ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଜାନୁୟାରୀ ପୃଷ୍ଠା ୮-୧୩
  • ମନର ନୂତନୀକରଣ କରନ୍ତୁ !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମନର ନୂତନୀକରଣ କରନ୍ତୁ !
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ‘ମନର ନୂତନୀକରଣ କରିବା ଜାରି ରଖନ୍ତୁ’
  • ‘ନୂତନ ସ୍ୱଭାବ ପରିଧାନ କରନ୍ତୁ’
  • ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିବା ଜାରି ରଖନ୍ତୁ
  • ଲଗାତାର ପରିଶ୍ରମ କରନ୍ତୁ
  • ବାପ୍ତିସ୍ମ ପରେ ମଧ୍ୟ ‘ନୂଆ ସ୍ୱଭାବ’ ପିନ୍ଧି ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଆପଣ ‘ପୁରୁଣା ସ୍ୱଭାବକୁ’ ଖୋଲି ଫିଙ୍ଗିପାରିବେ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଆମେ କିପରି ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ‘ନୂତନ ସ୍ୱଭାବକୁ ପରିଧାନ କର’
    ଆମ ରାଜ୍ୟ ସେବା—୧୯୯୯
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଜାନୁୟାରୀ ପୃଷ୍ଠା ୮-୧୩

ଅଧ୍ୟୟନ ଲେଖା ୨

ମନର ନୂତନୀକରଣ କରନ୍ତୁ !

“ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା କଅଣ, ଅର୍ଥାତ୍‌ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର, ଏଥିନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ ।”—ରୋମୀ. ୧୨:୨.

ଗୀତ ୮୮ ମୁଝେ ଆପନି ରାହେଁ ଶିଖା

ଲେଖାର ଝଲକa

୧-୨. ବାପ୍ତିସ୍ମ ପରେ ମଧ୍ୟ ଆମକୁ କʼଣ କରିବା ଜାରି ରଖିବା ଉଚିତ୍‌ ? ବୁଝାନ୍ତୁ ।

ଆପଣ ନିଜ ଘରକୁ କେତେ ଥର ସଫା କରନ୍ତି ? ଯେବେ ଆପଣ ପ୍ରଥମ ଥର ନିଜ ଘରେ ରହିବାକୁ ଆସିଥିବେ, ସେତେବେଳେ ଆପଣ ଘରକୁ ବହୁତ ଭଲଭାବେ ସଫା କରିଥିବେ । କିନ୍ତୁ ଘରକୁ ଯଦି ଆପଣ ଥରେ ସଫା କରିକି ଛାଡ଼ିଦେବେ, ତାହେଲେ କʼଣ ହୋଇପାରେ ? ତେବେ ଘର ଖୁବ୍‌ ଶୀଘ୍ର ମଇଳା ହୋଇପାରେ ଓ ସେଥିରେ ଧୂଳି ବସିପାରେ । ଯଦି ଆପଣ ନିଜ ଘରକୁ ସବୁବେଳେ ସଫା ରଖିବା ପାଇଁ ଚାହାନ୍ତି, ତେବେ ଆପଣଙ୍କୁ ଲଗାତାର ଏହାକୁ ସଫା କରିବାକୁ ପଡ଼ିବ ।

୨ ସେହିପରି ବାପ୍ତିସ୍ମ ପୂର୍ବେ ଆମେ ନିଜଠାରେ ଅନେକ ପରିବର୍ତ୍ତନ କରିଥିଲୁ । ଆମେ ନିଜ ‘ଶରୀର ଓ ମନର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରିଥିଲୁ ।’ (୨ କରି. ୭:୧) କିନ୍ତୁ କେବଳ ଥରେ ଏପରି କରିବା ଯଥେଷ୍ଟ ନୁହେଁ । ଯେପରି ପାଉଲ କହିଲେ, ବାପ୍ତିସ୍ମ ପରେ ମଧ୍ୟ ଆମକୁ ନିଜ ମନ ଓ ଚିନ୍ତାଧାରାକୁ “ନୂତନୀକୃତ” କରିବା ଜାରି ରଖିବାକୁ ପଡ଼ିବ । (ଏଫି. ୪:୨୩) କିନ୍ତୁ ଲଗାତାର ଏପରି କରିବା କାହିଁକି ଜରୁରୀ ? କାରଣ ଯଦି ଆମେ ଏପରି କରିବାନି, ତାହେଲେ ଖୁବ୍‌ ଶୀଘ୍ର ଦୁନିଆର ଲୋକମାନଙ୍କ ପରି ଆମ ଚିନ୍ତାଧାରା ହୋଇଯିବ । ତେଣୁ ଯଦି ଆମେ ଚାହୁଁ ଯେ ଆମ ଚିନ୍ତାଧାରା ଦୁନିଆର ଲୋକମାନଙ୍କ ଭଳି ନ ହେଉ ଓ ଆମକୁ ଦେଖି ଯିହୋବାଙ୍କୁ ଖୁସି ଲାଗୁ, ତେବେ ମଝି ମଝିରେ ଆମକୁ ନିଜ ଚିନ୍ତାଧାରା, ବ୍ୟକ୍ତିତ୍ୱ ଓ ନିଜ ଇଚ୍ଛାଗୁଡ଼ିକର ଯାଞ୍ଚ କରିବାକୁ ପଡ଼ିବ ।

‘ମନର ନୂତନୀକରଣ କରିବା ଜାରି ରଖନ୍ତୁ’

୩. “ମନର ନୂତନୀକରଣ” କରିବାର ଅର୍ଥ କʼଣ ? (ରୋମୀୟ ୧୨:୨)

୩ ନିଜଠାରେ ନୂଆ ଚିନ୍ତାଧାରା ଆଣିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (ରୋମୀୟ ୧୨:୨ ପଢ଼ନ୍ତୁ ।) ଯେଉଁ ଗ୍ରୀକ୍‌ ଶବ୍ଦଗୁଡ଼ିକର ଅନୁବାଦ “ମନର ନୂତନୀକରଣ” କରାଯାଇଛି, ତାʼର ଅନୁବାଦ “ନିଜ ଚିନ୍ତାଧାରାକୁ ପୂରାପୂରି ବଦଳାଇବା” ମଧ୍ୟ କରାଯାଇପାରେ । ଯେପରିକି ଯଦି ଆମ ଘରର ଅବସ୍ଥା ବହୁତ ଖରାପ ଅଛି, ତେବେ ଆମେ କେବଳ କିଛିଟା ମରାମତି କରିକି ଛାଡ଼ିବାନି, ବରଂ ଭଲଭାବେ ତାʼର ମରାମତି କରିବା । ଯେପରିକି ପୁରୁଣା ଜିନିଷ କାଢ଼ି ଆମେ ନୂଆ ଜିନିଷଗୁଡ଼ିକ ତାʼ ବଦଳରେ ଲଗାଇବା । ଠିକ୍‌ ସେହିପରି ଆମେ କେବଳ କିଛିଟା ଭଲ କାମ କରିବା ଯଥେଷ୍ଟ ନୁହେଁ, ବରଂ ଆମକୁ ଯାଞ୍ଚ କରିବାକୁ ପଡ଼ିବ ଯେ ଆମେ ଭିତରୁ କିପରି ମଣିଷ ଅଟୁ ଓ ଆମକୁ ନିଜ ଭିତରେ ପରିବର୍ତ୍ତନ କରିବାକୁ ହେବ, ଯାହାଦ୍ୱାରା ଯିହୋବାଙ୍କ ସ୍ତର ମୁତାବକ ଆମେ ଚାଲିପାରିବା । ଆଉ ଏପରି ଆମକୁ ଥରେ ନୁହେଁ, ବରଂ ବାରମ୍ବାର କରିବାକୁ ପଡ଼ିବ ।

ଚିତ୍ରଗୁଡ଼ିକ: ଜଣେ ଯୁବା ଭାଇ ଭାବୁଛନ୍ତି ଯେ ଆଗକୁ ଯାଇ କʼଣ କରିବେ । ୧. ସେ କଳ୍ପନା କରୁଛନ୍ତି ଯେ ସେ ଗୋଟିଏ ବ୍ୟବସାୟୀ ହୋଇ ଯାଇଛନ୍ତି ଓ ଗୋଟିଏ ସେମିନାର୍‌ରେ ଶିଖାଉଛନ୍ତି । ୨. ସେ କଳ୍ପନା କରୁଛନ୍ତି ଯେ ସେ ଜଣେ ବ୍ୟକ୍ତିଙ୍କୁ ବାଇବଲ ଅଧ୍ୟୟନ କରାଉଛନ୍ତି ।

ପଢ଼ିବା ଓ ଚାକିରି ବିଷୟରେ ଆପଣ ଯେଉଁ ନିଷ୍ପତ୍ତି ନିଅନ୍ତି, କʼଣ ସେଥିରୁ ଜଣାପଡ଼େ ଯେ ଆପଣଙ୍କ ପାଇଁ ଈଶ୍ୱରଙ୍କ ସେବା କରିବା ଅଧିକ ମହତ୍ତ୍ୱ ରଖେ ? (ପାରାଗ୍ରାଫ ୪-୫)c

୪. ଆମେ କିପରି ଧ୍ୟାନ ରଖିପାରିବା ଯେ ଆମ ଚିନ୍ତାଧାରା ଦୁନିଆର ଲୋକମାନଙ୍କ ଚିନ୍ତାଧାରା ଭଳି ନ ହେଉ ?

୪ ଯେବେ ଆମେ ପରିପୂର୍ଣ୍ଣ ହୋଇଯିବା, ତେବେ ଆମେ ସବୁବେଳେ ଏପରି କାମ କରିବା ଯାହାଦ୍ୱାରା ଯିହୋବା ଖୁସି ହେବେ । କିନ୍ତୁ ସେସମୟ ଯାଏ ଯିହୋବାଙ୍କୁ ଖୁସି କରିବା ପାଇଁ ଆମକୁ ଲଗାତାର ପରିଶ୍ରମ କରିବାକୁ ପଡ଼ିବ । ଧ୍ୟାନ ଦିଅନ୍ତୁ ରୋମୀୟ ୧୨:୨ ପଦରେ ପ୍ରେରିତ ପାଉଲ କହନ୍ତି ଯେ ଯେବେ ଆମେ “ମନର ନୂତନୀକରଣ” କରିବା ତେବେ ଆମେ ଜାଣିପାରିବା ଯେ ଈଶ୍ୱରଙ୍କ ଇଚ୍ଛା କʼଣ । ତେଣୁ ଏହା ବହୁତ ଜରୁରୀ ଯେ ଆମେ ନିଜକୁ ଲଗାତାର ଯାଞ୍ଚ କରିବା ଯେ କʼଣ ଆମ ଲକ୍ଷ୍ୟ ଓ ନିଷ୍ପତ୍ତି ଯିହୋବାଙ୍କ ଇଚ୍ଛା ମୁତାବକ ଅଛି ନା ନାହିଁ । କାରଣ ଯଦି ଆମେ ଏପରି ନ କରୁ, ତେବେ ଆମ ଚିନ୍ତାଧାରା ଅତି ସହଜରେ ଦୁନିଆର ଲୋକମାନଙ୍କ ଚିନ୍ତାଧାରା ଭଳି ହୋଇପାରେ ।

୫. ଆମେ କିପରି ଜାଣିପାରିବା ଯେ ଆମ ଚିନ୍ତାଧାରା ଠିକ୍‌ ଅଟେ ଏବଂ ଆମେ ବିଶ୍ୱାସ କରୁ ଯେ ଯିହୋବାଙ୍କ ଦିନ ପାଖେଇ ଆସୁଛି ? (ଚିତ୍ର ଦେଖନ୍ତୁ ।)

୫ ଆମେ ନିଜକୁ କିପରି ଯାଞ୍ଚ କରିପାରିବା ? ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଯିହୋବା ଚାହାନ୍ତି ଯେ ଆମେ ଏକଥାର ଧ୍ୟାନ ରଖୁ ଯେ ତାଙ୍କର ‘ସେହି ଦିନ ଶୀଘ୍ର ଆସିବାକୁ ଯାଉଛି ।’ (୨ ପିତ. ୩:୧୨) ନିଜକୁ ପଚାରନ୍ତୁ, ‘ମୁଁ ଯେଭଳି ଭାବେ ବଞ୍ଚୁଛି, କʼଣ ସେଥିରୁ ଜଣାପଡ଼େ ଯେ ମୁଁ ବିଶ୍ୱାସ କରେ ଯେ ଦୁନିଆର ବିନାଶ ପାଖେଇ ଆସୁଛି ? ମୁଁ ପଢ଼ିବା କିମ୍ବା ଚାକିରି ବିଷୟରେ ଯେଉଁ ନିଷ୍ପତ୍ତି ନିଏ, କʼଣ ସେଥିରୁ ଜଣାପଡ଼େ ଯେ ଯିହୋବାଙ୍କ ସେବା ମୋ ପାଇଁ ସବୁଠୁ ବେଶି ମହତ୍ତ୍ୱ ରଖେ ? କିମ୍ବା କʼଣ ମୁଁ ବିଶ୍ୱାସ କରେ ଯେ ଯିହୋବା ମୋ ପରିବାରର ଆବଶ୍ୟକତା ପୂରା କରିବେ ନା ମୁଁ ଏବିଷୟରେ ସବୁବେଳେ ଚିନ୍ତା କରୁଥାଏ ?’ ଯେବେ ଆମେ ଛୋଟ ବଡ଼ ନିଷ୍ପତ୍ତି ନେଉ ସେସମୟରେ ଯଦି ଆମେ ଏକଥାର ଧ୍ୟାନ ରଖୁ ଯେ ଯିହୋବାଙ୍କ ଇଚ୍ଛା କʼଣ, ତେବେ ଭାବନ୍ତୁ ଯିହୋବାଙ୍କୁ କେତେ ଖୁସି ଲାଗିବ !—ମାଥି. ୬:୨୫-୨୭, ୩୩; ଫିଲିପ୍‌. ୪:୧୨, ୧୩.

୬. ଆମେ କʼଣ କରିବା ଜାରି ରଖିବା ଉଚିତ୍‌ ?

୬ ଆମକୁ ନିଜର ଲଗାତାର ଯାଞ୍ଚ କରିବା ଉଚିତ୍‌ ଯେ କʼଣ ଆମ ଚିନ୍ତାଧାରା ଯିହୋବାଙ୍କ ଇଚ୍ଛା ମୁତାବକ ଅଛି ନା ନାହିଁ । ଯଦି ନାହିଁ, ତେବେ ଆମକୁ ନିଜଠାରେ ପରିବର୍ତ୍ତନ କରିବା ଉଚିତ୍‌ । ପାଉଲ କରିନ୍ଥ ମଣ୍ଡଳୀର ଖ୍ରୀଷ୍ଟିୟାନମାନଙ୍କୁ କହିଥିଲେ, “ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର ।” (୨ କରି. ୧୩:୫) ‘ବିଶ୍ୱାସ କରିବାର’ ଅର୍ଥ କେବଳ ଏହା ନୁହେଁ ଯେ ଆମେ ଲଗାତାର ସଭାକୁ ଯିବା ଓ ପ୍ରଚାର କରିବା, ବରଂ ଆମେ ଯେପରି ଭାବୁ, ଆମ ମନରେ ଯେଉଁଭଳି ଇଚ୍ଛାଗୁଡ଼ିକ ଉଠେ ଓ ଆମେ ଯେଉଁ ଉଦ୍ଦେଶ୍ୟରେ କୌଣସି କାମ କରୁ, ସେଥିରୁ ମଧ୍ୟ ଜଣାପଡ଼େ ଯେ ଆମେ ବିଶ୍ୱାସରେ ଅଛୁ ନା ନାହିଁ । “ମନର ନୂତନୀକରଣ” କରିବା ପାଇଁ ଆମକୁ ଈଶ୍ୱରଙ୍କ ବାକ୍ୟ ପଢ଼ିବାକୁ ପଡ଼ିବ ଓ ଜାଣିବାକୁ ପଡ଼ିବ ଯେ ଯିହୋବା କିପରି ଭାବନ୍ତି ଓ ତାʼପରେ ତାଙ୍କ ଇଚ୍ଛା ମୁତାବକ ନିଜକୁ ପରିବର୍ତ୍ତନ କରିବାକୁ ପଡ଼ିବ ।—୧ କରି. ୨:୧୪-୧୬.

‘ନୂତନ ସ୍ୱଭାବ ପରିଧାନ କରନ୍ତୁ’

୭. ଏଫିସୀୟ ୪:୩୧, ୩୨ ପଦ ମୁତାବକ ଆମକୁ ଆଉ କʼଣ କରିବାକୁ ପଡ଼ିବ ଏବଂ ଏପରି କରିବା କାହିଁକି କଠିନ ହୋଇପାରେ ?

୭ ଏଫିସୀୟ ୪:୩୧, ୩୨ ପଢ଼ନ୍ତୁ । ଆମକୁ ନିଜ ଚିନ୍ତାଧାରା ବଦଳାଇବା ସହ “ନୂତନ ସ୍ୱଭାବ” ମଧ୍ୟ ପରିଧାନ କରିବାର କିମ୍ବା ପିନ୍ଧିବାର ଅଛି । (ଏଫି. ୪:୨୪) ହୁଏତ ଆମ ମଧ୍ୟରୁ କିଛି ଭାଇଭଉଣୀଙ୍କ ପାଇଁ ଏପରି କରିବା ସହଜ ହୋଇ ନ ଥାଏ ଓ ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼ିପାରେ । ଯେପରି କିଛି ଲୋକମାନଙ୍କର ଏପରି ସ୍ୱଭାବ ଥାଏ ଯେ ସେମାନେ ବହୁତ ଶୀଘ୍ର ରାଗିଯାʼନ୍ତି କିମ୍ବା ଅନ୍ୟମାନଙ୍କୁ ଈର୍ଷା କରନ୍ତି । ବାଇବଲରେ ବି କୁହାଯାଇଛି ଯେ କିଛି ଲୋକମାନେ “କ୍ରୋଧୀ” ଥାʼନ୍ତି ଏବଂ “ରାଗାନ୍ଧ” ଅର୍ଥାତ୍‌ କଥା କଥାରେ ରାଗିଯାʼନ୍ତି । (ହିତୋ. ୨୯:୨୨) ହୁଏତ କିଛି ଭାଇଭଉଣୀମାନଙ୍କୁ ମଧ୍ୟ ଏପରି ଅଭ୍ୟାସଗୁଡ଼ିକ ସହ ଲଢ଼ିବାକୁ ପଡ଼ିଥିବ । କିନ୍ତୁ ତାହା ସମ୍ପୂର୍ଣ୍ଣ ରୂପେ ଛାଡ଼ିବା ପାଇଁ ସେମାନଙ୍କୁ ବାପ୍ତିସ୍ମ ପରେ ମଧ୍ୟ ଲଗାତାର ପରିଶ୍ରମ କରିବାକୁ ପଡ଼ିବ । ଆସନ୍ତୁ ଜଣେ ଭାଇଙ୍କ ବିଷୟରେ ଦେଖିବା ଯାହାକୁ ଏପରି ହିଁ କରିବାକୁ ପଡ଼ିଲା ।

୮-୯. ଭାଇ ଷ୍ଟିବେନ୍‌ଙ୍କ ଘଟଣାରୁ କିପରି ଜଣାପଡ଼େ ଯେ ଆମକୁ ପୁରୁଣା ସ୍ୱଭାବକୁ ଛାଡ଼ିବା ପାଇଁ ଲଗାତାର ପରିଶ୍ରମ କରିବାକୁ ପଡ଼ିବ ?

୮ ଷ୍ଟିବେନ୍‌ ନାମକ ଜଣେ ଭାଇ ପୂର୍ବେ ବହୁତ ରାଗି ସ୍ୱଭାବର ଥିଲେ । ସେ କହନ୍ତି, “ମୋର ବାପ୍ତିସ୍ମ ତ ହୋଇଯାଇଥିଲା, ତଥାପି ମୁଁ ଅନେକଥର ବହୁତ ଶୀଘ୍ର ରାଗି ଯାଉଥିଲି ଓ ନିଜ ରାଗ ଉପରେ ନିୟନ୍ତ୍ରଣ କରିପାରୁ ନ ଥିଲି । ଥରେ ଯେବେ ଘର ଘର ପ୍ରଚାର କରିବା ସମୟରେ ଜଣେ ଚୋର ମୋ ଗାଡ଼ିର ରେଡିଓକୁ ଧରି ପଳାଇ ଯାଉଥିଲା । ମୁଁ ତୁରନ୍ତ ତାʼ ପଛରେ ଗୋଡ଼ାଇଲି ଆଉ ଯେମିତି ମୁଁ ତାକୁ ଧରିବା ପାଇଁ ଯାଉଥିଲି, ସେ ରେଡିଓକୁ ଫିଙ୍ଗି ସେଠୁ ଚାଲିଗଲା । ପରେ ଯେବେ ମୁଁ ଏବିଷୟରେ ଅନ୍ୟମାନଙ୍କୁ କହୁଥିଲି, ତେବେ ମୋ ସମୂହର ଜଣେ ପ୍ରାଚୀନ ମତେ ପଚାରିଲେ, ‘ଷ୍ଟିବେନ୍‌ ଯଦି ତମେ ତାʼକୁ ଧରି ପକାଇଥାʼନ୍ତ, ତେବେ କʼଣ କରିଥାʼନ୍ତ ?’ ମୁଁ ବୁଝିଗଲି ଯେ ମୋତେ ମୋ ରାଗ ଉପରେ ନିୟନ୍ତ୍ରଣ କରିବାକୁ ପଡ଼ିବ ଓ ଅନ୍ୟମାନଙ୍କ ସହିତ ଶାନ୍ତି ବଜାୟ ରଖିବା ପାଇ ପରିଶ୍ରମ କରିବାକୁ ପଡ଼ିବ ।”b

୯ ଆମେ ଭାଇ ଷ୍ଟିବେନ୍‌ଙ୍କ ଘଟଣାରୁ କʼଣ ଶିଖୁ ? ଆମେ ହୁଏତ କିଛି ଖରାପ ଅଭ୍ୟାସ କିମ୍ବା କାମଗୁଡ଼ିକୁ ଛାଡ଼ି ଦେଇଛୁ, କିନ୍ତୁ ହଠାତ୍‌ ଏପରି ହୋଇପାରେ ଯେ ଆମେ ସେଗୁଡ଼ିକୁ ପୁଣିଥରେ କରିବାକୁ ଲାଗୁ । ଯଦି ଆପଣଙ୍କ ସହ ବି ଏପରି ହୁଏ, ତେବେ ନିରାଶ ହୁଅନ୍ତୁ ନାହିଁ ଓ ଏପରି ଭାବନ୍ତୁ ନାହିଁ ଯେ ଆପଣ ଖ୍ରୀଷ୍ଟିୟାନ କୁହାଯିବାର ଯୋଗ୍ୟ ନୁହନ୍ତି । ପାଉଲ ମଧ୍ୟ କହିଥିଲେ, “ଉତ୍ତମ କର୍ମ କରିବାକୁ ଇଚ୍ଛୁକ ଯେ ମୁଁ, ମୋʼ ନିକଟରେ ଯେ ମନ୍ଦ ଉପସ୍ଥିତ ।” (ରୋମୀ. ୭:୨୧-୨୩) ଆମେ ସମସ୍ତେ କୌଣସି ନା କୌଣସି ଖରାପ ଅଭ୍ୟାସ ଛାଡ଼ିଛୁ, କିନ୍ତୁ ଅପରିପୂର୍ଣ୍ଣତା ଯୋଗୁଁ ଆମେ ଏହା ପୁଣିଥରେ କରିବାକୁ ଲାଗିପାରୁ । ଯେପରି ଘର ସଫା କରିବା ପରେ ମଧ୍ୟ ଧୂଳି ବସିଯାଏ, ସେହିପରି ଆମ ଖରାପ ଅଭ୍ୟାସଗୁଡ଼ିକ ମଧ୍ୟ ଅଟେ । ତେଣୁ ଏଗୁଡ଼ିକୁ ଛାଡ଼ିବା ପାଇଁ ଆମକୁ ଲଗାତାର ପରିଶ୍ରମ କରିବାକୁ ପଡ଼ିବ । କିନ୍ତୁ ଆମେ ଏହା କିପରି କରିପାରିବା ?

୧୦. ଆମେ ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ କʼଣ କରିପାରିବା ? (୧ ଯୋହନ ୫:୧୪, ୧୫)

୧୦ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଓ ତାଙ୍କୁ କହନ୍ତୁ ଯେ ଆପଣ କେଉଁ ଖରାପ ଅଭ୍ୟାସ ଛାଡ଼ିବା ପାଇଁ ଚେଷ୍ଟା କରୁଛନ୍ତି । ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କ ପ୍ରାର୍ଥନା ଶୁଣିବେ ଓ ଆପଣଙ୍କୁ ସାହାଯ୍ୟ କରିବେ । (୧ ଯୋହନ ୫:୧୪, ୧୫ ପଢ଼ନ୍ତୁ ।) ଯିହୋବା କୌଣସି ଚମତ୍କାର କରି ଏହା ଦୂର କରିବେନି, କିନ୍ତୁ ଆପଣଙ୍କୁ ସେହି ଖରାପ ଅଭ୍ୟାସଗୁଡ଼ିକୁ ଛାଡ଼ିବା ପାଇଁ ନିଶ୍ଚୟ ଶକ୍ତି ଦେବେ । (୧ ପିତ. ୫:୧୦) କିନ୍ତୁ ପ୍ରାର୍ଥନା କରିବା ସହ ଆପଣଙ୍କୁ ନିଜେ ମଧ୍ୟ କିଛି କରିବାକୁ ପଡ଼ିବ । ଏପରି ଜିନିଷଗୁଡ଼ିକଠାରୁ ଦୂରେଇ ରହନ୍ତୁ, ଯାହାଯୋଗୁଁ ଆପଣ ପୁଣିଥରେ ସେହି କାମଗୁଡ଼ିକୁ କରିବାକୁ ଲାଗନ୍ତି ଯାହା ଆପଣ ଛାଡ଼ିବା ପାଇଁ ଚେଷ୍ଟା କରୁଛନ୍ତି । ଉଦାହରଣ ପାଇଁ, ଏପରି ଫିଲ୍ମ କିମ୍ବା ଟିଭି କାର୍ଯ୍ୟକ୍ରମ ଦେଖନ୍ତୁ ନାହିଁ, ଆଉ ନା ଏପରି କାହାଣୀଗୁଡ଼ିକୁ ପଢ଼ନ୍ତୁ, ଯେଉଁଥିରେ ସେହି କାମଗୁଡ଼ିକୁ ଏପରି ଦେଖାଇ ଦିଆଯାଇଛି ଯେପରି ସେସବୁ ଏତେ ଖରାପ ବି ନୁହେଁ । ଯଦି ଆପଣଙ୍କ ମନରେ ଖରାପ ଚିନ୍ତାଧାରାଗୁଡ଼ିକ ଆସେ, ତେବେ ସେଗୁଡ଼ିକ ବିଷୟରେ ଲଗାତାର ଭାବନ୍ତୁ ନାହିଁ ।—ଫିଲିପ୍‌. ୪:୮; କଲ. ୩:୨.

୧୧. ଆମେ ନୂତନ ସ୍ୱଭାବ ପିନ୍ଧି ରହୁ, ତାʼ ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

୧୧ ହୋଇପାରେ ଆପଣ ପୁରୁଣା ସ୍ୱଭାବଗୁଡ଼ିକୁ ଛାଡ଼ି ଦେଇଛନ୍ତି, କିନ୍ତୁ ନୂତନ ସ୍ୱଭାବ ମଧ୍ୟ ପରିଧାନ କରିବା ଜରୁରୀ ଅଟେ । ଆପଣ ଏହା କିପରି କରିପାରିବା ? ଯେତେ ଅଧିକ ଆପଣ ଯିହୋବାଙ୍କୁ ଜାଣିବାକୁ ଲାଗନ୍ତି ଯେ ସେ କିଭଳି ଈଶ୍ୱର ଅଟନ୍ତି, ତାଙ୍କ ଭିତରେ କʼଣ କʼଣ ଗୁଣ ରହିଛି, ସେତେ ଅଧିକ ଆପଣ ତାଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତୁ । (ଏଫି. ୫:୧, ୨) ଯେପରି ଯେବେ ଆପଣ ବାଇବଲରେ ଏପରି ଘଟଣା ବିଷୟରେ ପଢ଼ନ୍ତି ଯେଉଁଠି କୁହାଯାଇଛି ଯେ ଯିହୋବା ହୃଦୟ ଖୋଲି କ୍ଷମା କରନ୍ତି ତେବେ ଆପଣ ନିଜକୁ ପଚାରନ୍ତୁ, ‘କʼଣ ମୁଁ ବି ଅନ୍ୟମାନଙ୍କୁ କ୍ଷମା କରେ ?’ କିମ୍ବା ଯେବେ ଆପଣ ଏବିଷୟରେ ପଢ଼ନ୍ତି ଯେ ଯିହୋବା ସେହି ଲୋକମାନଙ୍କର ଚିନ୍ତା କରନ୍ତି ଯେଉଁମାନଙ୍କୁ ସାହାଯ୍ୟର ଦରକାର ଥାଏ ତେବେ ଆପଣ ଭାବନ୍ତୁ, ‘କʼଣ ମୁଁ ବି ତାଙ୍କ ଭଳି ସେହି ଭାଇଭଉଣୀମାନଙ୍କ ଚିନ୍ତା କରେ ଓ ସେମାନଙ୍କର ସାହାଯ୍ୟ କରେ ?’ ନୂତନ ସ୍ୱଭାବ ପିନ୍ଧି ନିଜଠାରେ ଲଗାତାର ନୂତନ ଚିନ୍ତାଧାରା ବଢ଼ାନ୍ତୁ । କିନ୍ତୁ ଧୈର୍ଯ୍ୟ ମଧ୍ୟ ଧରନ୍ତୁ, ନିଜଠାରେ ପରିବର୍ତ୍ତନ କରିବାରେ ସମୟ ଲାଗେ ।

୧୨. ବାଇବଲ ସାହାଯ୍ୟରେ ଭାଇ ଷ୍ଟିବେନ୍‌ ନିଜକୁ କିପରି ବଦଳାଇ ପାରିଲେ ?

୧୨ ଭାଇ ଷ୍ଟିବେନ୍‌, ଯାହାଙ୍କ ବିଷୟରେ ଆମେ ପୂର୍ବେ ଚର୍ଚ୍ଚା କରିଥିଲୁ, ସେ ଧୀରେ ଧୀରେ ନୂତନ ସ୍ୱଭାବ ପରିଧାନ କରିପାରିଲେ । ସେ କହନ୍ତି, “ବାପ୍ତିସ୍ମ ପରେ ମଧ୍ୟ ଅନେକଥର ଏପରି ପରିସ୍ଥିତି ଆସିଲା ଯେବେ ମୋ ପାଇଁ ନିଜ ରାଗ ଉପରେ ନିୟନ୍ତ୍ରଣ କରିବା କଠିନ ଥିଲା, କିନ୍ତୁ ସେସମୟରେ ମଧ୍ୟ ମୁଁ ରାଗ ଉପରେ ନିୟନ୍ତ୍ରଣ କରିପାରିଲି । ଯେବେ ଏପରି ପରିସ୍ଥିତି ଆସେ, ସେସମୟରେ ମୁଁ ସେଠାରୁ ପଳାଇ ଯାଏ କିମ୍ବା ଏପରି କିଛି କରେ ଯେଉଁଥିରୁ କଥା ଆଗକୁ ବଢ଼ିବନି । ମୋ ସ୍ତ୍ରୀ ଓ ଅନେକ ଲୋକମାନେ ଏକଥା ପାଇଁ ମୋର ପ୍ରଶଂସା କଲେ । ଅନେକଥର ମୁଁ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଏ ଯେ ମୁଁ ଏପରି ପରିସ୍ଥିତିରେ ଶାନ୍ତ କିପରି ରହିପାରିଲି । କିନ୍ତୁ ଏହା ମୁଁ ନିଜ ଶକ୍ତି ଦ୍ୱାରା କରି ପାରିଲିନି, ବରଂ ମତେ ଏହା କରିବା ପାଇଁ ବାଇବଲରୁ ସାହାଯ୍ୟ ମିଳିଲା । ସତରେ, ବାଇବଲରେ ଲେଖାଥିବା କଥା ଲୋକମାନଙ୍କର ଜୀବନ ବଦଳାଇପାରେ !”

ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିବା ଜାରି ରଖନ୍ତୁ

୧୩. ଆମେ କିପରି ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିପାରିବା ଓ ସଠିକ୍‌ କଥାଗୁଡ଼ିକ ବିଷୟରେ ଭାବିପାରିବା ? (ଗାଲାତୀୟ ୫:୧୬)

୧୩ ଗାଲାତୀୟ ୫:୧୬ ପଢ଼ନ୍ତୁ । ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିବା ପାଇଁ ଓ ସଠିକ୍‌ କାମ କରିବା ପାଇଁ ଯିହୋବା ଆମକୁ ପବିତ୍ର ଶକ୍ତି ଦିଅନ୍ତି । ଯେବେ ଆମେ ତାଙ୍କ ବାକ୍ୟ ବାଇବଲର ଅଧ୍ୟୟନ କରୁ, ତେବେ ଆମେ ତାଙ୍କ ପବିତ୍ର ଶକ୍ତିକୁ ନିଜ ଉପରେ କାମ କରିବାକୁ ଦେଉ । ସଭାରେ ମଧ୍ୟ ଆମକୁ ଯିହୋବାଙ୍କ ପବିତ୍ର ଶକ୍ତି ମିଳେ । ସେଠାରେ ଆମେ ଏପରି ଭାଇଭଉଣୀମାନଙ୍କୁ ଭେଟି ଥାଉ, ଯେଉଁମାନେ ଆମ ଭଳି ସଠିକ୍‌ କାମ କରିବା ପାଇଁ ଚେଷ୍ଟା କରୁଛନ୍ତି ଓ ସେମାନଙ୍କ ସହ କଥା ହୋଇ ଆମକୁ ବହୁତ ସାହସ ମିଳେ । (ଏବ୍ରୀ ୧୦:୨୪, ୨୫; ୧୩:୭) ଆମେ ପବିତ୍ର ଶକ୍ତି ପାଇଁ ମଧ୍ୟ ଯିହୋବାଙ୍କୁ ପ୍ରାର୍ଥନା କରିପାରିବା ଓ ଏହା ବି ପ୍ରାର୍ଥନା କରିପାରିବା ଯେ ସେ ଆମକୁ ନିଜ ଦୁର୍ବଳତାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରନ୍ତୁ । ଏପରି ନୁହେଁ ଯେ ବାଇବଲ ପଢ଼ିଲେ, ସଭାଗୁଡ଼ିକରେ ଗଲେ ଓ ପ୍ରାର୍ଥନା କଲେ ଆମ ମନରେ ଖରାପ ଇଚ୍ଛାଗୁଡ଼ିକ ଆସିବନି । କିନ୍ତୁ ଏହି କାମଗୁଡ଼ିକରେ ଲାଗି ରହିଲେ ଆମେ ଖରାପ କାମ କରିବାର ଚାପକୁ କମ୍‌ କରିପାରିବା ଓ କିଛି ଭୁଲ କାମ କରିବାରୁ ନିଜକୁ ରୋକିପାରିବା । ଗାଲାତୀୟ ୫:୧୬ ପଦରେ ମଧ୍ୟ ଲେଖାଅଛି ଯେ ଯେଉଁମାନେ ‘ପବିତ୍ର ଶକ୍ତି ଦ୍ୱାରା ଆଚରଣ କରନ୍ତି, ସେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରନ୍ତି ନାହିଁ ।’

୧୪. ସଠିକ୍‌ କଥାଗୁଡ଼ିକ ବିଷୟରେ ଭାବିବା ଜାରି ରଖିବା କାହିଁକି ବହୁତ ଜରୁରୀ ଅଟେ ?

୧୪ ଥରେ ଯେବେ ଆମେ ଏପରି କାମଗୁଡ଼ିକ କରୁ ଯେଉଁଥିରୁ ଯିହୋବାଙ୍କ ସହିତ ଆମ ସମ୍ପର୍କ ଦୃଢ଼ ହୋଇଯାଏ, ତେବେ ସେହି କାମଗୁଡ଼ିକୁ ଲଗାତାର କରିବା ଉଚିତ୍‌ ଓ ସଠିକ୍‌ କଥାଗୁଡ଼ିକ ଉପରେ ଭାବିବା ଜାରି ରଖିବା ଉଚିତ୍‌ । କାରଣ ଯଦି ଆମେ ଏପରି କରିବାନି, ତାହେଲେ ଏହି ଖରାପ ଇଚ୍ଛାଗୁଡ଼ିକ କେବେ ବି ଆମ ଉପରେ ପ୍ରଭାବ ପକାଇପାରିବ । ଏହା ଏପରି ଗୋଟିଏ ଶତ୍ରୁ ଭଳି ଅଟେ ଯିଏ ଆମକୁ ପ୍ରଲୋଭନ ଦେଖାଇ ଫାନ୍ଦରେ ପକାଇବା ପାଇଁ ଚେଷ୍ଟା କରେ । ହୋଇପାରେ ବାପ୍ତିସ୍ମ ପରେ ମଧ୍ୟ ଆମ ମନରେ ଖରାପ ଇଚ୍ଛାଗୁଡ଼ିକ ଆସିବ ଓ ଏପରି କାମଗୁଡ଼ିକ କରିବା ପାଇଁ ଇଚ୍ଛା ହେବ, ଯାହା ବହୁତ ଆଗରୁ ଆମେ ଛାଡ଼ି ଦେଇଥିଲୁ । ଯେପରି ଜୁଆ ଖେଳିବା, ଅତ୍ୟଧିକ ମଦ ପିଇବା କିମ୍ବା ଖରାପ ଚିତ୍ର ଓ ଭିଡିଓ ଦେଖିବା । (ଏଫି. ୫:୩, ୪) ଜଣେ ଯୁବା ଭାଇ କହନ୍ତି, “ମୋତେ ନିଜର ଗୋଟିଏ ଇଚ୍ଛାକୁ ନିୟନ୍ତ୍ରଣ କରିବା ବହୁତ କଷ୍ଟ ଲାଗୁଥିଲା । ମୋତେ ପୁଅ ପିଲାମାନେ ପସନ୍ଦ ଥିଲେ । ମୁଁ ଭାବୁଥିଲି ସମୟ ଗଡ଼ିବା ସହିତ ମୋ ମନରେ ଏପରି ଇଚ୍ଛା ଆଉ ଆସିବନି କିନ୍ତୁ ଏପରି ଇଚ୍ଛା ଏବେ ବି ମୋ ମନରେ ଆସିଯାଏ ।” ଯେବେ ଆପଣଙ୍କ ମନରେ ଏପରି ଖରାପ ଇଚ୍ଛାଗୁଡ଼ିକ ଆସେ, ତେବେ ଆପଣଙ୍କୁ କେଉଁ କଥା ମନେରଖିବା ଉଚିତ୍‌ ?

ଜଣେ ଭଉଣୀ ଓ ଦୁଇ ଜଣ ଭାଇ ବାଇବଲ ପଢ଼ୁଛନ୍ତି । ସେମାନଙ୍କ ପଛପଟେ କିଛି ଏପରି ଜିନିଷଗୁଡ଼ିକ ଦେଖାଇ ଦିଆଯାଇଛି ଯାହା ସେମାନଙ୍କ ଖରାପ ଅଭ୍ୟାସଗୁଡ଼ିକୁ ଦର୍ଶାଏ ଯାହା ସେମାନେ ଛାଡ଼ି ଦେଇଛନ୍ତି । ଯେପରି ବକ୍ସିଙ୍ଗ୍‌ ଗ୍ଲୋବ୍ସ, ମଦ ବୋତଲ, ସିଗାରେଟ୍‌, ବନ୍ଧୁକ, କାର୍ଡ଼, ପାସା ଓ ଜୁଆ ଖେଳିବାର ଚିପ୍ସ ।

ଯଦି ଆପଣଙ୍କ ମନରେ ଖରାପ ଇଚ୍ଛାଗୁଡ଼ିକ ଆସେ ତେବେ ସାହସ ଛାଡ଼ନ୍ତୁ ନାହିଁ । ଅନ୍ୟମାନେ ମଧ୍ୟ ଏପରି ଇଚ୍ଛାଗୁଡ଼ିକରୁ ଲଢ଼ିଛନ୍ତି ଓ ତାʼ ଉପରେ ନିୟନ୍ତ୍ରଣ କରିପାରିଛନ୍ତି । (ପାରାଗ୍ରାଫ ୧୫-୧୬)

୧୫. ଏହା ଜାଣି ଆମକୁ କାହିଁକି ସାହସ ମିଳେ ଯେ ଆମେ କୌଣସି ‘ଅନ୍ୟପ୍ରକାର ପରୀକ୍ଷାର’ ସାମନା କରୁ ନାହୁଁ ? (ଚିତ୍ର ଦେଖନ୍ତୁ ।)

୧୫ ମନେରଖନ୍ତୁ ଯେ ଆପଣ ଏକୁଟିଆ ଏପରି ବ୍ୟକ୍ତି ନୁହନ୍ତି ଯିଏ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ୁଛନ୍ତି । ବାଇବଲରେ ମଧ୍ୟ ଲେଖାଅଛି, “ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ ।” (୧ କରି. ୧୦:୧୩କ) ପାଉଲ ଏହି କଥା କରିନ୍ଥର ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କୁ ଲେଖିଥିଲେ । ଏମଧ୍ୟରୁ କିଛି ଭାଇଭଉଣୀମାନେ ଅନୈତିକ ଯୌନ ସମ୍ପର୍କ ରଖୁଥିଲେ, ସମଲିଙ୍ଗୀ ଥିଲେ ଓ ମଦୁଆ ମଧ୍ୟ ଥିଲେ । (୧ କରି. ୬:୯-୧୧) କʼଣ ଆପଣଙ୍କୁ ଏପରି ଲାଗେ ଯେ ବାପ୍ତିସ୍ମ ପରେ ସେହି ଭାଇଭଉଣୀମାନଙ୍କ ମନରେ ଥରେ ବି ଏପରି ଖରାପ ଇଚ୍ଛାଗୁଡ଼ିକ ଆସି ନ ଥିବ ? ନିଶ୍ଚୟ ଆସିଥିବ । ଏହା ସତ ଯେ ସେମାନେ ଅଭିଷିକ୍ତ ଖ୍ରୀଷ୍ଟିୟାନ ଥିଲେ, କିନ୍ତୁ ସେମାନେ ମଧ୍ୟ ଅପରିପୂର୍ଣ୍ଣ ବ୍ୟକ୍ତି ଥିଲେ । ସେମାନଙ୍କୁ ମଧ୍ୟ ଏହି ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ିବାକୁ ପଡ଼ିଥିବ । ଏକଥାରୁ ଆମର ସାହସ ବଢ଼େ କାରଣ ଏଥିରୁ ଜଣାପଡ଼େ ଯେ ଆଜି ଆମେ ଯେଉଁ ଖରାପ ଇଚ୍ଛାଗୁଡ଼ିକ ସହ ଲଢ଼ୁଛୁ, ସେହି ଖରାପ ଇଚ୍ଛାଗୁଡ଼ିକ ସହ ଅନେକ ଭାଇଭଉଣୀମାନେ ଲଢ଼ିଛନ୍ତି ଓ ସେମାନେ ସେହି ଇଚ୍ଛାକୁ ନିୟନ୍ତ୍ରଣ କରିପାରିଛନ୍ତି । ଆପଣ “ବିଶ୍ୱାସରେ ସ୍ଥିର” ରହିପାରିବେ, କାରଣ ଆପଣ ଜାଣନ୍ତି ଯେ “ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହିପ୍ରକାର ଦୁଃଖଭୋଗ ଘଟୁଅଛି ।”—୧ ପିତ. ୫:୯.

୧୬. ଆମେ କʼଣ ଭାବିବା ଉଚିତ୍‌ ନୁହେଁ ଏବଂ କାହିଁକି ?

୧୬ କେବେ ଏପରି ଭାବନ୍ତୁ ନାହିଁ ଯେ ଆପଣ ଯେଉଁ ସମସ୍ୟାର ସାମନା କରୁଛନ୍ତି, ତାହା କେହି ବି ବୁଝିପାରିବେନି । ଯଦି ଆପଣ ଏପରି ଭାବିବେ ତାହେଲେ ଆପଣ ନିରାଶ ହୋଇଯିବେ ଓ ଆପଣଙ୍କୁ ଲାଗିବ ଯେ ଆପଣ ଖରାପ ଇଚ୍ଛାଗୁଡ଼ିକୁ କେବେ ବି ନିୟନ୍ତ୍ରଣ କରିପାରିବେ ନାହିଁ । ବାଇବଲରେ ଲେଖାଅଛି, “ଈଶ୍ୱର ବିଶ୍ୱାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରି ପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ ।” (୧ କରି. ୧୦:୧୩ଖ) ଯେବେ ଆପଣଙ୍କ ମନରେ କୌଣସି ଖରାପ ଇଚ୍ଛା ବଢ଼ିବାକୁ ଲାଗେ, ତେବେ ବି ଆପଣ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବେ । ଯିହୋବାଙ୍କ ସାହାଯ୍ୟରେ ଆପଣ ଖରାପ କାମଗୁଡ଼ିକ କରିବାରୁ ନିଜକୁ ରୋକିପାରିବେ ।

୧୭. ଆମେ ଖରାପ ଇଚ୍ଛାଗୁଡ଼ିକୁ ନିଜ ମନରେ ଆସିବାରୁ ରୋକି ତ ପାରିବାନି, କିନ୍ତୁ ଆମେ କʼଣ କରିପାରିବା ?

୧୭ ମନେରଖନ୍ତୁ, ଆମେ ଅପରିପୂର୍ଣ୍ଣ ଅଟୁ ତେଣୁ ଆମ ମନରେ ହୁଏତ ଖରାପ ଇଚ୍ଛାଗୁଡ଼ିକୁ ଆସିବାରୁ ରୋକିପାରିବାନି । କିନ୍ତୁ ସେଗୁଡ଼ିକୁ ଆମେ ନିଜ ମନରୁ ନିଶ୍ଚୟ ବାହାର କରିପାରିବା ଓ ଖରାପ କାମଗୁଡ଼ିକୁ କରିବାରୁ ନିଜକୁ ରୋକିପାରିବା । ଯୋଷେଫ ମଧ୍ୟ ଏପରି ହିଁ କଲେ । ଯେବେ ପୋଟୀଫରଙ୍କ ସ୍ତ୍ରୀ ତାଙ୍କୁ କହିଲେ ଯେ ସେ ତାଙ୍କ ସହିତ ଶୟନ କରନ୍ତୁ, ତେବେ ଯୋଷେଫ ତୁରନ୍ତ ସେଠାରୁ ପଳାଇଗଲେ !—ଆଦି. ୩୯:୧୨.

ଲଗାତାର ପରିଶ୍ରମ କରନ୍ତୁ

୧୮-୧୯. ମଝି ମଝିରେ ଆମକୁ ନିଜକୁ କʼଣ ପ୍ରଶ୍ନ ପଚାରିବା ଉଚିତ୍‌ ?

୧୮ ନୂତନ ଚିନ୍ତାଧାରା ପରିଧାନ କରିବାର ଅର୍ଥ ହେଉଛି ଯେ ଏକଥାକୁ ଧ୍ୟାନରେ ରଖିବା ଯେ ଆମ ଦୃଷ୍ଟିକୋଣ ଓ ଆମର କାମ ଯିହୋବାଙ୍କ ଇଚ୍ଛା ଅନୁସାରେ ହେଉ । ତେଣୁ ମଝି ମଝିରେ ଆମକୁ ଯାଞ୍ଚ କରିବା ଉଚିତ୍‌ ଓ ଭାବିବା ଉଚିତ୍‌, ‘ମୁଁ ଯେପରି ଜୀବନ ବିତାଉଛି କʼଣ ସେଥିରୁ ଜଣାପଡ଼େ ଯେ ମୁଁ ଏହା ବିଶ୍ୱାସ କରେ ଯେ ଦୁନିଆର ବିନାଶ ପାଖେଇ ଆସିଛି ? କʼଣ ମୁଁ ନୂତନ ସ୍ୱଭାବକୁ ପରିଧାନ କରିବା ପାଇଁ ଲଗାତାର ପରିଶ୍ରମ କରୁଛି ଓ ନିଜ ଭିତରେ ଭଲ ଗୁଣ ବଢ଼ାଉଛି ? ଖରାପ ଇଚ୍ଛାଗୁଡ଼ିକ ମୋ ଉପରେ ପ୍ରଭାବ ନ ପକାଉ ତାʼ ପାଇଁ କʼଣ ମୁଁ ଯିହୋବାଙ୍କ ପବିତ୍ର ଶକ୍ତିକୁ ନିଜ ଉପରେ କାମ କରିବା ପାଇଁ ଦେଉଛି ?’

୧୯ ଯେବେ ଆପଣ ନିଜର ଯାଞ୍ଚ କରିବେ ତେବେ ଏହା ଦେଖନ୍ତୁ ନାହିଁ ଯେ ଆପଣ କେତେ ଭୁଲ କରିଛନ୍ତି, ବରଂ ଏହା ଦେଖନ୍ତୁ ଯେ ଆପଣ କେତେ ଉନ୍ନତି କରିଛନ୍ତି । ମନେରଖନ୍ତୁ ଯେ ଆପଣ ଅପରିପୂର୍ଣ୍ଣ ଅଟନ୍ତି । ତେଣୁ ଆପଣଙ୍କ ଦ୍ୱାରା ମଧ୍ୟ ଭୁଲ ହେବ । ଏପରି ସମୟରେ ନିରାଶ ହୁଅନ୍ତୁ ନାହିଁ, ବରଂ ଫିଲିପ୍‌ପୀୟ ୩:୧୬ ପଦରେ ଲେଖାଥିବା କଥା ମନେରଖନ୍ତୁ, “ଆମ୍ଭେମାନେ ଯିଏ ଯେତେ ପର୍ଯ୍ୟନ୍ତ ଅଗ୍ରସର ହୋଇଅଛୁ, ସେହି ଅନୁସାରେ ଆଚରଣ କରୁ ।” ଯଦି ଆପଣ ଏପରି କରିବେ ତେବେ ଆପଣ ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କ ପରିଶ୍ରମ ଉପରେ ଆଶିଷ ଦେବେ ଏବଂ ଆପଣ ନୂତନ ଚିନ୍ତାଧାରା ପରିଧାନ କରିପାରିବେ ।

ଆମକୁ ଆଗକୁ ଦିଆଯାଇଥିବା କଥାଗୁଡ଼ିକୁ କରିବା ପାଇଁ କʼଣ ପଦକ୍ଷେପ ନେବାକୁ ପଡ଼ିବ ?

  • ନୂତନୀକରଣ କରିବା ପାଇଁ

  • ନୂତନ ସ୍ୱଭାବ ପରିଧାନ କରିବା ପାଇଁ

  • ଖରାପ ଇଚ୍ଛାଗୁଡ଼ିକରୁ ଲଢ଼ିବା ପାଇଁ

ଗୀତ ୩୬ ଦିଲ୍‌ କି ହିଫାଜାତ୍‌ କରେଁ

a ପାଉଲ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ କହିଥିଲେ ଯେ ସେମାନେ ଦୁନିଆର ଲୋକମାନଙ୍କ ଚିନ୍ତାଧାରାକୁ ନ ଆପଣାନ୍ତୁ ଓ ତାଙ୍କ ଭଳି କାମ କରନ୍ତୁ ନାହିଁ । ଆମେ ପାଉଲଙ୍କ ଏହି ପରାମର୍ଶ ଉପରେ ଧ୍ୟାନ ଦେବା ଉଚିତ୍‌, କାରଣ ଏହି ଦୁନିଆର ଚିନ୍ତାଧାରା ଆମ ଉପରେ ବି ପ୍ରଭାବ ପକାଇପାରେ । ଆମ ଚିନ୍ତାଧାରା ଈଶ୍ୱରଙ୍କ ଇଚ୍ଛା ଅନୁସାରେ ହେଉ ତାʼ ପାଇଁ ଆମକୁ ଲଗାତାର ନିଜକୁ ଯାଞ୍ଚ କରିବା ଉଚିତ୍‌ ଓ ନିଜ ଚିନ୍ତାଧାରାକୁ ବଦଳାଇବା ଉଚିତ୍‌ । ଏହି ଲେଖାରେ ଜାଣିବା ଯେ ଆମେ ଏହା କିପରି କରିପାରିବା ।

b ଏହି ଭାଇଙ୍କ କାହାଣୀ ପଢ଼ିବା ପାଇଁ JW.ORG ୱେବସାଇଟ୍‌କୁ ଯାʼନ୍ତୁ ଓ ଖୋଜନ୍ତୁ ବକ୍ସରେ “ମୈ ବୁରାଇକେ ଦାଲ୍‌ଦାଲ୍‌ ମେ ଧସତା ଯା ରାହା ଥା” ଟାଇପ୍‌ କରନ୍ତୁ ।

c ଚିତ୍ର ବିଷୟରେ: ଜଣେ ଯୁବା ଭାଇ ଭାବୁଛନ୍ତି ଯେ ତାଙ୍କୁ ଆହୁରି ପଢ଼ିବା ଉଚିତ୍‌ ନା ପୂର୍ଣ୍ଣ ସମୟର ସେବା କରିବା ଉଚିତ୍‌ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ