ପାଠ ୮୧
ପାର୍ବତ୍ୟ ଉପଦେଶ
ଯୀଶୁ ୧୨ ଜଣ ପ୍ରେରିତଙ୍କୁ ବାଛିବା ପରେ ପାହାଡ଼ରୁ ଓହ୍ଲାଇ ଏକ ଏପରି ଜାଗାକୁ ଗଲେ, ଯେଉଁଠି ଏକ ବଡ଼ ଭିଡ଼ ଏକାଠି ଥିଲା । ଲୋକମାନେ ଗାଲିଲୀ, ଯିହୁଦା, ସୋର, ସୀଦୋନ, ସୁରୀୟା ଓ ଯର୍ଦ୍ଦନ ନଦୀର ଆରପାରିରୁ ଆସିଥିଲେ । ସେମାନେ ନିଜ ସହ ଅନେକ ରୋଗୀଙ୍କୁ ଏବଂ ଏପରି କିଛି ଲୋକଙ୍କୁ ଆଣିଲେ ଯେଉଁମାନଙ୍କୁ ଦୁଷ୍ଟ ସ୍ୱର୍ଗଦୂତମାନେ ବହୁତ ହଇରାଣ କରୁଥିଲେ । ଯୀଶୁ ସେସମସ୍ତଙ୍କୁ ଠିକ୍ କଲେ । ତାʼପରେ ସେ ପାହାଡ଼ର ଗୋଟିଏ ପଟେ ବସିଗଲେ ଏବଂ ସେମାନଙ୍କୁ ଶିଖାଇବାକୁ ଲାଗିଲେ । ସେ କହିଲେ ଈଶ୍ୱରଙ୍କ ସାଙ୍ଗ ହେବା ପାଇଁ ଆମକୁ କʼଣ କରିବା ଉଚିତ୍ । ଆମେ ଏ କଥା ବୁଝିବା ଉଚିତ୍ ଯେ ଆମକୁ ଯିହୋବାଙ୍କ ଆବଶ୍ୟକ ଅଛି ଏବଂ ଆମେ ତାଙ୍କୁ ପ୍ରେମ କରିବା ଶିଖିବା ଉଚିତ୍ । କିନ୍ତୁ ଆମେ ଈଶ୍ୱରଙ୍କୁ ତେବେ ପ୍ରେମ କରିପାରିବା ଯେବେ ଆମେ ଅନ୍ୟମାନଙ୍କୁ ପ୍ରେମ କରିବା । ଆମେ କେବେ ବି କାହାରି ଖରାପ ବିଷୟ ଚିନ୍ତା କରିବା ଉଚିତ୍ ନୁହେଁ ବରଂ ସମସ୍ତଙ୍କ ମଙ୍ଗଳ ଚିନ୍ତା କରିବା ଉଚିତ୍, ଏପରିକି ଶତ୍ରୁମାନଙ୍କର ମଧ୍ୟ ।
ଯୀଶୁ କହିଲେ, ‘କେବଳ ନିଜ ସାଙ୍ଗମାନଙ୍କୁ ପ୍ରେମ କରିବା ଯଥେଷ୍ଟ ନୁହେଁ । ତମମାନଙ୍କୁ ନିଜ ଶତ୍ରୁମାନଙ୍କୁ ମଧ୍ୟ ପ୍ରେମ କରିବା ଉଚିତ୍ ଏବଂ ଅନ୍ୟମାନଙ୍କୁ ହୃଦୟରୁ କ୍ଷମା କରିବା ଉଚିତ୍ । ଯଦି କେହି ତମକୁ ରାଗିଛନ୍ତି, ତେବେ ତମେ ତୁରନ୍ତ ତାଙ୍କ ପାଖକୁ ଯାଅ ଏବଂ ତାଙ୍କୁ କ୍ଷମା ମାଗ । ଅନ୍ୟମାନଙ୍କ ସହ ସେପରି ବ୍ୟବହାର କର ଯେପରି ତମେ ଚାହଁ ଯେ ସେମାନେ ତମ ସହିତ କରନ୍ତୁ ।’
ଯୀଶୁ ଲୋକମାନଙ୍କୁ ପଇସା ଓ ଜିନିଷଗୁଡ଼ିକ ବିଷୟରେ ମଧ୍ୟ ଭଲ ପରାମର୍ଶ ଦେଲେ । ସେ କହିଲେ, ‘ଅଧିକ ପଇସାଠାରୁ ବି ଜରୁରୀ ହେଉଛି ଯିହୋବାଙ୍କ ସହ ମିତ୍ରତା । ଚୋର ତୁମର ପଇସା ଚୋରି କରିପାରିବ, କିନ୍ତୁ ଯିହୋବାଙ୍କ ସହ ତୁମ ମିତ୍ରତାକୁ ଚୋରି କରିପାରିବ ନାହିଁ । ଏହା ଚିନ୍ତା କରିବା ଛାଡ଼ି ଦିଅ ଯେ ତମେ କʼଣ ଖାଇବ, କʼଣ ପିଇବ କିମ୍ବା କʼଣ ପିନ୍ଧିବ । ପକ୍ଷୀମାନଙ୍କୁ ଦେଖ । ଈଶ୍ୱର ସେମାନଙ୍କୁ ଖାଇବା ପାଇଁ ସବୁବେଳେ କିଛି ନା କିଛି ଦିଅନ୍ତି । ଚିନ୍ତା କରି ତମେ ନିଜ ଜୀବନର ଦିନକ ବି ବଢ଼ାଇପାରିବ ନାହିଁ । ମନେ ରଖ, ଯିହୋବା ଜାଣନ୍ତି ଯେ ତମମାନଙ୍କୁ କେଉଁ ଜିନିଷଗୁଡ଼ିକର ଆବଶ୍ୟକ ଅଛି ।’
ଲୋକମାନେ ଏହା ପୂର୍ବରୁ କେବେ ବି କାହାରିକୁ ଯୀଶୁଙ୍କ ଭଳି ଶିଖାଇବାର ଶୁଣି ନ ଥିଲେ । ସେମାନଙ୍କ ଧର୍ମଗୁରୁମାନେ ସେମାନଙ୍କୁ ଏହି କଥାଗୁଡ଼ିକ ଶିଖାଇ ନ ଥିଲେ । ଯୀଶୁ କାହିଁକି ଜଣେ ମହାନ ଶିକ୍ଷକ ଥିଲେ ? କାରଣ ସେ ତାହା ହିଁ ଶିଖାଉଥିଲେ ଯାହା ଯିହୋବାଙ୍କଠୁ ସେ ଶିଖିଥିଲେ ।
‘ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋʼ ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭମାନଙ୍କୁ ସତେଜତା ମିଳିବ ।’—ମାଥିଉ ୧୧:୨୯