ଅଧ୍ୟୟନ ଲେଖା ୨୦
ଗୀତ ୭ ପ୍ରତିଦିନ କଥା ହୁଏ ଯିହୋବା ସାଥେ
ଯିହୋବା ଆମକୁ ନିଶ୍ଚୟ ସାନ୍ତ୍ୱନା ଦେବେ
“ଆମ୍ଭମାନଙ୍କ . . . ପିତା ଧନ୍ୟ, ସେ ଦୟାମୟ ପିତା ଓ ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର ।”—୨ କରି. ୧:୩.
କʼଣ ଶିଖିବା ?
ଆମେ ଜାଣିବା ଯେ ଯିହୋବା ବାବିଲରେ ବନ୍ଦୀ ଥିବା ଯିହୁଦୀମାନଙ୍କୁ କିପରି ସାନ୍ତ୍ୱନା ଦେଲେ ଏବଂ ଏଥିରୁ ଆମେ କʼଣ ଶିଖିପାରିବା ।
୧. ଯେଉଁ ଯିହୁଦୀ ବାବିଲରେ ବନ୍ଦୀ ଥିଲେ, ସେମାନଙ୍କୁ କିପରି ଲାଗିଥିବ ?
ଭାବନ୍ତୁ, ଯେଉଁ ଯିହୁଦୀମାନେ ବାବିଲରେ ବନ୍ଦୀ ଥିଲେ ସେମାନଙ୍କୁ କିପରି ଲାଗିଥିବ । ସେମାନେ ନିଜ ଆଖି ଆଗରେ ନିଜ ଦେଶକୁ ବିନାଶ ହେବାର ଦେଖିଥିଲେ ଆଉ ଏବେ ସେମାନେ ଗୋଟିଏ ଅଜଣା ଦେଶରେ ଥିଲେ । କିନ୍ତୁ ସେମାନଙ୍କ ସହିତ ଏପରି କାହିଁକି ହେଲା ? କାରଣ ସେମାନେ ଓ ତାଙ୍କର ପୂର୍ବପୁରୁଷମାନେ ଯିହୋବାଙ୍କ ବିରୁଦ୍ଧରେ ପାପ କରିଥିଲେ । (୨ ବଂଶା. ୩୬:୧୫, ୧୬, ୨୦, ୨୧) ଏହା ସତ ଯେ ସେମାନେ ବାବିଲରେ ଗୋଟିଏ ସାଧାରଣ ଜୀବନ ବଞ୍ଚୁଥିଲେ ଓ ସେମାନଙ୍କର କିଛି ସ୍ୱାଧୀନତା ମଧ୍ୟ ଥିଲା । (ଯିରି. ୨୯:୪-୭) କିନ୍ତୁ ତାଙ୍କ ଜୀବନ ଏତେ ସହଜ ବି ନ ଥିଲା । ଦେଖିବାକୁ ଗଲେ ସେମାନେ ସେଠାରେ ରହିବା ପାଇଁ ବାଧ୍ୟ ଥିଲେ । ଧ୍ୟାନ ଦିଅନ୍ତୁ ଯେ ସେମାନଙ୍କ ମଧ୍ୟରୁ ଜଣେ ବିଶ୍ୱସ୍ତ ଯିହୁଦୀ କʼଣ କହିଲେ: “ଆମ୍ଭେମାନେ ବାବିଲୀୟ ନଦୀମାନର ନିକଟରେ ସିୟୋନକୁ ସ୍ମରଣ କଲା ବେଳେ ସେଠାରେ ବସିଲୁ ଓ ରୋଦନ କଲୁ ।” (ଗୀତ. ୧୩୭:୧) ବାବିଲରେ ରହୁଥିବା ଯିହୁଦୀ ବହୁତ ନିରାଶ ଥିଲେ । ଏପରି ସମୟରେ କିଏ ତାଙ୍କୁ ସାନ୍ତ୍ୱନା ଦେଇପାରନ୍ତା ।
୨-୩. (କ) ବାବିଲରେ ବନ୍ଦୀ ଥିବା ଯିହୁଦୀମାନଙ୍କ ପାଇଁ ଯିହୋବା କʼଣ କଲେ ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?
୨ ଯିହୋବା “ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର” ଅଟନ୍ତି । (୨ କରି. ୧:୩) ସେ ନିଜର ଲୋକମାନଙ୍କୁ ବହୁତ ପ୍ରେମ କରନ୍ତି ଓ ସେମାନଙ୍କୁ ସାନ୍ତ୍ୱନା ଦିଅନ୍ତି । ସେ ଜାଣିଥିଲେ ଯେ ବାବିଲକୁ ଯିବା ପରେ କିଛି ଯିହୁଦୀ ନିଜ ଭୁଲ ବୁଝିବେ ଏବଂ ପୁଣିଥରେ ତାଙ୍କର ଉପାସନା କରିବେ । (ଯିଶା. ୫୯:୨୦) ତେଣୁ ଯିହୁଦୀମାନେ ବାବିଲରେ ବନ୍ଦୀ ହେବାର ୧୦୦ ବର୍ଷ ପୂର୍ବରୁ ହିଁ ଯିହୋବା ଯିଶାଇୟଙ୍କ ଜରିଆରେ କିଛି ଭବିଷ୍ୟତବାଣୀ ଲେଖାଇଲେ । ଏହି ଭବିଷ୍ୟତବାଣୀଗୁଡ଼ିକ ଯିଶାଇୟଙ୍କ ବହିରେ ଲେଖାଅଛି । ଯିହୋବା ଏହାକୁ କାହିଁକି ଲେଖାଇଥିଲେ ? ଯିଶାଇୟ ଲେଖିଲେ, “ମୋʼ ଲୋକମାନଙ୍କୁ ସାନ୍ତ୍ୱନା କର, ସାନ୍ତ୍ୱନା କର, ତୁମ୍ଭମାନଙ୍କ ପରମେଶ୍ୱର ଏହା କହନ୍ତି ।” (ଯିଶା. ୪୦:୧) ଏହାର ଅର୍ଥ ଯିହୋବା ନିଜର ଲୋକମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଚାହୁଁଥିଲେ । ଆଗକୁ ଯାଇ ଏହି ବହିରୁ ବାବିଲରେ ରହୁଥିବା ଯିହୁଦୀମାନଙ୍କୁ ବହୁତ ସାନ୍ତ୍ୱନା ମିଳିଥିବ ।
୩ ଏହି ଲେଖାରେ ଆମେ ଜାଣିବା ଯେ ଯିହୁଦୀମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଯିହୋବା କʼଣ କଲେ: (୧) ସେ ପ୍ରତିଜ୍ଞା କଲେ ଯେ ସେ ପଶ୍ଚାତାପ କରୁଥିବା ଲୋକମାନଙ୍କୁ କ୍ଷମା କରିବେ, (୨) ସେ ନିଜର ଲୋକମାନଙ୍କୁ ଆଶା ଦେଲେ ଏବଂ (୩) ସେ ସେମାନଙ୍କର ଡର ଦୂର କଲେ । ଆଜି ଆମକୁ ବି ବେଳେବେଳେ ସାନ୍ତ୍ୱନାର ଦରକାର ପଡ଼େ । ତେଣୁ ଆମେ ଦେଖିବା ଯେ ଯିହୋବା ଯିହୁଦୀମାନଙ୍କ ପାଇଁ ଯେଉଁ କଥା ଲେଖାଇଥିଲେ, ସେଥିରୁ ଆମକୁ କିପରି ସାନ୍ତ୍ୱନା ମିଳିପାରିବ ।
ଯିହୋବା ଆମ ଉପରେ ଦୟା କରନ୍ତି ଏବଂ ଆମକୁ କ୍ଷମା କରନ୍ତି
୪. ଯିହୋବା ଯିହୁଦୀମାନଙ୍କ ଉପରେ କିପରି ଦୟା କଲେ ? (ଯିଶାଇୟ ୫୫:୭)
୪ ଯିହୋବା “ଦୟାମୟ ପିତା” ଅଟନ୍ତି । (୨ କରି. ୧:୩) ସେ ଯିଶାଇୟଙ୍କ ଜରିଆରେ ପଶ୍ଚାତାପ କରୁଥିବା ଯିହୁଦୀମାନଙ୍କୁ ପ୍ରତିଜ୍ଞା କଲେ ଯେ ସେ ସେମାନଙ୍କ ଉପରେ ଦୟା କରିବେ ଏବଂ ସେମାନଙ୍କୁ କ୍ଷମା କରିବେ । (ଯିଶାଇୟ ୫୫:୭ ପଢ଼ନ୍ତୁ ।) ସେ କହିଲେ, ‘ଅନନ୍ତକାଳସ୍ଥାୟୀ ଦୟାରେ [“ପ୍ରେମ,” NWT] ଆମ୍ଭେ ତୁମ୍ଭ ପ୍ରତି କରୁଣା [“ଦୟା,” NWT] କରିବା ।’ (ଯିଶା. ୫୪:୮) ଯିହୋବା କିପରି ସେମାନଙ୍କ ଉପରେ ଦୟା କଲେ ? ଅବଶ୍ୟ ଯିହୁଦୀମାନଙ୍କୁ ନିଜ ଭୁଲଗୁଡ଼ିକ ଯୋଗୁଁ ଅନେକ ବର୍ଷ ଯାଏ ବାବିଲରେ ବନ୍ଦୀ ହୋଇ ରହିବାକୁ ପଡ଼ିଲା, କିନ୍ତୁ ଯିହୋବା ସେମାନଙ୍କୁ ପ୍ରତିଜ୍ଞା କଲେ ଯେ ସେମାନେ ସବୁଦିନ ପାଇଁ ବନ୍ଦୀ ହୋଇ ରହିବେନି । (ଯିଶା. ୪୦:୨) ଭାବନ୍ତୁ, ଏହା ଶୁଣି ପଶ୍ଚାତାପ କରୁଥିବା ଯିହୁଦୀମାନଙ୍କୁ କେତେ ସାନ୍ତ୍ୱନା ମିଳିଥିବ !
୫. ଯିହୋବା କ୍ଷମା କରନ୍ତି, ଏହି କଥା ଉପରେ ଭରସା କରିବା ପାଇଁ ଆମ ପାଖରେ କେଉଁ କାରଣ ରହିଛି, ଯାହା ଯିହୁଦୀମାନଙ୍କ ପାଖରେ ନ ଥିଲା ?
୫ ଆମେ ଏଥିରୁ କʼଣ ଶିଖୁ ? ଯିହୋବା ନିଜର ସେବକମାନଙ୍କୁ ହୃଦୟରୁ କ୍ଷମା କରନ୍ତି । ଆମେ ବାବିଲରେ ଥିବା ଯିହୁଦୀମାନଙ୍କ ତୁଳନାରେ ଆହୁରି ନିଶ୍ଚିତ ଭାବେ କହିପାରିବା ଯେ ଯିହୋବା ଆମକୁ କ୍ଷମା କରନ୍ତି । କାରଣ ଆଜି ଆମକୁ ଜଣାଅଛି ଯେ ଯିହୋବା ଆମ ପାପ କ୍ଷମା କରିବା ପାଇଁ କʼଣ କରିଛନ୍ତି । ଯିଶାଇୟଙ୍କ ଭବିଷ୍ୟତବାଣୀର ପ୍ରାୟ ୭୦୦ ବର୍ଷ ପରେ ଯିହୋବା ନିଜର ଏକମାତ୍ର ପୁଅକୁ ପୃଥିବୀକୁ ପଠାଇଲେ, ଯାହାଦ୍ୱାରା ସେ ଆମ ପାଇଁ ନିଜର ଜୀବନ ମୁକ୍ତିର ମୂଲ୍ୟ ରୂପେ ଦେଇପାରନ୍ତେ । ଆଜି ଯେକେହି ଏହି ମୁକ୍ତିର ମୂଲ୍ୟ ଉପରେ ବିଶ୍ୱାସ କରନ୍ତି ଓ ନିଜ ପାପ ପାଇଁ ପଶ୍ଚାତାପ କରନ୍ତି, ଯିହୋବା ତାଙ୍କର “ପାପ-ମୋଚନ” କରନ୍ତି । (ପ୍ରେରି. ୩:୧୯; ଯିଶା. ୧:୧୮; ଏଫି. ୧:୭) ସତରେ, ଯିହୋବା କେତେ ଦୟାମୟ ପିତା ଅଟନ୍ତି !
୬. ଯିହୋବା ଆମକୁ କ୍ଷମା କରିଦେଇଛନ୍ତି, ଏହି କଥାକୁ ମନେ ରଖିଲେ ଆମକୁ କିପରି ସାନ୍ତ୍ୱନା ମିଳେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୬ ଯଦି ଆମେ ନିଜର କୌଣସି ଭୁଲ ପାଇଁ ନିଜକୁ ଦୋଷୀ ଅନୁଭବ କରୁଛୁ, ତେବେ ଯିଶାଇୟ ୫୫:୭ ପଦରେ ଲେଖାଥିବା କଥାରୁ ଆମକୁ ସାନ୍ତ୍ୱନା ମିଳିପାରିବ । ହୋଇପାରେ ଆମେ ଅତୀତରେ କରିଥିବା ଭୁଲ ପାଇଁ ପଶ୍ଚାତାପ ମଧ୍ୟ କରିଥିବା, ତଥାପି ଅନେକ ବର୍ଷ ପରେ ହୁଏତ ଆମେ ସେହି ଭୁଲଗୁଡ଼ିକୁ ମନେ ପକାଇ ନିଜକୁ ଦୋଷୀ ଅନୁଭବ କରୁଥିବା । ଆଉ ଯଦି ଆମେ ଏବେ ବି ସେହି ଭୁଲଗୁଡ଼ିକ ଯୋଗୁଁ ଖରାପ ପରିଣାମ ଭୋଗୁଛୁ, ତାହେଲେ ହୁଏତ ଆମେ ନିଜକୁ ଆହୁରି ଅଧିକ ଦୋଷୀ ଅନୁଭବ କରିବା । ଏପରି ସମୟରେ ଆମେ କʼଣ କରିପାରିବା ? ମନେ ରଖନ୍ତୁ, ଯଦି ଆମେ ନିଜର ଭୁଲଗୁଡ଼ିକୁ ସ୍ୱୀକାର କରିଛୁ ଓ ସଠିକ୍ ରାସ୍ତାରେ ଚାଲୁଛୁ, ତାହେଲେ ଆମେ ଭରସା ରଖିପାରିବା ଯେ ଯିହୋବା ଆମକୁ କ୍ଷମା କରିଦେଇଛନ୍ତି । ଆଉ କ୍ଷମା କରିବା ପରେ ସେ କେବେ ବି ଆମର ଭୁଲଗୁଡ଼ିକୁ ମନେ ପକାନ୍ତି ନାହିଁ । (ଯିରିମୀୟ ୩୧:୩୪ ପଦ ସହ ତୁଳନା କରନ୍ତୁ ।) ଭାବନ୍ତୁ, ଯଦି ଯିହୋବା ଆମ ଭୁଲଗୁଡ଼ିକୁ ମନେ ପକାନ୍ତି ନାହିଁ, ତାହେଲେ କʼଣ ଆମେ ସେଗୁଡ଼ିକୁ ମନେ ପକାଇ ନିରାଶ ହେବା ଉଚିତ୍ ? ଆଉ ଗୋଟିଏ ଜରୁରୀ କଥା ମନେ ରଖନ୍ତୁ, ଯିହୋବା ଏହା ଦେଖନ୍ତି ନାହିଁ ଯେ ଆମେ ଅତୀତରେ କʼଣ ଭୁଲ କରିଥିଲୁ, ବରଂ ସେ ଏହା ଦେଖନ୍ତି ଯେ ଆମେ ଆଜି କʼଣ କରୁଛୁ । (ଯିହି. ୩୩:୧୪-୧୬) ଆମ ଦୟାଳୁ ପିତା ଯିହୋବା ଖୁବ୍ ଶୀଘ୍ର ଆମର ସେହି ସବୁ ଦୁଃଖକଷ୍ଟକୁ ଶେଷ କରିଦେବେ, ଯାହା ଆମେ ନିଜର ଭୁଲଗୁଡ଼ିକ ଯୋଗୁଁ ସହୁଛୁ ।
ଯିହୋବା ଏହା ଦେଖନ୍ତି ନାହିଁ ଯେ ଆମେ ଅତୀତରେ କʼଣ ଭୁଲଗୁଡ଼ିକ କରିଥିଲୁ, ବରଂ ସେ ଏହା ଦେଖନ୍ତି ଯେ ଆମେ ଆଜି କʼଣ କରୁଛୁ (ପାରାଗ୍ରାଫ ୬)
୭. ଯଦି ଆମେ ଗମ୍ଭୀର ପାପ କରିଛୁ, ତାହେଲେ କେଉଁ କଥା ଆମକୁ ପ୍ରାଚୀନମାନଙ୍କୁ ଏବିଷୟରେ କହିବା ପାଇଁ ସାହାଯ୍ୟ କରିବ ?
୭ ଯଦି ଆମେ କୌଣସି ଗମ୍ଭୀର ପାପ କରିଛୁ ଏବଂ ତାହାକୁ ଲୁଚାଇ ରଖିବା ଦ୍ୱାରା ନିଜକୁ ଦୋଷୀ ଅନୁଭବ କରୁଛୁ, ତାହେଲେ ଆମେ କʼଣ କରିବା ଉଚିତ୍ ? ବାଇବଲରେ କୁହାଯାଇଛି ଯେ ଆମକୁ ପ୍ରାଚୀନମାନଙ୍କ ସାହାଯ୍ୟ ନେବା ଉଚିତ୍ । (ଯାକୁ. ୫:୧୪, ୧୫) ଏହା ସତ ଯେ ନିଜର ପାପ ସ୍ୱୀକାର କରିବା ବହୁତ କଠିନ ହୋଇପାରେ । କିନ୍ତୁ ଯଦି ଆମେ ଏହି କଥାକୁ ମନେ ରଖିବା ଯେ ଯିହୋବା ପ୍ରାଚୀନମାନଙ୍କ ଜରିଆରେ ଆମର ସାହାଯ୍ୟ କରନ୍ତି ଏବଂ ପ୍ରାଚୀନମାନେ ଯିହୋବାଙ୍କ ଭଳି ଆମକୁ ପ୍ରେମ କରନ୍ତି ଆଉ ଆମ ଉପରେ ଦୟା କରିବା ପାଇଁ ଚାହାନ୍ତି, ତାହେଲେ ଆମେ ହୃଦୟରୁ ପଶ୍ଚାତାପ କରିବା ଏବଂ ଏବିଷୟରେ ପ୍ରାଚୀନମାନଙ୍କୁ କହିବା ପାଇଁ ଡରିବାନି । ଆସନ୍ତୁ ଏବିଷୟରେ ଭାଇ ଆର୍ଥରଙ୍କa ଅନୁଭୂତି ଉପରେ ଧ୍ୟାନ ଦେବା । ସେ ନିଜର ଭୁଲ ଯୋଗୁଁ ନିଜକୁ ଦୋଷୀ ଅନୁଭବ କରୁଥିଲେ, କିନ୍ତୁ ଯିହୋବା ପ୍ରାଚୀନମାନଙ୍କ ଜରିଆରେ ତାଙ୍କୁ ସାହାଯ୍ୟ କଲେ ଏବଂ ସାନ୍ତ୍ୱନା ଦେଲେ । ସେ କହନ୍ତି, “ମୁଁ ପ୍ରାୟ ଗୋଟିଏ ବର୍ଷ ଯାଏ ପର୍ନୋଗ୍ରାଫି ଦେଖିଲି । କିନ୍ତୁ ଯେବେ ମୁଁ ବିବେକ ବିଷୟରେ ଗୋଟିଏ ଭାଷଣ ଶୁଣିଲି, ତେବେ ମୁଁ ନିଜ ସ୍ତ୍ରୀ ସାମନାରେ ନିଜର ଭୁଲ ସ୍ୱୀକାର କଲି ଏବଂ ସେବିଷୟରେ ପ୍ରାଚୀନମାନଙ୍କୁ ବି କହିଲି । ତାʼପରେ ମୋତେ ଏପରି ଲାଗିଲା ଯେପରି ମୋ ମନରୁ ଭାରି ବୋଝ ଦୂର ହୋଇଗଲା ଆଉ ମୋତେ ବହୁତ ଶାନ୍ତି ମିଳିଲା । ମୁଁ ପଶ୍ଚାତାପ ତ କରିଥିଲି, କିନ୍ତୁ ଏବେ ବି ମୁଁ ନିଜକୁ ଦୋଷୀ ଅନୁଭବ କରୁଥିଲି । ସେସମୟରେ ପ୍ରାଚୀନମାନେ ମୋତେ ଭରସା ଦେଲେ ଯେ ଯିହୋବା ମୋ ସାଙ୍ଗରେ ଅଛନ୍ତି, ସେ ମୋତେ ଛାଡ଼ି ନାହାନ୍ତି ଆଉ ବହୁତ ପ୍ରେମ କରନ୍ତି ତେଣୁ ସେ ମୋତେ ସୁଧାରୁଛନ୍ତି । ଏହି ପ୍ରେମଭରା କଥା ମୋ ହୃଦୟକୁ ଛୁଇଁଗଲା ଏବଂ ମୁଁ ନିଜର ଚିନ୍ତାଧାରା ବଦଳାଇପାରିଲି ।” ଏବେ ଭାଇ ଅଗ୍ରଦୂତ ସେବା କରୁଛନ୍ତି ଏବଂ ସହାୟକ ସେବକ ଅଟନ୍ତି । ଏହାଜାଣି ଆମକୁ କେତେ ସାନ୍ତ୍ୱନା ମିଳେ ଯେ ଯଦି ଆମେ ପଶ୍ଚାତାପ କରିବା, ତେବେ ଯିହୋବା ଆମ ଉପରେ ଦୟା କରିବେ ଏବଂ ଆମକୁ କ୍ଷମା କରିବେ ।
ଯିହୋବା ଆମକୁ ଆଶା ଦେଇଛନ୍ତି
୮. (କ) ବାବିଲରେ ଥିବା ଯିହୁଦୀମାନଙ୍କୁ ଯିହୋବା କʼଣ ଆଶା ଦେଲେ ? (ଖ) ଯେବେ ପଶ୍ଚାତାପ କରୁଥିବା ଯିହୁଦୀମାନଙ୍କୁ ଏହି ଆଶା ମିଳିଲା, ତେବେ ସେମାନଙ୍କୁ କିପରି ଲାଗିଥିବ ? (ଯିଶାଇୟ ୪୦:୨୯-୩୧)
୮ ବାବିଲର ବନ୍ଦୀରୁ ମୁକ୍ତ ହେବା, ଯିହୁଦୀମାନଙ୍କ ପାଇଁ ଅସମ୍ଭବ ଥିଲା । ଏପରି କାହିଁକି ? କାରଣ ସେସମୟରେ ବାବିଲ ବିଶ୍ୱଶକ୍ତି ଥିଲା ଓ ସେ କେବେ ବି ନିଜର ବନ୍ଦୀମାନଙ୍କୁ ମୁକ୍ତ କରୁ ନ ଥିଲା । (ଯିଶା. ୧୪:୧୭) କିନ୍ତୁ ଯିହୋବା ନିଜର ଲୋକମାନଙ୍କୁ ଗୋଟିଏ ଆଶା ଦେଲେ । ସେ ପ୍ରତିଜ୍ଞା କଲେ ଯେ ସେ ସେମାନଙ୍କୁ ମୁକ୍ତ କରିବେ ଏବଂ ଦୁନିଆର କୌଣସି ଶକ୍ତି ତାଙ୍କୁ ଏପରି କରିବାରୁ ରୋକିପାରିବନି । (ଯିଶା. ୪୪:୨୬; ୫୫:୧୨) ଯିହୋବାଙ୍କ ପାଇଁ ବାବିଲର ଲୋକମାନେ ଧୂଳି କଣିକା ପରି ଥିଲେ । (ଯିଶା. ୪୦:୧୫) ସେଥିପାଇଁ ଯିହୋବା ଅତି ସହଜରେ ଯିହୁଦୀମାନଙ୍କୁ ବାବିଲର ବନ୍ଦୀରୁ ମୁକ୍ତ କରିପାରନ୍ତେ । ଯିହୋବାଙ୍କର ଏହି ପ୍ରତିଜ୍ଞା ଶୁଣି ଯିହୁଦୀମାନଙ୍କୁ କିପରି ଲାଗିଥିବ ? ସେମାନଙ୍କୁ ନିଶ୍ଚୟ ସାନ୍ତ୍ୱନା ମିଳିଥିବ । ତାʼସହିତ ଯିଶାଇୟ ଲେଖିଲେ, ‘ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା [“ଭରସା,” NWT] କରନ୍ତି, ସେମାନେ ନୂଆ ନୂଆ ବଳ ପାଇବେ ।’ (ଯିଶାଇୟ ୪୦:୨୯-୩୧ ପଢ଼ନ୍ତୁ ।) ଯିହୋବା ଯେଉଁ ଆଶା ଦେଇଥିଲେ, ସେହି ଆଶା ଯୋଗୁଁ ଯିହୁଦୀମାନଙ୍କୁ ବହୁତ ଶକ୍ତି ମିଳିଥିବ । ଏବେ ସେମାନେ “ଉତ୍କ୍ରୋଶ ପକ୍ଷୀ ପରି ପକ୍ଷରେ ଉପରକୁ” ଉଡ଼ିପାରନ୍ତେ ।
୯. ଯିହୋବାଙ୍କର ପ୍ରତିଜ୍ଞାଗୁଡ଼ିକ ଉପରେ ଭରସା କରିବା ପାଇଁ ଯିହୁଦୀମାନଙ୍କ ପାଖରେ କେଉଁ ପ୍ରମାଣ ଥିଲା ?
୯ ଯିହୋବା, ଯିହୁଦୀମାନଙ୍କୁ ଏହି କଥାର ପ୍ରମାଣ ଦେଲେ ଯେ ସେ ସେମାନଙ୍କୁ ଯେଉଁ ପ୍ରତିଜ୍ଞା କରିଛନ୍ତି, ତାହାକୁ ନିଶ୍ଚୟ ପୂରା କରିବେ । ସେ କʼଣ ପ୍ରମାଣ ଦେଲେ ? ଯିହୁଦୀମାନେ ଅନେକ ଭବିଷ୍ୟତବାଣୀ ପୂରା ହେବାର ଦେଖିଥିଲେ । ସେମାନେ ଜାଣିଥିଲେ ଯେ ଅଶୂରୀୟମାନେ ଇସ୍ରାଏଲର ଉତ୍ତରୀୟ ରାଜ୍ୟ ଉପରେ ଅଧିକାର କରିଥିଲେ ଏବଂ ଲୋକମାନଙ୍କୁ ବନ୍ଦୀ କରି ନେଇଥିଲେ । (ଯିଶା. ୮:୪) ସେମାନେ ନିଜ ଆଖିରୁ ଦେଖିଥିଲେ ଯେ ବାବିଲ କିପରି ସେମାନଙ୍କ ସହର ଯିରୂଶାଲମକୁ ବିନାଶ କଲା ଓ ଲୋକମାନଙ୍କୁ ବନ୍ଦୀ କରି ନିଜ ଦେଶକୁ ନେଇ ଆସିଲା । (ଯିଶା. ୩୯:୫-୭) ସେମାନେ ଏହା ବି ଦେଖିଲେ ଯେ କିପରି ରାଜା ସିଦିକୀୟଙ୍କ ଆଖି କାଢ଼ି ଦିଆଗଲା ଏବଂ ତାଙ୍କୁ ବାବିଲକୁ ନିଆଗଲା । (ଯିରି. ୩୯:୭; ଯିହି. ୧୨:୧୨, ୧୩) ଏସବୁ କଥାଗୁଡ଼ିକ ଯିହୋବା ଆଗରୁ ହିଁ କହିଥିଲେ ଏବଂ ସେ ଯେପରି କହିଥିଲେ ଠିକ୍ ସେପରି ହିଁ ହେଲା । (ଯିଶା. ୪୨:୯; ୪୬:୧୦) ଏଥିରୁ ନିଶ୍ଚୟ ଯିହୁଦୀମାନଙ୍କର ବିଶ୍ୱାସ ଦୃଢ଼ ହୋଇଥିବ । ଆଉ ସେମାନଙ୍କର ଭରସା ବଢ଼ିଥିବ ଯେ ଯିହୋବା ସେମାନଙ୍କୁ ବାବିଲରୁ ମୁକ୍ତ କରିବା ପାଇଁ ଯେଉଁ ପ୍ରତିଜ୍ଞା କରିଛନ୍ତି, ତାହା ବି ନିଶ୍ଚୟ ପୂରା ହେବ ।
୧୦. ଏହି ଶେଷ ସମୟରେ ଆମେ ନିଜର ଆଶାକୁ ସ୍ପଷ୍ଟ ଭାବେ ଦେଖିବା ପାଇଁ କʼଣ କରିପାରିବା ?
୧୦ ଆମେ ଏଥିରୁ କʼଣ ଶିଖୁ ? ଯେବେ ଆମେ ନିରାଶ ହୋଇଯାଉ, ତେବେ ଯିହୋବାଙ୍କଠାରୁ ମିଳିଥିବା ଆଶା ଯୋଗୁଁ ଆମକୁ ସାନ୍ତ୍ୱନା ମିଳିପାରେ ଏବଂ ଏହି ଆଶା ଦ୍ୱାରା ଆମକୁ ଶକ୍ତି ମିଳିପାରେ । ଏହି ଦୁନିଆର ଶେଷ ସମୟରେ ଆମେ ସମସ୍ୟା ଘେରରେ ବଞ୍ଚୁଛୁ ଏବଂ ଆମକୁ ଅନେକ ଶକ୍ତିଶାଳୀ ଶତ୍ରୁମାନଙ୍କର ସାମନା କରିବାକୁ ପଡ଼େ । କିନ୍ତୁ ଆମକୁ ଡରିବା କିମ୍ବା ନିରାଶ ହେବା ଦରକାର ନାହିଁ । ଯିହୋବା ଆମକୁ ଗୋଟିଏ ବଢ଼ିଆ ଆଶା ଦେଇଛନ୍ତି । ସେ ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ଅନନ୍ତ ଜୀବନ ଦେବେ ଏବଂ ଏପରି ପରିବେଶ ଆଣିବେ, ଯେଉଁଠି ପ୍ରକୃତ ଶାନ୍ତି ଓ ସୁରକ୍ଷା ଥିବ । ଆମକୁ ଏହି ଆଶାକୁ ମନେ ରଖିବା ଉଚିତ୍ । ଯଦି ଆମେ ଏପରି କରିବାନି, ତାହେଲେ ଏହା ଏପରି ହେବ ଯେପରି ଆମ ଝରକାରୁ ଯେଉଁ ସୁନ୍ଦର ଦୃଶ୍ୟ ଦେଖାଯାଏ, ତାହା ଏବେ ସ୍ପଷ୍ଟ ଦେଖାଯାଉନି । ଏପରି କାହିଁକି ? କାରଣ ଝରକାର କାଚରେ ଧୂଳି ଜମି ଯାଇଛି । ଆମେ କିପରି ସେହି “ଧୂଳିକୁ” ସଫା କରିପାରିବା, ଯାହାଦ୍ୱାରା ଆମ ଆଶା ଆମକୁ ସ୍ପଷ୍ଟ ଦେଖାଯିବ ? ନୂଆ ଦୁନିଆରେ ଆମ ଜୀବନ କେତେ ବଢ଼ିଆ ଥିବ, ଏବିଷୟରେ ପ୍ରତିଦିନ ଟିକେ ସମୟ ବାହାର କରି ଭାବନ୍ତୁ । ଯିହୋବା ଆମକୁ ଯେଉଁ ବଢ଼ିଆ ଆଶା ଦେଇଛନ୍ତି ସେବିଷୟରେ ଅନେକ ଲେଖା ରହିଛି, ସେଗୁଡ଼ିକୁ ପଢ଼ନ୍ତୁ । ସେବିଷୟରେ ଯେଉଁ ଭିଡିଓ ଓ ଗୀତଗୁଡ଼ିକ ଅଛି, ସେଗୁଡ଼ିକୁ ଦେଖନ୍ତୁ ଓ ଶୁଣନ୍ତୁ । କେବଳ ଏତିକି ନୁହେଁ, ଯିହୋବାଙ୍କୁ ପ୍ରାର୍ଥନାରେ କହନ୍ତୁ ଯେ ଆପଣ ସେହି ପ୍ରତିଜ୍ଞାଗୁଡ଼ିକ ପୂରା ହେବାର ଦେଖିବା ପାଇଁ ଆଗ୍ରହର ସହ ଅପେକ୍ଷା କରୁଛନ୍ତି । ଏପରି କରିବା ଦ୍ୱାରା ଆମେ ନିଜର ଆଶାକୁ ସବୁବେଳେ ସ୍ପଷ୍ଟ ଭାବେ ଦେଖିପାରିବା ।
୧୧. ଭଉଣୀ ଜୟ୍ ନିଜର ଗମ୍ଭୀର ରୋଗ ସହ ଲଢ଼ିବା ପାଇଁ କେଉଁଠୁ ଶକ୍ତି ପାଇଲେ ?
୧୧ ଭଉଣୀ ଜୟ୍ଙ୍କ ଉପରେ ଧ୍ୟାନ ଦିଅନ୍ତୁ । ଭଉଣୀଙ୍କୁ ଗୋଟିଏ ଗମ୍ଭୀର ରୋଗ ଅଛି, କିନ୍ତୁ ନିଜର ଆଶା ବିଷୟରେ ଭାବି ତାଙ୍କୁ ବହୁତ ସାନ୍ତ୍ୱନା ଏବଂ ସାହସ ମିଳିଛି । ସେ କହନ୍ତି, “ମୁଁ ଚିନ୍ତିତ ଥିବା ସମୟରେ ଖୋଲିକି ନିଜର ମନ କଥା ଯିହୋବାଙ୍କୁ କହେ । ମୁଁ ଜାଣେ ଯେ ସେ ମୋତେ ବୁଝନ୍ତି ଆଉ ସେ ମୋର ପ୍ରାର୍ଥନାଗୁଡ଼ିକର ଉତ୍ତର ବି ଦେଲେ । ସେ ମୋତେ ଏପରି ଶକ୍ତି ଦେଲେ ଯାହା ‘ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ ।’” (୨ କରି. ୪:୭) ଭଉଣୀ ଆଉ କିଛି କରନ୍ତି । ସେ ନୂଆ ଦୁନିଆ ବିଷୟରେ କଳ୍ପନା କରନ୍ତି ଏବଂ ସେଠାରେ ସେ ନିଜକୁ ଦେଖନ୍ତି । ସେ ଭାବନ୍ତି ଯେ ସେହି ସମୟ କେତେ ଭଲ ଥିବ ଯେବେ ‘ମୁଁ ପୀଡ଼ିତ ଅଛି ବୋଲି ନିବାସୀ-ଲୋକ କହିବେ ନାହିଁ ।’ (ଯିଶା. ୩୩:୨୪) ଯଦି ଆମେ ବି ଭଉଣୀଙ୍କ ଭଳି ଯିହୋବାଙ୍କୁ ନିଜର ମନ କଥା ଖୋଲିକି କହିବା ଏବଂ ନିଜର ଆଶା ବିଷୟରେ ଭାବିବା, ତେବେ ଆମକୁ ବି ଯିହୋବା ପୁଣିଥରେ ଶକ୍ତି ଦେବେ ।
୧୨. ଯିହୋବାଙ୍କର ପ୍ରତିଜ୍ଞାଗୁଡ଼ିକ ଉପରେ ଭରସା କରିବା ପାଇଁ ଆମ ପାଖରେ କେଉଁ ପ୍ରମାଣଗୁଡ଼ିକ ରହିଛି ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୨ ଯିହୋବା, ବାବିଲରେ ରହୁଥିବା ଯିହୁଦୀମାନଙ୍କୁ ତାଙ୍କର ପ୍ରତିଜ୍ଞାଗୁଡ଼ିକ ଉପରେ ଭରସା କରିବା ପାଇଁ ଅନେକ ପ୍ରମାଣ ଦେଇଥିଲେ । ସେ ଆଜି ଆମକୁ ବି ତାଙ୍କର ପ୍ରତିଜ୍ଞାଗୁଡ଼ିକ ଉପରେ ଭରସା କରିବା ପାଇଁ ଅନେକ ପ୍ରମାଣ ଦେଇଛନ୍ତି । ଭାବନ୍ତୁ, ଆମେ କେଉଁ ଭବିଷ୍ୟତବାଣୀଗୁଡ଼ିକୁ ପୂରା ହେବାର ଦେଖୁଛୁ । ଆଜି ଆମ ସମୟରେ ସେହି ବିଶ୍ୱଶକ୍ତି ଶାସନ କରୁଛି ଯାହାର “ଏକାଂଶ ଦୃଢ଼ ଓ ଏକାଂଶ ଭଗ୍ନ” ଅର୍ଥାତ୍ ଦୁର୍ବଳ ଅଟେ । (ଦାନି. ୨:୪୨, ୪୩) ଆମେ ‘ସ୍ଥାନେ ସ୍ଥାନେ ଭୂମିକମ୍ପ’ ହେବାର ଦେଖୁଛୁ ଏବଂ ଆମେ ନିଜ ଆଖିରୁ “ସମୁଦାୟ ପୃଥିବୀରେ” ସୁସମାଚାର ପ୍ରଚାର ହେବାର ମଧ୍ୟ ଦେଖୁଛୁ । (ମାଥି. ୨୪:୭, ୧୪) ଏହି ଭବିଷ୍ୟତବାଣୀ ଓ ଅନ୍ୟ ଭବିଷ୍ୟତବାଣୀଗୁଡ଼ିକୁ ଯିହୋବା ଯେପରି ଭାବେ ପୂରା କଲେ, ସେଥିରୁ ଆମର ଏହି କଥା ଉପରେ ଭରସା ବଢ଼େ ଯେ ଯିହୋବା ତାଙ୍କର ଅନ୍ୟ ପ୍ରତିଜ୍ଞାଗୁଡ଼ିକୁ ବି ନିଶ୍ଚୟ ପୂରା କରିବେ ।
ଆଜି ଆମେ ଯେଉଁ ଭବିଷ୍ୟତବାଣୀଗୁଡ଼ିକୁ ପୂରା ହେବାର ଦେଖୁଛୁ, ସେଥିରୁ ଆମକୁ ଯିହୋବାଙ୍କର ପ୍ରତିଜ୍ଞାଗୁଡ଼ିକ ଉପରେ ଭରସା କରିବାର ପ୍ରମାଣ ମିଳେ (ପାରାଗ୍ରାଫ ୧୨)
ଯିହୋବା ଆମ ଡର ଦୂର କରନ୍ତି
୧୩. (କ) ବନ୍ଦୀରୁ ମୁକ୍ତ ହେବାର କିଛି ସମୟ ପୂର୍ବେ ଯିହୁଦୀମାନଙ୍କୁ କେଉଁ ସମସ୍ୟାର ସାମନା କରିବାକୁ ପଡ଼ିଲା ? (ଖ) ବାବିଲରେ ରହୁଥିବା ଯିହୁଦୀମାନଙ୍କୁ ଯିହୋବା କିପରି ସାନ୍ତ୍ୱନା ଦେଲେ ? (ଯିଶାଇୟ ୪୧:୧୦-୧୩)
୧୩ ଯିହୋବା ଜାଣିଥିଲେ ଯେ ସେ ଯିହୁଦୀମାନଙ୍କୁ ଯେଉଁ ଆଶା ଦେଇଛନ୍ତି, ସେଥିରୁ ସେମାନଙ୍କୁ ସାନ୍ତ୍ୱନା ମିଳିବ । କିନ୍ତୁ ସେ ଏହା ବି ଜାଣିଥିଲେ ଯେ ଯିହୁଦୀମାନଙ୍କୁ ବନ୍ଦୀରୁ ମୁକ୍ତ ହେବାର କିଛି ସମୟ ପୂର୍ବେ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିବ । ଯିହୋବା ଭବିଷ୍ୟତବାଣୀ କରିଥିଲେ ଯେ ବନ୍ଦୀରୁ ମୁକ୍ତ ହେବାର କିଛି ସମୟ ପୂର୍ବେ ଜଣେ ରାଜା ବାବିଲର ଆଖପାଖ ଦେଶଗୁଡ଼ିକୁ ବିନାଶ କରିବ ଆଉ ବାବିଲରେ ବି ଆକ୍ରମଣ କରିବ । (ଯିଶା. ୪୧:୨-୫) କିନ୍ତୁ ଯିହୁଦୀମାନଙ୍କୁ ଡରିବାର ଦରକାର ନ ଥିଲା, କାରଣ ଯିହୋବା ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ଆଗରୁ ହିଁ ପ୍ରତିଜ୍ଞା କରିଥିଲେ । ସେ କହିଥିଲେ, “ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର ।” (ଯିଶାଇୟ ୪୧:୧୦-୧୩ ପଢ଼ନ୍ତୁ ।) ଯିହୋବା କାହିଁକି କହିଲେ ଯେ “ଆମ୍ଭେ ତୁମ୍ଭର ପରମେଶ୍ୱର ?” ଯିହୋବା ଏହା କହୁ ନ ଥିଲେ ଯେ ସେ ତାଙ୍କର ପରମେଶ୍ୱର ଅଟନ୍ତି ଏବଂ ସେମାନଙ୍କୁ ତାଙ୍କର ଉପାସନା କରିବା ଉଚିତ୍ । କାରଣ ଏହି କଥା ଯିହୁଦୀମାନେ ପୂର୍ବରୁ ହିଁ ଜାଣିଥିଲେ । ତାʼ ପରିବର୍ତ୍ତେ ଯିହୋବା ଏପରି କହି ତାଙ୍କୁ ମନେ ପକାଇ ଦେଉଥିଲେ ଯେ ସେ ଏବେ ବି ସେମାନଙ୍କ ସାଙ୍ଗରେ ଅଛନ୍ତି ।—ଗୀତ. ୧୧୮:୬.
୧୪. ନିଜର ଲୋକମାନଙ୍କ ଡର ଦୂର କରିବା ପାଇଁ ଯିହୋବା ସେମାନଙ୍କୁ ଆଉ କʼଣ ମନେ ପକାଇ ଦେଲେ ?
୧୪ ଯିହୋବା ନିଜ ଲୋକମାନଙ୍କର ଡର ଦୂର କରିବା ପାଇଁ ସେମାନଙ୍କୁ ଏହା ବି ମନେ ପକାଇ ଦେଲେ ଯେ ସେ ବହୁତ ଶକ୍ତିଶାଳୀ ଅଟନ୍ତି ଏବଂ ସବୁକିଛି ଜାଣନ୍ତି । ସେ ସେହି ଯିହୁଦୀମାନଙ୍କୁ କହିଲେ ଯେ ସେମାନେ ତାରାଭରା ଆକାଶକୁ ଦେଖନ୍ତୁ । ତାʼପରେ ସେ ସେମାନଙ୍କୁ ଏହା ବି କହିଲେ ଯେ ସେ କେବଳ ଏହି ଅସଂଖ୍ୟ ତାରାଗୁଡ଼ିକୁ ସୃଷ୍ଟି କରି ନାହାନ୍ତି, ବରଂ ସେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକର ନାମ ବି ଜାଣନ୍ତି । (ଯିଶା. ୪୦:୨୫-୨୮) ଯଦି ଯିହୋବା ଏତେଗୁଡ଼ିଏ ତାରାର ନାମ ଜାଣନ୍ତି, ତାହେଲେ କʼଣ ସେ ନିଜର କୌଣସି ସେବକକୁ ଭୁଲିପାରିବେ ? ବିଲକୁଲ୍ ନୁହେଁ । ସେ ନିଜର ପ୍ରତ୍ୟେକ ସେବକକୁ ଜାଣନ୍ତି । ଆଉ ଯଦି ତାଙ୍କ ପାଖରେ ଏତେଗୁଡ଼ିଏ ତାରା ସୃଷ୍ଟି କରିବାର ଶକ୍ତି ଅଛି, ତାହେଲେ କʼଣ ସେ ନିଜ ଲୋକମାନଙ୍କର ସାହାଯ୍ୟ କରିପାରିବେନି ? ସତରେ, ବାବିଲରେ ରହୁଥିବା ଯିହୁଦୀମାନଙ୍କ ପାଖରେ ଡରିବାର କୌଣସି ବି କାରଣ ନ ଥିଲା ।
୧୫. ଯିହୋବା କିପରି ନିଜର ଲୋକମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କଲେ ?
୧୫ ଯିହୋବା ନିଜର ଲୋକମାନଙ୍କୁ ଭବିଷ୍ୟତ ପାଇଁ ବି ପ୍ରସ୍ତୁତ କଲେ । ଯିଶାଇୟ ବହିର ଆରମ୍ଭ ଅଧ୍ୟାୟଗୁଡ଼ିକରେ ଯିହୋବା ନିଜର ଲୋକମାନଙ୍କୁ କହିଲେ, “ତୁମ୍ଭର ଅନ୍ତରାଳୟରେ ପ୍ରବେଶ କରି ତୁମ୍ଭ ଚାରିଆଡ଼େ ଦ୍ୱାର ରୁଦ୍ଧ କର; କ୍ରୋଧ ବହି ଯିବାଯାଏ ଅଳ୍ପ କ୍ଷଣ ଆପଣାକୁ ଲୁଚାଅ ।” (ଯିଶା. ୨୬:୨୦) ଏହି ଭବିଷ୍ୟତବାଣୀର କିଛି କଥା ସେସମୟରେ ପୂରା ହେଲା, ଯେବେ ରାଜା କୋରସ୍ ବାବିଲ ଉପରେ ଆକ୍ରମଣ କଲେ । ପ୍ରାଚୀନ ସମୟର ଜଣେ ଗ୍ରୀକ୍ ଇତିହାସକାର କହନ୍ତି ଯେ ଯେବେ କୋରସ୍ ବାବିଲରେ ପ୍ରବେଶ କଲେ, ତେବେ ସେ “[ନିଜ ସୈନିକଙ୍କୁ] ଆଦେଶ ଦେଲେ ଯେ ଯଦି ସେମାନେ କାହାରିକୁ ବାହାରେ ଦେଖନ୍ତି, ତାହେଲେ ତାକୁ ମାରି ଦିଅନ୍ତୁ ।” ଭାବନ୍ତୁ, ବାବିଲର ଲୋକମାନେ କେତେ ଡରି ଯାଇଥିବେ ! କିନ୍ତୁ ଯଦି ଯିହୁଦୀମାନଙ୍କ ବିଷୟରେ ଦେଖିବା, ସେମାନେ ଯିହୋବାଙ୍କର କଥା ମାନିଲେ ଓ ଘର ଭିତରେ ହିଁ ରହିଲେ । ଆଉ ହୁଏତ ଏହି କାରଣ ଯୋଗୁଁ ସେମାନଙ୍କର ଜୀବନ ରକ୍ଷା ହେଲା ।
୧୬. ଆଗକୁ ଯେଉଁ ଘଟଣାଗୁଡ଼ିକ ଘଟିବ, ସେବିଷୟରେ ଭାବି ଆମକୁ କାହିଁକି ଡରିବା ଉଚିତ୍ ନୁହେଁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୬ ଆମେ ଏଥିରୁ କʼଣ ଶିଖୁ ? ଆମେ ଖୁବ୍ ଶୀଘ୍ର ଏପରି ମହାକ୍ଳେଶର ସାମନା କରିବା, ଯାହା ଆଜି ଯାଏ କେବେ ବି ହୋଇନି । ଯେବେ ଏହି ମହାକ୍ଳେଶ ଆରମ୍ଭ ହେବ, ତେବେ ଲୋକମାନେ ଏହା ଦେଖି ଡରିଯିବେ ଏବଂ ସେମାନଙ୍କୁ କʼଣ କରିବାର ଅଛି, ସେମାନେ ଜାଣିପାରିବେ ନାହିଁ । କିନ୍ତୁ ଯିହୋବାଙ୍କର ଲୋକମାନେ ଡରିବେନି, କାରଣ ଆମକୁ ଭରସା ଥିବ ଯେ ଯିହୋବା ଆମର ପରମେଶ୍ୱର ଅଟନ୍ତି ଓ ସେ ଆମର ସାଙ୍ଗରେ ଅଛନ୍ତି । ଆଉ ସେସମୟରେ ବି ଆମର ବିଶ୍ୱାସ ଦୃଢ଼ ଥିବ, କାରଣ ଆମକୁ ଜଣାଥିବ ଯେ ଆମର ‘ମୁକ୍ତି ସନ୍ନିକଟ ଅଛି ।’ (ଲୂକ ୨୧:୨୮) ଏପରିକି ଯେବେ ରାଷ୍ଟ୍ରଗୁଡ଼ିକର ଏକତ୍ରିକରଣ ଆମ ଉପରେ ଆକ୍ରମଣ କରିବ, ତେବେ ବି ଆମେ ଯିହୋବାଙ୍କ ଉପରେ ପୂରା ଭରସା ରଖିବା ଏବଂ ଡରିବାନି । ଯିହୋବା ସେସମୟରେ ନିଜ ସ୍ୱର୍ଗଦୂତମାନଙ୍କ ଜରିଆରେ ଆମର ସୁରକ୍ଷା କରିବେ ଏବଂ ଆମକୁ ଜରୁରୀ ନିର୍ଦ୍ଦେଶ ବି ଦେବେ । ଏହି ନିର୍ଦ୍ଦେଶଗୁଡ଼ିକ କାହା ଜରିଆରେ ମିଳିବ, ଏହା ଜାଣିବା ପାଇଁ ଆମକୁ ଟିକେ ଅପେକ୍ଷା କରିବାକୁ ପଡ଼ିବ । କିନ୍ତୁ ଏପରି ଲାଗେ ଯେ ଏହି ନିର୍ଦ୍ଦେଶଗୁଡ଼ିକ ଆମକୁ ମଣ୍ଡଳୀଗୁଡ଼ିକ ଜରିଆରେ ଦିଆଯିବ, ଯାହା ହୁଏତ “ଅନ୍ତରାଳୟ” ଅଟେ ଯେଉଁଠି ଆମେ ସୁରକ୍ଷିତ ରହିବା । ଆଗକୁ ଯେଉଁ ଘଟଣାଗୁଡ଼ିକ ଘଟିବ, ତାʼପାଇଁ ଆମେ କିପରି ପ୍ରସ୍ତୁତ ରହିପାରିବା ? ଆମକୁ ଭାଇଭଉଣୀମାନଙ୍କ ସହ ନିଜର ସମ୍ପର୍କକୁ ଏବେଠୁ ଦୃଢ଼ କରିବାକୁ ପଡ଼ିବ, ଯିହୋବାଙ୍କ ସଂଗଠନ ତରଫରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକୁ ମାନିବାକୁ ପଡ଼ିବ ଏବଂ ଭରସା ରଖିବାକୁ ପଡ଼ିବ ଯେ ଆଜି ଆମ ସଂଗଠନକୁ ଯିହୋବା ହିଁ ଚଳାଉଛନ୍ତି ।—ଏବ୍ରୀ ୧୦:୨୪, ୨୫; ୧୩:୧୭.
ଯିହୋବା ସବୁଠୁ ଶକ୍ତିଶାଳୀ ଅଟନ୍ତି ଓ ସେ ଆମକୁ ପ୍ରତ୍ୟେକ ସମସ୍ୟାରୁ ରକ୍ଷା କରିପାରିବେ । ଏବିଷୟରେ ଭାବିଲେ ଆମେ ମହାକ୍ଳେଶ ସମୟରେ ଅତ୍ୟଧିକ ଡରିବା ନାହିଁ (ପାରାଗ୍ରାଫ ୧୬) b
୧୭. ଆପଣ ଯିହୋବାଙ୍କଠାରୁ ସାନ୍ତ୍ୱନା ପାଇବା ପାଇଁ କʼଣ କରିପାରିବେ ?
୧୭ ଯିହୁଦୀମାନଙ୍କ ପାଇଁ ବାବିଲରେ ଜୀବନ କଟାଇବା ସହଜ ନ ଥିଲା ଏବଂ ସେଠାରେ ସେମାନେ ନିରାଶ ବି ଥିଲେ । କିନ୍ତୁ ଯିହୋବା ସେମାନଙ୍କୁ ସାନ୍ତ୍ୱନା ଦେଲେ ଆଉ ସେ ଆମକୁ ବି ସାନ୍ତ୍ୱନା ଦେବେ । ତେଣୁ ଆଗକୁ କʼଣ ହେବ ସେବିଷୟରେ ଭାବି ଚିନ୍ତିତ ହୁଅନ୍ତୁ ନାହିଁ, ବରଂ ଯିହୋବାଙ୍କ ଉପରେ ଭରସା ରଖନ୍ତୁ । ତାʼ ସହିତ ଏହା ବି ଭରସା ରଖନ୍ତୁ ଯେ ସେ ଆମ ଉପରେ ଦୟା କରିବେ ଏବଂ ଆମକୁ କ୍ଷମା କରିବେ । ସେ ଆମକୁ ଯେଉଁ ଆଶା ଦେଇଛନ୍ତି ତାହାକୁ ସ୍ପଷ୍ଟ ଭାବେ ଦେଖନ୍ତୁ । ମନେ ରଖନ୍ତୁ, ଯିହୋବା ଆପଣଙ୍କର ପରମେଶ୍ୱର ଅଟନ୍ତି ଆଉ ଆପଣଙ୍କୁ ଡରିବା ଦରକାର ନାହିଁ ।
ଗୀତ ୩ ଆମ ଶକ୍ତି, ଆଶା ଓ ଭରସା
a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।
b ଚିତ୍ର ବିଷୟରେ: କିଛି ଭାଇଭଉଣୀ ଗୋଟିଏ ରୁମ୍ରେ ଅଛନ୍ତି । ସେମାନଙ୍କୁ ଭରସା ଅଛି ଯେ ଯିହୋବା ବହୁତ ଶକ୍ତିଶାଳୀ ଅଟନ୍ତି ଏବଂ ତାଙ୍କର ସେବକମାନେ ଯେଉଁଠି ବି ରହିଲେ ମଧ୍ୟ ସେ ସେମାନଙ୍କୁ ପ୍ରତ୍ୟେକ ସମସ୍ୟାରୁ ରକ୍ଷା କରିପାରିବେ ।