ଯୁଦ୍ଧ ଓ ଲଢ଼େଇଗୁଡ଼ିକ କାହିଁକି ଶେଷ ହେଉନି ?
ପବିତ୍ର ଶାସ୍ତ୍ରରେ ବୁଝାଇ ଦିଆଯାଇଛି ଯେ ଯୁଦ୍ଧ ଓ ଲଢ଼େଇଗୁଡ଼ିକର ମୂଳ କାରଣ କʼଣ ଏବଂ କାହିଁକି ମଣିଷମାନଙ୍କ ଅନେକ ପ୍ରୟାସ ସତ୍ତ୍ୱେ ଏହା ଥମୁନି ।
ପାପ
ଈଶ୍ୱର ପ୍ରଥମ ପୁରୁଷ ଓ ସ୍ତ୍ରୀ, ଆଦମ ଓ ହବାକୁ ନିଜ ସ୍ୱରୂପରେ ସୃଷ୍ଟି କଲେ । (ଆଦି ପୁସ୍ତକ ୧:୨୭) ଏହାର ଅର୍ଥ ଈଶ୍ୱରଙ୍କ ଭିତରେ ଯେଉଁ ଗୁଣ ରହିଛି, ସେହି ଗୁଣ ସେମାନଙ୍କ ଭିତରେ ବି ଥିଲା । ଯେପରି, ଶାନ୍ତି ଓ ପ୍ରେମ । (୧ କରିନ୍ଥୀୟ ୧୪:୩୩; ୧ ଯୋହନ ୪:୮) କିନ୍ତୁ ଆଦମ ଓ ହବା ଈଶ୍ୱରଙ୍କ କଥା ମାନିଲେ ନାହିଁ ଏବଂ ପାପ କଲେ । ଆମେ ସମସ୍ତେ ଆଦମ ଓ ହବାର ସନ୍ତାନ ଅଟୁ, ସେଥିପାଇଁ ଆମେ ମଧ୍ୟ ପାପୀ ହୋଇଗଲୁ ଓ ଏହା ଯୋଗୁଁ ଆମର ବି ମୃତ୍ୟୁ ହୋଇଯାଏ । (ରୋମୀୟ ୫:୧୨) ପାପୀ ହେବା ଯୋଗୁଁ ଆମେ ପ୍ରାୟ ଖରାପ କଥାଗୁଡ଼ିକ ବିଷୟରେ ଭାବୁ ଏବଂ ସେପରି ହିଁ କାମ କରୁ ।—ଆଦି ପୁସ୍ତକ ୬:୫; ମାର୍କ ୭:୨୧, ୨୨.
ମଣିଷ ସରକାରଗୁଡ଼ିକ
ଈଶ୍ୱର ଆମ ମଣିଷମାନଙ୍କୁ ପରସ୍ପର ଉପରେ ଶାସନ କରିବା ପାଇଁ ସୃଷ୍ଟି କରି ନାହାନ୍ତି । ଶାସ୍ତ୍ର ବାଇବଲରେ ଲେଖାଅଛି, “ନିଜ ପାଦବିକ୍ଷେପ ସ୍ଥିର କରିବାର ଗମନକାରୀ ମନୁଷ୍ୟର ସାଧ୍ୟ ନୁହେଁ ।” (ଯିରିମୀୟ ୧୦:୨୩) ସେଥିପାଇଁ ମଣିଷ ସରକାରଗୁଡ଼ିକ କେବେ ବି ଯୁଦ୍ଧ ଓ ଲଢ଼େଇଗୁଡ଼ିକୁ ପୂରାପୂରି ଶେଷ କରିପାରିବେ ନାହିଁ ।
ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନେ
ବାଇବଲରେ ଲେଖାଅଛି, ‘ସମସ୍ତ ଜଗତ ପାପାତ୍ମାର ଅଧୀନ ।’ (୧ ଯୋହନ ୫:୧୯) ଶୟତାନ ଏପରି ଜଣେ ସ୍ୱର୍ଗଦୂତ, ଯିଏ ବହୁତ ଦୁଷ୍ଟ ଓ ନରଘାତକ ଅଟେ । (ଯୋହନ ୮:୪୪) ସେ ଓ ଅନ୍ୟ ଦୁଷ୍ଟ ସ୍ୱର୍ଗଦୂତ ଲୋକମାନଙ୍କୁ ଯୁଦ୍ଧ କରିବା ପାଇଁ ଓ ହିଂସା କରିବା ପାଇଁ ଭ୍ରାନ୍ତ କରନ୍ତି ।—ପ୍ରକାଶିତ ବାକ୍ୟ ୧୨:୯, ୧୨.
ମଣିଷମାନେ ଯୁଦ୍ଧ ଓ ଲଢ଼େଇଗୁଡ଼ିକର ମୂଳ କାରଣକୁ ଶେଷ କରିପାରିବେ ନାହିଁ, କିନ୍ତୁ ଈଶ୍ୱର ଏପରି କରିପାରିବେ ।