ପାଠ ୮୨
ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବା ଶିଖାଇଲେ
ଫାରୂଶୀମାନେ ପ୍ରତ୍ୟେକ କାମ ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବା ପାଇଁ କରୁଥିଲେ । ସେମାନେ କେବଳ ଦେଖାଇବା ପାଇଁ ଲୋକମାନଙ୍କୁ ସାହାଯ୍ୟ କରୁଥିଲେ । ସେମାନେ ଏପରି ଜାଗାଗୁଡ଼ିକରେ ଛିଡ଼ା ହୋଇ ପ୍ରାର୍ଥନା କରୁଥିଲେ, ଯେଉଁଠାରୁ ସମସ୍ତେ ସେମାନଙ୍କୁ ଦେଖିପାରିବେ । ଫାରୂଶୀମାନେ ଲମ୍ବା ଲମ୍ବା ପ୍ରାର୍ଥନାଗୁଡ଼ିକୁ ମନେ ପକାଉଥିଲେ ଏବଂ ସେମାନେ ସଭାଘରଗୁଡ଼ିକ ଓ ଛକରେ ଦୋହରାଉଥିଲେ, ଯାହାଦ୍ୱାରା ଲୋକମାନେ ସେମାନଙ୍କ ପ୍ରାର୍ଥନାଗୁଡ଼ିକୁ ଶୁଣିପାରିବେ । ସେଥିପାଇଁ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେବେ ଯୀଶୁ ସେମାନଙ୍କୁ ଏହା କହିଲେ, ‘ଫାରୂଶୀମାନଙ୍କ ଭଳି ପ୍ରାର୍ଥନା କର ନାହିଁ । ସେମାନେ ଭାବନ୍ତି ଯେ ଲମ୍ବା ଲମ୍ବା ପ୍ରାର୍ଥନାଗୁଡ଼ିକ କଲେ ଈଶ୍ୱର ଖୁସି ହେବେ । କିନ୍ତୁ ଈଶ୍ୱର ଖୁସି ହୁଅନ୍ତି ନାହିଁ । ପ୍ରାର୍ଥନା ତମମାନଙ୍କ ଓ ଯିହୋବାଙ୍କ ମଧ୍ୟର କଥା ଅଟେ ଏବଂ ଗୋଟିଏ କଥାକୁ ବାରମ୍ବାର କୁହ ନାହିଁ । ଯିହୋବା ଚାହାନ୍ତି ଯେ ତମେମାନେ ନିଜ ହୃଦୟର କଥା ତାଙ୍କୁ କୁହ ।
ତମମାନଙ୍କୁ ଏପରି ପ୍ରାର୍ଥନା କରିବା ଉଚିତ୍: “ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ, ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ ।”’ ଯୀଶୁ ସେମାନଙ୍କୁ ଏହା ବି କହିଲେ ଯେ ସେମାନଙ୍କୁ ପ୍ରତିଦିନ ଖାଦ୍ୟ ପାଇଁ, ପାପର କ୍ଷମା ପାଇଁ ଏବଂ ନିଜ ଜୀବନର ଅନ୍ୟ କଥାଗୁଡ଼ିକ ପାଇଁ ପ୍ରାର୍ଥନା କରିବା ଉଚିତ୍ ।
ଯୀଶୁ କହିଲେ, ‘ପ୍ରାର୍ଥନା କରିବା କେବେ ବି ଛାଡ଼ ନାହିଁ । ନିଜ ପିତା ଯିହୋବାଙ୍କୁ ଭଲ ଜିନିଷଗୁଡ଼ିକ ମାଗିବା ଜାରି ରଖ । ଜଣେ ପିତା ଏହା ହିଁ ଚାହେଁ ଯେ ସେ ନିଜ ପିଲାକୁ ଭଲ ଜିନିଷଗୁଡ଼ିକ ଦେଉ । ଯଦି ତମ ପୁଅ ରୁଟି ମାଗିବ ତାହେଲେ କʼଣ ତୁମେ ତାକୁ ପଥର ଦେବ ? ଯଦି ସେ ମାଛ ମାଗିବ ତାହେଲେ କʼଣ ତୁମେ ତାକୁ ସାପ ଦେବ ?’
ତାʼପରେ ଯୀଶୁ ବୁଝାଇଲେ, ‘ଯେବେ ତମେମାନେ ନିଜ ପିଲାମାନଙ୍କୁ ଭଲ ଜିନିଷଗୁଡ଼ିକ ଦେବା ପାଇଁ ଜାଣ, ତେବେ କʼଣ ତମ ପିତା ତମକୁ ପବିତ୍ର ଶକ୍ତି ଦେବେ ନାହିଁ ? ତମମାନଙ୍କୁ କେବଳ ତାଙ୍କୁ ମାଗିବା ଜରୁରୀ ଅଟେ ।’ କʼଣ ଆପଣ ଯୀଶୁଙ୍କ ଏହି କଥା ମାନନ୍ତି ? ଆପଣ କେଉଁ କେଉଁ କଥାଗୁଡ଼ିକ ବିଷୟରେ ପ୍ରାର୍ଥନା କରନ୍ତି ?
“ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ ।”—ମାଥିଉ ୭:୭