ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bhs ଅଧ୍ୟା ୪ ପୃଷ୍ଠା ୪୦-୫୧
  • ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି ?
  • ବାଇବଲ ଆମକୁ କʼଣ ଶିଖାଏ?
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଆମେ ଖ୍ରୀଷ୍ଟଙ୍କୁ ପାଇଛୁ !
  • ଯୀଶୁ କେଉଁଠାରୁ ଆସିଥିଲେ ?
  • ଯୀଶୁ କିପରି ବ୍ୟକ୍ତି ଥିଲେ ?
  • ମୃତ୍ୟୁ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିଲେ
  • ଯୀଶୁ କିଏ ଅଟନ୍ତି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଯୀଶୁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଜ୍ଞାନର ଚାବିକାଠି
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
  • ମସୀହଙ୍କ ଆଗମନ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ବାଇବଲ ଆମକୁ କʼଣ ଶିଖାଏ?
bhs ଅଧ୍ୟା ୪ ପୃଷ୍ଠା ୪୦-୫୧

ଚାରି ଅଧ୍ୟାୟ

ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି ?

୧, ୨. (କ) ଯଦି ଆପଣ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମ ଜାଣନ୍ତି, ତେବେ କʼଣ ଆପଣ ପ୍ରକୃତରେ ତାଙ୍କୁ ଭଲ ଭାବରେ ଜାଣନ୍ତି ? ବୁଝାନ୍ତୁ । (ଖ) ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଲୋକେ କʼଣ ବିଶ୍ୱାସ କରନ୍ତି ?

ପୃଥିବୀରେ ଅନେକ ପ୍ରସିଦ୍ଧ ଲୋକ ଅଛନ୍ତି । ଆପଣ ହୁଏତ କୌଣସି ଏକ ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମ ଜାଣନ୍ତି । କିନ୍ତୁ କେବଳ ତାଙ୍କ ନାମ ଜାଣିବାର ଅର୍ଥ ଏହା ନୁହେଁ ଯେ ଆପଣ ତାଙ୍କୁ ଭଲ ଭାବେ ଜାଣନ୍ତି, ଯେପରି ତାଙ୍କ ଜୀବନ ବିଷୟରେ ପ୍ରତ୍ୟେକ କଥା ଏବଂ ସେ ପ୍ରକୃତରେ କିପରି ବ୍ୟକ୍ତି ଅଟନ୍ତି ।

୨ ଯୀଶୁ ଖ୍ରୀଷ୍ଟ ମଧ୍ୟ ଜଣେ ପ୍ରସିଦ୍ଧ ବ୍ୟକ୍ତି ଥିଲେ । ଯଦିଓ ସେ ଆଜିଠାରୁ ପ୍ରାୟ ୨,୦୦୦ ବର୍ଷ ପୂର୍ବେ ଏହି ପୃଥିବୀରେ ବଞ୍ଚିଥିଲେ, ତଥାପି ଆପଣ ତାହାଙ୍କ ବିଷୟରେ ନିଶ୍ଚୟ ଶୁଣିଥିବେ । କିନ୍ତୁ ଯୀଶୁ ପ୍ରକୃତରେ କିପରି ବ୍ୟକ୍ତି ଥିଲେ, ତାହା ଅଧିକାଂଶ ଲୋକେ ଜାଣନ୍ତି ନାହିଁ । କେତେକ କହନ୍ତି ଯେ ସେ ଜଣେ ଭଲ ଲୋକ ଥିଲେ, କେତେକ କହନ୍ତି, ସେ ଜଣେ ଭବିଷ୍ୟଦ୍‌ବକ୍ତା ଥିଲେ ଏବଂ ଆଉ କେତେକ ବିଶ୍ୱାସ କରନ୍ତି ଯେ ସେ ଈଶ୍ୱର ଅଟନ୍ତି । ଆପଣ କʼଣ ଭାବନ୍ତି ?— ଅଧିକ ବିବରଣୀ-୧୨ ଦେଖନ୍ତୁ ।

୩. ଯିହୋବା ଈଶ୍ୱର ଏବଂ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଆପଣଙ୍କ ପାଇଁ କାହିଁକି ଜରୁରୀ ଅଟେ ?

୩ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟତା ଜାଣିବା ଆପଣଙ୍କ ପାଇଁ ଅତି ଜରୁରୀ ଅଟେ । କାହିଁକି ? କାରଣ ବାଇବଲ ଆମକୁ କହେ: “ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ।” (ଯୋହନ ୧୭:୩) ହଁ, ଯଦି ଆପଣ ଯିହୋବା ଏବଂ ଯୀଶୁଙ୍କ ବିଷୟରେ ସତ୍ୟତା ଜାଣିବେ, ତେବେ ପାରଦୀଶରେ ପରିଣତ ପୃଥିବୀରେ ଚିରଦିନ ପାଇଁ ଜୀବିତ ରହିପାରିବେ । (ଯୋହନ ୧୪:୬) କେବଳ ସେତିକି ନୁହଁ, ଯୀଶୁଙ୍କ ବିଷୟରେ ଜାଣିବା ଦ୍ୱାରା ଆଜି ମଧ୍ୟ ଆପଣଙ୍କୁ ଲାଭ ହେବ । କାରଣ ଆମେ କିପରି ଜୀବନଯାପନ କରିବା ଉଚିତ୍‌ ଏବଂ ଅନ୍ୟମାନଙ୍କ ପ୍ରତି କିପରି ବ୍ୟବହାର କରିବା ଉଚିତ୍‌, ସେ ଏହାର ଏକ ଉତ୍ତମ ଉଦାହରଣ ରଖିଛନ୍ତି । (ଯୋହନ ୧୩:୩୪, ୩୫) ଆମେ ୧ ଅଧ୍ୟାୟରେ ଈଶ୍ୱରଙ୍କ ବିଷୟରେ ସତ୍ୟତା ଶିଖିଲୁ । ବର୍ତ୍ତମାନ ଆମେ ଶିଖିବା ଯେ ଯୀଶୁଙ୍କ ବିଷୟରେ ବାଇବଲ କʼଣ କହେ ।

ଆମେ ଖ୍ରୀଷ୍ଟଙ୍କୁ ପାଇଛୁ !

୪. “ମସୀହ” ଓ “ଖ୍ରୀଷ୍ଟ” ଶବ୍ଦର ଅର୍ଥ କʼଣ ?

୪ ଯୀଶୁ ଜନ୍ମ ହେବାର ବହୁବର୍ଷ ପୂର୍ବେ ବାଇବଲରେ ଯିହୋବା ପ୍ରତିଜ୍ଞା କରିଥିଲେ ଯେ ସେ ଜଣେ ମସୀହ ବା ଖ୍ରୀଷ୍ଟଙ୍କୁ ପଠାଇବେ । “ମସୀହ” ଶବ୍ଦଟି ଏବ୍ରୀ ଭାଷାରୁ ଏବଂ “ଖ୍ରୀଷ୍ଟ” ଶବ୍ଦଟି ଗ୍ରୀକ୍‌ ଭାଷାରୁ ଆସିଛି । ଏହି ଉଭୟ ଉପାଧିର ଅର୍ଥ ହେଉଛି: ଅଭିଷିକ୍ତ ବ୍ୟକ୍ତି, ଅର୍ଥାତ୍‌ ଈଶ୍ୱର ଜଣେ ବ୍ୟକ୍ତିଙ୍କୁ ମନୋନୀତ କରିଥାʼନ୍ତେ ଏବଂ ତାହାଙ୍କୁ ଏକ ବିଶେଷ ପଦବୀ ଦେଇଥାʼନ୍ତେ । ଏହି ଖ୍ରୀଷ୍ଟ ଭବିଷ୍ୟତରେ ଈଶ୍ୱରଙ୍କ ସମସ୍ତ ପ୍ରତିଜ୍ଞାଗୁଡ଼ିକୁ ପୂରଣ କରିବାରେ ଏକ ମୁଖ୍ୟ ଭୂମିକା ତୁଲାଇବେ । ଏହା ଛଡ଼ା, ପୃଥିବୀରେ ଥିବା ସମୟରେ ଯୀଶୁ ଯାହା ଯାହା କରିଥିଲେ, ସେଥିରୁ ଆପଣ ବର୍ତ୍ତମାନ ମଧ୍ୟ ଲାଭ ପାଇପାରିବେ । କିନ୍ତୁ ଯୀଶୁ ଜନ୍ମ ହେବା ପୂର୍ବରୁ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଥିଲା, ‘ଏହି ଖ୍ରୀଷ୍ଟ କିଏ ହେବ ?’

୫. କʼଣ ଯୀଶୁଙ୍କ ଶିଷ୍ୟମାନେ ବିଶ୍ୱାସ କରୁଥିଲେ ଯେ ସେ ହିଁ ଖ୍ରୀଷ୍ଟ ଅଟନ୍ତି ?

୫ ଯୀଶୁଙ୍କର ଶିଷ୍ୟମାନଙ୍କ ମନରେ କୌଣସି ସନ୍ଦେହ ନ ଥିଲା ଯେ ଯୀଶୁ ହିଁ ପ୍ରତିଜ୍ଞା କରାଯାଇଥିବା ଖ୍ରୀଷ୍ଟ ଅଟନ୍ତି । (ଯୋହନ ୧:୪୧) ଉଦାହରଣସ୍ୱରୂପ, ଶିମୋନ ପିତର ଯୀଶୁଙ୍କୁ କହିଥିଲେ: ‘ଆପଣ ଖ୍ରୀଷ୍ଟ ଅଟନ୍ତି ।’ (ମାଥିଉ ୧୬:୧୬) ଆମେ କିପରି ନିଶ୍ଚିତ ହୋଇପାରିବା ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ?

୬. ଖ୍ରୀଷ୍ଟଙ୍କୁ ଚିହ୍ନିବାରେ ଯିହୋବା ନମ୍ର ଲୋକମାନଙ୍କୁ କିପରି ସାହାଯ୍ୟ କଲେ ?

୬ ଯୀଶୁଙ୍କ ଜନ୍ମ ହେବାର ବହୁବର୍ଷ ପୂର୍ବେ, ଈଶ୍ୱରଙ୍କ ଭବିଷ୍ୟଦ୍‌ବକ୍ତାମାନେ ଏପରି ତଥ୍ୟସବୁ ଲେଖିଥିଲେ, ଯାହା ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଲୋକଙ୍କୁ ସାହାଯ୍ୟ କଲା । କିପରି ? ମନେ କରନ୍ତୁ, ଆପଣଙ୍କୁ କୁହାଗଲା ଯେ ଆପଣ ଏକ ଜନଗହଳିପୂର୍ଣ୍ଣ ବସ୍‌ଷ୍ଟାଣ୍ଡ୍‌କୁ ଯାଇ ଏପରି ଜଣେ ବ୍ୟକ୍ତିଙ୍କୁ ନେଇ ଆସନ୍ତୁ, ଯାହାକୁ ଆପଣ କେବେ ଦେଖି ନାହାନ୍ତି । ଆପଣ ତାଙ୍କୁ କିପରି ପାଇବେ ? ଯଦି ଆପଣଙ୍କୁ ତାହାଙ୍କ ବିଷୟରେ କିଛି କୁହାଯାଏ, ଯେପରି ସେହି ବ୍ୟକ୍ତି ଜଣକ କେମିତି ଦେଖାଯାʼନ୍ତି, ତେବେ ଆପଣ ତାଙ୍କୁ ସହଜରେ ପାଇପାରିବେ । ଠିକ୍‌ ସେହିପରି, ଖ୍ରୀଷ୍ଟ କʼଣ କʼଣ କରିବେ ଏବଂ ତାହାଙ୍କ ଜୀବନରେ କʼଣ କʼଣ ଘଟିବ, ସେବିଷୟରେ ଆମକୁ ଜଣାଇବା ପାଇଁ ଯିହୋବା ଭବିଷ୍ୟଦ୍‌ବକ୍ତାମାନଙ୍କୁ ବ୍ୟବହାର କରିଥିଲେ । ଏହି ସମସ୍ତ ଭବିଷ୍ୟତବାଣୀ ପୂରଣ ହେବାର ଦେଖି ନମ୍ର ଲୋକମାନେ ଜାଣିପାରନ୍ତି ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ।

୭. ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ବୋଲି ପ୍ରମାଣିତ କରୁଥିବା ଦୁଇଟି ଭବିଷ୍ୟତବାଣୀ କହନ୍ତୁ ?

୭ ଆସନ୍ତୁ ଏଭଳି ଦୁଇଟି ଭବିଷ୍ୟତବାଣୀ ପ୍ରତି ଧ୍ୟାନ ଦେବା । ପ୍ରଥମ— ଯୀଶୁଙ୍କ ଜନ୍ମ ହେବାର ୭୦୦ ବର୍ଷ ପୂର୍ବେ ମୀଖା ଭବିଷ୍ୟତବାଣୀ କରିଥିଲେ ଯେ ଖ୍ରୀଷ୍ଟ ବେଥଲିହିମ ନାମକ ଏକ ଛୋଟ ସହରରେ ଜନ୍ମଗ୍ରହଣ କରିବେ । (ମୀଖା ୫:୨) ସତକୁ ସତ, ଯୀଶୁଙ୍କର ଜନ୍ମ ଠିକ୍‌ ସେହି ସହରରେ ହୋଇଥିଲା । (ମାଥିଉ ୨:୧, ୩-୯) ଦ୍ୱିତୀୟ— ଦାନିୟେଲ ଭବିଷ୍ୟତବାଣୀ କରିଥିଲେ ଯେ ଖ୍ରୀଷ୍ଟ ୨୯ ଖ୍ରୀଷ୍ଟାବ୍ଦରେ ଆସିବେ । (ଦାନିୟେଲ ୯:୨୫) ଆଉ, ଠିକ୍‌ ତାହା ହିଁ ହେଲା ! ଏହି ଦୁଇଟି ଛଡ଼ା, ଏପରି ଅନେକ ଭବିଷ୍ୟତବାଣୀ ରହିଛି, ଯେଉଁଗୁଡ଼ିକରୁ ପ୍ରମାଣିତ ହୁଏ ଯେ ଯୀଶୁ ହିଁ ପ୍ରତିଜ୍ଞା କରାଯାଇଥିବା ଖ୍ରୀଷ୍ଟ ଅଟନ୍ତି ।— ଅଧିକ ବିବରଣୀ-୧୩ ଦେଖନ୍ତୁ ।

ଯୀଶୁଙ୍କ ବା ସମୟରେ, ତାହାଙ୍କୁ ଷ୍ଟ ଭାବରେ ଚିଟ କରିବା ପାଇଁ ଈରଙ୍କ ପବିତ ଶକ୍ତି ଏକ କପୋତ ରୂପରେ ତଳକୁ ଓଉଛି

ଯୀଶୁ ନିଜ ବାପ୍ତିସ୍ମ ପରେ ମସୀହ ବା ଖ୍ରୀଷ୍ଟ ହେଲେ

୮, ୯. ଯୀଶୁଙ୍କ ବାପ୍ତିସ୍ମ ବେଳେ ଏପରି କʼଣ ଘଟିଲା, ଯାହା ପ୍ରମାଣିତ କରେ ଯେ ସେ ହିଁ ଖ୍ରୀଷ୍ଟ ଅଟନ୍ତି ?

୮ ଯିହୋବା ନିଜେ ମଧ୍ୟ ଏହା ସ୍ପଷ୍ଟ କରି ଦେଇଥିଲେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି । ସେ ଯୋହନ ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଚିହ୍ନ ଦେଲେ, ଯାହାଫଳରେ ସେ ଖ୍ରୀଷ୍ଟଙ୍କୁ ଚିହ୍ନିପାରିଲେ । ଯୋହନ ଲୋକମାନଙ୍କୁ ପାଣିରେ ବାପ୍ତିସ୍ମ ଦେଉଥିଲେ । ଯେତେବେଳେ ୨୯ ଖ୍ରୀଷ୍ଟାବ୍ଦରେ ଯୀଶୁ ଯର୍ଦ୍ଦନ ନଦୀରେ ବାପ୍ତିସ୍ମ ନେବା ପାଇଁ ଯୋହନଙ୍କ ପାଖକୁ ଗଲେ, ସେତେବେଳେ ଯୋହନ ସେହି ଚିହ୍ନକୁ ଦେଖିଲେ । ସେଠାରେ କʼଣ ଘଟିଲା ? ବାଇବଲ ଆମକୁ କହେ: “ଯୀଶୁ ବାପ୍ତିଜିତ ହେଲେ । ଯୀଶୁ ଜଳରୁ ବାହାରିବା ମାତ୍ରେ ଆକାଶ ଖୋଲିଗଲା, ଏବଂ ସେ ପରମେଶ୍ୱରଙ୍କ ଆତ୍ମାକୁ ଗୋଟିଏ କପୋତ ରୂପରେ ତଳକୁ ଓହ୍ଲେଇ ତାହାଙ୍କ ଉପରକୁ ଆସୁଥିବାର ଦେଖିଲେ । ସେତେବେଳେ ଆକାଶରୁ ଏହି ବାଣୀ ହେଲା: ‘ଏ ମୋର ପ୍ରିୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ରେମ କରେ । ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ ।’” (ମାଥିଉ ୩:୧୬, ୧୭; ଇଜି-ଟୁ-ରିଡ୍‌ ଭର୍ସନ) ଯେତେବେଳେ ଯୋହନ ଏହା ଦେଖିଲେ ଏବଂ ସ୍ୱର୍ଗରୁ ଈଶ୍ୱରଙ୍କ ସ୍ୱର ଶୁଣିଲେ, ସେ ଜାଣିଗଲେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି । (ଯୋହନ ୧:୩୨-୩୪) ସେହି ଦିନ ଯେତେବେଳେ ଯିହୋବା ଯୀଶୁଙ୍କ ଉପରେ ପବିତ୍ର ଆତ୍ମା ଅର୍ଥାତ୍‌ ତାହାଙ୍କ ପବିତ୍ର ଶକ୍ତି ଢାଳିଲେ, ସେ ପ୍ରତିଜ୍ଞା କରାଯାଇଥିବା ଖ୍ରୀଷ୍ଟ ହେଲେ । ଯୀଶୁ ହିଁ ସେହି ବ୍ୟକ୍ତି ଥିଲେ, ଯାହାଙ୍କୁ ଈଶ୍ୱର ଶାସକ ଓ ରାଜା ଭାବେ ମନୋନୀତ କରିଥିଲେ ।— ଯିଶାଇୟ ୫୫:୪.

୯ ବାଇବଲର ଭବିଷ୍ୟତବାଣୀ, ସ୍ୱର୍ଗରୁ ଯିହୋବାଙ୍କ ସ୍ୱର ଏବଂ ଯୀଶୁଙ୍କ ବାପ୍ତିସ୍ମ ସମୟରେ ଯୋହନଙ୍କୁ ଦିଆଯାଇଥିବା ଚିହ୍ନ ପ୍ରମାଣିତ କରେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି । କିନ୍ତୁ ଯୀଶୁ କେଉଁଠୁ ଆସିଥିଲେ ଏବଂ ସେ କେଉଁ ପ୍ରକାର ବ୍ୟକ୍ତି ଥିଲେ ? ଆସନ୍ତୁ ଆମେ ଦେଖିବା ଯେ ଏବିଷୟରେ ବାଇବଲ କʼଣ କହେ ।

ଯୀଶୁ କେଉଁଠାରୁ ଆସିଥିଲେ ?

୧୦. ବାଇବଲ ଅନୁଯାୟୀ ଯୀଶୁ ପୃଥିବୀକୁ ଆସିବା ପୂର୍ବରୁ କେଉଁଠାରେ ଥିଲେ ?

୧୦ ବାଇବଲ ଶିଖାଏ ଯେ ଯୀଶୁ ପୃଥିବୀକୁ ଆସିବା ପୂର୍ବରୁ ବହୁ ସମୟ ଧରି ସ୍ୱର୍ଗରେ ଥିଲେ । ମୀଖା କହିଥିଲେ ଯେ ଖ୍ରୀଷ୍ଟ “ପୁରାତନ କାଳରୁ” ଥିଲେ । (ମୀଖା ୫:୨) ଯୀଶୁ ନିଜେ ଅନେକ ଥର କହିଥିଲେ ଯେ ମଣିଷ ରୂପେ ଜନ୍ମ ହେବା ପୂର୍ବରୁ ସେ ସ୍ୱର୍ଗରେ ଥିଲେ । (ଯୋହନ ୩:୧୩; ୬:୩୮, ୬୨; ୧୭:୪, ୫ ପଢ଼ନ୍ତୁ ।) ଆଉ, ସେହି ସମୟଠାରୁ ହିଁ ଯିହୋବାଙ୍କ ସହିତ ତାହାଙ୍କର ଏକ ଘନିଷ୍ଠ ସମ୍ପର୍କ ଥିଲା ।

୧୧. ଯୀଶୁ କାହିଁକି ଯିହୋବାଙ୍କ ଅତି ପ୍ରିୟ ଅଟନ୍ତି ?

୧୧ ଯୀଶୁ ଖ୍ରୀଷ୍ଟ ଯିହୋବାଙ୍କର ଅତି ପ୍ରିୟ ଅଟନ୍ତି । କାହିଁକି ? କାରଣ ଈଶ୍ୱର ଅନ୍ୟ ସବୁକିଛି ଓ ସମସ୍ତଙ୍କୁ ସୃଷ୍ଟି କରିବା ପୂର୍ବରୁ ତାହାଙ୍କୁ ସୃଷ୍ଟି କରିଥିଲେ । ତେଣୁ ଯୀଶୁଙ୍କୁ “ସମସ୍ତ ସୃଷ୍ଟିର ପ୍ରଥମଜାତ” ବୋଲି କୁହାଯାଏ ।a (କଲସୀୟ ୧:୧୫) ଯୀଶୁ ଖ୍ରୀଷ୍ଟ ଯିହୋବାଙ୍କର ଅତି ପ୍ରିୟ ହେବାର ଅନ୍ୟ ଏକ କାରଣ ହେଉଛି, କେବଳ ଯୀଶୁଙ୍କୁ ହିଁ ସେ ପ୍ରତ୍ୟକ୍ଷ ଭାବେ ଅର୍ଥାତ୍‌ ନିଜେ ସୃଷ୍ଟି କରିଥିଲେ । ସେଥିପାଇଁ ତାହାଙ୍କୁ ଯିହୋବାଙ୍କ “ଅଦ୍ୱିତୀୟ ପୁତ୍ର” କୁହାଯାଏ । (ଯୋହନ ୩:୧୬) ଯିହୋବା ବାକି ସବୁକିଛି ସୃଷ୍ଟି କରିବା ପାଇଁ କେବଳ ଯୀଶୁଙ୍କୁ ହିଁ ବ୍ୟବହାର କରିଥିଲେ । (କଲସୀୟ ୧:୧୬) ଏହା ଛଡ଼ା, କେବଳ ଯୀଶୁଙ୍କୁ “ବାକ୍ୟ” କୁହାଯାଏ, କାରଣ ଯିହୋବା ନିଜ ବାର୍ତ୍ତା ଓ ପରାମର୍ଶଗୁଡ଼ିକୁ ସ୍ୱର୍ଗଦୂତ ଏବଂ ମଣିଷମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଯୀଶୁଙ୍କୁ ବ୍ୟବହାର କରୁଥିଲେ ।— ଯୋହନ ୧:୧୪.

୧୨. ଆମେ କିପରି ଜାଣୁ ଯେ ଯୀଶୁ ଖ୍ରୀଷ୍ଟ ଏବଂ ଈଶ୍ୱର ଦୁହେଁ ଭିନ୍ନ ଭିନ୍ନ ବ୍ୟକ୍ତି ଅଟନ୍ତି ?

୧୨ କିଛି ଲୋକ ବିଶ୍ୱାସ କରନ୍ତି ଯେ ଯୀଶୁ ଖ୍ରୀଷ୍ଟ ଏବଂ ଈଶ୍ୱର ଉଭୟ ଭିନ୍ନ ଭିନ୍ନ ବ୍ୟକ୍ତି ନୁହନ୍ତି, ବରଂ ସେ ଦୁହେଁ ଜଣେ ବ୍ୟକ୍ତି ଅଟନ୍ତି । କିନ୍ତୁ ବାଇବଲ ଏପରି ଶିଖାଏ ନାହିଁ । ବାଇବଲ କହେ ଯେ ଯୀଶୁଙ୍କୁ ସୃଷ୍ଟି କରାଯାଇଥିଲା, ଅର୍ଥାତ୍‌ ଯୀଶୁଙ୍କର ଏକ ଆରମ୍ଭ ଥିଲା । କିନ୍ତୁ ଯିହୋବା ସମସ୍ତ ସୃଷ୍ଟିର ସୃଷ୍ଟିକର୍ତ୍ତା ଅଟନ୍ତି ଏବଂ ତାହାଙ୍କର କୌଣସି ଆରମ୍ଭ ନ ଥିଲା । (ଗୀତସଂହିତା ୯୦:୨) ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ପୁତ୍ର ହୋଇଥିବାରୁ ସେ ଈଶ୍ୱରଙ୍କ ସହିତ ସମାନ ହେବା ପାଇଁ କେବେ ମନରେ କଳ୍ପନା ମଧ୍ୟ କରି ନ ଥିଲେ । ବାଇବଲରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ପିତା ପୁତ୍ରଠାରୁ ମହାନ୍‌ ଅଟନ୍ତି । (ଯୋହନ ୧୪:୨୮ ପଢ଼ନ୍ତୁ; ୧ କରିନ୍ଥୀୟ ୧୧:୩) କେବଳ ଯିହୋବା ହିଁ “ସର୍ବଶକ୍ତିମାନ ପରମେଶ୍ୱର” ଅଟନ୍ତି । (ଆଦି ପୁସ୍ତକ ୧୭:୧) ସେ ସମଗ୍ର ବିଶ୍ୱରେ ସବୁଠାରୁ ମହାନ୍‌ ଓ ଶକ୍ତିଶାଳୀ ବ୍ୟକ୍ତି ଅଟନ୍ତି ।— ଅଧିକ ବିବରଣୀ-୧୪ ଦେଖନ୍ତୁ ।

୧୩. ବାଇବଲ କାହିଁକି ଯୀଶୁଙ୍କୁ “ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି” ବୋଲି କହେ ?

୧୩ ସ୍ୱର୍ଗ ଓ ପୃଥିବୀକୁ ସୃଷ୍ଟି କରାଯିବାର ବହୁ ପୂର୍ବରୁ ଯିହୋବା ଏବଂ ତାହାଙ୍କ ପୁତ୍ର ଯୀଶୁ ଦୁହେଁ ମିଶି କୋଟି କୋଟି ବର୍ଷ ଧରି କାମ କରିଥିଲେ । ତେବେ ଭାବି ଦେଖନ୍ତୁ, ଦୁହିଁଙ୍କ ମଧ୍ୟରେ କେତେ ଘନିଷ୍ଠ ସମ୍ପର୍କ ଓ ଗଭୀର ପ୍ରେମ ରହିଥିବ ! (ଯୋହନ ୩:୩୫; ୧୪:୩୧) ଯୀଶୁ ନିଜଠାରେ ତାହାଙ୍କ ପିତାଙ୍କର ଗୁଣଗୁଡ଼ିକୁ ଏତେ ଉତ୍ତମ ଭାବେ ଦେଖାଇଥିଲେ ଯେ ବାଇବଲ ତାହାଙ୍କୁ “ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି” ବୋଲି କହିଥାଏ ।— କଲସୀୟ ୧:୧୫.

୧୪. ଯୀଶୁ ଜଣେ ମଣିଷ ରୂପରେ ଜନ୍ମ ହେବା କିପରି ସମ୍ଭବ ହେଲା ?

୧୪ ଯିହୋବାଙ୍କର ଏହି ପ୍ରିୟ ପୁତ୍ର ନିଜ ଇଚ୍ଛାରେ ଓ ଆନନ୍ଦରେ ସ୍ୱର୍ଗକୁ ଛାଡ଼ି ଜଣେ ମଣିଷ ରୂପରେ ଜନ୍ମ ହେବା ପାଇଁ ପୃଥିବୀକୁ ଆସିଲେ । କିନ୍ତୁ ତାହା କିପରି ସମ୍ଭବ ହେଲା ? ଯିହୋବା ସ୍ୱର୍ଗରେ ଥିବା ନିଜ ପୁତ୍ରଙ୍କ ଜୀବନକୁ ଅଲୌକିକ ଭାବେ ମରୀୟମ ନାମକ ଜଣେ କୁମାରୀଙ୍କ ଗର୍ଭକୁ ସ୍ଥାନାନ୍ତରିତ କଲେ । ଏହିପରି ଭାବେ ଯୀଶୁଙ୍କର କୌଣସି ମାନବୀୟ ପିତା ନ ଥିଲେ । ତେଣୁ ମରୀୟମ ଏପରି ଏକ ପୁତ୍ରଙ୍କୁ ଜନ୍ମ ଦେଲେ, ଯାହାଙ୍କଠାରେ କୌଣସି ପାପ ନ ଥିଲା । ଆଉ, ସେ ତାହାଙ୍କ ନାମ ଯୀଶୁ ରଖିଲେ ।— ଲୂକ ୧:୩୦-୩୫.

ଯୀଶୁ କିପରି ବ୍ୟକ୍ତି ଥିଲେ ?

ଯୀଶୁ ନିଜ ଶିଷ୍ୟମାନଙ୍କୁ ଶିଖାଉଛନ୍ତି

୧୫. ଆପଣ କିପରି ଯିହୋବାଙ୍କୁ ଆହୁରି ଭଲ ଭାବରେ ଜାଣିପାରିବେ ?

୧୫ ଯୀଶୁ କିପରି ବ୍ୟକ୍ତି ଥିଲେ, ତାହାଙ୍କଠାରେ କେଉଁ କେଉଁ ଗୁଣ ଥିଲା ଏବଂ ସେ ଜୀବନରେ କʼଣ କʼଣ କରିଥିଲେ, ଏସବୁ ବିଷୟରେ ଆପଣ ବାଇବଲର ଚାରୋଟି ବହିରୁ ବହୁତ କିଛି ଶିଖିପାରିବେ । ସେଗୁଡ଼ିକ ହେଉଛି— ମାଥିଉ, ମାର୍କ, ଲୂକ ଓ ଯୋହନ । ଏହି ବହିଗୁଡ଼ିକୁ ସୁସମାଚାରର ବହି ବୋଲି କୁହାଯାଏ । ଯୀଶୁ ଠିକ୍‌ ନିଜ ପିତାଙ୍କ ଭଳି ଥିଲେ । ତେଣୁ ଆପଣ ଯେତେବେଳେ ଯୀଶୁଙ୍କ ବିଷୟରେ ଶିଖିବେ, ଆପଣ ଯିହୋବାଙ୍କୁ ଆହୁରି ଭଲ ଭାବରେ ଜାଣିପାରିବେ । ସେଇଥିପାଇଁ ଯୀଶୁ କହିପାରିଥିଲେ: ‘ଯେ ମୋତେ ଦେଖିଅଛି, ସେ ପିତାଙ୍କୁ ଦେଖିଅଛି ।’— ଯୋହନ ୧୪:୯.

୧୬. (କ) ଯୀଶୁ ଲୋକମାନଙ୍କୁ କʼଣ ଶିଖାଉଥିଲେ ? (ଖ) ଯୀଶୁଙ୍କ ଶିକ୍ଷା କାହା ତରଫରୁ ଥିଲା ?

୧୬ ଅନେକ ଲୋକ ଯୀଶୁଙ୍କୁ “ଗୁରୁ” ବୋଲି କହୁଥିଲେ । (ଯୋହନ ୧:୩୮; ୧୩:୧୩) ସେ ଲୋକଙ୍କୁ ଶିଖାଇଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା, “ରାଜ୍ୟର ସୁସମାଚାର ।” ଏହି ରାଜ୍ୟ କʼଣ ଅଟେ ? ଏହା ଈଶ୍ୱରଙ୍କ ସରକାର ଅଟେ, ଯାହା ଖୁବ୍‌ ଶୀଘ୍ର ସ୍ୱର୍ଗରୁ ସମଗ୍ର ପୃଥିବୀ ଉପରେ ଶାସନ କରିବ ଏବଂ ଈଶ୍ୱରଙ୍କ ଆଜ୍ଞା ପାଳନ କରୁଥିବା ଲୋକମାନଙ୍କ ପାଇଁ ଭରପୂର ଆଶିଷ ଆଣିଦେବ । (ମାଥିଉ ୪:୨୩) ଯୀଶୁ ଯାହାସବୁ ଶିଖାଇଥିଲେ ସବୁକିଛି ଯିହୋବାଙ୍କ ତରଫରୁ ଥିଲା । ସେ କହିଥିଲେ: “ମୋହର ଶିକ୍ଷା ମୋʼ ନିଜର ନୁହେଁ, କିନ୍ତୁ ମୋʼ ପ୍ରେରଣକର୍ତ୍ତାଙ୍କର ।” (ଯୋହନ ୭:୧୬) ଈଶ୍ୱରଙ୍କ ରାଜ୍ୟ ଯେ ପୃଥିବୀ ଉପରେ ଶାସନ କରିବ, ଏହି ସୁସମାଚାର ଲୋକଙ୍କଠାରେ ପହଞ୍ଚୁ ବୋଲି ଈଶ୍ୱର ଚାହାନ୍ତି । ଆଉ, ଏକଥା ଯୀଶୁ ଭଲ ଭାବେ ଜାଣିଥିଲେ ।

ଯୀଶୁ ଏକ ମାଛ ଧରାଳିକୁ ଚାର କରୁଛନ୍ତି

୧୭. (କ) ଯୀଶୁ ଶିଖାଇବା ପାଇଁ କେଉଁ କେଉଁ ଜାଗାକୁ ଯାଉଥିଲେ ? (ଖ) ଲୋକମାନଙ୍କୁ ଶିଖାଇବାରେ ସେ କାହିଁକି କଠିନ ପରିଶ୍ରମ କରୁଥିଲେ ?

୧୭ ଯୀଶୁ ଲୋକମାନଙ୍କୁ ଶିଖାଇବା ପାଇଁ କେଉଁ କେଉଁ ଜାଗାକୁ ଯାଉଥିଲେ ? ଏପରି ପ୍ରତ୍ୟେକ ଜାଗା ଯେଉଁଠାରେ ସେ ଲୋକମାନଙ୍କୁ ପାଉଥିଲେ, ଯେପରି— ଗାଁ, ସହର, ବଜାର, ସଭାଗୃହ ଓ ଉପାସନାର ଜାଗା । ଏପରିକି ସେ ଲୋକମାନଙ୍କର ଘରକୁ ମଧ୍ୟ ଯାଉଥିଲେ । ସେ ଆଶା କରୁ ନ ଥିଲେ ଯେ ଲୋକେ ତାହାଙ୍କ ପାଖକୁ ଆସନ୍ତୁ । ବରଂ ସେ ସବୁବେଳେ ଲୋକମାନଙ୍କ ପାଖକୁ ଯାଉଥିଲେ । (ମାର୍କ ୬:୫୬; ଲୂକ ୧୯:୫, ୬) ଯୀଶୁ ଲୋକମାନଙ୍କୁ ଶିଖାଇବାରେ କଠିନ ପରିଶ୍ରମ କରୁଥିଲେ ଏବଂ ନିଜ ଅଧିକାଂଶ ସମୟ ଓ ଶକ୍ତି ଏହି କାମରେ ଲଗାଉଥିଲେ । କାହିଁକି ? କାରଣ ସେ ଜାଣିଥିଲେ ଯେ ଏହା ହିଁ ତାହାଙ୍କ ପିତାଙ୍କର ଇଚ୍ଛା ଅଟେ ଏବଂ ସେ ସର୍ବଦା ନିଜ ପିତାଙ୍କର ଇଚ୍ଛା ପୂରଣ କରୁଥିଲେ । (ଯୋହନ ୮:୨୮, ୨୯) ଯୀଶୁ ଏଥିପାଇଁ ମଧ୍ୟ ପ୍ରଚାର କରୁଥିଲେ, କାରଣ ଲୋକମାନଙ୍କ ପ୍ରତି ତାହାଙ୍କ ହୃଦୟରେ ଦୟାଭାବ ଥିଲା । (ମାଥିଉ ୯:୩୫, ୩୬ ପଢ଼ନ୍ତୁ ।) ସେ ଦେଖିପାରୁଥିଲେ ଯେ ଧର୍ମଗୁରୁମାନେ ଈଶ୍ୱର ଏବଂ ତାହାଙ୍କ ରାଜ୍ୟ ବିଷୟରେ ସତ୍ୟତା ଶିଖାଉ ନ ଥିଲେ । ତେଣୁ ସେ ଅଧିକରୁ ଅଧିକ ଲୋକମାନଙ୍କୁ ସୁସମାଚାର ଶୁଣିବାରେ ସାହାଯ୍ୟ କଲେ ।

୧୮. ଯୀଶୁଙ୍କ କେଉଁ ଗୁଣକୁ ଆପଣ ସବୁଠାରୁ ଅଧିକ ପସନ୍ଦ କରନ୍ତି ?

୧୮ ଯୀଶୁ ଜଣେ ଏପରି ବ୍ୟକ୍ତି ଥିଲେ, ଯିଏ ଲୋକମାନଙ୍କୁ ଭଲ ପାଉଥିଲେ ଏବଂ ସେମାନଙ୍କ ବିଷୟରେ ଚିନ୍ତା କରୁଥିଲେ । ସେ ସମସ୍ତଙ୍କ ପ୍ରତି ପ୍ରେମର ସହିତ ବ୍ୟବହାର କରୁଥିଲେ । ତାହାଙ୍କ ସହିତ କଥା ହେବାକୁ କେହି ମଧ୍ୟ ଭୟ କରୁ ନ ଥିଲେ । ଏପରିକି ଛୋଟ ଛୋଟ ପିଲାମାନେ ମଧ୍ୟ ତାହାଙ୍କ ପାଖକୁ ଆସୁଥିଲେ । (ମାର୍କ ୧୦:୧୩-୧୬) ଯୀଶୁ ଜଣେ ନ୍ୟାୟପ୍ରିୟ ବ୍ୟକ୍ତି ଥିଲେ । ସେ ଦୁର୍ନୀତି ଓ ଅନ୍ୟାୟକୁ ଘୃଣା କରୁଥିଲେ । (ମାଥିଉ ୨୧:୧୨, ୧୩) ଯୀଶୁଙ୍କ ସମୟରେ ସ୍ତ୍ରୀମାନଙ୍କୁ ଖୁବ୍‌ କମ୍‌ ଅଧିକାର ଦିଆଯାଉଥିଲା ଏବଂ ସେମାନଙ୍କୁ ଆଦରର ସହିତ ବ୍ୟବହାର କରାଯାଉ ନ ଥିଲା । କିନ୍ତୁ ଯୀଶୁ ସ୍ତ୍ରୀମାନଙ୍କୁ ସର୍ବଦା ଆଦର କରୁଥିଲେ ଏବଂ ସେମାନଙ୍କୁ ମର୍ଯ୍ୟାଦା ଦେଉଥିଲେ । (ଯୋହନ ୪:୯, ୨୭) ଏହା ଛଡ଼ା, ଯୀଶୁ ପ୍ରକୃତରେ ନମ୍ର ଥିଲେ । ଉଦାହରଣସ୍ୱରୂପ, ଦିନେ ସନ୍ଧ୍ୟାରେ ସେ ନିଜ ଶିଷ୍ୟମାନଙ୍କର ପାଦ ଧୋଇଥିଲେ । ଏହା ଏପରି କାମ ଥିଲା, ଯାହା ସେହି ସମୟରେ ସାଧାରଣତଃ ଘରର ଦାସ କିମ୍ବା ସେବକମାନେ କରୁଥିଲେ ।— ଯୋହନ ୧୩:୨-୫, ୧୨-୧୭.

ଯୀଶୁ ରୋଗୀମାନଙ୍କୁ ଛୁଇଁବାକୁ ଏବଂ ସୁସ୍ଥ କରିବାକୁ ହାତ ବଉଛନ୍ତି

ଯୀଶୁ ଏପରି ପ୍ରତ୍ୟେକ ଜାଗାରେ ପ୍ରଚାର କରୁଥିଲେ, ଯେଉଁଠାରେ ସେ ଲୋକମାନଙ୍କୁ ପାଉଥିଲେ

୧୯. ଯୀଶୁ ଜାଣିଥିଲେ ଯେ ଲୋକଙ୍କ ପ୍ରକୃତ ଆବଶ୍ୟକତା କʼଣ ଅଟେ ଏବଂ ସେମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ; ଏହା କେଉଁ ଉଦାହରଣରୁ ଜଣାପଡ଼େ ?

୧୯ ଯୀଶୁ ଖ୍ରୀଷ୍ଟ ଜାଣିଥିଲେ ଯେ ଲୋକମାନଙ୍କର ପ୍ରକୃତ ଆବଶ୍ୟକତା କʼଣ ଅଟେ ଏବଂ ସେମାନଙ୍କୁ ସେ ସାହାଯ୍ୟ କରିବାକୁ ଚାହୁଁଥିଲେ । ଯେତେବେଳେ ସେ ଈଶ୍ୱରଙ୍କ ଶକ୍ତି ସାହାଯ୍ୟରେ ଲୋକମାନଙ୍କୁ ସୁସ୍ଥ କରୁଥିଲେ, ସେସମୟରେ ଏହା ସ୍ପଷ୍ଟ ଜଣା ପଡ଼ୁଥିଲା । (ମାଥିଉ ୧୪:୧୪) ଉଦାରହଣସ୍ୱରୂପ, ଜଣେ କୁଷ୍ଠରୋଗୀ ଯୀଶୁଙ୍କ ପାଖକୁ ଆସି କହିଲା: “ତୁମ୍ଭେ ଇଚ୍ଛା କଲେ ମୋତେ ଭଲ କରି ଦେଇପାରିବ ।” ସେହି ଲୋକଟିର ଦୁଃଖ ଓ ଯନ୍ତ୍ରଣା ଦେଖି ଯୀଶୁ ରହିପାରିଲେ ନାହିଁ । ସେ ତାʼର ଦୁଃଖରେ ଅତି ଦୁଃଖିତ ହେଲେ ଏବଂ ତାʼକୁ ସାହାଯ୍ୟ କରିବାକୁ ଚାହିଁଲେ । ତେଣୁ ସେ ନିଜ ହାତ ବଢ଼ାଇ କୁଷ୍ଠରୋଗୀକୁ ଛୁଇଁଲେ ଏବଂ ତାʼକୁ କହିଲେ: “ମୁଁ ତୁମ୍ଭକୁ ସୁସ୍ଥ କରିବାକୁ ଚାହୁଁଛି, ତୁମ୍ଭେ ସୁସ୍ଥ ହୋଇଯାଅ ।” ଆଉ, କୁଷ୍ଠରୋଗୀଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା ! (ମାର୍କ ୧:୪୦-୪୨, ଇଜି-ଟୁ-ରିଡ୍‌ ଭର୍ସନ) କʼଣ ଆପଣ କଳ୍ପନା କରିପାରୁଛନ୍ତି ଯେ ଲୋକଟି କେତେ ଖୁସି ହୋଇଥିବ ?

ମୃତ୍ୟୁ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିଲେ

୨୦, ୨୧. ଈଶ୍ୱରଙ୍କ ଆଜ୍ଞା ପାଳନ କରିବାରେ ଯୀଶୁ କିପରି ସବୁଠାରୁ ଉତ୍ତମ ଉଦାହରଣ ରଖିଛନ୍ତି ?

୨୦ ଈଶ୍ୱରଙ୍କ ଆଜ୍ଞା ପାଳନ କରିବାରେ ଯୀଶୁ ଖ୍ରୀଷ୍ଟ ସବୁଠାରୁ ଉତ୍ତମ ଉଦାହରଣ ରଖିଛନ୍ତି । ପ୍ରତ୍ୟେକ ପରିସ୍ଥିତିରେ ଏବଂ ତାହାଙ୍କ ଶତ୍ରୁମାନଙ୍କର ବିରୋଧକୁ ସାମନା କରିବା ସତ୍ତ୍ୱେ ସେ ନିଜ ପିତାଙ୍କର ବିଶ୍ୱସ୍ତ ରହିଲେ । ଉଦାହରଣସ୍ୱରୂପ, ଯେତେବେଳେ ଶୟତାନ ଯୀଶୁଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କଲା, ସେ ପାପ କଲେ ନାହିଁ । (ମାଥିଉ ୪:୧-୧୧) ଯୀଶୁଙ୍କ ପରିବାରର କିଛି ସଦସ୍ୟ ତାହାଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କଲେ ନାହିଁ ଏବଂ ସେମାନେ କହିଲେ ଯେ ଯୀଶୁଙ୍କ “ମତିଭ୍ରମ” ହୋଇଯାଇଛି, ଅର୍ଥାତ୍‌ ସେ ପାଗଳ ହୋଇଯାଇଛନ୍ତି । ତଥାପି ଯୀଶୁ ଈଶ୍ୱରଙ୍କ କାମ କରିବା ବଜାୟ ରଖିଲେ । (ମାର୍କ ୩:୨୧) ଯେତେବେଳେ ତାହାଙ୍କ ଶତ୍ରୁମାନେ ତାହାଙ୍କୁ ଅତି ନିଷ୍ଠୁର ଭାବେ ନିର୍ଯ୍ୟାତନା ଦେଲେ, ସେତେବେଳେ ସେ ଈଶ୍ୱରଙ୍କର ବିଶ୍ୱସ୍ତ ରହିଲେ ଏବଂ କେବେ ମଧ୍ୟ ସେମାନଙ୍କର ଅନିଷ୍ଟ କରିବାକୁ ସେ ଚେଷ୍ଟା କରି ନ ଥିଲେ ।— ୧ ପିତର ୨:୨୧-୨୩.

୨୧ ଯଦିଓ ଯୀଶୁଙ୍କୁ ଅତି ନିଷ୍ଠୁର ଭାବରେ ଏବଂ ଅସହ୍ୟ ଯନ୍ତ୍ରଣା ଦେଇ ହତ୍ୟା କରାଗଲା, ତଥାପି ସେ ତାହାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଯିହୋବାଙ୍କର ବିଶ୍ୱସ୍ତ ରହିଲେ । (ଫିଲିପ୍‌ପୀୟ ୨:୮ ପଢ଼ନ୍ତୁ ।) ଯେଉଁଦିନ ତାହାଙ୍କ ମୃତ୍ୟୁ ହେଲା, ସେଦିନ ସେ କʼଣ କʼଣ ସହିଲେ, ଟିକିଏ କଳ୍ପନା କରନ୍ତୁ । ଯୀଶୁଙ୍କୁ ବନ୍ଦୀ କରାଗଲା, ମିଥ୍ୟା ସାକ୍ଷୀମାନେ ତାହାଙ୍କୁ ଧର୍ମଦ୍ରୋହୀ ବୋଲି ଦୋଷାରୋପ କଲେ, ଭ୍ରଷ୍ଟ ବିଚାରକର୍ତ୍ତାମାନେ ତାହାଙ୍କୁ ଦୋଷୀ ସାବ୍ୟସ୍ତ କଲେ, ଲୋକଙ୍କ ଭିଡ଼ ତାହାଙ୍କୁ ପରିହାସ କଲେ, ସୈନିକମାନେ ତାହାଙ୍କୁ ନାନା ପ୍ରକାର ଯନ୍ତ୍ରଣା ଦେଲେ ଏବଂ ଶେଷରେ ତାହାଙ୍କୁ ଏକ କାଠ ଖୁଣ୍ଟରେ କଣ୍ଟା ପିଟି ମାରି ଦିଆଗଲା । ସେ ମରିବା ପୂର୍ବରୁ ଉଚ୍ଚ ସ୍ୱରରେ କହିଲେ: “ସମାପ୍ତ ହେଲା ।” (ଯୋହନ ୧୯:୩୦) ଯୀଶୁଙ୍କ ମୃତ୍ୟୁର ତିନି ଦିନ ପରେ ଯିହୋବା ତାହାଙ୍କୁ ପୁନରୁତ୍ଥାନ କଲେ ଏବଂ ତାହାଙ୍କୁ ଏକ ଆତ୍ମିକ ଶରୀର ଦେଲେ । (୧ ପିତର ୩:୧୮) କିଛି ସପ୍ତାହ ପରେ, ଯୀଶୁ ସ୍ୱର୍ଗକୁ ଫେରିଯାଇ ‘ଈଶ୍ୱରଙ୍କ ଡାହାଣ ପଟେ ବସିଲେ’ ଏବଂ ସେହି ସମୟକୁ ଅପେକ୍ଷା କଲେ, ଯେତେବେଳେ ଈଶ୍ୱର ତାହାଙ୍କୁ ରାଜା କରିଥାʼନ୍ତେ ।— ଏବ୍ରୀ ୧୦:୧୨, ୧୩, ଇଜି-ଟୁ-ରିଡ୍‌ ଭର୍ସନ ।

୨୨. ଯୀଶୁ ନିଜ ପିତାଙ୍କର ବିଶ୍ୱସ୍ତ ରହିବା ଯୋଗୁଁ ବର୍ତ୍ତମାନ ଆମ ପାଖରେ କେଉଁ ସୁଯୋଗ ରହିଛି ?

୨୨ ଯୀଶୁ ନିଜ ପିତାଙ୍କର ବିଶ୍ୱସ୍ତ ରହିବା ଯୋଗୁଁ ବର୍ତ୍ତମାନ ଆମ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଯେତେବେଳେ ଈଶ୍ୱର ଏହି ପୃଥିବୀକୁ ଏକ ସୁନ୍ଦର ପାରଦୀଶରେ ପରିଣତ କରିବେ, ଆମେ ସେଠାରେ ଚିରଦିନ ପାଇଁ ଜୀବିତ ରହିପାରିବା । ଆରମ୍ଭରୁ ଏହା ହିଁ ଯିହୋବାଙ୍କର ଉଦ୍ଦେଶ୍ୟ ଥିଲା । ପରବର୍ତ୍ତୀ ଅଧ୍ୟାୟରେ ଆମେ ଆଲୋଚନା କରିବା ଯେ ଯୀଶୁଙ୍କ ମୃତ୍ୟୁ ଯୋଗୁଁ କିପରି ଆମ ପାଇଁ ଅନନ୍ତ ଜୀବନ ସମ୍ଭବ ହୋଇପାରିବ ।

a ଯିହୋବାଙ୍କୁ ପିତା କୁହାଯାଏ, କାରଣ ସେ ସୃଷ୍ଟିକର୍ତ୍ତା ଅଟନ୍ତି । (ଯିଶାଇୟ ୬୪:୮) ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର କୁହାଯାଏ, କାରଣ ଯିହୋବା ତାହାଙ୍କୁ ସୃଷ୍ଟି କରିଥିଲେ । ଏହା ଛଡ଼ା, ସ୍ୱର୍ଗଦୂତମାନଙ୍କୁ ଏବଂ ଏପରିକି ପ୍ରଥମ ମଣିଷ ଆଦମକୁ ମଧ୍ୟ ଈଶ୍ୱରଙ୍କ ପୁତ୍ର କୁହାଯାଏ ।— ଆୟୁବ ୧:୬; ଲୂକ ୩:୩୮.

ସାରାଂଶ

ସତ୍ୟ-୧: ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି

‘ଆପଣ ଖ୍ରୀଷ୍ଟ ଅଟନ୍ତି ।’— ମାଥିଉ ୧୬:୧୬

ଆମେ କିପରି ଜାଣୁ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ?

  • ମାଥିଉ ୩:୧୬, ୧୭; ଯୋହନ ୧:୩୨-୩୪

    ଯିହୋବା ସ୍ୱର୍ଗରୁ କହିଲେ ଯେ ଯୀଶୁ ତାହାଙ୍କ ପୁତ୍ର ଅଟନ୍ତି ।

  • ମୀଖା ୫:୨; ମାଥିଉ ୨:୧, ୩-୯

    ଖ୍ରୀଷ୍ଟଙ୍କ ବିଷୟରେ କରାଯାଇଥିବା ସମସ୍ତ ଭବିଷ୍ୟତବାଣୀ ଯୀଶୁଙ୍କଠାରେ ପୂରଣ ହେଲା ।

ସତ୍ୟ-୨: ଯୀଶୁ ପୃଥିବୀକୁ ଆସିବା ପୂର୍ବରୁ ଜଣେ ସ୍ୱର୍ଗଦୂତ ଥିଲେ

‘ମୁଁ . . . ସ୍ୱର୍ଗରୁ ଆସିଅଛି ।’— ଯୋହନ ୬:୩୮, ଇଜି-ଟୁ-ରିଡ୍‌ ଭର୍ସନ

ଯୀଶୁ ସ୍ୱର୍ଗରେ କʼଣ କରୁଥିଲେ ?

  • କଲସୀୟ ୧:୧୫, ୧୬

    ଯିହୋବା ସର୍ବପ୍ରଥମେ ଯୀଶୁଙ୍କୁ ସୃଷ୍ଟି କରିଥିଲେ ଏବଂ ତାʼପରେ ଅନ୍ୟ ସବୁକିଛି ସୃଷ୍ଟି କରିବା ପାଇଁ ସେ ଯୀଶୁଙ୍କୁ ବ୍ୟବହାର କରିଥିଲେ । ଯୀଶୁ କୋଟି କୋଟି ବର୍ଷ ଧରି ନିଜ ପିତାଙ୍କଠାରୁ ଶିଖିଥିଲେ ।

  • ଲୂକ ୧:୩୦-୩୫

    ଯିହୋବା ଯୀଶୁଙ୍କୁ ପୃଥିବୀକୁ ପଠାଇଲେ ।

ସତ୍ୟ-୩: ଯୀଶୁ ଲୋକମାନଙ୍କୁ ଭଲ ପାଆନ୍ତି

“ଶିଶୁମାନଙ୍କୁ ମୋʼ ନିକଟକୁ ଆସିବାକୁ ଦିଅ ।”— ମାର୍କ ୧୦:୧୪

ଯୀଶୁଙ୍କର କେଉଁ ଗୁଣକୁ ଆପଣ ପସନ୍ଦ କରନ୍ତି ?

  • ମାର୍କ ୧୦:୧୩-୧୬

    ଯୀଶୁ ସମସ୍ତଙ୍କ ପ୍ରତି ପ୍ରେମର ସହିତ ବ୍ୟବହାର କରୁଥିଲେ ଏବଂ ଲୋକମାନେ ତାହାଙ୍କ ସହିତ କଥା ହୋଇ ଖୁସି ପାଉଥିଲେ ।

  • ଯୋହନ ୪:୯, ୨୭

    ଯୀଶୁ ସ୍ତ୍ରୀମାନଙ୍କୁ ସର୍ବଦା ଆଦର କରୁଥିଲେ ଏବଂ ସେମାନଙ୍କୁ ମର୍ଯ୍ୟାଦା ଦେଉଥିଲେ ।

  • ଯୋହନ ୧୩:୨-୫, ୧୨-୧୭

    ଯୀଶୁ ନମ୍ର ଥିଲେ ।

  • ମାଥିଉ ୯:୩୫, ୩୬; ମାର୍କ ୧:୪୦-୪୨

    ଯୀଶୁ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ।

ସତ୍ୟ-୪: ଯୀଶୁ ସର୍ବଦା ଈଶ୍ୱରଙ୍କ ଇଚ୍ଛା ପୂରଣ କରନ୍ତି

“ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ . . . କରିଅଛି ।”— ଯୋହନ ୧୭:୪

ଯୀଶୁଙ୍କ ଉଦାହରଣରୁ ଆମେ ବିଶ୍ୱସ୍ତ ରହିବା ବିଷୟରେ କʼଣ ଶିଖୁ ?

  • ମାଥିଉ ୪:୧-୧୧

    ଶୟତାନର ପ୍ରଲୋଭନ ସତ୍ତ୍ୱେ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କର ବିଶ୍ୱସ୍ତ ରହିଲେ ।

  • ମାର୍କ ୩:୨୧

    ଏପରିକି ଯେତେବେଳେ ଯୀଶୁଙ୍କ ସମ୍ପର୍କୀୟମାନେ ତାହାଙ୍କୁ ଉପହାସ କଲେ, ଏହା ସତ୍ତ୍ୱେ ସେ ଈଶ୍ୱରଙ୍କ ଇଚ୍ଛା ପୂରଣ କଲେ ।

  • ୧ ପିତର ୨:୨୧-୨୩

    ଯୀଶୁ କେବେ ମଧ୍ୟ ନିଜ ଶତ୍ରୁମାନଙ୍କର ପ୍ରତିଶୋଧ ନେଇ ନ ଥିଲେ ।

  • ଫିଲିପ୍‌ପୀୟ ୨:୮

    ଏପରିକି ନିଜ ମୃତ୍ୟୁ ପର୍ଯ୍ୟନ୍ତ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କର ବିଶ୍ୱସ୍ତ ରହିଲେ ।

  • ଏବ୍ରୀ ୧୦:୧୨, ୧୩; ୧ ପିତର ୩:୧୮

    ଯିହୋବା ଯୀଶୁଙ୍କୁ ଆତ୍ମିକ ଶରୀର ଦେଇ ପୁନରୁତ୍ଥାନ କଲେ ଏବଂ ଯୀଶୁ ସ୍ୱର୍ଗକୁ ଫେରିଗଲେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ