କʼଣ ମଣିଷମାନେ ଯୁଦ୍ଧ ଓ ଲଢ଼େଇଗୁଡ଼ିକୁ ଶେଷ କରିପାରିବେ ?
ଲୋକମାନେ ଅନେକ କାରଣରୁ ଯୁଦ୍ଧ କରନ୍ତି । ଯେପରି, କିଛି ଲୋକ ସରକାର ବଦଳାଇବା ପାଇଁ, ଆର୍ଥିକ ଦିଗରେ ପରିବର୍ତ୍ତନ ଆଣିବା ପାଇଁ କିମ୍ବା ସମାଜରେ ହେଉଥିବା ଅନ୍ୟାୟକୁ ଶେଷ କରିବା ପାଇଁ ଲଢ଼େଇ କରନ୍ତି । ତାʼଛଡ଼ା, କିଛି ଲୋକ ଅଞ୍ଚଳଗୁଡ଼ିକରେ କବ୍ଜା କରିବା ପାଇଁ କିମ୍ବା ପ୍ରାକୃତିକ ଭାବେ ମିଳୁଥିବା ଜିନିଷ ଯେପରି—କୋଇଲା, ସୁନା, ହୀରା ଓ ତେଲ ଇତ୍ୟାଦିକୁ କବଜା କରିବା ପାଇଁ ଯୁଦ୍ଧ କରନ୍ତି । ଆଉ କିଛି ଲୋକ ଜାତି କିମ୍ବା ଧର୍ମକୁ ନେଇ ଯୁଦ୍ଧ କରନ୍ତି । ମଣିଷମାନେ ଏହି ଲଢ଼େଇଗୁଡ଼ିକୁ ରୋକିବା ପାଇଁ ଏବଂ ଶାନ୍ତି ଆଣିବା ପାଇଁ ଅନେକ ପ୍ରୟାସ କରୁଛନ୍ତି । କିନ୍ତୁ କʼଣ ସେମାନଙ୍କ ପ୍ରୟାସ ସଫଳ ହେବ ?
Drazen_/E+ via Getty Images
ଯଦି ଧନୀ-ଗରିବ ମଧ୍ୟରେ ପାର୍ଥକ୍ୟ ନ ଥିବ
ଏଥିରୁ କʼଣ ହେବ ? ଲୋକମାନଙ୍କ ଜୀବନଶୈଳୀ ସୁଧୁରିଯିବ । ଆଜି ଯୁଦ୍ଧ ଓ ଲଢ଼େଇଗୁଡ଼ିକ ହେବାର ଗୋଟିଏ ବଡ଼ କାରଣ ହେଉଛି ଧନୀ-ଗରିବ ମଧ୍ୟରେ ପାର୍ଥକ୍ୟ । ସେଥିପାଇଁ ଯଦି ଆର୍ଥିକ ବିକାଶ ହେବ, ତାହେଲେ ଧନୀ-ଗରିବ ଲୋକମାନଙ୍କ ମଧ୍ୟରେ ପାର୍ଥକ୍ୟ କମ୍ ହୋଇଯିବ କିମ୍ବା ପୂରାପୂରି ଶେଷ ହୋଇଯିବ ।
କʼଣ ବାଧା ଆସେ ? ସରକାର ଯେପରି ଭାବେ ନିଜର ଟଙ୍କା ଖର୍ଚ୍ଚ କରୁଛି, ସେଥିରେ ତାକୁ ପରିବର୍ତ୍ତନ କରିବାକୁ ପଡ଼ିବ । ୨୦୨୨ ମସିହାରେ ଆକଳନ କରାଯାଇଥିଲା ଯେ ସାରା ଦୁନିଆରେ ଶାନ୍ତି ଆଣିବା ଓ ତାହାକୁ ବଜାୟ ରଖିବା ପାଇଁ ପ୍ରାୟ ୩,୪୧୦ କୋଟି ଟଙ୍କା ଖର୍ଚ୍ଚ କରାଗଲା । କିନ୍ତୁ ସେହି ବର୍ଷ ସୈନିକମାନଙ୍କ ପାଇଁ ଯେତେ ଟଙ୍କା ଖର୍ଚ୍ଚ କରାଗଲା, ତାʼ ତୁଳନାରେ ଏହା କେବଳ ୦.୪ ପ୍ରତିଶତ ଥିଲା ।
“ଯୁଦ୍ଧକୁ ରୋକିବା ଓ ଶାନ୍ତି ବଜାୟ ରଖିବା ପାଇଁ ଆମେ ଯେତିକି ପଇସା ଖର୍ଚ୍ଚ କରୁଛୁ ଓ ଯେତିକି ଜିନିଷ ବ୍ୟବହାର କରୁଛୁ, ତାʼଠାରୁ ବି ଅଧିକ ଜିନିଷ ଓ ପଇସା ଆମେ ଯୁଦ୍ଧ ପାଇଁ ବ୍ୟବହାର କରୁଛୁ ।”—ଏଣ୍ଟୋନିୟୋ ଗୁଟେରେସ୍, ମିଳିତ ଜାତିସଂଘର ମହାସଚିବ ।
ପବିତ୍ର ଶାସ୍ତ୍ରରେ କʼଣ ଲେଖାଅଛି ? ଦୁନିଆର ସରକାର ଓ ସଂଗଠନ ଗରିବମାନଙ୍କୁ ସାହାଯ୍ୟ କରିପାରିବ, କିନ୍ତୁ ଦାରିଦ୍ରତାକୁ ପୂରାପୂରି ଶେଷ କରିପାରିବନି ।—ଦ୍ୱିତୀୟ ବିବରଣ ୧୫:୧୧; ମାଥିଉ ୨୬:୧୧.
ଯଦି ଦେଶଗୁଡ଼ିକ କିଛି ମାମଲାକୁ ନେଇ ବୁଝାମଣା କରନ୍ତି
ଏଥିରୁ କʼଣ ହେବ ? ଦେଶଗୁଡ଼ିକ ପରସ୍ପର ମଧ୍ୟରେ ଶାନ୍ତିରେ କଥା ହେବେ ଏବଂ ଏପରି କାମ କରିବା ପାଇଁ ସହମତ ହେବେ, ଯାହା ସାହାଯ୍ୟରେ ଉଭୟ ପକ୍ଷକୁ ଲାଭ ହେବ । ଏପରି କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ଲଢ଼େଇ ହେବ ନାହିଁ, କିମ୍ବା ଯଦି ହୁଏ, ତାହେଲେ ବି ତାହାର ସମାଧାନ ହୋଇଯିବ ।
କʼଣ ବାଧା ଆସେ ? ସବୁବେଳେ ଏହା ସମ୍ଭବ ହେବ ନାହିଁ ଯେ ସମସ୍ତ ପକ୍ଷ କୌଣସି ମାମଲାକୁ ନେଇ ସହମତ ହେବା ପାଇଁ କିମ୍ବା କଥାବାର୍ତ୍ତା ହେବା ପାଇଁ କିମ୍ବା କୌଣସି ଚୁକ୍ତି କରିବା ପାଇଁ ପ୍ରସ୍ତୁତ ହେବେ । ଆଉ ଯଦି ବି କେହି ଚୁକ୍ତି କରେ, ତାହେଲେ ବି ସେହି ଦେଶଗୁଡ଼ିକ ତାହାକୁ ସହଜରେ ଭାଙ୍ଗିଦିଏ ।
“ଦେଶଗୁଡ଼ିକ ମଧ୍ୟରେ କରାଯାଇଥିବା ଚୁକ୍ତି ସବୁବେଳେ ସଫଳ ହୁଏନି । ଅନେକ ଥର ଏହା ଯୋଗୁଁ ଲଢ଼େଇ ଆହୁରି ବଢ଼ିଯାଏ ।”—ରେମଣ୍ଡ ଏଫ୍.ସ୍ମିଥ୍, ଆମେରିକୀୟ ଡିପ୍ଲୋମାସିର ଲେଖକ ।
ପବିତ୍ର ଶାସ୍ତ୍ରରେ କʼଣ ଲେଖାଅଛି ? ଲୋକମାନଙ୍କୁ “ଶାନ୍ତି ଅନ୍ୱେଷଣ” କରିବା ପାଇଁ ଚେଷ୍ଟା କରିବା ଉଚିତ୍ । (ଗୀତସଂହିତା ୩୪:୧୪) କିନ୍ତୁ ଆଜି ଅନେକ ଲୋକ ‘ଅପବିତ୍ର [“ଅବିଶ୍ୱସ୍ତ,” NWT], ବିଶ୍ୱାସଘାତକ ଓ ଅମିଳନପ୍ରିୟ ।’ (୨ ତୀମଥି ୩:୧-୪) ଆଉ ଏହି କାରଣ ଯୋଗୁଁ ଯେଉଁ ଭଲ ରାଜନେତାମାନେ ଅଛନ୍ତି, ସେମାନେ ମଧ୍ୟ ଲଢ଼େଇକୁ ରୋକିପାରନ୍ତି ନାହିଁ ।
ଯଦି ଯୁଦ୍ଧରେ ବ୍ୟବହାର କରାଯାଉଥିବା ଅସ୍ତ୍ରଗୁଡ଼ିକ ନ ଥିବ
ଏଥିରୁ କʼଣ ହେବ ? ଯେବେ ସମସ୍ତ ପ୍ରକାରର ଅସ୍ତ୍ରଶସ୍ତ୍ର, ବିଶେଷ କରି ପରମାଣୁ, ରସାୟନିକ ଓ ଜୈବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କମ୍ କିମ୍ବା ଶେଷ ହୋଇଯିବ, ତେବେ ଯୁଦ୍ଧର ଆଶଙ୍କା ନ ଥିବ ।
କʼଣ ବାଧା ଆସେ ? ପ୍ରାୟ ଦେଶଗୁଡ଼ିକ ଅସ୍ତ୍ରଶସ୍ତ୍ରକୁ କମ୍ ବ୍ୟବହାର କରିବା କିମ୍ବା ଏଗୁଡ଼ିକୁ ଶେଷ କରିବା ପାଇଁ ରାଜି ହୁଅନ୍ତି ନାହିଁ, କାରଣ ଦେଶଗୁଡ଼ିକୁ ଡର ଲାଗିରହେ ଯେ ଏପରି କଲେ ସେମାନଙ୍କର ଶକ୍ତି କମ୍ ହୋଇଯିବ ଓ ଅନ୍ୟ ଦେଶଗୁଡ଼ିକ ସେମାନଙ୍କ ଉପରେ ଆକ୍ରମଣ କଲେ ସେମାନେ ନିଜକୁ ରକ୍ଷା କରିପାରିବେ ନାହିଁ । କିନ୍ତୁ ଯୁଦ୍ଧ ହେବାର କାରଣ ଅନ୍ୟ କିଛି ରହିଛି । ସେଥିପାଇଁ ଯଦିଓ ଲୋକମାନେ ଦେଶରୁ ସମସ୍ତ ଅସ୍ତ୍ରଶସ୍ତ୍ରକୁ ଶେଷ କରିଦିଅନ୍ତି, ତଥାପି ସେମାନେ ଯୁଦ୍ଧର ମୂଳ କାରଣକୁ କେବେ ବି ଶେଷ କରିପାରିବେ ନାହିଁ ।
“୧୯୯୧ ମସିହାରେ ଯେବେ ଶୀତଳ ଯୁଦ୍ଧ ଶେଷ ହେଲା, ତେବେ ଅନେକ ରାଷ୍ଟ୍ର ପ୍ରତିଜ୍ଞା କଲେ ଯେ ସେମାନେ ନିଜ ଦେଶରୁ ସମସ୍ତ ଅସ୍ତ୍ରଶସ୍ତ୍ର ଶେଷ କରିଦେବେ । ତାʼସହିତ ସେମାନେ ଏହା ମଧ୍ୟ ପ୍ରତିଜ୍ଞା କଲେ ଯେ ସେମାନେ ଏପରି ପଦକ୍ଷେପ ନେବେ, ଯେଉଁଥିରୁ ବଡ଼ ବଡ଼ ବିପଦ ରୋକା ଯାଇପାରିବ ଏବଂ ଦେଶଗୁଡ଼ିକ ମଧ୍ୟରେ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଇପାରିବ । ସେମାନେ ଚାହୁଁଥିଲେ ଯେ ପୃଥିବୀ ଆହୁରି ସୁରକ୍ଷିତ ହୋଇଯାଉ, କିନ୍ତୁ ଅନେକ ସରକାର ନିଜର ଏହି ପ୍ରତିଜ୍ଞା ପୂରା କଲେ ନାହିଁ ।”—“ଆମ ସମସ୍ତଙ୍କର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ: ଅସ୍ତ୍ରଶସ୍ତ୍ର କମ୍ କରିବା କିମ୍ବା ପୂରାପୂରି ଶେଷ କରିବାର ଯୋଜନା ।”
ପବିତ୍ର ଶାସ୍ତ୍ରରେ କʼଣ ଲେଖାଅଛି ? ଲୋକମାନଙ୍କୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଛାଡ଼ି ଦେବା ଓ “ଆପଣା ଖଡ଼୍ଗ ଭାଙ୍ଗି ଲଙ୍ଗଳର ଫାଳ” କରିବା ଉଚିତ୍ । (ଯିଶାଇୟ ୨:୪) କିନ୍ତୁ କେବଳ ଏତିକି କରିବା ଯଥେଷ୍ଟ ନୁହେଁ, କାରଣ ଯୁଦ୍ଧ କରିବା ଓ ଲଢ଼େଇ କରିବାର ଭାବନା ହୃଦୟରୁ ଆସେ ।—ମାଥିଉ ୧୫:୧୯.
ଯଦି ଦେଶଗୁଡ଼ିକ ଏକତ୍ର ହୋଇଯିବେ
ଏଥିରୁ କʼଣ ହେବ ? ଅନେକ ଦେଶଗୁଡ଼ିକୁ ଲାଗେ ଯେ ଯଦି ସେମାନେ ଏକତ୍ର ହୋଇଯିବେ, ତାହେଲେ ଅନ୍ୟଦେଶଗୁଡ଼ିକ ସେମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଡରିବ । କାରଣ କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣ କରିବାର ଅର୍ଥ ତାʼସହିତ ଚୁକ୍ତି କରିଥିବା ସମସ୍ତ ଦେଶଗୁଡ଼ିକର ସାମନା କରିବା ।
କʼଣ ବାଧା ଆସେ ? ଜରୁରୀ ନୁହେଁ ଯେ ଯେବେ କିଛି ଦେଶ ଏକତ୍ର ହୋଇଯିବେ, ତେବେ ଅନ୍ୟ ଦେଶ ଡରିଯିବ ଓ ସେମାନଙ୍କ ଉପରେ ଆକ୍ରମଣ କରିବ ନାହିଁ । ଏପରି ବି ହୋଇଛି ଯେ ଯେଉଁ ରାଷ୍ଟ୍ରଗୁଡ଼ିକ ଏକତ୍ର ହୋଇଯାʼନ୍ତି, ସେମାନେ ସବୁବେଳେ ନିଜର ପ୍ରତିଜ୍ଞା ପୂରା କରନ୍ତି ନାହିଁ । ତାʼସହିତ ସେମାନେ ଏହା ବି ସ୍ଥିର କରିପାରନ୍ତି ନାହିଁ ଯେ ସେମାନେ କେବେ ଓ କିପରି ଶତ୍ରୁମାନଙ୍କ ଉପରେ ଆକ୍ରମଣ କରିବେ ।
“ଏହା ସତ ଯେ ରାଷ୍ଟ୍ରସଂଘ ଓ ମିଳିତ ଜାତିସଂଘ, ଦେଶଗୁଡ଼ିକ ମଧ୍ୟରେ ଚୁକ୍ତି କରିବା ପାଇଁ ବହୁତ ପରିଶ୍ରମ କଲା । ତଥାପି ଏହି ଦେଶଗୁଡ଼ିକ ମଧ୍ୟରେ ହେଉଥିବା ଯୁଦ୍ଧକୁ ରୋକିପାରିଲା ନାହିଁ ।”—“ଏନସାଇକ୍ଲୋପିଡିଆ ବ୍ରିଟାନିକା ।”
ପବିତ୍ର ଶାସ୍ତ୍ରରେ କʼଣ ଲେଖାଅଛି ? ସାଧାରଣତଃ ଯେବେ ଅଧିକ ଲୋକ ମିଶି କାମ କରନ୍ତି, ତେବେ ଏହାର ଭଲ ପରିଣାମ ମିଳେ । (ଉପଦେଶକ ୪:୧୨) କିନ୍ତୁ ଦୁନିଆର ସରକାରଗୁଡ଼ିକ ଓ ସଂଗଠନ ମିଶି କାମ କଲାପରେ ମଧ୍ୟ ସବୁଦିନ ପାଇଁ ଶାନ୍ତି ଓ ସୁରକ୍ଷା ଆଣିପାରିବ ନାହିଁ । ଶାସ୍ତ୍ରରେ ଲେଖାଅଛି, “ଅଧିପତିମାନଙ୍କ ଉପରେ, କିଅବା ଯାହାଠାରେ କୌଣସି ସାହାଯ୍ୟ ନାହିଁ, ଏପରି ମନୁଷ୍ୟ-ସନ୍ତାନ ଉପରେ ନିର୍ଭର କର ନାହିଁ । ତାହାର ନିଃଶ୍ୱାସ ବାହାରି ଯାଏ, ସେ ନିଜ ମୃତ୍ତିକାକୁ ଫେରିଯାଏ; ସେହି ଦିନ ତାହାର ସଙ୍କଳ୍ପସବୁ ନଷ୍ଟ ହୁଏ ।”—ଗୀତସଂହିତା ୧୪୬:୩, ୪.
ଅନେକ ରାଷ୍ଟ୍ର ଶାନ୍ତି ଆଣିବା ପାଇଁ ବହୁତ ଚେଷ୍ଟା କରୁଛି, ତଥାପି ଆଜି ଯୁଦ୍ଧ ଥମୁନାହିଁ