ଅଧ୍ୟୟନ ଲେଖା ୨୩
ଗୀତ ୨ ଯିହୋବା ତୋ ନାମ
ଯିହୋବାଙ୍କର ନାମ ଆପଣଙ୍କ ପାଇଁ କେତେ ମହତ୍ତ୍ୱ ରଖେ ?
‘ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭର [“ମୋର,” NWT] ସାକ୍ଷୀ ।’—ଯିଶା. ୪୩:୧୦.
କʼଣ ଶିଖିବା ?
ଆମେ କିପରି ଯିହୋବାଙ୍କର ନାମକୁ ପବିତ୍ର କରିପାରିବା ଓ ତାଙ୍କ ଉପରେ ଲାଗିଥିବା ଆରୋପକୁ ମିଛ ସାବ୍ୟସ୍ତ କରିପାରିବା ?
୧-୨. ଏହା କିପରି ଜଣାପଡ଼େ ଯେ ଯୀଶୁଙ୍କ ପାଇଁ ଯିହୋବାଙ୍କର ନାମ ବହୁତ ମହତ୍ତ୍ୱ ରଖେ ?
ଯିହୋବାଙ୍କର ନାମ ଯୀଶୁଙ୍କ ପାଇଁ ସବୁଠାରୁ ଅଧିକ ମହତ୍ତ୍ୱ ରଖୁଥିଲା ଏବଂ ଅନ୍ୟମାନଙ୍କୁ ଏହି ନାମ ଜଣାଇବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା । ଯେପରି ଆମେ ପୂର୍ବ ଲେଖାରେ ଦେଖିଲୁ, ଯିହୋବାଙ୍କର ନାମକୁ ପବିତ୍ର କରିବା ପାଇଁ ଯୀଶୁ ନିଜର ଜୀବନ ଦେଇ ଦେଲେ । (ମାର୍କ ୧୪:୩୬; ଏବ୍ରୀ ୧୦:୭-୯) ଏହା ପାଇଁ ସେ ଆଉ କʼଣ କରିବେ ? ଯୀଶୁ ନିଜର ହଜାର ବର୍ଷର ଶାସନ ପରେ ଖୁସିର ସହ ସମସ୍ତ ଅଧିକାର ଯିହୋବାଙ୍କୁ ଦେଇଦେବେ । (୧ କରି. ୧୫:୨୬-୨୮) ଯୀଶୁ ଯିହୋବାଙ୍କର ନାମ ପାଇଁ ଯାହା ବି କଲେ, ସେଥିରୁ ଜଣାପଡ଼େ ଯେ ସେ ନିଜର ପିତା ଯିହୋବାଙ୍କୁ ବହୁତ ପ୍ରେମ କରନ୍ତି ।
୨ ଯୀଶୁ ଏହି ପୃଥିବୀରେ ନିଜ ପିତାଙ୍କ ତରଫରୁ ଆସିଥିଲେ । (ଯୋହ. ୫:୪୩; ୧୨:୧୩) ସେ ନିଜର ଶିଷ୍ୟମାନଙ୍କୁ ଯିହୋବାଙ୍କର ନାମ ଜଣାଇଲେ । (ଯୋହ. ୧୭:୬, ୨୬) ସେ ନିଜର ପିତାଙ୍କ ନାମରୁ ଚମତ୍କାର କଲେ ଓ ଲୋକମାନଙ୍କୁ ଶିଖାଇଲେ । (ଯୋହ. ୧୦:୨୫) ନିଜର ଶିଷ୍ୟମାନଙ୍କ ବିଷୟରେ ସେ ଯିହୋବାଙ୍କୁ କହିଲେ, “ତୁମ୍ଭ ନାମରେ ସେମାନଙ୍କୁ ରକ୍ଷା କର ।” (ଯୋହ. ୧୭:୧୧) ଯିହୋବାଙ୍କର ନାମ ଯୀଶୁଙ୍କ ପାଇଁ ବହୁତ ମହତ୍ତ୍ୱ ରଖୁଥିଲା । ତାହେଲେ ଭାବନ୍ତୁ, ଯଦି କେହି ନିଜକୁ ଯୀଶୁଙ୍କର ଶିଷ୍ୟ ବୋଲି କହେ, ତାହେଲେ କʼଣ ତାକୁ ଯୀଶୁଙ୍କ ପିତାଙ୍କ ନାମ ଜଣାଥିବା ଉଚିତ୍ ନୁହେଁ ଓ ତାହାକୁ ବ୍ୟବହାର କରିବା ଉଚିତ୍ ନୁହେଁ ?
୩. ଏହି ଲେଖାରେ ଆମେ କʼଣ ଜାଣିବା ?
୩ ଆମେ ଯୀଶୁଙ୍କର ଶିଷ୍ୟ ଓ ଆମେ ମଧ୍ୟ ଯିହୋବାଙ୍କର ନାମକୁ ବହୁତ ପ୍ରେମ କରୁ । (୧ ପିତ. ୨:୨୧) ଏହି ଲେଖାରେ ଆମେ ଜାଣିବା ଯେ ଯେଉଁମାନେ “ରାଜ୍ୟର ଏହି ସୁସମାଚାର” ଶୁଣାନ୍ତି, ସେମାନଙ୍କୁ ଯିହୋବା କାହିଁକି ନିଜର ନାମ ଦେଇଛନ୍ତି । (ମାଥି. ୨୪:୧୪) ଆମେ ଏହା ବି ଜାଣିବା ଯେ ଯଦି ଆମ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ଯିହୋବାଙ୍କର ନାମ ମହତ୍ତ୍ୱ ରଖେ, ତାହେଲେ ଆମେ କʼଣ କରିବା ଉଚିତ୍ ।
ଏପରି ଲୋକେ ଯେଉଁମାନେ ଈଶ୍ୱରଙ୍କର ନାମରେ ପରିଚିତ
୪. (କ) ସ୍ୱର୍ଗ ଫେରିବାର ଠିକ୍ ପୂର୍ବେ ଯୀଶୁ ନିଜର ଶିଷ୍ୟମାନଙ୍କୁ କʼଣ କହିଲେ ? (ଖ) ଯୀଶୁ ଯାହା କହିଲେ, ସେଥିରୁ କʼଣ ପ୍ରଶ୍ନ ଉଠେ ?
୪ ସ୍ୱର୍ଗ ଫେରିବାର ଠିକ୍ ପୂର୍ବେ ଯୀଶୁ ନିଜର ଶିଷ୍ୟମାନଙ୍କୁ କହିଲେ, ‘ପବିତ୍ର ଶକ୍ତି ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତିପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୁଦା ପ୍ରଦେଶ ଓ ଶମିରୋଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ ।’ (ପ୍ରେରି. ୧:୮) ଏଥିରୁ ଜଣାପଡ଼େ ଯେ ଯୀଶୁଙ୍କର ଶିଷ୍ୟମାନଙ୍କୁ କେବଳ ଇସ୍ରାଏଲରେ ନୁହେଁ, ବରଂ ସାରା ଦୁନିଆରେ ପ୍ରଚାର କରିବାର ଥିଲା । ଏପରି କରିବା ଦ୍ୱାରା ପ୍ରତ୍ୟେକ ରାଷ୍ଟ୍ରର ଲୋକମାନଙ୍କୁ ଯୀଶୁଙ୍କର ଶିଷ୍ୟ ହେବା ପାଇଁ ସୁଯୋଗ ମିଳିପାରନ୍ତା । (ମାଥି. ୨୮:୧୯, ୨୦) କିନ୍ତୁ ଯୀଶୁ କହିଥିଲେ, ‘ତୁମ୍ଭେମାନେ ମୋହର ସାକ୍ଷୀ ହେବ ।’ ତାହେଲେ କʼଣ ଏହାର ଅର୍ଥ ଯୀଶୁଙ୍କର ଶିଷ୍ୟମାନଙ୍କୁ କେବଳ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେବାର ଥିଲା, ଯିହୋବାଙ୍କର ନାମ ବିଷୟରେ ନୁହେଁ ? ଏହି ପ୍ରଶ୍ନର ଉତ୍ତର ଆମକୁ ପ୍ରେରିତ ୧୫ ଅଧ୍ୟାୟରେ ମିଳେ ।
୫. ପ୍ରେରିତ ଓ ପ୍ରାଚୀନମାନେ ଯାହା ନିଷ୍ପତ୍ତି ନେଲେ, ସେଥିରୁ କିପରି ଜଣାପଡ଼େ ଯେ ଯିହୋବାଙ୍କର ନାମ ସମସ୍ତଙ୍କୁ ଜଣାଇବା ଜରୁରୀ ଥିଲା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୫ ୪୯ ଖ୍ରୀଷ୍ଟାବ୍ଦରେ ପ୍ରେରିତ ଓ ଯିରୂଶାଲମର ପ୍ରାଚୀନମାନେ ଏବିଷୟରେ ଚର୍ଚ୍ଚା କରିବା ପାଇଁ ଗୋଟିଏ ବୈଠକ ରଖିଲେ ଯେ ଅଣଯିହୁଦୀମାନଙ୍କୁ ଖ୍ରୀଷ୍ଟିୟାନ ହେବା ପାଇଁ ସୁନ୍ନତ କରିବା ଜରୁରୀ ନା ନୁହେଁ । ଏହି ବୈଠକର ଶେଷରେ ଯୀଶୁଙ୍କର ଭାଇ ଯାକୁବ କହିଲେ, “ଈଶ୍ୱର ଆପଣା ନାମ ନିମନ୍ତେ ବିଜାତିମାନଙ୍କ ମଧ୍ୟରୁ ଦଳେ ଲୋକ ଗ୍ରହଣ କରିବା ପାଇଁ କିପ୍ରକାରେ ପ୍ରଥମେ ସେମାନଙ୍କ ପ୍ରତି କୃପାଦୃଷ୍ଟି କରିଥିଲେ, ତାହା [ପିତର] ବର୍ଣ୍ଣନା କରିଅଛନ୍ତି ।” ତାʼପରେ ସେ ଭବିଷ୍ୟଦ୍ବକ୍ତା ଆମୋଷଙ୍କ କଥା ମଧ୍ୟ ଦୋହରାଇ କହିଲେ, “ଯେପରି ଅବଶିଷ୍ଟ ଲୋକେ ଓ ଯେସମସ୍ତ ବିଜାତି ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ୱଷେଣ କରନ୍ତି, ସର୍ବସାଧନକର୍ତ୍ତା ପ୍ରଭୁ ଏହା କହନ୍ତି ।” (ପ୍ରେରି. ୧୫:୧୪-୧୮) ନୂଆ ଶିଷ୍ୟମାନଙ୍କ ପାଇଁ କେବଳ ଯିହୋବାଙ୍କ ବିଷୟରେ ଶିଖିବା ଯଥେଷ୍ଟ ନ ଥିଲା, ବରଂ ସେମାନେ ‘ତାଙ୍କର ନାମରେ ଖ୍ୟାତ’ ମଧ୍ୟ ହୁଅନ୍ତେ । ଏହାର ଅର୍ଥ, ଏବେ ସେମାନଙ୍କୁ ଯିହୋବାଙ୍କର ନାମ ବିଷୟରେ ଲୋକମାନଙ୍କୁ କହିବାର ଥିଲା ଓ ସେମାନେ ଯିହୋବାଙ୍କ ନାମରେ ପରିଚିତ ହୁଅନ୍ତେ ।
ଯେବେ ପ୍ରଥମ ଶତାବ୍ଦୀରେ ପ୍ରଶାସନ ଦଳର ବୈଠକ ହେଲା, ତେବେ ଭାଇମାନେ ଭଲଭାବେ ବୁଝିଗଲେ ଯେ ଖ୍ରୀଷ୍ଟିୟାନମାନେ ଈଶ୍ୱରଙ୍କ ନାମରେ ପରିଚିତ ହେବା ଜରୁରୀ (ପାରାଗ୍ରାଫ ୫)
୬-୭. (କ) ଯୀଶୁ କାହିଁକି ପୃଥିବୀରେ ଆସିଥିଲେ ? (ଖ) ତାଙ୍କର ପୃଥିବୀରେ ଆସିବାର ସବୁଠାରୁ ବଡ଼ କାରଣ କʼଣ ଥିଲା ?
୬ ଯୀଶୁଙ୍କ ନାମର ଅର୍ଥ ହେଉଛି, “ଯିହୋବା ଉଦ୍ଧାର ଅଟନ୍ତି ।” ଯିହୋବା ଯୀଶୁଙ୍କ ଜରିଆରେ ସେହି ସମସ୍ତ ଲୋକମାନଙ୍କୁ ଉଦ୍ଧାର କରିଲେ, ଯେଉଁମାନେ ତାଙ୍କ ଓ ତାଙ୍କର ପୁତ୍ରଙ୍କ ଉପରେ ବିଶ୍ୱାସ କରନ୍ତି । ଯୀଶୁ ମଣିଷମାନଙ୍କ ଉଦ୍ଧାର କରିବା ପାଇଁ ଓ ନିଜ ଜୀବନକୁ ବଳିଦାନ ଦେବା ପାଇଁ ଏହି ପୃଥିବୀକୁ ଆସିଥିଲେ । (ମାଥି. ୨୦:୨୮) ଯୀଶୁଙ୍କ ମୁକ୍ତିର ମୂଲ୍ୟ ଯୋଗୁଁ ମଣିଷମାନଙ୍କୁ ନିଜର ପାପଗୁଡ଼ିକ ପାଇଁ କ୍ଷମା ମିଳେ ଓ ଭବିଷ୍ୟତରେ ସେମାନଙ୍କୁ ଅନନ୍ତ ଜୀବନ ମଧ୍ୟ ମିଳିପାରିବ ।—ଯୋହ. ୩:୧୬.
୭ କିନ୍ତୁ ମଣିଷମାନଙ୍କୁ ଉଦ୍ଧାର କରିବାର ଆବଶ୍ୟକ କାହିଁକି ପଡ଼ିଲା ? ଯେପରି ଆମେ ପୂର୍ବ ଲେଖାରେ ଦେଖିଲୁ, ଯେବେ ପ୍ରଥମ ମଣିଷ ଆଦମ ଓ ହବା ଈଶ୍ୱରଙ୍କର ଆଜ୍ଞା ଭାଙ୍ଗିଦେଲେ, ତେବେ ସେମାନେ ପାପୀ ହୋଇଗଲେ ଓ ଅନନ୍ତ ଜୀବନ ବଞ୍ଚିବାର ସୁଯୋଗ ହରାଇଦେଲେ । ତେଣୁ ମଣିଷମାନଙ୍କୁ ଉଦ୍ଧାର କରିବାର ଆବଶ୍ୟକ ଥିଲା । (ଆଦି. ୩:୬, ୨୪) କିନ୍ତୁ ଯୀଶୁ କେବଳ ମଣିଷମାନଙ୍କର ଉଦ୍ଧାର କରିବା ପାଇଁ ଆସି ନ ଥିଲେ, ବରଂ ସେ ଆଉ ଏକ ଜରୁରୀ ମାମଲାର ସମାଧାନ କରିବା ପାଇଁ ଆସିଥିଲେ । ସେ ଯିହୋବାଙ୍କର ନାମରେ ଲାଗିଥିବା କଳଙ୍କକୁ ଦୂର କରିବା ପାଇଁ ଆସିଥିଲେ । (ଆଦି. ୩:୪, ୫) ଏଥିରୁ ଜଣାପଡ଼େ ଯେ ମଣିଷମାନଙ୍କର ଉଦ୍ଧାର କରିବାଠାରୁ ମଧ୍ୟ ଜରୁରୀ କଥା ଏହା ଥିଲା ଯେ ଯିହୋବାଙ୍କର ନାମ ପବିତ୍ର କରାଯାଉ । ଆଉ ଏହାକୁ ପବିତ୍ର କରିବାରେ ଯୀଶୁଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା, କାରଣ ସେ ଯିହୋବାଙ୍କର ପ୍ରତିନିଧି ଥିଲେ ଓ ତାଙ୍କ ତରଫରୁ ଆସିଥିଲେ ।
ଯଦି କେହି ନିଜକୁ ଯୀଶୁଙ୍କର ଶିଷ୍ୟ ବୋଲି କହେ, ତାହେଲେ କʼଣ ତାକୁ ଯୀଶୁଙ୍କ ପିତାଙ୍କ ନାମ ଜଣାଥିବା ଉଚିତ୍ ନୁହେଁ ଓ ତାହାକୁ ବ୍ୟବହାର କରିବା ଉଚିତ୍ ନୁହେଁ ?
୮. ଯୀଶୁଙ୍କ ଉପରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ କʼଣ ବୁଝିବା ଜରୁରୀ ଥିଲା ?
୮ ଯୀଶୁଙ୍କ ଉପରେ ବିଶ୍ୱାସ କରୁଥିବା ସମସ୍ତ ଯିହୁଦୀ ଓ ଅଣଯିହୁଦୀ ଲୋକମାନଙ୍କୁ ଏହି କଥା ବୁଝିବା ଜରୁରୀ ଥିଲା ଯେ ପ୍ରକୃତରେ ସେମାନଙ୍କର ଉଦ୍ଧାରକର୍ତ୍ତା ଯୀଶୁଙ୍କର ପିତା ଯିହୋବା ଅଟନ୍ତି । (ଯୋହ. ୧୭:୩) ତାʼଛଡ଼ା ଯୀଶୁଙ୍କ ଭଳି ସେମାନେ ମଧ୍ୟ ଯିହୋବାଙ୍କର ନାମରେ ପରିଚିତ ହୁଅନ୍ତେ । ସେମାନଙ୍କୁ ଏହା ବି ବୁଝିବାର ଥିଲା ଯେ ଯିହୋବାଙ୍କର ନାମକୁ ପବିତ୍ର କରିବା ସବୁଠାରୁ ଜରୁରୀ କଥା ଅଟେ, କାରଣ ସେମାନଙ୍କର ଉଦ୍ଧାର ଏହି କଥା ଉପରେ ନିର୍ଭର କରେ । (ପ୍ରେରି. ୨:୨୧, ୨୨) ତେଣୁ ସେମାନଙ୍କୁ ଯିହୋବା ଓ ଯୀଶୁ ଦୁହିଁଙ୍କ ବିଷୟରେ ଶିଖିବାର ଥିଲା । ସେଥିପାଇଁ ଯୋହନ ୧୭ ଅଧ୍ୟାୟରେ ଯୀଶୁଙ୍କର ଯେଉଁ ପ୍ରାର୍ଥନା ବିଷୟରେ ଲେଖାଅଛି, ତାହାର ଶେଷରେ ସେ କହନ୍ତି, “ତୁମ୍ଭେ ମୋତେ ଯେଉଁ ପ୍ରେମରେ ପ୍ରେମ କଲ, ତାହା ଯେପରି ସେମାନଙ୍କଠାରେ ଥାଏ ଓ ମୁଁ ସେମାନଙ୍କଠାରେ ରହେ, ଏନିମନ୍ତେ ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି ଓ ଜଣାଇବି ।”—ଯୋହ. ୧୭:୨୬.
‘ତୁମ୍ଭେମାନେ ମୋର ସାକ୍ଷୀ’
୯. ଆମେ କେଉଁ କଥାକୁ ସବୁଠାରୁ ଅଧିକ ମହତ୍ତ୍ୱ ଦେବା ଉଚିତ୍ ?
୯ ଏବେ ଯାଏ ଆମେ ଯାହା ଚର୍ଚ୍ଚା କଲୁ, ସେଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଯୀଶୁଙ୍କର ଶିଷ୍ୟମାନଙ୍କୁ ଯିହୋବାଙ୍କର ନାମକୁ ପବିତ୍ର କରିବା ଜରୁରୀ । (ମାଥି. ୬:୯, ୧୦) ସେମାନଙ୍କୁ ଯିହୋବାଙ୍କର ନାମକୁ ସବୁଠାରୁ ଅଧିକ ମହତ୍ତ୍ୱ ଦେବା ଉଚିତ୍ ଓ ଆମ କାମରୁ ଏହା ଜଣାପଡ଼ିବା ଉଚିତ୍ । କିନ୍ତୁ ଆମେ ଯିହୋବାଙ୍କର ନାମକୁ କିପରି ପବିତ୍ର କରିପାରିବା ଅର୍ଥାତ୍ ଶୟତାନ ତାଙ୍କର ନାମ ଉପରେ ଯେଉଁ କଳଙ୍କ ଲଗାଇଛି, ତାହାକୁ କିପରି ଦୂର କରିପାରିବା ?
୧୦. ଯିଶାଇୟ ୪୨-୪୪ ଅଧ୍ୟାୟରେ କେଉଁ ମକଦ୍ଦମା ବିଷୟରେ କୁହାଯାଇଛି ? (ଯିଶାଇୟ ୪୩:୯; ୪୪:୭-୯) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୦ ଯିଶାଇୟ ୪୨-୪୪ ଅଧ୍ୟାୟରୁ ଜଣାପଡ଼େ ଯେ ଯିହୋବାଙ୍କର ନାମକୁ ପବିତ୍ର କରିବା ବହୁତ ଜରୁରୀ ଓ ଏହା ପାଇଁ ଆମେ କʼଣ କରିପାରିବା । ଏହି ଅଧ୍ୟାୟଗୁଡ଼ିକରୁ ଜଣାପଡ଼େ ଯେ ଯିହୋବା ଓ ଅନ୍ୟ ଦେବତାମାନଙ୍କ ମଧ୍ୟରେ ଏହି ମକଦ୍ଦମା ଚାଲୁଛି ଯେ ସତ୍ୟ ଈଶ୍ୱର କିଏ । ଯିହୋବା ସେମାନଙ୍କୁ କହନ୍ତି ଯେ ଯଦି ସେମାନେ ସତ, ତାହେଲେ ଏହା ପ୍ରମାଣିତ କରନ୍ତୁ ଓ ନିଜ ଦାବି ସତ ସାବ୍ୟସ୍ତ କରିବା ପାଇଁ ସାକ୍ଷୀଗଣ ନେଇ ଆସନ୍ତୁ । କିନ୍ତୁ ସେମାନେ ଜଣେ ବି ସାକ୍ଷୀ ଆଣିପାରନ୍ତି ନାହିଁ ।—ଯିଶାଇୟ ୪୩:୯; ୪୪:୭-୯ ପଢ଼ନ୍ତୁ ।
ଆଜି ଆମେ ମଧ୍ୟ ଏକ ମକଦ୍ଦମାରେ ସାମିଲ୍ ଅଛୁ ଓ ଆମକୁ ଯିହୋବାଙ୍କର ପକ୍ଷ ନେବା ଉଚିତ୍ (ପାରାଗ୍ରାଫ ୧୦-୧୧)
୧୧. ଯିଶାଇୟ ୪୩:୧୦-୧୨ ପଦରେ ଯିହୋବା ନିଜର ଲୋକମାନଙ୍କ ବିଷୟରେ କʼଣ କହନ୍ତି ?
୧୧ ଯିଶାଇୟ ୪୩:୧୦-୧୨ ପଢ଼ନ୍ତୁ । ଯିହୋବା ନିଜର ଲୋକମାନଙ୍କ ବିଷୟରେ କହନ୍ତି, ‘ତୁମ୍ଭେମାନେ ମୋର ସାକ୍ଷୀ ଅଟ ଓ ମୁଁ ପରମେଶ୍ୱର ଅଟେ ।’ ପୁଣି ସେ ସେମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରନ୍ତି, ‘ମୋ ଭିନ୍ନ ଆଉ କି ପରମେଶ୍ୱର ଅଛନ୍ତି ?’ (ଯିଶା. ୪୪:୮) ଏହା ଆମ ପାଇଁ ବହୁତ ସମ୍ମାନର କଥା ଯେ ଆମକୁ ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ସୁଯୋଗ ମିଳିଛି ! ଆମେ ନିଜର କାମରୁ ଓ ନିଜର କଥାରୁ ଏହା ପ୍ରମାଣିତ କରିପାରିବା ଯେ କେବଳ ଯିହୋବା ହିଁ ସତ୍ୟ ଈଶ୍ୱର ଓ ତାଙ୍କର ନାମ ସବୁଠାରୁ ମହାନ । ଆମେ ଯେପରି ଭାବେ ଜୀବନ ବିତାଉ, ସେଥିରୁ ଆମେ ଦେଖାଉ ଯେ ଆମେ ଯିହୋବାଙ୍କୁ ହୃଦୟରୁ ପ୍ରେମ କରୁ । ଶୟତାନ ଆମ ଉପରେ ଯେତେ ସମସ୍ୟା ଆଣିଲେ ବି ଆମେ ଯିହୋବାଙ୍କର ବିଶ୍ୱସ୍ତ ରହି ତାଙ୍କର ନାମକୁ ପବିତ୍ର କରୁ ।
୧୨. ଯିଶାଇୟ ୪୦:୩, ୫ ପଦରେ ଦିଆଯାଇଥିବା ଭବିଷ୍ୟତବାଣୀ କିପରି ପୂରା ହେଲା ?
୧୨ ଆମେ ଯିହୋବାଙ୍କର ପକ୍ଷ ନେଇ ଓ ତାଙ୍କର ନାମକୁ ପବିତ୍ର କରି ଯୀଶୁଙ୍କ ଭଳି ହୋଇଥାଉ । ଯିଶାଇୟ ଏହା ବି ଭବିଷ୍ୟତବାଣୀ କରିଥିଲେ ଯେ ଜଣେ ବ୍ୟକ୍ତି ଆସିବେ ଯିଏ ‘ଯିହୋବାଙ୍କ ପାଇଁ ପଥ ପ୍ରସ୍ତୁତ କରିବେ ।’ (ଯିଶା. ୪୦:୩) ଏହି ଭବିଷ୍ୟତବାଣୀ କିପରି ପୂରା ହେଲା ? ଆମେ ଜାଣୁ ଯେ ବାପ୍ତିଜିତ ଯୋହନ ଯୀଶୁଙ୍କ ପାଇଁ ପଥ ପ୍ରସ୍ତୁତ କରିଥିଲେ । ଯୀଶୁ ଯିହୋବାଙ୍କ ତରଫରୁ ଆସିଥିଲେ ଓ ସେ ଏହି ନାମ ଅନ୍ୟମାନଙ୍କୁ ବି ଜଣାଇଲେ । ସେଥିପାଇଁ ଆମେ କହିପାରିବା ଯେ ଯୋହନ ଯିହୋବାଙ୍କର ହିଁ ପଥ ପ୍ରସ୍ତୁତ କରିଥିଲେ । (ମାଥି. ୩:୩; ମାର୍କ ୧:୨-୪; ଲୂକ ୩:୩-୬) ଯିଶାଇୟଙ୍କ ଭବିଷ୍ୟତବାଣୀରେ ଏହା ବି କୁହାଯାଇଥିଲା ଯେ ‘ଯିହୋବାଙ୍କର ମହିମା ପ୍ରକାଶିତ ହେବ ।’ (ଯିଶା. ୪୦:୫) ଯୀଶୁ ପୃଥିବୀରେ ଆସି ପୂରାପୂରି ଭାବେ ଯିହୋବାଙ୍କର ମହିମା ପ୍ରକାଶିତ କଲେ । ସେ ପୂରାପୂରି ନିଜର ପିତାଙ୍କ ଭଳି ଥିଲେ । ଯଦି ଯିହୋବା ପୃଥିବୀରେ ଆସିଥାʼନ୍ତେ, ତାହେଲେ ସେ ତାହା ହିଁ କରନ୍ତେ ଯାହା ଯୀଶୁ କରିଥିଲେ ।—ଯୋହ. ୧୨:୪୫.
୧୩. ଆମେ ଯୀଶୁଙ୍କ ଭଳି କʼଣ କରିପାରିବା ?
୧୩ ଯୀଶୁଙ୍କ ଭଳି ଆମେ ବି ଯିହୋବାଙ୍କର ସାକ୍ଷୀ ଓ ତାଙ୍କ ବିଷୟରେ ଅନ୍ୟମାନଙ୍କୁ ସାକ୍ଷ୍ୟ ଦେଉ । ଆମେ ଯିହୋବାଙ୍କର ନାମରେ ପରିଚିତ ଓ ତାଙ୍କର ଅଦ୍ଭୁତ କାମ ବିଷୟରେ ସମସ୍ତଙ୍କୁ ଜଣାଉ । କିନ୍ତୁ ତାଙ୍କ ବିଷୟରେ ଭଲଭାବେ ସାକ୍ଷ୍ୟ ଦେବା ପାଇଁ ଆମକୁ ଲୋକମାନଙ୍କୁ ଏହା ବି ଜଣାଇବାକୁ ପଡ଼ିବ ଯେ ଯିହୋବାଙ୍କର ନାମକୁ ପବିତ୍ର କରିବା ପାଇଁ ଯୀଶୁଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା । (ପ୍ରେରି. ୧:୮) ଯୀଶୁ ଯିହୋବାଙ୍କର ସବୁଠାରୁ ବଡ଼ ସାକ୍ଷୀ ଥିଲେ, କାରଣ ତାଙ୍କ ଭଳି କେହି ବି ଯିହୋବାଙ୍କ ବିଷୟରେ ସାକ୍ଷ୍ୟ ଦେଇ ନାହାନ୍ତି । ଆମେ ବି ତାଙ୍କ ଭଳି ହେବା ପାଇଁ ଚାହୁଁ । (ପ୍ରକା. ୧:୫) ଆମେ କିପରି ଭାବେ ଦେଖାଇପାରିବା ଯେ ଯିହୋବାଙ୍କର ନାମ ଆମ ପାଇଁ ସବୁଠାରୁ ଅଧିକ ମହତ୍ତ୍ୱ ରଖେ ?
ଯିହୋବାଙ୍କର ନାମ ଆମ ପାଇଁ ସବୁଠାରୁ ଅଧିକ ମହତ୍ତ୍ୱ ରଖେ
୧୪. ଗୀତସଂହିତା ୧୦୫:୩ ପଦରେ ଯେପରି କୁହାଯାଇଛି, ଆମେ ଯିହୋବାଙ୍କର ନାମ ପାଇଁ କିପରି ଅନୁଭବ କରୁ ?
୧୪ ଆମେ ଯିହୋବାଙ୍କର ନାମ ପାଇଁ ଦର୍ପ ବା ଗର୍ବ କରୁ । (ଗୀତସଂହିତା ୧୦୫:୩ ପଢ଼ନ୍ତୁ ।) ଯିହୋବାଙ୍କୁ ଏହା ଦେଖି ବହୁତ ଖୁସି ଲାଗେ ଯେ ଆମେ ତାଙ୍କର ନାମ ପାଇଁ ଗର୍ବ କରୁ । (ଯିରି. ୯:୨୩, ୨୪; ୧ କରି. ୧:୩୧; ୨ କରି. ୧୦:୧୭) ଆମେ ଗର୍ବର ସହ ଲୋକମାନଙ୍କୁ ଜଣାଉ ଯେ ଯିହୋବା ପବିତ୍ର ଈଶ୍ୱର ଅଟନ୍ତି ଓ ସେ ଯାହା ବି କରନ୍ତି ତାହା ସଠିକ୍ ଥାଏ । ଆମେ ସାଙ୍ଗରେ କାମ କରୁଥିବା ଲୋକଙ୍କୁ, ସାଙ୍ଗରେ ପଢ଼ୁଥିବା ପିଲାମାନଙ୍କୁ, ପଡ଼ୋଶୀମାନଙ୍କୁ ଓ ଅନ୍ୟମାନଙ୍କୁ ଗର୍ବର ସହ ଜଣାଉ ଯେ ଆମେ ଯିହୋବାଙ୍କର ସାକ୍ଷୀ ! ଶୟତାନ ଚାହେଁ ଯେ ଆମେ ଯିହୋବାଙ୍କର ନାମ ବିଷୟରେ ଅନ୍ୟମାନଙ୍କୁ କହିବା ଛାଡ଼ିଦେଉ । (ଯିରି. ୧୧:୨୧; ପ୍ରକା. ୧୨:୧୭) ସେ ଓ ତାʼର ମିଛ ଭବିଷ୍ୟଦ୍ବକ୍ତାମାନେ ଚାହାନ୍ତି ଯେ ଲୋକମାନେ ଯିହୋବାଙ୍କର ନାମକୁ ହିଁ ଭୁଲିଯାʼନ୍ତୁ । (ଯିରି. ୨୩:୨୬, ୨୭) କିନ୍ତୁ ଆମେ ଯିହୋବାଙ୍କର ନାମକୁ ବହୁତ ପ୍ରେମ କରୁ, ତେଣୁ ଆମେ ‘ଦିନଯାକ ଆନନ୍ଦ କରୁ ।’—ଗୀତ. ୫:୧୧; ୮୯:୧୬.
୧୫. ଯିହୋବାଙ୍କ ନାମରେ ପ୍ରାର୍ଥନା କରିବାର ଅର୍ଥ କʼଣ ?
୧୫ ଆମେ ଯିହୋବାଙ୍କର ନାମରେ ପ୍ରାର୍ଥନା କରୁ । (ଯୋୟେ. ୨:୩୨; ରୋମୀ. ୧୦:୧୩, ୧୪) ଯିହୋବାଙ୍କ ନାମରେ ପ୍ରାର୍ଥନା କରିବା ପାଇଁ ତାଙ୍କର ନାମ ଜାଣିବା ଜରୁରୀ ଓ ଏହାକୁ ବ୍ୟବହାର କରିବା ମଧ୍ୟ ଜରୁରୀ । କିନ୍ତୁ ତାʼ ସହିତ ସେ କିପରି ଈଶ୍ୱର ଅଟନ୍ତି ତାହା ଜାଣିବା, ତାଙ୍କ ଉପରେ ଭରସା କରିବା ଓ ସାହାଯ୍ୟ ପାଇଁ ତାଙ୍କ ଉପରେ ନିର୍ଭର ରହିବା ବି ଜରୁରୀ । (ଗୀତ. ୨୦:୭; ୯୯:୬; ୧୧୬:୪; ୧୪୫:୧୮) ଯିହୋବାଙ୍କ ନାମରେ ପ୍ରାର୍ଥନା କରିବାରେ ଏହା ବି ସାମିଲ୍ ଯେ ଆମେ ଅନ୍ୟମାନଙ୍କୁ ତାଙ୍କର ନାମ ଓ ଗୁଣ ବିଷୟରେ ଜଣାଉ ଓ ତାଙ୍କୁ ନିଜ ଭିତରେ ସୁଧାର କରିବା ପାଇଁ ସାହାଯ୍ୟ କରୁ, ଯାହାଫଳରେ ସେମାନେ ଯିହୋବାଙ୍କୁ ଖୁସି କରିପାରିବେ ଓ ଉଦ୍ଧାର ପାଇବେ ।—ଯିଶା. ୧୨:୪; ପ୍ରେରି. ୨:୨୧, ୩୮.
୧୬. ଆମେ କିପରି ଶୟତାନକୁ ମିଛ ପ୍ରମାଣିତ କରିପାରିବା ?
୧୬ ଯିହୋବାଙ୍କର ନାମ ପାଇଁ ଆମେ ଦୁଃଖଭୋଗ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛୁ । (ଯାକୁ. ୫:୧୦, ୧୧) ସମସ୍ୟା ସମୟରେ ଯିହୋବାଙ୍କର ବିଶ୍ୱସ୍ତ ରହି, ଆମେ ଶୟତାନକୁ ମିଛ ପ୍ରମାଣିତ କରୁ । ଆୟୁବଙ୍କ ସମୟରେ ଶୟତାନ ଯିହୋବାଙ୍କର ସେବକମାନଙ୍କ ଉପରେ ଆରୋପ ଲଗାଇଲା, “ଆପଣା ପ୍ରାଣ ନିମନ୍ତେ ମନୁଷ୍ୟ ସର୍ବସ୍ୱ ଦେବ ।” (ଆୟୁ. ୨:୪) ସେ ଦାବି କଲା ଯେ ଯଦି ମଣିଷମାନଙ୍କ ଜୀବନରେ ସବୁକିଛି ଠିକ୍ ଚାଲେ, ତାହେଲେ ସେମାନେ ଯିହୋବାଙ୍କର ସେବା କରିବେ । କିନ୍ତୁ ଯଦି ସେମାନଙ୍କ ଜୀବନରେ କୌଣସି ସମସ୍ୟା ଆସେ, ତାହେଲେ ସେମାନେ ଯିହୋବାଙ୍କୁ ଛାଡ଼ି ଦେବେ । ଆୟୁବ ଯିହୋବାଙ୍କର ବିଶ୍ୱସ୍ତ ରହି ଶୟତାନର ଏହି ଆରୋପକୁ ମିଛ ପ୍ରମାଣିତ କଲେ । ଆମ ପାଖରେ ବି ଶୟତାନର ଏହି ଆରୋପକୁ ମିଛ ପ୍ରମାଣିତ କରିବାର ସୁଯୋଗ ଅଛି । ଶୟତାନ ଆମ ଉପରେ ଯାହା ବି ସମସ୍ୟା ଆଣୁ ନା କାହିଁକି, ଆମେ ଯିହୋବାଙ୍କର ବିଶ୍ୱସ୍ତ ରହିବା । ଆମେ ଭରସା ରଖିବା ଯେ ଯିହୋବା ନିଜର ନାମ ପାଇଁ ଆମକୁ ରକ୍ଷା କରିବେ ।—ଯୋହ. ୧୭:୧୧.
୧୭. ୧ ପିତର ୨:୧୨ ପଦରେ ଯେପରି କୁହାଯାଇଛି, ଆମେ ଆଉ କିପରି ଯିହୋବାଙ୍କର ନାମର ମହିମା କରିପାରିବା ?
୧୭ ଆମେ ସବୁକିଛି ଯିହୋବାଙ୍କ ନାମର ମହିମା ପାଇଁ କରୁ । (ହିତୋ. ୩୦:୯; ଯିରି. ୭:୮-୧୧) ଆମେ ଯିହୋବାଙ୍କର ସାକ୍ଷୀ ଓ ତାଙ୍କର ନାମରେ ପରିଚିତ । ସେଥିପାଇଁ ଆମ ଯୋଗୁଁ ହୁଏତ ତାଙ୍କର ନାମର ପ୍ରଶଂସା ହେବ ନଚେତ୍ ତାଙ୍କର ବଦନାମୀ ହେବ । (୧ ପିତର ୨:୧୨ ପଢ଼ନ୍ତୁ ।) ତେଣୁ ଆମେ ନିଜର କଥା ଓ କାମରୁ ସବୁବେଳେ ଯିହୋବାଙ୍କର ପ୍ରଶଂସା କରିବା ପାଇଁ ଚାହୁଁ । ଏପରି କରି ଆମେ ଅପରିପୂର୍ଣ୍ଣ ମଣିଷମାନେ ମଧ୍ୟ ଯିହୋବାଙ୍କର ନାମର ମହିମା କରିପାରିବା ।
୧୮. ଆମେ ଏହା କିପରି ଦେଖାଇପାରିବା ଯେ ଯିହୋବାଙ୍କର ନାମ ଆମ ପାଇଁ ସବୁଠାରୁ ଅଧିକ ମହତ୍ତ୍ୱ ରଖେ ? (ଫୁଟନୋଟ୍ ମଧ୍ୟ ଦେଖନ୍ତୁ ।)
୧୮ ଆମେ ନିଜ ଅପେକ୍ଷା ଯିହୋବାଙ୍କର ନାମକୁ ଅଧିକ ମହତ୍ତ୍ୱ ଦେଉ । (ଗୀତ. ୧୩୮:୨) ଅନେକ ଥର ହୁଏତ ଯିହୋବାଙ୍କର ନାମକୁ ମହିମା କରିବା ଯୋଗୁଁ ଲୋକମାନେ ଆମ ବିଷୟରେ ଓଲଟା ସିଧା କଥା କହିବେ ।a ସେହି ସମୟରେ ଆମେ ଯୀଶୁଙ୍କର ଉଦାହରଣ ମନେ ରଖିପାରିବା । ଯିହୋବାଙ୍କର ନାମକୁ ମହିମା କରିବା ପାଇଁ ଯୀଶୁ ଜଣେ ଅପରାଧୀ ଭାବେ ମୃତ୍ୟୁଭୋଗ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ । ଏହା ପାଇଁ ସେ “ଅପମାନ ତୁଚ୍ଛଜ୍ଞାନ” କଲେ ଏବଂ ଏକଥା ପାଇଁ ଚିନ୍ତା କଲେ ନାହିଁ ଯେ ଲୋକମାନେ ତାଙ୍କ ବିଷୟରେ କʼଣ କହିବେ । (ଏବ୍ରୀ ୧୨:୨-୪) ସେ ନିଜର ପୂରା ଧ୍ୟାନ ଯିହୋବାଙ୍କର ଇଚ୍ଛା ପୂରା କରିବାରେ ଲଗାଇ ରଖିଲେ ।—ମାଥି. ୨୬:୩୯.
୧୯. ଆପଣ ଯିହୋବାଙ୍କର ନାମ ବିଷୟରେ କିପରି ଅନୁଭବ କରନ୍ତି ଓ କାହିଁକି ?
୧୯ ଆମେ ଯିହୋବାଙ୍କର ନାମ ପାଇଁ ଓ ତାଙ୍କର ସାକ୍ଷୀ ବୋଲି ପରିଚିତ ହୋଇଥିବାରୁ ବହୁତ ଗର୍ବ କରୁ । ଆଉ ତାʼପାଇଁ ଆମେ ଯେକୌଣସି ଅପମାନ ସହିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛୁ । ଆମେ ନିଜ ଅପେକ୍ଷା ଯିହୋବାଙ୍କର ନାମକୁ ଅଧିକ ମହତ୍ତ୍ୱ ଦେଉ । ଶୟତାନ ଯାହା ବି ସମସ୍ୟା ଆଣୁ ନା କାହିଁକି, ଆସନ୍ତୁ ଆମେ ସବୁବେଳେ ଯିହୋବାଙ୍କର ନାମକୁ ମହିମା କରିବା ଏବଂ ଯୀଶୁଙ୍କ ଭଳି ଆମେ ବି ଏହା ପ୍ରମାଣିତ କରିବା ଯେ ଯିହୋବାଙ୍କର ନାମ ଆମ ପାଇଁ ସବୁଠାରୁ ଅଧିକ ମହତ୍ତ୍ୱ ରଖେ ।
ଗୀତ ୧୧ ସୃଷ୍ଟି କରେ ପ୍ରଶଂସା ଯିହୋବାଙ୍କ
a ଆୟୁବ ଯିହୋବାଙ୍କର ବିଶ୍ୱସ୍ତ ସେବକ ଥିଲେ । ମନେ ପକାନ୍ତୁ ଯେବେ ତାଙ୍କର ପିଲାମାନଙ୍କର ମୃତ୍ୟୁ ହୋଇଯାଏ ଓ ତାଙ୍କର ସମ୍ପତ୍ତିଗୁଡ଼ିକୁ ଲୁଟି ନିଆଯାଏ, ତେବେ ମଧ୍ୟ ‘ଆୟୁବ ପାପ କଲେ ନାହିଁ, ଅବା ପରମେଶ୍ୱରଙ୍କ ଉପରେ ଅବିବେଚନାର ଦୋଷାରୋପ କଲେ ନାହିଁ ।’ (ଆୟୁ. ୧:୨୨; ୨:୧୦) କିନ୍ତୁ ଦିନେ ସେ ବି ଯିହୋବାଙ୍କ ଅପେକ୍ଷା ନିଜ ବିଷୟରେ ଭାବିବାକୁ ଲାଗିଲେ । ଯେବେ ତାଙ୍କର ତିନିଜଣ ସାଥୀମାନେ ତାଙ୍କ ଉପରେ ମିଛ ଆରୋପ ଲଗାଇଲେ ଓ ତାଙ୍କର ନାମକୁ ବଦନାମ କଲେ, ତେବେ ସେ “ଅବିବେଚନାଯୁକ୍ତ” କଥା କହିବାକୁ ଲାଗିଲେ । ଯିହୋବାଙ୍କର ନାମକୁ ପବିତ୍ର କରିବା ଓ ତାଙ୍କର ପକ୍ଷ ନେବା ପରିବର୍ତ୍ତେ ସେ ନିଜର ନାମ ଓ ମାନସମ୍ମାନ ବିଷୟରେ ଭାବିବାକୁ ଲାଗିଲେ ।—ଆୟୁ. ୬:୩; ୧୩:୪, ୫; ୩୨:୨; ୩୪:୫.