ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଏପ୍ରିଲ୍‌ ପୃଷ୍ଠା ୨-୭
  • ‘ତୁମ୍ଭେମାନେ କାହାର ସେବା କରିବ, ତାହା ମନୋନୀତ କର’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ତୁମ୍ଭେମାନେ କାହାର ସେବା କରିବ, ତାହା ମନୋନୀତ କର’
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯୀଶୁ କାହିଁକି ଯିହୋବାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଲେ ?
  • ଯିହୋବାଙ୍କୁ କାହିଁକି ଆମର ଉପାସନା ପାଇବାର ଅଧିକାର ଅଛି ?
  • ଆମେ କାହିଁକି ଯିହୋବାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଇଛୁ ?
  • ଯିହୋବାଙ୍କର ସେବା କରିବା ଜାରି ରଖନ୍ତୁ
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୫-୨୦୨୬ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ସର୍କିଟ ଅଧ୍ୟକ୍ଷଙ୍କ ସହିତ
  • ମନେ ରଖନ୍ତୁ ଯିହୋବା ‘ଜୀବିତ ପରମେଶ୍ୱର’ ଅଟନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଏପ୍ରିଲ୍‌ ପୃଷ୍ଠା ୨-୭

ଅଧ୍ୟୟନ ଲେଖା ୧୪

ଗୀତ ୮ ୟହୋୱା ହମାରା ଗଢ଼ ହେ

‘ତୁମ୍ଭେମାନେ କାହାର ସେବା କରିବ, ତାହା ମନୋନୀତ କର’

“ମାତ୍ର ମୁଁ ଓ ମୋହର ପରିଜନ, ଆମ୍ଭେମାନେ ସଦାପ୍ରଭୁଙ୍କୁ ସେବା କରିବା ।”—ଯିହୋ. ୨୪:୧୫.

କʼଣ ଶିଖିବା ?

ଆମେ କେଉଁ କାରଣ ଯୋଗୁଁ ଯିହୋବାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଲୁ, ଆସନ୍ତୁ ସେଗୁଡ଼ିକ ଉପରେ ଧ୍ୟାନ ଦେବା ।

୧. ଯଦି ଆମେ ବାସ୍ତବରେ ଖୁସିରେ ରହିବା ପାଇଁ ଚାହୁଁ, ତାହେଲେ ଆମକୁ କʼଣ କରିବାକୁ ପଡ଼ିବ ଏବଂ କାହିଁକି ? (ଯିଶାଇୟ ୪୮:୧୭, ୧୮)

ସ୍ୱର୍ଗରେ ରହୁଥିବା ଆମ ପିତା ଯିହୋବା ଆମକୁ ବହୁତ ପ୍ରେମ କରନ୍ତି । ସେ ଚାହାନ୍ତି ଯେ ଆମେ ଆଜି ଓ ଭବିଷ୍ୟତରେ ଖୁସିରେ ରହୁ । (ଉପ. ୩:୧୨, ୧୩) ସେ ଆମକୁ ଅଦ୍ଭୁତ ଦକ୍ଷତା ଦେଇ ସୃଷ୍ଟି କରିଛନ୍ତି, କିନ୍ତୁ ସେ ଆମକୁ ଏହି ଦକ୍ଷତା ଦେଇ ନାହାନ୍ତି ଯେ ଆମେ ପରସ୍ପର ଉପରେ ଶାସନ କରିବା କିମ୍ବା ଆମ ପାଇଁ ଠିକ୍‌ କʼଣ ଓ ଭୁଲ କʼଣ ତାହାର ନିଷ୍ପତ୍ତି ନେଇପାରିବା । (ଉପ. ୮:୯; ଯିରି. ୧୦:୨୩) ସେ ଜାଣନ୍ତି ଯେ ଯଦି ଆମେ ତାଙ୍କର ସ୍ତର ଅନୁସାରେ ବଞ୍ଚିବା ଓ ତାଙ୍କର ସେବା କରିବା, ତାହେଲେ ଆମେ ବାସ୍ତବରେ ଖୁସିରେ ରହିପାରିବା ।—ଯିଶାଇୟ ୪୮:୧୭, ୧୮ ପଢ଼ନ୍ତୁ ।

୨. ଶୟତାନ କʼଣ ଦାବି କଲା ଓ ଯିହୋବା ଏହାକୁ ମିଛ ସାବ୍ୟସ୍ତ କରିବା ପାଇଁ କʼଣ କଲେ ?

୨ ଶୟତାନ ଦାବି କଲା ଯେ ଆମେ ଯିହୋବାଙ୍କର ଅଧୀନରେ ନ ରହି ମଧ୍ୟ ଖୁସିରେ ରହିପାରିବା ଏବଂ ପରସ୍ପର ଉପରେ ଭଲଭାବେ ଶାସନ କରିପାରିବା । (ଆଦି. ୩:୪, ୫) ତାʼର ଏହି ଦାବିକୁ ମିଛ ସାବ୍ୟସ୍ତ କରିବା ପାଇଁ ଯିହୋବା ମଣିଷମାନଙ୍କୁ କିଛି ସମୟ ପାଇଁ ଏହି ପୃଥିବୀରେ ଶାସନ କରିବାକୁ ଦେଇଛନ୍ତି । ଆଜି ଆମେ ତାହାର ଖରାପ ପରିଣାମ ଦେଖିପାରୁଛୁ । କିନ୍ତୁ ବାଇବଲରେ ଏପରି ଅନେକ ସ୍ତ୍ରୀ ଓ ପୁରୁଷମାନଙ୍କ ଉଦାହରଣ ଦିଆଯାଇଛି, ଯେଉଁମାନେ ଯିହୋବାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଇ ବହୁତ ଖୁସିରେ ଥିଲେ । ସେମାନଙ୍କ ମଧ୍ୟରୁ ସବୁଠୁ ବଢ଼ିଆ ଉଦାହରଣ ହେଉଛନ୍ତି, ଯୀଶୁ ଖ୍ରୀଷ୍ଟ । ଆସନ୍ତୁ ଆଗକୁ ଆମେ ଜାଣିବା ଯେ ଯୀଶୁ କାହିଁକି ଯିହୋବାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଲେ । ତାʼପରେ ଆମେ ଜାଣିବା ଯେ ଯିହୋବାଙ୍କୁ କାହିଁକି ଆମର ଉପାସନା ପାଇବାର ଅଧିକାର ଅଛି । ଶେଷରେ ଆମେ ଜାଣିବା ଯେ ଆମେ କାହିଁକି ଯିହୋବାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଇଛୁ ।

ଯୀଶୁ କାହିଁକି ଯିହୋବାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଲେ ?

୩. ଶୟତାନ ଯୀଶୁଙ୍କୁ କʼଣ କରିବା ପାଇଁ କହିଲା, କିନ୍ତୁ ଯୀଶୁ କʼଣ ନିଷ୍ପତ୍ତି ନେଲେ ?

୩ ପୃଥିବୀରେ ଥିବା ସମୟରେ ଯୀଶୁଙ୍କୁ ନିଷ୍ପତ୍ତି ନେବାର ଥିଲା ଯେ ସେ କାହାର ସେବା କରିବେ । ଯେପରି, ତାଙ୍କର ବାପ୍ତିସ୍ମର କିଛି ସମୟ ପରେ ଶୟତାନ ତାଙ୍କୁ ସମସ୍ତ ରାଜ୍ୟ ଦେଖାଇ କହିଲା ଯେ ଯଦି ଯୀଶୁ ତାକୁ ଭୂମିଷ୍ଠ ପ୍ରଣାମ କରିବେ, ତାହେଲେ ସେ ଏହିସମସ୍ତ ତାଙ୍କୁ ଦେଇଦେବ । ତେବେ ଯୀଶୁ ତାଙ୍କୁ କହିଲେ, “ଦୂର ହ, ଶୟତାନ, କାରଣ ଲେଖାଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ ।” (ମାଥି. ୪:୮-୧୦) ଯୀଶୁ କାହିଁକି ଯିହୋବାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଲେ ? ଆସନ୍ତୁ ଏହାର କିଛି କାରଣ ଉପରେ ଧ୍ୟାନ ଦେବା ?

୪-୫. ଯୀଶୁ କେଉଁ କାରଣ ଯୋଗୁଁ ଯିହୋବାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଲେ ?

୪ ଯିହୋବାଙ୍କ ସେବା କରିବାର ସବୁଠୁ ବଡ଼ କାରଣ ହେଉଛି ଯେ ଯୀଶୁ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ ଓ ତାଙ୍କର ଗଭୀର ଆଦର କରୁଥିଲେ । (ଯୋହ. ୧୪:୩୧) ତାʼ ସହିତ ସେ ଏଥିପାଇଁ ମଧ୍ୟ ଯିହୋବାଙ୍କର ସେବା କଲେ, କାରଣ କେବଳ ଯିହୋବାଙ୍କୁ ହିଁ ଉପାସନା ପାଇବାର ଅଧିକାର ଅଛି । (ଯୋହ. ୮:୨୮, ୨୯; ପ୍ରକା. ୪:୧୧) ସେ ସମସ୍ତଙ୍କୁ ଜୀବନ ଦେଇଛନ୍ତି ଏବଂ ସେ ଭରସାଯୋଗ୍ୟ ଓ ଉଦାର ଈଶ୍ୱର ଅଟନ୍ତି । (ଗୀତ. ୩୩:୪; ୩୬:୯; ଯାକୁ. ୧:୧୭) ଏହା ବ୍ୟତୀତ, ସେ ସବୁବେଳେ ଯୀଶୁଙ୍କୁ ସତ କହିଲେ ଏବଂ ଯୀଶୁ ଜାଣିଥିଲେ ଯେ ତାଙ୍କ ପାଖରେ ଯାହା ବି ଅଛି ସବୁକିଛି ଯିହୋବା ଦେଇଛନ୍ତି । (ଯୋହ. ୧:୧୪) ସେ ଶୟତାନ ବିଷୟରେ ବି ଭଲଭାବେ ଜାଣିଥିଲେ ଯେ ତାʼଯୋଗୁଁ ହିଁ ଆଜି ସମସ୍ତଙ୍କର ମୃତ୍ୟୁ ହୁଏ । ସେ ମିଛ କହେ ଓ ଲୋଭୀ ଅଟେ, ସେ କେବଳ ନିଜ ବିଷୟରେ ହିଁ ଭାବେ । (ଯୋହ. ୮:୪୪) ସେଥିପାଇଁ ଯୀଶୁ କେବେ ବି ଶୟତାନ ଭଳି ଯିହୋବାଙ୍କ ବିରୁଦ୍ଧରେ ଯିବା ପାଇଁ ଚାହୁଁ ନ ଥିଲେ ।—ଫିଲିପ୍‌. ୨:୫-୮.

୫ ଯୀଶୁ ଆଉ ଗୋଟିଏ କାରଣ ଯୋଗୁଁ ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନେଇଥିଲେ । ସେ ଜାଣିଥିଲେ ଯେ ଯଦି ସେ ଯିହୋବାଙ୍କର ବିଶ୍ୱସ୍ତ ରହିବେ, ତାହେଲେ ଏହାର ଅନେକ ଭଲ ପରିଣାମ ହେବ । (ଏବ୍ରୀ ୧୨:୨) ସେ ନିଜ ପିତାଙ୍କ ନାମ ପବିତ୍ର କରିପାରିବେ ଏବଂ ଶୟତାନ ଯୋଗୁଁ ଯେଉଁ ପାପ ଓ ମୃତ୍ୟୁ ଆସିଛି, ସେଥିରୁ ଆମକୁ ମୁକ୍ତ କରିପାରିବେ ।

ଯିହୋବାଙ୍କୁ କାହିଁକି ଆମର ଉପାସନା ପାଇବାର ଅଧିକାର ଅଛି ?

୬-୭. (କ) ଆଜି କାହିଁକି ଅନେକ ଲୋକ ଯିହୋବାଙ୍କର ସେବା କରନ୍ତି ନାହିଁ ? (ଖ) କେବଳ ଯିହୋବା ହିଁ କାହିଁକି ଉପାସନା ପାଇବାର ଅଧିକାରୀ ଅଟନ୍ତି ?

୬ ଆଜି ଅନେକ ଲୋକ ଯିହୋବାଙ୍କୁ ଜାଣି ନ ଥିବାରୁ ତାଙ୍କର ସେବା କରନ୍ତି ନାହିଁ । ସେମାନଙ୍କୁ ଏହା ଜଣାନାହିଁ ଯେ ଯିହୋବା କେତେ ଭଲ ଈଶ୍ୱର ଅଟନ୍ତି ଓ ତାଙ୍କଠାରେ ଅନେକ ଭଲ ଗୁଣ ରହିଛି । ସେମାନେ ଏହା ବି ଜାଣନ୍ତି ନାହିଁ ଯେ ଯିହୋବା ସେମାନଙ୍କ ପାଇଁ ବହୁତ କିଛି କରିଛନ୍ତି । ସେମାନେ ଏଥେନ୍‌ସ୍‌ରେ ରହୁଥିବା ଲୋକଙ୍କ ଭଳି ଅଟନ୍ତି, ଯେଉଁମାନଙ୍କୁ ପାଉଲ ପ୍ରଚାର କରିଥିଲେ ।—ପ୍ରେରି. ୧୭:୧୯, ୨୦, ୩୦, ୩୪.

୭ ପାଉଲ ଏଥେନ୍‌ସ୍‌ରେ ରହୁଥିବା ଲୋକମାନଙ୍କୁ କହିଲେ ଯେ ସତ୍ୟ ଈଶ୍ୱର ‘ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ ଓ ସମସ୍ତ ପଦାର୍ଥ ଦାନ କରନ୍ତି । ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି ଅଛି ।’ ସେ କହିଲେ ଯେ ଈଶ୍ୱର ଆମର ସୃଷ୍ଟିକର୍ତ୍ତା ଅଟନ୍ତି, ‘ସେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି ।’ ସେଥିପାଇଁ କେବଳ ଯିହୋବାଙ୍କୁ ହିଁ ଉପାସନା ପାଇବାର ଅଧିକାର ଅଛି ।—ପ୍ରେରି. ୧୭:୨୫, ୨୬, ୨୮.

୮. ଯିହୋବା କʼଣ କରନ୍ତି ନାହିଁ ? ବୁଝାନ୍ତୁ ।

୮ ଯିହୋବା ଆମର ସୃଷ୍ଟିକର୍ତ୍ତା ଓ ସାରା ବିଶ୍ୱର ମାଲିକ ଅଟନ୍ତି, କିନ୍ତୁ ସେ କେବେ ବି ନିଜର ଉପାସନା କରିବା ପାଇଁ କାହାରିକୁ ବାଧ୍ୟ କରନ୍ତି ନାହିଁ ଆଉ ସେ ଆଗକୁ ବି ଏପରି କରିବେ ନାହିଁ । ଏହା ପରିବର୍ତ୍ତେ ସେ ଚାହାନ୍ତି ଯେ ଆମେ ହୃଦୟରୁ ତାଙ୍କର ସେବା କରୁ । ତେଣୁ ସେ ଏହି କଥାର ଅନେକ ପ୍ରମାଣ ଦେଇଛନ୍ତି ଯେ ସେ ସତରେ ଅଛନ୍ତି ଓ ପ୍ରତ୍ୟେକ ଜଣଙ୍କୁ ବହୁତ ପ୍ରେମ କରନ୍ତି । ସେ ଚାହାନ୍ତି ଯେ ଅଧିକରୁ ଅଧିକ ଲୋକମାନେ ତାଙ୍କ ସାଙ୍ଗ ହୁଅନ୍ତୁ ଓ ତାଙ୍କର ସେବା କରନ୍ତୁ । (୧ ତୀମ. ୨:୩, ୪) ତେଣୁ ସେ ଆମକୁ ଖୁସିର ଖବର ଶୁଣାଇବା ପାଇଁ ଟ୍ରେନିଙ୍ଗ ଦିଅନ୍ତି ଓ ଏହାଯୋଗୁଁ ଆମେ ଲୋକମାନଙ୍କୁ କହିପାରୁ ଯେ ଯିହୋବା ଭବିଷ୍ୟତରେ ମଣିଷମାନଙ୍କ ପାଇଁ କʼଣ କʼଣ କରିବେ । (ମାଥି. ୧୦:୧୧-୧୩; ୨୮:୧୯, ୨୦) ଆମେ ତାଙ୍କର ଉପାସନା କରିପାରିବା ବୋଲି ସେ ମଣ୍ଡଳୀର ବି ବ୍ୟବସ୍ଥା କରିଛନ୍ତି ଏବଂ ପ୍ରାଚୀନମାନଙ୍କୁ ବି ନିଯୁକ୍ତ କରିଛନ୍ତି ଯେଉଁମାନେ ବହୁତ ପ୍ରେମର ସହ ଆମର ଯତ୍ନ ନିଅନ୍ତି ।—ପ୍ରେରି. ୨୦:୨୮.

୯. ଆମେ କାହିଁକି କହିପାରିବା ଯେ ଯିହୋବା ସମସ୍ତଙ୍କୁ ବହୁତ ପ୍ରେମ କରନ୍ତି ?

୯ ଯିହୋବା ସେହି ଲୋକମାନଙ୍କୁ ବି ପ୍ରେମ କରନ୍ତି ଯେଉଁମାନେ ଏହା ମାନନ୍ତି ନାହିଁ ଯେ ସେ ସତରେ ଅଛନ୍ତି । ଭାବନ୍ତୁ, ଆରମ୍ଭରୁ ନେଇ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ନିଜ ହିସାବରେ ଜୀବନ ବିତାଇଛନ୍ତି ଏବଂ ସେମାନଙ୍କ ପାଇଁ ଠିକ୍‌ କʼଣ ଓ ଭୁଲ କʼଣ ତାହା ସେମାନେ ନିଜେ ନିଷ୍ପତ୍ତି ନେଇଛନ୍ତି । ତଥାପି ଯିହୋବା ସେମାନଙ୍କୁ ବଞ୍ଚିବା ପାଇଁ ଦେଲେ ଓ ସେମାନଙ୍କୁ ସେସବୁ ଜିନିଷ ଦେଲେ ଯେଉଁଥିରୁ ସେମାନେ ଖୁସିରେ ରହିପାରିବେ । (ମାଥି. ୫:୪୪, ୪୫; ପ୍ରେରି. ୧୪:୧୬, ୧୭) ତାʼ ସହିତ ଯିହୋବାଙ୍କ ମହାକୃପା ଯୋଗୁଁ ହିଁ ସେମାନେ ସାଙ୍ଗ କରିପାରନ୍ତି, ବିବାହ କରି ସନ୍ତାନ ଜନ୍ମ କରିପାରନ୍ତି ଓ ନିଜ କାମରୁ ଖୁସି ପାଆନ୍ତି । (ଗୀତ. ୧୨୭:୩; ଉପ. ୨:୨୪) ଏହି ସବୁ କଥାରୁ ଜଣାପଡ଼େ ଯେ ସେ ସମସ୍ତଙ୍କୁ ବହୁତ ପ୍ରେମ କରନ୍ତି । (ଯାତ୍ରା. ୩୪:୬) ବର୍ତ୍ତମାନ ଆମେ ଏପରି କିଛି କାରଣ ଉପରେ ଧ୍ୟାନ ଦେବା ଯେ ଆମେ କାହିଁକି ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନେଇଛୁ ଓ ଯିହୋବା ଆମକୁ କେଉଁ କେଉଁ ଆଶିଷ ଦିଅନ୍ତି ।

ଆମେ କାହିଁକି ଯିହୋବାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଇଛୁ ?

୧୦. (କ) ଆମେ କାହିଁକି ଯିହୋବାଙ୍କର ସେବା କରୁ ? (ମାଥିଉ ୨୨:୩୭) (ଖ) ଯିହୋବା ଆପଣଙ୍କ ପାଇଁ କିପରି ଧୈର୍ଯ୍ୟ ଧରିଛନ୍ତି ? (ଗୀତସଂହିତା ୧୦୩:୧୩, ୧୪)

୧୦ ଯୀଶୁଙ୍କ ଭଳି ଆମେ ବି ଯିହୋବାଙ୍କୁ ବହୁତ ପ୍ରେମ କରୁ ଓ ତାଙ୍କର ଗଭୀର ଆଦର କରୁ, ସେଥିପାଇଁ ଆମେ ତାଙ୍କର ସେବା କରୁ । (ମାଥିଉ ୨୨:୩୭ ପଢ଼ନ୍ତୁ ।) ଆମେ ଶିଖିଛୁ ଯେ ଯିହୋବା କେତେ ଭଲ ଈଶ୍ୱର ଅଟନ୍ତି ଓ ତାଙ୍କଠାରେ କେତେ ଭଲ ଗୁଣଗୁଡ଼ିକ ରହିଛି, ସେଥିପାଇଁ ଆମେ ତାଙ୍କ ଆଡ଼କୁ ଆକର୍ଷିତ ହୋଇଥାଉ । ଯେପରି, ସେ ମଣିଷମାନଙ୍କ ପାଇଁ ବହୁତ ଧୈର୍ଯ୍ୟ ଧରନ୍ତି । ଯେବେ ଇସ୍ରାଏଲୀୟମାନେ ବାରମ୍ବାର ଯିହୋବାଙ୍କର ଆଜ୍ଞା ଭାଙ୍ଗିଲେ ତେବେ ଯିହୋବା ସେମାନଙ୍କୁ ଅନୁରୋଧ କଲେ, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେର ।” (ଯିରି. ୧୮:୧୧) ଯିହୋବା ସେମାନଙ୍କ ପାଇଁ ବହୁତ ଧୈର୍ଯ୍ୟ ଧରିଲେ । ସେ ମନେ ରଖନ୍ତି ଯେ ଆମେ ଧୂଳିମାତ୍ର ଓ ଆମଦ୍ୱାରା ଅନେକ ଥର ଭୁଲ ହୋଇଯାଏ । (ଗୀତସଂହିତା ୧୦୩:୧୩, ୧୪ ପଢ଼ନ୍ତୁ ।) ଯେବେ ଆପଣ ଯିହୋବାଙ୍କର ଧୈର୍ଯ୍ୟ ଓ ଅନ୍ୟ ଭଲ ଗୁଣଗୁଡ଼ିକ ବିଷୟରେ ଭାବନ୍ତି, ତେବେ କʼଣ ଆପଣଙ୍କୁ ସବୁଦିନ ପାଇଁ ଯିହୋବାଙ୍କର ସେବା କରିବା ପାଇଁ ଇଚ୍ଛା ହୁଏନି ?

୧୧. ଆମେ ଆହୁରି କେଉଁ କାରଣରୁ ଯିହୋବାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଇଛୁ ?

୧୧ ଆମେ ଯିହୋବାଙ୍କର ଉପାସନା ଏଥିପାଇଁ ବି କରୁ, କାରଣ କେବଳ ଯିହୋବାଙ୍କୁ ହିଁ ଉପାସନା ପାଇବାର ଅଧିକାର ଅଛି । (ମାଥି. ୪:୧୦) ଏହା ବ୍ୟତୀତ ଆମେ ଜାଣିଛୁ ଯେ ଯଦି ଆମେ ଯିହୋବାଙ୍କର ବିଶ୍ୱସ୍ତ ରହିବା, ତାହେଲେ ଏହାର ଭଲ ପରିଣାମ ହେବ । ଆମେ ଯିହୋବାଙ୍କର ନାମକୁ ପବିତ୍ର କରିପାରିବା, ଶୟତାନକୁ ମିଛ ସାବ୍ୟସ୍ତ କରିପାରିବା ଓ ନିଜ ପିତାଙ୍କ ହୃଦୟକୁ ଖୁସି କରିପାରିବା । ତାʼସହ ଯଦି ଆମେ ଆଜି ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନେବା, ତାହେଲେ ଆମେ ସବୁଦିନ ପାଇଁ ତାଙ୍କର ସେବା କରିପାରିବା ।—ଯୋହ. ୧୭:୩.

୧୨-୧୩. ଆମେ ଜେନ୍‌ ଓ ପେମ୍‌ର ଅନୁଭୂତିରୁ କʼଣ ଶିଖୁ ?

୧୨ ଅଳ୍ପ ବୟସରୁ ହିଁ ଆମେ ଯିହୋବାଙ୍କୁ ପ୍ରେମ କରିବା ଶିଖିପାରିବା । ଏପରି କଲେ ଆମେ ବଡ଼ ହେବା ସହିତ ଯିହୋବାଙ୍କ ପାଇଁ ଆମ ପ୍ରେମ ଆହୁରି ଗଭୀର କରିପାରିବା । ଜେନ୍‌ ଓ ପେମ୍‌ ନାମକ ଗୋଟିଏ ପରିବାରର ଦୁଇ ଭଉଣୀଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ ।a ଯେବେ ଜେନ୍‌ ୧୧ ବର୍ଷର ଥିଲା ଓ ପେମ୍‌ ୧୦ ବର୍ଷର, ତେବେ ସେମାନେ ବାଇବଲ ଅଧ୍ୟୟନ କରିବା ଆରମ୍ଭ କଲେ । ସେମାନଙ୍କର ବାପାମାଆ ସାକ୍ଷୀମାନଙ୍କ ସହିତ ଅଧ୍ୟୟନ କରିବା ପାଇଁ ଚାହୁଁ ନ ଥିଲେ, ତଥାପି ସେମାନେ ଜେନ୍‌ ଓ ପେମ୍‌କୁ ଅଧ୍ୟୟନ କରିବା ପାଇଁ ଅନୁମତି ଦେଇଦେଲେ । କିନ୍ତୁ ସେମାନେ ଜେନ୍‌ ଓ ପେମ୍‌ ଆଗରେ ପ୍ରତି ସପ୍ତାହ ଚର୍ଚ୍ଚ ଯିବା ପାଇଁ ସର୍ତ୍ତ ରଖିଲେ । ଜେନ୍‌ କହେ, “ସାକ୍ଷୀମାନଙ୍କ ସହ ଅଧ୍ୟୟନ କରିବା ଦ୍ୱାରା ମୋତେ ବହୁତ ସାହାଯ୍ୟ ମିଳିଲା । ଯେବେ ସ୍କୁଲରେ ପିଲାମାନେ ମୋତେ ଡ୍ରଗସ୍‌ ନେବା ପାଇଁ କିମ୍ବା ଅନୈତିକ କାମ କରିବା ପାଇଁ କହିଲେ, ତେବେ ମୁଁ ସେମାନଙ୍କୁ ସ୍ପଷ୍ଟ ଭାବେ ମନା କରିପାରିଲି ।”

୧୩ କିଛି ବର୍ଷ ପରେ ସେମାନେ ଦୁହେଁ ପ୍ରଚାରକ ହୋଇଗଲେ ଓ ତାʼପରେ ଅଗ୍ରଦୂତ ସେବା କରିବାକୁ ଲାଗିଲେ । ତାʼ ସହିତ ଯେବେ ସେମାନଙ୍କର ବାପାମାଆ ବୃଦ୍ଧ ହୋଇଗଲେ, ତେବେ ସେମାନେ ତାଙ୍କର ଦେଖାଶୁଣା ବି କରିବାକୁ ଲାଗିଲେ । ଯିହୋବା ସେମାନଙ୍କ ପାଇଁ ଯାହା ବି କଲେ ସେବିଷୟରେ ଜେନ୍‌ କହେ, “ମୁଁ ନିଜ ଜୀବନରେ ଅନୁଭବ କରିପାରିଲି ଯେ ଯିହୋବା କିପରି ଭାବେ ନିଜ ସାଙ୍ଗମାନଙ୍କର ଯତ୍ନ ନିଅନ୍ତି । ଆଉ ଯେପରି ୨ ତୀମଥି ୨:୧୯ ପଦରେ ଲେଖାଅଛି, ‘ଯିହୋବା ଆପଣା ଲୋକମାନଙ୍କୁ ଜାଣନ୍ତି ।’” ସତରେ, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ଓ ତାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନିଅନ୍ତି, ଯିହୋବା ସବୁବେଳେ ସେମାନଙ୍କର ଯତ୍ନ ନିଅନ୍ତି !

୧୪. ଆମେ ନିଜ କଥା ଓ କାମରୁ ଯିହୋବାଙ୍କର ନାମରେ ଯେଉଁ କଳଙ୍କ ଲାଗିଛି, ତାହାକୁ କିପରି ଦୂର କରିପାରିବା ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୪ ଯିହୋବାଙ୍କ ନାମରେ ଯେଉଁ କଳଙ୍କ ଲାଗିଛି ଆମେ ତାହାକୁ ଦୂର କରିବା ପାଇଁ ଚାହୁଁ, ତେଣୁ ଆମେ ସମସ୍ତଙ୍କୁ ଯିହୋବାଙ୍କ ବିଷୟରେ ସତ୍ୟ କହୁ । ଭାବନ୍ତୁ, ଆପଣଙ୍କର ଜଣେ ପ୍ରିୟ ସାଙ୍ଗ ସମସ୍ତଙ୍କ ସହିତ ଭଲ ବ୍ୟବହାର କରେ, ସମସ୍ତଙ୍କୁ ସାହାଯ୍ୟ କରେ ଏବଂ ଅନ୍ୟମାନଙ୍କୁ ତୁରନ୍ତ କ୍ଷମା ବି କରେ । ଦିନେ ଆପଣଙ୍କୁ ଜଣାପଡ଼େ ଯେ କେହି ତାʼ ଉପରେ ମିଛ ଆରୋପ ଲଗାଏ ଯେ ସେ ବହୁତ ଖରାପ ବ୍ୟକ୍ତି ଅଟେ ଓ ସଚ୍ଚୋଟ ନୁହେଁ । ଏପରି ସମୟରେ ଆପଣ କʼଣ କରିବେ ? ଆପଣ ସମସ୍ତଙ୍କୁ କହିବେ ଯେ ଆପଣଙ୍କ ସାଙ୍ଗ ଏପରି ବ୍ୟକ୍ତି ନୁହେଁ । ସେହିଭଳି ଶୟତାନ ଓ ତାକୁ ଯେଉଁମାନେ ସହଯୋଗ କରନ୍ତି, ସେମାନେ ଯିହୋବାଙ୍କ ବିଷୟରେ ମିଛ କଥା ପ୍ରସାରିତ କରନ୍ତି ଓ ତାଙ୍କୁ ବଦନାମ କରନ୍ତି । ତେଣୁ ଆମେ ଲୋକମାନଙ୍କୁ ଯିହୋବାଙ୍କ ବିଷୟରେ ସତ୍ୟ ଜଣାଉ ଓ ତାଙ୍କର ନାମରେ ଯେଉଁ କଳଙ୍କ ଲାଗିଛି, ତାହାକୁ ଦୂର କରିଥାଉ । (ଗୀତ. ୩୪:୧; ଯିଶା. ୪୩:୧୦) ଏପରି କରି ଆମେ ନିଜ କଥା ଓ କାମରୁ ଦେଖାଉ ଯେ ଆମେ ଯିହୋବାଙ୍କୁ ପ୍ରେମ କରୁ ଓ ମନପ୍ରାଣ ଦେଇ ତାଙ୍କର ସେବା କରିବା ପାଇଁ ଚାହୁଁ ।

ଚିତ୍ରଗୁଡ଼ିକ: ୧. କିଛି ବିରୋଧୀ ଅଧିବେଶନ ଜାଗାର ବାହାରେ ରହି ଆମ ବିରୁଦ୍ଧରେ କିଛି କହୁଛନ୍ତି ଓ ଜଣେ ସ୍ତ୍ରୀ ସେମାନଙ୍କୁ ଦେଖୁଛନ୍ତି । ୨. ତାʼପରେ ସେହି ସ୍ତ୍ରୀ କାର୍ଟ ପାଖରେ ଛିଡ଼ା ଥିବା ସ୍ୱାମୀ ସ୍ତ୍ରୀଙ୍କ ସହ କଥା ହୁଅନ୍ତି ।

କʼଣ ଆପଣ ଯିହୋବାଙ୍କର ନାମରେ ଲାଗିଥିବା କଳଙ୍କ ଦୂର କରିବେ ? (ପାରାଗ୍ରାଫ ୧୪) b


୧୫. ପାଉଲ ନିଜ ଜୀବନରେ ଯେଉଁ ପରିବର୍ତ୍ତନ କଲେ, ତାʼଯୋଗୁଁ ତାଙ୍କୁ କେଉଁ ଆଶିଷଗୁଡ଼ିକ ମିଳିଲା ? (ଫିଲିପ୍‌ପୀୟ ୩:୭, ୮)

୧୫ ଆମେ ଯିହୋବାଙ୍କୁ ଖୁସି କରିବା ପାଇଁ ଓ ତାଙ୍କର ଅଧିକରୁ ଅଧିକ ସେବା କରିବା ପାଇଁ ଚାହୁଁ, ତେଣୁ ଆମେ ନିଜ ଜୀବନରେ ଯେକୌଣସି ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହୁ । ପାଉଲ ବି ଏପରି କରିଥିଲେ । ଯିହୁଦୀ ସମାଜରେ ତାଙ୍କର ବଡ଼ ନାମ ଓ ଉଚ୍ଚ ପଦବୀ ଥିଲା । କିନ୍ତୁ ଖ୍ରୀଷ୍ଟଙ୍କ ଶିଷ୍ୟ ହେବା ଓ ଯିହୋବାଙ୍କର ସେବା କରିବା ପାଇଁ ସେ ଏସବୁକୁ ଛାଡ଼ିଦେଲେ । (ଗାଲା. ୧:୧୪) ସେଥିପାଇଁ ତାଙ୍କୁ ଅନେକ ଆଶିଷ ମିଳିଲା ଓ ସ୍ୱର୍ଗରେ ଯୀଶୁଙ୍କ ସହ ଶାସନ କରିବା ପାଇଁ ସୁଯୋଗ ବି ମିଳିଲା । ସେ ଯିହୋବାଙ୍କ ସେବା କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲେ, ତାʼପାଇଁ ତାଙ୍କୁ ଅବଶୋଷ ହେଲା ନାହିଁ ଓ ଆମକୁ ବି କେବେ ତାʼପାଇଁ ଅବଶୋଷ ହେବ ନାହିଁ ।—ଫିଲିପ୍‌ପୀୟ ୩:୭, ୮ ପଢ଼ନ୍ତୁ ।

୧୬. ଆମେ ଜୁଲିଆଙ୍କ ଅନୁଭୂତିରୁ କʼଣ ଶିଖୁ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୬ ଯଦି ଆମେ ଯିହୋବାଙ୍କର ସେବାକୁ ପ୍ରଥମ ସ୍ଥାନ ଦେଉ, ତାହେଲେ ବର୍ତ୍ତମାନ ଓ ଭବିଷ୍ୟତରେ ଆମକୁ ଅନେକ ଆଶିଷ ମିଳିବ । ଜୁଲିଆଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ପିଲାବେଳେ ସେ ଚର୍ଚ୍ଚରେ ଗୀତ ଗାଉଥିଲେ । ସେ ଜଣେ ଭଲ ଗାୟିକା ଥିଲେ, ତେଣୁ ତାଙ୍କୁ ଭଲ ଓପେରା ଗାୟିକା ହେବା ପାଇଁ ଟ୍ରେନିଙ୍ଗ ମିଳିଲା । କିଛି ସମୟ ପରେ ସଙ୍ଗୀତ ଜଗତରେ ଜୁଲିଆଙ୍କର ବଡ଼ ନାମ ହୋଇଗଲା ଓ ସେ ଜଣାଶୁଣା ଜାଗାଗୁଡ଼ିକରେ ଗୀତ ଗାଇବାକୁ ଲାଗିଲେ । ଏହା ପରେ ସେ ଗୋଟିଏ ଜଣାଶୁଣା ସଙ୍ଗୀତ କଳା କେନ୍ଦ୍ରକୁ ଯିବାକୁ ଲାଗିଲେ । ସେଠାରେ ଜଣେ ପୁଅ ତାଙ୍କ ସହିତ ଯିହୋବାଙ୍କ ବିଷୟରେ କଥା ହେଲେ ଓ ଈଶ୍ୱରଙ୍କର ନାମ ଯିହୋବା ବୋଲି ତାଙ୍କୁ ଜଣାଇଲେ । ତାʼପରେ ଜୁଲିଆ ସପ୍ତାହରେ ଦୁଇଥର ବାଇବଲ ଅଧ୍ୟୟନ କରିବାକୁ ଲାଗିଲେ । କିଛି ସମୟ ପରେ ସେ ନିଷ୍ପତ୍ତି ନେଲେ ଯେ ସେ ସଙ୍ଗୀତର କ୍ୟାରିଅର ଛାଡ଼ିଦେବେ ଓ ଯିହୋବାଙ୍କର ସେବା କରିବେ । ତାଙ୍କ ପାଇଁ ଏହି ନିଷ୍ପତ୍ତି ନେବା ସହଜ ନ ଥିଲା । ସେ କହନ୍ତି, “ଅନେକ ଲୋକ ମୋତେ କହିଲେ ଯେ ମୁଁ ନିଜ ଦକ୍ଷତାର ବ୍ୟବହାର କରୁ ନାହିଁ । କିନ୍ତୁ ମୁଁ ଯିହୋବାଙ୍କର ସେବା କରିବା ପାଇଁ ଚାହୁଁଥିଲି ।” ଜୁଲିଆ ୩୦ରୁ ବି ଅଧିକ ବର୍ଷ ହେଲାଣି ଯିହୋବାଙ୍କର ସେବା କରୁଛନ୍ତି । ଆଜି ସେ ନିଜର ଏହି ନିଷ୍ପତ୍ତି ବିଷୟରେ କʼଣ କହନ୍ତି ? ସେ କହନ୍ତି, “ଏହା ଭାବି ମୋତେ ବହୁତ ଖୁସି ଲାଗେ ଯେ ମୁଁ ସଠିକ୍‌ ନିଷ୍ପତ୍ତି ନେଲି । ମୋତେ ପୂରା ଭରସା ଅଛି ଯେ ଯିହୋବା ଭବିଷ୍ୟତରେ ମୋର କାମନା ପୂର୍ଣ୍ଣ କରିବେ ।”—ଗୀତ. ୧୪୫:୧୬.

ଚିତ୍ରଗୁଡ଼ିକ: ଜୁଲିଆ ଯେଉଁ ନିଷ୍ପତ୍ତି ନେଲେ, ତାହାର ପ୍ରଦର୍ଶନୀ । ୧. ସେ ଷ୍ଟେଜ୍‌ରେ ଲୋକଙ୍କ ସାମନାରେ ଗୀତ ଗାଉଛନ୍ତି । ୨. ସେ ନିଜ ସ୍ୱାମୀଙ୍କ ସହିତ ସଭାରେ ଗୀତ ଗାଉଛନ୍ତି ।

ଯେବେ ଆମେ ଯିହୋବାଙ୍କର ସେବାକୁ ଜୀବନରେ ପ୍ରଥମ ସ୍ଥାନ ଦେଉ, ତେବେ ଆମେ ଜୀବନରେ ଖୁସିରେ ରହିପାରୁ (ପାରାଗ୍ରାଫ ୧୬) c


ଯିହୋବାଙ୍କର ସେବା କରିବା ଜାରି ରଖନ୍ତୁ

୧୭. (କ) ଯେଉଁମାନେ ଏବେ ଯାଏଁ ଯିହୋବାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଇ ନାହାନ୍ତି, ସେମାନଙ୍କୁ କʼଣ କରିବା ଉଚିତ୍‌ ଓ କାହିଁକି ? (ଖ) ଯେଉଁମାନେ ଯିହୋବାଙ୍କର ସେବା କରୁଛନ୍ତି, ସେମାନେ କʼଣ ମନେ ରଖିପାରିବେ ?

୧୭ ଏହି ଦୁନିଆର ବିନାଶ ବହୁତ ପାଖେଇ ଆସିଛି । ପ୍ରେରିତ ପାଉଲ ଲେଖିଲେ, “ଆଉ ଅତ୍ୟଳ୍ପ ସମୟମାତ୍ର, ଯାହାଙ୍କ ଆଗମନ କରିବାର ଅଛି, ସେ ଆଗମନ କରିବେ ଓ ବିଳମ୍ବ କରିବେ ନାହିଁ ।” (ଏବ୍ରୀ. ୧୦:୩୭) ତାହେଲେ ମଣିଷମାନଙ୍କୁ କʼଣ କରିବା ଉଚିତ୍‌ ? ଯେଉଁମାନେ ଏବେ ଯାଏଁ ଯିହୋବାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଇ ନାହାନ୍ତି, ସେମାନଙ୍କୁ ଯେତେ ଶୀଘ୍ର ହୋଇପାରେ ଏହି ନିଷ୍ପତ୍ତି ନେବାକୁ ପଡ଼ିବ ଯେ ସେମାନେ କʼଣ କରିବେ, କାରଣ ସମୟ ବହୁତ କମ୍‌ ରହିଯାଇଛି । (୧ କରି. ୭:୨୯) ଆଉ ଯେଉଁମାନେ ଯିହୋବାଙ୍କର ସେବା କରୁଛନ୍ତି, ସେମାନେ ମନେ ରଖିପାରିବେ ଯେ ସେମାନେ ଯେଉଁ ସମସ୍ୟାଗୁଡ଼ିକର ସାମନା କରୁଛନ୍ତି, ତାହା ‘ଅତ୍ୟଳ୍ପ ସମୟ’ ପାଇଁ ଅଛି ।

୧୮. ଯୀଶୁ ଓ ଯିହୋବା ଆମଠାରୁ କʼଣ ଚାହାନ୍ତି ?

୧୮ ଯୀଶୁ ନିଜ ଶିଷ୍ୟମାନଙ୍କୁ କେବଳ ଏହା କହିଲେ ନାହିଁ ଯେ ମୋହର ଅନୁଗମନ କର ବରଂ ସେ କହିଲେ ଯେ ପ୍ରତିଦିନ ମୋହର ଅନୁଗମନ କର । (ଲୂକ ୯:୨୩) ଯଦି ଆପଣ ଅନେକ ବର୍ଷରୁ ଯିହୋବାଙ୍କର ସେବା କରୁଛନ୍ତି, ତାହେଲେ ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ଆଗକୁ ବି ଏପରି କରିବା ଜାରି ରଖିବେ । ଯିହୋବା ଚାହାନ୍ତି ଯେ ଆପଣ ତାଙ୍କର ସେବା କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେଥିରେ ଅଟଳ ରହିବା ପାଇଁ ପରିଶ୍ରମ କରନ୍ତୁ । ଏପରି କରିବା ସହଜ ନୁହେଁ, କିନ୍ତୁ ଯଦି ଆମେ ଯିହୋବାଙ୍କର ସେବା କରିବା ଜାରି ରଖିବା, ତାହେଲେ ଆମକୁ ବର୍ତ୍ତମାନ ଓ ଭବିଷ୍ୟତରେ ଅନେକ ଆଶିଷ ମିଳିବ ଓ ପ୍ରକୃତ ଖୁସି ବି ମିଳିବ ।—ଗୀତ. ୩୫:୨୭.

୧୯. ଆମେ ଜିନ୍‌ଙ୍କ ଅନୁଭୂତିରୁ କʼଣ ଶିଖୁ ?

୧୯ କିଛି ଲୋକଙ୍କୁ ଲାଗେ ଯେ ଯଦି ସେମାନେ ଯିହୋବାଙ୍କର ସେବା କରିବେ, ତାହେଲେ ସେମାନଙ୍କୁ ଅନେକ ତ୍ୟାଗ କରିବାକୁ ପଡ଼ିବ । ଯଦି ଆପଣ ଯୁବା ଅଟନ୍ତି, ତାହେଲେ କʼଣ ଆପଣଙ୍କୁ ବି ଏପରି ହିଁ ଲାଗେ ଯେ ଯିହୋବାଙ୍କର ସେବା କଲେ ଆପଣ ଜୀବନର ମଜା ନେଇପାରିବେ ନାହିଁ ? ଜିନ୍‌ ନାମକ ଜଣେ ଯୁବା ଭାଇ କହନ୍ତି, “ମୋତେ ଲାଗୁଥିଲା ଯେ ମୁଁ ଜଣେ ଯିହୋବାଙ୍କର ସାକ୍ଷୀ ହୋଇଥିବାରୁ କିଛି ମଜା କରିପାରୁ ନାହିଁ । ଅନ୍ୟ ପିଲାମାନେ ସବୁବେଳେ ପାର୍ଟି କରନ୍ତି, ଝିଅମାନଙ୍କ ସହିତ ବୁଲନ୍ତି ଓ ମାରପିଟ୍‌ ଥିବା ଭିଡିଓ ଗେମ୍‌ ଖେଳନ୍ତି । କିନ୍ତୁ ମୁଁ କେବଳ ସଭା ଓ ପ୍ରଚାରକୁ ଯାଏ ।” ଏପରି ଚିନ୍ତାଧାରା ଯୋଗୁଁ ଜିନ୍‌ ଉପରେ କʼଣ ପ୍ରଭାବ ପଡ଼ିଲା ? ସେ କହନ୍ତି, “ମୁଁ କିଛି ସମୟ ପାଇଁ ଅନ୍ୟ ପିଲାମାନଙ୍କ ଭଳି ମଜା କରିବାକୁ ଲାଗିଲି । ମୁଁ ଦୋହରା ଜୀବନ ବଞ୍ଚିବାକୁ ଲାଗିଲି । କିନ୍ତୁ ମୁଁ ହୃଦୟରୁ ଖୁସି ନ ଥିଲି । ତାʼପରେ ମୁଁ ବାଇବଲରୁ ସେହି କଥାଗୁଡ଼ିକ ବିଷୟରେ ଗଭୀର ଭାବେ ଭାବିବାକୁ ଲାଗିଲି ଯାହାକୁ ମୁଁ ମାନୁ ନ ଥିଲି ଓ ଭାବିନେଲି ଯେ ମୁଁ ସମ୍ପୂର୍ଣ୍ଣ ହୃଦୟରୁ ଯିହୋବାଙ୍କର ସେବା କରିବି । ତେବେଠାରୁ ଆଜି ପର୍ଯ୍ୟନ୍ତ ମୁଁ ଦେଖିଲି ଯେ ଯିହୋବା ମୋର ସବୁ ପ୍ରାର୍ଥନାର ଉତ୍ତର ଦେଇଛନ୍ତି ।”

୨୦. ଆମକୁ କʼଣ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ?

୨୦ ଗୀତସଂହିତା ୬୫ ଅଧ୍ୟାୟର ରଚୟିତା, ଯିହୋବାଙ୍କୁ ନିଜ ଗୀତରେ କହିଲେ, “ତୁମ୍ଭେ ଯାହାକୁ ତୁମ୍ଭ ପ୍ରାଙ୍ଗଣରେ ବାସ କରିବା ପାଇଁ ମନୋନୀତ କର ଓ ଆପଣା ନିକଟକୁ ଆସିବାକୁ ଦିଅ, ସେ ଲୋକ ଧନ୍ୟ ।” (ଗୀତ. ୬୫:୪) ତାହେଲେ ଆସନ୍ତୁ ଆମେ ଦୃଢ଼ ନିଷ୍ପତ୍ତି ନେବା ଯେ ଆମେ ଯିହୋବାଙ୍କର ସେବା କରିବା ଜାରି ରଖିବା । ଆଉ ଯିହୋଶୂୟଙ୍କ ଭଳି କହିବା, “ମାତ୍ର ମୁଁ ଓ ମୋହର ପରିଜନ, ଆମ୍ଭେମାନେ ସଦାପ୍ରଭୁଙ୍କୁ ସେବା କରିବା ।”—ଯିହୋ. ୨୪:୧୫.

ଆପଣ କʼଣ ଉତ୍ତର ଦେବେ ?

  • ଯୀଶୁ କାହିଁକି ଯିହୋବାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଲେ ?

  • ଯିହୋବାଙ୍କୁ କାହିଁକି ଆମର ଉପାସନା ପାଇବାର ଅଧିକାର ଅଛି ?

  • ଆପଣ କାହିଁକି ଯିହୋବାଙ୍କର ସେବା କରିବା ପାଇଁ ନିଷ୍ପତ୍ତି ନେଲେ ?

ଗୀତ ୨୮ ଯିହୋବାଙ୍କ ମିତ୍ର କିଏ ?

a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

b ଚିତ୍ର ବିଷୟରେ: କିଛି ବିରୋଧୀ ଅଧିବେଶନ ଜାଗାର ବାହାରେ ରହି ଆମ ବିରୁଦ୍ଧରେ କିଛି କହୁଛନ୍ତି । ସେହି ରାସ୍ତା ଦେଇ ଯାଉଥିବା ଜଣେ ସ୍ତ୍ରୀ ସେମାନଙ୍କୁ ଦେଖୁଛନ୍ତି । ତାʼପରେ ସେହି ସ୍ତ୍ରୀ ଆମ କାର୍ଟ ପାଖକୁ ଯାʼନ୍ତି ଓ ସାକ୍ଷୀମାନେ ତାଙ୍କୁ ବାଇବଲରୁ ସତ୍ୟ ଜଣାନ୍ତି ।

c ଚିତ୍ର ବିଷୟରେ: ଏଠାରେ ଦେଖାଇ ଦିଆଯାଇଛି ଯେ ଜୁଲିଆ ଯିହୋବାଙ୍କର ସେବା କରିବା ପାଇଁ ନିଜ ଜୀବନରେ କʼଣ ପରିବର୍ତ୍ତନ କଲେ । ଚିତ୍ରରେ ଯେଉଁ ସ୍ତ୍ରୀଙ୍କୁ ଦେଖାଇ ଦିଆଯାଇଛି ସେ ଜୁଲିଆ ନୁହଁନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ