ଅଧ୍ୟୟନ ଲେଖା ୨୨
ଗୀତ ୧୭ “ମୁଁ ଇଚ୍ଛା କରୁଅଛି”
ଯିହୋବାଙ୍କର ନାମ ଯୀଶୁଙ୍କ ପାଇଁ କେତେ ମହତ୍ତ୍ୱ ରଖୁଥିଲା ?
“ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି ଓ ଜଣାଇବି ।”—ଯୋହ. ୧୭:୨୬.
କʼଣ ଶିଖିବା ?
ଯେବେ ଯୀଶୁ ଲୋକମାନଙ୍କୁ ଯିହୋବାଙ୍କର ନାମ ଜଣାଇଲେ, ତେବେ ସେ କʼଣ କହିବା ପାଇଁ ଚାହୁଁଥିଲେ ? ଯୀଶୁ କିପରି ଯିହୋବାଙ୍କର ନାମକୁ ପବିତ୍ର କଲେ ଓ ତାଙ୍କ ଉପରେ ଲାଗିଥିବା ଆରୋପକୁ ମିଛ ସାବ୍ୟସ୍ତ କଲେ ?
୧-୨. (କ) ନିଜର ମୃତ୍ୟୁ ପୂର୍ବରୁ ଯୀଶୁ କʼଣ କଲେ ? (ଖ) ଏହି ଲେଖାରେ ଆମେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ?
ଏହା ନୀସନ୍ ୧୪, ୩୩ ଖ୍ରୀଷ୍ଟାବ୍ଦର ଘଟଣା । ସେହି ଦିନ ଗୁରୁବାର ଥିଲା ଓ ଅଧରାତି ହୋଇଯାଇଥିଲା । ଯୀଶୁ ନିଜର ବିଶ୍ୱସ୍ତ ପ୍ରେରିତମାନଙ୍କ ସହିତ ଗୋଟିଏ ଘରର ଉପର କୋଠରିରେ ଥିଲେ ଓ କିଛି ସମୟ ପୂର୍ବରୁ ସନ୍ଧ୍ୟାଭୋଜ ପାଳନ କରି ସାରିଥିଲେ । ଯୀଶୁ ଜାଣିଥିଲେ ଯେ ଖୁବ୍ ଶୀଘ୍ର ତାଙ୍କ ଉପରେ ମିଛ ଆରୋପ ଲଗାଇ ତାଙ୍କୁ ଗିରଫ କରାଯିବ, ମକଦ୍ଦମା ହେବ, ସଜା ଶୁଣାଯିବ ଓ ଶେଷରେ ତାଙ୍କର ଅସହ୍ୟ ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଯିବ । ତେଣୁ ଯୀଶୁ ନିଜ ଶିଷ୍ୟମାନଙ୍କର ସାହସ ବଢ଼ାଇଲେ । ସେହି କୋଠରିରୁ ବାହାରିବା ପୂର୍ବରୁ ଯୀଶୁ ସେମାନଙ୍କ ସହିତ ମିଶି ପ୍ରାର୍ଥନା କଲେ । ଆଗକୁ ଯାଇ ଏହି ପ୍ରାର୍ଥନା ବିଷୟରେ ଯୋହନ ନିଜର ସୁସମାଚାର ବହିରେ ଲେଖିଲେ, ଯାହା ଆମେ ଯୋହନ ୧୭ ଅଧ୍ୟାୟରେ ପଢ଼ିପାରିବା ।
୨ ଏହି ଲେଖାରେ ଆମେ ଏହି ପ୍ରାର୍ଥନା ଉପରେ ଧ୍ୟାନ ଦେବା ଓ କିଛି ପ୍ରଶ୍ନର ଉତ୍ତର ଜାଣିବା । ଯେପରି, ଯୀଶୁଙ୍କୁ ନିଜ ମୃତ୍ୟୁ ପୂର୍ବରୁ କେଉଁ କଥା ପାଇଁ ଚିନ୍ତା ହେଉଥିଲା ? ଯେବେ ସେ ଏହି ପୃଥିବୀରେ ଥିଲେ, ତେବେ ତାଙ୍କ ପାଇଁ କେଉଁ କଥା ଅଧିକ ମହତ୍ତ୍ୱ ରଖୁଥିଲା ?
“ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି”
୩. ଯୀଶୁ ନିଜର ପ୍ରାର୍ଥନାରେ କʼଣ କହିଲେ ଓ ସେହି ପ୍ରାର୍ଥନାରେ ସେ କʼଣ କହିବା ପାଇଁ ଚାହୁଁଥିଲେ ? (ଯୋହନ ୧୭:୬, ୨୬)
୩ ଯୀଶୁ ନିଜର ପ୍ରାର୍ଥନାରେ କହିଲେ, “ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି ।” ଯୀଶୁ ଦୁଇଥର କହିଲେ ଯେ ସେ ନିଜର ଶିଷ୍ୟମାନଙ୍କୁ ଯିହୋବାଙ୍କର ନାମ ଜଣାଇଛନ୍ତି । (ଯୋହନ ୧୭:୬, ୨୬ ପଢ଼ନ୍ତୁ ।) ତାହେଲେ ଏଠାରେ ଯୀଶୁ କʼଣ କହିବା ପାଇଁ ଚାହୁଁଥିଲେ ? କʼଣ ସେ ଏହା କହିବା ପାଇଁ ଚାହୁଁଥିଲେ ଯେ ତାଙ୍କର ଶିଷ୍ୟମାନେ ଯିହୋବାଙ୍କର ନାମ ଜାଣି ନାହାନ୍ତି ? ନୁହଁ, ଯୀଶୁଙ୍କ ଶିଷ୍ୟମାନେ ଯିହୁଦୀ ଥିଲେ ଓ ସେମାନଙ୍କୁ ଈଶ୍ୱରଙ୍କ ନାମ ଯିହୋବା ବୋଲି ଜଣାଥିଲା । ତାʼସହ ଏବ୍ରୀ ଶାସ୍ତ୍ରରେ ପ୍ରାୟ ୭,୦୦୦ରୁ ବି ଅଧିକ ଥର ଯିହୋବାଙ୍କର ନାମ ଦିଆଯାଇଛି । ତେଣୁ ଯେବେ ଯୀଶୁ କହିଲେ ଯେ “ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି,” ତେବେ ପ୍ରକୃତରେ ସେ କହୁଥିଲେ ଯେ ମୁଁ ସେମାନଙ୍କୁ ଶିଖାଇଛି ଯେ ଯିହୋବା କିପରି ଈଶ୍ୱର ଅଟନ୍ତି, ତାଙ୍କ ଭିତରେ କେଉଁ ଗୁଣଗୁଡ଼ିକ ରହିଛି, ସେ ପୃଥିବୀ ପାଇଁ ଓ ମଣିଷମାନଙ୍କ ପାଇଁ କʼଣ ଭାବିଛନ୍ତି, ସେ ଏବେ ପର୍ଯ୍ୟନ୍ତ କʼଣ କରିଛନ୍ତି ଓ ଆଗକୁ କʼଣ କରିବେ । ଯିହୋବାଙ୍କ ବିଷୟରେ ଏସବୁ କଥା ସବୁଠୁ ଭଲଭାବେ ଯୀଶୁ ହିଁ ବୁଝାଇ ପାରିଥାʼନ୍ତେ ।
୪-୫. (କ) ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ଯେ ଜଣେ ବ୍ୟକ୍ତିଙ୍କୁ ଜାଣିଲେ କିପରି ଆମ ଦୃଷ୍ଟିରେ ତାଙ୍କର ନାମର ମହତ୍ତ୍ୱ ବଦଳି ଯାଏ ? (ଖ) ଯୀଶୁଙ୍କ ଶିଷ୍ୟମାନେ ଯିହୋବାଙ୍କ ନାମର ମହତ୍ତ୍ୱ କିପରି ବୁଝିପାରିଲେ ?
୪ ଭାବନ୍ତୁ, ଆପଣଙ୍କ ମଣ୍ଡଳୀରେ ଡେୱିଡ୍ ନାମକ ଜଣେ ପ୍ରାଚୀନ ଅଛନ୍ତି, ଯିଏ ବଡ଼ ଡାକ୍ତର ବି ଅଟନ୍ତି । ଆପଣ ତାଙ୍କୁ ଅନେକ ବର୍ଷରୁ ଜାଣନ୍ତି । ଦିନେ ହଠାତ୍ ଆପଣଙ୍କର ଦେହ ବହୁତ ଖରାପ ହୋଇଯାଏ ଓ ଆପଣଙ୍କୁ ସେହି ହସ୍ପିଟାଲ ନିଆଯାଏ ଯେଉଁଠି ସେ କାମ କରନ୍ତି । ସେ ଆପଣଙ୍କର ଚିକିତ୍ସା କରନ୍ତି ଓ ଆପଣଙ୍କର ଜୀବନ ରକ୍ଷା କରନ୍ତି । ଏହି ଘଟଣା ପରେ ଆପଣ ଯେବେ ବି ଡେୱିଡ୍ଙ୍କ ନାମ ଶୁଣିବେ, ତେବେ ଆପଣ କʼଣ ଭାବିବେ ? କʼଣ ଆପଣ କେବଳ ଏତିକି ଭାବିବେ ଯେ ସେ ଆପଣଙ୍କ ମଣ୍ଡଳୀର ଜଣେ ପ୍ରାଚୀନ ? ନୁହଁ, ଆପଣ ଏହା ବି ଭାବିବେ ଯେ ସେ କେତେ ଭଲ ଡାକ୍ତର ଯିଏ ଆପଣଙ୍କର ଜୀବନ ରକ୍ଷା କରିଥିଲେ ।
୫ ଠିକ୍ ସେହିପରି ଯୀଶୁଙ୍କ ଶିଷ୍ୟମାନେ ଈଶ୍ୱରଙ୍କର ନାମ ପୂର୍ବରୁ ଜାଣିଥିଲେ । କିନ୍ତୁ ଯେବେ ଯୀଶୁ ପୃଥିବୀରେ ଆସିଲେ ଓ ଯିହୋବାଙ୍କର ସେବା କରିବା ଆରମ୍ଭ କଲେ, ତେବେ ଶିଷ୍ୟମାନେ ଯିହୋବାଙ୍କ ନାମର ମହତ୍ତ୍ୱ ବୁଝିପାରିଲେ । ଆମେ କାହିଁକି ଏପରି କହିପାରିବା ? କାରଣ ଯୀଶୁ ପୂରାପୂରି ନିଜର ପିତାଙ୍କ ଭଳି ଅଟନ୍ତି, ତେଣୁ ସେ ଯାହା କହିଲେ ଓ ଯାହା କରିଲେ ସେଥିରୁ ଶିଷ୍ୟମାନେ ସ୍ପଷ୍ଟ ଦେଖିପାରିଲେ ଯେ ତାଙ୍କର ପିତା ଯିହୋବା କିପରି ଅଟନ୍ତି । ଯୀଶୁଙ୍କର ଶିକ୍ଷାଗୁଡ଼ିକୁ ଶୁଣି ଓ ତାଙ୍କର ବ୍ୟବହାର ଦେଖି ଶିଷ୍ୟମାନେ ଯିହୋବାଙ୍କୁ ଆହୁରି ଭଲଭାବରେ ‘ଜାଣିପାରିଲେ ।’—ଯୋହ. ୧୪:୯; ୧୭:୩.
‘ତୁମ୍ଭ ନାମରେ ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ’
୬. ଯେବେ ଯୀଶୁ କହିଲେ ଯେ “ନାମ ତୁମ୍ଭେ ମୋତେ ଦେଇଅଛ,” ତେବେ ସେ କʼଣ କହିବା ପାଇଁ ଚାହୁଁଥିଲେ ? (ଯୋହନ ୧୭:୧୧, ୧୨)
୬ ଯୀଶୁ ନିଜର ଶିଷ୍ୟମାନଙ୍କ ବିଷୟରେ ନିଜ ପିତାଙ୍କୁ ପ୍ରାର୍ଥନାରେ କହିଲେ, “ତୁମ୍ଭ ନାମରେ ସେମାନଙ୍କୁ ରକ୍ଷା କର (ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ) ।” (ଯୋହନ ୧୭:୧୧, ୧୨ ପଢ଼ନ୍ତୁ ।) ତାହେଲେ ଯେବେ ଯୀଶୁ ଯିହୋବାଙ୍କୁ କହିଲେ ଯେ “ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ,” ତେବେ କʼଣ ସେ ଏହା କହିବା ପାଇଁ ଚାହୁଁଥିଲେ ଯେ ତାଙ୍କର ନାମ ବଦଳି ଯାଇଛି ଓ ତାଙ୍କୁ ଯିହୋବା ବୋଲି ଡକାଯାଉ । ନୁହଁ । ଧ୍ୟାନ ଦିଅନ୍ତୁ ଯେ ଯୀଶୁ ଯିହୋବାଙ୍କୁ କହିଲେ ଯେ “ତୁମ୍ଭ ନାମରେ” ସେମାନଙ୍କୁ ରକ୍ଷା କର । ଏଥିରୁ ଜଣାପଡ଼େ ଯେ ଯୀଶୁଙ୍କ ନାମ ବଦଳି ଯିହୋବା ହୋଇଯାଇ ନ ଥିଲା । ତାହେଲେ ଯୀଶୁ କାହିଁକି କହିଲେ, “ନାମ ତୁମ୍ଭେ ମୋତେ ଦେଇଅଛ ?” କାରଣ ଯୀଶୁ ଯିହୋବାଙ୍କର ପ୍ରତିନିଧି ଥିଲେ ଓ ସେ ତାଙ୍କ ତରଫରୁ କହୁଥିଲେ । ସେ ନିଜର ପିତାଙ୍କ ନାମରୁ ଆସିଥିଲେ ଓ ତାଙ୍କ ନାମରୁ ବଡ଼ ବଡ଼ ଚମତ୍କାର କରିଥିଲେ । (ଯୋହ. ୫:୪୩; ୧୦:୨୫) ତାʼସହ ଯୀଶୁଙ୍କ ନାମର ଅର୍ଥ ହେଉଛି, “ଯିହୋବା ଉଦ୍ଧାର ଅଟନ୍ତି,” ଏଥିରୁ ଜଣାପଡ଼େ ଯେ ଯୀଶୁଙ୍କ ନାମର ଅର୍ଥରେ ଯିହୋବାଙ୍କର ନାମ ବି ସାମିଲ୍ । ତେଣୁ ସେ କହିଲେ ଯେ ପିତା ମୋତେ ନିଜର ନାମ ଦେଇଛନ୍ତି ।
୭. ଆମେ କାହିଁକି କହିପାରିବା ଯେ ଯୀଶୁ ଯିହୋବାଙ୍କ ତରଫରୁ କହୁଥିଲେ ? ଉଦାହରଣ ଦିଅନ୍ତୁ ।
୭ ଜଣେ ରାଷ୍ଟ୍ରଦୂତ ନିଜ ଦେଶର ରାଷ୍ଟ୍ରପତିଙ୍କ ପ୍ରତିନିଧି ଥାଏ । ସେ ତାଙ୍କ ତରଫରୁ ସେଠାକୁ ଯାଏ ଓ ତାଙ୍କ ତରଫରୁ କହେ । ସେ ଯାହା ବି କହେ, ତାହା ସେହି କଥା ଥାଏ ଯାହା ରାଷ୍ଟ୍ରପତି କହିବା ପାଇଁ ଚାହାନ୍ତି । ସେହିପରି ଯୀଶୁ ଯିହୋବାଙ୍କର ପ୍ରତିନିଧି ଥିଲେ ଓ ତାଙ୍କ ତରଫରୁ ଆସିଥିଲେ । ତେଣୁ ସେ ଯାହା ବି କହିଲେ, ତାହା ସେହି କଥା ଥିଲା ଯାହା ଯିହୋବା କହିବା ପାଇଁ ଚାହୁଁଥିଲେ ।—ମାଥି. ୨୧:୯; ଲୂକ ୧୩:୩୫.
୮. ଯୀଶୁଙ୍କର ଏହି ପୃଥିବୀରେ ଆସିବା ପୂର୍ବରୁ ଯିହୋବା ଏପରି କାହିଁକି କହିଲେ, ‘ତାହାଙ୍କଠାରେ ମୋର ନାମ ଅଛି ?’ (ଯାତ୍ରା ପୁସ୍ତକ ୨୩:୨୦, ୨୧)
୮ ଯୀଶୁ ଯିହୋବାଙ୍କ ତରଫରୁ କହୁଥିଲେ, ତେଣୁ ତାଙ୍କୁ “ବାକ୍ୟ” ମଧ୍ୟ କୁହାଯାଇଛି । ସେ ସ୍ୱର୍ଗଦୂତ ଓ ମଣିଷମାନଙ୍କ ଯାଏ ଯିହୋବାଙ୍କର ସନ୍ଦେଶ ପହଞ୍ଚାଉଥିଲେ ଓ ତାଙ୍କ ତରଫରୁ ପରାମର୍ଶ ଦେଉଥିଲେ । (ଯୋହ. ୧:୧-୩) ଏପରି ଜଣାପଡ଼େ ଯେ ପ୍ରାନ୍ତରରେ ଇସ୍ରାଏଲୀୟମାନଙ୍କର ସୁରକ୍ଷା କରିବା ଓ ସେମାନଙ୍କୁ ବାଟ ଦେଖାଇବା ପାଇଁ ଯିହୋବା ଯେଉଁ ସ୍ୱର୍ଗଦୂତଙ୍କୁ ପଠାଇଥିଲେ, ସେ ଯୀଶୁ ହିଁ ଥିଲେ । ଯିହୋବା ଇସ୍ରାଏଲୀୟମାନଙ୍କୁ ସେହି ସ୍ୱର୍ଗଦୂତଙ୍କର କଥା ମାନିବା ପାଇଁ କହିଥିଲେ । ଯିହୋବା କହିଲେ, ‘ତାହାଙ୍କଠାରେ ଆମ୍ଭର [“ମୋର,” NWT] ନାମ ଅଛି ।’a (ଯାତ୍ରା ପୁସ୍ତକ ୨୩:୨୦, ୨୧ ପଢ଼ନ୍ତୁ ।) ଏଥିରୁ ଜଣାପଡ଼େ ଯେ ଯୀଶୁ ଯିହୋବାଙ୍କର ‘ନାମରେ’ ଅର୍ଥାତ୍ ତାଙ୍କ ତରଫରୁ କହୁଥିଲେ । ଆଉ ଯିହୋବାଙ୍କର ନାମକୁ ପବିତ୍ର କରିବା ଓ ତାଙ୍କର ନାମରେ ଲାଗିଥିବା ଆରୋପକୁ ମିଛ ସାବ୍ୟସ୍ତ କରିବାରେ ଯୀଶୁଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା ।
“ପିତଃ, ଆପଣା ନାମ ମହିମାନ୍ୱିତ କର”
୯. ଯୀଶୁଙ୍କ ପାଇଁ ଯିହୋବାଙ୍କର ନାମ କେତେ ମହତ୍ତ୍ୱ ରଖୁଥିଲା ? ବୁଝାନ୍ତୁ ।
୯ ଯେପରି ଆମେ ଦେଖିଲୁ ଯେ ପୃଥିବୀରେ ଆସିବା ପୂର୍ବରୁ ଯୀଶୁଙ୍କ ପାଇଁ ଯିହୋବାଙ୍କର ନାମ ବହୁତ ମହତ୍ତ୍ୱ ରଖୁଥିଲା । ଆଉ ପୃଥିବୀରେ ଥିବା ସମୟରେ ମଧ୍ୟ ଯୀଶୁ ଯିହୋବାଙ୍କର ନାମକୁ ବହୁତ ମହତ୍ତ୍ୱ ଦେଉଥିଲେ । ସେ ଯାହା ବି କଲେ, ସେଥିରୁ ଦେଖାଇଲେ ଯେ ସେ ଯିହୋବାଙ୍କର ନାମକୁ କେତେ ମହତ୍ତ୍ୱ ଦିଅନ୍ତି । ସେ ନିଜ ସେବାର ଶେଷ ସମୟରେ କହିଲେ, “ପିତଃ, ଆପଣା ନାମ ମହିମାନ୍ୱିତ କର ।” ଏହାପରେ ତୁରନ୍ତ ଯିହୋବା ସ୍ୱର୍ଗରୁ ଜୋରଦାର୍ ଆବାଜ୍ରେ କହିଲେ, ‘ଆମ୍ଭେ [“ମୁଁ,” NWT] ତାହା ମହିମାନ୍ୱିତ କରିଅଛି, ଆଉ ପୁନର୍ବାର ମହିମାନ୍ୱିତ କରିବି ।’—ଯୋହ. ୧୨:୨୮.
୧୦-୧୧. (କ) ଯୀଶୁ କିପରି ଯିହୋବାଙ୍କ ନାମର ମହିମା କଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।) (ଖ) ଯିହୋବାଙ୍କର ନାମକୁ ପବିତ୍ର କରିବା କାହିଁକି ଜରୁରୀ ?
୧୦ ଯୀଶୁ ମଧ୍ୟ ନିଜ ପିତାଙ୍କ ନାମର ମହିମା କଲେ । କିପରି ? ସେ ଲୋକମାନଙ୍କୁ କହିଲେ ଯେ ଯିହୋବା କେତେ ଭଲ ଈଶ୍ୱର ଅଟନ୍ତି ଓ ସେ ମଣିଷମାନଙ୍କ ପାଇଁ କେତେ ଅଦ୍ଭୁତ କାମ କରିଛନ୍ତି । କିନ୍ତୁ ତାଙ୍କ ନାମର ମହିମା କରିବା ପାଇଁ ଏହା ବି ଜରୁରୀ ଥିଲା ଯେ ତାଙ୍କ ନାମକୁ ପବିତ୍ର କରାଯାଉ ଓ ତାଙ୍କ ଉପରେ ଲାଗିଥିବା ଆରୋପକୁ ମିଛ ସାବ୍ୟସ୍ତ କରାଯାଉ । ଏହା ଯୀଶୁଙ୍କ ପାଇଁ କେତେ ମହତ୍ତ୍ୱ ରଖୁଥିଲା, ତାହା ଆମକୁ ଆଦର୍ଶ ପ୍ରାର୍ଥନାରୁ ଜଣାପଡ଼େ, ଯାହା ସେ ନିଜର ଶିଷ୍ୟମାନଙ୍କୁ ଶିଖାଇଥିଲେ । ସେ କହିଥିଲେ, “ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ ।”—ମାଥି. ୬:୯.
୧୧ ଯିହୋବାଙ୍କର ନାମକୁ ପବିତ୍ର କରିବା କାହିଁକି ଜରୁରୀ ? କାରଣ ଏଦନ ଉଦ୍ୟାନରେ ଶୟତାନ ଯିହୋବାଙ୍କୁ ଅପମାନ କଲା ଓ ତାଙ୍କ ଉପରେ ମିଛ ଆରୋପ ଲଗାଇଲା । ସେ ଏହା ଦାବି କଲା ଯେ ଯିହୋବା ମିଛ କହନ୍ତି ଓ ଆଦମ ଓ ହବାକୁ ଭଲ ଜିନିଷଗୁଡ଼ିକରୁ ଦୂରେଇ ରଖନ୍ତି । (ଆଦି. ୩:୧-୫) ସେ ଏହା ବି ଦାବି କଲା ଯେ ଯିହୋବା ଭଲଭାବରେ ଶାସନ କରନ୍ତି ନାହିଁ । ଶୟତାନର ଏହି ମିଛ ଯୋଗୁଁ ହୁଏତ ଲୋକମାନଙ୍କୁ ଲାଗନ୍ତା ଯେ ଯିହୋବା ଜଣେ ଭଲ ଈଶ୍ୱର ନୁହନ୍ତି । ଆଗକୁ ଯାଇ ଆୟୁବଙ୍କ ସମୟରେ ସେ ମଣିଷମାନଙ୍କ ଉପରେ ବି ଏହା ମିଛ ଆରୋପ ଲଗାଇଲା ଯେ ସେମାନେ ସ୍ୱାର୍ଥୀ ଅଟନ୍ତି ଓ ସେମାନେ କେବଳ ନିଜର ଲାଭ ପାଇଁ ଯିହୋବାଙ୍କର ସେବା କରନ୍ତି । ସେ ଏହା ବି ଦାବି କଲା ଯେ ସେମାନେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ । ଯଦି ସେମାନଙ୍କର ଜୀବନରେ କୌଣସି ସମସ୍ୟା ଆସେ, ତାହେଲେ ସେମାନେ ଯିହୋବାଙ୍କର ସେବା କରିବା ଛାଡ଼ି ଦେବେ । (ଆୟୁ. ୧:୯-୧୧; ୨:୪) ଏହା ଏକ ବଡ଼ ମାମଲା ଥିଲା ତେଣୁ କିଏ ସତ, ଶୟତାନ ନା ଯିହୋବା, ଏହା ପ୍ରମାଣିତ କରିବା ପାଇଁ ସମୟ ଲାଗନ୍ତା ।
ଯୀଶୁ ନିଜର ଶିଷ୍ୟମାନଙ୍କୁ ଶିଖାଇଲେ ଯେ ଈଶ୍ୱରଙ୍କ ନାମ ପବିତ୍ର କରିବା ନିହାତି ଜରୁରୀ (ପାରାଗ୍ରାଫ ୧୦)
‘ମୁଁ ମୋହର ପ୍ରାଣ ଦାନ କରେ’
୧୨. ଯୀଶୁ, ଯିହୋବାଙ୍କର ନାମକୁ ବହୁତ ପ୍ରେମ କରୁଥିଲେ, ତେଣୁ ସେ କʼଣ କରିବା ପାଇଁ ପ୍ରସ୍ତୁତ ଥିଲେ ?
୧୨ ଯୀଶୁ ନିଜର ପିତା ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ । ସେ ଯେକୌଣସି ପରିସ୍ଥିତିରେ ବି ତାଙ୍କର ନାମକୁ ପବିତ୍ର କରିବା ପାଇଁ ଓ ତାଙ୍କ ଉପରେ ଲାଗିଥିବା ଆରୋପକୁ ମିଛ ସାବ୍ୟସ୍ତ କରିବା ପାଇଁ ଚାହୁଁଥିଲେ । ଏଥିପାଇଁ ଯୀଶୁ କʼଣ କରିବାକୁ ପ୍ରସ୍ତୁତ ଥିଲେ ? ସେ କହିଲେ, ‘ମୁଁ ମୋହର ପ୍ରାଣ ଦାନ କରେ ।’ (ଯୋହ. ୧୦:୧୭, ୧୮) ନିଜ ପିତାଙ୍କ ପାଇଁ ସେ ମୃତ୍ୟୁଭୋଗ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ ।b ଆଦମ ଓ ହବା ପରିପୂର୍ଣ୍ଣ ଥିବା ସତ୍ତ୍ୱେ ଯିହୋବାଙ୍କର ଆଜ୍ଞା ମାନିଲେ ନାହିଁ ଓ ଶୟତାନର ପକ୍ଷ ନେଲେ । କିନ୍ତୁ ନିଜ ପିତାଙ୍କ ପାଇଁ ପ୍ରେମ ଥିବା ଯୋଗୁଁ ଯୀଶୁ ଖୁସିର ସହ ଏହି ପୃଥିବୀକୁ ଆସିଲେ ଏବଂ ସେ ସବୁବେଳେ ତାଙ୍କର ଆଜ୍ଞା ମାନିଲେ । (ଏବ୍ରୀ ୪:୧୫; ୫:୭-୧୦) ସେ ଯାତନା ଖୁଣ୍ଟରେ ଥାଇ ମଧ୍ୟ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଯିହୋବାଙ୍କର ବିଶ୍ୱସ୍ତ ରହିଲେ । (ଏବ୍ରୀ ୧୨:୨) ଏପରି ଭାବେ ସେ ପ୍ରମାଣିତ କଲେ ଯେ ସେ ଯିହୋବାଙ୍କୁ ଓ ତାଙ୍କର ନାମକୁ କେତେ ପ୍ରେମ କରନ୍ତି ।
୧୩. କେବଳ ଯୀଶୁ ହିଁ କାହିଁକି ସବୁଠୁ ଭଲଭାବେ ଏହା ପ୍ରମାଣିତ କରିପାରନ୍ତେ ଯେ ଶୟତାନର ଦାବି ମିଛ ଥିଲା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୩ ଯୀଶୁ ଯେପରି ଭାବେ ନିଜ ଜୀବନ ବିତାଇଲେ, ସେଥିରୁ ଏହା ପ୍ରମାଣିତ ହୋଇଗଲା ଯେ ଶୟତାନ ମିଛ କହୁଥିଲା, ଯିହୋବା ନୁହେଁ ! (ଯୋହ. ୮:୪୪) ଯିହୋବାଙ୍କ ବିଷୟରେ ଯୀଶୁ ଯେତେ ଭଲଭାବେ ଜାଣନ୍ତି, ସେତେ ଆଉ ଅନ୍ୟ କେହି ବି ଜାଣି ନାହାନ୍ତି । ଶୟତାନ ଯିହୋବାଙ୍କ ଉପରେ ଯେଉଁ ମିଛ ଆରୋପ ଲଗାଇଥିଲା, ସେମଧ୍ୟରୁ ଯଦି ଗୋଟିଏ ବି କଥା ସତ ଥାʼନ୍ତା ତାହେଲେ ଯୀଶୁ ଏବିଷୟରେ ଜାଣିଥାʼନ୍ତେ । କିନ୍ତୁ ଯୀଶୁ ଏହା ଭଲଭାବେ ଜାଣିଥିଲେ ଯେ ଶୟତାନର ଦାବି ମିଛ ଅଟେ, ତେଣୁ ସେ ଯିହୋବାଙ୍କର ପକ୍ଷ ନେଲେ ଓ ତାଙ୍କର ନାମକୁ ପବିତ୍ର କରିବାରେ ଲାଗି ରହିଲେ । ଯେବେ ଯୀଶୁ ଯାତନା ଖୁଣ୍ଟରେ ଥିଲେ, ତେବେ ତାଙ୍କୁ ଅନୁଭବ ହେଲା ଯେ ଯିହୋବା ତାଙ୍କୁ ଛାଡ଼ି ଦେଇଛନ୍ତି, ତଥାପି ସେ ନିଜର ଜୀବନ ଦେବାରୁ ପଛଘୁଞ୍ଚା ଦେଲେ ନାହିଁ । ସେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଯିହୋବାଙ୍କର ବିଶ୍ୱସ୍ତ ରହିଲେ ।—ମାଥି. ୨୭:୪୬.c
ଯୀଶୁ ଯେପରି ଭାବେ ଜୀବନ ବିତାଇଲେ, ସେଥିରୁ ସେ ପ୍ରମାଣିତ କଲେ ଯେ ଶୟତାନ ମିଛ କହେ, ଯିହୋବା ନୁହେଁ ! (ପାରାଗ୍ରାଫ ୧୩)
‘ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରିଅଛି’
୧୪. ଯିହୋବାଙ୍କର ବିଶ୍ୱସ୍ତ ରହିବା ଯୋଗୁଁ ଯୀଶୁଙ୍କୁ କʼଣ ପୁରସ୍କାର ମିଳିଲା ?
୧୪ ନିଜ ମୃତ୍ୟୁର ଗୋଟିଏ ରାତି ପୂର୍ବେ ଯୀଶୁ ପ୍ରାର୍ଥନାରେ ଯିହୋବାଙ୍କୁ କହିଲେ, ‘ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରିଅଛି ।’ ଯୀଶୁଙ୍କୁ ପୂରା ଭରସା ଥିଲା ଯେ ଯିହୋବା ତାଙ୍କର ବିଶ୍ୱସ୍ତତା ପାଇଁ ତାଙ୍କୁ ପୁରସ୍କାର ଦେବେ । (ଯୋହ. ୧୭:୪, ୫) ଯିହୋବା ଏପରି ହିଁ କଲେ । ସେ ଯୀଶୁଙ୍କୁ କବରରେ ଛାଡ଼ିଲେ ନାହିଁ, ବରଂ ସେ ତାଙ୍କୁ ଜୀବିତ କଲେ ଓ ତାଙ୍କୁ ସ୍ୱର୍ଗରେ ଆଗ ଅପେକ୍ଷା ଅଧିକ ଉଚ୍ଚ ପଦବୀ ଦେଲେ । (ପ୍ରେରି. ୨:୨୩, ୨୪; ଫିଲିପ୍. ୨:୮, ୯) ଆଗକୁ ଯାଇ ଯିହୋବା ଯୀଶୁଙ୍କୁ ନିଜ ରାଜ୍ୟର ରାଜା କଲେ । ଏହି ରାଜ୍ୟ କʼଣ କରିବ ? ଯୀଶୁ ଆଦର୍ଶ ପ୍ରାର୍ଥନାରେ କହିଲେ, “ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେପରି ପୃଥିବୀରେ ତୁମ୍ଭର ଇଚ୍ଛା [ଯିହୋବାଙ୍କର ଇଚ୍ଛା] ସଫଳ ହେଉ ।”—ମାଥି. ୬:୧୦.
୧୫. ଯୀଶୁ ଆଗକୁ କʼଣ କରିବେ ?
୧୫ ଆଗକୁ ଯାଇ ଯୀଶୁ ହର୍ମିଗିଦ୍ଦୋନ୍ ଯୁଦ୍ଧରେ ଯିହୋବାଙ୍କର ଶତ୍ରୁମାନଙ୍କ ସହ ଲଢ଼ିବେ ଓ ଦୁଷ୍ଟ ଲୋକମାନଙ୍କୁ ବିନାଶ କରିଦେବେ । (ପ୍ରକା. ୧୬:୧୪, ୧୬; ୧୯:୧୧-୧୬) ଏହାପରେ ଯୀଶୁ, ଶୟତାନକୁ “ପାତାଳକୁଣ୍ଡରେ” ଫିଙ୍ଗିଦେବେ ଓ ସେଠାରୁ ସେ କିଛି ବି କରିପାରିବ ନାହିଁ । (ପ୍ରକା. ୨୦:୧-୩) ଯୀଶୁ ନିଜର ହଜାର ବର୍ଷର ଶାସନ ସମୟରେ ସାରା ପୃଥିବୀରେ ଶାନ୍ତି ଆଣିବେ ଏବଂ ସମସ୍ତ ମଣିଷମାନଙ୍କୁ ପରିପୂର୍ଣ୍ଣ କରିଦେବେ । ସେ ମୃତ ଲୋକମାନଙ୍କୁ ଜୀବିତ କରିବେ ଓ ସାରା ପୃଥିବୀକୁ ପାରଦୀଶ କରିଦେବେ । ଏପରି କଲାପରେ ଯିହୋବାଙ୍କର ସେହି ଉଦ୍ଦେଶ୍ୟ ପୂରା ହେବ, ଯାହା ସେ ପୃଥିବୀ ପାଇଁ ଓ ମଣିଷମାନଙ୍କ ପାଇଁ କରିଥିଲେ ।—ପ୍ରକା. ୨୧:୧-୪.
୧୬. ଯୀଶୁଙ୍କ ହଜାର ବର୍ଷର ଶାସନ ଶେଷ ହେଉ ହେଉ କʼଣ ହୋଇସାରିଥିବ ?
୧୬ ଯୀଶୁଙ୍କ ହଜାର ବର୍ଷର ଶାସନ ଶେଷ ହେଉ ହେଉ କʼଣ ହୋଇସାରିଥିବ ? ମଣିଷମାନଙ୍କର ପାପ ଓ ଅପରିପୂର୍ଣ୍ଣତା ପୂରାପୂରି ଶେଷ ହୋଇସାରିଥିବ । ଆମକୁ ମୁକ୍ତିର ମୂଲ୍ୟ ଆଧାରରେ ନିଜ ପାପଗୁଡ଼ିକର କ୍ଷମା ମାଗିବାକୁ ପଡ଼ିବ ନାହିଁ । ତାʼସହ ଯିହୋବାଙ୍କ ସହ ସମ୍ପର୍କ ଗଢ଼ିବା ପାଇଁ ଆମକୁ ଯୀଶୁଙ୍କ ଭଳି କୌଣସି ମଧ୍ୟସ୍ଥ ବା ୧,୪୪,୦୦୦ ଜଣ ଯାଜକମାନଙ୍କର ଆବଶ୍ୟକ ପଡ଼ିବ ନାହିଁ । ଆମର “ଶେଷ ଶତ୍ରୁ ସ୍ୱରୂପେ ମୃତ୍ୟୁକୁ ଲୋପ କରାଯିବ,” ଯାହା ଆମକୁ ଆଦମଠାରୁ ମିଳିଥିଲା । ସମସ୍ତ କବର ଖାଲି ହୋଇଯିବ ଅର୍ଥାତ୍ ମୃତ ଲୋକମାନେ ଜୀବିତ ହୋଇ ସାରିଥିବେ ଏବଂ ପୃଥିବୀରେ ସମସ୍ତ ମଣିଷ ପରିପୂର୍ଣ୍ଣ ହୋଇ ସାରିଥିବେ ।—୧ କରି. ୧୫:୨୫, ୨୬.
୧୭-୧୮. (କ) ଖ୍ରୀଷ୍ଟଙ୍କ ହଜାର ବର୍ଷ ଶାସନର ଶେଷରେ କʼଣ ହେବ ? (ଖ) ଯୀଶୁ ନିଜର ହଜାର ବର୍ଷର ଶାସନ ପରେ କʼଣ କରିବେ ? (୧ କରିନ୍ଥୀୟ ୧୫:୨୪, ୨୮) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୭ ଯୀଶୁଙ୍କ ହଜାର ବର୍ଷର ଶାସନ ପରେ କʼଣ ହେବ ? ସେସମୟରେ କିଛି ଖାସ୍ ହେବ । ଯିହୋବାଙ୍କର ନାମ ପବିତ୍ର କରାଯିବ । ଅନେକ ବର୍ଷରୁ ଯିହୋବାଙ୍କର ନାମକୁ ନେଇ ଯେଉଁ ସମସ୍ୟା ଥିଲା, ତାହା ସବୁଦିନ ପାଇଁ ଶେଷ ହୋଇଯିବ । ଆମେ ଏପରି କାହିଁକି କହିପାରିବା ? ଏଦନ ବଗିଚାରେ ଶୟତାନ ଦାବି କରିଥିଲା ଯେ ଯିହୋବା ମିଛ କହନ୍ତି, ସେ ଭଲ ରାଜା ନୁହନ୍ତି ଏବଂ ଲୋକମାନଙ୍କୁ ପ୍ରେମ କରନ୍ତି ନାହିଁ । କିନ୍ତୁ ସେହି ସମୟଠାରୁ ଏବେ ପର୍ଯ୍ୟନ୍ତ ଯିହୋବାଙ୍କୁ ପ୍ରେମ କରୁଥିବା ଓ ତାଙ୍କୁ ଆଦର କରୁଥିବା ଅନେକ ଲୋକ ତାଙ୍କର ନାମକୁ ପବିତ୍ର କରିଛନ୍ତି । ଖ୍ରୀଷ୍ଟଙ୍କ ହଜାର ବର୍ଷର ଶାସନ ପରେ ଯିହୋବା ନିଜ ନାମକୁ ପୂରାପୂରି ଭାବେ ପବିତ୍ର କରିଦେବେ ଓ ପ୍ରମାଣିତ କରିଦେବେ ଯେ ସେ ଜଣେ ପ୍ରେମମୟୀ ପିତା ଅଟନ୍ତି ।
୧୮ ଶେଷରେ ଏହା ପ୍ରମାଣିତ ହୋଇଯିବ ଯେ ଶୟତାନ ଯିହୋବାଙ୍କ ଉପରେ ଯେଉଁ ଆରୋପ ଲଗାଇଥିଲା, ତାହା ମିଛ ଅଟେ । ତାʼପରେ ଯୀଶୁ ନିଜର ହଜାର ବର୍ଷର ଶାସନ ପରେ କʼଣ କରିବେ ? କʼଣ ସେ ଶୟତାନ ଭଳି ଯିହୋବାଙ୍କ ସହ ବିଦ୍ରୋହ କରିବେ ? କଦାପି ନୁହେଁ । (୧ କରିନ୍ଥୀୟ ୧୫:୨୪, ୨୮ ପଢ଼ନ୍ତୁ ।) ସେ ତାଙ୍କର ରାଜ୍ୟ ଯିହୋବାଙ୍କୁ ଦେଇ ଦେବେ ଏବଂ ତାଙ୍କ ଅଧୀନରେ ହୋଇଯିବେ । ଯୀଶୁ ଯିହୋବାଙ୍କୁ ବହୁତ ପ୍ରେମ କରନ୍ତି, ତେଣୁ ସେ ଖୁସିର ସହ ସବୁକିଛି ଯିହୋବାଙ୍କୁ ଦେଇ ଦେବେ ।
ଯୀଶୁ ନିଜର ହଜାର ବର୍ଷର ଶାସନ ପରେ ଖୁସିର ସହ ଯିହୋବାଙ୍କୁ ତାଙ୍କର ରାଜ୍ୟ ଦେଇ ଦେବେ (ପାରାଗ୍ରାଫ ୧୮)
୧୯. ଯୀଶୁଙ୍କ ପାଇଁ ଯିହୋବାଙ୍କର ନାମ କେତେ ମହତ୍ତ୍ୱ ରଖୁଥିଲା ?
୧୯ ଆମେ ଜାଣିଲୁ ଯେ ଯିହୋବା କାହିଁକି ଯୀଶୁଙ୍କୁ ନିଜର ନାମ ଦେଲେ । ଯୀଶୁ, ନିଜ ପିତା ଯିହୋବାଙ୍କ ତରଫରୁ ଆସିଥିଲେ, ସେ ତାଙ୍କର ପ୍ରତିନିଧି ଥିଲେ ଓ ସେ ତାହା ହିଁ କଲେ ଯାହା ତାଙ୍କର ପିତା ଚାହୁଁଥିଲେ । ଯୀଶୁଙ୍କ ପାଇଁ ଯିହୋବାଙ୍କର ନାମ କେତେ ମହତ୍ତ୍ୱ ରଖୁଥିଲା ? ଯୀଶୁଙ୍କ ପାଇଁ ତାଙ୍କର ପିତାଙ୍କ ନାମ ସବୁଠାରୁ ଅଧିକ ମହତ୍ତ୍ୱ ରଖୁଥିଲା । ଏହି ନାମ ପାଇଁ ସେ ନିଜର ଜୀବନ ବି ଦେଇ ଦେଲେ ଏବଂ ନିଜର ହଜାର ବର୍ଷର ଶାସନ ପରେ ସେ ସବୁକିଛି ଯିହୋବାଙ୍କୁ ଦେଇ ଦେବେ । କିନ୍ତୁ ପ୍ରଶ୍ନ ଉଠେ, ଆମେ କିପରି ଯୀଶୁଙ୍କ ଭଳି ହୋଇପାରିବା ? ଏବିଷୟରେ ଆମେ ପରବର୍ତ୍ତୀ ଲେଖାରେ ଜାଣିବା ।
ଗୀତ ୧୮ ମୁକ୍ତି ପାଇଁ କୃତଜ୍ଞ
a ଯୀଶୁଙ୍କ ବ୍ୟତୀତ ଅନ୍ୟ ସ୍ୱର୍ଗଦୂତମାନେ ମଧ୍ୟ ଯିହୋବାଙ୍କର ନାମରୁ କିମ୍ବା ତାଙ୍କ ତରଫରୁ ଲୋକମାନଙ୍କୁ ସନ୍ଦେଶ ଦେଲେ । ବାଇବଲର କିଛି ଜାଗାରେ ସେହି ସ୍ୱର୍ଗଦୂତମାନଙ୍କ ବିଷୟରେ ଏପରି ଭାବେ ଲେଖାଅଛି ସତେ ଯେପରି ଯିହୋବା ହିଁ କଥା ହେଉଥିଲେ । (ଆଦି. ୧୮:୧-୩୩) ଯେପରି, କିଛି ପଦଗୁଡ଼ିକରୁ ଜଣାପଡ଼େ ଯେ ଯିହୋବା ନିଜେ ମୋଶାଙ୍କୁ ବ୍ୟବସ୍ଥା ଦେଲେ, କିନ୍ତୁ ଅନ୍ୟ ପଦଗୁଡ଼ିକରୁ ଜଣାପଡ଼େ ଯେ ଯିହୋବା ସ୍ୱର୍ଗଦୂତମାନଙ୍କ ଜରିଆରେ ତାଙ୍କ ପାଖକୁ ବ୍ୟବସ୍ଥା ପହଞ୍ଚାଇଲେ ।—ଲେବୀ. ୨୭:୩୪; ପ୍ରେରି. ୭:୩୮, ୫୩; ଗାଲା. ୩:୧୯; ଏବ୍ରୀ ୨:୨-୪.
b ଏହା ବ୍ୟତୀତ, ଯୀଶୁଙ୍କ ବଳିଦାନ ଯୋଗୁଁ ମଣିଷମାନଙ୍କୁ ଅନନ୍ତ ଜୀବନ ପାଇବାର ସୁଯୋଗ ମିଳିଲା ।
c ଏପ୍ରିଲ୍ ୨୦୨୧ ମସିହାର ପ୍ରହରୀଦୁର୍ଗର, ୩୦-୩୧ ପୃଷ୍ଠାରେ ଦିଆଯାଇଥିବା ଲେଖା, “ଆପଣଙ୍କ ପ୍ରଶ୍ନ” ପଢ଼ନ୍ତୁ ।