୋଗୁଁ ମୋତେ ଇଚ୍ଛା ହେବାକୁ ଲାଗିଲା ଯେ ମୁଁ ତାଙ୍କୁ ଆହୁରି ଭଲଭାବେ ଜାଣେ । ମୁଁ ଭାବିନେଲି ଯେ ଯାହା ବି ହୋଇଯାଉ ନା କାହିଁକି, ମୁଁ ସବୁବେଳେ ତାଙ୍କ ସେବା କରିବି ।”
୧୪. ବାପାମାଆମାନେ କିପରି ସୃଷ୍ଟିକୁ ଦେଖାଇ ନିଜ ପିଲାମାନଙ୍କୁ କହିପାରିବେ ଯେ ଯିହୋବା ଖୁସି ରହନ୍ତି ?
୧୪ ଯିହୋବା ଯାହା ସୃଷ୍ଟି କରିଛନ୍ତି, ସେଥିରୁ ଏହା ବି ଜଣାପଡ଼େ ଯେ ସେ ଖୁସି ରହନ୍ତି ଓ ସେ ଚାହାନ୍ତି ଯେ ଆମେ ବି ଖୁସି ରହୁ । ବୈଜ୍ଞାନିକମାନେ ଧ୍ୟାନ ଦେଇଛନ୍ତି ଯେ ଅଧିକାଂଶ ପଶୁ, ଏପରିକି ପକ୍ଷୀ ଓ ମାଛମାନେ ମଧ୍ୟ ଖେଳନ୍ତି । (ଆୟୁ. ୪୦:୨୦) ଆପଣଙ୍କ ପିଲାମାନେ କʼଣ କେବେ ମାଙ୍କଡ଼ମାନଙ୍କ ବ୍ୟବହାର ଦେଖିଛନ୍ତି କିମ୍ବା ଛୋଟ କୁକୁରକୁ ଖେଳିବାର ଦେଖିଛନ୍ତି ? କʼଣ ସେମାନଙ୍କୁ ଦେଖି ସେମାନେ ହସି ପଡ଼ନ୍ତି ? ଆର ଥରକୁ ଯେବେ ଆପଣ ଦେଖନ୍ତି ଯେ ଆପଣଙ୍କ ପିଲାମାନେ କୌଣସି ପଶୁର ବ୍ୟବହାର ଦେଖି ଖୁସି ହେଉଛନ୍ତି, ତେବେ ସେମାନଙ୍କୁ ମନେପକାନ୍ତୁ ଯେ ସେମାନେ ଯେଉଁ ଈଶ୍ୱରଙ୍କ ସେବା କରନ୍ତି, ସେ ବି ଖୁସି ରହନ୍ତି ।—୧ ତୀମ. ୧:୧୧.
ପିଲାମାନଙ୍କ ସହ ମିଶି ଯିହୋବାଙ୍କ ସୃଷ୍ଟିର ମଜା ନିଅନ୍ତୁ
ଯେବେ ଆପଣ ପିଲାମାନଙ୍କ ସହ ପ୍ରକୃତିର ମଜା ନିଅନ୍ତି, ତେବେ ହୁଏତ ସେମାନଙ୍କୁ ବହୁତ ଭଲ ଲାଗୁଥିବ ଓ ସେମାନେ ଖୋଲିକି ନିଜ ମନ କଥା ଆପଣଙ୍କୁ କହିପାରିବେ (ପାରାଗ୍ରାଫ ୧୫)
୧୫. ବାପାମାଆମାନେ ନିଜ ପିଲାଙ୍କ ମନର କଥା କିପରି ଜାଣିପାରିବେ ? (ହିତୋପଦେଶ ୨୦:୫) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୫ ଅନେକଥର ବାପାମାଆ ବୁଝିପାରନ୍ତିନି ଯେ ସେମାନେ ନିଜ ପିଲାମାନଙ୍କ ସହ କିପରି କଥା ହେବେ, ଯାହାଦ୍ୱାରା ପିଲାମାନେ ଖୋଲିକି ନିଜ ସମସ୍ୟା ବିଷୟରେ ସେମାନଙ୍କୁ କହନ୍ତୁ । ଯଦି ଆପଣଙ୍କୁ ବି ଏହି ସମସ୍ୟା ଅଛି, ତେବେ ଆପଣ କʼଣ କରିପାରିବେ ? ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ପିଲାମାନଙ୍କ ମନରେ କʼଣ ଚାଲୁଛି, ସେମାନେ କିପରି ଭାବନ୍ତି । (ହିତୋପଦେଶ ୨୦:୫ ପଢ଼ନ୍ତୁ ।) ଅନେକ ବାପାମାଆ ଦେଖିଛନ୍ତି ଯେ ଯେବେ ସେମାନେ ବାହାରେ ନିଜ ପିଲାମାନଙ୍କ ସହ ପ୍ରକୃତିର ମଜା ନେଉଥାନ୍ତି, ତେବେ ସେମାନେ ସହଜରେ ତାଙ୍କ ମନ କଥା ଜାଣିପାରନ୍ତି । କାରଣ ସେଠାରେ ପିଲାମାନଙ୍କ ଧ୍ୟାନ ବେଶି ଏପଟସେପଟ କଥାରେ ଯାଏନି ଓ ସେମାନେ ନିଜ ବାପାମାଆଙ୍କ ସହ ଖୋଲିକି କଥା ହୋଇପାରନ୍ତି । ତାଇୱାନରେ ରହୁଥିବା ଭାଇ ମାସାହିକୋ କହନ୍ତି ଯେ ପିଲାମାନଙ୍କ ସହ ବାହାରେ ସମୟ ବିତାଇବାର ଆଉ ଗୋଟିଏ ଲାଭ ଅଛି । ସେ କହନ୍ତି, “ଯେବେ ଆମେ ସେମାନଙ୍କ ସହ ବାହାରେ ସମୟ ବିତାଉ, ତାହା ପାହାଡ଼ରେ ଥାଉ କିମ୍ବା ସମୁଦ୍ର କୂଳରେ, ତାଙ୍କୁ ବହୁତ ଭଲ ଲାଗେ । ତେଣୁ ଆମେମାନେ ଭଲଭାବେ କଥା ହୋଇପାରୁ ଓ ଜାଣିପାରୁ ଯେ ସେମାନଙ୍କ ମନରେ କʼଣ ଚାଲୁଛି ।” କାଟ୍ୟା ଯାହାଙ୍କ ବିଷୟରେ ଆମେ ପୂର୍ବରୁ ଦେଖିଲୁ, ସେ କହନ୍ତି, “ସ୍କୁଲ ପରେ ମାଆ ମୋତେ ସୁନ୍ଦର ପାର୍କରେ ନେଉଥିଲେ । ସେଠାରେ ମୋତେ ବହୁତ ଭଲ ଲାଗୁଥିଲା ଓ ମୁଁ ସହଜରେ ମାଆଙ୍କୁ କହିପାରୁଥିଲି ଯେ ସେହି ଦିନ ସ୍କୁଲରେ କʼଣ ହେଲା କିମ୍ବା ମୋତେ କେଉଁ କଥାର ଚିନ୍ତା ହେଉଛି ।”
୧୬. ବାପାମାଆମାନେ ପିଲାମାନଙ୍କ ସହିତ ସମୟ ବିତାଇ ସୃଷ୍ଟିର ମଜା ନେବା ପାଇଁ କʼଣ କରିପାରିବେ ?
୧୬ ଯେବେ ପରିବାରରେ ସମସ୍ତେ ମିଶି ଯିହୋବାଙ୍କ ସୃଷ୍ଟିକୁ ଦେଖନ୍ତି ଓ ସେଗୁଡ଼ିକର ମଜା ନିଅନ୍ତି, ତେବେ ସମସ୍ତଙ୍କୁ ବହୁତ ଭଲ ଲାଗେ ଓ ସମସ୍ତେ ପରସ୍ପରର ଆହୁରି ନିକଟତର ହୋଇଯାନ୍ତି । ବାଇବଲରେ ମଧ୍ୟ ଲେଖାଇଛି ଯେ “ହାସ୍ୟ କରିବାର ସମୟ,” “ନୃତ୍ୟ କରିବାର ସମୟ” ଓ ଖେଳିବାର ମଧ୍ୟ ସମୟ ଥାଏ । (ଉପ. ୩:୧, ୪) ଯିହୋବା ଏପରି ଅନେକ ଜିନିଷ ସୃଷ୍ଟି କରିଛନ୍ତି ଯାହାକୁ ଦେଖି ଆମକୁ ବହୁତ ଖୁସି ଲାଗେ, ଯେପରି ପାହାଡ଼, ସମୁଦ୍ର ଓ ଜଙ୍ଗଲ । ଅନେକ ପରିବାରର ଲୋକମାନଙ୍କୁ ଏପରି ଜାଗାରେ ଯାଇ ସମୟ ବିତାଇବା ବହୁତ ଭଲ ଲାଗେ । ଅନେକ ପିଲାଙ୍କୁ ପାର୍କରେ ଖେଳିବା, ପଶୁମାନଙ୍କୁ ଦେଖିବା ଓ ନଦୀ, ପୋଖରି କିମ୍ବା ସମୁଦ୍ରରେ ପହଁରିବା ବହୁତ ଭଲ ଲାଗେ । ସତରେ, ଯିହୋବା ବହୁତଗୁଡ଼ିଏ ଜିନିଷ ସୃଷ୍ଟି କରିଛନ୍ତି ଯେଉଁଠି ଆମେ ନିଜ ପରିବାରର ଲୋକମାନଙ୍କ ସହ ମଜା କରିପାରିବା !
୧୭. ଏହା କାହିଁକି ଜରୁରୀ ଯେ ବାପାମାଆ ପିଲାମାନଙ୍କୁ ସୃଷ୍ଟି ପାଇଁ କୃତଜ୍ଞ ହେବା ଶିଖାନ୍ତୁ ?
୧୭ ନୂଆ ଦୁନିଆରେ ବାପାମାଆ ନିଜ ପିଲାମାନଙ୍କ ସହ ଯିହୋବାଙ୍କ ସୃଷ୍ଟିର ଆହୁରି ମଜା ନେଇପାରିବେ । ସେସମୟରେ ଆମେ ପଶୁମାନଙ୍କୁ ଡରିବାନି ଓ ସେମାନେ ମଧ୍ୟ ଆମକୁ ଡରିବେନି । (ଯିଶା. ୧୧:୬-୯) ସେସମୟରେ ଯିହୋବାଙ୍କ ସୃଷ୍ଟି ଉପରେ ଧ୍ୟାନ ଦେବା ପାଇଁ ଓ ମଜା ନେବା ପାଇଁ ଆମ ପାଖରେ ବହୁତ ସମୟ ଥିବ । (ଗୀତ. ୨୨:୨୬) କିନ୍ତୁ ବାପାମାଆମାନେ, ସେସମୟର ଅପେକ୍ଷା କରନ୍ତୁ ନାହିଁ । ଏବେଠୁ ନିଜ ପିଲାମାନଙ୍କୁ ଶିଖାନ୍ତୁ ଯେ ସେମାନେ ଯିହୋବାଙ୍କ ସୃଷ୍ଟିର ମଜା ନିଅନ୍ତୁ ଓ ସେଗୁଡ଼ିକରୁ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣନ୍ତୁ । ତାʼପରେ ସେମାନେ ମଧ୍ୟ ରାଜା ଦାଉଦଙ୍କ ଭଳି ଅନୁଭବ କରିବେ ଯେ କହିଲେ, ‘ହେ ପ୍ରଭୋ, ତୁମ୍ଭ କର୍ମ ତୁଲ୍ୟ ଆଉ କୌଣସି କର୍ମ ନାହିଁ ।’—ଗୀତ. ୮୬:୮.
ଗୀତ ୧୩୪ ବଚ୍ଚେ ହୈ ୟହୋୱା କେ ଅମାନତ୍
a ଏପରି ଅନେକ ଭାଇଭଉଣୀଙ୍କୁ ଆଜି ବି ମନେଅଛି ଯେ ଯେବେ ସେମାନେ ଛୋଟ ଥିଲେ, ତେବେ ତାଙ୍କ ବାପାମାଆ ସୃଷ୍ଟିକୁ ଦେଖାଇ ସେମାନଙ୍କୁ କିପରି ଯିହୋବାଙ୍କ ବିଷୟରେ ଶିଖାଇଥିଲେ । ନିଜ ବାପାମାଆଙ୍କ ସହ ବିତାଇଥିବା ସେହି ଭଲ ସମୟକୁ ସେମାନେ ଆଜି ବି ଭୁଲିପାରି ନାହାନ୍ତି । ଯଦି ଆପଣଙ୍କ ପିଲା ଅଛନ୍ତି, ତେବେ ଆପଣ କିପରି ସେମାନଙ୍କୁ ସୃଷ୍ଟିରୁ ଯିହୋବାଙ୍କ ଗୁଣଗୁଡ଼ିକ ବିଷୟରେ ଶିଖାଇପାରିବେ ? ଏହି ଲେଖାରେ ଆମେ ଏବିଷୟରେ ହିଁ ଜାଣିବା ।