ଅଧ୍ୟୟନ ଲେଖା ୧୦
ଗୀତ ୩୧ ଯିହୋବାଙ୍କ ସହ ଚାଲନ୍ତୁ !
ଯିହୋବା ଓ ଯୀଶୁଙ୍କ ଭଳି ଚିନ୍ତାଧାରା ଆପଣାନ୍ତୁ
“ଖ୍ରୀଷ୍ଟ ଶରୀରରେ ଦୁଃଖଭୋଗ କରିଥିବାରୁ ତୁମ୍ଭେମାନେ ମଧ୍ୟ ସେହିପରି ମନ ଧରି ଆପଣାମାନଙ୍କୁ ସୁସଜ୍ଜିତ କର ।”—୧ ପିତ. ୪:୧.
କʼଣ ଶିଖିବା ?
ଯୀଶୁଙ୍କ ଚିନ୍ତାଧାରା ଓ ଦୃଷ୍ଟିକୋଣ ବିଷୟରେ ପ୍ରେରିତ ପିତର କʼଣ ଶିଖିଲେ ଓ ଆମେ କʼଣ ଶିଖିବା ?
୧-୨. (କ) ଯିହୋବାଙ୍କୁ ପ୍ରେମ କରିବାର ଅର୍ଥ କʼଣ ? (ଖ) ଯୀଶୁ କିପରି ଦେଖାଇଲେ ଯେ ସେ ନିଜର ସମସ୍ତ ମନ ଦେଇ ଯିହୋବାଙ୍କୁ ପ୍ରେମ କରନ୍ତି ?
ଯୀଶୁ ମୋଶାଙ୍କ ବ୍ୟବସ୍ଥାରେ ଥିବା ସବୁଠୁ ବଡ଼ ଆଜ୍ଞା ବିଷୟରେ ସ୍ପଷ୍ଟ ଭାବେ କହିଥିଲେ । ସେ କହିଥିଲେ, “ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର ।” (ମାର୍କ ୧୨:୩୦) ଏଠାରେ ଯିହୋବାଙ୍କୁ ସମସ୍ତ ଅନ୍ତଃକରଣରେ ପ୍ରେମ କରିବା ବିଷୟରେ କୁହାଯାଇଛି । ଅର୍ଥାତ୍ ଏଥିରେ ଆମର ଇଚ୍ଛା ଓ ଭାବନା ସାମିଲ୍ ହେବା ଉଚିତ୍ । ଆମକୁ ସମସ୍ତ ପ୍ରାଣ ଏବଂ ସମସ୍ତ ଶକ୍ତି ଲଗାଇ ତାଙ୍କର ସେବା କରିବା ଉଚିତ୍ । ତାʼ ସହିତ ଆମେ ସମସ୍ତ ମନ ଦେଇ ମଧ୍ୟ ଯିହୋବାଙ୍କୁ ପ୍ରେମ କରିବା ଉଚିତ୍ । ଏହାର ଅର୍ଥ ହେଉଛି କୌଣସି ବିଷୟରେ ଆମେ ଯେପରି ଭାବୁ, ସେଥିରୁ ବି ଆମେ ଦେଖାଇବା ଯେ ଆମେ ଯିହୋବାଙ୍କୁ ପ୍ରେମ କରୁ । ଏହା ସତ ଯେ ଆମେ ଯିହୋବାଙ୍କ ଚିନ୍ତାଧାରାକୁ କେବେ ବି ପୂରାପୂରି ବୁଝିପାରିବା ନାହିଁ । କିନ୍ତୁ ଯଦି ଆମେ “ଖ୍ରୀଷ୍ଟଙ୍କ ମନ” ଜାଣିବା ପାଇଁ ଚେଷ୍ଟା କରିବା, ତାହେଲେ ଆମେ ଈଶ୍ୱରଙ୍କର ଚିନ୍ତାଧାରା ଆହୁରି ଭଲଭାବେ ବୁଝିପାରିବା । କାରଣ ଯୀଶୁ ପୂରାପୂରି ନିଜ ପିତା ଯିହୋବାଙ୍କ ଭଳି ଭାବୁଥିଲେ ।—୧ କରି. ୨:୧୬.
୨ ଯୀଶୁ ସମସ୍ତ ମନ ଦେଇ ଯିହୋବାଙ୍କୁ ପ୍ରେମ କରୁଥିଲେ । ସେ ଜାଣିଥିଲେ ଯେ ତାଙ୍କ ପାଇଁ ଈଶ୍ୱରଙ୍କ ଇଚ୍ଛା କʼଣ ଏବଂ ସେ ଏହା ବି ଜାଣିଥିଲେ ଯେ ଏହାକୁ ପୂରା କରିବା ପାଇଁ ତାଙ୍କୁ କଷ୍ଟ ଭୋଗିବାକୁ ପଡ଼ିବ । ତଥାପି ସେ ଏପରି କରିବା ପାଇଁ ପ୍ରସ୍ତୁତ ଥିଲେ । ସେ ନିଜର ପୂରା ଧ୍ୟାନ ଯିହୋବାଙ୍କର ଇଚ୍ଛା ପୂରା କରିବା ପାଇଁ ଲଗାଇ ରଖିଥିଲେ ଓ ଏଥିପାଇଁ କୌଣସି ଜିନିଷ ତାଙ୍କୁ ବାଧା ଦେଇପାରିଲା ନାହିଁ ।
୩. ପିତର ଯୀଶୁଙ୍କଠାରୁ କʼଣ ଶିଖିଲେ ଓ ସେ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ କʼଣ କରିବା ପାଇଁ ପ୍ରୋତ୍ସାହନ ଦେଲେ ? (୧ ପିତର ୪:୧)
୩ ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ଯୀଶୁଙ୍କ ସହ ସମୟ ବିତାଇବା ପାଇଁ ବଢ଼ିଆ ସୁଯୋଗ ମିଳିଥିଲା । ତେଣୁ ସେମାନେ ଯୀଶୁଙ୍କ ଚିନ୍ତାଧାରା ବିଷୟରେ ଶିଖିପାରିଲେ । ଯେବେ ପିତର ଈଶ୍ୱରଙ୍କ ପ୍ରେରଣାରୁ ପ୍ରଥମ ଚିଠି ଲେଖିଲେ, ତେବେ ସେ ଖ୍ରୀଷ୍ଟିୟାନମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ ଖ୍ରୀଷ୍ଟଙ୍କ ଭଳି ଚିନ୍ତାଧାରା ଓ ଦୃଷ୍ଟିକୋଣ ଆପଣାଇ ପ୍ରସ୍ତୁତ ରହନ୍ତୁ । (୧ ପିତର ୪:୧ ପଢ଼ନ୍ତୁ ।) ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ସୁସଜ୍ଜିତ” ବା ପ୍ରସ୍ତୁତ ରୁହ କରାଯାଇଛି, ତାହା ଏପରି ଜଣେ ସୈନିକ ପାଇଁ ବ୍ୟବହାର ହେଉଥିଲା ଯିଏ ନିଜ ଅସ୍ତ୍ରଶସ୍ତ୍ର ଧରି ଯୁଦ୍ଧରେ ଯିବା ପାଇଁ ପ୍ରସ୍ତୁତ ରହେ । ଠିକ୍ ସେହିଭଳି ଯଦି ଜଣେ ଖ୍ରୀଷ୍ଟିୟାନ ଯୀଶୁଙ୍କ ଭଳି ଚିନ୍ତାଧାରା ଓ ଦୃଷ୍ଟିକୋଣ ଆପଣାଇବ, ତାହେଲେ ସେ ଯେପରି ଅସ୍ତ୍ରଶସ୍ତ୍ର ନେଇ ନିଜ ପାପୀ ଇଚ୍ଛା ଓ ଦୁନିଆର ରାଜା ଶୟତାନ ସହ ଲଢ଼ିବା ପାଇଁ ପ୍ରସ୍ତୁତ ଥିବ ।—୨ କରି. ୧୦:୩-୫; ଏଫି. ୬:୧୨.
୪. ଏହି ଲେଖାରେ ଆମେ କʼଣ ଜାଣିବା ?
୪ ଏହି ଲେଖାରେ ଆମେ ଯୀଶୁଙ୍କ ଚିନ୍ତାଧାରା ଓ ଦୃଷ୍ଟିକୋଣ ବିଷୟରେ ଜାଣିବା ଓ ତାଙ୍କଠାରୁ ଶିଖିବା । ଆମେ ଏହା ବି ଧ୍ୟାନ ଦେବା: (୧) ଆମେ କିପରି ଯିହୋବାଙ୍କ ଭଳି ଚିନ୍ତାଧାରା ଆପଣାଇପାରିବା, ଯାହାଫଳରେ ଆମ ସମସ୍ତଙ୍କ ଚିନ୍ତାଧାରା ଏକାଭଳି ହେବ ? (୨) ଆମେ କିପରି ନମ୍ର ହୋଇପାରିବା ? ଏବଂ (୩) ଆମେ କିପରି ଯିହୋବାଙ୍କ ଉପରେ ନିର୍ଭର ରହି ସଠିକ୍ ଚିନ୍ତାଧାରା ଆପଣାଇପାରିବା ?
ଯିହୋବାଙ୍କ ଭଳି ଚିନ୍ତାଧାରା ଆପଣାନ୍ତୁ
୫. ଥରେ ପିତର କିପରି ଯିହୋବାଙ୍କ ଭଳି ଚିନ୍ତାଧାରା ଆପଣାଇ ପାରିଲେ ନାହିଁ ?
୫ ଥରେ ପ୍ରେରିତ ପିତର ଯିହୋବାଙ୍କ ଚିନ୍ତାଧାରା ଆପଣାଇ ପାରିଲେ ନାହିଁ । ଆସନ୍ତୁ ସେହି ବିଷୟରେ ଧ୍ୟାନ ଦେବା । ଯୀଶୁ ନିଜ ପ୍ରେରିତମାନଙ୍କୁ କହିଥିଲେ ଯେ ତାଙ୍କୁ ଯିରୂଶାଲମ ଯିବାକୁ ପଡ଼ିବ, ଯେଉଁଠାରେ ତାଙ୍କୁ ଧର୍ମଗୁରୁମାନଙ୍କ ହସ୍ତରୁ ବହୁତ ଦୁଃଖଭୋଗ କରିବାକୁ ପଡ଼ିବ ଓ ତାʼପରେ ତାଙ୍କୁ ମାରିଦିଆଯିବ । (ମାଥି. ୧୬:୨୧) ପିତର ଜାଣିଥିଲେ ଯେ ଯୀଶୁ ପ୍ରତିଜ୍ଞା କରାଯାଇଥିବା ଖ୍ରୀଷ୍ଟ ଅଟନ୍ତି, ଯିଏ ଯିହୋବାଙ୍କ ଲୋକମାନଙ୍କୁ ମୁକ୍ତ କରିବେ । ତେଣୁ ପିତରଙ୍କୁ ହୁଏତ ଏହା ମାନିବା କଠିନ ଲାଗିଲା ଯେ ଯିହୋବା ଯୀଶୁଙ୍କୁ ମୃତ୍ୟୁଭୋଗ କରିବା ପାଇଁ ଛାଡ଼ିଦେଲେ । (ମାଥି. ୧୬:୧୬) ତେଣୁ ସେ ଯୀଶୁଙ୍କୁ ଏକୁଟିଆ ନେଇ କହିଲେ, ‘ହେ ପ୍ରଭୁ, ଆପଣାକୁ ଦୟା କରନ୍ତୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ ।’ (ମାଥି. ୧୬:୨୨) ସେହି ସମୟରେ ପିତର ଯିହୋବାଙ୍କ ଭଳି ଚିନ୍ତାଧାରା ଆପଣାଇ ପାରିଲେ ନାହିଁ, ତେଣୁ ଯୀଶୁ ତାଙ୍କ ସହ ସହମତ ହେଲେ ନାହିଁ ।
୬. ଯୀଶୁ କିପରି ଦେଖାଇଲେ ଯେ ତାଙ୍କର ଚିନ୍ତାଧାରା ଯିହୋବାଙ୍କ ଭଳି ଅଛି ?
୬ ଯୀଶୁଙ୍କ ଚିନ୍ତାଧାରା ତାଙ୍କ ପିତାଙ୍କ ଭଳି ଥିଲା । ତେଣୁ ଯୀଶୁ ପିତରଙ୍କୁ କହିଲେ, “ମୋʼ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ ।” (ମାଥି. ୧୬:୨୩) ହୁଏତ ପିତରଙ୍କ ଉଦ୍ଦେଶ୍ୟ ଠିକ୍ ଥିଲା, କିନ୍ତୁ ଯୀଶୁ ଜାଣିଥିଲେ ଯେ ତାଙ୍କୁ ନିଜ ପିତା ଯିହୋବାଙ୍କ ଇଚ୍ଛା ପୂରା କରିବା ପାଇଁ କଷ୍ଟ ସହି ମୃତ୍ୟୁଭୋଗ କରିବାକୁ ପଡ଼ିବ । ସେଥିପାଇଁ ସେ ପିତରଙ୍କ ପରାମର୍ଶ ମାନିଲେ ନାହିଁ । ପିତର ଏହି ଘଟଣାରୁ ଯିହୋବାଙ୍କ ଚିନ୍ତାଧାରା ଆପଣାଇବା ବିଷୟରେ ଶିଖିଲେ, ଆମେ ବି ଏହା ହିଁ ଶିଖୁ ।
୭. ଆଗକୁ ଯାଇ ପିତର କିପରି ନିଜ କାମରୁ ଦେଖାଇଲେ ଯେ ସେ ଯିହୋବାଙ୍କ ଭଳି ଚିନ୍ତାଧାରା ଆପଣାଇବା ପାଇଁ ଚାହାନ୍ତି ? (ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)
୭ ଆଗକୁ ଯାଇ ପିତର ନିଜ କାମରୁ ଦେଖାଇଲେ ଯେ ସେ ଯିହୋବାଙ୍କ ଭଳି ଚିନ୍ତାଧାରା ଆପଣାଇବା ପାଇଁ ଚାହାନ୍ତି । ଧ୍ୟାନ ଦିଅନ୍ତୁ ଯେ ଯେବେ ଯିହୋବା ଅସୁନ୍ନତ ଅଣଯିହୁଦୀମାନଙ୍କୁ ତାଙ୍କର ଉପାସକ ହେବା ପାଇଁ ସୁଯୋଗ ଦେଲେ, ତେବେ କʼଣ ହେଲା ? ଯିହୋବା ପିତରଙ୍କୁ କର୍ଣ୍ଣିଲୀୟ ନାମକ ଜଣେ ଅଣଯିହୁଦୀଙ୍କ ପାଖକୁ ସୁସମାଚାର ଶୁଣାଇବା ପାଇଁ ପଠାଇଲେ । କର୍ଣ୍ଣିଲୀୟ ପ୍ରଥମ ଏପରି ଅଣଯିହୁଦୀ ବ୍ୟକ୍ତି ଥିଲେ, ଯିଏ ଯିହୋବାଙ୍କ ଉପାସକ ହୁଅନ୍ତେ । ଯିହୁଦୀମାନେ ସାଧାରଣତଃ ଅଣଯିହୁଦୀମାନଙ୍କ ସହିତ ମିଳାମିଶା କରୁ ନ ଥିଲେ । ତେଣୁ କର୍ଣ୍ଣିଲୀୟଙ୍କୁ ସାକ୍ଷ୍ୟ ଦେବା ପାଇଁ ପିତରଙ୍କୁ ନିଜ ଚିନ୍ତାଧାରା ବଦଳାଇବାକୁ ପଡ଼ନ୍ତା । ଯେବେ ପିତର ଜାଣିଲେ ଯେ ଯିହୋବା ଅଣଯିହୁଦୀମାନଙ୍କ ପାଇଁ କʼଣ ଚାହାନ୍ତି, ତେବେ ସେ ନିଜ ଚିନ୍ତାଧାରାରେ ପରିବର୍ତ୍ତନ କଲେ । ଯେବେ କର୍ଣ୍ଣିଲୀୟ ପିତରଙ୍କୁ ନିଜ ଘରକୁ ଡାକିଲେ, ତେବେ ପିତର କୌଣସି “ଆପତ୍ତି ନ କରି” ତାଙ୍କ ଘରକୁ ଗଲେ । (ପ୍ରେରି. ୧୦:୨୮, ୨୯) ପିତର କର୍ଣ୍ଣିଲୀୟ ଓ ତାଙ୍କ ପୂରା ପରିବାରକୁ ସାକ୍ଷ୍ୟ ଦେଲେ ଓ ସେମାନେ ବାପ୍ତିସ୍ମ ନେଲେ ।—ପ୍ରେରି. ୧୦:୨୧-୨୩, ୩୪, ୩୫, ୪୪-୪୮.
ପିତର କର୍ଣ୍ଣିଲୀୟଙ୍କ ଘରକୁ ଆସିଛନ୍ତି (ପାରାଗ୍ରାଫ ୭)
୮. ଆମେ କିପରି ଦେଖାଇପାରିବା ଯେ ଆମ ଚିନ୍ତାଧାରା ଯିହୋବାଙ୍କ ଭଳି ଅଛି ? (୧ ପିତର ୩:୮)
୮ ଅନେକ ବର୍ଷ ପରେ ପିତର ଖ୍ରୀଷ୍ଟିୟାନମାନଙ୍କୁ “ଏକମନା” ହେବା ପାଇଁ ପ୍ରୋତ୍ସାହନ ଦେଲେ । (୧ ପିତର ୩:୮ ପଢ଼ନ୍ତୁ ।) ଆମେ ଖ୍ରୀଷ୍ଟିୟାନ ଭାଇଭଉଣୀମାନେ ତେବେ ହିଁ ଏକମନା ହୋଇପାରିବା, ଯେବେ ଆମେ ଯିହୋବାଙ୍କ ଚିନ୍ତାଧାରା ଆପଣାଇବା ଯାହା ବିଷୟରେ ଆମେ ବାଇବଲରୁ ଶିଖୁ । ଉଦାହରଣ ପାଇଁ, ଯୀଶୁ ଆମକୁ ଈଶ୍ୱରଙ୍କ ରାଜ୍ୟକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା ପାଇଁ ପ୍ରୋତ୍ସାହନ ଦେଲେ । (ମାଥି. ୬:୩୩) ହୋଇପାରେ ଏହି କଥାକୁ ଧ୍ୟାନରେ ରଖି ଯଦି ଜଣେ ଭାଇ କିମ୍ବା ଭଉଣୀ ପୂର୍ଣ୍ଣ ସମୟର ସେବା କରିବା ପାଇଁ ଚାହାନ୍ତି, ତାହେଲେ ଆମେ ଏପରି କିଛି କହିବାନି, ଯାହାଦ୍ୱାରା ସେମାନଙ୍କର ମନବଳ ଭାଙ୍ଗିଯିବ । ବରଂ ଆମେ ସେମାନଙ୍କର ଉତ୍ସାହ ବଢ଼ାଇବା ଓ ସେମାନଙ୍କୁ ସାହାଯ୍ୟ କରିବା ।
ନମ୍ର ହେବା ଜାରି ରଖନ୍ତୁ
୯-୧୦. ଯୀଶୁ କିପରି ଦେଖାଇଲେ ଯେ ସେ ନମ୍ର ଅଟନ୍ତି ?
୯ ଯୀଶୁ ନିଜ ମୃତ୍ୟୁର ପୂର୍ବ ରାତିରେ ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ନମ୍ର ହେବା ପାଇଁ ଶିଖାଇଲେ । ଯୀଶୁ ନିଜ ଶିଷ୍ୟମାନଙ୍କ ସହିତ ଶେଷଥର ପାଇଁ ନିସ୍ତାର ପର୍ବର ଖାଦ୍ୟ ଖାଇବା ପାଇଁ ଚାହୁଁଥିଲେ । ସେଥିପାଇଁ ସେ ପିତର ଓ ଯୋହନଙ୍କୁ ଏହାର ପ୍ରସ୍ତୁତି କରିବା ପାଇଁ ପଠାଇଲେ । ଏହାର ପ୍ରସ୍ତୁତି କରିବା ସମୟରେ ସେମାନେ ନିଶ୍ଚୟ ଗୋଟିଏ ଗାମୁଛା ଓ ପାତ୍ରର ବ୍ୟବସ୍ଥା କରିଥିବେ । କାରଣ ସେସମୟରେ ଲୋକମାନେ ସାଧାରଣତଃ ଖାଇବା ପୂର୍ବରୁ ଅତିଥିମାନଙ୍କର ପାଦ ଧୋଉଥିଲେ । କିନ୍ତୁ ସେସମୟରେ କିଏ ନମ୍ର ହୋଇ ଏହି ସାଧାରଣ କାମ କଲେ ?
୧୦ ଯୀଶୁ ଆଗେଇ ଆସି ନିଜ ଶିଷ୍ୟମାନଙ୍କ ପାଦ ଧୋଇଲେ । ସେ ନିଜ ବସ୍ତ୍ର କାଢ଼ି, ଅଣ୍ଟାରେ ଗାମୁଛା ବାନ୍ଧି ଓ ପାତ୍ରରେ ପାଣି ନେଇ ଶିଷ୍ୟମାନଙ୍କ ପାଦ ଧୋଇବାକୁ ଲାଗିଲେ । (ଯୋହ. ୧୩:୪, ୫) ନିଜ ୧୨ ଜଣ ଶିଷ୍ୟମାନଙ୍କ ପାଦ ଧୋଇବା ପାଇଁ ତାଙ୍କୁ ସମୟ ଲାଗିଥିବ । ସେହି ଶିଷ୍ୟମାନଙ୍କ ମଧ୍ୟରେ ଯିହୁଦା ବି ଥିଲା, ଯିଏ ଆଗକୁ ଯାଇ ଯୀଶୁଙ୍କ ସହିତ ବିଶ୍ୱାସଘାତ କରନ୍ତା । ଏଥିରୁ ଜଣାପଡ଼େ ଯେ ବାସ୍ତବରେ ଯୀଶୁ ବହୁତ ନମ୍ର ଥିଲେ । ଶିଷ୍ୟମାନେ ଯୀଶୁଙ୍କ ଏହି କାମ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବେ, କାରଣ ଯୀଶୁ ଯେଉଁ କାମ କଲେ ତାହା ପ୍ରାୟ ଦାସମାନେ କରୁଥିଲେ । ଯୀଶୁ ନିଜର ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ପ୍ରତି କଅଣ କରିଅଛି, ତାହା କି ତୁମ୍ଭେମାନେ ବୁଝୁଅଛ ? ତୁମ୍ଭେମାନେ ମୋତେ ଗୁର ଓ ପ୍ରଭୁ ବୋଲି ଡାକୁଅଛ, ଆଉ ଯଥାର୍ଥ କହୁଅଛ; କାରଣ ମୁଁ ତ ସେହି । ଅତଏବ, ପ୍ରଭୁ ଓ ଗୁରୁ ଯେ ମୁଁ, ମୁଁ ଯଦି ତୁମ୍ଭମାନଙ୍କର ପାଦ ଧୋଇଦେଇଅଛି, ତେବେ ତୁମ୍ଭମାନଙ୍କର ମଧ୍ୟ ପରସ୍ପରର ପାଦ ଧୋଇବା କର୍ତ୍ତବ୍ୟ ।”—ଯୋହ. ୧୩:୧୨-୧୪.
ଜଣେ ବ୍ୟକ୍ତି ବାସ୍ତବରେ ନମ୍ର ଅଛି ନା ନାହିଁ, ତାହା ତାʼ ଚିନ୍ତାଧାରାରୁ ବି ଜଣାପଡ଼େ
୧୧. ପିତର କିପରି ଦେଖାଇଲେ ଯେ ସେ ନମ୍ର ହେବା ଶିଖିଯାଇଛନ୍ତି ? (୧ ପିତର ୫:୫) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୧ ପିତର ଯୀଶୁଙ୍କଠାରୁ ନମ୍ର ହେବା ବିଷୟରେ ଶିଖିଲେ । ଯୀଶୁଙ୍କ ସ୍ୱର୍ଗ ଫେରିବା ପରେ ପିତର ଜନ୍ମରୁ ଚାଲିପାରୁ ନ ଥିବା ଜଣେ ବ୍ୟକ୍ତିଙ୍କୁ ଠିକ୍ କଲେ । (ପ୍ରେରି. ୧:୮, ୯; ୩:୨, ୬-୮) ଏହି ଚମତ୍କାର ଦେଖି ତାଙ୍କ ଚାରିଆଡ଼େ ଲୋକମାନେ ଏକାଠି ହୋଇଯାʼନ୍ତି । (ପ୍ରେରି. ୩:୧୧) ଲୋକମାନେ ହୁଏତ ତାଙ୍କ ପ୍ରଶଂସା କରନ୍ତି । ଏପରି ସମୟରେ ପିତର କʼଣ କରନ୍ତି ? ସେ ତାଙ୍କ ସମୟର ଯିହୁଦୀମାନଙ୍କ ଭଳି ନ ଥିଲେ ଯେଉଁମାନେ ନାମ, ପଇସା ଓ ପଦବୀକୁ ମହତ୍ତ୍ୱ ଦେଉଥିଲେ । ପିତର ନମ୍ର ଥିଲେ, ତେଣୁ ସେହି ଚମତ୍କାରର ଶ୍ରେୟ ସେ ଯିହୋବା ଓ ଯୀଶୁଙ୍କୁ ଦେଲେ । ସେ କହିଲେ, “[ଯୀଶୁଙ୍କ] ନାମରେ ବିଶ୍ୱାସ କରିବାରୁ ଏହି ଯେଉଁ ଲୋକଙ୍କୁ ଆପଣମାନେ ଦେଖୁଅଛନ୍ତି ଓ ଜାଣିଅଛନ୍ତି, ଏହାକୁ ତାହାଙ୍କ ନାମ ବଳବାନ କରିଅଛି ।” (ପ୍ରେରି. ୩:୧୨-୧୬) ଏହା ବ୍ୟତୀତ ପିତର ନିଜ ଚିଠିରେ ଖ୍ରୀଷ୍ଟିୟାନମାନଙ୍କୁ ନମ୍ରତାରୂପ ବସ୍ତ୍ର ପରିଧାନ କରିବା ପାଇଁ କହିଲେ । ପିତରଙ୍କ ଏହି କଥାରୁ ସେହି ଘଟଣା ମନେପଡ଼େ ଯେବେ ଯୀଶୁ ନିଜେ ଅଣ୍ଟାରେ ଗାମୁଛା ବାନ୍ଧି ଶିଷ୍ୟମାନଙ୍କ ପାଦ ଧୋଇଥିଲେ ।—୧ ପିତର ୫:୫ ପଢ଼ନ୍ତୁ ।
ପିତର ନମ୍ର ଥିଲେ, ତେଣୁ ସେ ଯେଉଁ ଚମତ୍କାର କରିଥିଲେ ତାହାର ଶ୍ରେୟ ଯିହୋବା ଓ ଯୀଶୁଙ୍କୁ ଦେଲେ । ଯଦି ଆମେ ବି ନମ୍ର ହେବା, ତାହେଲେ ଆମେ ଲୋକମାନଙ୍କଠାରୁ ପ୍ରଶଂସା ପାଇଁ କିମ୍ବା ଅନ୍ୟ କିଛି ପାଇବା ପାଇଁ ସେମାନଙ୍କର ସାହାଯ୍ୟ କରିବା ନାହିଁ । ବରଂ ଆମେ ସଠିକ୍ ଉଦ୍ଦେଶ୍ୟରେ ସେମାନଙ୍କୁ ସାହାଯ୍ୟ କରିବା (ପାରାଗ୍ରାଫ ୧୧-୧୨)
୧୨. ପିତରଙ୍କ ଭଳି ସବୁବେଳେ ନମ୍ର ରହିବା ପାଇଁ ଆମେ କʼଣ କରିପାରିବା ?
୧୨ ଆମେ ବି ପିତରଙ୍କ ଭଳି ନମ୍ର ରହିବା ପାଇଁ ଶିଖିପାରିବା । ଜଣେ ବ୍ୟକ୍ତି ବାସ୍ତବରେ ନମ୍ର ଅଛି ନା ନାହିଁ, ତାହା କିଛି ମାତ୍ରାରେ ତାʼ କଥାରୁ ଜଣାପଡ଼େ । କିନ୍ତୁ ପିତର ନମ୍ରତାର ଗୁଣ ପାଇଁ ଯେଉଁ ଶବ୍ଦର ବ୍ୟବହାର କଲେ ସେଥିରୁ ଜଣାପଡ଼େ ଯେ ଜଣେ ବ୍ୟକ୍ତିର ଚିନ୍ତାଧାରାରୁ ମଧ୍ୟ ତାʼ ନମ୍ରତା ଜଣାପଡ଼େ । ଯେପରି, ସେ ନିଜ ବିଷୟରେ ଓ ଅନ୍ୟମାନଙ୍କ ବିଷୟରେ କʼଣ ଭାବେ । ଆମେ ପ୍ରଶଂସା ପାଇବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରି ନ ଥାଉ, ବରଂ ଆମେ ଯିହୋବା ଓ ଲୋକମାନଙ୍କ ପାଇଁ ପ୍ରେମ ଥିବା ଯୋଗୁଁ ଏପରି କରିଥାଉ । ଯଦିଓ ଆମର ପରିଶ୍ରମ ଉପରେ କେହି ଧ୍ୟାନ ଦିଅନ୍ତି ନାହିଁ, ତଥାପି ଯଦି ଆମେ ଖୁସିର ସହ ଯିହୋବାଙ୍କର ସେବା କରିବା ଓ ଭାଇଭଉଣୀମାନଙ୍କର ସାହାଯ୍ୟ କରିବା, ତାହେଲେ ଏଥିରୁ ଜଣାପଡ଼ିବ ଯେ ଆମେ ବାସ୍ତବରେ ନମ୍ର ଅଟୁ ।—ମାଥି. ୬:୧-୪.
ସଠିକ୍ ଚିନ୍ତାଧାରା ଆପଣାନ୍ତୁ
୧୩. ସଠିକ୍ ଚିନ୍ତାଧାରା ଆପଣାଇବାର ଅର୍ଥ କʼଣ ? ବୁଝାନ୍ତୁ ।
୧୩ ‘ସୁବୁଦ୍ଧି [“ସଠିକ୍ ଚିନ୍ତାଧାରା,” NWT] ହୁଅ,’ ଏହାର ଅର୍ଥ କʼଣ ? (୧ ପିତ. ୪:୭) ଏହାର ଅର୍ଥ ହେଉଛି ଯେ ଯଦି ଜଣେ ଖ୍ରୀଷ୍ଟିୟାନ ସଠିକ୍ ଚିନ୍ତାଧାରା ଆପଣାଏ, ତେବେ ସେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଯିହୋବା ସେବିଷୟରେ କʼଣ ଭାବନ୍ତି, ତାହା ଜାଣିବା ପାଇଁ ଚେଷ୍ଟା କରେ । ସେ ମନେ ରଖେ ଯେ ଯିହୋବାଙ୍କ ସହ ତାʼ ସମ୍ପର୍କ ଅଧିକ ମହତ୍ତ୍ୱ ରଖେ । ଆଉ ସେ ନିଜେ ବି ସଠିକ୍ ଚିନ୍ତାଧାରା ଆପଣାଏ ଆଉ ଏହା ଭାବେନି ଯେ ତାକୁ ସବୁକିଛି ଜଣାଅଛି । ଏହା ପରିବର୍ତ୍ତେ ସେ ସବୁ କାମ ପାଇଁ ଯିହୋବାଙ୍କ ଉପରେ ନିର୍ଭର ରହେ ଓ ତାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗେ ।
୧୪. ଥରେ ପିତର କିପରି ଯିହୋବାଙ୍କ ଉପରେ ନିର୍ଭର ରହିପାରିଲେ ନାହିଁ ?
୧୪ ଯୀଶୁ ନିଜ ମୃତ୍ୟୁର ପୂର୍ବ ରାତିରେ ନିଜ ଶିଷ୍ୟମାନଙ୍କୁ ସଚେତନ କଲେ । ସେ କହିଲେ, “ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋʼଠାରେ ବିଘ୍ନ ପାଇବ ।” କିନ୍ତୁ ପିତର ପୂରା ଭରସା ଦେଇ କହିଲେ, “ଯଦ୍ୟପି ସମସ୍ତେ ଆପଣଙ୍କଠାରେ ବିଘ୍ନ ପାଇବେ, ତଥାପି ମୁଁ କେବେ ହେଁ ପାଇବି ନାହିଁ ।” ସେହି ରାତି ଯୀଶୁ ନିଜ କିଛି ଶିଷ୍ୟମାନଙ୍କୁ ପରାମର୍ଶ ଦେଇ କହିଲେ, “ଜାଗିରହି ପ୍ରାର୍ଥନା କର ।” (ମାଥି. ୨୬:୩୧, ୩୩, ୪୧) ଯଦି ପିତର ଯୀଶୁଙ୍କର ଏହି ପରାମର୍ଶ ମାନିଥାʼନ୍ତେ, ତାହେଲେ ସେ ନିଜକୁ ଯୀଶୁଙ୍କ ଶିଷ୍ୟ ବୋଲି କହିବା ପାଇଁ ମନା କରି ନ ଥାʼନ୍ତେ । କିନ୍ତୁ ପିତର ଯୀଶୁଙ୍କୁ ଚିହ୍ନିବାରୁ ମନା କରିଦେଲେ, ଯାହାଯୋଗୁଁ ପରେ ତାଙ୍କୁ ବହୁତ ଅବଶୋଷ ହେଲା ।—ମାଥି. ୨୬:୬୯-୭୫.
୧୫. ଯୀଶୁ ନିଜ ମୃତ୍ୟୁର ଶେଷ ରାତିରେ କିପରି ସଠିକ୍ ଚିନ୍ତାଧାରା ଆପଣାଇଲେ ?
୧୫ ଯୀଶୁ ସବୁବେଳେ ଯିହୋବାଙ୍କ ଉପରେ ନିର୍ଭର ରହିଲେ । ସେ ପରିପୂର୍ଣ୍ଣ ଥିଲେ, ତଥାପି ନିଜ ମୃତ୍ୟୁର ଶେଷ ରାତିରେ ସେ ଯିହୋବାଙ୍କୁ ବାରମ୍ବାର ପ୍ରାର୍ଥନା କଲେ । ପ୍ରାର୍ଥନା କରିବାରୁ ତାଙ୍କୁ ସାହସ ମିଳିଲା ଆଉ ସେ ଯିହୋବାଙ୍କ ଇଚ୍ଛା ପୂରା କରିପାରିଲେ । (ମାଥି. ୨୬:୩୯, ୪୨, ୪୪; ଯୋହ. ୧୮:୪, ୫) ପିତର ଧ୍ୟାନ ଦେଇଥିବେ ଯେ ଯୀଶୁ ନିଜର ଶେଷ ରାତିରେ କିପରି ଯିହୋବାଙ୍କୁ ବାରମ୍ବାର ପ୍ରାର୍ଥନା କଲେ । ସେ ଏହି କଥାକୁ କେବେ ଭୁଲି ନ ଥିବେ ।
୧୬. ପିତର କିପରି ଦେଖାଇଲେ ଯେ ସେ ସଠିକ୍ ଚିନ୍ତାଧାରା ଆପଣାଇବା ଶିଖି ଯାଇଛନ୍ତି ? (୧ ପିତର ୪:୭)
୧୬ ସମୟ ଗଡ଼ିବା ସହିତ ପିତର ଯିହୋବାଙ୍କୁ ଆହୁରି ଅଧିକ ପ୍ରାର୍ଥନା କରିବାକୁ ଲାଗିଲେ ଓ ତାଙ୍କ ଉପରେ ନିର୍ଭର ରହିଲେ । ଯୀଶୁ ଜୀବିତ ହେବା ପରେ ପିତର ଓ ଅନ୍ୟ ପ୍ରେରିତମାନଙ୍କୁ ଏହା ଭରସା ଦେଲେ ଯେ ସେମାନଙ୍କୁ ଖୁସିର ଖବର ପ୍ରଚାର କରିବା ପାଇଁ ପବିତ୍ର ଶକ୍ତି ସାହାଯ୍ୟ କରିବ । କିନ୍ତୁ ଯୀଶୁ ସେମାନଙ୍କୁ ଏହା ବି କହିଲେ ଯେ ସେହି ସମୟ ଯାଏ ସେମାନଙ୍କୁ ଯିରୂଶାଲମରେ ରହି ଅପେକ୍ଷା କରିବାର ଅଛି । (ଲୂକ ୨୪:୪୯; ପ୍ରେରି. ୧:୪, ୫) ଅପେକ୍ଷା କରିବା ସମୟରେ ପିତର କʼଣ କଲେ ? ପିତର ଓ ଅନ୍ୟ ଶିଷ୍ୟମାନେ “ପ୍ରାର୍ଥନାରେ ନିବିଷ୍ଟ ହୋଇ ରହିଲେ ।” (ପ୍ରେରି. ୧:୧୩, ୧୪) ପରେ ପିତର ନିଜ ପ୍ରଥମ ଚିଠିରେ ବି ଖ୍ରୀଷ୍ଟିୟାନମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ ସଠିକ୍ ଚିନ୍ତାଧାରା ଆପଣାନ୍ତୁ, ପ୍ରାର୍ଥନାରେ ଲାଗି ରହନ୍ତୁ ଓ ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ । (୧ ପିତର ୪:୭ ପଢ଼ନ୍ତୁ ।) ଏଥିରୁ ଜଣାପଡ଼େ ଯେ ପିତର ଯିହୋବାଙ୍କ ଉପରେ ନିର୍ଭର ରହିବା ଶିଖି ଯାଇଥିଲେ ଏବଂ ସେ ମଣ୍ଡଳୀ ପାଇଁ ଦୃଢ଼ ସ୍ତମ୍ଭ ସ୍ୱରୂପ ହୋଇଯାଇଥିଲେ ।—ଗାଲା. ୨:୯.
୧୭. ଆମଠାରେ ଯେକୌଣସି ଦକ୍ଷତା ଥିଲେ ବି ଆମକୁ କʼଣ କରିବା ଉଚିତ୍ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୭ ଆମକୁ ସଠିକ୍ ଚିନ୍ତାଧାରା ଆପଣାଇବା ପାଇଁ ଲଗାତାର ଯିହୋବାଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ । ଆମକୁ ଏହା ବୁଝିବାକୁ ପଡ଼ିବ ଯେ ଆମଠାରେ ଯେକୌଣସି ଦକ୍ଷତା ଥିଲେ ବି ଆମକୁ ସବୁବେଳେ ଯିହୋବାଙ୍କ ଉପରେ ନିର୍ଭର ରହିବା ଉଚିତ୍ । ବିଶେଷ କରି କୌଣସି ଜରୁରୀ ନିଷ୍ପତ୍ତି ନେବା ପୂର୍ବରୁ ଆମକୁ ବାରମ୍ବାର ଯିହୋବାଙ୍କୁ ପ୍ରାର୍ଥନା କରିବା ଓ ସାହାଯ୍ୟ ମାଗିବା ଉଚିତ୍ । ଆମକୁ ଭରସା ରଖିବା ଉଚିତ୍ ଯେ କେବଳ ଯିହୋବା ହିଁ ଜାଣନ୍ତି ଯେ ଆମ ପାଇଁ ଭଲ କʼଣ ।
ପିତର ଯିହୋବାଙ୍କ ଉପରେ ନିର୍ଭର ରହିବା ଶିଖିଲେ ଓ ଯିହୋବାଙ୍କୁ ବାରମ୍ବାର ପ୍ରାର୍ଥନା କଲେ । ଆମକୁ ବି ଯେବେ କୌଣସି ଜରୁରୀ ନିଷ୍ପତ୍ତି ନେବାକୁ ପଡ଼େ, ତେବେ ଆମେ ବି ସାହାଯ୍ୟ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍ । ଏହିପରି ଭାବେ ଆମେ ବି ସଠିକ୍ ଚିନ୍ତାଧାରା ଆପଣାଇପାରିବା (ପାରାଗ୍ରାଫ ୧୭) a
୧୮. ଯିହୋବାଙ୍କ ଭଳି ଚିନ୍ତାଧାରା ଆପଣାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?
୧୮ ଆମେ ଯିହୋବାଙ୍କର ବହୁତ କୃତଜ୍ଞ ଯେ ସେ ଆମକୁ ତାଙ୍କ ଭଳି ସୃଷ୍ଟି କରିଛନ୍ତି ବୋଲି ଆମେ ତାଙ୍କ ଭଳି ଗୁଣ ଦେଖାଇପାରୁ । (ଆଦି. ୧:୨୬) ଆମେ କେବେ ବି ତାଙ୍କ ଭଳି ହୋଇପାରିବା ନାହିଁ । (ଯିଶା. ୫୫:୯) କିନ୍ତୁ ଆମେ ପିତରଙ୍କ ଭଳି ଯିହୋବାଙ୍କର ଚିନ୍ତାଧାରା ଆପଣାଇବା ପାଇଁ ପୂରାପୂରି ଚେଷ୍ଟା କରିପାରିବା । ତାହେଲେ ଆସନ୍ତୁ ଆମେ ସମସ୍ତେ ସବୁବେଳେ ଯିହୋବାଙ୍କ ଭଳି ଭାବିବା ପାଇଁ ଚେଷ୍ଟା କରିବା, ନମ୍ର ରହିବା ଓ ସବୁବେଳେ ସଠିକ୍ ଚିନ୍ତାଧାରା ଆପଣାଇବା ।
ଗୀତ ୩୦ ଯିହୋବା, ମୋର ପିତା ଓ ବନ୍ଧୁ
a ଚିତ୍ର ବିଷୟରେ: ଜଣେ ଭଉଣୀ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଛନ୍ତି । ସେ ଇଣ୍ଟରଭ୍ୟୁ ଦେବା ପୂର୍ବରୁ ମନେ ମନେ ପ୍ରାର୍ଥନା କରୁଛନ୍ତି ।